ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.18
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ଓଡ଼ିଆ ଭାଗବତ/୧୦
0
595
59652
59050
2026-09-06T13:15:59Z
~2026-48354-99
3090
/* ଷଷ୍ଠ ଅଧ୍ୟାୟ */
59652
wikitext
text/x-wiki
=='''ଦଶମ ସ୍କନ୍ଧ (ଗୋପଲୀଳା)'''==
<poem>
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ॥
ନିଗମ କଳ୍ପତରୋର୍ଗଳିତଂ ଫଳଂ
ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ
ମୁହୁରହୋ ରସିକାଭୁବିଭାବୁକାଃ ।
</poem>
==='''ପ୍ରଥମ ଅଧ୍ୟାୟ'''===
<poem>
ବନ୍ଦଇ ଦେବ ଲମ୍ବୋଦର । ପାଶ ଅଙ୍କୁଶ ବେନିକର ॥୧
ପୃଥୁଳ ଜଠର ସୁନ୍ଦର । ଗଜବଦନ ଗଣେଶ୍ୱର ॥୨
ଅନାଦି ନାଥର ନନ୍ଦନ । ଅମୃତପାନେ ତୋଷମନ ॥୩
ଯଜ୍ଞ ଆରମ୍ଭେ ତୋର ପୂଜା । ଉତ୍ତରୀ କଣ୍ଠେ ନାଗରାଜ ॥୪
ଶ୍ୟାମସୁନ୍ଦର ତନୁବର୍ଣ୍ଣ । ଅଶେଷ ବିଘ୍ନ-ବିନାଶନ ॥୫
ତୁମ୍ଭର ଜନକ ଜନନୀ । ଜଗତ ଜନକ ଜନନୀ ॥୬
ତୋର ମହିମା ମୁଖେକହି । କେ ପାରେ ନରଦେହ ବହି ॥୭
ହୁଅ ସଦୟ ଗଣନାଥ । କହିବି ଶ୍ରୀକୃଷ୍ଣ ଚରିତ ॥୮
ନମଇଁ ପ୍ରଭୁ ନରହରି । ହିରଣ୍ୟକଶିପୁ ବିଦାରି ॥୯
ଉଦିତ ରବି ଜିଣି ତେଜ । ସୁନ୍ଦର ଶୋହେ ଚତୁର୍ଭୁଜ ॥୧୦
କୁଣ୍ତଳ ଶଶୀ ଦିନକର । ନକ୍ଷତ୍ର ମାଳା ହୃଦେହାର ॥୧୧
ବ୍ରହ୍ମାଣ୍ତ ମାଳମାଳ ହୋଇ । ତୋ ଲୋମକୂପେ ଛନ୍ତି ରହି ॥୧୨
ଧର୍ମପାଳକ ତୁ ଜଗତେ । ଶରୀର ବହୁ ପ୍ରାଣୀ ହିତେ ॥୧୩
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ॥୧୪
କର ସୁଦୟା ନରହରି । ତୋ ଲୀଳା କହିବି ବିସ୍ତାରି ॥୧୫
ପରମ ମଙ୍ଗଳ ତୋ' ନାମ । ଖଣ୍ତେ ସକଳ ବିଘ୍ନମାନ ॥୧୬
ଏଣୁ ମୋହର ନାହିଁ ଭୟେ । ଯାହାର ନାମ ଯମଜୟେ ॥୧୭
ବ୍ୟାସକୁମର ପାଦ ଧରି । ବୋଲେ ପରୀକ୍ଷ-ଦଣ୍ତଧାରୀ ॥୧୮
;ପରୀକ୍ଷିତ ଉବାଚ
ଭୋମୁନି ହୋଇବା ସଦୟେ । ମୋ ଚିତ୍ତ ରହୁ କୃଷ୍ଣପାୟେ ॥୧୯
ପାଣ୍ତବ କୁଳେ ମୋର ଜନ୍ମ । ମୋହାର ବନ୍ଧୁ ଜନାର୍ଦ୍ଦନ ॥୨୦
ଦ୍ରୋଣ କୁମର ବାଣ-ତ୍ରାସେ । ମରିବି କହିଗଲେ ବ୍ୟାସେ ॥୨୧
ତା' ଶୁଣି ଜନନୀ ମୋହର । ଶରଣ ଗଲା ଚକ୍ରଧର ॥୨୨
ଗର୍ଭେ ପଡ଼ନ୍ତେ ଆସି ବାଣ । ମୋତେ ରଖିଲେ ନାରାୟଣ ॥୨୩
ତେଣୁ କୃଷ୍ଣ ଏ ଶରୀରର । କିଣିଲା ସେବକ ମୁଁ ତା'ର ॥୨୪
ତା'ର ଚରିତ କର୍ଣ୍ଣେ ଶୁଣି । ତରିବି ଭବ- ତରଙ୍ଗିଣୀ ॥୨୫
ଶ୍ରୀକୃଷ୍ଣ ଲୀଳାର ଚରିତ । ମୁଖ-ପଙ୍କଜୁଁ ତୋ'ର ଜାତ ॥୨୬
ଶ୍ରୁତି ଯୁଗଳେ ପାନ କରି । ହେଳେ ତରିବି ଭବ-ବାରି ॥୨୭
ପାଣ୍ତବେ ଯାହାର ବିଶ୍ୱାସୁ । ତରିଲେ କୁରୁବଳ-ତ୍ରାସୁ ॥୨୮
ବତ୍ସାଚରଣ-ଜଳ ତୁଲ୍ୟେ । ହେଳେ ତରିଲେ କୁରୁବଳେ ॥୨୯
ସେ ହରିଚରିତ ଗହନ । ଧ୍ୟାନେ ଭାବନ୍ତି ମୁନିଜନ ॥୩୦
ଭବସାଗର ପରମାଦ । ବିଷୟା ବିଷକୁ ଏ ଗଦ ॥୩୧
ଚଣ୍ତାଳୁ ବ୍ରହ୍ମଯାଏ ଲୋକ । କେ ଶୁଣି ହୋଇବ ବିମୁଖ ॥୩୨
ଅଶେଷ ଜନ୍ତୁ ଦେହ ବହି । ଯେ କାଳରୂପେ ଅଛି ରହି ॥୩୩
ମାୟା ମନୁଷ୍ୟ ରୂପେ ଜାତ । ସଂହାରି ପାଳଇ ଜଗତ ॥୩୪
ମୃତ୍ୟୁ ଅମୃତ୍ୟୁ ବେନି ଦେଇ । ନିତ୍ୟେ ନିର୍ମଳ ଯା'ର ଦେହୀ ॥୩୫
ନବମସ୍କନ୍ଧେ ମୁହିଁ ଶୁଣି । ସେ କଥା ମନେ ମନେ ଗୁଣି ॥୩୬
ବିଚାର କଲି ଭ୍ରମଚିତ୍ତ । ଭୋ ମୁନି କହିବା ତଦନ୍ତ ॥୩୭
ଶ୍ରୀଭାଗବତର ସିଦ୍ଧାନ୍ତ । ଅମୃତ ରସମୟ ଗୀତ ॥୩୮
ଧାର୍ମିକ କୁଳେ ଯଦୁବଂଶେ । ଜନ୍ମ ହୋଇଲେ ନିଜ ଅଂଶେ ॥୩୯
ନୀଳ ଧବଳ ରୂପ ଦୁଇ । ଦେବକୀ ଗର୍ଭେ ଜାତ ହୋଇ ॥୪୦
କେମନ୍ତେ ରୋହିଣୀର ସୁତ । ରାମକୁ ବୋଲନ୍ତି ଜଗତ ॥୪୧
ବେନି ଉଦରୁ ଏକ ଦେହ । ଭୋ ମୁନି ଫେଡ଼ିବା ସନ୍ଦେହ ॥୪୨
କେବଣ ହେତୁ ଭଗବାନ । ଗୁପତେ ଗଲେ ବୃନ୍ଦାବନ ॥୪୩
ଭକତ ତାରିବାର ଆଶେ । ରମିଲେ ବାଳକ ବିଶ୍ୱାସେ ॥୪୪
ପୁଣି କେତେହେଁ ଦିନେ ହରି । ମିଳିଲେ ମଥୁରା ନଗରୀ ॥୪୫
ଜଗତଜନଙ୍କର ଗୁରୁ । ଯା'ର ମହିମା ମହାମେରୁ ॥୪୬
କିମ୍ପା ଅନୀତି ଆଚରିଲେ । ସୋଦର ମଉଳା ମାଇଲେ ॥୪୭
ଏ କି ତାହାଙ୍କ ପରମାଣ । ଯାହାଙ୍କ ନାମ ନାରାୟଣ ॥୪୮
ମନୁଷ୍ୟ ରୂପେ ହୋଇ ଜନ୍ମ । କେତେ ବରଷ ଭୋଗକର୍ମ ॥୪୯
ଯାଦବ ସଙ୍ଗତେ ବିହରି । କେତେ କଳତ୍ର ଭୋଗକରି ॥୫୦
ଏ ଆଦି ଯେତେକ ଚରିତ । ଭୋ ମୁନି କହି ତୋଷ ଚିତ୍ତ ॥୫୧
ଦେଖ ମରଣକାଳ ମୋର । ଭୋ ମୁନି ତେଜିଲି ଆହାର ॥୫୨
ହରିଚରିତ ସୁଧା-ବାରି । ତୋର ବଦନୁଁ ପାନ କରି ॥୫୩
ଜଗତ ସଂହାରିଣୀ କ୍ଷୁଧା । ସେ ମୋତେ ନ କରଇ ବାଧା ॥୫୪
;ସୂତ ଉବାଚ
ଶୁଣି ରାଜାର ସାଧୁ କଥା । ମୁନି-ପଣ୍ତିତ ଶୁଦ୍ଧଚେତା ॥୫୫
କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ଶୁଣ ଭାଗବତ ॥୫୬
;ଶୁକ ଉବାଚ
ସାଧୁ ଚରିତ ତୋ'ର ବୁଦ୍ଧି । କୃଷ୍ଣଚରଣେ ଚିତ୍ତ ଖେଦି ॥୫୭
ଗୋବିନ୍ଦେ ତୋ'ର ମନ ଯେତେ । ମୁଁ କହି ପାରିବିକି ତୋତେ ॥୫୮
ଗୋବିନ୍ଦ କଥା ପରଶନ । ହେଳେ ତାରଇ ତିନିଜଣ ॥୫୯
ଶ୍ରୋତା ବକତା ଯେ ପଚାରି । ଏ ତିନିଜଣେ ଯା'ନ୍ତି ତରି ॥୬୦
ତା' ପାଦ ଗଙ୍ଗାଜଳ ଯେହ୍ନେ । ତାରଇ ସ୍ନାନ-ପିଣ୍ତଦାନେ ॥୬୧
ନାମ ମାତ୍ରକେ ପାପ ନାଶେ । ତାରଇ ସେ ତିନି ପୁରୁଷେ ॥୬୨
କହିବି କୃଷ୍ଣ ଲୀଳା ମାନ । ରାଜନ ହୁଅ ସାବଧାନ ॥୬୩
ଅସୁର ବଳ ପାଦଭରେ । ଭୂମି କମ୍ପିଲା ଥରହରେ ॥୬୪
ଭାରାରେ ଚଳି ନ ପାରଇ । ଅଧରୁ ରୁଧିର ଗଳଇ ॥୬୫
ଦିନକେ ବିଚାରଇ ବସି । କେ ମୋର ଶରୀର ଆଶ୍ୱାସି ॥୬୬
ଛାଡ଼ିବି ସଂସାର ଧାରଣ । ପଶିବି ବ୍ରହ୍ମାରେ ଶରଣ ॥୬୭
ମାୟା ସୁରଭି ରୂପ ହୋଇ । କାନ୍ଦଇ ଚଉଦିଗ ଚାହିଁ ॥୬୮
ବିଧାତା ନିକଟେ ମିଳିଲା । ନିଜ ବେଦନା ଜଣାଇଲା ॥୬୯
ବିଧାତା ଶୁଣି ତା' ବିକଳ । ସଙ୍ଗେ ଘେନିଲେ ଦେବଦଳ ॥୭୦
ଶଙ୍କର ଘେନି ସର୍ବେ ବେଗେ । ମିଳିଲେ କ୍ଷୀରସିନ୍ଧୁ ଲାଗେ ॥୭୧
ଜଳଧି କୂଳେ ଦେବଗଣ । ଡାକନ୍ତି ରଖ ନାରାୟଣ ॥୭୨
ଅନେକ ଧ୍ୟାନ ସ୍ତୁତି କଲେ । ହରି ସନ୍ଦେଶ ନ ପାଇଲେ ॥୭୩
ଅନେକ ମତେ କରି ଧ୍ୟାନ । ବ୍ରହ୍ମା ପାଇଲେ ମନେ ଛନ୍ନ ॥୭୪
ଅନନ୍ତ ନ ଦେଖି ବିଧାତା । ମନେ ପାଇଲେ ଗୁରୁ ଚିନ୍ତା ॥୭୫
ସମାଧି ବସିଲେ ତକ୍ଷଣ । ଚିନ୍ତି ଅନାଦି-ନାରାୟଣ ॥୭୬
ବ୍ରହ୍ମାର ଦେଖିଣ ବିକଳ । କରୁଣା କଲେ ଆଦିମୂଳ ॥୭୭
ନିଦ୍ରାର ବଳେ ମନେ ହରି । ସ୍ୱପନେ କହିଲେ ମୁରାରି ॥୭୮
ବ୍ରହ୍ମାଙ୍କୁ ଦିଶିଲା ସ୍ୱପନ । କହନ୍ତି ପ୍ରଭୁ ନାରାୟଣ ॥୭୯
ଶୁଣ ବଚନ ମୋର ଧାତା । ମୁଁ ଯେ ଜଗତ ପିତାମାତା ॥୮୦
ସକଳ ମୋହର ଭିଆଣ । କେବଳ ଦେଲି ପରମାଣ ॥୮୧
ମୋର ବଚନ ଶିରେ ଧରି । ତୁ ଅଛୁ ଜଗତ ଆବୋରି ॥୮୨
ବେଦ ବିଚାରି ସୃଷ୍ଟି ପାଳୁ । ଅବନୀ ଭାରେ କିମ୍ବା ଭାଳୁ ॥୮୩
ମୁଁ ତାହା ଜାଣଇଟି ସର୍ବ । ନାଶିବି ଅସୁରଙ୍କ ଗର୍ବ ॥୮୪
ଏବେ ସକଳ ଦେବେ ଯାଅ । ମର୍ତ୍ତ୍ୟମଣ୍ତଳେ ଜାତ ହୁଅ ॥୮୫
ଯାଦବ ଆଦି ସାତବଂଶ । କଂସକୁ ହୋଇବ ବିଶ୍ୱାସ ॥୮୬
ଗୋପୀ ଗୋପାଳ ରୂପ ହୋଇ । ଗୋପେ ଜନ୍ମିବ ଦେହ ବହି ॥୮୭
ମୁଁ ଜାତ ବାସୁଦେବ ଘରେ । ବଢ଼ିବି ଯାଇ ଗୋପପୁରେ ॥୮୮
ଷୋଳ ସହସ୍ର ଗୋପନାରୀ । ରମିବି ବୃନ୍ଦାବନେ ହେରି ॥୮୯
ଅନେକ ନାଶିବି ଅସୁର । ଖଣ୍ତିବି ଅବନୀର ଭାର ॥୯୦
ଭକତ ଜନଙ୍କୁ ତାରିବି । ପୁଣି ସ୍ୱଧାମେ ବାହୁଡ଼ିବି ॥୯୧
ଏବେ ହେ ଯାଅ ତୁ ସତ୍ୱର । କହିବୁ ଦେବଙ୍କ ଆଗର ॥୯୨
ବେଗେ ହୁଅନ୍ତୁ ମଞ୍ଚେ ଜନ୍ମ । କହି ହୋଇଲେ ଅନ୍ତର୍ଦ୍ଧାନ ॥୯୩
ସ୍ୱପନ ଚେତି ବେଦବର । କହିଲେ ଦେବଙ୍କ ଆଗର ॥୯୪
ଶୁଣି ସାନନ୍ଦ ଦେବଗଣେ । ନମିଲେ ଧାତାର ଚରଣେ ॥୯୫
ବୋଲନ୍ତି ଶୁଣ ବେଦବର । ଯାହା କହିଲେ ଚକ୍ରଧର ॥୯୬
ଅବନୀ ମଧ୍ୟେ ଦେହ ଧରି । ଗୋପେ ଯାଦବେ ଅବତରି ॥୯୭
ହୋଇବୁଁ ଏ ଆମ୍ଭର ସତ୍ୟ । କି କି କହିଲେ ଜଗନ୍ନାଥ ॥୯୮
ସେ କଥା କହ ପ୍ରଜାପତି । ଶୁଣି ନିର୍ମଳ ହେଉ ମତି ॥୯୯
;ବ୍ରହ୍ମାଉବାଚ
ବହ୍ମାବୋଇଲେ ଦେବେ ଶୁଣ । ଯାହା କହିଲେ ନାରାୟଣ ॥୧୦୦
ଯାଦବ ବସୁଦେବ ଘରେ । ଜନ୍ମିବେ ଦେବକୀ ଉଦରେ ॥୧୦୧
ହରିର କଳାରେ ଅନନ୍ତ । ଆଗେ ହୋଇବେ ଗର୍ଭଗତ ॥୧୦୨
ମାୟାର ଯୋଗ ବଳେ କରି । ଦେବକୀ ଗର୍ଭୁ ତାହା ହରି ॥୧୦୩
ରୋହିଣୀ ଗର୍ଭେ ତାହା ଥୋଇ । ଦାସ ବତ୍ସଳ ଭାବଗ୍ରାହୀ ॥୧୦୪
ଆପଣେ ପ୍ରଭୁ ଜଗନ୍ନାଥ । ଦେବକୀ ଗର୍ଭେ ହେବେ ଜାତ ॥୧୦୫
ଦୁର୍ଗାଙ୍କୁ ଯଶୋଦାର କୋଳେ । ଜାତ କରିବେ ଯୋଗ ବଳେ ॥୧୦୬
କୃଷ୍ଣଙ୍କୁ ବସୁଦେବ ନେଇ । ଆସିବ ନନ୍ଦ ଘରେ ଥୋଇ ॥୧୦୭
ଏମନ୍ତେ ତାରିବେ ସଂସାର । ଦାସ ବତ୍ସଳ ଦାମୋଦର ॥୧୦୮
ଶୁଣିଣ ବିଧାତା ବଚନ । ଦେବେ ଆନନ୍ଦ କଲେ ମନ ॥୧୦୯
ଚାହିଁଣ ଧରଣୀ ବଦନ । ବୋଇଲେ ଧନ୍ୟ ତୋ' ଜୀବନ ॥୧୧୦
ତୋ'ର ଉପରେ ଚକ୍ରଧାରୀ । ମନୁଷ୍ୟ ଦେହେ ଅବତରି ॥୧୧୧
ନାଶିବେ ତୋ'ର ଦୁଃଖରାଶି । ଆମ୍ଭେ ଦେଖିବୁ ବ୍ରହ୍ମରାଶି ॥୧୧୨
ଭୂମି ଆଶ୍ୱାସୀ ଦେବଗଣ । ଗଲେ ସେ ଯେ ଯାହା ଭୁବନ ॥୧୧୩
ଏବେ ହୋ ଶୁଣ ମହୀପତି । ଯେମନ୍ତ କଲେ ଶିରୀପତି ॥୧୧୪
ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୧୧୫
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ପ୍ରଥମୋଽଧ୍ୟାୟଃ
</poem>
==='''ଦ୍ୱିତୀୟ ଅଧ୍ୟାୟ'''===
<poem>
;ଶୁକ ଉବାଚ
ବନ୍ଦଇ ନୃସିଂହ ଚରଣ । କହିବି ବିଷ୍ଣୁର ପୁରାଣ ॥୧
ଶୁକ ବୋଲନ୍ତି ଶୁଣ ରାୟେ । ମଞ୍ଚେ ଜନ୍ମିଲେ ଦେବତାୟେ ॥୨
ଭୋଜବଂଶରେ ଉତ୍ପନ୍ନ । ପ୍ରତାପୀ ରାଜା ଶୁରସେନ ॥୩
ପୂର୍ବେ ମଥୁରା ପୁରେ ଥିଲା । ଅନେକ ନୃପତି ଜିଣିଲା ॥୪
ତେଣୁ କଟକ ମଧୁ ପୁରୀ । ଯହିଁ ବିଜୟ ନରହରି ॥୫
ସେ ରାଜା ଗୋବିନ୍ଦ ଭକତ । ତାହାର ଉଗ୍ରସେନ୍ ସୁତ ॥୬
ଦେବକ ନାମେ ତା'ର ଭ୍ରାତ । ଦେବକୀ ତାହାର ଦୁହିତ ॥୭
ରୂପେ କମଳା ନୋହେ ସରି । ସେ କନ୍ୟା ବସୁଦେବ ବରି ॥୮
ମାୟା ଭିଆଣ ପଦ୍ମନାଭ । କରନ୍ତି ବିବାହ ଉବ ॥୯
ବିଭା କରାଇ କନ୍ୟାବର । ଯାବତ ମଙ୍ଗଳ ବେଭାର ॥୧୦
ଜନବେଭାରେ ସେ ଦେବକ । ଅନେକ ଦେଲା ଯଉତୁକ ॥୧୧
ଚତୁରଶତ ହସ୍ତୀ ଦେଲା । କଣ୍ଠେ ଲମ୍ବାଇ ରତ୍ନମାଳା ॥୧୨
ଅଠରଶତ ରଥ ଯୁତେ । ଅଶ୍ୱ ସେ ଦେଲା ସେହି ମତେ ॥୧୩
ବେନି ଶତେକ ପରିବାରୀ । ଦେଲା ସେ ଅଳଙ୍କାର ଭରି ॥୧୪
ବାଜଇ ଭେରୀ ତୁରୀ ବାଦ୍ୟ । କେ କହୁ ବିଭାର ଆନନ୍ଦ ॥୧୫
ରଥେ ବସାଇ କନ୍ୟାବର । ନବରୁ ହୋଇଲେ ବାହାର ॥୧୬
କୁସୁମ ବରଷନ୍ତି ଘେନି । ମଙ୍ଗଳ କଲେ ଦେବ ଧ୍ୱନୀ ॥୧୭
ଉଗ୍ରସେନର କଂସ ସୂତ । ଦେଖିଣ ହୋଇଲା ଉଷତ ॥୧୮
ଯାହାର ନାମେ ଦେବେ ଡ଼ରି । ଚାଲନ୍ତି କମ୍ପେ ବସୁନ୍ଧରୀ ॥୧୯
ଶୁଦ୍ଧସୁବର୍ଣ୍ଣ ରଥେ ବସି । ରାଜାଏ କଂସକୁ ପ୍ରଶଂସି ॥୨୦
ଭଗିନୀ ପ୍ରିୟ ବନ୍ଧୁପଣେ । ରଥରେ ବସିଲା ଆପଣେ ॥୨୧
ଅଶ୍ୱ ଦଉଡ଼ି ଧରିକରେ । ରଥ ବାହିଲା ଧୀରେ ଧୀରେ ॥୨୨
ଥୋକାଏ ଦୂର ରଥଗଲା । ଆକାଶୁ ଶବଦ ଶୁଭିଲା ॥୨୩
ତା' ଶୁଣି ଚାହିଁଲା ଗଗନେ । ଶବଦ ଶୁଭୁଅଛି ଶୂନ୍ୟେ ॥୨୪
ରେରେ ଅସୁର କଂସ ଶୁଣ । ନଜାଣୁ ଆପଣା ମରଣ ॥୨୫
ଯାହାର ବାହୁ ଅଛୁ ରଥ । ତୋତେ ମାରିବେ ତା'ର ସୁତ ॥୨୬
ଅଷ୍ଟମ ଗର୍ଭେ ଅବତରି । ମହୀ ରଖିବେ ତୋତେ ମାରି ॥୨୭
ଶୁଣି ଅନ୍ତରୀକ୍ଷ ବଚନ । ରଥରୁ ଓହ୍ଲାଇ ବହନ ॥୨୮
କରେ ଉଞ୍ଚାଇ କରବାଳ । ଧଇଲା ଦେବକୀର ଚୂଳ ॥୨୯
ବୋଲଇ ଭଲ ଏ ବିଚାର । କୁମାରୀ କାଳୁ ୟାକୁ ମାର ॥୩୦
ମୂଳୁଁ ମାରିଲେ ଯିବ ସରି । ଦେବଙ୍କ ସଙ୍ଗେ କିମ୍ପା କଳି ॥୩୧
ଅଧର ଚାପି ରୋଷେ ଚାହେଁ । କମ୍ପଇ ଦେବକୀର କାୟେ ॥୩୨
କଂସକୁ ବସୁଦେବ ଚାହିଁ । ଭୟେ ଚିନ୍ତଇ ଭାବଗ୍ରାହୀ ॥୩୩
କଂସର ଭୁଜ କରେ ଧରି । ବୋଲଇ ଶୁଣ ଦଣ୍ତଧାରୀ ॥୩୪
ତୁ ଅଟୁ ମହତ ପୁରୁଷ । ସଂସାରେ ଅଛି ତୋ'ର ଯଶ ॥୩୫
ଧାର୍ମିକ ବୋଲନ୍ତି ସକଳେ । ଦେବକୀ ମାରୁ କିମ୍ପା ବଳେ ॥୩୬
ବିଭାର କାଳେ ଏଡ଼େ କର୍ମ । କେମନ୍ତେ ସହିବଟି ଧର୍ମ ॥୩୭
ଦେହର ସଙ୍ଗେ ମୃତ୍ୟୁ ଜାତ । ନାହିଁ ଏହାର ଆଦିଅନ୍ତ ॥୩୮
ବାଳକ ସ୍ଥବିର ତରୁଣ । ଅବଶ୍ୟ ଲଭିବେ ମରଣ ॥୩୯
ଦେହ ବହିଲେ ନିଶ୍ଚେ ମରି । ମରଣ ଛାରେ କିମ୍ପା ଡରି ॥୪୦
ଏ ଜୀବ ମରଣ ନିକଟେ । ବେଗେ ଚିନ୍ତଇ ଅନ୍ୟଘଟେ ॥୪୧
ଏହାର କଲା କର୍ମମାନ । ତେଣୁ ହୁଅନ୍ତି ସାବଧାନ ॥୪୨
କର୍ମର ବଶ ହୋଏ ଜନ୍ତୁ । ଜନ୍ମ ମରଣ କର୍ମ ହେତୁ ॥୪୩
ଜୋକ ଯେ ଏକଇ ଚରଣେ । ଯେସନେ ସଞ୍ଚରଇ ତୃଣେ ॥୪୪
ଜୀବ ଯେ କର୍ମେ ସଞ୍ଚରଇ । ଜନ୍ମ ମରଣ ନାମ ବହି ॥୪୫
ନିଦ୍ରାରେ ଯେସନେ ସ୍ୱପନ । ଦେଖିଣ ପାସୋରଇ ମନ ॥୪୬
ଦେହରେ ଥାଇ ଯେତେ କରି । ଜୀବ ଛାଡ଼ିଲେ ତା' ପାଶୋରି ॥୪୭
କରଇ ପରଲୋକ ଭୋଗ । ପୁଣ ହିଁ ରଜ ବୀର୍ଯ୍ୟ ଯୋଗ ॥୪୮
ଜନ୍ମିଣ ପାଶୋରଇ ତାହା । ଏମନ୍ତ ଅନାଦିର ମାୟା ॥୪୯
ଏକଇ ପୁରୁଷ ମୁରାରି । ସକଳଘଟେ ଛନ୍ତି ପୂରି ॥୫୦
ଶତେକ ଜଳଘଟ ଥୋଇ । ଚାହିଁଲେ ଆକାଶ ଦିଶଇ ॥୫୧
ପୁଣି ହିଁ କଲେ ଏକଗୋଟି । ତହିଁ ଆକାଶ ଥାଏ ଘୋଟି ॥୫୨
ଆକାଶ ନୁହଁଇଟି ଭିନ୍ନ । ନାଶ ହୁଅନ୍ତି ଘଟମାନ ॥୫୩
ଏମନ୍ତ ଆତ୍ମାର ବିବେକ । ଏହା ଜାଣନ୍ତି ଜ୍ଞାନୀ ଲୋକ ॥୫୪
ତୁ ଅଟୁ ମହତ ପୁରୁଷ । କିମ୍ପା ବହେଣୀ କରୁ ନାଶ ॥୫୫
ଜୀବ ମାରନ୍ତି ଆତ୍ମା ସୁଖେ । ଅନ୍ତେ ହେଁ ପଡ଼ନ୍ତି ନରକେ ॥୫୬
ଏ ସାନ ବହେଣୀ ତୋହର । ଏହାକୁ ରକ୍ଷାକର ବୀର ॥୫୭
ଶୁକ ବୋଲନ୍ତି ଶୁଣ ରାୟେ । ଅସୁର ସ୍ୱଭାବେ ନିର୍ଦ୍ଦୟେ ॥୫୮
ଧର୍ମବଚନ ନ ଶୁଣଇ । ବିଶେଷେ ତା'ର ଜ୍ଞାନ ନାହିଁ ॥୫୯
ଭିଣୋଇ ବୋଲ ନ ଶୁଣିଲା । ପୁଣି ହିଁ ହାଣିବି ବୋଇଲା ॥୬୦
ଦେଖି ବସୁଦେବ ବିଚାରି । କାନ୍ଦିଣ ସୁମରେ ମୁରାରି ॥୬୧
ପୁଣି ବିଚାରୁଅଛି ମନେ । ଦେବକୀ ରଖିବି କେସନେ ॥୬୨
କେ ସହୁ ଏହାର ବିକଳ । ରଖିବି ଲାଭ ଦେଇ ମୂଳ ॥୬୩
କିବା ନୋହୁଣୁ ମୋର ସୁତ । କଂସ ହୋଇବ ପ୍ରାଣେ ହତ ॥୬୪
କିବା ନୋହିବ ମୋର ପୁଅ । ଜାଣନ୍ତି ପ୍ରଭୁ ଦେବରାୟ ॥୬୫
ଏମନ୍ତେ ମନେ ବିଚାରିଲା । କଂସର ମୁଖକୁ ଚାହିଁଲା ॥୬୬
ବୋଲନ୍ତି ଶୁଣ ବୀର କଂସ । ଛାଡ଼ ତୁ ବହେଣୀର କେଶ ॥୬୭
ଏହାର ସୁତ ତୋତେ ମାରି । ଏ ତୋ'ର ନୁହଁଇ ବଇରୀ ॥୬୮
ଏ ଯେତେ ଶିଶୁ ପ୍ରସବିବ । ତୋ'ର ନିକଟେ ଦେବି ସର୍ବ ॥୬୯
ତୁ ଅଟୁ ପୁରୁଷ ମହତ । ଏ ମୋ'ର ତିନିବାର ସତ୍ୟ ॥୭୦
ଶୁଣନ୍ତୁ ଦଶଦିଗ ଲୋକେ । ଏଠାରେ ଅଛନ୍ତି ଯେ ଥୋକେ ॥୭୧
ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ ॥୭୨
ବସୁଦେବର ବୋଲ ଶୁଣି । କଂସ ହିଁ ମନେମନେ ଗୁଣି ॥୭୩
ବିଚାରି ମଣିଲା ବିଶ୍ୱାସ । ଛାଡ଼ିଲା ଦେବକୀର କେଶ ॥୭୪
ଆନନ୍ଦ ହୋଇ ସର୍ବଜନେ । ଗଲେ ସେ ଯେ ଯାହା ଭୁବନେ ॥୭୫
କେତେହେଁ ଦିନ ତହିଁ ଗଲା । ଦେବକୀ ଗର୍ଭ ଉପୁଜିଲା ॥୭୬
ବରଷ ବରଷକେ ସୁତ । ହୋଇଲା ଏକଇ ଦୁହିତ ॥୭୭
ପ୍ରଥମେ ହୋଇଲା ତନୟେ । ରୂପେ ମୋହିଲା କାମ ପ୍ରାୟେ ॥୭୮
ସୁତକୁ ଦେଖି ବସୁଦେବ । ବିକଳେ ଚିନ୍ତଇ ମାଧବ ॥୭୯
ଏ ସୁତ ଦେବଇଁ କେମନ୍ତେ । ସତ୍ୟ ଯେ କରିଛି ଯୁକତେ ॥୮୦
ଦେବକୀ ମୁଖକୁ ଚାହିଁଲା । ହା କୃଷ୍ଣ ବୋଲି ଡାକ ଦେଲା ॥୮୧
କୋଳରେ ଘେନିଲା ତନୟ । ହୋଇଲା ହରଷ ବିସ୍ମୟ ॥୮୨
କଂସର ସଭାରେ ମିଳିଲା । ବାଳକ ତଳେ ଶୁଆଇଲା ॥୮୩
ଦେଖି ଚକିତ ସଭାଜନେ । କଂସ ବିଚାରୁଅଛି ମନେ ॥୮୪
ଏତ ନୋହଇ ମୋ' ବଇରୀ । ଅଷ୍ଟମଗର୍ଭ ମୋତେ ମାରି ॥୮୫
ଏହାର ମଣିଲି ମୁଁ ସତ୍ୟ । ନେଉ ଏହାର ନିଜ ସୁତ ॥୮୬
ହସିଣ ବସୁଦେବ ଚାହିଁ । କହଇ ବିଶ୍ୱାସ କରାଇ ॥୮୭
ତୋହରେ ମଣିଲି ମୁଁ ସତ୍ୟ । ନିଅ ତୋହର ନିଜ ସୁତ ॥୮୮
ଶୁଣି ବସୁଦେବ ଚକିତେ । କଂସକୁ ନ ଯାଇ ପରତେ ॥୮୯
କ୍ଷଣକେ ରହିଣ ବିଚାରି । ପୁଣି କୁମର କୋଳେ ଧରି ॥୯୦
ବାଟରେ କରଇ ବିଚାର । ଦୁଷ୍ଟ ଦାନବ ଦୁରାଚାର ॥୯୧
ଏବେ ମୁଁ ନେବି ବାହୁଡ଼ାଇ । ପୁଣି ମାରିବ କଂସ ନେଇ ॥୯୨
ଦେବକୀ କଷ୍ଟ ହେବ ବଡ଼ । କିସ କରିବି ମୁହିଁ ରାଢ଼ ॥୯୩
ହରି ଭିଆଣ କଲେ ଯାହା । ଅବଶ୍ୟ ଭୁଞ୍ଜିବିନା ତାହା ॥୯୪
ଏମନ୍ତେ ଦୁଃଖେ ସୁଖେ ଯାଇ । ଦେବକୀ ନିକଟେ ମିଳଇ ॥୯୫
ସୁତକୁ ଦେଲା ତା'ର କୋଳେ । କାନ୍ଦଇ ମାୟାମୋହ ଭୋଳେ ॥୯୬
ବିଚ୍ଛେଦ-ଦୁଃଖ-ମାତା-ଚିତ୍ତ । ପୁତ୍ରକୁ ପାଇଣ ଉଷତ ॥୯୭
ନିବିଡ଼ ସ୍ନେହେ କୋଳେ ଯାକି । ଆନନ୍ଦ କେ ପାରିବ ଲକ୍ଷ୍ୟି ॥୯୮
ରଜନୀ ହୋଇଲା ପ୍ରବେଶ । ମିଳିଲା ଅନ୍ତଃପୁରେ କଂସ ॥୯୯
ଶୀତଳ ମଣୋହି ସାରିଲା । ସୁଖେ ପଲ୍ୟଙ୍କେ ବିଜେକଲା ॥୧୦୦
ତକ୍ଷଣେ ମିଳିଲେ ନାରଦ । ଆନନ୍ଦେ କଲେ ବୀଣାନାଦ ॥୧୦୧
ଦେଖିଣ ତେଜିଲା ଶୟନ । ପ୍ରଣାମ କଲାକ ବହନ ॥୧୦୨
ନିଜ ଆସନେ ବସାଇଲା । ବିଶ୍ୱାସେ ଚରଣ ଚାପିଲା ॥୧୦୩
ଭକତି ଦେଖିଣ ନାରଦ । କହନ୍ତି ଶୋକ ଗଦଗଦ ॥୧୦୪
ଶୁଣ ଅସୁର ଚୂଡ଼ାମଣି । ତୋ'ର ମରଣ ମୁହିଁ ଶୁଣି ॥୧୦୫
ତୋ' ଦୁଃଖ ଦେଖି ମୁଁ ବିକଳ । ଦେଖ ନୟନେ ଅଶ୍ରୁଜଳ ॥୧୦୬
ଶୁଣ ଦାନବ ଶିରୋମଣି । ତୋ'ର ମରଣ ତଥ୍ୟବାଣୀ ॥୧୦୭
ଭୂମିର ଦେଖିଣ ବିକଳ । ଗୁହାରି କଲେ ଦେବବଳ ॥୧୦୮
ବ୍ରହ୍ମାର ତୁଲେ ଶୂଳପାଣି । କ୍ଷୀର ସମୁଦ୍ରେ ସ୍ତୁତିଭଣି ॥୧୦୯
ବ୍ରାହ୍ମାଙ୍କୁ କହିଲେ ଅନନ୍ତ । ମନୁଷ୍ୟେ ହୋଇବି ମୁଁ ଜାତ ॥୧୧୦
ମାରିବି ସକଳ ଅସୁର । ନାଶିବି ଅବନୀର ଭାରତ ॥୧୧୧
ଏମନ୍ତ କୂଟକଥା ମାନ । ଭିଆଣ କଲେ ଦେବଗଣ ॥୧୧୨
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ମରଣ ତୋହର ॥୧୧୩
ବ୍ରହ୍ମାର ବଚନେ ମୁରାରି । ମାୟା ମନୁଷ୍ୟ ରୂପ ଧରି ॥୧୧୪
ତୋତେ ମାରିବେ ସେ ଅନନ୍ତ । ତୁ କିମ୍ପା ହୋଇଲୁ ନିଶ୍ଚିନ୍ତ ॥୧୧୫
ଦେବେ ଉପୁଜିଛନ୍ତି ଅଂଶେ । ଗୋପାଳ-ଯଦୁ-ଭୋଜବଂଶେ ॥୧୧୬
ନନ୍ଦ ଯଶୋଦା ଆଦି ଯେତେ । କହିବି ଏକେ ଏକେ କେତେ ॥୧୧୭
ଦେବକୀ ଦେବୀ ବସୁଦେବ । ଏ ଆଦି ଯେତେକ ଯାଦବ ॥୧୧୮
ତୋହାର ଯେତେକ ସେବକ । ଦେବତାମାନେ ଏଟି ଦେଖ ॥୧୧୯
ତୁ ଯହୁଁ ଦୁଷ୍ଟପଣ କଲୁ । କି ବୋଲି ବାଳକ ଛାଡ଼ିଲୁ ॥୧୨୦
କଂସ ବୋଇଲା ବ୍ରହ୍ମଚାରୀ । ଅଷ୍ଟମଗର୍ଭ ମୋ' ବଇରୀ ॥୧୨୧
ଆବର ଯେତେ ଗର୍ଭଶିଷ । ତହିଁ ମୋ' ପ୍ରୟୋଜନ କିସ ॥୧୨୨
କଂସର ଶୁଣି ଏ ଉତ୍ତର । ମୁନି କାଟିଲେ ଅଷ୍ଟଗାର ॥୧୨୩
ପ୍ରଥମେ ଗଣିଲେକ ଆଠ । ଛନ୍ଦେଣ ବୁଝାଇଲେ ପାଠ ॥୧୨୪
ବାମଭାଗକୁ ଲେଉଟାଇ । ପୁଣି ଗଣିଲେ ପାଠ କହି ॥୧୨୫
ଯେଝାରଠାରୁ ଆଠ ହୋନ୍ତି । ଶୁଣ ହୋ ଅସୁର ନୃପତି ॥୧୨୬
ଏହା ଛାଡ଼ିଲେ କେଉଁ ଯଶ । ଏଣେ ହୋ ପ୍ରୟୋଜନ କିସ ॥୧୨୭
ଏହା ତୁ ନ କଲେ ବିଚାର । ନିକଟେ ମରିବୁ ଅସୁର ॥୧୨୮
କଂସକୁ କରାଇ ଉଚ୍ଚାଟ । ନାରଦ ଗଲେ ଶୂନ୍ୟବାଟ ॥୧୨୯
ଏମନ୍ତ ମୁନିବାକ୍ୟ ଶୁଣି । କଂସ ହିଁ ମନେମନେ ଗୁଣି ॥୧୩୦
ଦୁଃଖେ ରଜନୀ ପୁହାଇଲା । ନିଜ ସଭାରେ ବିଜେକଲା ॥୧୩୧
ଅସୁର ବଳ ଘେନି ସଙ୍ଗେ । ଧାଇଁଲା ପବନହୁଁ ବେଗେ ॥୧୩୨
ଦେବକୀ ମନ୍ଦିରେ ମିଳିଲା । କୋପେ ଅଧର କାମୋଡ଼ିଲା ॥୧୩୩
ଦେବକୀ ମୁଖକୁ ଅନାଇ । ବୋଲଇ କୋପଭର ହୋଇ ॥୧୩୪
ତୁ ଅଟୁ ବହେଣୀ ମୋହର । ମୋର ମରଣେ ତୋ' ବିଚାର ॥୧୩୫
ମୁଁ ଏହା ଜାଣିବି କେମନ୍ତେ । ଭିଣୋଇ ବୋଲେ ଗଲି ପ୍ରତେ ॥୧୩୬
ଏମନ୍ତେ ଅନେକ ବୋଇଲା । କୋଳୁଁ ବାଳକ ଘେନିଗଲା ॥୧୩୭
ବେନିଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥୧୩୮
କୋପେ ଅନେକ ଗାଳିଦେଲା । ଶିଳା ଉପରେ କଚାଡ଼ିଲା ॥୧୩୯
ଦେବକୀ ବସୁଦେବ ଆଣି । ବନ୍ଧନକଲା ପାଦପାଣି ॥୧୪୦
ମାଡ଼ ମରାଇ ମହାରୋଷେ । ପାଦେ ଭରିଲା ଲୌହପାଶେ ॥୧୪୧
ଧନ-ସମ୍ପଦ କଲା ଜୂର । ଆଣି ଭରିଲା ବନ୍ଦୀଘର ॥୧୪୨
ସାତକବାଟ ମହାବଳ । ଲୌହକିଳିଣୀ ଅନର୍ଗଳ ॥୧୪୩
ପ୍ରହରୀ ଶତେକ ଜଗାଇ । କହଇ ରୋଷଭର ହୋଇ ॥୧୪୪
ଦେବକୀ ଯେତେ ପ୍ରସବିବ । ମୋର ଛାମୁରେ ଜଣାଇବ ॥୧୪୫
ଯେ ମୋର ବୋଲ ନ କରିବ । ସେହି ମୋହର ଶତ୍ରୁ ହେବ ॥୧୪୬
ନିଜ ପିଅର ଅଣାଇଲା । ଅନେକ ମାଡ଼ ମରାଇଲା ॥୧୪୭
ଶାଙ୍କୋଳି ଦେଲା ବନ୍ଦୀଘରେ । ଅନେକ ଯାଦବ ସଙ୍ଗରେ ॥୧୪୮
ଅସୁର ସ୍ୱଭାବେଣ କଂସ । ମାଇଲା ଆପଣାର ବଂଶ ॥୧୪୯
କୋପ ସଂହରି ନିଜପୁରେ । ଅସୁର ପଶିଲା ଭିତରେ ॥୧୫୦
କଂସ ଜାଣଇ ଯୋଗବଳେ । ମୁଁ ଜାତ ଦାନବର କୁଳେ ॥୧୫୧
ଅନେକବାର ମୋତେ ମାରି । ମୋକ୍ଷ ନ ଦେଲେ ନରହରି ॥୧୫୨
ଏବେ ମାରିବ ହରି ମୋତେ । ଭାଗ୍ୟ ମୋ କେ କରିବ ଅନ୍ତେ ॥୧୫୩
ଏମନ୍ତ ମେନ ବିଚାରିଲା । ଯଦୁଙ୍କ ସଙ୍ଗେ ବାଦ କଲା ॥୧୫୪
ଶୁଣ ସୁଜନେ ଭାଗବତ । କୃଷ୍ଣଚରଣେ ଦେଇ ଚିତ୍ତ ॥୧୫୫
ପଣ୍ତିତେ ନ ଘେନିବା ଦୋଷ । କୃଷ୍ଣଚରିତ ସୁଧାରସ ॥୧୫୬
କହଇ ବିପ୍ର ଜଗନ୍ନାଥ । ହରିଚରଣେ ଦେଇ ଚିତ୍ତ ॥୧୫୭
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ଦ୍ୱିତୀୟୋଽଧ୍ୟାୟଂ ॥
</poem>
==='''ତୃତୀୟ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟ । କଂସ ପାଇଲା ମହାଭୟ ॥୧
ଦୂତ ପେଷିଲା ଚାରିଦିଗେ । ବିଶ୍ୱାସୀ ଦାନବଙ୍କ ସଙ୍ଗେ ॥୨
କଂସର ଯେତେ ମିତ୍ରଗଣ । ଆସି ମିଳିଲେ ଜଣେ ଜଣ ॥୩
ଚାଣୁର ତୃଣାବର୍ତ୍ତ ବୀର । ମୁଷ୍ଟିକ ଅଘା ଷଣ୍ଢାସୁର ॥୪
ଦ୍ୱିବିନ୍ଦ ନାମେଣ ବାନର । ପ୍ରଳମ୍ବା ବକା ବତ୍ସାସୁର ॥୫
ପୂତନା ନାମେଣ ରାକ୍ଷସୀ । ଆଗେ ମିଳିଲା ବୀରକେଶୀ ॥୬
ବାଣା ନାରକା ଜରାସନ୍ଧ । ସ୍ୱଭାବେ ଅଟନ୍ତି ଏ ମନ୍ଦ ॥୭
ଏମନ୍ତେ କହିବଇଁ କେତେ । କଂସର ମିତ୍ର ଛନ୍ତି ଯେତେ ॥୮
ଏହାଙ୍କୁ ବସାଇ ଆସନେ । କଂସ କହଇ ଖେଦ ମନେ ॥୯
ଶୁଣ ସକଳ ବୀରମଣି । ମୋହର କର୍ମଫଳ ବାଣୀ ॥୧୦
ନାରଦ କହିଗଲେ ମୋତେ । ଯଦୁଙ୍କୁ ନ ଯିବୁ ପରତେ ॥୧୧
ଯଦୁଙ୍କ ହାତେ ମୋ' ମରଣ । ଏ କଥା ଅଟଇ ପ୍ରମାଣ ॥୧୨
ଏମନ୍ତ କହିଗଲେ ମୁନି । ବ୍ରହ୍ମାକୁମର ମହାଜ୍ଞାନୀ ॥୧୩
ତୁମ୍ଭେ ଯେ ମୋହର ବିଶ୍ୱାସ । ଯଦୁଙ୍କୁ ବେଗେ କର ନାଶ ॥୧୪
ଶୁଣି ଅସୁରେ ପରଜ୍ୱଳି । ଯେସନେ ସମୁଦ୍ର ଉଚ୍ଛୁଳି ॥୧୫
ଯଦୁଙ୍କୁ ଦେଲେ କଷ୍ଟମାନ । ଯହୁଁ ରଖିବେ ଭଗବାନ ॥୧୬
ଯାଦବେ ଅସୁରଙ୍କ ଡରେ । ପଳାଇଗଲେ ଦେଶାନ୍ତରେ ॥୧୭
କେ କୁରୁ ନଗରେ ପଶିଲେ । ପାଞ୍ଚାଳ ଦେଶେ କେ ଲୁଚିଲେ ॥୧୮
ବିଦେହ ନିଷଧ କୋଶଳେ । ପଶିଲେ ଜୀବନ ବିକଳେ ॥୧୯
ଯେ ଅବା ଯାଇ ନ ପାରିଲେ । କଂସର ଶରଣ ପଶିଲେ ॥୨୦
କେହୁ ସେବକ ପଣେ ଦାସ । କାହାକୁ ଦେଲା ଲୌହପାଶ ॥୨୧
ଏମନ୍ତେ ବରଷେ ପୂରିଲା । ପୁଣି ଦେବକୀ ପ୍ରସବିଲା ॥୨୨
ପ୍ରହରୀ ଜଣାଇଲା ଯାଇ । ଶୁଣି ଧାଇଁଲା ରୋଷ ବହି ॥୨୩
ଦେବକୀ ନିକଟେ ମିଳିଲା । କୋଳୁ ବାଳକ ଉଛୁଡ଼ିଲା ॥୨୪
ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ ॥୨୫
ଏମନ୍ତେ ବରଷେ ବରଷ । ଛ'ପୁତ୍ର କଲା କଂସ ନାଶ ॥୨୬
ଦେଖିଣ ଦେବକୀ ବିକଳ । ଦୟାସାଗର ଆଦିମୂଳ ॥୨୭
ଅନନ୍ତ ରୂପ ଧରି ହରି । ଦେବକୀ ଗର୍ଭେ ବିଜେ କରି ॥୨୮
ଏ ରୂପେ ଅନନ୍ତ ପ୍ରକାଶ । ଗର୍ଭେ ହୋଇଲେ ଅଷ୍ଟମାସ ॥୨୯
ଦେବକୀ ନିଜ ଦେହ ଚାହିଁ । ବିକଳେ ନିଶ୍ୱାସ ଛାଡ଼ଇ ॥୩୦
କେତେ ପାତକ କଲି ପୂର୍ବେ । ପୁଣି ହୋଇଲା ଆସି ଗର୍ଭେ ॥୩୧
କେତେ ସହିବି ଗର୍ଭକଷ୍ଟ । ବିଧାତା କଲା ମୋତେ ହଟ ॥୩୨
ଗର୍ଭେ ଧରଇ ଦଶମାସ । କୋଳ ଧରିତେ ନାହିଁ ଆଶ ॥୩୩
ଏମନ୍ତ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ ॥୩୪
ଦାସବତ୍ସଳ ଭଗବାନ । ଜାଣିଲେ ଦେବକୀର ମନ ॥୩୫
ଦୁର୍ଗାଙ୍କୁ ନିକଟେ ବସାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୩୬
ଅମ୍ବିକା ଶୁଣ ମୋ' ଉତ୍ତର । ବହନ ଯାଅ ମଞ୍ଚପୁର ॥୩୭
ମଥୁରା-କଂସ-ବନ୍ଦୀ-ଘରେ । ମିଳିବୁ ପ୍ରଥମ ପ୍ରହରେ ॥୩୮
ବନ୍ଦୀ କରିଛି କଂସରାୟେ । ଏକ ଶାଙ୍କୋଳି ବେନିପାୟେ ॥୩୯
ବସୁଦେବଙ୍କୁ ଯେତେବେଳେ । ଧରି ଆଣିଲା କଂସ ବଳେ ॥୪୦
ତାହାର ପତ୍ନୀ ନନ୍ଦଘରେ । ଯାଇ ଲୁଚିଲା କଂସଡ଼ରେ ॥୪୧
ରୋହିଣୀ ନାମ ବିଦ୍ୟମାନ । ତାହାର ଗର୍ଭ ଅଛି ଶୂନ୍ୟ ॥୪୨
ଦେବକୀ ଦେବୀ ନିଦ୍ରାକାଳେ । ଗର୍ଭ ହରିବୁ ଯୋଗବଳେ ॥୪୩
ମିଳିବୁ ନନ୍ଦ ଘରେ ଯାଇ । ରୋହିଣୀ-ଗର୍ଭେ ତାହା ଥୋଇ ॥୪୪
ଜନ୍ମିବୁ ଯଶୋଦା ଉଦରେ । ମୁଁ ପୁଣି ଯିବି ମଞ୍ଚପୁରେ ॥୪୫
ଦେବକୀ ଗର୍ଭେ ହେବି ଜାତ । ମୋତେ ଘେନିଣ ଯିବେ ତାତ ॥୪୬
ତୋତେ ଆଣିବେ ମୋତେ ଥୋଇ । ଏ କଥା ନ ଜାଣିବେ କେହି ॥୪୭
ଏମନ୍ତ କଂସର ମରଣ । ହସି କହନ୍ତି ନାରାୟଣ ॥୪୮
ମଞ୍ଚେ ହୋଇବୁ ତୁ ଯେ ଜାତ । ଜଗତେ ହୋଇବୁ ବିଖ୍ୟାତ ॥୪୯
ଲୋକେ କରିବେ ତୋତେପୂଜା । ଅନେକ ଦେବେ ବଳିଭୋଜା ॥୫୦
ଭକତେ ହୋଇବୁ ପ୍ରସନ୍ନ । ଅନେକ ହେବ ତୋର ନାମ ॥୫୧
ଜୟା ବିଜୟା ଭଦ୍ରକାଳୀ । ମଙ୍ଗଳା ଚଣ୍ତିକା କଙ୍କାଳୀ ॥୫୨
କନ୍ୟକା କୃଷ୍ଣା ଯେ ମାଧବୀ । ଈଶାନୀ ଶାରଦା ବୈଷ୍ଣବୀ ॥୫୩
ଦୁର୍ଗା ଅମ୍ବିକା ନାରାୟଣୀ । ଏକୁ ଅନେକ ନମ ଭଣି ॥୫୪
ଗ୍ରାମ ଗ୍ରାମକେ କରି ସ୍ଥାନ । ପୂଜନ୍ତେ ହୋଇବୁ ପ୍ରସନ୍ନ ॥୫୫
ଅନେକ ନାମ ତୋ' ଜଗତେ । ଅନ୍ତ ମୁଁ କରିବଇଁ କେତେ ॥୫୬
ପୂଜା କରିବେ ସର୍ବସ୍ଥାନେ । ରାଜା ପରଜା ଭକ୍ତମାନେ ॥୫୭
ସ୍ତୁତି ପଠନ ମନ୍ତ୍ର ଧ୍ୟାନ । ଷୋଡ଼ଶ ଉପଚାର ମାନ ॥୫୮
ଶୁଣ ବଚନ ଆଦିମାତା । ଫେଡ଼ ଦେବକୀ ମନଚିନ୍ତା ॥୫୯
ଦେବକୀ ଗର୍ଭୁ ତା' ଆଣିବୁ । ରୋହିଣୀ ଗର୍ଭରେ ଥୋଇବୁ ॥୬୦
ତାହାଙ୍କ ନାମ ସଙ୍କର୍ଷଣ । ଲୋକରେ ହୋଇବେ ପ୍ରମାଣ ॥୬୧
ନାମ ହୋଇବ ବଳରାମ । ବଳେ ନୋହିବେ କେହି ସମ ॥୬୨
ଶୁଣି ଆନନ୍ଦମନା ହୋଇ । ମଞ୍ଚେ ଚଳିଲେ ମହାମାୟୀ ॥୬୩
ହରି ଆଦେଶ ଘେନି ଶିରେ । ମିଳିଲେ ମଥୁରା ନଗରେ ॥୬୪
କଂସରାଜାର ବନ୍ଦୀଘରେ । ମିଳିଲେ ପ୍ରଥମ ପ୍ରହରେ ॥୬୫
ରାତ୍ରେ ଦେବକୀ ନିଦ୍ରାକାଳେ । ଗର୍ଭ ହରିଲେ ଯୋଗବଳେ ॥୬୬
ଅନନ୍ତ ଘେନି ମାୟାଦମ୍ଭେ । ଥୋଇଲେ ରୋହିଣୀର ଗର୍ଭେ ॥୬୭
ଗର୍ଭ ସଂଯୋଗ ଦେବୀ କରି । ଦିନକୁ ଦିନ ଗର୍ଭ ଭାରି ॥୬୮
ସିଂହ ପୌର୍ଣ୍ଣମୀ ଦିନ ସାର । ରୋହିଣୀ ପ୍ରସବେ କୁମର ॥୬୯
ଧବଳ ଜ୍ୟୋତି ରୂପ ପୁଣି । ଶିରେ ଶୋହଇ ସପ୍ତଫଣୀ ॥୭୦
ଅପୁଆ ଘରେ ପୁଅ ଜାତ । ଆନନ୍ଦ ହୋଏ ନନ୍ଦ ଚିତ୍ତ ॥୭୧
ମୋହର ଘରେ ପୁତ୍ର ନାହିଁ । ଏ ମୋତେ କାରଣ ଅଟଇ ॥୭୨
ଯାହା ସେ ଦଇବ ନିର୍ମିତ । ଦୁର୍ଗା ହୋଇଲେ ଗର୍ଭଗତ ॥୭୩
ମିଳିଲେ ନନ୍ଦଘରେ ଯାଇ । କୃଷ୍ଣ ଜନ୍ମିବା ବାଟ ଚାହିଁ ॥୭୪
ଦେବକୀ ଗର୍ଭ ଯହୁଁ ଗଲା । ଲୋକେ ବୋଇଲେ ଭଲହେଲା ॥୭୫
ଭଲଟି ଗଲେ ନାରାୟଣ । ଦେବକୀ ନ ପାଉ କଷଣ ॥୭୬
ଥୋକେ ବୋଇଲେ ଭଲ ହେଲା । କଂସର ଡରେ ପଳାଇଲା ॥୭୭
ପୋଡୁ ଏ ଦେବକୀ ଭିଆଣ । କେ ବୋଲେ କର୍ଣ୍ଣେ ତା'ନ ଶୁଣ ॥୭୮
ଏଡ଼େ ମଡ଼ିଛୀ ଅଛି କାହିଁ । କେ ବୋଲେ ମୁଖ ତା'ନ ଚାହିଁ ॥୭୯
କାନ୍ଦି କେ ହୁଅନ୍ତି ବିକଳ । କେ ବୋଲେ ରଖ ଆଦିମୂଳ ॥୮୦
ଦେବକୀ ମନର କଷଣ । ଜାଣିଲେ ପ୍ରଭୁ ନାରାୟଣ ॥୮୧
ତେଜିଲେ ଜଳଧି ଶୟନ । ମଥୁରା ମିଳିଲେ ବହନ ॥୮୨
ବସୁଦେବର ଦେହେ ଯାଇ । ପଶିଲେ ଜ୍ୟୋତିରୂପ ହୋଇ ॥୮୩
ବିଷ୍ଣୁର ତେଜ ପରଚଣ୍ତ । ଯେହ୍ନେ ଉଦିତ ମାରତଣ୍ତ ॥୮୪
ଅମରଗୁରୁ ଲଗ୍ନ ବେଳେ । କାନ୍ତ କାମିନୀ ଏକମେଳେ ॥୮୫
ଜଗତ ମଙ୍ଗଳ ପୁରୁଷ । ଦେବକୀ ଉଦରେ ପ୍ରବେଶ ॥୮୬
ଉଦୟ କାଳେ ଯେହ୍ନେ ଶଶୀ । ପୂର୍ବ ଦିଗରୁ ପରକାଶି ॥୮୭
କୃଷ୍ଣଙ୍କୁ ଧରିଣ ଉଦର । ଦେବକୀ ଦିଶିଲା ସୁନ୍ଦର ॥୮୮
ଅନ୍ଧାର ବନ୍ଦୀଘରେ ତେଜ । ଯେହ୍ନେ ଉଦିତ ଗ୍ରହରାଜ ॥୮୯
ଦେବକୀ ଗର୍ଭବାସ କଥା । ଶୁଣି ପାଇଲା କଂସ ବ୍ୟଥା ॥୯୦
ଭୟେ ଚକିତ ମନେ ଛନ୍ନ । ମିଳିଲା ଦେବକୀ ଭୁବନ ॥୯୧
ସାତ କବାଟ ଫେଡ଼ାଇଲା । ଅନ୍ଧାର ଘରକୁ ଚାହିଁଲା ॥୯୨
ଉଦୟ ହୋଇ ଦିନକର । ଯେହ୍ନେ ନାଶଇ ତମ ଘୋର ॥୯୩
ଦେଖି ଚକିତ କଂସ ମନେ । ଭାଳି ବୋଲଇ ଭୟଛନ୍ନେ ॥୯୪
ନିଶ୍ଚୟେ ହୋଇଲା ମରଣ । ଏ ତ ଅନାଦି ନାରାୟଣ ॥୯୫
ଗର୍ଭେ ବିଜୟେ ବ୍ରହ୍ମରାଶି । ଏ ମୋର କାଳ ଦଣ୍ତଫାଶି ॥୯୬
ଜୀବନ ନାଶିବ ମୋହର । ଦେବକୀ ବଡ଼ଇ ସୁନ୍ଦର ॥୯୭
ଏ ଯେତେ ଗର୍ଭ ପ୍ରସବିଲା । ଏମନ୍ତ ବେଳେ ନ ଦିଶିଲା ॥୯୮
କି ବୁଦ୍ଧି କରିବଇଁ ଆଜ । ମାରିଣ ଲଭିବଇଁ କାର୍ଯ୍ୟ ॥୯୯
ଏସନ ମନେ ବିଚାରଇ । ମୁନି ତ ଯାଇଛନ୍ତି କହି ॥୧୦୦
ଯାହା କହିଲେ ବ୍ରହ୍ମସୁତ । ସେ କଥା ନୋହଇ ବିଅର୍ଥ ॥୧୦୧
ଯାଦବେ ମୋହର ବଇରୀ । ମୋର ମରଣ ହେତୁ କରି ॥୧୦୨
ଦେବକୀ ବସୁଦେବ ଆଦି । ଏ ମୋର ଅଟନ୍ତି ବିବାଦୀ ॥୧୦୩
ଭିଣୋଇ ଗୁଣ କର୍ମମାନ । ଯୁବତୀ କଲା ଭିନ୍ନ ଭିନ୍ନ ॥୧୦୪
ଆତ୍ମବହେଣୀ ମୋର ଶଲ । ମୋହରେ ନ ଇଚ୍ଛଇ ଭଲ ॥୧୦୫
ସପ୍ତମଗର୍ଭ କେଣେ ନେଲା । ବୋଇଲା ଗର୍ଭ ଉଭେଇଲା ॥୧୦୬
ଏ ଯେ ମୋହର ଅପରାଧୀ । କିସ କରିବି ଏବେ ବୁଦ୍ଧି ॥୧୦୭
ହସ୍ତରେ ଅଛି ମୋ' ଉପାୟ । ଛାଡ଼ିଲେ ନ ପାଇବି କାୟ ॥୧୦୮
ଦେବକୀ ପକାଇବି ମାରି । ଗର୍ଭ ନାଶିବି ପେଟ ଚିରି ॥୧୦୯
ପୁଣି ବିଚାରୁଅଛି ମନେ । ଏ କର୍ମ କରିବି କେସନେ ॥୧୧୦
ଜୀବନ ପାଇଁ ଏଡ଼େ ପାପ । କରି ପାଇବି ମନେ ତାପ ॥୧୧୧
ଉଭୟ ଲୋକେ ସୁଖ ନାହିଁ । ନରକେ ପଡ଼ିବି ମୁଁ ଯାଇ ॥୧୧୨
ପାପର ମଧ୍ୟେ ପରମାଦ । ସ୍ତିରୀ ଗର୍ଭିଣୀ ଶିଶୁବଧ ॥୧୧୩
ଏ ତିନି କର୍ମ ଯେ କରନ୍ତି । ଜୀବନ ଥାଉଁ ସେ ମରନ୍ତି ॥୧୧୪
ତାହାର ମରିବାର କାଳେ । ନିନ୍ଦିତ ବୋଲନ୍ତି ସକଳେ ॥୧୧୫
ଇହଲୋକରେ ଅପଯଶ । ମରଣେ ନରକେ ପ୍ରବେଶ ॥୧୧୬
ଏମନ୍ତ ମନେ ବିଚାରିଲା । ଖଡ଼ଗ ଘେନି ବାହୁଡ଼ିଲା ॥୧୧୭
ମିଳିଲା ନିଜପୁରେ ଯାଇ । ଭାଳଇ ଚଉଦିଗ ଚାହିଁ ॥୧୧୮
ହରିଙ୍କି କଲା ମହାଭୟ । କ୍ଷଣ କ୍ଷଣକେ କମ୍ପେ କାୟ ॥୧୧୯
ଆସନ ଶୟନ ଭୋଜନେ । ସ୍ନାନ ବିହାର ଜଳପାନେ ॥୧୨୦
ଗୋଡ଼ାଇଛନ୍ତି ଯେହ୍ନେ ହରି । କମ୍ପଇ ମହାଭୟ କରି ॥୧୨୧
ବୃକ୍ଷ କାନନ ନଦୀ ଗିରି । ସକଳ ମଣେ ନରହରି ॥୧୨୨
ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା ॥୧୨୩
ବ୍ରହ୍ମାଶଙ୍କର ଇନ୍ଦ୍ର ତୁଲେ । ତେତିଶ କୋଟି ଦେବବଳେ ॥୧୨୪
ମିଳିଲେ ମଥୁରା ନବରେ । ଦେବକୀ ଦେବୀ ବନ୍ଦୀଘରେ ॥୧୨୫
ପ୍ରଣାମ କଲେ ଜଣେ ଜଣେ । ଶ୍ରୀକୃଷ୍ଣ ଜନନୀ ଚରଣେ ॥୧୨୬
ଗର୍ଭକୁ ଚାହିଁ ଗଙ୍ଗାଧର । ସ୍ତୁତି କରନ୍ତି ବେଦବର ॥୧୨୭
ବାସବ ଆଦି ଦିଗପତି । ଯେ ଯାହା ମତେକଲେ ସ୍ତୁତି ॥୧୨୮
ଜୟ ଗୋବିନ୍ଦ ଦାମୋଦର । ସତ୍ୟ ବଚନ ସ୍ୱାମୀ ତୋ'ର ॥୧୨୯
ଆବୋରି ଅଛୁ ତିନି ସତ୍ୟ । ସୃଷ୍ଟିର ଆଦି ମଧ୍ୟ ଅନ୍ତ ॥୧୩୦
ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତ । ସତ୍ୟ ସ୍ୱରୂପ ତୁ ଅଚ୍ୟୁତ ॥୧୩୧
ସତ୍ୟେ ତୁ ପାଳୁ ବସୁନ୍ଧରୀ । ତୋ'ର ଭିଆଣ ନରହରି ॥୧୩୨
ସତ୍ୟର ହେଉ ତୁହି ସତ୍ୟ । ସତ୍ୟ ବଚନ ସତ୍ୟନେତ୍ର ॥୧୩୩
ସତ୍ୟେ ତୋହର ଆତଯାତ । ଆମ୍ଭେ ଜାଣିଲୁ ତୋ'ର ସତ୍ୟ ॥୧୩୪
ତୋ'ର ଏ ସଞ୍ଚିଲା ଶୟଳ । ଦୁଷ୍ଟ ନିବାରି ସନ୍ଥ ପାଳ ॥୧୩୫
ଅସାଧୁ ମାରି ସତ୍ୟପାଳ । ତୋହର ଶରଣ ସକଳ ॥୧୩୬
ସଂସାର ମଧ୍ୟେ ଦେହବୃକ୍ଷେ । ଏଥେ ତୁ ମିଳିଲୁ ପ୍ରତ୍ୟକ୍ଷେ ॥୧୩୭
ବୃକ୍ଷର ଯେତେ ଗୁଣମାନ । ଶରୀରେ ତୋହର ଭିଆଣ ॥୧୩୮
ଏକଇ ବୃକ୍ଷ ବେନିଫଳ । ଚତୁର ରସ ତିନିମୂଳ ॥୧୩୯
ପଞ୍ଚ ଶିକଡ଼ ତଳେ ଗଣ୍ଠି । ଆତ୍ମା ଏହାର ଷଡ଼ଗୋଟି ॥୧୪୦
ସାତ ବକଳ ଦେହେ ଜଡ଼ି । ଅଷ୍ଟମ ଡାଳେ ଛନ୍ତି ବେଢ଼ି ॥୧୪୧
ଗଣ୍ଠି ସ୍ୱଭାବେ ନବନେତ୍ର । ବିସ୍ତାର ହୋଇ ଦଶପତ୍ର ॥୧୪୨
ଉପରେ ଛନ୍ତି ବେନି ପକ୍ଷୀ । ଏମନ୍ତ ବୃକ୍ଷ ଦେହେ ଲକ୍ଷି ॥୧୪୩
ମୁନି ବୋଲନ୍ତି ରାୟେ ଶୁଣ । ଦେହେ କହିବା ବୃକ୍ଷଗୁଣ ॥୧୪୪
ବୃକ୍ଷର ପ୍ରାୟେ ଦେହ ଏକ । ଫଳ ଯୋଡ଼ିଏ ଦୁଃଖସୁଖ ॥୧୪୫
ତାମସ ରଜ ସତ୍ତ୍ୱ ଗୁଣ । ଏହାର ମୂଳଟି ପ୍ରମାଣ ॥୧୪୬
ଧର୍ମ ସମ୍ପଦ କାମ ମୋକ୍ଷ । ଏ ଚାରି ରସଟି ପ୍ରତ୍ୟକ୍ଷ ॥୧୪୭
ଶବଦ ରୂପ ରସ ଗନ୍ଧ । ସ୍ପରଶ ପଞ୍ଚମୂଳ ଛନ୍ଦ ॥୧୪୮
ଜନ୍ମ ହୋଇଣ ଦେହ ବହି । ବାଳୁତ ରୂପେଣ ବଢ଼ଇ ॥୧୪୯
ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ । ଆତ୍ମବିକାର ଷଡ଼ ହେତୁ ॥୧୫୦
ଚର୍ମ ଶୋଣିତ ମାଂସ ମେଦ । ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ ॥୧୫୧
ସପତ ବକଳ ଏହାର । ମୁନି କହନ୍ତି ଜ୍ଞାନସାର ॥୧୫୨
ଭୂଜଳ ଅନଳ ସମୀର । ଖ ମନ ବୁଦ୍ଧି ଅହଙ୍କାର ॥୧୫୩
ଏ ଅଷ୍ଟଡାଳଟି ଏହାର । ନବମ ଛିଦ୍ର ନବଦ୍ୱାର ॥୧୫୪
ଦଶ ଇନ୍ଦ୍ରିୟ ପତ୍ର ଲେଖି । ଜୀବ ପରମ ବେନି ପକ୍ଷୀ ॥୧୫୫
ଏମନ୍ତ ବୃକ୍ଷ ରୂପ ବହି । ଭାରା ଉଶ୍ୱାସି ରଖ ମହୀ ॥୧୫୬
ଜଗତ ତୋର ତହୁଁ ଜାତ । ଲୟ ପାଳନ ଜଗନ୍ନାଥ ॥୧୫୭
ତୋର ମାୟାରେ ମୂର୍ଖ ଜନ । ଆତ୍ମାକୁ ଦେଖନ୍ତି ସେ ଭିନ୍ନ ॥୧୫୮
ଜ୍ଞାନୀଏ ଦେଖନ୍ତି ସେ ଏକ । ମାୟାରେ ଦିଶୁ ତୁ ଅନେକ ॥୧୫୯
ତୁ ଏ ସଂସାର ଦୁଃଖନାଶେ । ଶରୀର ବହୁ ନାନା ଅଂଶେ ॥୧୬୦
ସାଧୁଙ୍କୁ ଦିଶୁ ତୁ ନିର୍ମଳ । ଖଳଲୋଚନେ ଯେହ୍ନେ କାଳ ॥୧୬୧
ଯେ ତୋ'ର ପାଦେ ପଦ୍ମନାଭ । କରନ୍ତି ଆତ୍ମଜ୍ଞାନେ ଭାବ ॥୧୬୨
ତୋହର ନାମ ନାବ କରି । ହେଳେ ତରନ୍ତି ଭବବାରି ॥୧୬୩
ଭୋ ନାଥ କମଳଲୋଚନ । ମାୟାରେ ମୋହୁ ପ୍ରାଣୀ ମନ ॥୧୬୪
ଯେ ତୋ'ର ନାମ ନ ଭଜନ୍ତି । ମାୟାପଟଳେ ବଣା ହୋନ୍ତି ॥୧୬୫
ତୀର୍ଥସେବନ-ଦାନ-ତପେ । ତରିଲୁ ବୋଲୁଥା'ନ୍ତି ଆପେ ॥୧୬୬
କରନ୍ତି ସିଦ୍ଧଙ୍କ ଉପାୟେ । ଭେଦନ୍ତି ବ୍ରହ୍ମଲୋକ ଯାଏ ॥୧୬୭
ତୋ'ପାଦେ ନ କରି ଆଦର । ହୃଦେ ବହନ୍ତି ଅହଙ୍କାର ॥୧୬୮
ତହୁଁ ପଡ଼ନ୍ତି ଦେହ ଘେନି । ଜନ୍ମ ହୁଅନ୍ତି ନାନା ଯୋନି ॥୧୬୯
ଯେ ତୋ'ର ତହିଁ ମିତ୍ରପଣେ । ଚିତ୍ତ ଖଟାନ୍ତି ଅନୁକ୍ଷଣେ ॥୧୭୦
ନିର୍ଭୟେ ଭ୍ରମନ୍ତି ସଂସାରେ । ନୃତ୍ୟ କରନ୍ତି ଜମ ଶିରେ ॥୧୭୧
ସତ-ନିର୍ମଳ-ଗୁଣ ଧରୁ । ଭକ୍ତଙ୍କ ପାଇଁ ଅବତରୁ ॥୧୭୨
ତପ-ସମାଧି-ଯୋଗ-କ୍ରିୟା । ବେଦେ କହନ୍ତି ମୁନି ଯାହା ॥୧୭୩
ତୋ ଆରାଧନୁଁ ନାହିଁ ଆନ । ତୁ ପୂରିଅଛୁ ସ୍ଥଳ ଶୂନ୍ୟ ॥୧୭୪
ତୁ ଯେବେ ନୋହିବୁ ଜଗତେ । ଅଜ୍ଞାନ ନାଶିବୁ କେମନ୍ତେ ॥୧୭୫
ଯେ ତୋତେ ଯେମନ୍ତ ଚିନ୍ତଇ । ଗୁଣ ପ୍ରକାଶୁ ଦେହ ବହି ॥୧୭୬
ତୋହର ଗୁଣ-କର୍ମମାନ । ସଂଖ୍ୟା କେ କରୁ ଭଗବାନ ॥୧୭୭
ମନ-ବଚନେ ହେଁ ନ ଜାଣି । କେବଳ ବେଦେ ପରିମାଣି ॥୧୭୮
ଶ୍ରବଣେ ତୋ'ର ନାମ ଶୁଣି । ତୋ ରୂପ ହୃଦେ ପରିମାଣି ॥୧୭୯
ତୋ'ପାଦପୂଜାର ବିଧାନ । ଏଣେ ଯେ ହୋନ୍ତି ସାବଧାନ ॥୧୮୦
ଜନ୍ମ ମରଣ ତା'ଙ୍କ ନାହିଁ । ଏମନ୍ତ ପ୍ରଭୁ ଭାବଗ୍ରାହୀ ॥୧୮୧
ତୋହର ପାଦୁଁ ଜାତ ମହୀ । ତା' ଦୁଃଖ ନ ପାରିଲୁ ସହି ॥୧୮୨
ତୋହର ପାଦରଜ ଦେଇ । ଉଶ୍ୱାସ କର ନାଥ ମହୀ ॥୧୮୩
ସ୍ୱର୍ଗେ ପଶିବୁ ପଦ୍ମନାଭ । ତହିଁ ଦେଖିବୁ ତୋ'ର ଭାବ ॥୧୮୪
ଏ ତୋ'ର ଦେହବନ୍ତ ପଣ । ଏବେ ଜାଣିଲୁ ନାରାୟଣ ॥୧୮୫
ମନୁଷ୍ୟ ଲୀଳାର ଯେ ଭାବ । ଯା'ରୂପ ନ ଜାଣନ୍ତି ଦେବ ॥୧୮୬
ମତ୍ସ୍ୟ କଚ୍ଛପ ନରସିଂହ । କୋଳ ବାମନ ହଂସ ହୟ ॥୧୮୭
ରାଜନ ଋଷିଦେବ ବଂଶେ । ଜନ୍ମ ତୁ ହେଉ ଯୋଗଅଂଶେ ॥୧୮୮
ତିନି-ଭୁବନେ ଦୁଃଖ ନାଶି । ଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି ॥୧୮୯
ଅବନୀ ଭାରା ଏବେ ହର । ଭୋ ନାଥ ଶରଣ ତୋହର ॥୧୯୦
ଏମନ୍ତେ ପାହିଲା ରଜନୀ । ଦେବକୀ ମୁଖ ଚାହିଁ ଭଣି ॥୧୯୧
ତୋ'ର ଉଦରେ ଜଗନ୍ନାଥ । ଜଗତ ରଖିବେ ତୋ'ସୁତ ॥୧୯୨
ଶୁଦ୍ଧ ଚୈତନ୍ୟ ରୂପ ଘେନି । ପ୍ରକାଶ ହୋଇବେ ମେଦିନୀ ॥୧୯୩
କଂସର ଭୟ ଛାଡ଼ ଆଈ । ଯାହାର ନାମେ ଦୁଃଖ ନାହିଁ ॥୧୯୪
ଅରୁଣ ତେଜ ପ୍ରକାଶିଲା । ଦେବଙ୍କୁ ଉଚ୍ଚାଟ ଲାଗିଲା ॥୧୯୫
ବ୍ରହ୍ମାଶଙ୍କର ଆଗେ କରି । ଦେବେ ଚଳିଲେ ଯେଝାପୁରୀ ॥୧୯୬
ଶ୍ରୀହରି-ଚରଣେ ମୋ'ଚିତ୍ତ । ସୁଜନ ହିତେ କଲି ଗୀତ ॥୧୯୭
ଦଶମସ୍କନ୍ଧେ ହରିବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ॥୧୯୮
ପୁରାଣ କଲି ଗୀତ ରସ । କହଇ ଜଗନ୍ନାଥ ଦାସ ॥୧୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗର୍ଭଗତ ବିଷ୍ଣୋ ବ୍ରହ୍ମାଦି କୃତ ସ୍ତୁତିର୍ନାମ ତୃତୀୟୋଽଧ୍ୟାୟଃ
</poem>
==='''ଚତୁର୍ଥ ଅଧ୍ୟାୟ'''===
<poem>
କହନ୍ତି ଶୁକମୁନି ହସି । କୃଷ୍ଣ ଚରିତ ପରଶଂସି ॥୧
ପରୀକ୍ଷ ମୁଖକୁ ଚାହିଁଲେ । ଆନନ୍ଦେ ଲୋଚନ ବୁଜିଲେ ॥୨
ସମାଧି କରି ଯୋଗଧ୍ୟାୟି । କୃଷ୍ଣ ପ୍ରସନ୍ନ ଲେଶ ପାଇ ॥୩
ପୁଣି କ୍ଷଣକେ ଚକ୍ଷୁ ଫେଇ । ହସି କହନ୍ତି ରାଜା ଚାହିଁ ॥୪
;ଶୁକ ଉବାଚ
ଶୁଣ ହୋ ଶ୍ରୀକୃଷ୍ଣର ଜନ୍ମ । ଯେଣେ ଖଣ୍ତିବ ଭବଭ୍ରମ ॥୫
ଦେବକୀ ଦେବଗଣ ଦେଖି । ମନେ ବିଚାରେ ଶଶୀମୁଖୀ ॥୬
ମୁଁ ଅଟେ ମାନୁଷ ଯୁବତୀ । ଦେବେ କରନ୍ତି ମୋତେ ସ୍ତୁତି ॥୭
କି ଅବା ଉଦରେ ମୋହର । ବିଜୟ କଲେ ଚକ୍ରଧର ॥୮
ଯାଦବକୁଳ ନିସ୍ତାରଣେ । ପାପିଷ୍ଠ କଂସର ମରଣେ ॥୯
ଦେବଙ୍କ ଛଳେ ଅବତାର । ନାଶିବେ ଅବନୀର ଭାର ॥୧୦
ଏତେ ବିଚାରି ମହାମାୟା । କ୍ଷଣକେ ପାସୋରିଲା ତାହା ॥୧୧
ଯୋଗମାୟାର ଯୋଗବଳେ । ବିଷୟାରସ କାମଭୋଳେ ॥୧୨
ସୁତ ଲାଳସା ପରିବନ୍ଧେ । ତ୍ରିଗୁଣ ଭେଦ କୂଟଛନ୍ଦେ ॥୧୩
ମନ ମୋହିଲା ରାଜସୁତା । ନ ଜାଣେ ଗର୍ଭର ବ୍ୟବସ୍ଥା ॥୧୪
ମନୁଷ୍ୟ ଜନ୍ମର ସ୍ୱଭାବ । ଦେଖଇ ପତିବ୍ରତା ଗର୍ଭ ॥୧୫
ତଥ୍ୟ ନ କଲେ ରୂପ ହେଜି । କ୍ଷଣ କ୍ଷଣକେ ଚକ୍ଷୁ ବୁଜି ॥୧୬
ଶୁଖିଲା ଅଧର ଦଶନ । ଫିଟିଲା କଟୀ ପହରଣ ॥୧୭
ଶୁଖିଲା ପ୍ରାୟେ ବିମ୍ବାଧର । କମ୍ପିତ ମୁଖ ଭୁଜ ଊର ॥୧୮
ନାଭି ଲେଉଟି ଦିଶେ ଝଳି । ଟାଙ୍କୋରେ ତନୁ ରୋମାବଳୀ ॥୧୯
କ୍ଷଣ କ୍ଷଣକେ ଯୋଗନିଦ୍ରା । ଛାଡ଼ିଲା ସୁଖ ଭୋଗ ସୁଧା ॥୨୦
ନିବିଡ଼େ ଅବନୀ ଶୟନ । କ୍ଷଣେ ମଳୟ ହୁତାଶନ ॥୨୧
ତପତ ନିଃଶ୍ୱାସ ସମୀର । କର ଚରଣ ଥରହର ॥୨୨
କୋମଳପତ୍ର ଶଯ୍ୟା ଆଶେ । ମଳୟ ଚନ୍ଦନ ପ୍ରକାଶେ ॥୨୩
ସକଳ ସୁଖଭୋଗ ମାନ । କରାନ୍ତି ପ୍ରଭୁ ଭଗବାନ ॥୨୪
ଯେ ହେବ ଗୋବିନ୍ଦର ଆଈ । ତାହାର ପାପ-ବାଧା କାହିଁ ॥୨୫
ବିଚାର କରେ ଦେବୀ ମନେ । ଏ ଗର୍ଭ ସହିବି କେସନେ ॥୨୬
ଛ ବେଳ ହେଲା ପରିହାର । ଏବେ ମୋ ପ୍ରକୃତି ଅନ୍ତର ॥୨୭
କି ଅବା କାଳଆଶ୍ରେ ମୋତେ । ଜୀବନ ହରିବ ଯୁଗତେ ॥୨୮
ଏମନ୍ତେ ଦିବାରାତ୍ର ବସି । ମନେ ଭାଳଇ ଶୁଭ୍ରକେଶୀ ॥୨୯
ଏମନ୍ତେ ଦୁଃଖ ସୁଖ ମନେ । ଦିନ ହରଇ ମନଛନ୍ନେ ॥୩୦
ଶୁଭେ ହୋଇଲା ଅଷ୍ଟମାସ । ପୃଥ୍ୱୀ ମଣ୍ତିବେ ଶ୍ରୀନିବାସ ॥୩୧
ଶରଦ ହେମନ୍ତ ଅନ୍ତରେ । ବସନ୍ତ ଗ୍ରୀଷମ ବେଭାରେ ॥୩୨
ସୂର୍ଯ୍ୟଙ୍କ ତହୁଁ ଷଡ଼ଋତୁ । ପ୍ରକାଶ ଜନସୁଖ ହେତୁ ॥୩୩
ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ । ସଂପୂର୍ଣ୍ଣ ବରଷାର କାଳ ॥୩୪
ଭାଦ୍ରବ ମାସ କୃଷ୍ଣପକ୍ଷେ । ସକଳ ଗ୍ରହେ ଛନ୍ତି ଉଚ୍ଚେ ॥୩୫
ଅଷ୍ଟମୀ ନିଶା ଅର୍ଦ୍ଧଭାଗେ । ରୋହିଣୀ ନକ୍ଷତ୍ର ସଂଯୋଗେ ॥୩୬
ବୃଷ ରାଶିରେ ନିଶାକର । ନକ୍ଷତ୍ର ଗ୍ରହେ ବଳୀୟାର ॥୩୭
ଗଭୀର ଘୋର ମେଘ ଘୋଷ । ବର୍ଗ ଉତ୍ତମ ନବଅଂଶ ॥୩୮
ଏହି ସମୟେ ସୁରରାୟେ । ଆକାଶେ ଉତ୍ସବ କରାଏ ॥୩୯
ଦୁନ୍ଦୁଭି-ବାଦ୍ୟ-ନାଦ ହେରି । ରଙ୍ଗେ ନାଚନ୍ତି ଅପସରୀ ॥୪୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ଖଣ୍ତିବେ ଗୋବିନ୍ଦ ଅରିଷ୍ଟି ॥୪୧
ଇନ୍ଦ୍ର ପବନକୁ ହକାରି । ବୋଲଇ ଯାଅ ମଧୁପୁରୀ ॥୪୨
ତୋହର ଗନ୍ଧ ଗୁଣ ଘେନି । ଆନନ୍ଦେ ବହିବୁ ମେଦିନୀ ॥୪୩
କଂସର ବନ୍ଦୀଘରେ ଯାଇ । ବହିବୁ ମଳୟ ପୁରାଇ ॥୪୪
ଦିଗେ ଦିଶନ୍ତୁ ପରିମଳ । ବହିବୁ ସୁଗନ୍ଧ ଶୀତଳ ॥୪୫
ଇନ୍ଦ୍ରର ଆଜ୍ଞା ପାଇ ବେଗେ । ସମୀର ଚଳିଗଲା ଆଗେ ॥୪୬
ପବନ ଗଲା ମଧୁ ପୁରେ । ବହେ ସୁଗନ୍ଧ ରସଭରେ ॥୪୭
ନିର୍ମଳ ଦିଶିଲା ଗଗନ । ମହୀ ମଙ୍ଗଳ ବିଦ୍ୟମାନ ॥୪୮
ଗ୍ରାମ ପାଟଣା ପୁର ଘୋଷ । ମଙ୍ଗଳ ବାଦ୍ୟେ ଗୀତ ରସ ॥୪୯
ନଦୀଏ ଉଛୁଳିଲେ ଜଳେ । ପକ୍ଷୀଙ୍କ ନାଦ ବୃକ୍ଷଡ଼ାଳେ ॥୫୦
ସ୍ତବକ ପୁଷ୍ପ ବନେ ଫୁଟି । ବାସ ପ୍ରସରଇ ପ୍ରକଟି ॥୫୧
ବିପ୍ରେ ମଙ୍ଗଳ ବେଦନାଦେ । ଅନଳେ କ୍ଷେପନ୍ତି ସମିଧେ ॥୫୨
ଆନନ୍ଦ ହେଉଅଛି ମହୀ । କୃଷ୍ଣ ଜନ୍ମିବେ ଦେହ ବହି ॥୫୩
ବଥାଏ ଦେବକୀ ଉଦର । ସ୍ୱାମୀଙ୍କି ବୋଲନ୍ତି ଉତ୍ତର ॥୫୪
ଭୋ ନାଥ ଚିନ୍ତ ନାରାୟଣ । କେ ସହୁ ଗର୍ଭର କଷଣ ॥୫୫
ଶୁଣି ବସୁଦେବ ଉଠିଲା । ଦେବକୀ କଙ୍କାଳ ଧଇଲା ॥୫୬
ଆବୋରି ଗୋବିନ୍ଦ ସୁମରି । ଭୟେ ଚିନ୍ତଇ ନରହରି ॥୫୭
ଆକାଶେ ଉଦେ ନିଶାକର । ଦେବକୀ ଉଦରୁ ବାହାର ॥୫୮
ନୀଳ-ଜୀମୂତ ଦେହ କାନ୍ତି । ବଳୟ ମଣି ଝଟକନ୍ତି ॥୫୯
ପୀତବସନ କଟୀ ଶୋହେ । ରୂପେ କୋଟିଏ କାମ ମୋହେ ॥୬୦
କଟୀ-ମେଖଳା ସୁନା-ସୂତା । ଉତ୍ତରୀ ସୁବର୍ଣ୍ଣ ପଇତା ॥୬୧
କିରୀଟ କୁଣ୍ତଳ କଙ୍କଣ । ପାଦେ ନୂପୁର ରୁଣଝୁଣ ॥୬୨
ଦିଶଇ ଶଙ୍ଖ ଚକ୍ର ତେଜ । ମର୍କତ ସ୍ତମ୍ଭ ଚାରିଭୁଜ ॥୬୩
ଗଦା କମଳ ଶଙ୍ଖଚକ୍ର । ଅଧର ଓଷ୍ଠ ରଙ୍ଗ ରେଖ ॥୬୪
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ରତ୍ନପାଦୁକା ବେନି ପାୟେ ॥୬୫
ଅପୂର୍ବ ରୂପେ ଯୋଗେଶ୍ୱର । ଦେବ ମାନବେ ଅଗୋଚର ॥୬୬
ଦେବକୀ ପ୍ରସବିଣ ସୁତ । ଶ୍ରମେ ହୋଇଲା ମୋହଗତ ॥୬୭
ପଛେ ଯେ ବସୁଦେବ ଥିଲା । କୃଷ୍ଣ ରୂପକୁ ଅନାଇଲା ॥୬୮
ସ୍ଥିରେ ଚାହିଁଲା ବସୁଦେବ । ଦେଖିଲା ଅନାଦି ମାଧବ ॥୬୯
କ୍ଷଣେ ରହିଲା ସ୍ଥିର ହୋଇ । କୃଷ୍ଣଙ୍କୁ ଚାହିଁ ବିଚାରଇ ॥୭୦
କୃଷ୍ଣ ହରିଲେ ପିତା ଜ୍ଞାନ । ଚକିତେ ବିଚାରଇ ମନ ॥୭୧
ମନରେ ଗଙ୍ଗାସ୍ନାନ କଲା । ଅୟୁତେ ଧେନୁ ଉତ୍ସର୍ଗିଲା ॥୭୨
ଏ ପୁତ୍ରେ କଂସ ନ ମାଇଲେ । ଦେବଇଁ ଅଳଙ୍କାର ତୁଲେ ॥୭୩
ଏ ପୁତ୍ର ନମଲେ ମୋହର । ପୁଜିବି ବିପ୍ରଙ୍କ ପୟର ॥୭୪
ଚାହିଁଲା ଗୋବିନ୍ଦ ବଦନ । ପୁଣି ପାଇଲା ଦିବ୍ୟଜ୍ଞାନ ॥୭୫
ଭୟେ କମ୍ପଇ ତା'ଶରୀର । ଏ ତ ଅନାଦି ଚକ୍ରଧର ॥୭୬
ମୁ ଛାର ମନୁଷ୍ୟ ଅଧମ । କିପାଁ ଏ ହୋଇଲା ପ୍ରସନ୍ନ ॥୭୭
କି ବୁଦ୍ଧି କରିବଇଁ ମୁହିଁ । କଂସକୁ ଡରେ ମୋର ଦେହୀ ॥୭୮
ବୋଲଇ ବସୁଦେବ ଶୋକେ । ଏ କିମ୍ବା ଜାତ ମଞ୍ଚଲୋକେ ॥୭୯
ତେଜେ ଉଜ୍ଜ୍ୱଳ ବନ୍ଦୀଘର । ତିଳେ ହେଁ ନଦିଶେ ଅନ୍ଧାର ॥୮୦
କର ଅଞ୍ଜଳି ଶିରେ ଦେଇ । ସ୍ତୁତି କରଇ କୃଷ୍ଣ ଚାହିଁ ॥୮୧
;ବସୁଦେବ ଉବାଚ
ତୋହର ଆଦି ଅନ୍ତ ନାହିଁ । ପ୍ରକୃତି ତୋତେ ନଲାଗଇ ॥୮୨
କେବଳ ସୂକ୍ଷ୍ମ ରୂପେ ଶୂନ୍ୟ । ମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ ॥୮୩
ତୋହର ମାୟାରେ ଜଗତ । ମହତ ଆଦି ପଞ୍ଚଭୂତ ॥୮୪
ତହିଁରେ ନୋହୁ ତୁ ପ୍ରବେଶ । ପ୍ରବେଶ ପ୍ରାୟ ତୋ' ପ୍ରକାଶ ॥୮୫
ବାହାର ଭିତରେ ଅନନ୍ତ । ସୃଷ୍ଟି କରୁ ତୁ ଆତଯାତ ॥୮୬
ବୁଦ୍ଧି ଲକ୍ଷଣ ଗୁଣ ଘେନି । ତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ ॥୮୭
କାହୁଁ ଦେଖିବେ ଦେହବନ୍ତ । ତୁ ଦେବ ଅନାଦି ଅଚ୍ୟୁତ ॥୮୮
ଜଗତ ତୋ'ର ତହୁଁ ଜାତ । ପାଳିଣ ପୁଣି କରୁ ଅନ୍ତ ॥୮୯
ଜଗତ ଉପୁଜିବା କାଳେ । ଅରୁଣ ବର୍ଣ୍ଣ ହେଉ ବେଳେ ॥୯୦
ପାଳିବା କାଳେ ଶୁକ୍ଳବର୍ଣ୍ଣ । ଜଗତେ ବୋଲାଉ ତୁ ଧର୍ମ ॥୯୧
ସଂହାର କାଳେ କୃଷ୍ଣରୂପ । ତୋର ବିହାର ମୋହକଳ୍ପ ॥୯୨
ତୁ ଏବେ ମୋରଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥୯୩
ଜାଣିଲି ଯେତେକ ଅସୁର । ମାରି କରିବୁ ମହୀ ସ୍ଥିର ॥୯୪
ତୋ'ର ଜନମ ମୋ'ର ଘରେ । ଶୁଣିଣ କଂସ କୋପଭରେ ॥୯୫
ଛ ପୁତ୍ର ମାଇଲା ମୋହର । ତୁ କି ନ ଜାଣୁ ଚକ୍ରଧର ॥୯୬
ପ୍ରହରୀମାନେ ଜଗିଛନ୍ତି । ଶୁଣିବେ ବୋଲି ମନେ ଭୀତି ॥୯୭
କଂସକୁ କହିବେ ତୁରିତେ । ସେ ଆସି ମାରିବଟି ତୋତେ ॥୯୮
ତୋତେ ହୋ ତୁହି ରକ୍ଷାକର । ମୁଁ ଛାର ମନୁଷ୍ୟ ମାତର ॥୯୯
ଏମନ୍ତେ ଗଡ଼ଘାଲି ଶୋଇ । କମ୍ପଇ କୃଷ୍ଣ ମୁଖ ଚାହିଁ ॥୧୦୦
ଶୀତଳ ବହଇ ପବନ । ଦେବକୀ ପାଇଲା ଚେତନ ॥୧୦୧
ଚକ୍ଷୁ ଫେଇଣ ଚାହେଁ ଧୀରେ । ଯେହ୍ନେ ଉଦୟ ଦିନକରେ ॥୧୦୨
ଚାହିଁଲା ପୁତ୍ରର ବଦନ । ଚକିତେ ହୋଇ ଛନ୍ନଛନ୍ନ ॥୧୦୩
ଅପୂର୍ବ କାହୁଁ ଏ ଅଇଲା । ଜଗତେ ନାହିଁ ନା ଦେଖିଲା ॥୧୦୪
ଏ ତ ପୁରୁଷଙ୍କ ଉତ୍ତମ । କି ଅବା ପ୍ରଭୁ ଭଗବାନ ॥୧୦୫
ପୂର୍ଣ୍ଣ ଆନନ୍ଦ ଜ୍ଞାନମୟ । ଦେଖି ପାଇଲା ଦେବୀ ଭୟ ॥୧୦୬
ବିକଳେ ବେନିକର ଯୋଡ଼ି । ହା କୃଷ୍ଣ ବୋଲି ପାୟେ ପଡ଼ି ॥୧୦୭
ଚଞ୍ଚଳ ମନ କରି ସ୍ଥିର । ଦେବକୀ ବୋଲଇ ଉତ୍ତର ॥୧୦୮
;ଦେବକୀ ଉବାଚ
ଭୋ ନାଥ ନିସ୍ତରିଲି ମୁହିଁ । ତୋହର ଆଦି ଅନ୍ତ ନାହିଁ ॥୧୦୯
ମନ ବଚନେ ହେଁ ନ ପାଇ । ପ୍ରସନ୍ନ ହୁଅ ମୋତେ ତୁହି ॥୧୧୦
ଜ୍ୟୋତିସ୍ୱରୂପ ନିରଞ୍ଜନ । ନିର୍ମଳ ପୁଣ୍ୟ ଦିବ୍ୟଜ୍ଞାନ ॥୧୧୧
ଦେବେ ଗୋଚର ନୋହେ ଯେହୁ । ଅଧ୍ୟାତ୍ମଦୀପ ମହାବାହୁ ॥୧୧୨
ବ୍ରହ୍ମାର ଅନ୍ତେ ମହୀ ନାଶେ । ବ୍ରହ୍ମାଣ୍ତ ଲୁଚନ୍ତି ଆକାଶେ ॥୧୧୩
ମନର ମୂଳେ ପଞ୍ଚଭୂତେ । ତୋହର ଦେହେ ଲୀନହୋନ୍ତେ ॥୧୧୪
ରବି ଶଶାଙ୍କ ନାହିଁ କେହି । ତୁ ମାତ୍ର ରହୁ ଶେଷ ହୋଇ ॥୧୧୫
ନିମିଷ ଆଦି ଯେଉଁ କାଳ । ତୋହର ଚେଷ୍ଟା ଅନ୍ତରାଳ ॥୧୧୬
ଏ ମର୍ତ୍ତ୍ୟେ ମୃତ୍ୟୁସର୍ପ ରୂପେ । ଦଂଶିବ ବୋଲି ମହାକୋପେ ॥୧୧୭
ଦେଖଇଁ ପ୍ରାଣୀଙ୍କି ନିରତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥୧୧୮
ଶରଣ ତୋ'ର ପାଦେ ଯେହୁ । ସେ ମୃତ୍ୟୁ ପାଇବଟି କାହୁଁ ॥୧୧୯
ବାହୁଡ଼ି ହୋଏ ଯେ ନିରାଶ । ସେ ପ୍ରାଣୀ ରହେ ତୋ'ର ପାଶ ॥୧୨୦
ତୁ ଏବେ ହରି ରଖ ତୋତେ । କଂସକୁ ନ ଯାଇ ପରତେ ॥୧୨୧
ମୋର ଉଦରୁ ତୋ'ର ଜାତ । ଲୋକେ କରିବେ କାହୁଁ ସତ ॥୧୨୨
ତୋ' ରୂପ ନ ଜାଣନ୍ତି କେହି । କଂସକୁ ଡରେ ମୋର ଦେହୀ ॥୧୨୩
ଶୁଣି ବୋଲନ୍ତି ନାରାୟଣ । ଭୋ ତାତ ଶୁଣ ମୋ' ବଚନ ॥୧୨୪
ବ୍ରହ୍ମା ଯେ ସୃଷ୍ଟି ଭିଆଇଲା । ତୁମ୍ଭ ଦୁହିଁଙ୍କି ଜାତ କଲା ॥୧୨୫
ପୃଶ୍ନି ସୁତପା ନାମ ବହି । ଜନ୍ମ ହୋଇଲ ତୁମ୍ଭେ ଦୁଇ ॥୧୨୬
ତା'ର ଆଦେଶ ଘେନି ଶିରେ । ମିଳିଲ ଗହନ ବନରେ ॥୧୨୭
ଅନେକ ଦୁଃଖେ ତପ କରି । ଜଳ ପବନ ପତ୍ର ଚରି ॥୧୨୮
ବରଷା ଗ୍ରୀଷ୍ମ ଶୀତ ହିମେ । ଶ୍ୱାସ ନିରୋଧି ମହାଶ୍ରମେ ॥୧୨୯
ଶତେ ବରଷ ଦେବମତେ । ତପ ସାଧିଲ ଦୃଢ଼ଚିତ୍ତେ ॥୧୩୦
ନିରତେ କଲ ମୋତେ ଧ୍ୟାନ । ମୁଁ ପୁଣି ହୋଇଲି ପ୍ରସନ୍ନ ॥୧୩୧
ଆନନ୍ଦେ ଯାଚିଲି ମୁଁ ବର । ଜାଣିଲି ତୁମ୍ଭର ବିଚାର ॥୧୩୨
ମୋର ପ୍ରସନ୍ନ ଭାବ ଘେନି । ଭାବେ ବୋଇଲ ତୁମ୍ଭେ ବେନି ॥୧୩୩
ବୋଇଲ ଶୁଣ ଚକ୍ରଧର । ଆମ୍ଭର ହୋଇବ କୁମର ॥୧୩୪
ପ୍ରଥମେ ହୋଇଲି ମୁଁ ଜାତ । ନାମ ମୋ' ପୃଶ୍ନିଗର୍ଭ ଖ୍ୟାତ ॥୧୩୫
ଦ୍ୱିତୀୟେ କଶ୍ୟପ ଅଦିତି । ରୂପରେ ତୁମ୍ଭ ଉତପତ୍ତି ॥୧୩୬
ମୁଁ ପୁଣି ତୁମ୍ଭ ଗର୍ଭେ ଜାତ । ଉପେନ୍ଦ୍ର ବାମନ ବିଖ୍ୟାତ ॥୧୩୭
ମୋହର ନାମ ଭାବଗ୍ରାହୀ । ଜନ୍ମିଲି ପୁଣି ଦେହ ବହି ॥୧୩୮
ପୁତ୍ର ଲାଳସେ ପାଳି ମୋତେ । ପଶିବ ମୋ'ର ଦେହେ ଅନ୍ତେ ॥୧୩୯
ଦେବଙ୍କ ବଚନେ ମୁଁ ଜାତ । ଅସୁର କରିବି ନିପାତ ॥୧୪୦
ଆଉ କହିତେ ନାହିଁ ବେଳ । ମୋତେ ଘେନିଣ ବେଗେ ଚଳ ॥୧୪୧
ନନ୍ଦର ଘରେ ମୋତେ ଥୋଇ । କନ୍ୟାକୁ ଆଣ ପାଲଟାଇ ॥୧୪୨
;ଶୁକ ଉବାଚ
ଏମନ୍ତ କହି ନରହରି । ନରବାଳୁତ ରୂପ ଧରି ॥୧୪୩
ଗୋବିନ୍ଦ ଆଜ୍ଞା ଘେନି ଶିରେ । କୋଳେ ଧଇଲା ଚକ୍ରଧରେ ॥୧୪୪
ଘେନିଣ ଦେବ ଚକ୍ରଧର । ଭୟେଣ ହୋଏ ଥରହର ॥୧୪୫
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । କବାଟ ଫିଟିଲା ତକ୍ଷଣେ ॥୧୪୬
ଫିଟିଲା ପୟର ଶାଙ୍କୋଳି । ପଥ କଢ଼ାଇଲା ବିଜୁଳି ॥୧୪୭
କୋଳରେ ଘେନି ନାରାୟଣ । ବାହାର ହୋଏ ତତ୍କ୍ଷଣ ॥୧୪୮
ନିଦ୍ରାରେ ମୋହିତ ସକଳ । ବୃଷ୍ଟି କରନ୍ତି ମେଘମାଳ ॥୧୪୯
ତିନ୍ତିବା ଦେଖି ଜଗନ୍ନାଥ । ଫଣା ଉହାଡ଼ିଲା ଅନନ୍ତ ॥୧୫୦
ଯାଆନ୍ତେ କୃଷ୍ଣଙ୍କୁ ଘେନିଣ । ପଥେ ଓଗାଳେ ଉଗ୍ରସେନ ॥୧୫୧
ବୋଲଇ କାହିଁରରେ ଚୋର । ନିଶାରେ ହୋଇଛୁ ବାହାର ॥୧୫୨
କଂସର ଜାଣିନାହୁଁ ବାନା । ଦେବଙ୍କ ଗର୍ବ କଲା ଚୂନା ॥୧୫୩
ମୁହିଁ ତାହାର ରିପୁ ମିତ୍ର । ଦେଖି ବୁଲଇ ରାତ୍ରେ ପଥ ॥୧୫୪
ଆଜ ହାଣିବି ତୋର ଶିର । ବନ୍ଧନ କରି ନେବି ଚୋର ॥୧୫୫
ଶୁଣି କମ୍ପଇ ବସୁଦେବ । ବିପତ୍ତି ଦେଲୁ ହା ଦଇବ ॥୧୫୬
ହା କୃଷ୍ଣ ବୋଲିଣ ବିକଳ । ନୟନୁ ବହେ ଅଶ୍ରୁଜଳ ॥୧୫୭
ବୋଲଇ ଉଗ୍ରସେନେ ଚାହିଁ । ପୁତ୍ରକୁ ନେଉଅଛି ମୁହିଁ ॥୧୫୮
ବୋଲଇ ଉଗ୍ରସେନ ବୀର । କାଲି ମାରିବ କଂସାସୁର ॥୧୫୯
ଯେତେ ବାଳକ ତୋ'ର ଜାତ । ସବୁଙ୍କୁ କରଇ ସେ ହତ ॥୧୬୦
ମୁଁ କେହ୍ନେ ଛାଡ଼ିଦେବି ପଥ । ଶୁଣିଲେ କୋପିବ ଦଇତ୍ୟ ॥୧୬୧
ଶୁଣି ଆରତ ବସୁଦେବ । ବିକଳେ ଚିନ୍ତଇ ମାଧବ ॥୧୬୨
କମ୍ପଇ ବସୁଦେବ କାୟେ । ବଚନ ନ କହଇ ଭୟେ ॥୧୬୩
ପିଅର ବିକଳ ଦେଖିଣ । ବୋଲନ୍ତି ପ୍ରଭୁ ନାରାୟଣ ॥୧୬୪
ଶୁଣ ହୋ ବୀର ଉଗ୍ରସେନ । ଆମ୍ଭେ ସେ ଦେବ ଭଗବାନ ॥୧୬୫
ଜନମ ହୋଇ ବନ୍ଦୀଘରେ । ଦେବକୀ ଦେବୀଙ୍କ ଉଦରେ ॥୧୬୬
ଏବେ ଯାଉଛୁ ଗୋପପୁର । ଏ କଥା ପ୍ରଘଟ ନ କର ॥୧୬୭
ଭାରା ଯେ ନ ସହଇ ମହୀ । ଉଶ୍ୱାସ କରିବଇଁ ମୁହିଁ ॥୧୬୮
ଶୁଣି ବୋଲଇ ଉଗ୍ରସେନ । ତୁ ଯେବେ ଦେବ ଭଗବାନ ॥୧୬୯
ଦେଖାଅ ଶଙ୍ଖଚକ୍ର ଚିହ୍ନ । ସଂପ୍ରତେ ଯିବ ମୋର ମନ ॥୧୭୦
ବେଦ ବଚନେ ଦେବମାନେ । କହନ୍ତି ଶାହାସ୍ର ପୁରାଣେ ॥୧୭୧
ତୋହର ଚତୁର୍ଭୁଜ କର । ଦେଖାଅ ନିଜରୂପ ତୋ'ର ॥୧୭୨
ଭୃତ୍ୟର ତୋଷେ ଭାବଗ୍ରାହୀ । ଶଙ୍ଖଚକ୍ର ଚିହ୍ନ ଦେଖାଇ ॥୧୭୩
ଦେଖି ସାନନ୍ଦ ଉଗ୍ରସେନ । ଖଡଗ ପକାଇ ବହନ ॥୧୭୪
ବୋଲଇ ନିସ୍ତରିଲି ମୁହିଁ । ତୋ'ର ଶ୍ରୀମୁଖକୁ ଅନାଇଁ ॥୧୭୫
ଗୋପକୁ ଯିବ କିସ ଅର୍ଥେ । ମଥୁରା ନରହିଲ ଏଥେ ॥୧୭୬
ବୋଲନ୍ତି ଭକତବତ୍ସଳ । ଗୋକୁଳେ ସେବକ ମୋହର ॥୧୭୭
ଗୋପୀ ଅଛନ୍ତି ଷୋଳସସ୍ର । ସେ ଆମ୍ଭ ନିଜ ପ୍ରାଣ ଗାତ୍ର ॥୧୭୮
ଅଷ୍ଟମ ବରଷ ସଂପୂର୍ଣ୍ଣ । କଂସକୁ କରିବୁ ନିଧନ ॥୧୭୯
ତୋତେ ଦେବଇଁ ଅଇଶ୍ୱର୍ଯ୍ୟ । ଚିନ୍ତା ନ କର ଭୋଜରାଜ ॥୧୮୦
ଶୁଣି ସାନନ୍ଦ ଉଗ୍ରସେନ । ଚରଣେ କଲାକ ପ୍ରଣାମ ॥୧୮୧
ମୁଁ ତୋ'ର ଦାସର ସେବକ । ତେଣୁ ଦେଖିଲି ତୋ' ଶ୍ରୀମୁଖ ॥୧୮୨
ଅନେକମତେ ସ୍ତୁତି କରି । ପୁଣି ଚରଣ ତଳେ ପଡ଼ି ॥୧୮୩
ଶ୍ରୀମୁଖେ ତା'କୁ ଆଜ୍ଞା ଦେଲେ । ନୃପତି ହୋଇବୁ ବୋଇଲେ ॥୧୮୪
ସନ୍ତୋଷ ହୋଇ ନରହରି । ଉଗ୍ରସେନକୁ ଦେଲେ ଶାଢ଼ୀ ॥୧୮୫
ଦେଇ ବୋଲନ୍ତି ଦେବରାଜ । ଆଜହୁଁ ମଥୁରାରେ ରାଜ ॥୧୮୬
ଉଗ୍ରସେନକୁ ପୁଷ୍ଠମାଳୀ । ହରଷେ କୃଷ୍ଣ ଦେଲେ ତୋଳି ॥୧୮୭
ପାଟେ ବାନ୍ଧିଲା ଉଗ୍ରସେନ । ବୋଲଇ ଯାଅ ଭଗବାନ ॥୧୮୮
ଆନନ୍ଦେ ପଥ ଛାଡ଼ିଦେଇ । ବୋଲଇ ନିସ୍ତରିଲି ମୁହିଁ ॥୧୮୯
ତହୁଁ ଚଳିଲେ ଚକ୍ରଧାରୀ । ପାଛୋଟି ଯାଏ ଦଣ୍ତଧାରୀ ॥୧୯୦
ଏମନ୍ତେ କିଛି ଦୂର ଗଲା । ଆଜ୍ଞା ପାଇଣ ବାହୁଡ଼ିଲା ॥୧୯୧
ହରଷ ଚିତ୍ତେ ବସୁଦେବ । ହୃଦେ ଚିନ୍ତଇ ପଦ୍ମନାଭ ॥୧୯୨
ନଦୀର ତୀରେ ଯାଇ ମିଳି । ଦେଖିଲା ଯମୁନା ଉଚ୍ଛୁଳି ॥୧୯୩
ଯମର ବହେଣୀ ଯୁକତ । ଗଭୀର କେ କରିବ ଅନ୍ତ ॥୧୯୪
ବହଇ ଅତି ଖରତର । ଫେନ-ସ୍ରୋତରେ ଭୟଙ୍କର ॥୧୯୫
ନଦୀରେ ପଶିଲା ବହନ । କାତରେ ଅତି ଭୟମନ ॥୧୯୬
ନାସାରେ ପଶନ୍ତେଣ ପାଣି । ଶିରେ ବସାଇ ଚକ୍ରପାଣି ॥୧୯୭
ବୁଡ଼ିଣ ଯା'ନ୍ତେ ବସୁଦେବ । ହୃଦେ ଚିନ୍ତଇ ବାସୁଦେବ ॥୧୯୮
ହରି ସୁମରେ ଯହୁଁ ଖରେ । ଯମୁନା ଜାଣିଲା ନିର୍ଭରେ ॥୧୯୯
ମୋହର ସୌଭାଗ୍ୟ ହୋଇଲା । ମାଧବ ଏଥେ ବିହରିଲା ॥୨୦୦
ପୂର୍ବେ ମୋ' ଯେତେ ପାପ ଥିଲା । ଶ୍ରୀକୃଷ୍ଣ ଦର୍ଶନେ ଛାଡ଼ିଲା ॥୨୦୧
ନାନା ସ୍ତୁତିରେ ପାଦବନ୍ଦି । କୃତାର୍ଥ ହୋଇଲା କାଳିନ୍ଦୀ ॥୨୦୨
ତକ୍ଷଣେ ଜଳ ଛାଡ଼ିଗଲା । ଗୋଡ଼ ଝୁଣ୍ଟିଆଣି ହୋଇଲା ॥୨୦୩
ହରିଙ୍କି ଦେଖି ଭୟ କଲା । ବାଲିବନ୍ତରେ ବାଟ ଦେଲା ॥୨୦୪
ଚଳିଲେ ନଦୀ ପାର ହୋଇ । କୃଷ୍ଣଙ୍କୁ ହୃଦରେ ଲଗାଇ ॥୨୦୫
ମିଳିଲେ ଯାଇ ଗୋପପୁରେ । ସଭୟେ ନନ୍ଦର ମନ୍ଦିରେ ॥୨୦୬
ନିଦ୍ରା ମୋହିତ ସର୍ବଜନ । ଭୟେ ଚାହଁଇ ଛନଛନ ॥୨୦୭
ପ୍ରସବ କରି ନନ୍ଦରାଣୀ । ଅଚେତେ ଶୟନ ଧରଣୀ ॥୨୦୮
ଅମ୍ବିକା ହୋଇଛନ୍ତି ଜାତ । ଜଗତ ନିଦ୍ରାରେ ମୋହିତ ॥୨୦୯
ଯଶୋଦା କୋଳେ କୃଷ୍ଣ ଥୋଇ । କନ୍ୟା ଆଣିଲା ପାଲଟାଇ ॥୨୧୦
ମିଳିଲା ଦେବକୀ ନିକଟ । ତକ୍ଷଣେ ପଡ଼ିଲା କବାଟ ॥୨୧୧
ଲାଗିଲା ଚରଣେ ଶାଙ୍କୋଳି । ଦୁହିତା ଛାଡ଼ିଲା ବୋବାଳି ॥୨୧୨
ହରି ଚରିତ ସୁଧାବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ॥୨୧୩
ଶ୍ରୀକୃଷ୍ଣ ଜନ୍ମ ରସଭର । ଶୁଣି ସଂସାରୁ ହୁଅ ପାର ॥୨୧୪
ପରୀକ୍ଷେ କହେ ଶୁକମୁନି । ପୁରାଣ ରସଗୀତ ବାଣୀ ॥୨୧୫
ହରିଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୃଷ୍ଣଜନ୍ମନି ଚତୁର୍ଥୋଽଧ୍ୟାୟଃ ॥
</poem>
==='''ପଞ୍ଚମ ଅଧ୍ୟାୟ'''===
<poem>
ଶୁଣି ସାନନ୍ଦମନେ ରାଜା । ମୁନିଚରଣେ କଲେ ପୂଜା ॥୧
ଆନନ୍ଦେ ଲୋଟଇ ଧରଣୀ । କୁତାର୍ଥ କୃଷ୍ଣଜନ୍ମ ଶୁଣି ॥୨
ଭକତି ଦେଖିଣ ତାହାର । କହନ୍ତି ବ୍ୟାସଙ୍କ କୁମର ॥୩
;ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧାରୀ । ଶିଶୁକୁମାରୀ ରାବ କରି ॥୪
ଶୁଣି ପ୍ରହରୀ ବେଗେ ଗଲେ । କଂସ ଛାମୁରେ ଜଣାଇଲେ ॥୫
ଶୁଣି ଅସୁର ମହାବଳ । ବୋଲଇ ପୂରିଲା ମୋ' କାଳ ॥୬
ଶଯ୍ୟା ଉପେକ୍ଷି ବେଗେ ଉଠି । ଖଡ଼ଗ୍ କଲା ଦୃଢ଼ମୁଷ୍ଟି ॥୭
ଧାଇଁଲା ପବନହୁଁ ଖରେ । ବେଗେ ମିଳିଲା ବନ୍ଦୀଘରେ ॥୮
ପିନ୍ଧିଲା ବସ୍ତ୍ର ଅସମ୍ଭାଳ । ଫିଟିଲା ଦୃଢ଼ବନ୍ଧ ବାଳ ॥୯
କବାଟ ଫେଡ଼ାଇ ପଶିଲା । ଦେଖି ଦେବକୀ ଭୟ କଲା ॥୧୦
କଂସ କମ୍ପଇ କୋପଭରେ । ରତ୍ନମୁକୁଟ ଅଛି ଶିରେ ॥୧୧
ଦେଖିଣ କମ୍ପଇ ଦେବକୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥୧୨
ବୋଲଇ ଶୁଣ ନରନାଥ । ହୋଇଲା ଦୁହିତା ଏ ଜାତ ॥୧୩
ଏହାକୁ ସଂହାର ନ କର । ବଇରୀ ନୁହଁଇ ଏ ତୋ'ର ॥୧୪
ଯେବେ ତୁ କରିବୁ ସଂହାର । ପ୍ରାଣ ତେଜିବି ତୋ' ଉପର ॥୧୫
ଦୁହିତା ଦାନ ଦେଇ ରଖ । ନୋହିଲେ ହୋଇବି ନିରେଖ ॥୧୬
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥୧୭
ତୋର ପୁତ୍ରକୁ ଏହା ଦେବି । ଆନନ୍ଦେ ବିଭା କରାଇବି ॥୧୮
ବହୁତ ଦେଲୁ ଗର୍ଭକଷ୍ଟ । ପୋଡ଼ୁ ନିର୍ଲ୍ଲଜ ମୋର ପେଟ ॥୧୯
ଆଉ ବୟସ ମୋର କାହିଁ । ପାରିବି ପୁତ୍ର ଉପୁଜାଇ ॥୨୦
ଶୁଣି ଦାନବ ମହାବଳୀ । କୋପେ କମ୍ପଇ ପରଜ୍ଜ୍ୱଳି ॥୨୧
ଦେଖିଣ ଚକିତ ଦେବକୀ । ଭୟେ ବୁଜିଲା ବେନି ଆଖି ॥୨୨
କୋଳରେ ଲୁଚାଇ ଦୁହିତା । ଶରଣ ଗଲି ରଖ ଭ୍ରାତା ॥୨୩
କଂସ ବୋଲଇ ଶିର ଝୁଣି । ତୁ ଛାର ମୋହର ବହେଣୀ ॥୨୪
ବସୁଦେବର ଦୋଷ ନାହିଁ । ତୁ ମୋତେ ଅଛୁ ବାଟ ଚାହିଁ ॥୨୫
ମୋର ମରଣ ତୋ'ର ସୁଖ । ତେଣୁ ପାଉଛୁ ତୁହି ଦୁଃଖ ॥୨୬
ତୁ କାହିଁ ଜାଣୁ ହରିମାୟା । ଅସୁରେ ବଡ଼ ସେ ନିର୍ଦ୍ଦୟା ॥୨୭
ନାନା ରୂପରେ ହୋଇ ଜାତ । ଅସୁର କରଇ ନିପାତ ॥୨୮
ବଇଲୋଚନ ବୀର ଥିଲା । ଭାରିଯା ରୂପେଣ ମାଇଲା ॥୨୯
ସ୍ତିରୀ ମୂରତି ଧରି ଚଣ୍ତୀ । ଅନେକ ଦୈତ୍ୟ ଶିର ଖଣ୍ତି ॥୩୦
ମହିଷ ମାରି ଦୁର୍ଗା ହୋଇ । ତା'ମାୟା ନ ଜାଣୁ ଲୋ ତୁହି ॥୩୧
ରକତବୀର୍ଯ୍ୟ ଚଣ୍ତମୁଣ୍ତ । ଘୋଟନ୍ତି ମହୀ ନବଖଣ୍ତ ॥୩୨
ଦୁର୍ଗାର ହସ୍ତେ ପ୍ରାଣ ଦେଲେ । ଆବର ଯେତେ ଦୈତ୍ୟ ଥିଲେ ॥୩୩
ଛ ପୁତ୍ର ଦେଇ ମୁରୁଛିଲୁ । ଏବେ ତୁ ଦୁହିତା ଇଚ୍ଛିଲୁ ॥୩୪
ଦୁହିତା ଆଶ ଛାଡ଼ ଆଈ । ଏ ମୋର ବଇରୀ ଅଟଇ ॥୩୫
ଯାହା କହିଲେ ବିଶ୍ୱକେତୁ । ଅଷ୍ଟମ ଗର୍ଭ ମୋର ଶତ୍ରୁ ॥୩୬
ନାରଦ କହିଛନ୍ତି ମୋତେ । ମରିବି ତୋ'ର ପୁତ୍ର ହସ୍ତେ ॥୩୭
ଅଷ୍ଟମଗର୍ଭ ମୋ' ବଇରୀ । ଏହାକୁ ପକାଇବି ମାରି ॥୩୮
ଦେବକୀ ଦୁହିତା ସେନେହ । କଂସେ କରଇ ଗରୁ କୋହ ॥୩୯
ଚାହିଁଲା ଅଧର କାମୋଡ଼ି । କୋଳରୁ ଆଣିଲା ଉଛୁଡ଼ି ॥୪୦
ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ ॥୪୧
ଯେ ଦେବୀ ଜଗତସଂହାରେ । କାହାର ବଳ ତା'କୁ ମାରେ ॥୪୨
କଂସର ହସ୍ତରୁ ଉଛୁଳି । ଆକାଶେ ଯେସନେ ବିଜୁଳି ॥୪୩
ତେଜେ ଦଶଦିଗ ବିରାଜେ । ବେନିଚରଣ ଅଷ୍ଟଭୁଜେ ॥୪୪
କେ କହୁ ଦେବୀ ଆଭରଣ । ଅଙ୍ଗଦ ନୂପୁର କଙ୍କଣ ॥୪୫
ଗନ୍ଧଚନ୍ଦନ-ପୁଷ୍ପମାଳୀ । ତେତିଶ କୋଟି ଦେବେ ମିଳି ॥୪୬
ସ୍ତୁତି କରନ୍ତି ସୁର ମୁନି । କଂସକୁ ବୋଲନ୍ତି ଭବାନୀ ॥୪୭
ରେ କଂସ ଶୁଣ ମୋ' ଉତ୍ତର । ତୋର ବଇରୀ ଚକ୍ରଧର ॥୪୮
ସେ ତୋତେ କରିବେ ସଂହାର । ଆବର ଯେତେକ ଅସୁର ॥୪୯
ତୋହର ପାଇଁ ଦେହ ବହି । ଜାତ ହୋଇଲେ ଯହିଁ ତହିଁ ॥୫୦
ତୁ ମୋତେ ନ ଜାଣି କଚାଡୁ । ନିୟତ ପଥ କି କେ ହୁଡ଼ୁ ॥୫୧
ଦେବେ ଯେ ତୋହର ବଇରୀ । ତାହାଙ୍କ ବୋଲକୁ ତୁ ଡରି ॥୫୨
ଛ ପୁତ୍ର ମାଇଲୁ ଏହାର । ଧର୍ମକୁ ଛାଡ଼ିଲୁ ଅସୁର ॥୫୩
ଏବେ ମୁଁ କହୁଅଛି ତୋତେ । ହରିଙ୍କି ଭାବ ହୃଦଗତେ ॥୫୪
ସେ ବିଶ୍ୱମ୍ଭର ବିଶ୍ୱମୂର୍ତ୍ତି । ଭାବିଲେ ପାଇବୁ ମୁକତି ॥୫୫
ସେ ହରି ତୋହର ବଇରୀ । ତୋ'ର ମରଣେ ଅବତରି ॥୫୬
ସେ ଶୂନ୍ୟପୁରୁଷ ଗୋସାଇଁ । ତାହା ଭେଟିବୁ ଅବା କାହିଁ ॥୫୭
ଏବେ ତୁ ଶୁଣ କଂସ ବୀର । ଏ ତୋର ବହେଣୀ ସୋଦର ॥୫୮
ଏହାଙ୍କୁ ବନ୍ଦୀଘରୁ ଫେଡ଼ି । ବେନି ଚରଣତଳେ ପଡ଼ି ॥୫୯
ତୋଷିଣ ନିଅ ନିଜପୁର । ତୋ'ର ବଇରୀ ପିତାମ୍ବର ॥୬୦
କହି ଚଳିଲେ ନିଜସ୍ଥାନ । ଉଚ୍ଚାଟ କରି କଂସ ମନ ॥୬୧
ଯାହା କହିଲେ ଜଗନ୍ମାଥ । ଜଗତେ ହୋଇଲା ବିଖ୍ୟାତ ॥୬୨
ଦେବୀ ବଚନ କଂସ ଶୁଣି । ବିଚାର କଲା ମନେ ଗୁଣି ॥୬୩
ନ ଜାଣି ବିଧାତାର ଗତି । ସୋଦରେ କଲଇଁ ଅନୀତି ॥୬୪
ଅନେକ କଲଇଁ ମୁଁ ଦୋଷ । କେମନ୍ତେ ହୋଇବ ବିଶ୍ୱାସ ॥୬୫
କିସ କରିବି ବୋଲି ଭାଳି । ଚରଣୁଁ ଫେଡ଼ିଲା ଶାଙ୍କୋଳି ॥୬୬
ଚାହିଁଲା ଦେବକୀ ବଦନ । ବୋଲଇ ମଧୁର ବଚନ ॥୬୭
ଦେବକୀ ବସୁଦେବ ଶୁଣ । ତୁମ୍ଭରେ କଲି ଦ୍ରୋହପଣ ॥୬୮
ମୁହିଁ ତ ସ୍ୱଭାବେ ଅସୁର । ଭଣଜା ମାଇଲି ମୋହର ॥୬୯
ତୁମ୍ଭଙ୍କୁ ଦେଲି ପୁତ୍ରକଷ୍ଟ । ମୋହର ଧର୍ମ କଲି ନଷ୍ଟ ॥୭୦
ସଂସାରେ କଲି ଅପଯଶ । ନରକେ ହୋଇବି ପ୍ରବେଶ ॥୭୧
ଦେହ ବହିଲେ ନିଶ୍ଚେ ମରି । ସଂସାର ନୁହଁଇ କାହାରି ॥୭୨
ବୃକ୍ଷର ତଳେ ଯେହ୍ନେ ଆସି । ପଥୁକୀ ବିଶ୍ରାମନ୍ତି ବସି ॥୭୩
ପୁଣି ଚଳନ୍ତି ଶ୍ରମ ସାରି । ସେ ବୃକ୍ଷ ନୁହଁଇ କାହାରି ॥୭୪
ତେମନ୍ତ ମାୟା ଏ ସଂସାର । କେ ମାତା କେ ପିତା କୁମର ॥୭୫
ଅର୍ଜିଲା କର୍ମେ ଆତଯାତ । ମାୟାଭିଆଣ ତାତମାତ ॥୭୬
ବିଧି ବିଚାରେ ଯାହା କରି । ଭୁଞ୍ଜଇ ସେ ଫଳ ଆବୋରି ॥୭୭
ଦୋଷ କରିବା ମୋର କ୍ଷମା । ସ୍ୱଭାବେ ମୁହିଁ ଦୁରାତମା ॥୭୮
ଏମନ୍ତ ବୋଲି ଶୋକ କରି । ପାଦେ ପଡ଼ିଲା କରଯୋଡ଼ି ॥୭୯
ସହୃଦପଣ ଦେଖାଇଲା । ଅନେକ ଧନରତ୍ନ ଦେଲା ॥୮୦
ନିଜ ମନ୍ଦିରେ ଦେଲା ବାସ । ଅନେକ କରାଇ ବିଶ୍ୱାସ ॥୮୧
କଂସ ଭକତିଭାବ ଦେଖି । ସନ୍ତାପ ଛାଡ଼ିଲା ଦେବକୀ ॥୮୨
ସନ୍ତୋଷ ହୋଇ ବସୁଦେବ । ଦିନକୁ ଦିନ ବଡ଼ ଭାବ ॥୮୩
ଏମନ୍ତେ ରଜନୀ ପାହିଲା । କଂସ ସଭାରେ ବିଜେକଲା ॥୮୪
ଅସୁରଗଣଙ୍କୁ ବସାଇ । କହଇ ବିଶ୍ୱାସ କରାଇ ॥୮୫
ଶୂନ୍ୟେ ଚଣ୍ତିକା ଯାହା ଭଣି । ସବୁ କହିଲା ପରିମାଣି ॥୮୬
କଂସର ଦେଖିଣ କାତର । ଅସୁରେ ବୋଲନ୍ତି ଉତ୍ତର ॥୮୭
ଶୁଣ ହୋ ଭୋଜନୃପମଣି । ଯାହା କହିଲେ ନାରାୟଣୀ ॥୮୮
ତୋହର ଆଜ୍ଞା ଘେନି ଶିରେ । ବୁଲିବୁ ସକଳ ଦେଶରେ ॥୮୯
ଦିନକଠାରୁ ଯେତେ ବାଳ । ସବୁରି ପୂରାଇବୁ କାଳ ॥୯୦
ଯେତେ ବାଳକ ବସୁନ୍ଧରୀ । ସକଳ ପକାଇବୁ ମାରି ॥୯୧
ତୁ କିମ୍ବା ଡରୁ ଦେବଗଣେ । ସେବନ୍ତି ତୋହର ଚରଣେ ॥୯୨
ତୋ ତୁଲେ କେ କରୁ ସଂଗ୍ରାମ । ଦେବେ ନୁହଁନ୍ତି ସରିସମ ॥୯୩
ତୋହର ଶୁଣି ଧନୁଘୋଷେ । ପଳାନ୍ତି ସଂଗ୍ରାମୁଁ ତରାସେ ॥୯୪
ଜୀବନ ପାଇଁ ଛାଡ଼ି ରଣ । ବେଗେ ପଳାନ୍ତି ଦେବଗଣ ॥୯୫
କେ ପିନ୍ଧି ନ ପାରନ୍ତି ବାସ । କାହାର ଭୟେ ଫିଟେ କେଶ ॥୯୬
ନିସତେ ନ ପଳାନ୍ତି ଯେହୁ । ନ ମାରି ତାଙ୍କୁ ଦୟା ବହୁ ॥୯୭
ଜୀବନ ପାଇଁ ଯା'ର ଆଶ । ସେ ତୋ'ର କରିବେଟି କିସ ॥୯୮
ତହୁଁ ଅଧିକ ତିନି ଦେବ । ବ୍ରହ୍ମା ଶଙ୍କର ପଦ୍ମନାଭ ॥୯୯
ଆତ୍ମାର ସୁଖେ ସେ ରମନ୍ତି । ସେ କିମ୍ବା ତୋତେ ବାଦ ଚିନ୍ତି ॥୧୦୦
ଅଗାଧ କ୍ଷୀରସିନ୍ଧୁ ଜଳେ । ଶୟନ ଅନନ୍ତର କୋଳେ ॥୧୦୧
ପାଦେ ଖଟନ୍ତି ବେନି ନାରୀ । ସୁଖେ ଶୟନ ଦେବ ହରି ॥୧୦୨
ସେ କାହିଁ ତୋ'ର ତୁଲେ ରଣ । ମିଥ୍ୟା କହିଲେ ଦେବଗଣ ॥୧୦୩
ବ୍ରହ୍ମା ତ ଥାଇ ତା'ର ସୁଖେ । ଚିନ୍ତା କରଇ ତିନିଲୋକେ ॥୧୦୪
ତପହୁଁ ନଜାଣଇ ଆନ । ଚିନ୍ତଇ ପ୍ରଭୁ ଭଗବାନ ॥୧୦୫
କୃଷ୍ଣହୁଁ ନ ଜାଣଇ କିଛି । ସେ କିପାଁ ତୋତେ ବାଦ ଇଚ୍ଛି ॥୧୦୬
ଈଶ୍ୱର ରହେ ଭୂତମେଳେ । ଅମ୍ବିକା ଥାଇ ତା'ର କୋଳେ ॥୧୦୭
ସେ କିପାଁ ସମର କରିବ । ନିତ୍ୟେ ଉଦାସୀ ସଦାଶିବ ॥୧୦୮
ଇନ୍ଦ୍ର ତ ବଳେ ନୋହେ ସରି । ତୋତେ ତ ଦିଗପାଳେ ଡରି ॥୧୦୯
ତୋ'ର ବଇରୀ ଯେବେ ହରି । ସେ ଥାଇ ସର୍ବଘଟେ ପୂରି ॥୧୧୦
କେ ତା'କୁ ପାଇବ ତ୍ରିଲୋକେ । ଶୁଣ କହିବା କଉତୁକେ ॥୧୧୧
ଦେବତାମାନେ ତା'ର ମୂଳ । ଯେ ଧର୍ମ ଧରିଛି ଶୟଳ ॥୧୧୨
ଦେବେ ତାହାର ତହୁଁ ଜନ୍ମ । ବେଦରୁ ଯେହ୍ନେ ନିତ୍ୟକର୍ମ ॥୧୧୩
ଗୋରୁ ବ୍ରାହ୍ମଣ ଯଜ୍ଞଦାନ । ତୀର୍ଥ ଦକ୍ଷିଣା ତପ ଶ୍ରମ ॥୧୧୪
ତପ କରନ୍ତି ଯେତେ ଲୋକେ । ବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ ॥୧୧୫
ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ । ଦୟା କରନ୍ତି ଦୁଃଖୀଜନେ ॥୧୧୬
କରନ୍ତି ପର ଉପକାର । ଯମଲୋକକୁ ଯା'ର ଡ଼ର ॥୧୧୭
ଏହାଙ୍କ ଦେହେ ଥାଇ ହରି । ଏ ମଲେ ମରଇ ମୁରାରି ॥୧୧୮
ଏ ଆମ୍ଭ ଉଚିତ ବିଚାର । ଏମନ୍ତେ ଶତ୍ରୁଯିବ ମା'ର ॥୧୧୯
ଅଇରୀ ବାଳକାଳୁଁ ମାରି । ନ ମଲେ ଦିନୁ ଦିନ ବଢ଼ି ॥୧୨୦
ଦେହରେ ବ୍ୟାଧି ଜନ୍ମକାଳେ । ହେଳା ଯେ କରେ ସୁଖଭୋଳେ ॥୧୨୧
ସେ ଯେହ୍ନେ ନିରତେ ବଢ଼ଇ । ଶତ୍ରୁର ସ୍ୱଭାବଟି ଏହି ॥୧୨୨
ଆଜ୍ଞା ତୁ ଦିଅ ବେଗ କରି । ହରିଙ୍କି ପକାଇବୁ ମାରି ॥୧୨୩
ଭାଜିବୁ ପ୍ରସାଦ ଅଟ୍ଟାଳୀ । ଗୋରୁ ବ୍ରାହ୍ମଣ ଆଦି ମାରି ॥୧୨୪
ଯଜ୍ଞ ଭାଙ୍ଗିବୁ ମୁନିଙ୍କର । ଯେ ଧର୍ମନୀତିର ବେଭାର ॥୧୨୫
ଦ୍ୱାଦଶ ଦିବସ ବାଳକ । ଖୋଜି ମାରିବୁ ଲକ୍ଷ ଲକ୍ଷ ॥୧୨୬
ଧର୍ମ ବିଧ୍ୱଂସେ କର ଆଶ । ଦେବେ କରିବେ ଆନ କିସ ॥୧୨୭
ଏବେ ତୁ କର ସ୍ନାନ କର୍ମ । କୁଳର ଯେ ବିଧିବିଧାନ ॥୧୨୮
ଅସୁରବଳ ବୋଲ ଶୁଣି । କଂସ ଆନନ୍ଦମନେ ଗୁଣି ॥୧୨୯
ଅନେକ କଲା ପରଶଂସା । ହିତ ମଣିଲା ବିଷ୍ଣୁହିଂସା ॥୧୩୦
ଜଣ ଜଣକେ ଶାଢ଼ି ଦେଲା । ବଇରୀ ସଂହାର ବୋଇଲା ॥୧୩୧
ଅସୁରେ କଲାକ ବିଶ୍ୱାସ । ଅମୃତ ମଣିଲାକ ବିଷ ॥୧୩୨
କଂସ ଆଦେଶ ଘେନି ବେଗେ । ଅସୁରେ ଗଲେ ଦଶଦିଗେ ॥୧୩୩
ତକ୍ଷଣେ ହୋଇ କାମରୂପୀ । ପଶିଲେ ବନ ଗିରିବ୍ୟାପୀ ॥୧୩୪
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲେ ନାଶ ॥୧୩୫
ଦାନବବୁଦ୍ଧି ମୂଢ଼ପଣ । ସାଧୁଙ୍କୁ ଦିଅନ୍ତି କଷଣ ॥୧୩୬
କଂସ ବଇରୀ ଅଛି କାହିଁ । ନିତ୍ୟେ ଖୋଜନ୍ତି ଭାବଗ୍ରାହୀ ॥୧୩୭
ତାମସ ଗୁଣ ଆଚରିଲେ । ନିକଟେ ମରଣ ଲୋଡ଼ିଲେ ॥୧୩୮
ଆୟୁଷ ବଳ ଯଶ ଧର୍ମ । ଲୋକ ଆଶିଷ ଶୁଭକର୍ମ ॥୧୩୯
ଏ ଆଦି ସର୍ବନାଶ କରେ । ଯେ ହିଂସା କରିଥା'ନ୍ତି ପରେ ॥୧୪୦
ସୁଜନେ ଶୁଣ ହରିକଥା । ଫିଟିବ ଭବବନ୍ଧ ବ୍ୟଥା ॥୧୪୧
କୀଟରୁ ବ୍ରହ୍ମଲୋକ ଯାଏ । ହିଂସ୍ରକ ହରିଙ୍କି ନ ପାଏ ॥୧୪୨
ସେ ହରି ଦୁଃଖୀଙ୍କ ସୋଦର । ହିଂସା ନାଶିବେ ପ୍ରଭୁ ମୋ'ର ॥୧୪୩
କୃଷ୍ଣର ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୧୪୪
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚମୋଽଧ୍ୟାୟଂ ॥
</poem>
==='''ଷଷ୍ଠ ଅଧ୍ୟାୟ'''===
<poem>
ବ୍ୟାସକୁମର ମୁଖୁଁ ଶୁଣି । ଅମୃତ ଭାଗବତ ବାଣୀ ॥୧
ଆନନ୍ଦେ ପୁଲକିତ ହୋଇ । ମୁନିଚରଣେ ଶିର ଦେଇ ॥୨
ଉଠି ଯୋଡ଼ିଣ ବେନିକର । ରାଜନ ବୋଇଲ ଉତ୍ତର ॥୩
;ପରୀକ୍ଷିତ ଉବାଚ
ଭୋ ମୁନି ହୋଇଲି ପବିତ୍ର । ଶୁଣି ଚରିତ ଭାଗବତ ॥୪
କୃଷ୍ଣଙ୍କୁ ବସୁଦେବ ନେଇ । ଅଇଲା ନନ୍ଦଘରେ ଥୋଇ ॥୫
ତହିଁକି କଲେ ବନମାଳୀ । ଶୁଣିବି କୃଷ୍ଣ ବାଳକେଳି ॥୬
କହି ପବିତ୍ର ମୋତେ କର । ସେବଇଁ ଚରଣେ ତୁମ୍ଭର ॥୭
ଶୁଣି ସାନନ୍ଦ ମୁନିବର । ବୋଲନ୍ତି ଶୁଣ ଦଣ୍ତଧର ॥୮
;ଶୁକ ଉବାଚ
ନିଦ୍ରା ଜଗତ ମୋହିଥିଲା । ପାଲଟି ବସୁଦେବ ନେଲା ॥୯
ଦେବକୀ କୋଳରେ ରଖିଲା । କଂସର ହସ୍ତୁ ଶୂନ୍ୟେ ଗଲା ॥୧୦
ଏମନ୍ତେ ପାହିଲା ରଜନୀ । ଶୁଣ ତୁ ବୀର ଚୂଡ଼ାମଣି ॥୧୧
ଚେତି ଚାହିଁଲା ନନ୍ଦରାଣୀ । ଚିଆଇଁ ଉଠି ସୁଲକ୍ଷଣୀ ॥୧୨
ଦେଖିଲା ହୋଇଛି ତନୟେ । ନନ୍ଦକୁ କହିଲେ ଥୋକାଏ ॥୧୩
ଶୁଣି ମିଳିଲା ବେଗେ ନନ୍ଦ । ପୁତ୍ରକୁ ଦେଖିଣ ଆନନ୍ଦ ॥୧୪
ଯେତେ ଯଶୋଦା ପରିବାରୀ । ରାଇ ଆଣିଲେ ଗୋପନାରୀ ॥୧୫
ବ୍ରାହ୍ମଣେ ମିଳିଲେ ଗହଳ । ଶୁଣିଲେ ପୁତ୍ର ଜନ୍ମ ଗୋଳ ॥୧୬
ନନ୍ଦ ଦେଖିଣ ଦ୍ୱିଜଗଣ । ତକ୍ଷଣେ ପୂଜିଲା ଚରଣ ॥୧୭
ବେଗେ ସେ ହୋଇ ଶୁଚିବନ୍ତ । କାଞ୍ଚନ ଆଣିଲା ବହୁତ ॥୧୮
ବ୍ରାହ୍ମଣେ କଲେ ବେଦଧ୍ୱନି । ମଙ୍ଗଳ ଶୁଭଲଗ୍ନ ଘେନି ॥୧୯
କରାଇ ଜାତକର୍ମ ବିଧି । ଦେବତା ପିତୃଙ୍କୁ ଆରାଧି ॥୨୦
ବିପ୍ରଙ୍କୁ ଅନେକ ପୂଜିଲା । ବେନିନିୟୁତ ଧେନୁ ଦେଲା ॥୨୧
ମଣ୍ତିଣ ବସ୍ତ୍ର ଅଳଙ୍କାର । ଚନ୍ଦନ କୁସୁମ ଚାମର ॥୨୨
ତିଳପର୍ବତ ମାନ କରି । ଦେଲା କାଞ୍ଚନ ବସ୍ତ୍ର ଭରି ॥୨୩
ବିପ୍ରେ ପଢ଼ିଲେ ବେଦ ଚାରି । ରଙ୍ଗେ ନାଚନ୍ତି ଗୋପନାରୀ ॥୨୪
ସୂତ ମାଗଧ ବନ୍ଦୀ ମିଳି । ଗାବନ୍ତି ମଙ୍ଗଳ ଉଚ୍ଚାରି ॥୨୫
ବାଜଇ ବୀରତୂରୀ ଭେରୀ । ଆନନ୍ଦେ ମଙ୍ଗଳମହୁରୀ ॥୨୬
ନନ୍ଦର ଘରେ ପୁତ୍ରଜାତ । ଚହଳ ଶୁଭେ ଅପ୍ରମିତ ॥୨୭
ଗୋପନଗରେ ଯେତେ ଲୋକେ । ଚିଆଇଁ ଧାଇଁଛନ୍ତି ଥୋକେ ॥୨୮
ସୁଖେଣ ପାହିଲା ରଜନୀ । ବାହାର ହୋଇଲେ କାମିନୀ ॥୨୯
ଅଗଣା ଖରକି ପହଁରା । ଚନ୍ଦନ ଗୋଳି ଦ୍ୟନ୍ତି ଛେରା ॥୩୦
ଦୁଆରେ ସୁବର୍ଣ୍ଣ କଳସେ । ତୋରଣା ଲମ୍ବାନ୍ତି ହରଷେ ॥୩୧
ଗୋରୁଙ୍କୁ ମଣ୍ତନ୍ତି ଗୋପାଳେ । ବସ୍ତ୍ର ଭୂଷଣ ଫୁଲମାନେ ॥୩୨
ବୃଷଭ ସୁରଭି ବାଛୁରୀ । ହଳଦୀ ତେଲ ତାଙ୍କୁ ବୋଳି ॥୩୩
ଗଉଡ଼େ ଶୁଚିବନ୍ତ ହୋଇ । ଯେ ଯାହା ଅଳଙ୍କାର ନେଇ ॥୩୪
ହାର କଙ୍କଣ କର୍ଣ୍ଣଫୁଲ । ବାଜେଣୀ ନୂପୁର ଅମୂଲ୍ୟ ॥୩୫
ଏମନ୍ତେ ପିନ୍ଧି ଅଳଙ୍କାର । ହସ୍ତେ ଘେନିଲେ ଦୁର୍ବାଙ୍କୁର ॥୩୬
ଏକ ଆରକେ ଆଗ ହୋଇ । ମିଳିଲେ ନନ୍ଦଘରେ ଯାଇ ॥୩୭
ଗୋପୀଏ ନିତ୍ୟକର୍ମ ସାରି । ଦେହରେ ଅଳଙ୍କାର ଭରି ॥୩୮
ପିନ୍ଧିଲେ ନାନା ବସ୍ତ୍ରମାନ । ଆନନ୍ଦେ ମନ ଛନ୍ନ ଛନ୍ନ ॥୩୯
ହସ୍ତରେ ଘେନି ଅର୍ଘ୍ୟଥାଳୀ । ରଙ୍ଗେ ଚଳିଲେ ଗୋପବାଳୀ ॥୪୦
ଏକ ଆରକେ ଯା'ନ୍ତି ଜିଣି । ଚରଣେ ନୂପୁର ବାଜେଣୀ ॥୪୧
କେହି ଲେଉଟି ନ ଚାହାଁନ୍ତି । ଆକାଶେ ଯେହ୍ନେ ହଂସପନ୍ତି ॥୪୨
ଚଳନ୍ତି ଶ୍ରବଣେ କୁଣ୍ତଳ । ନିତମ୍ବ କୁଚ ହେମମାଳ ॥୪୩
ଆକାଶେ ଦେବେ ଛନ୍ତି ଚାହିଁ । ଗୋପୀ ଚଳନ୍ତି ଗୀତଗାଇ ॥୪୪
ଯା'ନ୍ତେ ବିରାଜେ ମହୀସ୍ଥଳୀ । କ୍ଷଣ କ୍ଷଣକେ ହୁଳହୁଳି ॥୪୫
କବରୀ ଫିଟି ଫୁଲମାଳ । ଯା'ନ୍ତେ ପଡ଼ଇ ମହୀତଳ ॥୪୬
କୃଷ୍ଣଙ୍କୁ ଯାଉଛନ୍ତି ଦେଖି । ଆନନ୍ଦ କେ ପାରିବ ଲେଖି ॥୪୭
ଦିଶଇ ନନ୍ଦ ନିଜ ବାସ । କି ଜିଣି ତପନ ତରାସ ॥୪୮
ଆକାଶ ମଣ୍ତଣି ପରାୟେ । ତେଜେ ସକଳ ଶୋଭାପାଏ ॥୪୯
କି ଜିଣି ନବଗ୍ରହ ଜ୍ୟୋତି । ତ୍ରିବିଧ ରତ୍ନ ଝଟକନ୍ତି ॥୫୦
ଶ୍ୱେତ ସୁରଙ୍ଗ ପୀତବାସ । ବିବିଧ ଚାରୁବର୍ଣ୍ଣେ ବସ୍ତ୍ର ॥୫୧
ଯହିଁ ଗୋବିନ୍ଦ ଦେହ ଧରି । କେ ତାହା ବର୍ଣ୍ଣିବ ବିଚାରି ॥୫୨
ନନ୍ଦର ମନ୍ଦିରେ ମିଳିଲେ । ମଙ୍ଗଳ-ଗୀତ-ନାଦ କଲେ ॥୫୩
ଅନ୍ତୁଡ଼ିଶାଳେ ଯାଇ ମିଳି । ହାସ୍ୟେ କେ କରନ୍ତି ଢ଼ମାଳି ॥୫୪
ଯଶୋଦା କୋଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି ॥୫୫
ଅକ୍ଷତ କୃଷ୍ଣ ଶିରେ ଦ୍ୟନ୍ତି । ଆନନ୍ଦେ କଲ୍ୟାଣ କରନ୍ତି ॥୫୬
ବୋଲନ୍ତି ଯଶୋଦାଙ୍କୁ ଚାହିଁ । ଧନ୍ୟ ଜୀବନ ତୋର ଆଈ ॥୫୭
ଆମ୍ଭ ଆୟୁଷ ଘେନି କରି । ତୋ ପୁତ୍ର ବର୍ତ୍ତୁ ଯୁଗ ଚାରି ॥୫୮
ଏ ଆମ୍ଭ ଗୋକୁଳ ରଖିବ । ଏହାକୁ ରଖୁ ସଦାଶିବ ॥୫୯
ହଳଦୀ ତେଲ ଘେନି ଥୋକେ । ବୋଲନ୍ତି ଏକକୁ ଆରକେ ॥୬୦
ଖେମଟା ନାଦେ କରତାଳି । ଆନନ୍ଦେ ନାଚନ୍ତି ଗୁଆଳୀ ॥୬୧
କରେ ବଜାନ୍ତି କରତାଳି । ଢଗଢ଼ମାଳି ରଙ୍ଗକେଳି ॥୬୨
ବିଜୟ ପରମ ମଙ୍ଗଳ । ଆନନ୍ଦମାନଙ୍କର ମୂଳ ॥୬୩
ଗୋପାଳେ ଏକକୁ ଆରକେ । ସିଞ୍ଚନ୍ତି ଦୁଧଦଧି ଥୋକେ ॥୬୪
ଲବଣି ଘେନି ମରାମରି । ନାଚନ୍ତି ଏକୁ ଆରେ ଧରି ॥୬୫
ଆନନ୍ଦ ହୋଇ ନନ୍ଦରାୟେ । ଭଣ୍ତାରେ ଫେଇଲେ ଥୋକାଏ ॥୬୬
ଅନେକ ଗୋରୁ ବସ୍ତ୍ର ଧନ । ତୋଷିଲେ ଜଣେ ଜଣେ ମନ ॥୬୭
ରୋହିଣୀ ନିକଟେ ମିଳିଲେ । ଅନେକ ଧନରତ୍ନ ଦେଲେ ॥୬୮
ଗୋପୀଙ୍କି କରାଇ ହରଷ । ଭୋଜନ ଦେଲେ ଷଡ଼ରସ ॥୬୯
ଶ୍ରୀକୃଷ୍ଣ ଜନ୍ମ ମନେ ଗୁଣି । ଗୋପେ ବିଜୟ କମଳିନୀ ॥୭୦
କେ କହୁ ଗୋପର ସମ୍ପଦ । ଯହିଁ ବିଜୟ ଆଦିକନ୍ଦ ॥୭୧
ଶୁଣ ହେ କୁରୁ ନୃପମଣି । ଜନ୍ମ ଉତ୍ସବ ଅନ୍ତେ ପୁଣି ॥୭୨
କଂସର ଆଡ଼ତିଆ ଥିଲା । ନନ୍ଦକୁ କ୍ଷଣେ ନଛାଡ଼ିଲା ॥୭୩
ଦଇବେ ଆକଟ ଅପାର । ନେବ ସେ ବରଷକ କର ॥୭୪
ଗୋପାଳମାନଙ୍କୁ ବସାଇ । ନନ୍ଦ ବୋଲଇ ଶୋକ ବହି ॥୭୫
କଂସ ଆକଟ ମୋତେ କରି । ମୁଁ ଆଜି ଯିବି ମଧୁପୁରୀ ॥୭୬
ପୁତ୍ରର ଚିନ୍ତା ତୁମ୍ଭେ କର । କହି ଚଳିଲା ଗୋପବୀର ॥୭୭
କଂସର ଛାମୁରେ ମିଳିଲା । ସୁନିଆଁ ଧନ ଗଣିଦେଲା ॥୭୮
ଆନନ୍ଦ ହୋଇ ଦଣ୍ତଧାରୀ । ଦେଲା ସେ ଅଳଙ୍କାର ଭରି ॥୭୯
ମେଲାଣି ପାଇ ତତ୍କ୍ଷଣ । କିଣିଲା ନାନା ଦ୍ରବ୍ୟମାନ ॥୮୦
ଗୋପନବରେ ଯେତେ ଲୋଡ଼ା । ତାଳ ଜମ୍ବିଳ ଆମ୍ବସଢ଼ା ॥୮୧
ଶକଟେ ଭରି ମନ ତୋଷେ । ଏମନ୍ତେ ଦିନ ଅବଶେଷେ ॥୮୨
ସାରିଲା ରନ୍ଧନ ଭୋଜନ । ନିରତେ ପୁତ୍ର ତହିଁ ମନ ॥୮୩
ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା ॥୮୪
ନନ୍ଦର ଆଗମନ ଶୁଣି । ବସୁଦେବ ତା ମନେ ଗୁଣି ॥୮୫
ସ୍ୱଭାବେ ନନ୍ଦ ମିତ୍ର ମୋର । ତା'ଘରେ ବେନି ମୋ କୁମର ॥୮୬
ତା'ର କୁଶଳେ ମୋର ଇଷ୍ଟ । ନ ପୁଣ ଜାଣେ କଂସ ଦୁଷ୍ଟ ॥୮୭
ଏମନ୍ତ ମନେ ବିଚାରିଲା । ନନ୍ଦର ନିକଟେ ମିଳିଲା ॥୮୮
ମିତ୍ର ଆଗମ ନନ୍ଦ ଦେଖି । ଉଠିଲା ଆସନ ଉପେକ୍ଷି ॥୮୯
ଆନନ୍ଦେ ହୋଇ କୋଳାକୋଳ । ବସିଲେ ଯାଇ ଏକମେଳ ॥୯୦
ପୂର୍ବର କଥାମାନ କହି । ଏକ ଆରକେ ଭାବବହି ॥୯୧
ବୋଲନ୍ତି ବସୁଦେବ ହସି । ନନ୍ଦ କୁଶଳ ପରଶଂସି ॥୯୨
ବୃଦ୍ଧ ବୟସେ ତୋ'ର ସୁତ । ଶୁଣି ହୋଇଲି କୃତକୃତ୍ୟ ॥୯୩
ମନୁଷ୍ୟ ଜନ୍ମର ଏ ସାର । ବୋଲନ୍ତି ସଂସାର ବେଭାର ॥୯୪
ଦାରା ତନୟ ବନ୍ଧୁଗଣ । ଧନସମ୍ପଦ ଏ କାରଣ ॥୯୫
ଏତେ ନ ଥିଲେ ଦୁଃଖ ପାଇ । ଉଭୟଲୋକେ ସୁଖ ନାହିଁ ॥୯୬
ଏ ପୁଣି ନୁହଁଇନା ସତ୍ୟ । ଦର୍ପଣେ ପ୍ରତିମା ଯେମନ୍ତ ॥୯୭
ଚିତ୍ର ପ୍ରତିମା ପ୍ରାୟେ ଠୁଳ । ଯେମନ୍ତେ ସମୁଦ୍ର ଉଲ୍ଲୋଳ ॥୯୮
ଭଲେ ଅଛନ୍ତି ନା ଗୋ-କୁଳ । ତୃଣ ବୀରୁଧ କନ୍ଦମୂଳ ॥୯୯
ଗୋପୀଏ ଅଛନ୍ତି ନା ଭଲେ । ରୋହିଣୀ ଯଶୋଦାର ତୁଲେ ॥୧୦୦
ମୋହର ରୋହିଣୀର ସୁତ । ତୁମ୍ଭେ ତାହାର ତାତମାତ ॥୧୦୧
ପିତା ବିଚ୍ଛେଦେ ଅରକ୍ଷିତ । ତୁମ୍ଭର ପାଳିବା ଉଚିତ ॥୧୦୨
ମୁଁ କି କରିବି ଉପକାର । ଏତେ ଅନ୍ତରେ ଗୃହ ମୋର ॥୧୦୩
ଜୀବନ୍ତେ ଏକୁ ଆର ସଖା । ମରଣେ ପରଲୋକେ ଦେଖା ॥୧୦୪
ଏମନ୍ତ ମିତ୍ରର ସ୍ୱଭାବ । ଆନନ୍ଦେ କହେ ବସୁଦେବ ॥୧୦୫
ନନ୍ଦ ଯେ ବସୁଦେବ ଚାହିଁ । ବୋଲଇ ଶୋକଭର ହୋଇ ॥୧୦୬
ଭୋ ମିତ୍ର ବଡ଼ାଇ ବିକଳ । ନୟନୁ ବହେ ଅଶ୍ରୁଜଳ ॥୧୦୭
ଦେବକୀ କଲା କେତେ ପାପ । ଅଳପ ଦିନେ ବହୁତାପ ॥୧୦୮
ପ୍ରସବେ ବରଷେ ବରଷ । ଛ ପୁତ୍ର କଂସ କଲା ନାଶ ॥୧୦୯
ଏବେ ଦୁହିତାଏ ହୋଇଲା । ତାହା ମାରିବ ବୋଲି ଗଲା ॥୧୧୦
ଦେବକୀ ତା'ର ଧରି କର । ବୋଲଇ ଏହାକୁ ନ ମାର ॥୧୧୧
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥୧୧୨
ଦେବକୀ ବୋଲ ସେ ନ କଲା । କୋଳରୁ ଛଡ଼ାଇ ଆଣିଲା ॥୧୧୩
ଚରଣ ଧରି କଚାଡ଼ନ୍ତେ । ହସ୍ତରୁ ଗଲା ସେ ତୁରିତେ ॥୧୧୪
କଂସର ମୃତ୍ୟୁ ସେ କହିଲା । ଶୂନ୍ୟମାର୍ଗରେ ଚଳିଗଲା ॥ ।୧୧୫
ଏ କଥା କର୍ମର ଆୟତ୍ତ । ଜଗତ କର୍ମେ ଆତଯାତ ॥୧୧୬
ଏହା ଜାଣନ୍ତି ଜ୍ଞାନୀଲୋକ । ତେଣୁ ନ ଲାଗେ ଦୁଃଖସୁଖ ॥୧୧୭
ବୋଲଇ ବସୁଦେବ ଶୋକେ । ଯାହା ଅର୍ଜିଲି ପୂର୍ବଲୋକେ ॥୧୧୮
ସେ କଥା କର୍ମଟି ମୋହର । ଭୋ ମିତ୍ର ବେଗେ ଯାଅ ଘର ॥୧୧୯
କଂସ ଆଦେଶ ଘେନି ଶିରେ । ଜଗତେ ବୁଲନ୍ତି ଅସୁରେ ॥୧୨୦
ମାରିବେ ଯେତେ ବାଳପୁଅ । ଭୋ ମିତ୍ର ଦଣ୍ତେ ହେଁ ନ ରହ ॥୧୨୧
କହି ଚଳିଲେ ବସୁଦେବ । ନନ୍ଦର ମନ ଉଦ୍ବେଗ ॥୧୨୨
ଶୁଣିଣ ମିତ୍ରର ବଚନ । ନନ୍ଦର ମନ ଛନ୍ନ ଛନ୍ନ ॥୧୨୩
ଶକଟେ ନାନା ଦ୍ରବ୍ୟ ଭରି । ଭୟେ ସୁମରେ ନରହରି ॥୧୨୪
ବଜାଇ ଶଙ୍ଖ ଭେରୀ ତୁର । ନଗରୁ ହୋଇଲା ବାହାର ॥୧୨୫
କୃଷ୍ଣ ଆଦେଶ ଶିରେ ଘେନି । କହନ୍ତି ଶୁକ ମହାମୁନି ॥୧୨୬
ସୁଜନେ ଶୁଣ କୃଷ୍ଣଲୀଳା । ଏ ଭଗସାଗରକୁ ଭେଳା ॥୧୨୭
ଏ ନାବେ ବସ ଭ୍ରାନ୍ତି ଛାଡ଼ି । ନ ମର ଭବଜଳେ ବୁଡ଼ି ॥୧୨୮
ପତ୍ନୀ ତନୟ ଗୃହବାସ । ଏଣେ ନ କରିବ ବିଶ୍ୱାସ ॥୧୨୯
ସମ୍ପଦ ସ୍ୱପ୍ନ ପ୍ରାୟ ଦୃଶ୍ୟ । ତେଣେ ନ କର ତୁମ୍ଭେ ଆଶ ॥୧୩୦
ନିରତେ ଚିନ୍ତ ନରହରି । ନ ମର ଶୂନ୍ୟେ କୋଳକରି ॥୧୩୧
ଗୋବିନ୍ଦ ନାମେ ଜ୍ଞାନରସ । କହଇ ଜଗନ୍ନାଥ ଦାସ ॥୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।
</poem>
==='''ସପ୍ତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । ନନ୍ଦ ଚଳିଲେ ବେଗେ ବେଗେ ॥୧
ବସୁଦେବର ବୋଲ ଶୁଣି । ମନେ ଚିନ୍ତଇ ଚକ୍ରପାଣି ॥୨
କଂସର ଆଦେଶେ ଅସୁରୀ । ପୂତନା ଚଉଦିଗେ ଫେରି ॥୩
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲା ନାଶ ॥୪
ସ୍ତନଯୁଗଳେ ବିଷ ଭରି । ପିଆଇ ବାଳକ ସଂହାରି ॥୫
ଯହିଁ ବିଜୟ ଆଦିମୂଳ । ଆନନ୍ଦ ପରମ ମଙ୍ଗଳ ॥୬
କି କରି ପାରିବ ଅସୁରୀ । ଯାହାର ନାମେ ଯମ ଡ଼ରି ॥୭
ପୂତନା ବୁଲି ଚଉଦିଗେ । ମିଳିଲା ବୃନ୍ଦାବନ ଲାଗେ ॥୮
ରଜନୀ ହୋଇଲା ପ୍ରଭାତ । ଜାଣିଲେ ପ୍ରଭୁ ଜଗନ୍ନାଥ ॥୯
ଅନନ୍ତ ବିଚାରିଲେ ଚିତ୍ତେ । ପୂତନା ଅଇଲା ଗୁପତେ ॥୧୦
ଅନେକ ଶିଶୁ ଏ ମାଇଲା । ମୋହର ନୁହଁଇ ସହିଲା ॥୧୧
ଦୁଷ୍ଟ ମାରଣେ ମୋର ଜନ୍ମ । ଅସୁରୀ କଲା ଏଡ଼େ କର୍ମ ॥୧୨
ଏମନ୍ତ କୃଷ୍ଣ ବିଚାରିଲେ । ପୂତନା ମନ ଆକର୍ଷିଲେ ॥୧୩
ରାକ୍ଷସୀ ବିଚାରଇ ବସି । ଏହି ନଗରେ ଯିବି ପଶି ॥୧୪
ଆକାଶେ ଉଦେ ଦିନକର । ଅସୁରୀ ମାୟାର ଭଣ୍ତାର ॥୧୫
ମାୟାମୋହିନୀ ରୂପ ଧରି । ତିନିଭୁବନେ ନାହିଁ ସରି ॥୧୬
କି ତାକୁ ପଟାନ୍ତର ଦେବା । ଦେଖି ଢଳିବେ ସୁରଦେବା ॥୧୭
କବରୀଭାରେ ଫୁଲମାଳ । ସୁନ୍ଦର ଅଳକା କପୋଳ ॥୧୮
ପୃଥୁ ନିତମ୍ବ କୁଚ ଭାର । ସିଂହକଟୀକୁ ପଟାନ୍ତର ॥୧୯
ଝୀନ ପତନୀ ରଙ୍ଗବାସ । କଟୀମେଖଳା ରବିତ୍ରାସ ॥୨୦
କର୍ଣ୍ଣେ ଶୋଭିତ ରତ୍ନକାପ । ଶିରେ ସୀମନ୍ତ ଦିବ୍ୟରୂପ ॥୨୧
ଅଳପ କହଇ ବଚନ । ଅଣ୍ତିର କୋକିଳ ଯେସନ ॥୨୨
ହରିଲା ଗୋପୀଙ୍କର ମନ । ବାଳ ତରୁଣ ବୃଦ୍ଧଜନ ॥୨୩
ପଦ୍ମ ଗୋଟିଏ ଘେନି କରେ । ଅସୁରୀ ଚାଲଇ ସଧୀରେ ॥୨୪
କୁଟୀଳ ଅଳକା କପୋଳେ । ବାମ ଅଙ୍ଗୁଳି ଅଗ୍ରେ ତୋଳେ ॥୨୫
ପୂତନା ରୂପ ଗୋପୀ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥୨୬
ଗୋଡ଼ାଇ ବୋଲନ୍ତି ଯୁବତୀ । କିଏ ତେଜିଲା ବାରସ୍ୱତୀ ॥୨୭
ଏମନ୍ତ ଦେଖିଲା ତ ନାହିଁ । କେ ବୋଲେ ଅମ୍ବିକାଟି ଏହି ॥୨୮
କେବୋଲେ ଶୁଣ ମୋ ଉତ୍ତର । କୃଷ୍ଣ ଜନ୍ମିଲେ ନନ୍ଦଘର ॥୨୯
କମଳା ଆସିଛନ୍ତି ଦେଖି । ଜଳଧି ଶୟନ ଉପେକ୍ଷି ॥୩୦
କେ ବୋଲେ ଅଟଇ ଏମନ୍ତ । ପୁରାଣେ ଶୁଣିଛୁ ତଦନ୍ତ ॥୩୧
ଏମନ୍ତେ ଜାଣି ନ ପାରିଲେ । ସକଳେ ପଛେ ଗୋଡ଼ାଇଲେ ॥୩୨
ବୋଲନ୍ତି ପୂତନାକୁ ଚାହିଁ । କାହୁଁ ଅଇଲୁ ମହାମାୟି ॥୩୩
ପୂତନା ବୋଲଇ ମଧୁରେ । ବାଳକ ଅଛି କାହାଘରେ ॥୩୪
ମୋର ତନୟ ଏବେ ମଲା । ସ୍ତନ ମୋ ନୋହଇ ସହିଲା ॥୩୫
କାହାର ପୁତ୍ର ଅଛି ମାଏ । ସ୍ତନ୍ୟ ପିଆଇବି ଥୋକାଏ ॥୩୬
ଏମନ୍ତେ କହିଣ ଉତ୍ତର । ଅସୁରୀ ଚାଲେ ଧୀର ଧୀର ॥୩୭
ମିଳିଲା ଯାଇ ନନ୍ଦ ଦ୍ୱାର । ଦ୍ୱାରୀକି ବୋଲଇ ଉତ୍ତର ॥୩୮
ଗୋପୀଏ ଗଲେ ଆଗସରି । ଭିତରେ ପଶିଲା ଅସୁରୀ ॥୩୯
ଯଶୋଦା ଦେଖିଣ ଚକିତ । କାହୁଁ ଅଇଲା ଅଦଭୁତ ॥୪୦
କି ଅବା ତ୍ରିପୁର ସୁନ୍ଦରୀ । ରୂପେ ତ ନାହିଁ ସମସରି ॥୪୧
ପୂତନା ପାଶେଣ ମିଳିଲା । ମଧୁର ବଚନ କହିଲା ॥୪୨
କାହୁଁ ଅଇଲୁ ମହାତ୍ମାଣୀ । କି ଅବା ହରିର ଘରଣୀ ॥୪୩
କିମ୍ବା ମୋ ପୁରକୁ ଅଇଲୁ । ଏ ମୋର ମନକୁ ମୋହିଲୁ ॥୪୪
କିସ କରିବୁଁ ମୋତେ କହ । ଦେଖି ମୋ ରହୁନାହିଁ ଦେହ ॥୪୫
ପୂତନା ବୋଲଇ ଉତ୍ତର । ଶୁଣ କାମିନୀ ଭାଷା ମୋର ॥୪୬
ମୁଁ ହାଦେ ଦଇବଙ୍କ ନାରୀ । ଜାଣଇ ଭେଦ ମନ୍ତ୍ର କରି ॥୪୭
ମୋହର କ୍ଷୀର କଲେ ପାନ । ପୁତ୍ର ହୋଇବେ ବଳବାନ ॥୪୮
ଯଶୋଦା ହୋଇଲେ ଉଷତ । ପୁତ୍ରେ ମୋ'ହେବେ ବଳବନ୍ତ ॥୪୯
ଏ ଯେବେ ମୋର ଘରେ ଥାଇ । ନିରତେ ପୁତ୍ରେ କ୍ଷୀର ଦେଇ ॥୫୦
ବେନିକୁଚକୁ ବେନି ସୁତ । ପିଇଣ ହେବେ ବଳବନ୍ତ ॥୫୧
ସ୍ୱାମୀର ଛାମୁରେ କହିବି । ବହୁତ ଧନବସ୍ତ୍ର ଦେବି ॥୫୨
ଯଶୋଧା ଏମନ୍ତ ବିଚାର । ଘରକୁ ଆଣିଲା ଅସୁରୀ ॥୫୩
ଏମନ୍ତେ ଶୁଣ କଥା ରସ । ପୁତନା ଚାହେଁ ପୀତବାସ ॥୫୪
ବାଳକ ସ୍ୱଭାବେ ଅନନ୍ତ । ନିଦ୍ରାରେ ଦିଶନ୍ତି ଅଚେତ ॥୫୫
ଯଶୋଦା ମନେ ବିଚାରଇ । ନିଦ୍ରାର ବେଳେ ଦେବି ମୁହିଁ ॥୫୬
ଏମନ୍ତ ବୋଲିଣ ବୋଇଲେ । କୃଷ୍ଣକୁ ତୋଳିଣ ଧଇଲେ ॥୫୭
ଯଶୋଦା ଘେନି ବନମାଳୀ । ପୂତନା କୋଳେ ଦେଲେତୋଳି ॥୫୮
ତା' ଦେଖି ପୂତନା ହରଷେ । କ୍ଷୀର ସେ ଦେଲା ପୀତବାସେ ॥୫୯
କୃଷ୍ଣର ନଜାଣଇ ବଳ । ଆକର୍ଷି ନେଇ କଲା କୋଳ ॥୬୦
କୃଷ୍ଣର ମୁଖେ ଦେଲା ସ୍ତନ । ଗାଢ଼େ ଶୋଷିଲେ ଭଗବାନ ॥୬୧
ପଞ୍ଚ-ପରାଣ କ୍ଷୀର ସଙ୍ଗେ । ପଶିଲା ଗୋବିନ୍ଦର ଅଙ୍ଗେ ॥୬୨
ଜୀବ ଛାଡ଼ିଲା ଗଣ୍ଠିଛନ୍ଦ । ଅସୁରୀ କଲା ଘୋରନାଦ ॥୬୩
ନିଜ ଶରୀର ପ୍ରକାଶିଲା । ଛାଡ଼ ଛାଡ଼ ବୋଲି ଡ଼ାକିଲା ॥୬୪
ଶବଦେ କମ୍ପିଲା ବ୍ରହ୍ମାଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତ ॥୬୫
କର-ଚରଣ ପ୍ରସାରିଲା । ଦେଢ଼ ଯୋଜନ ଆବୋରିଲା ॥୬୬
ବୃକ୍ଷ ମନ୍ଦିର ଗୋରୁ ଘର । ଭାଜି ହୋଇଲେ ଶତେଚୂର ॥୬୭
ଶୁକ କହନ୍ତି ଶୁଣ ରାୟେ । କେ କହୁ ଅସୁରୀର କାୟେ ॥୬୮
ଲଙ୍ଗଳ ଈଶ ପ୍ରାୟ ଦନ୍ତ । ନାସିକା ପର୍ବତର ଅନ୍ତ ॥୬୯
ଖଣ୍ତପର୍ବତ ସ୍ତନ ବେନି । ଖାଙ୍କର କେଶ ତା' ମୂର୍ଦ୍ଧନି ॥୭୦
ପିଙ୍ଗଳ ଚକ୍ଷୁର ସ୍ୱରୂପ । ଯେହ୍ନେ ଖୋଦିତ ଅନ୍ଧକୂପ ॥୭୧
ନଦୀର ତଟ ପ୍ରାୟ ଜଙ୍ଘ । ଭୁଜ ଦିଶଇ ସେତୁବନ୍ଧ ॥୭୨
ଶୁଖିଲା ହ୍ରଦ ତା' ଉଦର । ଦେଖି କମ୍ପିଲେ ସୁରନର ॥୭୩
ଗୋପରେ ପଡ଼ିଲାକି ହୁରି । ଭୟେ ପଳାନ୍ତି ନରନାରୀ ॥୭୪
ପଡ଼ି ଭାଜିଲା କାହା ମୁଣ୍ତ । କାହାର ଦେହ ଖଣ୍ତ ଖଣ୍ତ ॥୭୫
ଦେଖି ଚକିତ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି ॥୭୬
କ୍ଷଣକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ ॥୭୭
ଗୋପୀଙ୍କି ବୋଲଇ ଉତ୍ତର । କେ ଘେନିଅଛ ମୋ' କୁମର ॥୭୮
ଆଣ ମୋହର କୋଳେ ଦିଅ । ପୁତ୍ର ନ ଦେଖି କମ୍ପେ ଦେହ ॥୭୯
ବହନ ଆଣ ପୁତ୍ର ଯାଇ । ମରିବି ତା ମୁଖ ନ ଚାହିଁ ॥୮୦
ଦେଖିଣ ଯଶୋଦା ବିକଳ । ଗୋପୀ ଧାମନ୍ତି ଅନ୍ତରାଳ ॥୮୧
ଭୟେ ଖୋଜନ୍ତି ଘରଦ୍ୱାର । ଦେଖିଲେ ପୂତନା ଉପର ॥୮୨
ବେନି ପର୍ବତ ମଧ୍ୟେ ରହି । ଯେସନେ ଶଶାଙ୍କ ଦିଶଇ ॥୮୩
ପୂତନା ସ୍ତନ ମଧ୍ୟେ ହରି । ଗୋପୀଏ ଯାଇ କୋଳକରି ॥୮୪
ପୁତ୍ରକୁ ଦେଖିଣ ବିସ୍ମୟେ । ଆନନ୍ଦ ହୋଇଲେ ଥୋକାଏ ॥୮୫
ନୟନେ ପୁତ୍ରକୁ ଦେଖିଣ । ଆନନ୍ଦ ଯଶୋଦାର ମନ ॥୮୬
କୋଳେ ଧରିଣ ଚୁମ୍ବ ଦେଇ । ନିଜ ମନ୍ଦିରେ ମିଳେ ଯାଇ ॥୮୭
ରୋହିଣୀ ଦେଖିଣ ଉଷତ । ଲୋକେ ହୋଇଲେ କୃତକୃତ୍ୟ ॥୮୮
ଗୋପି ମିଳିଲେ ବେଗେ ଯାଇ । ବୋଲନ୍ତି ଯଶୋଦାକୁ ଚାହିଁ ॥୮୯
ଆପଦୁଁ ତରିଲା କୁମର । ତୁ ଏବେ ରିଷ୍ଟ ଶାନ୍ତି କର ॥୯୦
ଶୁଣି ସାନନ୍ଦ ନନ୍ଦରାଣୀ । ପୁତ୍ରକୁ ଘେନିଲା ରୋହିଣୀ ॥୯୧
ବେଢ଼ି ବସିଲେ ଗୋପନାରୀ । ଯେତେ ଯଶୋଦା ପରିବାରୀ ॥୯୨
ବତ୍ସା ଗୋଟିଏ ଆଣିକରି । ତା' ଲାଞ୍ଜେ ପୁତ୍ର ଦେହ ଝାଡ଼ି ॥୯୩
ଗୋ ମୂତ୍ରେ କରାଇ ସ୍ନାହାନ । ଗୋରଜ କରନ୍ତି ଲେପନ ॥୯୪
ଗୋମୟେ ଦେଲେ ଠିଆ ଚିତା । ଯେ ପ୍ରଭୁ ଗୋ-ବ୍ରାହ୍ମଣ-ହିତା ॥୯୫
ହସ୍ତରେ ଦୂର୍ବାଙ୍କୁର ଘେନି । କଲ୍ୟାଣ କରନ୍ତି କାମିନୀ ॥୯୬
ଦ୍ୱାଦଶ ଅଙ୍ଗନ୍ୟାସ କରି । ଗୋପୀ ବୋଲନ୍ତି ନାମ ଧରି ॥୯୭
ଯାହାର ନାହିଁ ଆଦିଅନ୍ତ । ଚରଣ ରଖୁ ତୋ ଅନନ୍ତ ॥୯୮
ଯଜ୍ଞପୁରୁଷ ଶିରୀଅଙ୍ଗ । ରକ୍ଷା କରନ୍ତୁ ବେନି ଜଂଘ ॥୯୯
ଅଚ୍ୟୁତ ରଖୁ କଟୀଭାଗ । ଗର୍ଭ ରଖନ୍ତୁ ପଦ୍ମନାଭ ॥୧୦୦
ହୃଦୟ ରଖୁ ହୟଗ୍ରୀବ । କଣ୍ଠ ତୋ ରଖୁ ବାସୁଦେବ ॥୧୦୧
ବିଷ୍ଣୁ ତୋ ରଖୁ ବେନିଭୁଜ । ବକ୍ଷ ତୋ ରଖୁ ଗ୍ରହରାଜ ॥୧୦୨
ଲଲାଟ ରଖୁ ସଦାଶିବ । ମୁଖ ତୋ' ରଖନ୍ତୁ ମାଧବ ॥୧୦୩
ତୋର ଅଗ୍ରତେ ଚକ୍ରଧର । ପୃଷ୍ଠ ତୋ' ରଖୁ ଗଦାଧର ॥୧୦୪
ସାରଙ୍ଗଧର ଏକ ପାଖ । ଖଡ଼ଗଧାରୀ ଆରପାଖ ॥୧୦୫
ଶଙ୍ଖ ତୋ' ରଖୁ ଚାରିକୋଣ । ଉପରେ ରଖୁ ନାରାୟଣ ॥୧୦୬
ଗରୁଡ଼ପତି ରଖୁ ତଳେ । ମଧୁସୂଦନ ଅନ୍ତରାଳେ ॥୧୦୭
ହୃଷିକେଶ ତୋ ଇନ୍ଦ୍ରିଗଣ । ରଖୁ ଗୋବିନ୍ଦ ପଞ୍ଚପ୍ରାଣ ॥୧୦୮
ଚିତ୍ତ ତୋ ଶ୍ୱେତଦ୍ୱୀପ-ପତି । ମାଧବ ରଖୁ ତୋ'ର ମତି ॥୧୦୯
ଖେଳନ୍ତେ ରଖୁ ବନମାଳୀ । ଶୟନେ କୃଷ୍ଣ ପ୍ରତିପାଳି ॥୧୧୦
ଚାଲନ୍ତେ ଭୋଜନେ ଶୟନେ । ରଖନ୍ତୁ ଶ୍ରୀ ମଧୁସୁଦନେ ॥୧୧୧
ଭୂତ ବେତାଳ ପ୍ରେତଜ୍ୱର । ଗ୍ରହ ଡାକିନୀ ନିଶାଚର ॥୧୧୨
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ବିଷ୍ଣୁ ନାଶନ୍ତୁ ସର୍ବଅଡ଼ା ॥୧୧୩
ନିର୍ଭୟ କରୁ ନରସିଂହ । ବଜ୍ର ତୋ ହେଉ ସର୍ବଦେହ ॥୧୧୪
ଆମ୍ଭ ଆୟୁଷ ତୋତେ ହେଉ । ତୋ ଦେହ ଚିରକାଳ ରହୁ ॥୧୧୫
ଅଶ୍ୱତ୍ଥାମାଦି ସିଦ୍ଧ ସାତେ । ତାହାଙ୍କ ଆୟୁର୍ବଳ ଯେତେ ॥୧୧୬
ଏ ସର୍ବ ତୋର ଦେହେ ହେଉ । ତୋ ଯଶ ତିନିପୁରେ ଥାଉ ॥୧୧୭
ନ ଥାଉ ତୋତେ କେ ଜିଣନ୍ତା । ତିନି ଭୁବନେ ସାମରଥା ॥୧୧୮
ଏମନ୍ତେ ସ୍ନେହଭର ହୋଇ । ଯଶୋଦାକୋଳେ ଦେଲେନେଇ ॥୧୧୯
ସ୍ତନ୍ୟ ପିଆଇ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି ॥୧୨୦
ନନ୍ଦ ଯେ ଥିଲା ମଧୁବନେ । ଆସି ମିଳିଲା ରାତ୍ରମାନେ ॥୧୨୧
ଦେଖିଣ ପୂତନା ଶରୀର । ଭୟେ କମ୍ପଇ ଥରହର ॥୧୨୨
ମିତ୍ର ବଚନ ମନେ ଗୁଣି । ସୁମରି ଦୃଢ଼େ ପରିମାଣି ॥୧୨୩
ଗୋପାଳମାନଙ୍କୁ ରାଇଲା । ଦହନ କର ହୋ ବୋଇଲା ॥୧୨୪
ନନ୍ଦ ଆଜ୍ଞାରେ ଗୋପଜନ । ବୋଲନ୍ତି କରିବୁ ଦହନ ॥୧୨୫
ତକ୍ଷଣେ କରି ଖଣ୍ତ ଖଣ୍ତ । ଦହିଲେ ପୂତନାର ପିଣ୍ତ ॥୧୨୬
ଅନଳେ ଦହନ୍ତେ ଅସୁରୀ । ଗନ୍ଧ ପ୍ରସରିଲା କସ୍ତୁରୀ ॥୧୨୭
ଆନନ୍ଦ ହୋଇଲେ ସକଳେ । ଗନ୍ଧ ଆମୋଦ ଦିଗ ପୂରେ ॥୧୨୮
ହରି ଭକ୍ଷିଲେ ଯା'ର କ୍ଷୀର । ସୁଗନ୍ଧ କେତେକ ମାତର ॥୧୨୯
ଅଷ୍ଟାଙ୍ଗଯୋଗେ ମୁନିଗଣେ । ଚିନ୍ତନ୍ତି ଯେ ହରିଚରଣେ ॥୧୩୦
କ୍ଷୀର ସଙ୍ଗତେ ପଞ୍ଚପ୍ରାଣ । ଶ୍ରୀକୃଷ୍ଣ ଦେହେ ହେଲା ଲୀନ ॥୧୩୧
ପାମରୀ ସ୍ୱଭାବେ ଅସୁରୀ । ଅନେକ ପାପ ଥିଲା କରି ॥୧୩୨
ହତ୍ୟା କହିବା ତା'ର କେତେ । ଦେହରେ ଲୋମ ଅଛି ଯେତେ ॥୧୩୩
କୃଷ୍ଣଙ୍କୁ କୋଳେ ବସାଇଲା । ଶ୍ରୀମୁଖ ଚାହିଁ କ୍ଷୀର ଦେଲା ॥୧୩୪
ଦେବକୀ ନନ୍ଦ ଯଶୋବନ୍ତୀ । ବସୁଦେବଙ୍କ ଯହିଁ ଗତି ॥୧୩୫
ତହିଁକି ପେଷିଲେ ମୁରାରି । ଅସୁରୀ ଗଲା ଆଗସରି ॥୧୩୬
ଗୋପୀ ଗୋପାଳ ଯେତେ ଗାଈ । ଯାହାଙ୍କ କ୍ଷୀର କୃଷ୍ଣ ଖାଇ ॥୧୩୭
ବସିଲେ ଯେତେ ଜନ କୋଳେ । ସବୁ ତରିବେ ଏକାବେଳେ ॥୧୩୮
ଅସୁରୀ ଦହନ କରାଇ । ଘରେ ମିଳିଲେ ନନ୍ଦ ଯାଇ ॥୧୩୯
ପୂତନା ଆଗମନ ଲୋକେ । କହିଲେ ନନ୍ଦ ଆଗେ ଥୋକେ ॥୧୪୦
ନନ୍ଦ ଯେ ବିସ୍ମୟ ହୋଇଲେ । ସକଳେ କୃଷ୍ଣ ସୁମରିଲେ ॥୧୪୧
ଗୋପାଳେ ବୋଲନ୍ତି ଏମନ୍ତ । ଦେଖ ସଂସାର ଅଦଭୁତ ॥୧୪୨
ଜାଣିଲୁ ନନ୍ଦ ଭାଗ୍ୟବନ୍ତ । ଆପଦୁଁ ତରିଲା ତା ସୁତ ॥୧୪୩
ଆମ୍ଭର ଅଛି ପୁଣ୍ୟବଳ । ଗୋବିନ୍ଦ ରଖିବେ ଗୋକୁଳ ॥୧୪୪
ନିଜ ମନ୍ଦିରେ ନନ୍ଦ ମିଳି । କୋଳେ ବସାଇ ବନମାଳୀ ॥୧୪୫
ଶ୍ରୀକୃଷ୍ଣ ଶିରେ ଦେଇ କର । ଚୁମ୍ବନ ଦେଲାକ ଅପାର ॥୧୪୬
ବିପ୍ରଙ୍କୁ ରାଇ ଗ୍ରହ ଶାନ୍ତି । କରାଇ ଚିନ୍ତଇ ଶ୍ରୀପତି ॥୧୪୭
ନନ୍ଦର ଆଜ୍ଞାରେ ବ୍ରାହ୍ମଣେ । କରନ୍ତି ଶାନ୍ତି ଗ୍ରହଗଣେ ॥୧୪୮
ଯଜ୍ଞ ଉଚିତ ପ୍ରାୟଶ୍ଚିତ । କରନ୍ତି ଧର୍ମଶାସ୍ତ୍ର ମତ ॥୧୪୯
ଷଡ଼ଅକ୍ଷର ମନ୍ତ୍ର ପଢ଼ି । ସିଞ୍ଚନ୍ତି କୁଶ ଘେନି ବାରି ॥୧୫୦
ସହସ୍ରେ ଧେନୁ-ବତ୍ସା ଦେଲେ । ସୁବର୍ଣ୍ଣ ଅଳଙ୍କାର ତୁଲେ ॥୧୫୧
ପ୍ରସନ୍ନ ହୋଇ ବିପ୍ରଗଣ । କୃଷ୍ଣଙ୍କୁ କରନ୍ତି କଲ୍ୟାଣ ॥୧୫୨
ସକଳ ରିଷ୍ଟରୁ ଅଚ୍ୟୁତ । ତୋତେ ସେ କରନ୍ତୁ ମୁକତ ॥୧୫୩
ଜ୍ଞାତି-ଭୋଜନ ଦେଲେ ନନ୍ଦ । ରିଷ୍ଟ ଖଣ୍ତିବେ ଆଦିକନ୍ଦ ॥୧୫୪
ଆନନ୍ଦେ ହୋଇ କୃତକୃତ୍ୟ । କହନ୍ତି ବ୍ୟାସଙ୍କର ସୁତ ॥୧୫୫
ଯେ ଶୁଣେ କୃଷ୍ଣ-ବାଳକେଳି । ଆନନ୍ଦ ହୋଇ ମନେ ଭାଳି ॥୧୫୬
ପୂତନା ମରଣର ବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥୧୫୭
ଅସୁରୀ ତରିଲା ଯେମନ୍ତେ । ସୁଜନେ ଯିବ ସେହି ପଥେ ॥୧୫୮
ଭକତି କର ଦୃଢ଼ଚିତ୍ତେ । ହରି-ଭକତଙ୍କର ମତେ ॥୧୫୯
ଗୀତ-ବିନୋଦ ଭାଗବତ । କହିଲା ଦାସ ଜଗନ୍ନାଥ ॥୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତମୋଽଧ୍ୟାୟଃ ।
</poem>
==='''ଅଷ୍ଟମ ଅଧ୍ୟାୟ'''===
<poem>
;ରାଜା ଉବାଚ
ନମଇଁ କୃଷ୍ଣ-ପଦ୍ମପାଦ । ଏ ମୋର ଜୀବନ-ସମ୍ପଦ ॥୧
ପରୀକ୍ଷ ଶୁକମୁଖ ଚାହିଁ । ବୋଲନ୍ତି କୃତକୃତ୍ୟ ହୋଇ ॥୨
ଗୋପ ନବରେ ନରହରି । ମାଇଲେ ପୂତନା ଅସୁରୀ ॥୩
ଦେବଙ୍କ ଭୟ ନିବାରିଲେ । ନିଜ ଶରୀରେ ଠାବ ଦେଲେ ॥୪
ଯାହାର ନାହିଁ ମିତ୍ର-ଅରି । ଚାଣ୍ତାଳୁଁ ବ୍ରହ୍ମ ଆଦି କରି ॥୫
ସାଧୁଙ୍କୁ ପାଳି ଦୁଷ୍ଟ ନାଶି । ଦୟାସାଗର ବ୍ରହ୍ମରାଶି ॥୬
ତାହାଙ୍କ ଯେତେ କର୍ମମାନ । ବାଳକ-ଚରିତ ବିଧାନ ॥୭
ଶୁଣି ଭଜନ୍ତି ଯେତେ ପ୍ରାଣୀ । ତରନ୍ତି ଭବ-ତରଙ୍ଗିଣୀ ॥୮
ମାୟା-ମନୁଷ୍ୟ ଅବତାର । ଖଣ୍ତିବେ ଅବନୀର ଭାର ॥୯
ଆବର କଲେ ଗୋପେ ଯାହା । କହିବା ଯେବେ ମୋତେଦୟା ॥୧୦
ରାଜା ପ୍ରଶନ ବାକ୍ୟ ଶୁଣି । କହନ୍ତି ଶୁକ ମହାମୁନି ॥୧୧
କହିବା ଶୁଣ କୃଷ୍ଣକଥା । ଯେଣେ ତୁଟିବ ଭବବ୍ୟଥା ॥୧୨
ଅନ୍ତୁଡ଼ି ଉଠିଆରୀ ଦିନେ । ଆସି ମିଳିଲେ ଗୋପୀଜନେ ॥୧୩
ମଙ୍ଗଳ ଗୀତନାଦ କରି । ସ୍ନାନ କରାଇଲେ ମୁରାରି ॥୧୪
ବ୍ରହ୍ମଣ ମିଳିଲେ ଥୋକାଏ । ଆଶିଷ ଦେଲେ ମାଏପୋଏ ॥୧୫
ଆନନ୍ଦମନେ ନନ୍ଦରାୟେ । ଧନବସନ ଦାନ ଦିଏ ॥୧୬
ଗୋପୀ ଆନନ୍ଦ ଗୀତରସ । ନିଦ୍ରାମୋହିତ ପୀତବାସ ॥୧୭
ଶକଟତଳେ ବସ୍ତ୍ର ପାଡ଼ି । ଯଶୋଦା ଶୁଆଇ ମୁରାରି ॥୧୮
ନିଦ୍ରା କରଇ ଗୀତ ଗାଇ । ଗୋପୀଙ୍କିଦେଲେ ସେ ବଧାଇ ॥୧୯
ଅକ୍ଷତ ଦେଲେ ଜଣେ ଜଣ । ପୁତ୍ରକୁ କରନ୍ତି କଲ୍ୟାଣ ॥୨୦
ଏମନ୍ତେ କଂସର ଅସୁର । ନାମ ଶକଟାସୁର ବୀର ॥୨୧
କୃଷ୍ଣଙ୍କୁ ମାରିବାର ଆଶେ । ଶକଟ ଶରୀର ପ୍ରକାଶେ ॥୨୨
ତାହା ଜାଣିଲେ ଭାବଗ୍ରାହୀ । ବାଳୁତ ରୂପେ ଛନ୍ତି ଶୋଇ ॥୨୩
ନିଦ୍ରା ଭାଜନ୍ତେ ନାରାୟଣ । କାନ୍ଦି ଲୋଡ଼ନ୍ତି ମାତାସ୍ତନ ॥୨୪
ଗୋଳେ ନ ଶୁଣଇ ଗୁଆଳୀ । କୃଷ୍ଣ କାନ୍ଦନ୍ତି ପାଦ ଚାଳି ॥୨୫
ଶକଟେ ବାଜିଲା ପୟର । ଶବଦ କଲା ମହାଘୋର ॥୨୬
ଶକଟ ପଡ଼ିଲାକ ଝଡ଼ି । ଦେଖି ଚକିତ ଗୋପବାଳୀ ॥୨୭
ଦଧି ତଇଳ ଘୃତଭାଣ୍ତ । ଭାଜି ହୋଇଲା ଖଣ୍ତ ଖଣ୍ତ ॥୨୮
ଶବଦ ଶୁଣି ଗୋପୀ ଧାଇଁ । ମିଳିଲେ ନନ୍ଦ ଆଦି ଯାଇ ॥୨୯
ଦେଖିଲେ ଯଶୋଦା କୁମର । ପଡ଼ିଛି ଶକଟ ତଳର ॥୩୦
କୃଷ୍ଣଙ୍କୁ ଆଣି କୋଳ କଲେ । ଏକକୁ ଆରେକ କହିଲେ ॥୩୧
ଏ କି ଆପଦ କାହିଁ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥୩୨
ଶକଟ ଭାଜିଲା କେମନ୍ତ । ବୁଝ ହୋ ଏହାର ତଦନ୍ତ ॥୩୩
ଯଶୋଦା ଦେବୀ ଭାଗ୍ୟବନ୍ତ । ଆପଦୁଁ ତରିଲା ବାଳୁତ ॥୩୪
ଶକଟ ଭାଜିଲା କେମନ୍ତେ । ଜାଣିଲେ ଯିବା ନା ପରତେ ॥୩୫
ବାଳକୁମରେ ତାହା ଶୁଣି । ବୋଲନ୍ତି ଆମ୍ଭେ ଅଛୁ ଜାଣି ॥୩୬
ଯଶୋଦାସୁତ ପାଦଘାତେ । ଶକଟ ଭାଜିଲା ଯୁକତେ ॥୩୭
ତହୁଁ ପୁରୁଷେ ଜାତ ହୋଇ । ଯୋଡ଼ି ବୋଇଲା କର ଦୁଇ ॥୩୮
ଅନେକ ବିନୋଇ କହିଲା । ବିମାନେ ବସି ସ୍ୱର୍ଗେ ଗଲା ॥୩୯
ଶୁଣି ହସିଲେ ବାଳ ବୋଲ । କୃଷ୍ଣର ନ ଜାଣନ୍ତି ବଳ ॥୪୦
ରୋଦନ କରନ୍ତେ ମୁରାରି । ଯଶୋଦାକୋଳେଦେଲେ ନାରୀ ॥୪୧
କୁଗ୍ରହ ହେବା ମନେ ଚିନ୍ତି । ବିପ୍ରଙ୍କୁ ଆଣି ଗ୍ରହଶାନ୍ତି ॥୪୨
କରାଇ ପିଆଇଲେ ସ୍ତନ୍ୟ । ଆନନ୍ଦ ଯଶୋଦାର ମନ ॥୪୩
ଆନ ଶକଟ ଭିଆଇଲେ । ଦ୍ରବ୍ୟମାନଙ୍କୁ ସଜାଡ଼ିଲେ ॥୪୪
ବ୍ରାହ୍ମଣେ କଲେ ପଞ୍ଚାମୃତ । ଦେଖିଣ ନନ୍ଦ କୃତକୃତ୍ୟ ॥୪୫
ହରଷ ହୋଇ ଦେଲା ଦାନ । ଧେନୁ କାଞ୍ଚନ ବସ୍ତ୍ର ଅନ୍ନ ॥୪୬
ସନ୍ତୋଷ ହୋଇ ବିପ୍ରଗଣେ । କଲ୍ୟାଣ କଲେ ତୋଷମନେ ॥୪୭
ଆଚାର ବିଦ୍ୟାରେ ଭରସା । ପରେ ସେ ନ କରନ୍ତି ହିଂସା ॥୪୮
ଯାହା ବୋଲନ୍ତି ସିଦ୍ଧଜନେ । ଅନ୍ୟଥା ନୁହଇ ବଚନେ ॥୪୯
କହନ୍ତି ବ୍ୟାସଙ୍କ ନନ୍ଦନ । ଏମନ୍ତେ ଗଲା କେତେଦିନ ॥୫୦
କଂସର ଆଜ୍ଞାରେ ଦଇତ୍ୟ । ଗୋପେ ମିଳିଲା ତୃଣାବର୍ତ୍ତ ॥୫୧
ତାହା ଜାଣିଲେ ଦଇତ୍ୟାରି । ଯଶୋଦା କୋଳେ ଛନ୍ତି ଧରି ॥୫୨
ବିଚାର କଲେ ଚକ୍ରଧର । ଆଜ ସଂହାରିବି ଅସୁର ॥୫୩
ଜନନୀ କୋଳେ ହେଲେ ଗରୁ । ଯେହ୍ନେ ଅଚଳ ମହାମେରୁ ॥୫୪
ତକ୍ଷଣେ ଥୋଇଲା ଅବନୀ । ବିଚାର କଲା ଭୟ ଘେନି ॥୫୫
ବାଳୁତ ଏଡ଼େ ଗରୁପଣ । ନ ପୁଣ ପଡ଼ଇ କଷଣ ॥୫୬
ଶେଯେ ଶୁଆଇ ଗଲାଘର । କରଇ ବ୍ୟାପାର ବେଭାର ॥୫୭
କଂସର ଆଜ୍ଞା ପରମାଣେ । ଅସୁର ମିଳିଲା ତକ୍ଷଣେ ॥୫୮
ଗଗନେ ଘୋରନାଦ କରି । ଚକ୍ରପବନ ରୂପ ଧରି ॥୫୯
ଦିବସେ କଲା ଅନ୍ଧକାର । ଭୂମି କମ୍ପିଲା ଥରହର ॥୬୦
ବୃକ୍ଷେ ପଡ଼ିଲେ ମହୀତଳେ । ରେଣୁ ଉଡ଼ିଲେ ଅନ୍ତରାଳେ ॥୬୧
ଚାହିଁ ନ ପାରି ବେନିଘଡ଼ି । ଚକ୍ଷୁ ବୁଜିଲେ ନରନାରୀ ॥୬୨
ଚକ୍ରପବନ ଗଲା ଉଡ଼ି । କୃଷ୍ଣଙ୍କୁ ଦୈତ୍ୟ ନେଲା ହରି ॥୬୩
ପ୍ରକାଶେ ରବିର କିରଣ । ନିର୍ମଳ ଦିଶିଲା ଗଗନ ॥୬୪
ଘରୁ ବାହାରି ନନ୍ଦରାଣୀ । ପୁତ୍ରକୁ ଖୋଜଇ ଧରଣୀ ॥୬୫
କୃଷ୍ଣେ ନ ଦେଖି ହିଆକୋଡ଼ି । ଧାମଇଁ ପୁଣ ପୁଣ ପଡ଼ି ॥୬୬
ଘରବାହାରେ ପୁର ଲାଗେ । ବିକଳେ ଲୋଡ଼େ ଚଉଦିଗେ ॥୬୭
ଖୋଜି ନ ପାଇ ବନମାଳୀ । ତା' ଶୁଣି ମିଳିଲେ ଗୁଆଳୀ ॥୬୮
ଖୋଜନ୍ତି ଘରେ ଘରେ ପଶି । କାହିଁ ପାଇବେ ବ୍ରହ୍ମରାଶି ॥୬୯
ନ ଦେଖି ପ୍ରଭୁ ଚକ୍ରପାଣି । ମୋହେ ପଡ଼ିଲା ନନ୍ଦରାଣୀ ॥୭୦
ଗୋପୀ ଧଇଲେ ବେଗେ ଯାଇ । ବିଞ୍ଚନ୍ତି ମୁଖେ ନୀର ଦେଇ ॥୭୧
ଘଡ଼ିକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ ॥୭୨
କେଶ ବସନ ଅସମ୍ଭାଳେ । ପଡ଼େ ଗୋପୀଙ୍କ ପାଦତଳେ ॥୭୩
କେ କହୁ ଯଶୋଦାର ଶୋକ । ଗୋପୀଙ୍କି ଚାହିଁଣ ନିରେଖ ॥୭୪
ବିକଳେ ଲୋଟଇ ଧରଣୀ । ଗୋପୀ କାନ୍ଦନ୍ତି ତାହା ଶୁଣି ॥୭୫
କେ କହୁ ଶୋକର ତଦନ୍ତ । ଗୋପୀ ହୋଇଲେ ମୋହଗତ ॥୭୬
ତାହା ଜାଣିଲେ ଜଗନ୍ନାଥ । ଆକାଶେ ଉଡୁଛି ଦଇତ୍ୟ ॥୭୭
ଶ୍ରୀକୃଷ୍ଣ ବିଚାରନ୍ତି ମନେ । ଅସୁର ମାରିବି କେସନେ ॥୭୮
ଏ ତ ନେଉଛି ଶୂନ୍ୟପଥେ । ଏତେ ବିଚାରି ଗୋପୀନାଥେ ॥୭୯
ଦାସବତ୍ସଳ ନନ୍ଦବଳା । ରୁନ୍ଧିଲେ ଅସୁରର ଗଳା ॥୮୦
କଣ୍ଠେ ଲମ୍ବିଲେ ବନମାଳୀ । ଅସୁର ନ ପାରିଲା ଚଳି ॥୮୧
ବ୍ରହ୍ମାଣ୍ତ କୋଟି କୋଟି ମାଳେ । ବସନ୍ତି ଯା'ର ରୋମମୂଳେ ॥୮୨
ଅସୁର ଚାଳିବ ତା କାହିଁ । ଭାଳଇ ଚଉଦିଗ ଚାହିଁ ॥୮୩
ବାଳୁତ ପୁଅ ଏଡ଼େ ଗରୁ । ପକାଇ ଦେବି ପଡ଼ି ମରୁ ॥୮୪
ଧରିଣ କୃଷ୍ଣ ବାମହସ୍ତେ । ତା' କଣ୍ଠ ଚାପିଲେ ତୁରିତେ ॥୮୫
ବେନି ଲୋଚନ ଗଲା ଫୁଟି । ପ୍ରାଣ ଛାଡ଼ିଲା ତାଳୁ ଫାଟି ॥୮୬
ଶବଦ କଲା ମହାଘୋର । ଶୁଣି କମ୍ପିଲେ ସୁରନର ॥୮୭
ଅସୁର ଘେନି କୃଷ୍ଣ କରେ । ପଡ଼ିଲେ ଶିଳାର ଉପରେ ॥୮୮
ଅସୁର ଦେହ ହେଲା ଚୂର । ଗୋପୀ ଦେଖିଲେ ଦାମୋଦର ॥୮୯
ଯମର ଘରୁ ଯେହ୍ନେ ଆସି । କୋଳ କରନ୍ତି ଗୋପୀ ହସି ॥୯୦
ଶିଳାରୁ ଘେନି ବନମାଳୀ । ଯଶୋଦାକୋଳେ ଦେଲେତୋଳି ॥୯୧
ଗୋପୀ ଗୋପାଳ ଆଦି ନନ୍ଦ । କୃଷ୍ଣଙ୍କୁ ଦେଖିଣ ସାନନ୍ଦ ॥୯୨
ଗୋପାଳେ ନନ୍ଦଙ୍କୁ ଅନାଇ । ବୋଲନ୍ତି ଭାଗ୍ୟବନ୍ତ ତୁହି ॥୯୩
କାଳର ମୁଖୁଁ ଉବୁରିଲା । ପୁତ୍ରକୁ ଗୋବିନ୍ଦ ରଖିଲା ॥୯୪
ଶୀତଳ ଯଶୋଦାର କୋଳ । ଆପଦୁଁ ତରିଲା କୁମର ॥୯୫
ଅରିଷ୍ଟ ଦେଖି ନନ୍ଦ ମନେ । ଭାଳଇ ମିତ୍ରର ବଚନେ ॥୯୬
ଦିନେକ ପୁତ୍ର କୋଳେ ଘେନି । କ୍ଷୀର ପିଆନ୍ତେ ନନ୍ଦ ରାଣୀ ॥୯୭
କୃଷ୍ଣ ବଦନେ ଉଠେ ହାଇ । ଯଶୋଦା ତୁଣ୍ତେ ଦେଲା ଚାହିଁ ॥୯୮
ଦେଖିଲା ଦର୍ପଣ ପରାୟେ । ବ୍ରହ୍ମାଣ୍ତ ଦିଶେ କୃଷ୍ଣ ଦେହେ ॥୯୯
ଆକାଶ ଆଦି ଦିଗପାଳେ । ଗ୍ରହ ନକ୍ଷତ୍ର ମେଘମାଳେ ॥୧୦୦
ସପତ ସିନ୍ଧୁ ବସୁନ୍ଧରୀ । ନଦୀ କାନନ ଦିଗ ଗିରି ॥୧୦୧
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱ ସଂସାରେ ଯେତେ ହେତୁ ॥୧୦୨
ଦେଖି ଚକିତମନେ ଚାହିଁ । ହୃଦେ ଚିନ୍ତଇ ଭାବଗ୍ରାହୀ ॥୧୦୩
ସଭୟେ ପୁତ୍ର କୋଳେ ଘେନି । ଘରେ ପଶିଲେ ନନ୍ଦରାଣୀ ॥୧୦୪
ଆନନ୍ଦ କେ ପାରିବ କହି । ଯାହାର ସୁତ ଭାବଗ୍ରାହୀ ॥୧୦୫
ନିଦ୍ରା ମୋହିତ ହୃଷିକେଶ । ନମଇଁ ଜଗନ୍ନାଥ ଦାସ ॥୧୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଅଷ୍ଟମ ଅଧ୍ୟାୟଃ ।
</poem>
==='''ନବମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ଅଭିମନ୍ୟୁ-କୁମର । କହନ୍ତି ଶୁକ-ମୁନିବର ॥୧
ଗର୍ଗବଂଶରେ ମୁନି ଜାତ । ଯାଦବବଂଶ ପୁରୋହିତ ॥୨
ଧାର୍ମିକପଣେ ସମ ନାହିଁ । ଆଣିଲା ବସୁଦେବ ରାଇ ॥୩
ବସାଇ ପୂଜିଲା ପୟର । ଏକାନ୍ତେ ବୋଲଇ ଉତ୍ତର ॥୪
ଭୋ ମୁନି ନନ୍ଦଘରେ ମୋର । ଅଛନ୍ତି ବେନି ଯେ କୁମର ॥୫
କଂସର ଡ଼ରେ ମୁହିଁ ନେଇ । ଗୋପରେ ଅଛଇଁ ଲୁଚାଇ ॥୬
ଏବେ ଗୋପକୁ ତୁମ୍ଭେ ଯାଅ । ମୋର ପୁତ୍ରଙ୍କୁ ନାମ ଦିଅ ॥୭
ଏହା ଜାଣିବ ଏକା ନନ୍ଦ । ଆନ ଜାଣିଲେ ହେବ ମନ୍ଦ ॥୮
ବସୁଦେବର ବୋଲ ଶୁଣି । ଗୋପେ ଚଳିଲେ ଗର୍ଗମୁନି ॥୯
ସାମଗାୟନ କରି ଧୀରେ । ମିଳିଲେ ନନ୍ଦର ମନ୍ଦିରେ ॥୧୦
ଦେଖି ଆସନୁ ନନ୍ଦ ଉଠି । ଥୋକାଏ ଅଇଲେ ପାଛୋଟି ॥୧୧
ପବିତ୍ର ଜଳେ ପାଦ ଧୋଇ । ଆସନେ ବସାଇଲା ନେଇ ॥୧୨
ଚରଣ ପୂଜି ଷଡ଼ଅର୍ଘ୍ୟେ । ବିନୟ ହୋଇ ସାଧୁ ଗାର୍ଗ୍ୟେ ॥୧୩
ଆନନ୍ଦ କରାଇଣ ମନ । ବୋଲଇ ମଧୁର ବଚନ ॥୧୪
ଭୋ ମୁନି ହୋଇଲି ନିର୍ମଳ । ଘେନି ତୁମ୍ଭର ପାଦଜଳ ॥୧୫
ଭୂତ ଭବିଷ୍ୟତ ବର୍ତ୍ତମାନ । ଏଣେ ତୁମ୍ଭର ଦିବ୍ୟଜ୍ଞାନ ॥୧୬
ଅନେକ ପୁଣ୍ୟ ଥିଲା ମୋର । ତେଣୁ ପୂଜିଲି ତୋ' ପୟର ॥୧୭
ଭିତରପୁରେ ମୁନି ନେଇ । କହଇ ଏକାନ୍ତେ ବସାଇ ॥୧୮
ଶୁଣ ପଣ୍ତିତ ଚୂଡ଼ାମଣି । ମୋ ଘରେ ଅଛଇ ରୋହିଣୀ ॥୧୯
ବସୁଦେବର ଏ ତନୟ । ପୁଣି ହୋଇଛି ମୋର ପୁଅ ॥୨୦
ନାମକରଣ ଆଜ କର । ପ୍ରସନ୍ନ ହୋଇ ମୁନିବର ॥୨୧
କ୍ଷତ୍ରିୟ ସ୍ୱଭାବେ ଯୁକତେ । ସଂସ୍କାର କର ବେନିସୁତେ ॥୨୨
ତୋ ତହୁଁ ନ ଜାଣିବେ କେହି । ଏମନ୍ତ ମନ୍ଦିରେ ବସାଇ ॥୨୩
ମୁନି ବୋଲନ୍ତି ନନ୍ଦ ଚାହିଁ । ଏ କଥା ମୋତେ ନ ଯୋଗାଇ ॥୨୪
ମୁଁ ଯଦୁବଂଶେ ପୁରୋହିତ । ଏ କଥା ସଂସାରେ ବିଦିତ ॥୨୫
ତୋହର ଘରେ କାର୍ଯ୍ୟ କଲେ । କଂସ ଜାଣିବ ତାହା ଭଲେ ॥୨୬
ବସୁଦେବର ପୁତ୍ର ଏହି । ପୂର୍ବେ ଅମ୍ବିକା ଗଲେ କହି ॥୨୭
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ହୋଇଲା କୁମର ॥୨୮
କେ ଅବା ଆସିଅଛି ଥୋଇ । ପୁରୋହିତ ଯେ ଗଲେ ତହିଁ ॥୨୯
ଏମନ୍ତ ବିଚାରି ଅସୁର । ଘେନାଇ ଯିବ ମଧୁପୁର ॥୩୦
ନେଇ ମାରିବ ବେନିବାଳ । ଏ କଥା ଅନର୍ଥର ମୂଳ ॥୩୧
ଶୁଣି ବୋଲନ୍ତି ନନ୍ଦରାୟ । ଭୋ ମୁନି ନ କର ତୁ ଭୟ ॥୩୨
ତୋ ତହୁଁ ନଜାଣିବେ ଆନ । ଏମନ୍ତ ଅଛି ମୋର ସ୍ଥାନ ॥୩୩
କହି କରାଇ ସାବଧାନ । ଆଣିଲା ହୋମର ବିଧାନ ॥୩୪
ଦ୍ୱିଜ ବେଭାରେ ଶୁଚିମନ୍ତ । ସଂସ୍କାର କଲେ ବେନିସୁତ ॥୩୫
ଗର୍ଗ୍ୟ ଅଇଲେ ଯହିଁ ପାଇଁ । ଦେଖିଲେ ନନ୍ଦପୁତ୍ର ଦୁଇ ॥୩୬
ନୟନେ ଦେଖି ନିସ୍ତରିଲେ । ବେଦବଚନେ ସ୍ତୁତି କଲେ ॥୩୭
ବିଚାରି ହୃଦେ ପରିମାଣି । ଜ୍ଞାନଦର୍ଶନେ ମୁନିମଣି ॥୩୮
ସଭୟ କରି ହୃଦଗତେ । ଗୋବିନ୍ଦ ଭାବ ଅନୁମତେ ॥୩୯
ଭୋ ବ୍ରହ୍ମ ପୁରୁଷ ଶରୀର । ମର୍ତ୍ତ୍ୟେ ହୋଇଲ ଅବତାର ॥୪୦
ଅବନୀଭାରା ନାଶ ଅର୍ଥେ । ଅଂଶେଣ ହୋଇଲ ସମ୍ଭୂତେ ॥୪୧
ନାଶିବ ଦୁଷ୍ଟ ମହାମଲ୍ଲେ । ଯେତେ ଏ ଅଛନ୍ତି ଶୟଳେ ॥୪୨
ଏମୋର ନୟନ ଆନନ୍ଦ । କେବଣ ତପ କଲା ନନ୍ଦ ॥୪୩
ଗୋରୁ ଗୋପାଳ ଗୋପସୁତ । ନଦୀ କାନନ ପରବତ ॥୪୪
ଗିରିକୁସୁମ ବନେ ଯେତେ । ଦ୍ୱାଦଶ-ବିପିନ ସହିତେ ॥୪୫
ଏହାଙ୍କ ଭାଗ୍ୟ କେହୁ କହୁ । ମାୟା-ମନୁଷ୍ୟ ମହାବାହୁ ॥୪୬
ଭୋ ନାଥ କମଳନୟନ । ଅଜନ୍ମା ହେଲ ତୁମ୍ଭେ ଜନ୍ମ ॥୪୭
ମୁଁ କୀଟ କୋଟିକେ ଅନ୍ତର । କିସ ବା ନାମ ଦେବି ତୋର ॥୪୮
ଅନନ୍ତ ଅବତାର ନାମ । ଅଂଶେ ହୋଇଲ ଗୁଣଧାମ ॥୪୯
ଏମନ୍ତ ଯେତେ ଗୁଣ କର୍ମେ । ସମସ୍ତ କହିଲେ ବଚନେ ॥୫୦
ମନେ ବିଚାରି ହୃଦେ ସ୍ତୁତି । କଲେ ସେ ଗାର୍ଗ୍ୟ ମହାଯତି ॥୫୧
ଆତ୍ମାର ଗୁଣ କର୍ମ ଅର୍ଥେ । କହନ୍ତି ନନ୍ଦର ଅଗ୍ରତେ ॥୫୨
ଶୁଣ ହେ ବ୍ରଜ ମହୀପତି । ଯେ ତୋର ପୁତ୍ର ନାମ ଗତି ॥୫୩
ରୋହିଣୀ ସୁତ ଏ ସୁନ୍ଦର । ଗୁଣେ ରଞ୍ଜିବ ସୁରନର ॥୫୪
ଏହାର ନାମ ରାମ ହେଉ । ଦେଖ ଆଜାନୁ ବେନି ବାହୁ ॥୫୫
ବଳ ଅଧିକୁ ବଳ ନାମ । ବେନି ସଂଯୋଗେ ବଳରାମ ॥୫୬
ଗୋବିନ୍ଦ ଆଜ୍ଞା ଘେନି ପୂର୍ବେ । ଦୁର୍ଗା ଆକର୍ଷି ଥିଲେ ଗର୍ଭେ ॥୫୭
ତେଣୁ ଯେ ନାମ ସଙ୍କର୍ଷଣ । ଦେଖ ସ୍ୱରୂପ ବିଚକ୍ଷଣ ॥୫୮
ଏ ଯେ ତୋହର ନିଜ ସୁତ । ଏହାର ଗୁଣ ଅପ୍ରମିତ ॥୫୯
ଏଯେତେ ଜନ୍ମ ମହୀତଳେ । ମୁହିଁ ଜାଣଇ ଯୋଗବଳେ ॥୬୦
ଯୁଗ ଯୁଗକେ ଆନ ବର୍ଣ୍ଣ । ଆବର ଯେତେ ଗୁଣ କର୍ମ ॥୬୧
ଏହାକୁ ନ ଜାଣନ୍ତି କେହି । ମୁଁ ଏହା ଅଳପ ଜାଣଇ ॥୬୨
ନାମ ଏହାର ଅଛି ଯେତେ । କହିବି ଏକେ ଏକେ କେତେ ॥୬୩
ଶ୍ୱେତ ଶୋଣିତ ପୀତ ଶ୍ୟାମ । ଯୁଗକୁ ଯୁଗ ଅନୁଆନ ॥୬୪
ଏବେ ଏହାର କୃଷ୍ଣ ନାମ । ଦୁଷ୍ଟ କରିବ ବିନାଶନ ॥୬୫
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲେ ଦେବକୀ ଉଦରେ ॥୬୬
ପିତା ଏହାର ବସୁଦେବ । ତେଣୁ ତା'ନାମ ବାସୁଦେବ ॥୬୭
ଯେତେକ ନାମଟି ଏହାର । ଅଳପ ଜାଣେ ଦେବବର ॥୬୮
ଏହାର ନାମ ଆଶ୍ରେ କରି । ହେଳେ ତରିବେ ଭବବାରି ॥୬୯
ପ୍ରଥମ ଯୁଗେ ଏହା ଗୁଣ । ହେ ନନ୍ଦ ସାବଧାନେ ଶୁଣ ॥୭୦
ବେଣରାଜାର ଅନ୍ତଃକାଳେ । ଭୂମି କମ୍ପିଲା ଟଳମଳେ ॥୭୧
ଏହାର ବଳ ଆଶ୍ରେ କରି । ସୁଖେ ବଞ୍ଚିଲେ ନରନାରୀ ॥୭୨
ଏହାର ନାମେ ଯା'ର ଭାବ । ସେ ପ୍ରାଣୀ ସଂସାରୁ ତରିବ ॥୭୩
ଦେଖ ଏହାର ବର୍ଣ୍ଣ ଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ ॥୭୪
ଏଣେ ବିଶ୍ୱାସ ନନ୍ଦ କର । ତରିବୁ ଭବ ମହାଘୋର ॥୭୫
ଏମନ୍ତ କହି ନନ୍ଦ ଆଗେ । ମଥୁରା ଗଲେ ମୁନି ବେଗେ ॥୭୬
ନନ୍ଦ ସନ୍ତୋଷ ମନେ ଗୁଣି । କୃଷ୍ଣୁଙ୍କୁ ଘେନିଲା ରୋହିଣୀ ॥୭୭
ଯଶୋଦା ରାମ ଘେନି କୋଳେ । ସ୍ତନ୍ୟ ପିଆନ୍ତି ସୁଖଭୋଳେ ॥୭୮
କେତେହେଁ ଦିନ ତହିଁ ଗଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା ॥୭୯
ଦିନେକ ରାମ ଶିରୀଧର । ମନ୍ଦିରୁ ହୋଇଲେ ବାହାର ॥୮୦
ଚାଲନ୍ତି ଆଗେ ଗୁଳଗୁଞ୍ଚା । କ୍ଷଣ କ୍ଷଣକେ ପଛଘୁଞ୍ଚା ॥୮୧
ଚରଣେ ନୂପୁର ବାଜେଣୀ । କରେ କଙ୍କଣ କଣ୍ଠେ ମଣି ॥୮୨
ଚାଲନ୍ତେ ଗୋପୀଙ୍କ ଅଗଣା । କର୍ଦ୍ଦମେ ପଡ଼ି ହୋନ୍ତି ବଣା ॥୮୩
ପୁଣି ଚାଲନ୍ତେ ପୁଣି ବାଜେ । ପଛକୁ ଚାହିଁ ଦେବରାଜେ ॥୮୪
ଚରଣେ ରୁଣୁଝୁଣୁ ନାଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ ॥୮୫
ଦେଖି ଧାମନ୍ତି ବେନିମାଏ । ରାମକୃଷ୍ଣଙ୍କ ପଙ୍କ କାୟେ ॥୮୬
କାଖେ ବସାଇ ଘରେ ଆଣି । ଧୁଅନ୍ତି ଘେନି ବାସପାଣି ॥୮୭
ଝୀନବସନେ ପୋଛି ଦେହ । କ୍ଷଣକ୍ଷଣକେ ମାୟାମୋହ ॥୮୮
ବେନି ମାତାଏ କୋଳେ ଧରି । ସ୍ତନ୍ୟ ପିଆନ୍ତି ପେଟଭରି ॥୮୯
ପାଟିକେ ଦୁଇ ଦୁଇ ଦନ୍ତ । ଦେଖିଣ ଯଶୋଦା ଉଷତ ॥୯୦
ରୋହିଣୀ ଦେଖିଣ ସାନନ୍ଦ । ପୁତ୍ରଙ୍କୁ କୋଳ କଲା ନନ୍ଦ ॥୯୧
ଦିନକୁ ଦିନ ବଳୀୟାର । ବଢ଼ନ୍ତି ରାମ ଦାମୋଦର ॥୯୨
ଗୋପାଳ ବାଳକଙ୍କ ମେଳେ । ଗୋପୀଏ ଧରୁଥା'ନ୍ତି କୋଳେ ॥୯୩
ଖେଳନ୍ତି ଗୃହ ଦାଣ୍ତ ଭାଗେ । ବାଛୁରୀମାନଙ୍କର ସଙ୍ଗେ ॥୯୪
ଉଠନ୍ତି ବତ୍ସାଙ୍କ ଉପର । ଧୂଳି ଧୂସର କଳେବର ॥୯୫
ବତ୍ସାଏ ଉଠି ଯେ ପଳାନ୍ତି । ଲାଙ୍ଗୁଡ଼ ଧରି ଓଟାରନ୍ତି ॥୯୬
ପୁଣି ପଳାନ୍ତେ କର ଛାଡ଼ି । ତଳେ ପଡ଼ନ୍ତି ମୁହଁମାଡ଼ି ॥୯୭
ତୁଣ୍ତରୁ ଗଳଇ ରୁଧିର । କାନ୍ଦନ୍ତି ବ୍ରହ୍ମାଣ୍ତ ଠାକୁର ॥୯୮
ଘରୁ ବାହାର ହୋଇ ଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି ॥୯୯
ଧୂଳି ଝାଡ଼ନ୍ତି ବାସ୍ତ୍ର ଘେନି । କୋଳ କରନ୍ତି ପୁତ୍ର ବେନି ॥୧୦୦
ଘରେ ଶୁଆଉଁ ବସ୍ତ୍ର ପାଡ଼ି । ଲୋଟି ହୁଅନ୍ତି ଗଡ଼ାଗଡ଼ି ॥୧୦୧
କ୍ଷଣକେ ହୁଅନ୍ତି ବାହାର । କ୍ଷଣ କ୍ଷଣକେ ଆଗୁସାର ॥୧୦୨
ଗୋପୀ ଧରନ୍ତି ଯାଇ କୋଳେ । ଚୁମ୍ବନ ଦ୍ୟନ୍ତି କୁତୂହଳେ ॥୧୦୩
ନନ୍ଦର ଘରେ ଦ୍ୟନ୍ତି ନେଇ । କହନ୍ତି ଯଶୋଦାକୁ ଚାହିଁ ॥୧୦୪
ଏ ତୋର କେବଣ ବିଚାର । ପୁତ୍ର ନ ଥୋଉ କିମ୍ପପାଁ ଘର ॥୧୦୫
ଏକ ବାଳକେ ନ ସମ୍ଭାଳୁ । ବିପଦ ପଡ଼ିଲେ ଯେ ଭାଳୁ ॥୧୦୬
ଶୁଣି ଯଶୋଦା କୃଷ୍ଣ ଘେନି । ରାମଙ୍କୁ ସମ୍ଭାଳେ ରୋହିଣୀ ॥୧୦୭
ଦିନକୁ ଦିନ ଅପ୍ରମିତେ । ଘରେ ନ ରହନ୍ତି ବାଳୁତେ ॥୧୦୮
ଗୋ ଶୃଙ୍ଗ ଧରିଣ ନାଚନ୍ତି । ଅଗ୍ନିର ନିକଟେ ବୁଲନ୍ତି ॥୧୦୯
ଡେରିଲା ଖଣ୍ତାକୁ ଚାଳନ୍ତି । ଶ୍ୱାନର ତୁଣ୍ତେ ହସ୍ତ ଦ୍ୟନ୍ତି ॥୧୧୦
ପଡ଼ି ଲୋଟନ୍ତି ଜଳକୁଣ୍ତେ । ହସ୍ତ ଭରନ୍ତି ସର୍ପତୁଣ୍ତେ ॥୧୧୧
କଣ୍ଟା ଉପରେ ଗଡ଼ିଯା'ନ୍ତି । ମାର୍ଜାରୀ ପୁଅକୁ ଧରନ୍ତି ॥୧୧୨
ଖେଳନ୍ତି ଅତି ବଳୀୟାର । ଗୋକୁଳେ ରାମ ଦାମୋଦର ॥୧୧୩
ନିତ୍ୟେ ପୁତ୍ରଙ୍କୁ ଧରିଆଣି । ପିଟନ୍ତି ଯଶୋଦା ରୋହିଣୀ ॥୧୧୪
ବେପାର ନ ପାରନ୍ତି କରି । ପୁଣି ଆଣନ୍ତି କୋଳେ ଧରି ॥୧୧୫
ଦଣ୍ତେ ହେଁ ନରହନ୍ତି ଘରେ । ବୁଲନ୍ତି ଗୋପୀଙ୍କ ମନ୍ଦିରେ ॥୧୧୬
ତୁଲ୍ୟବୟସ ଗୋପବାଳେ । ଖେଳନ୍ତି ରାମକୃଷ୍ଣ ତୁଲେ ॥୧୧୭
ଭାଙ୍ଗନ୍ତି କାହା ଦଧିଭାଣ୍ତ । ବସ୍ତ୍ର ଚିରନ୍ତି ଖଣ୍ତ ଖଣ୍ତ ॥୧୧୮
କାହାର ପିଆନ୍ତି ବାଛୁରୀ । ଲବଣି ଖା'ନ୍ତି ଚୋରିକରି ॥୧୧୯
କନ୍ଦାନ୍ତି ଦୋଳିର କୁମର । ପାଣି ଢାଳନ୍ତି କା' ଉପର ॥୧୨୦
ସହି ନପାରି ଗୋପବାଳୀ । ନନ୍ଦର ଘରେ ଥୋକେ ମିଳି ॥୧୨୧
ଗୋପୀ କହନ୍ତି ଆଗବଢ଼ି । ଯଶୋଦା ପାଦତଳେ ପଡ଼ି ॥୧୨୨
ସମ୍ଭାଳ ତୋର ଘରଦ୍ୱାର । ଆମ୍ଭେ ନ ଥିବୁ ଗୋପପୁର ॥୧୨୩
କହିବୁ ଆଉ ଗୁଣକେତେ । ଶୁଣ ଗୋ କର୍ମ କଲା ଯେତେ ॥୧୨୪
ଜୀବିକା ବୁଡ଼ିଲା ଆମ୍ଭର । ବତ୍ସା ମେଲାନ୍ତି ତୋ' କୁମର ॥୧୨୫
ଘରେ ନ ଥାଉଁ ଯେତେବେଳେ । ଚୋରି କରଇ ଅବହେଳେ ॥୧୨୬
ଶିକା ଦଉଡ଼ି କାଟିଦେଇ । ଲବଣି କାନ୍ଥେ ଲେପୁଥାଇ ॥୧୨୭
ବସ୍ତ୍ର ଚିରଇ ଘରେ ପଶି । ବୋଇଲେ ବେଗେ ଯାଏ ଋଷି ॥୧୨୮
ଭାଣ୍ତ ଭାଙ୍ଗଇ ଲୁଚି ଲୁଚି । କଥାକେ ଯାଉଥାଏ ଘୁଞ୍ଚି ॥୧୨୯
ଖୋଜିଣ ଦୁଧ ସର ଖାଇ । କାହାର ଭାଣ୍ତରେ ମୂତଇ ॥୧୩୦
ସର ନପାଏ ଯା'ର ଘରେ । ହାଣ୍ତି ଭାଙ୍ଗଇ କୋପଭରେ ॥୧୩୧
କିଛି ନପାଏ ଯା'ର ଘର । ଉଠଇ ଦୋଳିର ଉପର ॥୧୩୨
ଶୋଇଲା ପୁଅକୁ କନ୍ଦାଏ । ଗୋଡ଼ାଇ ଗଲେ ଗାଳିଦିଏ ॥୧୩୩
ଏକଇ ଗୋପୀ ରୋଷଭରେ । କହଇ ଯଶୋଦା ଆଗରେ ॥୧୩୪
ଯମୁନା ଯିବାବେଳେ ମୋର । ଘରେ ପଶିଲା ତୋ' କୁମର ॥୧୩୫
କବାଟ ଫେଡ଼ିଣ ମୋହର । ଘରେ ପଶଇ ଯେହ୍ନେ ଚୋର ॥୧୩୬
ତା' ଦେଖି ବାହୁଡ଼ିଲି ମୁହିଁ । ଜଳାକବାଟି ବାଟେ ଚାହିଁ ॥୧୩୭
ଶିକାରେ ଅଛି ମୋର ସର । ଗମ୍ଭିରୀ ବଡ଼ଇ ଅନ୍ଧାର ॥୧୩୮
କିଛି ନ ପାଇ ମୋର ଘରେ । ପଶିଲା ଗମ୍ଭୀରି ଭିତରେ ॥୧୩୯
କି ମନ୍ତ୍ର ଜାଣେ ତୋର ପୁଅ । କୋଟିଏ ସୂର୍ଯ୍ୟ ଜିଣି ଦେହ ॥୧୪୦
ଘୋର ଅନ୍ଧାର ଗଲା କେଣେ । ପୁଣି ଚାହିଁଲା ଏଣେତେଣେ ॥୧୪୧
ଦେଖିଲା ଶିକା ଅଛି ଉଚ୍ଚେ । ହସ୍ତ ନ ପାଇଲା ସୁସଞ୍ଚେ ॥୧୪୨
ରୋଳ ଆଣିଲା ଧାତିକାରେ । ଉଠିଲା ତଥିର ଉପରେ ॥୧୪୩
ସବୁ ଖାଇଲା ଦୁଧସର । ତୁଣ୍ତୁ ମୋ' ନଇଲା ଉତ୍ତର ॥୧୪୪
ପୁଣି ଗୋପୀଏ ହୋଇ ଆଗେ । କୋପେକହଇ ବେଗେ ବେଗେ ॥୧୪୫
ଭୋ ମାତ ଗଲି ନୀର ଆଣି । ତୋ' ସୁତ ଖାଇଲା ଲବଣି ॥୧୪୬
ଆସି ହୋଇଲି ବେଗେ ଘର । ବସିଛି ପିଣ୍ତାର ଉପର ॥୧୪୭
ବୋଇଲା ଗଲୁ ଏତେବେଳ । ତୋ' ଘରେ ପଶିଥିଲା ଚୋର ॥୧୪୮
ମୁଁ ଏବେ ବସିଅଛି ଜଗି । ଖାଇବି ଆନଘରେ ମାଗି ॥୧୪୯
ଖରେ ପଶିଲି ଘରେ ମୁହିଁ । ଦେଖିଲି ଗଲାଣି ପଳାଇ ॥୧୫୦
ପୁଣି ଗୋପୀଏ ଆଗସରି । ବୋଲଇ ଶୁଣ ନନ୍ଦନାରୀ ॥୧୫୧
ଦିନେକ ମୋର ଘରେ ଗଲା । କରଅଞ୍ଜଳି ପ୍ରସାରିଲା ॥୧୫୨
ବୋଇଲା ଫୁଟିଲି ମୁଁ ପଥେ । ଲବଣି ଦିଅ ମୋର ହସ୍ତେ ॥୧୫୩
ହସ୍ତ ପୂରାଇ ଦିଅ ସର । ତୋ ଘରେ ନପଶିବ ଚୋର ॥୧୫୪
ଶୁଣି ସାନନ୍ଦ ମନେ ମୁହିଁ । ସର ଲୁଚାଏ ଦେଲି ନେଇ ॥୧୫୫
ହସ୍ତ ନ ପୂରଇ ତାହାର । ବୋଲଇ ଆଣ ଧାତିକାର ॥୧୫୬
ପୁଣି ଥୋକାଏ ଦେଲି ନେଇ । ଦେଖିଲି ହସ୍ତ ନ ପୂରଇ ॥୧୫୭
ଯେତେକ ଥିଲା ଘରେ ମୋର । ଦୁଧ ଲବଣି ଘୃତ ସର ॥୧୫୮
ସବୁ ଢାଳିଲି ବେଗେ ନେଇ । ଦେଖିଲି ହସ୍ତ ନ ପୂରଇ ॥୧୫୯
ପାଖ ପଡ଼ିଶା ଯେତେ ଘର । ସବୁ ଆଣିଲି ଘୃତ ସର ॥୧୬୦
କେବେହେଁ କର ନ ପୂରିଲା । ପୁଣି ହିଁ ଆଣ ଲୋ ବୋଇଲା ॥୧୬୧
ଦେଖି ମୁଁ ହୋଇଲି ଚକିତ । ଏକା ଗ୍ରାସକେ ଗର୍ଭଗତ ॥୧୬୨
ହସ୍ତ ବୋଳିଲା ମୋର ମୁେ । ପଳାଇଗଲା ଦାଣ୍ତେ ଦାଣ୍ତେ ॥୧୬୩
ଗୋପୀଙ୍କ ଭାଷା ଶୁଣି ଶୁଣି । କୋପେ ବୋଲଇ ନନ୍ଦରାଣୀ ॥୧୬୪
କୃଷ୍ଣର ଧରିଛନ୍ତି କର । ଭୟେ କମ୍ପନ୍ତି ଚକ୍ରଧର ॥୧୬୫
ଯଶୋଦା ବୋଲଇ ଲୋ ଶୁଣ । ଜାଣିଲି ପୁତ୍ର ଦୁଷ୍ଟପଣ ॥୧୬୬
ତୁମ୍ଭର ଜାଣିଲି ସଦୟେ । ଦେଲଟି ଲବଣି ଟିକାଏ ॥୧୬୭
ଏତେକେ ବୁଡ଼ିଲା ତୋ' ଘର । ଭଣ୍ତ ଲୋ ମୋହର ଆଗର ॥୧୬୮
ବାଳୁତ ପୁଅ ହସ୍ତ କାହିଁ । ଶତେ ନଉତି ନପୂରଇ ॥୧୬୯
ଏତେ ଅନୀତି କଥା କହ । ଜାଣତ ଦୁଷ୍ଟ ମୋର ପୁଅ ॥୧୭୦
ଏ ଛାର ତୁମ୍ଭର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ ॥୧୭୧
ଦାସବତ୍ସଳ ଭଗବାନ । ଚାହିଁଲେ ଗୋପୀଙ୍କ ବଦନ ॥୧୭୨
ଗୋପୀ କରିବେ ତା'ଙ୍କୁ କିସ । ଏମନ୍ତ ପ୍ରଭୁ ହୃଷୀକେଶ ॥୧୭୩
ମୋହନ କରି ହସ ହସ । ଗୋପୀ ହୋଇଲେ ସର୍ବେବଶ ॥୧୭୪
ତକ୍ଷଣେ ସ୍ନେହଭର ହୋଇ । ଗୋପୀଏ ଏକୁ ଆରେ ଚାହିଁ ॥୧୭୫
କୃଷ୍ଣର ମୁଖେ ଚୁମ୍ବ ଦେଇ । ଯେ ଯାହା ଘରକୁ ସେ ଯାଇ ॥୧୭୬
ଶୁଣ ପରୀକ୍ଷ ମହୀପାଳ । ବାଳକଲୀଳା ନନ୍ଦବାଳ ॥୧୭୭
ଦିନେକ ରାମ ବନମାଳୀ । ବାଳକ ମେଳେ ଗଲେ ଖେଳି ॥୧୭୮
ଆନନ୍ଦେ କ୍ରୀଡ଼ାରଙ୍ଗେ ଫୁଟି । ତୁଣ୍ତେ ଭରିଲେ କୃଷ୍ଣ ମାଟି ॥୧୭୯
ରାମ ଦେଖିଣ ଗଲେ ଖରେ । କହିଲେ ଯଶୋଦା ଛାମୁରେ ॥୧୮୦
ଶୁଣ ଜନନୀ ମୋ' ଉତ୍ତର । ମାଟି ଭକ୍ଷିଲା ତୋ' କୁମର ॥୧୮୧
ଯାଇ ମୁଁ ଧଇଲି ତା' ହସ୍ତ । ମାରଇ ବୋଲି ଭୟଚିତ୍ତ ॥୧୮୨
ବେଗେ ସେ ଛଡ଼ାଇଲା ହସ୍ତ । ମୋ ଅଙ୍ଗେ ମାଇଲା ବହୁତ ॥୧୮୩
ଶୁଣି ଯଶୋଦା ବେଗେ ଯାଇ । ଧଇଲେ କୃଷ୍ଣ କର ଦୁଇ ॥୧୮୪
କୋପ ନୟନେ ଗୋପୀ ଚାହେଁ । ଭୟେ କମ୍ପନ୍ତି ଦେବରାୟେ ॥୧୮୫
ଯଶୋଦା କୋପେ ପରଜ୍ୱଳି । ଛାଟ ଉଞ୍ଚାଇ ଦେଲେ ଗାଳି ॥୧୮୬
ସର-ଲବଣି ତୁ ପକାଉ । କାହାର ବୋଲେ ମାଟି ଖାଉ ॥୧୮୭
ଆଜ ମାରିବି ତୋତେ ଘରେ । କହିବି ପିତାଙ୍କ ଛାମୁରେ ॥୧୮୮
ପୋଏ କହିଲେ ଶୁଣ ମାଏ । ଭକ୍ଷିଲେ ମୃତ୍ତିକା ମୁଠାଏ ॥୧୮୯
ଶୁଣି ଯଶୋଦା କୋପ କରି । ଛାଟ ଉଞ୍ଚାଇ ଦେଲେ ଗାଳି ॥୧୯୦
ଅଞ୍ଚଳେ ବାନ୍ଧି ବେନି ହସ୍ତ । ଭୟେ କମ୍ପନ୍ତି ଗୋପୀନାଥ ॥୧୯୧
ଛାଟ ଉଞ୍ଚାନ୍ତେ ନନ୍ଦନାରୀ । କାନ୍ଦି କହନ୍ତି ନରହରି ॥୧୯୨
ଏହାଙ୍କ ଘରେ ମୁହିଁ ଯାଇ । ଲବଣି ଭୁଞ୍ଜଇ ଚୋରାଇ ॥୧୯୩
ସେ ଘେନି କହୁଛନ୍ତି ଖଚ । ତୁଣ୍ତ ମୋ' ଦେଖ ତୁ ପ୍ରତ୍ୟକ୍ଷ ॥୧୯୪
ବଳଦେବ ହିଁ ମୋତେ ହିଂସି । ତୋଆଗେ କହିଲେ ସେ ଆସି ॥୧୯୫
ମୋ ତୁଣ୍ତେ ଥିଲେ ସିନା ମାଟି । ତେବେହେଁ ମୋତେ ଛାଟେପିଟି ॥୧୯୬
ହସ୍ତରୁ ବେଗେ ଛାଟ ପକା । ମାଏ ବୋଇଲେ ତୁଣ୍ତ ଦେଖା ॥୧୯୭
ଶୁଣି ସାନନ୍ଦ ଚକ୍ରଧର । ବିସ୍ତାରି ଦେଖାନ୍ତି ଅଧର ॥୧୯୮
ତକ୍ଷଣେ ବେନିପାଟି ଧରି । ତୁଣ୍ତେ ଚାହିଁଲେ ନନ୍ଦନାରୀ ॥୧୯୯
ଦେଖଇ ଅଶେଷ ବ୍ରହ୍ମାଣ୍ତ । ସପତ-ମହୀ ନବଖଣ୍ତ ॥୨୦୦
ସ୍ଥଳ ସାଗର ମହୀଧର । ଶଶୀ ନକ୍ଷତ୍ର ଦିବାକର ॥୨୦୧
ଦିଶ ଆକାଶ ଅନ୍ତରାଳ । ଗ୍ରହ ପବନ ମେଘମାଳ ॥୨୦୨
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱସଂସାରେ ଯେତେ ହେତୁ ॥୨୦୩
ନଗ୍ର ପାଟଣା ପୁର ଗ୍ରାମ । ନଦୀ ପର୍ବତ ଘୋରବନ ॥୨୦୪
ମଥୁରାପୁର ଆଦି କରି । ଗୋପନଗର ନରନାରୀ ॥୨୦୫
ବାଳକ ମେଳେ ନନ୍ଦଦ୍ୱାରେ । କୃଷ୍ଣଙ୍କୁ ଘେନିଛନ୍ତି କରେ ॥୨୦୬
ରୋହିଣୀ ଛନ୍ତି ରାମ ଘେନି । ସ୍ତୁତି କରନ୍ତି ସୁର ମୁନି ॥୨୦୭
ଦେଖି ଚକିତ ନନ୍ଦରାଣୀ । ମୂର୍ଚ୍ଛିତେ ପଡ଼ିଲେ ଧରଣୀ ॥୨୦୮
ପୁଣି କ୍ଷଣକେ ପାଇ ଜ୍ଞାନ । ଭାଳଇ ଦେଖିଲି ସ୍ୱପନ ॥୨୦୯
କେଉଁ ଦେବତା ମାୟା କଲା । ମୋହର ମନକୁ ମୋହିଲା ॥୨୧୦
କି ଅବା ହୋଇଲଇଁ ବାଇ । ଜ୍ଞାନ ହାରିଲି ଗର୍ଭ ଚାହିଁ ॥୨୧୧
ଏ ବଡ଼ ପଡ଼ିଲା ସଂଶୟ । ଏବେ କି ବୁଦ୍ଧି ମୋର ମୋହ ॥୨୧୨
ଜଗତ ଦେଖିଲି ତ ଗର୍ଭେ । ଏହା ବୁଝିବି କେଉଁ ଭାବେ ॥୨୧୩
ପୁତ୍ରର କାହିଁ ଏଡ଼େ ଗର୍ଭ । ଏ କି ଅନାଦି ପଦ୍ମନାଭ ॥୨୧୪
ସିଦ୍ଧ ପୁରୁଷ ଅବା ଜାତ । ଏହାକୁ ବୋଲଇ ମୁଁ ସୁତ ॥୨୧୫
କିବା ଡାକିନୀ ମାୟା କଲା । ଗର୍ଭେ ତ ଏମନ୍ତ ଦିଶିଲା ॥୨୧୬
ନ ପୁଣ ପଡ଼ଇ ପ୍ରମାଦ । ଶୋକେ ଯଶୋଦା ଗଦଗଦ ॥୨୧୭
ଏତ ନୁହଁଇ ଭଲ ଚିହ୍ନ । ମୋହର ମନ ଛନ ଛନ ॥୨୧୮
ଏମନ୍ତ ଭାଳି ନନ୍ଦରାଣୀ । ମନ ବଚନ ଚିତ୍ତେ ଗୁଣି ॥୨୧୯
ନ ଜାଣି ବାଇ ପ୍ରାୟ ହୋଇ । ଭାଳଇ ଦଶଦିଗ ଚାହିଁ ॥୨୨୦
ପୁଣ କ୍ଷଣକେ ଅନୁମାନି । ଚିତ୍ତେ ଚିନ୍ତଇ ଭୟ ଘେନି ॥୨୨୧
ଯାହାର ମାୟାଘୋର ଭ୍ରମେ । ଜୀବ ଭ୍ରମଇ ପଥଶ୍ରମେ ॥୨୨୨
ମୁହିଁ ମୋହର ଏ ସଂସାର । ପତି ତନୟ ବନ୍ଧୁ ମୋର ॥୨୨୩
ସ୍ୱାମୀର ପତ୍ନୀ ମୁହିଁ ସରି । ସର୍ବ ସମ୍ପଦ ମୁଁ ଆବୋରି ॥୨୨୪
ଏ ଗୋପୀ ଗୋପ ଗୋରୁ ଧନ । ସର୍ବ ଆବୋରି ମୋର ମନ ॥୨୨୫
ଯା'ର ମାୟାରେ ଏହି ମତି । ସେ ହରି ମୋତେ କରୁ ଗତି ॥୨୨୬
ଏତେ ବିଚାରି କଲା ଭୟ । ମାୟା ମୋହିଲେ ଦେବରାୟ ॥୨୨୭
ତକ୍ଷଣେ କୃଷ୍ଣେ କରି କୋଳ । ନମଇଁ ଦଶଦିଗ ପାଳ ॥୨୨୮
ଜୟ ଚଣ୍ତିକା ଗୋ ମଙ୍ଗଳା । ରଖ ମୋ ଏକଇର ବଳା ॥୨୨୯
ଗଜବଦନ କ୍ଷେତ୍ରପାଳେ । ପୁତ୍ର ମୋ ରଖ ସର୍ବକାଳେ ॥୨୩୦
ନମଇଁ ଗୋବିନ୍ଦର ପାୟେ । ରିଷ୍ଟ ଖଣ୍ତିବେ ମୋ' ତନୟେ ॥୨୩୧
ଏମନ୍ତ ବୋଲି କୃଷ୍ଣେ ଘେନି । ଘରେ ମିଳିଲା ନନ୍ଦରାଣୀ ॥୨୩୨
ଗୋରଜ କୃଷ୍ଣଦେହେ ବୋଳି । ଅନେକ କଲା ନିଉଛାଳି ॥୨୩୩
ପୁତ୍ରକୁ କରାଇ ସ୍ନାହାନ । ବ୍ରାହ୍ମଣେ ଦେଲା ମିଷ୍ଟଅନ୍ନ ॥୨୩୪
ସ୍ତନ୍ୟ ପିଆଇ କୋଳେ ଧରି । ନିଦ୍ରା କରାଇଲା ମୁରାରି ॥୨୩୫
ବୋଲେ ପରୀକ୍ଷ ଶୁକ ଚାହିଁ । ତୁମ୍ଭରେ ନିସ୍ତରିଲି ମୁହିଁ ॥୨୩୬
ନନ୍ଦ ଯଶୋଦାଙ୍କର ତପ । ଭୋ ମୁନି କହିବା ସ୍ୱରୂପ ॥୨୩୭
ଯାହାର ନାମ ହୃଦେ ଘେନି । ସଂସାରୁ ତରିଯା'ନ୍ତି ମୁନି ॥୨୩୮
ତପେ ବିଧାତା ଯାକୁ ଧାୟି । ଯା' ନାମ ଶଙ୍କର ଜପଇ ॥୨୩୯
ଦେବେ ନ ଜାଣନ୍ତି ଯାହାକୁ । ସେ କେହ୍ନେ ପ୍ରାପତ ନନ୍ଦକୁ ॥୨୪୦
ଯଶୋଦା କଲା କେଡ଼େ ଭାଗ୍ୟ । ତାହାର କୋଳେ ପଦ୍ମନାଭ ॥୨୪୧
ଗର୍ଭରେ ଧରି ଦଶମାସ । ଦେବକୀ ହୋଇଲା ନିରାଶ ॥୨୪୨
କୃଷ୍ଣର ଏତେ ବଡ଼ ମାୟା । ଏହାରେ କଲେ ଏଡ଼େ ଦୟା ॥୨୪୩
କହିବା ମୋତେ ମୁନିବର । ନିର୍ମଳ ହେଉ ମୋ ଶରୀର ॥୨୪୪
ମୁନି କହନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି ॥୨୪୫
ଶୁଣ ରାଜନ କୃଷ୍ଣକଥା । ସୃଷ୍ଟିର ଆଦ୍ୟକାଳେ ଧାତା ॥୨୪୬
ଅଷ୍ଟବସୁଙ୍କୁ ଜାତ କଲା । ଜଣ ଜଣକେ ନାମ ଦେଲା ॥୨୪୭
ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଦ୍ରୋଣବସୁ ନାମ ଯାହାର ॥୨୪୮
ପତ୍ନୀର ନାମ ତାର ଧରା । ସମ ନୁହଁଇ ଅପସରା ॥୨୪୯
ପୁତ୍ର-ବଧୂଙ୍କୁ ରାଇ ଧୀର । ଆଦେଶ ଦେଲେ ବେଦବର ॥୨୫୦
ବେଦପ୍ରମାଣେ ସୃଷ୍ଟି କର । ସଂସାର ହୋଇବ ତୁମ୍ଭର ॥୨୫୧
ଶୁଣି ଯୋଡ଼ିଲେ ବେନିକର । ମଧୁରେ କହନ୍ତି ଉତ୍ତର ॥୨୫୨
ବୋଲନ୍ତି ଶିରେ କର ଦେଇ । ଭୋ ତାତ ଏଣେ କାର୍ଯ୍ୟ ନାହିଁ ॥୨୫୩
ଆମ୍ଭର ଚିତ୍ତ ଅପ୍ରମାଦେ । ଭକତି ହେଉ କୃଷ୍ଣପାଦେ ॥୨୫୪
ତେବେ କରିବୁଁ ତୋ ବଚନ । ଭୋ ତାତ ହୋଇବା ପ୍ରସନ୍ନ ॥୨୫୫
ସନ୍ତୋଷେ ବୋଲେ ପ୍ରଜାପତି । ଗୋବିନ୍ଦେ ହେଉ ତୁମ୍ଭ ମତି ॥୨୫୬
ହରିଙ୍କି ଧାୟି ତପକରି । ଶୀତ ବରଷା ଅପହରି ॥୨୫୭
ସୂର୍ଯ୍ୟତେଜକୁ ନାହିଁ ଭୟେ । ତପ କରନ୍ତି କୃଷ୍ଣଲୟେ ॥୨୫୮
ତାହା ଜାଣିଲେ ନାରାୟଣ । ବ୍ରାହ୍ମଣ ରୂପେ ପରସନ୍ନ ॥୨୫୯
କୃଷ୍ଣ ଆରାଧି ତପ କରି । ପୁତ୍ର ମୋ ହୋଇବେ ମୁରାରି ॥୨୬୦
ଏହାଉଁ ଆନ କାର୍ଯ୍ୟ ନାହିଁ । ତୁମ୍ଭ ଚରଣେ କହିଲଇଁ ॥୨୬୧
ଶୁଣି ହସିଲେ ଭାବଗ୍ରାହୀ । କହନ୍ତି ଦୁହିଁଙ୍କି ଅନାଇ ॥୨୬୨
ଗୋପରେ ହୁଅ ଯାଇ ଜାତ । ତୁମ୍ଭେ ଯେ ହୋଇବ ମହତ ॥୨୬୩
ଦ୍ୱାପର ଯୁଗେ ଭାରା ନାଶେ । ଜନ୍ମ ହୋଇବେ ପୀତବାସେ ॥୨୬୪
ଦେବକୀ ଗର୍ଭେ ହୋଇ ଜାତ । କୃଷ୍ଣ ହୋଇବେ ତୁମ୍ଭ ସୁତ ॥୨୬୫
ପୁତ୍ର ବୋଲାଇବେ ତୁମ୍ଭର । ଅସୁର କରିବେ ସଂହାର ॥୨୬୬
ଏଗାର ବତ୍ସର ତୋ ଘରେ । ବଞ୍ଚିବେ ପୁତ୍ରସ୍ନେହ ଭରେ ॥୨୬୭
ଗୋପରେ କରିଣ ବିହାର । ବିଜେ କରିବେ ମଧୁପୁର ॥୨୬୮
ନିଜ ସ୍ୱରୂପ ଧରି ହରି । ତାହାଙ୍କ ଆଶା ପୂର୍ଣ୍ଣକରି ॥୨୬୯
ଏତେକ କହି ନାରାୟଣ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥୨୭୦
କୃଷ୍ଣ ଆଦେଶ ଘେନି ଶିରେ । ଜନ୍ମ ହୋଇଲେ ଗୋପପୁରେ ॥୨୭୧
କୃଷ୍ଣଙ୍କୁ ତପବଳେ ପାଇଁ । ପାଳନ୍ତି ପିତାମାତା ହୋଇ ॥୨୭୨
ଶୁଣ ସୁଜନେ କୃଷ୍ଣବାଣୀ । ନିର୍ମଳ ହୁଅ ମନେ ଗୁଣି ॥୨୭୩
ପୁରାଣ ଗୀତବନ୍ଧେ କଲି । ରାମକୃଷ୍ଣଙ୍କ ବାଳକେଳି ॥୨୭୪
ଏଥକୁ ହୁଅ ଦୃଢ଼ଚିତ୍ତ । କହଇ ଦାସ ଜଗନ୍ନାଥ ॥୨୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ନବମୋଽଧ୍ୟାୟଃ ।
</poem>
==='''ଦଶମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ନମଇଁ ପ୍ରଭୁ ବନମାଳୀ । ସୁଖସାଗର ବାଳକେଳି ॥୧
ଦିନେକ ଦେବୀ ଯଶୋବନ୍ତୀ । ସେବକୀମାନ ହକାରନ୍ତି ॥୨
ଆଜ୍ଞା ପ୍ରମାଣେ ଦାସୀଗଣେ । ଆସି ମିଳିଲେ ଜଣେ ଜଣେ ॥୩
ଯଶୋଦା ବୋଲନ୍ତି ଉତ୍ତର । ଘର ବେଭାର ତୁମ୍ଭେ କର ॥୪
ଦଧିମନ୍ଥିବି ଆଜ ମୁହିଁ । ଲବଣି କେତେ ଜାଣିବଇଁ ॥୫
ମନେ ଜାଣିଲେ ଭାବଗ୍ରାହୀ । ଭକ୍ତଜନଙ୍କ ସତ୍ୟ ପାଇଁ ॥୬
ଗୋପୀ ଯେ କହିଥିଲେ ଗତେ । ମୋହର କଥାମାନ ଯେତେ ॥୭
ସେକଥା କରିବଇଁ ସତ୍ୟେ । ଯଶୋଦା ଯିବନା ପରତେ ॥୮
ମାୟା ମୋହିଲେ ନରହରି । ଦାସଜନଙ୍କ ସତ୍ୟେ କରି ॥୯
ଏମନ୍ତ ବୋଲି ଆଜ୍ଞାଦେଲେ । ମନ୍ଥନ ଦଣ୍ତ ଅଣାଇଲେ ॥୧୦
ମନ ଆନନ୍ଦେ ନନ୍ଦନାରୀ । ଦଧିଭାଣ୍ତରେ ଖୁଆଭରି ॥୧୧
ଯଶୋଦା ହୋଇଲାକ ସଜ । ଯାହାର ସୁତ ଦେବରାଜ ॥୧୨
ପିନ୍ଧି ସୁରଙ୍ଗ ପାଟଶାଢ଼ି । ରତ୍ନମେଖଳା ଅଛି ଭିଡ଼ି ॥୧୩
ପୃଥୁଳ ନିତମ୍ବ ଯୁଗଳ । ସୁବର୍ଣ୍ଣ ଚୁଡ଼ି ବେନିକର ॥୧୪
ବେନିସ୍ତନରୁ କ୍ଷୀର ଝରେ । ନୂପୁର ବାଜଇ ପୟରେ ॥୧୫
ହୃଦରେ ହାର କର୍ଣ୍ଣେ କାପ । ଶିରେ ସୀମନ୍ତ ଦିବ୍ୟରୂପ ॥୧୬
ଖୁଆ ଦଉଡ଼ି ଧରି କରେ । ବାମ ଦକ୍ଷିଣେ ଚାଲେ ଧୀରେ ॥୧୭
ଦଉଡ଼ି ଟାଣିବାର ଡ଼ରେ । ବସ୍ତ୍ର ନରହେ ଦେବୀ ଶିରେ ॥୧୮
କବରୀ ଫିଟି ଲୋଟେ ତଳେ । ପୁଷ୍ପ ପଡ଼ନ୍ତି ମାଳେ ମାଳେ ॥୧୯
ହୃଦେ କମ୍ପନ୍ତି ପୟୋଧର । କଙ୍କଣ ନାଦ ବେନିକର ॥୨୦
ମୁଖେ ଶୋଭିତ ଶ୍ରମଝାଳ । ରଙ୍ଗ ଅଧରେ ସୁକପୋଳ ॥୨୧
ଦଧି ମନ୍ଥଇ ମନତୋଷେ । କୃଷ୍ଣ ମିଳିଲେ ତା'ର ପାଶେ ॥୨୨
ସ୍ତନ୍ୟ ପିଇବା ଆଶେ ହରି । ଜନନୀ ବସ୍ତ୍ର କରେ ଧରି ॥୨୩
ଦେଖି ଯଶୋଦା କୋପଭର । କୃଷ୍ଣଙ୍କୁ ବୋଲନ୍ତି ଉତ୍ତର ॥୨୪
ଯାଅ ନଧର ଏତେବେଳେ । ପଛେ ଘେନିବି ତୋତେକୋଳେ ॥୨୫
ଶୁଣି କାନ୍ଦନ୍ତି ବନମାଳୀ । ଦେଖି ଯଶୋଦା ଦେଇ ଗାଳି ॥୨୬
କୃଷ୍ଣଙ୍କୁ କରାଇଲେ ତୁନି । ସୁସ୍ୱରେ କରି ଗୀତଧ୍ୱନି ॥୨୭
ବାଳୁତ କାଳୁ ଯେତେ ଜାଣି । ସୁମରି ଗାଏ ନନ୍ଦରାଣୀ ॥୨୮
କୋଇଲି ଛନ୍ଦେ ଗାଇ ଗୀତ । ଶୁଣି କାନ୍ଦନ୍ତି ଗୋପୀନାଥ ॥୨୯
ହସ୍ତ ବଢ଼ାଇ ଗୋପୀନାଥେ । ଖୁଆ ଧଇଲେ ବାମହସ୍ତେ ॥୩୦
ଯଶୋଦା ନପାରିଲା ଚାଳି । କୋଳେ ଧଇଲା ବନମାଳୀ ॥୩୧
ସ୍ତନ୍ୟ ପିଆଇ ତୋଷମନ । ଶ୍ରୀମୁଖେ ଦେଲାକ ଚୁମ୍ବନ ॥୩୨
ଶୁଣ ପରୀକ୍ଷ ଏକଚିତ୍ତ । ଏମନ୍ତ ହୋଇ ବିପରୀତ ॥୩୩
ଚୁଲିରେ ବସିଥିଲା କ୍ଷୀର । ଚାହିଁଲେ ପ୍ରଭୁ ଚକ୍ରଧର ॥୩୪
ତକ୍ଷଣେ ପଡ଼ିଲା ଉତୁରି । ଦେଖିଲା ଯଶୋଦା ସୁନ୍ଦରୀ ॥୩୫
କୃଷ୍ଣଙ୍କୁ ପକାଇଲା ତଳେ । ଅଜ୍ଞାନ-ମୋହ-ମାୟା-ଭୋଳେ ॥୩୬
ଧାମଇଁ କରେ ଜଳ ଘେନି । ପଡ଼ି କାନ୍ଦନ୍ତି ଅନ୍ତର୍ଯ୍ୟାମି ॥୩୭
କୋପ ବସିଲା କୃଷ୍ଣଙ୍କର । ଦନ୍ତେ କାମୋଡ଼ିଲେ ଅଧର ॥୩୮
ଉଠିଲେ ଭବସୁଖଦାତା । ଘରୁ ଆଣିଲେ ଶିଳପୁତା ॥୩୯
ପିଟିଲେ ଦଧିଭାଣ୍ତେ ନେଇ । ଭାଜି ଗୋରସ ଗଲା ବହି ॥୪୦
ତା' ଦେଖି ଗୋବିନ୍ଦ କାତରେ । ଲୁଚିଲେ ଗମ୍ଭୀରି ଭିତରେ ॥୪୧
ଘରେ ଲବଣି ଥିଲା ଯେତେ । ସବୁ ଖାଇଲେ ବେନିହସ୍ତେ ॥୪୨
କ୍ଷୀର ଉତାରି ଗୋପବାଳୀ । ପୁଣି ମନ୍ଥନ ସ୍ଥାନେ ମିଳି ॥୪୩
ଦେଖ ଚକିତ ଗାଲେ ହସ୍ତ । ଏଡ଼େ କରମ କଲା ସୁତ ॥୪୪
ବାଳୁତ କାଳୁ ଏଡ଼େ କୋପୀ । ସତ କହନ୍ତି ମୋତେ ଗୋପୀ ॥୪୫
ତାହାଙ୍କୁ ନିନ୍ଦିଲି ମୁଁ କୋପେ । ଏବେ ତ ଦେଖିଲି ସ୍ୱରୂପେ ॥୪୬
ଆଜ କରିବି ପ୍ରତିଫଳ । ଗୋପୀଏ ଛାଡ଼ନ୍ତି ଚହଳ ॥୪୭
ବଢ଼ିଲା କହୁଁ କହୁଁ କୋପ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପ ॥୪୮
ଛାଟ ଲୁଚାଇ ପଛଭାଗେ । ମିଳିଲା ଗମ୍ଭୀରିର ଲାଗେ ॥୪୯
ଦ୍ୱାରେ ଚାହିଁଲେ ଦେବୀ ଧୀର । ଦେଖିଲେ ପ୍ରଭୁ ଦାମୋଦର ॥୫୦
ରୋଳ ଉପରେ ଗୋପୀନାଥ । ଶିକା ଧରିଣ ବାମହସ୍ତ ॥୫୧
ଶିକାରେ ଥିଲା ଯେ ଲବଣି । କୃଷ୍ଣ ତା' ବେନିକରେ ଆଣି ॥୫୨
ମାର୍ଜାରୀ ପାଞ୍ଚ ସାତ ମେଳେ । ଲବଣି ଖାନ୍ତି କୁତୂହଳେ ॥୫୩
ଦ୍ୱାରକୁ ଚାହିଁ ଚକ୍ରଧର । ଭୟେ କମ୍ପନ୍ତି ଯେହ୍ନେ ଚୋର ॥୫୪
ଦେଖି ଯଶୋଦା ପରଜ୍ୱଳି । ଯଷ୍ଟି ଉଞ୍ଚାଇ ଦେଲେ ଗାଳି ॥୫୫
ଆଜ କରିବି ଖଣ୍ତ ଖଣ୍ତ । ଛାଟେ ପିଟିବି ତୋର ପିଣ୍ତ ॥୫୬
ଦେଖି ଚକିତ ଭାବଗ୍ରାହୀ । ରୋଳୁଁ ପଡ଼ିଲେ ବେଗେ ଡ଼େଇଁ ॥୫୭
କୃଷ୍ଣ ପଳାନ୍ତି ଭୟ ଘେନି । ପଛେ ଗୋଡ଼ାନ୍ତି ନନ୍ଦରାଣୀ ॥୫୮
ପଳାନ୍ତି ପଛକୁ ଅନାଇଁ । ପଛେ ଯଶୋଦା ଛନ୍ତି ଧାଇଁ ॥୫୯
ଯାହାର ନାହିଁ ଆଦି ଅନ୍ତ । ଧ୍ୟାନେ ଚିନ୍ତନ୍ତି ମୁନି ସନ୍ଥ ॥୬୦
ତାହାଙ୍କୁ ପୁତ୍ର ପ୍ରାୟେ ମଣି । ପଛେ ଧାମଇଁ ଗୋପାଳୁଣୀ ॥୬୧
ପୃଥୁ ନିତମ୍ବ ପାୟୋଧରେ । ଗୋଡ଼ାଇ ନପାରଇ ଖରେ ॥୬୨
ପୁଣି ଗୋଡ଼ାଇ ପଛେ ଝୁଣ୍ଟି । ଘଡ଼ିକେ ଉଠି ଘର୍ମେ ଫୁଟି ॥୬୩
ପୁଣି ଗୋଡ଼ାଇ ପୁଣ ପଡ଼ି । ପାୟେକ ଉଠିଣ ହାବୋଡ଼ି ॥୬୪
କେଶ ଫିଟିଲା ଶ୍ରମଝାଳେ । ଫୁଲ ପଡ଼ଇ ଫିଟି ତଳେ ॥୬୫
ଏମନ୍ତ ଯଶୋଦାର ଗତି । ଦେଖି ଆନନ୍ଦ ଶିରୀପତି ॥୬୬
ଯାହାର ଆଦି ଅନ୍ତ ନାହିଁ । ଯଶୋଦା ପାଇବ ତା' କାହିଁ ॥୬୭
ଜାଣିଣ ଯଶୋଦା ବିକଳ । ଲେଉଟି ଚାହେଁ ଆଦିମୂଳ ॥୬୮
ମନେ ବିଚାର ଭାବଗ୍ରାହୀ । ଯଶୋଦାଠାରେ ଦୟା ବହି ॥୬୯
ଯେବେ ମୁଁ ଯିବିଟି ପଳାଇ । କେ ମୋତେ ପାରିବ ଗୋଡ଼ାଇ ॥୭୦
ଏତେ ବିଚାରି ଦୟାନିଧି । ରଜ୍ଜୁରେ ହୋଇବଇଁ ବନ୍ଦୀ ॥୭୧
ମାତାର ଶ୍ରମ ମନେ ଜାଣି । ରହିଲେ ପ୍ରଭୁ ବେନୁପାଣି ॥୭୨
ଧାଇଁ ଧଇଲେ ଦେବୀ କରେ । ଛାଟ ଉଞ୍ଚାଇ କୋପଭରେ ॥୭୩
ଭୟେ କମ୍ପନ୍ତି ଚକ୍ରଧର । ଚକ୍ଷୁ ଘଷନ୍ତି ବାମକର ॥୭୪
କୃଷ୍ଣ ବିକଳ ଦେଖି ମାତା । ଛାଟ ପକାଇ କଲେ ଚିନ୍ତା ॥୭୫
ବୋଲଇ ବାନ୍ଧିବି ଏହାରେ । ବ୍ୟାପାର କରୁଥିବି ଘରେ ॥୭୬
ରୋଳେ ଖଟାଇ ଥିବି ନିତି । ଏଣେ ନ ଥିବ ମୋର ଭୀତି ॥୭୭
ଏତେ ବିଚାରି ନନ୍ଦନାରୀ । ରୋଳ ଆଣିଲା ବେଗ କରି ॥୭୮
ଦଉଡ଼ି ଦେଖି ମାତା ହାତେ । କାନ୍ଦନ୍ତି ପ୍ରଭୁ ଗୋପୀନାଥେ ॥୭୯
ଅଣ୍ଟାରେ ଯୋଚିଲାକ ନେଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥୮୦
ତକ୍ଷଣେ ଦୀର୍ଘ ରଜ୍ଜୁ ଆଣି । ନେଇ ଯୋଖିଲା ନନ୍ଦରାଣୀ ॥୮୧
ଯୋଖନ୍ତେ ପୁଣି ସେ ତୁଟିଲା । ବେନି ଅଙ୍ଗୁଳ ନ ଅଣ୍ଟିଲା ॥୮୨
ପୁଣି ଯୋଖିଲା ଖଣ୍ତ ଦୁଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥୮୩
ପୁଣି ପଶିଲା ଘରେ ଯାଇ । ଦଉଡ଼ି ଆଣେ କନ୍ଧେ ବହି ॥୮୪
ଏମନ୍ତେ ଘରେ ଯେତେ ଥିଲା । ଯୋଖନ୍ତେ ପୁଣି ନଅଣ୍ଟିଲା ॥୮୫
ସାହି ପଡ଼ିଶା ଯେତେ ଘର । ଦଉଡ଼ି ଆଣେ କୋପଭର ॥୮୬
ତାହା ଯୋଖିଲା ବେଗେ ନେଇ । ଦେଖିଲା ପୁଣି ନଅଣ୍ଟଇ ॥୮୭
କେବେହେଁ ନ ପାରିଲା ବାନ୍ଧି । କରଚରଣ ତଳେ ରୁନ୍ଧି ॥୮୮
ଗୋପୀ ଅଇଲେ ତାହା ଶୁଣି । ଯଶୋଦା ବାନ୍ଧେ ପୁଣ ପୁଣି ॥୮୯
ଗୋପୀ ହସନ୍ତି ତାହା ଚାହିଁ । ସମସ୍ତେ ମୁଖେ ବସ୍ତ୍ର ଦେଇ ॥୯୦
ଏକ ଆରେକ କରତାଳି । ମାରନ୍ତି ହୋଇ କୁତୂହଳି ॥୯୧
ବୋଲନ୍ତି ପରିହାସ ବାଣୀ । ଦଉଡ଼ି ନ ପାରିଲୁ ଆଣି ॥୯୨
ରାଣୀ ବୋଲାଅ ଗୋପପୁରେ । ନାନା ଭଣ୍ତାର ତୋର ଘରେ ॥୯୩
ଦଉଡ଼ି ନାହିଁ ତୋ' ଭୁବନେ । ବାଳକ ବାନ୍ଧିବୁ କେସନେ ॥୯୪
ଶୁଣି ଯଶୋଦା ଲାଜ ପାଇ । ରହିଲା ଭୂମିକୁ ଅନାଇ ॥୯୫
ସଂକୋଚେ ହୋଇ ଜରଜର । କାତରେ କମ୍ପଇ ଶରୀର ॥୯୬
କେଶ ବସନ ଅସମ୍ଭାଳ । ଖୋସାରୁ ଖସେ ଫୁଲମାଳ ॥୯୭
ଯଶୋଦା ଶ୍ରମ ଦେଖି ହରି । ନିଜ ବନ୍ଧନେ ମନକରି ॥୯୮
ତକ୍ଷଣେ ଦଉଡ଼ି ଅଣ୍ଟିଲା । କୃଷ୍ଣଙ୍କୁ ରୋଳେ ଖଟାଇଲା ॥୯୯
ଯେ ହରି ତିନିଗୁଣେ ଛନ୍ଦି । ସଂସାର କରିଅଛି ବନ୍ଦୀ ॥୧୦୦
ତାଙ୍କୁ ବାନ୍ଧିଲା ନନ୍ଦନାରୀ । ପୂର୍ବେ ଅନେକ ତପକରି ॥୧୦୧
ମାତାଙ୍କୁ ଯେତେ ଦୟା କଲେ । ବ୍ରହ୍ମା ଶଙ୍କର ନ ପାଇଲେ ॥୧୦୨
କମଳା ସେବେ ପଦ୍ମପାଦ । ସେହି ନ ପାଇଲା ପ୍ରସାଦ ॥୧୦୩
ଭକତ ଜନେ ଯେତେ ଦୟା । ଜ୍ଞାନୀ ପାଇବେ କାହିଁ ତାହା ॥୧୦୪
ଜନନୀ ବାନ୍ଧିଗଲା ରୋଳେ । ଯାମଳା ଅର୍ଜୁନର ତଳେ ॥୧୦୫
ଗୃହ ବ୍ୟାପାରେ ଦେଲା ମନ । ଏବେ ତୁ ଶୁଣ ହୋ ରାଜନ ॥୧୦୬
କୃଷ୍ଣ ଚାହିଁଲେ ବୃକ୍ଷ ଦୁଇ । ବିଚାର କଲେ ଭାବଗ୍ରାହୀ ॥୧୦୭
ପୂର୍ବେ କୁବେର ବେନିସୁତେ । ବୃକ୍ଷ ହୋଇଲେ ଭୋଳ ଚିତ୍ତେ ॥୧୦୮
ନାରଦ ତହୁଁ ଶାପ ପାଇ । ଅନେକ କାଳୁ ଛନ୍ତି ରହି ॥୧୦୯
ସେ ମୁନି ବୋଲିଛନ୍ତି ଯାହା । ଅବଶ୍ୟ କରିବି ମୁଁ ତାହା ॥୧୧୦
ଏତେ ବିଚାରି ବନମାଳୀ । ରୋଳ ଟାଣିଲେ ପାଦ ଚାଳି ॥୧୧୧
ମିଳିଲେ ବେନି ବୃକ୍ଷ ତଳେ । ଟେକି ଚାହିଁଲେ ବେନି ଡୋଳେ ॥୧୧୨
ସେ ହରି ଚରଣପଙ୍କଜ । ସୁଜନଜନେ ନିତ୍ୟ ଭଜ ॥୧୧୩
ଏହା ଶୁଣନ୍ତେ ନରନାରୀ । ହେଳେ ତରିବେ ଭବବାରି ॥୧୧୪
ଶ୍ରୀକୃଷ୍ଣ ବାଳକ ଚରିତ । କହଇ ଦାସ ଜଗନ୍ନାଥ ॥୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ରୋଳ ବନ୍ଧନ ନାମୋ ଦଶମୋଧ୍ୟାୟଃ ।
</poem>
==='''ଏକାଦଶ ଅଧ୍ୟାୟ'''===
<poem>
ଶୁକ ବଚନ ଶୁଣି ରାୟେ । ପଡ଼ଇ ପୁନଃ ପୁନଃ ପାୟେ ॥୧
ମନ ଆନନ୍ଦେ ନୃପବର । ମୁନିଙ୍କି ବୋଲନ୍ତି ଉତ୍ତର ॥୨
;ପରୀକ୍ଷିତ ଉବାଚ
ଭୋ ମୁନି କୁବେର କୁମରେ । ବୃକ୍ଷ ହୋଇଲେ ଗୋପପୁରେ ॥୩
କି ଦୋଷ କଲେ ନାରଦରେ । ଶାପ ପାଇଲେ କି ପାପରେ ॥୪
ଯାହାଙ୍କ ଦେହେ ନାହିଁ ରୋଷ । ବିଶେଷେ ଗୋବିନ୍ଦର ଦାସ ॥୫
ପିତାର ଦିଗପାଳ ପଦ । ଅର୍ଜିଲେ ଅନେକ ସମ୍ପଦ ॥୬
ଏଡ଼େ ଅନୀତି ଆଚରିଲେ । ନିର୍ଗୁଣ ମୁନିଙ୍କି ଚାଳିଲେ ॥୭
ତେଣୁ ହୋଇଲେ ବୃକ୍ଷ ଦୁଇ । ଗୋପ ନଗରେ ବେନିଭାଇ ॥୮
ସେକଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥୯
ମୁନି ବୋଲନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି ॥୧୦
;ଶୁକ ଉବାଚ
ନଳକୂବର ମଣିଗ୍ରୀବ । ତପେ ତୋଷିଲେ ସଦାଶିବ ॥୧୧
ପ୍ରସନ୍ନ ହୋଇ ଉମାକାନ୍ତ । ବର ଯାଚିଲେ ବିଶ୍ୱନାଥ ॥୧୨
ଶୁଣି ସାନନ୍ଦ ବେନିଭାଇ । କହନ୍ତି ଶିରେ କର ଦେଇ ॥୧୩
ଆନ ସମ୍ପଦେ କାର୍ଯ୍ୟ ନାହିଁ । ଶୁଣିମା ତ୍ରୈଲୋକ୍ୟ ଗୋସାଇଁ ॥୧୪
ଶତେକ ଯକ୍ଷ-ଅପସରୀ । ଆମ୍ଭେ ରମିବୁ ବନେ ହେରି ॥୧୫
ଅସ୍ତୁ ବୋଇଲେ ଶୂଳପାଣି । ଦଇବ ମିଳାଇଲା ଆଣି ॥୧୬
କନ୍ୟା ସମେତେ ବେନିଭାଇ । ମିଳିଲେ ଗଙ୍ଗାତୀରେ ଯାଇ ॥୧୭
ବାରୁଣୀ ମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥୧୮
ଦଇବେ ନିଦାଘର କାଳ । ଡେଇଁ ପଶିଲେ ଗଙ୍ଗାଜଳ ॥୧୯
ବସ୍ତ୍ର ପାଲଟି ବୃକ୍ଷତଳେ । କନ୍ୟାଏ ପଶିଗଲେ ଜଳେ ॥୨୦
କରନ୍ତି ନାନା ରଙ୍ଗେ କେଳି । ହାସ-ପରିହାସ-ଢମାଳି ॥୨୧
ଏମନ୍ତ ସମୟେ ନାରଦ । ଯା'ନ୍ତେ କରନ୍ତି ବୀଣାବାଦ୍ୟ ॥୨୨
ଆଶ୍ରମ ନାମେ ବଦରିକା । ତହିଁକି ଯାଉଛନ୍ତି ଏକା ॥୨୩
ହରି ଭକତି ହୃଦେ ଧ୍ୟାୟୀ । ନାଚନ୍ତି ବୀଣାବାଦ୍ୟ ବାଇ ॥୨୪
କନ୍ୟାୟେ ନାରଦଙ୍କୁ ଦେଖି । ତକ୍ଷଣେ କ୍ରୀଡ଼ାନ୍ତ ଉପେକ୍ଷି ॥୨୫
ଜଳୁ ଉତୁରି ଯେଝାମତେ । ବସ୍ତ୍ର ସେ ପିନ୍ଧିଲେ ତୁରିତେ ॥୨୬
ଭୟେ କମ୍ପନ୍ତି ଥରହର । ନ ପୁଣ କୋପେ ମୁନିବର ॥୨୭
ଲୁଚିଲେ ବୃକ୍ଷଙ୍କର ପଛେ । ନାରଦ ଦେଖନ୍ତି ପ୍ରତ୍ୟକ୍ଷେ ॥୨୮
ଜଳେ କ୍ରୀଡ଼ନ୍ତି ବେନିଭାଇ । ଦେଖିଲେ କନ୍ୟାମାନ ନାହିଁ ॥୨୯
ଭୋଳେ ଚାହାନ୍ତି ଦଶଦିଗେ । ବସ୍ତ୍ର ହିଁ ନାହିଁ କଟୀଭାଗେ ॥୩୦
ମଦ୍ୟେ ଅରୁଣ ବେନିଆଖି । ମୁନିଙ୍କି ଚାହାନ୍ତି ନିରେଖି ॥୩୧
ଦେଖି ନାରଦ ମୁନିବର । ବୀଣା ଶବଦ କଲେ ସ୍ଥିର ॥୩୨
କୂଳେ ରହିଲେ ଆଡ଼ ହୋଇ । ଦୟାରେ ବିଚାରନ୍ତି ଚାହିଁ ॥୩୩
ଏ ବେନି କୁବେର ନନ୍ଦନ । ମଦେ ହୋଇଲେ ହତଜ୍ଞାନ ॥୩୪
ଦଇବ କଲା ୟାଙ୍କୁ ନାଶ । ତେଣୁ ହୋଇଲା ବୁଦ୍ଧିଭ୍ରଂଶ ॥୩୫
ସ୍ୱଭାବେ ରଜୋଗୁଣ ଛନ୍ଦେ । ଅଜ୍ଞାନ ହେଲେ ମୋହବନ୍ଧେ ॥୩୬
କେ ଏହା ପାରେ ଆନ କରି । ଯାବତ ଥାଇ ଦେହ ଧରି ॥୩୭
ବହୁତ ଥାଇ ଯା'ର ଧନ । ବନ୍ଧୁରେ ସେହି ଶ୍ରେଷ୍ଠ ଜନ ॥୩୮
ପର ରମଣୀ ଯେହୁ ହରେ । ଯେ ପ୍ରାଣୀ ମଦ୍ୟପାନ କରେ ॥୩୯
ଜୁଆ ଖେଳନ୍ତି ଭୋଳ ହୋଇ । ଚୋରି କରନ୍ତି ଲୋଭ ବହି ॥୪୦
ଐଶ୍ୱର୍ଯ୍ୟ ମଦର ଲକ୍ଷଣ । ତ୍ରିବିଧ ଅଟେ ଏହା ଜାଣ ॥୪୧
ବହୁ ସ୍ତ୍ରୀସଙ୍ଗ ସୁରାପାନ । ଦ୍ୟୁତ-କ୍ରୀଡ଼ାରେ ରସେ ମନ ॥୪୨
ଧିକ ଏ ଅଇଶ୍ୱର୍ଯ୍ୟ ଜାଣ । ପରରେ ଦିଅନ୍ତି କଷଣ ॥୪୩
ଏକ ଆରକେ ହିଂସା ବହି । ନରକେ ପଡୁଥା'ନ୍ତି ଯାଇ ॥୪୪
ନଶ୍ୱର-ଦେହକୁ ଅଜର । ଅମର ପରା କରି ସ୍ଥିର ॥୪୫
ଜୀବ ହିଂସନ୍ତି ଆନନ୍ଦରେ । ଶୋଚନା ନ ଥାଇ ମନରେ ॥୪୬
ମାଂସ ଭକ୍ଷଣେ ପଶୁ ମାରେ । ଯେ ଦୟା ଧର୍ମ ନ ବିଚାରେ ॥୪୭
ଦେହକୁ ବୋଲନ୍ତି ମୋହର । ପାପକୁ ନାହିଁ ଯା'ର ଡର ॥୪୮
ଅଜ୍ଞାନ ମୋହେ ହୋନ୍ତି ମତ୍ତ । ନରକେ ପଡ଼ନ୍ତି ତୁରିତ ॥୪୯
ଦେହରୁ ପ୍ରାଣ ଗଲେ ଛାଡ଼ି । ରହଇ ମୃତପିଣ୍ତ ପଡ଼ି ॥୫୦
ଭୂଦେବ ନରଦେବ ହେଲେ । ଅନ୍ତେ ଏ ନାଶ ଲଭେ ଭଲେ ॥୫୧
ଏ ଦେହୁ ଜୀବ ଯିବା କାଳେ । ପଶଇ ଭସ୍ମକୀଟ ମେଳେ ॥୫୨
ଏ ଦେହ ପାଇଁ ମାରେ ଜନ୍ତୁ । ଅଜ୍ଞାନ ନରକର ହେତୁ ॥୫୩
ଜ୍ଞାନ ହୁଅଇ ଏତେ ଭ୍ରମ । ଜନ୍ମ ମରଣେ ପଥଶ୍ରମ ॥୫୪
ଏ ଦେହ କହିବା କାହାର । ମାତାପିତା ବା ବନ୍ଧୁଙ୍କର ॥୫୫
କି ଅନ୍ନଦାତା କି ରାଜାର । କି ଅଗ୍ନି ଶ୍ୱାନ ଶୃଗାଳର ॥୫୬
କି ଅବା ନିଜର ଏ ଦେହ । କେ ଏହା କରିବ ନିର୍ଣ୍ଣୟ ॥୫୭
ଅଥବା ବଳ ଅଛି ଯା'ର । ତାହାର ଏଥେ ଅଧିକାର ॥୫୮
ଅବ୍ୟକ୍ତ ତହୁଁ ଜାତ ହୋଇ । ପୁଣି ସେ ତହିଁରେ ମିଶଇ ॥୫୯
ଏ ଦେହ ପାଇଁ ଜନ୍ତୁ ମାରେ । ମୂଢ଼ ନ ହେଲେ କେବା କରେ ॥୬୦
ସମ୍ପଦ ମଦେ ଯେହୁ ଅନ୍ଧ । ସମ୍ପଦ-ନାଶ ତା ଔଷଧ ॥୬୧
ଦରିଦ୍ର ପଣେ ଦୁଃଖ ପାଇ । ଆତ୍ମାକୁ ଜଗତେ ଦେଖଇ ॥୬୨
କଣ୍ଟା ନ ବହେ ଯା ଚରଣ । ସେ କି ଜାଣଇ ସେ କଷଣ ॥୬୩
ସୁଖୀ ନ ଜାଣେ ପର ବ୍ୟଥା । ଜୀବ ମାରଣେ ସାମରଥା ॥୬୪
ଯାହାର ଦେହେ କ୍ଷତ ହୋଇ । ସେ ଜାଣେ ସୁଖଦୁଃଖ ଦୁଇ ॥୬୫
ଦରିଦ୍ର ଜନ କ୍ଳେଶ ପାଇ । ଇନ୍ଦ୍ରିୟ ଭୋଗେ ନ ରସଇ ॥୬୬
କ୍ଷୁଧାରେ ଶୁଷ୍କ ଯା' ଶରୀର । ସେ କାହୁଁ ହିଂସିବ ଅପର ॥୬୭
ଏଣୁ ଦୁଃଖୀର ଦୁଃଖୀପଣ । ପରମ ତପସ୍ୟା ସମାନ ॥୬୮
ହରି ଭକତ ସାଧୁଜନ । ସଙ୍ଗ ଲଭଇ ଅକିଞ୍ଚନ ॥୬୯
ସମ ମଣଇ ଦୁଃଖସୁଖେ । ତାହାକୁ ନାରାୟଣ ରଖେ ॥୭୦
ଏତେ ବିଚାରି ମୁନିବର । ଚଞ୍ଚଳ ଚିତ୍ତକଲେ ସ୍ଥିର ॥୭୧
ବୋଲନ୍ତି ଦୟାଭାବ ଚିତ୍ତେ । ନାଶ ଏ ଯିବେ ଏହି ମତେ ॥୭୨
ଦଇବେ ଗର୍ବ ଏହାଙ୍କର । ଅଜ୍ଞାନ ସଂସାର ବେଭାର ॥୭୩
ମାଗିଲେ ଶତେକନ୍ୟା ରତି । ଏ ମୂଢ଼େ କିଛି ନ ଜାଣନ୍ତି ॥୭୪
ଭୋଳ ହୋଇଲେ ମଦ୍ୟ ଖାଇ । ଏବେ ତରିବେ ବେନିଭାଇ ॥୭୫
ଦେହକୁ ନ ଜାଣନ୍ତି ଭୋଳେ । ବୃକ୍ଷ ହୋଇବେ ଏକତୁଲେ ॥୭୬
କୋପେ ବୋଲନ୍ତି ମୁନିବର । ଶୁଣ ହେ କୁବେର କୁମର ॥୭୭
ଅର୍ଜୁନ ବୃକ୍ଷ ରୂପ ହୋଇ । କାଳ ବଞ୍ଚିବ ବେନିଭାଇ ॥୭୮
ମୋତେ ଯେ ନଚିହ୍ନିଲ ବ୍ରହ୍ମ । ତେଣୁ ହୋଇବ ଉଚ୍ଚଦ୍ରୁମ ॥୭୯
ଏତେ ବୋଲିଣ ମୁନି ଗଲେ । କନ୍ୟାଏ ତାହାଙ୍କୁ କହିଲେ ॥୮୦
ଶାପ ବିହିଲେ ମହାଋଷି । ବୋଇଲେ ସ୍ଥାବର ହୁଅସି ॥୮୧
ଶୁଣି କମ୍ପିଲେ ଭାଇ ବେନି । ଯାଇ ଭେଟିଲେ ବ୍ରହ୍ମମୁନି ॥୮୨
ପାଦେ ପଡ଼ିଣ ମାଗି ଗତି । ବୋଇଲେ ଶୁଣ ବ୍ରହ୍ମଯତି ॥୮୩
ଆମ୍ଭର ମତି-ଭୋଳପଣେ । ଗର୍ବ ବହିଲୁ ଅକାରଣେ ॥୮୪
ଅମୋଘ-ବଚନ ଏ ତୋର । ବିଅର୍ଥ ନୋହେ ମୁନିବର ॥୮୫
ଉତ୍ତମକୁଳେ ହୋଇ ଜନ୍ମ । କଲୁ ଯେ ପାପ ନୀତିମାନ ॥୮୬
ଏମନ୍ତେ କାନ୍ଦି ଉଚ୍ଚସ୍ୱରେ । ବୋଲନ୍ତି କୁବେର-କୁମରେ ॥୮୭
ବିକଳ ଦେଖି ବ୍ରହ୍ମଋଷି । ବୋଇଲେ ବଚନ ଆଶ୍ୱାସି ॥୮୮
ଆମ୍ଭ ବଚନ ମିଥ୍ୟା ନୋହି । ବୃକ୍ଷ ହୋଇବ ବେନିଭାଇ ॥୮୯
ନନ୍ଦ-ବରଜେ ଦେହଧରି । ବୃକ୍ଷ ହୋଇବ ମର୍ତ୍ତ୍ୟପୁରୀ ॥୯୦
ଅଷ୍ଟାବିଂଶତି ଦ୍ୱାପରେଣ । ଜନ୍ମ ଲଢ଼ିବେ ନାରାୟଣ ॥୯୧
ବିଷ୍ଣୁର ଦିବ୍ୟରୂପ ଚାହିଁ । ସ୍ୱର୍ଗେ ଆସିବ ବେନିଭାଇ ॥୯୨
ଯହୁଁ କରୁଣା ଶୂଳ ପାଣି । ଶତେକ କନ୍ୟା ଦେଲେ ଆଣି ॥୯୩
ତୁମ୍ଭର ଶାପ ମୋକ୍ଷ ଯାଏ । ଏମାନେ ଥିବେ ସେହିଠାଏ ॥୯୪
ଈଶ୍ୱର ବର ନୋହେ ଆନ । ଆସି ରମିବ କନ୍ୟାମାନ ॥୯୫
ଅର୍ଜୁନବୃକ୍ଷ ରୂପ ହୋଇ । ଗୋପେ ଜନମ ବେନିଭାଇ ॥୯୬
ଶତେ-ବରଷ ଦେବମତେ । କୃଷ୍ଣଙ୍କୁ ଭେଟ ଶାପଅନ୍ତେ ॥୯୭
ଭକତି ହେଉ କୃଷ୍ଣପାଦେ । ଶାପୁଁ ତରିବ ଅପ୍ରମାଦେ ॥୯୮
ମୁନିଶାପରେ ବେନିଭାଇ । ବୃକ୍ଷ ହୋଇଲେ ଗୋପେ ଯାଇ ॥୯୯
ଶୁଣ ପାଣ୍ତବ-ଚୂଡ଼ାମଣି । ରୋଳ ଟାଣିଲେ ଚକ୍ରପାଣି ॥୧୦୦
ବୃକ୍ଷରେ ଦେଇ ବେନିହସ୍ତ । ମନେ ଚିନ୍ତନ୍ତି ଗୋପୀନାଥ ॥୧୦୧
ନାରଦ-ବଚନ ମୋହର । ପାଳିବା ଉଚିତ ବେଭାର ॥୧୦୨
ଦାସବତ୍ସଳ ବ୍ରହ୍ମରାଶି । ବୃକ୍ଷଙ୍କ ମଧ୍ୟେ ଗଲେ ପଶି ॥୧୦୩
ରୋଳ ଲାଗନ୍ତେ ବେନିବୃକ୍ଷେ । ଗୋବିନ୍ଦ ଟାଣିଲେ ପ୍ରତ୍ୟେକ୍ଷେ ॥୧୦୪
ଉପୁଡ଼ି ଗଲା ବେନି ମୂଳ । ପଡ଼ି କମ୍ପିଲେ ପତ୍ର-ଡ଼ାଳ ॥୧୦୫
ଶବଦ ମେଘ-ଘଡ଼ଘଡ଼ି । ପଡ଼ିଲେ କୃଷ୍ଣ-ଦେହ ଛାଡ଼ି ॥୧୦୬
ଦେହ ଲାଗନ୍ତେ ଭାବଗ୍ରାହୀ । ବାହାର ହେଲେ ବେନିଭାଇ ॥୧୦୭
ଅନଳ ପ୍ରାୟେ ତେଜରାଶି । ଗଞ୍ଜନ୍ତି ଦିବାକର-ଶଶୀ ॥୧୦୮
କୃଷ୍ଣଙ୍କୁ ଦେଖି ବେନିଭାଇ । ଚରଣେ ଶିର ଦେଲେ ନେଇ ॥୧୦୯
ଚିତ୍ତ ନିବେଶି ପଦ୍ମପାଦେ । ବୋଲନ୍ତି ଶୋକ-ଗଦଗଦେ ॥୧୧୦
କୃଷ୍ଣ-ପରମାନନ୍ଦ ହରି । ପରମପୁରୁଷ-ମୁରାରି ॥୧୧୧
ଲୀଳାଏ କରି ବିଶ୍ୱମାୟା । ଭକ୍ତଜନରେ କରୁ ଦୟା ॥୧୧୨
ତୋହର ରୂପ ଗୁଣ ଯେତେ । ବିପ୍ରେ ଜାଣନ୍ତି ବେଦମତେ ॥୧୧୩
ପୃଥିବୀ ଆଦି ପଞ୍ଚଭୂତ । ମନ-ଇନ୍ଦ୍ରିୟ-ଆତ୍ମତତ୍ତ୍ୱ ॥୧୧୪
କାଳସ୍ୱଭାବେ ଜନ୍ମ-ମୃତ୍ୟୁ । ଜୀବ-ପରମ ଆତ୍ମା ହେତୁ ॥୧୧୫
ଭକତ ଜନ ନିସ୍ତାରଣେ । ଶରୀର ବହୁ ତୁ କାରଣେ ॥୧୧୬
ତୋ' ନାମ ପରମ ମଙ୍ଗଳ । ତ୍ରାହି କରିବା ଆଦିମୂଳ ॥୧୧୭
ଅଷ୍ଟାଙ୍ଗଯୋଗ ଧ୍ୟାନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥୧୧୮
ନାରଦ ଭେଟିବାର ଫଳେ । ତୋତେ ଦେଖିଲୁ ଚର୍ମଡୋଳେ ॥୧୧୯
ଚକ୍ଷୁ-ଶ୍ରବଣ-ବୁଦ୍ଧି-ଶିର । ମନ-ବଚନ ବେନିକର ॥୧୨୦
ତୋହର ପାଦେ ନିତ୍ୟେ ଥାଉ । ତୋ' ନାମ ଧରି ଦିନ ଯାଉ ॥୧୨୧
ଅନେକ ଜନ୍ମେ ତପ କରି । ତୋତେ ଭେଟିଲୁ ନରହରି ॥୧୨୨
ତୋର ସେବକ ମିତ୍ରପଣେ । ଖଟିବୁ ତୋହର ଚରଣେ ॥୧୨୩
ଏମନ୍ତେ ବେନିକର ଯୋଡ଼ି । ଆଜ୍ଞା ମାଗିଲେ ପାୟେ ପଡ଼ି ॥୧୨୪
ହସି ବୋଲନ୍ତି ଭାବଗ୍ରାହୀ । ସାଧୁଙ୍କ ସଙ୍ଗ ଫଳ ଏହି ॥୧୨୫
ନାରଦ ଭେଟିବାର ଫଳୁ । ହେଳେ ତରିଲ ଭବଜଳୁ ॥୧୨୬
ମୋହର ପାଦେ ଯା'ର ମନ । ମୋ' ନାମ କରନ୍ତି କୀର୍ତ୍ତନ ॥୧୨୭
ପରେ କରନ୍ତି ଦୟାଚିତ୍ତ । ମାୟାରେ ନୁହନ୍ତି ମୋହିତ ॥୧୨୮
ଏହାଙ୍କ ଦରଶନ ପାଇ । ପାପ ତାହାଙ୍କୁ ନ ଲାଗଇ ॥୧୨୯
ଶୁଣ ହେ କୁବେର କୁମରେ । ନିଶ୍ଚିନ୍ତେ ଯାଅ ନିଜ ପୁରେ ॥୧୩୦
ଭକତି କରି ମୋର ପାଦେ । ମୋତେ ପାଇବ ଅପ୍ରମାଦେ ॥୧୩୧
କୃଷ୍ଣ-ବଚନ ଶିରେ ଧରି । ଉତ୍ତର ପଥେ ଗଲେ ଚଳି ॥୧୩୨
ଭକ୍ତ ବତ୍ସଳ ପୀତବାସ । କ୍ଷମା କରିବେ ମୋର ଦୋଷ ॥୧୩୩
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଏକାଦଶୋଽଧ୍ୟାୟଃ ।
</poem>
==='''ଦ୍ୱାଦଶ ଅଧ୍ୟାୟ'''===
<poem>
କୃଷ୍ଣ ଚରଣେ ଦେଇ ମନ । କହନ୍ତି ବ୍ୟାସଙ୍କ ନନ୍ଦନ ॥୧
;ଶୁକ ଉବାଚ
ଶୁଣ ପରୀକ୍ଷ ମହୀପାଳ । ଗୋପରେ ଶୁଭିଲା ଚହଳ ॥୨
ଭାଜିଣ ବେନି ବୃକ୍ଷ ପଡ଼ି । ଶୁଭିଲା ମେଘ ଘଡ଼ଘଡ଼ି ॥୩
ଭୂମି କମ୍ପଇ ଥରହର । ଗୋପାଳ ହୋଇଲେ ବାହାର ॥୪
ବୋଇଲେ ଏକୁ ଆରେ ଚାହିଁ । ଏ କି ଶବଦ କାହୁଁ ହୋଇ ॥୫
ନିର୍ଘାତ ଶୁଭିଲା ତ ଗୋଳ । ଗଗନେ ନାହିଁ ମେଘମାଳ ॥୬
କାହୁଁ ଏ ଶବଦ ଶୁଭିଲା । ଜାଣିଲେ ଅର୍ଜୁନ ଭାଜିଲା ॥୭
ତକ୍ଷଣେ ମିଳିଲେ ସକଳେ । ଯାମଳା ଅର୍ଜୁନର ତଳେ ॥୮
ବୋଲନ୍ତି ଭାଜିଲା କେମନ୍ତ । ପବନ ନାହିଁ ବଳବନ୍ତ ॥୯
ଶସ୍ତ୍ରେ ଛେଦିଲା ନାହିଁ କେହି । ଭିତରେ ମଞ୍ଜକିଳା ନାହିଁ ॥୧୦
କିମ୍ବା ପଡ଼ିଲା ମହୀତଳେ । ବେନି ଅର୍ଜୁନ ଏକାବେଳେ ॥୧୧
ଡାଳ ଦେଖନ୍ତେ ଏକ ଏକ । ଦେଖିଲେ ପଡ଼ିଛି ବାଳକ ॥୧୨
ଚକିତ ହୋଇ କଲେ କୋଳ । ବନ୍ଧନ ହୋଇଅଛି ରୋଳ ॥୧୩
କେ ନାରୀ କଲା ଏଡ଼େ କର୍ମ । ଚିହ୍ନିଲେ ଯଶୋଦା ନନ୍ଦନ ॥୧୪
ବାଳକେ ବୃକ୍ଷମୂଳେ ଥିଲେ । ଗୋପାଳମାନଙ୍କୁ କହିଲେ ॥୧୫
ଯଶୋଦା ରୋଳେ ବାନ୍ଧିଗଲା । ତଳେ ତା' ସୁତ କାନ୍ଦୁଥିଲା ॥୧୬
ବେନି ବୃକ୍ଷର ମଧ୍ୟେ ପଶି । ରୋଳ ସେ ଟାଣିଲା ଆକର୍ଷି ॥୧୭
ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗି । ଏହାର ଦେହ ଯହୁଁ ଲାଗି ॥୧୮
ବେନି ପୁରୁଷେ ଏହି ବୃକ୍ଷେ । ବାହାର ହୋଇଲେ ପ୍ରତ୍ୟେକ୍ଷ ॥୧୯
ତେଜେ ଗଞ୍ଜନ୍ତି ନିଶାକର । ଏହାର ପାଦେ ଦେଇ ଶିର ॥୨୦
କି କି ବୋଇଲେ ତା' ନ ଜାଣି । ଉତ୍ତରେ ଗଲେ ଏହିକ୍ଷଣି ॥୨୧
ଶୁଣି ହସିଲେ ଗୋପ ଲୋକେ । ବୋଲନ୍ତି ଏକକୁ ଆରକେ ॥୨୨
ବାଳବଚନ କାହିଁ ସତ୍ୟ । ମାୟା ମୋହିଲେ ଗୋପୀନାଥ ॥୨୩
ବନ୍ଧନ କଟୀଭାଗୁଁ ଫେଇ । ନନ୍ଦରକୋଳେ ଦେଲେ ନେଇ ॥୨୪
ଶୁଣି ମିଳିଲେ ନନ୍ଦ ନାରୀ । କୃଷ୍ଣଙ୍କୁ ଆଣ କୋଳକରି ॥୨୫
ଗ୍ରହ ଶଙ୍କିତେ ବ୍ରଜବାଳୀ । କୃଷ୍ଣଙ୍କୁ କଲେ ନିଉଛାଳି ॥୨୬
ଆନନ୍ଦ କଲେ ଗୀତ ଗାଇ । କୃଷ୍ଣ ନାଚନ୍ତି ତାଳି ଦେଇ ॥୨୭
ଗୋପୀ ବୋଲନ୍ତି କୃଷ୍ଣ ଶୁଣ । ଘର ଭିତରୁ ଆଣ ମାଣ ॥୨୮
ପାଣ୍ତୋଇ କଠାଉ ମସୁଣି । ଆଣ ତୁ ଦୁଧର ଦୁହୁଁଣୀ ॥୨୯
ଶୁଣି ଗୋବିନ୍ଦ ଘରେ ଯାଇ । ଆଣନ୍ତି କନ୍ଧେ ଶିରେ ବହି ॥୩୦
ଥୋଇ କରନ୍ତି କଉତୁକ । ଆହୁରି ଆଣିବଇଁ ଦେଖ ॥୩୧
ଭକତ ଜନଙ୍କୁ ସୁଫଳ । ଗୋପେ ଦେଖନ୍ତି ନନ୍ଦବାଳ ॥୩୨
ଭକତ ଜନେ ଦ୍ୟନ୍ତି ଦେଖା । ଗୋପେ ଅଇଲା କୋଳିବିକା ॥୩୩
ଡାକଇ କୋଳି କୋଳି ବାଣୀ । କୃଷ୍ଣ ଧାଇଁଲେ ତାହା ଶୁଣି ॥୩୪
ବସନ ନାହିଁ କଟୀଭାଗେ । ମିଳିଲେ ଧାନରାଣି ଲାଗେ ॥୩୫
ଧାନ ଆଞ୍ଜୋଳି ପେଟେ ଦେଇ । ବେଗେ ଧାଇଁଲେ ଭାବଗ୍ରାହୀ ॥୩୬
ମିଳିଲେ କୋଳିବିକା ଲାଗେ । ମାଣ ପାତିଲା ଦେଖି ବେଗେ ॥୩୭
କୃଷ୍ଣର ଦୃଷ୍ଟି ଅଛି ଫଳେ । ଧାନ ପଡ଼ିଲା ସବୁ ତଳେ ॥୩୮
ତକ୍ଷଣେ ଝାଡ଼ି ବେନିକର । ଆଞ୍ଜୋଳି କଲେ ଦାମୋଦର ॥୩୯
କର ପୂରୋଇ ଦେଲା ଫଳ । ବୋଲନ୍ତି ପ୍ରଭୁ ଚକ୍ରଧର ॥୪୦
ଭାଣ୍ତେ ତ ଅଛି କେତେ କୋଳି । ଟେକି ଚାହିଁଲେ ବନମାଳୀ ॥୪୧
ରତ୍ନ ହୋଇଲା ତତ୍କ୍ଷଣ । ଘରେ ମିଳିଲେ ନାରାୟଣ ॥୪୨
ଏବେ ହୋ ଶୁଣ ନରନାଥ । କୃଷ୍ଣର ବାଳକ ଚରିତ ॥୪୩
ଗୋକୁଳ ମଧ୍ୟେ ଏକ ନଦୀ । ବହଇ ବୃନ୍ଦାବନ ଭେଦି ॥୪୪
ସେ ନଦୀତୀରେ ଏକଦିନେ । ରାମ ଗୋବିନ୍ଦ ତୋଷମନେ ॥୪୫
ଖେଳନ୍ତି ନାନା କୁତୂହଳେ । ଗୋପବାଳକ ଗଣମେଳେ ॥୪୬
ଉଛୁର ଦେଖିଣ ରୋହିଣୀ । ଚଞ୍ଚଳେ ଗଲେ ପୁତ୍ରେ ଆଣି ॥୪୭
ଡାକନ୍ତି ମଧୁର ବଚନେ । ଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ ॥୪୮
କୋପେ ରୋହିଣୀ ବାହୁଡ଼ିଲା । ଯଶୋଦା ଛାମୁରେ କହିଲା ॥୪୯
ଶୁଣି ଯଶୋଦା ଗଲା ଖରେ । କୃଷ୍ଣ ଦେଖିଲା ନଦୀତୀରେ ॥୫୦
ପୁତ୍ରର ସ୍ନେହ-ମାୟା-ମୋହେ । ସ୍ତନଯୁଗଳୁ କ୍ଷୀର ବହେ ॥୫୧
କୃଷ୍ଣ-କମଳ-ମୁଖ ଚାହିଁ । ଡାକଇ ଅଙ୍ଗୁଳି ଦେଖାଇ ॥୫୨
ଆସ ମୋ ତାତ ପିଅ ସ୍ତନ୍ୟ । ଶ୍ରମେ ଆକୁଳ ତୋ' ବଦନ ॥୫୩
ଭୋଜନ ହୋଇଲା ଉଛୁର । ଆସ ତୁ ବେଗେ ଯିବା ଘର ॥୫୪
ହେ ରାମ ଆସ କୃଷ୍ଣ ଘେନି । ବହୁତ ଦେବଇଁ ଲବଣି ॥୫୫
ପିତା ଭୋଜନ-ବେଳ ହୋଇ । ସଙ୍ଗେ ଭୁଞ୍ଜିବ ବେନି ଭାଇ ॥୫୬
ବାଳକେ ଯା'ନ୍ତି ଯେଝା ଘର । ବେଳ ଯେ ହେଉଛି ଉଛୁର ॥୫୭
ଦେହ ତୋ ଧୂଳିରେ ଧୂସର । ଜନ୍ମ ନକ୍ଷତ୍ର ଆଜ ତୋ'ର ॥୫୮
ଅରିଷ୍ଟ-ଖଣ୍ତନେ ତୋହର । ବିପ୍ରଙ୍କୁ ଗୋରୁ ଦାନ କର ॥୫୯
ଦେଖ ବାଳକେ ତୋ'ର ସଙ୍ଗେ । ବିବିଧ ଅଳଙ୍କାର ଅଙ୍ଗେ ॥୬୦
ସ୍ନାନ ଭୋଜନ ଆସି କର । ଦେବଇଁ ନାନା ଅଳଙ୍କାର ॥୬୧
ଏମନ୍ତ ବୋଲି ନନ୍ଦରାଣୀ । କରେ ଧରିଲେ ଚକ୍ରପାଣି ॥୬୨
ରାମଙ୍କୁ କାଖରେ ବସାଇ । ଘରେ ମିଳିଲେ ଦେବୀ ଯାଇ ॥୬୩
କରାଇ ସ୍ନାହାନ ଭୋଜନ । ରଞ୍ଜିଲେ ରାମକୃଷ୍ଣ ମନ ॥୬୪
ଭୋଜନ ସାରି ଆଚମନ । ଆନନ୍ଦେ କରାଇ ଶୟନ ॥୬୫
ବିପ୍ରଙ୍କୁ ଆଣି ସେ ଡ଼କାଇ । ତାହାଙ୍କୁ ଗୋରୁଦାନ ଦେଇ ॥୬୬
ଅସ୍ତ ହୋଇଲେ ଦିନକର । ଗୋପାଳେ କରନ୍ତି ବିଚାର ॥୬୭
ଏକ ଆରକେ ଅବହେଳେ । ନନ୍ଦର ଦ୍ୱାରେ ମେଳ ହେଲେ ॥୬୮
ବସିଲେ ନନ୍ଦ ଉପନନ୍ଦ । ମଧ୍ୟେ ଅନନ୍ତ ଆଦିକନ୍ଦ ॥୬୯
ଗୋପାଳେ କରନ୍ତି ବିଚାର । ଶୁଭ ନ ଦିଶେ ଗୋପପୁର ॥୭୦
କହ କି କରିବା ଉପାୟ । ପୁତ୍ରଙ୍କୁ ଉପୁଜିଲା ଭୟ ॥୭୧
ଶୁଣି ଉଠିଲେ ଉପନନ୍ଦ । ଯାହାର ଜୀବନ ଗୋବିନ୍ଦ ॥୭୨
ଜ୍ଞାନବୟସେ ବୃଦ୍ଧପଣ । ଗୋପଙ୍କୁ କହଇ କାରଣ ॥୭୩
ଶିରେ ନିବେଶି ବେନିକର । ସଭୟେ କହଇ ଉତ୍ତର ॥୭୪
ଚାଲ ନ ଥିବା ଗୋପପୁରେ । ଘର କରିବା ଆନଠାରେ ॥୭୫
ଅନେକ ପଡ଼ିଲା ପ୍ରମାଦ । ପୁତ୍ରେ ତ ଆମ୍ଭର ସମ୍ପଦ ॥୭୬
ଦେଖ ଯଶୋଦାପୁତ୍ର ସଙ୍ଗେ । ଆମ୍ଭ ବାଳକେ ନାଶଯିବେ ॥୭୭
ଅଳପ ଦିନେ ମହାଭୟେ । ଆପଦ ପଡ଼ିଲା ଥୋକାଏ ॥୭୮
ତୋ'ର ପୁତ୍ରକୁ ଦେଖ ନନ୍ଦ । କେତେ ନ ପଡ଼ିଲା ପ୍ରମାଦ ॥୭୯
ପୂତନା ମୁଖୁଁ ଅଛି ତରି । ଶୂନ୍ୟେ ଦଇତ୍ୟ ନେଲା ହରି ॥୮୦
ଶକଟ ଉପରେ ପଡ଼ିଲା । ସେ ବେଳେ ଗୋବିନ୍ଦ ରଖିଲା ॥୮୧
ଏବେ ତରିଲା ପରମାଦୁ । ଯାମଳା ଅର୍ଜ୍ଜୁନ ଆପଦୁ ॥୮୨
ଚାଲ ନ ଥିବା ଏ ନଗର । ନାଶ ନ ହେଉ ଗୋପପୁର ॥୮୩
ଯଶୋଦା ଯେବେ ନ ଛାଡ଼ିବ । ଏକା ପୁତ୍ରକୁ ନ ପାଇବ ॥୮୪
ଚାଲ ଆପଦ ନୋହୁ ଯିବା । ତେବେ ସେ ପୁତ୍ରଙ୍କୁ ପାଇବା ॥୮୫
ସକଳେ ଦୃଢ଼ କର ମନେ । ଘର କରିବା ବୃନ୍ଦାବନେ ॥୮୬
ବହୁତ ଫଳ କନ୍ଦମୂଳ । ନିର୍ମଳ ଯମୁନାର ଜଳ ॥୮୭
ପର୍ବତ ନାମେ ଗୋବର୍ଦ୍ଧନ । ଗୋରୁଙ୍କୁ ଅଛି ଜଳ ତୃଣ ॥୮୮
ଗୋପୀଗୋପାଳ ତୋଷ ହେବେ । ବହୁତ କ୍ଷୀର ଗାଈ ଦେବେ ॥୮୯
କାଲି ପ୍ରଭାତୁ ହୁଅ ସଜ । ଭାର ଶକଟ ବେଗେ ସାଜ ॥୯୦
ଗୋଧନ ଚଳିଯା'ନ୍ତି ବେଗେ । ଗୋପ ବାଳକେ ଘେନି ସଙ୍ଗେ ॥୯୧
ସୁଖେ ରହିବା ବୃନ୍ଦାବନେ । କିଛି ନ ଭାଳ ତୁମ୍ଭେ ମନେ ॥୯୨
ଶୁଣି ମଣିଲେ ଗୋପହି୍ତ । ନିଜ ଭୁବନେ ଉପଗତ ॥୯୩
ଯେଝାରେ ଘେନିଣ ସମ୍ପଦ । ଯା'ନ୍ତେ କରନ୍ତି ଶିଙ୍ଗାନାଦ ॥୯୪
ନନ୍ଦ ଯଶୋଦା ଏକମେଳେ । ରୋହିଣୀ ସୁତ ଘେନି କୋଳେ ॥୯୫
ପାଶେ ଚଳନ୍ତି ଗୋପୀନାଥ । ଗାବନ୍ତି ନାନାରଙ୍ଗେ ଗୀତ ॥୯୬
ଶକଟମାନ ଯା'ନ୍ତେ ଖର । ଧୂଳିରେ ଛିନ୍ନ ଦିବାକର ॥୯୭
ମିଳିଲେ ବୃନ୍ଦାବନେ ଯାଇ । କୃଷ୍ଣଚରିତ ଗୀତ ଗାଇ ॥୯୮
ଗୋପାଳେ ଧନୁଶର ଘେନି । ନାନା ଶବଦେ ବେଣୁଧ୍ୱନି ॥୯୯
ଯାଇ ହୋଇଲେ ବୃନ୍ଦାବନ । ଆନନ୍ଦ ଗୋପୀଙ୍କର ମନ ॥୧୦୦
ଯେ ବନେ ବିଜେ ଗୋପୀନାଥ । ସର୍ବଦା ବହଇ ବସନ୍ତ ॥୧୦୧
ସୀମା ଆବୋରି ଗୋପପୁର । ଯେଝାରେ ତୋଳିଲେ ମନ୍ଦିର ॥୧୦୨
ଗ୍ରାମର ମଧ୍ୟେ ନନ୍ଦଘର । ଯହିଁ ବିଜୟ ଦାମୋଦର ॥୧୦୩
କୃଷ୍ଣ ଦେଖିଲେ ଗୋବର୍ଦ୍ଧନ । ଯମୁନା ନଦୀ ବୃନ୍ଦାବନ ॥୧୦୪
ଦେସା ଖିନନ୍ଦ ବେନି ଭାଇ । ବୋଲନ୍ତି ନନ୍ଦୁକୁ ବସାଇ ॥୧୦୫
ଯେତେ ଅଛନ୍ତି ବତ୍ସା ଘରେ । ଆମ୍ଭେ ରଖିବୁ ନଦୀତୀରେ ॥୧୦୬
ଭୋ ତାତ ନାହିଁ ତୁ ନ କର । ବତ୍ସା ରଖିବୁ ଆମ୍ଭେ ତୋ'ର ॥୧୦୭
ନନ୍ଦ ବୋଇଲେ ତୋଷ ହୋଇ । କାଲିହୁଁ ବତ୍ସା ରଖ ନେଇ ॥୧୦୮
ପିତାର ବଚନେ ମୁରାରି । ସାନନ୍ଦେ ଚରାନ୍ତି ବାଛୁରୀ ॥୧୦୯
ଗ୍ରାମ ନିକଟେ ଥା'ନ୍ତି ନିତ୍ୟେ । ବନେ ନଯା'ନ୍ତି ଭୟଚିତ୍ତେ ॥୧୧୦
ବ୍ୟାଘ୍ର ଭଲ୍ଲୁକ ସିଂହ ତ୍ରାସେ । ବତ୍ସା ଚରାନ୍ତି ଗ୍ରାମ ପାଶେ ॥୧୧୧
ଗୋପାଳ ପୋଏ ଥା'ନ୍ତି ସଙ୍ଗେ । ଖେଳନ୍ତି ନାନା ରସ ରଙ୍ଗେ ॥୧୧୨
କ୍ଷଣ କ୍ଷଣକେ ବେଣୁନାଦ । କେ କହୁ କୃଷ୍ଣର ଆନନ୍ଦ ॥୧୧୩
ଏକ ଆରକେ ଭୁଜ ଧରି । ଯୁଝନ୍ତି ବାହାନାଦ କରି ॥୧୧୪
ବେଲ ଅଏଁଳା କଣ୍ଟା ଫଳେ । ତୋଳି ଆଣନ୍ତି ବୃକ୍ଷୁଁ ବାଳେ ॥୧୧୫
ଏକ ଆରେକେ ମରାମରି । ସାକ୍ଷୀ କରାନ୍ତି ରାମହରି ॥୧୧୬
ନାନା ପକ୍ଷୀଙ୍କ ନାଦ ଶୁଣି । ପୋଏ ନାଚନ୍ତି ତାହା ଶୁଣି ॥୧୧୭
ଦିନେ ଯମୁନାତୀରେ ହରି । ଆନନ୍ଦେ ଚରାନ୍ତି ବାଛୁରୀ ॥୧୧୮
କଂସ ଆଦେଶ ବତ୍ସାସୁର । ଆସି ମିଳିଲା ଧାତିକାର ॥୧୧୯
କୃଷ୍ଣର ମୁଖକୁ ଚାହିଁଲା । ବାଛୁରୀ ରୂପକୁ ଧଇଲା ॥୧୨୦
ବତ୍ସା ଗହଳେ ଗଲା ପଶି । ରାମଙ୍କୁ ଦେଖାନ୍ତି ଶ୍ରୀବତ୍ସୀ ॥୧୨୧
ଦେଖ ଦଇତ୍ୟ ବତ୍ସା ପାଶେ । ଆମ୍ଭଙ୍କୁ ମାରିବାର ଆଶେ ॥୧୨୨
ମାୟା ବାଛୁରୀ ରୂପ ହୋଇ । କହି ହସନ୍ତି ଭାବଗ୍ରାହୀ ॥୧୨୩
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ ॥୧୨୪
ନିକଟେ ମିଳିଲେ ମୋହର । ପାଦେ କରିବି ଶତେ ଚୁର ॥୧୨୫
ତାହା ଜାଣିଲେ ନାରାୟଣ । ମୋହିଲେ କୁମାରଙ୍କ ମନ ॥୧୨୬
କଇଥ ଗଛ ଦେଖି ପୋଏ । ବୋଲନ୍ତି ରାମଙ୍କୁ ଥୋକାଏ ॥୧୨୭
ଏ ଫଳ ଦିଶଇ ସୁସଞ୍ଚ । ହସ୍ତ ନ ପାଏ ବଡ଼ ଉଚ୍ଚ ॥୧୨୮
ତୁ ରାମ ଅତି ବଳୀୟାର । ଫଳ ଥୋକାଏ ବୃକ୍ଷୁ ତୋଳ ॥୧୨୯
ଶୁଣି ସାନନ୍ଦ ବନମାଳୀ । ବତ୍ସା ନିକଟେ ଯାଇ ମିଳି ॥୧୩୦
ବେନିଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥୧୩୧
କରେ ଘୂରାନ୍ତେ ପ୍ରାଣ ଗଲା । ଜୀବନ ଗୋବିନ୍ଦେ ପଶିଲା ॥୧୩୨
ଦେବେ ଚକିତ ତାହା ଦେଖି । ବ୍ରହ୍ମା ହୋଇଲେ ଅତି ସୁଖୀ ॥୧୩୩
ଅସୁର ଦେହ ଲାଗି କରି । ଫଳ ପଡ଼ିଲା ବୃକ୍ଷୁ ଝଡ଼ି ॥୧୩୪
ବାଳକେ ଦେଖିଣ ଚକିତ । ବୋଲନ୍ତି ଧନ୍ୟ ନନ୍ଦସୁତ ॥୧୩୫
ଆନନ୍ଦେ ଦେବତାଏ ସ୍ତୁତି । କୃଷ୍ଣଙ୍କୁ କଲେ ପୁଷ୍ପବୃଷ୍ଟି ॥୧୩୬
ଏମନ୍ତେ ରାମ ବନମାଳୀ । ବତ୍ସା ରଖନ୍ତେ ବନେ କେଳି ॥୧୩୭
ସକାଳେ ଦଧି ଗୁଡ଼ ଅନ୍ନ । ଭୁଞ୍ଜନ୍ତି ରାମ ଭଗବାନ ॥୧୩୮
ନିତ୍ୟେ ଯମୁନାତୀରେ ଯାଇ । ବତ୍ସା ରଖନ୍ତି ବେନିଭାଇ ॥୧୩୯
ଗୋପାଳ ପୁଅ ଘେନି ସଙ୍ଗେ । ବନେ ବିହରି ନାନାରଙ୍ଗେ ॥୧୪୦
ବାଳକେ ଯେଝା ବତ୍ସା ଘେନି । ଚରାନ୍ତି କରି ବେଣୁ ଧ୍ୱନି ॥୧୪୧
ଦିନେ ନିଦାଘେ ଖରାବେଳେ । ମିଳିଲେ ଯାଇ ନଦୀକୂଳେ ॥୧୪୨
ବତ୍ସାଙ୍କୁ ପିଆଇ ବହନ । ସକଳେ କଲେ ଜଳପାନ ॥୧୪୩
କଂସର ମିତ୍ର ବକାସୁର । ସଧୀରେ ବିହରଇ ନୀର ॥୧୪୪
କୃଷ୍ଣଙ୍କୁ ଦେଖି କାମରୂପୀ । କ୍ଷଣ କ୍ଷଣକେ ତନୁବ୍ୟାପୀ ॥୧୪୫
ନିଜ ସ୍ୱଭାବେ ମହାକାୟେ । ଦେଖି ଡରିଲେ ଗୋପପୋଏ ॥୧୪୬
ଏ ବନେ ଏଡେ ବକ ଥାଇ । କହନ୍ତି ରାମଙ୍କୁ ଦେଖାଇ ॥୧୪୭
ଗୋପାଳ ପୋଏ ପରଶଂସି । ପର୍ବତଖଣ୍ତ ପ୍ରାୟେ ଦିଶି ॥୧୪୮
ତ୍ରାସେ ଉଠିଲେ ବେଗେ ତୀର । ଦେଖି ଧାଇଁଲା ବକାସୁର ॥୧୪୯
ଘୋର ଶବଦ ବେଗେ କଲା । ତକ୍ଷଣେ କୃଷ୍ଣଙ୍କୁ ଗିଳିଲା ॥୧୫୦
କୃଷ୍ଣ ନ ଦେଖି ଗୋପବାଳେ । ଢଳି ପଡ଼ିଲେ ମହୀତଳେ ॥୧୫୧
ଉଠିଣ କରନ୍ତି ରୋଦନ । ଚକିତେ ଚାହିଁ ଛନ୍ନଛନ୍ନ ॥୧୫୨
ବକାର ତାଳୁ ମୂଳେ ରହି । ତାହା ଜାଣିଲେ ଭାବଗ୍ରାହୀ ॥୧୫୩
ଦାସବତ୍ସଳ ନରହରି । ବେଗେ ଅନଳ ରୂପ ଧରି ॥୧୫୪
ପ୍ରଳୟ ଅଗ୍ନି ଜିଣି ତେଜ । ତା'ଳୁ ଦହିଲେ ଦେବରାଜ ॥୧୫୫
ତକ୍ଷଣେ ଘୋର ନାଦକରି । କୃଷ୍ଣଙ୍କୁ ପକାଇ ଉଦାରି ॥୧୫୬
ଧୀରେ ଛାହିଁଲା ବକାସୁର । ସୁନ୍ଦର ଦିଶିଲା ଶରୀର ॥୧୫୭
ଦେଖି ଶ୍ରୀକୃଷ୍ଣ କଳେବର । ପୁଣି ଧାଇଁଲା ରୋଷଭର ॥୧୫୮
କୃଷ୍ଣର ଦେହେ କ୍ଷତ ନାହିଁ । ଅସୁର ମନେ ବିଚାରଇ ॥୧୫୯
ପୁଣି ବିଚାରୁଅଛି ମନେ । ଏହାକୁ ମାରିବି କେସନେ ॥୧୬୦
ଏହାର ସୁକୁମାର ପିଣ୍ତ । ଥଣ୍ତେ କରିବି ଖଣ୍ତ ଖଣ୍ତ ॥୧୬୧
ବିସ୍ତାରି ବେନିପାଟି ତୋଳି । ବେଗେ ଧାଇଁଲା ମହାବଳୀ ॥୧୬୨
ଶୂନ୍ୟେ ଦେଖନ୍ତି ଦେବଗଣ । ଆଗ ହୋଇଲେ ନାରାୟଣ ॥୧୬୩
କରେ ଧଇଲେ ବେନିପାଟି । ଅସୁର ନ ପାରିଲା ଉଠି ॥୧୬୪
ବାଳକ ମେଳେଣ ଶ୍ରୀହରି । ଚିରିଲେ ବେନିଫାଳ କରି ॥୧୬୫
ଦେଖି ସାନନ୍ଦେ ବୃନ୍ଦାରକେ । କୁସୁମ ବରଷିଲେ ଥୋକେ ॥୧୬୬
ଦୁନ୍ଦୁଭି ବାଦ୍ୟନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥୧୬୭
ବାଳକେ ଦେଖିଣ ଚକିତ । ମାୟା ମୋହିଲେ ଗୋପୀନାଥ ॥୧୬୮
ତକ୍ଷଣେ ଆଲିଙ୍ଗନ କରି । ଗୋଠକୁ ଆଣିଲେ ବାଛୁରୀ ॥୧୬୯
ପୋଏ କହିଲେ ଯେଝାଘରେ । ପୁଣି ମିଳିଲେ ନନ୍ଦଦ୍ୱାରେ ॥୧୭୦
ବକର ତୁଣ୍ତୁ ଉବୁରିଲା । ଭାଗ୍ୟ ଗୋ ଯଶୋଦାର ଥିଲା ॥୧୭୧
ଶୁଣି ଚକିତ ଗୋପଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି ॥୧୭୨
ବୋଲନ୍ତି ଧର୍ମ ତିନିଲୋକେ । ସତ୍ୟ ବେଭାର ଜନମୁଖେ ॥୧୭୩
ନିର୍ଦ୍ଦୋଷ ପ୍ରାଣୀ ହିଂସା କରି । ଆପଣେ ଯାଉଛନ୍ତି ମରି ॥୧୭୪
ଏ ପୋଏ ବାଳକ ସ୍ୱଭାବେ । ଏହାଙ୍କୁ ହିଂସନ୍ତି ଦାନବେ ॥୧୭୫
ତେଣୁ ହୁଅନ୍ତି ମୃତ୍ୟୁ ସଙ୍ଗ । ଅନଳେ ଯେସନେ ପତଙ୍ଗ ॥୧୭୬
ପଣ୍ତିତଜନଙ୍କର କଥା । କେବେ ହେଁ ନୁହଁଇ ଅନ୍ୟଥା ॥୧୭୭
ଯାହା କହିଲେ ଗାର୍ଗ୍ୟଋଷି । ରାମକୃଷ୍ଣଙ୍କୁ ପରଶଂସି ॥୧୭୮
ସେ କଥା ହୋଇଲା ପ୍ରମାଣ । ଏହାଙ୍କୁ ରଖୁ ନାରାୟଣ ॥୧୭୯
ଆପଦ ଦେଖି ନନ୍ଦରାୟେ । ଶାନ୍ତି କରାଇଲେ ଥୋକାଏ ॥୧୮୦
ଗୋପେ ଗୋବିନ୍ଦ ଅଙ୍ଗସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥୧୮୧
ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଦ୍ୱାଦଶୋଽଧ୍ୟାୟଃ ।
</poem>
==='''ତ୍ରୟୋଦଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ବୋଲନ୍ତି ବ୍ୟାସମୁନି ଶିଷ । ଶୁଣ ରାଜନ କୃଷ୍ଣରସ ॥୧
ଗୋପ ନଗରେ ଶିରୀରଙ୍ଗେ । ଖେଳନ୍ତି କୁମାରଙ୍କ ସଙ୍ଗେ ॥୨
ଦିନ ହରନ୍ତି ବୃନ୍ଦାବନେ । ଘରେ ମିଳନ୍ତି ରାତ୍ରମାନେ ॥୩
ଏମନ୍ତେ ବୃନ୍ଦାବନେ କେଳି । ରାମ ଗୋବିନ୍ଦ ଗୋପବାଳୀ ॥୪
ଦିନେକ ପ୍ରଭୁ ଦେବରାଜ । ରାତ୍ରହୁଁ ଉପେକ୍ଷିଲେ ଶେଯ ॥୫
ରଜନୀ ଅଛି ବେନି ଘଡ଼ି । ନିଦ୍ରା ଉପେକ୍ଷି ନରହରି ॥୬
ମାତାଙ୍କୁ ଡାକି ବନମାଳୀ । ପୟରେ କଲେ ନିଉଛାଳି ॥୭
ଆଜ ମୁଁ ନ ଭୁଞ୍ଜିବି ଘରେ । ଅନ୍ନ ପୁଡ଼ାଏ ଦିଅ ମୋରେ ॥୮
ଦଇବେ ନିଦାଘର କାଳ । ଖରା ଲାଗନ୍ତେ ବହେ ଝାଳ ॥୯
ଶୀତଳ ବେଳୁ ଯିବୁ ବନ । ଅନ୍ନ ତୁ ଦିଅ ଗୋ ବହନ ॥୧୦
ଶୁଣି ସାନନ୍ଦ ନନ୍ଦରାଣୀ । ଅନ୍ନ ବାଢ଼ିଲେ ଘରୁ ଆଣି ॥୧୧
ନାନା ବ୍ୟଞ୍ଜନ ଗୁଡ଼ ଦଧି । ପୁଡ଼ା ଗୋଟିଏ ଦେଲେ ବାନ୍ଧି ॥୧୨
ଶିକାରେ ଘେନି ଅନ୍ନ ପୁଡ଼ା । ଶିଙ୍ଗା କାହାଳୀ ବେତଯୋଡ଼ା ॥୧୩
ଛନ୍ଦ ଦଉଡ଼ି କନ୍ଧେ ଘେନି । ଗୋବିନ୍ଦ କଲେ ଶିଙ୍ଗାଧ୍ୱନି ॥୧୪
ଗୋପ କୁମରେ ଥିଲେ ଶୋଇ । କର୍ଣ୍ଣେ ଶୁଭିଲା ନାଦ ଯାଇ ॥୧୫
ବନେ ଭୁଞ୍ଜିବା ଆଜ ଅନ୍ନ । କରିବା କ୍ରୀଡ଼ାରସମାନ ॥୧୬
ରାତ୍ରେ ସଂକେତ କରିଥିଲେ । ପ୍ରଭାତେ ବେଣୁଧ୍ୱନି କଲେ ॥୧୭
ଯେ ଯାହା ନାମ ଧରି ଡାକି । ବାଳକେ ଶୟନ ଉପେକ୍ଷି ॥୧୮
ନନ୍ଦର ଦ୍ୱାରେ ଯାଇ ମିଳି । ଦେଖିଲେ ରାମ ବନମାଳୀ ॥୧୯
ବୋଲନ୍ତି ପ୍ରଭୁ ଦେବରାଜ । ଆମ୍ଭର ପ୍ରାୟେ ହୁଅ ସଜ ॥୨୦
ଶୁଣି ମିଳିଲେ ଯେଝା ଘରେ । ଅନ୍ନ ଘେନିଲେ ବାମକରେ ॥୨୧
ବେଣୁ କଠଉ ଶିଙ୍ଗା ବେତ । ବାଛୁରୀ ଫେଇ ଯୂଥଯୂଥ ॥୨୨
ମୁରଲୀ ବଜାଇ ତୁରିତେ । ଆଗେ ମିଳିଲେ ନନ୍ଦସୁତେ ॥ ।୨୩
ଅନ୍ତ କରିବି କେତେ ମୁହିଁ । ବାଛୁରୀ ଗଣିତା ନ ଯାଇ ॥୨୪
ଚଳାଇ ବତ୍ସା ଯୂଥଯୂଥ । ପଛେ ବିଜୟେ ଗୋପୀନାଥ ॥୨୫
ବନେ ପଶନ୍ତି ଏକମେଳେ । ଶୁଭଇ ମୁଖରାଗ ଗୋଳେ ॥୨୬
ସକଳେ ଏକରୁଣ୍ତ ହୋଇ । ନାଚନ୍ତି ଶିଙ୍ଗା ବେଣୁ ବାଇ ॥୨୭
ଖେମଟା ଛନ୍ଦେ କରତାଳି । ମଧ୍ୟେ ନାଚନ୍ତି ବନମାଳୀ ॥୨୮
ବିବିଧ ଅଳଙ୍କାର ଲାଇ । ନାଚନ୍ତି ମନେ ତୋଷ ହୋଇ ॥୨୯
ମଣି ମୁକୁତା କର୍ଣ୍ଣଫୁଲ । ନୂପୁର କଙ୍କଣ ଅମୂଲ୍ୟ ॥୩୦
କଟୀ ମେଖଳା ରତ୍ନ ଛନ୍ଦି । ଶିରେ ଗୁଞ୍ଜରା ପାଟି ବାନ୍ଧି ॥୩୧
ଶିରେ ମୟୂର ପୁଚ୍ଛ ଚୂଳ । କର୍ଣ୍ଣରେ କୋମଳ ପତର ॥୩୨
କଣ୍ଠେ ଶୋଭିତ ରତ୍ନହାର । ନିବିଡ଼ ସୁରଙ୍ଗ ଅଧର ॥୩୩
ରଙ୍ଗ ମୃତ୍ତିକା ଅଙ୍ଗେ ବୋଳି । ପଇତା ଗରଗଡ଼ ମାଳୀ ॥୩୪
କଙ୍କଣ ନୂପୁର ଶବଦେ । ନାଚନ୍ତି ଏକୁ ଆରେ ବାଦେ ॥୩୫
କେ କାହା ଅନ୍ନପୁଡ଼ା ବଳେ । ନେଇ ଲୁଚାନ୍ତି ବୁଦାତଳେ ॥୩୬
କେ କାନ୍ଦି କୃଷ୍ଣଙ୍କୁ କହନ୍ତି । ଆଜ୍ଞା ପ୍ରମାଣେ ଆଣି ଦ୍ୟନ୍ତି ॥୩୭
ଏକ ଆରକେ ପୀଢ଼ କରି । ଗୋଡ଼ାଇ ଛୁଅନ୍ତି ମୁରାରି ॥୩୮
କେ କାହା ନାମ ଧରି ବାଦେ । ଦୂରୁ ଡାକନ୍ତି ବେଣୁ ନାଦେ ॥୩୯
ଶୁକ କୋକିଳ ନାଦ ଶୁଣି । ପୋଏ ନାଚନ୍ତି ତାହା ଭଣି ॥୪୦
ପକ୍ଷୀ ଉଡ଼ନ୍ତେ ଛାୟା ଦେଖି । ଧାମନ୍ତି ବାଛୁରୀ ଉପେକ୍ଷି ॥୪୧
ଦେଖି ମୟୂର ହଂସ ଚାଲି । ପୋଏ ଚାଲନ୍ତି ପେଲାପେଲି ॥୪୨
ବକଙ୍କ ସଙ୍ଗେ ଯାଇ ବସି । ଭେକର ତୁଲେ ଯା'ନ୍ତି ଭାସି ॥୪୩
ବାନର ପୁଅଙ୍କୁ ଧରନ୍ତି । ଖେଳାଇ ପୁଣି ଛାଡ଼ି ଦ୍ୟନ୍ତି ॥୪୪
ସେ ଯାଇ ଉଠନ୍ତି ବୃକ୍ଷରେ । ପଲ୍ଲବେ ଲୁଚନ୍ତି କାତରେ ॥୪୫
ପୋଏ ହୁଅନ୍ତି ସେହି ମତ । ଡାକନ୍ତି ଆସ ଗୋପୀନାଥ ॥୪୬
ଆପଣା ଛାଇ ଦେଖି ଜଳେ । ହସନ୍ତି ନାନା କୁତୂହଳେ ॥୪୭
କାନନେ ପ୍ରତିନାଦ ଶୁଣି । ହସନ୍ତି ନାନା ଗାଳି ଭଣି ॥୪୮
ଏମନ୍ତେ ଗୋବିନ୍ଦର ମେଳେ । ବାଳକେ ନାନା କୁତୂହଳେ ॥୪୯
ଅନେକ ଜନ୍ମେ ତପ କରି । ନିକଟେ ପାଇଲେ ମୁରାରି ॥୫୦
କେ କହୁ ତା'ଙ୍କ ପୁଣ୍ୟଫଳ । ବେଦ ନ ଜାଣେ ଆଦିମୂଳ ॥୫୧
ଅନେକ ତପଯଜ୍ଞେ ବନ୍ଦି । ମନ ପବନ ହୃଦେ ଛନ୍ଦି ॥୫୨
ଜ୍ଞାନୀ ଚିନ୍ତନ୍ତି ଯୋଗବଳେ । ସେ ଖେଳେ ଗୋପାଳଙ୍କ ମେଳେ ॥୫୩
ମନୁଷ୍ୟ ଦେହ ମଞ୍ଚେ ବହି । କେ ପାରେ ତା'ଙ୍କ ପୁଣ୍ୟ କହି ॥୫୪
ଯାହାର ପାଦ ଜଳ ପାଇ । ଆନନ୍ଦେ ଶଙ୍କର ନାଚଇ ॥୫୫
ଯା' ନାମ ଚାରି ବେଦ ଭଣେ । ସେହି ଗୋପାଳ ସଙ୍ଗେ ଜଣେ ॥୫୬
ଏମନ୍ତେ ଶୁଣ ନୃପମଣି । ଶ୍ରୀକୃଷ୍ଣ ମହିମା ନ ଜାଣି ॥୫୭
ଅଘା ନାମେଣ ସେ ଅସୁର । କଂସ ଆଦେଶ ଘେନି ଶିର ॥୫୮
ମିଳିଲା ବୃନ୍ଦାବନେ ଯାଇ । କଂସର ମିତ୍ରପଣ ହୋଇ ॥୫୯
ବୃକ୍ଷର ଉହାଡ଼େ ରହିଲା । ଗୋପାଳ ପୁଅଙ୍କୁ ଚାହିଁଲା ॥୬୦
ମଧ୍ୟେ ଦେଖିଲା ଭଗବାନ । ହୃଦରେ ଶ୍ରୀବତ୍ସ ଲାଞ୍ଛନ ॥୬୧
ବୋଲଇ ଏ ମୋର ବଇରୀ । ବେନି ସୋଦର ଅଛି ମାରି ॥୬୨
କଂସକୁ କରିବ ଏ ନାଶ । ଯାଦବେ ଏହାର ବିଶ୍ୱାସ ॥୬୩
ନିଶ୍ଚୟେ ରିପୁ ଏ ମୋହର । ମାରିଛି ବେନି ସହୋଦର ॥୬୪
ପୂତନା ବହେଣୀ ମୋହର । ଜ୍ୟେଷ୍ଠଭ୍ରାତ ମୋ' ବକାସୁର ॥୬୫
ଏହାଙ୍କୁ ଜଳ ତିଳ ଦେଇ । ଆଜ ଉଦ୍ଧାରି ବଇଁ ମୁହିଁ ॥୬୬
କୃଷ୍ଣ ବାଛୁରୀ ଗୋପ ପୋଏ । ମୋତେ ଦିଶନ୍ତି ତିଳ ପ୍ରାୟେ ॥୬୭
ଜିହ୍ୱା ମୋହର ତମ୍ବାପାତ୍ରୀ । କୁଶ ହୋଇବ ଦନ୍ତପନ୍ତି ॥୬୮
ଖର ନିଃଶ୍ୱାସ ମନ୍ତ୍ରସ୍ୱରେ । ତର୍ପଣ କରିବି ରୁଧିରେ ॥୬୯
ଗୋପେ ମିଳିବି ରାତ୍ରେ ଯାଇ । ଗିଳିବି ଯେତେ ଜନ୍ତୁ ଗାଈ ॥୭୦
ତେବେ ହୋଇବ ମନସ୍ଥିର । ଆକାଶେ ବସିବେ ସୋଦର ॥୭୧
ପୁଣି ବିଚାରୁ ଅଛି ରହି । ଗୋକୁଳେ ମୋର କାର୍ଯ୍ୟ ନାହିଁ ॥୭୨
ବାଳକେ ବାଛୁରୀ ସହିତେ । ଏ ବନେ ଗିଳିବ ତୁରିତେ ॥୭୩
ପୁତ୍ରେ ନ ପାଇ ବାପ ମାଏ । ଭାଳିଣ ମରିବେ ଥୋକାଏ ॥୭୪
ପ୍ରାଣୀଙ୍କ ପ୍ରାଣ ପୁତ୍ରଦେହେ । ଏଣୁ ମରିବେ ମାୟାମୋହେ ॥୭୫
ଏମନ୍ତେ ସାଧିବି ବଇରୀ । ଗିଳିବି ସର୍ପରୂପ ଧରି ॥୭୬
ବିଚାର କଲା ଏହି ମତ । ଅସୁର ଅତି ବଳବନ୍ତ ॥୭୭
ଯାହାର ନାମେ ଦେବେ ଡରି । ଗଗନେ ପଡୁଥାଇ ହୁରି ॥୭୮
ଅମୃତ ଖାଇ ଦେବଗଣ । ଚିନ୍ତନ୍ତି ଅସୁର ମରଣ ॥୭୯
ଯେବେ ମରିବ ଅଘାସୁର । ଆମ୍ଭ ଅରିଷ୍ଟ ଯିବ ଦୂର ॥୮୦
ବ୍ରହ୍ମା ଡରନ୍ତି ନିରନ୍ତର । ଶୂନ୍ୟେ କମ୍ପନ୍ତି ସାତପୁର ॥୮୧
ଅଘାର ନାମେ ଥରହର । ଭୟେ କମ୍ପଇ ସୁନାସୀର ॥୮୨
ହୋଇଲା ଅଜଗର ରୂପୀ । ଯୋଜନ ଯାଏଁ ଦେହ ବ୍ୟାପି ॥୮୩
ପୂର୍ବ ଦିଗକୁ ମୁଖ କଲା । ସ୍ୱଭାବେ ତୁଣ୍ତ ବିସ୍ତାରିଲା ॥୮୪
ଉପର ପାଟି କଲା ମେଘେ । ଅଧର ଓଷ୍ଟ ମହୀଭାଗେ ॥୮୫
ଜିହ୍ୱା ବୁଲାଇ ଅନ୍ତରାଳ । ଦନ୍ତପର୍ବତ ଶୃଙ୍ଗମାଳ ॥୮୬
ତୁଣ୍ତ ଦିଶଇ ଅନ୍ଧକାର । ବିଷପବନ ଖରତର ॥୮୭
ପଶ୍ଚିମ ଦିଗେ ଯା'ନ୍ତି ଚଳି । ଗୋରୁ ଗୋପାଳ ବନମାଳୀ ॥୮୮
ମାୟା ଅସୁର ମୁଖ ଲାଗେ । ପୋଏ ମିଳିଲେ ଆସି ବେଗେ ॥୮୯
ବିଷ ପବନ ଖର ଶ୍ୱାସ । ଦେହେ ଲାଗନ୍ତେ ବଡ଼ ତ୍ରାସ ॥୯୦
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି ଏକୁ ଆରେ ରହି ॥୯୧
କିଏ ଭାଜିଲା ଗିରିଖଣ୍ତ । ବିସ୍ତାର କରିଅଛି ତୁଣ୍ତ ॥୯୨
କେ ବୋଲେ ମେଘ କାମରୂପୀ । ଭୂମି ଗଗନେ ଅଛି ବ୍ୟାପୀ ॥୯୩
କେ ବୋଲେ ସର୍ପ ଏ ସ୍ୱରୂପ । ଅରୁଣ ବେନି ପାଟି ଦେଖ ॥୯୪
ଆମିଷ ପ୍ରାୟେ ପୂତିଗନ୍ଧ । ରୁକ୍ଷ ପବନ ମନ୍ଦମନ୍ଦ ॥୯୫
କେ ବୋଲେ ପୋଡୁଅଛି ବନ । ଜନ୍ତୁଏ ହୁଅନ୍ତି ଦହନ ॥୯୬
ତେଣୁ ଆମିଷଗନ୍ଧ ଦେଖ । ଏହାକୁ ଭଲେ ହୋ ନିରେଖ ॥୯୭
ବାମ ଦକ୍ଷିଣେ ଜିହ୍ୱା ଚାଳି । ଚାଞ୍ଛିଲା ବାଟ ପ୍ରାୟେ ଝଳି ॥୯୮
ଜାଣିଲୁ ସର୍ପ ଏ ଶରୀର । ମରଣ ହୋଇଲା ଆମ୍ଭର ॥୯୯
ଥୋକେ ବୋଲନ୍ତି କିମ୍ବା ଡର । ଆମ୍ଭର କୃଷ୍ଣ ବଳୀଆର ॥୧୦୦
ଯେବେ ଏ ଆମ୍ଭଙ୍କୁ ଗିଳିବ । ବକର ପ୍ରାୟେ ନାଶ ଯିବ ॥୧୦୧
କ୍ଷଣକେ ମରିବଟି ଏହି । ଏମନ୍ତେ ପଛକୁ ଅନାଇଁ ॥୧୦୨
ପଶିଲେ କରତାଳି ମାରି । ଆଗରେ ଅଡ଼ାନ୍ତି ବାଛୁରୀ ॥୧୦୩
କେ ବୋଲେ ଆଗ ହୋ ନପଶ । ନିକଟେ ନାହିଁ ପୀତବାସ ॥୧୦୪
ଚାହିଁଲେ କୃଷ୍ଣ ଛନ୍ତି ଦୂରେ । ଡାକନ୍ତି ଆସ ଖରତରେ ॥୧୦୫
ଦୂରୁ ଡାକନ୍ତି ଦାମୋଦର । ନ ପଶ ସର୍ପର ଉଦର ॥୧୦୬
ନ ଜାଣି ସର୍ବ ଏକମେଳେ । ଯେତେ ବାଛୁରୀ ଗୋପବାଳେ ॥୧୦୭
କୃଷ୍ଣର ବୋଲ ନ ଶୁଣିଲେ । ଅସୁର ଉଦରେ ପଶିଲେ ॥୧୦୮
କୃଷ୍ଣ ଧାଇଁଲେ ମାୟାମୋହେ । ଡାକନ୍ତି ରହ ରହ ପୋଏ ॥୧୦୯
ତୁଣ୍ତ ନିକଟେ ଚକ୍ରଧର । ଦେଖି ବିଚାରଇ ଅସୁର ॥୧୧୦
ଏହାର ନାମ ବାସୁଦେବ । ଏ ତ କଂସକୁ ସଂହାରିବ ॥୧୧୧
ଗର୍ଭେ ପଶିଲେ ମୋର ଯେତେ । ବଇରୀ ନୁହନ୍ତି ବାଳୁତେ ॥୧୧୨
ପ୍ରଭୁ ବଇରୀ ଗୋତ୍ରହତ । ଏହା ଯେ ନ କରେ ନିପାତ ॥୧୧୩
ତାହାର ଦେହ ଅକାରଣ । ସେ ଛାର କିସ ବଡ଼ପଣ ॥୧୧୪
ପ୍ରଭୁ ଝିଙ୍ଗାସ ଯେବେ ଶୁଣି । ନାନା ବିଚାରେ ପରିମାଣି ॥୧୧୫
ମାରି ପାରିଲେ ହୋଏ ଭଲ । ନିଜ ଶରୀରେ ଯେହୁ ଶଲ ॥୧୧୬
ଏ ମୋର ପ୍ରଭୁର ବଇରୀ । ବେନି ସୋଦର ଅଛି ମାରି ॥୧୧୭
ଗର୍ଭେ ପଶିବ ଯେତେବେଳେ । ପାଟି ପାଡ଼ିବି ଅବହେଳେ ॥୧୧୮
କୃଷ୍ଣ ଜାଣିଲେ ତା'ର ମନ । ବିଚାର କଲେ ଭଗବାନ ॥୧୧୯
ଯେବେ ନ ପଶିବଇଁ ମୁହିଁ । ବତ୍ସା ବାଳକ ମୁଁ ନ ପାଇ ॥୧୨୦
ଅସୁର ଉଦର ଅନଳ । ତୃଣ ପ୍ରାୟେକ ଗୋପବାଳ ॥୧୨୧
କି ବୁଦ୍ଧି କରିବଇଁ ଆଜ । ହେଳାଏ ହରାଇଲି କାର୍ଯ୍ୟ ॥୧୨୨
କେମନ୍ତେ ମାରିବି ଅସୁର । ବାଳକେ ହୋଇବେ ବାହାର ॥୧୨୩
କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି । ଅସୁର ନ ପାଡ଼ଇ ପାଟି ॥୧୨୪
ଦେବେ ଦେଖନ୍ତି ଶୂନ୍ୟେ ରହି । ତୁଣ୍ତେ ପଶିଲେ ଭାବଗ୍ରାହୀ ॥୧୨୫
ଦେବେ କରନ୍ତି ହାହାକାର । ପାଟି ପାଡ଼ିଲା ଅଘାସୁର ॥୧୨୬
ଦେବଙ୍କୁ ଲାଗିଲା ବିଷାଦ । ଅସୁର ହୋଇଲା ଆନନ୍ଦ ॥୧୨୭
ସର୍ପ ଉଦରେ ଭଗବାନ । ଜାଣିଲେ ଦେବତାଙ୍କ ମନ ॥୧୨୮
ଦାସ ବତ୍ସଳ ନନ୍ଦବଳା । ରୁନ୍ଧିଲ ଦାନବର ଗଳା ॥୧୨୯
ଗିଳି ନ ପାରି ସେ ଦଇତ୍ୟ । ଶବଦ କଲା ଗର୍ଭଗତ ॥୧୩୦
ପ୍ରାଣ ହୋଇଲା ଛଟପଟ । ଫୁଲିଲା ଅସୁରର ପେଟ ॥୧୩୧
ଅସୁର ହେଲା ମହାକାୟ । କଣ୍ଠେ ବଢ଼ିଲେ ଦେବରାୟ ॥୧୩୨
ବଢ଼ନ୍ତେ ଗୋବିନ୍ଦ ଶରୀର । ତାଳୁ ଫାଟିଲା ଧାତିକାର ॥୧୩୩
ପ୍ରାଣ ଗମିଲା ଶୂନ୍ୟପଥେ । କୃଷ୍ଣ ପଶିଲେ ଗର୍ଭଗତେ ॥୧୩୪
ଅଘାର ଜୀବ ଯିବା କାଳେ । ବାଳକ ବତ୍ସା ସବୁ ମଲେ ॥୧୩୫
ଅମୃତ ନୟନେ ଚାହିଁଲେ । ସକଳ ଜୀବନ ପାଇଲେ ॥୧୩୬
ଗର୍ଭ ଭିତରେ ଯେତେ ଥିଲେ । କୃଷ୍ଣଙ୍କୁ ସମସ୍ତେ ଦେଖିଲେ ॥୧୩୭
କୃଷ୍ଣ ବୋଇଲେ ବତ୍ସା ଘେନି । ବାହାର ହୁଅ ଏହିକ୍ଷଣି ॥୧୩୮
ଉପରେ ଦେଖି ତାଳୁ ଦ୍ୱାର । ଗୋପାଳେ ହୋଇଲେ ବାହାର ॥୧୩୯
ଆଗେ ବାଛୁରୀ କଲେ ପାରି । ଗର୍ଭେ ରହିଲେ ଦଇତ୍ୟାରି ॥୧୪୦
ଦେଖିଲେ ଗର୍ଭେ କେହି ନାହିଁ । ବାହାର ହେଲେ ଭାବଗ୍ରାହୀ ॥୧୪୧
ଅଘା ଜୀବନ ଶୂନ୍ୟେ ଗଲା । ପୁଣି ଲେଉଟି ଅନାଇଲା ॥୧୪୨
ତାଳୁ ବାହାର ବ୍ରହ୍ମରାଶି । କାଳମେଘରୁ ଯେହ୍ନେ ଶଶୀ ॥୧୪୩
ଜୀବନ ଲେଉଟିଲା ବେଗେ । ତେଜ ବିରାଜେ ଦଶଦିଗେ ॥୧୪୪
ସ୍ୱର୍ଗେ ଦେଖନ୍ତି ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥୧୪୫
ଦେଖି ଚକିତ ତିନିପୁର । ଦେବେ କରନ୍ତି ଜୟକାର ॥୧୪୬
କୁସୁମ ବରଷିଲେ ଆଣି । ବ୍ରାହ୍ମଣେ ବେଦସ୍ତୁତି ଭଣି ॥୧୪୭
ନାଚନ୍ତି ଅପସରୀ ବୃନ୍ଦ । ଗନ୍ଧର୍ବେ ଗୀତ ବାଦ୍ୟନାଦ ॥୧୪୮
ଆକାଶେ କଲେ ଜୟେ ଜୟେ । ଶୁଭିଲା ବ୍ରହ୍ମଲୋକ ଯାଏ ॥୧୪୯
ବ୍ରହ୍ମାର ସମାଧି ଭାଜିଲା । ହଂସ ବାହାନେ ବିଜେ କଲା ॥୧୫୦
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ସ୍ତୁତି କରଇ ତୋଷମନେ ॥୧୫୧
କୃଷ୍ଣ ମହିମା ବ୍ରହ୍ମା ଦେଖି । ତୋଷେ ବୁଜିଲେ ଅଷ୍ଟଆଖି ॥୧୫୨
କୃଷ୍ଣଚରିତ ମନେ ଗୁଣି । ଚତୁର ମୁଖେ ବେଦ ଭଣି ॥୧୫୩
ରାଜନ ଶୁଣ ସାବଧାନେ । ସଂଶୟ ନ କର ତୁ ମନେ ॥୧୫୪
ମନୁଷ୍ୟ ଦେହେ ଅବତାର । ପଞ୍ଚବରଷ ଦାମୋଦର ॥୧୫୫
ଘୋର ଦାନବ ସଂହାରିଲେ । ବତ୍ସାବାଳକ ଉଦ୍ଧାରିଲେ ॥୧୫୬
ସଂଶୟ ମନେ ତୁ ନ କର । କୃଷ୍ଣେ ପଶିଲା ଅଘାସୁର ॥୧୫୭
ମିତ୍ର ଅଇରି ନାହିଁ ଯା'ର । ଭାବକୁ ଥାଇ ନିକଟର ॥୧୫୮
ଯାହାର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥୧୫୯
ଗୋପୀ ଗୋପାଳ ଯା'ର ସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥୧୬୦
ଏ କଥାମାନ କଉତୁକେ । ପୋଏ କହିଲେ ବରଷକେ ॥୧୬୧
ଆଜ ମାଇଲେ ସର୍ପ ହରି । ଶୁଣି ବିଷାଦ ନରନାରୀ ॥୧୬୨
ଯମୁନା ତୀରେ ଅଘାନାଶ । ଦେବଲୋକରୁ ଗଲା ତ୍ରାସ ॥୧୬୩
ଶ୍ରୀକୃଷ୍ଣ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅଘାସୁରବଧୋ ନାମ ତ୍ରୟୋଦଶୋଽଧ୍ୟାୟଃ ॥
</poem>
==='''ଚତୁର୍ଦ୍ଦଶ ଅଧ୍ୟାୟ'''===
<poem>
;ସୂତ ଉବାଚ
ଅଘା ଦଇତ୍ୟ ନାଶ ଶୁଣି । ପରୀକ୍ଷ ମନେ ମନେ ଗୁଣି ॥୧
କୃଷ୍ଣ ଚରିତ ଅଗୋଚର । ଦେଖି ଚକିତ ବେଦବର ॥୨
ସନ୍ଦେହ ବାକ୍ୟ ଶୁଣି ରାୟେ । ନମଇଁ ଶୁକମୁନି ପାୟେ ॥୩
;ରାଜା ଉବାଚ
ଭୋମୁନି ତୁ ତ ପୁଣ୍ୟଚେତା । ହରିବ ଏ ମୋହର ଚିନ୍ତା ॥୪
ସନ୍ଦେହ ଫେଡ଼ିବା ମୋହର । ମାୟା କି କଲେ ଚକ୍ରଧର ॥୫
ସର୍ପର ଗର୍ଭୁ ଦାମୋଦର । ତାରିଲେ ବାଛୁରୀ କୁମର ॥୬
ମାତାଙ୍କ ଆଗେ ଗୋପସୁତେ । କହିଲେ ବରଷକ ଅନ୍ତେ ॥୭
ସର୍ପ ଆମ୍ଭଙ୍କୁ ଗିଳିଥିଲା । ଆଜ ଗୋ ଶ୍ରୀକୃଷ୍ଣ ରଖିଲା ॥୮
ତୁମ୍ଭର ଉଦର ଶୀତଳ । କଲ୍ୟାଣ ନେଉ ନନ୍ଦବାଳ ॥୯
ଏମନ୍ତ ବୋଲିଣ କୁମରେ । କହିଲେ ଯେ ଯାହାର ଘରେ ॥୧୦
ଆବର କଥାଏ ସଂଶୟ । ଭୋ ମୁନିବର ମୋତେ କହ ॥୧୧
ଅଘା ଜୀବନ ଦେହୁ ଛାଡ଼ି । ଗଗନପଥେ ଥିଲା ଉଡ଼ି ॥୧୨
ସେ କେହ୍ନେ ବାହୁଡ଼ି ଅଇଲା । ଗୋବିନ୍ଦ ଶରୀରେ ପଶିଲା ॥୧୩
ଏ ବେନି କଥା ଅଗୋଚର । ବିଚାରି କହ ମୁନିବର ॥୧୪
ଏ ବଡ଼ ସଂଶୟ ମୋ' ଚିତ୍ତେ । ଭୋ ମୁନି ନ ଯାଇ ପରତେ ॥୧୫
ବରଷେ ଥିଲେ ପୋଏ କାହିଁ । କିବା ମୋହିଲେ ଭାବଗ୍ରାହୀ ॥୧୬
ଏ କଥା ମୋତେ କଉତୁକ । କାହିଁ ବଞ୍ଚିଲେ ବରଷକ ॥୧୭
ମୋର ଜୀବନ ହେଉ ସୁଖ । ତୋ ବାଣୀ ଶୁଣି ଯାଉ ଦୁଃଖ ॥୧୮
କ୍ଷତ୍ରିୟ ବଂଶେ ମୁହିଁ ଜାତ । ଧନ୍ୟ ମୋହର ତାତ ମାତ ॥୧୯
ହରିଚରିତ ସୁଧାଜଳ । ତୋ ମୁଖୁଁ ଗଳୁଛି ନିର୍ମଳ ॥୨୦
ସେଜଳେ ଧୋଇ ମୋର ଚିତ୍ତ । ମରଣେ ହୋଇବି ନିଶ୍ଚିନ୍ତ ॥୨୧
;ସୂତ ଉବାଚ
ଶୁଣି ପରୀକ୍ଷ ବାଣୀ କର୍ଣ୍ଣେ । ମୁନି ବସିଲେ ଯୋଗଧ୍ୟାନେ ॥୨୨
ଆନନ୍ଦେ ପୁଲକିତ ହୋଇ । ଗୋବିନ୍ଦ ପାଦେ ଚିତ୍ତ ଦେଇ ॥୨୩
ବେନି ଲୋଚନୁ ବହେ ନୀର । ବୋଲନ୍ତି ଶୁଣ ନୃପବର ॥୨୪
;ଶୁକ ଉବାଚ
ହରି ସେବକ ଶିରୋମଣି । ଶୁଣ ଶ୍ରୀଭାଗବତ ବାଣୀ ॥୨୫
ସାଧୁଙ୍କ ମଧ୍ୟେ ତୁହି ସାଧୁ । ତରିବୁ ଭବ ପରମାଦୁ ॥୨୬
ଯେତେ କହିଲି ଭାଗବତ । ତୋଷ ନୋହିଲା ତୋର ଚିତ୍ତ ॥୨୭
ତୁପୁଣ୍ୟ ପୁରୁଷ ବିବେକ । ହେଳେ ଜିଣିଲୁ ତିନିଲୋକ ॥୨୮
ସାଧୁଜନଙ୍କର ଏ ଗତି । ଯେସନେ ବିଟପୀ ଯୁବତୀ ॥୨୯
ସ୍ୱାମୀ ସେବାରେ ରହି ପୁଣ । ବିଟପେ ଦେଇଥାଇ ମନ ॥୩୦
ସଂସାରେ ଥାଇ ଯେ ଏମନ୍ତ । ନିକଟେ ପାଇ ସେ ଅନନ୍ତ ॥୩୧
ଏବେ ତୁ ଶୁଣ ସ୍ଥିର ହୋଇ । ଭାବ ସେବକେ ଏହା କହି ॥୩୨
ଯାହା ତୁ ପୁଚ୍ଛିଲୁ ନୃପତି । ବାଳୁତମାନଙ୍କର ଗତି ॥୩୩
ଅଘାର ଜୀବନ ମୋକ୍ଷଣ । ଆଗ କହିବା ତାହାଶୁଣ ॥୩୪
ପଛେ କହିବା ବନଭୋଜା । ଶୁଣ ତୁ ସୋମବଂଶୀ ରାଜା ॥୩୫
ଅଘାର ମୁଖେ ଦେବହରି । କଣ୍ଠରେ ରହିଲେ ଆବୋରି ॥୩୬
ତାଳୁ ଫାଟିଣ ପ୍ରାଣଗଲା । ଶ୍ରୀକୃଷ୍ଣ ମୁଖ ନ ଦେଖିଲା ॥୩୭
ମନେ ବିଚାର କଲା ଜୀବ । ସଂସାର ସୁଖ ପଦ୍ମନାଭ ॥୩୮
ଏହାର ଶ୍ରୀଚରଣ ଧରି । ଭବୁ ଶଙ୍କର ଗଲେ ତରି ॥୩୯
ମୋହର ଆନେ କିସ କାର୍ଯ୍ୟ । ଏ ସେ ଦେବାଧି ଦେବରାଜ ॥୪୦
ଏତେକ ବିଚାରି ଲେଉଟି । ଗର୍ଭେ ପଶିଲା ତାଳୁ ଫାଟି ॥୪୧
ଚାହିଁଲା ଶ୍ରୀକୃଷ୍ଣର ମୁଖ । ତେଜିଲା ଭବ ଭୟ ଦୁଃଖ ॥୪୨
ପ୍ରାଣ ପବନ ପଞ୍ଚଭୂତ । ଅଖଣ୍ତ ସୁଖ ଜ୍ଞାନତତ୍ତ୍ୱ ॥୪୩
ଶ୍ରୀହରି ଶରୀରେ ମିଶିଲା । ନିର୍ବାଣ ମୁକ୍ତି ସେ ଲଭିଲା ॥୪୪
ଅର୍ଦ୍ଧ ଆକାଶେ ସୁରଗଣ । ଦେଖିଲେ ଅଘାର ମୋକ୍ଷଣ ॥୪୫
ବ୍ରହ୍ମ ଲୋକରୁ ବ୍ରହ୍ମାଆସି । ସନକ ଆଦି ବ୍ରହ୍ମଋଷି ॥୪୬
ଦେଖିଣ ରିପୁ ମୋକ୍ଷ ଗତି । କୃଷ୍ଣଙ୍କୁ ପ୍ରଶଂସା କରନ୍ତି ॥୪୭
ବସିଣ ହଂସ ବାହାନରେ । ଚତୁର୍ବଦନେ ସ୍ତୁତି କରେ ॥୪୮
ପିତା ଦେଖିଲେ ବୃନ୍ଦାବନ । କାଳିନ୍ଦୀ ସକଳ ପୁଲୀନ ॥୪୯
ମନେ ବିଚାର ବେଦପତି । ଦେଖିବେ ପୁଅଙ୍କର ଗତି ॥୫୦
ଅନ୍ତର ହୋଇଣ ରହିଲେ । ଶୁଣ ରାଜନ ଏହା ଭଲେ ॥୫୧
ମରଣୁଁ ତରି ଗୋପବାଳେ । ମିଳିଲେ ଯମୁନାର କୂଳେ ॥୫୨
ନିର୍ମଳ ଦେଖି ବାଲିକୁଦ । ଶ୍ରୀକୃଷ୍ଣ ହୋଇଲେ ଆନନ୍ଦ ॥୫୩
ଗୋପାଳ ପୁଅଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୫୪
ଦେଖ ସୁସଞ୍ଚ ବାଲିକୁଦ । ଚାହାନ୍ତେ ଲାଗଇ ଆନନ୍ଦ ॥୫୫
ନିର୍ମଳ ଯମୁନାର ଜଳ । ପବନ ବହଇ ଶୀତଳ ॥୫୬
ନାନା କୁସୁମେ ଜଳ ସ୍ଥଳ । ସୁବାସ ବହେ ପରିମଳ ॥୫୭
ଶୁକ କୋକିଳ ନାଦ ଭଣି । ଭ୍ରମରେ ମନୋହର ଧ୍ୱନି ॥୫୮
ନବ ପଲ୍ଲବ ତରୁଗଣ । ମୟୂର କଣ୍ଠନାଦ ଶୁଣ ॥୫୯
ଏଠାରେ ହୁଅ ଏକମେଳ । ବୋଲନ୍ତି ପ୍ରଭୁ ଆଦିମୂଳ ॥୬୦
ବତ୍ସା କରନ୍ତୁ ଜଳପାନ । ସକଳେ କରିବା ସ୍ନାହାନ ॥୬୧
ଦେଖ କୋମଳ ଘାସ ତୀରେ । ବାଛୁରୀ ଚରନ୍ତୁ ସଧୀରେ ॥୬୨
ଅନ୍ନ ଭୋଜନ ବସି କର । ପଞ୍ଚପରାଣ ହେଉ ସ୍ଥିର ॥୬୩
ବେଳ ହିଁ ହେଉଛି ଉଛୁର । କ୍ଷୁଧାଏ ଦେହ ଥରହର ॥୬୪
ମରୁଣୁଁ ଉବୁରିଲ ଆଜି । ପେଟ ପୁରୋଇ ଅନ୍ନଭୁଞ୍ଜି ॥୬୫
ତୁମ୍ଭମାନଙ୍କୁ ଯେ ଯୋଗାଇ । ହସି ବୋଲନ୍ତି ଭାବଗ୍ରାହୀ ॥୬୬
କୃଷ୍ଣର ବୋଲ ଶୁଣି ପୋଏ । ହରଷ ହୋଇଲେ ଥୋକାଏ ॥୬୭
ଚାହିଁଲେ କୃଷ୍ଣଙ୍କୁ ଆନନେ୍ଦ । ଅନ୍ନ ଥୋଇଲେ ବାଲିକୁଦେ ॥୬୮
ବତ୍ସାଙ୍କୁ ଜଳ ପିଆଇଲେ । କୋମଳ ଘାସେ ଛାଡ଼ିଦେଲେ ॥୬୯
ସାରିଲେ ଗୋପ ପୋଏ ସ୍ନାନ । ସନ୍ତୋଷେ କଲେ ଜଳପାନ ॥୭୦
ତୀରେ ଉଠିଲେ ଧାତିକାରେ । ଅନ୍ନ ଫେଇଲେ ଯେ ଯାହାରେ ॥୭୧
କେ ବୃକ୍ଷୁ ପତ୍ର ତୋଳି ଆଣି । ବିଷ୍ଣୁ ସୁମରି ସିଞ୍ଚେ ପାଣି ॥୭୨
ପାଷାଣ ଆଣନ୍ତି କେ ଯାଇ । ଅନ୍ନ ବାଢ଼ନ୍ତି ତାହା ଧୋଇ ॥୭୩
ବସ୍ତ୍ର ପାଡ଼ନ୍ତି ପୀତ ନୀଳ । କେ ବୃକ୍ଷୁ ଆଣନ୍ତି ବକଳ ॥୭୪
ଯେ ଯାହା ମତେ ଅନ୍ନ ଥୋଇ । କୃଷ୍ଣ ବୋଲନ୍ତି ତାହା ଚାହିଁ ॥୭୫
ଅନ୍ନ ଦେଖାଅ ସବୁ ମୋତେ । ବ୍ୟଞ୍ଜନ ଆଣିଛ କେ କେତେ ॥୭୬
ଶୁଣି ସାନନ୍ଦ ମନେ ପୋଏ । ମଧ୍ୟେ ବସିଲେ ଦେବରାୟେ ॥୭୭
ଯେ ଯାହା ଅନ୍ନପୁଡ଼ା ଫେଡ଼ି । କହନ୍ତି ବେନିକର ଯୋଡ଼ି ॥୭୮
ଦେଖ ଶ୍ରୀକୃଷ୍ଣ ମୋର ଭାତ । ବ୍ୟଞ୍ଜନ ଆଣିଛି ବହୁତ ॥୭୯
ବଗଡ଼ା ଅନ୍ନ କେ ଆଣିଲା । ବେଲ କରଡ଼ି ଲୁଣ ଅଁଳା ॥୮୦
କେ ବୋଲେ ଦଧିଅନ୍ନ ମୋର । ନିର୍ମଳ ଦେଖ ଦାମୋଦର ॥୮୧
କେ ବୋଲେ ସରୁଭାତ ମୁହିଁ । ଆଣିଛି ଖାଇବାର ପାଇଁ ॥୮୨
କେ ବୋଲେ ତୁଚ୍ଛା ଅନ୍ନ ମୋର । ଭୁଞ୍ଜିବି ପଛେ ଗୋଳି ନୀର ॥୮୩
ଏମନ୍ତେ ନେଇ ଦେଖାଇଲେ । ବେଢ଼ି ଗୋବିନ୍ଦଙ୍କୁ ବସିଲେ ॥୮୪
ଶ୍ରୀକୃଷ୍ଣ ଭୁଞ୍ଜିବାର ଆଶେ । ବେଣୁ ଖୋଷିଲେ ବାମପାଶେ ॥୮୫
କାଖେ ଯାକିଲେ ଶିଙ୍ଗା ବେତ । ଅନ୍ନ ପୁଡ଼ାଏ ବାମହସ୍ତ ॥୮୬
ଅଙ୍ଗୁଳି ସନ୍ଧିରେ ଅଏଁଳା । ହୃଦେ ଲମ୍ବଇ ବନମାଳା ॥୮୭
ପୁଅଙ୍କୁ ବୋଲେ ଭାବଗ୍ରାହୀ । ବସ ମଣ୍ତାଳାକାର ହୋଇ ॥୮୮
ତୁମ୍ଭଙ୍କୁ ପରଷଇ ଅନ୍ନ । ନିଶ୍ଚିନ୍ତେ କର ହୋ ଭୋଜନ ॥୮୯
ଶ୍ରୀକୃଷ୍ଣ ବୋଲେ ବ୍ରଜପୋଏ । ବସି ମଣ୍ତଳାକାର ହୋଏ ॥୯୦
ସହସ୍ରେ କେଶର କମଳ । ଯେହ୍ନେ ବେଷ୍ଟିତ ପଦ୍ମଦଳ ॥୯୧
ଶୋଭା ପାଇଲା ବୃନ୍ଦାବନ । ହରଷେ କରନ୍ତି ଭୋଜନ ॥୯୨
ସକଳ ପୁଅଙ୍କୁ ପରଷି । ମଧ୍ୟେ ବସିଲେ ବ୍ରହ୍ମରାଶି ॥୯୩
କୃଷ୍ଣର ଗୋଷ୍ଠୀ ପଦ୍ମପ୍ରାୟେ । ସ୍ୱର୍ଗେ ଦେଖନ୍ତି ଦେବତାଏ ॥୯୪
ବିବିଧ ମତେ ପରିହାସ । ଗୋପ କୁମରେ ହସ ହସ ॥୯୫
ଦିବ୍ୟ ବ୍ୟଞ୍ଜନ ମୁଖେ ଭରି । ବୋଲନ୍ତି ଶୁଣ ନରହରି ॥୯୬
ଏ ସ୍ୱାଦ ଅଧିକ ମୋହର । ଗ୍ରାସେ ଭୋଜନ ତୁମ୍ଭେ କର ॥୯୭
ଶ୍ରୀକୃଷ୍ଣ ଅଧରେ ଦିଅନ୍ତି । ଏକକୁ ଅରେକ କହନ୍ତି ॥୯୮
ଆନନ୍ଦ ଗୋପାଳଙ୍କ ମନ । ହରଷେ କରନ୍ତି ଭୋଜନ ॥୯୯
ଯଜ୍ଞ ଭୋକତା ବାଳକେଳି । ଦେଖନ୍ତି ସ୍ୱର୍ଗଲୋକେ ମିଳି ॥୧୦୦
ମଧ୍ୟେ ବସାଇ ପୀତବାସ । ବାଳକେ ହୁଅନ୍ତି ହରଷ ॥୧୦୧
ଗୋବିନ୍ଦ କ୍ରୀଡ଼ାରସ ରଙ୍ଗେ । ଗୋପାଳ ବାଳକଙ୍କ ସଙ୍ଗେ ॥୧୦୨
ହରଷେ ହୋଇ ମତ୍ତଭୋଳ । ଏ କିସ ମଦନ ଗୋପାଳ ॥୧୦୩
ଅନ୍ନ ଲୋଚିଏ ଘେନି କରେ । ଦିଅନ୍ତି ପୁଅଙ୍କ ହସ୍ତରେ ॥୧୦୪
ପୋଏ ତା 'ଘେନି ଯା'ନ୍ତି ଦୂରେ । ଭୁଞ୍ଜନ୍ତି ଲତା ଅଭ୍ୟନ୍ତରେ ॥୧୦୫
ହସି ବୋଲନ୍ତି ପୁଣି ଆସି । ବୋଲନ୍ତି ଦେବ ବ୍ରହ୍ମରାଶି ॥୧୦୬
କେହୁ ବୋଲନ୍ତି ମୋତେ ଦିଅ । ହରଷ ନାଦ ଗହ ଗହ ॥୧୦୭
ପୁଣି ଦଅନ୍ତି ନନ୍ଦବାଳ । ଭୁଞ୍ଜନ୍ତି ନାଚନ୍ତି ଗୋପାଳ ॥୧୦୮
ହରି ଚହଳ ଘନ ଘନ । ଭୁଞ୍ଜନ୍ତି ପ୍ରଭୁ ଭଗବାନ ॥୧୦୯
ଏମନ୍ତେ ଅବଶେଷେ ଭୋଜି । ନୃତ୍ୟ କରନ୍ତି ମନମଜ୍ଜି ॥୧୧୦
ସ୍ୱର୍ଗେ ଦେଖନ୍ତି ଦେବବୃନ୍ଦ । ଗୋପାଳ ପୁଅଙ୍କ ଆନନ୍ଦ ॥୧୧୧
ବ୍ରହ୍ମା ଯେ ଦେଖୁଥିଲେ ଶୂନ୍ୟେ । ଆସି ମିଳିଲେ ବୃନ୍ଦାବନେ ॥୧୧୨
ଦେଖିଣ ଗୋବିନ୍ଦର ଗତି । ମନେ ଚିନ୍ତଇ ବେଦପତି ॥୧୧୩
ଅଳପ ଦିନେ ଭଗବାନ । ଗୋକୁଳେ ପଡ଼ି ହେଲେ ଭ୍ରମ ॥୧୧୪
ଆତ୍ମାକୁ ନ ଚିହ୍ନଇ କିଛି । ଗୋପାଳମେଳେ ଭୁଞ୍ଜୁ ଅଛି ॥୧୧୫
ଏହାର ଅବିବେକ ପଣ । କେହ୍ନେ ବୋଲାଇ ନାରାୟଣ ॥୧୧୬
ଏ କଥା ଜାଣିବା କେମନ୍ତେ । ସନ୍ଦେହ ଲାଗିଲା ତ ମୋତେ ॥୧୧୭
ଦେଖିଲି ଅସୁର ମୋକ୍ଷଣ । ଏବେ ଭୁଞ୍ଜଇ ପୁଡ଼ା ଅନ୍ନ ॥୧୧୮
ପୁଅଙ୍କ ଉଚ୍ଛିଷ୍ଟ ବ୍ୟଞ୍ଜନ । ଆପଣେ କରଇ ଭୋଜନ ॥୧୧୯
ଯେବେ ଅଟଇ ଚକ୍ରଧର । ମୋର ମାୟାରୁ ହେଉ ପାର ॥୧୨୦
ଏହାକୁ ମାୟା ମୁଁ କରିବି । ବତ୍ସା ବାଳକ ହରି ନେବି ॥୧୨୧
ଦେଖିବି ଏହାର ବିକଳ । କେମନ୍ତେ ରଖିବ ଗୋକୁଳ ॥୧୨୨
ଏମନ୍ତ ବିଚାରଇ ବସି । ଅନ୍ନ ଭୁଞ୍ଜନ୍ତି ବ୍ରହ୍ମରାଶି ॥୧୨୩
କୋମଳ ତୃଣ ଚରି ଚରି । ଗହନେ ପଶିଲେ ବାଛୁରୀ ॥୧୨୪
ମାୟାରେ ବ୍ରହ୍ମା ତାହା ହରି । ରଖିଲେ କମଣ୍ତଳେ ଭରି ॥୧୨୫
ଗୋପାଳେ ବତ୍ସା ନ ଦେଖିଲେ । ଅନ୍ନଭୋଜନ ଉପେକ୍ଷିଲେ ॥ ।୧୨୬
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି କୃଷ୍ଣଙ୍କୁ ଅନାଇଁ ॥୧୨୭
ବତ୍ସାଏ ଗଲେ କେଉଁ କତି । ଶୁଣିମା ପ୍ରଭୁ ଦାଶରଥି ॥୧୨୮
ନିକଟେ ବତ୍ସା ନ ଦିଶଇ । ଯେଝାରେ ଆଣିବୁ ଅଡ଼ାଇ ॥୧୨୯
ଶୁଣି ବୋଲନ୍ତି କୃଷ୍ଣ ହସି । ମୁହିଁ ଆଣିବି ବନେ ପଶି ॥୧୩୦
ସମସ୍ତେ ଏହିଠାରେ ଥାଅ । ଅନ୍ନ ବ୍ୟଞ୍ଜନ ସବୁ ଖାଅ ॥୧୩୧
ଆମ୍ଭେ ଆସିବୁ ବତ୍ସା ଲୋଡ଼ି । ବୋଲିଣ ଘେନିଲେ ଲଉଡି ॥୧୩୨
ସୁଖେ ଭୋଜନ ପାନ କର । କହି ଚଳିଲେ ବେଣୁଧର ॥୧୩୩
ପଞ୍ଚଗରାସ ତୁଣ୍ତେ ଭରି । ଅନ୍ନ ପୁଡ଼ାଏ କରେ ଧରି ॥୧୩୪
ଗିରି କାନନ ନଦୀତୀରେ । ଖୋଜନ୍ତି ଝାଳ ଜରଜରେ ॥୧୩୫
କୃଷ୍ଣେ ନ ଦେଖି ବେଦପତି । ମିଳିଲେ କୁମରଙ୍କ କତି ॥୧୩୬
ମାୟାର ବଳେ ଜ୍ଞାନ ହରି । ପୁଅଙ୍କୁ କମଣ୍ତଳେ ଭରି ॥୧୩୭
ତକ୍ଷଣେ ଘେନିଣ ଚଳିଲେ । ପର୍ବତ କ୍ରୋଟରେ ରଖିଲେ ॥୧୩୮
ବୃନ୍ଦାବନକୁ ଅନାଇଲେ । ନିଜ ଭୁବନେ ବିଜେ କଲେ ॥୧୩୯
ବତ୍ସା ନ ପାଇ ବନମାଳୀ । ପୁଣି ଭୋଜନ ସ୍ଥାନେ ମିଳି ॥୧୪୦
ଦେଖିଲେ ଗୋପପୋଏ ନାହିଁ । ଚକିତେ ଚଉଦିଗେ ଚାହିଁ ॥୧୪୧
ବାଳକେ କେଣେ ଗଲେ ବୋଲି । ଡାକନ୍ତି ଯେଝା ନାମ ଧରି ॥୧୪୨
ବତ୍ସା ବାଳକେ ବନେ ଖୋଜି । ଡାକନ୍ତି ଗତିପଥ ହେଜି ॥୧୪୩
ବୋଲନ୍ତି କିସ ବିପରୀତ । କେ ନେଲା ବତ୍ସା ଗୋପସୁତ ॥୧୪୪
ବେଳ ହୋଇଲା ଅବସାନ । ଗୋରୁଏ ମିଳିଲେ ସଦନ ॥୧୪୫
ବତ୍ସା ନ ଦେଖି ଗାଈମାନେ । ଧାଇଁ ଲୋଡ଼ନ୍ତି ନାନା ସ୍ଥାନେ ॥୧୪୬
ଗୋପାଳେ ରଖି ନ ପାରନ୍ତି । ଗୋରୁଏ ବନକୁ ଧାମନ୍ତି ॥୧୪୭
ଗୋରୁଙ୍କ ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ ॥୧୪୮
ସହି ନ ପାରିଲାକି ନନ୍ଦ । ଡାକଇ ଗୋବିନ୍ଦ ଗୋବିନ୍ଦ ॥୧୪୯
ରାମ ଗୋବିନ୍ଦ ବନମାଳୀ । ନନ୍ଦ ଡାକିଲା ନାମ ଧରି ॥୧୫୦
ଡାକଇ ବୃନ୍ଦାବନେ ପଶି । ବତ୍ସା ନ ପାଇ ବ୍ରହ୍ମରାଶି ॥୧୫୧
ଧ୍ୟାନେ ନିରୋପି ଦେବେ ଚାହିଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୧୫୨
ବିଧାତା ମୋତେ ମାୟା କରି । ବତ୍ସାବାଳକେ ନେଲା ହରି ॥୧୫୩
ମୋତେ ଦେଖାଇଲା ସ୍ୱଭାବ । ଆଜ ଗଞ୍ଜିବି ତା'ର ଗର୍ବ ॥୧୫୪
ଗୋପ ଯୁବତୀଙ୍କର ହିତେ । ବ୍ରହ୍ମାଙ୍କୁ ଗଞ୍ଜିବା ନିମନ୍ତେ ॥୧୫୫
ଉଭୟ ରୂପ ଅଙ୍ଗୀକାର । ଜଗତନାଥ ମାୟାଧର ॥୧୫୬
ନିଜ ସ୍ୱାଭାବ ସୁମରିଲେ । ଆମ୍ଭେଟି ଈଶ୍ୱର ଜାଣିଲେ ॥୧୫୭
ବ୍ରହ୍ମା ଶଙ୍କର ମୋର ଦାସ । ସ୍ୱର୍ଗ ଭୁବନ ଚତୁର୍ଦ୍ଦଶ ॥୧୫୮
ଆମ୍ଭେ ତ ଅଟୁ ପ୍ରଜାପତି । ସଂସାର ସଂହାରଣ ନୀତି ॥୧୫୯
ମୋହର ସଞ୍ଚିଲା ଏ ସର୍ବ । କିପାଁ ମାଗିବି କଲା ଗର୍ବ ॥୧୬୦
ଦେବେ କରିବେ ଉପହାସ । ମାଗନ୍ତେ ନାହିଁ ପଉରୁଷ ॥୧୬୧
କୋଟି ବ୍ରହ୍ମାଣ୍ତ ଗର୍ଭୁ ଜାତ । ବତ୍ସା ବାଳକ କେତେ ମାତ୍ର ॥୧୬୨
ମାୟା ଭିଆଣ ଜଗନ୍ନାଥ । ଗର୍ଭୁ ସକଳ କଲେ ଜାତ ॥୧୬୩
ଏମନ୍ତେ ପ୍ରଭୁ ନରହରି । ବତ୍ସାବାଳକ ରୂପ ଧରି ॥୧୬୪
ଯେତେ ବାଛୁରୀ ଗୋପସୁତ । କୃଷ୍ଣ ଦେହରୁ ହେଲେ ଜାତ ॥୧୬୫
ଯାହାର ଯେମନ୍ତ ସ୍ୱଭାବ । ମାୟାଭିଆଣ ପଦ୍ମନାଭ ॥୧୬୬
ବିବିଧ ବନ୍ଧେ କାଛା ପିନ୍ଧି । ଚୂଳେ ମୟୂରପୁଚ୍ଛ ବାନ୍ଧି ॥୧୬୭
ଗୁଞ୍ଜରାପାଟି ଫୁଲମାଳେ । ରତ୍ନକୁଣ୍ତଳ ଗଣ୍ତସ୍ଥଳେ ॥୧୬୮
କର ପୟର ଶିକା ଡ଼ାଳି । କଣ୍ଠେ ମୁକୁତା ବିଦମାଳୀ ॥୧୬୯
ବେଣୁ କଠାଉ ଶିଙ୍ଗା ବେତ । ଯାହାର ସ୍ୱରୂପ ଯେମନ୍ତ ॥୧୭୦
ଯାହାର ବଚନ ଯେମନ୍ତ । ରୂପ ବୟସ ସେହି ମତ ॥୧୭୧
ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳ । ଯାହାର ଯେମନ୍ତ କୁନ୍ତଳ ॥୧୭୨
ଓଁକାରୁ ଯେହ୍ନେ ବେଦ କ୍ଷରି । ସର୍ବ-ସ୍ୱରୂପ ନରହରି ॥୧୭୩
ରୂପୁଁ ଅନେକ ରୂପ କଲେ । ବିଶ୍ୱ-ପ୍ରପଞ୍ଚ ଦେଖାଇଲେ ॥୧୭୪
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ ॥୧୭୫
ଆପେ ବାଛୁରୀ ଆପେ ପୋଏ । ଆତ୍ମାକୁ ଆପଣେ ଅଡ଼ାଏ ॥୧୭୬
ପ୍ରବେଶ ଗୋପପୁର ଲାଗେ । ପୋଏ ନାଚନ୍ତି ନାନାରଙ୍ଗେ ॥୧୭୭
ମୁରଲୀ ଶୁଣି ଗୋପନାରୀ । ପାଛୋଟି ଗଲେ ଆଗସରି ॥୧୭୮
ପୁତ୍ରଙ୍କୁ ଦେଖି ସ୍ନେହଭରେ । ହୃଦେ ଚାପିଲେ ତୋଳି କରେ ॥୧୭୯
ଯେଝା ବାଳକ ଧରି କୋଳେ । ସ୍ନେହ କରନ୍ତି କୁତୂହଳେ ॥୧୮୦
ଆନନ୍ଦ କେ ପାରିବ କହି । ସ୍ତନ୍ୟ ପିଆନ୍ତି ଚୁମ୍ବ ଦେଇ ॥୧୮୧
ଯଶୋଦା ରୋହିଣୀ ମିଳିଲେ । ରାମ-କୃଷ୍ଣଙ୍କୁ କୋଳ କଲେ ॥୧୮୨
ଆନନ୍ଦେ ପିଆବନ୍ତି ସ୍ତନ୍ୟ । ଶ୍ରୀମୁଖେ ଦିଅନ୍ତି ଚୁମ୍ବନ ॥୧୮୩
ବୋଲନ୍ତି ଲୁଚିଯିବି ତୋର । ଆଜ ତ ବନସ୍ତେ ଉଛୁର ॥୧୮୪
କୃଷ୍ଣ ବୋଲନ୍ତି ଶୁଣ ମାଏ । ଗଲୁଁ ଥୋକାଏ ଦୂର ଯାଏଁ ॥୧୮୫
ତେଣୁ ସେ ହୋଇଲା ଉଛୁର । ଭାବେ ଭଣ୍ତିଲେ ଚକ୍ରଧର ॥୧୮୬
ଗୋବତ୍ସା ଗଲେ ଯେଝା ଘରେ । ଗୋପୀ ମିଳିଲେ ନିଜ ପୁରେ ॥୧୮୭
ପୁତ୍ରଙ୍କୁ ମାଜଣା କରାଇ । ଦଧି-ଲବଣି ଅନ୍ନ ଦେଇ ॥୧୮୮
ଯେଝାରେ କରାଇ ଶୟନ । ଆନନ୍ଦ ଗୋପୀଙ୍କର ମନ ॥୧୮୯
ରାତ୍ରେ ଅଇଲେ ବନୁଁ ଗାଈ । ହମ୍ବାଳି ଛାଡ଼ିଣ ବୋବାଇ ॥୧୯୦
କୋଳେ ଆବୋରି ବତ୍ସା ଲେହି । ସ୍ତନ ପିଆନ୍ତି ସ୍ନେହ ବହି ॥୧୯୧
କି ପୁଣ୍ୟ ଗୋପୀଜନଙ୍କର । କୋଳେ ଧଇଲେ ଚକ୍ରଧର ॥୧୯୨
ପୂର୍ବେ ଅଛନ୍ତି ତପ କରି । ସ୍ତନ୍ୟ ପିଆନ୍ତି ନରହରି ॥୧୯୩
ପୁଣ୍ୟ କେ କହୁ ତାହାଙ୍କର । ଯାହା ନ ପା'ନ୍ତି ବ୍ରହ୍ମା ହର ॥୧୯୪
ଏ କଥା ନଜାଣନ୍ତି କେହି । ମାୟା ଭିଆଣ ଭାବଗ୍ରାହୀ ॥୧୯୫
ନିତ୍ୟେ ଚରାନ୍ତି ବତ୍ସା ବନେ । ଗୋପେ ମିଳନ୍ତି ରାତ୍ରମାନେ ॥୧୯୬
ଏମନ୍ତେ ପୂରିଲା ବରଷ । ଶୁଣ ରାଜନ କୃଷ୍ଣ ରସ ॥୧୯୭
ଦିନେକ ରାମ ଘେନି ସଙ୍ଗେ । ବନେ ମିଳିଲେ ଶିରୀରଙ୍ଗେ ॥୧୯୮
ପର୍ବତ ନାମ ଗୋବର୍ଦ୍ଧନ । କାଳିନ୍ଦୀତୀରେ ବୃନ୍ଦାବନ ॥୧୯୯
ଗୋପକୁମର ଘେନି ହରି । ସେ ବନେ ଚରାନ୍ତି ବାଛୁରୀ ॥୨୦୦
ପର୍ବତେ ଗାଈ ଚରୁଥିଲେ । ତଳେ ବତ୍ସାଙ୍କୁ ଅନାଇଲେ ॥୨୦୧
ଦେଖି ଧାଇଁଲେ ଅତି ଖରେ । ତଳେ ମିଳିଲେ ସ୍ନେହଭରେ ॥୨୦୨
ଉର୍ଦ୍ଧ୍ୱେ ଲାଙ୍ଗୁଳ-ମୁଖ ହୋଇ । ପର୍ବତୁଁ ପଡ଼ନ୍ତେ ଓହ୍ଲାଇ ॥୨୦୩
ଗୋପାଳେ ଓଗାଳିଲେ ଆସି । କରେ ଲଉଡ଼ିମାନ ତ୍ରାସି ॥୨୦୪
ତା'ଙ୍କ ବାରଣ ନ ମାନିଲେ । ପର୍ବତ ତଳେଣ ମିଳିଲେ ॥୨୦୫
ଆବୋରି ଯେ ଯାହାର ବତ୍ସା । ହମ୍ବାଳି ଲିହିବାରେ ଇଚ୍ଛା ॥୨୦୬
ସ୍ତନ୍ୟ ପିଆନ୍ତି ଦେହ ଲିହି । ହୁଙ୍କାର ନାଦେ ସର୍ବ ଗାଈ ॥୨୦୭
ଓଗାଳି ନ ପାରି ଗୋପାଳେ । ଲଜ୍ଜାରେ ରହିଲେ ସକଳେ ॥୨୦୮
ଗୋପାଳେ ଥିଲେ ଗିରି ପରେ । ତଳେ ମିଳିଲେ ଧାତିକାରେ ॥୨୦୯
ପୁତ୍ରଙ୍କୁ କହନ୍ତି ପିଅର । କିମ୍ବା ଆଣିଲ ବତ୍ସାପଲ ॥୨୧୦
ପିଇଲେ ସକଳ ବାଛୁରୀ । ଓଗାଳ ନ ପାରିଲୁ କରି ॥୨୧୧
ମାୟା କୁମାର ମୁଖ ଚାହିଁ । ଗୋପାଳେ ହୋଇଲେକି ମୋହି ॥୨୧୨
ନିଜ ବାଳକ ଦେଖି ତଳେ । ସ୍ନେହେକରିଲେ କାଖେ କୋଳେ ॥୨୧୩
ଚୁମ୍ବନ ଦେଇ ହୃଦେ ଚାପି । ସ୍ନେହେ ବୁଜିଲେ ବେନି ଆଖି ॥୨୧୪
ଗୋରୁ-ଗୋପାଳ ସ୍ନେହଭରେ । ଦେଖିଣ ରୋହିଣୀ-କୁମରେ ॥୨୧୫
ଭାଳନ୍ତି ବୃକ୍ଷତଳେ ରହି । ଏମନ୍ତ ଦେଖିଲା ତ ନାହିଁ ॥୨୧୬
ପୂର୍ବହୁଁ ସ୍ନେହ ତ ଅତ୍ୟନ୍ତ । ଏ କଥା ଜାଣିବା କେମନ୍ତ ॥୨୧୭
ମୋତେ ତ ସନ୍ଦେହ ଲାଗିଲା । କିମ୍ବା ଗୋବିନ୍ଦ ମାୟା କଲା ॥୨୧୮
ରାମ ଚାହିଁଲେ ଯୋଗବଳେ । ଯେତେ ବାଛୁରୀ ଗୋପବାଳେ ॥୨୧୯
ଦିଶନ୍ତି ଚାରି ଚାରି ଭୁଜ । କୋଟିଏ କାମ ଜିଣି ତେଜ ॥୨୨୦
ପୀତବସନ କଟୀ ମାଝେ । ମଣି କୁଣ୍ତଳ ରବି ଗଞ୍ଜେ ॥୨୨୧
ଦେଖି ଚକିତ ହଳଧର । କୃଷ୍ଣଙ୍କୁ କହନ୍ତି ମଧୁର ॥୨୨୨
ଦେବତା ଋଷି ଏ ନୁହନ୍ତି । ତୋହର ପ୍ରାୟେକ ଦିଶନ୍ତି ॥୨୨୩
ନିଜ ବାଳକ-ବତ୍ସା କାହିଁ । ତୋ' ତହୁଁ ଆନ ନ ଦିଶଇ ॥୨୨୪
ମାୟା କି କରିଅଛୁ ମୋତେ । କେମନ୍ତେ ଯିବଇଁ ପରତେ ॥୨୨୫
ହସି ବୋଲନ୍ତି ନନ୍ଦବାଳା । ବ୍ରହ୍ମା କଷଣ ମୋତେ ଦେଲା ॥୨୨୬
ବନେ ଭୋଜନ ଦେଖି ମୋର । ହରିଲ ବାଛୁରୀ-କୁମର ॥୨୨୭
ଏମାନ ଭିଆଇଲି ମୁହିଁ । ଶୁଣିମା ସାବଧାନ ହୋଇ ॥୨୨୮
ଶୁଣି ସାନନ୍ଦ ବଳରାମ । କୃଷ୍ଣଙ୍କୁ ଦିଅନ୍ତି ଚୁମ୍ବନ ॥୨୨୯
ଗୋପେ ମିଳିଲେ ରାତ୍ରକାଳେ । ଶୟନ ଯଶୋଦାର କୋଳେ ॥୨୩୦
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ ॥୨୩୧
ବ୍ରହ୍ମା ଯେ ବତ୍ସା ହରି ନେଲା । ମଞ୍ଚକୁ ବରଷେ ହୋଇଲା ॥୨୩୨
ବିଧାତା ବିଚାରଇ ମନେ । କୃଷ୍ଣେ ଭେଟିବି ବୃନ୍ଧାବନେ ॥୨୩୩
କେମନ୍ତ କଲେ ଦାମୋଦର । ଆଜ ଦେଖିବି ଗୋପପୁର ॥୨୩୪
ବ୍ରହ୍ମା ବିଚାରି ଏହା ମନେ । ବେଗେ ମିଳିଲା ବୃନ୍ଦାବନେ ॥୨୩୫
ଦେଖିଲା ଯମୁନାର କୂଳେ । ବତ୍ସା-ବାଳକ କୃଷ୍ଣମେଳେ ॥୨୩୬
ମୁରଲୀ ବାଇ ନାନାଛନ୍ଦେ । ବାଳକେ ନାଚନ୍ତି ଆନନ୍ଦେ ॥୨୩୭
ନିଶ୍ଚିନ୍ତେ ଚରାନ୍ତି ବାଛୁରୀ । ମଧ୍ୟେ ବିଜୟ ନରହରି ॥୨୩୮
ଦେଖି ଚକିତ ପ୍ରଜାପତି । ବନେ ଚାହଁଇ ଚଉକତି ॥୨୩୯
ଚକିତ ଚିତ୍ତେ ଛନ୍ନ ଛନ୍ନ । ବିଧାତା ବିଚାରଇ ମନ ॥୨୪୦
ବତ୍ସା ବାଳକ ମୁହିଁ ନେଇ । ମାୟା ଶୟଳେ ଅଛି ଥୋଇ ॥୨୪୧
ଏହାଙ୍କୁ କାହୁଁ ଭିଆଇଲା । ଏମନ୍ତ ବୋଲି ବାହୁଡ଼ିଲା ॥୨୪୨
ଦେଖିଲା ନିଜ ପୁରେ ଯାଇ । ବତ୍ସା ବାଳକେ ଛନ୍ତି ଶୋଇ ॥୨୪୩
ପୁଣି ମିଳିଲା ନଦୀତୀରେ । ବାଳକେ ଅଛନ୍ତି ସେଠାରେ ॥୨୪୪
ଆନନ୍ଦେ ଚରାନ୍ତି ବାଛୁରୀ । ନାଚନ୍ତି ବେଣୁନାଦ କରି ॥୨୪୫
ଉଭୟ ସଙ୍କଟେ ବିଧାତା । ମନେ ପାଇଲା ଗୁରୁ ଚିନ୍ତା ॥୨୪୬
ପୁଣି ଦେଖିଲା ଯାଇ ଘରେ । ଆସି ମିଳିଲା ନଦୀତୀରେ ॥୨୪୭
ବିଧାତା ବିଚାରି ଚକିତ । ବୋଲଇ ଏ କି ବିପରୀତ ॥୨୪୮
ମୋର ଭୁବନେ ଶୋଇଛନ୍ତି । ପୁଣି ଏ ବନେ ଚରୁଛନ୍ତି ॥୨୪୯
ଏହାଙ୍କୁ କାହୁଁ ଏ ଆଣିଲା । ମୋତେ ତ ସନ୍ଦେହ ଲାଗିଲା ॥୨୫୦
କି ବୁଦ୍ଧି କରିବଇଁ ଆଜ । ମୋତେ ହୋଇଲା ବଡ଼ ଲାଜ ॥୨୫୧
ଯେବେ ମୁଁ ବତ୍ସା ଦେବି ଆଣି । କୋପ କରିବେ ଚକ୍ରପାଣି ॥୨୫୨
କିବା ମୋହର ବଡ଼ପଣ । ହାସ୍ୟ କରିବେ ଦେବଗଣ ॥୨୫୩
କରିବି କେବଣ ଉପାୟ । ନ ପୁଣ କୋପେ ଦେବରାୟ ॥୨୫୪
କୋପ କରିଣ ଶିରୀବତ୍ସୀ । ଆନ ବ୍ରହ୍ମାଏ ଭିଆଇଛି ॥୨୫୫
ନୁହଇ ମୋହର ସଞ୍ଚିଲା । ଆନ ବ୍ରହ୍ମା କି ଭିଆଇଲା ॥୨୫୬
ବାଳକ ବାଛୁରୀ ଭିଆଇ । ଗୋବିନ୍ଦ ଅଛି କି ଲୁଚାଇ ॥୨୫୭
ନିଜ ମାୟାରେ ନିଜେ ଜଡ଼ି । ବ୍ରହ୍ମା ଭ୍ରମିଲା ପଥ ହୁଡ଼ି ॥୨୫୮
ମାୟା ମୋହିଲେ ଭଗବାନ । ଆନ ମାୟା ଯେ ବିଡ଼ମ୍ବନ ॥୨୫୯
ଘୋର ଅନ୍ଧାର ରାତ୍ରମାନେ । କୁହୁଡ଼ି ଦିଶେ କି ଗଗନେ ॥୨୬୦
ଦିବସେ ଜୁଳୁଜୁଳା ପୋକ । ପ୍ରକାଶି ପାରେ କି ଆଲୋକ ॥୨୬୧
କ୍ଷଣକେ ହୋଇଲା ସଚେତ । ପୁଣି ଚାହଁଇ ଭୟଚିତ୍ତ ॥୨୬୨
ଯେତେ ବାଛୁରୀ ଗୋପବାଳେ । ବ୍ରହ୍ମାଙ୍କୁ ଦିଶନ୍ତି ସକଳେ ॥୨୬୩
ନୀଳ-ଜଳଦ ତୁନୁକାନ୍ତି । ପୀତବସନ ଝଟକନ୍ତି ॥୨୬୪
ଶ୍ରବଣେ କୁଣ୍ତଳ ବିରାଜେ । ରବିଶଙ୍କ ତେଜ ଗଞ୍ଜେ ॥୨୬୫
ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି । କଟୀରେ ରତ୍ନ-ଓଡ଼ିଆଣି ॥୨୬୬
ମର୍କତସ୍ତମ୍ଭ ଭୁଜ ଚାରି । ଶଙ୍ଖ-କମଳ-ଗଦାଧାରୀ ॥୨୬୭
ଦକ୍ଷିଣ କରେ ଚକ୍ର ଶୋହେ । ରୂପେ କୋଟିଏ କାମ ମୋହେ ॥୨୬୮
କରେ କଙ୍କଣ ହୃଦେ ହାର । ଚରଣେ ବାଜେଣି ନୂପୁର ॥୨୬୯
କୋମଳ ତୁଳସୀର ମାଳେ । କଣ୍ଠୁ ଲମ୍ବଇ ପାଦତଳେ ॥୨୭୦
ବିକଟ-କମଳ-ଲୋଚନ । ଅଧର ବିମ୍ବଫଳ ବର୍ଣ୍ଣ ॥୨୭୧
ଯା'ର ମହିଁମା ପରିମାଣି । ବେଦ-ପୁରାଣେ ନୋହେ ଜାଣି ॥୨୭୨
ସ୍ତୁତି କରନ୍ତି ସୁରମୁନି । ପାଦେ କିଙ୍କର ପଦ୍ମଯୋନି ॥୨୭୩
ଅଶେଷ ବ୍ରହ୍ମାଣ୍ତ ଠାକୁର । ବ୍ରହ୍ମାଏ ଖଟନ୍ତି ପୟର ॥୨୭୪
ପୂଜନ୍ତି ନାନା ଉପହାରେ । ନୃତ୍ୟ କରନ୍ତି ଗୀତସ୍ୱରେ ॥୨୭୫
ସ୍ତମ୍ଭରୁ ବ୍ରହ୍ମ ପରିଯନ୍ତେ । ବ୍ରହ୍ମାଣ୍ତେ ଅଛନ୍ତି ଯେ ଯେତେ ॥୨୭୬
ପଞ୍ଚ ଇନ୍ଦ୍ରିୟ ପଞ୍ଚଭୂତ । ଯେ ଅଧିଷ୍ଠାତା ଦଇବତ ॥୨୭୭
ବୁଦ୍ଧି ଚେତନା ଅହଙ୍କାର । ଯେତେ ଏ ମନର ବିକାର ॥୨୭୮
ଯେଝା ବିଷୟ ଅନୁରୂପେ । ଖଟନ୍ତି ବ୍ରହ୍ମାଙ୍କ ସମୀପେ ॥୨୭୯
ଅଣିମା ଆଦି ଅଷ୍ଟନିଧି । କଳା ସ୍ୱଭାବେ କର୍ମସାଧି ॥୨୮୦
ସୃଷ୍ଟି କରନ୍ତି ଅପ୍ରମିତ । ଚଞ୍ଚଳ ବ୍ରହ୍ମାଙ୍କର ଚିତ୍ତ ॥୨୮୧
ଖଟନ୍ତି ଗୋବିନ୍ଦ ପୟର । ଦେଖି ଚକିତ ବେଦବର ॥୨୮୨
କୋଟି ଅଂଶରେ ତୁଲ୍ୟ ନୋହେ । ସ୍ୱରୂପ ବ୍ରବ୍ମାଙ୍କର ପ୍ରାୟେ ॥୨୮୩
ଏମନ୍ତ କୃଷ୍ଣମାୟା ଦେଖି । ଭୟେ ବୁଜିଲା ଅଷ୍ଟ ଆଖି ॥୨୮୪
ଯେସନେ ଦେବୀ ପୂଜା ଯୋଗେ । କାଷ୍ଠପିତୁଳା ଥୋଇ ଆଗେ ॥୨୮୫
ତେସନେ ହୋଇ ବେଦବର । ରହିଲା ଶ୍ରୀକୃଷ୍ଣ ଛାମୁର ॥୨୮୬
ବେଦେ ଗୋଚର ନୋହେ ଯେହୁ । ମହାମହିମ ମହାବାହୁ ॥୨୮୭
ପ୍ରମାଣି ନ ପାଇଲା ଅନ୍ତ । ବ୍ରହ୍ମା ହୋଇଲା ମୋହଗତ ॥୨୮୮
କଣ୍ଠେ ହୋଇଲା ପଞ୍ଚପ୍ରାଣ । ଜାଣିଲେ କମଳାରମଣ ॥୨୮୯
ଅଦୃଶ୍ୟ ଇନ୍ଦ୍ର ଜାଲ ମାୟା । ବିଶ୍ୱ ମୂରତି ଯା'ର କାୟା ॥୨୯୦
ମନେ ବିଚାରି ଚକ୍ରଧର । ଜାଣିଲେ ବ୍ରହ୍ମାର ଆତୁର ॥୨୯୧
ବୋଇଲେ ଅଳପ କର୍ମର । ଜ୍ଞାନ ହାରିଲା ବେଦବର ॥୨୯୨
ଏବେ କରିବା କର୍ମ ଯେତେ । ଧାତା କି ଜୀଇବ ଜୀବିତେ ॥୨୯୩
ବିଚାରି ପଟଳ କାଢ଼ିଲେ । ନିଜ ସ୍ୱରୂପ ଦେଖାଇଲେ ॥୨୯୪
ବ୍ରହ୍ମାଙ୍କୁ କୃଷ୍ଣ ଦୟା କଲେ । ମାୟା-ପଟଳ ଉହାଡ଼ିଲେ ॥୨୯୫
ଜ୍ଞାନ ପାଇଲା ପ୍ରଜାପତି । ଉଠି ଚାହିଁଲା ଚଉକତି ॥୨୯୬
ଦେଖିଲା ବୃନ୍ଦାବନ ଲାଗେ । ଲକ୍ଷ୍ମୀ ବିଜୟ ଚଉଦିଗେ ॥୨୯୭
ବନ୍ୟଜନ୍ତୁଙ୍କ ହିଂସା ନାହିଁ । ଚରନ୍ତି ମିତ୍ର ପ୍ରାୟ ହୋଇ ॥୨୯୮
ଦେଖିଲା କଦମ୍ବର ତଳେ । କୃଷ୍ଣ ନାଚନ୍ତି କୁତୂହଳେ ॥୨୯୯
ପୁଣି ଦେଖିଲା କେହି ନାହିଁ । ଚକିତେ ଚଉଦିଗେ ଚାହିଁ ॥୩୦୦
ସଭୟ ଚିତ୍ତେ ଛନଛନ । ଆରତେ ବୁଜିଲା ନୟନ ॥୩୦୧
ଘଡ଼ିକେ ପୁଣି ଅନାଇଲା । ଦେଖଇ ଗୋବିନ୍ଦର ଲୀଳା ॥୩୦୨
କରେଣ ଅନ୍ନପୁଡ଼ା ଘେନି । ବତ୍ସା ଖୋଜନ୍ତି ବନେ ଭ୍ରମି ॥୩୦୩
ଦେଖି ବାହନ ଉପେକ୍ଷିଲା । କୃଷ୍ଣର ନିକଟେ ମିଳିଲା ॥୩୦୪
ପାଦେ ପଡ଼ିଲା ବେଦବର । ଅବନୀ ଦିଶିଲା ସୁନ୍ଦର ॥୩୦୫
ନୀଳ-ପାଷାଣ ତଳେ ଥାଇ । ସୁବର୍ଣ୍ଣ ଯେମନ୍ତେ ଦିଶଇ ॥୩୦୬
ଚାରି ମୁକୁଟ ଶିରେ ଥିଲା । କୃଷ୍ଣର ଚରଣେ ଲାଗିଲା ॥୩୦୭
ବେନି ଚରଣେ ଶିର ଦେଇ । ଭୟେ ବୋଲଇ ତ୍ରାହି ତ୍ରାହି ॥୩୦୮
ପୂଜିଲା ଗୋବିନ୍ଦ ପୟର । ଦେଇ ବିବିଧ ଉପହାର ॥୩୦୯
ପାଦ ଧୋଇଲା ଚକ୍ଷୁ ଲୁହେ । ମନ ନିବେଶି କୃଷ୍ଣପାୟେ ॥୩୧୦
ଶତେକ ବେଳ ପାୟେ ପଡ଼ି । ଉଠିଲା ବେନିକର ଯୋଡ଼ି ॥୩୧୧
ସ୍ତୁତି କରଇ ଚାରିବେଦେ । ଆନନ୍ଦେ ଶୋକ ଗଦଗଦେ ॥୩୧୨
ସେ ହରି ଚରଣ-କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥୩୧୩
ବତ୍ସା-ହରଣ ଏହୁ ଛାନ୍ଦ । ଏଣେ ଛାଡ଼ିବ ମୋହ-ଫାନ୍ଦ ॥୩୧୪
ଗର୍ବ ଗଞ୍ଜନ ଯା'ର ବାନା । ଭକ୍ତ-ଜନଙ୍କ ବଜ୍ର-ସେହ୍ନା ॥୩୧୫
ଭକ୍ତ ବତ୍ସଳ ନରହରି । ଯାହାର ନାହିଁ ମିତ୍ର ଅରି ॥୩୧୬
ଶ୍ରୀକୃଷ୍ଣ ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୩୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମା ଗର୍ବଗଞ୍ଜନେ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥
</poem>
==='''ପଞ୍ଚଦଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପରୀକ୍ଷ ମହୀପତି । ବ୍ରହ୍ମାର ମନୁ ଗଲା ଭ୍ରାନ୍ତି ॥୧
ସଭୟେ ବେନି କରଯୋଡ଼ି । କ୍ଷଣ କ୍ଷଣକେ ପାୟେ ପଡ଼ି ॥୨
କୃଷ୍ଣ ଚରଣେ ଦେଇ ଶିର । ସ୍ତୁତି କରଇ ବେଦବର ॥୩
ନମସ୍ତେ ବ୍ରହ୍ମାଣ୍ତ ଠାକୁର । ତୋହର ମାୟା ଏ ସଂସାର ॥୪
ତୋ ତନୁ ନୀଳଘନ ତ୍ରାସ । ବିଜୁଳି ପ୍ରାୟ ପୀତବାସ ॥୫
ଗୁଞ୍ଜରା ପାଟି ଶିଖି ପୁଚ୍ଛ । ଏଣେ ନିର୍ମଳ ଚୂଳ ସଞ୍ଚ ॥୬
ଅଳପସ୍ଥିତ ରଙ୍ଗ ମୁଖ । ଚିନ୍ତିଲେ ଖଣ୍ତେ ଭବଦୁଃଖ ॥୭
ବନମାଳାଏ ଲମ୍ବେ ଉରେ । ଅନ୍ନ ପୁଡ଼ାଏ ବାମକରେ ॥୮
ବେତ ମୁରଲୀ ଶିଙ୍ଗା କରେ । କମଳା ସେବଇ ପୟରେ ॥୯
ଏ ଯେତେ ବାଛୁରୀ କୁମର । ତୋହର ଶରୀରୁ ବାହାର ॥୧୦
ତୋ ଅବତାର ମୋର ହିତେ । ସୁଖ ସମ୍ପଦ ଅବିରତେ ॥୧୧
ଇଚ୍ଛାରେ ହୋଇଅଛୁ ଜାତ । ତୋର ନିର୍ମାଣ ପଞ୍ଚଭୂତ ॥୧୨
ଏ ଦେହ ମହିମା ନ ଜାଣୁ । ମୁଁ ବ୍ରହ୍ମା ରୁଦ୍ର ମୁନିମନୁ ॥୧୩
ବୁଦ୍ଧି ବିଚାର ଅନୁମାନି । ବେଦ ପୁରାଣେ ପରିମାଣି ॥୧୪
ଯେ ଜ୍ଞାନଯୋଗେ ଇନ୍ଦ୍ରି ଜିଣେ । ତୋର ମହିମା ନ ପ୍ରମାଣେ ॥୧୫
ସେ ପ୍ରାଣୀ ହୁଅଇ ନିରାଶ । କେବଳ ଲଭେ ଦେହପ୍ରାସ ॥୧୬
ଜ୍ଞାନର ପଥ ଛାଡ଼ି ଥୋକେ । ତୋତେ ଚିନ୍ତନ୍ତି ସନ୍ଥ ଲୋକେ ॥୧୭
ସାଧୁଜନଙ୍କ ମୁଖୁ ଶୁଣି । ତୋର ମହିମା ମନେ ଗୁଣି ॥୧୮
ମନବଚନ କରି ଏକ । ହେଲେ ଜିଣନ୍ତି ତିନିଲୋକ ॥୧୯
ତୋର ଚରଣେ ଭାବ ଛାଡ଼ି । ଯେ ଯା'ନ୍ତି ଯୋଗପଥ ମାଡ଼ି ॥୨୦
ମନ ବଚନ ହୃଦେ ଛନ୍ଦି । ତପେ ଇନ୍ଦ୍ରିୟବଳ ରୁନ୍ଧି ॥୨୧
ଯେତେ କରନ୍ତି ଦେହଶ୍ରମ । ତୋର ମାୟାରେ ହୋନ୍ତି ଭ୍ରମ ॥୨୨
କେବଳ ଲାଭ ଦେହପ୍ରାସ । ସେ ପ୍ରାଣୀ ହୁଅନ୍ତି ନିରାଶ ॥୨୩
ତଣ୍ତୁଳ ଆଶେ ଚଷୁ କୁଟି । ଯେହ୍ନେ ମରନ୍ତି ପ୍ରାଣୀ ଫୁଟି ॥୨୪
ନିରାଶ ହୋନ୍ତି ବେନିପଥ । ପଶୁ ଯୋନିରେ ହୋନ୍ତି ଜାତ ॥୨୫
ତୋତେ ନ ପାଇ ନରହରି । ଭ୍ରମନ୍ତି ତୋ' ମାୟା ଆବୋରି ॥୨୬
ପୂର୍ବେ ଅନେକ ମୁନିଜନ । ସେବିଲେ ତୋହର ଚରଣ ॥୨୭
ନିଜ କରମ ଫଳ ଭୁଞ୍ଜି । ତୋ' ଗତି ଏକୁ ଆରେ ହେଜି ॥୨୮
ପାଇଲେ ତୋ' ପରମ ପଦ । ଖଣ୍ତିଲେ ବିଷୟ-ବିଷାଦ ॥୨୯
ନିର୍ମଳ ଆତ୍ମା ମୁନିଗଣେ । ତୋର ମହିମା ପରିମାଣେ ॥୩୦
ତୋର ବିକାର ନ ପାଇଲେ । ଭକତି ହେଜି ତରିଗଲେ ॥୩୧
ନିର୍ଗୁଣ ଆତ୍ମା ଗୁଣବନ୍ତ । ତୋର ମହିମା ଗୋପୀନାଥ ॥୩୨
ବ୍ରହ୍ମାଣ୍ତେ ଦେହବନ୍ତ ହୋଇ । ତୋ' ଗୁଣ କେ ପାରିବ କହି ॥୩୩
ଭୂମିରେ ଯେତେ ରେଣୁଛନ୍ତି । ଆକାଶେ ଯେତେ ତାରାପନ୍ତି ॥୩୪
ବରଷା ଧାରା ପଡ଼େ ଯେତେ । କେ ଗଣିପାରେ ଏ ଜଗତେ ॥୩୫
ଏ ତିନି ଗଣନେ ସମର୍ଥ । କେହି ବା ଥିବେ ଏ ଜଗତ ॥୩୬
ତୋର ମହିମା ଗୁଣ ଗୁଣି । କେହି ନ ପାରେ ଚକ୍ରପାଣି ॥୩୭
ଯାହାକୁ ହେଉ ତୁ ସଦୟେ । ସେ ନ ପଡ଼ଇ ମାୟାମୋହେ ॥୩୮
ତୋର ଭକତି ହୃଦେ ହେଜି । ଅର୍ଜିଲା କର୍ମଫଳ ଭୁଞ୍ଜି ॥୩୯
ଚିତ୍ତ ନିବେଶି ତୋର ପାଦେ । ସଂସାରୁ ଯା'ନ୍ତି ମୋକ୍ଷପଦେ ॥୪୦
ଅଜ୍ଞାନ ପଣ ଦେଖ ମୋର । ତୋତେ ଭଣ୍ତିଲି ମାୟାଧର ॥୪୧
ମାୟାବୀମାନଙ୍କର ଶ୍ରେଷ୍ଠ । ତୋ' ସଙ୍ଗେ କଲି ମାୟା-ହଟ ॥୪୨
ଅନଳ ଶିଖା କି ଅନଳ । ସଙ୍ଗତେ ହୋଇପାରେ ତୁଲ ॥୪୩
ଅଳପ ଲୋକେ ଅଧିକାର । ତୁ କିପାଁ ଦେଲୁ ଦାମୋଦର ॥୪୪
ଅଳପ ଲୋକେ ଆଧି ଦେଲେ । ସମ୍ଭାଳି ନ ପାରଇ ଭଲେ ॥୪୫
ବ୍ରହ୍ମା ବୋଲି ମୁଁ ବହି ଗର୍ବ । ତୋତେ ଭଣ୍ତିଲି ପଦ୍ମନାଭ ॥୪୬
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥୪୭
ମୋ' ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥୪୮
ମୁଁ ତୋର ନାଭିପଦୁଁ ଜାତ । ତୁ କି ନ ଜାଣୁ ଜଗନ୍ନାଥ ॥୪୯
ମୁଁ ତୋର ଯେତେକ ଅନ୍ତର । ତୁ କି ନ ଜାଣୁ ଚକ୍ରଧର ॥୫୦
ଅବନୀ ଆଦି ପଞ୍ଚଭୂତେ । ମନ ଚେତନା ଅହଂକୃତେ ॥୫୧
ଜୀବ ପରମ ଭାବ ବହି । ବ୍ରହ୍ମାଣ୍ତ ପାଳୁ ଭାବଗ୍ରାହୀ ॥୫୨
କେତେ ବ୍ରହ୍ମାଣ୍ତ ରୋମମୂଳେ । ଉଡୁ ଅଛନ୍ତି ଅନ୍ତରାଳେ ॥୫୩
ଜଳାକବାଟି ବାଟେ ଯେହ୍ନେ । ରେଣୁଏ ଉଡ଼ନ୍ତି ଗଗନେ ॥୫୪
ମୁଁ ଏକ ଅଣ୍ତ ମଧ୍ୟେ ରହି । ସପ୍ତ ଚାଖଣ୍ତ ଦେହ ବହି ॥୫୫
ଅଛଇ ଜୀବ ଆତ୍ମା ଧରି । ତୋ' ମାୟା-ପଟଳ ଆବୋରି ॥୫୬
ଏତେ ଅନ୍ତର ତୋର ମୋର । ତୋତେ ଭଣ୍ତିଲି ମୁଁ ପାମର ॥୫୭
ଗର୍ଭ ଭିତରେ ସୁତ ଥାଇ । ସେ ଯେହ୍ନେ ପାଦ ପ୍ରହାରଇ ॥୫୮
ସେ ଅପରାଧ ଚିତ୍ତେ ଘେନି । କୋପ କି କରଇ ଜନନୀ ॥୫୯
ତୋ' ନାଭିକମଳୁ ମୁଁ ଜାତ । ତୋତେ ଭଣ୍ତିଲି ଜଗନ୍ନାଥ ॥୬୦
ତୋହର ଉଦରେ ପଶିଲି । ଅଶେଷ ବ୍ରହ୍ମାଣ୍ତ ଦେଖିଲି ॥୬୧
ଜଳଧି ଶୟନର କାଳେ । ଏ କଥା ଜାଣନ୍ତି ସକଳେ ॥୬୨
ନଭ-ଅବନୀ ଦେହବ୍ୟାପୀ । ତୁ ନାଥ ନାରାୟଣ ରୂପୀ ॥୬୩
ସକଳ ନର ଆତ୍ମା ହେଉ । ତେଣୁ ନାରାୟଣ ବୋଲାଉ ॥୬୪
ପ୍ରଳୟଜଳେ ଥିଲୁ ଶୋଇ । ତୋ ରୂପ ଦେଖିଲଇଁ ମୁହିଁ ॥୬୫
ଦେଖି ସାନନ୍ଦ ମୋର ମନ । ତୁ କି ନଜାଣୁ ଜନାର୍ଦ୍ଦନ ॥୬୬
ମିଥ୍ୟା ନୁହଁଇ ନା ଏ କଥା । ତୋତେହେଁ ସାକ୍ଷୀ ତୋରମାତା ॥୬୭
ଗୋପାଳକୁମରଙ୍କ ମେଳେ । ମାଟି ଭକ୍ଷିଲୁ ଯେତେବେଳେ ॥୬୮
ଯଶୋଦା ଦେଖିଲା ତୋ ତୁଣ୍ତ । ଉଦରେ ଅଶେଷ ବ୍ରହ୍ମାଣ୍ତ ॥୬୯
ବାହାର ଭିତର ଆଚ୍ଛାଦି । ତୋ' ମାୟାବଳେ ଅଛୁ ରୁନ୍ଧି ॥୭୦
ଏବେ ଏ ବୃନ୍ଦାବନେ ମୋତେ । ମାୟା ନ କଲୁ କେତେ କେତେ ॥୭୧
ପ୍ରଥମେ ଦେଖିଲଇଁ ଏକ । କ୍ଷଣକେ ହୋଇଲୁ ଅନେକ ॥୭୨
ଯେତେ ବାଛୁରୀ ଗୋପପୋଏ । ଦିଶିଲେ ତୋହରି ପରାୟେ ॥୭୩
ନୀଳ ଶରୀର ଚାରିକର । ବ୍ରହ୍ମାଏ ଖଟନ୍ତି ପୟର ॥୭୪
ତୁହି ତୋହର ମାୟା ବହୁ । ବ୍ରହ୍ମା-ଶଙ୍କର ରୂପ ବହୁ ॥୭୫
ସୃଷ୍ଟିର ଅଗ୍ରେ ମୋତେ କରି । ସଙ୍ଖୋଳି ଦେଲୁ ବେଦଚାରି ॥୭୬
ଜଗତ କରାଇ ଭିଆଣ । ତୁ ତାହା ପାଳୁ ନାରାୟଣ ॥୭୭
ଭୂତ-ଭାବନ ରୂପ ବହୁ । ଭକତ ହିତେ ନିତ୍ୟେ ଥାଉ ॥୭୮
ଶଙ୍କର ରୂପେ କରୁ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ॥୭୯
ଦେବ ବ୍ରାହ୍ମଣ ଋଷି ପଶୁ । ଏତେ ଶରୀର ତୁ ପ୍ରକାଶୁ ॥୮୦
ଦୁଷ୍ଟ ନିବାରି ସନ୍ଥ ପାଳୁ । ଦୟାରେ ଧର୍ମ ତୁ ସମ୍ଭାଳୁ ॥୮୧
ସଂସାରେ ହେଉ ଅବତାର । ଦୁଷ୍ଟଦଳନ ବାନା ତୋର ॥୮୨
ତୁ ନାଥ ଧର୍ମ କରୁ ରକ୍ଷା । ଖଳନାଶନ ତୋର ଦୀକ୍ଷା ॥୮୩
କାହିଁ କିପରି କିସ ପାଇଁ । କେତେବେଳେ ବା ଖେଳୁ ତୁହି ॥୮୪
ବିସ୍ତାରି ତୋର ଯୋଗମାୟା । କେ ଜାଣିପାରେପ୍ରଭୁ ଏହା ॥୮୫
ଯୋଗେଶ୍ୱରଙ୍କୁ ଅଗୋଚର । ଭୋ ନାଥ ଏ ଲୀଳା ତୋହର ॥୮୬
ତେଣୁ ତୋ ମାୟାର ଜଗତ । ତୋ' ତହୁଁ ହୋନ୍ତି ଆତଜାତ ॥୮୭
ବିଜୁଳି ଝଟକ ଯେସନ । ମେଘରେ ଦିଶି ହୋନ୍ତି ଲୀନ ॥୮୮
ତୁନାଥ ପୁରୁଷ ପୁରାଣ । ଜ୍ୟୋତି ସ୍ୱରୂପ ଠୁଳଶୂନ୍ୟ ॥୮୯
ନିୟତ ପୂର୍ଣ୍ଣ ନିରଞ୍ଜନ । ଉପାଧିହୀନ ସୁଖପୂର୍ଣ୍ଣ ॥୯୦
ସକଳ ଜନ୍ତୁ ମଧ୍ୟେ ତୁହି । ବିହରୁ ଆତ୍ମାରୂପ ହୋଇ ॥୯୧
ଗୁରୁ ବଚନୁ ଜ୍ଞାନସାର । ପାଇ ଯେ କରନ୍ତି ବିଚାର ॥୯୨
ଭକ୍ତି ଭାବରେ ଜ୍ଞାନଲାଭ । ହୁଅଇ ଯା'ର ପଦ୍ମନାଭ ॥୯୩
ଭବ ଜଳଧି ସେ ତରନ୍ତି । ମାୟା-ପଟଳେ ନ ପଡ଼ନ୍ତି ॥୯୪
ଆତ୍ମାକୁ ଆତ୍ମଜ୍ଞାନେ ଜାଣି । ଚିନ୍ତା ନ କରେ ଯେଉଁ ପ୍ରାଣୀ ॥୯୫
ଅଜ୍ଞାନ ଭାବେ ଜ୍ଞାନ ନାଶ । ରଜ୍ଜୁରେ ଯେହ୍ନେ ସର୍ପତ୍ରାସ ॥୯୬
ଜୀବର ବନ୍ଧ-ମୋକ୍ଷ ଦୁଇ । ଅଜ୍ଞାନ ଭାବୁଁ ଜାତ ହୋଇ ॥୯୭
ତୋହର ତତ୍ତ୍ୱ ଯେ ଜାଣଇ । ତାହାର ବନ୍ଧ-ମୋକ୍ଷ ନାହିଁ ॥୯୮
ଆଦିତ୍ୟ ସଦା ପ୍ରକାଶିଲେ । ନ ଥା'ନ୍ତା ଦିବାରାତ୍ର ଭଲେ ॥୯୯
ତେସନେ ସଦା ସର୍ବସ୍ଥାନ । ସମାନ ଭାବେ ଅଛ ପୂର୍ଣ୍ଣ ॥୧୦୦
ତୋତେ ଯେ ନ ପାରନ୍ତି ଚିନ୍ତି । ଆତ୍ମାକୁ ବାହାରେ ଲୋଡ଼ନ୍ତି ॥୧୦୧
ଶ୍ରମ ଯେ ଲାଭ ତାହାଙ୍କର । ନାହିଁ ତୋ' ଭିତର ବାହାର ॥୧୦୨
ଯେ ତୋତେ ଶରୀରେ ଲୋଡ଼ନ୍ତି । ସୂକ୍ଷ୍ମ ସ୍ୱରୂପ ରୂପେ ଚିନ୍ତି ॥୧୦୩
ଅଜ୍ଞାନ ନାଶେ ତାହାଙ୍କର । ଭବ ସାଗରୁ ହୋନ୍ତି ପାର ॥୧୦୪
ଏ ଜ୍ଞାନୀ ଲୋକଙ୍କର ମତ । ତୋହର ଦୟାରେ ଅନନ୍ତ ॥୧୦୫
ତୋତେ ନିରୋପି ଏ ଶରୀରେ । ଶରୀର-ଭ୍ରାନ୍ତି ଦୂର କରେ ॥୧୦୬
ନିକଟେ ସର୍ପ ଯା'ର ଥାଇ । ସେ କି ଆନକୁ ପାରେ ଚାହିଁ ॥୧୦୭
ସର୍ପର ପ୍ରାୟ ତୋ' ସ୍ୱରୂପେ । ଜ୍ଞାନୀଏ ଜାଗରିତ ଆପେ ॥୧୦୮
ତୋର ଦୟାରେ ତୋତେ ଜାଣି । ଭାବି ତରନ୍ତି ସାଧୁପ୍ରାଣୀ ॥୧୦୯
ତୋ' ଅନୁଗ୍ରହ ଯାରେ ନାହିଁ । ବ୍ରହ୍ମାଣ୍ତେ ଲୋଡ଼ିଲେ ନ ପାଇ ॥୧୧୦
କେତେ କହିବି ନାଥ ତୋତେ । ଏମନ୍ତ ଆଜ୍ଞା ହେଉ ମୋତେ ॥୧୧୧
ନାନା-ଯୋନିରେ ଜାତ କର । ତୋ'ର ସେବକ ମଧ୍ୟେ ବର ॥୧୧୨
ଅପ୍ରାଧ କ୍ଷମାକର ମୋତେ । ତୋ' ପାଦେ ସେବଇଁ ଯେମନ୍ତେ ॥୧୧୩
ଗୋପେ ଅଛନ୍ତି ଯେତେ ଜନ । କେ ତା'ଙ୍କ ପୁଣ୍ୟ କରୁ ଆନ ॥୧୧୪
ହୋଇଣ ବାଛୁରୀ-କୁମର । ସ୍ତନ୍ୟ ପିଇଲୁ ତାହାଙ୍କର ॥୧୧୫
ତୋ' ମନରଞ୍ଜନେ ଅନନ୍ତ । ଯଜ୍ଞେ ନୋହିଲେ ସମରଥ ॥୧୧୬
ନନ୍ଦ-ଯଶୋଦା ଗୋପୀ-ଗୋପ । ଅନେକ କରିଛନ୍ତି ତପ ॥୧୧୭
ତୁ ନାଥ ମିତ୍ର ତାହାଙ୍କର । ବ୍ରହ୍ମା-ଶଙ୍କରେ ଅଗୋଚର ॥୧୧୮
ତୋ'ପାଦ ପଦ୍ମରେ ଅମୃତ । ତେଣେ ଲୋଭିତ ଯା'ର ଚିତ୍ତ ॥୧୧୯
ମନ ଭ୍ରମରେ କରି ପାନ । ତେଜିବେ ତୋ' ମାୟା ଅଜ୍ଞାନ ॥୧୨୦
କୀଟପତଙ୍ଗ ରୂପ ହୋଇ । ଗୋକୁଳେ ପଡ଼ିଥିବି ମୁହିଁ ॥୧୨୧
ଗୋପଜନଙ୍କ ପାଦଧୂଳି । ଦେହରେ ହେଉଥିବି ବୋଳି ॥୧୨୨
ଦେବେ ନ ପାନ୍ତି ଯା'କୁ ଖୋଜି । ଗୋପୀଏ ମିତ୍ରପଣେ ଭଜି ॥୧୨୩
ପୂତନା କରି ଶତ୍ରୁପଣ । ତୋ'ଦେହେ ପଶି ହେଲା ଲୀନ ॥୧୨୪
ଏଣୁ ତୋ' ନାହିଁ ମିତ୍ର ଅରି । ଜଗୁ ଜୀବନ ନରହରି ॥୧୨୫
ତୋର ଚରଣେ ଗୋପୀନାଥ । ଶରଣ ନ ପଶେ ଯାବତ ॥୧୨୬
ତାବତ କାମ-କ୍ରୋଧ ବଳେ । ଡ଼କା କରନ୍ତି ଅବହେଳେ ॥୧୨୭
ଗୃହ ହୁଅଇ ବନ୍ଦିଘର । ମୋହ ଶାଙ୍କୁଳି ଏ ପୟର ॥୧୨୮
ଦାରା ତନୟ ମୋହେ ଜଡ଼ି । ଦୁଃଖ ସଂକଟେ ଥା'ନ୍ତି ପଡ଼ି ॥୧୨୯
ଶରଣ ଜନର ଆନନ୍ଦ । ବଢ଼ାଇବାକୁ ଆଦିକନ୍ଦ ॥୧୩୦
ଅରୂପ ହୋଇ ରୂପ ଧରୁ । ପୁତ୍ରାଦି ରୂପେ ଲୀଳା କରୁ ॥୧୩୧
ଯେ ବୋଲେ ତୋହର ମହିମା । ଜାଣଇ ବୋଲି ଗୁଣସୀମା ॥୧୩୨
ସେ ଜାଣୁ ମୁହିଁ ତ ବହୁତ । ବିଚାରି ନ ପାଇଲି ଅନ୍ତ ॥୧୩୩
ତୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ । ତୋ'ର ଏ ଦେହ ଏଜଗତ ॥୧୩୪
ଅଧିକ କି କହିବି ଆଉ । କିସ କରିବି ଆଜ୍ଞା ହେଉ ॥୧୩୫
ତୁ ବୃଷ୍ଣିବଂଶ-ଦିନକର । ପାଷଣ୍ତ ଧର୍ମ-ତମ ହର ॥୧୩୬
ଭୂମି ଦେବତା ଗୋ-ବ୍ରାହ୍ମଣ । ସମୁଦ୍ରକୁ ଯେ ଚନ୍ଦ୍ର ସମ ॥୧୩୭
ଭାରା ନିବାରୁ ଦୁଷ୍ଟ ନାଶି । ନମୋ ନମସ୍ତେ ବ୍ରହ୍ମରାଶି ॥୧୩୮
;ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟ । ବ୍ରହ୍ମା ଛାଡ଼ିଲା ମନୁ ଭୟ ॥୧୩୯
ପାଦେ ପଡ଼ିଲା ଶତେବାର । ବାହୁଡ଼ି ଗଲା ନିଜ ପୁର ॥୧୪୦
ବତ୍ସା ବାଳକ ଆଣିଦେଲା । ବିକଳେ କୃଷ୍ଣଙ୍କୁ ଚାହିଁଲା ॥୧୪୧
ବ୍ରହ୍ମାର ମୁଖକୁ ଅନାଇ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥୧୪୨
ହସି ବୋଲନ୍ତି ଚକ୍ରଧର । ବିଧାତା ଯାଅ ନିଜପୁର ॥୧୪୩
ବ୍ରହ୍ମାଣ୍ତ ପାଳ ସୁଖେ ଯାଇ । ମୋହର ପାଦେ ଚିତ୍ତ ଦେଇ ॥୧୪୪
ଗୋବିନ୍ଦ ଆଜ୍ଞା ଘେନି ଶିରେ । ବ୍ରହ୍ମା ଚଳିଲେ ନିଜପୁରେ ॥୧୪୫
ମାୟା ମୋହିଲେ ଦେବରାୟେ । ଭୋଜନ କରୁଛନ୍ତି ପୋଏ ॥୧୪୬
କୃଷ୍ଣ ଆଣିଲେ ବତ୍ସା ଲୋଡ଼ି । ଅନ୍ନପୁଡ଼ାଏ କରେ ଧରି ॥୧୪୭
ଥୋକାଏ ତୁଣ୍ତେ ଅଛି ଭାତ । ପୋଏ ଦେଖିଲେ ଗୋପୀନାଥ ॥୧୪୮
କୃଷ୍ଣର ଅଙ୍ଗୁ ବହେ ଝାଳ । ଡ଼ାକନ୍ତି ଆସ ନନ୍ଦବାଳ ॥୧୪୯
ଏକଇ ଗ୍ରାସ ନାହୁଁ ଖାଇ । ଲୋଡ଼ି ଆଣିଲୁ ବତ୍ସା ଯାଇ ॥୧୫୦
ଆସି ତୋହର ଠାବେ ବସ । ଶୁଣି ଗୋବିନ୍ଦ ହସ ହସ ॥୧୫୧
ଶୁଣ ରାଜନ ହରିରସ । ଯାହା କହିଲେ ବେଦବ୍ୟାସ ॥୧୫୨
ଗୋପାଳ କୁମର ବାଛୁରୀ । ଶରୀରୁ ଯାହା ଜାତ କରି ॥୧୫୩
ସର୍ବ ଶରୀରେ ସଂହରିଲେ । ସଙ୍ଗପୁଅଙ୍କୁ ଘେନି ତୁଲେ ॥୧୫୪
ଅନ୍ନ ଭୁଞ୍ଜନ୍ତି କୃଷ୍ଣ ବସି । ଗୋପାଳପୁଏ ପରଶଂସି ॥୧୫୫
ଭୋଜନ ସାରି ଜଳେ ଯାଇ । କର-ଚରଣ-ମୁଖ ଧୋଇ ॥୧୫୬
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ ॥୧୫୭
ପଥେ ଅଘାର ଦେହ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୧୫୮
ନିତ୍ୟେ ଖେଳିବା ଏଥେ ପଶି । ଶୁଣି ଗୋପାଳପୋଏ ହସି ॥୧୫୯
ଗ୍ରାମ ନିକଟେ ପୋଏ ଯାଇ । ଅତି ସାନନ୍ଦେ ବେଣୁ ବାଇ ॥୧୬୦
ମୟୂର ପୁଚ୍ଛ ଗୁଞ୍ଜମାଳୀ । ଗୁଞ୍ଜରା ପାଟି ରଙ୍ଗ ଢାଳି ॥୧୬୧
ଗୋରଜ ଶୋହେ କୃଷ୍ଣ ଦେହେ । ବେଢ଼ି ନାଚନ୍ତି ଗୋପପୋଏ ॥୧୬୨
ଗୋପୀଙ୍କ ନୟନ ଆନନ୍ଦ । ହୃଦୟ ପୂର୍ଣ୍ଣିମାର ଚାନ୍ଦ ॥୧୬୩
ପୋଏ ମିଳିଲେ ଯେଝା ଘରେ । କହିଲେ ମାତାଙ୍କ ଛାମୁରେ ॥୧୬୪
ସର୍ପ ଆମ୍ଭଙ୍କୁ ଗିଳୁଥିଲା । ଆପଦୁଁ ଗୋବିନ୍ଦ ରଖିଲା ॥୧୬୫
ସର୍ପ ଯେ ପାଟି ଫାଡ଼ିଥିଲା । କୃଷ୍ଣ ତା' ତାଳୁ ବିଦାରିଲା ॥୧୬୬
ସେବାଟେ ହୋଇଲୁ ବାହାର । ପଛେ ଗୋ ଥିଲା ଦାମୋଦର ॥୧୬୭
ଶୁଣି ଚକିତ ଗୋପନାରୀ । ଭୟେ ବୋଲନ୍ତି ହରି ହରି ॥୧୬୮
ଶୁଣି ପରୀକ୍ଷ ନୃପବର । ଶୁକକୁ ବୋଲଇ ଉତ୍ତର ॥୧୬୯
;ପରୀକ୍ଷିତ ଉବାଚ
ଭୋ ମୁନି ନିଜ ସୁତ ପାଇ । କେମନ୍ତ କଲେ ଗୋପଗୋଈ ॥୧୭୦
ମାୟା ବାଳକେ ସ୍ନେହ ଯେତେ । ନିଜ ବାଳକେ କଲେ କେତେ ॥୧୭୧
ଏଣେ ତ ମୋହର ସନ୍ଦେହ । ଭ୍ରାନ୍ତି ମୋ' ଯାଉ ମୁନି କହ ॥୧୭୨
;ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟେ । ଜଗତ ଅଛି ମାୟାମୋହେ ॥୧୭୩
ଆତ୍ମାକୁ ନ କରନ୍ତି ଚିନ୍ତା । ବିଷୟ-ଜଡ଼େ ବଳବନ୍ତା ॥୧୭୪
ସୁତ କଳତ୍ର ଦେହ ବିତ୍ତ । ସ୍ନେହେ ଜଡ଼ିତ ଅବିରତ ॥୧୭୫
ତଥାପି ଜାଣ ରାଜା ତୁହି । ଆତ୍ମାହୁଁ ପ୍ରିୟ କେହି ନାହିଁ ॥୧୭୬
ସୁତ କଳତ୍ର ଦେହଭଙ୍ଗ । ଜରାବ୍ୟାଧିରେ କ୍ଷୀଣ ଅଙ୍ଗ ॥୧୭୭
ହେଲେ ହେଁ ପୁଣି ପ୍ରାଣୀ କେହି । ଜୀବନ ଆଶା କି ଛାଡ଼ଇ ॥୧୭୮
କୃଷ୍ଣ ତୋ' ଜୀବର ଜୀବନ । କିମ୍ବା ନୋହିବେ ପ୍ରିୟତମ ॥୧୭୯
ଏଣେ ପୁତ୍ରଙ୍କୁ କଲେ ଦୟା । ବିଶେଷେ ଗୋବିନ୍ଦର ମାୟା ॥୧୮୦
ପୂର୍ବହୁଁ ଅତି ସ୍ନେହଭରେ । କୃଷ୍ଣେ ପାଳିଲେ ଗୋପପୁରେ ॥୧୮୧
ସେ ହରିପାଦେ ଦେଇ ମନ । ନିରତେ କରଇ ଯେ ଧ୍ୟାନ ॥୧୮୨
ବିପଦେ ତା'ର ନାହିଁ ଭ୍ରାନ୍ତି । ଭବସାଗରୁ ତରି ଯା'ନ୍ତି ॥୧୮୩
କୁମାର କାଳେ ବନମାଳୀ । ଯେମନ୍ତ କଲେ ବାଳକେଳି ॥୧୮୪
ଷଡ଼ବରଷ ହୋଏ ଏବେ । ଯେତେକ କଲେ ବାଳଭାବେ ॥୧୮୫
ଏଣେ ତୁ ହୁଅ ସାବଧାନ । ଖଣ୍ତିବୁ ମୋହ ଜଡ଼ ଭ୍ରମ ॥୧୮୬
ଦାସର ଦାସ ଜଗନ୍ନାଥ । ଗୀତେ ଗାଇଲା ଭାଗବତ ॥୧୮୭
ପଣ୍ତିତେ ନ ଘେନିବ ଦୋଷ । ହରିଚରିତ ସୁଧାରସ ॥ ।୧୮୮
କୃଷ୍ଣ ସବୁରି ଦେହେ ଥାଇ । ଯାହାକୁ ଯେମନ୍ତ ବୁଝାଇ ॥୧୮୯
କେ କରି ପାରିବ ତା' ଆନ । ଚିତ୍ତକୁ ସାକ୍ଷୀ ଭଗବାନ ॥୧୯୦
ମୋ' ମନ ମୋହିଲେ ମୁରାରି । ପୁରାଣ ଗୀତ ଅର୍ଥ କରି ॥୧୯୧
ଏଣୁ ମୋହର ଜ୍ଞାନ ନାହିଁ । ବାଳୁତଜନ ପ୍ରାୟ ହୋଇ ॥୧୯୨
ସୁଜନେ ଏଣେ ମନ ଦେଲେ । କୃଷ୍ଣ ଭେଟିବ ତୁମ୍ଭେ ଭଲେ ॥୧୯୩
ସେ ଦୟାନିଧି ହେଲେ ଭେଟ । ନ ଥିବ ଏ ସଂସାର କଷ୍ଟ ॥୧୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମସ୍ତୁତିର୍ନାମ ପଞ୍ଚଦଶୋଽଧ୍ୟାୟଃ ॥
</poem>
==='''ଷୋଡ଼ଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ପରୀକ୍ଷିତ । ଶ୍ରୀକୃଷ୍ଣ ବାଳକ ଚରିତ ॥୧
ଷଡ଼ବରଷେ ନରହରି । କାନନେ ଚରାନ୍ତି ବାଛୁରୀ ॥୨
ଦିନକୁ ଦିନ ବଳୀୟାର । ଗାଈ ଜଗିଲେ ଦାମୋଦର ॥୩
ରୋହିଣୀସୁତ ଘେନି ସଙ୍ଗେ । ବନେ ଖେଳନ୍ତି ନାନା ରଙ୍ଗେ ॥୪
ଦିନେକ କୃଷ୍ଣ ବେଣୁନାଦେ । ବାଳକେ ମିଳିଲେ ଆନନ୍ଦେ ॥୫
କୃଷ୍ଣଙ୍କୁ ବେଢ଼ି ଗୋପବାଳେ । ବେଣୁ ବଜାନ୍ତି କୁତୂହଳେ ॥୬
ଆଗେ ଅଡ଼ାଇ ବତ୍ସା ଗାଈ । ମିଳିଲେ କୃଷ୍ଣ ବନେ ଯାଇ ॥୭
କୋମଳ ଘାସ ନାନା ଫୁଲ । କୋକିଳ ଶବଦେ ଚହଳ ॥୮
ମୟୁରନାଦ ଭୃଙ୍ଗ ମେଳେ । ଗନ୍ଧକୁସୁମ ଜଳସ୍ଥଳେ ॥୯
ନବପଲ୍ଲବ ତରୁସ୍ଥିତ । କୋମଳ ବହଇ ମରୁତ ॥୧୦
ପଦ୍ମ କୁମୁଦ ଗନ୍ଧ ଘେନି । ଆନନ୍ଦେ ବିରାଜେ ଅବନୀ ॥୧୧
ଦେଖିଣ ଆନନ୍ଦ ଶ୍ରୀରଙ୍ଗ । ବାଳକମେଳେ ରାମ ସଙ୍ଗ ॥୧୨
ଫଳ କୁସୁମ ତରୁଗଣେ । ଲାଗନ୍ତି ରାମର ଚରଣେ ॥୧୩
ଦେଖି ହସିଲେ ଦାମୋଦର । ରାମଙ୍କୁ ବୋଲନ୍ତି ମଧୁର ॥୧୪
;ଶ୍ରୀକୃଷ୍ଣ ଉବାଚ
ଭୋ ଦେବ ଦେଖ ତରୁଗଣେ । ଲୋଟନ୍ତି ତୁମ୍ଭର ଚରଣେ ॥୧୫
ଦେବେ ନ ପାନ୍ତି ଯାହା ଖୋଜି । ତାହାଙ୍କୁ ତରୁଗଣେ ଭଜି ॥୧୬
ତରିବେ ଭବବନ୍ଧ ତାପୁଁ । ବୃକ୍ଷ ହୋଇଲେ କେଉଁ ପାପୁ ॥୧୭
ଏ ଯେ ଭ୍ରମର-ପକ୍ଷୀଗଣେ । ନାଦେ ଭଜନ୍ତି ତୋ' ଚରଣେ ॥୧୮
ଦେବେ ଗୁପତେ ବନଚାରୀ । ତୋତେ ପୂଜନ୍ତି ଧ୍ୟାନକରି ॥୧୯
ପକ୍ଷୀ ସ୍ୱରୂପେ ମୁନିଗଣେ । ମନ ନିରୋପି ତୋ' ଚରଣେ ॥୨୦
ଦେଖ ଏ ମୟୂରଙ୍କ ନୃତ୍ୟ । ମୃଗଯୁବତୀ ଯୂଥ ଯୂଥ ॥୨୧
ଗୋପୀଙ୍କ ପ୍ରାୟେ ଛନ୍ତି ରହି । ଦେଖନ୍ତି ନୟନ ପୁରୋଇ ॥୨୨
ଦେଖ ଗଭୀର ପିକନାଦ । ଶୁଣନ୍ତେ ଖଣ୍ତେ ମନଖେଦ ॥୨୩
ସାଧୁଜନଙ୍କ ପ୍ରାୟେ ହୋଇ । ଭାବନ୍ତି ତୋ' ମୁଖ ଅନାଇଁ ॥୨୪
ଏ ପୁଣ୍ୟବନ୍ତ ମହୀଧର । ଲାଗୁଛି ତୋହର ପୟର ॥୨୫
ତୋ'ପାଦ ଲାଗି ବୃକ୍ଷଲତା । ପୁଣ୍ୟେ ହୋଇଲେ ବଳବନ୍ତା ॥୨୬
ନଦୀ ପର୍ବତ ଖଗ ମୃଗ । ନିଶ୍ଚେ ଲଭିବେ ମୋକ୍ଷଯୋଗ ॥୨୭
;ଶୁକ ଉବାଚ
ଏମନ୍ତେ ରାମକୁ ଦେଖାଇ । ମିଳିଲେ ନଦୀକୂଳେ ଯାଇ ॥୨୮
ଗାଈ ଚରାନ୍ତି ବେଣୁ ବାଇ । ଆନନ୍ଦ କେ ପାରିବ କହି ॥୨୯
ଗୋପାଳପୋଏ ଗୀତନାଦେ । ଶ୍ରୀକୃଷ୍ଣ ନାଚନ୍ତି ଆନନ୍ଦେ ॥୩୦
ଗୋପ କୁମରେ ପରଶଂସି । ମୁରଲୀନାଦେ ବ୍ରହ୍ମରାଶି ॥୩୧
ହଂସର ରାବ ଶୁଣି ଡ଼ାକି । ନାଚନ୍ତି ମୟୂରଙ୍କୁ ଦେଖି ॥୩୨
ଶୁକ କୋକିଳ ନାଦ ଶୁଣି । ମୁରଲୀ ନାଦେ ତାହା ଭଣି ॥୩୩
ଗୋରୁଙ୍କୁ ଡ଼ାକନ୍ତି ସୁସ୍ୱରେ । ଗମ୍ଭୀରେ ନାମ ଧରି ଧୀରେ ॥୩୪
ପକ୍ଷୀଙ୍କ ନାଦ ଶୁଣି ଡ଼ାକି । ପଶୁଙ୍କୁ ଚାହାଁନ୍ତି ନିରେଖି ॥୩୫
ବେଳ ହୋଇଲା ଅବସାନ । ଫୁଟିଲେ ରୋହିଣୀନନ୍ଦନ ॥୩୬
ରାମର ଶ୍ରମ ଅନୁସରି । ବୃକ୍ଷରେ ଉଠିଲେ ମୁରାରି ॥୩୭
କୋମଳ ପତ୍ର ବୃକ୍ଷୁ ଆଣି । ଶଯ୍ୟା ପାରିଲେ ଚକ୍ରପାଣି ॥୩୮
ତହିଁ ଶୁଆଇ ହଳଧରେ । ପାଦ ଚାପନ୍ତି ଧୀରେ ଧୀରେ ॥୩୯
ଗୋପାଳପୋଏ ନୃତ୍ୟ କରି । ମନ ତୋଷିଲେ ହଳଧାରୀ ॥୪୦
କେଳି କରନ୍ତି ନାନାରଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ସଙ୍ଗେ ॥୪୧
ଉଠିଣ ରାମ ପରଶଂସି । ହସ୍ତ ଧଇଲେ ବ୍ରହ୍ମରାଶି ॥୪୨
କୃଷ୍ଣ କରନ୍ତି ରଙ୍ଗେ ନୃତ୍ୟ । ଗୋପାଳେ ବେଣୁନାଦେ ଗୀତ ॥୪୩
କୃଷ୍ଣର ଶ୍ରମ ଦେଖି ପୋଏ । ପଲ୍ଲବ ଆଣିଲେ ଥୋକାଏ ॥୪୪
ବୃକ୍ଷର ମୂଳେ ଶଯ୍ୟା କରି । ତହିଁ ଶୁଆଇଲେ ମୁରାରି ॥୪୫
ଜାନୁରେ ରଖି ସୀମସ୍ଥାନ । କେ ବସି ଚାପନ୍ତି ଚରଣ ॥୪୬
ପତ୍ର-ବିଞ୍ଚଣା କରି ବିଞ୍ଚି । କେ ପାଣି କୃଷ୍ଣଦେହେ ସିଞ୍ଚି ॥୪୭
ସୁସ୍ୱରେ କଲେ ଗୀତରସ । ଯେଣେ ହୋଇବ ମନତୋଷ ॥୪୮
ଏମନ୍ତେ ଗୋପବାଳ ସଙ୍ଗେ । କୃଷ୍ଣ ଖେଳନ୍ତି ନାନାରଙ୍ଗେ ॥୪୯
ସୁଦାମା ନାମେ ଗୋପସୁତ । କୃଷ୍ଣର ମିତ୍ର ସେ ଯୁକତ ॥୫୦
ସୁବଳ ସ୍ତୋକକୃଷ୍ଣ ଆଦି । ଏମନ୍ତ ନାମ ପରସିଦ୍ଧି ॥୫୧
ରାମ ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥୫୨
ଭୋ ରାମ ଶୁଣ ସାବଧାନ । ଆଗେ ଯେ ଦିଶେ ତାଳବନ ॥୫୩
ସୁପକ୍ୱଫଳ ରସମୟେ । ଦେଖ ଲୋଭିତ ଦେବତାଏ ॥୫୪
ପାଚିଣ ପଡ଼ୁଅଛି ତଳେ । ପୁରୁଷେ ପ୍ରମାଣ ବହଳେ ॥୫୫
ବୃକ୍ଷେ ଅଛଇ ଅପ୍ରମିତ । ଗନ୍ଧେ ଲୋଭିତ ଆମ୍ଭ ଚିତ୍ତ ॥୫୬
ପୂର୍ବେ ଏ ଫଳ ଲୋକେ ଖା'ନ୍ତି । ଏବେ ତ ଯାଇ ନପାରନ୍ତି ॥୫୭
ଧେନୁକ ନାମେ ମହାସୁର । ସେ ତାଳବନେ ତା'ର ଘର ॥୫୮
ବନ୍ଧୁବାନ୍ଧବ ଅପ୍ରମିତେ । ସେ ବନେ ଅଛନ୍ତି ନିଶ୍ଚିନ୍ତେ ॥୫୯
ତାହାର ଭୟେ ଲୋକେ ଡ଼ରି । ତିନି ଭୁବନେପଡ଼େ ହୁରି ॥୬୦
ଦେବେ ଡ଼ରନ୍ତି ତାର ନାଏଁ । ପ୍ରଚଣ୍ତେ ପବନ ନ ବହେ ॥୬୧
ଡ଼ରାଏ ଭୂତରୂପ ହୋଇ । ଲୋକେ ନ ଯା'ନ୍ତି ତାଳ ଖାଇ ॥୬୨
ସୀମା ଆବୋରି ପୁର କରି । ସେ ପୁରେ ପଶି ତ ନ ପାରି ॥୬୩
ଅପାରଦିନୁ ସେହୁ ବାଟ । ପଡ଼ି ଅଛଇ ନନ୍ଦଚାଟ ॥୬୪
ବୃଦ୍ଧେ କହନ୍ତି ପୂର୍ବବାଣୀ । ସେ ବନେ ଭୂତ ଥାଇ ପୁଣି ॥୬୫
ଡ଼ରି ନ'ଯାନ୍ତି ତହିଁ ଲୋକେ । ସେ ବନେ ନ ଆସନ୍ତି ଥୋକେ ॥୬୬
ତୁ ନାଥ ହୋଇଲେ ସଦୟେ । ସେ ଫଳ ଭୁଞ୍ଜିବୁ ଥୋକାଏ ॥୬୭
ଗୋପପୁରକୁ ନେବୁ ବହି । ଶୁଣି ହସନ୍ତି ବେନିଭାଇ ॥୬୮
ବୋଲନ୍ତି କଢ଼ାଅ ସେ ପଥ । ଆଗ ହୋଇଲେ ଗୋପୀନାଥ ॥୬୯
ତା' ଦେଖି ରୋହିଣୀକୁମର । ଧାଇଁଲେ ପବନହୁଁ ଖର ॥୭୦
ବେଗେ ପଶିଲେ ତାଳବନେ । ଗୋପାଳେ ମିଳିଲେ ବହନେ ॥୭୧
ରୋହିଣୀସୁତ ଆଗ ହୋଇ । ବୃକ୍ଷକୁ ଦେଲେ ଦୋହଲାଇ ॥୭୨
ଫଳ ଝାଡ଼ିଲେ ବୃକ୍ଷ ଚାଳି । ଘୋରଶବଦେ ମହାବଳୀ ॥୭୩
ବୃକ୍ଷକୁ ବୃକ୍ଷ ଦେହ ଲାଗି । ସକଳେ ପଡୁଛନ୍ତି ଭାଙ୍ଗି ॥୭୪
ଫଳ ପଡ଼ିଲା ସବୁ ଝଡ଼ି । ଶବଦ ମେଘ ଘଡ଼ଘଡ଼ି ॥୭୫
ବନରେ ଚହଳ ପଡ଼ିଲା । ତାଳ ବିପିନ ଭାଜିଗଲା ॥୭୬
ଧେନୁକାସୁର ବୀରମଣି । ଲୋକମୁଖରୁ ତାହା ଶୁଣି ॥୭୭
ପ୍ରତିଜ୍ଞା କରି ମହାବଳୀ । ବେଗେ ଧାଇଁଲା ପରଜ୍ୱଳି ॥୭୮
ଭାଜିବା ଦେଖି ତାଳବନ । ଅସୁର କଲା ଘୋର ସ୍ୱନ ॥୭୯
ଶବଦେ ଅବନୀ କମ୍ପିଲା । ରାମର ନିକଟେ ମିଳିଲା ॥୮୦
ବେନିଚରଣ ତୋଳି ବେଗେ । ମାଇଲା ହଳଧର ଅଙ୍ଗେ ॥୮୧
କ୍ଷଣକେ ପଛଘୁଞ୍ଚା ଦେଇ । ପୁଣି ମାଇଲା ପାଦ ନେଇ ॥୮୨
ଗର୍ଦ୍ଦଭ ସ୍ୱଭାବେ ଶବଦ । କରି ମାଇଲା ବେନିପାଦ ॥୮୩
ଅନନ୍ତ କୋପେ ଗୁରୁତର । ଆକର୍ଷି ଧଇଲେ ପୟର ॥୮୪
ବେନି ଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥୮୫
କରେ ଘୂରାନ୍ତେ ହଳଧର । ଜୀବନ ଛାଡ଼ିଲା ଅସୁର ॥୮୬
ତାଳ ସଙ୍ଗତେ ମୃତପିଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତ ॥୮୭
ବନ୍ଧୁ କୁଟୁମ୍ବ ତା'ର ଯେତେ । ରାକ୍ଷସ ବଳ ଅପ୍ରମିତେ ॥୮୮
ଧାଇଁଲେ ଅତି ଖରତରେ । ମିଳିଲେ ରାମର ଛାମୁରେ ॥୮୯
ମାରନ୍ତି ପାଦଘାତ କରି । ଦେଖି ଧାଇଁଲେ ହଳଧାରୀ ॥୯୦
ପଛ-ଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥୯୧
ଏକ ଆରକେ ପ୍ରହାରିଲେ । ନିମିଷ ମାତ୍ରେ ସଂହାରିଲେ ॥୯୨
ଅସୁରଙ୍କର ଦେହ ସଙ୍ଗେ । ତାଳ ପଡ଼ିଲା ଭୂମିଭାଗେ ॥୯୩
ମେଘ ଯେସନେ ଢ଼ାଙ୍କେ ଶୂନ୍ୟ । ଅସୁର ଦେହେ ବ୍ୟାପେ ବନ ॥୯୪
ଦେଖି ସାନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥୯୫
ପୁଷ୍ପ ବରଷି ଦେବତାଏ । ନିର୍ଭୟ ହୋଇଲେ ଥୋକାଏ ॥୯୬
ତାଳ ଭୁଞ୍ଜିଲେ ଗୋପପୋଏ । ଘରକୁ ଆଣିଲେ ଥୋକାଏ ॥୯୭
ସେଦିନୁ ଗୋପ ନରନାରୀ । ନିର୍ଭୟେ ତାଳ ଭୋଗ କରି ॥୯୮
ସେ ବନେ ଚରାଇଲେ ଗାଈ । ନିଶ୍ଚିନ୍ତେ ଶିଙ୍ଗା ବେଣୁ ବାଇ ॥୯୯
ଦିନ ଅନ୍ତରେ ଗୋପେ ପଶି । ପଥେ ମୁରଲୀ ନାଦ ଘୋଷି ॥୧୦୦
ଗୋପବାଳକ ମଧ୍ୟେ ଥାଇ । ରଙ୍ଗେ ନାଚନ୍ତି ବେନିଭାଇ ॥୧୦୧
ଗୋରଜ ଭୂଷଣ ଶରୀରେ । ଗୁଞ୍ଜ ମୟୂରପୁଚ୍ଛ ଶିରେ ॥୧୦୨
ହୃଦେ ଲମ୍ବଇ ବନମାଳ । କରେ ସୁରଙ୍ଗ ତାଳଫଳ ॥୧୦୩
ଗୋପୀଏ ରାମକୃଷ୍ଣ ଦେଖି । ନିର୍ମଳ କଲେ ଚର୍ମଆଖି ॥୧୦୪
ଶ୍ରୀକୃଷ୍ଣ ଚାହିଁ ରସଭରେ । ମିଳିଲେ ନନ୍ଦର ମନ୍ଦିରେ ॥୧୦୫
ଆନନ୍ଦେ ଯଶୋଦା ରୋହିଣୀ । କୋଳେ ବସାନ୍ତି ପୁତ୍ରେ ଆଣି ॥୧୦୬
ପୁତ୍ରଙ୍କୁ ମାଜଣା କରାଇ । ସର ଲବଣି ଅନ୍ନ ଦେଇ ॥୧୦୭
ଶେଯେ ଶୁଆଇ ପୁତ୍ରବେନି । ସୁସ୍ୱରେ କଳେ ଗୀତଧ୍ୱନି ॥୧୦୮
ଏମନ୍ତେ ବଞ୍ଚିଲେ ରଜନୀ । ପରୀକ୍ଷେ କହେ ଶୁକମୁନି ॥୧୦୯
ପ୍ରଭାତେ ଉଠି ଦାମୋଦର । ବନେ ଚଳିଲେ ଧାତିକାର ॥୧୧୦
ଗୋପ କୁମରେ ଗାଈ ଘେନି । ଆନନ୍ଦେ କଲେ ବେଣୁଧ୍ୱନି ॥୧୧୧
ଘରେ ରହିଲେ ହଳଧର । କୃଷ୍ଣ ବିଜୟେ ନଦୀତୀର ॥୧୧୨
ଗୋରୁ ଚରାନ୍ତି ବନେପଶି । ରବି କିରଣ ପରକାଶି ॥୧୧୩
ତୃଷ୍ଣାରେ ନ ପାରନ୍ତି ଚଳି । କାଳିନ୍ଦୀ ହ୍ରଦେ ଯାଇ ମିଳି ॥୧୧୪
ସକଳେ କଲେ ଜଳପାନ । ତକ୍ଷଣେ ଛାଡ଼ିଲେ ଜୀବନ ॥୧୧୫
ଗୋରୁ ଗୋପାଳପୋଏ ମରି । ଦେଖି ଚକିତ ନରହରି ॥୧୧୬
ହ୍ରଦକୁ ଗୋବିନ୍ଦ ଅନାଇ । ବିଚାର କଲେ ଭାବଗ୍ରାହୀ ॥୧୧୭
ଗରୁଡ଼ ପକ୍ଷୀରାଜ ଡରେ । କାଳୀୟ ଅଛି କାଳିନ୍ଦୀରେ ॥୧୧୮
ତାହାର ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥୧୧୯
ଏ ଜଳ ବୃନ୍ଦାବନେ ଥିଲେ । ପ୍ରାଣ ପାଇବ କେହୁ ଭଲେ ॥୧୨୦
ଭାରା ନିବାରେ ମୁହିଁ ଜାତ । ପୋଏ ହୋଇଲେ ପ୍ରାଣେ ହତ ॥୧୨୧
ନିର୍ବିଷ କରିବଇଁ ଆଜ । ଏଣେ ମୋହର ବଡ଼ କାର୍ଯ୍ୟ ॥୧୨୨
ଏତେ ବିଚାରି ଭାବଗ୍ରାହୀ । ଅମୃତ ନୟନେ ଅନାଇଁ ॥୧୨୩
ଗୋପବାଳକ ଗୋରୁ ସଙ୍ଗେ । ଜୀବନ ଦେଲେ ଶିରୀରଙ୍ଗେ ॥୧୨୪
ଗୋରୁ ବାଳକ ସଙ୍ଗ କରି । ଗୋପେ ମିଳିଲେ ନରହରି ॥୧୨୫
ସେ ହରିଚରଣ କମଳେ । ଚିତ୍ତ ମୋ ରହୁ ଭୃଙ୍ଗମେଳେ ॥୧୨୬
ହେ ଦୟାନିଧି ଦୟାକରି । ଏ ଦୀନ ଜନେ କର ପାରି ॥୧୨୭
କୃଷ୍ଣ ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥୧୨୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଧେନୁକବଧୋ ନାମ ଷୋଡ଼ଶୋଽଧ୍ୟାୟଃ ॥
</poem>
==='''ସପ୍ତଦଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ କୃଷ୍ଣ କଥା । ଯେଣେ ଖଣ୍ତିବ ଭବବ୍ୟଥା ॥୧
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ ॥୨
ଗୋପ-ଗୋବତ୍ସା ସଙ୍ଗେ ଘେନି । ସୁସ୍ୱରେ କଲେ ବେଣୁ ଧ୍ୱନି ॥୩
ଗୋପାଳେ ବନୁ ପୁଷ୍ପ ତୋଳି । କାଳିନ୍ଦୀ ହ୍ରଦ ତଟେ ମିଳି ॥୪
ତୀରେ କଦମ୍ବ ତରୁ ବନ । ଦେଖି ବାଳକେ ତୋଷମନ ॥୫
ବୃକ୍ଷେ ଉଠିଲେ ଧାତିକାରେ । ଗାଈ ଚରାନ୍ତି ନଦୀତୀରେ ॥୬
ଗୋବିନ୍ଦ ବୃକ୍ଷତଳେ ରହି । ବିଚାର କଲେ ଭାବଗ୍ରାହୀ ॥୭
ଗଭୀର ନିର୍ମଳ ଶୀତଳ । ବିଷେ ଦୂଷିତ ପୁଣ୍ୟଜଳ ॥୮
ଏ ଜଳେ କାଳୀୟ ନ ଥିବ । ଜଳ ପିଇବେ ସର୍ବଜୀବ ॥୯
ଏମନ୍ତ ମନେ ବିଚାରିଲେ । କଦମ୍ବ ବୃକ୍ଷରେ ଉଠିଲେ ॥୧୦
ଉଚ୍ଚ ଶିଖର ଡାଳେ ରହି । ହଲାନ୍ତି ଜଳକୁ ଅନାଇଁ ॥୧୧
ଶୁଣି ପରୀକ୍ଷ ମନତୋଷେ । ମୁନିଙ୍କି ବୋଲନ୍ତି ହରଷେ ॥୧୨
;ପରୀକ୍ଷିତ ଉବାଚ
ଭୋ ମୁନି କାଳିନ୍ଦୀ ହ୍ରଦର । କାଳୀୟ କରିଥିଲା ଘର ॥୧୩
ଗୋବିନ୍ଦେ କି କଲାକ ଦୋଷ । କିମ୍ପା ତା' ଗର୍ବ କଲେ ନାଶ ॥୧୪
ଅଗାଧ ଜଳୁଁ ହୃଷୀକେଶ । ସର୍ପକୁ ଦେଲେ ପରବାସ ॥୧୫
ଅନେକ ଦିନୁଁ ଥିଲା ଜଳେ । କି ଦୋଷ କଲା ପାଦତଳେ ॥୧୬
କିମ୍ପା ନିର୍ବାସିଲେ ମୁରାରି । କହିବା ଶୁକ ବ୍ରହ୍ମଚାରୀ ॥୧୭
ହରିର ମହିମା ଅଶେଷ । ସଂସାର ହିତେ ପରକାଶ ॥୧୮
ମାୟା ମନୁଷ୍ୟ ଅବତାର । ଗୁପତେ ଛନ୍ତି ନନ୍ଦଘର ॥୧୯
ତା'ର ଚରିତ ଯେବା ଶୁଣି । ଅମୃତ ରସମୟ ବାଣୀ ॥୨୦
ସାଧବଜନଙ୍କର ମତେ । କେ ଛାଡ଼ି ପାରିବ ତା' ଚିତ୍ତେ ॥୨୧
କହ ତାହାଙ୍କ ବାଳକେଳି । ବୋଲେ ପରୀକ୍ଷ ଦଣ୍ତଧାରୀ ॥୨୨
କାଳୀୟ ଦର୍ପ ଚୂରି କେହ୍ନେ । ଏ କଥା ଶୁଣିବି ମୁଁ କର୍ଣ୍ଣେ ॥୨୩
;ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୨୪
ଭାରା ନିବାରେ ନରହରି । ମନୁଷ୍ୟ ଦେହେ ଅବତରି ॥୨୫
ଦୁଷ୍ଟ ନିବାରି ସନ୍ଥ ପାଳି । ଦୟା ସାଗର ବନମାଳୀ ॥୨୬
କାଳୀୟ ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥୨୭
ଗରଳ ଯୋଗେ ଜଳବାୟେ । ପକ୍ଷୀଏ ନ ଉଡ଼ନ୍ତି ଭୟେ ॥୨୮
ବିଶେଷେ ଗରଳ ଲହରୀ । ଜଳ ପିଅନ୍ତେ ଜନ୍ତୁ ମରି ॥୨୯
ଏମନ୍ତ ଦେଖି ବନମାଳୀ । ବିଚାର କଲେ ମନେ ଭାଳି ॥୩୦
ମୋହର ନୋହଇ ସହିଲା । କାଳୀ ଅନୀତି ଆଚରିଲା ॥୩୧
ଭାରା ନିବାରେ ମୋର ଜନ୍ମ । ଏମନ୍ତେ ବିଚାରିଣ ମନ ॥୩୨
ଦାସବତ୍ସଳ ହୃଷୀକେଶ । ଗାଢ଼େ ପିନ୍ଧିଲେ ପୀତବାସ ॥୩
ଆନନ୍ଦେ ବାହାସ୍ପୋଟ ମାରି । କଦମ୍ବ ଡାଳେ କରେ ଧରି ॥୩୪
ଜଳେ ପଡ଼ିଲେ କୃଷ୍ଣ ଡ଼େଇଁ । ଦେବେ ଦେଖନ୍ତି ସ୍ୱର୍ଗେ ରହି ॥୩୫
ଜଳ ଯେ ଉଛୁଳିଲା ବେଗେ । ଶତେକ ଧନୁ ଚାରିଦିଗେ ॥୩୬
କୃଷ୍ଣର ବଳ ଅପ୍ରମିତ । ସ୍ୱଭାବେ ମହିମା ଅନନ୍ତ ॥୩୭
ଖେଳନ୍ତି ବେନିଭୁଜ ତାଡ଼ି । ଶବଦ ମେଘ ଘଡ଼ଘଡ଼ି ॥୩୮
କାଳୀୟ ଶୁଣିଲା ପାତାଳେ । କିସ ଶବଦ ମୋର ଜଳେ ॥୩୯
ଦେଖିବ ବୋଲି ବିଜେକଲା । ସହସ୍ରଫଣା ଉଭାରିଲା ॥୪୦
ନୟନେ ଦେଖିଲା ମାଧବ । କୋପେ କମ୍ପଇ ଚକ୍ଷୁଶ୍ରବ ॥୪୧
ନୀଳଜୀମୂତ ଦେହକାନ୍ତି । ମଣିକଙ୍କଣ ଝଟକନ୍ତି ॥୪୨
ଶ୍ରୀବତ୍ସ ଚିହ୍ନ ପୀତବାସ । ରଙ୍ଗଅଧରେ ମନ୍ଦହାସ ॥୪୩
ନିଶ୍ଚିନ୍ତେ ଖେଳନ୍ତି ମୁରାରି । ସର୍ପ ଧାଇଁଲା କୋପ କରି ॥୪୪
କୋମଳ-ଚରଣେ ଦଂଶିଲା । ଦେହ ନିବିଡ଼େ ବନ୍ଦୀ କଲା ॥୪୫
ଗୋପାଳେ ବୃକ୍ଷଡ଼ାଳେ ଥିଲେ । ଜଳେ କୃଷ୍ଣଙ୍କୁ ଅନାଇଲେ ॥୪୬
କାଳୀୟ କରିଛି ବନ୍ଧନ । ୠରଳ ବହଇ ବଦନ ॥୪୭
ନାଗରେ ବନ୍ଧନ ଶରୀର । ଦେଖି ବାଳକେ ଥରହର ॥୪୮
ମନନୟନ କୃଷ୍ଣ ଦେହେ । ଢ଼ଳି ପଡ଼ିଲେ ଶୋକମୋହେ ॥୪୯
କାନ୍ଦନ୍ତି କୃଷ୍ଣଙ୍କୁ ଅନାଇଁ । ବିକଳ କେ ପାରିବ କହି ॥୫୦
ହୃଦେ ତାଡ଼ନ୍ତି ବେନି ପାଣି । ମୂର୍ଚ୍ଛିତେ ପଡ଼ିଲେ ଧରଣୀ ॥୫୧
ଗୋରୁଏ କୃଷ୍ଣଙ୍କୁ ଅନାଇଁ । କାନ୍ଦନ୍ତି ଚଉଦିଗ ଚାହିଁ ॥୫୨
କୃଷ୍ଣର ଦେହେ ଚକ୍ଷୁ ଦେଇ । ଚିତ୍ର-ପ୍ରତିମା ପ୍ରାୟ ରହି ॥୫୩
ବତ୍ସାଏ କାନ୍ଦିଣ ବିକଳ । ଆବୋରି କଦମ୍ବର ତଳ ॥୫୪
ଗୋକୁଳେ ପଡ଼ିଲା ଅରିଷ୍ଟି । ରୁଧିର ସଙ୍ଗେ ଜଳ ବୃଷ୍ଟି ॥୫୫
ଭୂମି କମ୍ପଇ ଥରହର । ଦିବସେ ଘୋର ଅନ୍ଧକାର ॥୫୬
ଗଗନେ ଶୁଭେ ଘୋରନାଦ । ତ୍ରିବିଧ ରିଷ୍ଟ ପରମାଦ ॥୫୭
ଦେଖି ଗୋପାଳେ ଖରତରେ । ମିଳିଲେ ନନ୍ଦର ମନ୍ଦିରେ ॥୫୮
ବୋଲନ୍ତି କାହିଁ ତୋ କୁମର । ରିଷ୍ଟ ପଡ଼ିଲା ଗୋପପୁର ॥୫୯
ଶୁଣି ଯଶୋଦା ଥରହର । ରାମର କରେ ଦେଇ କର ॥୬୦
ନନ୍ଦ ବୋଇଲା କୃଷ୍ଣ ନାହିଁ । ବନେ ଯେ ଘେନିଗଲା ଗାଈ ॥୬୧
ଅନନ୍ତ ଅଛି ମୋର ଘରେ । ରିଷ୍ଟ ପଡ଼ିଲା ଗୋପପୁରେ ॥୬୨
ନନ୍ଦ ହୋଇଲା ସ୍ତମ୍ଭୀଭୂତ । କାନ୍ଦଇ ପ୍ରାଣ କଣ୍ଠଗତ ॥୬୩
କି ବୁଦ୍ଧି କରିବଇଁ ମୁହିଁ । କେମନ୍ତେ କୃଷ୍ଣ ଦେଖିବଇଁ ॥୬୪
ଯଶୋଦା ଶୁଣି ମୋହମାନ । ଧରଣୀ ପଡ଼ି ଅଚେତନ ॥୬୫
ଶୁଣି କାନ୍ଦନ୍ତି ଗୋପନାରୀ । ଚହଳ ଚଉଦିଗେ ପୂରି ॥୬୬
ଲୋଡ଼ନ୍ତି ଯଶୋଦାର ସୁତ । କ୍ଷଣ କ୍ଷଣକେ ମୋହଗତ ॥୬୭
ସକଳେ ରାମ ଘେନି ସଙ୍ଗେ । ଚଳିଲେ ବୃନ୍ଦାବନ ଲାଗେ ॥୬୮
ରୋହିଣୀ ସୁତ ମନେ ଗୁଣି । କୃଷ୍ଣ-ପ୍ରଭାବ ପରିମାଣି ॥୬୯
ଅଳପ ଅଳପ ହସିଲେ । ବଚନେ କିଛି ନକହିଲେ ॥୭୦
କୃଷ୍ଣ-ଚରଣଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥୭୧
କମଳ ଜବାଂକୁଶ ଚିହ୍ନ । ଗାଈଙ୍କ ପାଦ ଖୋଜମାନ ॥୭୨
କାଳିନ୍ଦୀ ନିକଟେ ମିଳିଲେ । ଲହରୀ ଗଗନେ ପ୍ରକାଶି ॥୭୩
ହ୍ରଦେ ଦେଖିଲେ ଜଳରାଶି । ଲହରୀ ଗଗନେ ପ୍ରକାଶି ॥୭୪
ଜଳେ ଦେଖିଲେ ଦାମୋଦର । ନାଗରେ ବନ୍ଧନ ଶରୀର ॥୭୫
ବିଷ-ଅନଳେ ଅଚେତନ । ଗରଳ ବହଇ ବଦନ ॥୭୬
ଦେଖି ରୋଦନ୍ତି ଉଚ୍ଚସ୍ୱରେ । ଗୋରୁ-ଗୋପାଳ ତୀରେତୀରେ ॥୭୭
ଗୋପୀଙ୍କ ଦୃଷ୍ଟି କୃଷ୍ଣ ଦେହେ । କାନ୍ଦନ୍ତି ଅତି ମାୟାମୋହେ ॥୭୮
ବିକଳେ ହୋଇଲେ ମୂର୍ଚ୍ଛିତ । ନିର୍ଜୀବ ହୋଇ ଭୂମିଗତ ॥୭୯
ପ୍ରଳୟ ମଣିଲେ ଜଗତ । କୃଷ୍ଣର ଦେହେ ସର୍ପାଘାତ ॥୮୦
ଯଶୋଦା ଦେଖି ମୋହ ଗଲା । ଗୋପୀଙ୍କ ସାହସ ଉଡ଼ିଲା ॥୮୧
କୃଷ୍ଣଙ୍କୁ ଚାହିଁ ଅଚେତନ । ନନ୍ଦର ଦେହେ ନାହିଁ ଜ୍ଞାନ ॥୮୨
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ପୁଣ ପୁଣ ॥୮୩
ଆହା ଦଇବ ଏହା କଲୁ । ସୁଖରେ ଭେଳା ବୁଡ଼ାଇଲୁ ॥୮୪
ଜଳେ ପଶନ୍ତେ କୃଷ୍ଣମାତ । ଗୋପୀ ଧଇଲେ ପାଦ ହସ୍ତ ॥୮୫
ନିଶ୍ଚୟ ଦେଖି ହଳଧର । ଅବୋରି କାଳିନ୍ଦୀର ତୀର ॥୮୬
ରାମ ବୋଲନ୍ତି ରହ ରହ । ଦେଖିବା ଶ୍ରୀକୃଷ୍ଣର ଦେହ ॥୮୭
ଗୋକୁଳ ମନ ଜାଣି ହରି । କାଳୀୟ ଅଛି ଦେହେ ଜଡ଼ି ॥୮୮
କୃଷ୍ଣର ଶରୀର ବଢ଼ିଲା । କାଳୀୟ ଛନ୍ଦି ନ ପାରିଲା ॥୮୯
କୃଷ୍ଣର ଦେହଭାଗ ଲାଗି । ସର୍ପର ଗଣ୍ଠି ଛନ୍ଦ ଭାଙ୍ଗି ॥୯୦
ତକ୍ଷଣେ କୃଷ୍ଣଙ୍କୁ ଛାଡ଼ିଲା । ସମ୍ଭାଳି ନ ପାରି ବୁଡ଼ିଲା ॥୯୧
ଉଠିଲା ଖଣ୍ତେ ଦୂରେ ଯାଇ । ଗର୍ଜିଲା କୃଷ୍ଣଙ୍କୁ ଅନାଇ ॥୯୨
ଫଣା ସହସ୍ରେ ଉଭାରିଲା । ଗରଳ ଅଗ୍ନି ଉଦ୍ଗାରିଲା ॥୯୩
ଜିହ୍ୱା ବୁଲାଇ ଅନ୍ତରାଳେ । ନାଗ କୋଟିଏ ଛନ୍ତି ମେଳେ ॥୯୪
ନାଗେ କରନ୍ତି ଫୁ ଫୁ କାର । ବିଷେ ପିଙ୍ଗଳ ଦୃଷ୍ଟି ତା'ର ॥୯୫
କୋପେ କୃଷ୍ଣଙ୍କୁ ଗୋଡ଼ାଇଲା । ଶବଦେ ବ୍ରହ୍ମାଣ୍ତ କମ୍ପିଲା ॥୯୬
ମାୟା ମନୁଷ୍ୟ ଅବତାର । ତୀରେ ଦେଖନ୍ତି ସୁର ନର ॥୯୭
ସର୍ପଙ୍କୁ ଚାହିଁ ନରହରି । ବୁଡ଼ିଲେ ସର୍ପେ ମାୟାକରି ॥୯୮
କାଳୀୟ ଖୋଜିଲା ଅନେକ । ଗଭୀର ଜଳ ଦୀର୍ଘପାଖ ॥୯୯
ଲୋଡ଼ି ନ ପାଇ ଦାମୋଦର । ପୁଣି ତୋଳିଲା ନିଜ ଶିର ॥୧୦୦
କୃଷ୍ଣଙ୍କୁ ଦେଖିଲା ନିକଟେ । ଗୋପୀ-ଗୋପାଳେ ଜଳତଟେ ॥୧୦୧
ଦେଖି ପଳାନ୍ତି ଚକ୍ରଧର । ଘୂରିଲେ ମଣ୍ତଳ ଆକାର ॥୧୦୨
ସର୍ପ ଗୋଡ଼ାଇ ନ ପାରିଲା । ଫୁଟିଣ ଗରଳ ଛାଡ଼ିଲା ॥୧୦୩
କୃଷ୍ଣଙ୍କୁ ଆଗ ପଛେ ଚାହିଁ । ଗର୍ଜଇ ରସନା ବୁଲାଇ ॥୧୦୪
ଦଂଶଇ ପୁନଃ ପୁନଃ ପାୟେ । ଗରଳ ଛାଡ଼େ କୃଷ୍ଣ ଦେହେ ॥୧୦୫
ଗୋବିନ୍ଦ କୋପେ ଗୁରୁତର । ଉଠିଲେ କାଳୀୟର ଶିର ॥୧୦୬
ସର୍ପର ଶିରେ ମଣି ଥିଲା । ଶ୍ରୀକୃଷ୍ଣ ଚରଣେ ଲାଗିଲା ॥୧୦୭
ମଣିର ତେଜ ରଙ୍ଗବର୍ଣ୍ଣ । ସୁନ୍ଦର ଶ୍ରୀକୃଷ୍ଣ ଚରଣ ॥୧୦୮
ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ । ନାଚନ୍ତି ଗୋପାଳଙ୍କୁ ଚାହିଁ ॥୧୦୯
ଶ୍ରୀକୃଷ୍ଣ ନୃତ୍ୟ ଦେବେ ଚାହିଁ । ମିଳିଲେ ବୃନ୍ଦାବନେ ଯାଇ ॥୧୧୦
ତାଣ୍ତବ ରସେ ଗୀତ ଗାଇ । ଗନ୍ଧର୍ବେ ବେଣୁ ବୀଣା ବାଇ ॥୧୧୧
ମୃଦଙ୍ଗ ତାଳ ବାଦ୍ୟ କରି । ରଙ୍ଗେ ନାଚନ୍ତି ଅପସରୀ ॥୧୧୨
କୁସୁମ ବରଷିଲେ ଆଣି । ଯେ ଯାହା ମତେ ସ୍ତୁତି ଭଣି ॥୧୧୩
ଶୁଣି ସାନନ୍ଦ ବନମାଳୀ । ନୃତ୍ୟ କରନ୍ତି ପାଦଚାଳି ॥୧୧୪
କାଳୀୟ ପ୍ରାଣ କଣ୍ଠାଗ୍ରତ । ସହସ୍ରେ ଫଣା ମୂରୁଛିତ ॥୧୧୫
ଯେବଣ ଫଣା ଉଚ୍ଚେ ଥାଇ । ତହିଁ ଉଠନ୍ତି କୃଷ୍ଣ ଡ଼େଇଁ ॥୧୧୬
ରୋଷେ ନାଚନ୍ତି ପାଦ ଚାଳି । ରୁଧିର ସର୍ପ ମୁଖୁ ଗଳି ॥୧୧୭
କାଳୀୟ ମନେ ବିଚାରିଲା । ନିଶ୍ଚୟେ ମରଣ ହୋଇଲା ॥୧୧୮
ହରିରେ ପଶିବି ଶରଣ । ଡ଼ାକିଲା ରଖ ନାରାୟଣ ॥୧୧୯
କାଳୀୟ ଶିରେ କୃଷ୍ଣ ଥାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୧୨୦
ଦାସବତ୍ସଳ ପୀତବାସ । ତକ୍ଷଣେ ହୋଇଲେ ଉଶ୍ୱାସ ॥୧୨୧
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥୧୨୨
ସଭୟେ ନ ପାରଇ କହି । ତ୍ରାସେ କମ୍ପଇ ତା'ର ଦେହି ॥୧୨୩
ଶତେକ ପତ୍ନୀ ତା'ର ଥିଲେ । ସ୍ୱାମୀର ମରଣ ଜାଣିଲେ ॥୧୨୪
ଶ୍ରୀହରି ମହିମା ଜାଣନ୍ତି । ନାମ ଜପନ୍ତି ଦିବାରାତି ॥୧୨୫
ସୁତ ଦୁହିତା ଆଗ କରି । କରେ ଘେନିଲେ ଅର୍ଘ୍ୟଥାଳୀ ॥୧୨୬
ଗନ୍ଧ ଚନ୍ଦନ ନାନାମଣି । ନିର୍ମଳ ପଦ୍ମମାଳ ଘେନି ॥୧୨୭
ଶ୍ରୀକୃଷ୍ଣ ନିକଟେ ମିଳିଲେ । ବାଳକ ତଳେ ଶୁଆଇଲେ ॥୧୨୮
ପାଦେ ପଡ଼ିଲେ ସର୍ପବାଳୀ । ଦେଖି ସାନନ୍ଦ ବନମାଳୀ ॥୧୨୯
କେଶ ବସନ ଅସମ୍ଭାଳ । ନୟନୁ ଝରେ ଅଶ୍ରୁଜଳ ॥୧୩୦
ଉଠି କରନ୍ତି ଜୟେ ଜୟେ । ସ୍ୱର୍ଗେ ଦେଖନ୍ତି ଦେବତାୟେ ॥୧୩୧
ବୋଲନ୍ତି ଶରଣ ତୋହର । ତ୍ରାହି କରିବା ଚକ୍ରଧର ॥୧୩୨
ଦୋଷୀକୁ ଦଣ୍ତିବା ଯୁକତ । ଭାରା ନିବାରେ ତୁହି ଜାତ ॥୧୩୩
ତୋହର ଶତ୍ରୁ ମିତ୍ର ନାହିଁ । ତୋ'ର ଭିଆଣ ସର୍ବଦେହୀ ॥୧୩୪
ଭକତି କରନ୍ତି ଯେ ତୋତେ । ଯେ ଅବା ଭଜେ ଶତ୍ରୁମତେ ॥୧୩୫
ଦୁହିଁଙ୍କୁ ଦେଉ ଏକଗତି । ଦୟାସାଗର ଦାଶରଥି ॥୧୩୬
ଆମ୍ଭଙ୍କୁ କଲୁ ଅନୁଗ୍ରହ । ହେଲେ ନାଶିଲୁ ଦମ୍ଭ ମୋହ ॥୧୩୭
ସର୍ପ ହୋଇଲା ପାପକାରୀ । ତୋତେ ପାଇଲା ନରହରି ॥୧୩୮
ଏହାରେ ତରିଲୁ ସକଳ । ବନ୍ଧୁ ବାନ୍ଧବ ନାଗକୁଳ ॥୧୩୯
ପୂର୍ବେ ଏ କେତେ ତପ କଲା । ଅନେକ ଅନ୍ନଦାନ ଦେଲା ॥୧୪୦
ଜଳ ଦେଉଳ ନାନାମତେ । ପ୍ରାଣୀଙ୍କି ଦୟା ହୃଦ୍ଗତେ ॥୧୪୧
ତୋ' ନାମ-କୀର୍ତ୍ତନେ ଆନନ୍ଦ । ତେଣୁ ପାଇଲା ପଦ୍ମପାଦ ॥୧୪୨
କେତେ ବା ଅଛି ତପକରି । ତୋ' ପାଦରଜ ଶିରେ ଧରି ॥୧୪୩
ଯାହା ପାଇଲା ବଳି ପୁଣି । ତପ କରଇ କମଳିନୀ ॥୧୪୪
ଯାହା ପାଇବେ ବୋଲି ପୁଣି । ତପ କରନ୍ତି ସୁରମୁନି ॥୧୪୫
ତୋ ପାଦରଜ ପାଇ ଜନେ । ଅଧିକ ନବାଞ୍ଛନ୍ତି ମନେ ॥୧୪୬
ସ୍ୱର୍ଗ ଭୋଗକୁ ତୁଚ୍ଛ କରି । ବ୍ରହ୍ମପଦକୁ ନବିଚାରି ॥୧୪୭
ଏକାଙ୍ଗରାଜପଣେ ସଧ । ଯୋଗ-ସମାଧି-ଚତୁର୍ବେଦ ॥୧୪୮
ଯୋଗସିଦ୍ଧିକୁ ନ ଇଚ୍ଛଇ । ନିର୍ବାଣପଦ ନ ମାଗଇ ॥୧୪୯
ଏଣେ ନୁହନ୍ତି ସାବଧାନ । ତୋ' ପାଦେ ଥାଇ ଯାର ମନ ॥୧୫୦
ଦୁର୍ଲ୍ଲଭ ଅଟୁ ଦୁଷ୍ଟ ଚିତ୍ତେ । ଏ ତୋତେ ପାଇଲା କେମନ୍ତେ ॥୧୫୧
ତମ ଗୁଣରେ ଅଛି ଭେଦି । ବିଶେଷେ ସର୍ପ ଏ ପ୍ରମାଦି ॥୧୫୨
ତୋତେ ଏ ନିକଟେ ପାଇଲା । ଯେଣୁ ଏ ପୂର୍ବେ ତପ କଲା ॥୧୫୩
ନିର୍ଗୁଣ-ଆତ୍ମା ଗୁଣବନ୍ତ । ନମସ୍ତେ ପ୍ରଭୁ ଜଗନ୍ନାଥ ॥୧୫୪
ପଞ୍ଚଭୂତଙ୍କ ଆତ୍ମା ତୁହି । ତୋହର ଆଦିଅନ୍ତ ନାହିଁ ॥୧୫୫
ଜ୍ଞାନବିଜ୍ଞାନ-ନିଧି ହେଉ । ତ୍ରିଗୁଣେ ମାୟାରୂପ ବହୁ ॥୧୫୬
ସୃଷ୍ଟି ପାଳନ କରୁ ଅନ୍ତ । ତୁ କାଳରୂପୀ ଗୋପୀନାଥ ॥୧୫୭
ଅନନ୍ତ ରୂପ ସୂକ୍ଷ୍ମମୟ । ତ୍ରିଗୁଣ-ଭେଦେ ବହୁ ଦେହ ॥୧୫୮
ନିଗମମତେ ମାୟାକରି । ଜଗତେ ହେଉ ରୂପଧାରୀ ॥୧୫୯
ତୋହର ଦେହେ ତିନିଲୋକେ । କର୍ମ ଭୁଞ୍ଜନ୍ତି ଦୁଃଖସୁଖେ ॥୧୬୦
ଯେ ତୋତେ ସାଧୁପଣେ ଭଜେ । ସେ ତୋ'ର ଦେଲାଫଳ ଭୁଞ୍ଜେ ॥୧୬୧
ତୋତେ ଯେ ନ ଜାଣଇ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ ॥୧୬୨
ଆମ୍ଭର ସ୍ୱାମୀ ଏକବେଳେ । ଦ୍ରୋହ ଯେ କଲା ପାଦତଳେ ॥୧୬୩
ଏ ଦୋଷ ସହିବା ମୁରାରି । ଆମେ ତୋହର ପରିବାରୀ ॥୧୬୪
ପ୍ରାଣ ଛାଡ଼ିବ ଏହିକ୍ଷଣି । ତୁ କି ନ ଜାଣୁ ଚକ୍ରପାଣି ॥୧୬୫
ଆମ୍ଭଙ୍କୁ ଦିଅ ସ୍ୱାମୀ ଦାନ । ତୋରେ ଶରଣ ଭଗବାନ ॥୧୬୬
ଏବେ କରିବୁ କିସ କହ । ବିଚାର କରି ଆଜ୍ଞା ଦିଅ ॥୧୬୭
ପରୀକ୍ଷେ ଶୁକ ମୁନି କହେ । ଶୁଣି ହରଷ ଦେବରାୟେ ॥୧୬୮
ନାଗକାମିନୀ ସ୍ତୁତି ଶୁଣି । ଦୟାସାଗର କମ୍ବୁପାଣି ॥୧୬୯
ପାଦ ପ୍ରହାର ଛାଡ଼ି କରି । ଉଶ୍ୱାସ ହୋଇଲେ ମୁରାରି ॥୧୭୦
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥୧୭୧
ସଭୟେ ଶୋକ ଗଦଗଦେ । ପୁଣି ପଡ଼ଇ କୃଷ୍ଣପାଦେ ॥୧୭୨
;କାଳୀୟ ଉବାଚ
ବୋଲଇ ଶୁଣ ନାରାୟଣ । ଜଗତ ତୋହର ଭିଆଣ ॥୧୭୩
ସର୍ପରେ ଜାତ କଲୁ ମୋତେ । ସ୍ୱଭାବ ଛାଡ଼ିବି କେମନ୍ତେ ॥୧୭୪
ତାମସଗୁଣେ ଜାତ କରି । ଗରଳେ କଲୁ ଅଧିକାରୀ ॥୧୭୫
ତେଣୁ ମୁଁ କ୍ରୋଧେ ବଶ ହୋଇ । ସ୍ୱଭାବ ଛାଡ଼ି ନ ପାରଇ ॥୧୭୬
ତୋହର ମାୟା ଜାଣୁ ତୁହି । ଭୋନାଥ ରଖ ଭାବଗ୍ରାହୀ ॥୧୭୭
ତାମସଗୁଣେ ହୋଇ ବଦ୍ଧ । ତୋତେ ମୁଁ କଲି ଅପରାଧ ॥୧୭୮
ଏଣୁ ନିଷ୍ଠୁର ମୋ' ସ୍ୱଭାବ । ବିଚାରି ଦଣ୍ତ ପଦ୍ମନାଭ ॥୧୭୯
ଯେ ତୋର ଇଚ୍ଛା ମୋତେ କର । ତୋରେ ଶରଣ ଚକ୍ରଧର ॥୧୮୦
ସର୍ପ ବିକଳ କର୍ଣ୍ଣେ ଶୁଣି । ଦୟାସାଗର ବେଣୁପାଣି ॥୧୮୧
ବୋଲନ୍ତି ସର୍ପମୁଖ ଚାହିଁ । କାଳିନ୍ଦୀ ହ୍ରଦେ ନ ଥା' ତୁହି ॥୧୮୨
ବନ୍ଧୁବାନ୍ଧବ ଘେନି ସଙ୍ଗେ । ସମୁଦ୍ରେ ପଶ ଯାଇ ବେଗେ ॥୧୮୩
ଜଳଧି ଦ୍ୱୀପ ମଧ୍ୟଗତେ । ଗରୁଡ଼ ଭୟ ନାହିଁ ତୋତେ ॥୧୮୪
ମୋହର ପାଦ ତୋ'ର ଶିରେ । ଲାଗିଲା ସହସ୍ର ଫଣାରେ ॥୧୮୫
ଗରୁଡ଼ ଦେଖି ନିସ୍ତରିବ । ତୋହର ଚରଣେ ପଡ଼ିବ ॥୧୮୬
ନିର୍ଭୟ ହୋଇ ବେଗେ ଯାଅ । ମୋର ଭକତି ହୃଦେ ବହ ॥୧୮୭
ଏଜଳ ଅମୃତ ମୁଁ କରି । ଗରଳ ଦୂରେ ପରିହରି ॥୧୮୮
ଏ ବନେ ଯେତେ ବନଚାରୀ । ଆନନ୍ଦେ ଜଳପାନ କରି ॥୧୮୯
ସୁଖେ ବଞ୍ଚିବେ ସର୍ବଜୀବେ । ଏ ବନେ ନିଶ୍ଚିନ୍ତେ ରହିବେ ॥୧୯୦
ଶୁଣ କାଳୀୟ ମୋ' ଉତ୍ତର । କହଇ ତୋତେ ଦେଇ ବର ॥୧୯୧
ତୋ'ର ମୋହର ଏ ଚରିତ । ଯେ ସୁମରିବେ ଅବିରତ ॥୧୯୨
ସର୍ପ-ବିଘାତେ ନାହିଁ ବାଧା । ଯେ ମୋତେ ସୁମରେ ତ୍ରିସନ୍ଧ୍ୟା ॥୧୯୩
ଏ ଜଳେ ସ୍ନାହାନ କରିବେ । ପିତୃତର୍ପଣେ ପିଣ୍ତ ଦେବେ ॥୧୯୪
ଆହାର ତେଜି ଉପବାସେ । ଜାଗର ଦେଇ ନଦୀପାଶେ ॥୧୯୫
ମୋ' ନାମେ ରଜନୀ ବଞ୍ଚିବେ । ସକଳ ପାପୁଁ ସେ ତରିବେ ॥୧୯୬
ଶ୍ରୀହରି ଆଜ୍ଞା ଘେନି ଶିରେ । ତୀରେ ଉଠିଲା ଧାତିକାରେ ॥୧୯୭
କୁଟୁମ୍ବ ଘେନିଣ ସଙ୍ଗରେ । ପୂଜିଲା ଗୋବିନ୍ଦ ପୟରେ ॥୧୯୮
ଗନ୍ଧଚନ୍ଦନ ରଙ୍ଗବାସ । ଅମୂଲ୍ୟ ରତ୍ନ ମଣି ତ୍ରାସ ॥୧୯୯
କମଳମାଳା କଣ୍ଠେ ଦେଇ । ନାଚେ ଆନନ୍ଦେ ଗୀତ ଗାଇ ॥୨୦୦
କୁଟୁମ୍ବ ଘେନି ପ୍ରଦକ୍ଷିଣ । କାଳୀୟ କଲା ପୁଣ ପୁଣ ॥୨୦୧
ଉତ୍ତରଦିଗକୁ ଚାହିଁଲା । ଗୋବିନ୍ଦ ଆଦେଶେ ଚଳିଲା ॥୨୦୨
ପଶିଲା ସାହେର ଭିତରେ । ହରିଚରଣ ବହି ଶିରେ ॥୨୦୩
ଜଳଧିପତି ପୂଜା କଲା । ନାଗ ଗୋତ୍ରଙ୍କୁ ଠାବ ଦେଲା ॥୨୦୪
କୃଷ୍ଣର ଅନୁରାଗୁଁ କରି । ପୂଜା ପାଇଲା ଖଗଅରି ॥୨୦୫
ସେଦିନୁ ଜଳପାନ କରି । ଆନନ୍ଦ ଗୋପ ନରନାରୀ ॥୨୦୬
ସେ ହରି ଚରଣ କମଳେ । ମନ ମୋ ରହୁ ସୁଖଭୋଳେ ॥୨୦୭
ସୁଜନେ ଶୁଣ ମୋ ବଚନ । କୃଷ୍ଣ ଚରଣେ ଦେଇ ମନ ॥୨୦୮
ହୃଦେ ଚିନ୍ତିବ ନରହରି । ସୁଖେ ତରିବ ଭବବାରି ॥୨୦୯
ଭକତଜନେ ଏଣେ ରସ । କହଇ ଜଗନ୍ନାଥ ଦାସ ॥୨୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କାଳୀୟମୋକ୍ଷଣଂ ନାମ ସପ୍ତଦଶୋଽଧ୍ୟାୟଃ ॥
</poem>
==='''ଅଷ୍ଟାଦଶ ଅଧ୍ୟାୟ'''===
<poem>
;ରାଜା ଉବାଚ
ବୋଲନ୍ତି ଅଭିମନ୍ୟୁ ସୁତ । ଭୋ ମୁନି କହ ଭାଗବତ ॥୧
କେବଣ ହେତୁ କାଳୀସର୍ପ । ଛାଡ଼ିଲା ରମଣକ ଦ୍ୱୀପ ॥୨
ଗରୁଡ଼େ କରି ଅପରାଧ । ଲୁଚି ଯେ ଥିଲା କାଳୀ ହ୍ରଦ ॥୩
ହରିଚରଣ-ଚିହ୍ନ ଶିରେ । ଧରିଣ ଗଲା ନିଜ ପୁରେ ॥୪
ଏ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥୫
କହନ୍ତି ଶୁକମୁନି ତୋଷେ । ଶ୍ରୀକୃଷ୍ଣ ଚରଣ ବିଶ୍ୱାସେ ॥୬
;ଶୁକ ଉବାଚ
ଶୁଣ ହୋ କାଳୀୟର କଥା । ତୁ ମୋକ୍ଷପଦେ ଶୁଦ୍ଧଚେତା ॥୭
ବ୍ରହ୍ମା ଯେ ବ୍ରହ୍ମାଣ୍ତ ଭିଆଇ । ଯେ ଯାହା ରୂପେ ଠାବ ଦେଇ ॥୮
କାଳୀୟ ଆଦି ଯେତେ ସର୍ପେ । ଥୋଇଲା ରମଣକଦ୍ୱୀପେ ॥୯
ନିର୍ଭୟ ହୋଇଥା'ନ୍ତି ତହିଁ । ଗରୁଡ଼େ ବଳିଭୋଜା ଦେଇ ॥୧୦
ବନ-ଗହନେ ବୃକ୍ଷମୂଳେ । ଗରୁଡେ ପୂଜନ୍ତି ସକଳେ ॥୧୧
ମାସକେ ନାନା ଉପହାର । ପାଳି ପଡ଼ଇ ଯେଝାଘର ॥୧୨
ସେ ବଳିଭୋଜା ଦେଇ ତୋଷେ । ପୂଜନ୍ତି ଜୀବନର ଆଶେ ॥୧୩
ଏମନ୍ତେ କାଳୀୟର ଘରେ । ପାଳି ପଡ଼ିଲା ଏକବାରେ ॥୧୪
ନାଗେ କହିଲେ ତା'ର ଆଗେ । ଗରୁଡ଼ ପୂଜା ତୋ'ର ଭାଗେ ॥୧୫
ଶୁଣି କାଳୀୟ ତୋଷଚିତ୍ତେ । ସଞ୍ଚା ସେ କଲା ନାନା ମତେ ॥୧୬
ଦଇବେ ନାଗଙ୍କର ରାଜା । ଅନେକ କଲା ବଳିଭୋଜା ॥୧୭
ବୃକ୍ଷର ମୂଳେ ନେଇ ଥୋଇ । ଅନେକ ବାଦ୍ୟନାଦ ବାଇ ॥୧୮
କାଳୀୟ ବିଚାରଇ ଦେଖି । ଗରୁଡ଼ ବୋଲି କେତେପକ୍ଷୀ ॥୧୯
ଏତେକ ଭୋଜା ତା'ଙ୍କୁ ଦେବି । ତେବେ ସେ ନିର୍ଭୟ ହୋଇବି ॥୨୦
ଏ ବଡ଼ ଲଜ୍ଜା ମୋତେ ହୋଇ । ବାସୁକି ମୋର ସାନଭାଇ ॥୨୧
ଏକ ଫଣାକେ ମହୀଧରି । ମୁଁ କିମ୍ବା ଗରୁଡ଼କୁ ଡ଼ରି ॥୨୨
ସହସ୍ର ଫଣା ଅଛି ମୋର । ଗରୁଡ଼ କେତେ ବଳୀୟାର ॥୨୩
ଏକା ପିଅର ପୁଅ ଆମ୍ଭେ । ସେ କିମ୍ବା ଏଡ଼େ ବଡ଼ ଦମ୍ଭେ ॥୨୪
ଆଜ ଗଞ୍ଜିବି ତାର ବଳ । ନିର୍ଭୟ ହେଉ ନାଗକୁଳ ॥୨୫
କେ ଅବା ନ ଜାଣନ୍ତି ମୋତେ । ବ୍ରହ୍ମାଣ୍ତ ମଧ୍ୟେ ଛନ୍ତି ଯେତେ ॥୨୬
ଏତେ ବିଚାରି ସର୍ପ ମନେ । ସବୁ ଖାଇଲା ଦୁଷ୍ଟପଣେ ॥୨୭
ଯେତେକ ନାଗବଳ ଥିଲେ । ତାହାର ଦୁର୍ବୁଦ୍ଧି ଦେଖିଲେ ॥୨୮
ଭୟେ ହୋଇଲେ ଥରହର । ଖଗନାଥଙ୍କୁ ବଡ଼ ଡ଼ର ॥୨୯
ନାଗଙ୍କୁ ବୋଇଲାକ ରାଇ । ଏଠାରେ ନ ଥିବଟି କେହି ॥୩୦
ଯାଅରେ ବୋଲି ଆଜ୍ଞା ଦେଲା । ଆପଣେ ବନସ୍ତେ ରହିଲା ॥୩୧
ସହସ୍ରଫଣା ଫୁ ଫୁ କରି । ବଦନୁଁ ଗରଳ ଉଦ୍ଗାରି ॥୩୨
ଏମନ୍ତେ ରଜନୀ ହୋଇଲା । ଗରୁଡ଼ ପକ୍ଷୀ ବିଜେ କଲା ॥୩୩
ଗଗନ ପୂରିଲା ଶବଦେ । କାନନେ ମିଳିଲା ଆନନ୍ଦେ ॥୩୪
ବୃକ୍ଷମୂଳକୁ ଦେଲା ଚାହିଁ । ଦେଖିଲା ବଳିଭୋଜା ନାହିଁ ॥୩୫
ମନେ ପାଇଲା ଗରୁତାପ । ମିଳିଲା କାଳୀୟ ସମୀପ ॥୩୬
କୋପେ ଚାହଁଇ ଖଗନାଥ । ଆବୋରି କାଳୀୟର ପଥ ॥୩୭
ଗର୍ଜେ ଗରୁଡ଼ କୋପଭରେ । କାଳୀୟ ମିଳିଲା ଛାମୁରେ ॥୩୮
ସହସ୍ରଫଣା ମେଘପ୍ରାୟେ । ଦଂଶିଲା ଗରୁଡ଼ର କାୟେ ॥୩୯
ଅର୍ଦ୍ଧଯୋଜନ ଘୁଞ୍ଚିଗଲା । ପୁଣି ହିଁ ଆଗେ ଓଗାଳିଲା ॥୪୦
ବିନତାସୁତ ବେଗେ ଧାଇଁ । ଚାପୋଡ଼େ ପ୍ରହାରିଲା ନେଇ ॥୪୧
ହରିଙ୍କି ବହଇ ଯେ କନ୍ଧେ । ସେ କି ପଡ଼ଇ ପରମାଦେ ॥୪୨
ଗରୁଡ଼ ପକ୍ଷଘାତ ପାଇ । କାଳୀୟ ମୂର୍ଚ୍ଛାଗତ ହୋଇ ॥୪୩
ଘଡ଼ିକେ ଚେତନା ପାଇଲା । ପବନୁଁ ବେଗେ ପଳାଇଲା ॥୪୪
କାଳନ୍ଦୀହ୍ରଦେ ପଶିଗଲା । ପାତାଳ-ବିବରେ ଲୁଚିଲା ॥୪୫
ନିର୍ଭୟେ ନିଶ୍ଚିନ୍ତେ ରହିଲା । ଗରୁଡ଼ ତହିଁ ନ ପଶିଲା ॥୪୬
କାଳୀୟ ଜାଣଇ ତଦନ୍ତ । ଗରୁଡ଼ ନ ପଶଇ ଏଥ ॥୪୭
ପୂର୍ବେ ସେ ଅଛି ଶାପ ପାଇ । କାଳିନ୍ଦୀ ହ୍ରଦକୁ ନ ଯାଇ ॥୪୮
ନିଶ୍ଚିନ୍ତେ ନାଗବଳ ସଙ୍ଗେ । ଜଳେ ରହିଲା ନବରଙ୍ଗେ ॥୪୯
ଗରୁଡ଼ ଦେଖି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା ॥୫୦
ଶୁଣି ସାନନ୍ଦ ମହୀପତି । ମୁନିଙ୍କି ଚାହିଁ ତୋଷମତି ॥୫୧
;ପରୀକ୍ଷିତ ଉବାଚ
ବୋଲଇ ନିସ୍ତରିଲି ମୁହିଁ । ତୋ'ର ବଚନେ ମନ ଦେଇ ॥୫୨
ଭୋ ମୁନି ଅସମ୍ଭବ କଥା । ଗରୁଡ଼ ମହା ବଳବନ୍ତା ॥୫୩
ଗୋବିନ୍ଦ ଯାହାର ଠାକୁର । କେ ତା'ର ତୁଲେ ବଳୀୟାର ॥୫୪
କାଳିନ୍ଦୀ ଜଳେ ନ ପଶିଲା । ମୋତେ ତ ସନ୍ଦେହ ଲାଗିଲା ॥୫୫
ହସି ବୋଲନ୍ତି ବ୍ୟାସସୁତ । ଶୁଣ ହୋ ନୃପତି ତଦନ୍ତ ॥୫୬
;ଶୁକ ଉବାଚ
ପୂର୍ବେ ସେ ନଦୀତୀରେ ବନେ । ତପ କରନ୍ତି ମୁନିଜନେ ॥୫୭
ସୌଭରି ନାମେ ବ୍ରହ୍ମଋଷି । ତପ କରନ୍ତି ତଟେ ବସି ॥୫୮
ମୁନି ନିକଟେ ମୀନଗଣେ । କ୍ରୀଡ଼ା କରନ୍ତି ଅନୁକ୍ଷଣେ ॥୫୯
ବିଶ୍ୱାସ ଭାବେ ନିତିନିତି । ମୁନିଙ୍କି ନ କରନ୍ତି ଭୀତି ॥୬୦
ଦିନେକ ପ୍ରଭାତର କାଳେ । ଆସି ମିଳିଲେ ମତ୍ସ୍ୟବାଳେ ॥୬୧
ରୋହିତ ନାମେ ମତ୍ସ୍ୟରାଜ । ଖେଳଇ ଉଦ୍ଭାରିଣ ଲାଞ୍ଜ ॥୬୨
ମୀନ ବାଳକେ କ୍ରୀଡ଼ା କରି । ଦେଖନ୍ତି ମୁନି ସଉଭରି ॥୬୩
ଏମନ୍ତେ ଗରୁଡ଼ ମିଳିଲା । କାଳିନ୍ଦୀ ଜଳେ ଓହ୍ଲାଇଲା ॥୬୪
ଆହାର ଯତ୍ନେ ଖୋଜୁଥିଲା । ଜଳରେ ମୀନକୁ ଦେଖିଲା ॥୬୫
ନିଶ୍ଚଳେ ମୀନ ଚରୁଥିଲା । ଜଳ ହାନ୍ଦୋଳ କରିଦେଲା ॥୬୬
ନିଶ୍ଚିନ୍ତେ ବିହରଇ ମତ୍ସ୍ୟ । ମୁନି ତା' ଦେଖନ୍ତି ପ୍ରତ୍ୟକ୍ଷ ॥୬୭
ମୁନି ବୋଲନ୍ତି ରହ ରହ । ଏମାନେ ମୋର ନିଜ ଦେହ ॥୬୮
ଏହାକୁ ନ କର ଆହାର । ଏ ତୋ'ର କେବଣ ବେଭାର ॥୬୯
ଗରୁଡ଼ ନ ଶୁଣିଲା କର୍ଣ୍ଣେ । ରୋହିତେ ଗିଳିଲା ବହନେ ॥୭୦
ଦେଖି ଚକିତ ମୁନିବର । କୋପେ କମ୍ପିଲେ ଗୁରୁତର ॥୭୧
ବୋଲନ୍ତି ହରିଙ୍କି ଏ ବହି । ଏହାକୁ କୋପ ନ ଯୋଗାଇ ॥୭୨
ମୁହିଁ ଏହାକୁ କଲେ ନାଶ । କୋପ କରିବେ ପୀତବାସ ॥୭୩
ଏମନ୍ତେ ଚିତ୍ତ ସ୍ଥିର କରି । କୋପେ ବୋଲନ୍ତି ସଉଭରି ॥୭୪
ରେରେ ଗରୁଡ଼ ଏଡ଼େ ଗର୍ବ । ମୋତେ ଦେଖାଇଲୁ ସ୍ୱଭାବ ॥୭୫
ମୋହର ମନେ ଦେଲୁ ତାପ । ଉଚିତେ ଘେନ ମୋର ଶାପ ॥୭୬
କାଳିନ୍ଦୀ ହ୍ରଦେ ନ ପଶିବୁ । ଜୀବନେ ଯେତେ କାଳ ଥିବୁ ॥୭୮
ଯେବେ ପଶିବୁ ଦୁଷ୍ଟପଣେ । ଭସ୍ମ ହୋଇବୁ ତତ୍କ୍ଷଣେ ॥୭୯
ଶୁଣି ଗରୁଡ଼ ପଳାଇଲା । କାଳିନ୍ଦୀହ୍ରଦେ ନ ପଶିଲା ॥୮୦
ତାହା କାଳୀୟ ଜାଣିଥିଲା । ପଳାଇ ତହିଁ ସେ ଲୁଚିଲା ॥୮୧
ଲୁଚିଲାଠାରୁ ନେଇ ପୁଣି । ଏମନ୍ତ କଲେ ଚକ୍ରପାଣି ॥୮୨
ଶୁଣ ପରୀକ୍ଷ ଦଣ୍ତଧାରୀ । କୂଳେ ବିଜୟ ନରହରି ॥୮୩
କାଳୀୟ ସ୍ୱକୁଟୁମ୍ବ ଘେନି । ପୂଜି ଯେ ଗଲା ପାଦବେନି ॥୮୪
କୃଷ୍ଣର ଦେଖିଣ ବଦନ । ଆନନ୍ଦ ଯଶୋଦାର ମନ ॥୮୫
ଗୋପୀ ଗୋପାଳେ ବେଗେଧାଇଁ । କୋଳ କରନ୍ତି ଚୁମ୍ବ ଦେଇ ॥୮୬
କୃଷ୍ଣଙ୍କୁ ପାଇଣ ସମସ୍ତେ । ଚିନ୍ତା ଛାଡ଼ିଲେ ହୃଦଗତେ ॥୮୭
କୃଷ୍ଣଙ୍କୁ ଦେଖି ହଳଧର । କୋଳ କରନ୍ତି ସ୍ନେହଭର ॥୮୮
ଗାଈ ଗୋବତ୍ସା ଦେଖି ତୋଷେ । ରହିଲେ ମନର ହରଷେ ॥୮୯
ଆସି ମିଳିଲେ ବିପ୍ରଜନ । ନନ୍ଦକୁ ବୋଲନ୍ତି ବଚନ ॥୯୦
ବୋଲନ୍ତି ଭାଗ୍ୟବନ୍ତ ତୁହିଁ । ଏମନ୍ତ ଦେଖିଲା ତ ନାହିଁ ॥୯୧
ଏତେ ଆପଦୁଁ ପୁତ୍ର ତରି । ନିଶ୍ଚୟେ ରଖିଲେ ମୁରାରି ॥୯୨
ପୂର୍ବେ ସୁକୃତ ଯା'ର ଥାଇ । ସକଳ ଦୁସ୍ତରୁ ତରଇ ॥୯୩
କାଳୀୟ ବିଷଜ୍ୱାଳାବାଏ । ପକ୍ଷୀଏ ନ ଉଡ଼ନ୍ତି ଭୟେ ॥୯୪
ଏଡ଼େ ଗରଳ କଲା ନାଶ । ପ୍ରତ୍ୟେକ୍ଷ ବିଷ୍ଣୁ ତୋ'ର ଶିଷ ॥୯୫
କଲ୍ୟାଣ ହେଉ ତୋ' କୁମରେ । ବୋଲି ଚଳିଲେ ବିପ୍ରବରେ ॥୯୬
ଏମନ୍ତେ ହୋଇଲା ରଜନୀ । ଗୋପାଳେ ରାମକୃଷ୍ଣ ଘେନି ॥୯୭
ଗୋପକୁ ଯାଇ ନ ପାରିଲେ । ରଜନୀ ବଞ୍ଚିବା ବୋଇଲେ ॥୯୮
କ୍ଷୁଧା-ପିପାସା-ଦୁଃଖ ଭରେ । ଶୋଇଲେ କାଳିନ୍ଦୀର ତୀରେ ॥୯୯
ଏମନ୍ତ ଶୁଣ ମହୀପତି । ଅଗ୍ନି ବେଢ଼ିଲା ଚଉକତି ॥୧୦୦
ଦଇବେ ନିଦାଘର କାଳ । ପବନ ବହଇ ପ୍ରବଳ ॥୧୦୧
ପ୍ରଳୟାନଳ ପ୍ରାୟ ହୋଇ । ବେଢ଼ିଲା ଗୋପାଳଙ୍କୁ ଯାଇ ॥୧୦୨
ନିଦ୍ରାରେ ନ ଜାଣନ୍ତି କେହି । ରଜନୀ ଅର୍ଦ୍ଧ ଅଛି ହୋଇ ॥୧୦୩
ପ୍ରତ୍ୟେକ୍ଷେ ଗୋପାଳେ ଦେଖିଲେ । ବେଗେ ଶୟନ ଉପେକ୍ଷିଲେ ॥୧୦୪
ଅଗ୍ନି ଜଳଇ ପରଖର । ପବନ ଯୋଗେ ବଳୀୟାର ॥୧୦୫
ଦେଖି ଗୋପାଳେ ଖରତରେ । ପଶିଲେ କାଳନ୍ଦୀ ଭିତରେ ॥୧୦୬
ଡାକନ୍ତି ରଖ ନାରାୟଣ । ଗୋକୁଳେ ତୋହର ଶରଣ ॥୧୦୭
ଆମ୍ଭଙ୍କୁ ସଂକଟୁ ତାରିଲୁ । ତୁ ନାଥ ପରମ ଦୟାଳୁ ॥୧୦୮
ଏବେ ଆପଦୁଁ ରଖ ତୁହି । ଅନାଥ ହୋଇଲୁ ଗୋସାଇଁ ॥୧୦୯
ଗାଈ ଗୋପାଳ ଗୋପ ଆଦି । ଅନଳ ଆଣିଲା ନିରୋଧି ॥୧୧୦
ଗୋକୁଳ କଷ୍ଟ ଦେଖି ହରି । ଅନନ୍ତମାୟା ଯୋଗକରି ॥୧୧୧
ଦାସବତ୍ସଳ ଗୋପୀନାଥ । ଅନଳ କଲେ ଗର୍ଭଗତ ॥୧୧୨
ମାୟାରେ ମେଘମାନେ ଆସି । ବୃଷ୍ଟି କରନ୍ତି ବନେ ପଶି ॥୧୧୩
ତକ୍ଷଣେ ଅନଳ ଲିଭିଲା । ରବି କିରଣ ପ୍ରକାଶିଲା ॥୧୧୪
ଶୁଭେ ପାହିଲା ଘୋର ନିଶି । ନିର୍ମଳ ଦଶ ଦିଗ ଦିଶି ॥୧୧୫
ଯେ ହରି ମହିମା ଅନନ୍ତ । ଅନନ୍ତ ଶକ୍ତି ଗୁଣେ ଯୁତ ॥୧୧୬
ଗୋପୀ-ଗୋପାଳେ ରକ୍ଷା କରି । ଗୋପେ ମିଳିଲେ ନରହରି ॥୧୧୭
ସେ ହରି ଚରଣାରବିନ୍ଦେ । ମୋ ମନ-ଭ୍ରମର ଆନନ୍ଦେ ॥୧୧୮
ନିଶ୍ଚିନ୍ତେ ମକରନ୍ଦ ରସ । ସେବଇ ଜଗନ୍ନାଥ ଦାସ ॥୧୧୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନି ମୋଚନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ॥
</poem>
==='''ଊନବିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଅମୃତ କୃଷ୍ଣର ଚରିତ ॥୧
ଗୋପାଳେ ବୃନ୍ଦାବନେ ଥିଲେ । ସୁସ୍ଥେ ରଜନୀ ପୁହାଇଲେ ॥୨
ରାମ ଗୋବିନ୍ଦ ଘେନି ସଙ୍ଗେ । ମିଳିଲେ ଗୋପପୁର ଲାଗେ ॥୩
ଯେଝା ମନ୍ଦିରେ ଗୋପେ ଯାଇ । କହନ୍ତି ବୃଦ୍ଧଙ୍କୁ ବସାଇ ॥୪
କୃଷ୍ଣର ଯେତେ କର୍ମମାନ । ଶୁଣି ସକଳେ ତୋଷମନ ॥୫
ମାୟାଗୋପାଳ ରୂପ ହୋଇ । କ୍ରୀଡ଼ା କରନ୍ତି ବେନିଭାଇ ॥୬
ଏମନ୍ତେ ଶୁଣ ପରୀକ୍ଷିତ । ସ୍ୱଭାବେ ସରିଲା ବସନ୍ତ ॥୭
ନିଦାଘ କାଳ ଆଗମନେ । ଘର୍ମ ନ ଲାଗେ ବୃନ୍ଦାବନେ ॥୮
ସର୍ବଦା ବସନ୍ତ ପବନ । ସଧୀରେ ବହେ ଦିନୁ ଦିନ ॥୯
ବସନ୍ତ ନୋହେ ନା ଦୁର୍ଲ୍ଲଭ । ଯେ ବନେ ଶ୍ରୀରାମ ମାଧବ ॥୧୦
ନଦୀ ନିର୍ଝର ଜଳନାଦ । ନିବିଡ଼ ଝିଙ୍କାରି ଶବଦ ॥୧୧
ଅତି ଶୀତଳ ବନସ୍ଥଳୀ । ନିର୍ଝର ଜଳକଣା ମିଳି ॥୧୨
ନଦୀ ତଡ଼ାଗ ପ୍ରସ୍ରବଣ । ପବନ ଯୋଗେ ସ୍ନିଗ୍ଧବନ ॥୧୩
ଜଳେ ଅଛନ୍ତି ପୁଷ୍ପ ଯେତେ । କମଳ କୁମୁଦ ସହିତେ ॥୧୪
ତାହାଙ୍କ ରେଣୁ ଘେନି ବଳେ । ପବନ ବହେ କୁତୂହଳେ ॥୧୫
ଏଣୁ ସେ ବୃନ୍ଦାବନ ଦେଶେ । ନିଦାଘ ଗ୍ରୀଷମ ନ ପଶେ ॥୧୬
ଘନ ଗହନ ବନଭୂମି । ତେଣୁ ନୁହଁନ୍ତି ଜୀବେ ଶ୍ରମୀ ॥୧୭
ଅତି ଗଭୀର ନଦୀଜଳେ । ଲହରୀ ଉଠେ ବାୟୁବଳେ ॥୧୮
ପଙ୍କ ଦ୍ରବଇ ବେନିତଟେ । ସେ ଜଳେ ଗ୍ରୀଷ୍ମ ତ୍ରାସ କଟେ ॥୧୯
ତେଣୁ ଏ ବନଭୂମି ଦେଶ । ନ ଲାଗେ ଆଦିତ୍ୟର ତ୍ରାସ ॥୨୦
ଅରୁଣ ତେଜ ନ ଲାଗଇ । ଯହିଁ ବିଜୟ ଭାବଗ୍ରାହୀ ॥୨୧
ସ୍ୱଭାବେ କୁସୁମିତ ବନ । ମୃଗ ମୟୂର ପକ୍ଷୀସ୍ୱନ ॥୨୨
କୋକିଳ ସାରସ ନିକର । ଭ୍ରମରଧ୍ୱନି ମନୋହର ॥୨୩
ଏମନ୍ତେ ପ୍ରଭୁ ବନମାଳୀ । ଗୋପବାଳକ ମଧ୍ୟେ କେଳି ॥୨୪
ଆନନ୍ଦେ ଗୀତ ବେଣୁଧ୍ୱନି । ଗାଈ-ଗୋବତ୍ସା ସଙ୍ଗେ ଘେନି ॥୨୫
ମିଳିଲେ ବୃନ୍ଦାବନେ ଯାଇ । ରଙ୍ଗେ ନାଚନ୍ତି ବେନିଭାଇ ॥୨୬
ସଦାବସନ୍ତ ବୃନ୍ଦାବନେ । ନାନା କୁସୁମ ଫଳମାନେ ॥୨୭
ଯହିଁ ଗୋବିନ୍ଦ ବନଚାରୀ । ମିଶେଷ ସଙ୍ଗେ ହଳଧାରୀ ॥୨୮
ଶୀତଳ ଛାୟା ବୃକ୍ଷତଳେ । ଭ୍ରମର ପନ୍ତି ଫୁଲଡ଼ାଳେ ॥୨୯
ଶୋଭିତ ସରୋବର ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ ॥୩୦
ଅରୁଣ ତେଜ ନ ଲାଗଇ । ବନର ବହ୍ନି ବନେ ଥାଇ ॥୩୧
କୋମଳ ତୃଣ ଯୂଥେ ଯୂଥେ । ଗୋରୁଏ ଚରନ୍ତି ନିଶ୍ଚିନ୍ତେ ॥୩୨
ଯମୁନା ଜଳ ବୃକ୍ଷମୂଳେ । ପବନ ବହଇ ଶୀତଳେ ॥୩୩
ବନକୁସୁମ ପରିମଳ । ଦେଖି ସାନନ୍ଦ ଆଦିମୂଳ ॥୩୪
ବାଳକକ୍ରୀଡ଼ା ସାବଧାନେ । କୃଷ୍ଣ ବିଜୟେ ବୃନ୍ଦାବନେ ॥୩୫
ସେ ବନେ ଚରାଇଲେ ଗାଈ । ଗୋପେ ନାଚନ୍ତି ବେଣୁ ବାଇ ॥୩୬
ଶିରେ ଗୁଞ୍ଜରା ଜାମୁଡ଼ାଳୀ । ରତ୍ନଭୂଷଣ ଫୁଲମାଳୀ ॥୩୭
ପ୍ରବାଳ-ବରହିସ୍ତବକ । ଧାତୁଭୂଷଣ ରଙ୍ଗେରଖ ॥୩୮
ବାଳକେ ରାମକୃଷ୍ଣ ମେଳେ । ଯୁଦ୍ଧ କରନ୍ତି ବାହୁବଳେ ॥୩୯
ରାମଗୋବିନ୍ଦ ଗୋପସୁତେ । ଖେଳନ୍ତି ନୃତ୍ୟଗୀତ ଯୁତେ ॥୪୦
କୃଷ୍ଣର ନୃତ୍ୟ ଗୋପେ ଦେଖି । ମିଳିଲେ ଗୋବତ୍ସା ଉପେକ୍ଷି ॥୪୧
କେ ତାଳି ବାଇ ମନୋହରେ । ଗମ୍ଭୀର ଗୀତନାଦ ସ୍ୱରେ ॥୪୧
ଶିଙ୍ଗା ମୁରଲୀନାଦ ପୁରି । କେ ସାଧୁ ଧନ୍ୟ ଧନ୍ୟ କରି ॥୪୨
ଦେବେଯେ ଥିଲେ ଶୂନ୍ୟପଥେ । ମିଳିଲେ କୃଷ୍ଣର ଅଗ୍ରତେ ॥୪୩
ମାୟାବାଳକ ରୂପ ହୋଇ । କୃଷ୍ଣର ଚଉପାଶେ ଥାଇ ॥୪୪
ସ୍ତୁତି କରନ୍ତି କୃଷ୍ଣ ରାମେ । ଭାଟେ ଯେସନେ ଗୁଣଗାନେ ॥୪୫
ଏକ ଆରକେ ସାଧୁଭଣି । ଶୁଣ ପାଣ୍ତବ ଚୂଡ଼ାମଣି ॥୪୬
ତାଣ୍ତବ ରସେ ସୁଖେ ହରି । ବୃନ୍ଦା ବନରେ କ୍ରୀଡ଼ା କରି ॥୪୭
କୃଷ୍ଣର ନୃତ୍ୟ ଦେଖି ପୋଏ । ରାମଙ୍କୁ ବେଢ଼ିଲେ ଥୋକାଏ ॥୪୮
ଖେମଟାରସେ ଗୀତ ଗାଇ । କେ ଧାଏଁ ଶିଙ୍ଗାନାଦ ଦେଇ ॥୪୯
ତାଳି ମୁରଲୀ ଗାଲତୁର । ନାଚନ୍ତି ବ୍ରହ୍ମାଣ୍ତ ଠାକୁର ॥୫୦
ନୃତ୍ୟର ଅନ୍ତେ ପରଶଂସି । କେ ତହିଁ କହନ୍ତି ବିଶ୍ୱାସି ॥୫୧
ଥୋକେ କରନ୍ତି ନାନା ସ୍ତୁତି । ହରଷେ ପୁଷ୍ପ ପରଷନ୍ତି ॥୫୨
କୃଷ୍ଣ ସଙ୍ଗେ ନୃତ୍ୟ କରି । ବୁଲନ୍ତି ବୃନ୍ଦାବନେ ହେରି ॥୫୩
କେ ବଳେ ଏକୁ ଆରେ ଧରି । ଡାକନ୍ତି ବାହାନାଦ କରି ॥୫୪
କୃଷ୍ଣ ଉଠିଲେ ଉଚ୍ଚବୃକ୍ଷେ । ଫଳ ତୋଳିଲେ ନାନା ଶାଖେ ॥୫୫
ପୋଏ ତୋଳିଲେ ଯେଝାମତେ । ଅମର ଲୋକେ ଯୂଥେ ଯୂଥେ ॥୫୬
ଏକ ଆରକେ ମରାମରି । କେ ସାକ୍ଷୀ କରନ୍ତି ମୁରାରି ॥୫୭
କର ଚରଣ ଧରି ଛନ୍ଦେ । ଯୁଦ୍ଧ କରନ୍ତି ନାନା ବନ୍ଧେ ॥୫୮
କେ ପଛେ ଥାଇ ଚକ୍ଷୁ ବୁଜି । ନାମ ଧରନ୍ତି ମନେ ହେଜି ॥୫୮
ମୃଗଙ୍କ ପ୍ରାୟ କେହୁ ଧାଇଁ । ପକ୍ଷୀଙ୍କ ପ୍ରାୟ କେ ଉଡ଼ଇ ॥୫୯
ଭେକର ପ୍ରାୟ କେ ଡିଅଁନ୍ତି । ଚାଲନ୍ତି ଯେହ୍ନେ ହଂସପନ୍ତି ॥୬୦
ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । ଦୋଳି କରନ୍ତି କୁତୁହଳେ ॥୬୧
ପର୍ବତ କୁଞ୍ଜ ନଦୀକୂଳେ । ଖେଳନ୍ତି ରାମକୃଷ୍ଣ ମେଳେ ॥୬୨
ଗାଈ ଚରାଇ ବେଣୁବାଇ । ବନେ ଖେଳନ୍ତି ବେନି ଭାଇ ॥୬୩
ଏମନ୍ତେ କଂସ ଅନୁଚର । ବନେ ମିଳିଲା ନଦୀତୀର ॥୬୪
ପ୍ରଳମ୍ବ ନାମେ ମହାବଳୀ । ଲୁଚି ଦେଖଇ କୃଷ୍ଣକେଳି ॥୬୫
କ୍ଷଣକେ ସହି ନ ପାରିଲା । ଗୋପାଳ ରୂପେକ ହୋଇଲା ॥୬୬
ପ୍ରଳମ୍ବ ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ ॥୬୭
ପୁଅଙ୍କ ମେଳେ ଥିବି ବସି । ମୋର ନିକଟେ ଯେବେ ଆସି ॥୬୮
ମୁଣ୍ତ ମୋଡ଼ିବି ଧରି କରେ । କହିବି କଂସର ଛାମୁରେ ॥୬୯
ଏମନ୍ତ ବିଚାରିଲା ମନେ । ଲତାରେ ଥାଇ ବୃନ୍ଦାବନେ ॥୭୦
ମାୟା ଗୋପାଳ ରୂପ ହୋଇ । ମିଳିଲା ଗୋପ ମଧ୍ୟେ ଯାଇ ॥୭୧
ତାହା ଜାଣିଲେ ଭାବଗ୍ରାହୀ । କହନ୍ତି ଗୋପାଳଙ୍କୁ ଚାହିଁ ॥୭୨
ବାଳକେ ଶୁଣ ମୋ' ଉତ୍ତର । ମୁହିଁ ଜାଣଇଁ ଖେଡ଼ସାର ॥୭୩
ରାଜା ପରଜା ଖେଳ ଅଛି । ଆସ ଖେଳିବା ବଳ ଆଞ୍ଚି ॥୭୪
ଶୁଣି ସାନନ୍ଦ ମନେ ହସି । ରୁଣ୍ତ ହୋଇଲେ ପୋଏ ଆସି ॥୭୫
ରାମ ଗୋବିନ୍ଦେ କରି ରାଜା । ସକଳେ ହୋଇଲେ ପରଜା ॥୭୬
ଅଧେ ହୋଇଲେ ରାମ ଆଡ଼େ । ଥୋକେ ହୋଇଲେ କୃଷ୍ଣବାଡ଼େ ॥୭୭
କୃଷ୍ଣ ବୋଇଲେ ଦୁଇ ଦୁଇ । ବଳ କଷିବା ଯୁଦ୍ଧ ବିହି ॥୭୮
ଯୋଡ଼ି ଯୋଡ଼ିଏ ଏକ ସଙ୍ଗେ । ଯୁଦ୍ଧ କରିବା ନାନା ରଙ୍ଗେ ॥୭୯
ଖେଳ ପାଞ୍ଚିଲେ ଗୋପପୋଏ । ମାୟା ଭିଆଣ ଦେବରାୟେ ॥୮୦
ଜଣ ଜଣକେ ନାମ ଧରି । ଯୁନ୍ଧେ ପେଷିଲେ ନରହରି ॥୮୧
ଶ୍ରୀଦାମ ନାମ ଗୋପବାଳେ । ଯୁଝିଲା ଗୋବିନ୍ଦର ତୁଲେ ॥୮୨
ପ୍ରଳମ୍ବାସୁର ତୁଲେ ରାମ । କୃଷ୍ଣ ତୁଲେ ଭଦ୍ରସେନ ॥୮୩
ଏତେ ଭିଆଇ ଭାବଗ୍ରାହୀ । ବୋଲନ୍ତି ଗୋପାଳଙ୍କୁ ଚାହିଁ ॥୮୪
ଯୁଦ୍ଧ କରିବା ପୀଢ଼ କରି । ସଂଗ୍ରାମେ ଯେ ଯାହାକୁ ହାରି ॥୮୫
ଭାଣ୍ତୀର ବଟ ତଳେ ନେଇ । ଥୋଇବ କନ୍ଧରେ ବସାଇ ॥୮୬
ହେଉ ବୋଇଲେ ଗୋପବାଳେ । ଯୁଝନ୍ତି ଯେ ଯାହାର ବଳେ ॥୮୭
ହାରିଲେ ବୃକ୍ଷମୂଳେ ନେଇ । ଛାଡ଼ନ୍ତି କନ୍ଧରେ ବସାଇ ॥୮୮
ଏମନ୍ତେ ପ୍ରଭୁ ଦଇତାରି । ଶ୍ରୀଦାମ ତୁଲେ ଯୁଦ୍ଧ କରି ॥୮୯
ତାହାକୁ ଯୁଦ୍ଧେ କୃଷ୍ଣ ହାରି । ବଟେ ଛାଡ଼ିଲେ କଦ୍ଧେ କରି ॥୯୦
ଏବେ ହୋ ଶୁଣ ରସକଥା । ପ୍ରଳମ୍ବ ଅସୁର ବାରତା ॥୯୧
ପ୍ରଳମ୍ବାସୁର ରାମ ସଙ୍ଗେ । ପଡ଼ିଲା ପଞ୍ଚାପଞ୍ଚି ରଙ୍ଗେ ॥୯୨
ଯୁଦ୍ଧ କରନ୍ତେ ଗୁରୁତର । ରାମକୁ ହାରିଲା ଅସୁର ॥୯୩
ତକ୍ଷଣେ ବସାଇଲା କନ୍ଧେ । ଅସୁର ଭାଳଇ ଆନନ୍ଦେ ॥୯୪
ଏହାକୁ ବଟ ଯାଏ ନେଇ । ଘେନିଣ ପଳାଇବି ମୁହିଁ ॥୯୫
ମୁଣ୍ତ ମୋଡ଼ିବି ବନେ ପଶି । ପୁଣି ମିଳିବ ଏଥେ ଆସି ॥୯୬
କୃଷ୍ଣ ପଡ଼ିବ ଯେତେବେଳେ । ଘେନି ଉଡ଼ିବି ଅନ୍ତରାଳେ ॥୯୭
କଂସ ଛାମୁରେ ଦେବି ନେଇ । ନିଶ୍ଚିନ୍ତେ ଭୁଞ୍ଜିବ ସେ ମହୀ ॥୯୮
ଏତେ ବିଚାରି ମହାସୁର । କନ୍ଧେ ବସାଇ ହଳଧର ॥୯୯
ଭାଣ୍ତୀରବଟ ଗଲା ଜିଣି । ତାହା ଜାଣିଲେ ହଳପାଣି ॥୧୦୦
କୋଟିଏ ମେରୁ ଯେହ୍ନେ ଭାର । ଚଳି ନପାରିଲା ଅସୁର ॥୧୦୧
ତକ୍ଷଣେ ନିଜରୂପ ଧରି । ଅସୁର ଗଗନେ ସଞ୍ଚରି ॥୧୦୨
ନୀଳ-ଜୀମୂତ-ଦେହ କାନ୍ତି । ମଣିକଙ୍କଣ ଝଟକନ୍ତି ॥୧୦୩
ସ୍ୱାଭାବେ ନାନା ଅଳଙ୍କାର । ତେଜେ ବିରାଜିଲା ଅସୁର ॥୧୦୪
କି ଅବା ଦେବା ପଟାନ୍ତର । ଯାହାର କନ୍ଧେ ହଳଧର ॥୧୦୫
ବିଜୁଳି ଯେହ୍ନେ କଳାମେଘେ । ଯେସନେ ଶଶାଙ୍କର ଲାଗେ ॥୧୦୬
ଗଗନେ ବେଗେ ଯାଉଅଛି । ତା' ଦେଖି ରାମ ମନେ ପାଞ୍ଚି ॥୧୦୭
ଭ୍ରୂକୁଟି କୁଟିଳ ପ୍ରପଞ୍ଚ । ବିକଟ ଦନ୍ତ ତୀକ୍ଷ୍ଣ ଉଚ୍ଚ ॥୧୦୮
ସୁବର୍ଣ୍ଣ ତେଜେ ଦେହ ଝଳି । ନୀଳମେଘରେ କି ବିଜୁଳି ॥୧୦୯
ତକ୍ଷଣେ ପ୍ରଭୁ ହଳଧର । ଜାଣିଲେ ନିଶ୍ଚୟ ଅସୁର ॥୧୧୦
ମୁଷ୍ଟିଏ ପ୍ରହାରିଲେ ମୁଣ୍ତେ । ବଜ୍ର ଯେସନେ ଗିରିଖଣ୍ତେ ॥୧୧୧
ମୁଣ୍ତ ହୋଇଲା ଶତେ ଚୂର । ଶବଦ କଲା ମହାଘୋର ॥୧୧୨
ରୁଧିର ଉଦ୍ଗାରିଲା ମୁଖେ । ପଡ଼ିଲା ଗୋବର୍ଦ୍ଧନ ପାଖେ ॥୧୧୩
ଦେଖି ଚକିତ ଗୋପପୋଏ । ସ୍ୱର୍ଗେ ଯେ ଥିଲେ ଦେବତାଏ ॥୧୧୪
ସକଳେ ସାଧୁ ସାଧୁ ଭଣି । କୁସୁମ ବରଷିଲେ ଆଣି ॥୧୧୫
ରାମଙ୍କୁ ଧରି ଗୋପବାଳେ । କୋଳ କରିଣ ଚୁମ୍ବ ଦେଲେ ॥୧୧୬
ଅବନୀ ହୋଇଲା ଆନନ୍ଦ । ବାଳମୂରତି ଆଦିକନ୍ଦ ॥୧୧୭
ସେ ରାମଚରଣେ ବିଶ୍ୱାସ । ଶରଣ ଜଗନ୍ନାଥ ଦାସ ॥୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରଳମ୍ବବଧୋ ନାମ ଊନବିଂଶୋଽଧ୍ୟାୟଃ ॥
</poem>
==='''ବିଂଶ ଅଧ୍ୟାୟ'''===
<poem>
କହନ୍ତି ବ୍ୟାସମୁନି ସୁତ । ଶୁଣ ରାଜନ ପରୀକ୍ଷିତ ॥୧
ଖେଳନ୍ତି ରାମ ନରହରି । ଗୋରୁଏ ଗଲେ ବନେଚରି ॥୨
ଚରନ୍ତେ ତୃଣ ଲୋଭେ ଗାଈ । ପଶିଲେ ଗିରିକୁଞ୍ଜେ ଯାଇ ॥୩
ଅଜା ମହିଷୀ ଗୋରୁ ସଙ୍ଗେ । ପ୍ରବେଶ କୁଞ୍ଜବନ ଲାଗେ ॥୪
ଅନଳ ଆବୋରିଲା ଆସି । କୁଞ୍ଜ ଗହନେ ଛନ୍ତି ପଶି ॥୫
ବିକଳେ ଚଉଦିଗେ ଚାହିଁ । କାନ୍ଦନ୍ତି କୃଷ୍ଣ ମନେ ଧ୍ୟାୟି ॥୬
ପୋଏ ଯେ ଥିଲେ କୃଷ୍ଣ ସଙ୍ଗେ । ଖେଳୁଁ ଚାହିଁଲେ ଚାରିଦିଗେ ॥୭
ବିକଳେ ଖେଦମନେ ଧାଇଁ । ଲୋଡ଼ନ୍ତି ବନେ ବତ୍ସା ଗାଈ ॥୮
ଗୋରୁଙ୍କ ଖୋଜ ଅନୁସରି । ଡାକନ୍ତି ଗାଈ ନାମଧରି ॥୯
ଗାଈଙ୍କି ନ ଦେଖି ବିକଳ । ପଛେ ଅଛନ୍ତି ଆଦିମୂଳ ॥୧୦
ବତ୍ସା ନ ପାଇ କୁଞ୍ଜବନେ । ପୋଏ କାନ୍ଦନ୍ତି ଦୁଃଖମନେ ॥୧୧
ତୃଷିତ ହୋଇ ବାହୁଡ଼ିଲେ । କୃଷ୍ଣର ନିକଟେ ମିଳିଲେ ॥୧୨
ପୁଅଙ୍କ ଦୁଃଖ ଦେଖି ହରି । ବୃକ୍ଷେ ଉଠିଲେ ଅନୁସରି ॥୧୩
ନୀଳ-ଜୀମୂତ ଦେହ ହରି । ପୀତବସନ ବନମାଳୀ ॥୧୪
ମେଘ-ଗମ୍ଭୀର ରସଭରେ । ଗୋରୁଙ୍କୁ ଡାକନ୍ତି ସୁସ୍ୱରେ ॥୧୫
ଗୋରୁଏ ନାମ ଶୁଣି କର୍ଣ୍ଣେ । ହୁଙ୍କାର କଲେ ତୋଷମନେ ॥୧୬
ଏମନ୍ତେ ବେଢ଼ିଲା ଅନଳ । ଯେସନେ ପ୍ରଳୟର କାଳ ॥୧୭
ପବନ ବହେ ଖରତର । ପ୍ରଚଣ୍ତ ତେଜ ମହାଘୋର ॥୧୮
ଅନଳ ଦେଖି ଗୋପବାଳେ । କୃଷ୍ଣଙ୍କୁ ଡାକନ୍ତି ବିକଳେ ॥୧୯
ହେ ରାମକୃଷ୍ଣ ଆସ ବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ ॥୨୦
ଆମ୍ଭେ ତୋହର ବନ୍ଧୁବଳ । ତୋହରେ ଶରଣ ଗୋକୁଳ ॥୨୧
ମୁନି ବୋଲନ୍ତି ଶୁଣ ରାୟେ । ଗୋକୁଳେ କୃଷ୍ଣ କଲେ ଦୟେ ॥୨୨
କୃଷ୍ଣ ବୋଇଲେ ଯେଝାମତେ । ଚକ୍ଷୁ ଲୁଚାଅ ବେନିହସ୍ତେ ॥୨୩
ଶୁଣି ଲୋଚନେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥୨୪
ଗୋବିନ୍ଦ ଯୋଗମାୟା ବଳେ । ଅଗ୍ନି ଗିଳିଲେ କଣ୍ଠନାଳେ ॥୨୫
ଗୋପକୁମରେ ବେଗେ ଧାଇଁ । ମିଳିଲେ ବଟତଳେ ଯାଇ ॥୨୬
ଭାଣ୍ତୀର ତଳେ ଚକ୍ଷୁ ଫେଇ । ସଭୟେ ଚଉଦିଗେ ଚାହିଁ ॥୨୭
ଗୋରୁଏ ମିଳିଲେ ତକ୍ଷଣ । ରଙ୍ଗେ ନାଚନ୍ତି ନାରାୟଣ ॥୨୮
କୃଷ୍ଣଙ୍କୁ ଚାହିଁ ଗୋପପୋଏ । ଗୁପତେ ଭାଳନ୍ତି ଥୋକାଏ ॥୨୯
କି ଏ କେବଣ ଦେବତାଏ । ଜାତ ହୋଇଛି ନରଦେହେ ॥୩୦
ଅନେକ ସଙ୍କଟୁ ତାରିଲେ । ଯଶୋଦା ଭାଗ୍ୟେ ଜାତ କଲେ ॥୩୧
ଏମନ୍ତେ ଗୋପାଳଙ୍କ ମନ । ଜାଣିଲେ ପ୍ରଭୁ ଭଗବାନ ॥୩୨
ମାୟାରେ ମୋହିଲେ କୁମର । ବିଶ୍ୱ ପ୍ରପଞ୍ଚ ଖେଡ଼ଘର ॥୩୩
ଏମନ୍ତେ ରବି-ଅସ୍ତକାଳେ । ଗୋବିନ୍ଦ ଘେନି ଗୋପବାଳେ ॥୩୪
ଗୋପେ ହୋଇଲେ ପରବେଶ । ବେଣୁ ଶବଦେ ଗୀତରସ ॥୩୫
ଗୋପୀଏ ନ ଦେଖି ଶ୍ରୀପତି । ଘଡ଼ିକ ଯୁଗ ସେ ମଣନ୍ତି ॥୩୬
ରାମଗୋବିନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥୩୭
ଘରେ କହିଲେ ପୁଅମାନେ । ଆମ୍ଭେ ଯେ ଗଲୁ ବୃନ୍ଦାବନେ ॥୩୮
ଖେଳ ଖେଳିଲୁ ବେନିବଳ । ରାଜା-ପରଜା ଖେଳ ସାର ॥୩୯
ପ୍ରଳମ୍ବ ନାମେଣ ଅସୁର । ଖେଳ ଭିତରେ ଥିଲା ବୀର ॥୪୦
ରାମକୁ ବହି ନେଉଥିଲା । ଜାଣି ସେ ମୁଥ ପ୍ରହାରିଲା ॥୪୧
ମୁଣ୍ତ ହୋଇଲା ଶତେ ଚୁର । ଗର୍ଜିଣ ପଡ଼ିଲା ଅସୁର ॥୪୨
ଗୋବରଧନ ଗିରି ଲାଗେ । ପଡ଼ିଣ ଅଛି ମହୀଭାଗେ ॥୪୩
ତହୁଁଣ କୁଞ୍ଜ ବନେ ଗଲୁ । ଗାଈବାଛୁରୀ ନ ପାଇଲୁ ॥୪୪
ଲୋଡ଼ିଲୁ ଗହନ ବନରେ । ଅଗ୍ନି ବେଢ଼ିଲା ଧାତିକାରେ ॥୪୫
ବନେ ଅନଳ ତେଜ ଦିଶି । ଡାକିଲୁ ରଖ ବ୍ରହ୍ମରାଶି ॥୪୬
ପ୍ରତ୍ୟକ୍ଷେ ଅନଳ ଦେଖିଲୁ । ଆରତେ କୃଷ୍ଣ ସୁମରିଲୁ ॥୪୭
କୃଷ୍ଣ ବୋଇଲେ ଆଖି ବୁଜ । ଅନଳ ଲିଭାଇବୁଁ ଆଜ ॥୪୮
ତାହାର ବୋଲେ ଆଖିମାନ । ହସ୍ତରେ ବୁଜିଲୁ ବହନ ॥୪୯
ଦଣ୍ତକେ ଫେଡ଼ିଣ ଚାହିଁଲୁ । ତେଡ଼େ ଅନଳ ନ ଦେଖିଲୁ ॥୫୦
କେବଣ ମନ୍ତ୍ର କୃଷ୍ଣ କଲା । ତେଡ଼େ ଅନଳ ଲିଭାଇଲା ॥୫୧
ପୁଅଙ୍କ କଥାମାନ ଶୁଣି । ବିଷାଦ ବରଜତରୁଣୀ ॥୫୨
ଗୋପାଳେ ହରଷ ବିସ୍ମୟେ । ତ୍ରାସ ଲାଗିଲା ସର୍ବଦେହେ ॥୫୩
ଯୋଗମାୟାରେ ମୋହ ହୋଇ । କ୍ଷଣକେ ପାସୋରିଲେ ତାହିଁ ॥୫୪
ପୁତ୍ରଙ୍କ ସ୍ନେହଭାବ ଘେନି । ଭଜନ୍ତି ଗୋପର କାମିନୀ ॥୫୫
ସୁଜନେ କୃଷ୍ଣପାଦେ ଚିନ୍ତ । ସଂସାରେ ନୁହଁ ଭ୍ରମଚିତ୍ତ ॥୫୬
ସମ୍ପଦ ସ୍ୱପ୍ନପ୍ରାୟ ଦେଖ । ଧ୍ୟାନେଣ ଚିନ୍ତ ପଦ୍ମମୁଖ ॥୫୭
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁବାସନା ମୋର ନାହିଁ ॥୫୮
ସାଧୁଚରଣେ ଆଶ୍ରେ ମୋର । ଉଧର କୃଷ୍ଣ-ହଳଧର ॥୫୯
ହରିଚରଣେ ଦିଅ ମନ । ଯେ ହରି ବିପତ୍ତିନାଶନ ॥୬୦
ଆବର ଯେତେ ଦ୍ରବ୍ୟମାନ । ସେ ସର୍ବ ନିଶିର ସ୍ୱପନ ॥୬୧
ସଂସାରୁ ତରିବ ଯେମନ୍ତ । ଭଣଇଁ ଦାସ ଜଗନ୍ନାଥ ॥୬୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନିପାନଂ ନାମ ବିଂଶୋଽଧ୍ୟାୟଃ ॥
</poem>
==='''ଏକବିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ହରିରସ । ତୁ ଅଟୁ ଗୋବିନ୍ଦର ଦାସ ॥୧
କୃଷ୍ଣ ମହିମା ଶୁଣି କର୍ଣ୍ଣେ । ଗୋପୀ ଗୋପାଳ ତୋଷମନେ ॥୨
ରାମକୃଷ୍ଣଙ୍କୁ ପରଶଂସି । କିଏ ଦେବତା ଏଥେ ଆସି ॥୩
ନୋହିଲେ ଏଡ଼େ କର୍ମ କାହିଁ । ବିଷମ ସଂକଟୁ ତାରଇ ॥୪
ପରମାନନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥୫
ଏମନ୍ତେ ଗ୍ରୀଷ୍ମକାଳ ଗଲା । ବରଷା ଋତୁ ପ୍ରସରିଲା ॥୬
ସକଳ ଋତୁଙ୍କର ସାର । ଶସ୍ୟ-ସମ୍ପଦ ମଞ୍ଚପୁର ॥୭
ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି-ପବନ ସଙ୍ଗତେ ॥୮
ଭୂମି-ସାଗର ଶୂନ୍ୟ ବ୍ୟାପୀ । ନୀଳ ଜିମୂତ ବିଶ୍ୱରୂପୀ ॥୯
ଆକାଶ ମେଘାଚ୍ଛନ୍ନ ହୋଇ । ଜ୍ୟୋତି ପ୍ରକାଶ ନ ଦିଶଇ ॥୧୦
ଗୁଣେ ଆଚ୍ଛନ୍ନ ବ୍ରହ୍ମ ଯେହ୍ନେ । ଆକାଶ ନଦିଶେ ତେସନେ ॥୧୧
ଭୂମିର ରସ ଅଷ୍ଟମାସ । ଆଦିତ୍ୟ କରିଥିଲା ଗ୍ରାସ ॥୧୨
ତେଜେ ଅବନୀ ଦୁଃଖ ଚାହିଁ । ଜଳ ଛାଡ଼ିଲା ତୋଷ ହୋଇ ॥୧୩
ଘୋର-ଶବଦେ ମେଘମାଳ । ଗର୍ଜିଣ ବରଷନ୍ତି ଜଳ ॥୧୪
ପ୍ରାଣୀ-ଜୀବନ ଜଳରାଶି । କରୁଣାଚିତ୍ତରେ ବରଷି ॥୧୫
ପୃଥିବୀ ରବିତେଜ ତ୍ରାସେ । ତାପିତ ଥିଲା ଅଷ୍ଟମାସେ ॥୧୬
ଜଳ ପାଇଲା ତୋଷଚିତ୍ତେ । ତପସ୍ୱୀଜନଙ୍କର ମତେ ॥୧୭
ତପସ୍ୟା ଫଳ ଯେହ୍ନେ ପାଇ । ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥୧୮
ଖଦ୍ୟୋତ କୀଟ ନିଶାମୁଖେ । ଜଗତ ଆବୋରିଲେ ସୁଖେ ॥୧୯
ପାଷଣ୍ତେ ଯେହ୍ନେ କଳିଯୁଗେ । ବେଦ ନିନ୍ଦନ୍ତି ପାପ ଯୋଗେ ॥୨୦
ମଣ୍ତୁକେ ମେଘନାଦ ଶୁଣି । ଗର୍ଜିନ୍ତି ଆବୋରିଣ ପାଣି ॥୨୧
ରଜନୀ ଅନ୍ତେ ବିପ୍ରଜନେ । କରନ୍ତି ବେଦଧ୍ୱନି ଯେହ୍ନେ ॥୨୨
ଅଳପ ନଦୀଏ ପୂରିଲେ । ଲହରି ଘେନି ଉଛୁଳିଲେ ॥୨୩
ପୁଣି ଶୁଖନ୍ତି ଜଳଅନ୍ତେ । ଅଳପ ଲୋକଙ୍କର ମତେ ॥୨୪
ତୃଣରେ ଇନ୍ଦ୍ର ଗୋପ ମିଶି । ସୈନ୍ୟ ସଂପଦ ପ୍ରାୟ ଦିଶି ॥୨୫
ଛତୁଏ ଛତ୍ର ପ୍ରାୟ ହୋଇ । ରାଜାଙ୍କ ପ୍ରାୟ ଦିଶେ ମହୀ ॥୨୬
ନାନାପ୍ରକାରେ ଶସ୍ୟରାଶି । ଏଣେ ପୂରିତ ମହୀ ଦିଶି ॥୨୭
ଶସ୍ୟ-ସଂପଦେ କ୍ଷେତ୍ରମାନେ । ଦେଖି ଆନନ୍ଦ କୃଷିଜନେ ॥୨୮
ଦରିଦ୍ରଙ୍କର କୃଷିନାଶେ । ତାପ କରାଇଲେ ବିଶେଷେ ॥୨୯
ଦଇବ ବଳ ଅବିଶ୍ୱାସେ । ତାପକେ ପାଇଲେ ବିଶେଷେ ॥୩୦
ଅଶେଷ ଜୀବ ଜଳସ୍ଥଳେ । ଜଳ ଭକ୍ଷିଲେ କୁତୂହଳେ ॥୩୧
ଦିନକୁ ଦିନ ପୁଷ୍ଟ ହୋଇ । ହରିସେବକ ପ୍ରାୟ ରହି ॥୩୨
ସମୁଦ୍ର-ନଦୀଙ୍କର ମେଳେ । କଲ୍ଲୋଳ ଉଠେ ପୁଣ୍ୟଜଳେ ॥୩୩
ଅଳପ ଯୋଗୀଙ୍କର ଚିତ୍ତ । ଯେହ୍ନେ ଚଞ୍ଚଳଗୁଣେ ଗ୍ରସ୍ତ ॥୩୪
ପର୍ବେତେ ଜଳଧାରା ଘାଏ । ଛିଡ଼ନ୍ତେ ନ କରନ୍ତି ଭୟେ ॥୩୫
କୃଷ୍ଣ-ଆଶ୍ରିତ ପ୍ରାଣୀ ଯେହ୍ନେ । ଦୁଃଖିତ ନୁହନ୍ତି ବ୍ୟସନେ ॥୩୬
ପଥ ହୋଇଲା ତୃଣମୟ । ବାଟର ନ ମିଳିଲା ଥୟ ॥୩୭
ବ୍ରାହ୍ମଣେ ବେଦ ପାସୋରିଲେ । ଯେମନ୍ତେ ହ୍ୱନ୍ତି ପଚାରିଲେ ॥୩୮
ଜଗତବନ୍ଧୁ ମେଘମାଳେ । ବିଜୁଳି ନ ରହେ ନିଶ୍ଚଳେ ॥୩୯
ଗୁଣି ପୁରୁଷ ଥାଉଁ ମେଳେ । ବିଟପୀ ମନ ଯେହ୍ନେ ଟଳେ ॥୪୦
ଜଳଦ ମଧ୍ୟେ ଇନ୍ଦ୍ରଚାପ । ଦିଶଇ ନୀଳ-ପୀତରୂପ ॥୪୧
ତୃତୀୟ ଗୁଣେ ହୋଇ ଯୁତ । ନିର୍ଗୁଣ-ପୁରୁଷ ଯେମନ୍ତ ॥୪୨
ଚନ୍ଦ୍ର ନଦିଶେ ମେଘାଚ୍ଛନ୍ନେ । ମିଥ୍ୟା-ବଚନେ ସତ୍ୟ ଯେହ୍ନେ ॥୪୩
ମୟୂରେ ଗିରିଶିଖେ ଥାଇ । ନୃତ୍ୟ କରନ୍ତି ମେଘେ ଚାହିଁ ॥୪୪
ଅତିଥି ଦେଖି ଭକ୍ତଜନେ । ଯେସନେ ତୋଷ ହ୍ୱନ୍ତି ମନେ ॥୪୫
ବୃକ୍ଷଙ୍କ ମୂଳେ ଜଳ ପଶି । ଫଳ-ପଲ୍ଲବ ପରକାଶି ॥୪୬
ତପର ଅନ୍ତେ ଫଳ ପାଇ । ତପସ୍ୱୀ ଯେହ୍ନେ ତୁଷ୍ଟ ହୋଇ ॥୪୭
ଜଳ କୁକ୍କୁଟ ଆଦି ହଂସ । ପଙ୍କ-କଣ୍ଟକେ କଲେ ବାସ ॥୪୮
ଦୁଃଖ-କଷଣେ ନରନାରୀ । ଯେସନେ ଗୃହେ ବାସକରି ॥୪୯
ଜଳପ୍ରବାହେ ବନ୍ଧ ଭାଙ୍ଗେ । ଯେହ୍ନେ ପାଷାଣ୍ତେ ବେଦମାର୍ଗେ ॥୫୦
ପବନ ଯୋଗେ ମେଘ ବଢ଼ି । ଅମୃତ ପ୍ରାୟ ଜଳ ଛାଡ଼ି ॥୫୧
ବିପ୍ରଙ୍କ ବୋଲେ ମହୀପାଳେ । ଯେହ୍ନେ ଦିଅନ୍ତି ଦାନକାଳେ ॥୫୨
ବରଷା ରସେ ବନ ଭୂଇଁ । ଖର୍ଜ୍ଜୁର ଜମ୍ବୁମୟ ହୋଇ ॥୫୩
ଗୋରୁ ଗୋପାଳ ସଙ୍ଗେ ଘେନି । ବନେ ବିଜୟ ଭାଇବେନି ॥୫୪
ଗାଈଏ ସ୍ତନଭର ହୋଇ । କର୍ଦ୍ଦମେ ନପାରନ୍ତି ଯାଇ ॥୫୫
କୃଷ୍ଣର ଡାକ ଶୁଣି କର୍ଣ୍ଣେ । ନିକଟେ ମିଳିଲେ ବହନେ ॥୫୬
କାନନେ ଯେତେ ଜୀବ ଥିଲେ । ଗିରିକନ୍ଦରେ ଆଶ୍ରେ କଲେ ॥୫୭
ସକଳ ବୃକ୍ଷେ ମଧୁ ସ୍ରବେ । ବରଷା ଋତୁର ସ୍ୱଭାବେ ॥୫୮
ଗାଈ ଚରାନ୍ତି ନନ୍ଦବାଳ । ଭକ୍ଷନ୍ତି ଫଳ କନ୍ଦମୂଳ ॥୫୯
ବସନ୍ତି ବୃକ୍ଷଙ୍କର ତଳେ । ଦିନ ହରନ୍ତି କୁତୂହଳେ ॥୬୦
ଦଧିଅନ୍ନାଦି ଘରୁ ଆଣି । ଜଳ ନିକଟେ ଚକ୍ରପାଣି ॥୬୧
ଗୋପାଳ ମେଳେ ବେନିଭାଇ । ଭୁଞ୍ଜନ୍ତି ଶିଳାପରେ ଥୋଇ ॥୬୨
କୋମଳ ଘାସେ ପଶୁଗଣେ । ଚରନ୍ତି ମୁଦ୍ରିତ ଲୋଚନେ ॥୬୩
ବରଷା ଦେଖି ବ୍ରହ୍ମରାଶି । ନିଜ ମହିମା ପରଶଂସି ॥୬୪
ବନେ ବୁଲନ୍ତି ନନ୍ଦବାଳ । ପ୍ରବେଶ ଶରଦର କାଳ ॥୬୫
ଶୁକଳ ମେଘ ଶୂନ୍ୟେ ଦିଶି । ବିଷ୍ଣୁର ତେଜ ପରକାଶି ॥୬୬
ଭୂମିରେ ଯେତେ ଜଳ ଥିଲା । ଶରଦେ ନିର୍ମଳ ହୋଇଲା ॥୬୭
ଭ୍ରଷ୍ଟ ଯୋଗୀଙ୍କ ଚିତ୍ତ ଯେହ୍ନେ । ପୁଣି ନିର୍ମଳ ଯୋଗ ଧ୍ୟାନେ ॥୬୮
ଶରଦ ଭୟେ ମେଘ ଗଲା । ଆକାଶ ନିର୍ମଳ ଦିଶିଲା ॥୬୯
ଭାଙ୍ଗିଲା ଜନ୍ତୁଙ୍କ ଗହଳ । ଜଳୁ ହରିଲା ପଙ୍କ-ମଳ ॥୭୦
ହରି ଭକତି ବଳେ ଯେହ୍ନେ । ପାତକ ନ ଲଗାଇ ମନେ ॥୭୧
ସକଳ ଜଳ ଛାଡ଼ି ମେଘେ । ଶୁଭ୍ର ଦିଶିଲେ ଶୂନ୍ୟମାର୍ଗେ ॥୭୨
ସଂସାର ମୋହ ଛାଡ଼ି ଜନେ । ଯେହ୍ନେ ଦିଶନ୍ତି ଯୋଗଧ୍ୟାନେ ॥୭୩
ପର୍ବତେ ଯେତେ ଜଳ ଥିଲା । ସଞ୍ଚରି ଭୂମିରେ ପଡ଼ିଲା ॥୭୪
ଉତ୍ତମ ଶିଷ୍ୟେ ତୋଷ ହୋଇ । ଗୁରୁ ଯେସନେ ଜ୍ଞାନ ଦେଇ ॥୭୫
ଅଳପ ଜଳେ ଜନ୍ତୁ ଥାଇ । ରବି କିରଣେ ଭୟ ପାଇ ॥୭୬
ଜୀବନ ଦିନୁ ଦିନ କ୍ଷୀଣ । ଦରିଦ୍ର-କୁଟୁମ୍ବ ଯେସନ ॥୭୭
ଗଭୀର ଜଳେ ମୀନ ଥିଲେ । ରବି କିରଣ ନ ଜାଣିଲେ ॥୭୮
ଜଳେ ରମନ୍ତି ତୋଷ ଚିତ୍ତେ । ଅଜ୍ଞାନୀ ଜନଙ୍କର ମତେ ॥୭୯
ଭୂମିରେ ପଙ୍କ ଧୀରେ ଧୀରେ । ଶୁଖିଲେ ଶରଦ ଶିଶିରେ ॥୮୦
ଯେସନେ ଯୋଗଲୟ ପାଇ । ଅଜ୍ଞାନ ଭାବ କ୍ଷୟ ଯାଇ ॥୮୧
ଶରଦ ଋତୁ ଗୁଣ ଭେଦି । ନିଶ୍ଚଳ ହୋଇଲା ବାରିଧି ॥୮୨
ବେଦ-ବେଦାନ୍ତେ ପାଇ ତତ୍ତ୍ୱ । ଯେସନେ ଜ୍ଞାନୀଙ୍କର ଚିତ୍ତ ॥୮୩
କୃଷକେ ମିଳି ଧାନ୍ୟକ୍ଷେତ୍ରେ । ଜଳ ବାନ୍ଧିଲେ ଦୃଢ଼ମତେ ॥୮୪
ଯୋଗୀଏ ପବନର ବଳେ । ଇନ୍ଦ୍ରି ରୁନ୍ଧନ୍ତି ଯେହ୍ନେ କାଳେ ॥୮୫
ଶରଦ-ରବି-ତେଜ ଲାଗି । ଜନ୍ତୁଏ ହୋନ୍ତି ଦୁଃଖଭାଗୀ ॥୮୬
ରଜନୀନାଥ ତାହା ହରି । ଯେହ୍ନେ ଗୋବିନ୍ଦ ବ୍ରଜନାରୀ ॥୮୭
ନିର୍ମଳ ଦିଶେ ଶୂନ୍ୟପଥ । ଗ୍ରହ ନକ୍ଷତ୍ର ନିଶିନାଥ ॥୮୮
ଶବଦ ବ୍ରହ୍ମ ଜାଣି ଯେହ୍ନେ । ସାଧୁ ପୁରୁଷଙ୍କର ମନେ ॥୮୯
ନକ୍ଷତ୍ରଗଣ ମଧ୍ୟେ ଶଶୀ । ଅଖଣ୍ତମଣ୍ତଳ ପ୍ରକାଶି ॥୯୦
ଯାଦବ ଭୋଜବଂଶ ମଧ୍ୟେ । ଗୋବିନ୍ଦ ଯେସନେ ଆନନ୍ଦେ ॥୯୧
ଚନ୍ଦ୍ର କୁମୁଦ ଜଳରାଶି । ପବନ ପ୍ରସରନ୍ତେ ନିଶି ॥୯୨
ଗାଈ ହରିଣୀ ପକ୍ଷୀ ନାରୀ । ଶରଦ ଋତୁ ମଧ୍ୟେ ଚାରି ॥୯୩
ଇଚ୍ଛନ୍ତି ନିଜ ସ୍ୱାମୀ ସଙ୍ଗ । ମାୟାଭିଆଣ ଶିରୀରଙ୍ଗ ॥୯୪
କୁମୁଦ ବିନା ଜଳ ଫୁଲେ । ଆନନ୍ଦ ଦିବାକର ତୁଲେ ॥୯୫
ରାଜାର ତେଜେ ପ୍ରଜା ଯେହ୍ନେ । ଆନନ୍ଦ ହୋନ୍ତି ଚୋର ବିନେ ॥୯୬
ପୁରପାଟଣା ଗ୍ରାମ ଭୂଇଁ । ଚନ୍ଦ୍ର ଉତ୍ସବ ବିରାଜଇ ॥୯୭
କୃଷ୍ଣର ମାୟା ଶସ୍ୟରାଶି । ଦେଖି ମାନବେ ପରଶଂସି ॥୯୮
ଋଷି-ନୃପତି-ବଣିଜାରେ । ପ୍ରବାସ କଲେ ଯେ ଯାହାରେ ॥୯୯
ଆୟୁଷ ଅନ୍ତେ ଯେହ୍ନେ ସିଦ୍ଧେ । କାଳେ ଭୁଞ୍ଜନ୍ତି ବ୍ରହ୍ମପଦେ ॥୧୦୦
ମୁନି କହନ୍ତି ରାଜା ଆଗେ । ବାଳକ ଲୀଳା ରସ ଭାବେ ॥୧୦୧
ଶରଦ କାଳେ ବନଚାରୀ । ରାମ ଗୋପାଳ ନରହରି ॥୧୦୨
ହରି ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରାବୃଟ୍ ଶରଦ୍ ବର୍ଣ୍ଣନଂ ନାମ ଏକବିଂଶୋଽଧ୍ୟାୟଃ ॥
</poem>
==='''ଦ୍ୱାବିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶରଦ କାଳର ସ୍ୱାଭାବେ । ଗୋବିନ୍ଦ ବୃନ୍ଦାବନ ଠାବେ ॥୧
ନଦୀ ପୋଖରୀ ଜଳରାଶି । ସୁଗନ୍ଧ ଫୁଲେ ପରଶଂସି ॥୨
ବନକୁସୁମ ତରୁଡ଼ାଳେ । ଶୁକ କୋକିଳ ଭୃଙ୍ଗମେଳେ ॥୩
ବନଗହନ ଗିରିତଳେ । ଗାଈ ଚରାନ୍ତି ଗୋପବାଳେ ॥୪
ଆନନ୍ଦେ ବେଣୁ ନାଦକରି । ବନେ ବିଜୟ ନରହରି ॥୫
କୃଷ୍ଣ ମୁରଲୀ ନାଦ ଶୁଣି । ଗୋପୀଏ ଏକୁ ଆରେ ଭଣି ॥୬
କୃଷ୍ଣଲୀଳାରେ ଚିତ୍ତ ଦେଇ । ଅନଙ୍ଗରସ ଭାବେ ମୋହି ॥୭
ମନ ନିବେଶି କୃଷ୍ଟ ପାଦେ । ଗୋପୀଏ କହନ୍ତି ଆନନ୍ଦେ ॥୮
ଶୁଣ ଗୋ ସଖୀ କୃଷ୍ଣ କଥା । କାନନେ ଯେମନ୍ତ ବ୍ୟବସ୍ଥା ॥୯
ମୟୂରପୁଚ୍ଛ ଶିରେ ଶୋହେ । ତରୁଣୀଜନ ମନ ମୋହେ ॥୧୦
କର୍ଣ୍ଣେ ଖଞ୍ଜିତ କନିଅର । ସୁନ୍ଦର ସୁରଙ୍ଗ୍ ଅଧର ॥୧୧
ପୀତବସନ କଟୀତଟେ । ଲମ୍ବଇ ବନମାଳା କଣ୍ଠେ ॥୧୨
ବିବିଧ ନଟବେଶ ହୋଇ । ମଧୁରେ ବେଣୁ ନାଦ ବାଇ ॥୧୩
ଆନନ୍ଦେ ଶିଶୁଗଣ ସଙ୍ଗେ । କ୍ରୀଡ଼ନ୍ତି ବୃନ୍ଦାବନ ଲାଗେ ॥୧୪
ମୁରଲୀନାଦ ଶୁଭେ ବନେ । ଭୋ ସଖି ଶୁଣ ସାବଧାନେ ॥୧୫
ଗୋପାଳ ମେଳେ ନନ୍ଦସୁତ । ଗୋରୁ ଚରାନ୍ତି ଗୋପୀନାଥ ॥୧୬
ଚକ୍ଷୁ ବହନ୍ତି ଯେତେ ପ୍ରାଣୀ । କେ ପାରୁ ତା'ଙ୍କ ପୁଣ୍ୟ ଗଣି ॥୧୭
ଗୋପାଳ ମେଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି ॥୧୮
ଚୂତ ପଲ୍ଲବେ ଶିଖିପୁଚ୍ଛ । କଟୀରେ ପୀତ ନୀଳକାଛ ॥୧୯
ହୃଦେ କଦମ୍ବ ପଦ୍ମମାଳ । ରଙ୍ଗ ମୃତ୍ତିକା ଶ୍ରମଝାଳ ॥୨୦
ଗୋପାଳ ମେଳେ ବେନିଭାଇ । କି ପଟାନ୍ତର ଦେବା ସହି ॥୨୧
ରଙ୍ଗସଭାର ତଳେ ସାର । ଯେହ୍ନେ ଯୁଗଳ ନୃତ୍ୟକାର ॥୨୨
ଦେଖ ଗୋ ମୁରଲୀର ଭାଗ୍ୟ । ଅମୃତ ଅଧରେ ସଂଯୋଗ ॥୨୩
ଅନେକ ଜନ୍ମେ ପୁଣ୍ୟ ଦାହି । କୃଷ୍ଣ ଅଧର ପୁଟେ ଥାଇ ॥୨୪
ସବୁ ଖାଇଲା ସୁଧାରସ । ଗୋପୀଙ୍କି ନାହିଁ ଅବଶେଷ ॥୨୫
ଗୋପୀଙ୍କଠାରେ ଗର୍ବ ବହେ । ସୁହୃଦ ସପତଣୀ ପ୍ରାୟେ ॥୨୬
ନଦୀଏ ହୋଇ ସ୍ଥିରଗତି । ବୃକ୍ଷେ ଅଶ୍ରୁଜଳ ସ୍ରବନ୍ତି ॥୨୭
ଭୂମି ଆନନ୍ଦ ବୃନ୍ଦାବନେ । ଗୋବିନ୍ଦ-ପାଦପଦ୍ମ-ଚିହ୍ନେ ॥୨୮
କୃଷ୍ଣ-ମୁରଲୀନାଦ ଚାହିଁ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ ॥୨୯
ମୃଗ ମୟୂର ପଶୁ ଯେତେ । ଗିରିକନ୍ଦରେ ଯୂଥେ ଯୂଥେ ॥୩୦
ଧନ୍ୟ ଏ ହରିଣ ଯୁବତୀ । ବେଣୁ ଶୁଣନ୍ତି କୃଷ୍ଣ କତି ॥୩୧
ଆବୋରି କୃଷ୍ଣ ମୁଖସାର । ନୟନେ ଦ୍ୟନ୍ତି ଉପହାର ॥୩୨
ଦେବକାମିନୀ ଶୂନ୍ୟେ ଥାଇ । ମୁରଲୀ ନାଦେ ମନଦେଇ ॥୩୩
ବଦନ-ନୟନ-ଆନନ୍ଦ । ଶୁଣି ମୋହନ-ବେଣୁନାଦ ॥୩୪
ବିମାନେ ଥାଇ ମୋହମାନ । ଫିଟିଲା କବରୀ-ବସନ ॥୩୫
ଗୋରୁଏ କୃଷ୍ଣ-ଗୀତ ଶୁଣି । ଚଳି ନ ପାରନ୍ତି ଧରଣୀ ॥୩୬
ତୃଣ କବଳ ତୁଣ୍ତେ କରି । ବେଶୁ ଶୁଣନ୍ତି କର୍ଣ୍ଣ ଡେରି ॥୩୭
ବତ୍ସାଏ ସ୍ତନେ ମୁଖ ଦେଇ । ବେଣୁ ଶୁଣନ୍ତି ସ୍ଥିର ହୋଇ ॥୩୮
ପକ୍ଷୀଏ ମୁନିଙ୍କର ତୁଲେ । ଧ୍ୟାନ କରନ୍ତି ବୃକ୍ଷ ଡାଳେ ॥୩୯
ନଦୀଏ ଶୁଣି ବେଣୁଗୀତ । ଅନଙ୍ଗବାଣେ ମୋହଗତ ॥୪୦
ଉର୍ମିର ଛଳେ ଭୁଜ ତୋଳି । କୋଳ କରିବେ ବନମାଳୀ ॥୪୧
କମଳ ଉପହାର ଦେଇ । ପୂଜା କରନ୍ତି ପାଦ ଦୁଇ ॥୪୨
ଇନ୍ଦ୍ର ଯେ ଦେଖୁଥିଲା ରହି । ମୁରଲୀ ନାଦେ ଚିତ୍ତ ଦେଇ ॥୪୩
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ ଶ୍ରମ ଘର୍ମ ଝାଳେ ॥୪୪
ଦଇବେ ଗୋବିନ୍ଦର ମିତ୍ର । ଉପରେ କଲା ମେଘଛତ୍ର ॥୪୫
ଶବରନାରୀମାନେ ଧନ୍ୟ । ଶୁଣ ଗୋ ତାହାଙ୍କର ପୁଣ୍ୟ ॥୪୬
ସ୍ତିରୀଙ୍କ ସ୍ତନ ବିଲେ ପନ । କୁଙ୍କୁମ ଅଗୁରୁ ଚନ୍ଦନ ॥୪୭
କୃଷ୍ଣର ପାଦଯୁଗେ ଥିଲା । କୋମଳ ଘାସେ ଗୋ ଲାଗିଲା ॥୪୮
କୃଷ୍ଣର ଶୁଣି ବେଣୁସ୍ୱନ । ଅନଙ୍ଗେ ହୋଇଲେ ଅଜ୍ଞାନ ॥୪୯
କୁଙ୍କୁମ ତୃଣ ମଧ୍ୟୁଁ ତୋଳି । ସ୍ତନ-ବଦନେ ତାହା ବୋଳି ॥୫୦
ବେଗେ ଛାଡ଼ିଲେ ମନତାପ । ଦେଖନ୍ତି ରାମକୃଷ୍ଣ ରୂପ ॥୫୧
ଦେଖ ଗୋ ଗିରି ଗୋବର୍ଦ୍ଧନ । ପୂର୍ବେ ଅନେକ କଲା ପୁଣ୍ୟ ॥୫୨
ହରି ସେବକ ଶିରୋମଣି । କୋମଳ ତୃଣ କନ୍ଦପାଣି ॥୫୩
ଏ ଉପହାରେ ସେ ଆନନ୍ଦ । ପୂଜିଲା ଗୋବିନ୍ଦର ପାଦ ॥୫୪
ଗୋରୁ-ଗୋପାଳ ଘେନି ସଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ରଙ୍ଗେ ॥୫୫
ପ୍ରାଣୀଙ୍କି କଲେ ବିପରୀତ । ମୋହିତ ହୋଇଲେ ସମସ୍ତ ॥୫୬
ଶୁଣ ରାଜନ ତୋଷଚିତ୍ତେ । ଗୋପୀ କହନ୍ତି ଖେଦମତେ ॥୫୭
କୃଷ୍ଣର ପାଦେ ମନଦେଇ । ଦିନ ହରନ୍ତି ମୁଖ ଚାହିଁ ॥୫୮
ଗୋବିନ୍ଦ ମୁରଲୀର ନାଦ । ଶୁଣନ୍ତେ ଖଣ୍ତଇ ଆପଦ ॥୫୯
ସୁଜନେ ଶୁଣ ବେଣୁଗୀତ । କହଇ ଦାସ ଜଗନ୍ନାଥ ॥୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବେଣୁଗୀତଂ ନାମ ଦ୍ୱାବିଂଶୋଽଧ୍ୟାୟଃ ॥
</poem>
==='''ତ୍ରୟୋବିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ବ୍ୟାସଙ୍କ କୁମର । ଶୁଣ ରାଜନ ରସଭର ॥୧
ଶରଦଋତୁ ପୂର୍ଣ୍ଣ ହେଲା । ହେମନ୍ତ ଋତୁ ପ୍ରସରିଲା ॥୨
କୃଷ୍ଣ-ଆଦେଶେ ଗୋପପୁରୀ । ଯେତେ ଉପୁଜିଲେ କୁମାରୀ ॥୩
କୃଷ୍ଣ ଭଜନ ପୁଣ୍ୟଫଳେ । ରମିଲେ ବୃନ୍ଦାବନ ସ୍ଥଳେ ॥୪
ତୁଲ୍ୟବୟସୀ ନବବେଶେ । ଖେଳନ୍ତି ନାନା ଖେଳରସେ ॥୫
ହେମନ୍ତ ଋତୁ ଦେଖି ବନେ । କଳ୍ପିଲେ ଗଉରୀ ପୂଜନେ ॥୬
ବେଣୁ-ଶବଦେ ଗୀତରସ । ଗୋପୀଏ ହୋଇଲେ ହରଷ ॥୭
ହବିଷ୍ୟ ଭୁଞ୍ଜି ଏକବାରେ । ଦେବୀ ପୂଜନ୍ତି ନଦୀତୀରେ ॥୮
ଅଳପ ରାତ୍ର ଥାଉଁ ନିତ୍ୟେ । ଯମୁନା ଯା'ନ୍ତି ତୋଷଚିତ୍ତେ ॥୯
ସ୍ନାହାନ ସାରି ଶୀତଜଳେ । ବାଲୁକା ସ୍ଥାପି ନଦୀତୀରେ ॥୧୦
ପୂଜନ୍ତି ନାନା ଦ୍ରବ୍ୟଘେନି । ଜୟ ଶବଦେ ଗୀତ ଧ୍ୱନି ॥୧୧
ହର ଗଉରୀ କରି ଧ୍ୟାନ । ମନେ ଚିନ୍ତନ୍ତି ଭଗବାନ ॥୧୨
ପୂଜାର ଅନ୍ତେ ପାଦେ ପଡ଼ି । ଗୁପତେ କରନ୍ତି ଗୁହାରି ॥୧୩
ହେ କାତ୍ୟାୟନି ମହାମାୟି । ପରମ ଯୋଗେଶ୍ୱରୀ ତୁହି ॥୧୪
ଭୋ ମାତ ଶଙ୍କର-ଯୁବତୀ । ନନ୍ଦକୁମର ଦିଅ ପତି ॥୧୫
ଆନ ବରେଣ କାର୍ଯ୍ୟ ନାହିଁ । ପ୍ରସନ୍ନ ହୁଅ ମାତ ତୁହି ॥୧୬
ଷୋଳ ସହସ୍ର ଗୋପନାରୀ । ବର ଇଚ୍ଛିଲେ ନରହରି ॥୧୭
ଏକ ଅରକେ ନ ଜାଣନ୍ତି । ମନେ ବରିଲେ କୃଷ୍ଣେପତି ॥୧୮
ବୋଲନ୍ତି କୃଷ୍ଣ ବର ହେଉ । ତା' ପାଦ ସେବି ଦିନ ଯାଉ ॥୧୯
କୃଷ୍ଣ-ରମଣଭାବ ଆଶେ । ତପ ସାଧିଲେ ଏକମାସେ ॥୨୦
ପ୍ରଭାତୁଁ ଉଠି ଗୋପବାଳୀ । ଆନନ୍ଦେ ଦେଲେ ହୁଳହୁଳି ॥୨୧
ଚାଲନ୍ତି ଯୂଥ ଯୂଥ ହୋଇ । ମଙ୍ଗଳ ନାଦେ ଗୀତ ଗାଇ ॥୨୨
ଏକ ଆରେକ ଭୂଜ କନ୍ଧେ । କୃଷ୍ଣ ଭଜନ୍ତି ଗୀତବନ୍ଧେ ॥୨୩
ବିବିଧ ହାସ୍ୟରସ ଭରେ । ମିଳିଲେ ଯମୁନାର ତୀରେ ॥୨୪
ବସ୍ତ୍ର ପାଲଟି କୂଳେ ଥୋଇ । ଜଳେ ପଶିଲେ ଗୀତଗାଇ ॥୨୫
ଅନନ୍ଦ କେ କରିବ ଅନ୍ତ । ଯାହା ରମିବେ ଗୋପୀନାଥ ॥୨୬
ଏକ ଆରକେ ଜଳ ଫିଙ୍ଗେ । ବୁଡ଼ି ଉଠନ୍ତି ନାନା ରଙ୍ଗେ ॥୨୭
ବୁଡ଼ନ୍ତି ଏକୁ ଆରେ ଧରି । ମୁଖେ ସିଞ୍ଚନ୍ତି ଫୁ ଫୁ କରି ॥୨୮
କରନ୍ତି ହାସ୍ୟ-ପରିହାସ । ଏମନ୍ତେ ଜଳେ ଖେଳରସ ॥୨୯
ଶୁଣ ପରୀକ୍ଷ ନୃପବର । ତାହା ଜାଣିଲେ ଦାମୋଦର ॥୩୦
ଗୋପବାଳକ ଘେନି ସଙ୍ଗେ । ମିଳିଲେ ନଦୀତୀରେ ରଙ୍ଗେ ॥୩୧
କୂଳେ ଦେଖିଲେ ବସ୍ତ୍ରରାଶି । ପବନେ କହନ୍ତି ବିଶ୍ୱାସି ॥୩୨
ଶୁଣ ପବନ ମୋର ବାଣୀ । ବସ୍ତ୍ର ତୁ ଥୁଅ ବୃକ୍ଷେ ଆଣି ॥୩୩
ଗୋବିନ୍ଦ ଆଜ୍ଞା ଘେନି ଶିରେ । ପବନ ବହିଲା ସଧୀରେ ॥୩୪
ତକ୍ଷଣେ ପ୍ରଭୁ ଦାମୋଦର । ଉଠିଲେ କଦମ୍ବ ବୃକ୍ଷର ॥୩୫
ବସ୍ତ୍ର ଯେ ନଦୀତୀରେ ଥଲା । ପବନ ଯୋଗେ ଉଡ଼ିଗଲା ॥୩୬
କଦମ୍ବ ବୃକ୍ଷେ ଯାଇ ପଡ଼ି । ଦେଖି ହସନ୍ତି ନରହରି ॥୩୭
ଗୋପଙ୍କୁ ଚାହିଁ ଆଦିକନ୍ଦ । ବୋଇଲେ ଡାଳେ ବସ୍ତ୍ର ବାନ୍ଧ ॥୩୮
ଆଜ୍ଞା ପାଇଣ ଗୋପପୋଏ । ବୃକ୍ଷରେ ଉଠିଲେ ନିର୍ଭୟେ ॥୩୯
ଗୋପାଳେ ଉଠି ବୃକ୍ଷ ଡାଳେ । ବସ୍ତ୍ର ବାନ୍ଧିଲେ ମାଳେ ମାଳେ ॥୪୦
ବାଳକେ ବୃକ୍ଷ ଡାଳେ ଥାଇ । ନାଚନ୍ତି କରତାଳି ଦେଇ ॥୪୧
ମୁରଲୀ ଧ୍ୱନି ଉଚ୍ଚସ୍ୱର । ମଧ୍ୟେ ବିଜୟ ଦାମୋଦର ॥୪୨
ଗୋପୀଏ ଥିଲେ ଜଳ ମଧ୍ୟେ । କର୍ଣ୍ଣେ ଶୁଣିଲେ ବେଣୁ ନାଦେ ॥୪୩
ସଂଭ୍ରମେ ଛାଡ଼ି ଜଳକେଳି । ବୃକ୍ଷକୁ ଚାହାନ୍ତି ନିରୋଳି ॥୪୪
ବୋଲନ୍ତି ବୃକ୍ଷେ ଏତ କିସ । ଦେଖ ଗୋ ଦଇବ ଭବିଷ୍ୟ ॥୪୫
ଏଠାକୁ କେମନ୍ତେ ଅଇଲା । ବାଳକ ମେଳେ ନନ୍ଦବାଳା ॥୪୬
କେବୋଲେ ଏ ବନେ ନ ଥାଇ । ଆଜ ଅଇଲା କିସ ପାଇଁ ॥୪୭
କେବୋଲେ ଭଲ ତ ହୋଇଲା । ବ୍ରତ ଗୋ ଆଜହୁଁ ସରିଲା ॥୪୮
କେ ବୋଲେ ଦେଖ ବୃକ୍ଷ ଡାଳେ । ଅନେକ ଉଡ଼ଇ ଚିରାଳେ ॥୪୯
କୂଳକୁ ଚାହିଁଣ ବୋଲନ୍ତି । ମରଣ ହୋଇଲା ଏଘାନ୍ତି ॥୫୦
ପାଲଟା ବସ୍ତ୍ର କୂଳେ ନାହିଁ । ଚକିତେ ଚଉଦିଗେ ଚାହିଁ ॥୫୧
ବୋଲନ୍ତି ବସ୍ତ୍ର କେଣେ ଗଲା । ଏଡ଼େ ଗୋ ପବନ ବହିଲା ॥୫୨
ଉଡ଼ି କେବଣ ଦିଗେ ଗଲା । ଲଜ୍ଜା ତ ମରଣୁଁ ବଳିଲା ॥୫୩
କିସ କରିବୁ ଆଜ ଜଳେ । କନ୍ୟାଏ ଭାଳନ୍ତି ବିକଳେ ॥୫୪
ଦାସବତ୍ସଳ ଭାବଗ୍ରାହୀ । କହନ୍ତି ଗୋପୀଙ୍କୁ ଅନାଇ ॥୫୫
ବସ୍ତ୍ର ଗୋ ବନେ ପଡ଼ିଥିଲା । ପବନ ଉଡ଼ାଇ ଆଣିଲା ॥୫୬
ରୁଣ୍ତାଇ ବସ୍ତ୍ର ଆମ୍ଭେ ଆଣି । ବୃକ୍ଷେ ବାନ୍ଧିଲୁ ଏହିକ୍ଷଣି ॥୫୭
ଏ ଯେବେ ତୁମ୍ଭର ହୋଇଲା । ଆମ୍ଭର ଯଶ ଉପୁଜିଲା ॥୫୮
ଯେ ଯାହା ବସ୍ତ୍ର ଆସି ନିଅ । ଶୀତଳ ଜଳେ ଗୋ ନ ଥାଅ ॥୫୯
ଶୁଣି ଚକିତ ଗୋପବାଳୀ । ବୋଲନ୍ତି ପଡ଼ିଲୁ ପଞ୍ଚାଳି ॥୬୦
ଏକ ଆରକେ ମୁଖ ଚାହିଁ । ବୋଲନ୍ତି ଗାଲେ ହସ୍ତ ଦେଇ ॥୬୧
କେମନ୍ତେ ଉପେକ୍ଷିବା ଲାଜ । ମରଣୁଁ ବଳିଲା ତ ଆଜ ॥୬୨
ଶ୍ରୀକୃଷ୍ଣ ମୁଖକୁ ଅନାଇ । ବୋଲନ୍ତି କୋପଭର ହୋଇ ॥୬୩
ତୁ ଅଟୁ ଯଶୋଦା କୁମର । ପିଅର ନନ୍ଦ ମହାଖୁଡ଼ ॥୬୪
ଜାଣିଲୁ ତୋର ବଡ଼ପଣ । ଆମ୍ଭର ବସ୍ତ୍ର ବେଗେ ଆଣ ॥୬୫
ପକାଇ ଦିଅ ବେଗେ କାଢ଼ି । ବୃକ୍ଷୁ ପାଲଟା ଆମ୍ଭ ଶାଢ଼ୀ ॥୬୬
ଏଡ଼େ ନିର୍ଲ୍ଲଜପଣ ତୋ'ର । କେବେ ଶିଖିଲୁ ବେଣୁଧର ॥୬୭
ଶୁଣି ବୋଲନ୍ତି ଦାମୋଦର । ଏ ବଡ଼ ଅନୀତି ତୁମ୍ଭର ॥୬୮
ଯେ ପ୍ରାଣୀ ପରଉପକାରୀ । ତାହାକୁ ପଥେ ନେଇ ମାରି ॥୬୯
ପବନ ନେଉଥିଲା ବଳେ । ଆଣି ବାନ୍ଧିଲି ବୃକ୍ଷଡାଳେ ॥୭୦
ତହିଁର ଫଳ ମୁଁ ପାଇଲି । ତୁମ୍ଭଙ୍କୁ ବସ୍ତ୍ର ଯେ ଯାଚିଲି ॥୭୧
ମୁଁ ତ ନ କଲି ପରିହାସ । ତୁମ୍ଭେତ ମୋହର ବିଶ୍ୱାସ ॥୭୨
ଏବେ ଗୋ ବସ୍ତ୍ର ଆସି ନିଅ । ନ ଜାଣି କେତେ ଗାଳି ଦିଅ ॥୭୩
ମୋହର ଦେହେ ମିଥ୍ୟା ନାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥୭୪
ଶୁଣି ସାନନ୍ଦମନ ହୋଇ । ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ ॥୭୫
ତୁ କୃଷ୍ଣ ଗୋପପୁର ସାର । ବନ୍ଧୁବାନ୍ଧବ ଆମ୍ଭେ ତୋର ॥୭୬
ବସ୍ତ୍ର ପକାଇ ଦିଅ ତଳେ । ପଡ଼ୁଛୁ ତୋର ପାଦତଳେ ॥୭୭
ଶ୍ୟାମସୁନ୍ଦର ତୋ ଚରଣେ । ସେବା କରିବୁ ଦାସୀପଣେ ॥୭୮
ତୁ ଯେବେ ନ ଦେବୁ ପକାଇ । କହିବୁ କଂସ ଆଗେ ଯାଇ ॥୭୯
ଶୁଣି ବୋଲନ୍ତି ଚକ୍ରଧର । ତୁମେ ହୋ ଦାସୀ ଯେବେ ମୋର ॥୮୦
ତେବେ କରିବ ମୋ' ଉତ୍ତର । ନ ଜାଣି କିମ୍ବା କୋପ କର ॥୮୧
ଯେ ଯାହା ବସ୍ତ୍ର ବାଛି ନିଅ । ନ ଦେଲେ ରାଜା ଆଗେ କହ ॥୮୨
କଂସକୁ କିସ ମୋର ଡ଼ର । ସୋଦର ମଉଳା ମୋହର ॥୮୩
ତାହାକୁ ମୋର ଭୟ ନାହିଁ । ଅନ୍ୟାୟ ନ କଲି ନା ମୁହିଁ ॥୮୪
ବସ୍ତ୍ର ପବନ ନେଉଥିଲା । ଆଣିବା ଦୋଷ ମୋ' ହୋଇଲା ॥୮୫
ଏ କଥା ତୁମ୍ଭଙ୍କୁ ଯୋଗାଇ । ଧର୍ମ ହିଁ ଅଛଇ ଅନାଇ ॥୮୬
ତୁମ୍ଭେ ଅଧର୍ମେ ଯିବ ନାଶ । ରାଜା କରିବ ମୋର କିସ ॥୮୭
କୃଷ୍ଣ ମୋହନ କଥା ଶୁଣି । ଗୋପୀଏ ମନେ ମନେ ଗୁଣି ॥୮୮
କଣ୍ଠ-ପ୍ରମାଣ ଜଳେ ଥାଇ । କମ୍ପନ୍ତି କୃଷ୍ଣ ମୁଖ ଚାହିଁ ॥୮୯
ହରିଙ୍କୁ ଜିଣି ନ ପାରିଲେ । ନିର୍ଭୟେ ଲାଜ ଉପେକ୍ଷିଲେ ॥୯୦
ଯୋନି ଆଚ୍ଛାଦି ବାମକରେ । ତୀରେ ଉଠିଲେ ଲାଜଭରେ ॥୯୧
ଦୟାସାଗର ଭାବଗ୍ରାହୀ । ବୃକ୍ଷର ଡାଳୁ ବସ୍ତ୍ର ଫେଇ ॥୯୨
ପାଲଟାବସ୍ତ୍ର ଘେନି କନ୍ଧେ । ବୃକ୍ଷରୁ ଓହ୍ଲାଇ ଆନନ୍ଦେ ॥୯୩
ଗୋପୀଙ୍କ ଶୁଦ୍ଧଭାବ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥୯୪
ଏ ନୁହେଁ ତୁମ୍ଭର ଉଚିତ । ବିଶେଷ କରିଅଛ ବ୍ରତ ॥୯୫
ବିବସ୍ତ୍ର ହୋଇ ଦିଅଁ ଆଗେ । ତୀରେ ଉଠିଲ ଆସି ବେଗେ ॥୯୬
ଏ ବଡ଼ ଅପରାଧ ହୋଇ । ନରକେ ପଡ଼ିବଟି ଯାଇ ॥୯୭
ଏ ଦୋଷ ନ ଥାଉ ତୁମ୍ଭର । ଦେବତା କର ନମସ୍କାର ॥୯୮
ହସି ବୋଲନ୍ତେ ବନମାଳୀ । ଶୁଣି ଚକିତ ଗୋପବାଳୀ ॥୯୯
କପାଳେ ଦେଇ ଏକ କର । ଦେବତା କଲେ ନମସ୍କାର ॥୧୦୦
ଦେଖି ବୋଲନ୍ତି ଯଦୁପତି । ଶୁଣ ଗୋ ବରଜ ଯୁବତୀ ॥୧୦୧
ଏକ ହସ୍ତକେ ନମସ୍କାର । ଏ ତୁମ୍ଭ କେବଣ ଆଚାର ॥୧୦୨
ଶାସ୍ତ୍ର ଶୁଣିଲା ତୁମ୍ଭ ନାହିଁ । ମୁଁ ତାହା ଅଳପ ଜାଣଇ ॥୧୦୩
ଶୁଣ ଗୋ ନାରୀ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ ॥୧୦୪
ଯେ ଦେବ ଗୁରୁ ଏକକରେ । ନମନ୍ତି ଅଜ୍ଞାନବେଭାରେ ॥୧୦୫
ତାହାର ଛେଦି ଯେବେ କର । ସେ ଅପରାଧୁଁ ହୋଇପାର ॥୧୦୬
ନୋହିଲେ ଯେତେ ଜନ୍ମ ହୋଇ । କରଯୁଗଳ ତା ନ ଥାଇ ॥୧୦୭
ଶୁଣି କୁମାରୀ ରସଭର । କପାଳେ ଦେଲେ ବେନିକର ॥୧୦୮
ହୃଦୟେ ଲାଜ ଭୟ ନାହିଁ । ଦେଖି ସାନନ୍ଦ ଭାବଗ୍ରାହୀ ॥୧୦୯
ନିର୍ମଳଚିତ୍ତ ତାହାଙ୍କର । ଜାଣିଲେ ବ୍ରହ୍ମାଣ୍ତଠାକୁର ॥୧୧୦
ଗୋପୀଙ୍କ ଭାବେ ତୋଷହୋଇ । ଯେ ଯାହା ବସ୍ତ୍ର ଦେଲେ ନେଇ ॥୧୧୧
ଗୋପୀଏ ପିନ୍ଧି ଯେଝା ବାସ । ମନସାନନ୍ଦେ ହସହସ ॥୧୧୨
ଦେବତା ପୂଜାର ବିଧାନେ । କୃଷ୍ଣଙ୍କୁ ବରିଛନ୍ତି ମନେ ॥୧୧୩
ଲାଜେ ରହିଲେ ଶିରପୋତି । କୃଷ୍ଣଙ୍କୁ ଚାହିଁ ନ ପାରନ୍ତି ॥୧୧୪
କୃଷ୍ଣ ଜାଣିଲେ ତା'ଙ୍କ ମନ । ଗୋପୀଙ୍କି ହୋଇ ସାବଧାନ ॥୧୧୫
ହସି କହନ୍ତି ଜନାର୍ଦ୍ଦନ । ମୁହିଁ ଜାଣଇଁ ତୁମ୍ଭ ମନ ॥୧୧୬
ଯାହା ମାଗିଲ ଦିଅଁ ପୂଜି । ସେ କଥା ଅଛଇ ମୁଁ ହେଜି ॥୧୧୭
ମୁହିଁ କରିବି ତାହା ସତ୍ୟ । ବୋଲନ୍ତି ପ୍ରଭୁ ଗୋପୀନାଥ ॥୧୧୮
ମୋର ଚରଣେ ଯା'ର ଚିତ୍ତ । ପୁଣି ବିଷୟେ ହେଲେ ରତ ॥୧୧୯
ଜନ୍ମ-ମରଣ ତା'ର ନାହିଁ । ଭାଜିଲାଧାନ ପ୍ରାୟ ହୋଇ ॥୧୨୦
ଏ ବୃନ୍ଦାବନେ ଗୁପ୍ତେ ଥାଇ । ତୁମ୍ଭଙ୍କୁ ରମିବଇଁ ମୁହିଁ ॥୧୨୧
ସଂକଳ୍ପ କଲ ବ୍ରତ କରି । ହସି ବୋଲନ୍ତି ନରହରି ॥୧୨୨
ଏମନ୍ତେ କୃଷ୍ଣଆଜ୍ଞା ପାଇ । ଗୋପୀଏ ଗଲେ ତୋଷ ହୋଇ ॥୧୨୩
ଗୋବିନ୍ଦପାଦେ ଚିତ୍ତ ଥୋଇ । ମିଳିଲେ ନିଜ ପୁରେ ଯାଇ ॥୧୨୪
ଗୋପାଳ ମେଳେ ଦାମୋଦର । ଗାଈ ଚରାଇ ଗଲେ ଦୂର ॥୧୨୫
ନିଦାଘ ରବିତେଜ ଲାଗି । ପୋଏ ହୋଇଲେ ଦୁଃଖଭାଗୀ ॥୧୨୬
ଚରାନ୍ତି ଗୋରୁ ଗୋପମେଳେ । ଶୀତଳ ତରୁଛାୟା ତଳେ ॥୧୨୭
ବୃକ୍ଷକୁ ଚାହିଁ ଦାମୋଦର । କହନ୍ତି ପୁଅଙ୍କ ଆଗର ॥୧୨୮
ହେ ସ୍ତୋକକୃଷ୍ଣ ମିତ୍ର ମୋର । ଶ୍ରୀଦାମ ଅର୍ଜୁନ ସୁବଳ ॥୧୨୯
ଅଂଶୁ ବିଶାଳ ଦେବପ୍ରସ୍ଥ । ଦେଖ ଏ ବୃକ୍ଷଙ୍କ ମହତ୍ତ୍ୱ ॥୧୩୦
ପରେ କରନ୍ତି ଉପକାର । ସୁଜନ ପ୍ରାଣୀଙ୍କ ବେଭାର ॥୧୩୧
ଶୀତ ବରଷା ଗ୍ରୀଷ୍ମ ଦୁଃଖ । ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ ॥୧୩୨
ଧନ୍ୟ ଜୀବନ ଏହାଙ୍କର । ସାଧନ୍ତି ପ୍ରାଣୀ ଉପକାର ॥୧୩୩
ସୁଜନ ଘରେ ଯେହ୍ନେ ଯାଇ । ଅତିଥି ନିରାଶ ନୁହଇ ॥୧୩୪
ପତ୍ର କୁସୁମ ଫଳ ଛାଇ । ମୂଳ ବକଳ ଦାରୁ ଦେଇ ॥୧୩୫
କ୍ଷାର ଅଙ୍ଗାର ଭସ୍ମ ଅଠା । ଗୃହକୁ ସାଜି ବାଡ଼ କଣ୍ଟା ॥୧୩୬
ଏତେ ପ୍ରକାରେ ସେବା କରି । ନିତ୍ୟେ ଏ ପରଉପକାରୀ ॥୧୩୭
ଏହାଙ୍କ ପ୍ରାୟେ ଯେବେ ହୋଇ । ସଂସାର ମଧ୍ୟେ ଦେହ ବହି ॥୧୩୮
ମନ-ବଚନ-ଧନେ କରି । ଯେ ହୋଏ ପର-ଉପକାରୀ ॥୧୩୯
ଦିନ ହରନ୍ତି ଦୁଃଖ ସୁଖେ । ସେ ଧନ୍ୟ ଇହପରଲୋକେ ॥୧୪୦
ପୁଷ୍ପ-ପଲ୍ଲବ-ଫଳ-ଦଳେ । ତରୁର ଲମ୍ବ ଡ଼ାଳ ତଳେ ॥୧୪୧
ଗୋରୁ ଗୋପାଳ ଘେନି ସଙ୍ଗେ । ମିଳିଲେ ଯମୁନାର ଲାଗେ ॥୧୪୨
ଶୀତଳ ଜଳ ପାନକରି । ବୃକ୍ଷର ତଳେ ନରହରି ॥୧୪୩
କୃଷ୍ଣଙ୍କୁ ଚାହିଁ ଗୋପବାଳେ । କହନ୍ତି କ୍ଷୁଧାର ଆକୁଳେ ॥୧୪୪
ସେ ରାମ କୃଷ୍ଣର ଅଗ୍ରତ । ନମଇଁ ଦାସ ଜଗନ୍ନାଥ ॥୧୪୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧ ପୂର୍ବାର୍ଦ୍ଧେ ଗୋପୀବସ୍ତ୍ରାପହାରୋ ନାମ ତ୍ରୟୋବିଂଶୋଽଧ୍ୟାୟଃ ॥
</poem>
==='''ଚତୁର୍ବିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ପରୀକ୍ଷେ ଚାହିଁ ଶୁକମୁନି । କହନ୍ତି କୃଷ୍ଣଭାବ ଘେନି ॥୧
ବାଳକେ କୃଷ୍ଣକୁ ଅନାଇଁ । ବୋଲନ୍ତି ଶିରେ କରଦେଇ ॥୨
ହେ ରାମକୃଷ୍ଣ କର ତ୍ରାହି । କ୍ଷୁଧାରେ କମ୍ପୁଅଛି ଦେହୀ ॥୩
ଆଣିତ ନ ପାରିଲୁ ଅନ୍ନ । ରାତ୍ରହୁଁ କଲ ବେଣୁସ୍ୱନ ॥୪
ଘର ହୋଇଲା ଦୂରପଥ । ଆଜ ତ ହୋଇଲୁ ଅନାଥ ॥୫
ବାଳକ ବୋଲ ଶୁଣି କର୍ଣ୍ଣେ । ଗୋବିନ୍ଦ ବିଚାରନ୍ତି ମନେ ॥୬
ଅନେକ ଜନ୍ମେ ଦୁଃଖ ସହି । ବ୍ରାହ୍ମଣୀଛନ୍ତି ମୋତେ ଧ୍ୟାୟି ॥୭
ତାହାଙ୍କୁ ନିସ୍ତାରିବି ଆଜ । ଏଣେ ମୋହର ବଡ଼କାର୍ଯ୍ୟ ॥୮
ପୁଅଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥୯
ଏ ଯେ ଦିଶଇ ଧୂମବର୍ଣ୍ଣ । ନିକଟେ ଅଶୋକ-ବିପିନ ॥୧୦
ଯଜ୍ଞ କରନ୍ତି ବିପ୍ରେ ଯହିଁ । ତହିଁକି ଯାଅ ବେଗ ହୋଇ ॥୧୧
ବିଚାରି ବେଦ-ବ୍ରହ୍ମଦୀକ୍ଷା । ଯଜ୍ଞେ କରନ୍ତି ସ୍ୱର୍ଗ ଇଚ୍ଛା ॥୧୨
ଧନ-ବସନ-ଅନ୍ନ ଭୋଜା । ଅତିଥି କରୁଥାନ୍ତି ପୂଜା ॥୧୩
ଅତିଥିମତେ ତୁମ୍ଭେ ଯାଅ । ମୋର ମାଗିଲା ବୋଲି କହ ॥୧୪
ରାମ ଅଛନ୍ତି କୃଷ୍ଣ ସଙ୍ଗେ । ଅନ୍ନପୁଡ଼ାଏ ଦିଅ ବେଗେ ॥୧୫
ଶୁଣି ସାନନ୍ଦମନ ହୋଇ । ଯଜ୍ଞେ ମିଳିଲେ ପୋଏ ଯାଇ ॥୧୬
କପୋଳେ ଦେଇ ବେନିକର । ନ ମିଲେ ବିପ୍ରଙ୍କ ପୟର ॥୧୭
ଉଠିଲେ ଶିରେ କର ଦେଇ । କହନ୍ତି ବିପ୍ରଙ୍କୁ ଅନାଇଁ ॥୧୮
ଶୁଣିମା ସାବଧାନ ହୋଇ । ବନେ ବିଜୟ ବେନିଭାଇ ॥୧୯
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ କ୍ଷୁଧାର ବିକଳେ ॥୨୦
ଅଶୋକ ବୃକ୍ଷତଳେ ରହି । ଆମ୍ଭଙ୍କୁ ଦେଲେ ପଠିଆଇ ॥୨୧
ଅନ୍ନପୁଡ଼ାଏ ସ୍ୱାମୀ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥୨୨
ଘରୁ ଆଣନ୍ତି ପ୍ରତିଦିନେ । ବନେ ଭୁଞ୍ଜନ୍ତି ତୋଷମନେ ॥୨୩
ରାତ୍ର ହିଁ ବନେ ଆଗସରି । ଅନ୍ନ ଯେ ଅଇଲୁ ପାସୋରି ॥୨୪
ଏଠାକୁ ଦୂର ଗୋପପୁର । କ୍ଷୁଧାଏ କମ୍ପଇ ଶରୀର ॥୨୫
ଆମ୍ଭଙ୍କୁ ରାଇ କୃଷ୍ଣ ପେଷି । ଅଛନ୍ତି ବୃକ୍ଷତଳେ ବସି ॥୨୬
ତାହାଙ୍କୁ ଯେବେ କର ସ୍ନେହ । ଅନ୍ନପୁଡ଼ାଏ ବେଗେ ଦିଅ ॥୨୭
ଯଜ୍ଞର ସ୍ୱଭାବ ଏମନ୍ତ । ଅତିଥି ପୂଜିବା ଯୁକତ ॥୨୮
ବ୍ରାହ୍ମଣେ ଶୁଣି ନ ଶୁଣିଲେ । ମନଚଞ୍ଚଳେ ଯଜ୍ଞ କଲେ ॥୨୯
ହରିର ମାୟାଚକ୍ରେ ପଡ଼ି । ଅଳପକର୍ମେ ପୁଣ୍ୟ ଲୋଡ଼ି ॥୩୦
ମନ ବୁଡ଼ାଇଛନ୍ତି ଯଜ୍ଞେ । ବ୍ରାହ୍ମଣ ଜନ୍ମର ସ୍ୱଭାବେ ॥୩୧
ଯେ ହରି ଦେଶକାଳ ପାତ୍ର । ଯଜ୍ଞାଦିଧର୍ମର ଦୈବତ ॥୩୨
ଯଜ୍ଞଭୋକତା ଆଦି କରି । ସର୍ବସମ୍ପଦ ନରହରି ॥୩୩
ପରମବ୍ରହ୍ମ ନ ଚିହ୍ନିଲେ । ମନୁଷ୍ୟବୁଦ୍ଧି ଆଚରିଲେ ॥୩୪
ଦେବା ନ ଦେବା ନ ବୋଇଲେ । ଗୋପାଳେ ନିରାଶ ହୋଇଲେ ॥୩୫
ଘଡ଼ିଏ ଥାଇ ଦୁଃଖସୁଖେ । ପୁଣି ମିଳିଲେ କୃଷ୍ଣପାଖେ ॥୩୬
ବୋଲନ୍ତି ଶିରେ କରଦେଇ । ଅନ୍ନ ମାଗିଲୁ ଆମ୍ଭେ ଯାଇ ॥୩୭
ତୋକଥା ଶୁଣି ନ ଶୁଣିଲେ । ଦେବା ନ ଦେବା ନ ବୋଇଲେ ॥୩୮
ଆମ୍ଭେ ଅଇଲୁ ଦୁଃଖପାଇ । ଶୁଣି ହସନ୍ତି ବେନିଭାଇ ॥୩୯
ବୋଲନ୍ତି ଶୁଣ ଗୋପପୋଏ । ଯାଅ ବ୍ରାହ୍ମଣଘର ଯାଏ ॥୪୦
ବ୍ରାହ୍ମଣୀମାନେ ଛନ୍ତି ଘରେ । ସେ ମୋତେ ଜାଣନ୍ତି ଅନ୍ତରେ ॥୪୧
ମୋ ଭାବ ନିତ୍ୟେ ସେ ଚିନ୍ତନ୍ତି । ମୋହର ଦର୍ଶନ ଇଚ୍ଛନ୍ତି ॥୪୨
ତାହାଙ୍କୁ ଅନ୍ନ ମାଗ ଯାଇ । ଭୁଞ୍ଜିବା ଉଦର ପୂରାଇ ॥୪୩
ବାଳକେ ଦୟା ସେ କରନ୍ତି । ଅତିଥି ଧର୍ମମତେ ଥାନ୍ତି ॥୪୪
ନାନାବ୍ୟଞ୍ଜନ ଆଣି ଦେବେ । ବେଗେ ବାହୁଡ଼ିଯାଅ ଏବେ ॥୪୫
ଗୋବିନ୍ଦ ଆଜ୍ଞା ଘେନି ଶିରେ । ପୋଏ ଚଳିଲେ ବିପ୍ରଘରେ ॥୪୬
ବ୍ରାହ୍ମଣୀମାନେ ଛନ୍ତି ବସି । ଅଳକ ତିଳକ ପ୍ରକାଶି ॥୪୭
ସ୍ତିରୀ ସ୍ୱଭାବେ ଅଳଙ୍କାର । ମଙ୍ଗଳନାଦେ ଗୀତସ୍ୱର ॥୪୮
କୃଷ୍ଣରନାମ ତୁଣ୍ତେ ଗାଇ । ପୋଏ ମିଳିଲେ ଘରେ ଯାଇ ॥୪୯
ଚରଣେ ଗଡ଼ଘାଲି ଶୋଇ । ବୋଲନ୍ତି ଶିରେ କରଦେଇ ॥୫୦
ଶୁଣିମା ସାବଧାନେ ମାଏ । ଆମ୍ଭେ ସକଳ ଗୋପପୋଏ ॥୫୧
ରାମ-ଗୋବିନ୍ଦ ଆମ୍ଭ ତୁଲେ । ବନରେ ଗାଈ ରଖିଥିଲେ ॥୫୨
କ୍ଷୁଧା-ଅନଳେ ଦୁଃଖଶ୍ରମେ । ବିଜୟ ଅଶୋକ ବିପିନେ ॥୫୩
ଆମ୍ଭଙ୍କୁ ରାଇ ବେନିଭାଇ । ଏଥକୁ ଦେଲେ ପଠିଆଇ ॥୫୪
ଅନ୍ନପୁଡ଼ାଏ ମାଏ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥୫୫
ବହନ ଦିଅ ମାଏ ଅନ୍ନ । ତେବେ ସେ ପାଇବେ ଜୀବନ ॥୫୬
ଆମ୍ଭର ଦେଖୁଅଛ ଦେହ । ଦେବା ନ ଦେବା ବେଗେ କହ ॥୫୭
ଶୁଣି ଉଷତ ବିପ୍ରନାରୀ । ସକଳ ଚରଚା ପାସୋରି ॥୫୮
ଆନନ୍ଦେ ପୁଲକିତ ହୋଇ । ନୟନୁ ଅଶ୍ରୁଜଳ ବହି ॥୫୯
କୃଷ୍ଣର ନାମ ଜପୁଛନ୍ତି । ଫିଟିଲା ଭବବନ୍ଧ-ଭ୍ରାନ୍ତି ॥୬୦
ତକ୍ଷଣେ ଶୁଚିମନ୍ତ ହୋଇ । ଘରେ ପଶିଲେ ବେଗେ ଯାଇ ॥୬୧
ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଆନନ୍ଦେ ବାଢ଼ିଲେ ବିଶେଷେ ॥୬୨
ବିବିଧପାତ୍ରେ ଅନ୍ନ ଘେନି । ବାହାର ହୋଇଲେ କାମିନୀ ॥୬୩
ଆନନ୍ଦେ ଦେଲେ ହୁଳହୁଳି । ଯେସନେ ସମୁଦ୍ର ଉଛୁଳି ॥୬୪
ସମ୍ପଦ ତୁଚ୍ଛପ୍ରାୟ କରି । ଏକ ଆରକେ ଆଗସରି ॥୬୫
ବିପ୍ରେ ଯେ ଯଜ୍ଞଶାଳ ଥିଲେ । ଗୋଡ଼ାଇ ଆଗେ ଓଗାଳିଲେ ॥୬୬
ବୋଲନ୍ତି କୋପଭର ହୋଇ । ତୁମ୍ଭଙ୍କୁ କେହୁ କଲାବାଇ ॥୬୭
ଗୋପାଳେ ବନେ ବେଣୁବାଇ । ବୁଲନ୍ତି ଗାଈଙ୍କି ଚରାଇ ॥୬୮
ତା'ଙ୍କ ନିକଟେ ତୁମ୍ଭେ ଗଲେ । ଆଉ କି ଥିବ ଜାତି-କୁଳେ ॥୬୯
ଭଲେ ବାହୁଡ଼ିଯାଅ ଘର । ଗଉଡ଼େ ବନେ ବଳୀୟାର ॥୭୦
ବ୍ରାହ୍ମଣୀ ନ ଶୁଣିଲେ ତାହା । କୃଷ୍ଣରେ ବଳିଛି ଉତ୍ସାହା ॥୭୧
ଗହଳେ ଗଲେ ପେଲା ପେଲି । ସ୍ୱାମୀଙ୍କି ପକାଇଲେ ଠେଲି ॥୭୨
ସମୁଦ୍ରେ ଆସନ୍ତେ ଲହରୀ । ତା' ବାଲିବନ୍ଧ କି ଆବୋରି ॥୭୩
କୃଷ୍ଣ ଭକ୍ତିରେ ବଳବନ୍ତା । ତେଣୁ ସେ ସ୍ୱାମୀଙ୍କି ଜିଣନ୍ତା ॥୭୪
ବ୍ରାହ୍ମଣେ ଧରି ନ ପାରିଲେ । ଯଜ୍ଞଶାଳକୁ ବାହୁଡ଼ିଲେ ॥୭୫
ଏକ ବ୍ରାହ୍ମଣୀ କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥୭୬
ଦରିଦ୍ରପଣେ ଦୁଃଖ ପାଇ । ଅନ୍ନ-ବସନ ନ ମିଳଇ ॥୭୭
କୃଷ୍ଣହୁଁ ନ ଜାଣଇ ଆନ । ମନ-ବଚନେ ନିତ୍ୟେ ଧ୍ୟାନ ॥୭୮
ଅନେକ ଜନ୍ମେ ଦୁଃଖ ପାଇ । ତାହା ଜାଣନ୍ତି ଭାବଗ୍ରାହୀ ॥୭୯
ତାହାର ସ୍ୱାମୀ ଧରି କରେ । ନେଇ ବାନ୍ଧିଲା ନିଜ ଘରେ ॥୮୦
ମାଡ଼ ମାଇଲା ରୋଷଭରେ । ରୋଳେ ବାନ୍ଧିଲା ଧାତିକାରେ ॥୮୧
ଦ୍ୱାର କବାଟ ଆଣ୍ଟେ କିଳି । ଯଜ୍ଞଶାଳାରେ ଯାଇ ମିଳି ॥୮୨
ବ୍ରାହ୍ମଣୀ ହୋଇଲା ମୂର୍ଚ୍ଛିତ । କୃଷ୍ଣଚରଣେ ଦେଇ ଚିତ୍ତ ॥୮୩
ପୁଣି କ୍ଷଣକେ ଜ୍ଞାନ ପାଇ । ବୋଲଇ କାନ୍ଦି କୃଷ୍ଣ ତ୍ରାହି ॥୮୪
ଗଲେ ଯେ ବିପ୍ରନାରୀମାନେ । ମିଳିଲେ ଅଶୋକ-ବିିପିନେ ॥୮୫
ବୃକ୍ଷର ତଳେ ଗୋପମେଳେ । କୃଷ୍ଣ ଦେଖିଲେ ଚର୍ମଡ଼ୋଳେ ॥୮୬
ଶ୍ୟମସୁନ୍ଦର ତନୁ ବର୍ଣ୍ଣ । ପୀତବସନ ଶୋଭାବନ ॥୮୭
କଙ୍କଣ କୁଣ୍ତଳ ବିରାଜେ । ତେଜେ କୋଟିଏ କାମଗଞ୍ଜେ ॥୮୮
ରଙ୍ଗମୃତ୍ତିକା ଅଙ୍ଗେ ବୋଲି । ମୟୂରପୁଚ୍ଛ ଗୁଞ୍ଜମାଳୀ ॥୮୯
ଆମ୍ବବଉଳ ଜାମୁଡ଼ାଳ । ହୃଦେ ଲମ୍ବଇ ବନମାଳ ॥୯୦
ପାଦେ କଠାଉ ରଙ୍ଗସାର । ଶ୍ରୀଦାମ କନ୍ଧେ ବାମକର ॥୯୧
ଦକ୍ଷିଣ କରେ ପଦ୍ମଘେନି । ଧୀରେ ଘୂରାନ୍ତି ଅନ୍ତର୍ଯ୍ୟାମି ॥୯୨
କର୍ଣ୍ଣରେ ନୀଳ ଉତପଳ । ସୁନ୍ଦର ଅଳକା କପୋଳ ॥୯୩
ଯେସନେ ନଟବର ବେଶ । ରଙ୍ଗ ଅଧରେ ମନ୍ଦହାସ ॥୯୪
ଈଷିତ ହାସ୍ୟମୁଖ ହୋଇ । ବ୍ରାହ୍ମଣୀମାନଙ୍କୁ ଅନାଇଁ ॥୯୫
ବ୍ରାହ୍ମଣନାରୀ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥୯୬
ଦେହ ତିନ୍ତିଲା ଅଶ୍ରୁଜଳେ । ଅନ୍ନ ଥୋଇଲେ କାଖୁଁ ତଳେ ॥୯୭
ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥୯୮
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ହୁଅନ୍ତି ଉଦ୍ବେଗ ॥୯୯
ବୋଲନ୍ତି କରିବା ଗୋ କୋଳ । ଜୀବନ ହୋଇବ ସୁଫଳ ॥୧୦୦
କେ ବୋଲେ ଏମନ୍ତ ନୁହଁଇ । ବ୍ରାହ୍ମଣେ ନ ଦେବେଟି ଯାଇ ॥୧୦୧
ପରପୁରୁଷ କୋଳ କଲେ । ବିପ୍ରେ ଦଣ୍ତିବେ ଘରେ ଗଲେ ॥୧୦୨
ଏମନ୍ତ ବିଚାରନ୍ତି ରହି । କୃଷ୍ଣବଦନେ ଚକ୍ଷୁ ଦେଇ ॥୧୦୩
କଣ୍ଠ-କୁଣ୍ଠିତ ରସଭର । ଅଧର କମ୍ପେ ଥରହର ॥୧୦୪
ପୁଣ ପୁଲକଭରେ କୁଚ । ଜାନୁ କମ୍ପଇ ଘନଘଞ୍ଚ ॥୧୦୫
ପଡ଼ିଲେ ପଞ୍ଚଶରେ ଘାରି । କୃଷ୍ଣଙ୍କୁ ଦେଖି ବିପ୍ରନାରୀ ॥୧୦୬
ଆତ୍ମା ହୋଇଲା ମୋହଗତ । ପଞ୍ଚପରାଣ କଣ୍ଠାଗ୍ରତ ॥୧୦୭
ଚକ୍ଷୁ ବୁଜିଲେ ଭାବଭରେ । କୃଷ୍ଣଙ୍କୁ ଦେଖିଲେ ଭିତରେ ॥୧୦୮
ହୃଦୟେ ଦେଖି ନାରାୟଣ । ନିବିଡ଼େ କଲେ ଆଲିଙ୍ଗନ ॥୧୦୯
ତାପ ଛାଡ଼ିଲେ ବିପ୍ରନାରୀ । ଜନ୍ମମରଣ ଆଦିକରି ॥୧୧୦
ଯେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇ । ବିଷୟଖେଦ ନ ଲାଗଇ ॥୧୧୧
ଜ୍ଞାନକୁ ପାଇ ଦିନେ ଦିନେ । ତାପ ଛାଡ଼ନ୍ତି ଯେହ୍ନେ ଜନେ ॥୧୧୨
ପୁଣି କ୍ଷଣକେ ଚକ୍ଷୁ ଫେଇ । ଦେଖନ୍ତି ନୟନ ପୂରାଇ ॥୧୧୩
ଚିତ୍ରପ୍ରତିମା ପ୍ରାୟ ହୋଇ । ମନ ବୁଡ଼ିଲା କୃଷ୍ଣ ତହିଁ ॥୧୧୪
ଜାଣିଲେ ପ୍ରଭୁ ଭଗବାନ । ବୋଲନ୍ତି ମଧୁର ବଚନ ॥୧୧୫
ଭଲେ ଅଇଲଟିକି ପଥେ । ମୋ' ରୂପ ଦେଖିବା ନିମନ୍ତେ ॥୧୧୬
ଆସଗୋ ବିପ୍ରନାରୀଗଣ । ନମଇଁ ତୁମ୍ଭର ଚରଣ ॥୧୧୭
ତୁମ୍ଭ ଚରଣରେଣୁ ଶିରେ । ଘେନି ସଂସାରୁ ପ୍ରାଣୀ ତରେ ॥୧୧୮
ବସ ଏ ବୃକ୍ଷତଳେ ଆଇ । ମୋତେ ଅଇଲ ଅନ୍ନ ଦେଇ ॥୧୧୯
ଆଜ ପବିତ୍ର ମୋର ଦେହୀ । ହୋଇବ ଯଜ୍ଞଅନ୍ନ ଖାଇ ॥୧୨୦
ତୁମ୍ଭଙ୍କୁ କି କରିବା ସେବା । ବିଚାରି ମୋତେ ଆଜ୍ଞା ଦେବା ॥୧୨୧
ଜ୍ଞାନୀଏ ଆତ୍ମଜ୍ଞାନ ପାଇ । ଧ୍ୟାନେ ଚିନ୍ତନ୍ତି ମୋର ଦେହୀ ॥୧୨୨
ତୁମ୍ଭର ସ୍ୱାମୀ ସେବା ପ୍ରାୟେ । ଜ୍ଞାନୀ କରନ୍ତି ମୋତେ ଲୟେ ॥୧୨୩
ଏବେ ଦେଖିଲ ମୋ' ଶରୀର । ନିଜ ମନ୍ଦିରେ ବିଜେକର ॥୧୨୪
ତୁମ୍ଭର ସ୍ୱାମୀପାଦେ ସେବ । ଯେବେ ଏ ସଂସାରୁ ତରିବ ॥୧୨୫
ବେଗେ ଘରକୁ ଯାଅ ଆଇ । ପୂର୍ଣ୍ଣଆହୂତି ବେଳ ହୋଇ ॥୧୨୬
ତୁମ୍ଭଙ୍କୁ ଘେନି ବିପ୍ରବରେ । ପୁଣ୍ୟ ସାଧିବେ ନିଜ ଘରେ ॥୧୨୭
ଶୁଣି ଗୋବିନ୍ଦ ମୁଖୁଁ ବାଣୀ । ବିକଳେ ବୋଲନ୍ତି ବ୍ରାହ୍ମଣୀ ॥୧୨୮
ଭୋ ନାଥ କମଳଲୋଚନ । ଅଶେଷ ଦୁଃଖ ବିମୋଚନ ॥୧୨୯
ତୋହର ଆଦିଅନ୍ତ ନାହିଁ । ପ୍ରକୃତି ତୋତେ ନ ଜାଣଇ ॥୧୩୦
ଅଶେଷ-ବ୍ରହ୍ମାଣ୍ତ-ଗୋସାଇଁ । ଏମନ୍ତ ବୋଲ କାହିଁପାଇଁ ॥୧୩୧
ଆମ୍ଭେ ଛାଡ଼ିଲୁ ମୋହପାଶ । ତୋହର ପାଦମୂଳେ ଆଶ ॥୧୩୨
ତୋହର ଚରଣ ତୁଳସୀ । କବରୀଭାରେ ତାହା ଖୋସି ॥୧୩୩
କବରୀଭାର ସଜ କରି । ତୋପାଦେ ସେବିବୁଁ ମୁରାରି ॥୧୩୪
ଖଟିବୁ ପାଦପଦ୍ମତଳେ । ଅଶେଷ ଜନ୍ମ ପୁଣ୍ୟଫଳେ ॥୧୩୫
ସ୍ୱାମୀ-ତନୟ-ବନ୍ଧୁ-ଗୁରୁ । ତେଜିଲୁଁ ତୋହର କୃପାରୁ ॥୧୩୬
ଅଷ୍ଟାଙ୍ଗ ଯୋଗଲୟେ ବସି । ତୋ' ରୂପ ଚିନ୍ତନ୍ତି ସନ୍ନ୍ୟାସୀ ॥୧୩୭
ତାହା ପାଇଲୁଁ ପୁଣ୍ୟବଳେ । ଭୋନାଥ ରଖ ପାଦତଳେ ॥୧୩୮
ଇଷ୍ଟ କୁଟୁମ୍ବେ କାର୍ଯ୍ୟ ନାହିଁ । ବଞ୍ଚିବୁ ତୋ ମୁଖ ଅନାଇଁ ॥୧୩୯
ଏଠାରେ ଯେବେ ଆମ୍ଭେ ଯିବୁ । ଘରେ ତ ପଶି ନ ପାରିବୁ ॥୧୪୦
ବନ୍ଧୁ-ପିଅର-ପୁତ୍ର-ପତି । ଆମ୍ଭଙ୍କୁ ବୋଲିବେ ଅସତୀ ॥୧୪୧
ସଂସାରେ ନ ବୋଲିବେ ଭଲ । ବିଚାରି କହ ଆଦିମୂଳ ॥୧୪୨
ଉଭୟକୁଳ ନ ପାଇଲୁ । ଏବେ ନିଶ୍ଚୟ ନାଶ ଗଲୁ ॥୧୪୩
କିସ କରିବୁ ଘରେ ଯାଇ । ତୋ' ତହୁଁ ଆନଗତି ନାହିଁ ॥୧୪୪
ହସି ବୋଲନ୍ତି ଭଗବାନ । ଏମନ୍ତ ନବିଚାର ମନ ॥୧୪୫
ମୋର ଚରଣେ ଚିତ୍ତ ଦେଇ । ଚଣ୍ତାଳଘରେ ଯେବେ ଥାଇ ॥୧୪୬
ସଂସାର ତା'ର ପାଦେ ପୂଜେ । ଯେ ମୋର ନାମ ନିତ୍ୟେଭଜେ ॥୧୪୭
ତୁମ୍ଭଙ୍କୁ ଦେଖି ସ୍ୱାମୀଗଣେ । ଖଟିବେ ତୁମ୍ଭର ଚରଣେ ॥୧୪୮
ତୁମ୍ଭଙ୍କୁ ନୟନେ ଦେଖିବେ । ଜନ୍ମ ମରଣର ପାଶୋରିବେ ॥୧୪୯
ମୋର ମହିମା ଶୁଣନାରୀ । ଯେମୋର ନିକଟେ ଆବୋରୀ ॥୧୫୦
ମୋକ୍ଷବିଧାନେ ଯେ ଭଜଇ । ମୋହର ତହିଁ ମନ ଦେଇ ॥୧୫୧
ମୋତେ ପାଇବା ଆଶେ ଜଗି । ବିଘ୍ନେ ହୁଅନ୍ତି ଦୁଃଖଭାଗୀ ॥୧୫୨
ମୋହର ଆଦି ଅନ୍ତ ନାହିଁ । ପ୍ରାଣୀ ପାଇବେ ମୋତେ କାହିଁ ॥୧୫୩
ଯେ ମୋତେ ଦୂରେ ଥାଇ ଚିନ୍ତି । ସେ ମୋତେ ନିକଟେ ଦେଖନ୍ତି ॥୧୫୪
ମନ-ବଚନ ଦ୍ୟନ୍ତି ମୋତେ । ମୁଁ ଥାଇ ତା'ଙ୍କ ହୃଦଗତେ ॥୧୫୫
ବେଗେ ମନ୍ଦିରେ ଯାଆ ମାଏ । ଚିତ୍ତ ନିବେଶି ମୋର ପାୟେ ॥୧୫୬
ସଂସାରେ ସୁଖ ଭୋଗକରି । ଅନ୍ତେ ପାଇବ ମୋର ପୁରୀ ॥୧୫୭
ମୋ' ପାଦେ ତୁମ୍ଭ ମନଥାଉ । ମୋ' ନାମ ଧରି ଦିନ ଯାଉ ॥୧୫୮
ଏବେ ତୁମ୍ଭଙ୍କୁ ବୋଲୁଁ ଯାହା । ହେତୁ କରିଣ ଘେନ ତାହା ॥୧୫୯
ତୁମ୍ଭେ ସ୍ୱଭାବେ ସ୍ତିରୀଜନ୍ମ । ନଜାଣ ବେଦ ଅଧ୍ୟୟନ ॥୧୬୦
ଶାସ୍ତ୍ର ସ୍ମୃତି ଯେ ତୁମ୍ଭ ନାହିଁ । ନାମ ଭଜିବ ଗୀତ ଗାଇ ॥୧୬୧
ନିଶ୍ଚଳେ ନାମ-ଗୁଣ ଭଜି । ମୋତେ ପାଇବ ଗୁଣେ ରଞ୍ଜି ॥୧୬୨
ତୁମ୍ଭଙ୍କୁ ମୋର ବଡ଼ ଦୟେ । ଗୃହେ ଚଳିବା ଏବେ ମାଏ ॥୧୬୩
ଏ କଥା ଶୁଣି ବିପ୍ରନାରୀ । କୃଷ୍ଣବଚନ ଚିତ୍ତେ ଧରି ॥୧୬୪
ହରଷ-ବିସ୍ମୟେ ଆରତ । ଏବେ ହୋ ଶୁଣ ନରନାଥ ॥୧୬୫
କୃଷ୍ଣବଚନେ ଛାଡ଼ି ଭ୍ରାନ୍ତି । ପାଦେ ପଡ଼ିଲେ ବିପ୍ରସତୀ ॥୧୬୬
ଚରଣରେଣୁ ଘେନି ଶିରେ । ବ୍ରାହ୍ମଣୀ ଗଲେ ନିଜ ପୁରେ ॥୧୬୭
କୃଷ୍ଣର ପାଦେ ଚିତ୍ତ ଦେଇ । ଆନନ୍ଦ କେ ପାରିବ କହି ॥୧୬୮
ମଙ୍ଗଳ-ହୁଳହୁଳି-ନାଦେ । କର ନିବେଶି କାନ୍ଧେ କାନ୍ଧେ ॥୧୬୯
ମଙ୍ଗଳନାଦେ ଗୀତ ଗାଇ । ନାଚନ୍ତି କୃଷ୍ଣଭାବ ବହି ॥୧୭୦
ଶୁଣ ରାଜନ ଚୂଡ଼ାମଣି । ବନ୍ଧନେ ଥିଲା ଯେ ବ୍ରାହ୍ମଣୀ ॥୧୭୧
ଶୁଣିଲା ହୁଳହୁଳି ନାଦ । ବ୍ରାହ୍ମଣୀମାନଙ୍କ ଆନନ୍ଦ ॥୧୭୨
ଆତ୍ମାକୁ କହେ ରୋଷ ବହି । ନିର୍ଲ୍ଲଜ ଅଛୁ କାହିଁପାଇଁ ॥୧୭୩
ତୁ ଛାର ଅତ୍ୟନ୍ତ ପାତକୀ । କୃଷ୍ଣଙ୍କୁ ନ ପାରିଲୁ ଦେଖି ॥୧୭୪
ଯାହାର ନାମ ହୃଦେ ଧରି । ଶଙ୍କର ନିତ୍ୟେ ବ୍ରହ୍ମଚାରୀ ॥୧୭୫
ତୁ ଛାର ନ କଲୁ ଯେ ପୁଣ୍ୟ । ବ୍ରାହ୍ମଣୀମାନେ ବଡ଼ ଧନ୍ୟ ॥୧୭୬
କୃଷ୍ଣଙ୍କୁ ଦେଖିଲେ ନୟନେ । ଆଜ୍ଞା ଶୁଣିଲେ ବେନିକର୍ଣ୍ଣେ ॥୧୭୭
କିସ ପାଇବୁ ମୋ' ଶରୀରେ । ଦରିଦ୍ର ଦୁଃଖୀ ନିରନ୍ତରେ ॥୧୭୮
ଏତେ ବୋଲିଣ ମନକରି । ହୃଦରେ କୃଷ୍ଣନାମ ଧରି ॥୧୭୯
ଉଚ୍ଚେ ରଟିଲା ନାମ ଗୁଣ । ତ୍ରାହି କରିବା ନାରାୟଣ ॥୧୮୦
ହେ କୃଷ୍ଣ ପରମମଙ୍ଗଳ । ଦାସବତ୍ସଳ ଆଦିମୂଳ ॥୧୮୧
ମୁଁ ଛାର କୋଟିକେ ଅନ୍ତର । କାହିଁ ପାଇବି ତୋ' ପୟର ॥୧୮୨
ଏ ଛାର ଜୀବନ ନ ଥାଉ । ଗୋବିନ୍ଦନାମ ଶୁଣି ଯାଉ ॥୧୮୩
ମୁଣ୍ତ ମାଇଲା ସ୍ତମ୍ଭେ ନେଇ । ପ୍ରାଣ ଛାଡ଼ିଲା କୃଷ୍ଣଧ୍ୟାୟି ॥୧୮୪
କୃଷ୍ଣର ପାଦେ ମନ ଥିଲା । ତୁଣ୍ତରେ ନାମ ଉଚ୍ଚାରିଲା ॥୧୮୫
ତକ୍ଷଣେ ଦିବ୍ୟରୂପ ହୋଇ । ପଶିଲା କୃଷ୍ଣ-ଦେହେ ଯାଇ ॥୧୮୬
ଭକତବନ୍ଧୁ ଭାବଗ୍ରାହୀ । ହୃଦରେ ଠାବ ଦେଲେ ନେଇ ॥୧୮୭
ଏବେ ହୋ ଶୁଣ ମହୀପାଳ । ଶ୍ରୀକୃଷ୍ଣ-କ୍ରଡ଼ା-କୁତୂହଳ ॥୧୮୮
ଦାସବତ୍ସଳ ଭାବଗ୍ରାହୀ । ବୋଲନ୍ତି ପୁଅଙ୍କୁ ଅନାଇଁ ॥୧୮୯
ଅନ୍ନଭୋଜନ କର ବସି । ଆନନ୍ଦେ ନିଜ ଆତ୍ମା ତୋଷି ॥୧୯୦
ଶୁଣି ସାନନ୍ଦ ଗୋପପୋଏ । ସଙ୍ଗେ ଭୁଞ୍ଜିଲେ ଦେବରାୟେ ॥୧୯୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ଗୋପଙ୍କ ସ୍ନେହ କୃଷ୍ଣଠାଏଁ ॥୧୯୨
ଏମନ୍ତ ଲୀଳା ବନମାଳୀ । ଗୋପୀ-ଗୋପାଳ ମେଳେ କେଳି ॥୧୯୩
ଅନନ୍ତ ପ୍ରଭୁ ଆଦିମୂଳ । ଗୋପେ ମିଳିଲେ ରାତ୍ରକାଳ ॥୧୯୪
ବ୍ରାହ୍ମଣେ ନିଜ ନାରୀ ଦେଖି । କୃଷ୍ଣର ଭାବ ଉପଲକ୍ଷ୍ୟି ॥୧୯୫
ବେଦ-ପୁରାଣେ ପରିମାଣି । ନିଶ୍ଚେ ଜାଣିଲେ ଚକ୍ରପାଣି ॥୧୯୬
ଭକତି ଦେଖି ନାରୀଙ୍କର । ମନେ ପାଇଲେ ଖେଦଭର ॥୧୯୭
ବୋଲନ୍ତି ଆତ୍ମନିନ୍ଦା କରି । ଜଣଜଣକେ ନାମ ଧରି ॥୧୯୮
ଶ୍ରୀକୃଷ୍ଣେ କଲୁଁ ଅପରାଧ । ଧିକ ଆମ୍ଭର ବ୍ରହ୍ମପଦ ॥୧୯୯
ବେଦ-ପୁରାଣ ଯେତେ ପଢ଼ୁଁ । ଧିକ ଆମ୍ଭର ଆତ୍ମା ପୋଡ଼ୁ ॥୨୦୦
ବେଦ-ପୁରାଣ ଦୀକ୍ଷା ପାଇ । ଯେ କୃଷ୍ଣଭାବ ନ ଜାଣଇ ॥୨୦୧
ଧିକ ତାହାର ଜନ୍ମ-କର୍ମ । ଅନେକ ମତେ ହୋଏ ଭ୍ରମ ॥୨୦୨
ଏମନ୍ତ ବିଚାରି ବ୍ରାହ୍ମଣେ । ଧନ୍ୟ ବୋଲନ୍ତି ନାରୀଗଣେ ॥୨୦୩
ଯେ ଯାହା ପତ୍ନୀମୁଖ ଚାହିଁ । ତୋଷ ହୋଇଲେ ଯଜ୍ଞଦାହୀ ॥୨୦୪
କୃଷ୍ଣର ମାୟା ଅଗୋଚର । ଭ୍ରମନ୍ତି ବ୍ରହ୍ମାଶିବସୁର ॥୨୦୫
ଜଗତଗୁରୁପଣେ ଥାଇ । ବ୍ରାହ୍ମଣ ନାମ ଆମ୍ଭେ ବହି ॥୨୦୬
ସ୍ତିରୀଙ୍କି ନୋହିଲୁ ଭାଜନ । ଏହାଙ୍କ ନାହିଁ ଦିବ୍ୟଜ୍ଞାନ ॥୨୦୭
କେମନ୍ତେ କୃଷ୍ଣଙ୍କୁ ଜାଣିଲେ । ପୂର୍ବେ ଏ କେତେ ତପ କଲେ ॥୨୦୮
ଦେଖ ଆମ୍ଭର କର୍ମଫଳ । ଅନ୍ନ ମାଗିଲେ ଆଦିମୂଳ ॥୨୦୯
ଯଜ୍ଞେ ପୂଜୁଛୁଁ ଯା'ର ପାଦ । ପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ ॥୨୧୦
ତାହାଙ୍କୁ ନ ଚିହ୍ନୁଲୁ ମୋହେ । ଜୀବନ ଅଛି କିମ୍ବା ଦେହେ ॥୨୧୧
ଯେ ହରି ଦେଶ-କାଳ-ପାତ୍ର । ମଙ୍ଗଳ-ଦିବ୍ୟ-ବେଦତତ୍ତ୍ୱ ॥୨୧୨
ବିପ୍ର ଅନଳ ଦେବଗଣ । ଯଜ୍ଞକରତା ଜନାର୍ଦ୍ଦନ ॥୨୧୩
ସକଳ ପ୍ରଭୁ ଭଗବାନ । ନ ଜାଣି ହୋଇଲୁ ଅଜ୍ଞାନ ॥୨୧୪
କମଳା ଥାଇ ପାଦତଳେ । ବଦନ ନିରୋପି ନିଶ୍ଚଳେ ॥୨୧୫
ଚଞ୍ଚଳା ପଦ୍ମପାଦେ ସେବି । ଭାବି ନ ପାଇଲା ସାଧବୀ ॥୨୧୬
ଅନାଦି ପ୍ରଭୁ ଯୋଗେଶ୍ୱର । ଗୁପତେ ଅଛି ନନ୍ଦଘର ॥୨୧୭
ଜାଣି ନ ପାରିଲୁ ସକଳେ । କୃଷ୍ଣର ମାୟା-ଯୋଗ-ବଳେ ॥୨୧୮
ନମଉଁ ପ୍ରଭୁ ଯୋଗେଶ୍ୱର । ଗତି-ମୁକତି ଗଦାଧର ॥୨୧୯
ତୋହର ମାୟାଚକ୍ରେ ଭ୍ରମି । ଆମ୍ଭେ ବୋଲାଉ ନିତ୍ୟକର୍ମୀ ॥୨୨୦
ଅନେକ କଲୁ ଅପରାଧ । ତ୍ରାହି କରିବା ପଦ୍ମନାଭ ॥୨୨୧
ଏମନ୍ତ ବୋଲି ଗୋଡ଼ାଇଲେ । ବନେ ଅନେକ ଦୂର ଗଲେ ॥୨୨୩
କୃଷ୍ଣ ନ ଦେଖି ଘୋରବନେ । ବ୍ରାହ୍ମଣେ ବିଚାରନ୍ତି ମନେ ॥୨୨୪
ଗୋବିନ୍ଦ ବିଜେ ନନ୍ଦଘରେ । ଜାତ ହୋଇଲେ ମଧୁପୁରେ ॥୨୨୫
ଆମ୍ଭେ ନ ଯିବା ଗୋପପୁର । ନ ପୁଣ ଜାଣେ କଂସାସୁର ॥୨୨୬
ମଥୁରା ଯେତେବେଳେ ଯିବେ । କୃଷ୍ଣ କଂସକୁ ସଂହାରିବେ ॥୨୨୭
କୃଷ୍ଣେ ଦେଖିବା ରାମ ତୁଲେ । ଏମନ୍ତ ବୋଲି ବାହୁଡ଼ିଲେ ॥୨୨୮
ସୁଜନେ ଶୁଣ କର୍ଣ୍ଣଦ୍ୱାରେ । ନ ବୁଡ଼ ସଂସାର ସାଗରେ ॥୨୨୯
ସକଳ ପ୍ରାଣୀ ହୃଦେ ଥାଇ । ଭ୍ରମ କରାନ୍ତି ଭାବଗ୍ରାହୀ ॥୨୩୦
ତାହାର ନାମ ଉଚ୍ଚାରିଲେ । ଭ୍ରମ ନ ଥାଇ ଆତ୍ମାତୁଲେ ॥୨୩୧
କହିଲି ଏ ପରମତତ୍ତ୍ୱ । କୃଷ୍ଣସେବକ ବଳବନ୍ତ ॥୨୩୨
ରେ ମନ କୃଷ୍ଣ ଆଶ୍ରେକର । ସର୍ବ ଆପଦ ହେବ ଦୂର ॥୨୩୩
କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥୨୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଯଜ୍ଞପତ୍ନୀ ଉଦ୍ଧରଣଂ ନାମ ଚତୁର୍ବିଂଶୋଽଧ୍ୟାୟଃ ।
</poem>
==='''ପଞ୍ଚବିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ଚୂଡ଼ାମଣି । ଗୋପନଗରେ ଚକ୍ରପାଣି ॥୧
ରୋହିଣୀ ନନ୍ଦନର ତୁଲେ । ଦିନ ହରନ୍ତି ଗୋପମେଳେ ॥୨
ଗୋପାଳେ ମିଳି ଏକଦିନେ । ଇନ୍ଦ୍ରର ଉତ୍ସବ ବିଧାନେ ॥୩
ସକଳେ ବିଚାରନ୍ତି ବସି । କୃଷ୍ଣ ମିଳିଲେ ମଧ୍ୟେ ଆସି ॥୪
ଅଶେଷ-ବ୍ରହ୍ମାଣ୍ତ-ଠାକୁର । ଜାଣନ୍ତି ଗୋପଙ୍କ ବିଚାର ॥୫
ଲୋକବେଭାରେ ଭାବଗ୍ରାହୀ । ବୋଲନ୍ତି ନନ୍ଦ ମୁଖ ଚାହିଁ ॥୬
ବୃଦ୍ଧ ଗୋପାଳେ ଛନ୍ତି ଯେତେ । ବିଶ୍ୱାସକର ଯେଝାମତେ ॥୭
ନନ୍ଦକୁ ପୁଚ୍ଛନ୍ତି ଅନନ୍ତ । ଇନ୍ଦ୍ରଉତ୍ସବର ବୃତ୍ତାନ୍ତ ॥୮
ଭୋ ତାତ କେବଣ ଉତ୍ସବ । ଏ କଥା କହ ସର୍ବଭାବ ॥୯
ତୁମ୍ଭ ବିଚାର ଯଜ୍ଞମତେ । ଉଦ୍ଦେଶ୍ୟ ଜାଣିବୁ କେମନ୍ତେ ॥୧୦
କେବଣ ମତେ ସାଧ୍ୟ କରି । ଯଜ୍ଞ କରନ୍ତି ନରନାରୀ ॥୧୧
ଏ ଯଜ୍ଞ କଲେ କିସ ଫଳ । ହସି କହନ୍ତି ନନ୍ଦବାଳ ॥୧୨
ଭୋ ତାତ ହୋଇବା ପ୍ରସନ୍ନ । କହ ଏ ପୂଜାର ବିଧାନ ॥୧୩
ଗୁପତ ନ କର ପିଅର । ଏ ସାଧୁଜନଙ୍କ ବେଭାର ॥୧୪
ଭାବ-ସେବକେ ସତ୍ୟ କହି । ବିଶେଷ ତୋ'ର ପୁତ୍ର ମୁହିଁ ॥୧୫
ସମଦରଶୀ ଯା'ର ଚିତ୍ତ । ନାହିଁ ତାହାର ରିପୁ ମିତ୍ର ॥୧୬
ସଂସାରଧର୍ମେ ଥାଇ ଜନ୍ତୁ । ଇଚ୍ଛନ୍ତି ନାନାକର୍ମ ହେତୁ ॥୧୭
ଜାଣି ନ ଜାଣି ଫଳ ଆଶେ । କର୍ମସାଧନ୍ତି ମନତୋଷେ ॥୧୮
ଦଇବମତେ ଫଳ ହୋଇ । ଯେ ଯାହା କର୍ମବଳେ ପାଇ ॥୧୯
ବେଦପୁରାଣ-କ୍ରିୟା ଘେନି । କର୍ମ ସାଧନ୍ତି ବିପ୍ର ମୁନି ॥୨୦
ତୁମ୍ଭେ ସାଧିବ କେଉଁମତେ । ବିଚାରି କହ ତାତ ମୋତେ ॥୨୧
କୃଷ୍ଣ ବଚନ ନନ୍ଦ ଶୁଣି । କୋଳେ ବସାଇ ଚକ୍ରପାଣି ॥୨୨
ବୋଲଇ ଶୁଣ ଦାମୋଦର । ପୂଜା କରିବୁ ସୁରେଶ୍ୱର ॥୨୩
ତା'ର ଆଜ୍ଞାରେ ମେଘମାଳ । ସଂସାରେ ବରଷନ୍ତି ଜଳ ॥୨୪
ମେଦିନୀ ଜଳଯୋଗ ପାଇ । ଅନେକ ଶସ୍ୟ ଉପୁଜାଇ ॥୨୫
ଜୀବିକା ହୋଇ ପ୍ରାଣୀଙ୍କର । ତେବେ ସେ ବଞ୍ଚଇ ସଂସାର ॥୨୬
ଶସ୍ୟ-ସମ୍ପଦ ଘେନି ଜନେ । ଯଜ୍ଞ କରନ୍ତି ତୋଷମନେ ॥୨୭
ନାନା ଦେବତା ଯଜ୍ଞେ ଦାହୀ । ପୂଜି ଅନେକ ଫଳ ପାଇ ॥୨୮
ଏମନ୍ତେ ଯେ ଯାହାର ମତେ । ଇନ୍ଦ୍ରଙ୍କୁ ପୂଜନ୍ତି ଜଗତେ ॥୨୯
ଯେ ଯାହା ମତେ ନାନା ଯାଗ । କରି ଲଭନ୍ତି ତିନିବର୍ଗ ॥୩୦
ଇଷ୍ଟଦେବତା ଶୁଭକାଳେ । ପୂଜା କରନ୍ତି ମହୀତଳେ ॥୩୧
ଯେ ନର ଲୋଭବଶ ହୋଇ । ଇଷ୍ଟଦେବତା ନ ପୂଜଇ ॥୩୨
ତାହାର ନାହିଁ ସୁଖଲେଶ । ଆପଦ ହୋଏ ପରବେଶ ॥୩୩
ନନ୍ଦ ବଚନ କୃଷ୍ଣ ଶୁଣି । ବୃଦ୍ଧ ଗୋପାଳେ ଯାହା ଭଣି ॥୩୪
ଇନ୍ଦ୍ର ବିଷୟେ କୋପକରି । ନନ୍ଦକୁ ବୋଲନ୍ତି ମୁରାରି ॥୩୫
କୃଷ୍ଣ ବୋଲନ୍ତି ଶୁଣ ତାତ । ଜଗତ କର୍ମେ ଆତଯାତ ॥୩୬
ଏ ଜୀବ ଆତ୍ମା କର୍ମ ଘେନି । ଗତ ଆଗତ ପଥଶ୍ରମୀ ॥୩୭
କର୍ମର ମତେ ଦୁଃଖସୁଖ । ଜନ୍ମମରଣ ହୋଏ ଦେଖ ॥୩୮
କର୍ମଟି ଦୁଃଖସୁଖଦାତା । ବିଶ୍ୱ ସଂସାରେ ବଳବନ୍ତା ॥୩୯
ଭୋ ତାତ କର୍ମପାଦେ ସେବ । କର୍ମହୁଁ ନାହିଁ ଅନ୍ୟ ଦେବ ॥୪୦
କର୍ମଭୂଞ୍ଜନ୍ତା ପ୍ରାଣୀଙ୍କର । ଇନ୍ଦ୍ର ତ ନୋହଇ ଠାକୁର ॥୪୧
କର୍ମ-ସଞ୍ଚିଲା ଏ ଜଗତ । ସ୍ୱଭାବେ ହୋନ୍ତି ଆତଯାତ ॥୪୨
କର୍ମର ବଳେ ଦେହ ଘେନି । ଜୀବ ଭ୍ରମଇ ନାନାଯୋନି ॥୪୩
କର୍ମ ଯେ ଶତ୍ରୁମିତ୍ର ହୋଇ । ଗୁରୁଙ୍କ ପ୍ରାୟେ ଶିକ୍ଷା ଦେଇ ॥୪୪
ସକଳେ କର୍ମ ସେବା କର । କହନ୍ତି ପ୍ରଭୁ ଦାମୋଦର ॥୪୫
ଯେ ପ୍ରାଣୀ ନିଜକର୍ମ ଛାଡ଼ି । ଅନ୍ୟ ଜୀବିକା ଲୋଭେ ଲୋଡ଼ି ॥୪୬
ଦୁର୍ଗତିପଥ ଆବୋରୋନ୍ତି । ଯେସନେ ବିଟପୀ ଯୁବତୀ ॥୪୭
ଭୋ ତାତ ଶୁଣ କର୍ମକଥା । ବେଦପୁରାଣେ ଯେ ବ୍ୟବସ୍ଥା ॥୪୮
ବ୍ରାହ୍ମଣଆଦି ଚାରିବର୍ଣ୍ଣ । ଯେ ଯାହା ମତେ ବୃତ୍ତି ଭିନ୍ନ ॥୪୯
ବେଦବିଚାରେ ଷଟକର୍ମ । ବ୍ରାହ୍ମଣ ଜନର ଏ ଧର୍ମ ॥୫୦
ଭୂମିପାଳନ ଶୂରବନ୍ତ । ଦାନ-ପୌରୁଷ କ୍ଷତ୍ରିବୃତ୍ତ ॥୫୧
କୃଷି ବାଣିଜ୍ୟ ଗୋରୁବୃତ୍ତି । ବୈଶ୍ୟଜନଙ୍କର ଏ ଗତି ॥୫୨
ବ୍ରାହ୍ମଣପାଦେ ସେବାକରି । ଶୂଦ୍ରେ ହୋଇବେ ସୁଖଚାରୀ ॥୫୩
ଏ ଚାରି ବର୍ଣ୍ଣର ବେଭାର । ବୈଶ୍ୟଙ୍କ ମତଟି ଆମ୍ଭର ॥୫୪
ଭୋ ତାତ ଶୁଣ ଆଦିଅନ୍ତ । ଯେମନ୍ତ କହଇ ବେଦାନ୍ତ ॥୫୫
ସୃଷ୍ଟିର କାଳେ ନାରାୟଣ । ଆଗେ ସର୍ଜିଲା ତିନିଗୁଣ ॥୫୬
ରଜୋଗୁଣରୁ ବ୍ରହ୍ମା ହୋଇ । ସତ୍ତ୍ୱଗୁଣକୁ ବିଷ୍ଣୁ ପାଇ ॥୫୭
ରୁଦ୍ରଙ୍କୁ ଦେଲେ ତମୋଗୁଣ । ସୃଷ୍ଟି ପାଳନ ସଂହାରଣ ॥୫୮
ବ୍ରହ୍ମାଭିଆଣେ ମେଘମାଳ । ସଂସାରେ ବରଷନ୍ତି ଜଳ ॥୫୯
ଜନ୍ତୁ ଜୀବିକା ତେଣେ ହୋଇ । ଇଦ୍ରେ ତ ପ୍ରୟୋଜନ ନାହିଁ ॥୬୦
ଇନ୍ଦ୍ରର ଭାଗ୍ୟେ ବଡ଼ପଣ । ଜଗତ ବିଷ୍ଣୁର ଭିଆଣ ॥୬୧
ଗ୍ରାମପାଟଣା ଦେଶ ପୁରେ । ଇନ୍ଦ୍ରକୁ ପୂଜିବେ ବେଭାରେ ॥୬୨
ବନଗହନେ ଆମ୍ଭ ଘର । ଗୋରୁ ଚରାଉ ନଦୀତୀର ॥୬୩
ନିର୍ଝର ଜଳପାନ କରି । ଆମ୍ଭ ଦେବତା ବନଗିରି ॥୬୪
ତୁମ୍ଭର ଯଜ୍ଞ ଯେବେ ସତ୍ୟ । କହଇ ଶୁଣ ଏକଚିତ୍ତ ॥୬୫
ଗୋରୁ ବ୍ରାହ୍ମଣ ପ୍ରୀତିଫଳେ । ଯଜ୍ଞ କରିବା ଗିରିତଳେ ॥୬୬
ପୂଜିବା ଗୋବର୍ଦ୍ଧନ ଶିରେ । ଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ ॥୬୭
ଦ୍ୱିଗୁଣ କରି ବଳି ଭୋଜା । ସୁଖେ କରିବା ଗିରିପୂଜା ॥୬୮
ନାନା ବ୍ୟଞ୍ଜନ ଷଡ଼ରସ । ପିଷ୍ଟକ ପ୍ରପାନ ପାୟସ ॥୬୯
ଗୋରସ ଘୃତ ସରପୁଳି । ନାନାପିଷ୍ଟକେ ଖଣ୍ତ ବୋଳି ॥୭୦
ଅନଳ ପୂଜା ହୋମ କର । ଋତ୍ୱିଜ ଚାରି ବେଦୁଁ ବର ॥୧
ପୂର୍ଣ୍ଣ ଆହୂତି ଯଜ୍ଞ ଅନ୍ତେ । ଦକ୍ଷିଣା ଦିଅ ଯଥୋଚିତ୍ତେ ॥୭୨
ଗୋରୁ କାଞ୍ଚନ ତିଳ ଅନ୍ନ । ଅତିଥି ପୂଜାର ବିଧାନ ॥୭୩
ଯେ ଯାହା ମତେ ତୋଷ କରି । ସୁଖେ ଭୁଞ୍ଜିବେ ନରନାରୀ ॥୭୪
କୋମଳତୃଣ ଅନ୍ନ ସଙ୍ଗେ । ଗୋରୁଙ୍କୁ ଭୁଞ୍ଜାଇବା ରଙ୍ଗେ ॥୭୫
ପର୍ବତେ ବଳି ଭୋଜା ଦେଇ । ସକଳେ ଅଳଙ୍କାର ଲାଇ ॥୭୬
କରିବା ଗିରି ପ୍ରଦକ୍ଷିଣ । ଆରାଧି ଅନଳ ବ୍ରାହ୍ମଣ ॥୭୭
ମୋହର ମତେ ଏ ଯୋଗାଇ । କୃଷ୍ଣ ବୋଲନ୍ତି ନନ୍ଦେ ଚାହିଁ ॥୭୮
ଶୁକ କହନ୍ତି ରାଜା ଆଗେ । ଶୁଣି ଗୋପାଳେ ଉଦ୍ବେଗେ ॥୭୯
କୃଷ୍ଣବଚନ ପ୍ରତିପାଳି । ନନ୍ଦକୁ ମଧ୍ୟେ ଘେନି ଭାଳି ॥୮୦
ଶ୍ରୀକୃଷ୍ଣ ବଚନ ପ୍ରଶଂସି । ମିଳିଲେ ଯେଝା ଘରେ ଆସି ॥୮୧
ଦ୍ୱିଗୁଣେ ନାନା ଦ୍ରବ୍ୟ ଘେନି । କରନ୍ତି ବାଦ୍ୟ ଶଙ୍ଖଧ୍ୱନି ॥୮୨
ପର୍ବତତଳେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି ॥୮୩
ଯଜ୍ଞ ଆରମ୍ଭି ଗିରିତଳେ । ପୂଜିଲେ ଗୋ-ବିପ୍ର-ଅନଳେ ॥୮୪
ଯେ ଯାହା ମତେ ଦେଲେ ଦାନ । ସୁବର୍ଣ୍ଣ ବସ୍ତ୍ର ଗୋରୁ ଅନ୍ନ ॥୮୫
ଦେବ ଅତିଥି ତୋଷ କରି । ଭୋଜନ କଲେ ନରନାରୀ ॥୮୬
ବିବିଧ ଅଳଙ୍କାର ଲାଇ । ଗୋରୁ ବ୍ରାହ୍ମଣ ମଧ୍ୟେ ଥାଇ ॥୮୭
ପର୍ବତ କଲେ ପ୍ରଦକ୍ଷିଣ । ଗୋରୁଙ୍କୁ ଦେଲେ ଅନ୍ନ ତୃଣ ॥୮୮
ଶକଟ ମଣ୍ତିଲେ ଗୋପାଳେ । ଦିବ୍ୟବସନ ରତ୍ନମାଳେ ॥୮୯
ବାଳକ କୋଳେ ଘେନି ନାରୀ । ନନ୍ଦ ଯଶୋଦା ଆଦିକରି ॥୯୦
ରୋହିଣୀ ଯଶୋଦାର ମେଳେ । ରାମ ଗୋବିନ୍ଦ ଘେନି କୋଳେ ॥୯୧
ଶଙ୍ଖ ମହୁରୀ ନାଦ ଭେରୀ । ମୁରଲୀ ନାଦେ ଗୀତ ସ୍ଫୁରି ॥୯୨
ବୁଲନ୍ତି ଗିରି ଚାରିଦିଗେ । କୃଷ୍ଣ ଆନନ୍ଦ ବଳି ଯୋଗେ ॥୯୩
ଗୋବିନ୍ଦ ଯୋଗମାୟା ବଳେ । ପର୍ବତ ଶିଖେ ବିଜେ କଲେ ॥୯୪
ଯଶୋଦା କୋଳେ ଛନ୍ତି ବସି । ଗୋପୀ ଗୋପାଳଙ୍କୁ ବିଶ୍ୱାସି ॥୯୫
ପର୍ବତ ଶିଖେ ବିଶ୍ୱରୂପୀ । ଟେକି ଚାହାଁନ୍ତି ଗୋପଗୋପୀ ॥୯୬
ବେନି ଯୋଜନ ଲମ୍ବେ ଭୁଜ । ଶିରେ ଲାଗଇ ଗ୍ରହରାଜ ॥୯୭
ଶ୍ୟାମସୁନ୍ଦର ତନୁବର୍ଣ୍ଣ । ଗୋପଙ୍କୁ ଚାହିଁ ସାବଧାନ ॥୯୮
ବୋଲନ୍ତି ହୋଇଲି ମୁଁ ତୋଷ । ତୁମ୍ଭର ପୂରାଇବି ଆଶ ॥୯୯
ନିଶ୍ଚିନ୍ତ ହୋଇଥାଅ ବନେ । ମୋହର ପୂଜାର ବିଧାନେ ॥୧୦୦
ଖଣ୍ତିବି ସକଳ ଆପଦ । ଗୋକୁଳ ହୋଇବ ଆନନ୍ଦ ॥୧୦୧
ତଳେ ଲମ୍ବାଇ ବେନି ଭୁଜ । ବଳି ଭୁଞ୍ଜନ୍ତି ଗିରିରାଜ ॥୧୦୨
ଗୋପୀ ଗୋପାଳଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୧୦୩
ଦେଖ ହୋ ପର୍ବତ ମହିମା । ଯଜ୍ଞର ବଳେ ପୁଣ୍ୟକର୍ମା ॥୧୦୪
ପ୍ରସନ୍ନ ହୋଇଲେଟି ଆଜ । କିସ କରିବେ ଦେବରାଜ ॥୧୦୫
ଏତେହେଁ କାଳ କଲ ପୂଜା । ଦେବତା ନ ଖାଇଲା ଭୋଜା ॥୧୦୬
ଏମନ୍ତ ଦିଅଁ ଅଛି କାହିଁ । ହସ୍ତ ପ୍ରସାରି ବଳି ଖାଇ ॥୧୦୭
ଇନ୍ଦ୍ରର ଚିହ୍ନ ବର୍ଣ୍ଣ ନାହିଁ । ନ ଜାଣି ପୂଜ ବାଇ ହୋଇ ॥୧୦୮
ଏମନ୍ତ ନ ଦେଖିଲ ଦିନେ । ବଳି ଭୁଞ୍ଜଇ ତୋଷମନେ ॥୧୦୯
ଏବେ ତୁମ୍ଭର ଚିନ୍ତା ନାହିଁ । ନିଶ୍ଚିନ୍ତେ ଥିବ ଏହା ଧ୍ୟାୟି ॥୧୧୦
ଏ ଆମ୍ଭ ପୁରାଇବେ ଆଶା । ଏଣେ ସେ ଆମ୍ଭର ଭରସା ॥୧୧୧
ଏହାଙ୍କୁ ନମସ୍କାର କର । ଏ ଆମ୍ଭ ଜୀବନ ଠାକୁର ॥୧୧୨
ଏହାଙ୍କୁ ଅବଜ୍ଞା ଯେ କରି । ପଡ଼ିବେ ନରକ ଆବୋରି ॥୧୧୩
ଏ ଆମ୍ଭ ରଖିବେ ଗୋକୁଳ । ବୋଲନ୍ତି ପ୍ରଭୁ ଆଦିମୂଳ ॥୧୧୪
ଏମନ୍ତ କହି ବନମାଳୀ । ଆପଣେ କଲେ ନିଉଛାଳି ॥୧୧୫
ଦେଖି ଆନନ୍ଦ ଗୋପଗୋପୀ । ନମିଲେ ପର୍ବତ ନିରୋପି ॥୧୧୬
ବୋଲନ୍ତି ଆମ୍ଭେ ଭାଗ୍ୟବନ୍ତ । ପ୍ରତ୍ୟକ୍ଷେ ଦେଖିଲୁ ପର୍ବତ ॥୧୧୭
କଲ୍ୟାଣ ହେଉ ନନ୍ଦବାଳେ । ଏ ଆମ୍ଭ ରଖିବ ଗୋକୁଳେ ॥୧୧୮
ଏମନ୍ତ ପୂଜାବିଧି କଲେ । ଗୋପେ ମିଳିଲେ ସନ୍ଧ୍ୟାକାଳେ ॥୧୧୯
କୃଷ୍ଣ ଚରିତ ପରଶଂସି । ମିଳିଲେ ନିଜ ପୁରେ ଆସି ॥୧୨୦
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚବିଂଶୋଽଧ୍ୟାୟଃ ॥
</poem>
==='''ଷଡ଼ବିଂଶ ଅଧ୍ୟାୟ'''===
<poem>
ପରୀକ୍ଷରାଜା ମୁଖ ଚାହିଁ । ଶୁକ କହନ୍ତି ତୋଷ ହୋଇ ॥୧
;ଶୁକ ଉବାଚ
ଶୁଣ ହୋ କୁରୁନୃପମଣି । ସ୍ୱର୍ଗେ ଜାଣିଲେ ବଜ୍ରପାଣି ॥୨
କୃଷ୍ଣର ଦେଖି ଦୁଷ୍ଟପଣ । କୋପେ କମ୍ପିଲା ସୁରରାଣ ॥୩
କହଇ ଦେବଙ୍କୁ ବସାଇ । ମେଘ ପବନକୁ ଅଣାଇ ॥୪
ପ୍ରଳୟକାରୀ ମେଘଗଣ । ଅନାଇଁ କହେ ମଘବାନ ॥୫
ଶୁଣ ପବନ ମେଘମାଳେ । ମୋ' ପୂଜା ଭାଙ୍ଗିଲେ ଗୋପାଳେ ॥୬
ଯଶୋଦାସୁତ କୃଷ୍ଣ ବୋଲେ । ଗୋପାଳେ ମୋତେ ନ ମାନିଲେ ॥୭
ବାଳକ କୃଷ୍ଣ ବୋଲି ନାମ । ତା ବେଲେ କଲେ ଏଡ଼େ କର୍ମ ॥୮
ମନୁଷ୍ୟ ହୋଇ ବଳୀୟାର । ପୂଜା ଭାଙ୍ଗିଲା ଗୋପେ ମୋର ॥୯
ଗଉଡ଼େ କୃଷ୍ଣ ସଙ୍ଗେ ଭୋଳ । ମୁଁ ଆଜ ପୂରାଇବି କାଳ ॥୧୦
ଏ ଅପମାନ କେବା ସହି । ସ୍ୱର୍ଗରେ ଇନ୍ଦ୍ରପଦ ବହି ॥୧୧
ସମ୍ପଦ-ମତ୍ତଗର୍ବ ଅନ୍ଧେ । ସିନ୍ଧୁ ତରିବେ ବାଲିବନ୍ଧେ ॥୧୨
ଦଦରା ନାବେ ଯେହ୍ନେ ବସି । ସମୁଦ୍ରତରଣେ ସାହସୀ ॥୧୩
ଭବତରଣେ ପଥ ଲୋଡ଼ି । ପଣ୍ତିତେ ଧର୍ମଶାସ୍ତ୍ର ଛାଡ଼ି ॥୧୪
ଏମନ୍ତ ମଣିଲେ ଗୋପାଳେ । ନନ୍ଦବାଳକ କୃଷ୍ଣ ବୋଲେ ॥୧୫
ବାଳକ ସପତବରଷ । ତାବୋଲେ କରିଲେ ବିଶ୍ୱାସ ॥୧୬
ବାଳୁତ ପ୍ରାୟ ଖେଳୁଥାଇ । ପାଠପଠନ ନ ଜାଣଇ ॥୧୭
ଗାଈ ଚରାଇ ବନେ ବନେ । ଗୋପାଳ ସଙ୍ଗେ ବେଣୁସ୍ୱନେ ॥୧୮
ପଣ୍ତିତ ପ୍ରାୟ ତା'କୁ ମଣି । ମୋହର ମହିମା ନ ଜାଣି ॥୧୯
ଏଡ଼େ ଅନୀତି ଆଚରିଲେ । ଆଜ ସଂଗ୍ରାମ କୃଷ୍ଣ ତୁଲେ ॥୨୦
ଜାଣିବା କୃଷ୍ଣ ଆଶ୍ରେ କରି । କେମନ୍ତେ ଥିବେ ଗୋପପୁରୀ ॥୨୧
ଗୋରୁ ଗୋପାଳ କୃଷ୍ଣ ଆଦି । ଏ ମୋର ଯଜ୍ଞଭଙ୍ଗେ ବାଦୀ ॥୨୨
ଏହାଙ୍କୁ କର ବେଗେ ନାଶ । ଆବୋରି ବୃନ୍ଦାବନଦେଶ ॥୨୩
ତୁମ୍ଭେ ପ୍ରଳୟ ଚାରିମେଘେ । ଗୋପେ ବରଷ ଯାଇ ବେଗେ ॥୨୪
ଶୁଣ ପବନ ଅଣଚାଶ । ଏ ଚାରିମେଘେ ତୁମ୍ଭେ ମିଶ ॥୨୫
ବିଜୁଳି ଘୋରନାଦ ଘେନି । ଶବଦେ କମ୍ପାଅ ମେଦିନୀ ॥୨୬
ବଜ୍ର ପାଷାଣ ସଙ୍ଗେ ବାରି । ବରଷ ଘୋରନାଦ କରି ॥୨୭
ମୁଁ ପୁଣି ତୁମ୍ଭ ପଛେ ଥାଇ । ଅଇରାବତରେ ଆରୋହୀ ॥୨୮
ବଜ୍ର ମାରିବି ନିରନ୍ତରେ । ଅନଳଜ୍ୟୋତି ପରଖରେ ॥୨୯
ନନ୍ଦସମ୍ପଦ କରି ନାଶ । ତେବେ ହୋଇବ ମନତୋଷ ॥୩୦
ରିପୁ ନ ସାଧନ୍ତି ଯେ ପ୍ରାଣୀ । ତାହାଙ୍କୁ ମନୁଷ୍ୟେ ନ ଗଣି ॥୩୧
ଶୁକ କହନ୍ତି ରାଜା ଆଗେ । ଇନ୍ଦ୍ରର ବୋଲେ ଚାରିମେଘେ ॥୩୨
ପବନ ଘେନି ଚଳିଗଲେ । ଗୋପନଗରକୁ ବେଢ଼ିଲେ ॥୩୩
ଗୋପନଗର ସୀମା ଯେତେ । ରୁନ୍ଧିଲେ ଦିଗ-ଶୂନ୍ୟପଥେ ॥୩୪
ବିଜୁଳିନାଦ ଖରତର । ଦିବସେ କଲେ ଅନ୍ଧକାର ॥୩୫
ପବନ ଘୋରନାଦ କରି । ଶବଦେ କମ୍ପେ ବସୁନ୍ଧରୀ ॥୩୬
ହସ୍ତୀର ଶୁଣ୍ଢ ପ୍ରାୟ ଜଳ । ଧାରା ବରଷନ୍ତି ଗହଳ ॥୩୭
ଜଳର ସଙ୍ଗେ ଶିଳା ପଡ଼ି । ଶବଦ ମେଘ ଘଡ଼ଘଡ଼ି ॥୩୮
ଦଣ୍ତକେ ଉଛୁଳିଲା ମହୀ । ସ୍ଥଳ ଗଭୀର ନ ଦିଶଇ ॥୩୯
ଶୀତ ପବନ ସଙ୍ଗେ ବାରି । କମ୍ପନ୍ତି ଗୋପ ନରନାରୀ ॥୪୦
ଗୋପାଳେ ଦେଖି ବିପରୀତ । ବୋଇଲେ ହୋଇଲୁ ଅନାଥ ॥୪୧
ଯଶୋଦା ନନ୍ଦନର ବୋଲେ । ବିବାଦ କଲୁ ଇନ୍ଦ୍ରତୁଲେ ॥୪୨
ବାଳବଚନ ସତ୍ୟ କରି । ଅନାଥ ହେଲୁ ଗୋପପୁରୀ ॥୪୩
କାହାରେ ପଶିବୁଁ ଶରଣ । ଅକାଳେ ହୋଇଲା ମରଣ ॥୪୪
ଅନାଥ ହୋଇଲୁ ଗୋକୁଳ । ଡ଼ାକନ୍ତ ରଖ ଆଦିମୂଳ ॥୪୫
ହେ କୃଷ୍ଣ ତୋ'ର ବୋଲ କରି । ନିଶ୍ଚେ ବୁଡ଼ିଲା ଗୋପଶିରୀ ॥୪୬
ଗୋରୁଏ ଶିଳା ଜଳେ କମ୍ପି । କୃଷ୍ଣଙ୍କୁ ଚାହାଁନ୍ତି ନିରୋପି ॥୪୭
ଲାଞ୍ଜେ ଆଚ୍ଛାଦି ମୁଖଦେଶେ । ମିଳିଲେ ଗୋବିନ୍ଦର ପାଶେ ॥୪୮
ବୃଦ୍ଧ ବାଳକେ ଥରହର । ଡ଼ାକନ୍ତି ରଖ ଦାମୋଦର ॥୪୯
ତୋରେ ଶରଣ ଗୋପପୁର । ତୁ ନାଥ ଆମ୍ଭ ବଳୀୟାର ॥୫୦
ତୁ ନାଥ ଆମ୍ଭର ପରାଣ । ତୋ ବେଳେ ଗଲା ଆମ୍ଭ ପ୍ରାଣ ॥୫୧
ଥୋକେ ବୋଲନ୍ତି କୃଷ୍ଣ ବୋଲେ । ବିବାଦ କଲୁଁ ଇନ୍ଦ୍ର ତୁଲେ ॥୫୨
ଏ କାହିଁ ରଖିବ ଗୋକୁଳ । ମନୁଷ୍ୟଜନ୍ମ ନନ୍ଦବାଳ ॥୫୩
ସକଳେ ହୋଇଲୁ ନିରେଖ । ଡ଼ାକନ୍ତି ନାରାୟଣ ରଖ ॥୫୪
ମଧୁସୂଦନ ଚକ୍ରଧର । ଅନାଦି ଧର୍ମ ନିରାକାର ॥୮୫
ତୋର ଶରଣୁଁ ଅନ୍ୟ ନାହିଁ । ଗୋକୁଳ ରଖ ଭାବଗ୍ରାହୀ ॥୮୬
ଇନ୍ଦ୍ରର ହୋଇଲୁଁ ବଇରୀ । ବୁଡ଼ିଲା ଗୋପପୁର ଶିରୀ ॥୮୭
ସକଳେ ହୋଇଲୁ ନିରାଶ । ଛାଡ଼ିଲୁଁ ଜୀବନର ଆଶ ॥୮୮
ଗୋପର ଦେଖିଣ ବିକଳ । ହସି ବୋଲନ୍ତି ନନ୍ଦବାଳ ॥୮୯
ଏତ ଅଋତୁ ବରଷଣ । ପ୍ରଚଣ୍ତ ପବନ ପାଷାଣ ॥୯୦
ବରଷା ଋତୁ ଏ ନୁହଁଇ । ଇନ୍ଦ୍ର ବରଷେ କୋପ ବହି ॥୯୧
ବାସବ ମୋତେ ନ ଜାଣଇ । ମନୁଷ୍ୟ ପ୍ରାୟେକ ମଣଇ ॥୯୨
ମୋହର ଜୀବନ ଗୋକୁଳ । ଏହାଙ୍କୁ କରଇ ବିକଳ ॥୯୩
ମୋତେ ସେ କଲା ଏଡ଼େ କର୍ମ । ଭୋଳେ ହୋଇଲା ମତିଭ୍ରମ ॥୯୪
ପୂର୍ବେ ଏ ଅଛି ତପ ଦାହୀ । ମୋହର ପାଦେ ଚିତ୍ତ ଦେଇ ॥୯୫
କେମନ୍ତେ ନାଶିବି ସମ୍ପଦ । ମୋହର ଦେଲା ଇନ୍ଦ୍ରପଦ ॥୯୬
ଏହାର ଗର୍ବ ଆଜ ନାଶି । ପୁଣି ମୁଁ ସ୍ଥାପିବି ଆଶ୍ୱାସି ॥୯୭
ମୋହର ଭାବ ଯେ ଜାଣଇ । ତାହାର ଦେହେ ଗର୍ବ ନାହିଁ ॥୯୮
ଗର୍ବଗଞ୍ଜନେ ବାନା ମୋର । ଦୁଷ୍ଟଦଳନେ ଅବତାର ॥୯୯
ମୋର ସମ୍ପଦ ଗୋପପୁରୀ । ମୁହିଁ ସେ ଗୋପପୁର ଶିରୀ ॥୧୦୦
ମୋତେ ମାରିବ ବୋଲେ କୋପେ । ଇନ୍ଦ୍ର ହିଁ ଆସିଅଛି ଗୋପେ ॥୧୦୧
ଅଇରାବତ ସେ ଆରୋହି । ବଜ୍ର ମାରଇ ମୋତେ ଚାହିଁ ॥୧୦୨
ଆଜ ମୁଁ ରଖିବି ଗୋକୁଳ । କେ ସହୁ ଗୋରୁଙ୍କ ବିକଳ ॥୧୦୩
ଏମନ୍ତ ବିଚାରି ଅନନ୍ତ । ବଢ଼ାଇ ଦେଲେ ବାମହସ୍ତ ॥୧୦୪
ପର୍ବତ ଥିଲା ନଦୀତୀରେ । ଗୋବିନ୍ଦ ଉପାଡ଼ିଲେ ହେଳେ ॥୧୦୫
ଅଚଳ ମୃତ୍ତବନ୍ତ ହୋଇ । ଶ୍ରୀଭୁଜେ ବସିଲାକ ଯାଇ ॥୧୦୬
ଜାଣି ସେ କୃଷ୍ଣ ନିଜ ଧାମ । ପର୍ବତ ତେଜିଲା ଆଶ୍ରମ ॥୧୦୭
ଯହୁଁ ସେ ପ୍ରଭୁ ଦେବରାଜ । ବିସ୍ତାର କଲେ ମହାଭୁଜ ॥୧୦୮
କରେ ପର୍ବତ ବସାଇଲେ । ବିଶ୍ୱମୂରତି ପ୍ରକାଶିଲେ ॥୧୦୯
ଛତ୍ର ପ୍ରାୟେକ ଗିରି ତୋଳି । ଡ଼ାକନ୍ତି ପ୍ରଭୁ ବନମାଳୀ ॥୧୧୦
ହେ ତାତ ମାତ ଗୋପବାଳେ । ବହନ ପଶ ଗିରିତଳେ ॥୧୧୧
ଗୋରୁ ଗୋପାଳ ଆଦିକରି । ସର୍ବସମ୍ପଦ ନରନାରୀ ॥୧୧୨
ନିର୍ଭୟ ହୋଇ ସର୍ବେ ପଶ । ମନେ ନ କର କିଛି ତ୍ରାସ ॥୧୧୩
ହସି ବୋଲନ୍ତି ପୀତବାସ । ତୁମ୍ଭେ ଯେ ମୋହର ବିଶ୍ୱାସ ॥୧୧୪
ମୋହର କରେ ଗିରି ଥିବ । ତୁମ୍ଭ ଉପରେ ନ ପଡ଼ିବ ॥୧୧୫
ପୁଷ୍ପ ହୁଁ ଉଶ୍ୱାସଟି ମୋତେ । ତୁମ୍ଭେ ନ ଯାଅ ଅପରତେ ॥୧୧୬
ତୁମ୍ଭର ହିତେ ଗିରିବରେ । ଦେଖ ତୋଳିଲି ବାମକରେ ॥୧୧୭
ତୁମ୍ଭେ ଯେ ମଲେ ହତ୍ୟା ମୋର । କହନ୍ତି ପ୍ରଭୁ ଦାମୋଦର ॥୧୧୮
ତୁମ୍ଭର ହିତେ ମୋହ ଦେହୀ । ଜନ୍ମିଛି ନରଦେହ ବହି ॥୧୧୯
ମୋହର ବୋଲେ ଯଜ୍ଞ ଭାଜି । ଏବେ ହୋଇଲେ ଇଦ୍ରେ ଗଞ୍ଜି ॥୧୨୦
ମୁଁ ଆଜ ରଖିବି ତୁମ୍ଭଙ୍କୁ । କିମ୍ପାଇ ଡ଼ର ବାସବକୁ ॥୧୨୧
ନିର୍ଭୟ ଚିତ୍ତେ ସର୍ବେପଶ । ପର୍ବତ ବଡ଼ଇ ଉଶ୍ୱାସ ॥୧୨୨
ଭୃତ୍ୟଙ୍କ ଛଳେ ନରହରି । ତୋଳିଲେ ଗୋବର୍ଦ୍ଧନ ଗିରି ॥୧୨୩
କୃଷ୍ଣବଚନେ ସୁଖଭୋଳେ । ପଶିଲେ ପର୍ବତର ତଳେ ॥୧୨୪
ଯାହାର ଘରେ ଯେତେ ଦ୍ରବ୍ୟ । ପଶିଲେ ସଙ୍ଗେ ଘେନି ସର୍ବ ॥୧୨୫
ଗିରିକନ୍ଦରେ ଗଲେ ପଶି । ଶ୍ରୀକୃଷ୍ଣ ବଚନେ ବିଶ୍ୱାସି ॥୧୨୬
ଦାସବତ୍ସାଳ ବନମାଳୀ । ପୁଷ୍ପର ପ୍ରାୟେ ଗିରି ତୋଳି ॥୧୨୭
ବାମ-କନିଷ୍ଠ-ଅଙ୍ଗୁଳିରେ । ଗୋବିନ୍ଦ ବସାଇଲେ ଧୀରେ ॥୧୨୮
ଅଙ୍ଗୁଳି-ଅଗ୍ରେ ଗିରି ଦେଖି । ଭୟେ ବୁଜିଲେ ସର୍ବେ ଆଖି ॥୧୨୯
ଗୋପୀଏ ଗୁରୁଙ୍କର ମେଳେ । ଅନାଇ କାନ୍ଦନ୍ତି ବିକଳେ ॥୧୩୦
ବୋଲନ୍ତି ଏବେ ନାଶଗଲୁ । ଗିରିକନ୍ଦରେ ପ୍ରାଣ ଦେଲୁ ॥୧୩୧
ସାତ ବରଷ ପୁଅ କରେ । ପର୍ବତ ଅଙ୍ଗୁଳି ଅଗ୍ରରେ ॥୧୩୨
ଏ କେତେବେଳ ଧରିଥିବ । ପବନ ବହିଲେ ପଡ଼ିବ ॥୧୩୩
କୋପ କରିଛି ଇନ୍ଦ୍ରରାଜା । ଆମେ ନ ଦେଲୁ ବଳି ଭୋଜା ॥୧୩୪
ନନ୍ଦର ସୁତ ଆମ୍ଭ କାଳ । ତୋବୋଲେ ବୁଡ଼ିଲା ଗୋକୁଳ ॥୧୩୫
ଏମନ୍ତେ ପର୍ବତକୁ ଚାହିଁ । ଗୋପୀଙ୍କ ଦେହେ ପ୍ରାଣ ନାହିଁ ॥୧୩୬
ସମସ୍ତ ଚକ୍ଷୁ ଏକମେଳେ । ଥୋଇଲେ କୃଷ୍ଣ କରତଳେ ॥୧୩୭
କ୍ଷୁଧା ପିପାସେ ନାହିଁ ମନ । ନିମିଷେ କଲେ ସାତଦିନ ॥୧୩୮
କୃଷ୍ଣର ମାୟାଯୋଗ ବଳେ । ରାତ୍ର ଦିବସ ନ ଜାଣିଲେ ॥୧୩୯
କୃଷ୍ଣଙ୍କୁ ବୋଲନ୍ତି ଗୋପାଳେ । ଗିରି ଧଇଲୁ ବାଳକାଳେ ॥୧୪୦
ଆମ୍ଭଙ୍କୁ ଲାଗୁଅଛି ଭୟ । ମରଣ ହୋଇଲା ନିଶ୍ଚୟ ॥୧୪୧
ଆସ ହୋ ଗୋପାଳେ ସମସ୍ତେ । ଗିରି ଧରିବା ଯେଝାମତେ ॥୧୪୨
ବାଳୁତ ପୁଅ ହସ୍ତେ ମେରୁ । ଏଡ଼େ ଅଚଳ ମହାଗରୁ ॥୧୪୩
ପଡ଼ିଲେ ସମସ୍ତେ ମରିବା । ଯେ ଯାହା ମତେ ଧରିଥିବା ॥୧୪୪
ଏତକ ବୋଲିଣ ଗୋପାଳେ । ଲଉଡ଼ି ଦେଲେ ଗିରିମୂଳେ ॥୧୪୫
ଯେ ଯାହା ଅନୁରୂପେ ଧରି । ରହିଲେ ଗୋପ ନରନାରୀ ॥୧୪୬
ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା । ସପତ ଦିନ ବରଷିଲା ॥୧୪୭
ପ୍ରଳୟକାରୀ ମେଘମାଳ । ଫୁଟିଣ ହୋଇଲେ ନିର୍ଜଳ ॥୧୪୮
ପବନ ଚଳି ନ ପାରିଲେ । ଅଳପ ଅଳପ ବହିଲେ ॥୧୪୯
ବିଜୁଳି ମେଘେ ଲୀନ ହେଲା । ଶବଦ ନିଶ୍ଚଳ ହୋଇଲା ॥୧୫୦
ଦେଖି କମ୍ପିଲା ସୁରପତି । ଆରୋହି ଐରାବତ ହସ୍ତୀ ॥୧୫୧
ଆପଣା କରେ ବଜ୍ର ଘେନି । କୋପେ ଧାଇଁଲା ସସ୍ରଯୋନି ॥୧୫୨
ସହସ୍ର ଧାର ଶକ୍ତି ତୋଳି । ମନେ ଜାଣିଲେ ବନମାଳୀ ॥୧୫୩
ଇନ୍ଦ୍ର ଯେ ଆସୁଅଛି ରଙ୍ଗେ । ମାରିବ ଗୋବର୍ଦ୍ଧନ ଅଙ୍ଗେ ॥୧୫୪
ବଜ୍ରେ ପର୍ବତ ହେବ ଧ୍ୱଂସ । ଗୋପୀଗୋପାଳେ ଯିବେ ନାଶ ॥୧୫୫
ଏତେ ବିଚାରି ଚକ୍ରଧାରୀ । ପର୍ବତ ଚକ୍ରେଣ ଉହାଡ଼ି ॥୧୫୬
କୋପ ଯେ ହୋଇ ସୁରପତି । ବଜ୍ର ପ୍ରହାର କଲା ଧାତି ॥୧୫୭
ପର୍ବତେ ପଡ଼ି ବଜ୍ର ଶର । ଝଲକି ଉଠିଲା ଅନଳ ॥୧୫୮
ଦେଖି କ୍ରୋଧଇ ସୁରେଶ୍ୱର । ପୁଣି କଲାକ ସେ ପ୍ରହାର ॥୧୫୯
ବାସବ ଦେହେ ଶସ୍ତ୍ର ବାଜି । ପୁଣି ପିଟିଲା ଗଳଗାଜି ॥୧୬୦
ଚକ୍ରେ ପଡ଼ନ୍ତେ ବଜ୍ରଶର । ମୁଖରୁ ବହିଲା ରୁଧିର ॥୧୬୧
ସର୍ମ ପାଇଲା ସୁରପତି । ଜାଣିଲା ନିଶ୍ଚେ ଏ ଶ୍ରୀପତି ॥୧୬୨
ଇନ୍ଦ୍ରର କରେ ଶସ୍ତ୍ର ନାହିଁ । ବୋଲଇ ମେଘକୁ ଅନାଇ ॥୧୬୩
ଆଉ କି ଗର୍ବ ଅଛି ମୋର । ଗିରି ତୋଳିଲେ ଦାମୋଦର ॥୧୬୪
ରଖିଲେ ଗୋପପୁର ଶିରୀ । ଆସ ହୋ ଯିବା ନିଜ ପୁରୀ ॥୧୬୫
ଏମନ୍ତ ବୋଲି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା ॥୧୬୬
କୃଷ୍ଣ ଯେ ଥିଲେ ଗିରିତୋଳି । ଜାଣିଲେ ମେଘେ ଗଲେ ଚଳି ॥୧୬୭
ହାରିଣ ବାହୁଡ଼ିଲା ଇନ୍ଦ୍ର । ଜାଣିଲେ ପ୍ରଭୁ ଆଦିକନ୍ଦ ॥୧୬୮
ବୋଲନ୍ତି ଗୋପାଳଙ୍କୁ ଚାହିଁ । ବାହାର ହୁଅ ବେଗ ହୋଇ ॥୧୬୯
ଗଗନ ନିର୍ମଳ ଦିଶିଲା । ରବି କିରଣ ପ୍ରକାଶିଲା ॥୧୭୦
ସକଳ ଜଳ ନଦୀମାର୍ଗେ । ପଶିଲେ ସମୁଦ୍ର ସଂଯୋଗେ ॥୧୭୧
ପବନ ବହିଲା ଉଶ୍ୱାସ । ଦିଶିଲା ବନ ଦିଗ ଦେଶ ॥୧୭୨
ଏବେ ବାହାର ହୁଅ ବେଗେ । ନିର୍ମଳ ବନଭୂମି ଭାଗେ ॥୧୭୩
ପର୍ବତ ଧରି ନ ପାରଇ । ପଡ଼ିଲେ ମୋର ଦୋଷ ନାହିଁ ॥୧୭୪
ଶୁଣି ଗୋପାଳେ ଥରହର । ବାହାର ହୋଇଲେ ସତ୍ୱର ॥୧୭୫
ଯେ ଯାହା ଧନ ଦ୍ରବ୍ୟ ଲଇ । ବୃଦ୍ଧ ବାଳକ ବତ୍ସା ଗାଈ ॥୧୭୬
ବାହାର ହୋଇଲେ ସକଳେ । କୃଷ୍ଣ ଚାହିଁଲେ ଗିରିତଳେ ॥୧୭୭
ଦେଖିଲେ ତଳେ ନାହିଁ କେହି । ଗୋପୀ ଗୋପାଳ ବତ୍ସା ଗାଈ ॥୧୭୮
ପରମାନନ୍ଦ ତୋଷମନେ । ଗିରି ସ୍ଥାପିଲେ ଯଥାସ୍ଥାନେ ॥୧୭୯
ଦେଖନ୍ତି ସ୍ୱର୍ଗେ ଦେବତାଏ । ହରଷେ କଲେ ଜୟେ ଜୟେ ॥୧୮୦
ନିବେଶି ନିଜ ସ୍ଥାନେ ଗିରି । ଗୋପେ ମିଳିଲେ ନରହରି ॥୧୮୧
କୃଷ୍ଣଙ୍କୁ ଦେଖିଣ ଗୋପାଳେ । ଧରନ୍ତି ଜଣେ ଜଣେ କୋଳେ ॥୧୮୨
ଦଧି ଅକ୍ଷତ ଜଳ ଘେନି । କୃଷ୍ଣଙ୍କୁ ସିଞ୍ଚନ୍ତି କାମିନୀ ॥୧୮୩
ନନ୍ଦ ରୋହିଣୀ ଯଶୋବନ୍ତୀ । କୃଷ୍ଣଙ୍କୁ କୋଳରେ ବସାନ୍ତି ॥୧୮୪
ଆଶିଷ ଦ୍ୟନ୍ତି ସ୍ନେହଭରେ । ଗୋରଜ ଲେପନ୍ତି ଶରୀରେ ॥୧୮୫
ଆକାଶେ ଥାଇ ଦେବନାରୀ । ସିଦ୍ଧ-ଚାରଣେ ସ୍ତୁତି କରି ॥୧୮୬
ଦୁନ୍ଦୁଭି ବାଦ୍ୟ ଗୀତନାଦେ । ଗନ୍ଧର୍ବେ ମଙ୍ଗଳ ଶବଦେ ॥୧୮୭
ପୁଷ୍ପ ବରଷି ସ୍ତୁତି କରି । ରଙ୍ଗେ ନାଚନ୍ତି ଅପସରୀ ॥୧୮୮
ଦିନକୁ ଦିନ ଅତି ରସ । ଗୋକୁଳେ ରାମ ହୃଷିକେଶ ॥୧୮୯
କୃଷ୍ଣ ମହିମା ଦେଖ ଜନେ । ଆନନ୍ଦ ଗୋପାଳଙ୍କ ମନେ ॥୧୯୦
ହରି ମହିମା ହୃଦେ ଧରି । ଦିନ ବଞ୍ଚନ୍ତି ଗୋପନାରୀ ॥୧୯୧
ସେ ଗିରିଧର ପଦ୍ମପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ ॥୧୯୨
ସେ ରାମକୃଷ୍ଣ ପାଦେ ଆଶ । କହଇ ଜଗନ୍ନାଥ ଦାସ ॥୧୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଡ଼ବିଂଶୋଽଧ୍ୟାୟଃ ॥
</poem>
==='''ସପ୍ତବିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପାଣ୍ତବ-ଚୂଡ଼ାମଣି । ନନ୍ଦନନ୍ଦନ କର୍ମବାଣୀ ॥୧
ଗୋପୀ ଗୋପାଳେ ରୁଣ୍ତ ହୋଇ । କହନ୍ତି ନନ୍ଦକୁ ବସାଇ ॥୨
ମନୁଷ୍ୟ ନୋହେ ତୋ ବାଳକ । ଏହାର କର୍ମମାନ ଦେଖ ॥୩
କେଉଁ ଦେବତା ଗୋପ୍ୟ ହୋଇ । ଜନ୍ମ ହୋଇଲା ଦେହ ବହି ॥୪
ଆମ୍ଭର ବଂଶେଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥୫
ସାତ ବରଷ ତୋର ବାଳ । କରେ ତୋଳିଲା ଗିରିବର ॥୬
ନଳିନୀ ଯେହ୍ନେ ଗଜ-କରେ । ପର୍ବତ ତୋଳିଲା ସଧୀରେ ॥୭
ତିନିଦିନର ତୋର ସୁତ । ପୂତନା ପ୍ରାଣ କଲା ହତ ॥୮
ଅନ୍ତୁଡ଼ି ଉଠିଆରୀ ଦିନେ । ଶକଟ ଭାଙ୍ଗିଲା ଚରଣେ ॥୯
ଦିନେକ ଦ୍ୱାରେ ବସିଥିଲା । ତୃଣାବର୍ତ୍ତ ଯେ ହରିନେଲା ॥୧୦
ଗଗନେ ନେଇ ତା' ମାଇଲା । ଶିଳାରେ ପଡ଼ି ଉବୁରିଲା ॥୧୧
ଦଧିମନ୍ଥନ ବେଳେ ଧରି । ରୋଳେ ବାନ୍ଧିଲା ତୋର ନାରୀ ॥୧୨
ଘରୁ ବାହାର ହୋଇଗଲା । ବୃକ୍ଷର ତଳରେ ମିଳିଲା ॥୧୩
ବୃକ୍ଷ ମଧ୍ୟରେ ପଶିଗଲା । ଯାମଳା ଅର୍ଜୁନ ଭାଙ୍ଗିଲା ॥୧୪
ଅଘା ଦଇତ ବାଳକାଳେ । ମାଇଲା କୁମାରଙ୍କ ମେଳେ ॥୧୫
ଦିନେକ ବକ ଗିଳୁଥିଲା । ସେ ପୁଣି କେମନ୍ତେ ଜାଣିଲା ॥୧୬
ବକାସୁରକୁ କରେ ଧରି । ଚିରିଲା ବେନିଫାଳ କରି ॥୧୭
ଧେନୁକା ତାଳବନେ ନାଶି । ଫଳ ଆଣିଲା ମନ ତୋଷି ॥୧୮
ପ୍ରଳମ୍ବା ଯୁଦ୍ଧେ ମରାଇଲା । ଗୋକୁଳ ଅନଳୁଁ ତାରିଲା ॥୧୯
ଜାଣୁ ନା କାଳୀୟର କଥା । କେ ତା'ରେ ଅଛି ସାମରଥା ॥୨୦
ହେଳେ ଗଞ୍ଜିଲା ତା'ର ବଳ । ଅମୃତ କଲା ବିଷଜଳ ॥୨୧
ଲୋଚନେ ତା'ର ମୁଖ ଚାହିଁ । ଗୋପୀଗୋପାଳେ ହେଉଁ ବାଇ ॥୨୨
ଆମ୍ଭର ବଡ଼ଇ ମୁହାଁସ । ବାଳକେ ନଛାଡ଼ନ୍ତି ପାଶ ॥୨୩
ଏବେ ତୋଳିଲା ଗିରିବର । ସାତବରଷ ତୋ' କୁମର ॥୨୪
ଆମ୍ଭେ ପାଇଲୁ ମନେ ଶଙ୍କା । ନନ୍ଦ ତୁ ଏଥେ ଥାଅ ଏକା ॥୨୫
କିଏ ଅସୁର ତୋ'ର କୋଳେ । ଆମ୍ଭଙ୍କୁ ଗିଳିବ ସେ ହେଳେ ॥୨୬
ପଳାଇଯିବୁ ତୋର ପୁରୁ । ତୋର ସୁତକୁ ଆମ୍ଭେ ଡ଼ରୁ ॥୨୭
ଦଇବେ ଆମେ ରାଜଦ୍ରୋହୀ । ଏ ପୁରେ ନ ରହିବୁ କେହି ॥୨୮
ଯେତେ ଅସୁର ମଲେ ଏଥ । ସମସ୍ତେ ରାଜା ଅମନାତ୍ୟ ॥୨୯
ରାଜବଇରୀ ପଣ ହୋଇ । କେ ପ୍ରଜା ନଗ୍ରେ ଥାଇ ରହି ॥୩୦
ଏବେ ହୋଇଲା ବଡ଼ ଭୟ । ଯଜ୍ଞ ଭାଙ୍ଗିଲା ତୋର ପୁଅ ॥୩୧
ଇନ୍ଦ୍ରର ତୁଲେ ବାଦ କରି । କେ ରହିପାରେ ମର୍ତ୍ତ୍ୟପୁରୀ ॥୩୨
ନନ୍ଦ ବୋଇଲା ତାହା ଶୁଣି । ଗୋପବଚନ ପରିମାଣି ॥୩୩
ଶୁଣ ସକଳ ଗୋପଜନ । ଗର୍ଗ ଋଷିଙ୍କର ବଚନ ॥୩୪
ପୁତ୍ରଙ୍କ ନାମକର୍ମ କାଳେ । ମୋତେ କହିଲେ ଏକମେଳେ ॥୩୫
ବୋଇଲେ ତୋର ପୁତ୍ରକଥା । ଜାଣଇଁ ଜନ୍ମର ବାରତା ॥୩୬
ଚାରିଯୁଗରେ ଚାରିବର୍ଣ୍ଣ । ଶୁକ୍ଳ ଶୋଣିତ ପୀତ ଶ୍ୟାମ ॥୩୭
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲା ଦେବକୀ ଉଦରେ ॥୩୮
ଏହାର ନାମ ବାସୁଦେବ । ବିଦିତ ବୋଲନ୍ତି ସାଧବ ॥୩୯
ଏହାର ନାମ ଗୁଣ ଯେତେ । ମୁହିଁ ଜାଣଇ ଯୋଗମତେ ॥୪୦
ଗୋକୁଳ ତାରିବ ଏ ଭଲେ । ସୁଖେ ବଞ୍ଚିବ ଏହା ତୁଲେ ॥୪୧
ପୂର୍ବେ ସାଧବେ ସିଦ୍ଧେ ରହି । ତରିଲେ ଏହା ପାଦ ଧ୍ୟାୟି ॥୪୨
ଏହାର ପାଦେ ସେବା କରି । ହେଳେ ତରିବେ ନରନାରୀ ॥୪୩
ହେ ନନ୍ଦ ଶୁଣ ସାବଧାନ । ମନୁଷ୍ୟ ନୋହେ ତୋ' ନନ୍ଦନ ॥୪୪
ଦେଖ ଏହାର ବର୍ଣ୍ଣଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ ॥୪୫
ଏମନ୍ତ କହିଗଲେ ମୁନି । ତାହାଙ୍କ ବୋଲ ଶିରେ ଘେନି ॥୪୬
ମଣିଲି ନାରାୟଣ ପ୍ରାୟ । ତୁମ୍ଭେ ନ କର ମନେ ଭୟ ॥୪୭
ପୁତ୍ରର ଜନ୍ମ ତିନିଦିନେ । ଅଇଲି ମଥୁରା ଭୁବନେ ॥୪୮
କଂସ ବିଡ଼ିଆକର ଘେନି । ରହିଲି ସେଦିନ ରଜନୀ ॥୪୯
ନବରେ ଦେଖି ବସୁଦେବ । ସେ ମୋର ପ୍ରିୟ ମିତ୍ରଭାବ ॥୫୦
ଏହାର ଯେତେ କଥାମାନ । ଯାହା କହିଲେ ତପୋଧନ ॥୫୧
ମୁଁ ହାଦେ ହେଜୁଥାଇ ବସି । ପ୍ରିୟବଚନ ଅହର୍ନିଶି ॥୫୨
ଆବର କଥା ଏକ ଶୁଣ । କହି ଅଛନ୍ତି ତପୋଧନ ॥୫୩
ଏ ପୁତ୍ର ଯେତେ ଯେତେ କଥା । ଏଥକୁ ନ କରିବୁ ବ୍ୟଥା ॥୫୪
ଯେତେ ଅରିଷ୍ଟ ତୋର ପୁରେ । ମରିବେ ଯେତେକ ଅସୁରେ ॥୫୫
ଏଥକୁ ନ ପାଇବୁ ଚିନ୍ତା । ତୋ' ପୁତ୍ର ପ୍ରତ୍ୟକ୍ଷେ ବିଧାତା ॥୫୬
ମୋତେ ଅଛନ୍ତି ଏତେ କହି । ଏଥକୁ ନ ବିଚାର କେହି ॥୫୭
ଏମନ୍ତ ନନ୍ଦ ମୁଖୁଁ ଶୁଣି । ଗର୍ଗବଚନ ମନେ ଗୁଣି ॥୫୮
ନନ୍ଦବଚନେ ମନଦେଇ । ଶଙ୍କା ଛାଡ଼ିଲେ କୃଷ୍ଣେ ଚାହିଁ ॥୫୯
ଆନନ୍ଦେ ଆଲିଙ୍ଗନ କରି । ମାୟା ମୋହିଲେ ନରହରି ॥୬୦
ଗୋପାଳେ ହୋଇଲେ ହରଷ । କୃଷ୍ଣଙ୍କୁ ଚାହିଁ ହସହସ ॥୬୧
ଆନନ୍ଦେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ କର ତ୍ରାହି ॥୬୨
ବାସବ ତ୍ରାସୁ ଯେ ତାଲିଲା । ପର୍ବତ କରେ ଉପାଡ଼ିଲା ॥୬୩
ସେ ଆମ୍ଭ ରଖୁ ସର୍ବକାଳେ । ଗୋରୁ ଗୋପାଳ ଏକମେଳେ ॥୬୪
ଶରଣ ଗଲୁଁ ତା'ର ପାଦେ । ଗୋପାଳେ ବୋଲନ୍ତି ଆନନ୍ଦେ ॥୬୫
ହରିଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି ॥୬୬
ଆନନ୍ଦମନେ କର ଲୟ । ହେଲେ ତାରିବେ ଦେବରାୟ ॥୬୭
ସୁଜନଜନେ ଏଣେ ରସ । ହେଳେ ଖଣ୍ତିବ ମୋହପାଶ ॥୬୮
ହରିଚରଣ ଆଶ୍ରା କର । ଆଉ ନ ଥିବ ଦୁଃଖ ଘୋର ॥୬୯
ବୋଲଇ ଦାସ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥୭୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତବିଂଶୋଽଧ୍ୟାୟଃ ॥
</poem>
==='''ଅଷ୍ଟାବିଂଶ ଅଧ୍ୟାୟ'''===
<poem>
ବ୍ୟାସନନ୍ଦନ ହରଷିତ । ବୋଲନ୍ତି ଶୁଣ ନରନାଥ ॥୧
କୃଷ୍ଣଙ୍କୁ କରି ଅପରାଧ । ଇନ୍ଦ୍ର ପାଇଲା ମନେ ଖେଦ ॥୨
ଭାଳଇ ମନର ବିଷାଦେ । ଦ୍ରୋହ ଯେ କଲି ପଦ୍ମପାଦେ ॥୩
ଅଜ୍ଞାନେ ହୋଇଲି ମୁଁ ବାଇ । ଆଉ ସମ୍ପଦ ମୋର କାହିଁ ॥୪
କାହାରେ ପଶିବି ଶରଣ । ନିଶ୍ଚୟ ହୋଇଲା ମରଣ ॥୫
ଯାହାର ମହିମା ଅନନ୍ତ । ହୃଦରେ ଅଛଇ ଜଗତ ॥୬
ତା'ରେ ବଇରୀପଣ ହୋଇ । କେ ଥିଲା ଥିବ ଦେହ ବହି ॥୭
କି ବୁଦ୍ଧି କରିବଇଁ ଆଜ । ଭୟେ କମ୍ପଇ ଦେବରାଜ ॥୮
ସୁରଭି ସ୍ୱର୍ଗପୁରେ ଥିଲା । ଇନ୍ଦ୍ରର ରୋଦନ ଶୁଣିଲା ॥୯
ବୋଲଇ ଇନ୍ଦ୍ର ମୁଖ ଚାହିଁ । ରୋଦନ କରୁ କାହିଁପାଇଁ ॥୧୦
ଇନ୍ଦ୍ର ବୋଇଲେ ଶୁଣ ମାତ । କୃଷ୍ଣ ନ ଭାବି ଚଉମାଥ ॥୧୧
ବତ୍ସା ବାଳକ ହରିନେଲା । ଆପଣା ଭୁବନେ ଥୋଇଲା ॥୧୨
କୃଷ୍ଣ ତା'ଜାଣି ବିଚାରିଲେ । ବତ୍ସା ବାଳକ ଭିଆଇଲେ ॥୧୩
ଲଜ୍ଜା ପାଇଲେ ବେଦପତି । ବେଦେ ଅନେକ କଲେ ସ୍ତୁତି ॥୧୪
ଏ କଥା ଥିଲି ମୁହିଁ ଜାଣି । କାଳେ ପାସୋର ଗଲା ପୁଣି ॥୧୫
ନ ଜାଣି ହୋଇଲଇଁ ବଣା । ଲୋଚନ ଥାଇ ହେଲି କଣା ॥୧୬
କେମନ୍ତେ ଚାହିଁବି ତା' ମୁଖ । ଏତେ ହୋଇଲା ବଡ଼ଦୁଃଖ ॥୧୭
ସୁରଭି ବୋଇଲେ ତୁ ଜାଣି । ଦ୍ରୋହ ଚିନ୍ତୁଲୁ ଚକ୍ରପାଣି ॥୧୮
ଏମନ୍ତେ କଲୁ ଅପରାଧ । ସେ ତୋତେ ଦେଇଛି ସମ୍ପଦ ॥୧୯
ଅଜ୍ଞାନ ମତ୍ତବୁଦ୍ଧି ଫଳେ । ଦ୍ରୋହ ଯେ କଲୁ ପାଦତଳେ ॥୨୦
ମହିମା ନ ଜାଣୁ ତାହାର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥୨୧
ଦାସବତ୍ସଳ ପାଦଯୁଗେ । ଶରଣ ପଶଯାଇ ବେଗେ ॥୨୨
ତୋ'ର ରକ୍ଷକ କେହି ନାହିଁ । ବିଶ୍ୱ ସଂସାରେ ଦେହ ବହି ॥୨୩
ଶୋକ ସଂହରି ଦେବରାୟ । ଶରଣ ପଶ କୃଷ୍ଣପାୟେ ॥୨୪
ମୋହର ପଛେ ଥାଅ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥୨୫
ସ୍ତୁତି କରିବି ତୋ'ର ପାଇଁ । ତାହାର ନାମ ଭାବଗ୍ରାହୀ ॥୨୬
ଚରଣେ ପଶ ଯା'ଶରଣ । ତୋତେ ରଖିବେ ନାରାୟଣ ॥୨୭
ଏମନ୍ତ କହି ଲୋକମାତ । ଘେନି ଚଳିଲେ ସୁରନାଥ ॥୨୮
ମିଳିଲେ ବୃନ୍ଦାବନେ ଯାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୨୯
ଗାଈ ଚରାଉଥିଲେ ବନେ । ଗୋପାଳମେଳେ ବେଣୁସ୍ୱନେ ॥୩୦
ଘୋର ଗହନେ ପଶିଗଲେ । ଗୋପାଳ ପୋଏ ନଜାଣିଲେ ॥୩୧
ଇନ୍ଦ୍ର ସୁରଭି ଯହିଁ ଛନ୍ତି । ଜାଣିଲେ ପ୍ରଭୁ ଶିରୀପତି ॥୩୨
ମିଳିଲେ ସୁରଭିର ଲାଗେ । ଇନ୍ଦ୍ର ହିଁ ଅଛି ପୃଷ୍ଠଭାଗେ ॥୩୩
ସୁରଭି ଦେଖି ତୋଷଚିତ୍ତେ । ନମିଲା କୃଷ୍ଣ ପାଦଗତେ ॥୩୪
ସ୍ତୁତି କରଇ କୃଷ୍ଣେ ଚାହିଁ । ବୋଲଇ ଶିରେ କରଦେଇ ॥୩୫
ଭୋ ନାଥ ଶୁଣ ନରହରି । ଇନ୍ଦ୍ର ଯେ ତୋତେ ହେୟ କରି ॥୩୬
ଘୋର ବରଷଣ ବିବାଦେ । ଦ୍ରୋହ ଯେ କଲା ପଦ୍ମପାଦେ ॥୩୭
ସମ୍ପଦ ଦେଇଛୁ ତାହାରେ । ଏବେ ଶରଣ ତୋ'ପୟରେ ॥୩୮
ଲୁଚିଣ ଅଛି ମୋର ପଛେ । ଭୋ ନାଥ ଦେଖସି ପ୍ରତ୍ୟକ୍ଷେ ॥୩୯
ଶୁଣି ଚାହିଁଲେ ଗିରିଧର । ବାସବ ପଡ଼ିଲା ପୟର ॥୪୦
ଭୟେ କମ୍ପଇ ତା'ର ଦେହୀ । ଦନ୍ତେ ତିରଣ ଅଛି ଦେଇ ॥୪୧
ପୁଣି ଉଠିଲା ଭୟଚିତ୍ତେ । କର ଅଞ୍ଜଳି ଦେଇ ମାଥେ ॥୪୨
ଶିର ନିବେଶି ପଦ୍ମପାଦେ । ବୋଲଇ ଶୋକ ଗଦଗଦେ ॥୪୩
;ଇନ୍ଦ୍ର ଉବାଚ
ଭୋ ନାଥ ଆଦିନିରଞ୍ଜନ । ଜ୍ୟୋତି ପ୍ରକାଶ ମହାଶୂନ୍ୟ ॥୪୪
ଗୁଣେ ପ୍ରକାଶ ତୋ'ର ନାହିଁ । ଭକତହିତେ ବହୁ ଦେହୀ ॥୪୫
ମାୟା-ମୋହିତ-ଭବଜଳେ । ତୋର ବିାହାର ଯୋଗବଳେ ॥୪୬
ଲୋଭର ମୂଳେ ଷଡ଼ ଅରି । ତୋହର ମହିମା ଆବୋରି ॥୪୭
ନିରତେ ଭ୍ରମାନ୍ତି ଶୟଳେ । ତୋହର ମାୟାଚକ୍ର ବଳେ ॥୪୮
ଜଗତ ହୋଏ ଆତଯାତ । ତୋହର ମାୟାରେ ଅନନ୍ତ ॥୪୯
ତୁହି ସେ ମାୟାକୁ ଆବୋରି । ଶରୀର ବହୁ ନରହରି ॥୫୦
ଦୁଷ୍ଟଙ୍କୁ ଦଣ୍ତିବାରେ ଆଶେ । ସାଧୁଙ୍କୁ ରଖୁ ତୁ ବିଶ୍ୱାସେ ॥୫୧
ଜଗତ-ତାତ-ମାତ ତୁହି । ତୁ ଦଣ୍ତଧର ଭାବଗ୍ରାହୀ ॥୫୨
ତୋହର ସମ୍ପଦ ଆବୋରି । ଯେ ବୋଲେ ମୋହରି ମୋହରି ॥୫୩
ତାହାଙ୍ଗ ଗର୍ବ ନାଶିବାରେ । ଜନମ ହେଉ ଏ ସଂସାରେ ॥୫୪
ମୋହର ପ୍ରାୟେ ଜ୍ଞାନ ହାରି । ଯେ ତୋର ସମ୍ପଦ ଆବୋରି ॥୫୫
ଗର୍ବବହନ୍ତି ଦୁଷ୍ଟ ଚିତ୍ତେ । ତାହାଙ୍କୁ ଦଣ୍ତୁ ତୁ ଉଚିତେ ॥୫୬
ଗର୍ବଗଞ୍ଜନ ତୋର ଦେଖି । ଭୟେ ମୁଦ୍ରିତ ବେନି ଆଖି ॥୫୭
ତକ୍ଷଣ ଗର୍ବ ଦୂରକରି । ତୋହର ମହିମା ସୁମରି ॥୫୮
ତୋତେ ଭଜନ୍ତି ସାଧୁଚିତ୍ତେ । ଖଳନାଶନ ଦେଖି ତୋତେ ॥୫୯
ଏବେ ମୁଁ କଲି ଅପରାଧ । ଭୋ ନାଥ ରଖ ପଦ୍ମପାଦ ॥୬୦
ଏ ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥୬୧
ଅଜ୍ଞାନମତେ ଭୋଗ ପାଇ । ଭୋଳ ହୋଇଲି ଭାବଗ୍ରାହୀ ॥୬୨
ଭାରାନିବାରେ ତୋ'ର ଜାତ । ତୋହର ସଞ୍ଚିଲା ଜଗତ ॥୬୩
ଅବନୀଭାରା ନାଶ କରି । ସାଧୁଙ୍କୁ ରଖୁ ନରହରି ॥୬୪
ନମଇ ପରମ ମଙ୍ଗଳ । ପରମ ଆତ୍ମା ଆଦିମୂଳ ॥୬୫
ନମଇଁ ବସୁଦେବ ସୁତ । ଯାଦବବଂଶ ଦଇବତ ॥୬୬
ଶୁଦ୍ଧମୂରତି ଦିବ୍ୟଜ୍ଞାନ । ଇଚ୍ଛାଏ ହେଉ ନାନାବର୍ଣ୍ଣ ॥୬୭
ସକଳଜୀବ ଆଦିପିତା । ନମଇଁ କଇବଲ୍ୟଦାତା ॥୬୮
ତୁ ଦେଲୁ ଇନ୍ଦ୍ରପଦ ମୋତେ । ଦ୍ରୋହ ଚିନ୍ତିଲି ମୁହିଁ ତୋତେ ॥୬୯
ଅଳପ ଲୋକ ମୁଁ ସ୍ୱଭାବେ । ମୋତେ ଥୋଇଲୁ ଇନ୍ଦ୍ରପଦେ ॥୭୦
ମୁଁ ଛାର ନୁହଁଇ ଭାଜନ । ତୁ କି ନ ଜାଣୁ ଭଗବାନ ॥୭୧
ଅଳପଲୋକେ ସୁଖ ଦେଲେ । ଆବୋରି ନ ପାରଇ ଭଲେ ॥୭୨
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥୭୩
ତୋ'ର ଚରଣୁଁ ନାହିଁ ଆନ । ଶରଣ ରଖ ଭଗବାନ ॥୭୪
ଶୁକ ବୋଲନ୍ତି ଶୁଣ ରାୟେ । କମ୍ପଇ ବାସବର କାୟେ ॥୭୫
ଦାସବତ୍ସଳ ଭାବଗ୍ରାହୀ । ବୋଲନ୍ତି ଇନ୍ଦ୍ରମୁଖ ଚାହିଁ ॥୭୬
ମେଘ-ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି ଚକ୍ରପାଣି ॥୭୭
;ଭଗବାନ ଉବାଚ
ଶୁଣ ହୋ ତ୍ରିଦଶର ନାଥ । ତୋ'ର ଦେଖିଲୁ ଦୁଷ୍ଟଚିତ୍ତ ॥୭୮
ମୋର ସମ୍ପଦେ ଅନ୍ଧ ହୋଇ । ମୋତେ ନ ଚିହ୍ନୁ ଗର୍ବ ବହି ॥୭୯
ତୋତେଟି ଅଛି ମୋର ଦୟା । ତେଣୁଟି ଦେଖାଇଲି ମାୟା ॥୮୦
ଭାଙ୍ଗିଲି ତୋ'ର ଯଜ୍ଞକର୍ମ । ତୁ ଯେଣୁ ହେଲୁ ମତିଭ୍ରମ ॥୮୧
ଛାଡ଼ିଲୁ ମୋର ପାଦଚିନ୍ତା । ସମ୍ପଦେ ହୋଇଲୁ ଅଚେତା ॥୮୨
ଯେ ମୋ ସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ମୋତେ ନ ଜାଣଇ ॥୮୩
ସେ ଅପରାଧେ ଦଣ୍ତ ପାଇ । ତାହାର ସୁଖ ଲେଶ ନାହିଁ ॥୮୪
ଯାହାକୁ ହୁଅଇ ସଦୟେ । ସମ୍ପଦ ହରଇ ଥୋକାଏ ॥୮୫
ପୁଣି ଜାଣଇ ଯେବେ ମୋତେ । ନାମ ଜପଇ ହୃଦଗତେ ॥୮୬
ମୋହର ଭାବେ ଯେ ପଶଇ । ଜନ୍ମ-ମରଣ ତାର ନାହିଁ ॥୮୭
ଏବେ ତୁ ନିଜପୁରେ ଯାଅ । ମୋହର ପାଦେ ଚିତ୍ତ ଦିଅ ॥୮୮
ମୋହର ଆଜ୍ଞା ଘେନି ଶିରେ । ଗର୍ବ ନ ଥାଉ ତୋ' ଶରୀରେ ॥୮୯
ଇନ୍ଦ୍ରକୁ ଦେଖି ତୋଷଚିତ୍ତ । ସୁରଭି ନମଇ ଅଚ୍ୟୁତ ॥୯୦
ତକ୍ଷଣେ ହୃଷ୍ଟମୁଖ ହୋଇ । ସ୍ତୁତି କରଇ କୃଷ୍ଣେ ଚାହିଁ ॥୯୧
ହେ କୃଷ୍ଣ ତୁ ପରମଯୋଗୀ । ବିଶ୍ୱ ସଂସାରେ ବିଶ୍ୱଭୋଗୀ ॥୯୨
ତୁ ଆମ୍ଭ ପାଳକ ଗୋପାଳ । ନମସ୍ତେ ପ୍ରଭୁ ଆଦିମୂଳ ॥୯୩
ଆମ୍ଭର ଇନ୍ଦ୍ର ଅଟୁ ତୁହି । ତୋ' ପାଦୁଁ ଅନ୍ୟ ଗତି ନାହିଁ ॥୯୪
ଗୋରୁ-ବ୍ରାହ୍ମଣ-ଦେବଙ୍କର । ତୁ ନାଥ ଶରଣ ସୋଦର ॥୯୫
ବ୍ରହ୍ମାବଚନେ ମୁହିଁ ତୋତେ । ପୂଜିବି ଅଭିଷେକ ମତେ ॥୯୬
ତୁ ନାଥ ଗୋକୁଳର ଇନ୍ଦ୍ର । ନାମ ମୁଁ ଦେବଇଁ ଗୋବିନ୍ଦ ॥୯୭
ତକ୍ଷଣେ ଇନ୍ଦ୍ର ଚଳିଗଲା । ମେଘମାନଙ୍କୁ ଆଜ୍ଞା ଦେଲା ॥୯୮
ଅଇରାବତ ଦିଗପାଳେ । ପାରିଜାତକ ଗଙ୍ଗାଜଳେ ॥୯୯
ବ୍ରହ୍ମଣେ ମିଳି ବେଦନାଦେ । କୃଷ୍ଣେ ସଞ୍ଚିଲେ ଇନ୍ଦ୍ରପଦେ ॥୧୦୦
ସୁରଭି କ୍ଷୀର ବରଷିଲା । ଗୋବିନ୍ଦ ବୋଲି ନାମ ଦେଲା ॥୧୦୧
ନାରଦ ଆଦି ବିଦ୍ୟାଧରେ । ତୁମ୍ବୁରୁ ଚାରଣ କିନ୍ନରେ ॥୧୦୨
ଗୀତବିନୋଦେ ନୃତ୍ୟରଙ୍ଗେ । ସୁସ୍ୱରେ ବାଦ୍ୟନାଦ ସଙ୍ଗେ ॥୧୦୩
ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥୧୦୪
ସୁରଭି ପୟେ ଇନ୍ଦ୍ର ଜଳେ । ଆନନ୍ଦ ହୋଇଲେ ସକଳେ ॥୧୦୫
ମେଦିନୀ କ୍ଷୀର ନୀର ପାଇ । ବରଷାକାଳ ପ୍ରାୟ ହୋଇ ॥୧୦୬
ସରସ ହୋଇ ମହୀରୂହେ । ମଧୁ ବରଷିଲେ ଥୋକାଏ ॥୧୦୭
ଶସ୍ୟ ହୋଇଲା ଆକର୍ଷଣେ । ମଣିଏ ଉପୁଜିଲେ ବନେ ॥୧୦୮
ଗୋବିନ୍ଦ ନାମ ଶୁଣି କର୍ଣ୍ଣେ । ହିଂସା ଛାଡ଼ିଲେ ପଶୁଗଣେ ॥୧୦୯
ଗୋବିନ୍ଦ ଆଜ୍ଞା ଘେନି ଶିରେ । ଦେବେ ଚଳିଲେ ନିଜପୁରେ ॥୧୧୦
ସୁରଭି ଗଲା ତୋଷ ହୋଇ । ଗୋବିନ୍ଦପାଦ ହୃଦେ ଧ୍ୟାୟି ॥୧୧୧
ସୁଜନେ ଗୋବିନ୍ଦର ପାଦେ । ଚିତ୍ତକୁ ମଜ୍ଜାଅ ଆନନ୍ଦେ ॥୧୧୨
ଗୋବିନ୍ଦ ନାମ ଭେଳା କରି । ହେଳେ ତରିବ ଭବବାରି ॥୧୧୩
ସେ ହରି କରୁଣା ସାଗର । ନିର୍ଦ୍ଦୟାଭାବ ନାହିଁ ତା'ର ॥୧୧୪
ବୋଲଇ ଦାସ ଜଗନ୍ନାଥ । ଗୋବିନ୍ଦପାଦେ ଦେଇ ଚିତ୍ତ ॥୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଇନ୍ଦ୍ରସ୍ତୁତିନାମ ଅଷ୍ଟାବିଂଶୋଽଧ୍ୟାୟଃ ॥
</poem>
==='''ଊନତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପରୀକ୍ଷ ରାଜଋଷି । ନନ୍ଦ ଯେ କଲେ ଏକାଦଶୀ ॥୧
ପୂଜା କରାଇ ଚକ୍ରଧର । ରାତ୍ରେ ହୋଇଲେ ଉଜାଗର ॥୨
ଉଛୁର ପାରଣାର ବେଳା । ଯମୁନା ରାତ୍ର ଥାଉଁଗଲା ॥୩
ବରୁଣ ରାଜା ତାହା ଜାଣି । ଦୂତ ପେଷିଲା ପରିମାଣି ॥୪
ବୋଲଇ ଆଣ ହୋ ନନ୍ଦକୁ । ଏଠାରେ ଦେଖିବା କୃଷ୍ଣଙ୍କୁ ॥୫
ଆଜ୍ଞା ପ୍ରମାଣେ ଦୂତ ଗଲେ । ଯମୁନାଜଳେ ଲୁଚିଥିଲେ ॥୬
ଏମନ୍ତ ସମୟରେ ନନ୍ଦ । ଯମୁନା ସ୍ନାହାନେ ଆନନ୍ଦ ॥୭
ଢ଼ାଳ କଠଉ ବସ୍ତ୍ର କୂଳେ । ଥୋଇ ପଶିଲା ଯାଇ ଜଳେ ॥୮
ବରୁଣ ଦୂତେ ଲୁଚିଥିଲେ । ନନ୍ଦକୁ ଯାଇଣ ଧଇଲେ ॥୯
ନନ୍ଦ ବୋଲଇ ନାହିଁ ଦୋଷ । କାହାକୁ କଲି ଅବା କିସ ॥୧୦
କିପାଇଁ ଧରିନିଅ ମୋତେ । ଜାଣିଲେ ଯିବଇଁ ପରତେ ॥୧୧
ଗୋବିନ୍ଦ ମୋହର ତନୟ । ଧନକୁ ମୋର ନାହିଁ ଭୟ ॥୧୨
ଯେତେ ଲୋଡ଼ିବ ଧନ ଦେବି । ଦୋଷ କହିଲେ ମୁଁ ଜାଣିବି ॥୧୩
ନନ୍ଦର ବୋଲ ନ ଶୁଣିଲେ । ଦୂତେ ଯେ ଧରି ଘେନିଗଲେ ॥୧୪
ନନ୍ଦର ଧରି ବେନିକର । ମିଳିଲେ ବରୁଣ ଛାମୁର ॥୧୫
ଦେଖି ବରୁଣ ତୋଷ ହୋଇ । ନନ୍ଦଙ୍କୁ ଆସନେ ବସାଇ ॥୧୬
ବୋଲଇ ନିସ୍ତରିଲି ଆଜ । ଏବେ ଦେଖିବି ଦେବରାଜ ॥୧୭
ଅନେକ ପୂଜା ସନମାନ । ନନ୍ଦଙ୍କୁ କରଇ ବରୁଣ ॥୧୮
ପୂଜା ଗୌରବେ ନନ୍ଦ ରହି । ଏଣେ ଆଦିତ୍ୟ ଉଦେ ହୋଇ ॥୧୯
ଅମୃତ ପାକ ଯେ ସମ୍ପାଇ । ଯଶୋଦା ଛନ୍ତି ବାଟ ଚାହିଁ ॥୨୦
ଅପାର ହୋଇଲାଣି ବେଳ । ରନ୍ଧନ ହୋଇଲା ଶୀତଳ ॥୨୧
ମନ ବଚନେ ଯଶୋବନ୍ତ । ଯେସନେ ଅନାଏ ଯୁବତୀ ॥୨୨
ବାରତା ନ ପାଇଲେ ଯହୁଁ । ମନ ଚଞ୍ଚଳ କଲେ ତହୁଁ ॥୨୩
ଏବେ ହେଁ ନଇଲେଟି ନନ୍ଦ । କି ଅବା ପଡ଼ିଲା ପ୍ରମାଦ ॥୨୪
ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ ॥୨୫
ନନ୍ଦକୁ ନ ଦେଖି ଗୋପାଳେ । କାଳିନ୍ଦୀ ନିକଟେ ମିଳିଲେ ॥୨୬
ସ୍ନାନଶକୁନ ଦେଖି କୂଳେ । ଖୋଜନ୍ତି ଯାଇ ଜଳସ୍ଥଳେ ॥୨୭
ନ ଦେଖି ଅତି ଶୋକଭରେ । କହିଲେ ଯଶୋଦା ଆଗରେ ॥୨୮
ଯଶୋଦା ଶୁଣି ମୋହଗଲା । ନିଚେଷ୍ଟେ ଭୂମିରେ ଶୋଇଲା ॥୨୯
ଗୋପୀଏ ମିଳିଲେ ତୁରିତେ । ତୋଳି ଧଇଲେ କୃଷ୍ଣମାତେ ॥୩୦
ଉଠି ଲୋଡ଼ନ୍ତି ଯଶୋବନ୍ତୀ । ରୋଦନ୍ତି ଗୋକୁଳ ଯୁବତୀ ॥୩୧
ଉଚ୍ଚେ ରୋଦନ୍ତି ଗୋପପୁର । ନନ୍ଦକୁ ଗିଳିଲା କୁମ୍ଭୀର ॥୩୨
ଗୋପାଳେ ଧାଇଁ ଅତି ଖରେ । କହିଲେ ଗୋବିନ୍ଦ ଛାମୁରେ ॥୩୩
ଶୁଣି ଚକିତ ଭାବଗ୍ରାହୀ । କହନ୍ତି ରାମଙ୍କୁ ଅନାଇଁ ॥୩୪
ପିତାଙ୍କୁ ନେଇଛି ବରୁଣ । ପୂଜିବ ମୋହର ଚରଣ ॥୩୫
ଏମନ୍ତେ ଧାଇଁ ବେନିଭାଇ । ଯମୁନାତଟେ ହେଲେ ଯାଇ ॥୩୬
ଦେଖି ଧାମନ୍ତି ଯଶୋବନ୍ତୀ । ଯେସନେ ଅନାଥ ଯୁବତୀ ॥୩୭
ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ ॥୩୮
ବୋଲଇ କୃଷ୍ଣମୁଖ ଚାହିଁ । ଅନାଥ ହୋଇଲି ତ ମୁହିଁ ॥୩୯
କୃଷ୍ଣ କହନ୍ତି ଶୁଣ ମାତ । ଏକ୍ଷଣି ଆଣିବି ମୁଁ ତାତ ॥୪୦
ଏଥକୁ କାନ୍ଦ କାହିଁପାଇଁ । ମୁହିଁ ଆଣିବି ତାତ ଯାଇ ॥୪୧
ରାମଙ୍କୁ ବୋଲନ୍ତି ଅଚ୍ୟୁତ । ତୁ ସ୍ୱାମୀ ରହିଥାଅ ଏଥ ॥୪୨
ମୁହିଁ ପିତାଙ୍କୁ ଆଣେ ଯାଇ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥୪୩
ସମସ୍ତେ ଯାଅ ନିଜ ଘରେ । କହି ଚଳିଲେ କୃଷ୍ଣ ଖରେ ॥୪୪
ବରୁଣପରେ ଦଇତ୍ୟାରି । ମିଳିଲେ ନିଜ ରୂପ ଧରି ॥୪୫
ଦେଖି ସାନନ୍ଦ ଜଳରାଜା । କୃଷ୍ଣଚରଣେ କଲା ପୂଜା ॥୪୬
ବିବିଧମତେ ଉପହାର । ଜାଣଇଁ ପୂଜାର ବେଭାର ॥୪୭
ଅନେକ ମଣିରତ୍ନ ଦେଇ । ପୂଜା କରଇ ଜଳସାଇଁ ॥୪୮
ବନ୍ଦଇ କୃଷ୍ଣର ଚରଣେ । କୁଟୁମ୍ବ ଘେନି ପ୍ରଦକ୍ଷିଣେ ॥୪୯
ପୂଜି ପଡ଼ିଲା କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥୫୦
ଆଜ ଜୀବନ ମୋର ଧନ୍ୟ । ଦେଖିଲି ପ୍ରଭୁ ନିରଞ୍ଜନ ॥୫୧
ସୁତ-କୁଟୁମ୍ବ-ଘରଦ୍ୱାର । ପବିତ୍ର ହୋଇଲା ମୋହର ॥୫୨
ଯାହାର ପାଦରଜ ପାଇ । ଜନ୍ମ ମରଣ ଭୟ ନାହିଁ ॥୫୩
ବ୍ରହ୍ମା ଶଙ୍କର ଯା'ର ନିତ୍ୟେ । ନାମ ଜପନ୍ତି ହୃଦଗତେ ॥୫୪
ତୋହର ପାଦେ ଧ୍ୟାନ କରି । ସୁଖେ ତରନ୍ତି ଭବଭାରି ॥୫୫
ଅରୂପ ରୂପରାଶି ହୋଇ । ମନୁଷ୍ୟ ଦେହେ ବେନି ଭାଇ ॥୫୬
ଯେ ରୂପ ଦେଖିବାର ପାଇଁ । ନିରତେ ହୃଦରେ ଗୁଣଇ ॥୫୭
ବିଚାରେଁ ନନ୍ଦକୁ ଆଣିବି । ଗୋବିନ୍ଦ ଚରଣେ ପୂଜିବି ॥୫୮
ଭୋ ଦେବ ବାଞ୍ଛାକଳ୍ପତରୁ । ତୋ'ର ମହିମା ମହାମେରୁ ॥୫୯
ଯେ ଯାହା ମନେ ତହିଁ ବାଞ୍ଛି । ତୁ ତାହା ଦେଉ ଶିରୀବତ୍ସି ॥୬୦
ମୋହର ମନବାଞ୍ଛା ପୁରି । ଚରଣେ ଦେଖିଲି ମୁରାରି ॥୬୧
ଭୋ ନାଥ ଗର୍ବ ବହି ମୁହିଁ । ତୋର ପିତାକୁ ଆଣିଲଇଁ ॥୬୨
ତୋତେ ଦେଖିବା ମୋର ସଧ । ଭୋ ନାଥ କଲି ଅପରାଧ ॥୬୩
କ୍ଷମାସାଗର ନରହରି । ଶରଣସୋଦର ମୁରାରି ॥୬୪
ବରୁଣେ ଚାହିଁଣ ଶ୍ରୀବତ୍ସି । ବୋଇଲେ ତାତ କାହିଁ ଅଛି ॥୬୫
ଶୁଣି ସାନନ୍ଦ ଜଳପତି । ନନ୍ଦକୁ ଆଣିଲା ତଡ଼ତି ॥୬୬
ବୋଇଲେ ଶିରେ ଦେଇ କର । ଭୋ ନାଥ ନିଅ ତୋ' ପିଅର ॥୬୭
ବରୁଣଭାବ ହୃଦେ ଘେନି । ଦାସବତ୍ସଳ ଅନ୍ତର୍ଯ୍ୟାମୀ ॥୬୮
ନନ୍ଦର କରେ ଦେଇ ହସ୍ତ । ଗୋପେ ମିଳିଲେ ଗୋପୀନାଥ ॥୬୯
ଗୋପାଳେ ଦେଖିଣ ହରଷ । ଆସି ମିଳିଲେ ନନ୍ଦପାଶ ॥୭୦
ନନ୍ଦକୁ ପୁଚ୍ଛନ୍ତି ବାରତା । ଯଶୋଦା ଛାଡ଼ିଲାକି ଚିନ୍ତା ॥୭୧
ନନ୍ଦ ବୋଲଇ ମୋତେ ହରି । ନେଲା ଯେ ଜଳ ଅଧିକାରୀ ॥୭୨
ଦେଖିଲା କୃଷ୍ଣର ବଦନ । ଆଣି ସମର୍ପି ତତ୍କ୍ଷଣ ॥୭୩
ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦ-ବଚନ ପରିମାଣି ॥୭୪
ବୋଲନ୍ତି ବରୁଣ ଯେ ନେଲା । କୃଷ୍ଣଙ୍କୁ ଦେଖି ଛାଡ଼ିଦେଲା ॥୭୫
ନୋହିଲେ ମରନ୍ତା ପିଅର । ଭାଗ୍ୟ ଦିଶିଲା ଗୋପପୁର ॥୭୬
ନନ୍ଦ ଆନନ୍ଦମନ ହୋଇ । ବୋଲନ୍ତି ଗୋପାଳଙ୍କୁ ଚାହିଁ ॥୭୭
ଦେଖିଲି ବରୁଣ ଭୁବନ । ନିର୍ମଳ ହୋଇଲା ନୟନ ॥୭୮
ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦବଚନ ମନେ ଗୁଣି ॥୭୯
ତୁ ଭାଗ୍ୟବନ୍ତ ଗୋପବୀର । ଯାର କୁମର ଦାମୋଦର ॥୮୦
ଆମ୍ଭେ ଦେଖିବୁ ତାହା କାହିଁ । ମର୍ତ୍ତ୍ୟେ ମାନବ ଦେହ ବହି ॥୮୧
ଆମ୍ଭର ଗତି ତୋ' କୁମର । ଗୋକୁଳ ଶରଣ ତାହାର ॥୮୨
ଗୋପଙ୍କ ମନ କୃଷ୍ଣ ଜାଣି । ମାୟା ମୋହିଲେ ଚକ୍ରପାଣି ॥୮୩
ବୋଲନ୍ତି ଜୀବର ବେଭାର । ଭ୍ରମଇଁ ମାୟାଜଡ଼ ଘୋର ॥୮୪
ଆପଣା ଗତି ନ ଜାଣଇ । ନାନା ଯୋନିରେ ଦେହ ବହି ॥୮୫
ଗୋପେ ମୋସଙ୍ଗେ ଭାବକଲେ । ଏହାଙ୍କୁ ଦେଖାଇବି ଭଲେ ॥୮୬
ତକ୍ଷଣେ ଦେଖାଇଲେ ନେଇ । ବରୁଣ ପୁରେ ଭାବଗ୍ରାହୀ ॥୮୭
ପୁଣି ଦେଖାଇ ନିଜପୁର । ଯେ ବଇକୁଣ୍ଠର ବେଭାର ॥୮୮
ଅନନ୍ତ ସତ୍ୟଜ୍ଞାନ ଜ୍ୟୋତି । ବ୍ରହ୍ମାଶଙ୍କର ଯାହା ଚିନ୍ତି ॥୮୯
ଗୋପ-ଗୋପାଳେ କରି ଦୟା । ମାୟାରେ ଦେଖାଇଲେ ତାହା ॥୯୦
ମାୟା ଛାଡ଼ିଲେ ଭଗବାନ । ଗୋପାଳେ ପାଇଲେ ଚେତନ ॥୯୧
ଶୁଣ ପରୀକ୍ଷ ପୁଣ୍ୟଦେହା । ଅକ୍ରୁର ଦେଖିବଟି ତାହା ॥୯୨
ଚେତନା ପାଇଲେ ଗୋପାଳେ । ଆନନ୍ଦେ କୃଷ୍ଣ କଲେ କୋଳେ ॥୯୩
ହରି ମହିମା ଗୋପେ ଦେଖି । ଆନନ୍ଦେ ନୟନେ ନିରେଖି ॥୯୪
ଚକିତେ ନିଜପୁରେ ଯାଇ । କହନ୍ତି ଗୋପୀଙ୍କି ବସାଇ ॥୯୫
ସେ ଗୋପୀ-ଗୋପାଳଙ୍କ ପାୟେ । ସୁଜନଜନେ କର ଲୟେ ॥୯୬
କୃଷ୍ଣ କରିବେ ମୋତେ ତ୍ରାହି । କୃଷ୍ଣହୁଁ ଅନ୍ୟଗତି ନାହିଁ ॥୯୭
କୃଷ୍ଣ ଚରଣେ ଅବିରତ । ନମଇଁ ଦାସ ଜଗନ୍ନାଥ ॥୯୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଊନତ୍ରିଂଶୋଽଧ୍ୟାୟଃ ॥
</poem>
==='''ତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପରୀକ୍ଷ ନରନାଥ । କୃଷ୍ଣଚରିତ ଭାଗବତ ॥୧
ଶରଦକାଳର ଯେ ଶଶୀ । ମଲ୍ଲିକାପୁଷ୍ପ ପ୍ରାୟେ ଦିଶି ॥୨
ଦେଖି ସାନନ୍ଦ ଦାମୋଦର । ମାୟାମନୁଷ୍ୟ ମାୟାଧର ॥୩
ଗୋବିନ୍ଦ ବିଚାରନ୍ତି ମନେ । ଆଜ ରମିବା ବୃନ୍ଦାବନେ ॥୪
ଷୋଳସହସ୍ର ଗୋପନାରୀ । ମୋତେ ବରିଲେ ତପ କରି ॥୫
ମୁଁ ତାଙ୍କ ପୂରାଇବି ଆଶ । ସେ ମୋର ଭକତ ବିଶ୍ୱାସ ॥୬
ଅନେକ ଜନ୍ମେ ତପ କରି । ଏବେ ହୋଇଲେ ଗୋପନାରୀ ॥୭
ରମିଣ ଦେବି ନିଜପୁର । ଆଜ ମୁଁ କରିବି ନିସ୍ତାର ॥୮
ଏତେ ବିଚାରି ବନମାଳୀ । ଘେନିଲେ ବିରହ ମୁରଲୀ ॥୯
ସ୍ୱଭାବେ ଶରଦର କାଳ । ପବନ ବହେ ପରିମଳ ॥୧୦
ଫୁଟିଲେ ଜଳସ୍ଥଳେ ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ ॥୧୧
ଗଗନେ ପ୍ରକାଶିଲା ଶଶୀ । ନିର୍ମଳ ବିରାଜଇ ନିଶି ॥୧୨
ଚନ୍ଦ୍ରମଣ୍ତଳ ଅଖଣ୍ତିତ । ଦେଖି ଉଷତ ଗୋପୀନାଥ ॥୧୩
ଲକ୍ଷ୍ମୀର ମୁଖପ୍ରାୟ ଦିଶି । କିରଣେ ଦଶଦିଗ ତୋଷି ॥୧୪
କାଳିନ୍ଦୀକୂଳେ ବ୍ରହ୍ମରାଶି । ସହସ୍ରଯୁଗେ ଯାହା ଘୋଷି ॥୧୫
ତ୍ରିଭଙ୍ଗ ଛନ୍ଦେ ହୋଇ ଉଭା । ଚାରୁ ଅଧରେ ବେଣୁ ଶୋଭା ॥୧୬
ଗୋପୀଙ୍କ ନାମ ଧରି ଧୀରେ । ମୁରଲୀ ଡ଼ାକଇ ସୁସ୍ୱରେ ॥୧୭
ଗୋପୀଏ ଥିଲେ ନିଜ ପୁରେ । ନାଦ ଶୁଣିଲେ ଯେଝା ଘରେ ॥୧୮
ଦଣ୍ତେ ଶୁଣିଲେ ସ୍ଥିର କରି । ବେଣୁ ଡ଼ାକଇ ନାମ ଧରି ॥୧୯
ଶୁଣି ହୋଇଲେ ଛନଛନ । ବ୍ୟାପାରେ ନ ଲାଗିଲା ମନ ॥୨୦
କର ଚରଣ ନଚଳଇ । ମଦନେ କମ୍ପୁଅଛି ଦେହୀ ॥୨୧
ନାଦେ ମୋହିଲେ ବନମାଳୀ । ଷୋଳସହସ୍ର ଗୋପବାଳୀ ॥୨୨
ଏକକୁ ଆରେକ ଲୁଚାଇ । ଧାଇଁଲେ ଅସମ୍ଭାଳ ହୋଇ ॥୨୩
ବୋଲନ୍ତି ନ ପୁଣ ଏଜାଣି । ମୋତେ ହୋଇବ ସପତଣୀ ॥୨୪
ଆଗେ ମୁଁ ଯିବି ବୃନ୍ଦାବନେ । ରମିବି ନନ୍ଦର ନନ୍ଦନେ ॥୨୫
ଦେଖିବି ନୟନ ପୂରାଇ । ମୋହର ନାମେ ବେଣୁ ବାଇ ॥୨୬
କିପା ଡ଼ାକଇ ରାତ୍ରକାଳେ । ଉଭାରି କଦମ୍ବର ମୂଳେ ॥୨୭
ଜଳକ୍ରୀଡ଼ାର ବେଳେ ଗଲା । ଆମ୍ଭର ବସ୍ତ୍ର ଚୋରି କଲା ॥୨୮
କଦମ୍ବବୃକ୍ଷେ ନେଇ ଥୋଇ । ମାଗିଲେ ବସ୍ତ୍ର ନ ଦିଅଇ ॥୨୯
ଉଲଗ୍ନେ ଜଳମଧ୍ୟେ ଥାଇ । ଶୀତେ କମ୍ପଇ ଆମ୍ଭ ଦେହୀ ॥୩୦
ଅନେକ ବିନୟ ହୋଇଲୁ । ଦନ୍ତରେ ତିରଣ ଧଇଲୁ ॥୩୧
ବୋଇଲା ଉଠିଆସ ଜଳୁ । ଯେ ଯାହା ବସ୍ତ୍ର ନିଅ ଡ଼ାଳୁ ॥୩୨
ଯେ ଯାହା ବସ୍ତ୍ର ଚିହ୍ନି ନିଅ । ନୋହିଲେ ଜଳମଧ୍ୟେ ଥାଅ ॥୩୩
ତା'ର ବଚନେ ଲଜ୍ଜା ଛାଡ଼ି । ଆଣି ପିନ୍ଧୁଲୁ ଯେଝା ଶାଢ଼ୀ ॥୩୪
ଆମ୍ଭର ଶୁଦ୍ଧମନ ଜାଣି । ହସି ବୋଇଲେ ବେଣୁ ପାଣି ॥୩୫
ଦେବତା ପୂଜି ନଦୀତୀରେ । ମୋତେ ଯେ ବରିଅଛ ବରେ ॥୩୬
ସେ କଥା କରିବଇଁ ମୁହିଁ । ନିୟମ କଲେ ବେଣୁ ଛୁଇଁ ॥୩୭
ସେ କଥା ସୁମରିଲେ ଆଜ । ଆମ୍ଭର ଛଡ଼ାଇବେ ଲାଜ ॥୩୮
ପତି ତନୟ ଛନ୍ତି କୋଳେ । କେମନ୍ତେ ଯିବୁ ରାତ୍ରକାଳେ ॥୩୯
ନ ଗଲେ ନ ରହେ ଜୀବନ । କାଳ ହୋଇଲା ବେଣୁ ସ୍ୱନ ॥୪୦
ଏମନ୍ତେ ହୋଇଲେ ବାହାର । ମଦନେ କମ୍ପଇ ଶରୀର ॥୪୧
କେ ଗୋପୀ ଦୁହୁଁଥିଲା ଗାଈ । ବାଛୁରୀ ବାନ୍ଧି ଛନ୍ଦ ଦେଇ ॥୪୨
ମୁରଲୀ ଶୁଣି କର୍ଣ୍ଣମୂଳେ । ଦୁହୁଣୀ ପକାଇଲା ତଳେ ॥୪୩
ମୁରଲୀ ଧ୍ୱନି ଶୁଣି ବେଗେ । ଧାଇଁଲା ବୃନ୍ଦାବନ ଲାଗେ ॥୪୪
କେ ବସି କାଢ଼ୁଥିଲା ସର । ମୁରଲୀ ଶୁଣିଲା ସୁସ୍ୱର ॥୪୫
ଡ଼ାକଇ ତା'ର ନାମ ଧରି । ବେଗେ ଧାଇଁଲା ଗୋପନାରୀ ॥୪୬
କେ କରୁଥିଲା ଦଧି ଯୋଗ । ଶୁଣି ଧାଇଁଲା ବେଗବେଗ ॥୪୭
କେ ଦୁଧ ଚୁଲିରେ ବସାଇ । ମୁରଲୀ ଶୁଣି ଗଲା ଧାଇଁ ॥୪୮
କେ କୋଳେ ବାଳକ ବସାଇ । ଦୁଧ ପିଆଉଁ ଗୀତ ଗାଇ ॥୪୯
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଡ଼ାକଇ ତା'ର ନାମ ଘେନି ॥୫୦
ବାଳକ ପକାଇଲା ତଳେ । ଧାଇଁଲା ମଦନ ବିକଳେ ॥୫୧
ସ୍ୱାମୀ ଶୟନସ୍ଥାନେ ଥାଇ । କେ ଗୋପୀ ଚରଣ ଚାପଇ ॥୫୨
ମୁରଲୀ ତା'ର ନାମ ଧରି । ଡାକଇ ଆସ ବେଗ କରି ॥୫୩
ପତି ଚରଣ ଥୋଇ ତଳେ । ବେଗେ ଧାଇଁଲା କାମଭୋଳେ ॥୫୪
କେ ବସି ଭୁଞ୍ଜୁଥିଲା ଅନ୍ନ । କର୍ଣ୍ଣେ ଶୁଣିଲା ବେଣୁସ୍ୱନ ॥୫୫
ବୋଲଇ ଆସ ତୁହି ବେଗେ । କୃଷ୍ଣଙ୍କୁ ଦେଖ ବନଭାଗେ ॥୫୬
ଶୁଣି ଭୋଜନ ଉପେକ୍ଷିଲା । ହସ୍ତ ପଖାଳି ନ ପାରିଲା ॥୫୭
ବେଗେ ଧାଇଁଲା ବୃନ୍ଦାବନ । ଯେଣେ ଶୁଭଇ ବେଣୁସ୍ୱନ ॥୫୮
କେ ବସି ଲିପୁଥିଲା ଘର । ମୁରଲୀ ଶୁଣିଲା କର୍ଣ୍ଣର ॥୫୯
ବୋଲଇ ଆସ ତୁ ବହନେ । ହରିଙ୍କି ରମ ବୃନ୍ଦାବନେ ॥୬୦
ଘର ବ୍ୟାପାର ଉପେକ୍ଷିଲା । ବେଗେ ସେ ବୃନ୍ଦାବନେ ଗଲା ॥୬୧
କେ ବସିଥିଲା ନିଜ ଘରେ । କଜ୍ଜ୍ୱଳପାତି ଘେନି କରେ ॥୬୨
ଏକ ଲୋଚନେ ରଞ୍ଜିଥିଲା । ତା' ନାମେ ମୁରଲୀ ଡ଼ାକିଲା ॥୬୩
ଧାମଇଁ ଅସମ୍ଭାଳ ହୋଇ । କଜ୍ଜ୍ୱଳପାତି କରେ ଲଇଁ ॥୬୪
କେ ଗୋପୀ ବସ୍ତ୍ରତଳେ ଥୋଇ । କୁଙ୍କୁମ ଶରୀରେ ଲେପଇ ॥୬୫
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଉଠିଲା କରେ ବସ୍ତ୍ର ଘେନି ॥୬୬
ଜ୍ଞାନ ହାରିଲା କାମଭୋଳେ । ପିନ୍ଧିଲା କନ୍ଧରୁ ଅଞ୍ଚଳେ ॥୬୭
କେ ଗୋପୀ କୃଷ୍ଣନାମ ଧରି । ଗୃହ ବ୍ୟାପାର ଗୃହେ କରି ॥୬୮
ଶୁଣିଲା କୃଷ୍ଣ-ବେଣୁନାଦ । ମଦନବାଣେ ତନୁ ଖେଦ ॥୬୯
କେହୁ ତାମ୍ବୁଳ ଭୁଞ୍ଜୁଥିଲା । ଅର୍ଦ୍ଧେକ ହସ୍ତରେ ଘେନିଲା ॥୭୦
କେହୁ ପାହୁଡ଼ ଗୋଡୁ କାଢ଼ି । ଲେଉଟି ନ ପାରିଲା ଭରି ॥୭୧
କେହି ତିଳକ ଘେନୁଥିଲା । ଅର୍ଦ୍ଧେ ତିଳକ ସେ ଲିହିଲା ॥୭୨
କେ ଗୋପୀ ରତ୍ନଚାପସରି । ଚରଣେ ବାନ୍ଧିଲା ପାସୋରି ॥୭୩
ମୁରଲୀନାଦ ଅନୁସରି । ବନେ ଧାଇଁଲା ଗୋପନାରୀ ॥୭୪
ଏମନ୍ତେ କହିବଇଁ କେତେ । ଷୋଳସହସ୍ର ଯେଝାମତେ ॥୭୫
କାହାର ସ୍ୱାମୀ ବଳବନ୍ତ । ଆଗରେ ଓଗାଳିଲା ପଥ ॥୭୬
କାହାର ପୁତ୍ର ଗୋଡ଼ାଇଲା । ଶ୍ୱଶୁର ଖୁଡ଼ୁତା ମଉଳା ॥୭୭
ଭାଇ ଭଣଜା ଇଷ୍ଟ ମିତ୍ର । ଆଗରୁ ଓଗାଳିଲେ ପଥ ॥୭୮
ବୋଲନ୍ତି ଗୋପୀଙ୍କି ଅନାଇ । ଏ କଥା ଉଚିତ ନୁହଁଇ ॥୭୯
ରଜନୀକାଳେ ଯାଅ ବନ । ଲଜ୍ଜା କି ଛାଡ଼ିଲା ବଦନ ॥୮୦
ଶୁଣି ବୋଲନ୍ତି ଗୋପବାଳୀ । ବନେ ବିଜୟ ବନମାଳୀ ॥୮୧
ଶୁଣ ଶୁଭଇ ବେଣୁନାଦ । ମୁରଲୀ ବଡ଼ଇ ଆନନ୍ଦ ॥୮୨
କ୍ଷଣେ ମୁରଲୀ ନାଦ ଶୁଣି । ଆମ୍ଭେ ଆସିବୁ ଏହିକ୍ଷଣି ॥୮୩
ଦାସବତ୍ସଳ ଭଗବାନ । ମୋହିଲେ ଗୋପାଳଙ୍କ ମନ ॥୮୪
ତୁଣ୍ତରୁ ନ ଇଲା ଉତ୍ତର । ବାହୁଡ଼ିଗଲେ ଯେଝା ଘର ॥୮୫
ଏକ ଗୋପିକା କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥ ୮୬
ତାହାର ସ୍ୱାମୀ କର ଧରି । ଘରେ ଆଣିଲା ନିଜ ନାରୀ ॥୮୭
ଗମ୍ଭୀରୀ ଭିତରେ ବାନ୍ଧିଲା । ଅନେକ ମାଡ ହିଁ ମାଇଲା ॥୮୮
ଦ୍ୱାରେ କବାଟ ଦେଲା କିଳି । ବିକଳେ କାନ୍ଦଇ ଗୁଆଳୀ ॥୮୯
ମୁରଲୀ ତା'ର ନାମ ଧରି । ଡ଼ାକଇ ଆସ ବେଗକରି ॥୯୦
ସେ ଗୋପୀ ବନ୍ଧନରେ ପଡ଼ି । କାନ୍ଦଇ ସ୍ତମ୍ଭେ ମୁଣ୍ତକୋଡ଼ି ॥୯୧
କୃଷ୍ଣର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ ॥୯୨
ସହି ନ ପାରି ତାପଭର । ବେନିଲୋଚନ କଲା ସ୍ଥିର ॥୯୩
ନୟନ ପିତୁଳି ଲେଉଟି । ଭିତରେ କଲା ଏକଦୃଷ୍ଟି ॥୯୪
ଧ୍ୟାନେ ଦେଖିଲା ଭଗବାନ । ନିର୍ଭରେ କଲା ଆଲିଙ୍ଗନ ॥୯୫
ଡ଼ାକିଲା କୃଷ୍ଣ ତ୍ରାହି ତ୍ରାହି । ପ୍ରାଣ ଛାଡ଼ିଲା ଚୁମ୍ବ ଦେଇ ॥୯୬
ଜୀବନ ଛାଡ଼ି ରସଭରେ । ପଶିଲା ଗୋବିନ୍ଦ ଶରୀରେ ॥୯୭
ଶୁଣି ପରୀକ୍ଷ ଦଣ୍ତଧାରୀ । ମୁନି ଚରଣତଳେ ପଡ଼ି ॥୯୮
ବୋଲଇ ହେଲି କୃତକୃତ୍ୟ । ଶୁଣି ଚରିତ ଭାଗବତ ॥୯୯
ଭୋ ମୁନି ହୋଇଲି ଚକିତ । ତୁମ୍ଭେ କହିଲ ବିପରୀତ ॥୧୦୦
ପରପୁରୁଷେ ମନ ଦେଇ । ଯେ ନାରୀ ଏକାନ୍ତେ ରମଇଁ ॥୧୦୧
ବିଟପୀବାଦ ହୋଇ ତାରେ । ନରକେ ପଡ଼ଇ ନିର୍ଭରେ ॥୧୦୨
ସେ କିମ୍ବା ଗୋବିନ୍ଦେ ପଶିଲା । ମୋତେ ତ ସନ୍ଦେହ ଲାଗିଲା ॥୧୦୩
ସ୍ୱଭାବେ ସ୍ତିରୀ ଜନ୍ମ ହୋଇ । ଧର୍ମ-ଅଧର୍ମ ନ ଜାଣଇ ॥୧୦୪
ପରପୁରୁଷେ ମନ ଦେଲା । ସେ କିପାଁ କୃଷ୍ଣଙ୍କୁ ପାଇଲା ॥୧୦୫
ଶୁଣି ହସିଲେ ମୁନିବର । ବୋଲନ୍ତି ଶୁଣ ଦଣ୍ତଧର ॥୧୦୬
ପୂର୍ବେ ମୁଁ କହିଅଛି ତୋତେ । ପୁରାଣ ଶିରୀଭାଗବତେ ॥୧୦୭
କୃଷ୍ଣଙ୍କୁ କରି ଶତ୍ରୁବଳ । ମୋକ୍ଷ ହେଇଲା ଶିଶୁପାଳ ॥୧୦୮
ଏ ଆଦି ଅରିପଣ କଲେ । ପଶିଲେ କୃଷ୍ଣର ଶରୀରେ ॥୧୦୯
ମିତ୍ର ସ୍ୱଭାବେ ଦାମୋଦର । ଏ ଆଦି ଯେତେ ମିତ୍ରବର ॥୧୧୦
ମିତ୍ର ଅଇରୀ ଯେଣୁ ନାହିଁ । ତରିଲେ ସୂକ୍ଷ୍ମପଦ ପାଇ ॥୧୧୧
ତାହାଙ୍କୁ ପ୍ରିୟପଣେ ସେବି । କିପାଁ ନୋହିବେ ମୋକ୍ଷଭାଗୀ ॥୧୧୨
ଭକତ ତାରିବାର ଆଶେ । ବ୍ରହ୍ମ ପ୍ରକାଶି ଅଛି ଅଂଶେ ॥୧୧୩
ନିର୍ଗୁଣ ହୋଇ ଗୁଣବନ୍ତ । ଦାସବତ୍ସଳ ଗୋପୀନାଥ ॥୧୧୪
ତାହାର ନାହିଁ କାମ କ୍ରୋଧ । ଏକଇ ସ୍ୱଭାବ ସୁହୃଦ ॥୧୧୫
ଯାହାର ମନ ହୋଏ ଲୟେ । ସେ ପ୍ରାଣୀ ପଶେ କୃଷ୍ଣଦେହେ ॥୧୧୬
ଏଣେ ତୁ ସନ୍ଦେହ ନ କର । ମହାମହିମା ଯୋଗେଶ୍ୱର ॥୧୧୭
ଏଣେ ନ କର ଖେଦଚିତ୍ତ । କହଇ ଶୁଣ ଭାଗବତ ॥୧୧୮
ଗୋପୀଏ ଗଲେ ରାତ୍ରକାଳେ । ମିଳିଲେ କଦମ୍ବର ତଳେ ॥୧୧୯
ଷୋଳସହସ୍ର ଗୋପବାଳୀ । ଦେଖିଲେ ପ୍ରଭୁ ବନମାଳୀ ॥୧୨୦
ନାନା କୁସୁମେ ପରିମଳ । ହୃଦେ ଲମ୍ବଇ ବନମାଳ ॥୧୨୧
ଗୁଞ୍ଜରାପାଟି ତାଳୁମୂଳ । ଶ୍ରବଣେ ମକର କୁଣ୍ତଳ ॥୧୨୨
ନୁପୁର କଙ୍କଣ ବିରାଜେ । ରତ୍ନମେଖଳା କଟିମାଝେ ॥୧୨୩
ପୀତବସନ ବେଣୁଧର । ନିବିଡ଼ ସୁରଙ୍ଗ ଅଧର ॥୧୨୪
କୋଟିଏ କାମ ନୋହେ ସରି । ଦେଖି ଉଷତ ଗୋପନାରୀ ॥୧୨୫
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ଧାମନ୍ତି ଉଦ୍ବେଗ ॥୧୨୬
ବେଢ଼ିଲେ ଶତେପୁର ହୋଇ । କମ୍ପନ୍ତି କୃଷ୍ଣଙ୍କୁ ଅନାଇଁ ॥୧୨୭
ଗୋପୀଙ୍କି ଦେଖି ବନମାଳୀ । ବଦନୁ ଥୋଇଲେ ମୁରଲୀ ॥୧୨୮
କୋମଳ ମଦୁର ବଚନ । କହନ୍ତି ପ୍ରଭୁ ଭଗବାନ ॥୧୨୯
ଶୁଣ ଗୋ ବ୍ରଜବଧୂ ଜନେ । ତୁମ୍ଭେ ଅଇଲ କିପାଁ ବନେ ॥୧୩୦
ଗୋପର କହ ଭଲ କଥା । ନନ୍ଦ-ଯଶୋଦାଙ୍କ ବାରତା ॥୧୩୧
ଗୋପେ କି ଆପଦ ପଡ଼ିଲା । ମୋତେ ତ ସନ୍ଦେହ ଲାଗିଲା ॥୧୩୨
ଗୋରୁଗୋପାଳେ ନେଲେ ବାନ୍ଧି । ତୁମ୍ଭେ ଅଇଲ ବନେ କାନ୍ଦି ॥୧୩୩
ସର୍ବ ସମ୍ପଦ କଲେ ଜୂର । କି ଅବା ମିଳିଲେ ଅସୁର ॥୧୩୪
ଏମନ୍ତ ପ୍ରାୟ ମୁଁ ମଣଇ । କିପାଁ ଅଇଲ ବନେ ଧାଇଁ ॥୧୩୫
ଭଲେ ଅଇଲ ମୋ' ନିକଟେ । ବଣା ନୋହିଲ ବଣବାଟେ ॥୧୩୬
ପତି-ତନୟ ଛାଡ଼ି କରି । ଗୃହ କୀରତି ପରିହରି ॥୧୩୭
କିପାଁ ଅଇଲ ଘୋରବନ । ନୁହଁଇ ଉଚିତ ବିଧାନ ॥୧୩୮
ଭାଗ୍ୟେ ମୁଁ ବାଉଥିଲି ବେଣୁ । ମୋତେ ଭେଟିଲ ଆସି ତେଣୁ ॥୧୩୯
ରଜନୀ ହୋଇଛି ଅପାର । ବନ ଗହନ କୁଞ୍ଜ ଘୋର ॥୧୪୦
ବ୍ୟାଘ୍ର ଭଲ୍ଲୁକ ବନଜୀବେ । ତୁମ୍ଭଙ୍କୁ ଦେଖିଲେ ଖାଇବେ ॥୧୪୧
ବେଗେ ବାହୁଡ଼ିଯାଅ ଘର । ରଜନୀ ହେଉଛି ଉଛୁର ॥୧୪୨
ସ୍ୱଭାବେ ସ୍ତିରୀଜନ୍ମ ହୋଇ । ବନେ ତୁମ୍ଭର ଭୟ ନାହିଁ ॥୧୪୩
ନିଶ୍ଚେ ହୋଇବ ଆଜ ନାଶ । ମରଣେ କଲଟି ବିଶ୍ୱାସ ॥୧୪୪
ଯାଅ ନ ଥାଅ ବନଘୋରେ । ତୁମ୍ଭଙ୍କୁ ଲୋଡ଼ୁଥିବେ ଘରେ ॥୧୪୫
ମାତା ପିଅର ପୁତ୍ର ଭାଇ । ଲୋଡୁ ଯେ ଥିବେ ନାମ ରାଇ ॥୧୪୬
ଯେ ଯାହା ସ୍ୱାମୀ କୋପଚିତ୍ତେ । ଲୋଡ଼ିବେ ଘରଦ୍ୱାର ପଥେ ॥୧୪୭
ନ ପାଇ କରିବେଟି ରୋଷ । ତୁମ୍ଭେ ହୋଇବ ଜାତି ନାଶ ॥୧୪୮
ବନ୍ଧୁ ବାନ୍ଧବେ ତୁମ୍ଭ ଘର । ଅନ୍ନ ନ କରିବେ ଆହାର ॥୧୪୯
ଜଳ ହିଁ ନକରିବେ ପାନ । ତୁମ୍ଭେ ହୋଇବ ଜାତିହୀନ ॥୧୫୦
ନ ଜାଣି ଯେବେ ଗୋ ଅଇଲ । ବହନ କର ମୋର ବୋଲ ॥୧୫୧
ଦେଖିଲ ବନ ପରିମଳ । ନାନା କୁସୁମେ ନଦୀଜଳ ॥୧୫୨
ମଳୟ ପବନ ଶୀତଳ । ତରୁପଲ୍ଲବେ ଭୃଙ୍ଗମେଳ ॥୧୫୩
ବହନ ଯାଅ ଗୋପପୁର । ନିଜ ପତିଙ୍କି ସେବା କର ॥୧୫୪
ଗାଈଙ୍କ ଗୋଡ଼େ ବତ୍ସା ବାନ୍ଧି । ତୁମ୍ଭେ ଯେ ଦୁହୁଁଥିଲ ଛନ୍ଦି ॥୧୫୫
କ୍ଷୀର ନ ପାଇଣ ବାଛୁରୀ । କାନ୍ଦନ୍ତି ହମ୍ବା ରାବ କରି ॥୧୫୬
ବାଳକ ଧରିଥିଲ କୋଳେ । ପକାଇ ଅଇଲ ଯେ ତଳେ ॥୧୫୭
ଛିଡ଼ିଲା ଓଷ୍ଟ ଦନ୍ତ ପାଟି । କାନ୍ଦନ୍ତି ତୁଣ୍ତେ ଭରି ମାଟି ॥୧୫୮
ବହନ ନିଜ ପୁରେ ଯାଅ । ସ୍ତନ୍ୟ ପିଆଇ ଗାଈ ଦୁହଁ ॥୧୫୯
ଯେବେ ଅଇଲ ବେଣୁ ନାଦେ । ମୋ' ରୂପ ଦେଖିବାର ସଧେ ॥୧୬୦
ଏବେ ଦେଖିଲ ମୋର ଦେହ । ଯାଅ ଗୋ ଦଣ୍ତେ ହେଁ ନ ରହ ॥୧୬୧
ସ୍ୱାମୀଙ୍କ ସଙ୍ଗେ ପ୍ରୀତିକର । ଉଚିତ ଧର୍ମ ଗୋ ତୁମ୍ଭର ॥୧୬୩
ସ୍ୱାମୀର ଯେତେ ଇଷ୍ଟଜନ । ବାଳତନୟଙ୍କ ପୋଷଣ ॥୧୬୪
ଏ ନିତ୍ୟକର୍ମ ଗୋ ତୁମ୍ଭର । ପୁଣି ବୋଲନ୍ତି ବେଣୁଧର ॥୧୬୫
ପୂର୍ବ ଅର୍ଜିଲା କର୍ମ ଲଇ । ଯେ ଯାହା ସ୍ୱାମୀ ଗୋ ମିଳଇ ॥୧୬୬
ସେ ଯେତେ ହୋଏ ଅସୁନ୍ଦର । ଦୁଃଖୀ ଦରିଦ୍ର ବ୍ୟାଧିକର ॥୧୬୭
ତାହାଙ୍କୁ ନ କରିବ ସାନ । ସେ ବିଷ୍ଣୁଦେବଙ୍କ ସମାନ ॥୧୬୮
ତାହାଙ୍କ ପାଦେ ଏକଚିତ୍ତେ । ସେବା କରିବ ଅବିରତେ ॥୧୬୯
ଏ ମାୟା ସଂସାର ବେଭାର । ଯାହା ସଞ୍ଚିଲା ବେଦବର ॥୧୭୦
ଏହା ଯେ ନ କରନ୍ତି ଭଲେ । ନରକେ ଯା'ନ୍ତି ଅନ୍ତଃକାଳେ ॥୧୭୧
ପରପୁରୁଷେ ଚିତ୍ତ ଦେଇ । ଯେ ନାରୀ ରମେ ଦେହ ବହି ॥୧୭୨
ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ ॥୧୭୩
ନିନ୍ଦିତ ହୋ'ନ୍ତି ବେନିଲୋକେ । ନିରାଶ ହୋ'ନ୍ତି ସ୍ୱାମୀ ସୁଖେ ॥୧୭୪
ବିଧବା ହୋନ୍ତି ଜନ୍ମ ସାତ । ଯେ ନାରୀ ସ୍ୱାମୀ ଅଭକତ ॥୧୭୫
ମୋତେ ଅଇଲ ଯେବେ ଦେଖି । ଏତେକେ ପୂରିଲାନି ଆଖି ॥୧୭୬
ଯେ ମୋତେ ଦୂରେ ଥାଇ ଚିନ୍ତି । ମନ ବଚନ ମୋତେ ଦ୍ୟନ୍ତି ॥୧୭୭
ବେଗେ ହୁଅନ୍ତି ଭବୁଁ ପାର । ଖଣ୍ତଇ ଭ୍ରମ ତାହାଙ୍କର ॥୧୭୮
ଯେ ମୋର ନିକଟେ ରହଇ । ସେ ପ୍ରାଣୀ ମୋତେ ନ ଭଜଇ ॥୧୭୯
ମାୟାରେ ହୋଏ ଛନଛନ । ବିଷୟାଜଡ଼େ ଥାଇ ମନ ॥୧୮୦
ସେ ମୋତେ ପାଇବ କେମନ୍ତ । ହସି ବୋଲନ୍ତି ଗୋପୀନାଥ ॥୧୮୧
ମୁନି ବୋଲନ୍ତି ରାୟେ ଶୁଣ । ଯାହା କହିଲେ ନାରାୟଣ ॥୧୮୨
କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ ॥୧୮୩
ଗୋପିଏ କୃଷ୍ଣକଥା ଶୁଣି । ଚିନ୍ତା ବିକଳେ ମନେ ଗୁଣି ॥୧୮୪
ବଜ୍ରପଡ଼ିଲା ଯେହ୍ନେ ଶିର । ବଦନୁ ନ ଇଲା ଉତ୍ତର ॥୧୮୫
ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ ଅଧର ॥୧୮୬
ଦଶନେ ଅଧର କାମୋଡ଼ି । କରଯୁଗଳ ଶିରେ ତାଡ଼ି ॥୧୮୭
ଚରଣ ଅଙ୍ଗୁଳିର ଅଗ୍ରେ । ଭୂମି ଚିରନ୍ତି କାମ ବ୍ୟଗ୍ରେ ॥୧୮୮
କମ୍ପଇ ବିକଳେ ଶରୀର । ବେନି ଲୋଚନୁ ବହେ ନୀର ॥୧୮୯
ଅଞ୍ଜନ କୁଙ୍କୁମର ସଙ୍ଗେ । ଲୁହ ପଡ଼ଇ କୁଚଯୁଗେ ॥୧୯୦
ଦୁଃଖସାଗରେ ନିମଜ୍ଜିଲେ । ସଭୟେ ଲୋଚନ ବୁଜିଲେ ॥୧୯୧
ହୋଇଲେ ମୃତପିଣ୍ତ ପ୍ରାୟେ । ଦେଖନ୍ତି ପ୍ରଭୁ ଦେବରାୟେ ॥୧୯୨
କୃଷ୍ଣ ନିଷ୍ଠୁର ବୋଲ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ॥୧୯୩
ଯାହାର ପାଇଁ ଗୃହବାସ । ଛାଡ଼ିଲୁ ଜୀବନର ଆଶ ॥୧୯୪
ତା'ର ନିଷ୍ଠୁର କଥା ପାଇ । ଜୀବନ ଦଣ୍ତେ ନ ରହଇ ॥୧୯୫
ବେନି ଲୋଚନ ଘଷି କରେ । କୃଷ୍ଣଙ୍କୁ ଚାହିଁଲେ ସଧୀରେ ॥୧୯୬
ପାଦେ ପଡ଼ିଲେ ଏକାବେଳେ । କହନ୍ତି ଜୀବନ ବିକଳେ ॥୧୯୭
ଶିର ଲଗାଇ ପଦ୍ମପାଦେ । ବୋଲନ୍ତି ଶୋକ ଗଦଗଦେ ॥୧୯୮
ଭୋ ନାଥ ପ୍ରଭୁ ଭାବଗ୍ରାହୀ । ଏମନ୍ତ ବୋଲୁ କାହିଁପାଇଁ ॥୧୯୯
ତୁ ନୋହୁ ଯଶୋଦାନନ୍ଦନ । ଅନାଦି ପ୍ରଭୁ ନିରଞ୍ଜନ ॥୨୦୦
ଆମ୍ଭେ ଅଭାଗୀ ଦୁଃଖିନାରୀ । ଆଉ କି ଯିବୁ ଗୋପପୁରୀ ॥୨୦୧
ଛାଡ଼ିଲୁ ବିଷୟା-ବିଷାଦ । ପାଇ ତୋହର ପଦ୍ମପାଦ ॥୨୦୨
ଲକ୍ଷ୍ମୀ ଯା' ନ ଛାଡ଼ଇ କ୍ଷଣେ । ଗଙ୍ଗା ରହିଲା ନଖକୋଣେ ॥୨୦୩
ସେ ପାଦ ପାଇ ଆମ୍ଭେ ସୁଖୀ । ଏବେ ହୋଇଲୁ ନିରିମାଖୀ ॥୨୦୪
ଆମ୍ଭଙ୍କୁ ତେଜୁ କାହିଁପାଇଁ । ତୋ' ତହୁଁ ଆନଗତି ନାହିଁ ॥୨୦୫
ତୋ' ପାଦପଙ୍କଜର ମୂଳେ । ଜ୍ଞାନୀ ଚିନ୍ତନ୍ତି ଯୋଗବଳେ ॥୨୦୬
ସେ ପାଦପଦ୍ମ ଆମ୍ଭେ ପାଇ । କାହିଁକି ଯିବୁ ଭାବଗ୍ରାହୀ ॥୨୦୭
ତୋହର ପାଇଁ ଦାମୋଦର । ଛାଡ଼ିଲୁ ପତି ସୁତ ଘର ॥୨୦୮
ଭଜନ୍ତି ଯେ ତୋହର ନାମ । ତାହାଙ୍କୁ ନାହିଁ ଦୁଃଖଶ୍ରମ ॥୨୦୯
ଆମ୍ଭେ ତୋ ପାଦେ ଚିତ୍ତ ଦେଇ । ନିରାଶ ହୋଇଲୁ ଗୋସାଇଁ ॥୨୧୦
ଉଭୟେ ନ ପାଇଲୁ କୂଳ । ତୁ ଯେ ବୋଲାଉ ଆଦିମୂଳ ॥୨୧୧
ଧର୍ମବକତାଙ୍କର ଗୁରୁ । ତୋ'ର ମହିମା ମହାମେରୁ ॥୨୧୨
ଯାହା ବୋଇଲୁ ବେଦମତେ । ଭୋନାଥ ଶୁଣ ଏକଚିତ୍ତେ ॥୨୧୩
ଏ ଯେ ତୋହର ସାଧୁପଣ । ସେବିବୁଁ ସ୍ୱାମୀଙ୍କ ଚରଣ ॥୨୧୪
ଏ କଥା ଉଚିତ ତୋହର । ଭୋ ନାଥ ଶୁଣ ବେଦସାର ॥୨୧୫
ତୁ ଯେ ସକଳ ପ୍ରାଣୀଙ୍କର । ଦେହ ଜୀବନର ଠାକୁର ॥୨୧୬
ଯେ ପ୍ରାଣୀ ତୋହରେ ଭଜଇ । ତାହାର ଜନ୍ମବନ୍ଧ ନାହିଁ ॥୨୧୭
ଅନେକ ପୁଣ୍ୟ କରିଥିଲେ । ତୋ' ନାମ ଧରି ଅନ୍ତଃକାଳେ ॥୨୧୮
ଅଭୟବ୍ରହ୍ମେ ସେ ପଶନ୍ତି । ଆମ୍ଭର ନାହିଁ ମନେ ଭ୍ରାନ୍ତି ॥୨୧୯
ଆଉ କି ଗୋପପୁର ଯିବୁଁ । ପତି-ତନୟ ଆବୋରିବୁଁ ॥୨୨୦
ଆମ୍ଭର ତେଣେ ନାହିଁ ଆଶା । ତୋ ନାମ କରିଛୁ ଭରସା ॥୨୨୧
ମନ କି ନ ଜାଣୁ ଆମ୍ଭର । ଆଶା-ବିଶ୍ରାମ-ବାନା ତୋ'ର ॥୨୨୨
କାଳିନ୍ଦୀତୀରେ ବ୍ରତ କରି । ପୂଜିଲୁ ଶଙ୍କର ଗଉରୀ ॥୨୨୩
ବର ମାଗିଲୁ ଆମ୍ଭେ ଯାହା । ଭୋ ନାଥ ନ ଜାଣୁ କି ତାହା ॥୨୨୪
ଆମ୍ଭର ବସ୍ତ୍ର ଚୋରି କରି । ତୁ ଯେ ବୋଇଲୁ ନରହରି ॥୨୨୫
ରମିବି ବୃନ୍ଦାବନେ ମୁହିଁ । ନିୟମ କଲୁ ବେଣୁ ଛୁଇଁ ॥୨୨୬
ଆମ୍ଭର ସାକ୍ଷୀ ଏ ମୁରଲୀ । କିପାଁ ପାସୋରୁ ବନମାଳୀ ॥୨୨୭
ତୋହର ଯେବେ ଦୟା ନାହିଁ । କିପାଁ ରାଇଲୁ ବେଣୁ ବାଇ ॥୨୨୮
ଆମ୍ଭର ମନ ନିଜ ଘରେ । ବୁଡ଼ାଇ ଥିଲୁ ମୁହାଁସରେ ॥୨୨୯
ଶ୍ରବଣେ ମୁରଲୀ ଶୁଭିଲା । କରଚରଣ ନ ଚଳିଲା ॥୨୩୦
ଜୀବନ ହରିଲୁ ଆମ୍ଭର । ଏବେ ତ କହିଲୁ ନିଷ୍ଠୁର ॥୨୩୧
ଭୋ ନାଥ କର ପ୍ରାଣ ରକ୍ଷା । ଆମ୍ଭେ ପାଇଲୁ ବେଣୁ ଦୀକ୍ଷା ॥୨୩୨
ତୋ'ର ଅଧରାମୃତ ରସ । ଆମ୍ଭର ମୁଖରେ ବରଷ ॥୨୩୩
ଜୀବନ ରଖ ନନ୍ଦବାଳ । ଆମ୍ଭର ପୂରିଲାଟି କାଳ ॥୨୩୪
କ୍ରୋଟ-ଅନଳ ପ୍ରାୟ ହୋଇ । କାମ ଅନଳ ହୃଦ ଦହି ॥୨୩୫
ଲିଭାଅ ମୁଖୁଁ ରସ ଦେଇ । ଦାସବତ୍ସଳ ଭାବଗ୍ରାହୀ ॥୨୩୬
ଯେବେ ନ ରଖୁ ବନମାଳୀ । ମରିବୁ ସକଳ ଗୁଆଳୀ ॥୨୩୭
ହତ୍ୟା ହୋଇବ ତୋର କନ୍ଧେ । ଶୁଣି ହସନ୍ତି ଆଦିକନ୍ଦେ ॥୨୩୮
ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ । ପୂତନା ପ୍ରାଣ ଅଛୁ ଖାଇ ॥୨୩୯
ତୁ କାହିଁ ରଖିବୁ ଆମ୍ଭନ୍ତ । ନିଶ୍ଚୟେ ହୋଇଲୁ କୃତାନ୍ତ ॥୨୪୦
ମରିବୁ ତୋହର ଉପରେ । ଜୀବନ ନ ରହେ ଶରୀରେ ॥୨୪୧
ଭୋ ନାଥ ତୋହର ପୟରେ । କମଳା ସେବେ ନିରନ୍ତରେ ॥୨୪୨
ଆମ୍ଭର ପ୍ରିୟ ଅଟୁ ତୁହି । ଆଶା ନ ଛେଦ ଭାବଗ୍ରାହୀ ॥୨୪୩
ତୋହର ପାଦର ତୁଳସୀ । ମାଳା କରିଣ ବ୍ରହ୍ମରାଶି ॥୨୪୪
କବରୀଭାର ସଜ କରି । ତୋ ପାଦେ ସେବିବୁ ମୁରାରି ॥୨୪୫
ତୋହର ପାଦ ହୃଦଗତେ । ମୁନିଏ ଭଜୁଥାନ୍ତି ନିତ୍ୟେ ॥୨୪୬
ସେ ପାଦେ ପଶିଲୁ ଶରଣ । ଜୀବନ ରଖ ନାରାୟଣ ॥୨୪୭
ତୋ'ର ଚରଣ ନରହରି । ସ୍ତନ-ବଦନ-ଶିରେ ଧରି ॥୨୪୮
ଆମ୍ଭର ତାପ ହୃଦୁଁ ଯିବ । ଶରଣ ରଖ ପଦ୍ମନାଭ ॥୨୪୯
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥୨୫୦
ତୋ'ର ସୁନ୍ଦର ରୂପ ଦେଖି । ପିଛାଡ଼ି ନ ପାରୁଁ ଯେ ଆଖି ॥୨୫୧
ତୋହର ରୂପ ହୃଦେ ଗୁଣି । ବ୍ରହ୍ମାଣ୍ତେ ଯେତେକ ତରୁଣୀ ॥୨୫୨
କେ ଦେହ ଧରିବ ନିର୍ଭରେ । ଶୁଣିଲା ନାହିଁ ତିନିପୁରେ ॥୨୫୩
ତୋ' ରୂପ ଦେଖି ପଶୁ ବନେ । ପୁଲ ହୋନ୍ତି ତରୁଗଣେ ॥୨୫୪
ବୋଲନ୍ତି ଶୁକ ମୁନିବର । ଶୁଣ ହୋ କୃଷ୍ଣ ରସ ସାର ॥୨୫୫
ଦେଖିଣ ଗୋପୀଙ୍କ ବିକଳ । ଦୟା ବସିଲା ଆଦିମୂଳ ॥୨୫୬
ଆନନ୍ଦେ ବେନିଭୁଜ ତୋଳି । ଆସ ବୋଇଲେ ବନମାଳୀ ॥୨୫୭
ବାହୁ ବିସ୍ତାରି କଲେ କୋଳ । ବିଶ୍ୱସ୍ୱରୂପୀ ଆଦିମୂଳ ॥୨୫୮
ଆକର୍ଷି ଆଣି ନିଜ କରେ । ହୃଦେ ଲଗାଇ କୋଳ କଲେ ॥୨୫୯
ଟାକି ଯେ ଥିଲା ଯୋଗମାୟା । ଶୂନ୍ୟରେ ବିକାଶିଲା କାୟା ॥୨୬୦
ଅତ୍ୟନ୍ତ ଦିବ୍ୟରୂପମାନ । ସୁରେଖ ତିଳକ ବଦନ ॥୨୬୧
ଅଙ୍ଗେ ଆଦିତ୍ୟରତ୍ନ ଶୋଭା । ଅଗ୍ନିଧଉତ ବାସ ପ୍ରଭା ॥୨୬୨
କପାଳେ ମଳୟ ଚନ୍ଦନ । ତାମ୍ବୁଳେ ସୁରଙ୍ଗ ବଦନ ॥୨୬୩
ମେଘେ ବିଜୁଳି ଯେହ୍ନେ ଜାଣି । ସୁରେଖ ତିଳକ ତରୁଣୀ ॥୨୬୪
କୃଷ୍ଣର ବେନିଭୁଜେ ପଶି । ତାପ ଛାଡ଼ିଲେ ଶୁଭ୍ରକେଶୀ ॥୨୬୫
ତକ୍ଷଣେ ପାଇଲେ ଜୀବନ । ହରଷ ଗୋପୀଙ୍କର ମନ ॥୨୬୬
କୃଷ୍ଣଙ୍କୁ ବେଢ଼ିଲେ ଯୁବତୀ । ଗଗନେ ଯେହ୍ନେ ତାରାପନ୍ତି ॥୨୬୭
ଗୋପୀଏ ତୋଷମନ ହୋଇ । ପୁଷ୍ପ ତୋଳନ୍ତି ବନେ ଯାଇ ॥୨୬୮
ମାଳା ଗୁନ୍ଥିଲେ ଯତ୍ନ କରି । ବର ବରିଲେ ନରହରି ॥୨୬୯
କାଳିନ୍ଦୀ ବାଲିକୁଦେ ଯାଇ । ଗୋପୀଙ୍କ ମଧ୍ୟେ ଭାବଗ୍ରାହୀ ॥୨୭୦
ଯୋଗମାୟାର ବଳେ ହରି । ଷୋଳସହସ୍ର ରୂପ ଧରି ॥୨୭୧
ହୋଇଲେ ବେନି-ବେନିଜନ । ଗୋପୀ ରମିଲେ ଭଗବାନ ॥୨୭୨
ରତି ପଣ୍ତିତ ବଳବନ୍ତ । ତୋଷିଲେ ଗୋପୀଙ୍କର ଚିତ୍ତ ॥୨୭୩
କୃଷ୍ଣରମଣ ରସ ପାଇ । ଜ୍ଞାନ ହାରିଲେ ସର୍ବଗୋଇ ॥୨୭୪
ସବୁରି ଦେହେ ନଖକ୍ଷତ । ସବୁ କୁଚରେ ପଦ୍ମହସ୍ତ ॥୨୭୫
ସକଳେ ଆଲିଙ୍ଗନ ପାଇ । ହରଷ ହୋଇ ସର୍ବଗୋଈ ॥୨୭୬
ମନେ ବିଚାର କଲେ ନାରୀ । ସ୍ୱାମୀର ଗର୍ବ ମନେ ଧରି ॥୨୭୭
ଆମ୍ଭର ପ୍ରାୟ ଭାଗ୍ୟବନ୍ତ । ନାହିଁ ନୋହିବ ଏ ଜଗତ ॥୨୭୮
ରମିଲୁ ଅନାଦି ପୁରୁଷ । ଆମ୍ଭରେ ହରି ହେଲେ ବଶ ॥୨୭୯
କୃଷ୍ଣ ଭକତ ଆମ୍ଭ ପ୍ରାୟେ । ସ୍ୱର୍ଗେ ନୋହିବେ ଦେବତାଏ ॥୨୮୦
ଏମନ୍ତେ ମନେ ଗର୍ବ ବହି । ତାହା ଜାଣିଲେ ଭାବଗ୍ରାହୀ ॥୨୮୧
ଗୋପୀଙ୍କ ଭାବ ଜାଣିବାରେ । ମାୟା ମୋହିଲେ ନଦୀତୀରେ ॥୨୮୨
ଗୋପୀଏ ବୃନ୍ଦାବତୀ ନାମେ । ଥିଲା ସେ କୃଷ୍ଣ ସନ୍ନିଧାନେ ॥୨୮୩
ପୂର୍ବେ ସେ ଅଛି ତପ କରି । ଗୋବିନ୍ଦ ତା'ର ଭୁଜ ଧରି ॥୨୮୪
ଛନ୍ଦିଲେ ଗୋପୀଙ୍କର ମନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ ॥୨୮୫
ବୋଲଇ ଦାସ ଜଗନ୍ନାଥ । ବନେ ନିରୋପି କୃଷ୍ଣପଥ ॥୨୮୬
ମୋହର ମନ ଗୋଡ଼ାଇଲା । କୃଷ୍ଣଙ୍କୁ ଭେଟ ନ ପାଇଲା ॥୨୮୭
ବାହୁଡ଼ି ହୋଇଲା ନିରାଶ । ସୁଜନେ ବୃନ୍ଦାବନେ ପଶ ॥୨୮୮
ମୁଁ ଅବା ହରିଙ୍କି ଅନାଇଁ । କାହିଁ ପାଇବି ଭାବଗ୍ରାହୀ ॥୨୮୯
ମୁଁ ଅବା କେତେକ ମାତର । କାହିଁ ପାଇବି ଚକ୍ରଧର ॥୨୯୦
ପାମର ହୀନ ମୋ'ର ବୁଦ୍ଧି । କୃଷ୍ଣ ଚରଣେ ମନ ଖେଦି ॥୨୯୧
ମୋ ଛାର ପାଇବଇଁ କାହିଁ । ଯାହାର ଆଦି ଅନ୍ତ ନାହିଁ ॥୨୯୨
ସେ ଦୟାମୟ ହରିପାଦେ । ମନ ମୋ' ରହୁ ଅପ୍ରମାଦେ ॥୨୯୩
ସୁଜନଜନଙ୍କର ହିତ । କହଇ ଦାସ ଜଗନ୍ନାଥ ॥୨୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଭଗବତୋ ରସକ୍ରୀଡ଼ାବର୍ଣ୍ଣନଂ ନାମ ତ୍ରିଂଶୋଽଧ୍ୟାୟଃ ।
</poem>
==='''ଏକତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ତୋଷମନେ । କୃଷ୍ଣ ଯେ ଗଲେ ଅନ୍ତର୍ଦ୍ଧାନେ ॥୧
ଗୋପଯୁବତୀ ନଦୀକୂଳେ । ଘଡ଼ିକେ ଜାଣିଲେ ସକଳେ ॥୨
କୃଷ୍ଣ ନ ଦେଖି ବନଘୋରେ । ଭୟେ ଚିନ୍ତନ୍ତି ସେ କାତରେ ॥୩
କମ୍ପନ୍ତି ଚଉଦିଗେ ଚାହିଁ । ରଜନୀ ଅଛି ଅର୍ଦ୍ଧ ହୋଇ ॥୪
ଶ୍ରୀକୃଷ୍ଣ ମାୟା ଘେନି ମେଘେ । ମିଳିଲେ ଶଶାଙ୍କର ଲାଗେ ॥୫
ଦେଖି ବିକଳ ଗୋପନାରୀ । ଡ଼ାକନ୍ତି କୃଷ୍ଣ ନାମ ଧରି ॥୬
ଭୋ ନାଥ ଆସ ତୁ ବହନ । ମେଘ ଆଚ୍ଛାଦିଲା ଗଗନ ॥୭
ବିଶେଷେ ଯମୁନାର ତୀରେ । ମେଘ ଅନ୍ଧାର ଘନଘୋରେ ॥୮
ଅନାଥ କରି ଗଲୁ କାହିଁ । ଅନ୍ଧାରେ ପଥ ନ ଦିଶଇ ॥୯
ଏମନ୍ତେ କରନ୍ତି ରୋଦନ । କ୍ଷଣ କ୍ଷଣକେ ଅଚେତନ ॥୧୦
ନିଶି ଅନ୍ଧାର ବନଘୋରେ । ରୋଦନ କଲେ ଉଚ୍ଚସ୍ୱରେ ॥୧୧
ବାଳୁତ ପ୍ରାୟ ହୋଇ କାନ୍ଦି । ଏକ ଅରକେ ଛନ୍ଦାଛନ୍ଦି ॥୧୨
କୃଷ୍ଣର ପ୍ରୀତି ଅନୁରାଗ । ଅଳପ ହାସ ମୁଖ ରଙ୍ଗ ॥୧୩
ମଧୁର ଚାହିଁବାର ରସେ । ମନ ନିବେଶି କୃଷ୍ଣ ପାଶେ ॥୧୪
ବାଳୁତ କାଳୁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥୧୫
ମନ ନିବେଶି କୃଷ୍ଣ ଦେହେ । ଗୋପୀପଡ଼ିଲେ ଶୋକ ମୋହେ ॥୧୬
ପୁଣି ଉଠିଲେ ଜ୍ଞାନ ପାଇ । କହନ୍ତି ବାଇ ପ୍ରାୟ ହୋଇ ॥୧୭
କେ ବୋଲେ ମୁହିଁ ନାରାୟଣ । ସେବଲୋ ମୋହରି ଚରଣ ॥୧୮
କେ ବୋଲେ ମୁହିଁ ନନ୍ଦବାଳ । ଦେଖ ମୋ ଶିରେ ଗୁଞ୍ଜାମାଳ ॥୧୯
ପୁଣି ଗୋପୀଏ ଆଗସରି । ବୋଲଇ ମୁହିଁ ନରହରି ॥୨୦
ଦେଖ ମୋଶିଙ୍ଗା ବେଣୁ ବେତ । ମୁଖେ ବଜାଇ ବେନି ହସ୍ତ ॥୨୧
ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ । ବୋଲଇ ନନ୍ଦସୁତ ମୁହିଁ ॥୨୨
କେ ବୋଲେ ଦେଖିଲଇଁ ହରି । ସଖୀ ଗୋଟିଏ ସଙ୍ଗକରି ॥୨୩
ଜାଣଇଁ ଏହି ପଥେ ଗଲା । ମୁରଲୀ ଘେନି ନନ୍ଦବାଳା ॥୨୪
ପୁଣି ଉଠିଲେ ଧାତିକାରେ । ପଶିଲେ ଲତାକୁଞ୍ଜ ଘୋରେ ॥୨୫
ଖୋଜନ୍ତି ପଶି ବନେ ବନ । ଡ଼ାକନ୍ତି ଆସ ନନ୍ଦନାନ ॥୨୬
ବାତୁଳଙ୍କର ପ୍ରାୟ ହୋଇ । ପୁଚ୍ଛନ୍ତି ଆକାଶକୁ ଚାହିଁ ॥୨୭
ବୋଲନ୍ତି ଚାହିଁ ତରୁଗଣ । ତୁମ୍ଭେ ଦେଖିଲ ନାରାୟଣ ॥୨୮
କ୍ରୋଟ ଭିତରେ ଥୋଇଅଛ । ଏ କଥା ଅଟଇ ପ୍ରତ୍ୟକ୍ଷ ॥୨୯
ଅଶ୍ୱତ୍ଥ ବଟ ଶାଳବୃକ୍ଷେ । ତୁମ୍ଭେ କି ଦେଖିଲ ପ୍ରତ୍ୟକ୍ଷେ ॥୩୦
ପଣସ ଅସନ ବକୁଳ । ଚମ୍ପା ବରୁଣ ନାଗେଶ୍ୱର ॥୩୧
ବିଶେଷେ ଉଚ୍ଚବୃକ୍ଷ ଅଟ । ଦେଖିଯେ ଥିବ ନନ୍ଦଚାଟ ॥୩୨
ତୁମ୍ଭେ ବୋଲିବ କିପାଁ ଲୋଡ଼ । ପରର ପାଇଁ ମୁଣ୍ତକୋଡ଼ ॥୩୩
ଏମନ୍ତ ବୋଲ ଅବା ବୃକ୍ଷ । ଆମ୍ଭ ଜୀବନ ନନ୍ଦ ବତ୍ସ ॥୩୪
ମଧୁର ହାସ୍ୟେ ଆମ୍ଭ ମନ । ବାନ୍ଧିଣ ନେଲେ ନନ୍ଦନାନ ॥୩୫
ହେ କୁରୁବକ ନାଗେଶ୍ୱର । ଚମ୍ପା ପୁନ୍ନାଗ କନିଅର ॥୩୬
ତୁମ୍ଭ ପୀରତି ଘେନି ଚିତ୍ତେ । ଗୋବିନ୍ଦ ଗଲେ କି ଏ ପଥେ ॥୩୭
ତୁ ଯେ ତୁଳସୀ ହରିପ୍ରିୟା । ଲୁଚାଇ କରୁଅଛୁ ମାୟା ॥୩୮
ଗୋବିନ୍ଦ ହୃଦେ ଲମ୍ବିଥାଉ । ଆମ୍ଭେ ପଚାରିଲେ ନ କହୁ ॥୩୯
ଆମ୍ଭେ ତୋ' କଥା ଭଲେ ଜାଣି । ତୁ ଯେ ଆମ୍ଭର ସପତଣୀ ॥୪୦
ମାଳତୀ ମଲ୍ଲୀ ଜାଈ ଯୁଇ । ତୁମ୍ଭେ ଦେଖିଲ ଭାବଗ୍ରାହୀ ॥୪୧
କୃଷ୍ଣର ନଖକ୍ଷତ ଲାଗି । ନପୁଣ ହୋଇଛ ସୁହାଗୀ ॥୪୨
ହେ ଚୂତ ପଣସ ପିଆଳ । ଅସନ ଜମ୍ବୁ କୋବିଦାର ॥୪୩
ବେଲ ବକୁଳ ଲିମ୍ବଯୁଥେ । ଗୋବିନ୍ଦ ଗଲେ କି ଏପଥେ ॥୪୪
ତୁମ୍ଭେ ଯେ ଯମୁନାର ତୀରେ । ଥାଅ ଯେ ଫଳପୁଷ୍ପ ଭରେ ॥୪୫
ପରେଣ କର ଉପକାର । ଏ ତୁମ୍ଭ ମହତ ବିଚାର ॥୪୬
କହ ଶ୍ରୀକୃଷ୍ଣ ଗଲେ କାହିଁ । ମରିବୁ ତା ମୁଖ ନ ଚାହିଁ ॥୪୭
ଯା'ନ୍ତେ ଦେଖିଲେ ବନଦେଶେ । ଅବନୀ ନ ଦିଶଇ ଘାସେ ॥୪୮
ତାହାକୁ ଚାହିଁ ଗୋପନାରୀ । ବୋଲନ୍ତି ଦେଖିଲୁକି ହରି ॥୪୯
ଏଣେ ଯେ ଗଲେ କୃଷ୍ଣ ଧାଇଁ । ତାପାଦ ଲାଗି ତୋର ଦେହୀ ॥୫୦
ପୁଲକ ହୋଇ ଅଛି ଦେଖ । ଆମ୍ଭେ ଯେ ହୋଇଲୁ ନିରେଖ ॥୫୧
ହରିଣୀ ଯୂଥଙ୍କୁ ଅନାଇ । ବୋଲନ୍ତି ଶୋକଭର ହୋଇ ॥୫୨
ଆମ୍ଭେ ଜାଣିଲୁ ସତ୍ୟ ଆଜ । ତୁମ୍ଭେ ଦେଖିଲ ଦେବରାଜ ॥୫୩
ହରି-ଚରଣଯୁଗ ଦେଖି । ନିର୍ମଳ କରିଅଛ ଆଖି ॥୫୪
ଏକ ଗୋପିକା ପଛେ ଥାଇ । ବୋଲଇ ଗୋପୀଙ୍କି ଅନାଇଁ ॥୫୫
କୃଷ୍ଣ ଏବାଟେ ଯାଉଥିଲେ । କୁସୁମମାଳ ଛାଡ଼ିଗଲେ ॥୫୬
ବହନ ଆଣିଲା ସାଉଁଟି । ଦେଖାଇ କୁନ୍ଦମାଳ ଗୋଟି ॥୫୭
ଯେ ନାରୀ କୃଷ୍ଣେ ଘେନିଗଲା । ଏମାଳ ତା'ର ହୃଦେ ଥିଲା ॥୫୮
କୃଷ୍ଣର ଆଲିଙ୍ଗନ କାଳେ । ଛିଡ଼ି ଗୋ ପଡ଼ିଅଛି ତଳେ ॥୫୯
ତେଣୁ ଗୋ ସୁଗନ୍ଧ ଏହାର । ଏବେ ପାଇବା ଦାମୋଦର ॥୬୦
ପ୍ରିୟାର କାନ୍ଧେ ଦେଇ ହାତ । ଏପଥେ ଗଲେ ଗୋପୀନାଥ ॥୬୧
ପଦ୍ମଗୋଟିଏ ଘେନି କରେ । ବୃକ୍ଷଙ୍କ ଫଳପୁଷ୍ପ ଭରେ ॥୬୨
ପଶି ଯେ ଗଲେ ଏଇବାଟେ । ଦେଖିଣ ନମନ୍ତି ଉଚ୍ଚାଟେ ॥୬୩
ପୁଣି ଗୋପିଏ ବୃକ୍ଷେ ଚାହିଁ । ମାଳତୀ ଯା'ର ହୃଦେ ଥାଇ ॥୬୪
ବୋଲଇ କେତେ ସଉଭାଗୀ । ଦେଖ ଗୋ କୃଷ୍ଣ ନଖ ଲାଗି ॥୬୫
ପୁଲକ ହୋଇଛି ଶରୀର । ଯେଣୁ ଲାଗିଲା କୃଷ୍ଣକର ॥୬୬
ଏମନ୍ତେ ହୋଇ ଉନମତ୍ତ । କୃଷ୍ଣର ପାଦେ ଦେଇ ଚିତ୍ତ ॥୬୭
ନଟନାରୀଙ୍କ ହଟମତେ । ଗୁଣ ପ୍ରକାଶ କଲେ ଅନ୍ତେ ॥୬୮
ମିଳିଲେ ମହାବନ ଘୋରେ । କାଳିନ୍ଦୀପୁଲିନ ତଟରେ ॥୬୯
ଉଜ୍ଜ୍ୱଳ ଚନ୍ଦ୍ରମା କିରଣ । ପିକ ଝିଙ୍କାରୀ ଶୁକ ତାନ ॥୭୦
ଏକାନ୍ତ ସ୍ଥାନେ ସର୍ବେ ବସି । କୃଷ୍ଣର ନାମ ଗୁଣ ଘୋଷି ॥୭୧
ଏକ ଗୋପିକା ଆଗ ସରି । କୋଳେ ଚାପିଲା ଗୋପନାରୀ ॥୭୨
ତାହାର କୁଚେ ମୁଖ ଦେଇ । ନିର୍ଭରେ ଦେଲାକ ପକାଇ ॥୭୩
ବୋଲଇ ମୁହିଁ ନାରାୟଣ । ଶୋଷିଲି ପୂତନାର ପ୍ରାଣ ॥୭୪
ମୋତେ ଲୋ ଭଜ ଗୋପନାରୀ । ଚାପଇ କରେ କର ଧରି ॥୭୫
ଏକ ଗୋପିକା ପଛେ ଥିଲା । ଚରଣେ ଛନ୍ଦି ପକାଇଲା ॥୭୬
ବୋଲଇ ମୁହିଁ ଦାମୋଦର । ପାଦେ ଶକଟ କଲି ଚୁର ॥୭୭
ଏକ ଗୋପୀକି କରି କାନ୍ଧେ । ପକାଇ ବୋଲଇ ଆନନ୍ଦେ ॥୭୮
ଦେଖ ମାଇଲି ତୃଣାବର୍ତ୍ତ । ମୁଁ ହାଦେ ଯଶୋଦାର ସୁତ ॥୭୯
କେ ଗୋପୀ ଉଦୁଖଳେ ଟାଣି । ଗୁରୁଣ୍ତେ ବଜାଇ କିଙ୍କିଣୀ ॥୮୦
ବୋଲଇ ମୋତେ ସେବାକର । ମୁଁ ସେ ଲୋ ଯଶୋଦାକୁମର ॥୮୧
ମୋ ଗର୍ଭେ ଥିଲାଟି ଜଗତ । ଯାହା ଦେଖିଲା ମୋର ମାତ ॥୮୨
କେ ବେନି ରାମକୃଷ୍ଣ ହୋଏ । ବାଛୁରୀ ଗୋପାଳ ଥୋକାଏ ॥୮୩
ପୁଣି ହିଁ ଏକଇ ଗୋପୀଏ । ହୋଇଲା ବତ୍ସାସୁର ପ୍ରାୟେ ॥୮୪
ଏକ ଗୋପୀଏ ଧରି କରେ । ବୁଲାଇ ପିଟିଲା ବୃକ୍ଷରେ ॥୮୫
ବୋଲଇ ମୁହିଁ ଦାମୋଦର । ଦେଖ ମାଇଲି ବତ୍ସାସୁର ॥୮୬
ଆର ଗୋପୀଏ ବୃକ୍ଷଡ଼ାଳେ । ଧରି ଚିରିଲା ବେନିଫାଳେ ॥୮୭
ବୋଲେ ମୁଁ ଯଶୋଦା କୁମର । ଦେଖ ଚିରିଲି ବକାସୁର ॥୮୮
କେ ବୃକ୍ଷଡ଼ାଳେ ମୁଖ ଦେଇ । ଗୀତ ସୁସ୍ୱରେ ବେଣୁ ବାଇ ॥୮୯
ଏକର କନ୍ଧେ ଦେଇ ହସ୍ତ । ଚାଲଇ ଯେହ୍ନେ ଗୋପୀନାଥ ॥୯୦
ବୋଲଇ ମୁହିଁ ବେଣୁଧର । ଦେଖ ମୋ' ଚାଲିବା ସୁନ୍ଦର ॥୯୧
ପୁଣି ଗୋପୀଏ ଆଗସରି । ବୋଲଇ ହୃଦେ ହସ୍ତ ମାରି ॥୯୨
ଇନ୍ଦ୍ର ଛାରକୁ କିପାଁ ଡ଼ର । ଆଜ ତୋଳିବି ଗିରିବର ॥୯୩
କେତେ ଲୋ ବରଷିବ ଆଜ । ବଜ୍ର ପାଷାଣ ଦେବରାଜ ॥୯୪
ଶାଢ଼ୀ ପାଲଟି ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ ॥୯୫
ଏକ ଗୋପିକା ବେଗେ ଧାଇଁ । ଆରକ ଶିରେ ପାଦ ଦେଇ ॥୯୬
ବୋଲଇ ପଳାଅ କାଳୀୟ । କାଳନ୍ଦୀ ହ୍ରଦରେ ନ ରହ ॥୯୭
ଖଳନାଶନ ବାନା ମୋର । ଅମୃତ କରିବଇଁ ନୀର ॥୯୮
ତୋହର ପ୍ରାୟ ଖଳଜନ । ନାଶିବୁ ଯେତେ ଦୁଷ୍ଟମାନ ॥୯୯
କେ ଗୋପୀ ଡ଼ାକଇ ସୁସ୍ୱରେ । ନୟନ ବୁଜି ଧାତିକାରେ ॥୧୦୦
ଅନଳ ଲିଭାଇବି ମୁହିଁ । ବସଲୋ ମୁଖେ କର ଦେଇ ॥୧୦୧
କେ ଗୋପୀ ଫୁଲମାଳ ଘେନି । କୋପେ ବୋଲଇ ଶିର ଝୁଣି ॥୧୦୨
ଲବଣୀ ଖାଉ ତୁ ଚୋରାଇ । ରୋଳେ ବାନ୍ଧିବି ତୋତେ ନେଇ ॥୧୦୩
ଆକର୍ଷି ପିନ୍ଧିଲା ବସନ । ବାନ୍ଧୁ ଅଛଇ ମନେ ମନ ॥୧୦୪
କେ ଗୋପୀ ଚାଲେ ଗୁଳୁଗୁଞ୍ଜା । କଟୀରେ ରୋଳ ବସ୍ତ୍ର ସଞ୍ଜା ॥୧୦୫
ବୋଲଇ ମୁହିଁ ନାରାୟଣ । ଭାଙ୍ଗିଲି ଯାମଳା ଅର୍ଜୁନ ॥୧୦୬
ଏମନ୍ତେ କୃଷ୍ଣ ଗୁଣମାନ । ଦେହେ ପୁରୋଇ ଗୋପୀଜନ ॥୧୦୭
କଳ୍ପନା ଭାବେ ଗୁଣ ବହି । ଯେ ଆତ୍ମା ପୂର୍ଣ୍ଣାନନ୍ଦ ଦେହି ॥୧୦୮
ହେ ନୃପ ସଂଶୟ ନ କର । ଯେ ଗୋପୀ-ଗୋଧନ ଗୋପାଳ ॥୧୦୯
ଦ୍ୱାଦଶ ବୃନ୍ଦାବନ ଯେତେ । ସବୁ ହିଁ କୃଷ୍ଣ ଗର୍ଭଗତେ ॥୧୧୦
ଯେ ହରି ସେହୁ ଗୋପନାରୀ । ଗୋପୀ ଗୋପାଳ କୃଷ୍ଣସରି ॥୧୧୧
ଏମନ୍ତେ ଗୋପୀ ବାଇପଣେ । ରାତ୍ରେ ବୁଲନ୍ତି ବନେ ବନେ ॥୧୧୨
ଯାଉଁ ଦେଖିଲେ ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ ॥୧୧୩
ଚିହ୍ନିଲେ କୃଷ୍ଣପାଦ ବୋଲି । ଗୋପୀ ଧାଇଁଲେ ପେଲାପେଲି ॥୧୧୪
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ଆନନ୍ଦ କଲେ ମନ ॥୧୧୫
କୃଷ୍ଣର ପାଦ ଅନୁସରି । ବନେ ଚାଲନ୍ତି ଗୋପନାରୀ ॥୧୧୬
ପୁଣି କେତେହେଁ ଦୂର ଯାଇ । ବୋଲନ୍ତି କୃଷ୍ଣ ପାଦ ଚାହିଁ ॥୧୧୭
ଦେଖ ଗୋ ଚରଣ ପାଖର । ପଡ଼ିଛି କାହାର ପୟର ॥୧୧୮
ଯାହାକୁ କୃଷ୍ଣ ଘେନିଗଲା । ସେ ତା'ର ପାଶେ ଯାଉଥିଲା ॥୧୧୯
ଧନ୍ୟଗୋ ତାହାର ଜୀବନ । ମୋହିଲା ଯଶୋଦା ନନ୍ଦନ ॥୧୨୦
କେତେ ଏ କୃଷ୍ଣେ ଆରାଧିଲା । ଏକାନ୍ତେ କୃଷ୍ଣଙ୍କୁ ରମିଲା ॥୧୨୧
ଯେ ପାଦ ବ୍ରହ୍ମା ତ୍ରିପୁରାରି । ଲଭିବା ପାଇଁ ଆଶା କରି ॥୧୨୨
ଲକ୍ଷ୍ମୀ ଯା ସେବଇ ନିରତେ । ଏ ତାହା ଲଭିଲା ଏକାନ୍ତେ ॥୧୨୩
ତାହାର ପାଦ ବର୍ଣ୍ଣ ଚିହ୍ନ । ଦହଇ ଆମ୍ଭର ଜୀବନ ॥୧୨୪
କୃଷ୍ଣ ଅଧର ସୁଧାପାନ । ଯାହାଟି ଗୋପୀଙ୍କ ଜୀବନ ॥୧୨୫
ଏକାନ୍ତେ ନେଇ ପାନ କଲା । କେତେ ଗୋ ତପ କରିଥିଲା ॥୧୨୬
ପୁଣି ନଦେଖିଲେ ପୟର । ଗହଳେ ଅଛି ତୃଣାଙ୍କୁର ॥୧୨୭
ବୋଲନ୍ତି କୋମଳ ତା' ପାଦ । ଯେଣୁ ପାଇଲା ତୃଣେ ଖେଦ ॥୧୨୮
ତେଣୁ ତାହାକୁ କନ୍ଧେ କଲେ । ନ ଦିଶେ ପାଦଚିହ୍ନ ଭଲେ ॥୧୨୯
ପୁଣି କ୍ଷଣକେ ପାଦ ଦେଖି । ଗୋପୀଏ ଚାହାନ୍ତି ନିରେଖି ॥୧୩୦
ଦେଖ ଗୋ କୃଷ୍ଣ ପୟର । ଅଧିକେ ଦିଶଇ ଗଭୀର ॥୧୩୧
ଯାହାକୁ କୃଷ୍ଣ ନେଉଥିଲା । ସେ ବାମା ଫୁଟିଣ ରହିଲା ॥୧୩୨
କନ୍ଧେ ବସାଇ ନେଲା ପ୍ରାୟେ । ପାଦ ଗଭୀର ଦେଖ ମାଏ ॥୧୩୩
କୃଷ୍ଣ ଯାହାକୁ ନେଉଥିଲା । ଏଠାରେ କବରୀ ଖସିଲା ॥୧୩୪
କନ୍ଧୁ ଓହ୍ଲାଇ ତା'ର ଅର୍ଥେ । ଫୁଲ ତୋଳିଲା ପରା ଏଥେ ॥୧୩୫
ଅଗ୍ରପାଦରେ ଠିଆ ହୋଇ । ଦେଖ ଏ ଚିହ୍ନି ତ ଦିଶଇ ॥୧୩୬
ବସିଣ ଖୋଷିଛି କବରୀ । ପିଚା ଆକୃତି ଅନୁସରି ॥୧୩୭
ପାଦ ଉପରେ ତା'କୁ ତୋଳି । ଦେଖ ଗୋ ଫୁଲ ଅଛି ପଡ଼ି ॥୧୩୮
ରମଣ କଲା ତା'ର ତୁଲେ । କଥା ଥୋଇଲା ମହୀତଳେ ॥୧୩୯
ଦେଖ କାମିନୀ ଦୁଷ୍ଟପଣ । ବଶ ଗୋ କଲା ନାରାୟଣ ॥୧୪୦
ଶୁଣ ପରୀକ୍ଷ ରାସକେଳି । ଯାହାକୁ ନେଇ ବନମାଳୀ ॥୧୪୧
ସେ ଗୋପୀ କୃଷ୍ଣ ପଛେ ଥାଇ । ଗରବ ମନେ ବିଚାରଇ ॥୧୪୨
ମୁଁ ଯେ ମୋହିଲି ହରି ଚିତ୍ତ । ମୋ ତହୁଁ ନାହିଁ ଭାଗ୍ୟବନ୍ତ ॥୧୪୩
ତାହା ଜାଣିଲେ ଭାବଗ୍ରାହୀ । ଗର୍ବ ବହିଲା ଏହା ଦେହୀ ॥୧୪୪
ମାୟା ମୋହିଲେ ଗୋପୀ ମନ । କୃଷ୍ଣଙ୍କୁ ବୋଲଇ ବଚନ ॥୧୪୫
ଭୋ ନାଥ ନ ପାରଇ ଯାଇ । ନିଅତୁ କନ୍ଧରେ ବସାଇ ॥୧୪୬
ମୋହରେ ଅଛି ଯେବେ ମନ । ବିଶେଷେ ଘୋର ବୃନ୍ଧବନ ॥୧୪୭
ମୁଁ ଏବେ ନ ପାରଇ ଚାଲି । ଶୁଣି ହସିଲେ ବନମାଳୀ ॥୧୪୮
ବୋଇଲେ ବସ ମୋର କାନ୍ଧେ । କୃଷ୍ଣ ବସିଲେ ବାଲିକୁଦେ ॥୧୪୯
ଶୁଣି ଗୋପିକା ତୋଷ ହୋଇ । ବସିଲା କୃଷ୍ଣକାନ୍ଧେ ଯାଇ ॥୧୫୦
ଉଠିଲେ ପ୍ରଭୁ ଚକ୍ରଧର । କାମିନୀ ଧରିଅଛି ଶିର ॥୧୫୧
କେତେ ହେଁ ଦୂର ବନେ ଯାଇ । ଅନ୍ତର ହେଲେ ଭାବଗ୍ରାହୀ ॥୧୫୨
ଗୋପୀ ପଡ଼ିଲା ମୁଖ ମାଡ଼ି । ଅଧର ଓଷ୍ଠ ଗଲା ଛିଡ଼ି ॥୧୫୩
ଦଣ୍ତେ ହୋଇଲା ମୂରୁଛିତ । ଉଠି ଲୋଡ଼ଇ ଗୋପୀନାଥ ॥୧୫୪
ସେ କାହିଁ ପାଇବ ମୁରାରି । ଗର୍ବଗଞ୍ଜନ ନରହରି ॥୧୫୫
ବିକଳେ ଚଉଦିଗେ ଚାହିଁ । କାନ୍ଦଇ ମୁଣ୍ତେ କର ଦେଇ ॥୧୫୬
ଆସ ବହନ ଗୋପୀନାଥ । ଗହଳେ ନ ଦିଶଇ ପଥ ॥୧୫୭
ମୋତେ ନିଶ୍ଚୟେ ନାଶ କଲୁ । ଗୋପୀଙ୍କ ସଙ୍ଗ ଛଡ଼ାଇଲୁ ॥୧୫୮
ପୂର୍ବର ଭାଗ୍ୟେ ତୋତେ ଦେଖି । ଏବେ ହୋଇଲି ନିରିମାଖୀ ॥୧୫୯
ଏକା କରିଣ ମୋତେ ଆଣି । ସୁଖେ ରମିଲୁ ବେଣୁପାଣି ॥୧୬୦
ମୁଁ ଦୁଃଖୀ କଲି ଦ୍ରୋହ କର୍ମ । ମତ୍ତେ ଦୋଇଲି ମତିଭ୍ରମ ॥୧୬୧
କନ୍ଧରେ ବସାଅ ବୋଇଲି । ଅଜ୍ଞାନେ ଦେହ ପାସୋରିଲି ॥୧୬୨
ଅବଳାଜନ୍ମ ମାତ୍ର କେତେ । ଯହୁଁ ମୁଁ ରମିଲି ଏକାନ୍ତେ ॥୧୬୩
କି ଦୋଷ କଲି ମୁହିଁ ତୋରେ । ନିବେଶି ଗଲୁ ବନଘୋରେ ॥୧୬୪
ଏମନ୍ତେ କାନ୍ଦଇ ତରୁଣୀ । କୃଷ୍ଣ ହସିଲେ ତାହା ଶୁଣି ॥୧୬୫
ଭାବକୁ ନିକଟ ଗୋସାଇଁ । ଭାବେ ପାଲଟାବସ୍ତ୍ର ବହି ॥୧୬୬
ନିକଟେ ଥାଇ ନ ଦିଶନ୍ତି । ଗରବ କ୍ଷଣେ ନ ସହନ୍ତି ॥୧୬୭
ଗୋପୀଏ ଯାଉଥିଲେ ବନେ । ତା'ର ରୋଦନ ଶୁଣି କର୍ଣ୍ଣେ ॥୧୬୮
ନିକଟେ ମିଳିଲେ ତାହାର । ତୋଳିଲେ ଧରି ବେନି କର ॥୧୬୯
ସଚେତ କରି ପଚାରିଲେ । ବୋଇଲେ ଥିଲୁ କୃଷ୍ଣ ତୁଲେ ॥୧୭୦
ଏକା କରିଣ ତୋତେ ଆଣି । କି କି ଗୋ କଲେ ବେଣୁପାଣି ॥୧୭୧
ପୁରୁଷ ଦଇନ୍ୟ ବେଭାର । ପକାଇ ହୋଇଲା ଅନ୍ତର ॥୧୭୨
ତୋତେ ପକାଇ ଘୋରବନେ । ଗୋବିନ୍ଦ ଗଲେ କେଉଁସ୍ଥାନେ ॥୧୭୩
ଏଡ଼େ ନିଷ୍ଠୁର ତା'ର ଦେହୀ । ପୂତନା ପ୍ରାଣ ଅଛି ଖାଇ ॥୧୭୪
ଅନେକ ହତ୍ୟା ଅଛି କରି । ଏବେ ଖାଇବ ଗୋପନାରୀ ॥୧୭୫
ଅଇଲୁ ତା'ର ବେଣୁସ୍ୱନେ । ଘୋର ଗହନ ବୃନ୍ଦାବନେ ॥୧୭୬
ଛାଡ଼ିଲୁ ଗୃହ ସୁତ କାନ୍ତ । ଏବନେ ହୋଇଲୁଁ ଅନାଥ ॥୧୭୭
ଏମନ୍ତ ପଥ ଅନୁସରି । କାନ୍ଦନ୍ତି କୃଷ୍ଣଙ୍କୁ ସୁମରି ॥୧୭୮
ସଖୀକି ହୃଦେ କୋଳକରି । କାନ୍ଦନ୍ତି ଷୋଳସସ୍ର ନାରୀ ॥୧୭୯
ସାହେର ଶବଦ ରୋଦନ । ଉଚ୍ଚବିଳାପ ବହୁସ୍ୱନ ॥୧୮୦
ଚେତନା କରଇ ଅଥିର । ହୃଦରେ କ୍ରୋଧ ଗୁରୁତର ॥୧୮୧
ସଖୀକି ପଚାରନ୍ତି ପୁଣି । କାହିଁ ଛାଡ଼ିଲୁ ବେଣୁପାଣି ॥୧୮୨
ସେ ନାରୀ ସଖୀ ଆଗେ କହି । ଯାହା ସେ କଲେ ଭାବଗ୍ରାହୀ ॥୧୮୩
ତାହାର ଗର୍ବମାନ ଯେତେ । କହିଲା ସଖୀଙ୍କ ଅଗ୍ରତେ ॥୧୮୪
ଶୁଣି ବିକଳ ଗୋପନାରୀ । ଉଚ୍ଚେ ବିଳାପଧ୍ୱନି କରି ॥୧୮୫
କାନନେ ପଶିଲେ ସକଳେ । ଷୋଳସହସ୍ର ଏକାବେଳେ ॥୧୮୬
ବୃକ୍ଷଗହଳ ଛାୟା ଦେଖି । ଅନ୍ଧାର ପ୍ରାୟ ଉପଲକ୍ଷ୍ୟି ॥୧୮୭
ଭୟେ ବାହୁଡ଼ିଲେ ସକଳେ । ପୁଣି ମିଳିଲେ ନଦୀକୂଳେ ॥୧୮୮
ମନ ନିବେଶି କୃଷ୍ଣପାଦେ । କାନ୍ଦନ୍ତି ଶୋକ ଗଦଗଦେ ॥୧୮୯
ଦେହ-ସଂସାର ପାସୋରିଲେ । ମରଣପଥ ଆବୋରିଲେ ॥୧୯୦
କୃଷ୍ଣଚରଣେ ମନ ଦେଇ । କାନ୍ଦନ୍ତି ଶୋକଭର ହୋଇ ॥୧୯୧
ନିର୍ମଳ ବାଲୁକା ବିଶେଷି । ସକଳ ସଖୀ ତହିଁ ବସି ॥୧୯୨
ସମାଧି ଯୋଗଧ୍ୟାନ ପ୍ରାୟେ । କୃଷ୍ଣ ଚରଣେ କରି ଲୟେ ॥୧୯୩
କୋଟି ସମ୍ପଦ ଦୂର କଲେ । ବ୍ରହ୍ମପ୍ରଦୀପ ଦେଖାଇଲେ ॥୧୯୪
ସେ ଗୋପୀ ଗୋବିନ୍ଦର ପାୟେ । ସୁଜନ ଜନ କର ଲୟେ ॥୧୯୫
ହରିଚରିତ ଭାଗବତ । ଅମୃତ ରସମୟ ଗୀତ ॥୧୯୬
ଏଣେ କରିବା ମନତୋଷ । କହଇ ଜଗନ୍ନାଥ ଦାସ ॥୧୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ କୃଷ୍ଣାନ୍ୱେଷଣଂ ନାମ ଏକତ୍ରିଂଶୋଽଧ୍ୟାୟଃ ॥
</poem>
==='''ଦ୍ୱାତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଗୋପୀଏ ବସି ବାଲିକୁଦେ । କାନ୍ଦନ୍ତି ଶୋକ ଗଦଗଦେ ॥୧
;ଗୋପୀଜନ ଉବାଚ
ଭୋ ନାଥ ଯଶୋଦା କୁମର । ତୋ ଜନ୍ମ କାଳୁଁ ଗୋପପୁର ॥୨
ଦାରିଦ୍ର୍ୟ ଦୁଃଖ ତ ନ ଜାଣି । ଆମ୍ଭର ଘରେ କମଳିନୀ ॥୩
ଅନେକ ହୋଇଲା ସମ୍ପଦ । କେ କହୁ ଆମ୍ଭର ଆନନ୍ଦ ॥୪
ଆମ୍ଭ ଜୀବନ ଅଟୁ ତୁହି । ତୋ ତହୁଁ ଅନ୍ୟ ଗତି ନାହିଁ ॥୫
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥୬
ମୁରଲୀନାଦେ ଅଣାଇଲୁ । ମୁଖୁଁ ଅମୀୟରସ ଦେଲୁ ॥୭
ଘୋର-ଗହନ-ବନେ ଥୋଇ । ଅନାଥ କରି ଗଲୁ କାହିଁ ॥୮
ଏବେ ଦେଖାଅ ପଦ୍ମମୁଖ । ବାରେ ଜୀବନ ଆମ୍ଭ ରଖ ॥୯
ତୋହର ଆଶେ ବ୍ରଜନାରୀ । ଏ ବନେ ତୋତେ ଅନୁସରି ॥୧୦
ଆମ୍ଭର ଆରତ ବିନାଶୁ । କୋଟିଏ କାମ ପ୍ରାୟେ ଦିଶୁ ॥୧୧
ତୋ'ର ସେବକ ଦୁଃଖ ନାଶୁ । ନିରେଖଜନଙ୍କୁ ଆଶ୍ୱାସୁ ॥୧୨
ତୋର ସେବକ ଆମ୍ଭେମାନେ । ତୋ ମୁଖ ନ ଦେଖୁଁ ନୟନେ ॥୧୩
ପଥ ନ ଦିଶେ ରାତ୍ରକାଳେ । ବୁଡ଼ାଇ ଗଲୁ ଶୋକଜଳେ ॥୧୪
ଭୋ ନାଥ କମଳଲୋଚନ । ଦେଖାଅ ନିର୍ମଳ ବଦନ ॥୧୫
ତୋ' ମୁଖକମଳର ତେଜେ । ଶରଦ-ପଦ୍ମ-ଶିରୀ ଗଞ୍ଜେ ॥୧୬
ସେ ଧନେ କିଣିଲୁ ଆମ୍ଭନ୍ତ । ଏ ବନେ କଲୁ ତୁ ଅନାଥ ॥୧୭
ସୁରତନାଥ ତୁ ଆମ୍ଭର । କିଣିଲା ଦାସୀ ଆମ୍ଭେ ତୋ'ର ॥୧୮
ଯାହାକୁ କିଣି ଧନ ଦେଇ । କେ ତାହା ଛାଡ଼େ ଭାବଗ୍ରାହୀ ॥୧୯
ସେ କି ନୋହଇ ତା'ର ବଧ । ବେଦ ପୁରାଣେ ଏହି ବାଦ ॥୨୦
ଅନେକ ଦୁଖୁଁ ଅଛୁ ରଖି । ଏବେ ତୁ କଲୁ ନିରିମାଖୀ ॥୨୧
ବକ ଉଦକ ଅଘାସୁର । ଇନ୍ଦ୍ର ବରଷା ମହାଘୋର ॥୨୨
ବନ ଅନଳ ଷଣ୍ଢା ମୁଖୁଁ । ତୁ ନାଥ ରଖିଛୁ ଆମ୍ଭଙ୍କୁ ॥୨୩
ତୋହର ପାଦ ଆଶ୍ରେ କରି । ଜନ୍ମ ମରଣକୁ ନ ଡ଼ରି ॥୨୪
ତୁ ନୋହୁଁ ଯଶୋଦା କୁମର । ଜୀବନ ଅଟୁ ପ୍ରାଣୀଙ୍କର ॥୨୫
ସକଳ ଜନ୍ତୁ ହୃଦେ ଥାଇ । ଅନ୍ତର ଜାଣୁ ଭାବଗ୍ରାହୀ ॥୨୬
ତୋତେ ଚିନ୍ତିଲା ବେଦବର । ନାଶିଲୁ ଅବନୀର ଭାର ॥୨୫୭
ତେଣୁ ଯାଦବକୁଳେ ଜାତ । ତୋହର ନାହିଁ ଆଦି ଅନ୍ତ ॥୨୮
ଭୋ ବୃଷ୍ଣିବଂଶ ଚୂଡ଼ାମଣି । ଆମ୍ଭର ଶିରେ ଦିଅ ପାଣି ॥୨୯
ତୋହର କର ବ୍ରହ୍ମରାଶି । ଜନ୍ମ ମରଣ ଭୟ ନାଶି ॥୩୦
ପଦ୍ମ ହୁଁ ଅତି ସୁକୁମାର । କମଳା ବରିଅଛି ବର ॥୩୧
ତୋହର ପାଦପଦ୍ମ ଦୁଇ । ବନେ ଗୋରୁଙ୍କ ପଛେ ଥାଇ ॥୩୨
ପ୍ରଣତଦେହୀ ପାପ ନାଶ । ଜଳଧିତନୟାନିବାସ ॥୩୩
ସହସ୍ର ଫଣା କାଳୀୟର । ସୁନ୍ଦର କଲା ଯେ ପୟର ॥୩୪
ଆମ୍ଭର କୁଚେ ତା' ଲଗାଅ । କାମ ଅନଳ ତୁ ଲିଭାଅ ॥୩୫
ତୋହର ମଧୁର ବଚନ । ହୃଦେ ଭାବନ୍ତି ମୁନିଜନ ॥୩୬
ଆମ୍ଭେ ତୋହର ପରିବାରୀ । ମୂର୍ଚ୍ଛିତ ହୋଇଲୁ ମୁରାରି ॥୩୭
ତୋ'ର ଅଧରୁ ସୁଧା ଦେଇ । ଜୀବନ ରଖ ଭାବଗ୍ରାହୀ ॥୩୮
ତୋ'ର ଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି ॥୩୯
ଜନ୍ମ ମରଣ ତାପ ନାଶେ । ଦୂରିତମାନ ଦେହୁ ଧ୍ୱଂସେ ॥୪୦
ମଙ୍ଗଳ କରେ ଶ୍ରୁତିପଥେ । ଯେ ଯାହା ବିଚାରେ ଜଗତେ ॥୪୧
ତେଣେ ଯେ ହୋଇ ଉନମତ୍ତା । ସେ ନର ଚଉବର୍ଗଦାତା ॥୪୨
ତୋ' ଦରହସିତ ବଦନ । କୋମଳ ମଧୁର ବଚନ ॥୪୩
ଧ୍ୟାନମଙ୍ଗଳ ତୋ' ବିହାର । ଏକାନ୍ତ କଥା ହୃଦହାର ॥୪୪
କପଟ ପ୍ରାୟ ତୋ'ର ରୀତି । ଆମ୍ଭର ମନ ଏ ଦହନ୍ତି ॥୪୫
ତୁନାଥ ଗୋରୁଙ୍କର ମେଳେ । କାନନେ ଯାଉ ଯେତେବେଳେ ॥୪୬
କୋମଳ ପାଦପଦ୍ମ ଚାହିଁ । ଆମ୍ଭର ହୃଦୟ ଦହଇ ॥୪୭
କଣ୍ଟା ପାଷାଣ ତୃଣ ଲାଗି । ନ ପୁଣ ହୋଏ ଦୁଃଖଭୋଗୀ ॥୪୮
ଯେବେ ଲୋଚନେ ଦେଖୁଁ ତାହା । ତେବେ ସେ ସ୍ଥିର ହୋଏ ହିଆ ॥୪୯
ବନୁ ଯେ ଆସୁ ଦିନଅନ୍ତେ । ଆତୁର ହୋଇ ଦେଖୁଁ ପଥେ ॥୫୦
କପୋଳେ କୁଟୀଳ କୁନ୍ତଳ । ହୃଦେ ଲମ୍ବଇ ବନମାଳ ॥୫୧
ଗୋରଜ ଦେଖି ତୋ'ର ଦେହେ । ଆମ୍ଭ ଜୀବନ କାମ ଦହେ ॥୫୨
ତୋ'ର ଅଭୟ ପଦ୍ମପାଦ । ଶରଣଜନଙ୍କ ସମ୍ପଦ ॥୫୩
କମଳା ଦଣ୍ତେ ନ ଛାଡ଼ଇ । ଆପଦ କାଳେ ଯାହା ଧ୍ୟାୟି ॥୫୪
ଅନେକ ସୁଖ ପ୍ରସରଇ । ରଖ ଆମ୍ଭଙ୍କୁ ସ୍ତନେ ଦେଇ ॥୫୫
ସୁରତ ପଣେ ବଳୀୟାର । ଶୋକ ବିନାଶେ ପ୍ରାଣୀଙ୍କର ॥୫୬
ସୁସ୍ୱର ବେଣୁ ଯେ ଅଧରେ । ଜନ୍ମ ମରଣ ତାପ ହରେ ॥୫୭
ତୁ ସେ ଅଧର ସୁଧାରସ । ଦେଇ ଆମ୍ଭର ମନ ତୋଷ ॥୫୮
ଗୋରୁ ଚରାଇ ଯାଉ ବନେ । ତୋତେ ନ ଦେଖିଲେ ନୟନେ ॥୫୯
ନିମିଷ ଯୁଗ ପ୍ରାୟ ମଣୁ । ଗୁରୁ ଗଉରବ ନ ଗଣୁ ॥୬୦
ତୁଯେତେବେଳେ ଗୋପେ ପଶୁ । ପଥେ ମୁରଲୀ ନାଦ ଘୋଷୁ ॥୬୧
କୁଟୀଳ-କୁନ୍ତଳ-ବଦନ । ଦେଖି ନ ଚଳଇ ନୟନ ॥୬୨
ପତି ତନୟ ବନ୍ଧୁ ଭାଇ । ଆମ୍ଭେ ତେଜିଲୁ ତୋ'ର ପାଇଁ ॥୬୩
ସୁସ୍ୱରେ ଗାଉ ବେଣୁଗୀତ । ଆମ୍ଭେ ହୋଇଲୁ ମୂରୁଛିତ ॥୬୪
ରାତ୍ରେ ଆଣିଲୁ ଘୋରବନେ । ଆମ୍ଭଙ୍କୁ ତେଜିଲୁ କେସନେ ॥୬୫
ଏଡ଼େ ନିର୍ଦ୍ଦୟ ତୋ'ଶରୀର । ବିଶ୍ୱାସ ନାଶିଲୁ ଆମ୍ଭର ॥୬୬
ଶୁଣି ତୋ' ଏକାନ୍ତ ବଚନ । ହୃଦୟ ଦହଇ ମଦନ ॥୬୭
ଅଳପ ହାସ୍ୟ ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥୬୮
ତୋହର ଶ୍ରୀମୁଖ ଅନାଇଁ । ଆମ୍ଭର ମନ ନ ରହଇ ॥୬୯
ଆମ୍ଭ ଆରତ ଖଣ୍ତିବାରେ । ତୋର ଜନମ ଗୋପପୁରେ ॥୭୦
ସୁଫଳ କରଇ ସଂସାର । ଦେହୁ ଖଣ୍ତଇ ତମଘୋର ॥୭୧
ତୋ' ପାଦୁଁ ଆନଗତି ନାହିଁ । ନିରାଶ ନ କର ଗୋସାଇଁ ॥୭୨
ଯେବଣ ପାଦ ଆମ୍ଭେ ଧରି । ସ୍ତନେ ନ ଚାପୁ ଗୋପନାରୀ ॥୭୩
କର୍କଶସ୍ତନ ଯେ ଆମ୍ଭରି । ପ୍ରାସ କରିବ ବୋଲି ଡ଼ରି ॥୭୪
ସେ ବେନିପାଦେ ତୃଣାଙ୍କୁରେ । ଏବେ ଚାଲିଲୁ ବନଘୋରେ ॥୭୫
ନ ପୁଣ କ୍ଷତ ହୋଏ ପାଦ । ମନରେ ଲଭୁଛୁଁ ବିଷାଦ ॥୭୬
ତୋହର ଦାସ ଜଗନ୍ନାଥ । ସେ ପାଦେ ରଖ ଗୋପୀନାଥ ॥୭୭
ବୁଡ଼ିଲି ଘୋର ଭବଜଳେ । ଉଦ୍ଧରି ଥୁଅ ନେଇ କୂଳେ ॥୭୮
ପୁରାଣରସ ଭାଗବତ । କହଇ ଦାସ ଜଗନ୍ନାଥ ॥୭୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀଗୀତଂ ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ॥
</poem>
==='''ତ୍ରୟତ୍ରିଂଶ ଅଧ୍ୟାୟ'''===
<poem>
କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡ଼ାମଣି ॥୧
ଏମନେ ବନେ ଗୋପନାରୀ । କାନ୍ଦନ୍ତି କୃଷ୍ଣନାମ ଧରି ॥୨
ଜୀବନ କୃଷ୍ଣପାଦେ ଦେଇ । ଦିଶ-ଆକାଶ ନ ଦିଶଇ ॥୩
ରୋଦନ ଉଚ୍ଚସ୍ୱରେ ଧ୍ୱନି । କ୍ଷତ ହରିଣୀପ୍ରାୟେ ଜାଣି ॥୪
ଗୋପୀଙ୍କ ରୋଦନ ଶବଦ । ରାତ୍ରେ କୋକିଳସ୍ୱର ନାଦ ॥୫
ଶୁକ ଝିଙ୍କାରୀ ପକ୍ଷୀକୁଳ । ଶୁଣିଲେ ଗୋପୀଙ୍କ ବିକଳ ॥୬
ପୃଥ୍ୱୀ ସହିତେ ଶୋକ କରି । ଆକାଶ ଦିଗେ ଧ୍ୱନି ପୂରି ॥୭
ଶ୍ରୀହରି ନାମ କୀରିତନ । ରୋଦନ କରି ଅଚେତନ ॥୮
ଭକ୍ତବତ୍ସଳ ଦୟାନିଧି । ଶରଣ ସୋଦର ବାରିଧି ॥୯
ଭକତଜନ ମୋକ୍ଷପାଳ । ଶୁଣିଲେ ଗୋପୀଙ୍କ ବିକଳ ॥୧୦
ଭାବକୁ ନିକଟ ମୁରାରି । ଗର୍ବ ଯେ କଲେ ଗୋପନାରୀ ॥୧୧
ବନେ ଅନେକ ଦୁଃଖ ଦେଇ । ତୋଷ ହୋଇଲେ ଭାବଗ୍ରାହୀ ॥୧୨
ଯେସନେ ଜଳଦେ ବିଜୁଳି । ଗୋପୀଙ୍କ ମଧ୍ୟେ ଯାଇ ମିଳି ॥୧୩
ନୀଳ ଶରୀର ପୀତବାସ । ମୁଖପଙ୍କଜେ ମନ୍ଦହାସ ॥୧୪
କଣ୍ଠେ ଲମ୍ବଇ ବନମାଳ । ସୁନ୍ଦର ମଦନଗୋପାଳ ॥୧୫
ଭୁଜ ବିସ୍ତାରି ନରହରି । ଡ଼ାକନ୍ତି ଆସ ଗୋପନାରୀ ॥୧୬
ଗୋପୀ ଚାହିଁଲେ ତାହା ଶୁଣି । ମଧ୍ୟେ ବିଜୟ ଚକ୍ରପାଣି ॥୧୭
ଜୀବନ ପାଇଲେ ସକଳେ । ଗୋପୀ ଉଠିଲେ ଏକାବେଳେ ॥୧୮
ପତଙ୍ଗଅନଳକୁ ଚାହିଁ । ଯେହ୍ନେ ପଡ଼ନ୍ତି ବେଗେ ଧାଇଁ ॥୧୯
ବହନ ବେଢ଼ିଲେ ମୁରାରି । ଧନ୍ୟଜୀବନ ବ୍ରଜନାରୀ ॥୨୦
ପରମଆତ୍ମା ପୁରୁଷକୁ । ପାଇଣ ଦମ୍ଭ କଲେ ବୁକୁ ॥୨୧
ଅଙ୍ଗୁଳି ଛନ୍ଦନ୍ତି କେ କରେ । ଚରଣ ଭିଡ଼ନ୍ତି ନିର୍ଭରେ ॥୨୨
କେ ବାହୁମୂଳେ କୋଳ କଲା । କେ ପାଦ ଅଙ୍ଗୁଳି ଧଇଲା ॥୨୩
କେ ପିଠି କୋଳକରି ରହି । କେ ଜାନୁ ଧଇଲାକ ଯାଇ ॥୨୪
କେ ମୁଖେ ମୁଖଭରି ଚାହେଁ । କେ ସ୍ତମ୍ଭ ପ୍ରାୟେ ହୋଇ ରହେ ॥୨୫
କେ ଗୋପୀ ନୟନ ଆକର୍ଷି । କଟାକ୍ଷ ଭାବେ ଦରହାସି ॥୨୬
ବେଢ଼ି ଧଇଲେ ନାରାୟଣ । ବିଚିତ୍ର ଭଙ୍ଗିମା କରିଣ ॥୨୭
ପଣତେ ବାନ୍ଧି ବନମାଳୀ । ଆନନ୍ଦେ ଦେଲେ ହୁଳହୁଳି ॥୨୮
କେ କୁଚ ପରେ ଆଲିଙ୍ଗନ । କେ ମୁଖେ ଦିଅନ୍ତି ଚୁମ୍ବନ ॥୨୯
କେ ଗୋପୀ ଅଧରେ ଅଧର । ତାମ୍ବୁଳ କରନ୍ତି ଆହାର ॥୩୦
କେ ବେନିହସ୍ତେ ପାଦ ଧରି । ସ୍ତନେ ଚାପଇ ଗୋପନାରୀ ॥୩୧
କେ ଗୋପୀ ହୃଦେ ହସ୍ତ ଦେଇ । କଟାକ୍ଷ-ନୟନେ ଅନାଇଁ ॥୩୨
କେ ଦୂରୁଁ ଚାହେଁ କୋପକରି । ସୁରଙ୍ଗ ଅଧର କାମୋଡ଼ି ॥୩୩
କେ ଯାଇ ନ ପାରେ ଗହଳେ । ଧୀରେ ଚାହଁଇ ବେନିଡ଼ୋଳେ ॥୩୪
ଚକ୍ଷୁ ବୁଜିଣ ରସଭରେ । ଗୋବିନ୍ଦେ ଦେଖିଲା ଭିତରେ ॥୩୫
ଅଣ୍ତାଳି କଲା ଆଲିଙ୍ଗନ । ତାପ ଛାଡ଼ିଲା ଗୋପୀମନ ॥୩୬
କେ ରୂପ ଦେଖି ଚକ୍ଷୁ ବୁଜି । ପୁଲକ କଲା ରୋମରାଜି ॥୩୭
ଆନନ୍ଦମନେ ଧ୍ୟାନ କଲା । ଯୋଗୀଙ୍କ ପ୍ରାୟେ ସେ ରହିଲା ॥୩୮
କୃଷ୍ଣର ଦର୍ଶନେ ଆନନ୍ଦ । ଛାଡ଼ିଲେ ମନୁ ଚିନ୍ତା ଖେଦ ॥୩୯
ବ୍ରହ୍ମସମାଧି ଲଭି ଜନେ । ନିଶ୍ଚଳ ହୋନ୍ତି ଯୋଗଧ୍ୟାନେ ॥୪୦
ତକ୍ଷଣେ ଉଠିଲେ ମୁରାରି । ଆବୋରିଛନ୍ତି ବ୍ରଜନାରୀ ॥୪୧
ଯେସନେ ବ୍ରହ୍ମ ଗୁଣବନ୍ତ । ଅଧିକ ଶୋଭା ଗୋପୀନାଥ ॥୪୨
ଗୋପୀଙ୍କି ଘେନି ବନମାଳୀ । ଯମୁନା ବାଲିକୁଦେ ମିଳି ॥୪୩
କୁନ୍ଦ ମନ୍ଦାର ଫୁଲ ଗନ୍ଧ । ବିକାଶେ ଭ୍ରମର ସମ୍ପଦ ॥୪୪
ଶରଦଚନ୍ଦ୍ର ଯେହ୍ନେ ଝଳି । ନିର୍ମଳ ବିରାଜଇ ବାଲି ॥୪୫
କୃଷ୍ଣର ଦେହବର୍ଣ୍ଣ ଝଳି । ଯେସନେ ବିରାଜେ ବିଜୁଳି ॥୪୬
ପାଇଣ କୃଷ୍ଣ ଅଙ୍ଗସଙ୍ଗ । ତାପ ଛାଡ଼ିଲେ ଗୋପୀଅଙ୍ଗ ॥୪୭
ବ୍ରହ୍ମ ବିଚାରେ ଜ୍ଞାନ ପାଇ । ଯେହ୍ନେ ପଣ୍ତିତ ତୋଷ ହୋଇ ॥୪୮
ପାଲଟି ପାଡ଼ିଲେ ବସନ । କୃଷ୍ଣଙ୍କୁ ବସାଇ ଆସନ ॥୪୯
ବୋଲନ୍ତି ବସ ପ୍ରାଣନାଥ । ବୁଲି ଯେ ଅଛ ଘୋରପଥ ॥୫୦
ବସ୍ତ୍ର ଆସନେ କୃଷ୍ଣ ବସି । ଗୋପୀଙ୍କ ମୁଖ ଚାହିଁ ହସି ॥୫୧
ଯାହାଙ୍କୁ ହୃଦେ ଯୋଗୀଜନେ । ବସାନ୍ତି କଳ୍ପିତ ଆସନେ ॥୫୨
ଦିବ୍ୟ କନକ ସିଂହାସନ । ପାଟପତନି ବିଦ୍ୟମାନ ॥୫୩
ଅମରବୃନ୍ଦ ଏକମେଳେ । ଆସନ କରନ୍ତି ନିରୋଳେ ॥୫୪
ବସାଇ ନ ପାରନ୍ତି ହରି । ଧ୍ୟାନପଥରେ ଅନୁସରି ॥୫୫
ସେ ସ୍ୱାମୀ ପାଲଟା ବସନେ । ପାଡ଼ିଣ କଲେକ ଆସନେ ॥୫୬
ଭାବକୁ ହୋଏ ଏଡ଼େ ବାଇ । ପୂର୍ବେ ପାଲଟାବସ୍ତ୍ର ବହି ॥୫୭
ଗୋପୀଙ୍କ ଭାବ ହୃଦେ ଧରି । ମଧ୍ୟେ ବିଜୟ ନରହରି ॥୫୮
ଅଶେଷ-ବ୍ରହ୍ମାଣ୍ତ-ଠାକୁର । ରୂପେ କି ଦେବା ପଟାନ୍ତର ॥୫୯
କୃଷ୍ଣେ ବସାଇ ଗୋପୀଜନେ । ଚାହାାଁନ୍ତି କଟାକ୍ଷ ନୟନେ ॥୬୦
ହରିର ବେନିଭୁଜ ଧରି । କୋପେ ବୋଲନ୍ତି ଗୋପନାରୀ ॥୬୧
ତୁ ଧୂର୍ତ୍ତ ଚତୁର ନାଗର । ଆମ୍ଭଙ୍କୁ ଛାଡ଼ି ବନଘୋର ॥୬୨
ତୁ ପୁଣି ଯାଉ ଏକା ହୋଇ । ସଖୀ ଗୋଟିଏ ସଙ୍ଗେ ଲଇଁ ॥୬୩
ନିଶାରେ ଛାଡ଼ି ଗଲୁ କେଣେ । ଆମ୍ଭେ ବୁଲିଲୁ ବଣେ ବଣେ ॥୬୪
ଏଡ଼େ ନିଷ୍ଠୁର ତୋ'ର ଦେହୀ । ବିପିନେ ଛାଡ଼ି ଗଲୁ କାହିଁ ॥୬୫
ଆମ୍ଭେ ତ ନୋହୁ ତୋ'ର ରିପୁ । ତୋହର ନାମ ହୃଦେ ଜପୁ ॥୬୬
ଆମ୍ଭଙ୍କୁ ନିର୍ଦ୍ଦୟା ତୋହର । ଏବେ ଜାଣିଲୁ ବେଣୁଧର ॥୬୭
ବିଶ୍ୱାସେ ପୂତନା ପରାଣ । ପିଇ ଯେ ଅଛୁ ନାରାୟଣ ॥୬୮
ଏତେ କହିଣ ଗୋପନାରୀ । ବିମ୍ବଅଧର କରେ ଧରି ॥୬୯
ଶ୍ରୀମୁଖୁଁ କଲେ ମଧୁପାନ । ଆକର୍ଷି ଦେଲେକି ଚୁମ୍ବନ ॥୭୦
ଧନ୍ୟ ଜୀବନ ଗୋପବଧୁ । ଭାବେ ପାଇଲେ ସୁଖସିନ୍ଧୁ ॥୭୦
ସମସ୍ତେ ବେଢ଼ିଣ ବସିଲେ । ବିଚ୍ଛେଦ କଥା ପଚାରିଲେ ॥୭୧
ବୋଲନ୍ତି ଶୁଣ ପ୍ରାଣନାଥ । ଆମ୍ଭେ ଦେଖିଲୁ ବିପରୀତ ॥୭୨
ଭଜନ୍ତା ଜନେ କେ ଭଜଇ । ନ ଭଜିଲେ ବା ଭଜେ କେହି ॥୭୩
ଯେ ଯା'କୁ ଭାବେଣ ଭଜଇ । ସେ ପୁଣି ତାହାକୁ ତେଜଇ ॥୭୪
ଭୋ ନାଥ ତୋହର ପରାୟେ । ଭାବେ ନ ଭଜନ୍ତି ଥୋକାଏ ॥୭୫
ସେ ବେନିକୁଳ ନ ଭଜନ୍ତି । ଭୋ ନାଥ ଫେଡ଼ ମନୁ ଭ୍ରାନ୍ତି ॥୭୬
ଶୁଣି ବୋଲନ୍ତି କୃଷ୍ଣ ହସି । ବରଜଯୁବତୀ ଆଶ୍ୱାସି ॥୭୭
ଶୁଣ ସକଳ ଗୋପନାରୀ । ଯେ ଯାହା ଭାବେ ପ୍ରୀତିକରି ॥୭୮
ଏକ ଆରେକ ଉପକାରେ । ଭଜନ୍ତି ସଂସାର ବେଭାରେ ॥୭୯
ଯହିଁ ସୁହୃଦପଣ ନାହିଁ । ଭାବ ନ ଦେଖିଲେ ଛାଡ଼ଇ ॥୮୦
ଭାବ ନ ଦେଖିଲେ ଭଜଇ । ତାତ ଜନନୀ ପ୍ରାୟ ହୋଇ ॥୮୧
ତାହାକୁ ବୋଲି ବଡ଼ପଣ । ସେ ପାଇ ବିଷ୍ଣୁର ଚରଣ ॥୮୨
ଥୋକେ ଭକତ ନ ଭଜନ୍ତି । ଆତ୍ମବଡ଼ିମା ପ୍ରକାଶନ୍ତି ॥୮୩
ସେ ଗୁରୁଦ୍ରୋହ ଦୋଷ ପାଇ । ଉଭୟ ଲୋକେ ସୁଖ ନାହିଁ ॥୮୪
ଶୁଣ ଗୁଆଳୀ ସାବଧାନେ । ମୋତେଭଜନ୍ତି ଯେତେ ଜନେ ॥୮୫
ତାହାଙ୍କୁ ଭଜୁଥାଇ ମୁହିଁ । ମୁ ତାଙ୍କ ଭକତି ଜାଣଇଁ ॥୮୬
ମୋତେ ଯେ ଭକତି କରନ୍ତି । ନିଶ୍ଚଳ ହୋଏ ତାଙ୍କ ମତି ॥୮୭
ଦରିଦ୍ର ଯେହ୍ନେ ଧନ ପାଇ । ପ୍ରାଣୁ ଅଧିକ ସମ୍ଭାଳଇ ॥୮୮
କାଳେ ହରାଇ ସେହି ଧନ । ବିଷାଦ ହୋଏ ତାର ମନ ॥୮୯
ଭାଳଇ ଧନେ ମନ ଦେଇ । କ୍ଷୁଧା ପିପାସା ନ ଲାଗଇ ॥୯୦
ପୁଣି ପ୍ରାପତ ହୋଏ ଧନ । ଆତ୍ମାରୁ ଅଧିକେ ଯତନ ॥୯୧
ତେମନ୍ତ ହୋଇ ନରଲୋକେ । ଭକତି କରୁଥା'ନ୍ତି ଥୋକେ ॥୯୨
ତୁମ୍ଭେ ତେମନ୍ତ ପ୍ରାୟେ ହୋଇ । ମୋହର ପାଦେ ଚିତ୍ତ ଦେଇ ॥୯୩
ଲୋକ ବେଭାର ବେଦପଥ । ଛାଡ଼ି ଭଜିଲ ଅବିରତ ॥୯୪
ପ୍ରେମେ ବିଳାପ କଲ ଯେତେ । ଶୁଣିଲି ତୁମ୍ଭର ସଙ୍ଗତେ ॥୯୫
ପଛେ ମୁଁ ଥାଇ ତୁମ୍ଭ ତୁଲେ । ଭକତି ଜାଣିଲଇଁ ଭଲେ ॥୯୬
ଗରବ କଲ ତୁମ୍ଭେ ଯାହା । ମନେ ମୁଁ ଜାଣିଲଇଁ ତାହା ॥୯୭
ସେ ଘେନି ହୋଇଲି ଅନ୍ତର । ଗର୍ବଗଞ୍ଜନ-ବାନା ମୋର ॥୯୮
ତୁମ୍ଭର ଗର୍ବ ଗଞ୍ଜିବାରେ । ଅଦୃଶ୍ୟ ହୋଇଲି ଅନ୍ଧାରେ ॥୯୯
ତୁମ୍ଭର ପ୍ରେମଭକ୍ତି ଜାଣି । ଆସି ମିଳିଲି ଏବେ ପୁଣି ॥୧୦୦
ଏ କଥା ମୋର ଭଲପଣ । ତୁମ୍ଭଙ୍କୁ ହୋଇଲା କାରଣ ॥୧୦୧
ଆବର ଗର୍ବ ନ କରିବ । ମୋ' ନାମ ନିରତେ ଭାବିବ ॥୧୦୨
ମୋତେ ନ କର ତୁମ୍ଭେ ରୋଷ । ମୁଁ ତୁମ୍ଭ ପୁରାଇବି ଆଶ ॥୧୦୩
ତୁମ୍ଭର ଭାବ ମୁଁ ଜାଣଇ । ଛନ୍ଦ କୁଟିଳ ମାୟା ନାହିଁ ॥୧୦୪
ଅନେକ କାଳେହେଁ ତୁମ୍ଭର । ଶୁଝି ନ ପାରେ ଉପକାର ॥୧୦୫
ମୋହର ମାୟାର ଶାଙ୍କୋଳି । ଭାବେ କାଟିଲ ଗୋବାଳୀ ॥୧୦୬
ତୁମ୍ଭର ଜନ୍ମ ବନ୍ଧ ନାହିଁ । ମୋତେ କିଣିଲ ଭାବ ଦେଇ ॥୧୦୭
ମୋ'ର ଭକତି ଯେ ଲୋଡ଼ନ୍ତି । ସେ ମୋ'ର ପଥ ଆବୋରନ୍ତି ॥୧୦୮
ମୁହିଁ ଠାକୁର ତାହାଙ୍କର । ସୁଜନଜନଙ୍କ ବେଭାର ॥୧୦୯
କହଇ ଦାସ ଜଗନ୍ନାଥ । ମୁଁ କୃଷ୍ଣ ସେବକର ଭୃତ୍ୟ ॥୧୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀସାନ୍ତ୍ୱନଂ ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ॥
</poem>
==='''ଚତୁସ୍ତ୍ରିଂଶ ଅଧ୍ୟାୟ'''===
<poem>
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥୧
;ଶୁକ ଉବାଚ
ଗୋପୀଏ କୃଷ୍ଣ ବୋଲ ଶୁଣି । ଚିନ୍ତା ଛାଡିଲେ ମନେ ଗୁଣି ॥୨
ସେ ବାଲିକୁଦେ ହୃଷୀକେଶ । ଆରମ୍ଭ କଲେ କେଳିରସ ॥୩
ରାସଉତ୍ସବେ ବ୍ରଜନାରୀ । ଏକର କର ଆରେ ଧରି ॥୪
ଅନନ୍ତ ମାୟାଯୋଗ କରି । ଷୋଳସହସ୍ର ରୂପ ଧରି ॥୫
ଗୋପୀ କେ ଗୋବିନ୍ଦ ଗୋଟିଏ । ସ୍ୱର୍ଗେ ଦେଖନ୍ତି ଦେବତାଏ ॥୬
କେ କଣ୍ଠତଟେ ଭିଡ଼ି ତୋଷେ । ଚୁମ୍ବନ ଦିଅନ୍ତି ହରଷେ ॥୭
କୃଷ୍ଣର ଦେଖି କ୍ରୀଡ଼ାରସ । ତ୍ରିଦଶେ ହୋଇଲେ ହରଷ ॥୮
ଗନ୍ଧର୍ବ ଯକ୍ଷ ଅପସରୀ । ବିମାନେ ଗଗନେ ସଞ୍ଚରି ॥୯
ଦେଖନ୍ତି ଗୋବିନ୍ଦର କେଳି । ସପତ-ସ୍ୱର୍ଗଲୋକେ ମିଳି ॥୧୦
ଦୁନ୍ଦୁଭିନାଦ ଗୀତସ୍ୱରେ । କୁସୁମ ବରଷନ୍ତି ଶିରେ ॥୧୧
ଗନ୍ଧର୍ବେ ଅପସରୀ ମେଳେ । ନୃତ୍ୟ କରନ୍ତି ରସଭୋଳେ ॥୧୨
ହରି-ବିନୋଦେ ବ୍ରଜନାରୀ । ଆନନ୍ଦେ ବୃନ୍ଦାବନେ ପୁରି ॥୧୩
ଅମରେ ସ୍ୱଦାରା ସହିତେ । ବିମାନେ ବସି ଶୂନ୍ୟପଥେ ॥୧୪
ଦେଖନ୍ତି ଗୋବିନ୍ଦର ନୃତ୍ୟ । ସମସ୍ତେ ହୋଇ ମୋହଗତ ॥୧୫
ଗୋପୀଙ୍କ ଢ଼ଳିବାର ଗତି । ଅଙ୍ଗଭଙ୍ଗିମା ଝଲକନ୍ତି ॥୧୬
ବଳୟ ନୂପୁର ଶବଦେ । କିଙ୍କିଣି ତାଳ ଗୀତନାଦେ ॥୧୭
କେହି ନ ଶୁଣନ୍ତି ଗହଳେ । କୃଷ୍ଣର ମାୟାଯୋଗ ବଳେ ॥୧୮
ନୀଳପର୍ବତ ମଧ୍ୟେ ହରି । ଯେସନେ ସୁବର୍ଣ୍ଣପାଚେରୀ ॥୧୯
ଗୋପୀଙ୍କ ମଧ୍ୟେ ଶିରୀରଙ୍ଗ । ସୁନ୍ଦର କୋଟିଏ ଅନଙ୍ଗ ॥୨୦
ନୃତ୍ୟ କରନ୍ତି ଗୋପନାରୀ । ଗୀତେ ମୋହିଲେ ନରହରି ॥୨୧
ବେନି ଯୁବତୀ କନ୍ଧେ କର । ଦେଇଣ ଉଭା ଚକ୍ରଧର ॥୨୨
ଏ ବିଧି ସବୁ ନାରୀ କନ୍ଧେ । ଭୁଜଯୁଗଳ ଦେଇ ଛନ୍ଦେ ॥୨୩
ଯେହ୍ନେ କନକକଣ୍ଠି ବେନି । ମଧ୍ୟରେ ଶୋହେ ନୀଳମଣି ॥୨୪
ହୋଇଣ ଅନେକ ପୀରତି । ମଣ୍ତଳ ଆକାର ଯୁବତୀ ॥୨୫
ପାଦ ଚାଳନ୍ତି ଅଙ୍ଗଭଙ୍ଗେ । ଭ୍ରୁକୁଟି କୁଟିଳ ଅପାଙ୍ଗେ ॥୨୬
କୁଚମଣ୍ତଳୁ ବସ୍ତ୍ର ଚଳି । ନାଚନ୍ତି ଦେଇ କରତାଳି ॥୨୭
ମୁଖେ ଶୋହଇ ଶ୍ରମଝାଳ । କବରୀ ଖସି ଫୁଲମାଳ ॥୨୮
ବସ୍ତ୍ର ପଡ଼ଇ ଫିଟି ତଳେ । କଟୀମେଖଳା ଅସମ୍ଭାଳେ ॥୨୯
ବିଜୁଳି ଯେହ୍ନେ ନୀଳମେଘେ । ଦିଶନ୍ତି ଗୋବିନ୍ଦର ଲାଗେ ॥୩୦
ଗୋପୀଏ ମିଳି ନୃତ୍ୟରସେ । ଗାବନ୍ତି ଗୀତ ମନତୋଷେ ॥୩୧
ଅତି ସୁସ୍ୱରେ କଲେ ଗାନ । ଶବଦେ ପୂରିଲା ଗଗନ ॥୩୨
ଏକ ଗୋପିକା କୃଷ୍ଣ ସଙ୍ଗେ । ଆଳାପ କଲା ଗୀତରାଗେ ॥୩୩
ଷଡ଼ଜ ଆଦି ପଞ୍ଚସ୍ୱର । ମୋହିଲା କମଳାର ବର ॥୩୪
ସେ ନାଦ ଘେନି ଆର ଗୋପୀ । ଆଳାପ କଲାକ ନିରୋପି ॥୩୫
ଧ୍ରୁବତାଳରେ ବିଶ୍ରାମିଲା । ଶୁଣି ହସନ୍ତି ନନ୍ଦବଳା ॥୩୬
କେ ଶ୍ରମେ କୃଷ୍ଣ ପାଶେ ଥାଇ । ଭୁଜେ ଆଲିଙ୍ଗନ କରଇ ॥୩୭
କୃଷ୍ଣର କନ୍ଧେ ଦେଇ ହସ୍ତ । ଶିଥିଳ ହେଲା ଝୀନବସ୍ତ୍ର ॥୩୮
କବରୀ ଫିଟି ଫୁଲମାଳେ । ଅବନୀ ପଡ଼ିଲେ ଗହଳେ ॥୩୯
ଶ୍ରୀକୃଷ୍ଣ ଭୁଜ ଧରି ଗୋପୀ । ଆଘ୍ରାଣ କଲା ଶ୍ୱାସ କ୍ଷେପି ॥୪୦
ଚନ୍ଦନେ ସାମଳିଲା ହୋଇ । ଉତ୍ପଳ ପ୍ରାୟେକ ବାସଇ ॥୪୧
ଆଘ୍ରାଣ କରି ନାସା ଦ୍ୱାରେ । ରୋମାଞ୍ଚ ହୋଇଲା ଶରୀରେ ॥୪୨
କେ ଗୋପୀ ନାଟଶ୍ରମ ପାଇ । ଗୋବିନ୍ଦ କର୍ଣ୍ଣମୂଳେ ଯାଇ ॥୪୩
କୁଣ୍ତଳ ତଳେ ମୁଖ ଦେଲା । ଚୁମ୍ବନ୍ତେ ତାମ୍ବୁଳ ପାଇଲା ॥୪୪
କେ ଭୁଜ ଧରି କୁଚେ ଚାପି । କେ ମୁଖେ ଚାହାଁନ୍ତି ନିରୋପି ॥୪୫
କଟିମେଖଳା କ୍ଷୁଦ୍ରଘଣ୍ଟି । ଶବଦ କରି ନୃତ୍ୟେ ଫୁଟି ॥୪୬
ଗୋବିନ୍ଦ କର ଦେଇ ଶିରେ । ଶ୍ରମ ଛାଡ଼ିଲେ ସୁଖଭରେ ॥୪୭
କୃଷ୍ଣଙ୍କୁ କାନ୍ତପଣେ ପାଇ । ଗୋପୀ ରମିଲେ ତୋଷ ହୋଇ ॥୪୮
ହରିର କଣ୍ଠେ ଭୁଜ ଦେଇ । ତୋଷେ ରମିଲେ ଗୀତ ଗାଇ ॥୪୯
ନୀଳ ଉତ୍ପଳ ଗୋପୀ କର୍ଣ୍ଣେ । ଅଳକେ ଶୋହେ ଝାଳ ଶ୍ରମେ ॥୫୦
ବଳୟ ନୂପୁର ଶବଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ ॥୫୧
ଭ୍ରମିଣ ରଙ୍ଗେ ନୃତ୍ୟକରି । ରାସ ଉତ୍ସବେ ବ୍ରଜନାରୀ ॥୫୨
କବରୀ ଫିଟି ଫୁଲମାଳ । କଟିମେଖଳା ଅସମ୍ଭାଳ ॥୫୩
ଏମନ୍ତେ ନାନାରସ ବନ୍ଧେ । ଗୋବିନ୍ଦ ରମନ୍ତି ଆନନ୍ଦେ ॥୫୪
କୁବେର ଯେହ୍ନେ ଗିରିଶିଖେ । କିନ୍ନରୀ ରମେ ଆତ୍ମା ସୁଖେ ॥୫୫
ବାଳକ ନିଜ ବିମ୍ବ ଦେଖି । ଖେଳଇ ଯେହ୍ନେ ହୋଇ ସୁଖୀ ॥୫୬
କୃଷ୍ଣର ଅଙ୍ଗସଙ୍ଗ ଲାଗି । ଗୋପୀ ହୋଇଲେ ଶ୍ରମଭାଗୀ ॥୫୭
କେଶ ବସନ ସ୍ତନବାସ । ଖସିଲେ ଭୂଷଣ ଅଶେଷ ॥୫୮
କୃଷ୍ଣର କ୍ରୀଡ଼ାରସ ଦେଖି । ତ୍ରିଦଶବଧୂଜନେ ସୁଖୀ ॥୫୯
ନକ୍ଷତ୍ରଗଣ ଚନ୍ଦ୍ର ସଙ୍ଗେ । ସକଳେ ପୀଡ଼ିଲେ ଅନଙ୍ଗେ ॥୬୦
ଗୋପୀକେ କୃଷ୍ଣରୂପ ହୋଇ । ଲୀଳାବିନୋଦେ ଭାବଗ୍ରାହୀ ॥୬୧
ଯାହାର ନାହିଁ ରୂପରେଖ । ଗୋପୀଙ୍କି ଦେଲେ ଆତ୍ମା ସୁଖ ॥୬୨
ଗୋପୀଙ୍କ ମୁଖେ ଘର୍ମ ଚାହିଁ । କରେ ପୋଛନ୍ତି ଭାବଗ୍ରାହୀ ॥୬୩
ଯେ ଯାହା ଅଳଙ୍କାର ଭରି । ଗୋପୀ ଚାହାନ୍ତି ନରହରି ॥୬୪
କୃଷ୍ଣ ନଖକ୍ଷତ ପାଇଁ । ଆନନ୍ଦେ ପୁଲକିତ ହୋଇ ॥୬୫
କୃଷ୍ଣର କର୍ମଗୁଣ ମୁଖେ । କହନ୍ତି ଏକକୁ ଆରକେ ॥୬୬
ବ୍ରଜକାମିନୀ ଘେନି ସଙ୍ଗେ । ସ୍ତନକୁଙ୍କୁମ କୃଷ୍ଣ ଅଙ୍ଗେ ॥୬୭
ବ୍ରହ୍ମଯାମିନୀ ଅବଶେଷ । ସମୟ ଜାଣି ହୃଷିକେଶ ॥୬୮
ଜଳକ୍ରୀଡ଼ାକୁ ମନ କରି । ଗୋପୀଙ୍କି ଘେନି ବନମାଳୀ ॥୬୯
ପଶିଲେ କାଳିନ୍ଦୀ ଭିତରେ । ଶ୍ରମ-ଆରତ ଖଣ୍ତିବାରେ ॥୭୦
କରିଣୀଯୂଥେ ଗଜ ଯେହ୍ନେ । ଗୋପୀଙ୍କ ଶ୍ରମ ଜାଣି ମନେ ॥୭୧
ଗୋବିନ୍ଦ ଦେହେ ଗୋପନାରୀ । ଜଳ ସିଞ୍ଚନ୍ତି କରେ ଧରି ॥୭୨
କଟାକ୍ଷେ ଚାହାଁନ୍ତି ଶ୍ରୀମୁଖ । ଖଣ୍ତିଲେ କୋଟିଜନ୍ମ ଦୁଃଖ ॥୭୩
ବିମାନେ ଥାଇ ଦେବନାରୀ । ପୁଷ୍ପ ବରଷି ସ୍ତୁତି କରି ॥୭୪
ଗଜେନ୍ଦ୍ର ପ୍ରାୟ ରଙ୍ଗମେଳେ । ଲୀଳା ବିନୋଦେ ନଦୀଜଳେ ॥୭୫
ଚନ୍ଦ୍ର କିରଣେ ବନଭୂମି । ସୁନ୍ଦର ପ୍ରକାଶେ ଯାମିନୀ ॥୭୬
ବ୍ରଜଅବଳା ଘେନି ସଙ୍ଗେ । କୃଷ୍ଣ କ୍ରୀଡ଼ନ୍ତି ସୁଖରଙ୍ଗେ ॥୭୭
ଯାହାର ନାହିଁ ରସଚ୍ୟୁତ । ଅଚ୍ୟୁତ ନାମ ତେଣୁ ଖ୍ୟାତ ॥୭୮
ଶୁଣି ଅଭିମନ୍ୟୁନନ୍ଦନ । ଚାହିଁଲେ ଶୁକଙ୍କ ବଦନ ॥୭୯
ସଭୟେ କହଇ ମଧୁର । ଚରଣେ ଦେଇ ବେନିକର ॥୮୦
;ପରୀକ୍ଷିତ ଉବାଚ
ଭୋ ମୁନି ଅସମ୍ଭବ ବାଣୀ । ସଂଶୟ ଲାଗିଲା ତ ଶୁଣି ॥୮୧
ମନୁଷ୍ୟ ଅଂଶେ ଜାତ ହୋଇ । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ॥୮୨
ଅଧର୍ମ ନାଶିବାର ଆଶେ । ଜାତ ହୋଇଲେ ଯଦୁବଂଶେ ॥୮୩
ଧର୍ମପାଳନ ନରହରି । ସେ କିପାଁ ଅଧର୍ମ ଆଚରି ॥୮୪
ଜଗତଜନ ଗୁରୁ ପିତା । ନୀତି ଅନୀତି ଅଧିଷ୍ଠାତା ॥୮୫
ଯା' ନାମ ମୁକତିପସରା । ସେ କିପାଁ କଲେ ପରଦାରା ॥୮୬
ମହାନିଶାରେ ଜଳେ ପଶି । କ୍ରୀଡ଼ା କଲେକ ବ୍ରହ୍ମରାଶି ॥୮୭
ବେଦ-ବିରୋଧୀ କର୍ମ କରି । ନିଷେଧବନ୍ଧ ପରିହରି ॥୮୮
ସଂସାରେ ନୁହିଁଇ ଏ ଭଲ । କର୍ମକାଣ୍ତକୁ ଯେହୁ ସଲ ॥୮୯
ଈଶ୍ୱର ହୋଇ ହୀନକର୍ମ । କିପାଁ ଛାଡ଼ିଲେ ନିଜ ଧର୍ମ ॥୯୦
ନିଜ ମହିମା ଆତ୍ମାରତ । ସେ କିମ୍ବା କଲେ ବିପରୀତ ॥୯୧
କି ଅଭିପ୍ରାୟ ନ ଜାଣଇ । ସଂଶୟ ଛେଦ ମୋ ଗୋସାଇଁ ॥୯୨
ରାଜା ବଦନ ଚାହିଁ ମୁନି । କହନ୍ତି କୃଷ୍ଣ ଭାବ ଘେନି ॥୯୩
;ଶୁକ ଉବାଚ
ଶୁଣ ରାଜନ ଭାଗବତ । ଏ ବଡ଼ଲୋକଙ୍କର ମତ ॥୯୪
ଏହାଙ୍କ କର୍ମ ବିପରୀତ । ଯେଣୁ ଏ ତେଜେ ବଳବନ୍ତ ॥୯୫
ତେଣୁଟି ଦୋଷଗୁଣ ନାହିଁ । ଅଗ୍ନି ଯେସନେ ସର୍ବ ଦହି ॥୯୬
ସତ୍ୟପୁରୁଷ ଆତ୍ମାରତ । ଆବୋରି ଅଛଇ ଜଗତ ॥୯୭
ତୁ ଅବା ବେଦକର୍ମ କହୁ । ବେଦପାଦରୁ ଜନ୍ମ ଯେହୁ ॥୯୮
ତେଣୁ ସେ ନମାନନ୍ତି ତାହା । ଖଟାନ୍ତି ପରିଚାରେ ଯାହା ॥୯୯
ଏହାଙ୍କ ମତ ଯେ ଆଚରି । ମନବଚନେ ଦେହ ଧରି ॥୧୦୦
ତୁ ଅବା ବୋଲୁ ମହିଲୋକେ । ଏକଥା କରିବେଟି ଥୋକେ ॥୧୦୧
ବଡ଼ର କର୍ମ ଅନୁସରି । ସାନ କି ତାହା କରିପାରି ॥୧୦୨
ଯେବେ କରିବେ ମୂଢ଼ପଣେ । ନାଶ ହୋଇବେ ତତ୍କ୍ଷଣ ॥୧୦୩
ଜଳଧିମନ୍ଥନର ବିଷ । ରୁଦ୍ରହୁଁ ଆନେ ନାହିଁ ଗ୍ରାସ ॥୧୦୪
କୃଷ୍ଣ ଯେ ଧଇଲେ ମନ୍ଦର । ଦ୍ୱାଦଶଯୁଣ ଗିରିବର ॥୧୦୫
ଆନର ଶକ୍ୟ ନୋହେ କରି । ଅଙ୍ଗୁଳି ଅଗ୍ରେ ଗିରି ଧରି ॥୧୦୬
ଏହାଙ୍କ ବଚନ ହିଁ ସତ୍ୟ । ଆନ ନ କରନ୍ତି ଏମନ୍ତ ॥୧୦୭
ଯେ ବୁଦ୍ଧିମନ୍ତ ସାଧୁ ଧୀର । ସେ ନ କରିବେ ଏ ବେଭାର ॥୧୦୮
ଈଶ୍ୱର ଆଦିଙ୍କର ମତ । ଅଳପଜନେ ବିପରୀତ ॥୧୦୯
ପଶୁ-ମନୁଷ୍ୟ-ଦେବଙ୍କର । ଈଶ୍ୱରଙ୍କର ସେ ଈଶ୍ୱର ॥୧୧୦
ଯାହାର ଦେହବୁଦ୍ଧି ନାହିଁ । ଶୁଭ-ଅଶୁଭ ତାର କାହିଁ ॥୧୧୧
ଯାହାର ପାଦପଦ୍ମ ଧୂଳି । ଆନନ୍ଦ ହୋଇ ଶିରେ ବୋଳି ॥୧୧୨
ନିଶ୍ଚଳ ଯୋଗେ ଶ୍ରମ କରି । କର୍ମ ନାଶନ୍ତି ବ୍ରହ୍ମଚାରୀ ॥୧୧୩
ଯାହାର ପଦ୍ମପାଦ ବାରି । ଆନନ୍ଦେ ଶିବ ଶିରେ ଧରି ॥୧୧୪
ତାହାର ଜନ୍ମବନ୍ଧ ନାହିଁ । ଇଚ୍ଛା ସମ୍ପଦ ଯା'ର ଦେହୀ ॥୧୧୫
ଗୋପୀ ଗୋପାଳ ଆଦିକରି । ଜନ୍ତୁ ଜୀବନ ଯେ ଆବୋରି ॥୧୧୬
ଜଗତଜନ ତାରିବାରେ । ଯେ ଜାତ ମନୁଷ୍ୟ ଶରୀରେ ॥୧୧୭
ତା'ର ଚରିତ ମନେ ଚିନ୍ତି । ଭକତିପଥ ଆବୋରନ୍ତି ॥୧୧୮
ଗୋପେ ଗୋବିନ୍ଦ ମାୟା ମୋହି । କୋପ ନ କଲେ ଗୋପୀ ଚାହିଁ ॥୧୧୯
ପାଶେ ଥିବାର ପ୍ରାୟେ ମଣି । ଗୋପାଳେ ଦେଖନ୍ତି ତରୁଣୀ ॥୧୨୦
ପୂର୍ବହୁଁ ଅଧିକ ସେନେହ । ଯୁବତୀଜନେ ନାହିଁ କୋହ ॥୧୨୧
ଶୁଣ ରାଜନ କୃଷ୍ଣରସ । ବ୍ରହ୍ମଯାମିନୀ ହେଲା ଶେଷ ॥୧୨୨
ଏମନ୍ତେ ରଜନୀ ପାହିଲା । ଗଗନେ ଅରୁଣ ଦିଶିଲା ॥୧୨୩
କୃଷ୍ଣର ଅଙ୍ଗସଙ୍ଗ ପାଇ । ଗୋପୀଏ ଗଲେ ତୋଷ ହୋଇ ॥୧୨୪
କୃଷ୍ଣ ଚରଣେ ଦେଇ ମନ । ମିଳିଲେ ଯେ ଯାହା ଭୁବନ ॥୧୨୫
ଗୋପୀ ଗୋବିନ୍ଦ କେଳିବନ । ଏଣେ ଯେ ହୋନ୍ତି ସାବଧାନ ॥୧୨୬
ଭକତି ହୃଦେ ପରିମାଣି । ଏଣେ ଭେଟିବେ ଚକ୍ରପାଣି ॥୧୨୭
ସକଳ ଦୁରିତରୁ ତରେ । ସେ ନ ପଡ଼ଇ ମାୟା ଘୋରେ ॥୧୨୮
ବୋଲଇ ଦାସ ଜଗନ୍ନାଥ । ରାସଉତ୍ସବ ଭାଗବତ ॥୧୨୯
ସୁଜନଜନେ ଏହା ଚିନ୍ତି । ଏଣେ ଛାଡ଼ିବ ମନଭ୍ରାନ୍ତି ॥୧୩୦
ଭକତି ହୋଇବ ତୁମ୍ଭର । ହେଳେ ତରିବ ମାୟାଘୋର ॥୧୩୧
ମୁଁ ଛାର ହୀନ ମୂଢ଼ପଣେ । ସେବଇ ତୁମ୍ଭର ଚରଣେ ॥୧୩୨
ମୋହର ନ ଘେନିବା ଦୋଷ । ଗୀତେ କହିଲି କୃଷ୍ଣରସ ॥୧୩୩
ପୁରାଣ କଲି ଗୀତରସ । ଯାହା ବୋଇଲେ ପୀତବାସ ॥୧୩୪
କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ ॥୧୩୫
ଯହୁଁ ମୁଁ ହରିସେବା କଲି । ଭାବେଣ ତୃପତ ନୋହିଲି ॥୧୩୬
ଆଜ୍ଞା ମାଗିଲି ପାଦେ ପଡ଼ି । ଧ୍ୟାନ ଧାରଣା କର୍ମ ଛାଡ଼ି ॥୧୩୭
ମୋ ମନ ହୋଇଲା ପ୍ରସନ୍ନ । ଆଜ୍ଞା ଯେ ଦେଲେ ଭଗବାନ ॥୧୩୮
ପୁରାଣ ଦେଶଭାଷା ଗୀତ । ରଚିବୁ ଶିରୀଭାଗବତ ॥୧୩୯
ତୋହର ହୃଦେ ଆମ୍ଭେ ଥାଇ । ପଦକୁ ପଦ ଦେବୁ କହି ॥୧୪୦
ଅଠର ସହସ୍ର ଶୋଳକ । ଟୀକା ବଖାଣ ଏକୁ ଏକ ॥୧୪୧
ପୂର୍ବେ ପରୀକ୍ଷିତ ଆଗର । କହିଲେ ଶୁକ ମୁନିବର ॥୧୪୨
ତାହା ପ୍ରକାଶ ମଞ୍ଚେ କର । ଆଜ୍ଞା ସେ ଦେଲେ ଦାମୋଦର ॥୧୪୩
ତେଣୁ ମୁଁ ଏ ଗ୍ରନ୍ଥରେ ପଶି । ଗୀତ ପ୍ରବନ୍ଧରସେ ରସି ॥୧୪୪
ସୁଜନେ ଶୁଣ ଏକ ଚିତ୍ତେ । ହରିଙ୍କି ଭଜ ଅନୁବ୍ରତେ ॥୧୪୫
ପୁରାଣ ଶିରୀଭାଗବତ । ବେଦର ମଧ୍ୟେ ସାରସ୍ୱତ ॥୧୪୬
ଶୁକ କହିଲେ ଯେଉଁ କଥା । ଶୁଣିଲେ ଛାଡ଼େ ଭାବବ୍ୟଥା ॥୧୪୭
ଶ୍ରୀକୃଷ୍ଣ ଗୋପକ୍ରୀଡ଼ା ରସ । କହଇ ଜଗନ୍ନାଥ ଦାସ ॥୧୪୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ା ବର୍ଣ୍ଣନଂ ନାମ ଚତୁଃତ୍ରିଂଶୋଽଧ୍ୟାୟଃ ॥
</poem>
==='''ପଞ୍ଚତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ଶୁକ ପୁଣ୍ୟକର୍ମା । ଶୁଣ ହୋ ଶ୍ରୀକୃଷ୍ଣ ମହିମା ॥୧
ଦିନେକ ନନ୍ଦ ଆଦି ଲୋକେ । ତୀର୍ଥ ଉତ୍ସବ କଉତୁକେ ॥୨
ଅମ୍ବିକାପୂଜାର ବିଧାନେ । ଗୋପୀଗୋପାଳ ତୋଷମନେ ॥୩
ଶକଟେ ନାନାଦ୍ରବ୍ୟ ଭରି । ଗୋପୁଁ ବାହାର ନରନାରୀ ॥୪
କାନନେ ମିଳିଲେ ସକଳେ । ନିର୍ମଳ ସରସ୍ୱତୀ କୂଳେ ॥୫
ଗୋପାଳେ ନିତ୍ୟକର୍ମ ସାରି । ପୁଜିଲେ ଶଙ୍କର ଗଉରୀ ॥୬
ବିବିଧ ଦ୍ରବ୍ୟ ଉପହାରେ । ତୋଷିଲେ ଭବାନୀଶଙ୍କରେ ॥୭
ଗୋରୁ କାଞ୍ଚନ ମିଷ୍ଟଅନ୍ନ । ଶିବ ସନ୍ତୋଷେ ଦେଲେ ଦାନ ॥୮
ବୋଲନ୍ତି ଦେବ ତ୍ରିଲୋଚନ । ଆମ୍ଭରେ ହୋଇବା ପ୍ରସନ୍ନ ॥୯
ସୁଲଭ ଲତା ତୃଣ ଜଳ । ଯେମନ୍ତେ ଗୋରୁ ଦ୍ୟନ୍ତି କ୍ଷୀର ॥୧୦
ସର୍ବବିପଦ ବିଘ୍ନନାଶ । ଭୋ ଦେବଦେବ ବିଶ୍ୱବାସ ॥୧୧
ଏମନ୍ତ ବୋଲି ସ୍ତୁତି କଲେ । ହର-ଚଣ୍ତିଙ୍କି ଆରାଧିଲେ ॥୧୨
ଆନନ୍ଦେ ବଞ୍ଚିଲେ ଦିବସ । ନୃତ୍ୟଖଟଣି ଗୀତରସ ॥୧୩
ବ୍ରତ ଆଚରି ଶୁଚିମନ୍ତେ । ସେବନେ ଶୋଇଲେ ନିଶ୍ଚିନ୍ତେ ॥୧୪
ନନ୍ଦ ସୁନନ୍ଦ ଆଦିକରି । ଗୋପର ଯେତେ ନରନାରୀ ॥୧୫
ରଜନୀ ଘୋର ଅନ୍ଧକାର । ଯଶୋଦା କୋଳେ ଦାମୋଦର ॥୧୬
ଘୋର ଗହନ ଅର୍ଦ୍ଧନିଶି । ସର୍ପେ ମିଳିଲା ତହିଁ ଆସି ॥୧୭
କେହି ନଦେଖିଲେ ନୟନେ । ମିଳିଲା ନନ୍ଦର ଶୟନେ ॥୧୮
ମୁଖ ବିସ୍ତାରି ମହାକାୟେ । କୋପେ ଗିଳିଲା କଣ୍ଠଯାଏ ॥୧୯
ସର୍ପଉଦରେ ଥାଇ ନନ୍ଦ । ବିକଳେ ଡ଼ାକଇ ଗୋବିନ୍ଦ ॥୨୦
ହେ କୃଷ୍ଣ ସର୍ପ ବଳୀୟାର । ଗିଳିଲା ମୋହର ଶରୀର ॥୨୧
ବହନ ଆସ ବେନିଭାଇ । ପିତା ତୁମ୍ଭର ନାଶ ଯାଇ ॥୨୨
ନନ୍ଦର ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ ॥୨୩
ଉଠି ଧାଇଁଲେ ଧାତିକାରେ । କାଷ୍ଠ-ପାଷାଣ ଘେନି କରେ ॥୨୪
ସର୍ପ ଉପରେ ନେଇ ପିଟି । ନନ୍ଦ ଶରୀରେ ଅଛି ଘୋଟି ॥୨୫
କୃଷ୍ଣ ଧାଇଁଲେ ତାହା ଶୁଣି । ନିଦ୍ରା ଉପେକ୍ଷି ସେହିକ୍ଷଣି ॥୨୬
ସର୍ପକୁ ଦେଖି କୋପଭରେ । ପାଦ ପ୍ରହାରିଲେ ଉପରେ ॥୨୭
କୃଷ୍ଣର ଲାଗି ଶ୍ରୀପୟର । ପ୍ରାଣ ଛାଡ଼ିଲା ଅଜଗର ॥୨୮
ତକ୍ଷଣେ ନିଜ ରୂପ ହୋଇ । ତେଜେ ବିରାଜେ ବନଭୂଇଁ ॥୨୯
ଦିବ୍ୟପୁରୁଷ ଅବତାର । ତୁଲ୍ୟ ନୁହଁନ୍ତି ବିଦ୍ୟାଧର ॥୩୦
ଗଞ୍ଜଇ ଦଶଦିଶ ଦେହେ । ପଡ଼ିଲା କୃଷ୍ଣ ପଦ୍ମପାୟେ ॥୩୧
ଦେଖି ତାହାର ଦିବ୍ୟଭେକ । ହସିଲେ ପ୍ରଭୁ ପଦ୍ମମୁଖ ॥୩୨
ବିବିଧ ରତ୍ନମାଳ ରେଖ । ଶରଦଚନ୍ଦ୍ର ପାୟେ ମୁଖ ॥୩୩
ବିବିଧ ଆଭରଣ ଦେହେ । ଶିର ଦେଇଛି କୃଷ୍ଣପାୟେ ॥୩୪
ବୋଲନ୍ତି ଦେବକୀନନ୍ଦନ । କୋମଳ ମଧୁର ବଚନ ॥୩୫
ଏ ତ ଅଟଇ ବିପରୀତ । ସର୍ପ ଉଦରୁ ତୋର ଜାତ ॥୩୬
ତୋ ରୂପେ ପଟାନ୍ତର ନାହିଁ । କିପାଇଁ ଥିଲୁ ସର୍ପ ହୋଇ ॥୩୭
କହ ଏ କେବଣ ବେଭାର । ଶୁଣିତେ ଶରଧା ମୋହର ॥୩୮
ସଂସାରେ ତୋ'ର ରୂପ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥୩୯
ଏଗତି ପାଇଲୁ କେମନ୍ତେ । ସର୍ପଶରୀର ବିପରୀତେ ॥୪୦
କୃଷ୍ଣବଚନ ଶୁଣି ଧୀରେ । କରଅଞ୍ଜଳି ଦେଇ ଶିରେ ॥୪୧
ବେନି ଲୋଚନୁ ବହେ ନୀର । ବୋଲଇ ଶୁଣ ବେଣୁଧର ॥୪୨
ଭୋ ନାଥ ଶୁଣିମା ଅନନ୍ତ । ମୁଁ ଇନ୍ଦ୍ର ଦେବତାର ସୁତ ॥୪୩
ଅତି ସୁନ୍ଦର ରୂପ ଦେଖି । ପିତା ମୋ' ନାମ ଉପଲକ୍ଷ୍ୟି ॥୪୪
ରୂପେ ମୋହିଲି ତିନିପୁର । ସୁଦରଶନ ନାମ ମୋର ॥୪୫
ଶୁଣିମା ପ୍ରଭୁ ଦାଶରଥି । ଗର୍ବେ ହୋଇ ମୁଢ଼ମତି ॥୪୬
ଅଙ୍ଗିରା ଋଷିଙ୍କର ବାଳେ । ଖେଳନ୍ତି କଳ୍ପବୃକ୍ଷ ତଳେ ॥୪୭
ଦଇବେ ଋଷିଙ୍କ କୁମର । ତପସାଧନେ ଅସୁନ୍ଦର ॥୪୮
ତାହାଙ୍କୁ ବୋଇଲି ଧିକ୍କାରି । ଏ ଦେହ କିପାଁ ଅଛ ଧରି ॥୪୯
ଦେଖ ମୋହର ଦିବ୍ୟରୂପ । ଶ୍ରମେ କି ସାଧୁଅଛ ତପ ॥୫୦
ରକତ ମାଂସ ଦେହେ ନାହିଁ । ଶୁଭ୍ର ଦିଶିବ ତୁମ୍ଭେ କାହିଁ ॥୫୧
ମୁଖକୁ ନାହିଁ ପଟାନ୍ତର । ଯେସନେ ଚମ୍ପକ ବାନର ॥୫୨
କର ଚରଣ ବେକ ଜିଣି । ଯେସନେ ଭଲ୍ଲୁକ ଚାହାଣି ॥୫୩
ଏମନ୍ତ ଉପହାସ କଲି । ଖେଳର ସ୍ଥାନରେ ମିଳିଲି ॥୫୪
ଶୁଣି ଚାହିଁଲେ କୋପବହି । ବୋଇଲେ ସର୍ପ ହୁଅ ତୁହି ॥୫୫
କୁତ୍ସିତ ଅଜଗର ରୂପୀ । ରହିବୁ ବନଗିରି ବ୍ୟାପୀ ॥୫୬
ବନଗହନେ ପାଅ ଦୁଃଖ । ଯେହୁ ପଡ଼ିବ ତୋର ମୁଖ ॥୫୭
ସେ ବଳି ହୋଇବ ତୋହର । ପାଇଲେ କରିବୁ ଆହାର ॥୫୮
ଗରବ ବହିଲୁ ଯେ ମନେ । ସର୍ପ ତୁ ହୁଅ ବୃନ୍ଦାବନେ ॥୫୯
ଶୁଣି ଯୋଡ଼ିଲି ବେନିକର । ଭୟେ କମ୍ପିଲି ଥରହର ॥୬୦
ପଡ଼ି ତାହାଙ୍କ ପାଦତଳେ । କାନ୍ଦିଲି ଜୀବନ ବିକଳେ ॥୬୧
ମୋ'ର ବିକଳ ଦେଖି ମନେ । ଦୟା ବସିଲା ମୁନିଜନେ ॥୬୨
ବୋଇଲେ ଯାଅ ମଞ୍ଚପୁର । ଏ ଦେହେ ହୁଅ ଅଜଗର ॥୬୩
ମଥୁରା ବୃନ୍ଦାବନ ଲାଗେ । ଗୋବର୍ଦ୍ଧନର ପୂର୍ବଭାଗେ ॥୬୪
ସାରଦା ନଦୀର ଉତ୍ତରରେ । ଥାଅ ତୁ କୁଞ୍ଜବନ ଘୋରେ ॥୬୫
ଭାରା-ନିବାରଣେ ମୁରାରି । ମନୁଷ୍ୟଦେହେ ଅବତରି ॥୬୬
ଗୋପାଳ ମେଳେ ଯାତ୍ରାକାଳେ । ଭେଟିବୁ ସରସ୍ୱତୀକୂଳେ ॥୬୭
ନନ୍ଦକୁ ଗିଳିବୁ ତୁ ଯାଇ । ଦେଖି ଧାଇଁବେ ଭାବଗ୍ରାହୀ ॥୬୮
ତୋହର ଉପରେ ଶ୍ରୀଧର । କୋପେ ପ୍ରହାରିବେ ପୟର ॥୬୯
ତେବେ ହୋଇବୁ ଶାପୁଁ ପାର । ପୁଣି ଆସିବୁ ନିଜପୁର ॥୭୦
ତେଣୁ ହୋଇଲି ଅଜଗର । ତୁ ହରି କଲୁ ମୋତେ ପାର ॥୭୧
ତୁ ଯେ ଜଗତଜନ ବନ୍ଧୁ । ମୋତେ ଉଦ୍ଧର ଦୟାସିନ୍ଧୁ ॥୭୨
ମୋତେ ପ୍ରସନ୍ନ ହୁଅ ହରି । ପୁରାଣ- ପୁରୁଷ-ମୁରାରି ॥୭୩
ଲାଗିଣ ତୋହର ପୟର । ହୋଇଲି ପ୍ରହ୍ମଶାପୁଁ ପାର ॥୭୪
ଭୋନାଥ ଶରଣ ତୋହର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥୭୫
ଏବେ ମୁଁ ହୋଇଲି ମୁକତ । ମେଲାଣି ଦିଅ ଜଗନ୍ନାଥ ॥୭୬
ତୋହର ନାମ କର୍ଣ୍ଣେ ଶୁଣି । ତରନ୍ତି ଭବଜଳୁଁ ପ୍ରାଣୀ ॥୭୭
ଧନଜୀବନ ଆଦି କରି । ପବିତ୍ର ହୋନ୍ତି ନରନାରୀ ॥୭୮
ତୋହର ପାଦ ଲାଗି ମୁହିଁ । ନିସ୍ତାର ହୋଇଲି ଗୋସାଇଁ ॥୭୯
ସୁଦରଶନ ଏତେ କହି । ପୟରେ ଶିର ଦେଲା ନେଇ ॥୮୦
କୃଷ୍ଣଙ୍କୁ ପ୍ରଦକ୍ଷିଣ କଲା । ତକ୍ଷଣେ ଗଗନେ ଚଳିଲା ॥୮୧
ଦେବବିମାନେ ବସି କରି । ଯାଇ ମିଳିଲା ସ୍ୱର୍ଗପୁରୀ ॥୮୨
ନନ୍ଦକୁ ରଖିଲେ ଗୋବିନ୍ଦ । ଗୋପାଳେ ଦେଖିଣ ଆନନ୍ଦ ॥୮୩
କୃଷ୍ଣ ମହିମା ଗୁଣ ଦେଖି । ଗୋପଗୋପୀ ଭୟ ଉପେକ୍ଷି ॥୮୪
ସୁଖେ ପହିଲା ଘୋର ନିଶି । ରବିକିରଣ ପରକାଶି ॥୮୫
ହରଗଉରୀ ପୂଜା ସାରି । ଗୋପେ ଚଳିଲେ ନରନାରୀ ॥୮୬
ଗୋପାଳେ ସକଳ ସମ୍ଭାର । ଘେନି ଚଳିଲେ ଗୋପପୁର ॥୮୭
ଯା'ନ୍ତେ କହନ୍ତି କୃଷ୍ଣକଥା । ଛାଡ଼ିଲେ ମନୁ ଦୁଃଖ ଚିନ୍ତା ॥୮୮
ଇନ୍ଦ୍ର କୁମରେ କୃଷ୍ଣ ତାରି । ଗୋପେ ବିଜୟ ନରହରି ॥୮୯
ପରୀକ୍ଷେ ଶୁକମୁନି କହେ । ସୁଜନଜନେ କର ଲୟେ ॥୯୦
କହଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ॥୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ବିଜୟେ ସୁଦର୍ଶନ ମୋକ୍ଷଣଂ ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ ॥
</poem>
==='''ଷଟ୍ତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥୧
ଦିନେକ ଦେବ ଦଇତ୍ୟାରି । ସଙ୍ଗତେ ଘେନି ଗୋପନାରୀ ॥୨
ବଳଦେବଙ୍କୁ ଘେନି ସଙ୍ଗେ । ମିଳିଲେ ବୃନ୍ଦାବନ ଲାଗେ ॥୩
ଶୀତଳ-ବସନ୍ତର ବାୟେ । ବନେ ବିଜୟ ଦେବରାୟେ ॥୪
ଶଶାଙ୍କ-କିରଣେ ରଜନୀ । ସୁନ୍ଦର ଦିଶେ ବନଭୂମି ॥୫
ରାମଗୋବିନ୍ଦ ଗୋପନାରୀ । ବିବିଧମତେ ନାନାକେଳି ॥୬
ମଧ୍ୟେ ବିଜୟ ହଳଧର । ଗୋପୀ ସାନନ୍ଦେ ଗୀତସ୍ୱର ॥୭
କୃଷ୍ଣ କରନ୍ତି ଗୀତନାଦ । ହରିଲେ କାମିନୀ ବିଷାଦ ॥୮
କୁନ୍ଦ ମଲ୍ଲିକା ଗନ୍ଧସାର । ଶୀତଳ ବହଇ ସମୀର ॥୯
ଗୋବିନ୍ଦ ଗୀତ ଶୁଣି କର୍ଣ୍ଣେ । ମୂର୍ଚ୍ଛିତ ହେଲେ ପଶୁଗଣେ ॥୧୦
ପୁଲକ ହୋନ୍ତି ବୃକ୍ଷପନ୍ତି । ସ୍ୱର୍ଗେ ଦେବତା କଲେ ସ୍ତୁତି ॥
ଶୁଣି ଗୋବିନ୍ଦ ଗୀତନାଦ । ଗୋପୀ ପାଇଲେ ମନେ ଖେଦ ॥
କଟିମେଖଳା ଝୀନବାସ । କବରୀ ହୋଇଲା ଉଶ୍ୱାସ ॥
ମଦନଭୋଳେ ଗୀତଗାଇ । ଗୋପୀ ମୋହିଲେ ଭାବଗ୍ରାହୀ ॥
ଏମନ୍ତ ଶୁଣି ନରନାଥ । ସର୍ପେ ହୋଇଲା ଶଙ୍ଖଚୂଡ଼ ॥
ଦେଖନ୍ତି ରାମ ବନମାଳୀ । ଗୋପୀଙ୍କ ମଧ୍ୟେ ଆସି ମିଳି ॥
ଉତ୍ତର ଦିଗୁଁ ଫୁଫୁ କରି । ଦେଖି ପଳାନ୍ତି ବ୍ରଜନାରୀ ॥
ଡ଼ାକନ୍ତି ରାମକୃଷ୍ଣ ରଖ । ଏବନେ ହୋଇଲୁ ନିରେଖ ॥
ଶାର୍ଦ୍ଦୁଳେ ଦେଖି ଗୋରୁପଲ । ଯେହ୍ନେ ପଳାନ୍ତି ଅନ୍ତରାଳ ॥
ଶୁଣି ଧାଇଁଲେ ବେନିଭାଇ । ନଡ଼ର ବୋଲି ଡ଼ାକ ଦେଇ ॥
କରେ ଉପାଡ଼ି ବେନିଶାଳ । ମିଳିଲେ ଗୋପୀଙ୍କର ମେଳ ॥
ଯମର ଦୂତ ପ୍ରାୟେ ହୋଇ । ଦେଖି ଶଙ୍ଖଚୂଡ଼ ପଳାଇ ॥
ଗୋପକାମିନୀ ମଧ୍ୟେ ଥିଲା । ଜୀବନ ଭୟେ ପଳାଇଲା ॥
ତାହାର ଶିରେ ମଣି ଚାହିଁ । ବେଗେ ଧାଇଁଲେ ଭାବଗ୍ରାହୀ ॥
ପଛେ ରହିଲେ ହଳଧାରୀ । ଗୋପକାମିନୀଙ୍କି ଆବୋରି ॥
ପଛେ ଗୋଡ଼ାନ୍ତେ ନାରାୟଣ । ସର୍ପ ହୋଇଲା ବଳ କ୍ଷୀଣ ॥
ମୁଷ୍ଟି ପ୍ରହାରି ସର୍ପ ଶିରେ । ମଣି ଘେନିଲେ କୃଷ୍ଣ କରେ ॥
ଗୋବିନ୍ଦ ମୁଷ୍ଟି ଶିରେ ଲାଗି । ସର୍ପ ହୋଇଲା ମୋକ୍ଷଭାଗୀ ॥
ଗୋବିନ୍ଦ ମଣି ଘେନି କରେ । ମିଳିଲେ ରାମର ଛାମୁରେ ॥
ରାମର କରେ ମଣି ଦେଇ । ପ୍ରଣାମ କଲେ ଭାବଗ୍ରାହୀ ॥
ସେ ରାମକୃଷ୍ଣ ପାଦଗତେ । ନମଇଁ ଦାସ ଜଗନ୍ନାଥେ ॥
କର ସୁଦୟା ବେନିଭାଇ । ମରୁଛି ଭବେ ପଡ଼ି ମୁହିଁ ॥
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶଙ୍ଖଚୂଡ଼ବଧୋ ନାମ ଷଟ୍ତ୍ରିଂଶୋଽଧ୍ୟାୟଃ ॥
</poem>
==='''ସପ୍ତତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧାରୀ । ଗୋପନଗର ନରନାରୀ ॥୧
କୃଷ୍ଣ ବନକୁ ଯିବା ଚାହିଁ । କହନ୍ତି ଯଶୋଦା ବସାଇ ॥୨
;ଗୋପୀଜନ ଉବାଚ
ଶୁଣ ଗୋ ନନ୍ଦର ଘରଣୀ । ତୋ' ସୁତ କୃଷ୍ଣର କାହାଣୀ ॥୩
ବାଙ୍କନୟନ ଚାଳି ଧୀରେ । ମୁରଲୀ ଲଗାଇ ଅଧରେ ॥୪
ଅଙ୍ଗୁଳି ବେଣୁ ରନ୍ଧ୍ରେ ଦେଇ । ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ ॥୫
ବାମକପୋଳ ଢ଼ାଳି ଧୀରେ । ନିବେଶି ବାମ ବାହୁମୂଳେ ॥୬
କପାଳେ କସ୍ତୁରୀ ବିରାଜେ । ପୀତବସନ କଟି ସାଜେ ॥୭
ଯମୁନା କଦମ୍ବର ମୂଳେ । ବେଣୁ ବଜାନ୍ତେ କୁତୂହଳେ ॥୮
ଆକାଶେ ସିଦ୍ଧଗଣ ତୁଲେ । ଦେବକାମିନୀ ମୋହ ଗଲେ ॥୯
ଲଜ୍ଜା ଛାଡ଼ିଲେ କାମଭୋଳେ । କେଶବସନ ଅସମ୍ଭାଳେ ॥୧୦
ଶୁଣ ଗୋ ବେଣୁଧର ମାତା । ତୋ'ର କୁମର ଚିତ୍ର କଥା ॥୧୧
ହୃଦେ ଲମ୍ବାଇ ବନମାଳ । ଅଳପ ହସି ତୋ'ର ବାଳ ॥୧୨
ବେଣୁ ବଜାଏ ଯେବେ ବନେ । ଆରତ ହୋନ୍ତି ଜନ୍ତୁଗଣେ ॥୧୩
ଗୋରୁ ମହିଷ ମୃଗଯୂଥ । ଶୁଣି ତୋ' ସୁତ ବେଣୁଗୀତ ॥୧୪
ତୃଣ କବଳ ଉପେକ୍ଷିଲେ । ମୁରଲୀ ନାଦେ ଚିତ୍ତ ଦେଲେ ॥୧୫
ବତ୍ସାଏ ମୁଖ ଦେଇ ସ୍ତନେ । ଶୁଣନ୍ତି ମୁଦ୍ରିତ ଲୋଚନେ ॥୧୬
ଚିତ୍ରପ୍ରତିମା ପ୍ରାୟ ହୋଇ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ ॥୧୭
ପୁଷ୍ପ ସ୍ତବକେ ଶିଖୀ ପୁଚ୍ଛ । ରଙ୍ଗ ମୃତ୍ତିକା ମାଲକାଛ ॥୧୮
ଆମ୍ଭ କୁମର ଘେନି ସଙ୍ଗେ । ଗୋରୁଙ୍କୁ ଚରାନ୍ତି ସୁରଙ୍ଗେ ॥୧୯
ନଦୀଏ ନ ବହନ୍ତି ଘନେ । ଶୁଣି ତୋ' ସୁତ ବେଣୁସ୍ୱନେ ॥୨୦
ଅତି ସଧୀରେ ବହେ ବାରି । ପବନେ ଉଜାଣି ଲହରୀ ॥୨୧
ତା' ପାଦରଜେ ଚିତ୍ତ ଦେଇ । ବହଇ କି ସେ ସ୍ଥିର ହୋଇ ॥୨୨
ପବନ ଆଣିବ ଉଡ଼ାଇ । ଆମ୍ଭେ ତରିବୁ ରେଣୁ ପାଇ ॥୨୩
ଆଦି ପୁରୁଷ ପ୍ରାୟ ସେହି । ଆମ୍ଭ ବାଳକ ସଙ୍ଗେ ଥାଇ ॥୨୪
ଗିରି ନିକଟେ ପଶୁଗଣେ । ଚରନ୍ତି ତୃଣ ତୋଷମନେ ॥୨୫
ଗୋରୁଙ୍କ ନାମ ବେଣୁସ୍ୱନେ । ଡାକନ୍ତି ମଧୁର ବଚନେ ॥୨୬
ଲତାଏ ତରୁଙ୍କୁ ଆବୋରି । ଫଳ ପଲ୍ଲବ ପୁଷ୍ପେ ଭରି ॥୨୭
ଢ଼ାଳନ୍ତି ଚାମର ପରାଏ । ବସନ୍ତ ସୁଶୀତଳ ବାୟେ ॥୨୮
ବୃକ୍ଷେ ହୋଇଲେ ପୁଲକିତ । ଶୁଣି ତା' ମୁରଲୀର ଗୀତ ॥୨୯
ମଧୁ ବରଷିଲେ ଗହଳ । ଯେହ୍ନେ ନୟନୁ ଅଶ୍ରୁଜଳ ॥୩୦
ସୁନ୍ଦରବର ତୋ କୁମର । ତୁଳସୀମାଳ ଲମ୍ବେ ଊର ॥୩୧
ଗନ୍ଧେ ଭ୍ରମର ନ ଛାଡ଼ନ୍ତି । ବେଣୁ ଶବଦେ ଆବୋରନ୍ତି ॥୩୨
ନଦୀ ତଡ଼ାଗ ଜଳେ ଥାଇ । ହଂସ ସାରସେ ସ୍ଥିର ହୋଇ ॥୩୩
ମନ ନିରୋପି ବେଣୁସ୍ୱନେ । ମୁଦ୍ରିତ ହୋଇଲେ ଲୋଚନେ ॥୩୪
ନାନା କୁସୁମେ ବେଶ ହୋଇ । ରୋହିଣୀସୁତ ସଙ୍ଗେ ଥାଇ ॥୩୫
ବେଣୁ ଶବଦେ ତୋ'ର ବଳା । ଅଶେଷ ବ୍ରହ୍ମାଣ୍ତ ମୋହିଲା ॥୩୬
ଇନ୍ଦ୍ରବଚନେ ମେଘମାଳେ । ସୁନ୍ଦର ଗଗନମଣ୍ତଳେ ॥୩୭
ମିତ୍ରର ଶ୍ରମ ବନେ ଚାହିଁ । ମେଘେ ଢ଼ାଙ୍କିଲେ ଛତ୍ର ହୋଇ ॥୩୮
ଗୋପେ ବିବିଧ ରସେ ପୂରି । ଶିଖିଛି ବେଣୁନାଦ କରି ॥୩୯
ସପତ ସ୍ୱରେ ବେଣୁବାଇ । ବାଙ୍କନୟନେ ରଙ୍ଗେ ଚାହିଁ ॥୪୦
ତୋ'ର ନନ୍ଦନ ବେଣୁସ୍ୱରେ । ବ୍ରହ୍ମାଶଙ୍କର ଇନ୍ଦ୍ରତୁଲେ ॥୪୧
ମୁନିଙ୍କ ସଙ୍ଗେ ବନ ମଧ୍ୟେ । ମୋହ ହୋଇଲେ ବେଣୁନାଦେ ॥୪୨
ଅପୂର୍ବ ଶୁଣ କୃଷ୍ଣମାଏ । ଧ୍ୱଜ ଅଙ୍କୁଶ ପଦ୍ମପାୟେ ॥୪୩
ଚିତ୍ରିତ କଲା ବନଭୂଇଁ । ମତ୍ତମାତଙ୍ଗ ପ୍ରାୟ ହୋଇ ॥୪୪
ତା'ର ଚାଲିବା ଦେଖି ମାଏ । ଚାଲିତ ନ ପାରୁଁ ଭେଡ଼ାଏ ॥୪୫
ବୃକ୍ଷଙ୍କ ଗତି ଆମ୍ଭେ ଭଜୁ । ଚାହିଁ ନ ପାରି ଚକ୍ଷୁ ବୁଜୁ ॥୪୬
ମଦନଶରେ ହେଉଁ ଭୋଳ । ଫିଟଇ କବରୀ ଅଞ୍ଚଳ ॥୪୭
ମଣି-ଗୁଞ୍ଜରା ଶିରେ ଧରି । ଗାଈଙ୍କ ପଛେ ବନେଚାରୀ ॥୪୮
ତୁଳସୀମାଳା ଶୋହେ ହୃଦେ । ଭୁଜ ଗୋପାଳ ପୁଅ କନ୍ଧେ ॥୪୯
ମଧୁର ସ୍ୱରେ ବେଣୁବାଇ । ଚାଲନ୍ତି ଚଉଦିଗେ ଚାହିଁ ॥୫୦
ହରିଣୀଗଣ କୃଷ୍ଣ ଚାହିଁ । ବେଣୁ ଶବଦେ ଚିତ୍ତ ଦେଇ ॥୫୧
ଛାଡ଼ିଣ ସୁତ ଗୃହବାସ । କ୍ଷଣେ ନ ଛାଡ଼ନ୍ତି ତା' ପାଶ ॥୫୨
ସକଳ ଗୁଣଙ୍କର ସିନ୍ଧୁ । ମୁଖମଣ୍ତଳ ପୂର୍ଣ୍ଣଇନ୍ଦୁ ॥୫୩
ଉତ୍ତରୀଛଳେ କୁନ୍ଦମାଳ । ସଙ୍ଗତେ ଗୋରୁ ଗୋପବାଳ ॥୫୪
କାଳିନ୍ଦୀତଟେ ତୋ' କୁମର । ହୃଦୟ ଭେଦିଲା ଆମ୍ଭର ॥୫୫
ପବନ ଯୋଗେ ବୃକ୍ଷଡ଼ାଳେ । ଲାଗନ୍ତି ତା'ର ପାଦତଳେ ॥୫୬
ତ୍ରିଦଶେ ବାଦ୍ୟନାଦ କରି । ସ୍ତୁତି କରନ୍ତି ବ୍ରହ୍ମଚାରୀ ॥୫୭
ବିବିଧ ଅଙ୍ଗଭଙ୍ଗୀ ତା'ର । ମହିମା କେ କରୁ ଗୋଚର ॥୫୮
ଇନ୍ଦ୍ରର ଛଳେ ତୋ' କୁମର । କରେ ତୋଳିଲା ଗିରିବର ॥୫୯
ବ୍ରହ୍ମା ଶଙ୍କର ଆଦିକରି । ବନ୍ଦିଲେ ତା'ର ପାଦ ଧରି ॥୬୦
ଗୋଧନ ଘେନି ଦିନ ଅନ୍ତେ । ଗୋପେ ସେ ଆସନ୍ତି ଉଷତେ ॥୬୧
ଗୋଧୂଳି ଭୂଷଣ ଶରୀର । ଜୀବନ ଦହେ ଗୋ ଆମ୍ଭର ॥୬୨
ଗୋପବାଳକ ଇଷ୍ଟଦାତା । ଦେବକୀ ଦେବୀ ଯା'ର ମାତା ॥୬୩
ନକ୍ଷତ୍ର ପ୍ରାୟ ଗୋପବାଳ । ତୋ' ସୁତ ଶଶାଙ୍କମଣ୍ତଳ ॥୬୪
ବେନିଲୋଚନ ମତ୍ତଭୋଳେ । ନାଚେ ଗୋପାଳ ପୁଅମେଳେ ॥୬୫
ଗୋରୁଙ୍କ ଧୂଳି ମୁଖେ ମିଶି । ବଦରୀ ଫଳ ପ୍ରାୟ ଦିଶି ॥୬୬
ରତ୍ନକୁଣ୍ତଳ କର୍ଣ୍ଣେ ଶୋହେ । ରୂପେ କୋଟିଏ କାମମୋହେ ॥୬୭
ଚାଲଇ ମତ୍ତଗଜ ଛନ୍ଦ । ମୁଖ ତା ପୂର୍ଣ୍ଣମୀର ଚାନ୍ଦ ॥୬୮
ଆମ୍ଭେ ଗୋ ଚାହିଁ ତା'ର ମୁଖ । ଖଣ୍ତୁ ବିରହ ତାପ ଦୁଃଖ ॥୬୯
;ଶୁକ ଉବାଚ
ନନ୍ଦଘରଣୀ ଆଗେଯାଇ । ଏମନ୍ତ କୃଷ୍ଣଲୀଳା କହି ॥୭୦
ଗୋଟିଏ କୃଷ୍ଣ ପାଦେ ଚିତ୍ତ । ଦିନକୁ ଦିନ ଅପ୍ରମିତ ॥୭୧
ଛାଡ଼ିଲେ ଭବବନ୍ଧ-ଭ୍ରମ । କୃଷ୍ଣ ହୁଁ ନ ଜାଣନ୍ତି ଆନ ॥୭୨
ସେ ଗୋପୀଗୋପଙ୍କ ପୟରେ । ମନ ମୋ ରହୁ ନିରନ୍ତରେ ॥୭୩
ନାମ ମୋହର ଜଗନ୍ନାଥ । ଭକତି ଛାଡ଼ି ଅରକ୍ଷିତ ॥୭୪
ବ୍ରାହ୍ମଣକୁଳେ ଜାତ ହୋଇ । ହରି ଭକତି ମୋର ନାହିଁ ॥୭୫
ସୁଜନଜନେ ହରିପଥେ । ସେବକ କରି ନିଅ ମୋତେ ॥୭୬
ନିବିଡ଼-ମୋହ-ଜଡ଼େ ଥାଇ । କୃଷ୍ଣଚରଣେ ମନ କାହିଁ ॥୭୭
ଏ ଘୋର-ସଂସାର-ସାଗର । ଏଣେ ହୋ ବିଶ୍ୱାସ ନ କର ॥୭୮
ନିରତେ ଭଜ ଦୃଢ଼ଚିତ୍ତେ । ହରିଚରଣ ଅବିରତେ ॥୭୯
ବ୍ରହ୍ମ ହୁଁ କୀଟ ଜନ୍ମଯାଏ । ସକଳେ ଛାଡ଼ି ମାୟାମୋହେ ॥୮୦
କେବଳ ଗୋବିନ୍ଦ ଭରସା । ଛାଡ଼ ସକଳ ମାୟା ଆଶା ॥୮୧
ପଥିକ ଯେହ୍ନେ ପଥଶ୍ରମେ । ମିଳନ୍ତି ବୃକ୍ଷର ଆଶ୍ରମେ ॥୮୨
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇପଥେ ॥୮୩
ଏସନ ସଂସାର କୁଟୁମ୍ବ । ସୁଖ ଦୁଃଖରେ ପରାଭବ ॥୮୪
ଗୋବିନ୍ଦ ବିନା ଆଶ୍ରେ ତା'ର । ଅନ୍ୟଥା ନାହିଁ ପ୍ରତିକାର ॥୮୫
ପୁରାଣ ଶିରି ଭାଗବତ । ବାଇଙ୍କ ପ୍ରାୟେ କଲି ଗୀତ ॥୮୬
ପଣ୍ତିତେ ନ କରିବା ହାସ । ତୁମ୍ଭ ଶ୍ରୀଚରଣେ ମୁଁ ଦାସ ॥୮୭
ବିନୋଇ ହୋଇଣ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୮୮
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବୃନ୍ଦାବନ କ୍ରୀଡ଼ାୟାଂ ଗୋପିକାଯୁଗଳଗୀତଂ ନାମ
ସପ୍ତତ୍ରିଂଶୋଽଧ୍ୟାୟଃ ॥
</poem>
==='''ଅଷ୍ଟତ୍ରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ୍ । ଗୋପେ ଅସୁର ଉପଗତ ॥୧
ଅରିଷ୍ଟ ନାମେ ଷଣ୍ଢରୂପୀ । ମିଳିଲା ବନଗିରି ବ୍ୟାପୀ ॥୨
ବୃଷଭରୂପୀ ମହାକାୟେ । ଅବନୀ ଖୋଳୁଅଛି ପାୟେ ॥୩
ଗର୍ଜଇ ଘୋରନାଦ କରି । ପାଦେ କମ୍ପଇ ବସୁନ୍ଧରୀ ॥୪
ଲାଞ୍ଜ ଉଭାରି ବେଗେ ଧାଇଁ । ଶୃଙ୍ଗେ ଖୋଳଇ ଉଚ୍ଚଭୂଇଁ ॥୫
ଅଳପ ଅଳପ ମୂତଇ । ଚକ୍ଷୁ ବୁଜିଣ ପୁଣ ଚାହିଁ ॥୬
ଶୁଣି ତାହାର ଘୋରନାଦ । ଗାଈ ଗୁଆଳୀଙ୍କ ବିଷାଦ ॥୭
ପତନ ହୋଇ ଗର୍ଭତଳେ । ଦେବେ ଡ଼ରନ୍ତି ସ୍ୱର୍ଗଆଳେ ॥୮
ପିଠି ଉପରେ ଚୁଳ ଦେଖି । ପର୍ବତ ପ୍ରାୟ ଉପଲକ୍ଷ୍ୟି ॥୯
ମେଘ ଦିଶନ୍ତି ତା' ଉପରେ । ଶୃଙ୍ଗଯୁଗଳ ତୀକ୍ଷ୍ଣଧାରେ ॥୧୦
ଅସୁର ବଡ଼ ଭୟଙ୍କର । ଗର୍ଜଇ ଅତି ଘୋରତର ॥୧୧
ଗୋପୀଗୋପାଳ ଦେଖି ଡ଼ରେ । ପଳାଇ ଗଳେ ବନଘୋରେ ॥୧୨
ଗୋରୁଏ ପଳାଇଲେ ଦେଖି । ଭୟେ ବୁଜିଲେ ବେନିଆଖି ॥୧୩
ପଡ଼ିଲା ଗୋପପୁରେ ହୁରି । ଡ଼ାକନ୍ତି କୃଷ୍ଣନାମ ଧରି ॥୧୪
ରଖ ଗୋକୁଳ ଦାମୋଦର । ଆମ୍ଭେ ଯେ ଶରଣ ତୋହର ॥୧୫
ବିକଳ ଦେଖିଣ ଗୋକୁଳ । ଧାଇଁଲେ ପ୍ରଭୁ ଆଦିମୂଳ ॥୧୬
ଆନନ୍ଦେ ତୋଳି ବେନି ଭୁଜ । ଡ଼ାକନ୍ତି ପ୍ରଭୁ ଦେବରାଜ ॥୧୭
ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ ॥୧୮
ଏମନ୍ତ ବୋଲି ନରହରି । ଡ଼ାକିଲେ ଷଣ୍ଢ ନାମ ଧରି ॥୧୯
ରେରେ ଦଇତ୍ୟ ଷଣ୍ଢାସୁର । କିପାଁ ଅଇଲୁ ଗୋପପୁର ॥୨୦
ଦୁଷ୍ଟଦଳନ ବାନା ମୋର । ଆଜି ପେଷିବି ଯମପୁର ॥୨୧
ଧାଇଁଲେ ବାହାନାଦ କରି । ସ୍ୱର୍ଗେ ଦେଖନ୍ତି ଦେବନାରୀ ॥୨୨
ଗୋବିନ୍ଦ ଦେଲେ କରତାଳ । ଶୁଣି ଅସୁର ଅସମ୍ଭାଳ ॥୨୩
ପଛେ ଅଛନ୍ତି ଭାବଗ୍ରାହୀ । ବାଳକକନ୍ଧେ ହସ୍ତ ଦେଇ ॥୨୪
କୃଷ୍ଣର ଶୁଣି କରତାଳି । କୋପେ ଅସୁର ପରଜ୍ୱଳି ॥୨୫
କ୍ଷୁରେ ଖୋଳଇ ମହୀସ୍ଥଳ । ଲାଞ୍ଜ ବୁଲାଇ ଅନ୍ତରାଳ ॥୨୬
ମେଘେ ଉଡ଼ିଲେ ଲାଞ୍ଜବାଏ । ନିଶ୍ୱାସ ଖରତର ବହେ ॥୨୭
ଆଗେ ଉଭାରି ଶୃଙ୍ଗ ଦୁଇ । ଚକ୍ଷୁ ବୁଜିଲା କୃଷ୍ଣେ ଚାହିଁ ॥୨୮
ଷଣ୍ଢ ଧାଇଁଲା ଧାତିକାରେ । ବଜ୍ର ଯେସନେ ଇନ୍ଦ୍ରକରେ ॥୨୯
ଆଗ ହୋଇଲେ ଭାବଗ୍ରାହୀ । କରେ ଧଇଲେ ଶୃଙ୍ଗ ଦୁଇ ॥୩୦
ଅସୁର ନ ପାରିଲା ଯାଇ । ପଛକୁ ଦେଲେ ହାବୁଡ଼ାଇ ॥୩୧
ଅସୁର ପାଇ ମହାତ୍ରାସ । ଘୁଞ୍ଚିଲା ଭେଡ଼ା ଅଷ୍ଟାଦଶ ॥୩୨
ଯେହ୍ନେ ଉଭାରି ବେନିଗଜ । ପଛେ ଘୁଞ୍ଚିଲେ ଦେବରାଜ ॥୩୩
ଦଇତ୍ୟ ମୂର୍ଚ୍ଛାଗତ ହୋଇ । ପୁଣି ଉଠିଲା ଜ୍ଞାନ ପାଇ ॥୩୪
ଧାଇଁଲା ପବନହୁଁ ଖର । ଶୃଙ୍ଗ ଧଇଲେ ଚକ୍ରଧର ॥୩୫
ଅସୁର ଦେହେ ପାଦ ଦେଇ । ତଳେ ପାଡ଼ିଲେ ବେଗେ ନେଇ ॥୩୬
ପଛ ଚରଣ ପାଦେ ଚାପି । ମୁଣ୍ତ ମୋଡ଼ିଲେ ବିଶ୍ୱରୂପୀ ॥୩୭
ଓଦା ବସନ ପ୍ରାୟେ ମୋଡ଼ି । ତା'ର ମସ୍ତକୁ ଶୃଙ୍ଗ ଝାଡ଼ି ॥୩୮
ମୁଖରୁ ବହିଲା ରୁଧିର । ବେଗେ ଛାଡ଼ିଲା ମୂତ୍ର ମଳ ॥୩୯
ଚାରିଚରଣ ପ୍ରସାରିଲା । ଗୋବିନ୍ଦ ମୁଖକୁ ଚାହିଁଲା ॥୪୦
ପ୍ରାଣ ଛାଡ଼ିଲା ମହାବଳୀ । ଦେଖନ୍ତି ସ୍ୱର୍ଗଲୋକେ ମିଳି ॥୪୧
ଦେବେ କରନ୍ତି ପୁଷ୍ପ ବୃଷ୍ଟି । ଶ୍ରୀକୃଷ୍ଣ ନାଶିଲେ ଅରିଷ୍ଟି ॥୪୨
ଏମନ୍ତେ ଅସୁର ନିବାରି । ଉଶ୍ୱାସ କଲେ ଗୋପପୁରୀ ॥୪୩
ଗୋପୀ-ଗୋପାଳ ନନ୍ଦମେଳେ । ସ୍ତୁତି କରନ୍ତି ପାଦତଳେ ॥୪୪
ଗୋପୀଏ ଚାହାଁନ୍ତି ଶ୍ରୀମୁଖ । ଖଣ୍ତିଲେ ଭବଭୟ-ଦୁଃଖ ॥୪୫
କୃଷ୍ଣ ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଣ୍ଢାସୁରମୋକ୍ଷଣଂ ନାମ ଅଷ୍ଟତ୍ରିଂଶୋଽଧ୍ୟାୟଃ ॥
</poem>
==='''ଊନଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପରୀକ୍ଷ ନୃପମଣି । ସ୍ୱର୍ଗେ ଶୁଭିଲା ଜୟବାଣୀ ॥୧
ଆକାଶେ ଥିଲେ ଯେ ନାରଦ । ଜାଣିଲେ ଷଣ୍ଢାସୁର ବଧ ॥୨
ଆନନ୍ଦ ମନେ ଦେବ ଋଷି । କୃଷ୍ଣ ମହିମା ପରଶଂସି ॥୩
ମଥୁରା ନବରେ ମିଳିଲେ । କଂସ ରାଜାର ସଭାତଳେ ॥୪
ଦେଖି ଉଠିଲା ଭୋଜବୀର । ନମିଲା ମୁନିଙ୍କ ପୟର ॥୫
ଆନନ୍ଦେ ଶିରେ କର ଦେଇ । ଆସନେ ବସାଇଲେ ନେଇ ॥୬
ସ୍ୱଭାବେ ଭୋଜବଂଶେ ରାଜା । ମୁନିଚରଣେ କଲା ପୂଜା ॥୭
କୁଶଳ ବାରତା ପଚାରି । ବିଶ୍ୱାସ କରି ପାଦ ଧରି ॥୮
କଂସର ଭକ୍ତିରେ ନାରଦ । କହନ୍ତି ପାଇ ମନେଖେଦ ॥୯
ତୁ ରାଜା ମୋହର ବିଶ୍ୱାସ । ହେଳେ ହୋଇବୁ ପ୍ରାଣେ ନାଶ ॥୧୦
ତୋତେ ମୋହର ଚିତ୍ତେ ଦୟା । ପୂର୍ବେ ମୁଁ କହିଗଲି ଯାହା ॥୧୧
ତୁ ରାଜା ନ ହେଜିଲୁ ମନେ । ଏବେ ମରିବୁ ଅଳ୍ପଦିନେ ॥୧୨
ଶୁଣିଲେ ପାଇବୁ ତୁ ଖେଦ । ମୁଖୁଁ ମୋ' ନସ୍ଫୁରଇ ପଦ ॥୧୩
ଦେବତାମାନେ ତୋ ବଇରୀ । ତୋ'ର ମରଣେ କୂଟ କରି ॥୧୪
ଗୋପେ ଯାଦବେ ଅବତାର । ଦେବକୀ ବସୁଦେବ ଘର ॥୧୫
ହରିଙ୍କି କରାଇଲେ ଜନ୍ମ । ଭିଣୋଇ କଲା ଏଡ଼େ କର୍ମ ॥୧୬
ଅଷ୍ଟମ ଗର୍ଭେ ଏହା ନାରୀ । ରାତ୍ରେ ପ୍ରସବିଲା ମୁରାରି ॥୧୭
ତୋ'ର ଭିଣୋଇ ତାହା ନେଇ । ଅଇଲା ନନ୍ଦଘରେ ଥୋଇ ॥୧୮
କନ୍ୟାଏ ଥିଲା ତା'ର ଘରେ । ତୁ ତାହା କଚାଡ଼ିଲୁ ଶିଳେ ॥୧୯
ଦେବଙ୍କ ବୋଲେ ମହାମାୟା । ହୋଇଲେ ବାଳରୂପ କାୟା ॥୨୦
ତୋହର ହାତୁ ଶୂନ୍ୟେ ଗଲା । ତେବେହେଁ ଜ୍ଞାନ ତୋନୋହିଲା ॥୨୧
କହିଲା ତୋର ମୃତ୍ୟୁଭେଦ । ତେବେହେଁ ନୋହିଲା ତୋ'ଖେଦ ॥୨୨
ରୋହିଣୀ ବସୁଦେବ ନାରୀ । ପଳାଇଗଲେ ତୋତେ ଡ଼ରି ॥୨୩
ତାହାର ଗର୍ଭ ହୋଇଥିଲା । ସେହି କୁମରେ ପ୍ରସବିଲା ॥୨୪
ହରିର ଅଂଶେ ଅବତାର । ସେ ତୋତେ ମାରିବେଟି ବୀର ॥୨୫
ରାମ ଗୋବିନ୍ଦ ବେନିଭାଇ । ବଢ଼ିଲେ ଗୋପପୁରେ ଥାଇ ॥୨୬
ବସୁଦେବର ମିତ୍ର ନନ୍ଦ । ସେ ତୋତେକଲା ଏଡ଼େ ଛନ୍ଦ ॥୨୭
ପୂତନା ଆଦି ଷଣ୍ଢା ଯାଏ । ସବୁ ମାଇଲେ ବେନିପୋଏ ॥୨୮
ଇନ୍ଦ୍ରର ଦର୍ପ କରି ଚୂର । କରେ ତୋଳିଲା ଗିରିବର ॥୨୯
କାଳୀୟ କାଳିନ୍ଦୀରେ ଥିଲା । ତାହାର ଡ଼ରେ ପଳାଇଲା ॥୩୦
କେତେ କହିବି ଗୁଣ ତା'ର । ଦେବଦାନବେ ଅଗୋଚର ॥୩୧
ଏମନ୍ତ ବୋଲି ମୁନିବର । କହିଲେ ସମସ୍ତ ବିଚାର ॥୩୨
ଶୁଣି ଅସୁର ଥରହର । କାତରେ କମ୍ପଇ ଶରୀର ॥୩୩
ଖଡଗ ଧରି ନିଜ କରେ । ବେଗେ ଉଠିଲା କୋପଭରେ ॥୩୪
ବସୁଦେବକୁ ଅଣାଇଲା । ଅନେକ ମାଡ଼ ମରାଇଲା ॥୩୫
ହାଣିବ ବୋଲି କୋପଭର । ନାରଦ ଧଇଲେ ତା' କର ॥୩୬
ନାରଦ ବଚନେ ବିଶ୍ୱାସ । ପାଦେ ଭରିଲା ଲୈାହପାଶ ॥୩୭
ଧନସମ୍ପଦ ଜୂର କଲା । ବନ୍ଦୀ ମନ୍ଦିରେ ରଖାଇଲା ॥୩୮
କଂସ ଆଗରେ ବ୍ରହ୍ମାସୁତ । କହନ୍ତି ବଚନ ନିୟତ ॥୩୯
ଶୁଣ ତୁ ଭୋଜ ନୃପନାଥ । ମୁହିଁ କହଇ ତୋ'ର ହି୍ତ ॥୪୦
କୃଷ୍ଣ ଯେ ତୋହର ବଇରୀ । ମର୍ତ୍ତ୍ୟମଣ୍ତଳେ ଅବତରି ॥୪୧
ଅବଶ୍ୟ ମାରିବ ସେ ତୋତେ । କଂସ ତୁ ଜାଣିଥା ଯୁକତେ ॥୪୨
କୃଷ୍ଣଙ୍କୁ ସଂହାରିଲେ ତୁହି । ରାଜ୍ୟେଣ ଥିବୁ ସୁସ୍ଥ ହୋଇ ॥୪୩
ବହୁତ ଉପାୟ କରିବୁ । ବୀରଙ୍କ ହସ୍ତେ ମରାଇବୁ ॥୪୪
କେଶୀ ଯେ ଅଛି ତୋ'ର ପାଶ । ସେ ତୋ'ର ଜୀବନ ବିଶ୍ୱାସ ॥୪୫
ପାରଇ ନାନା ମୂର୍ତ୍ତି ଧରି । ତାହାକୁ ପେଷ ଦଣ୍ତଧାରୀ ॥୪୬
ଏହାର ମରଣେ ତୋହର । ମାଲେ ଯେ ମୁଷ୍ଟିକ ଚାଣୂର ॥୪୭
ଏହାଙ୍କ ଥା'ନ୍ତେ କିସ ଭୀତି । ଯାଦବେ ତୋହର ଅପ୍ରୀତି ॥୪୮
ଏମନ୍ତ କହି ବ୍ରହ୍ମାସୁତ । ଆକାଶେ ଚଳିଲେ ତୁରିତ ॥୪୯
ମୁନି ଅନ୍ତରେ ଭୋଜରାୟେ । ଭାଳଇ ଜୀବନର ଭୟେ ॥୫୦
କେଶୀଦଇତ୍ୟକୁ ଅଣାଇଁ । କହଇ ବିଶ୍ୱାସ କରାଇ ॥୫୧
ତୁ ମୋର ଭ୍ରାତ ସହୋଦର । ବହନ ଯାଆ ଗୋପପୁର ॥୫୨
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥୫୩
ଗୁପତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥୫୪
ଯେତେ ଅସୁର ମୋର ଗଲେ । ଗୋପରେ ଥାଇ ସଂହାରିଲେ ॥୫୫
ଦୁହିଁଙ୍କି କର ପ୍ରାଣେ ନାଶ । ଦେବି ସମ୍ପଦ ଗ୍ରାମ ଦେଶ ॥୫୬
ଜୀବନ ରହିବ ମୋହର । ହେ ଭ୍ରାତ ବିଳମ୍ବ ନ କର ॥୫୭
କଂସର ଆଜ୍ଞା ଘେନି ଶିରେ । କେଶୀ ଚଳିଲା ଗୋପପୁରେ ॥୫୮
ଚାଣୁର ମୁଷ୍ଟିକର ମେଳେ । ଦର୍ପିଷ୍ଟ ମହାବଳୀୟାରେ ॥୫୯
ଗଜକୁବଳୟା ମାହୁନ୍ତ । ପାତ୍ର ସାମନ୍ତ ଇଷ୍ଟ ମିତ୍ର ॥୬୦
ଅଣାଇଁ କହଇ ଅସୁର । ଜଣ ଜଣକେ ଧରି କର ॥୬୧
ଭୋ ବୀର ମୁଷ୍ଟିକ ଚାଣୂର । କହି ଯେ ଗଲେ ମୁନିବର ॥୬୨
ବସୁଦେବ ତା' ପୁତ୍ରଦୁଇ । ଗୋପରେ ଅଇଲା ଲୁଚାଇ ॥୬୩
ଗୁପତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥୬୪
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥୬୫
ଦିନକୁ ଦିନ ବଳୀୟାର । କେମନ୍ତେ କରିବି ସଂହାର ॥୬୬
ତାହାଙ୍କୁ ଅଣାଇବି ଧରି । ଏଥେ ମାରିବି କୂଟ କରି ॥୬୭
ମାଲବିନ୍ଧାଣେ ମରାଇବି । ତେବେଟି ଜୀବନ ପାଇବି ॥୬୮
ସେ ମୋର ବୀରଙ୍କୁ ମାଇଲା । ବନସ୍ତେ କେହି ନ ଦେଖିଲା ॥୬୯
ମୁଁ ଆଣି ମଥୁରାରେ ଥୋଇ । ମାଲଙ୍କ ହସ୍ତେ ତାଙ୍କୁ ଦେଇ ॥୭୦
ମାରନ୍ତେ ଦେଖିବେ ସକଳ । ଯାଦବ ଭୋଜବଂଶ ବୀର ॥୭୧
ରଙ୍ଗସଭାଏ କରାଇବି । ଏମନ୍ତେ ଶତ୍ରୁ ସଂହାରିବି ॥୭୨
ତୁମ୍ଭେ ସକଳେ ମୋର ମିତ୍ର । ବେଗେ ନିବାର ନନ୍ଦସୁତ ॥୭୩
ଦେବଇଁ ସମ୍ପଦ ବହୁତ । ଗଜତୁରଙ୍ଗ ଯୂଥ ଯୂଥ ॥୭୪
ଶୁଣ ହୋ ପାତ୍ର ମନ୍ତ୍ରୀ ମୋର । ମଞ୍ଚା କରାଇବ ଅପାର ॥୭୫
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥୭୬
ଦେବକୀ ବସୁଦେବ ଆସି । ମଞ୍ଚା ଉପରେ ଥିବେ ବସି ॥୭୭
ତୁମ୍ଭେ କରିବ ମାଲପଣ । ଦେଖିବେ ପୁତ୍ରଙ୍କ ମରଣ ॥୭୮
ମାହୁନ୍ତ ଥିବ ରଙ୍ଗଦ୍ୱାରେ । ବସି କୁବଳୟାପୀଡ଼ରେ ॥୭୯
ମାରିବ ସଭାତଳେ ନେଇ । ଦନ୍ତେ ଗୁନ୍ଥାଇ ବେନିଭାଇ ॥୮୦
ଅନେକ ଧନରତ୍ନ ଦେବି । ମୋହର ମଇତ୍ର କରିବି ॥୮୧
ଶୁଣ ହୋ ପାତ୍ରମନ୍ତ୍ରୀ ମୋର । ତୁମ୍ଭେ ଭିଆଅ ଧନୁଘର ॥୮୨
ଶୁକଳ ଚତୁର୍ଦ୍ଦଶୀ ଦିନେ । ପୂଜା କରିବ ରାତ୍ରମାନେ ॥୮୩
ଛେଳି ମହିଷ ବଳିଭୋଜା । କ୍ଷେତ୍ରପାଳଙ୍କୁ କର ପୂଜା ।୮୪
ଘୋଷଣା ଦିଅ ଚାରିଦିଗେ । ଗ୍ରାମ ପାଟଣା ପୁରଲାଗେ ॥୮୫
ଜନପରଜା ରଙ୍କି ଦୁଃଖୀ । ଆସିବେ ଧନୁଯାତ୍ରା ଦେଖି ॥୮୬
ଦେବଇଁ ଧନ ବସ୍ତ୍ର ଅନ୍ନ । ତୁଳାପୁରୁଷ ଆଦିଦାନ ॥୮୭
ଏମନ୍ତ କହି କଂସ ଗଲା । ଭିତର ପୁରେ ବିଜେକଲା ॥୮୮
ଅକ୍ରୁର ନାମେ ମନ୍ତ୍ରୀବର । ଯାଦବ ବଂଶେ ବଳୀୟାର ॥୮୯
କଂସର ବିଶ୍ୱାସ ଅପାର । ଡ଼କାଇ ଆଣିଲା ସତ୍ୱର ॥୯୦
ତାହାର କରେ ହସ୍ତ ଦେଇ । କହଇ ଏକାନ୍ତେ ବସାଇ ॥୯୧
ଭୋ ମିତ ଶୁଣ ମୋ' ଉତ୍ତର । ବିଶ୍ୱାସୀ ଅଟୁ ତୁ ମୋହର ॥୯୨
ଇଷ୍ଟ ବନ୍ଧୁରେ ସତ୍ୟ କହି । ବେଦପୁରାଣେ ଏ ଅଛଇ ॥୯୩
ତୋ' ତହୁଁ ନାହିଁ ଅନ୍ୟ ମିତ୍ର । ତୁ ମୋର ପ୍ରାଣ ପଞ୍ଚଭୂତ ॥୯୪
ତୋହର ବଳେ ଆଜ ମୁହିଁ । ଶତ୍ରୁ ସଂହାରିତେ ଲୋଡ଼ଇ ॥୯୫
ଯେସନେ ବିଷ୍ଣୁ ଆଶ୍ରେ କରି । ଦେବେ ହୁଅନ୍ତି ସୁଖଚାରୀ ॥୯୬
ନନ୍ଦଗୋକୁଳେ ବେଗେ ଯାଅ । ମୋହର ହିତେ ଯେବେ ଥାଅ ॥୯୭
ତୋହର ବଳେ ମୁଁ ନିଶ୍ଚିନ୍ତ । ଭୋ ମିତ୍ର କହିଲିଟି ସତ୍ୟ ॥୯୮
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥୯୯
ଥୋଇଲା ନେଇ ନନ୍ଦଘରେ । ଲୁଚାଇ ବସୁଦେବ ଡ଼ରେ ॥୧୦୦
ତୁ ବେଗେ ରଥ ଘେନିଯାଅ । ମୋର ଛାମୁରେ ଆଣିଦିଅ ॥୧୦୧
ଦେବକୀ ବିଭା ହେଲା ଯେବେ । ମୋତେ ଯା କହିଥିଲେ ଦେବେ ॥୧୦୨
ସେ କଥା ହୋଇଲା ଯୁକତେ । ନାରଦ କହିଗଲେ ମୋତେ ॥୧୦୩
ମୋତେ ମାରିବେ ବେନିଭାଇ । ଏ କଥା ଉଚିତ ନୁହଁଇ ॥୧୦୪
ଗୋକୁଳେ ଥାଇ ବଳୀୟାର । ମାଇଲେ ଅନେକ ଅସୁର ॥୧୦୫
ବାଳୁତ କାଳୁଁ ତା'ଙ୍କୁ ଧରି । ବେଗେ ମୁଁ ପକାଇବି ମାରି ॥୧୦୬
ତେବେ ମୋହର ମନସ୍ଥିର । ଭୋ ମିତ୍ର ଧରୁଅଛି କର ॥୧୦୭
ନନ୍ଦଯଶୋଦାଙ୍କର ସଙ୍ଗେ । ଘେନାଇ ଆସ ଯାଇ ବେଗେ ॥୧୦୮
ଗୋରସ ଆଣ ଶତେଭାର । ଧନୁ ଉତ୍ସବ ଯାତ୍ରା ମୋର ॥୧୦୯
ଅଣାଇ ମଥୁରା ନବରେ । ବନ୍ଦୀ କରିବି ବନ୍ଦୀଘରେ ॥୧୧୦
ରାମଗୋବିନ୍ଦ ଅଣାଇବି । ହସ୍ତୀର ଦନ୍ତେ ଗୁନ୍ଥାଇବି ॥୧୧୧
ଯେବେ ଉବୁରିବେ ସେଠାରୁ । ମାଲେ ଅଛନ୍ତି ମହାମେରୁ ॥୧୧୨
ଏହାଙ୍କ ହସ୍ତେ ମରାଇବି । ତେବେ ସେ ଜୀବନ ପାଇବି ॥୧୧୩
ମେହାର ଯଦୁବଂଶ ବାଦୀ । ସବୁଙ୍କୁ ପକାଇବି ଛେଦି ॥୧୧୪
ନନ୍ଦଯଶୋଦା ବସୁଦେବ । ଦେବକୀ ଯେତେକ ଯାଦବ ॥୧୧୫
ଏହାଙ୍କୁ ପେଷି ଯମପୁର । ତେବେ ଜୀବନ ସ୍ଥିର ମୋର ॥୧୧୬
ଉଗ୍ରସେନଙ୍କୁ ଧରି ଆଣି । ଏଠାରେ ପକାଇବି ହାଣି ॥୧୧୭
ଦେବକନାମେ ତା'ର ଭାଇ । ମୋର ମରଣ ସେ ଲୋଡ଼ଇ ॥୧୧୮
ମୋର ବଇରୀଛନ୍ତି ଯେତେ । ଭୋ ମିତ୍ର ମାରିବି ଏମନ୍ତେ ॥୧୧୯
ତେବେ ସେ ମହୀ ଅକଣ୍ଟକେ । ଭୋଗ କରିବି ମୁହିଁ ଏକେ ॥୧୨୦
ଶ୍ୱଶୁର ଜରାସନ୍ଧ ମୋର । ସଙ୍ଗାତ ଦ୍ୱିବିନ୍ଦ ବାନର ॥୧୨୧
ଶୂର ନାରକା ବାଣାସୁର । ଅଛନ୍ତି ମହା ମହା ବୀର ॥୧୨୨
ଶାଲ୍ୱକ ଦନ୍ତବକ୍ର ବୀର । ପୁଣ୍ତ୍ରକ କାଶୀ-ରାଜେଶ୍ୱର ॥୧୨୩
ଏ ମୋର ସମ ବଳୀୟାର । ମୋତେ ଡରଇ ସୁନାସୀର ॥୧୨୪
ଭୋ ମିତ୍ର ଯାଆ ବେଗ ହୋଇ । ଧନୁ ଉତ୍ସବ ଯାତ୍ରା କହି ॥୧୨୫
ବହନ ଆଣ ୧ବେନିଭାଇ । ମିତ୍ର ମୋହର ଯେବେ ତୁହି ॥୧୨୬
ସେ ବିଷ୍ଣୁଅଂଶେ ଜାତ ହୋଇ । ରାମଗୋବିନ୍ଦ ବେନିଭାଇ ॥୧୨୭
ବିଚାରେ ବଳବାନ କରି । ତା'ଙ୍କ ମରଣ ମନେ ଧରି ॥୧୨୮
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥୧୨୯
ତାହାଙ୍କ ବଳ ପରିମାଣି । ବଳେ ନୋହଇ ତା'ଙ୍କୁ ଆଣି ॥୧୩୦
ତୁ ଯେଣୁ ବିଷ୍ଣୁଭକ୍ତଜନ । ତୋରେ ସଦୟ ଭଗବାନ ॥୧୩୧
ବହନ କରି ଭାବେ କହି । ବେଗେ ତୁ ଘେନି ଆସ ଯାଇ ॥୧୩୨
ଟାଣ ନ କହି ଆଣ ବେଗେ । ରଥେ ବସାଇ ତୋର ସଙ୍ଗେ ॥୧୩୩
ତୋହର ଭକ୍ତିଭାବ ଘେନି । ଏଥେ ଆସିବେ ଭାଇ ବେନି ॥୧୩୪
ଏମନ୍ତ କଂସ ବୋଲ ଶୁଣି । ଅକ୍ରୁର ମନେ ମନେ ଗୁଣି ॥୧୩୫
;ଅକ୍ରୁର ଉବାଚ
ବୋଲଇ ଶୁଣ ନରନାଥ । ଏ କଥା ତୋହର ଉଚିତ ॥୧୩୬
ଶତ୍ରୁକୁ ବୁଦ୍ଧିବଳେ ମାରି । ତେବେ ଜୀବନ ସୁଖେ ଧରି ॥୧୩୭
କହଇ ଶୁଣ ନୃପବର । ଦଇବବଳ ବଳୀୟାର ॥୧୩୮
ଯେ ଯାହା କର୍ମଫଳ ବଳେ । ଭୋଗ କରନ୍ତି ମହୀତଳେ ॥୧୩୯
ମର୍ତ୍ତ୍ୟେମାନବ ଦେହ ବହି । ଲାଭ ଅଲାଭ ନ ଜାଣଇ ॥୧୪୦
ଯେ ଯାହା ପୂର୍ବେ ଥାଇ କରି । ଭୁଞ୍ଜଇ ସେ ଫଳ ଆବୋରି ॥୧୪୧
ଶୋକ ହରଷ ବେନିପଥେ । ମିଳନ୍ତି କର୍ମର ଆୟତ୍ତେ ॥୧୪୨
କର୍ମ ଯେ ବଡ଼ ବୁଦ୍ଧିଦାତା । କର୍ମ ହିଁ ଅଲେଖ ବିଧାତା ॥୧୪୩
ଯେବେ ତୋ' କର୍ମ ବଳୀୟାର । ଭୋଗ କରିବୁ ଦିବ୍ୟପୁର ॥୧୪୪
ବିବିଧ ରତ୍ନ ଅଶ୍ୱଗଜ । କରୀଦଶନଖଟ ଶେଯ ॥୧୪୫
ଅମୂଲ୍ୟପୁର ବାରସ୍ୱତୀ । ଦେବେ କରିବେ ତୋତେ ସ୍ତୁତି ॥୧୪୬
ଯଦି ତୋ କର୍ମ ବିଡ଼ମ୍ବନ । ହୋଇବ ଅକାଳ ମରଣ ॥୧୪୭
ଭଣଜା ହସ୍ତେ ଯେବେ ମୃତ୍ୟୁ । ଯାହା କହିଛି କୁଶକେତୁ ॥୧୪୮
ଏଥକୁ ନିଷତ ହୋଇଲେ । ଆଉ କି ଥିବ ଦେହ ଭଲେ ॥୧୪୯
ତୋହର ଆଜ୍ଞା ଶିରେ ଧରି । ଭୋ ରାଜା ଯିବି ଗୋପପୁରୀ ॥୧୫୦
ଶୁଣି ସନ୍ତୋଷ ଭୋଜରାଜା । ଅକ୍ରୁରେ କଲା ଦିବ୍ୟପୂଜା ॥୧୫୧
କଂସ ପଶିଲା ନିଜ ପୁର । ଅକ୍ରୁର ହୋଇଲା ବାହାର ॥୧୫୨
ପଥେ ସେ ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥୧୫୩
ସତେ କି ଦେଖିବି ଶ୍ରୀମୁଖ । ଖଣ୍ତିବି କୋଟିଜନ୍ମ ଦୁଃଖ ॥୧୫୪
ମିଳିଲା ନିଜ ପୁରେ ଯାଇ । ଗୋବିନ୍ଦପାଦେ ଚିତ୍ତ ଦେଇ ॥୧୫୫
କହଇ ଦାସ ଜଗନ୍ନାଥ । ଅକ୍ରୁର ସଜକଲା ରଥ ॥୧୫୬
ସେ ରଥ ପଛେ ଥାଇ ଧୀରେ । ମନ ମୋ' ଯାଉ ଗୋପପୁରେ ॥୧୫୭
ସୁଜନେ ଆସ ସଙ୍ଗମେଳେ । କୃଷ୍ଣ ଦେଖିବା ବେନିଡ଼ୋଳେ ॥୧୫୮
ଅକ୍ରୁର ରଥେ ମନ ଥୁଅ । ସଂସାର ବନ୍ଧେ ଧନ୍ଦି ନୁହଁ ॥୧୫୯
ବାରେ ଦେଖିଲେ କୃଷ୍ଣ ରୂପ । ଆଉ କି ଥିବ ମନେ ତାପ ॥୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁରସମ୍ପ୍ରେଷଣଂ ନାମ ଊନଚତ୍ୱାରିଂଶୋଽଧ୍ୟାୟଃ ॥
</poem>
==='''ଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ କୃଷ୍ଣ ଲୀଳା । କେଶୀ ଯେ ବୃନ୍ଦାବନେ ଗଲା ॥୧
ରଜନୀ ହୋଇଲା ପ୍ରଭାତ । ଗଗନେ ଉଦେ ଛାୟାକାନ୍ତ ॥୨
ଅଶ୍ୱର ପ୍ରାୟେ ରୂପ ଧରି । ଦେଖି ଗଗନେ ଦେବେ ଡ଼ରି ॥୩
ମନହୁଁ ବେଗବନ୍ତ ହୋଇ । କୋପେ ଖୋଳଇ କ୍ଷୁରେ ମହୀ ॥୪
କାନ୍ଧର ବାଳ ଠିଆ କରି । ଗଗନେ ପଡୁଅଛି ହୁରି ॥୫
ବିମାନେ ବସି ଦେବତାଏ । ଉଡ଼ିଣ ଗଲେ ଲାଞ୍ଜବାଏ ॥୬
ଗୋରୁଏ ପଳାଇଲେ ଛନ୍ନେ । ପଶିଲେ ଗହନ ବିପିନେ ॥୭
କେଶୀର ନିଶ୍ୱାସ ପବନେ । ଉଡ଼ିଲେ ବୃକ୍ଷେ ଘୋର ଶୂନ୍ୟେ ॥୮
ଶବଦ ଶୁଣି ମହାଘୋର । ଗୋବିନ୍ଦ ହୋଇଲେ ବାହାର ॥୯
ଦେଖିଲେ ଗୋପର ବିକଳ । ଶୂନ୍ୟେ କମ୍ପନ୍ତି ଦିଗପାଳ ॥୧୦
ଶୁଣି ଦୈତ୍ୟର ଘୋରରଡ଼ି । ଦେବେ ଗଗନ ଗଲେ ଛାଡ଼ି ॥୧୧
ଦେଖିଲେ ମଦନ ଗୋପାଳ । ଅସୁର ତେଜ ଅନର୍ଗଳ ॥୧୨
ଧନ ସମ୍ପଦ ଦାରା ଛାଡ଼ି । ଲୋକେ ପଳାନ୍ତି ବନମାଡ଼ି ॥୧୩
କିଜାଣି ବେଢ଼ିଲା ଅନଳ । କି ଅବା ପ୍ରଳୟର କାଳ ॥୧୪
ଉଲୁକାପାତ ଦିଶେ ମହୀ । ଦିବସେ ଅନ୍ଧକାର ହୋଇ ॥୧୫
କଂସର ହିତେ ମହାବଳୀ । ଲୋଡ଼ଇ ରାମ ବନମାଳୀ ॥୧୬
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥୧୭
ଲୁଚାଇ ଅଛି ବସୁଦେବ । ମୋହର ଡରେ ପଳାଇବ ॥୧୮
ମୁଖ ବିସ୍ତାରି ବେଗେ ଧାଇଁ । ଆଜ ଗିଳିବି ବେନିଭାଇ ॥୧୯
ଏମନ୍ତ ବିଚାରି ଆନନ୍ଦେ । ମିଳିଲା ଗୋପପୁର ମଧ୍ୟେ ॥୨୦
ଗୋପବାଳକ ମଧ୍ୟେ ଥାଇ । ଦେଖିଲେ ପ୍ରଭୁ ଭାବଗ୍ରାହୀ ॥୨୧
ଗୋପକୁମର କନ୍ଧେ ହସ୍ତ । ଆଗ ହୋଇଲେ ଗୋପୀନାଥ ॥୨୨
ଗୋବିନ୍ଦ କଲେ ଶିଙ୍ଗାନାଦ । କେଶୀ ପାଇଲା ମନେ ଖେଦ ॥୨୩
ଜାଣିଲା ଏହି ନାରାୟଣ । ଶୋଷିଲା ପୂତନା ପରାଣ ॥୨୪
ଶକଟା ତୃଣା ବତ୍ସାସୁର । ଅଘା ପ୍ରଳମ୍ବା ମହାବୀର ॥୨୫
ଧେନୁକ ଷଣ୍ଢ ଆଦିକରି । ଏ ବନେ ମାଇଲା ମୁରାରି ॥୨୬
ଏହି ସେ ନନ୍ଦର କୁମର । ଜାଣି ଧାଇଁଲା ନିଶାଚର ॥୨୭
ମୁଖ ବିସ୍ତାରି କୋପଭରେ । ଧାଇଁଲା ପବନହୁଁ ଖରେ ॥୨୮
ମୁଖେ କି ପିଉଛି ଆକାଶ । ମିଳିଲା ଗୋବିନ୍ଦର ପାଶ ॥୨୯
ଉଞ୍ଚାଇ ପଛ ବେନିପାଦେ । ମାଇଲା ଗୋବିନ୍ଦର ହୃଦେ ॥୩୦
ଶ୍ରୀକୃଷ୍ଣ ବଞ୍ଚାଇଲେ ତାହା । ବଜ୍ର ହୁଁ ଆଣ୍ଟ ଯା'ର ହିଆ ॥୩୧
ଚରଣ ଧରି ବାମକରେ । ପକାଇଦେଲେ କୋପଭରେ ॥୩୨
ଗରୁଡ଼ ଯେହ୍ନେ ନାଗ ଧରି । ପକାଇ ରହଇ ଆବୋରି ॥୩୩
ପୁଣି କ୍ଷଣକେ ଜ୍ଞାନ ପାଇ । କେଶୀ ଧାଇଁଲା ରୋଷ ବହି ॥୩୪
ବିସ୍ତାର ଦେଖି ତା'ର ତୁଣ୍ତ । କୃଷ୍ଣ ଭରିଲେ ଭୁଜଦଣ୍ତ ॥୩୫
ସର୍ପ ପଶଇ ଯେହ୍ନେ ବିଳେ । ଦେଖି ହସନ୍ତି ଗୋପବାଳେ ॥୩୬
ଦଇତ୍ୟ କାମୋଡ଼ିଲା କର । ଦନ୍ତ ତା ଝଡ଼ିଲା ଅଧର ॥୩୭
ତପତଫାଳ ପ୍ରାୟେ କର । ଚାପି ନ ପାରିଲା ଅସୁର ॥୩୮
କେଶୀ ଉଦରେ କୃଷ୍ଣକର । ବଢ଼ିଲା ଯେହ୍ନେ ଗିରିବର ॥୩୯
ଗର୍ଭ ମନ୍ଥିଲେ ଭୁଜଦଣ୍ତ । ଖୁଆ ଯେସନେ ଦଧିଭାଣ୍ତେ ॥୪୦
ନିରୋଧ ହୋଇ କଣ୍ଠଦ୍ୱାର । ବିସ୍ତାର କଲା ଚାରି କ୍ଷୁର ॥୪୧
ବେଗେ ଛାଡ଼ିଲା ମଳମୂତ୍ର । ପଡ଼ି ହୋଇଲା ମୂରୁଚ୍ଛିତ ॥୪୨
ବେନି ଲୋଚନ କଲା ସ୍ଥିର । ଜୀବନ ଛାଡ଼ିଲା ଅସୁର ॥୪୩
ଦେଖନ୍ତି ସ୍ୱର୍ଗେ ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥୪୪
ପାଚିଲା ଫୁଟି ପ୍ରାୟେ ହୋଇ । ଅସୁର ପଡ଼ିଲା ମିଳାଇ ॥୪୫
ତାହାର ଗର୍ଭୁ ଦାମୋଦର । ଫେଇ ଆଣିଲେ ନିଜ କର ॥୪୬
ଦେଖି ଆନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥୪୭
ପୁଷ୍ପ ବରଷିଲେ ଗହଳେ । ସ୍ତୁତି କରନ୍ତି ଦେବବରେ ॥୪୮
କେଶୀ ମରଣ ଦେଖି ହସି । ଆସି ମିଳିଲେ ଦେବଋଷି ॥୪୯
ଏକାନ୍ତେ ଦେଖି ନରହରି । ସ୍ତୁତି କରନ୍ତି ପାଦେ ପଡ଼ି ॥୫୦
ଉଠି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥୫୧
;ନାରଦ ଉବାଚ
ଭୋ କୃଷ୍ଣ ପ୍ରଭୁ ଯୋଗେଶ୍ୱର । ଯାଦବବଂଶର ଠାକୁର ॥୫୨
ଅଶେଷ ଜନ୍ତୁ ହୃଦଗତେ । ଜ୍ଞାନୀ ଚିନ୍ତନ୍ତି ଯୋଗମତେ ॥୫୩
ଜ୍ୟୋତି ସ୍ୱରୂପ ନିରଞ୍ଜନ । ସକଳ ଆତ୍ମାରେ ଅଭିନ୍ନ ॥୫୪
ମନ ବୁଦ୍ଧିରେ ଅଗୋଚର । ମହାପୁରୁଷ ତୁ ଈଶ୍ୱର ॥୫୫
ତୋହର ମାୟାକୁ ଆବୋରି । ଶରୀର ବହୁ ନରହରି ॥୫୬
ସଂସାର କରୁ ତୁ ଭିଆଣ । ସୃଷ୍ଟି ପାଳନ ସଂହାରଣ ॥୫୭
ଭାରା ନିବାରେ ଦେହ ବହି । ସାଧୁଙ୍କୁ ରଖୁ ଭାବଗ୍ରାହୀ ॥୫୮
ଦୁଷ୍ଟ ନିବାରି ରଖୁ ମହୀ । ମର୍ତ୍ତ୍ୟେ ଉଦ୍ଧରୁ ରୂପ ବହି ॥୫୯
ଲୀଳାଏ ମାଇଲୁ ଅସୁର । ଦେଖି ହରଷ ସୁର ନର ॥୬୦
ଦେବେ ନ ରହନ୍ତି ଆକାଶେ । ଏ କେଶୀ ଦଇତ୍ୟର ତ୍ରାସେ ॥୬୧
ଭୋ ନାଥ ଶୁଣ ଚକ୍ରଧର । ମାରିବୁ ମୁଷ୍ଟିକ ଚାଣୂର ॥୬୨
ଧନୁ ଭାଙ୍ଗିବୁ ବାମକରେ । ହସ୍ତୀ ମାରିବୁ ରଙ୍ଗଦ୍ୱାରେ ॥୬୩
କଂସ ମାରିବୁ ଚାରିଦିନେ । ରାଜ୍ୟ ନିବେଶି ଉଗ୍ରେସେନେ ॥୬୪
କଂସର ଅଷ୍ଟମଲ୍ଲ ନାଶି । ଯାଦବ ବଂଶକୁ ଆଶ୍ୱାସି ॥୬୫
କାଳ ଯବନ ଶଙ୍ଖାସୁର । ମୁର ନାରକା ବେଗେ ମାର ॥୬୬
ଇନ୍ଦ୍ରଭୁବନୁ ପାରିଜାତ । ବଳେ ଆଣିବୁ ଗୋପୀନାଥ ॥୬୭
ବୀରରାଜାଙ୍କ କନ୍ୟା ଆଣି । ବିଭା ହୋଇବୁ ଚକ୍ରପାଣି ॥୬୮
ଜରାସନ୍ଧର ଭୟେ ଯାଇ । ସମୁଦ୍ରେ ଦ୍ୱାରକା ଭିଆଇ ॥୬୯
ନୃଗରାଜାଙ୍କୁ ସୁଖ ଦେବୁ । କୃକଲାଶ ରୂପ ନାଶିବୁ ॥୭୦
ତୋହର ପୁରେ ଶକ୍ରାଜିତ । ତୋତେ ବରିବ ଗୋପୀନାଥ ॥୭୧
ସତ୍ୟଭାମାର ତୁଲେ ମଣି । ତୋହର ପାଦେ ଦେବ ଆଣି ॥୭୨
ଯମର ଘରୁ ପୁତ୍ର ଆଣି । ତୋଷିବୁ ଗୁରୁଙ୍କ ଘରଣୀ ॥୭୩
ଘୋର ଦଇତ୍ୟ ପୁଣ୍ତରୀକ । ତାହାକୁ ମାରି ଦେବୁ ମୋକ୍ଷ ॥୭୪
ଦହନ କରି କାଶୀପୁର । ଯୁଦ୍ଧେ ମାରିବୁ ଦନ୍ତବକ୍ର ॥୭୫
ପାଣ୍ତବ ଯଜ୍ଞସଭା ତଳେ । ଚକ୍ରେ ଛେଦିବୁ ଶିଶୁପାଳେ ॥୭୬
ଦ୍ୱାରକା ପୁରେ ବନମାଳୀ । ଯେତେ କରିବୁ ସୁଖକେଳି ॥୭୭
ମୁଁ ତାହା ଦେଖିବି ଲୋଚନେ । ପୁରାଣେ ଶୁଣିଅଛି କର୍ଣ୍ଣେ ॥୭୮
ଅର୍ଜ୍ଜୁନ ରଥେ ତୁ ସାରଥି । ମୁଁ ପୁଣି ଥିବି ତୋ'ର କତି ॥୭୯
ଅନେକ ରାଜା ସୈନ୍ୟବଳ । ସଂହାର କରିବୁ ଗୋପାଳ ॥୮୦
ଶୁଦ୍ଧ ବିବେକ ନିରଞ୍ଜନ । ଆଦି ଅନାଦି ସ୍ଥୂଳ ଶୂନ୍ୟ ॥୮୧
ଅଶେଷ ପୁଣ୍ୟଫଳ ଦାତା । ତୁମ୍ଭେ ଜଗତ ପିତାମାତା ॥୮୨
ଆପଣା ମହିମା ବିସ୍ତାରି । ଗୁଣ ପ୍ରକାଶୁ ନରହରି ॥୮୩
ମନୁଷ୍ୟ ଦେହେ ଅବତାର । ଯାଦବବଂଶର ଠାକୁର ॥୮୪
ଏମନ୍ତେ ବ୍ରହ୍ମାର ନନ୍ଦନ । ଆନନ୍ଦେ କଲେ ସାମଗାନ ॥୮୫
ଗୋବିନ୍ଦ ଆଜ୍ଞା ଶିରେ ଘେନି । ଗଲେ ନାରଦ ମହାମୁନି ॥୮୬
ଏମନ୍ତେ ଅସୁର ସଂହାରି । ଗୋପେ ବିଜୟ ନରହରି ॥୮୭
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣର ଲୀଳା ଭାଗବତ ॥୮୮
ଦିନେକ ପ୍ରଭୁ ଭଗବାନ । ବାଳକ ମେଳେ ଗଲେ ବନ ॥୮୯
ଗିରିକନ୍ଦରେ ଘୋରବନେ । ଗାଈ ଚରାନ୍ତି ତୋଷମନେ ॥୯୦
ହସି ବୋଲନ୍ତି ଦାମୋଦର । ଏମନ୍ତ ଖେଳଅଛି ମୋର ॥୯୧
ଥୋକାଏ ହୁଅ ତୁମ୍ଭେ ଚୋର । ଥୋକାଏ ହୁଅ ରାତ୍ରପାଳ ॥୯୨
ଖେଳିବା କଦମ୍ବର ତଳ । ଏମନ୍ତ କହି ଆଦିମୂଳ ॥୯୩
ଥୋକାଏ ହୁଅ ପଶୁଗଣ । ଛାଗଳ ମହିଷ ହରିଣ ॥୯୪
ଥୋକାଏ ହୁଅ ଦଣ୍ତୁଆସି । ହସି କହନ୍ତି ବ୍ରହ୍ମରାଶି ॥୯୫
ତକ୍ଷଣେ କରି ସନମତ । ପୋଏ ହୋଇଲେ ଯୂଥ ଯୂଥ ॥୯୬
ଥୋକେ ହୋଇଲେ ଗୃହବାସୀ । ଥୋକାଏ ଚୋର ଦଣ୍ତୁଆସୀ ॥୯୭
ଏମନ୍ତେ ଖେଳଲୀଳା କରି । ଖେଳନ୍ତି ବନେ ନରହରି ॥୯୮
ଶୁଣ ରାଜନ ବିପରୀତ । ଅସୁର ମିଳିଲା ତୁରିତ ॥୯୯
ମୟଦଇତ୍ୟର କୁମର । ନାମ ତାହାର ବ୍ୟୋମାସୁର ॥୧୦୦
ମାୟାଗୋପାଳ ରୂପ ଧରି । ଅନେକ ନେଲା ଚୋରି କରି ॥୧୦୧
ଗିରିକ୍ରୋଟରେ ଲୁଚାଇଲା । ଦ୍ୱାରେ ପାଷାଣ ଅଚ୍ଛାଦିଲା ॥୧୦୨
ଏମନ୍ତେ ନେଲା ବେଳ ଦଶ । ରହିଲେ ପାଞ୍ଚ ସାତ ଶେଷ ॥୧୦୩
ଗୋପକୁମରଙ୍କୁ ଅନାଇଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୧୦୪
ଦଇତ୍ୟ ମୋତେ ମାୟା କଲା । ମୋର ବାଳକ ହରିନେଲା ॥୧୦୫
ଭଲା ମୁଁ କଲି ଖେଳ ରସ । ମୋର ଗୋପାଳେ ଗଲେ ନାଶ ॥୧୦୬
ଦଇତ୍ୟ ନେଇ ଗିରିବରେ । ଲୁଚାଇ ଢ଼ାଙ୍କିଛି ଦୁଆରେ ॥୧୦୭
କୃଷ୍ଣ ଧାଇଁଲେ ଧାତିକାରେ । ମିଳିଲେ ପର୍ବତ କନ୍ଦରେ ॥୧୦୮
ବେନିବାଳକ ଯାକି କାଖେ । ଦଇତ୍ୟ ଚଳେ ଗିରିପାଖେ ॥୧୦୯
ତାହାର କେଶ ବାମକରେ । କୃଷ୍ଣ ଧଇଲେ କୋପଭରେ ॥୧୧୦
ତକ୍ଷଣେ ନିଜ ରୂପ ହୋଇ । ପଳାଇ ଲୋଡ଼ଇ ଛଡ଼ାଇ ॥୧୧୧
କୃଷ୍ଣ ଧଇଲେ ତାର ହସ୍ତ । ଘୂରାଇ ପକାଇଲେ ପଥ ॥୧୧୨
ପଶୁଙ୍କ ପ୍ରାୟ ମୁଣ୍ତମୋଡ଼ି । ପଡ଼ିଲା ଦେଇ ଘୋରରଡ଼ି ॥୧୧୩
ତକ୍ଷଣେ ଛାଡ଼ିଲା ଜୀବନ । କୃଷ୍ଣର ଦେହେ ହେଲା ଲୀନ ॥୧୧୪
ପର୍ବତ କ୍ରୋଟଦ୍ୱାରେ ଯାଇ । ଦ୍ୱାର ଫେଇଲେ ଭାବଗ୍ରାହୀ ॥୧୧୫
ଗୋପବାଳକ ଉଦ୍ଧରିଲେ । ଦେବେ କୁସୁମ ବରଷିଲେ ॥୧୧୬
ଆନନ୍ଦେ ଘେନି ଗୋପବାଳ । ଗୋପେ ବିଜୟ ଆଦିମୂଳ ॥୧୧୭
ଏବେ ସରିଲା ବନକେଳି । ମଥୁରା ଯିବେ ବନମାଳୀ ॥୧୧୮
ତାରିଲେ ଗୋପ ନରନାରୀ । ଭକତ ବନ୍ଧୁ ଦଇତ୍ୟାରି ॥୧୧୯
ଭକତଜନ ତାରିବାରେ । ଗୋରୁ ଚରାଇ ବନଘୋରେ ॥୧୨୦
ବାଳକ ରୂପେ ଅବତାର । ବଢ଼ିଲେ ନନ୍ଦର ମନ୍ଦିର ॥୧୨୧
ମଥୁରାପୁର ନରନାରୀ । ପୂର୍ବେ ଅଛନ୍ତି ତପ କରି ॥୧୨୨
ନୟନେ ଦେଖି କୃଷ୍ଣରୂପ । ଖଣ୍ତିବେ ଭବବନ୍ଧ ତାପ ॥୧୨୩
ସୁଜନଜନେ ଶୁଣ ଧୀରେ । କୃଷ୍ଣ ଚରିତ କର୍ଣ୍ଣଦ୍ୱାରେ ॥୧୨୪
ରାମଗୋବିନ୍ଦ ବାଳକେଳି । ଗୁନ୍ଥି ଲମ୍ବାଅ କଣ୍ଠେ ମାଳୀ ॥୧୨୫
ଚିତ୍ତ ନିରୋପି କୃଷ୍ଣ ପାୟେ । ନ ବୁଡ଼ ଭବଜଳେ ମୋହେ ॥୧୨୬
କହଇ ଦାସ ଜଗନ୍ନାଥ । ଗୀତ ବିନୋଦେ ଭାଗବତ ॥୧୨୭
ଭକତଜନେ ଏହା ଗାଇ । କୃଷ୍ଣଲୀଳାରେ ମନ ଦେଇ ॥୧୨୮
ହୋଇବ ଭବଜଳୁଁ ପାର । କୃପା କରିବେ ଦାମୋଦର ॥୧୨୯
ଭକତଜନଙ୍କର ହିତ । ରଚିଲି ଶିରୀଭାଗବତ ॥୧୩୦
ଶୁଣି ସୁଜନେ ହୁଅ ତୋଷ । କହଇ ଜଗନ୍ନାଥ ଦାସ ॥୧୩୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କେଶୀବ୍ୟୋମାସୁରବଧୋ ନାମ ଚତ୍ୱାରିଂଶୋଽଧ୍ୟାୟଃ ॥
</poem>
==='''ଏକଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୧
ଏଣେ ତୁ ହୋଇବୁ ନିସ୍ତାରି । ହେଳେ ତରିବୁ ଭବବାରି ॥୨
କେଶୀ କି ଆଶ କରି କଂସ । ରଖି ଯେ ଅଛି ଯଦୁବଂଶ ॥୩
କେଶୀ ଅଇଲେ କାର୍ଯ୍ୟ କରି । ସମସ୍ତ ପକାଇବ ମାରି ॥୪
ଏମନ୍ତ ସମୟେ ସଭାର । ବାରତା କହିଲା ଡ଼ଗର ॥୫
କରଅଞ୍ଜଳି ଶିରେ ଦେଇ । ଚରଣେ ନିବେଶିଲା ଯାଇ ॥୬
ଡଗର ମୁଖେ ପରକାଶେ । କହିଲେ ଦ୍ରୋହ ମୋରଶେଷେ ॥୭
ନାହିଁତ କିଛି ତୋ'ର ଦ୍ରୋହ । ଯାହା ଦେଖିଲୁ ତାହା କହ ॥୮
କଂସର ଏ ବଚନ ଶୁଣି । ଡଗର କହେ ପରିମାଣି ॥୯
ପୂର୍ବହୁଁ ଅଛଇ ଜଣାଇ । ପୂତନା ପଡ଼ିଲା ଗୋସାଇଁ ॥୧୦
ତୃଣା ଶକଟା ବତ୍ସାସୁର । ତିନିହେଁ ଗଲେ ଯମଆଳ ॥୧୧
ଅଘାର ଦେହ ନିସ୍ତାରଣ । ବିଚିତ୍ର ତାହାର ମରଣ ॥୧୨
ଧେନୁକ ପ୍ରଳମ୍ବ ଦଇତ୍ୟ । ତା' ଭାଇ ରାମ କଲା ହତ ॥୧୩
କଥାଏ କହିବି ଗୋସାଇଁ । ନୋହିଲେ ପ୍ରତେ ଯିବୁ ନାହିଁ ॥୧୪
ସାତବରଷର ବାଳୁତ । କରେ ତୋଳିଲା ପରବତ ॥୧୫
ପୋଏ ତୋଳନ୍ତି ଯେହ୍ନେ ଛତି । କୃଷ୍ଣର ବିକ୍ରମ ମୂରତି ॥୧୬
ବିବାଦେ ଇନ୍ଦ୍ର ହାରିଗଲା । କୃଷ୍ଣରେ ଶରଣ ପଶିଲା ॥୧୭
କାଳୀୟ କାଳିନ୍ଦୀ ହ୍ରଦରେ । ଫଣା ସେ ମର୍ଦ୍ଦିଲା ପୟରେ ॥୧୮
ଅରିଷ୍ଟ ଷଣ୍ଢ ଗୋପେ ଚଳି । ଯାଇ ମିଳିଲେ ଗୋପପୁରୀ ॥୧୯
ହୋଇଲେ ଲୀଳାମାତ୍ରେ ଶେଷ । ଜନନୀ ଦେଖିଲା ଅଶେଷ ॥୨୦
ଶୁଣ ତୁ ଭୋଜ ରାଜବଂଶୀ । ଏବେ ପଡ଼ିଲା ତୋ'ର କେଶୀ ॥୨୧
ଶୁଣି କମ୍ପିଲା ତା'ର ତନୁ । ଢଳି ପଡ଼ିଲା ସିଂହାସନୁଁ ॥୨୨
ପଡ଼ିଣ ମୂର୍ଚ୍ଛାଗତ ହେଲା । ଅଚେଷ୍ଟ ହୋଇଣ ରହିଲା ॥୨୩
ପୁଣ ସେ ପାଇଣ ଚେତନ । କଲାକ ବହୁତ ରୋଦନ ॥୨୪
ତୁ କେଶୀ ମୋର ପ୍ରାଣ ସାହା । ଛିଡ଼ି ପଡ଼ିଲା ମୋର ବାହା ॥୨୫
ତୋତେ ନ ଦେଖି ମୋର ଡ଼କା । ତୁ କେଶୀ ମୋର ପ୍ରାଣସଖା ॥୨୬
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ନୃପରାଣ ॥୨୭
ଅନେକ ରୋଦନ ଚହଳ । ସଭାରେ ହୋଇଲା ବିକଳ ॥୨୮
ଶୋକ ଦେଖିଣ ମହାମଲ୍ଲେ । ପ୍ରତିଜ୍ଞା କରିଣ ତୋଳିଲେ ॥୨୯
ଆମ୍ଭେ ଯେ ତୋହର ସେବକ । ତୁ ରାଜା କରୁ କିମ୍ବା ଶୋକ ॥୩୦
ତୋ'ର ଆଦେଶେ ଦିଗପାଳ । ସ୍ୱର୍ଗେ ଜିଣିଲୁଁ ଆଖଣ୍ତଳ ॥୩୧
ଏମନ୍ତ ପ୍ରତିଜ୍ଞା ତୋହର । ଏଥକୁ ଶୋଚନା ନ କର ॥୩୨
ରାମ ଗୋବିନ୍ଦ ବେନିଭାଇ । ପାରୁ କି ଏଥକୁ ଅଣାଇ ॥୩୩
ଦେଖିବୁ ବିଚିତ୍ର ସମର । ରାମକୃଷ୍ଣ ସଙ୍ଗେ ଆମ୍ଭର ॥୩୪
ଶୁଣି ସାନନ୍ଦ କଂସନୃପ । ମନରୁ ଛାଡ଼ିଲା ସନ୍ତାପ ॥୩୫
ବୀରଙ୍କୁ କହଇ ଉତ୍ତର । ସେ ମେର ଆତ୍ମା ଉର ଶଲ୍ୟ ॥୩୬
ଉପାୟ କରି ତା'କୁ ଜିଣ । ତା' ହସ୍ତେ ମୋହର ମରଣ ॥୩୭
ଅକ୍ରୁର ପେଷୁଅଛି ମୁହିଁ । ଘେନି ଆସିବ ବେନିଭାଇ ॥୩୮
ନନ୍ଦ ଯଶୋଦା ଆଦି କରି । ସଭିଙ୍କି ପକାଇବି ମାରି ॥୩୯
କହିଣ ଭିତରକୁ ଗଲା । ଶୁଣ ହୋ ଅଭିମନ୍ୟୁ ବଳା ॥୪୦
କଂସ ଆଦେଶ ଘେନି ଶିରେ । ଅକ୍ରୁର ବସିଲା ରଥରେ ॥୪୧
ଅରୁଣ ତେଜ ପ୍ରକାଶିଲା । ଦିଗ ଆନନ୍ଦେ ବିକାଶିଲା ॥୪୨
ବ୍ରାହ୍ମଣେ ଉଠି ରାତ୍ର ଅନ୍ତେ । ସ୍ତୁତି କରନ୍ତି ବେଦମନ୍ତ୍ରେ ॥୪୩
ମଙ୍ଗଳସ୍ୱରେ ବେଦଧ୍ୱନି । ଚଳିଲେ ତପୋବନେ ମୁନି ॥୪୪
ଜନେ ସୁମରନ୍ତି ମୁରାରି । ଯେ ଯାହାମତେ ସ୍ତୁତି କରି ॥୪୫
ମଳିନ ହୋଇ ତାରାଗଣ । ନିର୍ମଳ ଦିଶିଲା ଗଗନ ॥୪୬
ଉତ୍ତରଦିଗେ ବଳୀୟାର । ପବନ ବହଇ ମଧୁର ॥୪୭
ଶଙ୍ଖଶବଦ ଦେବଆଳେ । ଅମର ଗୁରୁ ଲଗ୍ନ ବେଳେ ॥୪୮
ଅଶ୍ୱ ଯୋଚିଲା ରଥଦଣ୍ତେ । ମଙ୍ଗଳ ମଥୁରାର ଦାଣ୍ତେ ॥୪୯
ମନେ ଚିନ୍ତଇ ଭଗବାନ । ଅକ୍ରୁର ହରଷ ବଦନ ॥୫୦
ଚିନ୍ତଇ ପ୍ରଭୁ ଆଦିମୂଳ । ଆନନ୍ଦେ ବହେ ଅଶ୍ରୁଜଳ ॥୫୧
ପଦ୍ମଲୋଚନ ପାଦତଳେ । ଭାବଇ ମତ୍ତଭୃଙ୍ଗ ବଳେ ॥୫୨
ମନ ନିବେଶି କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥୫୩
ପୂର୍ବେ କି କରିଅଛି ପୁଣ୍ୟ । ତପ ସମାଧି ଯଜ୍ଞ ଦାନ ॥୫୪
ଦେବ ବ୍ରାହ୍ମଣ ପୂଜା ହିତେ । ଧନ ବା ଦେଲି ଅପ୍ରମିତେ ॥୫୫
କି ଅବା ଅଛି ତପକରି । ଦେଖିବି ପ୍ରଭୁ ନରହରି ॥୫୬
ଦୁର୍ଲ୍ଲଭ ପ୍ରାୟ ମୁଁ ମଣଇଁ । କୃଷ୍ଣ ଭେଟିବି ଅବା କାହିଁ ॥୫୭
ବେଦ ପଠନ ଶୂଦ୍ରଜନେ । ଦୁର୍ଲ୍ଲଭ ଜଗତେ ଯେସନେ ॥୫୮
ଗୋବିନ୍ଦ ଦରଶନ ମୋତେ । କେମନ୍ତେ ଯିବଇଁ ପରତେ ॥୫୯
ଭବସାଗରେ ଦେହ ଧରି । କୋଟିକେ ଗୋଟଏ ବା ତରି ॥୬୦
ଏମନ୍ତେ ଦୁଃଖ ମୋ' ଦହନ । ଧନ୍ୟ ହୋଇବ ଦେହ ଜନ୍ମ ॥୬୧
ଯେ ପାଦପଦ୍ମ ଗୋପୀଜନେ । ହୃଦେ ଲଗାନ୍ତି ଅବଧାନେ ॥୬୨
ତହିଁ ଲାଗିବ ମୋର ଶିର । ଧନ୍ୟରେ ଜୀବନ ମୋହର ॥୬୩
ମୋହରେ କଂସ ଦୟା କରି । ଯେଣେ ଦେଖିବି ନରହରି ॥୬୪
ଅଶେଷଜନ୍ମ ଘୋରତମ । ଆଜ ଛାଡ଼ିବି ମାୟାଭ୍ରମ ॥୬୫
ପାଦଯୁଗଳ ନଖ ତେଜ । ଦେଖି ମୁଁ ନିସ୍ତରିବି ଆଜ ॥୬୬
ବ୍ରହ୍ମା ଶଙ୍କର ଆଦି ଦେବେ । ଚିନ୍ତା କରନ୍ତି ପାଦସେବେ ॥୬୭
ଗୋପୀଙ୍କ କୁଚଯୁଗେ ଥାଇ । କୁଙ୍କୁମ ଲାଗିଅଛି ଯହିଁ ॥୬୮
ଗୋପକୁମର ଘେନି ବନେ । ଗୋରୁ ଚରାନ୍ତି ଅବଧାନେ ॥୬୯
ନନ୍ଦମନ୍ଦିରେ ତା'ଙ୍କୁ ଦେଖି । ନିର୍ମଳ ହେବ ଚର୍ମଆଖି ॥୭୦
ଅଶେଷ ତୀର୍ଥଙ୍କର ଘର । ସେବନ୍ତି ବ୍ରହ୍ମାଶିବ ସୁର ॥୭୧
କଳ୍ପବୃକ୍ଷର ପ୍ରାୟ ହୋଇ । ସକଳ ବାଞ୍ଛାଫଳ ଦେଇ ॥୭୨
ସକଳ ସମ୍ପଦର ସାର । ସେବକଜନ ଦୁଃଖହର ॥୭୩
ଜନ୍ମମରଣ ପଥ ଦୁଇ । ଏଣେ ଯେ ଅଜ୍ଞାନେ ଭ୍ରମଇଁ ॥୭୪
ତାହାଙ୍କ ବିଶ୍ରାମ ମନ୍ଦିର । ଭବ-ନିଦାଘେ ଛତ୍ରସାର ॥୭୫
ଦେଖିବି ସୁନ୍ଦର କପୋଳ । ନାସା ଶ୍ରବଣ ବେନିଡ଼ୋଳ ॥୭୬
ଅଳପ ହାସ ରଙ୍ଗମୁଖ । ଗୁଞ୍ଜ ଅଳକାପାଟୀ ରେଖ ॥୭୭
ଶୁଭ ଲକ୍ଷଣ ଆଜଦିନେ । ଶୃଗାଳ ଯାଉଅଛି ବାମେ ॥୭୮
ଭାରା ନିବାରଣେ ମୁରାରି । ମର୍ତ୍ତ୍ୟେ ମାନବ ଦେହ ଧରି ॥୭୯
ଅତି ସୁନ୍ଦର ଦେଖି ରୂପ । ଖଣ୍ତିବି କୋଟିଜନ୍ମ-ପାପ ॥୮୦
ଯାହାର ନାମ ଭାବଗ୍ରାହୀ । କାର୍ଯ୍ୟ-କାରଣ ଯା'ର ନାହିଁ ॥୮୧
ସେ ରୂପେ ପୂରାଇ ଲୋଚନ । ତେଜିବି ମାୟା ମୋହ ଭ୍ରମ ॥୮୨
ଯେ ଆତ୍ମାମାୟା ଯୋଗ କରି । ଗୋପୀ ଗୋପାଳ ମଧ୍ୟେ ହରି ॥୮୩
ଯାହାର ଗୁଣ କର୍ମ ଘେନି । ଦିନ ହରନ୍ତି ବ୍ରହ୍ମମୁନି ॥୮୪
ପ୍ରାଣ ଧରନ୍ତି ଦୁଃଖ ସୁଖେ । ପବିତ୍ର କରି ତିନିଲୋକେ ॥୮୫
ଏଣେ ଯାହାର ଚିତ୍ତ ନାହିଁ । ପଶୁଙ୍କ ପ୍ରାୟ ସେ ଜିଅଇ ॥୮୬
ଅଂଶେ ମାନବ ଦେହ ଧରି । ଯାଦବବଂଶେ ଅବତରି ॥୮୭
ଯଶ ବିସ୍ତାରି ଏହାଙ୍କର । ସତ୍ୟସ୍ୱରୂପ ଦାମୋଦର ॥୮୮
ଯା' ନାମ ପରମମଙ୍ଗଳ । ମହତଗତି ଆଦିମୂଳ ॥୮୯
କୋମଳ ମନୋହର ରୂପ । ଦେଖି ତରିବି ଭବକୂପ ॥୯୦
ଏ ଉଷାକାଳ ଶୁଭ ମୋତେ । ମଙ୍ଗଳ ମଥୁରାର ପଥେ ॥୯୧
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ରଥୁଁ ଓହ୍ଲାଇବି ବହନେ ॥୯୨
ରାମଗୋବିନ୍ଦ ପଦ୍ମପାଦେ । ପଡ଼ିବି ମୋକ୍ଷଫଳ ସଧେ ॥୯୩
ଯୋଗି ଚିନ୍ତନ୍ତି ଧ୍ୟାନବଳେ । ଦେଖିବି ଗୋପାଳଙ୍କ ମେଳେ ॥୯୪
ପାଦେ ପଡ଼ିବି ଯେତେବେଳେ । କୃଷ୍ଣଧରିବେ ମୋତେ କୋଳେ ॥୯୫
ଶିରେ ମୋ' ଦେବେ ପଦ୍ମକର । ନାଶିବେ ଦୁଃଖ ମହାଘୋର ॥୯୬
କାଳ-ଭୁଜଙ୍ଗ ଭୟ ପାଇ । ଯେ ନର ଶରଣ ପଶଇ ॥୯୭
ସେ ପଦ୍ମକର ରଖେ ତା'ରେ । ବେଗେ ପଶଇ ମୋକ୍ଷଦ୍ୱାରେ ॥୯୮
ଯେବଣ କରେ ଦାନ ଦେଇ । ବଳି ପାତାଳେ ଭୋଗ ପାଇ ॥୯୯
ଭୁଞ୍ଜଇ ପୂଜି କୃଷ୍ଣପାଦ । ସ୍ୱର୍ଗେ ପାଇବ ଇନ୍ଦ୍ରପଦ ॥୧୦୦
ରାସଉତ୍ସବେ ବୃନ୍ଦାବନେ । ଯେବଣ ଭୁଜେ ଗୋପୀଜନେ ॥୧୦୧
ସୁଗନ୍ଧ କୁଚେ ଲଗାଇଲେ । କାମ-ଅନଳ ଲିଭାଇଲେ ॥୧୦୨
ଗୋପ କାମିନୀ ସ୍ୱେଦନୀରେ । ପୋଛିଲେ କାମ-ସ୍ନେହଭରେ ॥୧୦୩
ସେକର ଦେବେ ମୋର ମାଥେ । ଜନ୍ମ ସୁକୃତ ମହାପଥେ ॥୧୦୪
କଂସର ଦୂତ ବୋଲି ମୋତେ । କୋପ ନ ଥିବ କୃଷ୍ଣଚିତ୍ତେ ॥୧୦୫
ସେ ତାହା ଅଛଇନା ଜାଣି । ଯାହାର ନାମ ଅନ୍ତର୍ଯ୍ୟାମୀ ॥୧୦୬
ସକଳ ଜନ୍ତୁ ହୃଦେ ଥାଇ । ଭାବ-ଅଭାବ ସେ ଜାଣଇ ॥୧୦୭
ମୁଁ ଯେ ଚରଣତଳେ ପଡ଼ି । ଶିରେ ଅଞ୍ଜଳି ଥିବି ଯୋଡ଼ି ॥୧୦୮
ଅଳପ ହସି ବାଙ୍କେ ଚାହିଁ । ମୋତେ ଦେଖିବେ ଭାବଗ୍ରାହୀ ॥୧୦୯
ତକ୍ଷଣେ ହୋଇବି ନିର୍ମଳ । ଭୟ ଛାଡ଼ିଣ ରସେ ଭୋଳ ॥୧୧୦
ଅତି ଉଷତେ ସୁଖ ପାଇ । ବୋଲିବି କୃଷ୍ଣ ତ୍ରାହି ତ୍ରାହି ॥୧୧୧
ମୁଁ ତା'ର ଜ୍ଞାତି ସହୋଦର । ସୁହୃଦପଣେ ହେଁ ବେଭାର ॥୧୧୨
ମୋହର ବେନି ଭୁଜ ଧରି । ତୋଳିବେ ରାମ ଦଇତ୍ୟାରି ॥୧୧୩
ପବିତ୍ର ହୋଇବଇଁ ମୁହିଁ । କୋଟିଏ ତୀର୍ଥ ପୁଣ୍ୟ ପାଇ ॥୧୧୪
ନିକଟେ ଦେଖି ବ୍ରହ୍ମରାଶି । ଛେଦିବି କାଳଦଣ୍ତପାଶି ॥୧୧୫
କୃଷ୍ଣର ଅଙ୍ଗସଙ୍ଗ ପାଇ । ଚାହିଁବି ଶିରେ କର ଦେଇ ॥୧୧୬
ଦାସବତ୍ସଳ ନରହରି । ମୋତେ ଡ଼ାକିବେ ନାମ ଧରି ॥୧୧୭
ପବିତ୍ର ହୋଇବଇଁ ମୁହିଁ । ଆଉ ରହିବ ପାପ କାହିଁ ॥୧୧୮
ତେବେ ସେ ଜନ୍ମସୁଖ ମୋର । ସଂସାର ପ୍ରାଣୀଙ୍କର ସାର ॥୧୧୯
ତାହାର ନାହିଁ ମିତ୍ର ଅରି । ପ୍ରିୟ ଉଦାସ ଆଦିକରି ॥୧୨୦
ତଥାପି ଭକତର ହିତେ । ଭଜଇ ସୁରଦ୍ରୁମ ମତେ ॥୧୨୧
ରୋହିଣୀସୁତ ଦେଖି ମତେ । ବେଗେ କରିବେ କୋଳାଗ୍ରତେ ॥୧୨୨
ଘରକୁ ନେଇ ମୋର ପାଶେ । ବସିବେ ସୁହୃଦ ବିଶ୍ୱାସେ ॥୧୨୩
ବନ୍ଧୁକୁଶଳ ପଚାରିବେ । ଜନ୍ମମରଣ ମୋ' ନାଶିବେ ॥୧୨୪
କଂସ ବିଚାରିଅଛି ଯାହା । ଗୋବିନ୍ଦ ଜାଣନ୍ତିନା ତାହା ॥୧୨୫
ରଥ ବାହିଲା ଖରତର । ଏମନ୍ତ କରିଣ ବିଚାର ॥୧୨୬
ସତ୍ୟସ୍ୱରୂପ ଦାମୋଦର । ହୃଦେ ଚିନ୍ତଇ ଚକ୍ରଧର ॥୧୨୭
ଅସ୍ତ ହୋଇଲେ ଦିନକର । ଗୋକୁଳେ ମିଳିଲା ଅକ୍ରୁର ॥୧୨୮
ବାଟେ ଦେଖିଲା ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ ॥୧୨୯
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ସାନନ୍ଦ କଲା ମନ ॥୧୩୦
ପୁଲକ ହେଲା ରୋମରାଜି । ଅଶ୍ରୁ ଗଳଇ ଚକ୍ଷୁବୁଜି ॥୧୩୧
ରଥୁ ପଡ଼ିଲା ବେଗେ ଡ଼େଇଁ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥୧୩୨
ପାଦପଙ୍କଜ ଚିହ୍ନ ଧୂଳି । ଅକ୍ରୁର ଶିରେ ବେଗେ ବୋଳି ॥୧୩୩
ଲୋଟଇ ପାଦଚିହ୍ନ ପରେ । ତାଡ଼ଇ ବେନିକର ଶିରେ ॥୧୩୪
ଅକ୍ରୁର ଥାଇ ନିଜ ଘରେ । ଯାହା ଶୁଣିଛି କର୍ଣ୍ଣଦ୍ୱାରେ ॥୧୩୫
ତାହାର ପାଦଚିହ୍ନ ପାଇ । ଉଠିଣ ଆନନ୍ଦେ ନାଚଇ ॥୧୩୬
ଆନନ୍ଦସାଗରେ ବୁଡ଼ିଲା । ଦେହ-ଜୀବନ ପାସୋରିଲା ॥୧୩୭
ଏମନ୍ତେ ଖଣ୍ତେଦୂର ଯାଇ । ଅକ୍ରୁର ଦୂରୁ ଦେଲା ଚାହିଁ ॥୧୩୮
ଦେଖିଲା ଗୋପାଳଙ୍କ ମେଳେ । ଗୋରୁଏ ଅଛନ୍ତି ଗହଳେ ॥୧୩୯
ଗାଈ ଦୁହଁନ୍ତି ଗୋପପୋଏ । ଶବଦ ସମୁଦ୍ର ପରାୟେ ॥୧୪୦
କ୍ଷୀର ଢ଼ାଳନ୍ତି ଭାଣ୍ତେ ନେଇ । ପୁଣ ଦୁହଁନ୍ତି ଗୀତ ଗାଈ ॥୧୪୧
ଯେ ଯାହା ଅନୁରୂପେ ରୂପ । ଦେଖଇ ଏକଇ ସ୍ୱରୂପ ॥୧୪୨
କଙ୍କଣ ନୂପୁର ବାଜେଣୀ । ବିବିଧ ଛନ୍ଦରେ କାଛେଣୀ ॥୧୪୩
ମୟୂରପୁଚ୍ଛ ଗୁଞ୍ଜ ଶିରେ । ସୁରଙ୍ଗ ପାଦୁକା ପୟରେ ॥୧୪୪
ଗୋରୁଙ୍କ ଲାଞ୍ଜଧୂଳି ସଙ୍ଗେ । ଭୂଷଣ ଗୋପାଳଙ୍କ ଅଙ୍ଗେ ॥୧୪୫
ଛନ୍ଦଦଉଡ଼ି ଧରି କରେ । ବାଛୁରୀ ଛନ୍ଦନ୍ତି ସଧୀରେ ॥୧୪୬
ଶ୍ରବଣେ ଶୋହଇ କୁଣ୍ତଳ । କଣ୍ଠେ ଲମ୍ବଇ ବନମାଳ ॥୧୪୭
ଅକ୍ରୁର ଦେଖି ବିଚାରଇ । ରାମ ଗୋବିନ୍ଦ ନ ଚିହ୍ନଇ ॥୧୪୮
ସର୍ବେ ଦିଶନ୍ତି ଏକମତେ । ମୁଁ ଅବା ଜାଣିବି କେମନ୍ତେ ॥୧୪୯
ଦାସବତ୍ସଳ ଭଗବାନ । ଜାଣିଲେ ଅକ୍ରୁରର ମନ ॥୧୫୦
ତକ୍ଷଣେ ଦିବ୍ୟରୂପ ହୋଇ । ଗାଈ ଦୁହଁନ୍ତି ବେନିଭାଇ ॥୧୫୧
ଧବଳ ରୂପ ରାମକାୟେ । କୋଟିଏ ଚନ୍ଦ୍ର ସରି ନୋହେ ॥୧୫୨
ନୀଳ ପତନୀ କଟି ଭରେ । ରଙ୍ଗବସନ ପାଗ ଶିରେ ॥୧୫୩
ଶିରେ ସପତ ନାଗଫଣୀ । କରେ କଙ୍କଣ କଣ୍ଠେ ମଣି ॥୧୫୪
କର୍ଣ୍ଣେ କୁଣ୍ତଳ ରତ୍ନସାର । ନିବିଡ଼ ସୁରଙ୍ଗ ଅଧର ॥୧୫୫
କୃଷ୍ଣ ଦେଖିଲା ବାମପାଖେ । ଗୁଞ୍ଜ ମୟୂରପୁଚ୍ଛ ଶିଖେ ॥୧୫୬
ନୀଳ ଜୀମୂତ ତନୁ ଶୋହେ । କୋଟିଏ କାମ ସରି ନୋହେ ॥୧୫୭
ଶ୍ରବଣେ ମକରକୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥୧୫୮
ଶ୍ରୀବତ୍ସ ଚିହ୍ନ ପୀତବାସ । ରଙ୍ଗ ଅଧରେ ମନ୍ଦହାସ ॥୧୫୯
ରତ୍ନକଠାଉ ପାଦଯୁଗେ । ମଣିମେଖଳା କଟିଭାଗେ ॥୧୬୦
କ୍ଷୀର କଣିକା ନୀଳଦେହେ । ଦିଶନ୍ତି ନକ୍ଷତ୍ର ପରାୟେ ॥୧୬୧
ଲୋଚନ ପଦ୍ମପ୍ରାୟେ ଦିଶି । ମହାମହିମା ବ୍ରହ୍ମରାଶି ॥୧୬୨
ଅକ୍ରୁର ମନେ ବିଚାରଇ । ଭେଟିଲି ପ୍ରଭୁ ଭାବଗ୍ରାହୀ ॥୧୬୩
ଏ ସେ ରୋହିଣୀସୁତ ରାମ । ସୁନ୍ଦର ପଣେ ନାହିଁ ସମ ॥୧୬୪
ଆଜାନୁଭୁଜ ବଳୀୟାର । ମଝା ସିଂହକୁ ପଟାନ୍ତର ॥୧୬୫
ବିକ୍ରମ ସିଂହ ପ୍ରାୟେ ହୋଇ । ଏ ସେ ଗୋବିନ୍ଦ ବେନିଭାଇ ॥୧୬୬
ସ୍ୱଭାବେ ବୟସ କିଶୋର । ଅଟନ୍ତି ବେନି ସହୋଦର ॥୧୬୭
ଗନ୍ଧଚନ୍ଦନ ଦେହେ ବୋଳି । କପୋଳେ ଶୋହେ ଗୋରୁଧୂଳି ॥୧୬୮
ପ୍ରଧାନ ପୁରୁଷ ଏ ବେନି । ସଂସାର ପିଅର ଜନନୀ ॥୧୬୯
ମର୍କତ ରୌପ୍ୟ ଗିରି ଘେରି । ଶୋହେ କି କନକପାଚେରୀ ॥୧୭୦
ଅବନୀଭାରାର ଉଶ୍ୱାସେ । ଜନ୍ମ ହୋଇଲେ ଯଦୁବଂଶେ ॥୧୭୧
ତ୍ରୈଲୋକ୍ୟଠାକୁର ଗୋସାଇଁ । କଂସର ଡ଼ରେ ଗୋପେ ଥାଇ ॥୧୭୨
ଦଶଦିଗର ତମ ନାଶେ । ନିଜ ସ୍ୱରୂପ ପରକାଶେ ॥୧୭୩
ରଥରୁ ଓହ୍ଲାଇ ଅକ୍ରୁର । ପାୟେ ଚାଳଇ ସ୍ନେହଭର ॥୧୭୪
ଗୋବିନ୍ଦ ନିକଟେ ମିଳିଲା । ସଂଭ୍ରମେ ଲୋଚନ ବୁଜିଲା ॥୧୭୫
ଅଭୟ ପାଦେ ଶିର ଦେଇ । ପଡ଼ିଲା ଦଣ୍ତ ପ୍ରାୟ ହୋଇ ॥୧୭୬
ବେନି ନୟନୁଁ ବହେ ନୀର । କଣ୍ଠ ହୋଇଲା ଶୋକଭର ॥୧୭୭
କହି ନ ପାରି ଆତ୍ମ ନାମ । ମନେ ବୋଲଇ କୃଷ୍ଣ ରାମ ॥୧୭୮
ପୁଣି ଉଠିଲା ଭାବଭରେ । ପଡ଼ିଲା ରାମର ପୟରେ ॥୧୭୯
ଦେଖି ସାନନ୍ଦ ବେନିଭାଇ । ଉଠିଲେ ଅକ୍ରୁରକୁ ଚାହିଁ ॥୧୮୦
ଧରି ଅକ୍ରୁର ବେନିଭୁଜ । ତୋଳିଲେ ପ୍ରଭୁ ଦେବରାଜ ॥୧୮୧
ଚାପିଲେ ହୃଦରେ ଲଗାଇ । ଅକ୍ରୁର ବୋଲେ ତ୍ରାହି ତ୍ରାହି ॥୧୮୨
ପୁଣି ପଡ଼ଇ ପାଦତଳେ । ରାମ ଧଇଲେ ନେଇ କୋଳେ ॥୧୮୩
ଅକ୍ରୁର ମୁଖେ ନୀର ଦେଇ । ବସ୍ତ୍ରେ ପୋଛିଲେ ଭାବଗ୍ରାହୀ ॥୧୮୪
ଶାନ୍ତ କରାଇ ସହୋଦର । କନ୍ଧେ ଘେନାଇ ବେନିକର ॥୧୮୫
ରାମ ଗୋବିନ୍ଦ କନ୍ଧେ କର । ସଧୀରେ ଚାଲଇ ଅକ୍ରୁର ॥୧୮୬
ଆନନ୍ଦସାଗରେ ବୁଡ଼ିଲା । ରାତ୍ର ଦିବସ ନ ଜାଣିଲା ॥୧୮୭
ଅକ୍ରୁରେ ଘେନି ବେନିଭାଇ । ମିଳିଲେ ନନ୍ଦଘରେ ଯାଇ ॥୧୮୮
ବନ୍ଧୁଜନଙ୍କର ବେଭାର । କରନ୍ତି ରାମ ଦାମୋଦର ॥୧୮୯
ପାଦ ଧୋଇଲେ ଚକ୍ରଧର । ବିଞ୍ଚନ୍ତି ରୋହିଣୀକୁମର ॥୧୯୦
ଆସନ ଦେଇ ଦାମୋଦର । ପୂଜିଲେ ଅକ୍ରୁର ପୟର ॥୧୯୧
ସ୍ୱଭାବେ ଖୁଡୁତା ଅକ୍ରୁର । ବନ୍ଧୁଜନର ଯେ ବେଭାର ॥୧୯୨
ମଧୁର କୋମଳ ବଚନ । କହି ତୋଷିଲେ ତା'ର ମନ ॥୧୯୩
ଅନ୍ନ ବ୍ୟଞ୍ଜନ ବାସପାଣି । ଗୋବିନ୍ଦ ପରଶିଲେ ଆଣି ॥୧୯୪
ଦଧି ଅଧାମ ଘୃତ ସର । ଦିଅନ୍ତି ରୋହିଣୀକୁମର ॥୧୯୫
ଏମନ୍ତେ ନାନା ଭଲ ଦ୍ରବ୍ୟ । ଅକ୍ରୁରେ ଭୁଞ୍ଜାଇଲେ ସର୍ବ ॥୧୯୬
ଅକ୍ରୁର ଭୁଞ୍ଜିଣ ଶୀତଳ । ଆଚମନକୁ ବାସନୀର ॥୧୯୭
ମୁଖ ପଖାଳି ବାସଗୁଆ । ଗୋବିନ୍ଦ ଭୁଞ୍ଜାନ୍ତି ବିଡ଼ିଆ ॥୧୯୮
ଗନ୍ଧଚନ୍ଦନ ଫୁଲମାଳ । ଦେଇ ବସିଲେ ପାଦତଳ ॥୧୯୯
ଅକ୍ରୁର ପାଦେ କର ଦେଇ । ଧୀରେ ଚାପନ୍ତେ ଭାବଗ୍ରାହୀ ॥୨୦୦
ରାମ ଚାପନ୍ତେ କରସ୍ଥଳ । ପୁଲକ ଅକ୍ରୁର ଶରୀର ॥୨୦୧
ଅକ୍ରୁର ଦେହୁ ଶ୍ରମ ଗଲା । ଆନନ୍ଦେ ନନ୍ଦ ପଚାରିଲା ॥୨୦୨
ଭୋ ମିତ୍ର କହିବା କୁଶଳ । ଭଲେ କି ଛନ୍ତି ଯଦୁକୁଳ ॥୨୦୩
କି ଆର ପଚାରିବି ମୁହିଁ । ଜୀବନ ଡ଼ରେ ଘରେ ରହି ॥୨୦୪
ଯାବତ ଅଛି ଭୋଜପତି । ଆମ୍ଭର କାହିଁ ଭଲଗତି ॥୨୦୫
ପଶୁମାରକ ଘରେ ଯେହ୍ନେ । ବନ୍ଦୀରେ ଥା'ନ୍ତି ପଶୁଗଣେ ॥୨୦୬
କଂସ ଜୀବନେ ଯେବେ ଥାଇ । ଆମ୍ଭର ସୁଖ ଲେଶ ନାହିଁ ॥୨୦୭
ଭଗିନୀ ସହୋଦର ପୋଏ । କଂସ ଯେ ମାଇଲା ନିର୍ଦ୍ଦୟେ ॥୨୦୮
ତା'ର ପ୍ରଜାଙ୍କ କି କୁଶଳ । ସ୍ୱଭାବେ ଅଟଇ ଅସୁର ॥୨୦୯
ଏମନ୍ତ ବିଶ୍ୱାସେ ପଚାରି । ଅକ୍ରୁର କର କରେ ଧରି ॥୨୧୦
ନୟନୁ ବହେ ଅଶ୍ରୁଜଳ । ଅକ୍ରୁର ଦେଖିଲା ବିକଳ ॥୨୧୧
ଉଠି ନନ୍ଦକୁ ଧରି କୋଳେ । ମୁଖ ଧୋଇଲା ବାସଜଳେ ॥୨୧୨
ଛାଡ଼ିଲା ଆପଣାର ଶ୍ରମ । ଶୁଣିଣ ମଧୁର ବଚନ ॥୨୧୩
ଥିଲା ଯେ ଦାସ ଜଗନ୍ନାଥ । ଶିରେ ନିବେଶି ବେନିହସ୍ତ ॥୨୧୪
ସୁଜନ ଜନ ପଛେ ଥାଇ । ରାମ ଗୋବିନ୍ଦ ମୁଖ ଚାହିଁ ॥୨୧୫
ଛାଡ଼ିଲା ଭବବନ୍ଧ-ତ୍ରାସ । ଗୀତେ ଭିଆଇ କୃଷ୍ଣରସ ॥୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ଆଗମନଂ ନାମ ଏକଚତ୍ୱାରିଂଶୋଽଧ୍ୟାୟଃ ॥
</poem>
==='''ଦ୍ୱିଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୧
ପଲଙ୍କେ ବସାଇ ଅକ୍ରୁର । କୃଷ୍ଣ ଯେ ପୂଜିଲେ ପୟର ॥୨
ଯାହା ବିଚାରିଥିଲା ପଥେ । କୃଷ୍ଣ ପୂଜିଲେ ସେହିମତେ ॥୩
ଯାହାର ନାମ ପଦ୍ମନାଭ । ତାହାଙ୍କୁ କିସ ଅପୂରୁବ ॥୪
ଶୀତଳ ମଣୋହି କରାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୫
ବନ୍ଧୁ ବିଷୟେ ରାଜା କଂସ । ଯେମନ୍ତେ କରିଛି ବିଶ୍ୱାସ ॥୬
;ଶ୍ରୀକୃଷ୍ଣ ଉବାଚ
କୃଷ୍ଣ ବୋଲନ୍ତି ଶୁଣ ତାତ । ଭଲେ ଅଇଲଟିକି ପଥ ॥୭
ବନ୍ଧୁ କୁଶଳ ଅଛ ଜାଣି । ଭୋ ତାତ କହ ପରିମାଣି ॥୮
ଯାବତ କୁଳବ୍ୟାଧି ହୋଇ । କଂସ ମାତୁଳ ମୋ' ଅଛଇ ॥୯
ତାବତ ସୁଖ କାହିଁ ଆର । ବନ୍ଧୁବାନ୍ଧବ ଯେତେ ମୋର ॥୧୦
ହୋଇଲେ ବଡ଼ ଦୁଃଖଭାଗୀ । ତାତ ଜନନୀ ମୋର ଲାଗି ॥୧୧
ସୁତମାରଣ ମୋର ବାଦେ । ଲୌହ ଶାଙ୍କୁଳି ବେନିପାଦେ ॥୧୨
ଆଜ ମୋହର ଭାଗ୍ୟ ଦେଖ । ଦେଖିଲି ଜ୍ଞାତିଜନ ମୁଖ ॥୧୩
ଭୋ ତାତ ତୋର ଆମଗନ । କହିବା କେବଣ କାରଣ ॥୧୪
କପଟ ନ କର ତୁ ମୋତେ । କହ ହରଷ ବହି ଚିତ୍ତେ ॥୧୫
;ଶୁକ ଉବାଚ
କୃଷ୍ଣବଚନ କର୍ଣ୍ଣେ ଶୁଣି । ଅକ୍ରୁର କହେ ମଞ୍ଜୁବାଣୀ ॥୧୬
ଭୋ ଦେବ ଯଦୁକୁଳ ଇନ୍ଦ୍ର । ଯୋଗୀଙ୍କ ଯୋଗ ପୂର୍ଣ୍ଣଚନ୍ଦ୍ର ॥୧୭
ମୁହିଁ ଅଇଲି ଯେଉଁ ପାଇ । ବଚନ ଶୁଣ ଭାବଗ୍ରାହୀ ॥୧୮
କଂସ କରିଛି ଯେତେ କର୍ମ । ଶୁଣିଲେ ଉପୁଜିବ ଶ୍ରମ ॥୧୯
ଯାଦବବଂଶେ ଦ୍ରୋହ କଲା । ବସୁଦେବଙ୍କୁ ହାଣୁଥିଲା ॥୨୦
ନାରଦ ଅନେକ କହିଲେ । ଖଡଗ ଛଡ଼ାଇ ଘେନିଲେ ॥୨୧
ମୁନିଙ୍କ ବୋଲେ ବେଳେ ରଖି । ପିଅର ଜନନୀ ତୋ ଦୁଃଖୀ ॥୨୨
ଧନୁ ଉତ୍ସବ ଯାତ୍ରା ଛଳେ । ଗୋପେ ପେଷିଲା ମୋତେ ବଳେ ॥୨୩
ତୋହର ଜନ୍ମ ଆମ୍ଭ ଘରେ । ନାରଦ କହିଲେ ଛାମୁରେ ॥୨୪
ଶୁଣି ଯେତେକ କଷ୍ଟ ଦେଲା । ଭୋ ନାଥ ନୁହଁଇ କହିଲା ॥୨୫
କିସ କହିବି ଆଉ ମୁହିଁ । ତୁ କି ନ ଜାଣୁ ଭାବଗ୍ରାହୀ ॥୨୬
ଅକ୍ରୁର ବୋଲ କୃଷ୍ଣ ଶୁଣି । ହସନ୍ତି ରାମ ଚକ୍ରପାଣି ॥୨୭
ନନ୍ଦକୁ ଚାହିଁ ବେନିଭାଇ । କହନ୍ତି ଅକ୍ରୁରେ ବସାଇ ॥୨୮
ନନ୍ଦକୁ ବୋଲନ୍ତି ଅକ୍ରୁର । ମଥୁରା ଯିବା ସଜକର ॥୨୯
ଧନୁ ଉତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର ॥୩୦
ସରଲବଣୀ ଆଦିକରି । ଗୋପରେ ଯେତେ ନରନାରୀ ॥୩୧
ବହନ ସାଜ ରାତ୍ର ଥାଉଁ । କଂସ ରାଜାର କୋପନୋହୁ ॥୩୨
ଶକଟେ ନାନା ଦ୍ରବ୍ୟ ଭରି । ଆଗହୁଁ ଯା'ନ୍ତୁ ନରନାରୀ ॥୩୩
ରାଜା ହକରା ଚାରିଦିଗେ । ଲୋକେ ମିଳିବେ ଧନୁଯୋଗେ ॥୩୪
ଯେ ଯାହା ମତେ ପୂଜା କରି । ତୋଷ କରିବେ ଦଣ୍ତଧାରୀ ॥୩୫
ରାଜନ ହୋଇ ସାବଧାନ । ଯେ ଯାହା ମତେ ଦେବେ ଦାନ ॥୩୬
ଧନ ବସନ ଅଳଙ୍କାର । ଅନେକ କରିଛି ସମ୍ଭାର ॥୩୭
ଏମନ୍ତ କହି ରାଜା ଲୋକ । ନନ୍ଦକୁ ଦେଲାକ ଶ୍ରୀମୁଖ ॥୩୮
ନନ୍ଦ ଉଠିଣ ଘେନିକରେ । ଶ୍ରୀମୁଖ ଲଗାଇଲା ଶିରେ ॥୩୯
ପଢ଼ି ସାନନ୍ଦ ଗୋପବୀର । ଘୋଷଣା ଦେଲା ଗୋପପୁର ॥୪୦
ଗୋପାଳେ ବେଗେ ହୁଅ ସଜ । ଆଜ୍ଞା ଦେଇଛି ଭୋଜରାଜ ॥୪୧
ଧନୁଉତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର ॥୪୨
ଯେ ଯାହା ମତେ ବେଗେ ଯାଅ । ରାତ୍ର ହୁଁ ଦଣ୍ତେ ହେଁ ନରହ ॥୪୩
ବିଳମ୍ବ ନକର କେବେ ହେଁ । କୋପ କରିବ କଂସରାଏ ॥୪୪
ରାମଗୋବିନ୍ଦ ମୋର ସଙ୍ଗେ । ରଥେ ମଥୁରା ଯିବେ ବେଗେ ॥୪୫
ରାଜାଙ୍କୁ କରିବେ ଦର୍ଶନ । ଦେଖିବେ ଧନୁଯାତ୍ରାମାନ ॥୪୬
ରାତ୍ର ହୁଁ ଯାଅ ବେଗକରି । ଶକଟେ ଘୃତ ସର ଭରି ॥୪୭
ଗୋପରେ ଶୁଭିଲା ଘୋଷଣ । ମଥୁରା ଯିବେ ନରାୟଣ ॥୪୮
ରାଜାଙ୍କୁ ଦର୍ଶନ କରିବେ । ମଥୁରା କଟକେ ରହିବେ ॥୪୯
ବନ୍ଦୀ କରିବ ମଧୁପୁରେ । ଲୁଚିଯେ ଛନ୍ତି ନନ୍ଦଘରେ ॥୫୦
ଶୁଣି ଗୋପାଳେ ଛନ୍ନ ଛନ୍ନ । ବିକଳ ଗୋପୀଙ୍କର ମନ ॥୫୧
ଏକ ଆରକେ ମୁଖ ଚାହିଁ । କହନ୍ତି ବାଇ ପ୍ରାୟ ହୋଇ ॥୫୨
ଶୁଣ ଗୋ ସଖି ବିପରୀତ । ଆସି ଯେ ଅଛି କଂସଦୂତ ॥୫୩
ନନ୍ଦ ଗୋବିନ୍ଦ ଆଦିକରି । ମଥୁରା ଘେନିଯିବ ଧରି ॥୫୪
ନେଇ ମାରିବ ବେନିଭାଇ । ଆମ୍ଭର ନେବ ଗୋରୁଗାଈ ॥୫୫
କେ ବୋଲେ ନୁହଁଇ ଏମନ୍ତ । ମଥୁରାପୁରେ ଧନୁଯାତ ॥୫୬
ଯାତ୍ରାକୁ ଯିବେ ବେନିଭାଇ । ରଥ ଦେଇଛି ପଠିଆଇ ॥୫୭
ରାଜନିଯୋଗ ଆବୋରିବେ । ମଥୁରା କଟକେ ରହିବେ ॥୫୮
ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥୫୯
ଗୋରସ ଦେବେ ରାଜା ଆଗେ । ଯାତ୍ରା ଦେଖିବେ ନବରଙ୍ଗେ ॥୬୦
ପୁଣି ଆସିବେ ଗୋପପୁର । ରହିବେ ରାମ ଦାମୋଦର ॥୬୧
ଶୁଣି ଗୁଆଳୀ ଶୋକଚିତ୍ତେ । ଥୋକେ ବୋଲନ୍ତି ଏହିମତେ ॥୬୨
କି ବୁଦ୍ଧି କରିବା ଗୋ ଏବେ । କୃଷ୍ଣ ମଥୁରା ଯେବେ ଯିବେ ॥୬୩
କେମନ୍ତେ ବଞ୍ଚିବା ଗୋ ଦିନ । କୃଷ୍ଣ ଯେ ଆମ୍ଭର ଜୀବନ ॥୬୪
କହି କାତରେ କମ୍ପେ କାୟେ । ମୂର୍ଚ୍ଛିତେ ପଡ଼ିଲେ ଥୋକାଏ ॥୬୫
ଶିଶିରେ ଯେହ୍ନେ ପଦ୍ମବନ । କ୍ଷଣକେ ହୁଅଇ ଦହନ ॥୬୬
କାହାର ମୁଖ ଗଲା ଶୁଖି । କେ ଭାବେ ବୁଜେ ବେନିଆଖି ॥୬୭
କାହାର ଫିଟିଲା ଅଞ୍ଚଳ । କଟିମେଖଳା ଅସମ୍ଭାଳ ॥୬୮
କେ ଗଡ଼ି କାନ୍ଦଇ ଧରଣୀ । ଦେହ ଅବନୀ କେ ନ ଜାଣି ॥୬୯
ହା କୃଷ୍ଣ ବୋଲି ମୋହେ ପଡ଼ି । କେ ମୁଣ୍ତେ ବେନିକର ତାଡ଼ି ॥୭୦
ଶିରେ କେ ମାରଇ ପଥର । ହା ହା ଗୋବିନ୍ଦ ହଳଧର ॥୭୧
କେ ବୋଲେ ଜାଣିବାଟି ଆଜ । ମୋର ମହିମା ତୁମ୍ଭେ ବୁଝ ॥୭୨
ଅକ୍ରୁର ସଂହାରିବି ଆଜ । କି କରିପାରେ ଭୋଜରାଜ ॥୭୩
ରାମଗୋବିନ୍ଦ ବେନିଭାଇ । ମୁଁ ହିଁ ଗୋ ଆସିବି ରୁହାଇ ॥୭୪
କଂସ କି କରିବ ମୋହର । ଆମ୍ଭର କୃଷ୍ଣ ବଳୀୟାର ॥୭୫
ଦେଖିଲଟିକି ଚକ୍ଷୁଦ୍ୱାରେ । ଗିରି ତୋଳିଲେ ବାମକରେ ॥୭୬
ପୂତନା ଆଦି କେଶୀ ଯାଏ । ଗୋବିନ୍ଦ ମାଇଲେ ନିର୍ଭୟେ ॥୭୭
ତାହାର ଭୁଜ ଆଶ୍ରେ କରି । ସୁଖେଣ ଗୋପରେ ବିହରି ॥୭୮
ଅକ୍ରୁର ମାରିବା ଗୋ ଆସ । କି କରି ପାରିବ ସେ କଂସ ॥୭୯
ଆଜ ଗୋବିନ୍ଦ ଗୋପୁଁଗଲେ । ଆମ୍ଭେ ମରିବା ଏକାବେଳେ ॥୮୦
କିସ କରିବା ଗୋପପୁର । କୃଷ୍ଣ ଯେ ଜୀବନ ଆମ୍ଭର ॥୮୧
ରାମଗୋବିନ୍ଦ ଅନୁରାଗ । ଅଳପସ୍ମିତ ମୁଖରଙ୍ଗ ॥୮୨
ହୃଦେ ସୁମରି ଲୁହ ବହି । ଚିତ୍ରପ୍ରତିମା ପ୍ରାୟ ରହି ॥୮୩
ସୁନ୍ଦର ଚାଲିବାର ଠାଣି । ଯେମନ୍ତ କହେ ମୃଦୁବାଣୀ ॥୮୪
ଅଳପ ହସି ବାଙ୍କେ ଚାହିଁ । କଟାକ୍ଷେ ଜଗତ ମୋହଇ ॥୮୫
ଯେତେ ସଙ୍କଟୁ ଅଛି ତାରି । କେତେ ଅସୁର ଅଛି ମାରି ॥୮୬
ଏଣେ ନିରୋପି ଶୋକମନ । କୃଷ୍ଣ ବିଯୋଗେ ଛନ ଛନ ॥୮୭
ସକଳେ ହୋଇ ଏକରୁଣ୍ତ । ଶୋକେ ଚହଳ ଗୋପଦାଣ୍ତ ॥୮୮
କାନ୍ଦନ୍ତି ଦଇବ ସୁମରି । ବିଚ୍ଛେଦ ଦୁଃଖେ ଗୋପନାରୀ ॥୮୯
ତୁ ହୋ ଦଇବ ବଡ଼ ମନ୍ଦ । ଗୋପନଗରେ କଲୁ ଛନ୍ଦ ॥୯୦
ସଂଯୋଗ କଲୁ କୃଷ୍ଣସଙ୍ଗ । ଏବେ ତ କରୁଛୁ ବିଯୋଗ ॥୯୧
ଆମ୍ଭର ନ ପୂରିଲା ଆଶ । ଅଳପେ କଲୁ ତୁ ନିରାଶ ॥୯୨
ନିଷ୍ଠୁର ସ୍ୱଭାବ ତୋ ହିଆ । ଆମ୍ଭରେ ନାହିଁ ତୋର ଦୟା ॥୯୩
ବାଳୁତ ପ୍ରାୟେ ତୋର କର୍ମ । କେମନ୍ତେ ସହିବଟି ଧର୍ମ ॥୯୪
ନୀଳକୁନ୍ତଳ ଚାରୁମୁଖ । ଦେଖିଲେ ଛାଡ଼େ ଭବଦୁଃଖ ॥୯୫
ମଧୁରହାସ ନାସା ରେଖ । ଦେଖିଲେ ପାଉଁ ମନେ ସୁଖ ॥୯୬
ସେ ସୁଖ କରାଉଛୁ ଦୂର । ଅସାଧୁ କର୍ମ ଏ ତୋହର ॥୯୭
ଏମନ୍ତେ ଅକ୍ରୁରକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥୯୮
ତୁ ଯେବେ ଅକ୍ରୁର ବୋଲାଉ । କ୍ରୁର ସ୍ୱଭାବ କିପାଜ୍ଞ ବହୁ ॥୯୯
ଆମ୍ଭର ଚକ୍ଷୁ ବନମାଳୀ । ତୁ ତାହା ନେଉଅଛୁ ଖୋଳି ॥୧୦୦
ନନ୍ଦକୁମର କୃଷ୍ଣ ସଙ୍ଗେ । ସୁହୃଦ କଲୁଁ ଭାବରଙ୍ଗେ ॥୧୦୧
ଛାଡ଼ିଲୁଁ ସୁତ ଧନଘର । ଲଜ୍ଜା ସ୍ୱଭାବ ବନ୍ଧୁବର ॥୧୦୨
ପୀରତି କରିଅଛୁ ନୂଆ । ଅକ୍ରୁର ନ ଛଡ଼ା ତୁ ଏହା ॥୧୦୩
ମଥୁରାନାରୀଙ୍କର ଭାଗ୍ୟ । ଶତଜନମେ ଯାଗଯଜ୍ଞ ॥୧୦୪
ସୁଖେ ପାହିବ ଆଜ ନିଶି । ଦେଖିବେ କୃଷ୍ଣ ଦ୍ୱାରେ ବସି ॥୧୦୫
ନଗ୍ରେ ପଶନ୍ତେ ବେନିଭାଇ । ବାମଦକ୍ଷିଣେ ଥିବେ ଚାହିଁ ॥୧୦୬
କଟାକ୍ଷେ ଦେଖି କୃଷ୍ଣରୂପ । ଛାଡ଼ିବେ କୋଟିଜନ୍ମତାପ ॥୧୦୭
କୃଷ୍ଣର ମୁଖପଦ୍ମରସ । ନୟନପାନେ ହୋଇ ତୋଷ ॥୧୦୮
ଗୁରୁ-ଗଉରବ ନ ଗଣି । ଦାଣ୍ତେ ଦେଖିବେ ବେଣୁପାଣି ॥୧୦୯
ମଥୁରାପୁର ନାରୀଗଣ । ଚାହିଁ ମୋହିବେ ନାରାୟଣ ॥୧୧୦
ମଥୁରାହାସେ କୃଷ୍ଣମନ । ପଣତେ ବାନ୍ଧିବେ ବହନ ॥୧୧୧
ଏମନ୍ତେ ନାନାଭାବ କରି । ମନମୋହିବେ ନରହରି ॥୧୧୨
ଗୋବିନ୍ଦ ରତିରସେ ଜିତା । ଛାଡ଼ିବେ ଗୋପପୁର ଚିନ୍ତା ॥୧୧୩
ଭୁଲାଇ କୃଷ୍ଣ-ହଳଧର । ଛାଡ଼ି ନ ଦେବେ ଗୋପପୁର ॥୧୧୪
ଯାଦବ ଆଦି ସାତବଂଶ । ତାହାଙ୍କ ପୁଣ୍ୟ ଗୋ ଅଶେଷ ॥୧୧୫
ଆଜ ପାଇବେ ତପଫଳ । ଦେଖିବେ ମଦନଗୋପାଳ ॥୧୧୬
ଆମ୍ଭର ପୂର୍ବପାପେ ଜାଣ । ଅକ୍ରୁର ହୋଇଲା ଦାରୁଣ ॥୧୧୭
ଆମ୍ଭର ଦୁଃଖ ନ ଜାଣଇ । ମଥୁରା ନେବ ବେନିଭାଇ ॥୧୧୮
ଦେହରୁ ପ୍ରାଣ ନେବ ହରି । ଆଜ ମରିବୁ ଗୋପନାରୀ ॥୧୧୯
ଦେଖ ଗୋପାଳେ ଏଡ଼େ ମନ୍ଦ । ବିଚାର ନ କରଇ ନନ୍ଦ ॥୧୨୦
ପୁଅଙ୍କ ଭଲ ନ ଜାଣଇ । ଅକ୍ରୁର ବୋଲେ ପଠିଆଇ ॥୧୨୧
ଯଶୋଦା ନ ଜାଣଇ ଏହା । କେମନ୍ତେ ଧରିବଟି ହିଆ ॥୧୨୨
ଗଉଡ଼େ ବାଇ ପ୍ରାୟେ ହୋଇ । ସଜ ହୁଅନ୍ତି ଆଗେ ଯାଇ ॥୧୨୩
ଦଇବ ହୋଇଲା ବଇରୀ । ଆଜୁଁ ବୁଡ଼ିଲା ଗୋପଶିରୀ ॥୧୨୪
ଆସ ଗୋ ଓଗାଳିବା ପଥ । ଅକ୍ରୁର କେତେ ବଳବନ୍ତ ॥୧୨୫
ରଥ କରିବା ଖଣ୍ତ ଖଣ୍ତ । ଛେଦିବା ଅକ୍ରୁରର ମୁଣ୍ତ ॥୧୨୬
କି କରି ପାରିବେ ଗୋପାଳେ । ରଥ ଭାଙ୍ଗିବା ଆମ୍ଭେ ବଳେ ॥୧୨୭
ଶୁଣି ଗୋ କଂସ କରୁ ରୋଷ । ଆମ୍ଭେ ନ ଥିବା ତା'ର ଦେଶ ॥୧୨୮
ଅର୍ଦ୍ଧନିମିଷେ କୃଷ୍ଣ ସଙ୍ଗ । ଛାଡ଼ି ମଣିବୁ ଶତେଯୁଗ ॥୧୨୯
ସେ ଆମ୍ଭ ଦୁଃଖର ସୋଦର । ଦଇବ କଲା ଏବେ ଦୂର ॥୧୩୦
ଆମ୍ଭର ରାସକେଳି ରସେ । ଜାଣନା ବୃନ୍ଦାବନ ଦେଶେ ॥୧୩୧
ନିମିଷେ ନ ପାଇ ମୁରାରି । କେମନ୍ତ ହେଲୁ ଗୋପନାରୀ ॥୧୩୨
ତକ୍ଷଣେ ପାଇ ବ୍ରହ୍ମରାଶି । ନିମିଷ କଲୁଁ ବ୍ରହ୍ମନିଶି ॥୧୩୩
ତାହାର ଗୁଣ ମନେ ଗୁଣି । ଏବେ ମରିବୁ ଗୋପାଳୁଣୀ ॥୧୩୪
ଗୋରୁ ଚରାଉଥାଇ ବନେ । ଗୋପେ ଆସଇ ରାତ୍ରମାନେ ॥୧୩୫
ଯେବେ ଗୋ ତା'ର ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥୧୩୬
କଟାକ୍ଷ କରି ବେଣୁବାଇ । ଚାହଁନ୍ତେ ଜଗତ ମୋହଇ ॥୧୩୭
ଏବେ ମଥୁରାପୁର ଗଲେ । କେମନ୍ତେ ବଞ୍ଚିବା ଗୋ ଭଲେ ॥୧୩୮
ଏମନ୍ତ ହୋଇ ଗୋପନାରୀ । କୃଷ୍ଣ ବିଚ୍ଛେଦେ ତନୁ ଘାରି ॥୧୩୯
ଲାଜ ଛାଡ଼ିଲେ ଗୋପଦାଣ୍ତେ । ତାଡ଼ନ୍ତି ବେନିକର ମୁଣ୍ତେ ॥୧୪୦
ବିକଳେ ବୁଜନ୍ତି ନୟନ । କାନ୍ଦନ୍ତି ଧରି କୃଷ୍ଣନାମ ॥୧୪୧
ମୁକୁନ୍ଦ ଦାମୋଦର ହରି । ମାଧବ କୃଷ୍ଣ ଦଇତ୍ୟାରି ॥୧୪୨
ଜୀବନ ଗଲାଟି ଆମ୍ଭର । ମଥୁରା ନ ଯା ଦାମୋଦର ॥୧୪୩
ତୋତେ ନ ପାଇ ଭାବଗ୍ରାହୀ । ଦିନ ବଞ୍ଚିବୁ କାହା ଚାହିଁ ॥୧୪୪
ଅକ୍ରୁର ଆମ୍ଭ ଚକ୍ଷୁ ନେଲା । ଜୀବନ ଜିଉଁ ଜିଉଁ ମଲା ॥୧୪୫
ରୋଦନ ଶୁଣି ଗୋପୀଜନେ । ଅକ୍ରୁର କୋପକଲା ମନେ ॥୧୪୬
ବୋଲଇ ନନ୍ଦ ମୁଖ ଚାହିଁ । ଲେଉଟି ଯିବି ଆଜ ମୁହିଁ ॥୧୪୭
ବଳେ ପାରିବୁଟିକି ରହି । ଗୋପୀଏ ହେଉଛନ୍ତି ବାଈ ॥୧୪୮
କହନ୍ତି ଆନୁଆନ କରି । ରୁଣ୍ତ ହୋଇଣ ସର୍ବନାରୀ ॥୧୪୯
ଜାଣୁନା କଂସର ମହିମା । ଗୋପନଗରେ ଯେତେ ବାମା ॥୧୫୦
କ୍ଷଣକେ କରିବ ନିପାତ । କିସ କରିବେ ବଳବନ୍ତ ॥୧୫୧
ଏହାଙ୍କୁ କରି ନିବାରଣ । ବେଗେଣ ଚଳ ମଧୁବନ ॥୧୫୨
ଲେଉଟିଗଲେ ଆଜ ମୁହିଁ । ଗୋପେ ପାରିବୁଟିକି ରହି ॥୧୫୩
ଦଣ୍ତେ ହେଁ ନ କର ଉଚୁର । କୁଶଳ ଇଚ୍ଛା ଯେବେ ତୋ'ର ॥୧୫୪
ରାମଗୋବିନ୍ଦ ମୋତେ ଦେଇ । ନ ଯାଇ ପଛେ ଥାଅ ତୁହି ॥୧୫୫
ଯଶୋଦା ଅକ୍ରୁରକୁ ଚାହିଁ । କାନ୍ଦଇ କୃଷ୍ଣ କୋଳେ ଲଇଁ ॥୧୫୬
ରୋହିଣୀ ଘେନି ହଳଧରେ । ରୋଦନ କଲେ ଉଚ୍ଚସ୍ୱରେ ॥୧୫୭
ବଜ୍ର ପଡ଼ିଲା ଶିରେ ଜାଣି । କାନ୍ଦନ୍ତି ଯଶୋଦା-ରୋହିଣୀ ॥୧୫୮
ଦଇବ କଲୁ ବିପରୀତ । କାହାକୁ ସମର୍ପିବୁ ସୁତ ॥୧୫୯
ଜୀବନ ଥିବ ଆମ୍ଭ କାହିଁ । ମରିବୁ ପୁତ୍ରକୁ ନ ପାଇ ॥୧୬୦
ଯଶୋଦା କୃଷ୍ଣ ମୁଖ ଚାହିଁ । କାନ୍ଦଇ ମୁଖେ ଚୁମ୍ବ ଦେଇ ॥୧୬୧
ତୁ କୃଷ୍ଣ ଗଲେ ମଧୁପୁରୀ । ଜୀବନ ନ ପାରିବି ଧରି ॥୧୬୨
ଗୋରୁ ଚରାଉ ଯେତେବେଳେ । କାନନେ ଗୋପସୁତ ମେଳେ ॥୧୬୩
ଦଣ୍ତେ ମୁଁ ନ ଦେଖିଲେ ତୋତେ । ନିମିଷ ହୁଏ ଯୁଗ ଶତେ ॥୧୬୪
ପୁଛଇଁ ଜଣେ ଜଣେ ମୁହିଁ । ପୁତ୍ର ମୋ' କେ ଦେଖିଛ କାହିଁ ॥୧୬୫
କ୍ଷତ-ହରିଣୀ ପ୍ରାୟ ହୋଇ । ରବିକିରଣେ ଚାହୁଁଥାଇ ॥୧୬୬
ବେଳ ତ ହୋଇଲା ଉଛୁର । କୃଷ୍ଣ ନ ଇଲା କିପାଁ ଘର ॥୧୬୭
ଅନ୍ନ ବ୍ୟଞ୍ଜନ ମୋତେ ପିତା । ତୋତେ ନ ଦେଖି ମୋର ଚିନ୍ତା ॥୧୬୮
ନିମିଷ ଯୁଗପ୍ରାୟ ହୋଇ । ଘରବାହାରେ ନ ରହଇ ॥୧୬୯
ତୋ'ର ବଦନ ଯେତେବେଳେ । ଦେଖଇ ନୟନ-ଯୁଗଳେ ॥୧୭୦
ତେବେ ମୋ' ଜୀବନ ପଶଇ । ସରଲବଣୀ ତୋତେ ଦେଇ ॥୧୭୧
ଏବେ ତୁ ମଧୁପୁର ଗଲେ । ମୁହିଁ ଯିବଇଁ ତୋର ତୁଲେ ॥୧୭୨
ପୁଣି ରାମକୁ କୋଳ କରି । ଶୋକେ ବୋଲଇ ନନ୍ଦନାରୀ ॥୧୭୩
ତୁ ରାମ ବଳେ ବଳୀୟାର । କୃଷ୍ଣ ମୋ' ନୁହଇ ଚତୁର ॥୧୭୪
ସଙ୍ଗ ତୁ ନ ଛାଡ଼ିବୁ ଦଣ୍ତେ । ଗହଳ ମଥୁରାର ଦାଣ୍ତେ ॥୧୭୫
ଏମନ୍ତ କହି ନନ୍ଦନାରୀ । ବେନିଲୋଚନୁ ବହେ ବାରି ॥୧୭୬
ଅକ୍ରୁର କୋପେ ପରଜ୍ୱଳି । ରୋଷେ ନନ୍ଦକୁ ଦେଲା ଗାଳି ॥୧୭୭
କୃଷ୍ଣ ସାରିଲେ ନିତ୍ୟକର୍ମ । ସଜ ହୋଇଲେ ବଳରାମ ॥୧୭୮
ଗୋପୀଙ୍କ ରୋଦନ ଚହଳ । ଗୋପରେ ଶୁଭୁଅଛି ଗୋଳ ॥୧୭୯
ପ୍ରଳୟ ସିନ୍ଧୁ ପ୍ରାୟ ମଣି । ବୋଲନ୍ତି ରାମଚକ୍ରପାଣି ॥୧୮୦
ଗୋପାଳେ ହୁଅ ଆଗୁସାର । ଗୋରସ ଶକଟ ସମ୍ଭାର ॥୧୮୧
ଅକ୍ରୁର ନିତ୍ୟକର୍ମ ସାରି । ରଥେ ତୋଳିଲା ରାମହରି ॥୧୮୨
ମଙ୍ଗଳବାଦ୍ୟ ଗୀତ ଧ୍ୱନି । ଆନନ୍ଦେ ଉଛୁଳେ ମେଦିନୀ ॥୧୮୩
ଆକାଶେ ଥାଇ ଦେବଲୋଭେ । କୁସୁମ ବରଷନ୍ତି ଥୋକେ ॥୧୮୪
ଦିଗେ ଦିଶନ୍ତି ପରିମଳ । ପବନ ବହଇ ଶୀତଳ ॥୧୮୫
କୃଷ୍ଣର ପଥ ଅନୁକୂଳ । ଶୂନ୍ୟେ ମିଳିଲେ ମେଘମାଳ ॥୧୮୬
ଗଗନେ ଦୁନ୍ଦୁଭି ଶବଦ । ମଙ୍ଗଳ କଲେ ଗୀତନାଦ ॥୧୮୭
ଦେଖନ୍ତି ଦଶଦିଗପାଳେ । ବାହାର ହୋଇଲେ ଗୋପାଳେ ॥୧୮୮
ଶକଟ ଯା'ନ୍ତି ଯୂଥ ଯୂଥ । ଗୋରସ-ଭାର ଅପ୍ରମିତ ॥୧୮୯
ବାଜଇ ମଙ୍ଗଳ-ମହୁରି । ମଥୁରା ଯିବେ ନରହରି ॥୧୯୦
ଗୋପୀଏ ଓଗାଳନ୍ତି ରଥ । କାହିଁକି ଯିବ ଗୋପୀନାଥ ॥୧୯୧
ଆମ୍ଭ ଜୀବନ ହସ୍ତେ ଘେନି । ମଥୁରା ଯାଆ ଭାଇବେନି ॥୧୯୨
ଏଡ଼େ ନିର୍ଦ୍ଦୟ ତୋ'ର ହିଆ । ଆମ୍ଭରେ ଛାଡ଼ିଲୁ ତୁ ଦୟା ॥୧୯୩
ଯେବେ ଅକ୍ରୁର ତୋତେ ଧରି । ନେଉଛି ମଥୁରା ନଗରୀ ॥୧୯୪
ଆମ୍ଭେ ସକଳେ ତୋର ସଙ୍ଗେ । ଥିବୁ ତୋ' ରଥ ଲାଗେ ଲାଗେ ॥୧୯୫
କଂସର ମୁଖେ ତୋତେ ଦେଇ । ଘରେ ରହିବୁ କିସ ପାଇଁ ॥୧୯୬
ଆମ୍ଭେ ତୋହର ସର୍ବବାଳୀ । ଗୋପ ନ ଛାଡ଼ ବନମାଳୀ ॥୧୯୭
କାକର ଘରେ ପିକ ପରି । ଏବେ ତ ପକାଉ ପାସୋରି ॥୧୯୮
ଶୁଣି ବୋଲନ୍ତି ଦାମୋଦର । କୋମଳ ବଚନ ଗଭୀର ॥୧୯୯
ଶୁଣ ଗୋ ସଖୀଜନେ ମୋର । ରାଜାର ଆକଟ ଅପାର ॥୨୦୦
ଦେଖ ଆମ୍ଭଙ୍କୁ ରଥେ ଭରି । ଅକ୍ରୁର ନେଉଅଛି ଧରି ॥୨୦୧
ଧନୁଉତ୍ସବ ରଙ୍ଗସଭା । ଆମ୍ଭେ ଗୋ ନୟନେ ଦେଖିବା ॥୨୦୨
ରାଜା ହୋଇବ ବଡ଼ ତୋଷ । ଆମ୍ଭଙ୍କୁ ଦେବ ଗ୍ରାମ ଦେଶ ॥୨୦୩
ଚାରିଦିଗରୁ ଲୋକେ ଆସି । ରଙ୍ଗସଭାରେ ଥିବେ ବସି ॥୨୦୪
ଅନେକ ଦୁରୁଁ ନରନାରୀ । ଅଣାଇଅଛି ଦଣ୍ତଧାରୀ ॥୨୦୫
ଉତ୍ସବ ଦେଖି ତୋଷମନେ । ଆମେ ଆସିବୁ ଚାରିଦିନେ ॥୨୦୬
ତୁମ୍ଭେ ଗୋ ଯାଅ ଯେଝାଘରେ । ମନ ନିବେଶି ମୋ' ପୟରେ ॥୨୦୭
ଅକ୍ରୁର ଶୁଣି କେପଭରେ । ରଥ ବାହିଲା ଧାତିକାରେ ॥୨୦୮
ଗୋପୀଏ ଛାଡ଼ନ୍ତି ବୋବାଳି । ବାଲିରେ ନ ପାରନ୍ତି ଚାଲି ॥୨୦୯
ଆହା ଗୋବିନ୍ଦ ନନ୍ଦସୁତ । ବୋଲି ହୋଇଲେ ମୂରୁଛି୍ତ ॥୨୧୦
କଦଳୀ ଯେହ୍ନେ ବାତଘାତେ । ପଡ଼ିଲେ ଗୋପବାଳୀ ପଥେ ॥୨୧୧
ପଡ଼ିଣ ଗୋପୀ ଅଣାୟତ୍ତେ । ଅଜ୍ଞାନ ମୋହେ ରାଜପଥେ ॥୨୧୨
ଗୋପୀ ବିକଳ କୃଷ୍ଣ ଚାହିଁ । ଗୋପାଳପୁଅଙ୍କୁ ସେ ରାଇ ॥୨୧୩
ଶ୍ରୀଦାମ ନାମେ ଗୋପବାଳ । ତା'ରେ ବିଶ୍ୱାସ ନନ୍ଦବାଳ ॥୨୧୪
ତାହାକୁ ନିକଟେ ଅଣାଇଁ । କହନ୍ତି ବିଶ୍ୱାସ କରାଇ ॥୨୧୫
ଗୋପୀଙ୍କି କହ ତୁ ବହନେ । ଆମ୍ଭେ ଆସିବୁ ଚାରିଦିନେ ॥୨୧୬
ଧନୁଉତ୍ସବ ମୁଁ ଦେଖିବି । ରାଜାର ମନକୁ ତୋଷିବି ॥୨୧୭
ମଥୁରା ନ ରହିବି ଦଣ୍ତେ । ତୁମ୍ଭେ ଗୋ ଜଗିଥିବ ଦାଣ୍ତେ ॥୨୧୮
ମୋତେ ଦେଖିବ ରାତ୍ରମାନେ । ନନ୍ଦମନ୍ଦିରେ ଚାରିଦିନେ ॥୨୧୯
ମୋହର ସତ୍ୟ ଏ ବଚନ । ଏଥକୁ ସାକ୍ଷି ନିରଞ୍ଜନ ॥୨୨୦
ଆବର କହିବୁ ତୁ ଯାହା । କହଇ ଶୁଣ ତୋରେ ତାହା ॥୨୨୧
ମୁଁ ଯେ ଭକତ ଭାବେ ବାଇ । ଭାବ ନିକଟେ ନିତ୍ୟେ ଥାଇ ॥୨୨୨
ଶରଦରାସ କାଳେ ଯାହା । ହୋଇଲେ ଯେତେକ ଉତ୍ସାହା ॥୨୨୩
ତାହାଙ୍କ ଭକ୍ତିଭାବ ଘେନି । ରମିଲି ସକଳ କାମିନୀ ॥୨୨୪
ସେ ମୋର ଦେହର ଜୀବନ । ଚକ୍ଷୁପିତୁଳୀ ନିରଞ୍ଜନ ॥୨୨୫
ଜୀବନ ଛାଡ଼ି ଯାଉଅଛି । ମୃତ୍ୟୁପିଣ୍ତକୁ କେହୁ ଗଚ୍ଛି ॥୨୨୬
କେବଳ ରାଜକାର୍ଯ୍ୟ ସାରି । ତହିଁ ରହିବୁ ଦିନ ଚାରି ॥୨୨୭
ଏ କଥା ଗୋପୀଙ୍କି କହିବୁ । ଘରକୁ ପଠିଆଇ ଦେବୁ ॥୨୨୮
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଶ୍ରୀଦାମ ଗଲା ବେଗ ହୋଇ ॥୨୨୯
କହିଲା ଗୋପୀଙ୍କ ଆଗର । ବୋଇଲା ଯାଅ ଯେଝାଘର ॥୨୩୦
ଶୁଣି ଗୋପୀଏ ଛନ ଛନ । କୃଷ୍ଣର ତହିଁ ଦେଇ ମନ ॥୨୩୧
ରଥକୁ ଚାହାଁନ୍ତି ନିରୋପି । ଚିତ୍ରପ୍ରତିମା ପ୍ରାୟ ଗୋପୀ ॥୨୩୨
କେ ବୃକ୍ଷେ ଉଠିଲେ ବହନ । ରଥରେ ନିବେଶି ନୟନ ॥୨୩୩
ପୀଢ଼ାରେ ଉଠି କେ ଦେଖନ୍ତି । ବୃକ୍ଷ ଆରୋହି କେ ଚାହାଁନ୍ତି ॥୨୩୪
କେ ଉଚ୍ଚଶିଖେ ଉଠି ଡ଼ାକି । ରଥ-ପତାକେ ଦେଇ ଆଖି ॥୨୩୫
କେ ବୋଲେ ଯିବା ଧାତିକାରେ । କୃଷ୍ଣ ଭେଟିବା ନଦୀତୀରେ ॥୨୩୬
ଏମନ୍ତେ କୁହାକୁହି ହୋନ୍ତେ । ବିମାନ ନ ଦିଶିଲା ପଥେ ॥୨୩୭
ହୋଇଲା ବିମାନ ଅଦୃଶ୍ୟ । ଗୋପୀଏ ହୋଇଲେ ନିରାଶ ॥୨୩୮
ନିଃଶ୍ୱାସ ଛାଡ଼ି ଖେଦଭରେ । ଜୀବନ ନ ରହେ ଶରୀରେ ॥୨୩୯
ଗୁରୁ ଗଉରବ ନ ଗଣି । ରାତ୍ର-ଦିବସ ଏକ ମଣି ॥୨୪୦
ମନ ନିବେଶି କୃଷ୍ଣପାଦେ । ଗୋପୀଏ ରହିଲେ ବିଷାଦେ ॥୨୪୧
ଅକ୍ରୁର ତୋଷମନ ହୋଇ । ବନଗହନେ ରଥ ବାହି ॥୨୪୨
ପବନୁଁ ବେଗେ ରଥ ଗଲା । କାଳିନ୍ଦୀ ନିକଟେ ମିଳିଲା ॥୨୪୩
ରଥୁଁ ଓହ୍ଲାଇ ବେନିଭାଇ । ଜଳ ପିଇଲେ ତୋଷ ହୋଇ ॥୨୪୪
ନିର୍ମଳ କାଳିନ୍ଦୀର ଜଳ । ସ୍ୱଭାବେ ସୁସ୍ୱାଦୁ ଶୀତଳ ॥୨୪୫
ଶିରବଦନେ ଜଳସିଞ୍ଚି । କରଯୁଗଳେ ମୁଖପୋଛି ॥୨୪୬
ବୃକ୍ଷର ମୂଳେ ନେଇ ରଥ । ବସିଲେ ରାମଗୋପୀନାଥ ॥୨୪୭
ଅକ୍ରୁର ବେନିକର ଯୋଡ଼ି । କହଇ କୃଷ୍ଣପାଦେ ପଡ଼ି ॥୨୪୮
ଭୋନାଥ ହୋଇବା ପ୍ରସନ୍ନ । କରିବି ଯମୁନାରେ ସ୍ନାନ ॥୨୪୯
ଉଠି ତୋହର ମୁଖ ଚାହିଁ । ପବିତ୍ର ହୋଇବଇଁ ମୁହିଁ ॥୨୫୦
ବୋଲନ୍ତି ପ୍ରଭୁ ଭଗବାନ । ଯା' ବେଗେ କରତୁ ସ୍ନାହାନ ॥୨୫୧
ବହନ ଯିବା ମଧୁପୁର । ଅକ୍ରୁର ନ କର ଉଚ୍ଛୁର ॥୨୫୨
ରଥୁଁ ଓହ୍ଲାଇ ଖରତରେ । ପଶିଲା କାଳିନ୍ଦୀ ଭିତରେ ॥୨୫୩
ବୁଡ଼ିଲା ମାଧବ ସୁମରି । ଜଳେ ଦେଖିଲା ରାମହରି ॥୨୫୪
ଯେସନେ କୂଳେ ଗଲା ଚାହିଁ । ଦେଖିଲା ଜଳମଧ୍ୟେ ତା ହିଁ ॥୨୫୫
ଦେଖି ଚକିତମନ ହୋଇ । ବୋଲେ ଅଇଲେ କି ପଳାଇ ॥୨୫୬
କଂସର ଡ଼ରେ ରଥେ ବସି । ବେନି ସୋଦର ଜଳେ ପଶି ॥୨୫୭
ପଳାଇ ଯିବେ ଗୋପପୁର । ମୋତେ ମାରିବ କଂସାସୁର ॥୨୫୮
କି ବୁଦ୍ଧି କରିବଇଁ ମୁହିଁ । କୂଳେ ଯେ ଅଇଲି ବସାଇ ॥୨୫୯
ଡ଼ରେଣ ଗଲେ କି ପଳାଇ । ଉଠି କୂଳକୁ ଦେଲା ଚାହିଁ ॥୨୬୦
ଦେଖଇ ବୃକ୍ଷତଳେ ରଥ । ଅଛନ୍ତି ରାମ-ଗୋପୀନାଥ ॥୨୬୧
ଚକିତ ହୋଇଲା ଅକ୍ରୁର । ଭୟେ କମ୍ପଇ ଥରହର ॥୨୬୨
ବୋଲଇ ଜଳେ ଅନ୍ୟକିସ । ମୁହିଁ ଯେ ଦେଖିଲି ସଦୃଶ ॥୨୬୩
କି ମୋର ଚିତ୍ତ ହୋଏ ଭ୍ରମ । ହୋଇଲା ଅଦଭୁତ କର୍ମ ॥୨୬୪
ମିଥ୍ୟା ନୁହଁଇନା ସେ ଜଳେ । ପୁଣି ବୁଡ଼ିଲା ଆଉ ବେଳେ ॥୨୬୫
ଦେଖଇ ରତ୍ନମୟ-ପୁରେ । ସୁବର୍ଣ୍ଣ ବିମାନ ଉପରେ ॥୨୬୬
ସୁରଙ୍ଗ ରତ୍ନସିଂହାସନ । ଶୀତଳ ବହଇ ପବନ ॥୨୬୭
ଅନନ୍ତ ରୂପେ ହଳଧର । କୋଟିଏ ଚନ୍ଦ୍ର ପଟାନ୍ତର ॥୨୬୮
ସହସ୍ର ଫଣା ମଣି ଶିର । କଟି ଦୂକୁଳ ନୀଳାମ୍ବର ॥୨୬୯
ରୂପେ ଶୋଭିତ ଶିବଗିରି । କୋଟିଏ କାମ ନୋହେ ସରି ॥୨୭୦
ମଣିକୁଣ୍ତଳ ବନମାଳ । ସୁରଙ୍ଗ ଅଳକ କପୋଳ ॥୨୭୧
କଟିମେଖଳା ରତ୍ନସାର । ନିବିଡ଼ ସୁରଙ୍ଗ ଅଧର ॥୨୭୨
ହାର କେୟୂର ଝଟକନ୍ତି । ଯେହ୍ନେ ଗଗନେ ତାରାପତି ॥୨୭୩
ଅନନ୍ତକୋଳେ ବନମାଳୀ । ନୀଳଜୀମୂତ ଦେହ ଝଳି ॥୨୭୪
ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତଳ ॥୨୭୫
ସୁନ୍ଦର ନୀଳଭୁଜ ଚାରି । ଶଙ୍ଖ କମଳ ଗଦା ଅରୀ ॥୨୭୬
ବିକଚ-କମଳ-ଲୋଚନ । ସୁରଙ୍ଗ ହସିତ ବଦନ ॥୨୭୭
ଅନଙ୍ଗ ଚାପ ଭୁରୁ ରେଖା । ସୁନ୍ଦର କପୋଳ ନାସିକା ॥୨୭୮
ରଙ୍ଗ ଅଧରେ ମନ୍ଦ ହାସ । କର୍ଣ୍ଣେ କୁଣ୍ତଳ ରବିତ୍ରାସ ॥୨୭୯
ଦୀର୍ଘ ଶ୍ରୀଭୁଜ ଜାନୁଯାଏଁ । ଦିଶେ ମର୍କତ ସ୍ତମ୍ଭ ପ୍ରାୟେ ॥୨୮୦
ତୁଙ୍ଗ ହୃଦୟ ଶ୍ରୀନିବାସ । ଶ୍ରୀବତ୍ସ ଚିହ୍ନ ବାମପାଶ ॥୨୮୧
ଦକ୍ଷିଣାବର୍ତ୍ତ କମ୍ବୁଗ୍ରୀବ । ପେଟେ ତ୍ରିବଳୀ ପଦ୍ମନାଭ ॥୨୮୨
ନାଭି ଗଭୀର ମଝାକ୍ଷୀଣ । ବୃଶାଳକଟି ରତ୍ନଦାମ ॥୨୮୩
ନିତମ୍ବ କରୀକୁମ୍ଭ ଜିଣି । କଟିମେଖଳା ଓଡ଼ିଆଣୀ ॥୨୮୪
ଉଲଟରମ୍ଭା ଜାନୁ ଯୁଗ । ଗୁଳ୍ଫଯୁଗଳ ସଞ୍ଚତୁଙ୍ଗ ॥୨୮୫
ମାଣିକ୍ୟ ପ୍ରାୟ ନଖପନ୍ତି । ଅଙ୍ଗୁଳି ଅଗ୍ରେ ଝଟକନ୍ତି ॥୨୮୬
ନବପଲ୍ଲବ ପ୍ରାୟ ଝଳି । କୋମଳ ଦିଶଇ ଅଙ୍ଗୁଳି ॥୨୮୭
କମଳକୋଷ ପ୍ରାୟ ହୋଇ । ବେନି ଚରଣ ବିରାଜଇ ॥୨୮୮
ଅମୂଲ୍ୟରତ୍ନମୟ ରାଶି । ବିବିଧ ଅଳଙ୍କାର ମିଶି ॥୨୮୯
ଶିରେ ମୁକୁଟ ହୃଦେ ହାର । କଟିମେଖଳା ରତ୍ନସାର ॥୨୯୦
ଉତ୍ତରୀ ଯଜ୍ଞସୂତ୍ର କନ୍ଧେ । କୁଣ୍ତଳ କର୍ଣ୍ଣଯୁଗଭାଗେ ॥୨୯୧
ରତ୍ନସମୂହ ତେଜରାଶି । ଚତୁର ଭୁଜ ପରକାଶି ॥୨୯୨
ଚକ୍ର କମଳ ଗଦା ଶଙ୍ଖ । ଗଣ୍ତଯୁଗଳେ ରାହୁରେଖ ॥୨୯୩
ଶ୍ରୀବତ୍ସ ଚିହ୍ନ ହୃଦୟରେ । ବନମାଳାଏ ଲମ୍ବେ ଉରେ ॥୨୯୪
ସୁନନ୍ଦ ଆଦି ପାରିଷଦେ । ପକାନ୍ତି ଚାମର ଆନନେ୍ଦ ॥୨୯୫
ସନକ ଆଦି ମୁନିଗଣେ । ଖଟନ୍ତି ଅଭୟଚରଣେ ॥୨୯୬
ବ୍ରହ୍ମା ଶଙ୍କର ଇନ୍ଦ୍ର ଘେନି । ସ୍ତୁତି କରନ୍ତି ସୁରମୁନି ॥୨୯୭
କିନ୍ନରୀ ତୁମ୍ବୁରୁ ନାରଦ । ବୀଣାଶବଦେ ଗୀତନାଦ ॥୨୯୮
ଭକତ ପ୍ରହଲ୍ଲାଦ ଆଦି । ଧ୍ରୁବଭୂଷଣ୍ତ ବେଦବାଦୀ ॥୨୯୯
ନିର୍ମଳବାଣୀ ଯେଝାମତେ । ସ୍ତୁତି କରନ୍ତି ଦୃଢ଼ଚିତ୍ତେ ॥୩୦୦
କମଳା ଆଦି ଯେତେ ଦେବୀ । ଧୀରେ ଚରଣେ ଛନ୍ତି ସେବି ॥୩୦୧
ଏମନ୍ତ କୃଷ୍ଣରୂପ ଜଳେ । ଦେଖି ଅକ୍ରୁର ବେନିଡ଼ୋଳେ ॥୩୦୨
ରୋମାଞ୍ଚ ହୋଇଲା ଶରୀର । ଅଶ୍ରୁ ଗଳଇ ନିରନ୍ତର ॥୩୦୩
ଆନନ୍ଦେ କଣ୍ଠ ଗଦ ଗଦ । ମୁଖୁଁ ନସ୍ଫୁରଇ ଶବଦ ॥୩୦୪
ଜଳୁ ବାହାର ହୋଇ ଆସି । କୂଳେ ଦେଖିଲା ବ୍ରହ୍ମରାଶି ॥୩୦୫
ପାଦେ ପଡ଼ିଲା ବେଗେ ଯାଇ । ଉଠିଲା ଶିରେ କର ଦେଇ ॥୩୦୬
ସଭୟେ ବୁଜିଲା ନୟନ । ପୁଣି ଚାହଁଇ ଛନଛନ ॥୩୦୭
ଆନନ୍ଦସାଗରେ ବୁଡ଼ିଲା । କରଅଞ୍ଜଳି ଶିରେ ଦେଲା ॥୩୦୮
ଭୟେ କମ୍ପିଲା ତା'ର ଦେହୀ । ସ୍ତୁତି କରଇ କୃଷ୍ଣ ଚାହିଁ ॥୩୦୯
କହଇ ଜଗନ୍ନାଥ ଦାସ । ଗୋବିନ୍ଦ ଚରଣେ ବିଶ୍ୱାସ ॥୩୧୦
କାଳିନ୍ଦୀଜଳେ ଦେଇ ଚିତ୍ତ । ସୁଜନେ ଚିନ୍ତ କୃଷ୍ଣପଥ ॥୩୧୧
ଜନ୍ମମରଣ ଭୟ ନାଶ । କୃଷ୍ଣ ଚରଣେ ହୁଅ ଦାସ ॥୩୧୨
ନିରତେ ଚିନ୍ତ ରାମହରି । ଭବସାଗରୁ ହୁଅ ପାରି ॥୩୧୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ପ୍ରତିଯାନେ ନାମ ଦ୍ୱିଚତ୍ୱରିଂଶୋଽଧ୍ୟାୟଃ ॥
</poem>
==='''ତ୍ରିଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ପରୀକ୍ଷ ଭାଗବତ ॥୧
ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣଙ୍କୁ ଅନାଇଁ ॥୨
ନମସ୍ତେ ଅନାଦି ପୁରୁଷ । ଅଖିଳ ଜ୍ୟୋତି ପରକାଶ ॥୩
ମାୟାର ହେତୁ ନାରାୟଣ । ନିର୍ଗୁଣ ପୁରୁଷ ପୁରାଣ ॥୪
ଅବ୍ୟକ୍ତ ବ୍ରହ୍ମ ନିରାକାର । ବ୍ରହ୍ମା ତୋ' ନାଭିରୁ ବାହାର ॥୫
ତୋହର ତହୁଁ ଏ ଜଗତ । ଲୋକେ ହୁଅନ୍ତି ଆତଯାତ ॥୬
ପୃଥିବୀ ଉଦକ ଅନଳ । ପବନ ଆକାଶମଣ୍ତଳ ॥୭
ମହତ ଆଦି ମହାଭୂତେ । ମନ ଇନ୍ଦ୍ରିୟ ଆଦି ଯେତେ ॥୮
ଇନ୍ଦ୍ରିୟ ଅର୍ଥେ ସୁରଗଣ । ଯେତେ ଏ ଜଗତେ ଭିଆଣ ॥୯
ଏମାନେ ତୋହର ଶରୀର । ତୁ ଆଦିଧର୍ମ ନିରାକାର ॥୧୦
ବ୍ରହ୍ମାଣ୍ତେ ତୋ'ର ଦେହେ ଥା'ନ୍ତି । ତୋହର ରୂପ ନ ଜାଣନ୍ତି ॥୧୧
ତ୍ରିଗୁଣେ ବ୍ରହ୍ମା ଜଡ଼ ହୋଇ । ତୋ'ର ସ୍ୱରୂପ ନ ଜାଣଇ ॥୧୨
ସନକଆଦି ଯୋଗୀଜନେ । ପୂଜନ୍ତି ତୋହର ଚରଣେ ॥୧୩
ମହାପୁରୁଷ ଶୂନ୍ୟରୂପ । ଜୀବସଞ୍ଚାରେ ତିନିରୂପ ॥୧୪
କର୍ମଯୋଗୀଏ ବେଦପଥେ । ତୋତେ ପୂଜନ୍ତି ଯଜ୍ଞମତେ ॥୧୫
ଅଖିଳ କର୍ମ ଦେଇ ତୋତେ । ଜ୍ଞାନୀ ସେବନ୍ତି ଯୋଗମତେ ॥୧୬
ନିଶ୍ଚଳ-ସମାଧିରେ ମନ । ତୋ'ର ଚରଣେ କରିଧ୍ୟାନ ॥୧୭
ଅନେକ ରୂପେ ଏକରୂପୀ । ତୋତେ ଜାଣିବ କେ ନିରୋପି ॥୧୮
ଶିବ ପୁରାଣର ଉକତେ । କେ ତୋତେ ଭଜେ ଶିବମତେ ॥୧୯
ଅନେକ ଋଷିଙ୍କ ସମେତେ । ଶଙ୍କର ପୂଜୁଥା'ନ୍ତି ତୋତେ ॥୨୦
ତୁନାଥ ସର୍ବଦେବମୟେ । ସର୍ବେ ଭଜନ୍ତି ତୋ'ର ପାୟେ ॥୨୧
ନାନା ଦେବଙ୍କୁ ସେ ଭଜନ୍ତି । ସେ ଭିନ୍ନ ବୁଦ୍ଧି ଆଚରନ୍ତି ॥୨୨
ଅନେକ କର୍ମଯୋଗେ ଭ୍ରମି । ଫୁଟି ହୁଅନ୍ତି ପଥଶ୍ରମି ॥୨୩
ନଦୀ ପୂରନ୍ତି ବୃଷ୍ଟିକାଳେ । ସମୁଦ୍ରେ ହୋନ୍ତି ଏକମେଳେ ॥୨୪
ସର୍ବଦେବତା ପୂଜା ଯେତେ । ଭଜନ ତୋ'ର ପାଦଗତେ ॥୨୫
ତୋ'ର ପ୍ରକୃତି ତହୁଁ ଜାତ । ତାମସ ରଜଗୁଣ ସତ୍ତ୍ୱ ॥୨୬
ଇନ୍ଦ୍ରିୟଗୁଣ ଗଳେ ଛନ୍ଦି । ଜନ୍ତୁଏ ମାୟାଜଡ଼େ ବନ୍ଦୀ ॥୨୭
ତୋତେ ପାଇବେ ଅବା କାହିଁ । ତୋହର ଆଦିଅନ୍ତ ନାହିଁ ॥୨୮
ନମସ୍ତେ ପ୍ରଭୁ ଜ୍ଞାନଆଖି । ସକଳ ବୁଦ୍ଧିଙ୍କର ସାକ୍ଷୀ ॥୨୯
ଦେବ ମନୁଷ୍ୟ ପଶୁଆଦି । ତୋ' ମାୟାବଳେ ସର୍ବେବନ୍ଦୀ ॥୩୦
ଅନଳ ତୋର ମୁଖୁଁ ଜାତ । ଚରଣୁଁ ଅବନୀ ସମ୍ଭୂତ ॥୩୧
ଆଦିତ୍ୟ ତୋହର ନୟନ । ନାଭିରୁ ପ୍ରକାଶ ଗଗନ ॥୩୨
ଶ୍ରବଣୁଁ ତୋର ଦଶଦିଶ । ଶିର ତୋହର ସ୍ୱର୍ଗଦେଶ ॥୩୩
ଭୁଜ ତୋ ଦଶଦିଗପାଳ । ଉଦର ବଡ଼ବା ଅନଳ ॥୩୪
ପଞ୍ଚପବନ ତୋର ପ୍ରାଣ । ରୋମ ଔଷଧିବୃକ୍ଷ ପୁଣ ॥୩୫
ମେଘ ତୋହର କେଶ ଶିର । ତୋ ନଖ ଅସ୍ଥି ଗିରିବର ॥୩୬
ନିମିଷ ହୋନ୍ତି ଦିବାରାତ୍ରି । ତୋର ବୃଷଣ ପ୍ରଜାପତି ॥୩୭
ତୋହର ତେଜେ ଦେବରାଜ । ବୃଷ୍ଟି କରଇ ତୋର ବୀର୍ଯ୍ୟ ॥୩୮
ଅବ୍ୟୟ ପୂର୍ଣ୍ଣ ନିରଞ୍ଜନ । ତୋ ଦେହେ ଚଉଦଭୁବନ ॥୩୯
ବାସବ ଆଦି ଦେବଗଣେ । ସ୍ଥାବର ସିଦ୍ଧ ଯେ ଚାରଣେ ॥୪୦
ବ୍ରହ୍ମାଣ୍ତେ ତୋହର ଶରୀରେ । ମଶା ଯେସନେ ଉଡ଼ୁମ୍ବରେ ॥୪୧
ମନର ଆଦିଅନ୍ତ ରୂପୀ । ଜଗତେ ଅଛୁ ନାଥ ବ୍ୟାପୀ ॥୪୨
ସଂସାର ଲୀଳାରେ ଶରୀର । ଭୋନାଥ ଯେତେ ରୂପ ତୋର ॥୪୩
ତେଣେ ନିର୍ମଳ ହୋଇ ଚିତ୍ତ । ତୋ ଯଶ ଭାବନ୍ତି ଜଗତ ॥୪୪
ନମସ୍ତେ ମତ୍ସ୍ୟ ରୂପଧାରୀ । ପ୍ରଳୟ ଉଦକ ବିହାରୀ ॥୪୫
ହେ ହୟଗ୍ରୀବ ତୋ ଶରଣ । ମଧୁ କଇଟଭ ଦଳନ ॥୪୬
କମଠରୂପୀ କଳେବର । ନମସ୍ତେ ଶଙ୍ଖଚକ୍ରଧର ॥୪୭
ଶୂକର ରୂପେ ମହୀ ଧରି । ନମସ୍ତେ ପ୍ରଭୁ ଦଇତ୍ୟାରି ॥୪୮
ନୃସିଂହ ରୂପୀ ତୋ' ଶରୀର । ନାଶିଲୁ ହିରଣ୍ୟ-ଅସୁର ॥୪୯
ବାମନ ରୂପେ ବଳି ଚାପି । ନମସ୍ତେ ତ୍ରିବିକ୍ରମ ରୂପୀ ॥୫୦
ଦୁଷ୍ଟ କ୍ଷତ୍ରିୟ ନିବାରଣ । ନମସ୍ତେ ପ୍ରଭୁ ଭୃଗୁରାମ ॥୫୧
ଜାନକୀ-ଛଳେ ଦାଶରଥି । କୋପେ ନାଶିଲୁ ଲଙ୍କପତି ॥୫୨
ନମୋ ଗୋବିନ୍ଦ ଦାମୋଦର । ଗିରି ତୋଳିଲୁ ବାମକର ॥୫୩
ନମସ୍ତେ ବସୁଦେବସୁତ । ରେହିଣୀ ପୁତ୍ର ବଳବନ୍ତ ॥୫୪
ରୁକ୍ମିଣୀ ଦେବୀ ପୁତ୍ର ନାତି । ନମସ୍ତେ ଯଦୁ ଭୋଜପତି ॥୫୫
ବଉଦ୍ଧରୂପୀ ଶୁଦ୍ଧକର୍ମା । ଅସୁର ମୋହନେ ତୋ ବାନା ॥୫୬
ମ୍ଳେଚ୍ଛ କ୍ଷତ୍ରିୟ ବଳବନ୍ତ । କଳକୀ ରୂପେ କରୁ ଅନ୍ତ ॥୫୭
ତୋହର ମାୟାରେ ଜଗତ । ଅଜ୍ଞାନେ ହୋଇ ଆତଯାତ ॥୫୮
ପର ଆପଣା ବୋଲି ହୁଡ଼ି । ଭ୍ରମନ୍ତି ମାୟାଚକ୍ରେ ପଡ଼ି ॥୫୯
ମୋହର ଆତ୍ମା ପୁତ୍ର ଘର । ଦାରା ସମ୍ପଦ ବନ୍ଧୁ ମୋର ॥୬୦
ସପନ ପ୍ରାୟେ ଏ ଜଗତ । ଆବୋରି ଅଛି ମୋହପଥ ॥୬୧
ଅନିତ୍ୟ ସଂସାର ସାଗରେ । ମୁଁ ଯେ ବୁଡ଼ିଲି ଦୁଃଖଘୋରେ ॥୬୨
ଆତ୍ମାର ଗତି ନ ଜାଣଇ । ଭୋ ନାଥ ରଖ ଭାବଗ୍ରାହୀ ॥୬୩
ଶୀତଳ ଜଳ ଛାଡ଼ି ମୁହିଁ । ମୃଗତୃଷ୍ଣାକୁ ଅଛି ଧାଇଁ ॥୬୪
ତୃଷିତ ହୋଇଲି ଅପାର । ତୋତେ ନ ଜାଣି ଚକ୍ରଧର ॥୬୫
ଅଳପ ବଳ ନାଥ ମୋର । କର୍ମ ଅଶେଷ ବଳୀୟାର ॥୬୬
ମନ ପଶିଲା କର୍ମମେଳେ । ହାରିଲି ଇନ୍ଦ୍ରିୟଙ୍କ ବଳେ ॥୬୭
ଇନ୍ଦ୍ରିୟ ଅର୍ଥେ ବିପରୀତ । ହସ୍ତରୁ ପକାଇ ଅମୃତ ॥୬୮
ବିଷ ଭକ୍ଷଇ ସ୍ୱାଦୁ ମଣି । ଆତ୍ମାର ଗତି ନ ପ୍ରମାଣି ॥୬୯
ମନକୁ ନ ପାରଇ ଧରି । ତୁ ମୋତେ ରଖ ନରହରି ॥୭୦
ତୋହର ଚରଣ କମଳେ । ଶରଣ ରଖ ମୋତେ ବେଳେ ॥୭୧
ଅଭୟ ଚରଣ ତୋହର । ଅଜ୍ଞାନୀଜନେ ଅଗୋଚର ॥୭୨
ତୋହର ଭାବ ଯେ ଜାଣଇ । ତାହାର ଦୁଃଖ ଭୟ ନାହିଁ ॥୭୩
ସଂସାର ତୁଟଇ ତାହାର । ଯେ ତୋତେ କରଇ ବିଚାର ॥୭୪
ତୋର ଚରଣେ ଭଗବାନ । ନିଶ୍ଚଳ କର ମୋର ମନ ॥୭୫
ଜ୍ଞାନ-ବିଜ୍ଞାନ-ଦାତାରୂପୀ । ସର୍ବସଂପଦ ମାୟା ବ୍ୟାପୀ ॥୭୬
ପରମ ପୁରୁଷ ବିଧାତା । ଅନନ୍ତ ରୂପ ବଳବନ୍ତା ॥୭୭
ନମଇ ପ୍ରଭୁ ବାସୁଦେବ । ଭବସାଗରେ ସୁଖ-ନାବ ॥୭୮
ଇନ୍ଦ୍ରିୟମାନଙ୍କ ଈଶ୍ୱର । ଭୋ ନାଥ ଶରଣ ତୋହର ॥୭୯
କହଇ ଦାସ ଜଗନ୍ନାଥ । ଅକ୍ରୁର ଜଳେ ଦେଖି ରଥ ॥୮୦
ଆନନ୍ଦେ କଲା ଯେତେ ସ୍ତୁତି । ସୁଜନେ ଏଣେ କର ମତି ॥୮୧
ଅକ୍ରୁର ସ୍ତୁତି ଯେ ଶୁଣନ୍ତି । ଭବସାଗରେ ନ ପଡନ୍ତି ॥୮୨
କର୍ମ ବାସନା ହୋଏ କ୍ଷୟ । ତାରନ୍ତି ପ୍ରଭୁ ଦେବରାୟ ॥୮୩
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ସ୍ତୁତିର୍ନାମୋ ତ୍ରିଚତ୍ୱାରିଂଶୋଽଧ୍ୟାୟଃ ॥
</poem>
==='''ଚତୁଃଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ହେ ଅଭିମନ୍ୟୁବଳା । ଅକ୍ରୁର ଜଳେ ସ୍ତୁତି କଲା ॥୧
ପୁଣ ଚରଣତଳେ ଶୋଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥୨
ଭକତବନ୍ଧୁ ଜନାର୍ଦ୍ଦନ । ଜଳେ ହୋଇଲେ ଅନ୍ତର୍ଦ୍ଧାନ ॥୩
ଯେସନେ ନଟଙ୍କର ଗତି । ପ୍ରସ୍ତାବ ସଦୃଶେ ଭଜନ୍ତି ॥୪
ଅକ୍ରୁରେ ଦେଖାଇ ଶରୀର । ତକ୍ଷଣେ ହୋଇଲେ ଅନ୍ତର ॥୫
ଅକ୍ରୁର ଥିଲା ପାୟେ ପଡ଼ି । ପୁଣି ଉଠିଲା କରଯୋଡ଼ି ॥୬
ଦେଖିଲା କେହି ନାହିଁ ଜଳେ । ଉଠି ଚାହିଁଲା ନଦୀକୂଳେ ॥୭
ବୃକ୍ଷର ମୂଳେ ରଥେ ଥାଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ ॥୮
ଅକ୍ରୁର ଦେଖି ତୋଷମନ । ବେଗେ ସାରିଲା ନିତ୍ୟକର୍ମ ॥୯
ଆସି ମିଳିଲା ରଥତଳେ । ପଡ଼ିଲା କୃଷ୍ଣପାଦତଳେ ॥୧୦
ହସି ବୋଲନ୍ତି ଦାମୋଦର । ଜଳେ ତ ବିଳମ୍ବ ତୋହର ॥୧୧
ମଥୁରା ଯିବା କେତେବେଳେ । କିସ ଦେଖିଲୁ ପୁଣ ଜଳେ ॥୧୨
ଗଗନ ଶୂନ୍ୟ ମହୀଭାଗେ । କି ଅବା ଦଶଦିଗ ଲାଗେ ॥୧୩
ଯାହା ଦେଖିଲୁ କହ ମୋତେ । ତେବେ ହେଁ ଯିବଇଁ ପରତେ ॥୧୪
ଅକ୍ରୁର ଶିରେ କର ଦେଇ । କହଇ ଶ୍ରୀମୁଖେ ଅନାଇଁ ॥୧୫
ଜଳେ ଦେଖିଲି ମୁହିଁ ଯାହା । ଭୋ ନାଥ ନ ଜାଣୁ କି ତାହା ॥୧୬
ମୋତେ ପଚାରୁ ମାୟା କରି । ଭକତ-ସୋଦର ମୁରାରି ॥୧୭
ତୋହର ତହୁଁ ଆନ ନାହିଁ । ଜଳେ ଦେଖିଲି ତୋତେ ମୁହିଁ ॥୧୮
ଭୋ ନାଥ ସର୍ବଘଟେ ପୂରି । ସଂସାର ଅଛୁ ଯେ ଆବୋରି ॥୧୯
ତୋର ନ ଥିଲା ଅଛି କାହିଁ । ଜଳ ଅନଳ ସ୍ଥଳେ ତୁହି ॥୨୦
ବଣ ପର୍ବତ ତରୁଲତା । ମେରୁ ସମାନ ବଳବନ୍ତା ॥୨୧
ତୃଣ ସମାନ ତନୁକ୍ଷୀଣ । ରୂପକୁ ରୂପ ଭିନ୍ନ ଭିନ୍ନ ॥୨୨
ମୁଁ କାହିଁ ଜାଣିବି ଅଶେଷ । ଘୋଟି ଯେ ଅଛୁ ଦଶଦିଶ ॥୨୩
ମୁହିଁ ମାନବ ତନୁ ବହି । ଜାଣିପାରିବି ତାହା କାହିଁ ॥୨୪
ବ୍ରହ୍ମା ଶଙ୍କର ପୁରନ୍ଦର । ଲକ୍ଷ୍ମୀ ସାରଦା ଶୀତକର ॥୨୫
ସୂର୍ଯ୍ୟ ପବନ ଗ୍ରହଗଣ । ମୁନି ମାନବ ଜଣେ ଜଣ ॥୨୬
ସୁର ଅସୁରଠାରେ ତୁହି । ସକଳଘଟେ ପୂର୍ଣ୍ଣ ହୋଇ ॥୨୭
ଏମାନେ ନ ପାଇଲେ ଲେଶ । ବିଶ୍ୱସଂସାରେ ତୋ' ପ୍ରକାଶ ॥୨୮
ଏତେ ବୋଲିଣ ପାଦତଳେ । ପଡ଼ିଲା ଆତ୍ମାର ବିକଳେ ॥୩୦
କୃଷ୍ଣ ବୋଲନ୍ତି ଶୁଣି ତାହା । ଅକ୍ରୁର ବେଗେ ରଥ ବାହା ॥୩୧
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ରଥେ ବସିଲା ବେଗେ ଯାଇ ॥୩୨
ଗୋବିନ୍ଦ ପାଦେ ମନ ଦେଇ । ରଥ ବାହଇ ତୋଷ ହୋଇ ॥୩୩
ଆଦିତ୍ୟ ତେଜ ଅବସାନେ । ମିଳିଲା ମଥୁରା ଭୁବନେ ॥୩୪
ପଥେ ଯେ ଥିଲେ ନରନାରୀ । ରଥେ ଦେଖିଲେ ରାମହରି ॥୩୫
ଦେଖି ଅପୂର୍ବ ରୂପ ଦୁଇ । ପାଦ-ନୟନ ନଚଳଇ ॥୩୬
ଗ୍ରାମେ ପ୍ରବେଶ ଭଗବାନ । ଦେଖି ସାନନ୍ଦ ମନେ ମନ ॥୩୭
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଅକ୍ରୁର ଦଣ୍ତେ ରୁହା ରଥ ॥୩୮
ପଛେ ଅଛନ୍ତି ଗୋପବାଳ । ଏଠାରେ ହୋନ୍ତୁ ଏକମେଳ ॥୩୯
ଗୋରସ ଅଛି ଯେତେ ଭାର । ରାଜାର ଉଚିତ ଭଣ୍ତାର ॥୪୦
ସକଳେ ଏକରୁଣ୍ତ ହୋଇ । ମିଳିବୁ ରାଜା ଆଗେ ଯାଇ ॥୪୧
ତେବେ ହୋଇବ ତୋର ଯଶ । ପାଇବୁ ଶାଢ଼ୀ ଗ୍ରାମ ଦେଶ ॥୪୨
ଏମନ୍ତ କହୁଁ କହୁଁ ପଥେ । ଗୋପାଳେ ମିଳିଲେ ତୁରିତେ ॥୪୩
ଦେଖି ସାନନ୍ଦ ଭାବଗ୍ରାହୀ । ବୋଲନ୍ତି ଅକ୍ରୁରେ ରୁହାଇ ॥୪୪
ରଥୁଁ ଓହ୍ଲାଇ ଦାମୋଦର । ଅକ୍ରୁର ହସ୍ତେ ଦେଇ କର ॥୪୫
କୋମଳ ମଧୁର ବଚନ । ଆଶ୍ୱାସି ଅକ୍ରୁରର ମନ ॥୪୬
ଭୋ ତାତ ରଥ ଘେନିଯାଅ । ରାଜାର ଛାମୁରେ ଜଣାଅ ॥୪୭
ବୋଲ ଅଇଲେ ବେନିଭାଇ । ଅଇଲି ତୋଟାରେ ରୁହାଇ ॥୪୮
ସକଳେ ହୋଇ ଏକମେଳ । ସଙ୍ଗେ ଅଛନ୍ତି ଗୋପବାଳ ॥୪୯
ଧନ ଗୋରସ ଆଦି କରି । ଶକଟମାନଙ୍କରେ ଭରି ॥୫୦
ସକଳେ ହୋଇ ଏକସ୍ଥାନ । କାଲି କରିବେ ଦରଶନ ॥୫୧
ଏତେକ କହିଣ ଛାମୁର । ଭୋ ତାତ ଯାଅ ନିଜ ଘର ॥୫୨
ଆମ୍ଭେ ଦେଖିବୁ ମଧୁପୁର । କେମନ୍ତ ଦିଶଇ ସୁନ୍ଦର ॥୫୩
ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣମୁଖ ଚାହିଁ ॥୫୪
ଏ କଥା ନୁହଁଇ ଉଚିତ । ତୁ କି ନ ଜାଣୁ ଗୋପୀନାଥ ॥୫୫
ତୁମ୍ଭ ଦୁହିଁକି ଛାଡ଼ି କରି । ଜୀବନ ଥିବ କି ମୋହରି ॥୫୬
ଭକତବତ୍ସଳ ମୁରାରି । ମୋତେ ନ ଛାଡ଼ କୋପକରି ॥୫୭
ଭୋ ନାଥ ଆସ ମୋର ଘର । ବାନ୍ଧବ ଯେବେ ମୁଁ ତୁମ୍ଭର ॥୫୮
ପବିତ୍ର କର ମୋର ପୁର । ଅଶେଷ ବ୍ରହ୍ମାଣ୍ତଠାକୁର ॥୫୯
ସଙ୍ଗତେ ରୋହିଣୀ କୁମର । ଯେତେ ଗୋପାଳେଛନ୍ତି ତୋର ॥୬୦
ସବୁନ୍ତ ଘେନି ମୋର ଘର । ବିଜୟ କର ଚକ୍ରଧର ॥୬୧
ତୋହର ପାଦରଜ-ନୀର । ପବିତ୍ର କରୁ ମୋର ଘର ॥୬୨
ପିତୃ ଯେ ଅଗ୍ନି ଦଇବତ । ଯାହା ଚିନ୍ତନ୍ତି ଅବିରତ ॥୬୩
ବଳି ଯେ ଧୋଇ ତୋ'ର ପାଦ । ପାଇଲା ଅଶେଷ ସମ୍ପଦ ॥୬୪
ଯଶ ରହିଲା ତିନିଲୋକେ । ଭକତି କଲା ସେହି ଏକେ ॥୬୫
ଗଙ୍ଗା ତୋ' ଚରଣୁ ବାହାର । ପବିତ୍ର କଲା ତିନିପୁର ॥୬୬
ଶଙ୍କର ବହିଅଛି ଶିରେ । ସଗରପୁତ୍ରେ ସ୍ୱର୍ଗେ ଗଲେ ॥୬୭
ତୁ ଦେବ ଦେବ ଜଗନ୍ନାଥ । ପୁଣ୍ୟକୀର୍ତ୍ତନ କୀର୍ତ୍ତିମନ୍ତ ॥୬୮
ଯଦୁଉତ୍ତମ ପୁଣ୍ୟଶ୍ଳୋକ । ନମଇଁ ଜଗତପାଳକ ॥୬୯
ଶୁଣି ବୋଲନ୍ତି ଚକ୍ରଧର । ଅକ୍ରୁର କନ୍ଧେ ଦେଇ କର ॥୭୦
ଭୋ ତାତ ଶୁଣ ମୋ ବଚନ । ମନେ ତୁ ନ ବିଚାର ଆନ ॥୭୧
ଅବଶ୍ୟ ଯିବି ତୋ'ର ପୁର । ସଙ୍ଗତେ ଘେନି ହଳଧର ॥୭୨
ଆଗେ ମୁଁ କଂସ ଦର୍ପ ଧ୍ୱଂସି । ବନ୍ଧୁବାନ୍ଧବ ମନତୋଷି ॥୭୩
ପଛେ ମୁଁ ଯିବି ତୋ'ର ପୁର । ଏ ସତ୍ୟବଚନ ମୋହର ॥୭୪
କୃଷ୍ଣ-ମୋହନ କଥା ଶୁଣି । ଅକ୍ରୁର ଗଲା ରଥ ଘେନି ॥୭୫
ଭୟେ ବିଚାର କରି ମନ । ନବରେ ପ୍ରବେଶି ବହନ ॥୭୬
ରଥ ରୁହାଇ ସିଂହଦ୍ୱାରେ । ଦର୍ଶନ କଲା ନୃପବରେ ॥୭୭
କଂସର ଆଗେ ଜଣାଇଲା । କୃଷ୍ଣଙ୍କୁ ଆଣିଲି ବୋଇଲା ॥୭୮
ନନ୍ଦ ସୁନନ୍ଦ ରାମ ସଙ୍ଗେ । ଗୋରସ ଗୋପାଳଙ୍କ ଲାଗେ ॥୭୯
ରୁଣ୍ତ ହୋଇଲେ ଗଡ଼ଦ୍ୱାରେ । ଆଜକ ରହିଲେ ତୋଟାରେ ॥୮୦
କାଲି କରିବେ ଦରଶନ । ଶୁଣ ହରଷ କଂସମନ ॥୮୧
ସନ୍ତୋଷ ମନେ ଭୋଜବୀର । ଅକ୍ରୁରେ ଦେଲା ଉପହାର ॥୮୨
ରତ୍ନବସନ ଅଳଙ୍କାର । ମେଲାଣି ପାଇଲା ଅକ୍ରୁର ॥୮୩
କଂସକୁ କରି ତୋଷମନ । ମିଳିଲା ଆପଣା ଭୁବନ ॥୮୪
କୃଷ୍ଣ ପ୍ରବେଶ କଥା ଶୁଣି । କଂସ ଯେ ମନେ ମନେ ଗୁଣି ॥୮୫
ନିକଟ ହୋଇଲା ବଇରୀ । ଅନେକ ବୀର ଅଛି ମାରି ॥୮୬
ହରଷ-ବିସ୍ମୟେ ରାଜନ । ମନ ହୋଇଲା ଛନ ଛନ ॥୮୭
କ୍ଷୁଧା ପିପାସା ସୁଖ ଭୋଗ । ସବୁ ହୋଇଲା ବିଷଯୋଗ ॥୮୮
କୃଷ୍ଣର ତହୁଁ ଏକମନ । ଚିତ୍ତ ନିରୋପି କରେ ଧ୍ୟାନ ॥୮୯
ନିକଟ ହୋଏ ସଂଜୀବନୀ । କହଇ ଆନୁଆନ ବାଣୀ ॥୯୦
ଏମନ୍ତେ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥୯୧
କୃଷ୍ଣ ଯେ ଥିଲେ ଉପବନେ । ଗୋପାଳେ ମିଳିଲେ ବହନେ ॥୯୨
ତୋଟାରେ ହୋଇଲେକ ରୁଣ୍ତ । ଆବୋରି ମଥୁରାର ଦାଣ୍ତ ॥୯୩
ଯେ ଯାହା ମତେ ସାଜି ଘର । ନାନା ପ୍ରକାରେ ଉପହାର ॥୯୪
କରନ୍ତି ରନ୍ଧନ ଭୋଜନ । ହରଷ ଗୋପାଳଙ୍କ ମନ ॥୯୫
ଭୋଜନ ସାରି ବେନିଭାଇ । ଗୋପାଳ ପୁଅଙ୍କୁ ଅନାଇ ॥୯୬
ବୋଲନ୍ତି ହୋଇ ହସହସ । ମଥୁରା ବୁଲିଯିବା ଆସ ॥୯୭
ବେଳ ହୋଇବ ଅବସାନ । ଥୋକାଏ ଦେଖିବା ଭୁବନ ॥୯୮
ଦେଖିବା ରାଜାର କଟକ । କେମନ୍ତ ଦିଶଇ ଛଟକ ॥୯୯
ଭିଆଇ ଧନୁଯାତ୍ରାଘର । କେମନ୍ତ କରିଛି ସମ୍ଭାର ॥୧୦୦
ଅକ୍ରୁର ହସ୍ତେ ଦେଇ ରଥ । ଆମ୍ଭଙ୍କୁ ଅଣାଇଛି ଏଥ ॥୧୦୧
ଏବେ କି କରିବ ଆମ୍ଭନ୍ତ । ହୋଇଲୁ ତାହାର ଆୟତ୍ତ ॥୧୦୨
ଆସ ହୋ ଯିବା ମଧୁପୁରୀ । ଆଗ ହୋଇଲେ ହଳଧାରୀ ॥୧୦୩
ଗୋପ କୁମରେ କୃଷ୍ଣ ସଙ୍ଗେ । ମିଳିଲେ ଗଡ଼ଦ୍ୱାରେ ଲାଗେ ॥୧୦୪
ଦେଖିଲେ ସ୍ପଟିକେ ନିର୍ମିତ୍ । ଉଚ୍ଚ ପୁରୁଷ ପାଞ୍ଚସାତ ॥୧୦୫
ବେନିକବାଟ ହେମମୟେ । ଲୁହାର କିଳିଣୀ ଯୋଡ଼ାଏ ॥୧୦୬
ତୋରଣ ବେନି ବୃକ୍ଷ ବାନ୍ଧି । ବିବିଧ ଫଳଡ଼ାଳେ ଛନ୍ଦି ॥୧୦୭
ତମ୍ବାର ପାଚେରୀ ବହଳ । ଖଣା ଗଭୀର ଶୁଦ୍ଧଜଳ ॥୧୦୮
ଭିତରେ ନାନା ବୃକ୍ଷମାନ । ଦେଖି ସାନନ୍ଦ କୃଷ୍ଣରାମ ॥୧୦୯
ଯେ ଯାହାମତେ ଅଳଙ୍କାର । ବେଦୀଏ ଦିଶନ୍ତି ସୁନ୍ଦର ॥୧୧୦
ଅ
ଟ୍ଟାଳୀ ଉପରେ ସୁନ୍ଦର । ସୁନା କଳସ ଧ୍ୱଜସାର ॥୧୧୧
ଉପରେ ଶୋହେ ରତ୍ନମାଳା । ସ୍ପଟିକ ହୀରାର ମେଖଳା ॥୧୧୨
ବୈଡ଼ୁର୍ଯ୍ୟ ମର୍କତ ମୁକୁତା । ଲମ୍ବନ୍ତି ମାଳ ମାଳ ଗୁନ୍ଥା ॥୧୧୩
ସୁବର୍ଣ୍ଣ କାନ୍ଥ ରତ୍ନ ଚାଳ । ଜଳାକବାଟି ପରିମଳ ॥୧୧୪
ପାରା ମୟୂର ନାଦ କରି । ଝିଙ୍କ କୋକିଳ ଶୁକ ଶାରୀ ॥୧୧୫
ଗଜ ତୁରଙ୍ଗଶାଳା ପାଖେ । ବରାହ ମୃଗ ଝାଙ୍କେଝାଙ୍କେ ॥୧୧୬
ବନକୁକ୍କୁଟ ରାଜହଂସୀ । ଦେଖି ଶ୍ରୀକୃଷ୍ଣ ପରଶଂସି ॥୧୧୭
ତହୁଁ ପଶିଲେ ପୁରେ ଯାଇ । ପୋଏ ଚାହାଁନ୍ତି ତୋଷ ହୋଇ ॥୧୧୮
ଦେଖିଲେ ରାଜମାର୍ଗେ ହରି । ଚନ୍ଦନ ଛେରାଏ ପହଁରି ॥୧୧୯
ତଣ୍ତୁଳ ଲାଜା ଦୁର୍ବାସଙ୍ଗେ । ନାରୀଏ ବନ୍ଦାନ୍ତି ସୁରଙ୍ଗେ ॥୧୨୦
ସବୁରି ଦ୍ୱାରେ ପୂର୍ଣ୍ଣକୁମ୍ଭ । ଦଧି ଅକ୍ଷତ ବସ୍ତ୍ରଲମ୍ବ ॥୧୨୧
ଫଳ ପଲ୍ଲବ ଦୀପାବଳୀ । ଶଙ୍ଖ ମହୁରି ହୁଳହୁଳି ॥୧୨୨
ଦ୍ୱାରେ କଦଳୀ ବେନିବୃକ୍ଷେ । ତୋରଣ ମାଳ ଧ୍ୱଜ ଉଚ୍ଚେ ॥୧୨୩
ଦ୍ୱାରର ଖମ୍ବେ ପାଟଶାଢ଼ୀ । ଉପରେ ଚାନ୍ଦୁଆ ଉହାଡ଼ି ॥୧୨୪
ବସୁଦେବର ବେନିସୁତେ । ଗୋପାଳ ମେଳେ ରାଜପଥେ ॥୧୨୫
ଦେଖି ଆନନ୍ଦ ନରନାରୀ । ପଡ଼ିଲା ରାଜପଥେ ହୁରି ॥୧୨୬
ନାନା ପସରା ହାଟବାଟେ । କାମିନୀ ଧାମନ୍ତି ଉଚ୍ଚାଟେ ॥୧୨୭
ବୃକ୍ଷ ଅଟ୍ଟାଳୀ ଆରୋହନ୍ତି । ପିଢ଼ାରେ ଉଠି କେ ଦେଖନ୍ତି ॥୧୨୮
କେ ନାରୀ ଚିତ୍ତ ଅନାୟତ୍ତେ । ବସ୍ତ୍ର ପିନ୍ଧିଲା ବିପରୀତେ ॥୧୨୯
ଅଙ୍ଗଭୂଷଣ ଆନୁ ଆନେ । ଅଞ୍ଜନ ଏକଇ ନୟନେ ॥୧୩୦
ଏକ ଶ୍ରବଣେ କାପ ଭରି । ନୂପୁର ଏକପାଦେ କରି ॥୧୩୧
ବଳୟ ଭରି ବାମହସ୍ତେ । କବରୀ ଫିଟିଅଛି ମାଥେ ॥୧୩୨
କେ ଭୁଞ୍ଜୁଥିଲା ଦଧିଭାତ । ଧାଇଁଲା ନ ପଖାଳି ହାତ ॥୧୩୩
ତୈଳ ଅଏଁଳା ଘେନି ଶିରେ । କେ ଅବା ଥିଲେ ନଦୀତୀରେ ॥୧୩୪
ସ୍ନାହାନ ଉପେକ୍ଷି ବହନ । ଧାଇଁଲେ ଶୁଣି ବାଦ୍ୟସ୍ୱନ ॥୧୩୫
ଶୋଇଲା ଲୋକଙ୍କୁ ଚିଆଇଁ । ଆସଗୋ ବୋଲି ବେଗେ ଧାଇଁ ॥୧୩୬
କାଖରୁ ବାଳକ ପକାଇ । ଧାମନ୍ତି କୃଷ୍ଣେ ମନ ଦେଇ ॥୧୩୭
ଦେଖିଣ ବସୁଦେବସୁତ । ନିର୍ମଳ କଲେ ଚର୍ମନେତ୍ର ॥୧୩୮
ମଥୁରାନାରୀଙ୍କର ମନ । ମୋହିଲେ ପ୍ରଭୁ ଭଗବାନ ॥୧୩୯
ଲଳିତଗତି ଦିବ୍ୟବେଶ । ରଙ୍ଗଅଧରେ ମନ୍ଦହାସ ॥୧୪୦
ମତ୍ତମାତଙ୍ଗ ପ୍ରାୟ ହୋଇ । କଟାକ୍ଷନୟନେ ଅନାଇଁ ॥୧୪୧
ମଥୁରାପୁରନାରୀଙ୍କର । ଉତ୍ସବ ହୋଇଲା ଅପାର ॥୧୪୨
ଯାହାର ଜନ୍ମ-କର୍ମ-ପଥେ । ବାରତା ଶୁଣୁଥିଲେ ନିତ୍ୟେ ॥୧୪୩
ଦେଖିଲେ ନୟନ ପୂରାଇ । ଗୋବିନ୍ଦ-ସୁଧାରସ ପାଇ ॥୧୪୪
ଭିତରେ କୃଷ୍ଣଙ୍କୁ ଦେଖିଲେ । ଆନନ୍ଦେ ଲୋଚନ ବୁଜିଲେ ॥୧୪୫
ହୃଦରେ ଭିଡ଼ି ଆଲିଙ୍ଗନ । କରି ଛାଡ଼ିଲେ ଖେଦମନ ॥୧୪୬
ବୃକ୍ଷ ଅ
ଟ୍ଟାଳୀ ଗୃହେ ଥାଇ । ଆନନ୍ଦ ଲୋଚନେ ଅନାଇଁ ॥୧୪୭
ହରଷେ କୁସୁମ ଅଞ୍ଜଳି । ଦେଇ କରନ୍ତି ହୁଳାହୁଳି ॥୧୪୮
ଅନେ୍ଧ ବନ୍ଧୁଙ୍କ କନେ୍ଧ ହସ୍ତ । ଦେଖି ଆସନ୍ତି ଗୋପୀନାଥ ॥୧୪୯
ବ୍ରହ୍ମଣେ ଆସି ରାଜଦାଣ୍ତେ । କରଅଞ୍ଜଳି ଦେଇ ମୁଣ୍ତେ ॥୧୫୦
ଦଧି ଅକ୍ଷତ ଗଙ୍ଗାନୀର । କୁସୁମ ଗନ୍ଧ ଉପହାର ॥୧୫୧
ଆନନ୍ଦେ କୃଷ୍ଣ ବଳରାମ । ବ୍ରାହ୍ମଣେ ପୂଜି ତୋଷମନ ॥୧୫୨
ମଥୁରାପୁର ଲୋକେ ମିଳି । ଦେଖିଲେ ରାମ ବନମାଳୀ ॥୧୫୩
କହନ୍ତି ଗୋପାଳଙ୍କ ଭାବ । ଶତ-ଜନମେ କେ ପାଇବ ॥୧୫୪
ଅନେକ ଜନ୍ମେ ତପ କରି । ଗୋପରେ ଯେତେ ନରନାରୀ ॥୧୫୫
ଗାଈ ମହିଁଷି ବନଭାଗେ । ଦିନ ବଞ୍ଚିଲେ କୃଷ୍ଣ ସଙ୍ଗେ ॥୧୫୬
ରାମ ଗୋବିନ୍ଦ ମୁଖ ଚାହିଁ । ଜନ୍ମ ମରଣ ଭୟ ନାହିଁ ॥୧୫୭
ଏମନ୍ତ ବୋଲୁଁ ବୋଲୁଁ ଲୋକେ । ରଜକ ମିଳିଲା ଛଟକେ ॥୧୫୮
ଭାଇ ସୋଦର ବନ୍ଧୁବଳ । ଘେନାଇଁ ରାଜା ମଢ଼ିଆଳ ॥୧୫୯
ଆଗେ ବାଜଇ ଶଙ୍ଖ ବେନି । ଚାଲଇ ମଢ଼ିଆଳ ଘେନି ॥୧୬୦
ଦେଖି ପଚାରିଲେ ମୁରାରି । କେ ଯାଏ ବାଦ୍ୟନାଦ କରି ॥୧୬୧
ଲୋକେ ବୋଇଲେ ଏ ରଜକ । ଅଟଇ କଂସର ସେବକ ॥୧୬୨
ନିତ୍ୟେ ଏ ମଢ଼ିଆଳ ନେଇ । ଯମୁନାନଦୀରେ କାଚଇ ॥୧୬୩
ଏ ନେଇ ଦେବ ଗନ୍ତାଘରେ । ଭୋଜ ନୃପତିଙ୍କ ଛାମୁରେ ॥୧୬୪
ଶୁଣି ଗୋବିନ୍ଦ ତୋଷ ହୋଇ । ଡ଼ାକନ୍ତି ରହ ରହ ଭାଇ ॥୧୬୫
ଆଗେ ଓଗାଳି ହଳଧର । ପୋଏ ବେଢ଼ିଲେ ଧାତିକାର ॥୧୬୬
ରଜକ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥୧୬୭
ଦେଖିବା ରାଜା ମଢ଼ିଆଳ । ବସ୍ତ୍ର ତୁ ବେଗେ ଥୁଅ ତଳ ॥୧୬୮
ଆମ୍ଭେ ହୋ ବସୁଦେବସୁତେ । ଗୋପରେ ଥିଲୁ ଦିନାକେତେ ॥୧୬୯
ଦେଖିବା କେମନ୍ତ ସୁନ୍ଦର । କଂସ ରାଜାର ମଢ଼ିଆଳ ॥୧୭୦
ଯେବେ ତୁ ନ ଦେବୁ ଦେଖାଇ । ଆମ୍ଭଙ୍କୁ ଦିଅ ବସ୍ତ୍ର ଦୁଇ ॥୧୭୧
ନୀଳ ଧବଳ ଦେହ ଚାହଁ । ଆମ୍ଭ ଉଚିତେ ବସ୍ତ୍ର ଦିଅ ॥୧୭୨
ଆମ୍ଭେଟି ରାଜାର ଭଣଜା । ବସ୍ତ୍ର ତୁ ଦେଇଣ କହ ଯା ॥୧୭୩
ଶୁଣି ନୃପତି ହେବେ ତୋଷ । ସଂସାରେ ଥିବ ତୋର ଯଶ ॥୧୭୪
ରଜକ ଛଦ୍ରମେଣ କାଲ । ନ ଶୁଣି ରାମକୃଷ୍ଣ ବୋଲ ॥୧୭୫
ପୁଣି ଚାଲଇ ପହଲାଇ । ଆଗ ହୋଇଲେ ଭାବଗ୍ରାହୀ ॥୧୭୬
ମିଳିଲେ ରୋହିଣୀର ବଳା । ଦେଖି ରଜକ କୋପ କଲା ॥୧୭୭
ଦଇବେ ରାଜାର ସେବକ । ରଜକ ସ୍ୱଭାବେ ମୂରୁଖ ॥୧୭୮
ବୋଲଇ ଧିକ୍କାର ବଚନ । ତୁମ୍ଭେ ଯେ ଅଟ ଜାତିହୀନ ॥୧୭୯
ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ ॥୧୮୦
ଗଉଡ଼ଜାତି ହୀନ ଲୋକ । ଶୃଗାଳ ପ୍ରାୟେ ତୁମ୍ଭ ମୁଖ ॥୧୮୧
ବାଇଙ୍କ ପ୍ରାୟ ଗାଈ ଘେନି । କରୁ ଯେ ଥାଅ ବେଣୁଧ୍ୱନି ॥୧୮୨
ଏଡ଼େ ଭରସା ଗର୍ବ ବହ । ରାଜା ମଢ଼ିଆଳ ରୁହାଅ ॥୧୮୩
ନିର୍ଲ୍ଲଜ ବୋଲି ଏହା ବୋଲ । ଜୀବନ ଥାଉଁ ଥାଉଁ ମଲ ॥୧୮୪
ତୁମ୍ଭର ପୂର୍ବେ ତପ ନାହିଁ । ଗଉଡ଼େ ଅଛ ଜାତ ହୋଇ ॥୧୮୫
ଜୀବନେ ଯେବେ ଅଛି ଆଶ । ବେଗେ ପଳାଅ ନିଜ ଦେଶ ॥୧୮୬
ରାଜାର ଲୋକେ ଏହା ଶୁଣି । ସବୁନ୍ତ ପକାଇବେ ହାଣି ॥୧୮୭
ତୁମ୍ଭେ ନ ମାଗ ମଢ଼ିଆଳ । ତୁମ୍ଭର ପୂରିବଟି କାଳ ॥୧୮୮
କଂସ ହିଁ ଅଛଇ ଅଣାଇ । ନିଶ୍ଚେ ମରିବ ବେନିଭାଇ ॥୧୮୯
ଜୀବନେ ମାରିବ ତୁମ୍ଭଙ୍କୁ । ବନ୍ଦୀ ସେ କରିବ ନନ୍ଦକୁ ॥୧୯୦
ହୋଇବ ତୁମ୍ଭେ ବିଷାବଳି । ଶୁଣି କୋପିଲେ ବନମାଳୀ ॥୧୯୧
ଚାପୁଡ଼େ ମାରି ବାମକର । ଛେଦିଲେ ରଜକର ଶିର ॥୧୯୨
ତାହାର ସଙ୍ଗେ ଯେତେ ଥିଲେ । ବସ୍ତ୍ର ପକାଇ ପଳାଇଲେ ॥୧୯୩
ରଜକ ଭୂମିରେ ପଡ଼ିଲା । ଜୀବନ ଗୋବିନ୍ଦେ ପଶିଲା ॥୧୯୪
ହସି ବୋଲନ୍ତି ଭଗବାନ । ବସ୍ତ୍ର ଯେ ଘେନ ଯେଝାମନ ॥୧୯୫
ରାମ ଫେଡ଼ିଲେ ବସ୍ତ୍ରପୁଡ଼ା । ଥିଲା ତହିଁରେ ଯେତେ ଯୋଡ଼ା ॥୧୯୬
ବାଛି ଘେନିଲେ ପୀତ ନୀଳ । ସୁନ୍ଦର ରାଜା ମଢ଼ିଆଳ ॥୧୯୭
ଗୋପାଳ ପୋଏ ଯେଝାମତେ । ବସ୍ତ୍ର ପିନ୍ଧିଲେ ତୋଷଚିତ୍ତେ ॥୧୯୮
ଯେତେ ମଢ଼ିଆଳ ଉବୁରି । ପକାଇ ଗଲେ କୁଢ଼ କରି ॥୧୯୯
କନ୍ଧେପକାଇ ମଢ଼ିଆଳ । ଚାହାଁନ୍ତି ମଦନ ଗୋପାଳ ॥୨୦୦
ଥିଲା ଯେ କଂସ ବେଶକାରୀ । ଆଗେ ମିଳିଲା କରଯୋଡ଼ି ॥୨୦୧
ବୋଲଇ ଶିରେ କର ଦେଇ । ରାଜାର ଗନ୍ତାୟତ ମୁହିଁ ॥୨୦୨
ବସ୍ତ୍ର ମୁଁ ପିନ୍ଧାଇବି ରଙ୍ଗେ । କାଛେଣି ନାନା ପରିଭଙ୍ଗେ ॥୨୦୩
ଶୁଣି ସାନନ୍ଦ ଗୋପୀନାଥ । ବସନ ଦେଲେ ତା'ର ହସ୍ତ ॥୨୦୪
ତକ୍ଷଣେ ପିନ୍ଧାଇଲା କାଛି । ରାମ ଗୋବିନ୍ଦେ ବଳ ଆଞ୍ଚି ॥୨୦୫
ବିବିଧମତେ ଅଳଙ୍କାର । ସ୍କଭାବେ ଦିଶିଲା ସୁନ୍ଦର ॥୨୦୬
ବସ୍ତ୍ର ପିନ୍ଧିଲେ ପୀତନୀଳ । ଉତ୍ସବ ଯେହ୍ନେ ପର୍ବକାଳ ॥୨୦୭
ବାଳକହସ୍ତୀ ବେଶକରି । ଯେସନେ ଆନନ୍ଦେ ବିହରି ॥୨୦୮
ରାମଗୋବିନ୍ଦ ସେହିମତେ । ଦିଶନ୍ତି ମଥୁରାର ପଥେ ॥୨୦୯
ଗୋବିନ୍ଦ ଗନ୍ତାୟତେ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୨୧୦
ସମ୍ପଦ ହେଉ ତୋ' ଅନେକ । ବହୁତ ପୁତ୍ର ନାତି ଦେଖ ॥୨୧୧
ବଳ ତୋହର ଦେହେ ଥାଉ । ମୋହର ପାଦେ ଚିତ୍ତ ରହୁ ॥୨୧୨
ଅନ୍ତେ ପଶିବୁ ମୋର ଦେହେ । କହି ଚଳିଲେ ଦେବରାୟେ ॥୨୧୩
ଚଳନ୍ତି ମଥୁରାଏ ହେରି । ଗୋପାଳ ପୋଏ ରାମହରି ॥୨୧୪
ସୁଦାମା ନାମେ ମାଳାକାର । କୃଷ୍ଣ ମିଳିଲେ ତା'ର ଘର ॥୨୧୫
ନାନା କୁସୁମେ ପରିମଳ । ପବନ ବହଇ ଶୀତଳ ॥୨୧୬
ମାଳୀର ଦ୍ୱାରେ ଉଭା ହୋଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ ॥୨୧୭
କୋମଳ ମଧୁର ବଚନ । ସୁଦାମା ଶୁଣି ତୋଷମନ ॥୨୧୮
ବାହାର ହୋଇଲା ବହନ । ଦେଖିଲା ରାମ ଭଗବାନ ॥୨୧୯
ଆନନ୍ଦେ ଗଡ଼ଘାଲି ଶୋଇ । ବୋଲଇ ନିସ୍ତରିଲି ମୁହିଁ ॥୨୨୦
ପତ୍ନୀ ଆଣିଲା ଜଳଝରି । ପାଦ ଧୋଇଲା ଯତ୍ନକରି ॥୨୨୧
ପାଦଉଦକ ଘେନି ଶିରେ । ସିଞ୍ଚିଲା ନେଇ ଘରଦ୍ୱାରେ ॥୨୨୨
ପତିପତ୍ନୀ ସେ ଜଳ ପାଇ । ନାଚନ୍ତି ଶିରେ କର ଦେଇ ॥୨୨୩
ଆନନ୍ଦ ସାଗରେ ବୁଡ଼ିଲେ । ଗୋବିନ୍ଦ ଚରଣେ ପୂଜିଲେ ॥୨୨୪
ଯେତେକ ଅର୍ଘ୍ୟ ଆଚମନ । ଧୂପ ଦୀପ ଗନ୍ଧ ଚନ୍ଦନ ॥୨୨୫
ରୋହିଣୀସୁତ କୃଷ୍ଣ ସଙ୍ଗେ । ପୂଜିଲା ପଦ୍ମପାଦ ଯୁଗେ ॥୨୨୬
ପୂଜାର ଅନ୍ତେ ପାଦେ ପଡ଼ି । ବୋଲଇ ଶିରେ କରଯୋଡ଼ି ॥୨୨୭
ଧନ୍ୟ ହୋଇଲା ଆଜଦିନ । ପବିତ୍ର ହେଲା ମୋର ଜନ୍ମ ॥୨୨୮
ନିର୍ମଳ ହୋଇଲା ମୋ' କୁଳ । ଦେଖିଲି ପ୍ରଭୁ ଆଦିମୂଳ ॥୨୨୯
ପିତୃ ଦେବତା ଋଷି ଯେତେ । ତୋଷ ହୋଇଲେ ଆଜମୋତେ ॥୨୨୯
ଦେଖିଲି ପୁରୁଷ ପୁରାଣ । ଅନାଦି ପରମ କାରଣ ॥୨୩୦
ଅବନୀଭାରାର ଉଶ୍ୱାସେ । ଦେହ ବହିଲେ ନରଅଂଶେ ॥୨୩୧
ଏ ରୂପ ଅସୁର ନାଶନ । ସାଧୁଙ୍କୁ ଦେଲ ଆତ୍ମଜ୍ଞାନ ॥୨୩୨
ତୁମ୍ଭେ ଜଗତ ପିତାମାତ । ନାହିଁ ତୁମ୍ଭର ଆଦିଅନ୍ତ ॥୨୩୩
ସକଳଜନ୍ତୁଙ୍କ ଜୀବନ । ପାଳନ ହେତୁ ନିରଞ୍ଜନ ॥୨୩୪
ଭାବକରନ୍ତି ପ୍ରାଣୀ ଯେତେ । ତାହାଙ୍କୁ ଭାବୁ ଏକଚିତ୍ତେ ॥୨୩୫
ଭୋ ନାଥ ମୋତେ ଆଜ୍ଞାକର । କିମ୍ବା ଅଇଲ ମୋର ଘର ॥୨୩୬
ତୋହର ଆଜ୍ଞା ଶିରେ ଘେନି । ତରନ୍ତି ଭବଜଳୁଁ ପ୍ରାଣୀ ॥୨୩୭
ଏମନ୍ତ ବୋଲି ତୋଷମନେ । ପାଦେ ପଡ଼ିଲେ ବେନିଜନେ ॥୨୩୮
କୃଷ୍ଣ ବୋଇଲେ ଶୁଣ ତୁହି । ଆମ୍ଭେ ଅଇଲୁ ଯହିଁ ପାଇଁ ॥୨୩୯
ଦିଅ କୁସୁମମାଳମାନ । ଯାହାକୁ ଯେହୁ ଶୋଭାବନ ॥୨୪୦
ସୁଦମା କୃଷ୍ଣର ବଚନେ । ପଶିଲା ଆପଣା ଭୁବନେ ॥୨୪୧
ସୁଗନ୍ଧ କୁସୁମର ଗଭା । ସୁନ୍ଦର ଦିଶୁଅଛି ଶୋଭା ॥୨୪୨
କୃଷ୍ଣ ନିକଟେ ଦେଲା ନେଇ । ରାମ ଦେଖନ୍ତି ତାଟ ଫେଇ ॥୨୪୩
ରାମ ଗୋବିନ୍ଦ ବେନିଭାଇ । ତାଟୁ ଘେନିଲେ ମାଳ ଦୁଇ ॥୨୪୪
ଲମ୍ବାଇ ରାମକୃଷ୍ଣ ହୃଦେ । ସୁଦାମା ଚାହଁଇ ଆନନ୍ଦେ ॥୨୪୫
ଚୂଳେ ବାନ୍ଧିଲା ବେନିଗଭା । ଦିଶନ୍ତି ରାମକୃଷ୍ଣ ଶୋଭା ॥୨୪୬
ତ୍ରିମୁଣ୍ତି ଗଭା ଶିରେ ଦେଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥୨୪୭
ସୁଦାମା ମୁଖ ଚାହିଁ ହରି । ବୋଲନ୍ତି ରାମ କର ଧରି ॥୨୪୮
ବର ତୁ ମାଗ ତୋଷମନେ । ତୋହର ବାଞ୍ଛା ଯେତେ ମନେ ॥୨୪୯
ମାଳୀ ବୋଲଇ ଯୋଡ଼ିକର । ଶୁଣିମା ପ୍ରଭୁ ଦାମୋଦର ॥୨୫୦
ସର୍ବସମ୍ପଦ ଅଟୁ ତୁହି । ତୋ' ତହୁଁ ଅନ୍ୟଗତି ନାହିଁ ॥୨୫୧
ମୋର ସମ୍ପଦେ ନାହିଁ କାର୍ଯ୍ୟ । ଶୁଣିମା ପ୍ରଭୁ ଦେବରାଜ ॥୨୫୨
ତୋ'ର ଭକତ ଯେତେ ଜନେ । ସେବିବି ତାହାଙ୍କ ଚରଣେ ॥୨୫୩
ପ୍ରାଣୀଙ୍କ ହିତେ ମୋର ଦୟା । ଭୋ ନାଥ ମୋତେ ଦିଅ ଏହା ॥୨୫୪
ଶୁଣି ସାନନ୍ଦ ମହାବାହୁ । ବୋଇଲେ ବାଞ୍ଛା ସିଦ୍ଧ ହେଉ ॥୨୫୫
ମାଳୀର ମନ ତୋଷ କରି । ଧନ ଆୟୁଷ ଯଶ ଶିରୀ ॥୨୫୬
ଦେଇ ଚଳିଲେ ଦାମୋଦର । ଗୋପ କୁମରେ ହଳଧର ॥୨୫୭
କହଇ ଦାସ ଜଗନ୍ନାଥ । ଗୋବିନ୍ଦ ମଥୁରାର ପଥ ॥୨୫୮
ଏବେ ହୋଇବ ମହୀ ସ୍ଥିର । ଅସୁର କରିବେ ସଂହାର ॥୨୫୯
ଭକତଜନେ ଶୁଣି ଏହା । ଖଣ୍ତିବେ ଘୋର ଜଡ଼ ମାୟା ॥୨୬୦
ଏଣେ ହରିଙ୍କି ଧ୍ୟାନ କରି । ଭବସାଗରୁ ଯିବ ତରି ॥୨୬୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଥୁରାପୁରପ୍ରବେଶୋ ନାମ ଚତୁଃଚତ୍ୱାରିଂଶୋଽଧ୍ୟାୟଃ ॥
</poem>
==='''ପଞ୍ଚଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ଶୁକ ବ୍ରହ୍ମଋଷି । ଶୁଣ ରାଜନ କୁରୁବଂଶୀ ॥୧
ସେଠାରୁ ଗଲେ ବନମାଳୀ । ଦେଖନ୍ତି ପୁରଜନେ ମିଳି ॥୨
ଚାଲନ୍ତେ ପ୍ରଭୁ ଦେବରାଜା । ବାଟରେ ମିଳିଲା କୁବୁଜା ॥୩
ସୁଗନ୍ଧପେଡ଼ି ଘେନି କାଖେ । ଚାଲଇ ପଥେ ତିନିବାଙ୍କେ ॥୪
ମୁଖ ତା' ଦିଶଇ ସୁନ୍ଦର । କଟାକ୍ଷେ ଚାହଁଇ ମଧୁର ॥୫
ଗନ୍ଧଚନ୍ଦନ ନିତ୍ୟେ ନେଇ । କଂସର ଛାମୁରେ ଭେଟଇ ॥୬
ତା'ର ଚନ୍ଦନ ଦେଖି କଂସ । ମନେ ଅନେକ ହୋଏ ତୋଷ ॥୭
କୁବୁଜା କୃଷ୍ଣଙ୍କୁ ଦେଖିଲା । ସଭୟେ ପଥ ଉପେକ୍ଷିଲା ॥୮
ଲାଜରେ ଗଲା ଆଡ଼ ହୋଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥୯
କୃଷ୍ଣ ମିଳିଲେ ତା'ର ପାଖେ । ବୋଲନ୍ତି କିସ ତୋର କାଖେ ॥୧୦
ଚନ୍ଦନ ପ୍ରାୟେକ ବାସଇ । କାହାକୁ ଦେବୁ ଏହା ନେଇ ॥୧୧
କହ ତୋହର ନାମ କିସ । ଦିଶୁଛୁ ଏମନ୍ତ ଭବିଷ୍ୟ ॥୧୨
କାହାର ପତ୍ନୀ ତୁ ବୋଲାଉ । ପିଠିରେ ତିନି କୁଜ ବହୁ ॥୧୩
କି କର୍ମେ ହୋଇଲୁ ଏମନ୍ତ । ଭୟ ନ କରି କହ ସତ୍ୟ ॥୧୪
ଆମ୍ଭେ ଗୋ ଅଟୁ ସହୋଦର । ରେହିଣୀସୁତ ଦାମୋଦର ॥୧୫
ଦେଖ ଆମ୍ଭର ଦେହ ଶୂନ୍ୟ । ଥୋକାଏ ଦେବୁକି ଚନ୍ଦନ ॥୧୬
ଆମ୍ଭେ ହୋଇବୁ ତୋଷ ମନ । ପାଇବୁ ପରଲୋକ ଧର୍ମ ॥୧୭
ରାଜା ହୋଇବ ମନେତୋଷ । ଜଗତେ ଥିବ ତୋର ଯଶ ॥୧୮
କୁବୁଜା କୃଷ୍ଣ ବୋଲ ଶୁଣି । କହେ ଅମୀୟ ରସ ବାଣୀ ॥୧୯
ଯାହା ତୁ ପଚାରିଲୁ ସ୍ୱାମୀ । ସକଳଭୂତେ ଅନ୍ତର୍ଯ୍ୟାମୀ ॥୨୦
ତୁ ଅଟୁ ଜଗତ ସୁନ୍ଦର । ଦାସୀ ମୁଁ ହୋଇବି ତୋହର ॥୨୧
କଂସର ଅଟଇ ନିଯୋଗୀ । କରଇ ଚତୁଃସମ ଲାଗି ॥୨୨
ସ୍ୱାମୀ ତନୟ ମୋର ନାହିଁ । ଜନ୍ମହୁଁ କୁବୁଜା ଅଟଇ ॥୨୩
ବିରୂପ ଦେଖି ମୋର ଶୋଭା । କେହିନୋହିଲେ ମୋତେ ବିଭା ॥୨୪
ଜାତି ମୋହର ଘଟୁଆରୀ । ଜୀବିକା କଂସ-ସେବାକାରୀ ॥୨୫
ପିତା ମୋ' ଅପୁତ୍ରିକ ହୋଇ । କାଳେ ଲଭିଲା ସ୍ୱର୍ଗ ଭୂଇଁ ॥୨୬
ପିତାର ପୁତ୍ର ଯହୁଁ ନାହିଁ । ସେବା ଆବୋରିଅଛି ମୁହିଁ ॥୨୭
ମୋର ଚନ୍ଦନେ ନୃପ ତୋଷ । ଦେଇଛି ମୋତେ ତିନିଦେଶ ॥୨୮
ବହୁତ ଧନରତ୍ନ ମୋର । ଜୀବନ ହୋଇଲା ଅସାର ॥ ୨୯
ନିଷ୍ଫଳ ହୋଇଲା ମୋ' ଦେହୀ । ପୂର୍ବେ ଅର୍ଜିଲି ଯାହା ମୁହିଁ ॥୩୦
ତୋ ରୂପ ଦେଖି ମୋର ମନ । ନିର୍ମଳ ହୋଇଲା ନୟନ ॥୩୧
ଏ ହାଦେ ରାଜାଗନ୍ଧପେଡ଼ି । ଦେଖାଇ କୃଷ୍ଣ ଆଗେ ଫେଡ଼ି ॥୩୨
ରାଜାର ଗନ୍ଧ ଏ ଅଟଇ । ତୁମ୍ଭ ଦୁହିଁଙ୍କି ଏ ଯୋଗାଇ ॥୩୩
ଥୋକାଏ ଦେବି ଗନ୍ଧ ତୋତେ । କଂସ କୋପିବଯେବେ ମୋତେ ॥୩୪
ତାହାକୁ ନାହିଁ ମୋର ଡ଼ର । ତୁମ୍ଭେ ମୋହର ବଳୀୟାର ॥୩୫
ଏମନ୍ତ ବୋଲି ଗନ୍ଧ ଫେଇ । ଲେପିଲା କୃଷ୍ଣ ଅଙ୍ଗେ ନେଇ ॥୩୬
ନାଭିରୁ ଶିରଯାଏ ବୋଳି । ଆନନ୍ଦେ ଦେଲା ହୁଳହୁଳି ॥୩୭
କପାଳେ ଦେଲା ଠିଆ ଚିତା । କର୍ପୂର କସ୍ତୁରୀ ଶୋଭିତା ॥୩୮
ରାମଙ୍କୁ କଲା ସେହି ମତ । ଦେଖି ହସନ୍ତି ଗୋପୀନାଥ ॥୩୯
ଦୟାସାଗର ଦାମୋଦର । ଧଇଲେ କୁବୁଜାର କର ॥୪୦
ବେନିଚରଣେ ପାଦ ଦେଇ । ଓଷ୍ଠରେ ଅଙ୍ଗୁଳି ଲଗାଇ ॥୪୧
ଅଳପେ କରି ଦେଲେ ଟେକି । ପୋଏ ହସନ୍ତି ତାହା ଦେଖି ॥୪୨
ଲାଗନ୍ତେ ଚକ୍ରଧର କର । ତକ୍ଷଣେ ହୋଇଲା ସୁନ୍ଦର ॥୪୩
ତା' ତିନିକୁଜ କେଣେ ଗଲା । ରୁପେଣ ଅନଙ୍ଗ ମୋହିଲା ॥୪୪
ହୋଇଲା ଅପୂର୍ବ କାମିନୀ । ଦେଖି ଟଳିବେ ସୁର ମୁନି ॥୪୫
ଜଗତେ ନାହିଁ ପଟାନ୍ତର । ଦିଶଇ ଅତ୍ୟନ୍ତ ସୁନ୍ଦର ॥୪୬
ଦେଖି ଚକିତ ଦେବତାଏ । କୃଷ୍ଣ ହୁଁ ଆନେ ନ ଯୋଗାଏ ॥୪୭
କୁବୁଜା ନିଜ ରୂପ ଚାହିଁ । କୃଷ୍ଣଙ୍କୁ ଦେଖି ବିଚାରଇ ॥୪୮
ଏତ ଅନାଦି ବିଶ୍ୱକର୍ମା । ନାହିଁ ନା ଜଗତେ ଉପମା ॥୪୯
ଏ ମୋତେ କଲାକି ସୁନ୍ଦର । ଏ ଯେ ମୋହର ନିଜ ବର ॥୫୦
ଅନେକ ଅଛି ମୋର ଭାଗ୍ୟ । ଦଇବ କରିଛି ସଂଯୋଗ ॥୫୧
ଏମନ୍ତ କୁବୁଜା ବିଚାରି । ଧଇଲା କୃଷ୍ଣର ଉତ୍ତରୀ ॥୫୨
ଲଜ୍ଜା ହିଁ ନ କଲା ରାମଙ୍କୁ । ବୋଇଲା ଆସ ମୋ' ଘରକୁ ॥୫୩
ମୋର ମନ୍ଦିରେ ଆଜ ରହି । କାଲି ଭେଟିବ ନୃପସାଇଁ ॥୫୪
ତୁମୋତେ କଲୁ ଏଡ଼େ ରୂପ । ଭୋ ନାଥ ନ କରିବା କୋପ ॥୫୫
ଏ ଦେହ ହେଲେ ଆନେଭୋଗ୍ୟ । ଅନଳେ କରିବି ସଂଯୋଗ ॥୫୬
ତୁ ଆଜ ଗଲେ ମୋତେ ଛାଡ଼ି । ବଜ୍ର ପଡ଼ିବ ଶିରେ ମାଡ଼ି ॥୫୭
ଜୀବନ ରଖ ମୋର ଆଜ । ଶୁଣି ପାଇଲେ କୃଷ୍ଣ ଲାଜ ॥୫୮
ଗୋପକୁମରଙ୍କୁ ଅନାଇ । ବୋଇଲେ କୁବୁଜୀ ରୁହାଇ ॥୫୯
ଆମ୍ଭେ ଗୋ ଥିଲୁ ଗୋପପୁରୀ । ରାଜା ଅଣାଇ ଅଛି ଧରି ॥୬୦
କାଲି ଭେଟିବୁ ନୃପବର । ଛାମୁରେ ଦେଇ ଘୃତସର ॥୬୧
ମେଲାଣି ଦେଲେ କଂସ ରାୟେ । ସଙ୍ଗେ ନ ଥିବେ ଗୋପପୋଏ ॥୬୨
ଏବେ ଅଛନ୍ତି ସଙ୍ଗେ ଯେତେ । ଦଣ୍ତେ ହେଁ ନ ଛାଡ଼ନ୍ତି ମୋତେ ॥୬୩
ମୋହର ଜ୍ୟେଷ୍ଠ ହଳଧର । ଦେଖ ଏ ଧରିଛନ୍ତି କର ॥୬୪
ରାଜା ମେଲାଣି ଘେନି ଶିରେ । ଏହାଙ୍କୁ ପେଶି ଗୋପପୁରେ ॥୬୫
ନିଶ୍ଚୟ ଯିବି ତୋ'ର ଘର । ସଙ୍ଗେ ନ ଥିବେ ହଳଧର ॥୬୬
ଏମନ୍ତେ ପ୍ରଭୁ ଭଗବାନ । ତୋଷିଲେ କୁବୁଜାର ମନ ॥୬୭
କୁବୁଜା ବେନିକର ଯୋଡ଼ି । ପୁଣି କହିଲା ପାଏ ପଡ଼ି ॥୬୮
ମୁଁ ଯାଇ ମଣ୍ତୁଅଛି ଘର । ଭୋ ନାଥ ବିଳମ୍ବ ନ କର ॥୬୯
ମୁଁ ତୋତେ ନ ପାରିଲେ ଦେଖି । ଉପାଡ଼ି ପକାଇବି ଆଖି ॥୭୦
ମନ ମୋ' ଅଛି ତୋର ତହିଁ । ଉଛୁର ନ କର ଗୋସାଇଁ ॥୭୧
ଉତ୍ତରୀ ଛାଡ଼ିଲା କୁବୁଜା । କୃଷ୍ଣ ବୋଇଲେ ଘରେ ଯା ଯା ॥୭୨
ଗୋବିନ୍ଦ ପାଦେ ଚିତ୍ତ ଥୋଇ । କୁବୁଜା ଗଲା ତୋଷ ହୋଇ ॥୭୩
ଥିଲା ଯେ ବିପ୍ର ଜଗନ୍ନାଥ । ଗୋଡ଼ାଇ ଅଛି କୃଷ୍ଣ ପଥ ॥୭୪
ଗୋବିନ୍ଦ ଯା'ନ୍ତେ ଆଗସରି । ପଡ଼ିଲା ଧନୁଘରେ ହୁରି ॥୭୫
ବାଟେ ଯେ ଥିଲେ ବଣିଜାରେ । ପସରା ଘେନି ଯେ ଯାହାରେ ॥୭୬
ରାମ ଗୋବିନ୍ଦ ମୁଖ ଦେଖି । ନିର୍ମଳ କଲେ ଚର୍ମଆଖି ॥୭୭
ଯେଝାରେ ଘେନି ଉପହାର । ପୁଷ୍ପ ତାମ୍ବୁଳ ଗନ୍ଧସାର ॥୭୮
ଗୋପାଳକୁମରଙ୍କ ମେଳେ । ପୂଜିଲେ ବସୁଦେବବାଳେ ॥୭୯
କାମିନୀ ଚାହିଁ କୃଷ୍ଣ ମୁଖ । କନ୍ଦର୍ପବାଣେ ମନ ଦୁଃଖ ॥୮୦
କୃଷ୍ଣର ଦେହେ ଦେଇ ଡ଼ୋଳ । କେଶ ବସନ ଅସମ୍ଭାଳ ॥୮୧
ମଥୁରାପୁର ଲୋକେ ଚାହିଁ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥୮୨
ରାଜାର ଧନୁଘର କାହିଁ । ଆମ୍ଭଙ୍କୁ ଦେଖାଅସି ନେଇ ॥୮୩
ରାଜା ହିଁ ଅଛନ୍ତି ଅଣାଇ । ଆମ୍ଭେ ଦେଖିବୁ ଧନୁ ଯାଇ ॥୮୪
ଲୋକେ ହୋଇଲେ ଆଗୁସାର । ପଛେ ଗୋବିନ୍ଦ ହଳଧର ॥୮୫
ଗୋପକୁମରେ ଗଲେ ଆଗେ । ମିଳିଲେ ଧନୁଘର ଲାଗେ ॥୮୬
ଦେଖିଲେ ରାଜା ଧନୁଘର । ଉତ୍ସବ ମଣ୍ତଣି ବେଭାର ॥୮୭
ଧ୍ୱଜ ପତାକା କେରା କେରା । ତୋରଣେ ମୁକୁତାର ଝରା ॥୮୮
ଚାନ୍ଦୁଆ ଟାଣି ଫୁଲମାଳ । ଚିତ୍ରବିଚିତ୍ରେ ମଣ୍ତି ଚାଳ ॥୮୯
ସପତ ଖମ୍ବେ ଧନୁ ଡ଼େରି । ବାଜଇ ମର୍ଦ୍ଦଳ ମହୁରି ॥୯୦
ସୁବର୍ଣ୍ଣଘଣ୍ଟି ଧନୁ ହୁଳେ । ଲମ୍ବେ ମୁକୁତା ରତ୍ନମାଳେ ॥୯୧
ବିବିଧ ଚାମର ଖଞ୍ଜଣି । ଇନ୍ଦ୍ରର ଧନୁପ୍ରାୟ ମଣି ॥୯୨
ବାଜଇ ବୀର ତୂର ନାଦ । କେ କହୁ ଧନୁର ସମ୍ପଦ ॥୯୩
ଅନେକ ଦେଶୁଁ ରାଜାମାନେ । ମିଳିଲେ କଂସର ଭୁବନେ ॥୯୪
ଧନୁ ଦେଖନ୍ତି ନରନାରୀ । ଅଙ୍ଗେଣ ଅଳଙ୍କାର ଭରି ॥୯୫
ଆନନ୍ଦ ହୋଇ ଯୂଥ ଯୂଥ । ଗହଳ ଧନୁଘର ପଥ ॥୯୬
କାମିନୀ ଦ୍ୟନ୍ତି ହୁଳ ହୁଳି । ମିଳିଲେ ରାମ ବନମାଳୀ ॥୯୭
ପାହାରି ଧନୁ ଦ୍ୱାରେ ରହି । ଭିତରେ ନ ଦିଅନ୍ତି ଯାଇ ॥୯୮
କୃଷ୍ଣ ବୋଲନ୍ତି ଛାଡ଼ ଦ୍ୱାର । ଆମ୍ଭେ ଦେଖିବୁ ଧନୁଘର ॥୯୯
ଶୁଣି ପାହାରୀ ପରଜ୍ୱଳି । ରାମକୃଷ୍ଣଙ୍କୁ ଦ୍ୟନ୍ତି ଗାଳି ॥୧୦୦
ତୁମ୍ଭେ ଯେ ସ୍ୱଭାବେ ଗୋପାଳ । ରାଜ୍ୟେ କି କରୁଅଛ ଗୋଳ ॥୧୦୧
ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ ॥୧୦୨
ଆମ୍ଭଙ୍କୁ ରାଜା ଆଜ୍ଞା ନାହିଁ ।ଦ୍ୱାରା ଛାଡ଼ିବୁ କାହିଁପାଇଁ ॥୧୦୩
ରାଜାଙ୍କ ଆଗେ ଜଣାଇଲେ । ଏଥେ ପଶିବ ତୁମ୍ଭେ ଭଳେ ॥୧୦୪
ଶୁଣି ବୋଇଲେ ଦାମୋଦର । ଆମ୍ଭର ପାଇଁ ଧନୁଘର ॥୧୦୫
ରାଜା ଅକ୍ରୁରେ ପଠିଆଇ । ଆମ୍ଭଙ୍କୁ ଅଛଇ ଅଣାଇ ॥୧୦୬
ଆମ୍ଭର ପାଇଁଟି ଉତ୍ସବ । ହସି ବୋଲନ୍ତି ପଦ୍ମନାଭ ॥୧୦୭
ପାହାରୀ ନ ଛାଡ଼ନ୍ତି ଦ୍ୱାର । ଆଗ ହୋଇଲେ ହଳଧର ॥୧୦୮
ଦେଖି ବେଢ଼ିଲେ ଆସି ଲୋକେ । କୋପେ ଜାକିଲେ ବେନିକାଖେ ॥୧୦୯
ଭୁଜ ଉପାଡ଼ି ପକାଇଲେ । ଦେଖି ଥୋକାଏ ପଳାଇଲେ ॥୧୧୦
ଦ୍ୱାର ଅର୍ଗଳି ଭାଙ୍ଗିଗଲା । ପାହାରୀ ଦ୍ୱାର ଛାଡ଼ିଦେଲା ॥୧୧୧
ପୁଣି ଯେ ଶସ୍ତ୍ରମାନ ଧରି । ରାଗେଣ ଧାଇଁଲେ ପାହାରୀ ॥୧୧୨
ରଜନୀମୁଖେ ଗୋଳବାଣୀ । ପଳାନ୍ତି ନରନାରୀ ଶୁଣି ॥୧୧୩
ରୋହିଣୀସୁତ ଆଗ ହୋଇ । ଯଷ୍ଟି ପ୍ରହାର କଲେ ନେଇ ॥୧୧୪
କେଶ ଧରିଣ ହଳଧର । ବୁଲାଇ ଫିଙ୍ଗିଲେ ଭୂମିର ॥୧୧୫
ଶତେ ପାହାରୀ ଗଲେ ନାଶ । ମାଇଲେ ରାମ ହୃଷିକେଶ ॥୧୧୬
ତକ୍ଷଣେ ସେଠାବରୁ ଚଳି । ପୁଣି ବହୁତ ଯୋଦ୍ଧା ମିଳି ॥୧୧୭
ଅନେକ ସୈନ୍ୟ ଜଗିଥିଲେ । ରାମକୃଷ୍ଣଙ୍କୁ ଓଗାଳିଲେ ॥୧୧୮
କରେଣ ଶସ୍ତ୍ରମାନ ଧରି । ଓଗାଳି କଲେ ଦ୍ୱାର ପାରି ॥୧୧୯
ଏଡ଼େରେ ସାହସ ତୁମ୍ଭର । ପଶିଲ ଆସି ଧନୁଘର ॥୧୨୦
ଗଉଡ଼ ହୋଇ ଏଡ଼େ ଟାଣ । ମଥୁରା କଲ ରଣଭଣ ॥୧୨୧
ବୋଲାଅ ନୃପତି ଭଣଜା । ତହୁଁ ଅଣାଇଅଛି ରାଜା ॥୧୨୨
ରାଜା ସୁହୃଦପଣ ଯହୁଁ । ସେ ଘେନି ନ ମାରନ୍ତି କେହୁ ॥୧୨୩
ରଜକ ମୁଣ୍ତ ଛିଣ୍ତାଇଲ । ରାଜାର ବସ୍ତ୍ର ଜୂର କଲ ॥୧୨୪
କୁବୁଜା ଚତୁଃସମ ପେଡ଼ି । ହାତରୁ ଘେନିଲ ଉଛୁଡ଼ି ॥୧୨୫
ଏବେ ପଶିଲ ଧନୁଘରେ । ମାଇଲ ଶତେ ଦ୍ୱାରପାଳେ ॥୧୨୬
ଶସ୍ତ୍ର ଧରିଣ ଯୁଦ୍ଧ କଲେ । ଏମନ୍ତ ବୋଲି ଆକ୍ରୋଶିଲେ ॥୧୨୭
ପୋଏ ଲଉଡ଼ିମାନ ଘେନି । ଦୈତ୍ୟଙ୍କୁ ପିଟିଲେକି ପୁଣି ॥୧୨୮
ଗୋପାଳେ ବୋବୀ ଦେଇ ଉଠି । ପ୍ରହାର କଲେ ଦୃଢ଼େ ଯଷ୍ଟି ॥୧୨୯
ଜଣ ଜଣକେ ଦଶବିଂଶ । ଗୋପାଳବଳ ନୋହେ ଶେଷ ॥୧୩୦
ଗୋଳ କରିଣ ପ୍ରହାରିଲେ । ଅସୁରେ ରହି ନ ପାରିଲେ ॥୧୩୧
ତ୍ରାଶ ପାଇଣ ପଳାଇଲେ । ଥୋକାଏ ପ୍ରାଣ ହରାଇଲେ ॥୧୩୨
ପଶିଲେ ରାମ ଦାମୋଦର । ଗୋପକୁମରଙ୍କ ସଙ୍ଗର ॥୧୩୩
ଗୋବିନ୍ଦ ପଶି ଅତି ଖରେ । ଧନୁ ଧଇଲେ ବାମକରେ ॥୧୩୪
ଇନ୍ଦ୍ରର ଧନୁ ପ୍ରାୟ ଶୋଭା । ରାମ ବୋଇଲେ ଗୁଣ ଦେବା ॥୧୩୫
ଧନୁରେ ଅଛି କେତେ ବଳ । ଗୁଣ ଘେନିଲେ ନନ୍ଦବାଳ ॥୧୩୬
ଗୋବିନ୍ଦ ପାଦେ ଧନୁ ମାଡ଼ି । ହୁଳେ ବସାଇ ଧନୁ ଭିଡ଼ି ॥୧୩୭
ତୋଳିଲେ ବାମ ଭୁଜେ ହରି । ଗୁଣ ଟଙ୍କାରି ନାଦ କରି ॥୧୩୮
ଦକ୍ଷିଣ କର୍ଣ୍ଣ ଯାଏଁ ଟାଣି । ବଳ ଆଞ୍ଚିଲେ ଚକ୍ରପାଣି ॥୧୩୯
ଧନୁ ହୋଇଲା ବେନିଖଣ୍ତ । ଶବଦ କଲା ପରଚଣ୍ତ ॥୧୪୦
ଶୁଭିଲା ବ୍ରହ୍ମଲୋକ ଯାଏ । କଂସ ପାଇଲା ମନେ ଭୟେ ॥୧୪୧
ପାହାରୀ ଥିଲେ ଯେ ପଳାଇ । ଅଇଲେ ଧନୁଭଗ୍ନ ଚାହିଁ ॥୧୪୨
ମାରନ୍ତି ନାନା ଶସ୍ତ୍ର ଘେନି । ଚହଳେ କମ୍ପଇ ମେଦିନୀ ॥୧୪୩
ଦେଖି ଧାଇଁଲେ ହଳଧରେ । ଭାଜିଲା ଧନୁ ଘେନିକରେ ॥୧୪୪
ବୁଲାଇ ପିଟିଲେ କୋପରେ । ପାହାରୀ ଗଲେ ଯମପୁରେ ॥୧୪୫
ରାଜାର ଯେତେ ବଳ ଥିଲେ । ରାମର ହସ୍ତେ ପ୍ରାଣ ଦେଲେ ॥୧୪୬
ଦେଖିଣ ଅନନ୍ତ ମୂରତି । ଭୟେ କମ୍ପଇ ସୁରପତି ॥୧୪୭
କମ୍ପିଲେ ଦଶଦିଗପାଳେ । ଚହଳ ଆକାଶମଣ୍ତଳେ ॥୧୪୮
ନିମିଷମାତ୍ରେ ଧନୁ ଭାଙ୍ଗି । କଂସର ବଳ ଦର୍ପ ଗଞ୍ଜି ॥୧୪୯
ଗୋବିନ୍ଦ ହୋଇଲେ ବାହାର । ଗୋପକୁମରେ ହଳଧର ॥୧୫୦
ଦେଖିଲେ ରବି ଅସ୍ତ ଗଲା । ହସି ବୋଲନ୍ତି ନନ୍ଦବାଳା ॥୧୫୧
ଚାଲ ହୋ ଯିବା ନିଜ ସ୍ଥାନ । କାଲି ଯେ ରାଜା ଦରଶନ ॥୧୫୨
ଏମନ୍ତ ବୋଲି ବାହୁଡ଼ିଲେ । ମଥୁରା ତୋଟାରେ ମିଳିଲେ ॥୧୫୩
କହନ୍ତି ଶୁକ ମୁନିବର । ଶୁଣ ରାଜନ ରସଭର ॥୧୫୪
ଅକ୍ରୁର ମୁଖ ଚାହିଁ କୋପେ । ଯାହାବୋଇଲେ ନାରୀ ଗୋପେ ॥୧୫୬
ବୋଇଲେ ମଥୁରା ଭୁବନେ । ଭାଗ୍ୟଟି କଲେ ନାରୀଜନେ ॥୧୫୭
ତାହାଙ୍କ ନୟନ ଆନନ୍ଦ । ଦେଖିବେ ପୂର୍ଣ୍ଣମୀର ଚାନ୍ଦ ॥୧୫୮
ଦେଖିଣ ରାମକୃଷ୍ଣ ମୁଖ । ଖଣ୍ତିବେ କୋଟିଜନ୍ମ ଦୁଃଖ ॥୧୫୯
ସେ କଥା ହୋଇଲା ସ୍ୱରୂପ । ଦେଖିଲେ ରାମକୃଷ୍ଣ ରୂପ ॥୧୬୦
ଗୋପାଳେ ଦେଖି ମଧୁପୁର । କହନ୍ତି ନନ୍ଦର ଛାମୁର ॥୧୬୧
ଆମ୍ଭେ ତୋ' କୃଷ୍ଣସଙ୍ଗେ ଥାଇ । ମଥୁରା ଦେଖିଲୁ ଗୋସାଇଁ ॥୧୬୨
ନିର୍ମଳ ହୋଇଲା ନୟନ । ଆମ୍ଭ ଜୀବନ କଲୁ ଧନ୍ୟ ॥୧୬୩
ନନ୍ଦ ଯେ ଘେନି ବେନିସୁତ । କୋଳେ ବସାଇ ତୋଷଚିତ୍ତ ॥୧୬୪
ଚୁମ୍ବନ ଦେଲେ ନନ୍ଦରାୟେ । ପାଖେ ବସିଲେ ବେନିପାଏ ॥୧୬୫
ସ୍ନାହାନ କରାଇ ହରଷ । ଭୁଞ୍ଜାନ୍ତି ରାମ ହୃଷୀକେଶ ॥୧୬୬
ଛେନା ଗୋଟିକା ଦୁଧ ସର । ଗୋରସ ଅନେକ ପ୍ରକାର ॥୧୬୭
ଗୋପସୁତଙ୍କୁ ଘେନି ସଙ୍ଗେ । ଭୁଞ୍ଜନ୍ତି ରାମକୃଷ୍ଣ ରଙ୍ଗେ ॥୧୬୮
ମଣୋହି ସାରି ଭଗବାନ । ଶୀତଳ ଜଳେ ଆଚମନ ॥୧୬୯
କର୍ପୂର ମୁଖବାସ ଗୁଆ । ତାମ୍ବୁଳ ଭୁଞ୍ଜନ୍ତି ବିଡ଼ିଆ ॥୧୭୦
ଗନ୍ଧଚନ୍ଦନ ଅଙ୍ଗେ ବୋଳି । ବସିଲେ ରାମ ବନମାଳୀ ॥୧୭୧
ଚାମର ଗୋପପୁଅ କରେ । ଢ଼ାଳନ୍ତି ନାନା ଗୀତସ୍ୱରେ ॥୧୭୨
ପୁଷ୍ପ ବରଷି ସ୍ତୁତି କରି । ଶୋଇଲେ ରାମ ନରହରି ॥୧୭୩
କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥୧୭୪
ବୋଲନ୍ତି ଶୁକ ମୁନିବର । କୃଷ୍ଣ ଚରିତ ସୁଧାସାର ॥୧୭୫
ରଜନୀ ହୋଇଲା ବହୁତ । କଂସକୁ ଜଣାଇଲା ଦୂତ ॥୧୭୬
ଶୁଣନ୍ତୁ ଭୋଜ ନୃପଇନ୍ଦ୍ର । ଅବନୀପତି କୁଳଚନ୍ଦ୍ର ॥୧୭୭
ଅକ୍ରୁର ରାମକୃଷ୍ଣ ବେନି । ଗୋପବାଳକ ନନ୍ଦ ଘେନି ॥୧୭୮
ତୋଟାରେ ପ୍ରବେଶ ହୋଇଲେ । ନଗ୍ର ବିହାର କରିଗଲେ ॥୧୭୯
ଗୋପାଳ ପୁଅ ସଙ୍ଗେ ଘେନି । ଦାଣ୍ତେ ଆସନ୍ତେ ଭାଇ ବେନି ॥୧୮୦
ରଜକ ବସ୍ତ୍ର ଘେନିଯା'ନ୍ତେ । ଗଉଡ଼େ ବେଢ଼ିଲେ ତୁରିତେ ॥୧୮୧
ରଜକେ କଲେ ପ୍ରାଣେ ନାଶ । ଫେଡ଼ିଣ ମଢ଼ିଆଳ ବାସ ॥୧୮୨
ଯେ ଯାହା ମତେ ଜୂର କଲେ । ମାଳୀର ଦ୍ୱାରେଣ ମିଳିଲେ ॥୧୮୩
ଭୟେଣ ଫୁଲ ଦେଲା ମାଳୀ । ତହୁଁ ଅଇଲେ ବେଗେ ଚଳି ॥୧୮୪
କୁବୁଜା ଚତୁଃସମପେଡ଼ି । କାଖରୁ ଘେନିଲେ ଉଛୁଡ଼ି ॥୧୮୫
ଗନ୍ଧ ଚନ୍ଦନ ଚତୁଃସମ । ବୋଳି ହୋଇଲେ କୃଷ୍ଣରାମ ॥୧୮୬
ସଳଖ କଲେ ତିନିବାଙ୍କ । ଦେଖିଲେ କଟକର ଲୋକ ॥୧୮୭
କି ସେ ଈଶ୍ୱର ଅଂଶେ ଜାତ । ଏ କଥା ଲୋକେ ବିପରୀତ ॥୧୮୮
ଶୁଣ ତୁ ବୀର ଭୋଜବଂଶୀ । ଗଉଡ଼େ ଧନୁଘରେ ପଶି ॥୧୮୯
ଶତେ ପାହାରୀ ନାଶକଲେ । ଅନେକ ସଇନ ମାଇଲେ ॥୧୯୦
ଧନୁ ଆମଞ୍ଚି ଗୁଣ ଦେଲେ । ଓଟାରି ବେନିଖଣ୍ତ କଲେ ॥୧୯୧
କଟକେ ପଡ଼ିଲା ଚହଳ । ଭାଜିଲେ ହାଟ ବଣିଜାର ॥୧୯୨
ତୋଟାରେ ରନ୍ଧନ ଭୋଜନ । ସୁଖେଣ କଲେକ ଶୟନ ॥୧୯୩
ବାରତା କହିଲାକି ଦୂତ । କଂସ ଭାଳଇ ଭୟ ଚିତ୍ତ ॥୧୯୪
ରଜନୀ ହୋଇଲା ଅପାର । ଶୁଣ ହୋ ରାଜାର ବିଚାର ॥୧୯୫
ଧନୁର ଭଗ୍ନ କଥା ଶୁଣି । କୃଷ୍ଣର କର୍ମ ମନେ ଗୁଣି ॥୧୯୬
ରଜକେ ପେଶି ଯମପୁର । ମୋହର ବସ୍ତ୍ର କଲେ ଜୂର ॥୧୯୭
କୁବୁଜା ଗନ୍ଧ ବଳେ ନେଇ । ସୁନ୍ଦର କଲେ ତା'ର ଦେହୀ ॥୧୯୮
ଏବେ ଭାଙ୍ଗିଲେ ଧନୁ ମୋର । ବାଳକେ ଏଡ଼େ ବଳୀୟାର ॥୧୯୯
ଧନୁଘରେଣ ଯୋଦ୍ଧା ଯେତେ । ସମସ୍ତେ ମଲେ ତା'ଙ୍କ ହସ୍ତେ ॥୨୦୦
ନନ୍ଦର ଘରେ ବାଳକାଳେ । ଯେତେ ଅସୁର ମୋର ଗଲେ ॥୨୦୧
ସବୁ ମାଇଲେ ବେନିଭାଇ । ବନେ ଚରାଉଥା'ନ୍ତି ଗାଈ ॥୨୦୨
ଏବେ ମୁଁ କରିବି କେମନ୍ତ । ଅଛନ୍ତି ମାଲ ଯେ ମାହୁନ୍ତ ॥୨୦୩
ଗଜ ମୋ' ଅଛି କୁବଳୟା । ନ ଜାଣି ବିଧାତାର ମାୟା ॥୨୦୪
କେମନ୍ତେ ରଖିବି ଜୀବନ । ଏମନ୍ତଭାଳି ଛନଛନ ॥୨୦୫
ନିଦ୍ରା ନ ମାଡ଼ଇ ନୟନେ । ଭାଳଇ ଅତି ଭୟମନେ ॥୨୦୬
ପୁଣି କ୍ଷଣକେ ନିଦ୍ରା ମୋହି । ସଭୟେ ପୁଣି ହିଁ ଚିଆଇଁ ॥୨୦୭
ଦେଖଇ ସ୍ୱପ୍ନ ନାନା ବର୍ଣ୍ଣ । ମରଣ ହେତୁଙ୍କର ଚିହ୍ନ ॥୨୦୮
ସୁବର୍ଣ୍ଣ କାନ୍ଥେ ଦେହ ଛାଇ । ଦେଖଇ ତା'ର ମୁଣ୍ତ ନାହିଁ ॥୨୦୯
ଦର୍ପଣେ ଆଦିତ୍ୟର ଜ୍ୟୋତି । ରାତ୍ରେ ଦେଖଇ ଭୋଜପତି ॥୨୧୦
ଦୀପେ ଦିଶନ୍ତି ଦୁଇ ଦୁଇ । ଚନ୍ଦ୍ର ହିଁ ତେମନ୍ତ ଦିଶଇ ॥୨୧୧
ଛାୟାର ଦେହେ ଛିଦ୍ରମୟେ । ନିଃଶ୍ୱାସ ଶୁଭେ ଶଙ୍ଖପ୍ରାୟେ ॥୨୧୨
ସୁବର୍ଣ୍ଣ ପ୍ରତିମାଏ ବୃକ୍ଷେ । କଂସକୁ ଦିଶଇ ପ୍ରତ୍ୟକ୍ଷେ ॥୨୧୩
ବୃକ୍ଷର ଡ଼ାଳେ ପଶୁଗଣ । ବରାହ ଶୃଗାଳ ହରିଣ ॥୨୧୪
ମୃତ୍ୟୁପିଣ୍ତକୁ କରି କୋଳ । ସାନନ୍ଦେ ଗୀତନାଦେ ଭୋଳ ॥୨୧୫
ଗର୍ଦ୍ଧଭ କନ୍ଧେ ଚଢ଼ିଯା'ନ୍ତେ । ବିଷ ଭକ୍ଷଇ ଲୌହପାତ୍ରେ ॥୨୧୬
ତଇଳେ ସିକ୍ତ ଦିଗମ୍ବର । ହୃଦରେ ରଙ୍ଗପୁଷ୍ପମାଳ ॥୨୧୭
ଦକ୍ଷିଣଦିଗେ ଯାଏ ଧାଇଁ । ଚୂଳ ବନ୍ଧନ ଶିରେ ନାହିଁ ॥୨୧୮
ଏମନ୍ତ ଦେଖଇ ସ୍ୱପନ । କ୍ଷଣକ୍ଷଣକେ ମୁହ୍ୟମାନ ॥୨୧୯
ଏମନ୍ତେ ପାହିଲା ରଜନୀ । କଂସ ଭାଲଇ ଭୟ ଘେନି ॥୨୨୦
ଯେମନ୍ତ ଦେଖିଲି ସ୍ୱପନ । ନିଶ୍ଚୟେ ହୋଇଲା ମରଣ ॥୨୨୧
କଂସ ଜାଣଇ ଯୋଗବଳେ । ଗୋବିନ୍ଦ ମାରିଅଛି ବେଳେ ॥୨୨୨
ସେ ବେଳେ ନୋହିଲି ମୁଁ ମୋକ୍ଷ । ଏବେ ତ ଦେଖିବି ପ୍ରତ୍ୟକ୍ଷ ॥୨୨୩
ଉଦେ ହୋଇଲେ ଦିନକର । କଂସ ହିଁ ହୋଇଲା ବାହାର ॥୨୨୪
ରଙ୍ଗସଭାରେ ବିଜେ କଲା । ରାଜାମାନଙ୍କୁ ଅଣାଇଲା ॥୨୨୫
ଆସି ଯେ ଥିଲେ ରାଜାଗଣେ । କଂସ ଡ଼ାକଇ ଜଣେ ଜଣେ ॥୨୨୬
ରାଜାଏ ଶମ୍ବରର ମୂଳେ । ନାରକାସୁର ଶିଶୁପାଳେ ॥୨୨୭
ବଜ୍ରକବଚ ବାଣାସୁର । ପୁଣ୍ତ୍ରକ ଶାଲ୍ୱ ଦନ୍ତବକ୍ର ॥୨୨୮
ଯୋଜନାବାହୁ ବଜ୍ରନାଭ । ଏ ଆଦି ଯେତେକ ଦାନବ ॥୨୨୯
ଏମାନେ ମହୀପତି ଛଳେ । ଆସି ଅଛନ୍ତି ସୈନ୍ୟବଳେ ॥୨୩୦
କାହାର ଭାଇ ପୁତ୍ର ନାତି । କେ ଆପେ ଖଟଇ ନୃପତି ॥୨୩୧
କ୍ଷତ୍ରିୟ ରବି-ସୋମ-ବଂଶ । କଂସର ଯେତେକ ବିଶ୍ୱାସ ॥୨୩୨
ନୃଗ କଳିଙ୍ଗ ଭଦ୍ରସେନ । ବିଦେହ ନୈଷଧ ରାଜନ ॥୨୩୩
କଂସର ପ୍ରିୟପଣେ ଆସି । ମିଳିଲେ ସୋମ-ସୂର୍ଯ୍ୟବଂଶୀ ॥୨୩୪
ଦଇବେ ଭୋଜ ଦଣ୍ତଧାରୀ । ଅନେକ ମଞ୍ଚା ଅଛି କରି ॥୨୩୫
ମଣ୍ତିଛି ନାନା ଉପହାରେ । ନିର୍ମଳ-ଦର୍ପଣ-ଚାମୁରେ ॥୨୩୬
ବିବିଧମତେ ବସ୍ତ୍ର ଦେଇ । ଉପରେ ଚାନ୍ଦୁଆ ଖଞ୍ଜାଇ ॥୨୩୭
ଲମ୍ବଇ ମୁକୁତାର ଝରା । ମାଳ କୁସୁମ କେରା କେରା ॥୨୩୮
କାଞ୍ଚନମୟ ସିଂହାସନ । ଦେଖିଲେ ତୋଷ ହୋଏ ମନ ॥୨୩୯
ସୁଗନ୍ଧ ଧୂପ ଦୀପପାତ୍ର । ଉପରେ ଶୋହେ ଧ୍ୱଜ ଛତ୍ର ॥୨୪୦
ରାଜାଏ କଂସ ଆଜ୍ଞା ପାଇ । ମଞ୍ଚାରେ ବସିଛନ୍ତି ଯାଇ ॥୨୪୧
ରାଜା ଗୋଟିକେ ଏକ ମଞ୍ଚା । ସକଳ କରିଅଛି ସଞ୍ଚା ॥୨୪୨
ତାହାଙ୍କୁ ପୂଜି ଜଣେ ଜଣେ । ଚନ୍ଦନ କୁସୁମ ବସନେ ॥୨୪୩
ବିବିଧମତେ ଭୋଗ ଦେଇ । କହଇ ରାଜାଙ୍କୁ ଅନାଇ ॥୨୪୪
ତୁମ୍ଭେ ସକଳ ବନ୍ଧୁଜନେ । କହଇ ଶୁଣ ସାବଧାନେ ॥୨୪୫
ବସୁଦେବର ପୁତ୍ର ଦୁଇ । ବଢ଼ିଲେ ଗୋପପୁରେ ଥାଇ ॥୨୪୬
ଭିଣୋଇ କଲା ଏଡ଼େ ଛନ୍ଦ । ମୋତେ ଯେ ନ ଗଣଇ ନନ୍ଦ ॥୨୪୭
ଅନେକ ବଳ ମୋର ଥିଲେ । ରାମଗୋବିନ୍ଦ ସଂହାରିଲେ ॥୨୪୮
ବଳେ ମୋ' ଧନୁ ହିଁ ଭାଙ୍ଗିଲେ । ପାହାରୀମାନଙ୍କୁ ମାଇଲେ ॥୨୪୯
ରଜକ ମାରି ବସ୍ତ୍ର ଜୂର । ଗନ୍ଧ ଛଡ଼ାଇ ନେଲେ ମୋର ॥୨୫୦
ଗଉଡ଼ମେଳି ଏ ଭିଆଇ । ମୋତେ ମାରିବେ ବେନିଭାଇ ॥୨୫୧
ଏବେ ମୁଁ ଅଣାଇଲି ଧରି । ତାତ ଜନନୀ ଆଦିକରି ॥୨୫୨
ହସ୍ତୀର ହସ୍ତେ ମରାଇବି । ଏମନ୍ତେ ବଇରୀ ସାଧିବି ॥୨୫୩
ଯେବେ ସେଠାରୁ ଉବୁରିବେ । ମାଲଙ୍କ ହସ୍ତେ ପ୍ରାଣ ଦେବେ ॥୨୫୪
ମଞ୍ଚାରେ ବସି ପିତାମାତା । ଦେଖିବେ ପୁତ୍ରଙ୍କର ହତ୍ୟା ॥୨୫୫
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥୨୫୬
ସେ ମୋର ଭଗ୍ନିର କୁମରେ । ଦ୍ରୋହ ପାଞ୍ଚିଲେ ମୋହଠାରେ ॥୨୫୭
ତୁମ୍ଭେ ମୋହର ବନ୍ଧୁ ଶୁଣ । କହିଲି ହିତକଥା ପୁଣ ॥୨୫୮
ଏମନ୍ତ ବୋଲି ଭୋଜସାଇଁ । ରାଜାଙ୍କୁ ମଞ୍ଚାରେ ବସାଇ ॥୨୫୯
ବାଜଇ ବୀର ତୂର ବାଦ୍ୟ । କେ କହୁ କଂସର ସମ୍ପଦ ॥୨୬୦
ଚାଣୁର ମୁଷ୍ଟିକର ମେଳେ । ଶଲ ତୋଷଳ ଚାରିମାଲେ ॥୨୬୧
ଏହାଙ୍କ ତୁଲେ ଶତେ ମାଲ । ଅଣାଇ କହେ ଭୋଜପାଳ ॥୨୬୨
ତୁମ୍ଭର ବଳେ ମୋ' ଭରସା । ଆଜ ମୋ' ପୂରାଇବ ଆଶା ॥୨୬୩
ନନ୍ଦ-ଗୋପାଳଙ୍କୁ ଅଣାଇ । ଗୋରସ ଭଣ୍ତାରେ ଥୁଆଇ ॥୨୬୪
ମଞ୍ଚାରେ ନେଇ ବସାଇଲା । ସମର ଦେଖିବୁ ବୋଇଲା ॥୨୬୫
ବସୁଦେବର ପୁତ୍ର ଦୁଇ । ଘରେ ଲୁଚାଇଥିଲୁ ନେଇ ॥୨୬୬
ବସୁଦେବର ମିତ୍ରପଣୁଁ । ତୋହର ଦୋଷ ନାହିଁ ତେଣୁ ॥୨୬୭
ବନ୍ଧୁର ହିତ କଲୁ ଯେବେ । ତା'ଙ୍କ ମରଣ ଦେଖ ଏବେ ॥୨୬୮
ନନ୍ଦକୁ ମଞ୍ଚାରେ ବସାଇ । ବୋଲଇ ପାତ୍ର ମନ୍ତ୍ରୀ ଚାହିଁ ॥୨୬୯
ତୁମ୍ଭେ ହୋ ଥିବ ମୋର ପାଖେ । ମଞ୍ଚାରେ ବସି ଦେଖ ସୁଖେ ॥୨୭୦
ଆପଣେ ମଞ୍ଚାରେ ବସିଲା । ଦୂତଙ୍କୁ ରାଇ ଆଜ୍ଞା ଦେଲା ॥୨୭୧
ବେଗରେ ଯାଅ ମଧୁବନ । ରାମକୃଷ୍ଣଙ୍କୁ ଧରିଆଣ ॥୨୭୨
କଂସର ଆଜ୍ଞା ଘେନି ଶିରେ । ଦୂତେ ଚଳିଲେ ଧାତିକାରେ ॥୨୭୩
ବୋଲଇ ଦାସ ଜଗନ୍ନାଥ । ଭେଟିଲେ ରାମ ଗୋପୀନାଥ ॥୨୭୪
ସେ ରାମକୃଷ୍ଣର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥୨୭୫
ଗୋବିନ୍ଦ ଆଜ୍ଞା ଶିରେ ଲଇଁ । ଯାହା ବା ପାରିଲଇଁ କହି ॥୨୭୬
କହିଲେ ପ୍ରଭୁ ଚକ୍ରଧର । ପୁରାଣ ରସ ଗୀତସାର ॥୨୭୭
ଏଣୁ ନ କର ଖେଦମନ । ସବୁରି ପ୍ରଭୁ ଭଗବାନ ॥୨୭୮
ରୂପ-ଅରୂପ ଜ୍ଞାନଗୁରୁ । ଯାହା ମହିମା ମହାମେରୁ ॥୨୭୯
କୃଷ୍ଣଚରଣେ ମନ ଦେଇ । ସଂସାରୁ ତର ଏହା ଗାଇ ॥୨୮୦
ଏଣେ ହୋଇବ ଭବୁଁ ପାର । ତାରିବେ ଦେବ ଦାମୋଦର ॥୨୮୧
ଦୟାସାଗର ରାମହରି । ବିପଦୁଁ ଧରିବେ ଉଦ୍ଧରି ॥୨୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଲ୍ଲରଙ୍ଗ ଉପବର୍ଣ୍ଣନଂ ନାମ ପଞ୍ଚଚତ୍ୱାରିଂଶୋଽଧ୍ୟାୟଃ ॥
</poem>
==='''ଷଟ୍ଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ବୋଲନ୍ତି ଶୁକ ମୁନିବର । ସାନନ୍ଦେ ଶୁଣ କୁରୁବୀର ॥୧
ରାମଗୋବିନ୍ଦ ମଧୁବନେ । ଭେଟିଲେ କଂସଦୂତମାନେ ॥୨
ନିକଟେ ଦୂତଙ୍କୁ ରୁହାଇ । ସ୍ନାହାନ କଲେ ବେନିଭାଇ ॥୩
ଭୋଜନ କଲେ ଦୁଧସର । ଆନନ୍ଦେ ନାନା ଉପହାର ॥୪
ବିବିଧ ରତ୍ନ ଅଳଙ୍କାର । ବସ୍ତ୍ର ପିନ୍ଧିଲେ ପୀତ ନୀଳ ॥୫
ମାଲ ଦୁନ୍ଦୁଭିଘୋଷ ଶୁଣି । ସାନନ୍ଦ କୃଷ୍ଣ ହଳପାଣି ॥୬
ଗୋପାଳ ପୋଏ ସଜ ହୋଇ । ମଧ୍ୟେ ବିଜୟ ବେନିଭାଇ ॥୭
ମଥୁରା ନଗରେ ପଶିଲେ । କଂସର ଦୂତେ ଆଗେ ଗଲେ ॥୮
ପଡ଼ଇ କ୍ଷଣେ କ୍ଷଣେ ହୁରି । ଉଲୁକାପାତେ ବସୁନ୍ଧରୀ ॥୯
ଆକାଶେ ଧୂମମୟ ଜ୍ୟୋତି । ମେଘେ ଲୁଚିଲେ ଛାୟାପତି ॥୧୦
ପଥେ ଆସନ୍ତେ ଭାଇ ବେନି । ବିବିଧ ବାଦ୍ୟନାଦ ଧ୍ୱନି ॥୧୧
ଯୋଡ଼ି ମର୍ଳ ଶଙ୍ଖ ବାଜେ । ଶରଦମେଘ ଯେହ୍ନେ ଗର୍ଜେ ॥୧୨
ରାମଗୋବିନ୍ଦ ଦେଖି ପଥେ । ଲୋକେ ମିଳିଲେ ଯୂଥେଯୂଥେ ॥୧୩
ଏକ ଆରକେ ସଜ ହୋଇ । କାମିନୀଗଣେ ଛନ୍ତି ଧାଇଁ ॥୧୪
ସକଳେ ଘରଦ୍ୱାରା ଛାଡ଼ି । ଧାମନ୍ତି ରାଜପଥ ମାଡ଼ି ॥୧୫
ସ୍ତିରୀ ପୁରୁଷ ବାଳବୃନ୍ଦେ । ଗୋବିନ୍ଦ ଦେଖିବାର ସଧେ ॥୧୬
ଆଗେ ଧାମନ୍ତି ବଳବନ୍ତ । ଗହଳ ମଥୁରାର ପଥ ॥୧୭
ଅନଳ ଦେଖିଣ ପତଙ୍ଗେ । ଯେହ୍ନେ ଧାମନ୍ତି ଉଦ୍ବେଗେ ॥୧୮
ଦେଖନ୍ତି ନରନାରୀ ମିଳି । ହରଷେ ଦେଇ ହୁଳହୁଳି ॥୧୯
ରାମଗୋବିନ୍ଦ ମୁଖ ଚାହିଁ । ନୟନ ପିଛାଡ଼ି ନୋହଇ ॥୨୦
ଦେହ ସଂସାର ପାସୋରିଲେ । ଆନନ୍ଦସାଗରେ ବୁଡ଼ିଲେ ॥୨୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ରାମଗୋବିନ୍ଦର ବିଜୟେ ॥୨୨
ମଙ୍ଗଳନାଦେ ଅପସରୀ । ଦେଖନ୍ତି ଦିଗପାଳେ ମିଳି ॥୨୩
ପବନ ବହଇ ଶୀତଳ । ଶୂନ୍ୟେ ଉଡ଼ନ୍ତି ମେଘମାଳ ॥୨୪
ଜନଗହଳ ରାଜପଥେ । ଗୋବିନ୍ଦ ଦେଖନ୍ତି ଉଷତେ ॥୨୫
କହନ୍ତି ଏକ ଆରେ ଚାହିଁ । କାନ୍ଦି ହୃଦୟେ କର ଦେଇ ॥୨୬
ଦେଖ ଗୋ କଂସର ନିର୍ଦ୍ଦୟେ । କି ଦୋଷ କଲେ ବାଳପୋଏ ॥୨୭
ଲୁଚି ଏ ଥିଲେ ନନ୍ଦଘରେ । ସୋଦର ମଉଳାର ଡ଼ରେ ॥୨୮
କି ଦୋଷ କଲେ ଏ ତାହାର । ଦୁଷ୍ଟ ଦାନବ ଦୁରାଚାର ॥୨୯
ଏହାଙ୍କୁ ଆଣିଅଛି ଧରି । ବଳେ ମାରିବ ଘରେ ଭରି ॥୩୦
କେମନ୍ତେ ସହିବଟି ଧର୍ମ । ଏହାଙ୍କୁ କରି ଏଡ଼େ କର୍ମ ॥୩୧
ଏ ପୋଏ ଗୋପପୁରେ ଥିଲେ । କି ଅପରାଧ ଅବା କଲେ ॥୩୨
ଏହାଙ୍କୁ କରି ପ୍ରାଣେ ନାଶ । ଭାଙ୍ଗିବ ଗୋପପୁର ଦେଶ ॥୩୩
ଏହାଙ୍କ କଷ୍ଟ ଦେଖିବାରେ । ଚାଲ ନ ଥିବା ଏ ନଗରେ ॥୩୪
ହୃଦୟ ଧରିବା କେମନ୍ତେ । ଏହାଙ୍କୁ ନ ଦେଖିଲେ ନେତ୍ରେ ॥୩୫
ଏମନ୍ତ କହି ନରନାରୀ । ବିକଳେ ଚାହାନ୍ତି ମୁରାରି ॥୩୬
ହୃଦୟେ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ ॥୩୭
ରାମଗୋବିନ୍ଦ ଗୋପବାଳେ । ମିଳିଲେ କଂସ ରଙ୍ଗଦ୍ୱାରେ ॥୩୮
ଦେଖିଲେ ଦ୍ୱାରେ ଅଛି ଗଜ । ମାହୁନ୍ତ ହୋଇଅଛି ସଜ ॥୩୯
କୃଷ୍ଣଙ୍କୁ ଦେଖିଣ ମାହୁନ୍ତ । ଆକ୍ରୋଷି ଗଜ ବଳବନ୍ତ ॥୪୦
ଦ୍ୱାର ଆବୋରିଲା ବହନ । ମାରିବା ପ୍ରାୟ କୋପମନ ॥୪୧
ସ୍ୱଭାବେ ମତ୍ତ କରୀବର । ତେଜେ ପ୍ରଚଣ୍ତ ମହାଘୋର ॥୪୨
ତାହା ଜାଣିଲେ ଭାବଗ୍ରାହୀ । ଗୋପାଳ ପୁଅଙ୍କୁ ରୁହାଇ ॥୪୩
ଦୃଢ଼େ ବାନ୍ଧିଲେ ତାଳୁ ଚୁଳ । ସୁନ୍ଦର ଅଳକାକପୋଳ ॥୪୪
ବସନ ବାନ୍ଧି ଆଣ୍ଟ କରି । ସଜ ହୋଇଲେ ହଳଧାରୀ ॥୪୫
ମାହୁନ୍ତ କୋପଭର ହୋଇ । ଅଳପ ଅଳପ ଟିପଇ ॥୪୬
ହସ୍ତୀ ଟିପଇ ପାଦ ଲଇଁ । ଦେଖି ଗୋବିନ୍ଦ ଆଗ ହୋଇ ॥୪୭
ବୋଇଲେ ଆଡ଼ହୁଅ ଭାଇ । ମାହୁନ୍ତ ଶୁଣି ନ ଶୁଣଇ ॥୪୮
ଶୁଣ ମାହୁନ୍ତ ମୋ' ଉତ୍ତର । ଆମ୍ଭଙ୍କୁ ଛାଡ଼ ରଙ୍ଗଦ୍ୱାର ॥୪୯
ରାଜା ଆମ୍ଭରେ କୋପମନ । ବେଗେ କରିବୁ ଦରଦଶନ ॥୫୦
ଦ୍ୱାର ତୁ ଛାଡ଼ ବେଗ ହୋଇ । ଉଛୁର ବେଳ ନ ଯୋଗାଇ ॥୫୧
ଶୁଣି ମାହୁନ୍ତ କୋପକଲା । କୃଷ୍ଣର ବୋଲ ନ ଶୁଣିଲା ॥୫୨
ହସ୍ତୀର କୁମ୍ଭେ ଦେଇ କର । ଦନ୍ତ କରାଇଲା ଉଭାର ॥୫୩
କୃଷ୍ଣ ବୋଇଲେ ମାହୁନ୍ତକୁ । ମାରିବା ପ୍ରାୟେ ତ ସଳଖୁ ॥୫୪
ଜୀବନେ ଅଛି ଯେବେ କାର୍ଯ୍ୟ । ହସ୍ତୀ ଦୁଆରୁ ନିଅ ଆଜ ॥୫୫
ନୋହିଲେ ଯିବୁ ଯମପୁର । ହସ୍ତୀ ହିଁ ସଙ୍ଗତେ ତୋହର ॥୫୬
ଶୁଣି ମାହୁନ୍ତ ପରଜ୍ୱଳି । ହସ୍ତୀ ଟିପିଲା ପାଦଚାଳି ॥୫୭
କୃଷ୍ଣଙ୍କୁ ଦେଖି ଗଜ ଧାଇଁ । କାଳଦେବତା ପ୍ରାୟ ହୋଇ ॥୫୮
ପବନୁଁ ବେଗେ ଧାଇଁ ଖରେ । ଶୁଣ୍ଢ ପିଟିଲା କୃଷ୍ଣଶିରେ ॥୫୯
କେଶ ଧଇଲା ଧାତିକାର । ଛଡ଼ାଇ ଗଲେ ଦାମୋଦର ॥୬୦
ଗୋବିନ୍ଦ ମାୟା ଯୋଗବଳେ । ରହିଲେ ହସ୍ତୀ ପେଟତଳେ ॥୬୧
ହସ୍ତୀ ଚାହଁଇ ଚଉଦିଗେ । କୋପେ ଗର୍ଜଇ ଘୋରରଙ୍ଗେ ॥୬୨
ଆଘ୍ରାଣେ କୃଷ୍ଣ ବାସ ପାଇ । ପୁଣି ଧଇଲା ଶୁଣ୍ଢେ ନେଇ ॥୬୩
ପୁଣି ଛଡ଼ାଇ ତା'ର କର । ପଛେ ମିଳିଲେ ମାୟାଧର ॥୬୪
ହସ୍ତୀର ଲାଞ୍ଜ କରେ ଧରି । ପଛକୁ ଆଣିଲେ ଓଟାରି ॥୬୫
ପଚିଶଧନୁ ଯାଏଁ ଟାଣି । ରହିଲେ ପ୍ରଭୁ ଚକ୍ରପାଣି ॥୬୬
ସର୍ପର ଲାଞ୍ଜ ତୁଣ୍ତେ ଭରି । ଯେସନେ ଗରୁଡ଼ ଓଟାରି ॥୬୭
ଲାଙ୍ଗୁଳ ଧରି ବନମାଳୀ । ବାମଦକ୍ଷିଣ ପାଖେ ଚାଳି ॥୬୮
ଗଜ ଚାହଁଇ ଦୁଇପାଶେ । କୃଷ୍ଣଙ୍କୁ ଧରିବାର ଆଶେ ॥୬୯
ବତ୍ସାଙ୍କ ଲାଞ୍ଜ ପୋଏ ଧରି । ଯେମନ୍ତେ ହୋନ୍ତି ଘୂରାଘୂରି ॥୭୦
ଲାଙ୍ଗୁଳ ଛାଡ଼ି ଅତି ଖରେ । ଆଗ ହୋଇଲେ ରୋଷଭରେ ॥୭୧
ଚାପୁଡ଼େ ମାରି ହସ୍ତୀ ମୁଣ୍ତେ । କୃଷ୍ଣ ପଳାନ୍ତି ରାଜଦାଣ୍ତେ ॥୭୨
ପ୍ରଚଣ୍ତକୋପେ ଖରତର । ଦେଖି ଧାଇଁଲା କରୀବର ॥୭୩
ଦେଖନ୍ତି ପୁର ନରନାରୀ । ଭୟେ ପଳାନ୍ତି ନରହରି ॥୭୪
ଶିର ଲାଗଇ ଥୋର-ହସ୍ତେ । ଲୋକେ ଦେଖନ୍ତି ରାଜପଥେ ॥୭୫
ପାଦର ଘାଏ ଧୂଳି ଉଡ଼ି । କୃଷ୍ଣ ପଡ଼ିଲେ ମୁଖ ମାଡ଼ି ॥୭୬
ତକ୍ଷଣେ ହୋଇଲେ ଅନ୍ତର । ମାହୁନ୍ତ ବୋଲେ ମାର ମାର ॥୭୭
କୃଷ୍ଣ ପଡ଼ିଲା ପ୍ରାୟ ମଣି । ଗଜ ମାଇଲା ଦନ୍ତ ଆଣି ॥୭୮
ଲୋକେ ହୋଇଲେ ହତଜ୍ଞାନ । ଡ଼ାକନ୍ତି ରଖ ନାରାୟଣ ॥୭୯
ଏଡ଼େ କରମ କଂସ କଲା । କେ ବୋଲେ ଜୀଉଁଜୀଉଁ ମଲା ॥୮୦
ଚାଲ ନ ଥିବା ଏହା ଦେଶେ । କଂସକୁ ଗାଳିଦ୍ୟନ୍ତି ରୋଷେ ॥୮୧
ଏମନ୍ତ ବୋଲୁଁ ବୋଲୁଁ ଜନେ । ଶ୍ରୀକୃଷ୍ଣ ମିଳିଲେ ବହନେ ॥୮୨
ନୀଳ-ଜୀମୂତ ଦେହ ଝଳି । ଝାଳ ଗଳଇ ଲାଗି ଧୂଳି ॥୮୩
ଡାକନ୍ତି ତୋଳି ବେନିକର । ହସ୍ତୀରେ ସମ୍ଭାଳ ତୋହର ॥୮୪
ଦେଖି ଚକିତ ନରନାରୀ । ଚାପୁଡ଼େ ମାଇଲେ ମୁରାରି ॥୮୫
ପଛେ ଯେ ଥିଲେ ହଳଧର । ହସ୍ତୀକି ମାଇଲେ ପୟର ॥୮୬
ଧାମଇଁ ପଛକୁ ଅନାଇଁ । ମୁଥେ ମାଇଲେ କୃଷ୍ଣ ନେଇ ॥୮୭
ଗଜ ଚାହଁଇ ଆଗପଛ । ମାହୁନ୍ତ ଟିପଇ ପ୍ରତ୍ୟକ୍ଷ ॥୮୮
ନ ଯାଇ ଆଗପଛେ ଡ଼ରେ । ଗର୍ଜଇ ଅତି କୋପଭରେ ॥୮୯
ମାହୁନ୍ତ ପୁଣି ହିଁ ଟିପଇ । ଦେଖି ପଳାନ୍ତି ବେନିଭାଇ ॥୯୦
ଦେଖିଣ ଗଜ କୋପଭରେ । ଧାଇଁଲା ପବନହୁଁ ଖରେ ॥୯୧
କୃଷ୍ଣର ଶିରେ ଥୋର-ହସ୍ତ । ଦେଖି ପଳାନ୍ତି ଗୋପୀନାଥ ॥୯୨
ଧାଇଁଲେ ପବନ ହୁଁ ବେଗେ । ଘୂରି କୁମ୍ଭାରଚକ୍ର ମାର୍ଗେ ॥୯୩
ଗୋବିନ୍ଦ ଯୋଗମାୟା ବଳେ । ଘୂରାଇ ପକାଇଲେ ତଳେ ॥୯୪
ତଳେ ପଡ଼ନ୍ତେ ପ୍ରାଣଗଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥୯୫
ଚରଣ ଦେଇ ଗଜମୁଣ୍ତେ । ଦନ୍ତ ଧୋଇଲେ ଭୁଜଦଣ୍ତେ ॥୯୬
ବେଗେ ଉପାଡ଼ି ବେନିକରେ । ପିଟିଲେ ମାହୁନ୍ତ ଉପରେ ॥୯୭
ମାହୁନ୍ତ ପ୍ରାଣ ବେଗେ ଗଲା । ଜୀବନ ଗୋବିନ୍ଦେ ପଶିଲା ॥୯୮
ରାମ ଗୋବିନ୍ଦ ବେନିଭାଇ । କନ୍ଧେ ଘେନିଲେ ଦନ୍ତ ଦୁଇ ॥୯୯
ରୁଧିର-ଭୂଷଣ ଶରୀର । ଝାଳ ଧୂଳିରେ ଜରଜର ॥୧୦୦
ମୁଖପଙ୍କଜେ ଝାଳ ଶୋଭା । କି ଅବା ପଟାନ୍ତର ଦେବା ॥୧୦୧
ଗୋପକୁମରେ ଛନ୍ତି ବେଢ଼ି । ପଶିଲେ ରଙ୍ଗଦ୍ୱାର ମାଡ଼ି ॥୧୦୨
କନ୍ଧେ ପକାଇ ଗଜଦନ୍ତ । ମିଳିଲେ ରାମ-ଗୋପୀନାଥ ॥୧୦୩
ଲୋକେ ପଶିଲେ ବଳୀୟାରେ । କେ ବେଗେ ଉଠିଲେ ବୃକ୍ଷରେ ॥୧୦୪
ଜଗତୀ ଅଟ୍ଟାଳୀ ଆରୋହି । ଦେଖନ୍ତି ରାମକୃଷ୍ଣ ଦୁଇ ॥୧୦୫
ରଙ୍ଗସଭାରେ ଯେତେ ଲୋକେ । କେତେ କହିବା ଏକେ ଏକେ ॥୧୦୬
ମାଲେ ଯେ ଥିଲେ ମଞ୍ଚାତଳେ । ରାମକୃଷ୍ଣଙ୍କୁ ଅନାଇଲେ ॥୧୦୭
ବଜ୍ର ପଡ଼ିଲା ପ୍ରାୟେ ଦେଖି । ଭୟେ ବୁଜିଲେ ବେନି ଆଖି ॥୧୦୮
ଯେତେ ଅଛନ୍ତି ପୁରନର । ତାହାଙ୍କୁ ଦିଶନ୍ତି ସୁନ୍ଦର ॥୧୦୯
କାମିନୀ-ଲୋଚନେ ଅନଙ୍ଗ । ଗୋପାଳ ପୋଏ ବାଳଅଙ୍ଗ ॥୧୧୦
ଅସୁର-ନୃପତିଙ୍କି କାଳ । ମାତାପିତାଙ୍କୁ ବେନିବାଳ ॥୧୧୧
କଂସକୁ ଦିଶେ ଯମ ପ୍ରାୟ । ଜ୍ଞାନୀଜନଙ୍କୁ ଜ୍ଞାନମୟ ॥୧୧୨
ଯୋଗୀଙ୍କ ନେତ୍ରେ ଜ୍ଞାନତତ୍ତ୍ୱ । ବୃଷ୍ଣିବଂଶକୁ ଦଇବତ ॥୧୧୩
ଏମନ୍ତେ ରାମକୃଷ୍ଣ ରୂପ । ଦିଶନ୍ତି ଯାହାକୁ ଯେ ରୂପ ॥୧୧୪
ସଭାର ତଳେ ବେନିଭାଇ । ଆକାଶେ ଦେବେ ଛନ୍ତି ଚାହିଁ ॥୧୧୫
ବ୍ରହ୍ମା ଶଙ୍କର ଇନ୍ଦ୍ରମୂଳେ । ତେତିଶକୋଟି ଦେବ ବଳେ ॥୧୧୬
ଶୂନ୍ୟେ ଦେଖନ୍ତି ରାମହରି । ଗନ୍ଧର୍ବଗଣ-ଦେବନାରୀ ॥୧୧୭
କଂସ ଚାହିଁଲା ବେନିଭାଇ । ଭୟେ କମ୍ପଇ ତାର ଦେହୀ ॥୧୧୮
ଗଜ-ମାହୁନ୍ତ ଦ୍ୱାରେ ମାରି । ଦନ୍ତ ଅଛନ୍ତି କରେ ଧରି ॥୧୧୯
ନିଶ୍ଚୟ ମରଣ ହୋଇଲା । ଏମନ୍ତ ମନେ ବିଚାରିଲା ॥୧୨୦
କାତରେ କମ୍ପଇ ଶରୀର । ବଦନୁଁ ନ ଇଲା ଉତ୍ତର ॥୧୨୧
ରଙ୍ଗସଭାର ତଳେ ଥାଇ । ରାମଗୋବିନ୍ଦ ବେନିଭାଇ ॥୧୨୨
ନାନା ବିଚିତ୍ର ବେଶ ହୋଇ । ଯେସନେ ନଟବର ଦୁଇ ॥୧୨୩
ଦେଖନ୍ତା ପ୍ରାଣୀଙ୍କର ମନ । ମୋହିଲେ ରାମ-ଭଗବାନ ॥୧୨୪
ମଞ୍ଚାରେ ଯେତେ ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥୧୨୫
ହରଷ ବଶେ ଚକ୍ଷୁ ଫେଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥୧୨୬
ଚକୋର ଦେଖି ଚନ୍ଦ୍ର ଯେହ୍ନେ । ତେସନେ ପିବନ୍ତି ନୟନେ ॥୧୨୭
ତୋଷ ନୋହିଲେ ମୁଖ ଚାହିଁ । ଚାହାନ୍ତେ ପିଞ୍ଛା ନଚଳଇ ॥୧୨୮
ପିଇବା ପ୍ରାୟେ ଚକ୍ଷୁଦ୍ୱାରେ । ଜିହ୍ୱା କି ଲିହିବ ଶରୀରେ ॥୧୨୯
ଆଘ୍ରାଣ କରି ନାସାଦ୍ୱାରେ । ଆଣି ଭିଡ଼ିବେ ବେନିକରେ ॥୧୩୦
ଏମନ୍ତ ହୋଇ ଉଦ୍ବେଗ । ଅଗ୍ନି କି ଯେସନେ ପତଙ୍ଗ ॥୧୩୧
ଯେମନ୍ତେ ଶୁଣୁଥିଲେ କର୍ଣ୍ଣେ । ପ୍ରତ୍ୟକ୍ଷ ଦେଖିଲେ ନୟନେ ॥୧୩୨
କୃଷ୍ଣର ରୂପ ଗୁଣମାନ । ଦେଖି ପାଇଲେ ଦିବ୍ୟଜ୍ଞାନ ॥୧୩୩
ଏକକୁ ଆରେକ ଅନାଇଁ । ବୋଲନ୍ତି ଅଙ୍ଗୁଳି ଦେଖାଇ ॥୧୩୪
ଏ ବେନି ବସୁଦେବ ସୁତେ । ଭାରା ନିବାରିବା ନିମନ୍ତେ ॥୧୩୫
ବିଷ୍ଣୁର ଅଂଶେ ଜାତ ହୋଇ । ନୀଳ ଧବଳ ରୂପ ଦୁଇ ॥୧୩୬
ଦେଖ ଏ କୃଷ୍ଣଦେହ କଳା । ଦେବକୀଗର୍ଭେ ଉପୁଜିଲା ॥୧୩୭
ଏହାକୁ ବସୁଦେବ ନେଇ । ଗୋପରେ ଅଇଲା ଲୁଚାଇ ॥୧୩୮
ବଢ଼ିଲେ ନନ୍ଦର ଭୁବନେ । ଏହି ବାଳକ ତିନିଦିନେ ॥୧୩୯
ଶୋଷିଲା ପୂତନା ପରାଣ । ଭାଜିଲା ଯାମଳା ଅର୍ଜୁନ ॥୧୪୦
ପାଦେ ଶକଟା କଲା ଚୂର । ନାଶିଲା ତୃଣାବର୍ତ୍ତ ବୀର ॥୧୪୧
ଅଘା ଧେନୁକା ବକ କେଶୀ । ବତ୍ସା ମାୟାବୀ ଷଣ୍ଢା ନାଶି ॥୧୪୨
କାଳୀୟ ଘଉଡ଼ିଲା ବଳେ । ଅମୃତ କଲା ବିଷଜଳେ ॥୧୪୩
ଗୋରୁମହିଷ ଗୋପଶିରୀ । ବନଅନଳୁ ଅଛି ତାରି ॥୧୪୪
ଇନ୍ଦ୍ରର ଦର୍ପ କଲା ଚୂର । କରେ ତୋଳିଲା ଗିରୀର ॥୧୪୫
ସପତ ଦିନ ବରଷିଲା । ଏହାର କରେ ଗିରି ଥିଲା ॥୧୪୬
ଗୋପୀଏ ଚାହିଁ ଏହା ମୁଖ । ଖଣ୍ତିଲେ ଜନ୍ମବନ୍ଧ-ଦୁଃଖ ॥୧୪୭
ଯାଦବବଂଶ ଏ ରଖିବ । ଅବନୀଭାରା ଉଶ୍ୱାସିବ ॥୧୪୮
ଦେଖ ଏ ରୋହିଣୀକୁମର । କୋଟିଏ କାମ ପଟାନ୍ତର ॥୧୪୯
ଆଗେ ହୋଇଲେ ଗୋପେଜାତ । ଏହାଙ୍କ ବଳ ଅପ୍ରମିତ ॥୧୫୦
ଯୁଦ୍ଧେ ପ୍ରଳମ୍ବା ନାଶ କଲା । ବତ୍ସା ଧେନୁକା ସଂହାରିଲା ॥୧୫୧
ଏମନ୍ତ କହୁଁ କହୁଁ ଜନ । ବାଜିଲା ବୀରତୂର ମାନ ॥୧୫୨
ମାଲେ ଯେ ଥିଲେ ସଭାତଳେ । କୃଷ୍ଣର ନିକଟେ ମିଳିଲେ ॥୧୫୩
ଚାଣୂର ବୀର ଆଗ ହୋଇ । ବୋଲଇ କୃଷ୍ଣମୁଖ ଚାହିଁ ॥୧୫୪
ତୁ ପରା ଥିଲୁ ନନ୍ଦଘରେ । ରୋହିଣୀସୁତ ସଙ୍ଗତରେ ॥୧୫୫
ତୁମ୍ଭେ ଯେ ରାମବନମାଳୀ । ବୋଲଅ ବାହୁଯୁଦ୍ଧେ ବଳୀ ॥୧୫୬
ରାଜା ତୁମ୍ଭର କଥା ଶୁଣି । ଯୁଦ୍ଧର ପାଇଁ ଅଛି ଆଣି ॥୧୫୭
ଦେଖିବେ ଯୁଦ୍ଧକଉତୁକ । ରାଜାଏ ଅଛନ୍ତି ଅନେକ ॥୧୫୮
ପ୍ରଜାଏ ରାଜାଙ୍କୁ ମନାଇଁ । ଭୋଗ କରନ୍ତି ସୁଖେ ମହୀ ॥୧୫୯
ରାଜାର ସମୀପେ ବସନ୍ତି । ଧନ୍ୟ ଇହଲୋକେ ବୋଲାନ୍ତି ॥୧୬୦
ରାଜାର ନୁହଁନ୍ତି ଯେ ପ୍ରିୟ । ତାହାଙ୍କ ସୁଖ କାହିଁ କହ ॥୧୬୧
ତୁମ୍ଭେ ଯେ ଗୋପାଳଙ୍କ ମେଳେ । ଗୋରୁ ଚରାଅ ନଦୀକୂଳେ ॥୧୬୨
ଦେହରେ ଘଷି ରଙ୍ଗମାଟି । ଲଲାଟେ ଗୁଞ୍ଜରାର ପାଟି ॥୧୬୩
ଏକ ଆରକେ ବାହୁବଳେ । ମାଲ ବିନ୍ଧାଣ କୁତୂହଳେ ॥୧୬୪
ବାଳକ କାଳୁଁ ସାଧୁଅଛ । ଏବେ ତ ପ୍ରତ୍ୟକ୍ଷ ଦିଶୁଛ ॥୧୬୫
ତେଣୁ ତୁମ୍ଭର ସଙ୍ଗେ ଆମ୍ଭେ । ବିନ୍ଧାଣ କରିବା ଆରମ୍ଭେ ॥୧୬୬
ଯେତେ ଅଛନ୍ତି ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥୧୬୭
ସକଳେ ହୋଇବେ ପ୍ରସନ୍ନ । ତୋଷିବା କଂସରାଜା ମନ ॥୧୬୮
ମାଲଙ୍କ ଟାଣକଥା ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ॥୧୬୯
ଉଚିତବାଣୀ ଦେଶକାଳ । କହନ୍ତି ମଦନଗୋପାଳ ॥୧୭୦
ଯୁଦ୍ଧ ହିଁ ଇଚ୍ଛା ଆପଣାର । କହନ୍ତି ମନୁଷ୍ୟବେଭାର ॥୧୭୧
ଶୁଣ ଚାଣୁର ବୀରମଣି । ଉଚିତ ପ୍ରସ୍ତାବ ତୋ' ବାଣୀ ॥୧୭୨
ସ୍ୱଭାବେ ଆମ୍ଭେ ବନଲୋକ । ନ ଜାଣୁ ଯୁଦ୍ଧ କଉତୁକ ॥୧୭୩
ଧନ ଗୋରସ ଦେଇ ଖଟୁ । ରାଜା ଭଣଜା ଆମ୍ଭେ ଅଟୁ ॥୧୭୪
ଅଳପେ କରଇ ସଦୟ । ଆମ୍ଭ ମଉଳା କଂସରାୟ ॥୧୭୫
ବାଳୁତ ପୁଅଙ୍କର ମେଳେ । ଖେଳୁ କାନନ ନଦୀକୂଳେ ॥୧୭୬
ନାନା ଭିଆଣେ ଖେଳ ଖେଳି । ବନସ୍ତେ ଚରାଉଁ ବାଛୁରୀ ॥୧୭୭
ପୁଅଙ୍କ ଖେଳର ଉଚିତ । ଆମ୍ଭର ଯୁଦ୍ଧ ସେହିମତ ॥୧୭୮
ଏ ତ ନୁହଁଇ ଖେଳମୟେ । ତୁମ୍ଭେ ଯେ ପର୍ବତପରାୟେ ॥୧୭୯
ତୁମ୍ଭର ପ୍ରାୟ ଯେବେ ହୋଇ । ତେବେ ସେ ସଂଗ୍ରାମ ଯୋଗାଇ ॥୧୮୦
ବାଳକ ଆମ୍ଭେ ବାଳମେଳେ । ଯୁଝିବୁ ରଙ୍ଗ-କୁତୂହଳେ ॥୧୮୧
ତୁମ୍ଭର ତୁଲେ ଯୁଦ୍ଧ କାହିଁ । ଏ କଥା ଉଚିତ ନୁହଁଇ ॥୧୮୨
ଅଧର୍ମ ହୋଇବଟି ଭଲେ । ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ ॥୧୮୩
ସଭାକୁ ହୋଇବ ଧିକ୍କାର । ତା ଶୁଣି ହସଇ ଚାଣୂର ॥୧୮୪
ବୋଲଇ ପରୁଷ ବଚନ । କରାଇ କଂସ ସାବଧାନ ॥୧୮୫
ତୁମ୍ଭେ ଯେ ବାଳକ ବୋଲାଅ । କହିଲେ ଲଜ୍ଜା ହିଁ ନ ପାଅ ॥୧୮୬
ବାଳକୁମର ନୁହଁ ଯୁବା । ତୁମ୍ଭର ମହିମା କହିବା ॥୧୮୭
ଏଯେ ତୋହର ଜ୍ୟେଷ୍ଠ ରାମ । ବଳେ ତ ନାହିଁ ସରିସମ ॥୧୮୮
ସହସ୍ରେ ମତ୍ତଗଜ ଦେହା । ବଳ ବହଇ କୁବଳୟା ॥୧୮୯
ତାହାକୁ ଲୀଳାଏ ମାଇଲ । ଇଷିତେ ଦନ୍ତ ଉପାଡ଼ିଲ ॥୧୯୦
ରଜକ ମାରି ବାମକରେ । ଧନୁ ଭାଙ୍ଗିଲ ବଳାକ୍ରାରେ ॥୧୯୧
ତୁମ୍ଭ ମହିମା ସର୍ବଜନେ । ଭଲେ ଜାଣନ୍ତି ତ୍ରିଭୁବନେ ॥୧୯୨
ଏମନ୍ତ ନ କହନା ଆର । ମୁଷ୍ଟିକ ବୋଲେ ଧରଧର ॥୧୯୩
ଅଧର କାମୁଡ଼ି ଚାଣୂର । ବୋଇଲା ରାମକୁ ତୁ ଧର ॥୧୯୪
କୃଷ୍ଣର ତୁଲେ ଯୁଦ୍ଧ ମୋର । ଏ ଯେ ବୋଲାଇ ବଳୀୟାର ॥୧୯୫
ମୁଷ୍ଟିକ ରାମ ଆଗେ ରହି । କୋପେ ଅଧର କାମୋଡ଼ଇ ॥୧୯୬
କହଇ ଦାସ ଜଗନ୍ନାଥ । ଚାଣୂର ଧରି ଗୋପୀନାଥ ॥୧୯୭
ମୁଷ୍ଟିକ ରାମଙ୍କୁ ଧଇଲା । ସେଠାରେ ମନ ମୋ' ରହିଲା ॥୧୯୮
ଦେଖ ହୋ ଗୋବିନ୍ଦର ରଣ । ସୁଜନେ ପଶିବା ଶରଣ ॥୧୯୯
ବାଳକ ସଙ୍ଗେ ଯୁଦ୍ଧ କରି । ଦେଖନ୍ତି ପୁରନରନାରୀ ॥୨୦୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୁବଳୟାପୀଡ଼ବଧୋ ନାମ ଷଟ୍ଚତ୍ୱାରିଂଶେଽଧ୍ୟାୟଃ ॥
</poem>
==='''ସପ୍ତଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ବୀରରସ । କଂସ ଯେ ହୋଇଲା ହରଷ ॥୧
ରାମ ମୁଷ୍ଟିକ ଧରାଧରି । ଚାଣୂର ସଙ୍ଗେ ନରହରି ॥୨
ହସ୍ତଚରଣ ଛନ୍ଦାଛନ୍ଦି । ଗଜକୁ ଯେହ୍ନେ ଗଜବାନ୍ଧି ॥୩
ଏକ ଆରକେ ବଳୀୟାର । ମୁଷ୍ଟିକି ମୁଷ୍ଟି ପଡ଼ିତାଳ ॥୪
ଦେହୁ ଗଳଇ ଶ୍ରମଝାଳ । କେ ପଡ଼େ ଉପରେ କେ ତଳ ॥୫
ଜାନୁରେ ଜାନୁ ପରିବନ୍ଧ । କୋପେ କରନ୍ତି ବୀରନାଦ ॥୬
ମୁଣ୍ତକୁ ମୁଣ୍ତ ମରାମରି । ହୃଦରେ ହୃଦ ଭିଡ଼ାଭିଡ଼ି ॥୭
ଧରି ଘୂରାଇ ପୁଣି ଛାଡ଼ି । ପୁଣି ବସନ୍ତି ବେଗେ ମାଡ଼ି ॥୮
ପୁଣି ଛାଡ଼ିଣ ପଛଘୂଞ୍ଚି । ଧରନ୍ତି ବେଗେ ବଳ ଆଞ୍ଚି ॥୯
ଏକ ଆରକେ ଧରି ବେଗେ । ଗର୍ଜି ପଡ଼ନ୍ତି ଭୂମିଭାଗେ ॥୧୦
ପେଲି ପକାଇ ପୁଣି ଉଠି । ହୃଦେ ତାଡ଼ନ୍ତି ବଜ୍ରମୁଷ୍ଟି ॥୧୧
ପୁଣି ଧରନ୍ତି ତଳେ ମାଡ଼ି । ମୁଣ୍ତକୁ ମୁଣ୍ତ କୋଡ଼ାକୋଡ଼ି ॥୧୨
ରୁଧିର ବହେ ତାଳୁ ଫାଟି । ଦେହକୁ ଦେହ ପିଟାପିଟି ॥୧୩
ପର୍ବତ ପ୍ରାୟ ବେନି ମାଲେ । ଯୁଝନ୍ତି ରାମକୃଷ୍ଣ ତୁଲେ ॥୧୪
ଦେଖି ବୋଲନ୍ତି ନରନାରୀ । ଅନ୍ୟାୟ କଲା ଦଣ୍ତଧାରୀ ॥୧୫
ବାଳକ ରାମକୃଷ୍ଣ ଦୁଇ । ମାଲଙ୍କ ସଙ୍ଗତେ ଯୁଝାଇ ॥୧୬
କେମନ୍ତେ ଦେଖୁଅଛି ଏହା । ହୃଦ୍ରେ ନ ବସଇ ଦୟା ॥୧୭
ମରାଇ ବାଳୁତ ପୁଅଙ୍କୁ । ଧର୍ମ କି ସହିବ ଏହାକୁ ॥୧୮
ସଭାରେ ବସି ବଡ଼ଲୋକେ । ଅଧର୍ମ କରୁଛନ୍ତି ଥୋକେ ॥୧୯
ସକଳେ କଂସ-ପ୍ରିୟକାରୀ । ଧର୍ମ ଅଧର୍ମ ନ ବିଚାରି ॥୨୦
ଯୁଦ୍ଧେ କେ ଅବା ବଳୀୟାର । ଏହା ନ କରନ୍ତି ବିଚାର ॥୨୧
ପର୍ବତପ୍ରାୟ ବେନିମାଲ । ବଜ୍ର-ଶରୀର ଏହାଙ୍କର ॥୨୨
ବାଳକ ପୁଅଙ୍କୁ ଅନାଅ । ଅତି ହିଁ ସୁକୁମାର ଦେହ ॥୨୩
ଏହା ସଭାରେ ଧର୍ମ ନାହିଁ । ଏଠାରେ ଥିବା ନ ଯୋଗାଇ ॥୨୪
ମୁନିଏ କହିଛନ୍ତି ପୂର୍ବେ । ବେଦ ପୁରାଣର ପ୍ରସ୍ତାବେ ॥୨୫
ଅଧର୍ମ-କୁଟସଭା ଯହିଁ । ପଣ୍ତିତେ ନ ବସିବେ ତହିଁ ॥୨୬
ସଭାର ଦୋଷ ଯେ ଜାଣନ୍ତି । ବିଚାରି ପ୍ରବେଶ ନୁହଁନ୍ତି ॥୨୭
ଜାଣିଣ ଯେହୁ ପକ୍ଷ କହି । ନରକେ ପଡ଼ନ୍ତି ସେ ଯାଇ ॥୨୮
ଏମନ୍ତ ରାମକୃଷ୍ଣ ତୁଲେ । ସମର କରୁଛନ୍ତି ମାଲେ ॥୨୯
ଏକ ଆରକେ ଛିଦ୍ର ଟାକି । ନିଶ୍ଚଳ କରୁଛନ୍ତି ଆଖି ॥୩୦
ରାମଗୋବିନ୍ଦେ ଲୋକେ ଚାହିଁ । କହନ୍ତି ଅଙ୍ଗୁଳି ଦେଖାଇ ॥୩୧
ଦେଖ ଏ କୃଷ୍ଣର ବଦନ । ଗଳୁଛି ଝାଳକଣା ମାନ ॥୩୨
ଫୁଟିଲା ପଦ୍ମକୋଷ କିସେ । ଜଳ ସିଞ୍ଚିଲା ପ୍ରାୟ ଦିଶେ ॥୩୪
ଦେଖ ଏ ରାମର ବଦନ । ତମ୍ବାର ପ୍ରାୟେକ ଲୋଚନ ॥୩୫
ଏ ବେନି ଲୋଚନ ବଦନ । ଅଳପହାସେ ଶୋଭାବନ ॥୩୬
ଧନ୍ୟ ସେ ବ୍ରଜଭୂମି ଦେଶ । ପୁଣ୍ୟ ସେ କଲା ଗୋ ଅଶେଷ ॥୩୭
ମାୟା ମନୁଷ୍ୟ ରୂପ ଧରି । ଯହିଁ ବୁଲନ୍ତି ରାମହରି ॥୩୮
ଚିତ୍ର-ବିଚିତ୍ର ବନମାଳେ । ଗୋପାଳ ପୁଅଙ୍କର ମେଳେ ॥୩୯
ଗାଈ ଚରାଇ ବେଣୁସ୍ୱନେ । ପାଦେ ବୁଲନ୍ତି ବନେ ବନେ ॥୪୦
ଧ୍ୱଜ ଅଙ୍କୁଶ ଚିହ୍ନ ପାଦେ । ଶଙ୍କର ପୂଜନ୍ତି ଆନନ୍ଦେ ॥୪୧
ନନ୍ଦର ବ୍ରଜେ ଗୋପନାରୀ । ଅନେକ ଛନ୍ତି ତପକରି ॥୪୨
ଅପୂର୍ବ ରୂପ ଏହାଙ୍କର । ଦେଖି ତେଜିଲେ ଘରଦ୍ୱାର ॥୪୩
ପିବନ୍ତି ଚକ୍ଷୁଦ୍ୱାରେ ରୂପ । ଅଜ୍ଞାନୀଜନେ କରେ ତାପ ॥୪୪
ଦୋହନେ ମନ୍ଥନେ ରନ୍ଧନେ । ଲେପନେ ଦୋଳା ଅବଧାନେ ॥୪୫
ଅଗଣା ପିଣ୍ତା ଛେରା ଦେଇ । ଯେତେ ବ୍ୟାପାର ଗୃହେ ଥାଇ ॥୪୬
ଏହାଙ୍କ ନାମ ଗାଇ ତୁଣ୍ତେ । ଗୋପୀଏ ହାଟ ରାଜଦାଣ୍ତେ ॥୪୭
ଏହାଙ୍କ ପାଦେ ଚିତ୍ତ ଦେଇ । ସୁସ୍ୱର କଣ୍ଠେ ଗୀତ ଗାଈ ॥୪୮
ଧନ୍ୟ ତାହାଙ୍କର ଜୀବନ । କୃଷ୍ଣହୁଁ ନ ଜାଣନ୍ତି ଆନ ॥୪୯
ଗୋରୁ ଚରାଇ ବୃନ୍ଦାବନେ । ଏ ଯେ ଆସନ୍ତି ରାତ୍ରମାନେ ॥୫୦
ଯିବାର ବେଳେ ବେଣୁଗୀତ । ଶୁଣି ହୁଅନ୍ତି ମୂରୁଛିତ ॥୫୧
ଘରୁ ବାହାର ହୋଇ ଦେଖି । ନିର୍ମଳ କରୁଥା'ନ୍ତି ଆଖି ॥୫୨
ଏମନ୍ତ ବୋଲୁଁ ବୋଲୁଁ ଜନେ । କୋପ ବସିଲା କୃଷ୍ଣମନେ ॥୫୩
ମଞ୍ଚାରେ ବସି ତାତମାତ । ତାଡ଼ନ୍ତି ନିଜ ଶିରେ ହସ୍ତ ॥୫୪
ଦଇବ କରିଅଛି ଏହା । ଆମ୍ଭରେ ନାହିଁ ତା'ର ଦୟା ॥୫୫
ନନ୍ଦର ଘରେ ଲୁଚାଇଲୁ । ଏବେ କଂସର ମୁଖେ ଦେଲୁ ॥୫୬
ବିଧାତା ଦେଉଛି କଷଣ । ଦେଖିବୁ ପୁତ୍ରଙ୍କ ମରଣ ॥୫୭
ଦେବକୀ ପୁତ୍ରମୁଖ ଚାହିଁ । ବେନିନୟନୁ ଅଶ୍ରୁବହି ॥୫୮
ବୁଡ଼ିଲା ମହାଶୋକଜଳେ । ଧରିଛି ବସୁଦେବ କୋଳେ ॥୫୯
ମନୁଷ୍ୟ ମଣି କଲେ ଭ୍ରାନ୍ତି । ପୁତ୍ରଙ୍କ ବଳ ନ ଜାଣନ୍ତି ॥୬୦
ମାଲଙ୍କ ତୁଲେ ବେନିବାଳେ । ଯୁଦ୍ଧ କରନ୍ତି କୁତୂହଳେ ॥୬୧
କୃଷ୍ଣର ମୁଷ୍ଟିବଜ୍ରପ୍ରାୟ । କମ୍ପଇ ଚାଣୂରର କାୟ ॥୬୨
ମୂର୍ଚ୍ଛିତ ହୋଇ ମହାବଳୀ । ମୁଖରୁ ରୁଧିର ନିକିଲି ॥୬୩
ପୁଣି ଉଠିଲା ଜ୍ଞାନ ପାଇ । ଧାଇଁଲା ମୁଥେକ ଉଞ୍ଚାଇ ॥୬୪
କୃଷ୍ଣର ହୃଦରେ ପ୍ରହାରି । ଗର୍ଜଇ ବାହାନାଦ କରି ॥୬୫
ଚାଣୂର ମୁଷ୍ଟି ପଡ଼ି ହୃଦେ । ଗୋବିନ୍ଦ ନ ଘୁଞ୍ଚିଲେ ପାଦେ ॥୬୬
ଫୁଲମଣ୍ତାଏ କରେ ଧରି । ଗଜ ଶରୀରେ ଯେହ୍ନେ ମାରି ॥୬୭
ଚାଣୂର କର କୃଷ୍ଣ ଧରି । ବୁଲାଇ ଅନ୍ତରାଳ କରି ॥୬୮
ଭୂମିରେ ପାଡ଼ିଲେ ତକ୍ଷଣ । ଚାଣୂର ଛାଡ଼ିଲା ଜୀବନ ॥୬୯
ଇନ୍ଦ୍ରଧ୍ୱଜର ପ୍ରାୟେ ପଡ଼ି । ଗୋବିନ୍ଦ କଲେ ସିଂହରଡ଼ି ॥୭୦
ଉଠିଲେ ଚାଣୂର ଉପରେ । ଅଳପ କେଶ ଧରି କରେ ॥୭୧
କୃଷ୍ଣଙ୍କୁ ଚାହିଁ ବଳରାମ । ଦେହେ ବସିଲା ଗରୁତମ ॥୭୨
ବଜ୍ରମୁଷ୍ଟିଏ ପ୍ରହାରିଲେ । ମୁଷ୍ଟିକ ମୁଣ୍ତ ଚୂର କଲେ ॥୭୩
ମୁଖରୁ ରୁଧିର ଗଳଇ । ପଡ଼ିଲା ମୃତପିଣ୍ତ ହୋଇ ॥୭୪
ପବନଘାତେ ମହାବୃକ୍ଷ । ଯେସନେ ପଡ଼ଇ ପ୍ରତ୍ୟକ୍ଷ ॥୭୫
ମାଲେକ କୂଟ ନାମେ ଥିଲା । ରାମର ନିକଟେ ମିଳିଲା ॥୭୬
ବାମମୁଷ୍ଟିରେ ମୁଣ୍ତ ଚୂର । ପଡ଼ିଲା କରି ନାଦଘୋର ॥୭୭
ଶଲ ତୋଶଳ ମାଲ ଦୁଇ । ମିଳିଲେ କୃଷ୍ଣପାଶେ ଯାଇ ॥୭୮
ପାଦ ପ୍ରହାରନ୍ତେ ମୁରାରି । ମାଲେ ପଡ଼ିଲେ ନାଦ କରି ॥୭୯
ଆଉ ଯେତେକ ମାଲେ ଥିଲେ । ରଣ ଉପେକ୍ଷି ପଳାଇଲେ ॥୮୦
ମାଲେ ପଳାନ୍ତେ ବେନିଭାଇ । ଡ଼ାକନ୍ତି ପଳାଅ କିପାଁଇଁ ॥୮୧
ଗୋପକୁମରେ ଥିଲେ ସଙ୍ଗେ । ମିଳିଲେ ରାମକୃଷ୍ଣ ଆଗେ ॥୮୨
ମାଲ ବିନ୍ଧାଣ ଗରୁତର । ଭୂମି କମ୍ପଇ ଥରହର ॥୮୩
କୃଷ୍ଣର ମାଲଯୁଦ୍ଧ ଦେଖି । ଅସୁରେ ଚାହାଁନ୍ତି ନିରେଖି ॥୮୪
କୃତାନ୍ତ ପ୍ରାୟ ରୂପ ଦେଖି । ଡ଼ରେ ବୁଜିଲେ ବେନିଆଖି ॥୮୫
କମ୍ପଇ କଂସର ଶରୀର । ଦେଖି ହରଷ ସୁରନର ॥୮୬
ବୋଲନ୍ତି କୃଷ୍ଣ ସାଧୁ ସାଧୁ । ତରିଲେ ମାଲଙ୍କ ପ୍ରମାଦୁ ॥୮୭
ନୂପୁର କୃଷ୍ଣଙ୍କ ଚରଣ । ଚାଲନ୍ତେ ବାଜେ ରୁଣଝୁଣ ॥୮୮
ଶୁଭଇ ବୀରତୂର ଧ୍ୱନି । ସ୍ତୁତି କରନ୍ତି ସୁରମୁନି ॥୮୯
ପଡ଼ି ଅଛନ୍ତି ପଞ୍ଚମାଲେ । ସକଳେ ଭୟେ ପଳାଇଲେ ॥୯୦
ଦେଖିଣ ଉଗ୍ରସେନବଳା । ବାଦ୍ୟଶବଦ ରୁହାଇଲା ॥୯୧
କୋପେ ବୋଲଇ ଶିର ଝୁଣି । କରେ ଖଡଗ ଅଛି ଘେନି ॥୯୨
ଭୃତ୍ୟଙ୍କୁ ବୋଲଇ ବଚନ । ମାରରେ ଗୋପପୁର ଜନ ॥୯୩
ବସୁଦେବର ପୁତ୍ର ଦୁଇ । ରାଜ୍ୟ ବାହାରେ ଛାଡ଼ ନେଇ ॥୯୪
ନନ୍ଦସମ୍ପଦ ଗୋପପୁର । ବହନ କର ଯାଇ ଜୂର ॥୯୫
ନନ୍ଦ-ବସୁଦେବକୁ ନିଅ । ଶିର ଛେଦିଣ ଶୂଳି ଦିଅ ॥୯୬
ଦେବକୀ ଉଗ୍ରେସେନ ମୂଳେ । ଚାରିହେଁ ବସିଥିବେ ଶୂଳେ ॥୯୭
ରାମକୃଷ୍ଣଙ୍କୁ ଧରି ନିଅ । ତାହାଙ୍କ ମରଣ ଦେଖାଅ ॥୯୮
ଶିର ଛେଦିବ ଏହାଙ୍କର । ତେବେ ସେ ଶତ୍ରୁଯିବେ ମୋର ॥୯୯
ଯେତେ ଗୋପାଳପୁଅ ସଙ୍ଗେ । ହାଣି ପକାଅ ନେଇ ବେଗେ ॥୧୦୦
ଏମନ୍ତ କଂସମୁଖୁଁ ଶୁଣି । କୋପେ ଚାହିଁଲେ ଚକ୍ରପାଣି ॥୧୦୧
ବୋଇଲେ ପ୍ରଳାପ ଉତ୍ତର । କେତେରେ କହୁଛୁ ଅସୁର ॥୧୦୨
ଏଥି ସଙ୍ଗତେ ତୋ'ର ମୃତ୍ୟୁ । ଯାହା କହିଛି କୁଶକେତୁ ॥୧୦୩
ମରଣକାଳେ ପ୍ରାଣୀଙ୍କର । ଯେସନ ପ୍ରଳାପ ଉତ୍ତର ॥୧୦୪
ଜୀବନ ଯିବାର ନିକଟ । କିପାଁ ତୁ ହେଉ ଛଟପଟ ॥୧୦୫
ଯେତେ ଦିନକୁ ଥିଲା ଯୋଗ । ଅମୂଲ୍ୟରତ୍ନ କଲୁ ଭୋଗ ॥୧୦୬
ଈଶ୍ୱରେ ନିନ୍ଦିଲୁ ପାପିଷ୍ଠ । ତହିଁର ଫଳେ ମୃତ୍ୟୁକଷ୍ଟ ॥୧୦୭
କଂସର ମର୍ମକଥାମାନ । କହି ଚଳିଲେ ଭଗବାନ ॥୧୦୮
କଂସର ମଞ୍ଚାରେ ଉଠିଲେ । ସ୍ୱର୍ଗେ ଦେବତାଗଣ ଥିଲେ ॥୧୦୯
ଦେଖି କରନ୍ତି ଜୟ ଜୟ । ଅବନୀ ହୋଇଲା ନିର୍ଭୟ ॥୧୧୦
କୃଷ୍ଣଙ୍କୁ ଦେଖି କଂସ ଉଠି । ଖଡ଼ଗେ କଲାଦୃଢ଼ମୁଷ୍ଟି ॥୧୧୧
ଉଞ୍ଚାଇ ଗୋବିନ୍ଦ ଉପରେ । ଡ଼େଇଁ ପଡ଼ନ୍ତେ ରୋଷଭରେ ॥୧୧୨
ଛଞ୍ଚାଣ ପ୍ରାୟେ ଧାତିକାରେ । କେଶ ଧଇଲେ କୃଷ୍ଣ କରେ ॥୧୧୩
ଅସୁର ନ ପାରିଲା ଚଳି । କୃଷ୍ଣଙ୍କୁ ଚାହିଁଲା ନିରୋଳି ॥୧୧୪
ଚକ୍ଷୁର ବାଟେ ପ୍ରାଣ ଗଲା । କୃଷ୍ଣର ଶରୀରେ ପଶିଲା ॥୧୧୫
ନାଗ ଆବୋରି ଖଗପତି । ତେସନ ଗୋବିନ୍ଦର ଗତି ॥୧୧୬
ରତ୍ନମୁକୁଟ କଂସ ଶିରେ । କୃଷ୍ଣେ ଝିଙ୍କିଲେ ରୋଷଭରେ ॥୧୧୭
କଂସକୁ ଧରି ବାମକରେ । ଗୋବିନ୍ଦ ମଞ୍ଚାର ଉପରେ ॥୧୧୮
ଜଗତସ୍ୱାମୀ ଯୋଗବଳେ । ପଡ଼ିଲେ ରଙ୍ଗସଭାତଳେ ॥୧୧୯
କଂସ ଉପରେ ଦାମୋଦର । ଅବନୀ ଦିଶିଲା ସୁନ୍ଦର ॥୧୨୦
ଯେତେ ଅସୁରରାଜା ଥିଲେ । କୃଷ୍ଣଙ୍କୁ ଦେଖି ପଳାଇଲେ ॥୧୨୧
ସମସ୍ତ ଲୋକେ ଛନ୍ତି ଚାହିଁ । ବିକ୍ରମସିଂହ ପ୍ରାୟ ହାଇ ॥୧୨୨
କଂସର କେଶ ଧରି କରେ । କୃଷ୍ଣ ଝିଙ୍କିଲେ ରୋଷଭରେ ॥୧୨୩
ରଙ୍ଗସଭାର ତଳେ ଥାଇ । ମୃତପିଣ୍ତକୁ ଘୋଷଡ଼ାଇ ॥୧୨୪
ଉତ୍ତାନ କରି ପକାଇଲେ । ଗୋପବାଳକେ ଡ଼େଇଁଗଲେ ॥୧୨୫
ଲୋକେ କରନ୍ତି ହାହାକାର । କେ ବୋଲେ ପଡ଼ିଲା ଅସୁର ॥୧୨୬
ଦେଖି ସାନନ୍ଦ ପୁରଜନ । ମଥୁରା ନାରୀଙ୍କର ମନ ॥୧୨୭
ଆକାଶୁ କୁସୁମ ବରଷି । ନିର୍ମଳ ଦଶଦିଗ ଦିଶି ॥୧୨୮
ପବନ ବହଇ ଶୀତଳ । ନିଶ୍ଚଳେ ଜଳଇ ଅନଳ ॥୧୨୯
ଆକାଶ ଦିଶିଲା ନିର୍ମଳ । ଖଣ୍ତିଲା ଅବନୀର ଭାର ॥୧୩୦
ଜୟଶବଦ ଶୂନ୍ୟେ ପୂରି । ନୃତ୍ୟ କରନ୍ତି ଅପସରୀ ॥୧୩୧
ଗୀତବିନୋଦେ ବିଦ୍ୟାଧର । ଦୁନ୍ଦୁଭି ବାଜଇ ସୁସ୍ୱର ॥୧୩୨
ଦଇବେ କଂସ ଅବିରତେ । କୃଷ୍ଣଙ୍କୁ ଭୟ କରି ଚିତ୍ତେ ॥୧୩୩
ଜଳ ପିବନ୍ତେ କମ୍ପେ ଦେହୀ । ଭୋଜନ କରନ୍ତେ ଡ଼ରଇ ॥୧୩୪
ଭୟେ ନ ସ୍ଫୁରଇ ବଚନ । ନିଦ୍ରା ନ ମାଡ଼ଇ ନୟନ ॥୧୩୫
ଯାହାକୁ ଡ଼ରୁଥାଇ ନିତ୍ୟେ । ପ୍ରତ୍ୟକ୍ଷ ଦେଖିଲା ଅଗ୍ରତେ ॥୧୩୬
ଦେହେ ପଶିଲା କଂସରାୟ । ଖଣ୍ତିଲା ଜନ୍ମମୃତ୍ୟୁ ଭୟ ॥୧୩୭
ନିର୍ମଳ ଯୋଗୀଙ୍କି ଦୁର୍ଲ୍ଲଭ । କଂସକୁ ହୋଇଲା ସୁଲଭ ॥୧୩୭
କଂସର ଅଷ୍ଟଭ୍ରାତ ଥିଲେ । ମିଳିଲେ ରାମକୃଷ୍ଣ ତୁଲେ ॥୧୩୮
କଙ୍କ ନ୍ୟଗ୍ରୋଧ ଆଦିକରି । ଧାଇଁଲେ ଖଡ଼ଗ ଉଭାରି ॥୧୩୯
ଭାଇ ମରଣେ କ୍ରୋଧ ପାଇ । ବେଢ଼ିଲେ ଗୋବିନ୍ଦଙ୍କୁ ଯାଇ ॥୧୪୦
ଜଗତିଦ୍ୱାର ରୁନ୍ଧି ବୀରେ । କୁନ୍ତ ଶାବେଳୀ ଭାଲା କରେ ॥୧୪୧
ଆଚ୍ଛାଦି କଲେ ମହାରଣ । ପଡ଼ିଲା କୋଟିବଜ୍ର ବାଣ ॥୧୪୨
ଦିବସ ହୋଇଲା ଅନ୍ଧାର । ବିଚିତ୍ର ଗତି କରବାଳ ॥୧୪୩
ଦେଖି ଧାଇଁଲେ ହଳଧର । ବୁଲାଇ ଲୌହର ମୂଷଳ ॥୧୪୪
ସିଂହ ଯେସନେ ଗଜଯୂଥେ । ପିଟନ୍ତି ଅତି ବଳବନ୍ତେ ॥୧୪୫
ଶସ୍ତ୍ରକୁ ଶସ୍ତ୍ର ପଡ଼ିତାଳ । ନ ପାରି ଘୁଞ୍ଚିଲେ ସକଳ ॥୧୪୬
ରାମର ବଜ୍ରଦଣ୍ତ ଘାୟେ । ପଡ଼ିଲେ ଇନ୍ଦୁମତୀ ପୋଏ ॥୧୪୭
ଗତ ଜୀବନ ଅଷ୍ଟବୀର । ମୁଖରୁ ଗଳଇ ରୁଧିର ॥୧୪୮
ଦେଖି ସାନନ୍ଦ ଦେବଗଣ । ବଳଦେବଙ୍କ ବୀରପଣ ॥୧୪୯
ପୁଷ୍ପବରଷି ସ୍ତୁତି କରି । ଜୟଶବଦେ ଅପସରୀ ॥୧୫୦
କଂସର ଅଷ୍ଟ୍ରଭ୍ରାତା ମୂଳେ । ଯେତେ କାମିନୀ ପୁରେ ଥିଲେ ॥୧୫୧
ବାହାର ହୋଇଲେ ବିକଳେ । କାନ୍ଦନ୍ତି ସ୍ୱାମୀ ଧରି କୋଳେ ॥୧୫୨
ମୁଣ୍ତେ ହୃଦୟେ କରତାଡ଼ି । ଗଡ଼ନ୍ତି ମହୀତଳେ ପଡ଼ି ॥୧୫୩
ଭୋ ନାଥ ପ୍ରିୟ ମହୀପତି । ଅନାଥ ହୋଇଲୁ ଯୁବତୀ ॥୧୫୪
ଭୋ ନାଥ ମରଣେ ତୋହର । ମଥୁରା ନ ଦିଶେ ସୁନ୍ଦର ॥୧୫୫
ତୋର ବିଯୋଗେ ମଧୁପୁରୀ । ଏବେ ଦିଶିଲା ହତଶିରୀ ॥୧୫୬
ତୁ ନାଥ ପ୍ରାଣୀଙ୍କର ତୁଲେ । ଦ୍ରୋହ ଚିନ୍ତିଲୁ ସର୍ବକାଳେ ॥୧୫୭
ଅସୁରବୁଦ୍ଧି ତୋ'ର ମନ୍ଦ । ସାଧୁଙ୍କ ତୁଲେ କଲୁ ବାଦ ॥୧୫୮
ଧର୍ମକୁ ନିଶ୍ଚୟ ଛାଡ଼ିଲୁ । ଭଣଜା ହସ୍ତେ ପ୍ରାଣ ଦେଲୁ ॥୧୫୯
ପ୍ରାଣୀଙ୍କ ହୃଦୟେ ଅନନ୍ତ । ଜଗତ ଯା'ର ଗର୍ଭଗତ ॥୧୬୦
ବ୍ରହ୍ମାଣ୍ତଠାକୁର ଶ୍ରୀହରି । ତାହାର ହୋଇଲୁ ବଇରୀ ॥୧୬୧
ତାହାର ସଙ୍ଗେ ବାଦ କଲୁ । ଅକାଳେ ପ୍ରାଣ ହରାଇଲୁ ॥୧୬୨
ସୃଷ୍ଟି ପାଳନ ଯା'ର ବାନା । ଭକତଜନ ବଜ୍ରସେହ୍ନା ॥୧୬୩
ସଂସାରେ ଧର୍ମରୂପ ହୋଇ । ଭାବ ଅଭାବ ସେ ଘେନଇ ॥୧୬୪
ତା'ର ମହିମା ତୁ ନ ଜାଣି । ଦ୍ରୋହ ଚିନ୍ତିଲୁ ଚକ୍ରପାଣି ॥୧୬୫
ମରିବା ଉଚିତ ତୋହର । ଅନାଥ କଲୁ ମଧୁପୁର ॥୧୬୬
କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦ ଶୁଣିଲେ ରୋଦନ ॥୧୬୭
ଛାଡ଼ିଲେ କଂସେ କୋପମନ । ଦୟାସାଗର ଭଗବାନ ॥୧୬୮
ରାଜକାମିନୀ ମଧ୍ୟେ ଯାଇ । ବିଜୟ ବ୍ରହ୍ମାଣ୍ତ ଗୋସାଇଁ ॥୧୬୯
ଲୋକବେଭାରେ ନରହରି । ଲୋଚନୁ ବହେ ଅଶ୍ରୁବାରି ॥୧୭୦
କାନ୍ଦନ୍ତି ମାଇଁଙ୍କର ମେଳେ । ଗୋବିନ୍ଦ ମାୟା ଯୋଗ ବଳେ ॥୧୭୧
ବୋଲନ୍ତି ମୋର କର୍ମ ମନ୍ଦ । ଦଇବ କରିଅଛି ଛନ୍ଦ ॥୧୭୨
ମୋହର କର୍ମେ ଭଲ ନାହିଁ । କଷ୍ଟ ମୁଁ ଯେତେ ପାଇଛଇଁ ॥୧୭୩
ଜାତ ହୋଇଲି ବନ୍ଦୀଘରେ । ପିତା ମୋ'ଘେନି ଗଲେ ଡ଼ରେ ॥୧୭୪
ଲୁଚାଇ ନନ୍ଦର ମନ୍ଦିରେ । ସୋଦର ମଉଳାର ଡ଼ରେ ॥୧୭୫
ଗଉଡ଼ ପଣେ ଦିନ ନେଇ । ମୋହର କୁଳ ମୂଳ ନାହିଁ ॥୧୭୬
ସେବକ ପ୍ରାୟେ ନନ୍ଦ ଘରେ । ଗୋରୁ ଚରାଏ ବନଘୋରେ ॥୧୭୭
ଦିବସେ ନ ରହଇ ଘରେ । ଅନ୍ନପୁଡ଼ାଏ ଘେନି କରେ ॥୧୭୮
ବନେ ଭୁଞ୍ଜଇ ଏକବେଳେ । ନିଦ୍ରା ନ ମାଡ଼େ ରାତ୍ରକାଳେ ॥୧୭୯
ରାତ୍ର ପାହିଲେ ବନେ ଯାଇ । ଏମନ୍ତେ ଜୀବନ ପୋଷଇ ॥୧୮୦
ଯେତେ ପଡ଼ିଲା ରିଷ୍ଟ ମତେ । ସୁମରି କହିବଇଁ କେତେ ॥୧୮୧
ମୁଁ ମାର ଦୁଃଖ ସୁଖେ ଥାଇ । ମଉଳା ତାହା ନ ଜାଣଇ ॥୧୮୨
ମାଇଲା ମୋର ଷଡ଼ଭାଇ । ମାତାପିତାଙ୍କୁ ଦୁଃଖ ଦେଇ ॥୧୮୩
ସୋଦର କଷ୍ଟ ବାଳବଧ । କେହି ତ ନ କଲ ବିରୋଧ ॥୧୮୪
ମତେ ମାରିବ ବିଚାରିଲା । ଅକ୍ରୁର ହସ୍ତେ ଅଣାଇଲା ॥୧୮୫
ଧନୁଯାତ୍ରା ଏ ମିଛେ କଲା । ଦ୍ୱାରେ ଗୋ ହସ୍ତୀଏ ଥୋଇଲା ॥୧୮୬
ଦଇବେ ତହୁଁ ଉବୁରିଲି । ମାମୁଁଙ୍କ ଛାମୁରେ ମିଳିଲି ॥୧୮୭
ତେବେ ହେଁ ଦୟା ଗୋ ନ କଲା । ମାଲଙ୍କ ସଙ୍ଗେ ଯୁଝାଇଲା ॥୧୮୮
ତହୁଁ ଜୀଇଁଲି କର୍ମବଳେ । ମିଳିଲି ଯାଇ ମଞ୍ଚାତଳେ ॥୧୮୯
ବୋଇଲା କୋପଭର ହୋଇ । ତାଡାଇ ଦିଅ ବେନିଭାଇ ॥୧୯୧
ବସୁଦେବକୁ ନନ୍ଦ ସଙ୍ଗେ । ହାଣି ପକାଅ ନେଇ ବେଗେ ॥୧୯୨
ଦେବକୀ ସଙ୍ଗେ ଉଗ୍ରସେନ । ଶୂଳରେ ବସାଅ ବହନ ॥୧୯୩
ନନ୍ଦ ସମ୍ପଦ କର ଜୂର । ରାମ ଗୋବିନ୍ଦ ବେଗେ ମାର ॥୧୯୪
ଶୁଣି ମୋ' ଦେହ ଥରହର । ଜୀବନ ଉଡ଼ିଲା ମୋହର ॥୧୯୫
ବିକଳେ ଉଠିଲି ମଞ୍ଚାରେ । ତା' କୋପ ଶାନ୍ତି କରିବାରେ ॥୧୯୬
ପାଦେ ପଡ଼ିଲି ମୁହିଁ ଯାଇ । ଧାଇଁଲା ଖଡ଼ଗ ଉଞ୍ଚାଇ ॥୧୯୭
ତା' ଦେଖି ହୋଇଲି ବିକଳ । ବେଗେ ଧଇଲା ମୋର ବାଳ ॥୧୯୮
ମଞ୍ଚାରୁ ଦେଲା ଫୋପଡ଼ାଇ । ତଳେ ଗୋ ପଡୁଥିଲି ମୁହିଁ ॥୧୯୯
ବିକଳେ ଧଇଲି ପୟର । ପଡ଼ିଲା ମୋହର ଉପର ॥୨୦୦
ମଞ୍ଚାରୁ ପଡ଼ି ମାମୁଁ ମଲା । ମୋତେ ତ ଦଇବ ରଖିଲା ॥୨୦୧
ମୋହର କର୍ମେ ନାହିଁ ଭୋଗ । ରାଜା ଭଣଜା ପଣେ ଯୋଗ ॥୨୦୨
ଅରଜି ଥିଲି ଯାହା ପୂର୍ବେ । ଫଳିଲା ମୋତେ ଆସି ଏବେ ॥୨୦୩
ମାୟା ସଂସାରେ ଏହି ମତେ । ଜନ୍ମମରଣ ବେନିପଥେ ॥୨୦୪
ପ୍ରାଣୀ ହୁଅନ୍ତି ଆତଜାତ । କର୍ମର ଫଳେ ସେ ପ୍ରାପତ ॥୨୦୫
ପଥୁକୀ ପଥଶ୍ରମ ପାଇ । ବସନ୍ତି ବୃକ୍ଷ ତଳେ ଯାଇ ॥୨୦୬
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇ ପଥେ ॥୨୦୭
ତେମନ୍ତ ପ୍ରାୟ ଜନ୍ତୁ ମିଳି । ମାୟା ସଂସାରେ ବିଷ୍ଣୁକେଳି ॥୨୦୮
ଜଗତଜୀବ ଏହି ମତେ । ସମସ୍ତେ ଯିବା ଶୂନ୍ୟପଥେ ॥୨୦୯
କେ ଆଗ ପଛ କେ ତୁରିତ । ସବୁରି ଦ୍ୱାରେ ଯମଦୂତ ॥୨୧୦
ଏଣେ ଯେ ନ କରନ୍ତି ଖେଦ । ତାହାଙ୍କୁ ନ ଲାଗେ ପ୍ରମାଦ ॥୨୧୧
ତୁମ୍ଭେ ଗୋ ଅର୍ଜିଅଛ ଯାହା । ଅବଶ୍ୟ ଭୁଞ୍ଜିବଟି ତାହା ॥୨୧୨
ଏମନ୍ତ ବୋଲି ଭଗବାନ । ମୋହିଲେ ମାଇଁଙ୍କର ମନ ॥୨୧୩
ଆଶ୍ୱାସ କରି କଂସନାରୀ । ବଦନ ପୋଛିଲେ ମୁରାରି ॥୨୧୪
ଜଣ ଜଣକେ ବୋଧ କଲେ । ଅନଳେ କଂସ ପୋଡ଼ାଇଲେ ॥୨୧୫
ରାମ ଗୋବିନ୍ଦ ବେନିଭାଇ । ପିତାମାତାଙ୍କ ପାଶେ ଯାଇ ॥୨୧୬
କଷ୍ଟ ଦେଖିଣ ତାହାଙ୍କର । ନୟନୁ ବହେ ଅଶ୍ରୁଜଳ ॥୨୧୭
ମଞ୍ଚା ଉପରେ କୃଷ୍ଣରାମ । ପୟର ଦେଖି ଶୋକମନ ॥୨୧୮
ଚରଣୁଁ ବନ୍ଧନ ଫେଡ଼ାଇ । ପିତାମାତାଙ୍କ ମୁଖ ଚାହିଁ ॥୨୧୯
ଦେବକୀ ବସୁଦେବ ପାଦେ । ପଡ଼ିଲେ ଶୋକ ଗଦଗଦେ ॥୨୨୦
ଦେଖି ଚକିତ ତାତମାତ । ପୟର ଘୁଞ୍ଚାଇ ତୁରିତ ॥୨୨୧
ମନେ ଜାଣିଲେ ଅବହେଳେ । ବିଷ୍ଣୁମୂରତି ପାଦତଳେ ॥୨୨୨
ଭୟେ କମ୍ପନ୍ତି ଥରହର । ବୋଲନ୍ତି ଶରଣ ତୋହର ॥୨୨୩
ଅନାଦି ନାଥ ନିରଞ୍ଜନ । ଆମ୍ଭର ଦୋଷ ତୁ ନ ଘେନ ॥୨୨୪
ପୁତ୍ର ପ୍ରାୟେକ ତୋତେ ମଣି । ଯାହା ଚିନ୍ତିଲୁ ଚକ୍ରପାଣି ॥୨୨୫
ସେ ଦୋଷ ନ ଘେନ ଆମ୍ଭର । ଶରଣ ରଖ ଚକ୍ରଧର ॥୨୨୬
ଏମନ୍ତ ବୋଲି ବାପମାୟେ । ଚକ୍ଷୁ ବୁଜିଲେ ମହାଭୟେ ॥୨୨୭
ବୋଲନ୍ତି ଶୁକ ମୁନିବର । ଜାଣିଲେ ପ୍ରଭୁ ଦାମୋଦର ॥୨୨୮
ବଳଦେବଙ୍କୁ ଅନାଇଲେ । ବୋଇଲେ ଜ୍ଞାନ ଏ ପାଇଲେ ॥୨୨୯
ଆମ୍ଭଙ୍କୁ ଚିହ୍ନିଲେ ଏ ଆଜ । କେମନ୍ତେ ହେବ ଦେବକାର୍ଯ୍ୟ ॥୨୩୦
ଏମନ୍ତ ବୋଲି ବିଚାରିଲେ । ବିଷ୍ଣୁ ମାୟାକୁ ପ୍ରକାଶିଲେ ॥୨୩୧
ପିତାମାତାଙ୍କ ଦେହେ ଯାଇ । ପଶିଲେ ଶୋକମୋହ ହୋଇ ॥୨୩୨
ସେ ମାୟାଧର ପାଦଗତ । ଭଜଇ ବିପ୍ର ଜଗନ୍ନାଥ ॥୨୩୩
କଂସ ଦାନବ ସଂହାରିଲେ । ଅବନୀ ଭାରା ନିବାରିଲେ ॥୨୩୪
ଭକତଜନଙ୍କର ବନ୍ଧୁ । ନାମ କରୁଣାମୟ ସିନ୍ଧୁ ॥୨୩୫
ଏଣେ ନିବେଶି କୃଷ୍ଣେମନ । ଶରଣ ପଶ ଭଗବାନ ॥୨୩୬
ବୁଡ଼ି ନ ମର ଭବଜଳେ । କଷ୍ଣ ସୁମରି ଉଠ କୂଳେ ॥୨୩୭
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁ ବାସନା ମୋର ନାହିଁ ॥୨୩୮
ସ୍ୱପନେ କହିଲେ ମୁରାରି । ପୁରାଣ ଗୀତନାଦ କରି ॥୨୩୯
ରଚିବୁ ଶିରୀ ଭାଗବତ । ବେଦ ପୁରାଣେ ଯାହା ତତ୍ତ୍ୱ ॥୨୪୦
ଏଣୁ ମୋହର ଭୟ ନାହିଁ । ସୁଜନେ ତର ଏହା ଗାଇ ॥୨୪୧
ସୁଜନେ ନ ଧର ମୋ ଦୋଷ । କହଇ ଜଗନ୍ନାଥ ଦାସ ॥୨୪୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କଂସବଧୋ ନାମ ସପ୍ତଚତ୍ୱାରିଂଶୋଽଧ୍ୟାୟଃ ॥
</poem>
==='''ଅଷ୍ଟଚତ୍ୱାରିଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୧
ଜଗତବନ୍ଧୁ ଜନାର୍ଦ୍ଦନ । ମୋହିଲେ ପିତାମାତା ମନ ॥୨
ରାମର ମୁଖକୁ ଚାହିଁଲେ । ବିଷ୍ଣୁର ମାୟା ପ୍ରକାଶିଲେ ॥୩
ଅଶେଷ ଜୀବଜନ୍ତୁ ଦେହେ । ବିଶ୍ୱ ସଂସାରେ ମାୟାମୋହେ ॥୪
ତାତ ଜନନୀ ପାଦତଳେ । ରାମଗୋବିନ୍ଦ ଏକମେଳେ ॥୫
ପଡ଼ନ୍ତି ପୁଣ ପୁଣ ପାଦେ । କହନ୍ତି ଶୋକ ଗଦଗଦେ ॥୬
ହେ ତାତ ମାତ ଶୁଣ ମୋର । ଦଇବବଳ ବଳୀୟାର ॥୭
କଂସର ଡ଼ରେ ବେନିଭାଇ । ଏତେ ଦିବସ ଗୋପେ ଥାଇ ॥୮
ବାଳକକାଳେ ମାତା କୋଳେ । ସୁତେ ବସନ୍ତି ସୁଖ ଭୋଳେ ॥୯
ସେ ସୁଖ ନୋହିଲା ଆମ୍ଭର । କର୍ମର ଫଳ ବଳୀୟାର ॥୧୦
ତାତ ଜନନୀ ଉପକାର । ସୁଝିବ କେବଣ କୁମର ॥୧୧
ଗର୍ଭେ ବହନ୍ତି ଦୁଃଖ ସହି । ପୁଣି ପାଳନ୍ତି କ୍ଷୀର ଦେଇ ॥୧୨
ସର୍ବ ସମ୍ପଦ ପୁଣ ଦେଇ । ତାହାଙ୍କ ପୋଷଣେ ଜୀଅଇ ॥୧୩
ତାହାଙ୍କ ପ୍ରତି ଉପକାରେ । ଶତଜନମେ କେହୁ ପାରେ ॥୧୪
ସେ ତାତ ଜନନୀ ପୋଷଣେ । ସମର୍ଥ ନୁହନ୍ତି ଯେ ଜନେ ॥୧୫
ତାହାଙ୍କ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମଦୂତେ ॥୧୬
କର-ଚରଣ ବାନ୍ଧି କୋପେ । ନିଅନ୍ତି ଯମର ସମୀପେ ॥୧୭
ନିରାଶ ପଥେ ସେ ବିକଳେ । କାନ୍ଦଇ କ୍ଷୁଧାର ଆକୁଳେ ॥୧୮
ତା'ର ବିକଳ ଦେଖି ପଥେ । କୋପେ ବୋଲନ୍ତି ଯମଦୂତେ ॥୧୯
ପିତାମାତାଙ୍କୁ ଦୁଃଖ ଦେଇ । ଜୀବନ ପୋଷିଲୁ ଯେ ତୁହି ॥୨୦
ଯେ ଅବା ପୁଣ୍ୟ ଥିଲା ତୋ'ର । ସେ ପାପେ ହୋଇଲା ଅନ୍ତର ॥୨୧
ଏବେ ଖାଇବୁ ଆଉ କିସ । ଏମନ୍ତ ବୋଲି ତା'ର ମାଂସ ॥୨୨
କାଟି ତାହାର ମୁଖେ ଦ୍ୟନ୍ତି । ନିର୍ଦ୍ଦୟେ ଯଷ୍ଟି ପ୍ରହାରନ୍ତି ॥୨୩
ଭୋ ତାତ ଶୁଣ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ ॥୨୪
ତାତ ଜନନୀ ବୃଦ୍ଧକାଳେ । ନିଜ ଭାରିଜା ଶିଶୁମେଳେ ॥୨୫
ଗୋରୁ ବ୍ରାହ୍ମଣ ଗୁରୁଜନ । ଏହାଙ୍କୁ ନ ଦେଇ ଭୋଜନ ॥୨୬
ଯେ ପ୍ରାଣୀ ଆତ୍ମାକୁ ପୋଷନ୍ତି । ଜୀବନ ଥାଉଁ ସେ ମରନ୍ତି ॥୨୭
କଂସର ଡରେ ଗୋପେ ଥାଇ । ଦୁଃଖେ ବଢ଼ିଲୁ ବେନିଭାଇ ॥୨୮
ତୁମ୍ଭ ସେବାରେ ନାହିଁ ମନ । ନିଷ୍ଫଳେ ଗଲା ଏତେ ଦିନ ॥୨୯
ସେ ଦୋଷ କ୍ଷମାକର ତାତ । ଆମ୍ଭେ ହୋଇଲୁ ପରାୟତ୍ତ ॥୩୦
ଏମନ୍ତ କହି ଦାମୋଦର । ମନ ମୋହିଲେ ତାହାଙ୍କର ॥୩୧
କୃଷ୍ଣ ବଚନେ ମାତାପିତା । ଛାଡ଼ିଲେ ମନୁ ଖେଦ ଚିନ୍ତା ॥୩୨
ଅତି ଆନନ୍ଦେ ବେନିଜନ । ପୁତ୍ରଙ୍କୁ ଦିଅନ୍ତି ଚୁମ୍ବନ ॥୩୩
କୋଳେ ବସାଇ ହୃଦେ ଭିଡ଼ି । ବେନିଲୋଚନୁ ବହେ ବାରି ॥୩୪
ବୁଡ଼ିଲେ ମାୟାମୋହ ଜଳେ । କଣ୍ଠ ନସ୍ଫୁରେ ଶୋକଭରେ ॥୩୫
ଏମନ୍ତେ ପ୍ରଭୁ ବ୍ରହ୍ମରାଶି । ତାତଜନନୀ ମନ ତୋଷି ॥୩୬
କୋମଳ-ମଧୁର-ବଚନେ । ମଞ୍ଚାରୁ ଉତୁରି ବହନେ ॥୩୭
ଉଗ୍ରସେନଙ୍କୁ ଅଣାଇଲେ । ରାଜଆସନେ ବସାଇଲେ ॥୩୮
ବୋଲନ୍ତି ପ୍ରଭୁ ଦେବରାଜା । ଆମ୍ଭେ ସକଳେ ତୋର ପ୍ରଜା ॥୩୯
ତୁ ଭୋଜବଂଶ ନୃପବର । ଆମ୍ଭେ ଖଟିବୁ ତୋ' ପୟର ॥୪୦
ଯଯାତି ନାମେ ମହାନୃପ । ଯଦୁଙ୍କୁ ଦେଇଅଛି ଶାପ ॥୪୧
ତେଣୁ ଯଦୁଙ୍କୁ ପାଟ ନାହିଁ । ରାଜା ହୋଇଲେ କ୍ଷୟ ଯାଇ ॥୪୨
ତୁ ଆମ୍ଭ ବୋଲେ ନୃପବର । ବହିବୁ ରାଜ୍ୟ ମହାଭାର ॥୪୩
ଏମନ୍ତ ବୋଲି ବନମାଳୀ । ଆପଣେ କଲେ ନିଉଛାଳି ॥୪୪
ସୁବର୍ଣ୍ଣ କୁମ୍ଭେ ଗଙ୍ଗାନୀର । ଦଧି ଅକ୍ଷତ ଗନ୍ଧସାର ॥୪୫
ଗୋବିନ୍ଦ ତୋଳି ନିଜ କରେ । ଢ଼ାଳିଲେ ଉଗ୍ରସେନ ଶିରେ ॥୪୬
ନାନା ଉତ୍ସବେ ଅଭିଷେକ । ସ୍ୱର୍ଗେ ଦେଖନ୍ତି ସୁରଲୋକ ॥୪୭
ବାଜଇ ବୀରତୂର ବାଦ୍ୟ । ମଥୁରା ହୋଇଲା ଆନନ୍ଦ ॥୪୮
ଉଗ୍ରସେନଙ୍କୁ ରାଜା କରି । କୃଷ୍ଣ କହନ୍ତି କରଯୋଡ଼ି ॥୪୯
ଭ୍ରାନ୍ତି ତୁ ନ କର ମନରେ । ତୋ ରିପୁ ନହିଁ ଏ ସଂସାରେ ॥୫୦
ମୁହିଁ ଯାହାର ଆଜ୍ଞାକାରୀ । କେ ତା'ର ହୋଇବ ବଇରୀ ॥୫୧
ମହେନ୍ଦ୍ର ଆଦି ଦିଗପାଳେ । ଖଟିବେ ତୋ'ର ପାଦତଳେ ॥୫୨
ମର୍ତ୍ତ୍ୟରାଜାଙ୍କୁ ନାହିଁ ଡ଼ର । ବୋଲନ୍ତି ବ୍ରହ୍ମାଣ୍ତ ଠାକୁର ॥୫୩
ଏମନ୍ତେ ରାଜପଦ ଦେଇ । ରାମଗୋବିନ୍ଦ ବେନିଭାଇ ॥୫୪
ଯେତେ ଡ଼ଗର ଥିଲେ ଦେଶେ । ଅଣାଇଁ କହନ୍ତି ବିଶ୍ୱାସେ ॥୫୫
ତୁମେ ହୋ ଯାଅ ଚାରିଦିଗେ । ମୋହର ଆଜ୍ଞା ଘେନି ବେଗେ ॥୫୬
ଯାଦବ ଆଦି ସାତବଂଶେ । ଯେବା ଅଛନ୍ତି ଯେଉଁ ଦେଶେ ॥୫୭
ବୋଲିବ ଆସ ହେ ନିର୍ଭୟେ । ତୁମ୍ଭଙ୍କୁ ଗୋବିନ୍ଦ ସଦୟେ ॥୫୮
ଏମନ୍ତ ବୋଲି ଆଜ୍ଞା ଦେଲେ । ବହନ ଆଣ ହୋ ବୋଇଲେ ॥୫୯
ତକ୍ଷଣେ ଡ଼ଗରାଏ ଯାଇ । ଚାରିଦିଗରେ ଆଜ୍ଞା କହି ॥୬୦
ଯେତେକ ଗୋବିନ୍ଦ ଉତ୍ତର । ସମସ୍ତ କହିଲେ ଡଗର ॥୬୧
ରାମଗୋବିନ୍ଦଙ୍କ ଚରିତ । ତୁମ୍ଭଙ୍କୁ ସଦୟ ବହୁତ ॥୬୨
ଏମନ୍ତ ଡଗରେ କହିଲେ । ତକ୍ଷଣେ ଆସ ହୋ ବୋଇଲେ ॥୬୩
ବନ୍ଧୁବାନ୍ଧବ ଆଦି କରି । ତକ୍ଷଣେ ଆଜ୍ଞା ଶିରେ ଧରି ॥୬୪
ସକଳେ ହୋଇଲେ ବାହାର । ଆସନ୍ତି ଅତି ଖରତର ॥୬୫
ରାମଗୋବିନ୍ଦଙ୍କୁ ଭେଟିଲେ । ସମସ୍ତେ ଆନନ୍ଦ ହୋଇଲେ ॥୬୬
ରାମଗୋବିନ୍ଦ ବେନିଜନ । କହିଲେ ମଧୁର ବଚନ ॥୬୭
ଜଣଜଣକେ ତୋଷ କରି । ଦାସବତ୍ସଳ ନରହରି ॥୬୮
ଯେଝାର ପୁରେ ଦେଲେ ବାସ । ଧନ ସମ୍ପଦ ଗ୍ରାମ ଦେଶ ॥୬୯
ଯାଦବେ କୃଷ୍ଣର ବିଶ୍ୱାସେ । ଗୃହେ ରହିଲେ ମନତୋଷେ ॥୭୦
ରାତ୍ର ଦିବସେ କୃଷ୍ଣମୁଖ । ଦେଖି ଛାଡ଼ିଲେ ମନୁଦୁଃଖ ॥୭୧
ବୃଦ୍ଧ ବାଳକ ରୂପ ନାହିଁ । ସକଳେ ଯୁବାପ୍ରାୟ ହୋଇ ॥୭୨
କୃଷ୍ଣର ଅପୂର୍ବ ବଦନ । ଦେଖି ହୋଇଲେ ତୋଷମନ ॥୭୩
ସେ କୃଷ୍ଣ ଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ ॥୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଗ୍ରସେନ ସିଂହାସନ ଆରୋହଣଂ ନାମ ଅଷ୍ଟଚତ୍ୱାରିଂଶୋଽଧ୍ୟାୟଃ ॥
</poem>
=='''ଦଶମସ୍କନ୍ଧ (ଦ୍ୱାରକାଲୀଳା)'''==
<poem>
</poem>
==='''ଊନପଞ୍ଚାଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧
ରାମଗୋବିନ୍ଦ ଏକମେଳେ । ନନ୍ଦର ନିକଟେ ମିଳିଲେ ॥ ୨
କରଅଞ୍ଜଳି ଦେଇ ଶିରେ । ନମିଲେ ତାହାଙ୍କ ପୟରେ ॥ ୩
ନନ୍ଦର ଚରଣେ ପ୍ରଣମି । ଅଶେଷ ଜନ୍ତୁ ଅନ୍ତର୍ଯ୍ୟାମୀ ॥ ୪
ରାମଗୋବିନ୍ଦ ମାୟାବଳେ । ବସିଲେ ବେନିଭାଇ କୋଳେ ॥ ୫
ବେନିବାଳକ କୋଳେ ଜାକି । ସ୍ନେହେ ବୁଜିଲେ ବେନି ଆଖି ॥ ୬
ଆନନ୍ଦେ ଅଶ୍ରୁଜଳ ବହେ । ନନ୍ଦକୁ ଚାହିଁ ଦେବରାୟେ ॥ ୭
କହନ୍ତି ଶୁଣ ଆହେ ତାତ । ଆମ୍ଭେ ତୁମ୍ଭର ବେନିସୁତ ॥ ୮
ତୁମ୍ଭେ ପାଳିଲ ସ୍ନେହ ବହି । ତାତ ଜନନୀ ପ୍ରାୟ ହୋଇ ॥ ୯
ଅନାଥ ବାଳକଙ୍କୁ ଆଣି । ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ ॥ ୧୦
ସେ ଧର୍ମପିଅର ଜନନୀ । ବୋଲନ୍ତି ବେଦମତେ ମୁନି ॥ ୧୧
ହେ ତାତ ଯାଅ ଗୋପପୁର । ବନ୍ଧୁବାନ୍ଧବ ଘେନି ତୋର ॥ ୧୨
ମୁଁ ଏଥି ରହି ଦିନାକେତେ । ବନ୍ଧୁବାନ୍ଧବ ମୋର ଯେତେ ॥ ୧୩
ତାହାଙ୍କୁ ନିଶ୍ଚିନ୍ତ କରାଇ । ଯେ ଯାହା ବାସ ତାଙ୍କୁ ଦେଇ ॥ ୧୪
ପଛେ ମୁଁ ଯିବି ଗୋପପୁର । ଭୋ ତାତ ବିଳମ୍ବ ନ କର ॥ ୧୫
ଏମନ୍ତ କହି ଭାବଗ୍ରାହୀ । ନନ୍ଦର ହସ୍ତେ ହସ୍ତ ଦେଇ ॥ ୧୬
କଂସର ଯେତେକ ଭଣ୍ତାର । ନନ୍ଦକୁ ଦେଲେ ଦାମୋଦର ॥ ୧୭
ବୋଇଲେ ଗୋପେ ହୁଅ ରାଜା । ଆନନ୍ଦେ ପାଳ ଜନ ପ୍ରଜା ॥ ୧୮
ନନ୍ଦ ଗୋପାଳଙ୍କର ମନ । ମୋହିଲେ ପ୍ରଭୁ ଭଗବାନ ॥ ୧୯
ରାମଗୋବିନ୍ଦେ ଘେନି କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ॥ ୨୦
ଯେତେ ବାଳକ କୃଷ୍ଣସଙ୍ଗେ । ଗୋପେ ବଢ଼ିଲେ ନବରଙ୍ଗେ ॥ ୨୧
କୃଷ୍ଣଙ୍କୁ ଜଣେ ଜଣେ ଧରି । ବୋଲନ୍ତି ଆଲିଙ୍ଗନ କରି ॥ ୨୨
ହେ ରାମକୃଷ୍ଣ ତୁମ୍ଭ ସଙ୍ଗେ । ବନେ ବଞ୍ଚିଲୁ ନାନାରଙ୍ଗେ ॥୨୩
ହେ ପ୍ରଭୁ ତୋର ଜନ୍ମକାଳୁ । ଆମ୍ଭେ ଯେ କ୍ଷଣେ ଛାଡ଼ିଲୁାା ୨୪
ଏବେ ଛାଡ଼ିଲ କିସପାଇଁ । ବଞ୍ଚିବୁ କାହା ମୁଖ ଚାହିଁ ॥୨୫
ଶୁଣି ବୋଲନ୍ତି ବେନିଭାଇ । ମୋହନ ନୟନେ ଅନାଇଁ ॥୨୬
ଗୋପାଳେ ଯାଅ ଯେଝା ଘର । ମନ ନିବେଶି ମୋ ପୟର ॥୨୭
ଆମ୍ଭର ମନ ତୁମ୍ଭ ତହିଁ । ନିକଟେ ଯିବୁ ବେନିଭାଇ ॥୨୮
ଏମନ୍ତେ ଜଣେ ଜଣେ ତୋଷି । ଗୋପାଳ ପୁଅକୁ ଆଶ୍ୱାସି ॥୨୯
କୃଷ୍ଣର ଆଜ୍ଞା ନନ୍ଦ ପାଇ । କାନ୍ଦଇ ପୁଣ ପୁଣ ଚାହିଁ ॥୩୦
ପୁଣି ସେ ରାମକୃଷ୍ଣ ଲଇ । କୋଳେ ବସାଇ ଚୁମ୍ବ ଦେଇ ॥୩୧
ମନ ନିବେଶି କୃଷ୍ଣପାଦେ । ବୁଡ଼ିଲା ଶୋକ ଗଦଗଦେ ॥୩୨
ବାଜଇ ବୀରତୂର ବାଦ୍ୟ । ଘେନାଇ ସକଳ ସମ୍ପଦ ॥୩୩
ନନ୍ଦ ଚଳିଲା ଗୋପପୁର । ଶୁଣ ରାଜନ କୁରୁବୀର ॥୩୪
ଏ ଯେତେ ଦେଖି କୃଷ୍ଣଭାବ । ପୁତ୍ରଙ୍କୁ ପାଇ ବସୁଦେବ ॥୩୫
ଦ୍ୱିଜଙ୍କ ସଙ୍ଗେ ପୁରୋହିତ । ଅଣାଇଁ କହଇ ଉଚିତ ॥୩୬
ଏ ଯେ ମୋହର ବେନିବାଳେ । ଗୋପୁଁ ଅଇଲେ ଏତେକାଳେ ॥୩୭
ଏହାଙ୍କ କ୍ରିୟା-କର୍ମ ନାହିଁ । ସଂସ୍କାର କର ବେନିଭାଇ ॥୩୮
ବସୁଦେବର ବୋଲ ଶୁଣି । ବ୍ରାହ୍ମଣେ ରାମକୃଷ୍ଣ ଘେନି ॥୩୯
କଲେ ଯେ ବେଦ-କ୍ରିୟାକର୍ମ । କୁଳଉଚିତ ଯଥାଧର୍ମ ॥୪୦
ଆନନ୍ଦ ହୋଇ ବସୁଦେବ । ବିପ୍ରଙ୍କୁ କରାଇ ଉତ୍ସବ ॥୪୧
ଅୟୁତେ ଧେନୁ ବତ୍ସାମୂଳେ । ମଣ୍ତିଲା ନାନା ଅଳଙ୍କାରେ ॥୪୨
କୃଷ୍ଣର ଜନ୍ମକାଳେ ଯାହା । ମନେ କଳ୍ପିଲା ପୁଣ୍ୟଦେହା ॥୪୩
ବିପ୍ରଙ୍କୁ ଦେଲା ମନତୋଷେ । କଲ୍ୟାଣ କଲେ ସେ ହରଷେ ॥୪୪
ବସାଇ ରାମକୃଷ୍ଣ ଦୁଇ । ଆନନ୍ଦମନେ ବେଦ କହି ॥୪୫
ଗାୟତ୍ରୀମନ୍ତ୍ର ବିଦ୍ୟାଧର୍ମ । କୁଳଉଚିତ ଦଶକର୍ମ ॥୪୬
କରାଇ ଗଲେ ବିପ୍ରଜନେ । କୃତାର୍ଥ ବସୁଦେବ ମନେ ॥୪୭
ଯେ ହରି ସର୍ବବିଦ୍ୟା ହେତୁ । ଦାନ ଆଶ୍ରମ ତପ ତତ୍ତୁ ॥୪୮
ମନୁଷ୍ୟ ଜନ୍ମ ଯଦୁପତି । ତେଣୁ ହୋଇଲେ ବିଦ୍ୟାଅର୍ଥୀ ॥୪୯
ଗୋବିନ୍ଦ ବିଚାରନ୍ତି ରହି । ବିଦ୍ୟା ପଢିବା ଆମ୍ଭେ କାହିଁ ॥୫୦
ଶୁଣି ବୋଲନ୍ତି ହଳଧର । ଅବନ୍ତୀ ରାଜ୍ୟେ ବିପ୍ରବର ॥୫୧
କଶ୍ୟପ ଗୋତ୍ରେ ବିଦ୍ୟମାନ । ତାହାଙ୍କ ସାନ୍ଦୀପନୀ ନାମ ॥୫୨
ଏମନ୍ତ ଭାଳି ବେନିଭ୍ରାତେ । ବିଜୟ କଲେ ଏକରଥେ ॥୫୩
ରାମଗୋବିନ୍ଦ ଯୋଗବଳେ । ଅବନ୍ତୀ ନଗରେ ମିଳିଲେ ॥୫୪
ନିତି ଘେନନ୍ତି ଗୁରୁଦୀକ୍ଷା । ପାଠ ପଠନେ ବଡ଼ ଇଚ୍ଛା ॥୫୫
ପୂଜନ୍ତି ଗୁରୁଙ୍କ ଚରଣ । ଦେବତା ପ୍ରାୟେ ଆଚରଣ ॥୫୬
ସେବନ୍ତି ଗୁରୁଭାବ ଜାଣି । ଧର୍ମପାଳନେ ଚକ୍ରପାଣି ॥୫୭
ଭକ୍ତି ଦେଖି କୃଷ୍ଣରାମ । ଗୁରୁ ହୋଇଲେ ତୋଷମନ ॥୫୮
ପଢାନ୍ତି ବ୍ରହ୍ମ-ବେଦସାର । ସକଳ ଶାସ୍ତ୍ର ନିତ୍ୟାଚାର ॥୫୯
କହିଲେ ଧନୁର୍ବେଦ ରଙ୍ଗେ । ଧର୍ମ ମୀମାଂସା ନ୍ୟାୟ ସଙ୍ଗେ ॥୬୦
ଉପାୟ ଦଣ୍ତ ତର୍କବିଧି । ଯେ ରାଜନୀତି ସର୍ବସିଦ୍ଧି ॥୬୧
ଯେ ହରି ସର୍ବଶାସ୍ତ୍ରମୟେ । କୋଟି ବ୍ରହ୍ମାଣ୍ତ ଯାର ଦେହେ ॥୬୨
ଗୁରୁଙ୍କ ମୁଖୁଁ ଶୁଣି ବେଳେ । ସକଳ ବିଦ୍ୟା ଅବହେଳେ ॥୬୩
ରାମଗୋବିନ୍ଦ ମନତୋଷେ । ଚାରିଦିବସ ବେନିମାସେ ॥୬୪
ପଢି ସାନନ୍ଦ ବେନିଭାଇ । ବୋଲନ୍ତି ଶିରେ କରଦେଇ ॥୬୫
ଭୋ ବିପ୍ର ଆଜ୍ଞା ଯେବେ ହୋଇ । ଗୁରୁଦକ୍ଷିଣା ଆମ୍ଭେ ଦେଇ ॥୬୬
ପୂଜିବୁ ତୁମ୍ଭର ପୟର । ମେଲାଣି ଦିଅ ଯିବୁ ଘର ॥୬୭
ଶୁଣି ସାନନ୍ଦ ବିପ୍ରବର । କହିଲେ ପତ୍ନୀର ଆଗର ॥୬୮
ଶୁଣ ଭାବିନୀ ଚିତ୍ରକଥା । ରାମଗୋବିନ୍ଦଙ୍କ ବ୍ୟବସ୍ଥା ॥୬୯
ସକଳଶାସ୍ତ୍ର ଆମ୍ଭ ପାଶେ । ବସି ପଢିଲେ ବେନିମାସେ ॥୭୦
କେ କହୁ ତାହାଙ୍କ ମହିମା । ସକଳଗୁଣେ ସିଦ୍ଧକର୍ମା ॥୭୧
ନୁହନ୍ତି ମନୁଷ୍ୟ ଶରୀର । କି ଅବା ରବି ସୁନାସୀର ॥୭୨
ଗୁରୁଦକ୍ଷିଣା ସେ ଯାଚନ୍ତି । କହ ତୁ ଫିଟୁ ମନଭ୍ରାନ୍ତି ॥୭୩
ଶୁଣି ସାନନ୍ଦ ବିପ୍ରନାରୀ । କହନ୍ତି ବେନିକର ଯୋଡ଼ି ॥୭୪
ଭୋ ନାଥ ଶୁଣ ମୋର ବାଣୀ । ଆମ୍ଭର ପୁରେ କମଳିନୀ ॥୭୫
ଅନେକ ସମ୍ପତ୍ତି ଆମ୍ଭର । ଜୀବନ ହୋଇଲା ଅସାର ॥୭୬
ସନ୍ତତି ନାହିଁ ଆମ୍ଭ ଘରେ । କି ସୁଖ ସଂସାର ବେଭାରେ ॥୭୭
ଆମ୍ଭର ପୁତ୍ରଗୋଟି ଥିଲା । ପ୍ରଭାସତୀର୍ଥେ ନାଶ ଗଲା ॥୭୮
ସେ ପୁତ୍ର ଯେବେ ଆଣିଦ୍ୟନ୍ତେ । ତେବେ ସେ ଜୀବନ ରଖନ୍ତେ ॥୭୯
ଆନ ସମ୍ପଦେ ନାହିଁ କାର୍ଯ୍ୟ । ଶୁଣି ସାନନ୍ଦମନେ ଦ୍ୱିଜ ॥୮୦
ରାମଗୋବିନ୍ଦ ମୁଖଚାହିଁ । ବୋଲନ୍ତି ଶୁଣ ମନଦେଇ ॥୮୧
ପ୍ରଭାସତୀର୍ଥେ ମୋ କୁମର । ମରିଛି ଦ୍ୱାଦଶବର୍ଷର ॥୮୨
ତାହାକୁ ଯେବେ ଦେବ ଆଣି । ତୋଷିବ ଆମ୍ଭର ଘରଣୀ ॥୮୩
ଯେବେ ପାରିବ ତାହା ଦେଇ । ତେବେ ଦକ୍ଷିଣା ମୋର ପାଇ ॥୮୪
ହୋଇବ କୃତାର୍ଥ ଜୀବନ । ତୁମ୍ଭେ ପାଇବ ଯଶ-ଧର୍ମ ॥୮୫
ଶୁଣି ସାନନ୍ଦମନ ହୋଇ । ରଥେ ବସିଲେ ବେନିଭାଇ ॥୮୬
ଗୋବିନ୍ଦ ଯୋଗମାୟା ବଳେ । ମିଳିଲେ ବାରାନିଧି କୂଳେ ॥ ୮୭
ବଳରାମଙ୍କୁ କୃଷ୍ଣ ଚାହିଁ । ଭୋ ପ୍ରଭୁ ଥାଅ କୂଳେ ରହି ॥୮୮
ରଥୁଁ ଓହ୍ଲାନ୍ତେ ନନ୍ଦବଳା । ତକ୍ଷଣେ ବରୁଣ ମିଳିଲା ॥୮୯
ଜଳୁଁ ବାହାର ବେଗେ ହୋଇ । କରଅଞ୍ଜଳି ଶିରେ ଦେଇ ॥୯୦
ବୋଇଲ ଶୁଣ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥୯୧
କିମ୍ପାଇ ଅଇଲ ମୋ ପୁର । ଶୁଣି ବୋଲନ୍ତି ଚକ୍ରଧର ॥୯୨
ଆମ୍ଭର ଗୁରୁପୁତ୍ର ନେଇ । ଲୁଚାଇ ଥୋଇଅଛୁ କାହିଁ ॥୯୩
ଆମ୍ଭେ ତୋଷିବୁ ଗୁରୁନାରୀ । ବରୁଣ ଆଣ ବେଗକରି ॥୯୪
ଶୁଣି ବରୁଣ ମହାଭୟେ । ପଡ଼ିଲା କୃଷ୍ଣପଦ୍ମପାଏ ॥୯୫
ଭୋ ନାଥ ଗୁରୁପୁତ୍ର କାହିଁ । ତୁ କି ନ ଜାଣୁ ଭାବଗ୍ରାହୀ ॥୯୬
ମୋର ଭିତରେ ଶଙ୍ଖାସୁର । ତୁ ଯେ ମାଇଲୁ ଚକ୍ରଧର ॥୯୭
ବ୍ରହ୍ମାଙ୍କୁ ଦେଲୁ ବେଦ ନେଇ । ତାହାର ପୁତ୍ରେକ ଅଛଇ ॥୯୮
ନାମ ତାହାର ପଞ୍ଚଜନ । ମାୟାଦୀ ଅସୁରନନ୍ଦନ ॥୯୯
ସେ ଅବା ନେଇଅଛି ହରି । ଶୁଣି ସାନନ୍ଦ ନରହରି ॥୧୦୦
ବଳଦେବଙ୍କୁ ତୀରେ ଥୋଇ । ଜଳେ ପଶିଲେ କୃଷ୍ଣ ଯାଇ ॥୧୦୧
ଅଗାଧଜଳେ ଭାବଗ୍ରାହୀ । ଧଇଲେ ଅସୁରକୁ ଯାଇ ॥୧୦୨
ମୁଷ୍ଟି ପ୍ରହାରିଲେ ପ୍ରଚଣ୍ତ । ଶିର ହୋଇଲା ବେନିଖଣ୍ତ ॥୧୦୩
ତାର ଉଦରେ ଭଗବାନ । ଖୋଜିଲେ ଗୁରୁଙ୍କ ନନ୍ଦନ ॥୧୦୪
ଖୋଜି ନ ପାଇ ପଦ୍ମମୁଖ । ତାର ଉଦରୁ ନାଭିଶଙ୍ଖ ॥୧୦୫
ଘେନି ବାହାର ବ୍ରହ୍ମରାଶି । ରାମର ସଙ୍ଗେ ରଥେ ବସି ॥୧୦୬
କହନ୍ତି କମଳାର ବର । ଭୋ ସ୍ୱାମୀ ଯିବା ଯମପୁର ॥୧୦୭
ଗୁରୁବାଳକ ଏଥେ ନାହିଁ । ଏମନ୍ତ ବୋଲି ରଥବାହି ॥୧୦୮
ଯାନ୍ତେ କରନ୍ତି ଶଙ୍ଖନାଦ । ଖଣ୍ତିଲେ ଜନ୍ତୁଙ୍କ ବିଷାଦ ॥୧୦୯
ଯମର ଗଡ଼ଦ୍ୱାରେ ଯାଇ । ଗୋବିନ୍ଦ ଶଙ୍ଖନାଦ ବାଇ ॥୧୧୦
ଯମଯାତନା ଘୋରପଥେ । ନିବାସିଥିଲେ ପ୍ରାଣୀ ଯେତେ ॥୧୧୧
ଶୁଣି କୃଷ୍ଣର ଶଙ୍ଖନାଦ । ଖଣ୍ତିଲେ ଘୋର-ପାପବନ୍ଧ ॥୧୧୨
ହୋଇଲେ ଚାରିଚାରି ଭୁଜ । ଶଙ୍ଖ କମଳ ଗଦାତେଜ ॥୧୧୩
ଚକ୍ରତେଜ ସହିତେ ଚିହ୍ନ । ତକ୍ଷଣେ ଉଠିଲେ ଗଗନ ॥୧୧୪
ଶଙ୍ଖ ଶବଦ ଘନେ ସ୍ପୁରି । ଯମଭୁବେନେ ପଡେ଼ ହୁରି ॥୧୧୫
ଯମକୁ ଜଣାଇଲେ ଦୂତ । ବିଜୟ କଲେ ଗୋପୀନାଥ ॥୧୧୬
ତୋର ସମ୍ପଦ ଆଜୁଁ ଗଲା । ତା ଶୁଣି ଯମ ଭୟ କଲା ॥୧୧୭
ଚିତ୍ରଗୁପତ କର ଧରି । ବେଗେ ଭେଟିଲା ନରହରି ॥୧୧୮
କୃଷ୍ଣଚରଣ ତଳେ ପଡି । ଯମ ବୋଲଇ କରଯୋଡି ॥୧୧୯
ଭୋ ନାଥ ନିସ୍ତରିଲି ମୁହିଁ । ବିଜୟ କଲ କାହିଁପାଇଁ ॥୧୨୦
ଶୁଣି ବୋଲନ୍ତି ଶିରୀରଙ୍ଗ । ଗୁରୁଙ୍କ ପୁତ୍ର ଆଣ ବେଗ ॥୧୨୧
ତାର ମରଣକାଳ ଜାଣି । ତୋହର ଦୂତେ ଛନ୍ତି ଆଣି ॥୧୨୨
ମୋର ବଚନେ ଆଣ ତୁହିଁ । ଆନ କେ ପାରିବଟି ନେଇ ॥୧୨୩
ଶୁଣି ସାନନ୍ଦ ଜନ୍ତୁନାଥ । କୃଷ୍ଣଙ୍କୁ ଦେଲା ଗୁରୁପୁତ୍ର ॥୧୨୪
ଗୁରୁ-ବାଳକ କର ଧରି । ରଥେ ବସିଲେ ଦଇତ୍ୟାରି ॥୧୨୫
ବସିଲେ ଯାଇ ରାମ ତୁଲେ । ଗୁରୁ-ବାଳକ ଘେନି କୋଳେ ॥୧୨୬
ଅବନ୍ତୀପୁରେ ବନମାଳୀ । ଗୁରୁ-ମନ୍ଦିରେ ବେଗେ ମିଳି ॥୧୨୭
ରଥୁଁ ଓହ୍ଲାଇ ଦାମୋଦର । ଗୁରୁକୁମର ଧରି କର ॥୧୨୮
ଭିତରେ ପଶି ବେନିଭାଇ । ଗୁରୁ-କାମିନୀ କୋଳେ ନେଇ ॥୧୨୯
ସୁତ ବସାଇ ପ୍ରଦକ୍ଷିଣ । ହସି ବୋଲନ୍ତି ନାରାୟଣ ॥୧୩୦
ତୁମ୍ଭର ପୁତ୍ର ମାଏ ନିଅ । ଦକ୍ଷିଣା ଦେବୁ ଆଜ୍ଞା ଦିଅ ॥୧୩୧
ଶୁଣି ଉଠିଲେ ଗୁରୁନାରୀ । ରାମ-ଗୋବିନ୍ଦ କର ଧରି ॥୧୩୨
କଲ୍ୟାଣ କରି ଚୁମ୍ବ ଦେଇ । ତୁମ୍ବରେ ନିଉଛାଳି ହୋଇ ॥୧୩୩
ଆନ ସମ୍ପଦେ କାର୍ଯ୍ୟ ନାହିଁ । କୃତାର୍ଥ କଲ ପୁତ୍ର ଦେଇ ॥୧୩୪
ଏମନ୍ତ କହି ବେନିଜନ । ଚାହାଁନ୍ତି କୃଷ୍ଣର ବଦନ ॥୧୩୫
ଲୋଚନୁ ଅଶ୍ରୁଜଳ ବହେ । କୃଷ୍ଣ ମୋହିଲେ ମାୟାମୋହେ ॥୧୩୬
ତକ୍ଷଣେ ହୋଇ ତୋଷମନ । ଆନନ୍ଦେ କରନ୍ତି କଲ୍ୟାଣ ॥୧୩୭
ଯାଅ ମଥୁରା ବେନିଭାଇ । ଅକ୍ଷୟ ହେଉ ତୁମ୍ଭ ଦେହୀ ॥୧୩୮
ଯେତେ ପଢ଼ିଲ ମୋର ତହୁଁ । ଅକ୍ଷୟ ହୋଇ ହୃଦେ ରହୁ ॥୧୩୯
ମୋର ଆୟୁଷ ଯଶ ଯେତେ । ତୁମ୍ଭଙ୍କୁ ହେଉ ପରାପତେ ॥୧୪୦
ତକ୍ଷଣେ ଗୁରୁ-ଆଜ୍ଞା ପାଇ । ରଥେ ବସିଲେ ବେନିଭାଇ ॥୧୪୧
ମନ ନିବେଶି ଗୁରୁପାଦେ । ମଥୁରା ଗଲେ ଅପ୍ରମାଦେ ॥୧୪୨
ଗୁରୁ-କାମିନୀ ପୁତ୍ର ପାଇ । ଆନନ୍ଦ କେ ପାରିବ କହି ॥୧୪୩
ବେନିସ୍ତନରୁ ଖିର ଝରେ । ସ୍ତନ୍ୟ ପିଆନ୍ତି ସ୍ନେହଭରେ ॥୧୪୪
କେ କହୁ ଗୁରୁଙ୍କ ଆନନ୍ଦ । ଯାହାର ଶିଷ୍ୟ ଆଦିକନ୍ଦ ॥୧୪୫
ଏବେ ହୋ ଶୁଣ ନୃପବର । କୃଷ୍ଣ ମିଳିଲେ ମଧୁପୁର ॥୧୪୬
କୃଷ୍ଣ ଆଗମନେ ଆନନ୍ଦ । ଆସି ମିଳଲେ ଯଦୁବୃନ୍ଦ ॥୧୪୭
ଦେଖି ଆନନ୍ଦ ଭାଇବେନି । ହରଷ ପିଅର-ଜନନୀ ॥୧୪୮
ସେ ଆଦିକନ୍ଦ ପାଦତଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥୧୪୯
କହଇ ଜଗନ୍ନାଥ ଦାସ । ହରିଚରିତ ସୁଧାରସ ॥ ୧୫୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗୁରୁପୁତ୍ରାନୟନଂ ନାମ ଊନପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ପଞ୍ଚାଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପାଣ୍ତବ-ଚୂଡ଼ାମଣି । ମଥୁରାପୁରେ ଚକ୍ରପାଣି ॥ ୧
ସଂହାରି ଗଜ-ମାଲ-କଂସ । ଯଦୁଙ୍କୁ ଦେଇ ଗ୍ରାମଦେଶ ॥୨
ସକଳ ବେଦବିଦ୍ୟା ଜାଣି । ଯମର ଘରୁ ପୁତ୍ର ଆଣି ॥୩
ଗୁରୁଙ୍କୁ କରି ସନମାନ । ମୋହିଲେ ମଥୁରାଭୁବନ ॥୪
ଦୟାସାଗର ନରହରି । ମନେ ସୁମରି ଗୋପନାରୀ ॥୫
ଆନନ୍ଦେ ରଜନୀ ପାହିଲା । ରବିକିରଣ ପ୍ରକାଶିଲା ॥୬
ଉଦ୍ଧବେ ରାଇ ନରହରି । କହନ୍ତି କରେ କର ଧରି ॥୭
ତୁ ଦେବଗୁରୁଙ୍କର ଶିଷ୍ୟ । ଜ୍ଞାନ ତୋ ଅତି ହିଁ ବିଶେଷ ॥୮
ସୁବୁଦ୍ଧିଜନ ମଧ୍ୟେ ସାର । ଯାଦବକୁଳେ ମନ୍ତ୍ରୀବର ॥୯
ତୁ ଅଟୁ ମିତ୍ର ଯେଣୁ ମୋର । କହଇ ଶୁଣ ମୋ ଉତ୍ତର ॥୧୦
ଏକାନ୍ତେ ଭଜୁଥାଉ ତୁହି । ତୋହର ମନ ମୁଁ ଜାଣଇଁ ॥୧୧
ତୁ ମୋର ପ୍ରିୟ ଅଟୁ ଯେବେ । ଗୋପପୁରକୁ ଯାଅ ତେବେ ॥୧୨
ଅକ୍ରୁର ଯେତେବେଳେ ମୋତେ । ରଥେ ବସାଇ ଗୋପପଥେ ॥୧୩
ଆଣିଲାବେଳେ ଗୋପନାରୀ । ମୋହର ରଥ ଥିଲେ ଧରି ॥୧୪
ମୁଁ ତାଙ୍କୁ କହିଲି ବିଶ୍ୱାସେ । ଉତ୍ସବ ଦେଖିବାର ଆଶେ ॥୧୫
ତୁମ୍ଭେ ଗୋ ଥାଅ ସ୍ଥିରମନେ । ଆମ୍ଭେ ଆସିବୁ ଚାରିଦିନେ ॥୧୬
ତେଣୁ ସେ ଆମ୍ଭରେ ଭରଷା । କରିଣଥିବେ ପ୍ରତିଆଶା ॥୧୭
ମୋତେ ନ ଦେଖି ଖେଦମନ । ମରମେ ଦହଇ ମଦନ ॥୧୮
ନିମିଷେ ଶତଯୁଗ ମଣି । ଅଛନ୍ତି ଗୋପର ତରୁଣୀ ॥୧୯
ତୁ ମୋର ଆଜ୍ଞା ଘେନିଯାଅ । ଗୋପ-କାମିନୀ ମଧ୍ୟେ କହ ॥୨୦
ଗୋପୀଙ୍କ ମନ ମୋର ତହିଁ । ମୁଁ ତାଙ୍କ ଜୀବନ ଅଟଇ ॥୨୧
ଦେହବେଭାର ମୋର ଅର୍ଥେ । ଛାଡ଼ି ଭଜିଲେ ମୋର ପଥେ ॥୨୨
ଇଷ୍ଟଦେବତା ତାଙ୍କ ମୁହିଁ । ମୋ ତହୁଁ ଆନଗତି ନାହିଁ ॥୨୩
ଏ ଲୋକଧର୍ମ ଛାଡ଼ି ମୋତେ । ଭଜନ୍ତି ଭକ୍ତିଭାବ ଚିତ୍ତେ ॥୨୪
ତାହାଙ୍କୁ ବହଇ ମୁଁ ହୃଦେ । ସେବନ୍ତି ମୋର ପଦ୍ମପାଦେ ॥୨୫
ପ୍ରିୟଜନଙ୍କ ପ୍ରିୟ ମୁହିଁ । ଦଇବେ ଦୂରେ ଅଛି ରହି ॥୨୬
ସଂସାର ଚେଷ୍ଟା ଛାଡ଼ି ଚିତ୍ତେ । ମୋର ସଙ୍ଗତି ଅବିରତେ ॥୨୭
ନିତ୍ୟେ ସୁମରି ମୋର ଗତି । କ୍ଷଣକ୍ଷଣକେ ମୋହ ଯାନ୍ତି ॥୨୮
ବିରହ-ବିଯୋଗେ କାତର । ମନ ନିବେଶି ମୋ ପୟର ॥୨୯
ଦେହ ଧରନ୍ତି ଅତିକଷ୍ଟେ । ପଞ୍ଚପରାଣ କଣ୍ଠତଟେ ॥୩୦
କୃଷ୍ଣ ଆସିବେ ଗୋପପୁର । ଏଣେ ଭରଷା ତାହାଙ୍କର ॥୩୧
ଏମନ୍ତେ କୃଷ୍ଣର ସନ୍ଦେଶ । ଘେନି ଉଦ୍ଧବ ମନେ ତୋଷ ॥୩୨
ଆନନ୍ଦେ ବସିଲା ବିମାନେ । ଚଳିଲା ବରଜ-ଭୁବନେ ॥୩୩
ଦିବସଶେଷେ ଗୋପେ ମିଳି । ଗଗନେ ଉଡେ଼ ଗୋରୁଧୂଳି ॥୩୪
ରବି ପଶ୍ଚିମେ ଅସ୍ତ ଗଲା । ଉଦ୍ଧବ ଗୋପରେ ମିଳିଲା ॥୩୫
ଗୋପେ ପଶନ୍ତେ ଗୋରୁଙ୍କର । ଧୂଳିରେ ଛନ୍ନ ଦିବାକର ॥୩୬
ଗାଈଙ୍କ ଋତୁ ଦେଖି ତୋଷେ । ଗର୍ଜିଣ ଧାଉଁଛନ୍ତି ବୃକ୍ଷେ ॥୩୭
ଗାଈଏ ସ୍ତନ କ୍ଷୀରଭାରେ । ବତ୍ସାଙ୍କୁ ଡ଼ାକନ୍ତି ହୁଙ୍କାରେ ॥୩୮
ଯେସନେ ସମୁଦ୍ର ଉଲ୍ଲୋଳ । ବତ୍ସାଏ ଧାମନ୍ତି ଗହଳ ॥୩୯
ଗୋରୁେଦୋହନ ରାବ ସଙ୍ଗେ । ମୁରଲୀ ନାଦ ନବରଙ୍ଗେ ॥୪୦
ରାମଗୋବିନ୍ଦଙ୍କ ଚରିତ । ବେଣୁଶବଦେ ପୂରେ ଗୀତ ॥୪୧
ଗୋପୀଗୋପାଳ ରୂପବନ୍ତ । ସୁନ୍ଦର ଘର ଦ୍ୱାର ପଥ ॥୪୨
ଅଗ୍ନି ଅତିଥି ବିପ୍ରଗଣେ । ଗୁରୁଦେବତାଙ୍କ ପୂଜନେ ॥୪୩
ଧୂପ ପ୍ରଦୀପ ପୁଷ୍ପସାର । ସୁନ୍ଦର ଗୋପାଳଙ୍କ ପୁର ॥୪୪
ପୁଷ୍ପିତବନ ଚାରିଦିଗେ । ପକ୍ଷୀ ଭ୍ରମର ନାଦ ରଙ୍ଗେ ॥୪୫
ପଦ୍ମକୁମୁଦେ ଜଳରାଶି । ହଂସ-ସାରସେ ପରଶଂସି ॥୪୬
ଅତି ସୁନ୍ଦର ଗୋପପୁର । କି ଅବା ଦେବା ପଟାନ୍ତର ॥୪୭
ନନ୍ଦର ମନ୍ଦିରେ ଉତ୍ସବ । ଆନନ୍ଦେ ମିଳିଲେ ଉଦ୍ଧବ ॥୪୮
ନନ୍ଦ ଉଠିଲା ବେଗେ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥୪୯
ଜାଣିଲା କୃଷ୍ଣର ଏ ଦୂତ । ଆନନ୍ଦେ ନନ୍ଦ କୃତକୃତ୍ୟ ॥୫୦
କୃଷ୍ଣର ପ୍ରାୟ ତାକୁ ମଣି । ପୂଜିଲା ଦେଇ ଅର୍ଘ୍ୟ ପାଣି ॥୫୧
ଦଧି ଶାକର କ୍ଷୀର ଅନ୍ନ । ଭୁଞ୍ଜି ଉଦ୍ଧବ ତୋଷମନ ॥୫୨
ତାମ୍ବୁଳ ମୁଖବାସ ଦେଇ । ପଲ୍ୟଙ୍କେ ବସାଇଲା ନେଇ ॥୫୩
ସୁଖେ ବସାଇ କୃଷ୍ଣଦୂତ । ନନ୍ଦ ହୋଇଲା କୃତକୃତ୍ୟ ॥୫୪
ଉଦ୍ଧବ ପଦେ ଦେଇ କର । ଶୋକେ କହଇ ଗୋପବୀର ॥୫୫
ତୁ ଭାଗ୍ୟବନ୍ତ ଯଦୁବୀର । ମିତ୍ର ବସୁଦେବ ମୋହର ॥୫୬
ତାର କୁଶଳେ ମୋର ଇଷ୍ଟ । ନିଶ୍ଚୟେ ମଲା କଂସ ଦୁଷ୍ଟ ॥୫୭
ସାଧୁଙ୍କୁ ଦିଏ ଯେ କଷଣ । ତାକୁ ସଂହାରେ ନାରାୟଣ ॥୫୮
କଂସର ସଙ୍କଟୁ ତାରିଲା ବନ୍ଧୁବାନ୍ଧବ ଆବୋରିଲା ॥୫୯
ଏ କଥା ଭାଗ୍ୟଟି ଆମ୍ଭର । ଉଦ୍ଧବ ଶୁଣ ମୋ ଉତ୍ତର ॥୬୦
ତୁ ଯେ ଗୋବିନ୍ଦର ବିଶ୍ୱାସ । କ୍ଷଣେ ନ ଛାଡ଼ୁ ତାର ପାଶ ॥୬୧
କୃଷ୍ଣକୁ ମୋର ବଡ଼ ସ୍ନେହ । ତାର କୁଶଳ ମୋତେ କହ ॥୬୨
ଯଶୋଦା ଜନନୀ ତାହାର । ସୁହୃଦେ ଗୋପର କୁମର ॥୬୩
ଗୋରୁ ଗୋପାଳ ଗୋପପୁର । ସେ କୃଷ୍ଣ ଜୀବନ ଆମ୍ଭର ॥୬୪
ଏ ବୃନ୍ଦାବନ ଗୋବର୍ଦ୍ଧନ । ଯମୁନାଜଳ ରମ୍ୟସ୍ଥାନ ॥୬୫
ଉଦ୍ଧବ କହ ତୁ ବହନ । କୃଷ୍ଣ କି କରେ ସୁମରଣ ॥୬୬
ବନ୍ଧୁବାନ୍ଧବ ଦେଖିବାରେ । ସେ କୃଷ୍ଣ ଆସିବ କି ବାରେ ॥୬୭
ନିଶ୍ଚୟ ସତ୍ୟ କି ଉଦ୍ଧବ । ଦୟା କି କରିବେ ମାଧବ ॥୬୮
କେବେ ଦେଖିବୁ ତା ବଦନ । ସୁନ୍ଦର ଚକ୍ଷୁ ନାସା କର୍ଣ୍ଣ ॥୬୯
ରଙ୍ଗଅଧର ସ୍ମିତମୁଖ । ଦେଖିଲେ ଖଣ୍ତେ ଭବଦୁଃଖ ॥୭୦
ଦାବାନଳର ମୁଖୁଁ ତାରି । ଇନ୍ଦ୍ର ବିବାଦେ ଗିରି ଧରି ॥୭୧
ବୃଷଭ ଅଘା ମଣିଚୂଡ଼ । ତୃଣ ଶକଟ ବକାସୁର ॥୭୨
ଅନେକ ମାରି ଘୋର ଦୃଷ୍ଟ । ଆମ୍ଭର ଫେଡ଼ିଲା ସଙ୍କଟ ॥୭୩
ଅପାଙ୍ଗ କଟାକ୍ଷ ଲୋଚନ । ସୁନ୍ଦର ହସିତ ବଦନ ॥୭୪
ମେଘ-ଗଭୀର ମୃଦୁବାଣୀ । ତାହାର ଲୀଳା ମନେ ଗୁଣି ॥୭୫
ଆମ୍ଭର କ୍ରିୟାକର୍ମ ଗଲା । ସୁମରି ଗୋବିନ୍ଦର ଲୀଳା ॥୭୬
ନଦୀ ପର୍ବତ ବନଭୂଇଁ । ଗୋବିନ୍ଦ ପାଦଚିହ୍ନ ଚାହିଁ ॥୭୭
ଯହିଁ ଯେମନ୍ତେ କ୍ରୀଡ଼ା କଲା ଆମ୍ଭର ମନରୁ ନ ଗଲା ॥୭୮
ଚିତ୍ତ ନ ରହେ ହୃଦଗତେ । ଜୀବନ ଧରିବୁ କେମନ୍ତେ ॥୭୯
ଗର୍ଗବଚନ ମନେ ଗୁଣି । ନିଶ୍ଚୟେ ଅଛଇ ମୁଁ ଜାଣି ॥୮୦
ଯଦୁବଂଶର ସୁଖହିତେ । କେଉଁ ଦେବତା ଭୂମିଗତେ ॥୮୧
ଉଭୟ ରୂପେ ଅବତାର । ଜୀବନ ରହିଲା ଆମ୍ଭର ॥୮୨
ଦଶସହସ୍ର ମତ୍ତଗଜ । ବଳ ବହଇ ଭୋଜରାଜ ॥୮୩
ଚାଣୂର ମୁଷ୍ଟିକ ଯେମନ୍ତ । ଗଜ କୁବଳୟା ମାହୁନ୍ତ ॥୮୪
ଏହାଙ୍କୁ ଲୀଳାୟେ ସଂହାରି । ପଶୁଙ୍କୁ ଯେସନେ କେଶରୀ ॥୮୫
କଂସର ଯେଉଁ ଯାତ୍ରା ଧନୁ । ଉଦ୍ଧବ ତୁ ତ ଭଲେ ଜାଣୁ ॥୮୬
ସ୍ୱଭାବେ ଉଚ୍ଚ ତିନିତାଳ । ବଜ୍ରହୁଁ ଆଣ୍ଟ ତାର ବଳ ॥୮୭
ସେ ଧନୁ କଲା ବେନିଖଣ୍ତ । ହସ୍ତୀ ଯେସନେ ଇକ୍ଷୁଦଣ୍ତ ॥୮୮
ବରଷା ଦେଖି ଗୋପପୁର । ହସ୍ତେ ତୋଳିଲା ଗିରିବର ॥୮୯
ସପତଦିନ ବରଷିଲା । କୃଷ୍ଣ କରେ ଗରି ଥିଲା ॥୯୦
ପ୍ରଳମ୍ବା ଧେନୁକା ଦଇତ । ଷଣ୍ଢା ଅସୁର ତୃଣାବର୍ତ୍ତ ॥୯୧
ବକା ମାୟାବୀ ବଳବନ୍ତ । ଦେବଦେନବେ ଦେଖି ଭୀତ ॥୯୨
ଏହାଙ୍କୁ ହେଳାଏ ମାଇଲା । ଲୀଳାମାତ୍ରକେ ମୋର ବଳା ॥୯୩
ଶୁକ ବୋଲନ୍ତି ରାୟେ ଶୁଣ । ନନ୍ଦ ସୁମରି କୃଷ୍ଣଗୁଣ ॥୯୪
ସୁତ-ଲାଳସେ ଦୃଢ ଚିତ୍ତ । କାନ୍ଦଇ ପ୍ରାଣ କଣ୍ଠାଗ୍ରତ ॥୯୫
କଣ୍ଠକୁଣ୍ଠିତ ଶୋକନାଦେ । ପଡ଼ଇ କୃଷ୍ଣଦୂତ ପାଦେ ॥୯୬
ପ୍ରେମ ଆନନ୍ଦ ହୃଦେ ଘେନି । ବିକଳେ ନନ୍ଦ ହେଲା ତୁନି ॥୯୭
ନନ୍ଦ କହଇ କୃଷ୍ଣକଥା । ଶୁଣି ଯଶୋଦା ମନେ ବ୍ୟଥା ॥୯୮
ପୁତ୍ରର ଗୁଣକର୍ମମାନ । ଗୁଣି ହୋଇଲା ହତଜ୍ଞାନ ॥୯୯
କ୍ଷୀର ବରଷି ପୟୋଧରେ । କାନ୍ଦଇ ଶୋକେ ଗୁରୁତରେ ॥୧୦୦
ଏମନ୍ତ ଶୋକ ତାଙ୍କ ଦେଖି । ଉଦ୍ଧବ ମନେ ଉପଲକ୍ଷ୍ୟି ॥୧୦୧
ନନ୍ଦ-ଯଶୋଦାଙ୍କର ଭାଗ୍ୟ । କୃଷ୍ଣ-ବିଷୟେ ଅନୁରାଗ ॥୧୦୨
ଦେଖି ଉଦ୍ଧବ ମନେ ଗୁଣି । ଆନନ୍ଦେ କହେ ମୃଦୁବାଣୀ ॥୧୦୩
ମୋ ବୋଲ ଶୁଣ ନନ୍ଦରାୟେ । ଜ୍ଞାନ ନ ହାର ମାୟାମୋହେ ॥୧୦୪
ଏ ମହୀତଳେ ଯେତେ ଜନ । ତାହାଙ୍କ ମଧ୍ୟେ ତୁମ୍ଭେ ଧନ୍ୟ ॥୧୦୫
ଏଡେ଼ ଭକତି ଯୋଗସାର । ଗୋବିନ୍ଦ ବିଷୟେ ତୁମ୍ଭର ॥୧୦୬
ଏ ବଳରାମ ଶିରୀଧର । ଜଗତ ଜନନୀ ପିଅର ॥୧୦୭
ପ୍ରଧାନ ପୁରୁଷ ଏ ଦୁଇ । ଭଲେ ନିଗମ ନ ଜାଣଇ ॥୧୦୮
ଜୀବର ଜୀବନ ମୁରାରି । ପ୍ରକୃତି ରାମରୂପ ଧରି ॥୧୦୯
ସକଳଭୂତେ ଅନ୍ତର୍ଯ୍ୟାମୀ । ପୁରାଣ ପୁରୁଷ ଏ ବେନି ॥୧୧୦
ଜୀବର ଜ୍ଞାନ ଏ ଈଶ୍ୱର । ବିଷ୍ଣୁର ମାୟା ଅଗୋଚର ॥୧୧୧
ପ୍ରାଣ-ବିଯୋଗ-କାଳେ ଜନ । ତାହାଙ୍କ ପାଦେ ଦେଲେ ମନ ॥୧୧୨
ଅର୍ଜିଲା ଶୁଭାଶୁଭକର୍ମ । ତକ୍ଷଣେ କରଇ ଦହନ ॥୧୧୩
କୋଟିଏ ସୂର୍ଯ୍ୟ ତେଜ ବହି । ପରମବ୍ରହ୍ମେ ନିମଜ୍ଜଇ ॥୧୧୪
ଭାରା ନିବାରଣେ ଅନନ୍ତ । ମନୁଷ୍ୟେ ହୋଇଛନ୍ତି ଜାତ ॥୧୧୫
ଅଖିଳ-ଲୋକଆତ୍ମା-ହରି । ସୃଷ୍ଟି ପାଳନେ ଅଧିକାରୀ ॥୧୧୬
ତୁମ୍ଭର ଭାବ କୃଷ୍ଣ ତହିଁ । ଏମନ୍ତ ଦେଖିଲାତ ନାହିଁ ॥୧୧୭
ମନୁଷ୍ୟ ସାଧ୍ୟକର୍ମ ଯେତେ । ତୁମ୍ଭେ ନ କଲ ଅବା କେତେ ॥୧୧୮
ତୁମ୍ଭର ପ୍ରିୟ ସେ ମାଧବ । ନିକଟେ ଗୋପକୁ ଆସିବ ॥୧୧୯
କଂସ ସଂହାରି ରଙ୍ଗମଧ୍ୟେ । ସକଳ ଜନ ସୁଖ ସାଧେ ॥୧୨୦
ଯେ କଂସ ଜଗତର ଖଳ । ଭୟେ କମ୍ପନ୍ତି ଯଦୁବଳ ॥୧୨୧
ତାହାକୁ ମାରି ନରହରି । ଯାହା ବୋଇଲେ ହସ୍ତଧରି ॥୧୨୨
ସେ କଥା କରିବେ ତୁମ୍ଭର । ସତ୍ୟବଚନ ଏ ମୋହର ॥୧୨୩
ଖେଦ ନ କର ତୁମ୍ଭେ ହୃଦେ । କୃଷ୍ଣ ପାଇବ ଅପ୍ରମାଦେ ॥୧୨୪
ସେ ହରି ସର୍ବଭୂତ ଦେହେ । ନିବାସ ଆଦିତ୍ୟର ପ୍ରାୟେ ॥୧୨୫
ତାହାର ପ୍ରିୟ-ରିପୁ ନାହିଁ । ଉତ୍ତମ ମଧ୍ୟମ ନୋହଇ ॥୧୨୬
ସମ-ଅସମ ନାହିଁ ତାର । ଭାବକୁ ଥାଇ ନିକଟର ॥୧୨୭
ନାହିଁ ତାହାର ତାତ-ମାତ । ଦାରା-ତନୟ-ବନ୍ଧୁ-ମିତ୍ର ॥୧୨୮
ପରଆପଣା ଯାର ନାହିଁ । ତାହାର ଜନ୍ମମମୃତ୍ୟୁ କାହିଁ ॥୧୨୯
ତ୍ରିବିଧକର୍ମ ନାହିଁ ତାର । ଯେତେ ଏ ଲୋକର ବେଭାର ॥୧୩୦
ଦେବ ମନୁଷ୍ୟ ପଶୁଯୋନି । ତାହାର ଯୋଗମାୟା ଘେନି ॥୧୩୧
ଜନ୍ତୁଏ ଆତଯାତ ହୋନ୍ତି । ଜଳଫୋଟକା ଯେହ୍ନେ ଥାନ୍ତି ॥୧୩୨
କେବଳ କ୍ରୀଡ଼ାରଙ୍ଗମତେ । ସାଧୁଙ୍କୁ ରଖିବା ନିମନ୍ତେ ॥୧୩୩
ଜଗତେ ବହଇ ଶରୀର । ଧର୍ମପାଳନେ ଶିରୀଧର ॥୧୩୪
ନିର୍ଗୁଣ ହୋଇ ଗୁଣେ ମିଶେ । ଜଗତ ପାଳିବାର ଆଶେ ॥୧୩୫
ସ୍ୱଭାବେ ଚେଷ୍ଟା ଯାର ନାହିଁ । ତ୍ରିଗୁଣେ ପ୍ରତିମା ନଚାଇ ॥୧୩୬
ସର୍ଜଇ ପାଳଇ ଜଗତ । ଅନନ୍ତ କରୁଥାଇ ଅନ୍ତ ॥୧୩୭
ଭ୍ରମନ୍ତା ପ୍ରାଣୀଙ୍କର ଯେହ୍ନେ । ସଂସାରେ ଭ୍ରମୁଥାଇ ଶୂନ୍ୟେ ॥୧୩୮
ସେ ଯେହ୍ନେ ସତ୍ୟପ୍ରାୟ ମଣି । ଆପଣା ଭ୍ରମକୁ ନ ଜାଣି ॥୧୩୯
ଚିତ୍ତରେ ମାୟାଭ୍ରମ ଲଇଁ । ବୋଲଇ କରୁଅଛି ମୁହିଁ ॥୧୪୦
ଏଟି ଜୀବର ଅହଙ୍କାର । ମାୟାଭିଆଣ ଏ ହରିର ॥୧୪୧
ତୁମ୍ଭେ ଯେ ବୋଲ ଦାମୋଦର । ନିଶ୍ଚୟ ଆମ୍ଭର କୁମର ॥୧୪୨
ସକଳ ଜନ୍ତୁ ଆତ୍ମଭୂତ । ତାତଜନନୀ ସେ ଅନନ୍ତ ॥୧୪୩
ସକଳ ଜୀବଆତ୍ମା ହରି । ମାୟାର ବଳେ ଅଛି ଧରି ॥୧୪୪
ଏଣୁ ସେ ଈଶ୍ୱର ବୋଲାଇ । ଜନ୍ମ ମରଣ ତାର ନାହିଁ ॥୧୪୫
ଯେତେ ହୋ ନନ୍ଦ ଦେଖୁ ତୁହି । ଭୂତଭବିଷ୍ୟ ଯେତେ ହୋଇ ॥୧୪୬
ସ୍ଥାବର ଜଙ୍ଗମ ଜଗତ । ଯେତେକ ଅଳପ ବହୁତ ॥୧୪୭
ହରିହୁଁ ନୁହଇଟି ଆନ । ସକଳ ପ୍ରଭୁ ଭଗବାନ ॥୧୪୮
ଉଦ୍ଧବ କହୁଁ ନନ୍ଦ ଆଗେ । ରଜନୀ ପାହିଲାକ ବେଗେ ॥୧୪୯
ଗୋପୀଏ ନିଦ୍ରାଗତେ ଥିଲେ । ଶୟନ ତେଜିଣି ଉଠିଲେ ॥୧୫୦
ବେଗେ ଜାଳିଲେ ଦୀପପନ୍ତି । ଦଧିମନ୍ଥନ୍ତେ ଦୃଢମତି ॥୧୫୧
ବାସ୍ତୁମାର୍ଜନ ଛେରା ଦେଇ । ସୁବାସଜଳେ ମୁଖ ଧୋଇ ॥୧୫୨
ସ୍ୱଭାବେ ନାନା ଅଳଙ୍କାର । ଭୂଷଣ ମଣିରତ୍ନ ସାର ॥୧୫୩
ପ୍ରଦୀପ ତେଜେ ବିରାଜନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥୧୫୪
ଖୁଆ ଦଉଡ଼ି ଧରି କରେ । ଦଧି ମନ୍ଥନ୍ତି ଧୀରେ ଧୀରେ ॥୧୫୫
କରେ କଙ୍କଣ ତାଡ଼ ଶୋହେ । ହୃଦରେ ହାର ଜନମୋହେ ॥୧୫୬
ସ୍ତନ ନିତମ୍ବ ହେମମାଳ । କୁଣ୍ତଳ ଅଳକା କପୋଳ ॥୧୫୭
ଚଳନ୍ତି ମନ୍ଥନର ବେଳା । ରଙ୍ଗକମଳ ପ୍ରାୟେ ଡେ଼ାଳା ॥୧୫୮
ପଦ୍ମଲୋଚନ ନାମ ଧରି । ଉଚ୍ଚେ ଗାବନ୍ତି ବ୍ରଜନାରୀ ॥୧୫୯
ଦଧିମନ୍ଥନର ଶବଦ । ସଙ୍ଗେ ମିଳିଲା ଗୀତନାଦ ॥୧୬୦
ସକଳ ମଙ୍ଗଳ ସେ ହରି । ଶୁଭିଲା ଦଶଦିଗ ପୂରି ॥୧୬୧
ଦଧିମନ୍ଥନେ ଗୀତନାଦ । ଶୁଣନ୍ତେ ଦେବତା ଆନନ୍ଦ ॥୧୬୨
ଦେବେ ବୋଲନ୍ତି ନିସ୍ତରିଲୁ । ନାମ ଭକ୍ତମୁଖୁଁ ଶୁଣିଲୁ ॥୧୬୩
ଏମନ୍ତେ ରଜନୀ ପାହିଲା । ରବିକିରଣ ପ୍ରକାଶିଲା ॥୧୬୪
ମନ୍ଥନ ସାରି ଗୋପୀ ସୁଖେ । କୁମ୍ଭ ଘେନିଣ ନିଜ କାଖେ ॥୧୬୫
ଯମୁନା ଯାଉଁ ଯାଉଁ ଧୀରେ । ଦେଖିଲେ ନନ୍ଦରାଜଦ୍ୱାରେ ॥୧୬୬
ସୁବର୍ଣ୍ଣରଥ ରତ୍ନମୟ । ଯୋଚିଲା ଅଛି ଚାରି ହୟ ॥୧୬୭
ଧ୍ୱଜେ ଶୋଭିତ ମଣିସାର । ତା ଦେଖି କରନ୍ତି ବିଚାର ॥୧୬୮
ଏଟି କାହାର ଦେଖ ରଥ । ଆବୋରି ଅଛି ରାଜପଥ ॥୧୬୯
ଇନ୍ଦ୍ରବିମାନ ପ୍ରାୟ ଦିଶେ । ଗୋପୀ ମିଳିଲେ ଯାଇ ପାଶେ ॥୧୭୦
ବୋଲନ୍ତି ଅକ୍ରୁର ଅଇଲା । ଯେ କୃଷ୍ଣେ ମଧୁପୁର ନେଲା ॥୧୭୧
ଥୋକେ ବୋଲନ୍ତି ମଲା କଂସ । ଅକ୍ରୁର ତାହାର ବିଶ୍ୱାସ ॥୧୭୨
ଆମ୍ଭ ଶୋଣିତ ମାଂସ ନେବ । କଂସକୁ କ୍ରିୟାପିଣ୍ତ ଦେବ ॥୧୭୩
ଏମନ୍ତୁ କହୁଁ ଗୋପନାରୀ । ଉଦ୍ଧବ ନିତ୍ୟକର୍ମ ସାରି ॥୧୭୪
ଆସି ମିଳିଲା ଦିବ୍ୟରଥେ । ଗୋପୀ ଦେଖନ୍ତି ରାଜପଥେ ॥୧୭୫
ବୋଲଇ ବିପ୍ର ଜଗନ୍ନାଥ । ଗୋପୀ ବେଢିଲେ ଯାଇ ରଥ ॥୧୭୬
ସେ ଗୋପୀ ଉଦ୍ଧବ ପାଦେ । ସୁଜନେ ନମ ହୋ ଆନନ୍ଦେ ॥୧୭୭
ଭକତି ହୋଇବ ତୁମ୍ଭର । ତରିବ ଭବ ମହାଘୋର ॥୧୭୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦଶୋକ ଅପନୟନଂ ନାମ
ପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ଏକପଞ୍ଚାଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥୧
ଉଦ୍ଧବେ ଦେଖି ଗୋପଗୋପୀ । ବଦନ ଚାହାଁନ୍ତି ନିରୋପି ॥୨
ଦଇବେ କୃଷ୍ଣ ଅନୁଚର । ତେଜେ ଗଞ୍ଜଇ ସୁରନର ॥୩
ଆଜାନୁ ଲମ୍ବେ ବେନିଭୁଜ । କମଳପ୍ରାୟେ ଚକ୍ଷୁତେଜ ॥୪
ପୀତବସନ କଟିମୂଳେ । କମଳମାଳ ବକ୍ଷସ୍ଥଳେ ॥୫
କର୍ଣ୍ଣେ କୁଣ୍ତଳ ବେନି ଶୋହେ । ରୂପେ କନ୍ଦର୍ପ ସରି ନୋହେ ॥୬
ଦେଖି ବିସ୍ମିତେ ଗୋପୀଜନେ । ଚକିତେ ବିଚାରନ୍ତି ମନେ ॥୭
ଦେଖ ସୁନ୍ଦରବର ଏହୁ । କେ ବୋଲେ ଅଇଲା ଏ କାହୁଁ ॥୮
କୃଷ୍ଣଭୂଷଣ ଏହା ଦେହେ । କେ ବୋଲେ ଦିଶେ କୃଷ୍ଣପ୍ରାୟେ ॥୯
ଏମନ୍ତ ବୋଲି ଗୋପନାରୀ । ଉଦ୍ଧବରଥକୁ ଆବୋରି ॥୧୦
ଜାଣିଲେ କୃଷ୍ଣର ଏ ଦୂତ । ଆମ୍ଭର ପାଇ ଉପଗତ ॥୧୧
ଗୋପୀଙ୍କ ଦେଖି ସ୍ନେହଭାବ । ରଥରୁ ଓହ୍ଲାଇ ଉଦ୍ଧବ ॥୧୨
ଗୋପୀଙ୍କ ମଧ୍ୟରେ ପ୍ରବେଶ । ସକଳେ ହୋଇଲେ ହରଷ ॥୧୩
ଆନନ୍ଦେ କୃଷ୍ଣଦୂତେ ନେଇ । ପୂଜିଲେ ଆସନେ ବସାଇ ॥୧୪
ଉଦ୍ଧବେ ହରଷ କରାଇ । ଭକ୍ତିଭାବରେ କଥା କହି ॥୧୫
ବୋଲନ୍ତି ଆଜ ଶୁଭଦିନ । ଦେଖିଲୁ କୃଷ୍ଣ ଚିହ୍ନମାନ ॥୧୬
କୃଷ୍ଣ ଯେ ଆମ୍ଭର ଜୀବନ । ତା ବିନୁ ନ ରହଇ ମନ ॥୧୭
ଏମନ୍ତେ କୃଷ୍ଣଦୂତ ସଙ୍ଗେ । ଗୋପକାମିନୀ ଖେଦଯୋଗେ ॥୧୮
କ୍ଷଣକ୍ଷଣକେ ଶୋକମୋହେ । ନୟନୁ ଅଶ୍ରୁଜଳ ବହେ ॥୧୯
ବୋଲନ୍ତି ଶୁଣ କୃଷ୍ଣଦୂତ । ତୁମ୍ଭେ ଯେ ବଡ଼ ଭାଗ୍ୟବନ୍ତ ॥୨୦
ଜାଣିଲୁ ଉଦ୍ଧବ ତୋ ନାମ । ତୋତେ ବିଶ୍ୱାସ ଭଗବାନ ॥୨୧
ତାହାଙ୍କ ଅଙ୍ଗସଙ୍ଗ ତୁହି । ତୋତେ ପେଷିଲେ ଆମ୍ଭପାଇଁ ॥୨୨
ମାତା ପିଅର ପ୍ରିୟଭାବେ । ଉଦ୍ଧବ ଆସିଅଛୁ ଏବେ ॥୨୩
ସେ କୃଷ୍ଣ କିମ୍ପା ସୁମରିବ । ଆମ୍ଭର ଘେନିଗଲା ଜୀବ ॥୨୪
ସ୍ନେହବନ୍ଧନ ବନ୍ଧୁଙ୍କର । ବାନ୍ଧଇ ସୁରମୁନିନର ॥୨୫
କାହାରି ବୋଲେ ଛାଡ଼ି ନୋହେ । ବନ୍ଧୁ ବିଶ୍ୱାସେ ମାୟାମୋହେ ॥୨୬
ଶୁଣ ଉଦ୍ଧବ ଆମ୍ଭ ବାଣୀ । ମରୁଛୁଁ ଗୋପର ତରୁଣୀ ॥୨୭
ଯେ ଅବା ଅର୍ଥଭାବ ଜାଣି । ଭାବେ ଭଜନ୍ତି ଯେଉଁ ପ୍ରାଣୀ ॥୨୮
ଯାବତ ଥାଇ ଅର୍ଥଲାଭ । ତାବତ ଥାଇ ପ୍ରିୟଭାବ ॥୨୯
ପରପୁରୁଷେ ପ୍ରୀତି ବହି । ଯେ ନାରୀ ଜୀବନ ବହଇ ॥୩୦
ତାହାର କାହିଁ ସ୍ନେହ ମତ । ଧନରେ ପ୍ରୀତି ଅବିରତ ॥୩୧
କୁସୁମେ ଯେସନେ ଭ୍ରମର । ମଧୁ ପିଇଣ ଯାଇ ଦୂର ॥୩୨
ଉଦ୍ଧବ ଶୁଣ ବେଦସାର । ସ୍ୱଭାବେ ସଂସାର ବେଭାର ॥୩୩
ସୁନ୍ଦର ପୁରୁଷ ନିର୍ଦ୍ଧନ । ଗଣିକା ଛାଡ଼ଇ ଯେସନ ॥୩୪
ରାଜାକୁ ଆଭାଜନ ଦେଖି । ପ୍ରଜା ଛାଡ଼ିଣ ହୋନ୍ତି ସୁଖୀ ॥୩୫
ବିଦ୍ୟା ପାଇଲେ ଶିଷ୍ୟେ ଗୁରୁ । ଯେସନେ ତେଜନ୍ତି ମନରୁ ॥୩୬
ଦକ୍ଷିଣା ପାଇ ବିପ୍ରଜନେ । ଯେହ୍ନେ ଛାଡନ୍ତି ଯଜମାନେ ॥୩୭
ଫଳ ସରିଲେ ବୃକ୍ଷ ଛାଡ଼ି । ପକ୍ଷୀଏ ଯେହ୍ନେ ଯାନ୍ତି ଉଡ଼ି ॥୩୮
ଅତିଥି ଅନ୍ନ ଭିକ୍ଷା ପାଇ । ଯେସନେ ଗୃହେ ନ ରହଇ ॥୩୯
ପୋଡିଲା ବନୁ ପଶୁ ଯେହ୍ନେ । ଛାଡି ପଳାନ୍ତି ଅନ୍ୟ ବନେ ॥୪୦
ପରପୁରୁଷ ପରନାରୀ । ଯେସନେ ରମିଣ ପାସୋରି ॥୪୧
ତେମନ୍ତେ କଲେ ବନମାଳୀ । ଛାଡି ସକଳ ଗୋପବାଳୀ ॥୪୨
ଏମନ୍ତ କହି ଗୋପନାରୀ । ବେନିଲୋଚନୁଁ ବହେ ବାରି ॥୪୩
ମନ ବଚନ କୃଷ୍ଣଦେହେ । ଛାଡିଲେ ଜୀବନର ମୋହେ ॥୪୪
ବାତୁଳ ପ୍ରାୟ ଉଚ୍ଚସ୍ୱର । ଛାଡିଲେ ଲୋକର ବେଭାର ॥୪୫
କୃଷ୍ଣର ଲୀଳାକର୍ମମାନ । ସୁମରି କରନ୍ତି ରୋଦନ ॥୪୬
ଲାଜ ଛାଡ଼ିଲେ ଗୋପଦାଣ୍ତେ । ବଜ୍ର ପଡିଲା ଯେହ୍ନେ ମୁଣ୍ତେ ॥୪୭
ଆପଣା ହୃଦେ ଭାବ ଲଇଁ । କୃଷ୍ଣର ରୂପ ଗୁଣ ଧ୍ୟାୟି ॥୪୮
ବାଲୁତକାଳୁଁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥୪୯
ଅତି ସଙ୍କଟେ ଶୋକଜଳେ । ବୁଡ଼ିଣ କାନ୍ଦନ୍ତି ବିକଳେ ॥୫୦
ଉଦ୍ଧବ ପାଦତଳେ ପଡ଼ି । ଶୋକସାଗରେ ଗୋପୀ ବୁଡ଼ି ॥୫୧
ବାଳୁତ ପ୍ରାୟେ ଗୋପନାରୀ । ଉଚ୍ଚେ ବୋଲନ୍ତି ହରିହରି ॥୫୨
ଏମନ୍ତେ ଶୁଣ ନରପତି । ଗୋପୀଏ ନାମ ବୃନ୍ଦାବତୀ ॥୫୩
ଗହଳେ ଯାଇ ନ ପାରିଲା । ଅଳପ ନିକଟେ ବସିଲା ॥୫୪
ଗୋବିନ୍ଦ ଦେହେ ମନ ଦେଇ । ଚକ୍ଷୁ ବୁଜିଲା ଭାବ ବହି ॥୫୫
ଶ୍ରମେ ଚରଣ ପ୍ରସାରିଲା । ଶୁଣ ରାଜନ କୃଷ୍ଣଲୀଳା ॥୫୬
ଭ୍ରମର ଉଡ଼ୁଥିଲା ଶୂନ୍ୟେ । ବସିଲା ତାହାର ଚରଣେ ॥୫୭
ଅଙ୍ଗୁଳି ଅଗ୍ରେ ଧ୍ୱନି କରି । ଶୁଣି ଚାହିଁଲା ଗୋପନାରୀ ॥୫୮
କୃଷ୍ଣର ଦୂତପ୍ରାୟ ମଣି । ଚରଣ ମାଇଲା ତରୁଣୀ ॥୫୯
ପଡ଼ିଲା ଖଣ୍ତେ ଦୂରେ ଯାଇ । କୋପେ ବୋଲଇ ତାକୁ ଚାହିଁ ॥୬୦
ମଧୁପ ଶୁଣ ମୋ ବଚନ । ତୋର ଠାକୁର ଜନାର୍ଦ୍ଦନ ॥୬୧
କୃଷ୍ଣର ବାନ୍ଧବ ତୁ ଅଟୁ । ମୋର ଚରଣେ କିମ୍ପା ଖଟୁ ॥୬୨
ମଥୁରା-ନଗର-ତରୁଣୀ । ନିଶ୍ଚେ ମୋହିଲେ ଚକ୍ରପାଣି ॥୬୩
ସେ ଯେ ଆମ୍ଭର ସପତଣୀ । ଏକଥା ତ୍ରିଭୁବନେ ଜାଣି ॥୬୪
ତୁ ଷଟପଦ ତା ନ ଜାଣି । ଚରଣେ ଲାଗୁ ପୁଣ ପୁଣ ॥୬୫
ସୁନ୍ଦର ମଧୁପୁର ନାରୀ । ରାତ୍ରେ ରମିଲେ ନରହରି ॥୬୬
ଚନ୍ଦନ କୁଙ୍କୁମର ସଙ୍ଗେ । କୁସୁମମାଳ ତାର ଅଙ୍ଗେ ॥୬୭
କୃଷ୍ଣର ଦେହେ ଲାଗିଥିଲା । ରାତ୍ର ପାହିଲେ ପକାଇଲା ॥୬୮
ତୁହି ଯେ ଥିଲୁ କୃଷ୍ଣ ପାଶେ । ପୁଷ୍ପେ ବସିଲୁ ଗନ୍ଧ ଆଶେ ॥୬୯
ମଧୁ ଚୁମ୍ବନ କଲୁ ଶୁଖେ । କୁଙ୍କୁମ ଲାଗି ଅଛି ମୁଖେ ॥୭୦
ଏଣୁ ତୋ ମୁଖେ ଲାଜ ନାହିଁ । ଚରଣେ ପଡୁ କାହିଁପାଇଁ ॥୭୧
କୃଷ୍ଣରେ ନାହିଁ ମୋର କାର୍ଯ୍ୟ । ତାହାରେ ହୋଇଲୁ ନିର୍ଲ୍ଲଜ ॥୭୨
ହରିସନ୍ଦେଶ ଯେବେ ଘେନି । ଅଇଲୁ ହୋଇ ପଥଶ୍ରମୀ ॥୭୩
ତାର ପ୍ରସାଦେ କାର୍ଯ୍ୟ ନାହିଁ । କହ ତୁ କୃଷ୍ଣ ଆଗେ ଯାଇ ॥୭୪
ମଥୁରାନାରୀଙ୍କର ମନ । ରଞ୍ଜାଇ କରୁ ସେ ପ୍ରସନ୍ନ ॥୭୫
ଯଦୁସଭାରେ ତା ପ୍ରସନ୍ନ । ଶୁଣି ହସନ୍ତୁ ସର୍ବଜନ ॥୭୬
ତାହାର ଦୂତ ଅଟୁ ତୁହି । ତୋହର ମୁଖେ ଲାଜ ନାହିଁ ॥୭୭
ମୋର ବଚନ ତୁ ଭ୍ରମର । ଶୁଣିଲେ ହୋଇବୁ ବିକଳ ॥୭୮
ଯମୁନା କଦମ୍ବର ମୂଳେ । ରାତ୍ରେ ବସିଲା କାମଭୋଳେ ॥୭୯
ଗଭୀର ବେଣୁନାଦ କଲା । ଆମ୍ଭର ଜୀବନ ହରିଲା ॥୮୦
ସଂସାର ହୁଡି ତା ନିକଟେ । ମିଳିଲୁ ଯମୁନାର ତଟେ ॥୮୧
ଅନେକ କରାଇ କଷଣ । ପ୍ରସନ୍ନେ କଲା ଆଲିଙ୍ଗନ ॥୮୨
ଯେ ରସେ ଜଗତ ମୋହିଲା । ଆମ୍ଭର ମୁଖେ ଚୁମ୍ବ ଦେଲା ॥୮୩
ଅଧରୁ ସୁରପାନ ଦେଇ । ମଥୁରା ଗଲା ସେ ପଳାଇ ॥୮୪
ତୁ ଯେହ୍ନେ ପୁଷ୍ପେ ମଧୁ ଖାଉ । ନିବଡେ଼ ଆଲିଙ୍ଗନ ଦେଉ ॥୮୫
ପଳାଇ ନ ସମ୍ଭାଳୁ ତାହା । ତେମନ୍ତ କୃଷ୍ଣର ସେନେହା ॥୮୬
ତାହାର ପାଦେ ଅନୁବ୍ରତେ । କମଳା ଖଟଇ କେମନ୍ତେ ॥୮୭
ମାୟାମୋହନ କଥା କହି । ଲକ୍ଷ୍ମୀର ମନ ସେ ବାନ୍ଧଇ ॥୮୮
ଦୃଷ୍ଟି ହରଷ କାମଭୋଳେ । ତେଣୁ କମଳା ତାର କୋଳେ ॥୮୯
କିମ୍ପାଇଁ ରସୁ ମୋର ପାଶେ । ଗୋବିନ୍ଦ ଗାଉ ତୁ ହରଷେ ॥୯୦
ଆମ୍ଭର ନାହିଁ ଘରଦ୍ୱାର । କି ତୋରେ ଦେବା ଉପହାର ॥୯୧
ମଥୁରାନାରୀଙ୍କର ଆଗେ । ତାର ପ୍ରସଙ୍ଗ ଗାଅ ରଙ୍ଗେ ॥୯୨
ତାହାଙ୍କ ସଙ୍ଗେ ନାହିଁ ଭ୍ରାନ୍ତି । କୃଷ୍ଣର ଇଷ୍ଟ ସେ ଅଟନ୍ତି ॥ ୯୩
ସେ ତୋତେ ଇଷ୍ଟଫଳ ଦେବେ । ବେଗେ ମଥୁରା ଯାଅ ଏବେ ॥୯୪
ତିନିଭୁବନେ ଯେତେ ଛନ୍ତି । ସୁଗୁଣ ସୁନ୍ଦର ଯୁବତୀ ॥୯୫
ଦୁଲ୍ଲଭ ନୁହନ୍ତି ତାହାର । କୋଟିଏ କାମରୂପ ଯାର ॥୯୬
ପ୍ରସନ୍ନ ସୁନ୍ଦର ବଦନ । ହାସ୍ୟ କଟାକ୍ଷେ ମୋହେ ମନ ॥୯୭
ସେ କୃଷ୍ଣ ପଦରଜ ଆଶେ । କମଳା ଖଟିଥାଇ ପାଶେ ॥୯୮
ଆମ୍ଭେ କି ଜାଣୁ ତାର ଅନ୍ତ । ଯାହାର ମହିମା ଅନନ୍ତ ॥୯୯
ତଥାପି ଶୁଣ ହେ ଭ୍ରମର । କୃଷ୍ଣ ଯେ କରୁଣାସାଗର ॥୧୦୦
ଦରିଦ୍ରଲୋକେ ଯାର ଦୟା । ତାହାକୁ ବୋଲି ପୁଣ୍ୟଦେହା ॥୧୦୧
ତୁ ମୋର ଛାଡରେ ଚରଣ । ଜାଣିଲି ତୋର ଦୂତପଣ ॥୧୦୨
ମୁକୁନ୍ଦ ବୋଲେ ଚାଟୁବାଣୀ । ମୋ ଆଗେ କହୁ ପୁଣପୁଣି ॥୧୦୩
ବୋଧିବା ପ୍ରାୟ ତୋ ଭରସା । ଏଣେ ନ ପୂରେ ମୋର ଆଶା ॥୧୦୪
ଯା ତୁ ନ କହ ପୁଣ ପୁଣ । ଶୁଣ କହିବା ତାର ଗୁଣ ॥୧୦୫
ପତି ତନୟ ଇଷ୍ଟ ଭାଇ । ଆମ୍ଭେ ତେଜିଲୁ ତାର ପାଇଁ ॥୧୦୬
ତାହାର କଲାକର୍ମମାନ । ମନେ ପଡ଼ିଲେ ବୁଡେ଼ ଜ୍ଞାନ ॥୧୦୭
ଯେବେଳେ ରାମ ଅବତାର । ବଡ଼ ନିର୍ଦ୍ଦୟ ତା ଶରୀର ॥୧୦୮
ଏମନ୍ତେ ରାମେ ଦେଖି ଏକା । ଆସି ମିଳିଲା ସୂର୍ପଣଖା ॥୧୦୯
ଦେଖି ଶ୍ରୀରାମ ରୂପ ଗୁଣ । ଏକାନ୍ତେ ମାଗିଲା ରମଣ ॥୧୧୦
ନାସା ଶ୍ରବଣ ଛେଦି ତାର । ବିରୂପ କଲା ରଘୁବୀର ॥୧୧୧
ସୁଗ୍ରୀବ ଜ୍ୟେଷ୍ଠଭ୍ରାତା ବଳି । ବାନର ହୋଇ ମହାବଳୀ ॥୧୧୨
ତାକୁ ବଧିଲା ତୀକ୍ଷ୍ମବାଣେ । ଶବର ଯେସନ ହରିଣେ ॥୧୧୩
ସୀତା ହରାଇ ବେନିଭାଇ । ବୁଲନ୍ତି ବନେବନେ ଯାଇ ॥୧୧୪
କାକ ଯେସନେ ପିଣ୍ତ ପାଇ । ଖାଇ ଚରଣେ ତା ପକାଇ ॥୧୧୫
ବଳିକି କଲା ସେହିମତ । ଏଡେ଼ ନିର୍ଦ୍ଦୟ ଗୋପୀନାଥ ॥୧୧୬
ଏମନ୍ତ ରୂପେ ଗୁଣ ତାର । ତୁ ଆନ ନ କହ ଭ୍ରମର ॥୧୧୭
ତାର ଚରିତ କର୍ଣ୍ଣେ ଶୁଣି । ସଂସାର ମଧ୍ୟେ ଯେତେ ପ୍ରାଣୀ ॥୧୧୮
ସଂସାର-କର୍ମ ଛାଡ଼ିକରି । ବୁଲନ୍ତି ବନେ ବନଚାରୀ ॥୧୧୯
ପକ୍ଷୀଙ୍କ ପ୍ରାୟେ ଭିକ୍ଷା ମାଗି । କେହୁ ସନ୍ୟାସୀ କେହୁ ଯୋଗୀ ॥୧୨୦
ହରିଙ୍କି କଲୁ ବଡ଼ ସ୍ନେହ । ସେ ପୁଣି ଏଡ଼ିକି ନିର୍ଦ୍ଦୟ ॥୧୨୧
ବ୍ୟାଧ ଯେସନେ ମୃଗ ମାରି । ଶବଦ ଘଣ୍ଟି ଚାଳେ ଧରି ॥୧୨୨
ସୁସ୍ୱରନାଦେ ଗାଇ ଗୀତ । ହରଇ ମୃଗ ପଶୁ ଚିତ୍ତ ॥୧୨୩
ତାହାର ନାଦ ଶୁଣି କର୍ଣ୍ଣେ । ଲୋଭେ ମିଳନ୍ତି ପଶୁଗଣେ ॥୧୨୪
ତାହାର ବାଣେ କ୍ଷତ ହୋଇ । ବିକଳେ ବନେ ସେ ପଳାଇ ॥୧୨୫
ରୁଧିରଧାରା କଳେବର । ଜୀବନ ଛାଡ଼ଇ ତାହାର ॥୧୨୬
ତେମନ୍ତ କଲା ନନ୍ଦବଳା । ଆମ୍ଭର କୁଚେ ନଖ ଦେଲା ॥୧୨୭
ବ୍ୟାପାର କରନ୍ତେ ତା ଦେଖି । ବିକଳେ ବୁଜୁଁ ବେନିଆଖି ॥୧୨୮
ଜୀବନ ତାର ଦେହେ ଥାଇ । କରଚରଣ ନ ଚଳଇ ॥୧୨୯
ଅନଙ୍ଗରୂପ ଦାମୋଦର । ତୁହିଁ ଯେ ଉପମନ୍ତ୍ରୀ ତାର ॥୧୩୦
କହିଲେ କହ ଆନ କଥା । କୃଷ୍ଣ ସନ୍ଦେଶେ ମନବ୍ୟଥା ॥୧୩୧
ଏମନ୍ତେ ଭ୍ରମରକୁ ଚାହିଁ । ପୁଣି ବୋଲଇ ଗୋପଗୋଈ ॥୧୩୨
ଗୋବିନ୍ଦ ସଖା ଅଟୁ ତୁହି । ପୁଣି ଅଇଲୁ କାହିଁପାଇଁ ॥୧୩୩
ପ୍ରିୟ ପେଷିଲେ ମୋର ପାଇଁ । ମାଗ ତୁ କି ଦେବା ବଧାଇ ॥୧୩୪
ସାଧୁଜୀବନ ତୋର ଧନ୍ୟ । ମୋହର ଅଟୁ ବଡ଼ ମାନ୍ୟ ॥୧୩୫
ଏ ଗୋପପୁରେ ଅଛି ମୁହିଁ । କେମନ୍ତେ ଘେନିଯିବୁ ତୁହି ॥୧୩୬
ଏ କଥା କହ ନିଶ୍ଚେଁ ତୁହି । ଯେମନ୍ତେ ପ୍ରତେ ଯିବି ମୁହିଁ ॥୧୩୭
ଛାଡ଼ି ନ ପାରି ଯାର ସଙ୍ଗ । ଲକ୍ଷ୍ମୀ ବସଇ ବାମଅଙ୍ଗ ॥୧୩୮
ଶୁଣ ଭ୍ରମର ମୋ ଉତ୍ତର । କୃଷ୍ଣ ଯେ ଗଲେ ମଧୁପୁର ॥୧୩୯
ଅଛିଟି ଶ୍ରୀକୃଷ୍ଣ କୁଶଳେ । ଭାଇ ବଳରାମଙ୍କ ମେଳେ ॥୧୪୦
ପିତା ଜନନୀ ଗୋପକୁଳେ । କୃଷ୍ଣ କି ସମରଇ ବେଳେ ॥୧୪୧
ଆମ୍ଭର କଥା କୃଷ୍ଣ ମୁଖେ । ଭ୍ରମର ଶୁଣୁଟିକି ସୁଖେ ॥୧୪୨
କୃଷ୍ଣର ଭୁଜଦଣ୍ତ ଦୁଇ । ଅଗୁରୁ ପ୍ରାୟେକ ବାସଇ ॥୧୪୩
ଶିରେ ଚାପିବୁ କହ କେବେ । ଆମ୍ଭର ପ୍ରିୟ ଅଟୁ ଯେବେ ॥୧୪୪
ତେବେ ଛାଡିବୁ ଅଭିମାନ । କହିଣ ହୋଇଲା ମଉନ ॥୧୪୫
କହନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ଶୁଣ ସାବଧାନ ॥୧୪୬
କୃଷ୍ଣର ତହିଁ ଦୃଢଭାବ । ଗୋପୀଙ୍କୁ ଦେଖିଣ ଉଦ୍ଧବ ॥୧୪୭
ଗୋବିନ୍ଦ ଆଜ୍ଞା ଗୋପୀମଧ୍ୟେ । ଉଦ୍ଧବ କହଇ ଆନନ୍ଦେ ॥୧୪୮
;ଉଦ୍ଧବ ଉବାଚ
ଶୁଣିବା ସର୍ବ ଗୋପୀଜନ । ତୁମ୍ଭ ଜୀବନ ବଡ଼ ଧନ୍ୟ ॥୧୪୯
ସକଳ ଲୋକେ ତୁମ୍ଭ ପୂଜା । କି ପଟାନ୍ତର ଦେବା ଦୁଜା ॥୧୫୦
ଗୋବିନ୍ଦ ପାଦେ ଯାର ମନ । ନିଶ୍ଚଳେ ହୋଏ ନିମଗନ ॥୧୫୧
ବ୍ରତ ସାଧନ ଦାନ ତପ । ବେଦପଠନ ହୋମ ଜପ ॥୧୫୨
ପ୍ରାଣସଂଯମ ଯୋଗମତେ । ଜୀବର ଶ୍ରେୟକର୍ମ ଯେତେ ॥୧୫୩
ବିଷ୍ଣୁର ଭକତି ସାଧନ । ଏଣେ ନିର୍ମଳ ତୁମ୍ଭମନ ॥୧୫୪
ଗୋବିନ୍ଦ ଭାବେ ତୁମ୍ଭ ଚିତ୍ତ । ନିବିଡେ଼ ନିତ୍ୟେ ଉପଗତ ॥୧୫୫
କୃଷ୍ଣରେ ଭକତି ତୁମ୍ଭର । ମୁନିମନୁଷ୍ୟେ ଅଗୋଚର ॥୧୫୬
ମନୁଷ୍ୟ ଜନ୍ମେ ତୁମ୍ଭ ଭାବ । ବ୍ରହ୍ମାଣ୍ତମଧ୍ୟେ କେ ପାଇବ ॥୧୫୭
ତନୟ ପତି ଦେହଭାବ । ସ୍ୱଜନ ଭବନ ବାନ୍ଧବ ॥୧୫୮
ଛାଡି ଭଜିଲ କୃଷ୍ଣପାଦେ । ଦୁଃଖୁ ତରିଲ ଅପ୍ରମାଦେ ॥୧୫୯
ଏକାନ୍ତଭାବ କୃଷ୍ଣତହିଁ । ଦେବେ ପାଇବେ ଅବା କାହିଁ ॥୧୬୦
ତୁମ୍ଭର ହରିଭାବ ଦେଖି । ନିର୍ମଳ କଲି ଚର୍ମଆଖି ॥୧୬୧
ଶୁଣ ଗୋବିନ୍ଦ ଆଜ୍ଞା ଧୀରେ । କହିବି ତୁମ୍ଭର ଛାମୁରେ ॥୧୬୨
ତୁମ୍ଭ ଭକତିଭାବ ଚିତ୍ତେ । ଗୋବିନ୍ଧ କହିଛନ୍ତି ଯେତେ ॥୧୬୩
ଉଦ୍ଧବ କୃଷ୍ଣର ବଚନ । କହେ କରାଇ ସାବଧାନ ॥୧୬୪
ଶୁଣ ଗୋ ତୁମ୍ଭେ ଗୋପୀଜନେ । ତୁମ୍ଭେ ଯେ ଦୁଃଖ କର ମନେ ॥୧୬୫
ତୁମ୍ଭ ବିୟୋଗ ମୋର ନାହିଁ । ପ୍ରାଣୀଙ୍କ ପ୍ରାଣ ମୁଁ ଅଟଇ ॥୧୬୬
ପ୍ରାଣୀଙ୍କ ଦେହେ ପଞ୍ଚଭୂତ । ଯେହ୍ନେ ଜଡ଼ିତ ଅବିରତ ॥୧୬୭
ମନର ସଙ୍ଗେ ପ୍ରାଣ ବୁଦ୍ଧି । ଦଶଇନ୍ଦ୍ରିୟ ଗୁଣେ ଛନ୍ଦି ॥୧୬୮
ମୋହର ଆତ୍ମାଭାବ ଦେଇ । ସର୍ଜି ପାଳଇ ସଂହାରଇ ॥୧୬୯
ମୋହର ମାୟା ଅନୁଭବ । ଭୂତ ଇନ୍ଦ୍ରିୟ ଗଣ ସର୍ବ ॥୧୭୦
ଏ ଜୀବ ଆତ୍ମା ଗୁଣ ହୀନ । ବିବେକ ଶୁଦ୍ଧ ଚଇତନ ॥୧୭୧
ସୁଷୁପ୍ତି ସ୍ୱପ୍ନ ଉଜାଗର । ମନର ବୃତ୍ତି ଏ ବେଭାର ॥୧୭୨
ଇନ୍ଦ୍ରିୟଅର୍ଥେ ଯେଣେ ଧ୍ୟାୟି । ସ୍ୱପନ ସତ୍ୟପ୍ରାୟ ହୋଇ ॥୧୭୩
ନିଦ୍ରା ବିଯୋଗେ ପୁରୁଷଙ୍କୁ । ସେ ମାୟା ନ ଲାଗେ ତାହାଙ୍କୁ ॥୧୭୪
ଏ ଭାବେ ଜ୍ଞାନ ଯାର ହୋଇ । ସଂସାର ତାକୁ ନ ଲାଗଇ ॥୧୭୫
ବେଦବେଦାନ୍ତର ଏ ଅର୍ଥ । ମୁନିଙ୍କ ସାଂଖ୍ୟଯୋଗ ମତ ॥୧୭୬
ସନ୍ୟାସ ତପ ଧର୍ମ ସତ୍ୟ । ପଠନ ସାଧନ ସମେତ ॥୧୭୭
ମନ ନିରୋେଧେ ସର୍ବସିଦ୍ଧି । ଜଳଧି ମଧ୍ୟେ ଯେହ୍ନେ ନଦୀ ॥୧୭୮
ତୁମ୍ଭଙ୍କୁ ମୋର ମାୟା ନାହିଁ । ତେଣୁ ରହିଲି ଦୂର ହୋଇ ॥୧୭୯
ଚନ୍ଦ୍ରକୁମୁଦ କେତେ ଦୂର । ପୀରତି ଅଜର ଅମର ॥୧୮୦
ତୁମ୍ଭ ନୟନ ମନ ସଙ୍ଗ । ବଢିବ ମୋର ଅନୁରାଗ ॥୧୮୧
ଯାହାର ସ୍ୱାମୀ ଥାଇ ଦୂରେ । ପ୍ରିୟାର ମନ ତା ସଙ୍ଗରେ ॥୧୮୨
ମନରୁ କ୍ଷଣେ ନ ଛାଡ଼ନ୍ତି । ଭାବ ହୃଦୟଗତେ ଚିନ୍ତି ॥୧୮୩
ଚକ୍ଷୁ ଗୋଚରେ ସ୍ୱାମୀ ଥିଲେ । ମନ ତା ନ ରହେ ନିଶ୍ଚଳେ ॥୧୮୪
ମୋହର ତହିଁ ଦେଇ ମନ । ଛାଡ଼ି ସକଳ ମାୟାଭ୍ରମ ॥୧୮୫
ନିରତେ ନାମ ସୁମରଣେ । ମୋ ଦେହ ପାଇବ ମରଣେ ॥୧୮୬
ଏ ବୃନ୍ଦାବନ ତୁମ୍ଭ ସଙ୍ଗେ । ଯେ ଗୋପୀ ରାସକ୍ରୀଡ଼ା ରଙ୍ଗେ ॥୧୮୭
ଯାଇ ନ ପାରି ସ୍ୱାମୀବଳେ । ପ୍ରାଣ ଛାଡ଼ିଲା ଧ୍ୟାନଭୋଳେ ॥୧୮୮
ଆକାଶେ ଥିଲେ ଦେବେ ଚାହିଁ । ପଶିଲା ମୋର ଦେହେ ଯାଇ ॥୧୮୯
କହନ୍ତି ଶୁକ ମହାମୁନି । ଗୋପୀଏ କୃଷ୍ଣକଥା ଘେନି ॥୧୯୦
ଉଦ୍ଧବ ମୁଖକୁ ଅନାଇଁ । କହନ୍ତି କୃଷ୍ଣଭାବ ଲଇଁ ॥୧୯୧
;ଗୋପୀଗଣ ଉବାଚ
ଆମ୍ଭର ଭାଗ୍ୟ ହେ ଉଦ୍ଧବ । କଂସ ସଂହାରିଲେ ମାଧବ ॥୧୯୨
ଆବର ଦୁଷ୍ଟଦୈତ୍ୟ ମଲେ । ଯଦୁଙ୍କୁ କଷ୍ଟ ଦେଉଥିଲେ ॥୧୯୩
ସକଳ ଅର୍ଥ ସିଦ୍ଧ କରି । ସୁଖେ ଅଛନ୍ତି ରାମହରି ॥୧୯୪
ଯାଦବ ଭୋଜବଂଶ ଆଦି । କଂସର ଯେତେ ଥିଲେ ବାଦୀ ॥୧୯୫
କଂସକୁ ମାରି କଲେ ସୁଖୀ । ଦୁଷ୍ଟେ ଭାଜିଲେ ତାହା ଦେଖି ॥୧୯୬
ସଭିଁଙ୍କୁ କରାଇ ହରଷ । ତହିଁ ରହିଲେ ପୀତବାସ ॥୧୯୭
ମଥୁରାନାରୀଙ୍କର ମଧ୍ୟେ । କୃଷ୍ଣ କି ଅଛନ୍ତି ଆନନ୍ଦେ ॥୧୯୮
ଆମ୍ଭର କଥା ତାଙ୍କ ଆଗେ । ଗୋବିନ୍ଦ କହେ କି ପ୍ରସଙ୍ଗେ ॥୧୯୯
ତାହାଙ୍କ ସ୍ନେହଭାବ ଘେନି । ଛାଡ଼ିଲେ ଗୋପର କାମିନୀ ॥୨୦୦
ଏ ବୃନ୍ଦାବନେ ରାତ୍ରିକାଳେ । କୁନ୍ଦ କୁସୁମ ପରିମଳେ ॥୨୦୧
ନୁପୁର କଙ୍କଣ ଶବଦେ । ନାଚୁ ଯେ ଥିଲେ ଗୋପୀମଧ୍ୟେ ॥୨୦୨
ଆମ୍ଭର ସଙ୍ଗେ ରମୁଥାଇ । କୃଷ୍ଣ କି ତାହା ସୁମରଇ ॥୨୦୩
ରାସକ୍ରୀଡ଼ାରେ ଯେତେ କଲା । କ୍ଷଣ କ୍ଷଣକେ ନାନା ଲୀଳା ॥୨୦୪
ଦେଖି ଚକିତ ଦେବଗଣ । ଦ୍ରବିଲା ସବୁଙ୍କରି ମନ ॥୨୦୫
ଆମ୍ଭେ ରମିଲୁ ତାର ଭାବେ । ତାହା କି ସୁମରଇ ଏବେ ॥୨୦୬
ହୃଦୟ କଥା ଯେତେ କହୁଁ । ତାହାର ଭାବେ ହୃଦେ ବହୁ ॥୨୦୭
ଉଦ୍ଧବ କହ ତୁମ୍ଭେ ସତ । ଗୋପେ କି ଆସିବେ ଅନନ୍ତ ॥୨୦୮
ତାର ନ ପାଇ ଅଙ୍ଗସଙ୍ଗ । ଦହଇ ପ୍ରତିକ୍ଷଣେ ଅଙ୍ଗ ॥୨୦୯
ଆଶ୍ୱାସ କରି ନିଜ କରେ । ଜୀବନ ଦେବେ କି ଆମ୍ଭରେ ॥୨୧୦
ବରଷା ଜଳ ପାଇ ଯେହ୍ନେ । ଜୀବନ ପାନ୍ତି ତରୁ ବନେ ॥୨୧୧
ତାହାର ଆଶ୍ରେ ଭୃତ୍ୟ ହୋଇ । ଜୀବନ ରଖୁ ମୁଖ ଚାହିଁ ॥୨୧୨
ସେ ହରି ଆମ୍ଭଙ୍କୁ ତେଜିଲା । ମଥୁରାପୁରେ ବିଜେ କଲା ॥୨୧୩
କଂସକୁ ମାରି ରାଜ୍ୟ ପାଇ । ରାଜା ହୋଇଲେ କୃଷ୍ଣ ତହିଁ ॥୨୧୪
ରାଜକନ୍ୟାଙ୍କୁ ହେବେ ବିଭା । ଯାଦବ ମଧ୍ୟେ ଯାର ଶୋଭା ॥୨୧୫
କ୍ଷତ୍ରିୟ ବୃତ୍ତି ଆଚରିଲେ । ସେ କିମ୍ପା ଗୋପପୁଅ ତୁଲେ ॥୨୧୬
ଗୋରୁଙ୍କ ସଙ୍ଗେ ନେବେ ଦିନ । କିମ୍ପା ଭ୍ରମିବେ ବନେ ବନ ॥୨୧୭
ସେ କାହିଁ ଗୋପକୁ ଆସିବ । ଏମନ୍ତ ନ ଦେଖୁ ଉଦ୍ଧବ ॥୨୧୮
ସ୍ୱଭାବେ ଆମ୍ଭେ ବନଚାରୀ । ଲକ୍ଷ୍ମୀ ଯାହାର ପରିବାରୀ ॥୨୧୯
ସେ ପୁରନାରୀଙ୍କ ଆୟତ୍ତ । ତାର ବଚନ କାହିଁ ସତ୍ୟ ॥୨୨୦
ପିଙ୍ଗଳା ନାମେ ଥିଲା ବେଶ୍ୟା । ତାହାର ନ ପୂରିଲା ଆଶା ॥୨୨୧
ନିରାଶ ହୋଇଲା ସେ ଯେହ୍ନେ । ଗୋପକାମିନୀ ଆମ୍ଭେ ତେହ୍ନେ ॥୨୨୨
ଗୋବିନ୍ଦ ଲୀଳାରସ ପାଇ । ଆମ୍ଭେ ଗୋପୀଏ ତୋଷ ନୋହି ॥୨୨୩
ନଦୀ ପର୍ବତ ବନ ଦେଶେ । ଗମଇଁ ବେଣୁନାଦ ଘୋଷେ ॥୨୨୪
ଆମ୍ଭର ତୁଲେ ଯାହା କଲା । ଅନେକ ବୃନ୍ଦାବନେ ଲୀଳା ॥୨୨୫
ଏଣୁ ସେ କୃଷ୍ଣଭାବ ଜାଣି । ମନ ଦହଇ ପୁଣ ପୁଣି ॥୨୨୬
ଦେଖିତ ପଦ୍ମପାଦ ଛାୟା । କେମନ୍ତେ ପାସୋରିବୁ ତାହା ॥୨୨୭
ଲଳିତ ଗତି ହାସ ରଙ୍ଗେ । କୃଷ୍ଣ ଯେ ଚାହାନ୍ତି ତ୍ରିଭଙ୍ଗେ ॥୨୨୮
ମଧୁର ବଚନ ମୋହ୍ନ । କେମନ୍ତେ ପାସୋରିବୁ ମନ ॥୨୨୯
ହେ ନାଥ ରମାନାଥ ହରି । ଆରତଭଂଜନ ମୁରାରି ॥୨୩୦
ଆମ୍ଭର ଦେଖୁଅଛ ଦୁଃଖ । ଗୋକୁଳ ଶୋକଜଳୁ ରଖ ॥୨୩୧
କହନ୍ତି ଶୁକ ବ୍ରହ୍ମଚାରୀ । ତାପପଛାଡିଲେ ବ୍ରଜନାରୀ ॥୨୩୨
କୃଷ୍ଣ ସନ୍ଦେଶେ ମନ ସ୍ଥିର । ପୂଜିଲେ ଉଦ୍ଧବ ପୟର ॥୨୩୩
କୃଷ୍ଣର ପ୍ରାୟେ ପୂଜା କରି । ଉଦ୍ଧବ ସଙ୍ଗେ ଗୋପନାରୀ ॥୨୩୪
କେତେହେଁ ଦିନ ଗୋପପୁରେ । ଗୋପୀଙ୍କ ମନ ତୋଷିବାରେ ॥୨୩୫
କୃଷ୍ଣର ରସ ଲୀଳା ଗାଇ । ଗୋପୀଙ୍କ ମନ ସେ ରଞ୍ଜଇ ॥୨୩୬
ଯେତେ ଦିବସ ନନ୍ଦପୁରେ । ଉଦ୍ଧବ ରହିଲା ନିର୍ଭରେ ॥୨୩୭
କୃଷ୍ଣର କଥା ରସମୟ । ଗୋପୀ ବଂଚିଲେ କ୍ଷଣ ପ୍ରାୟ ॥୨୩୮
ଗୋପୀଙ୍କ ମନ ତୋଷ ପାଇଁ । ଉଦ୍ଧବ କହଇ ମଣାଇଁ ॥୨୩୯
ଶୁଣ ସକଳ ବ୍ରଜନାରୀ । ତୁମ୍ଭରେ ତୁଷ୍ଟ ନରହରି ॥୨୪୦
ତୁମ୍ଭେ ଗୋ ବଡ଼ ଭାଗ୍ୟବନ୍ତ । ତୁମ୍ଭର ହୃଦ ଅବିରତ ॥୨୪୧
କୃଷ୍ଣହୁଁ ନ ଜାଣଇ ଆନ । ଯେ ପ୍ରଭୁ ଗୋପୀଙ୍କ ଜୀବନ ॥୨୪୨
ତାହା ଘେନିଲ ତୁମ୍ଭେ ହୃଦେ । ଈଶ୍ୱର ଗୁଣ ଅନୁବାଦେ ॥୨୪୩
ତୁମ୍ଭେ ଭେଦିଲେ ସେହୁ ହରି । ଦେବ ମାନବେ ନାହିଁ ସରି ॥୨୪୪
ଗୋପୀ ବୋଲନ୍ତି ହେ ଉଦ୍ଧବ । ଆମ୍ଭର ପ୍ରାଣ ପଦ୍ମନାଭ ॥୨୪୫
ଆମ୍ଭର ଦେହ ଗୋପପୁରେ । ଜୀବନ କୃଷ୍ଣର ଶରୀରେ ॥୨୪୬
ମନବଚନ କୃଷ୍ଣ ପାଦେ । ବ୍ୟାପାର କରୁ ଘର ମଧ୍ୟେ ॥୨୪୭
ତୁମ୍ଭଙ୍କୁ କହିଲୁଟି ସତ୍ୟ । ଆମ୍ଭର ପ୍ରାଣ ଗୋପୀନାଥ ॥୨୪୮
ନଦୀ କାନନ ଗିରି ତଟେ । କୁସୁମତରୁଙ୍କ ନିକଟେ ॥୨୪୯
ଉଦ୍ଧବେ ଘେନି ଗୋପନାରୀ । ଦେଖାନ୍ତି କରେ କର ଧରି ॥୨୫୦
ଦେଖ ଉଦ୍ଧବ କୃଷ୍ଣଲୀଳା । ଯହିଁ ଯେମନ୍ତ କରିଥିଲା ॥୨୫୧
ଗୋପୀଙ୍କ ଦେଖି କୃଷ୍ଣଭାବ । ଆନନ୍ଦେ ବୋଲଇ ଉଦ୍ଧବ ॥୨୫୨
ଗୋପୀଙ୍କ ପାଦତଳେ ପଡ଼ି । ଉଦ୍ଧବ କହେ କରଯୋଡ଼ି ॥୨୫୩
ଏ ଗୋପୀମାନଙ୍କର ଜନ୍ମ । ଏ ମହୀତଳେ ବଡ଼ ଧନ୍ୟ ॥୨୫୪
ଦେବେ ନ ଜାଣନ୍ତି ଯାହାଙ୍କୁ । ଗୋପୀଏ ପାଇଲେ ତାହାଙ୍କୁ ॥୨୫୫
ଗୋପୀଏ କରି ନିତ୍ୟେ ଧ୍ୟାନ । ନ ଜାଣି ପାଇଲେକ ଜ୍ଞାନ ॥୨୫୬
ବ୍ରହ୍ମାଶଙ୍କର ଆଦି କରି । ନିତ୍ୟେ ଚିନ୍ତନ୍ତି ଦୃଢେ ଧରି ॥୨୫୭
ଏ ଭାବ ଜାଣି ନ ପାରିଲେ । ଗୋପୀଙ୍କି ଚଉବର୍ଗ ଦେଲେ ॥୨୫୮
ଭାବି ନ ପାନ୍ତି ବ୍ରହ୍ମମୁନି । ଏ ଭାବ ଜାଣିଲେ କାମିନୀ ॥୨୫୯
କୃଷ୍ଣିର ଗୀତନାଦେ ସୁଖୀ । ପ୍ରେମେ ବିହ୍ୱଳ ପଦ୍ମମୁଖୀ ॥୨୬୦
ଆଶା ବଢିଲା କୃଷ୍ଣଦେହେ । ଛାଡ଼ି ନ ପାରି ମାୟାମୋହେ ॥୨୬୧
କେମନ୍ତେ ଛାଡ଼ିବେ ମୁରାରୀ । ପଦ୍ମା ଯାହାଙ୍କୁ ଆଶ୍ରେ କରି ॥୨୬୨
ରାସଉତ୍ସବେ ଏ କାମିନୀ । କୃଷ୍ଣଚରଣ କରେ ଘେନି ॥୨୬୩
ସ୍ତନ-ବଦନ-କରେ ଚାପି । ଛାଡ଼ିଲେ ତିନିତାପ ଗୋପୀ ॥୨୬୪
ଏହାଙ୍କୁ ପଦରଜ ମୁହିଁ । ନିରତେ କପାଳେ ଘେନଇ ॥୨୬୫
ଏମନ୍ତେ ହୃଦେ ଲଭି ଭାବ । ମଥୁରା ଗମନେ ଉଦ୍ଧବ ॥୨୬୬
ଗୋପୀଙ୍କି ଆଜ୍ଞା ମାଗି ଧୀରେ । ନନ୍ଦ ଯଶୋଦାଙ୍କ ପୟରେ ॥୨୬୭
ଗୋପଙ୍କୁ ଆଲିଙ୍ଗନ ଦେଇ । ରଥେ ବସିଲେ ତୋଷହୋଇ ॥୨୬୮
ଗୋପୀଗୋପାଳ ଆଦି କରି । ରଥରେ ନାନାଦ୍ରବ୍ୟ ଭରି ॥୨୬୯
ଉଦ୍ଧବ ପାଶେ ନନ୍ଦ କାନ୍ଦେ । କହଇ ଅଶ୍ରୁ ଗଦଗଦେ ॥୨୭୦
ଆମ୍ଭର ମନୋବାଞ୍ଛା ଯେତେ । ସଙ୍କଳ୍ପ କରି ହୃଦଗତେ ॥୨୭୧
ସେ ସବୁ କୃଷ୍ଣପଦେ ଥାଉ । ତା ନାମ ଧରି ଦିନ ଯାଉ ॥୨୭୨
ଆମ୍ଭର ମନ ତାର ପାଦେ । ନିରତେ ରହୁ ଅପ୍ରମାଦେ ॥୨୭୩
ଆମ୍ଭେ ଯେ କର୍ମମାର୍ଗେ ଭ୍ରମି । ଫୁଟି ହୋଇଲୁ ପଥଶ୍ରମୀ ॥୨୭୪
ଈଶ୍ୱର ମାୟାତନ୍ତ୍ରେ ପଡ଼ି । ଜନ୍ମମରଣାପଥ ହୁଡ଼ି ॥୨୭୫
ଶୁଦ୍ଧ ଆଚାର ଜ୍ଞାନ ଭେଦେ । ଗତି ପାଇବୁ କୃଷ୍ଣପାଦେ ॥୨୭୬
କହନ୍ତି ବ୍ୟାସଙ୍କର ସୁତ । ଉଦ୍ଧବ ଗୋବିନ୍ଦର ଦୂତ ॥୨୭୭
ନମିଣ ଗୋପୀଙ୍କର ପାଦେ । ନନ୍ଦ ଯଶୋଦା ପାଦେ ବନ୍ଦେ ॥୨୭୮
ଉଦ୍ଧବ ହୋଇଣ ଆନନ୍ଦ । ମଥୁରା ଗଲେ ଅପ୍ରମାଦ ॥୨୭୯
ଗୋପୀଗୋପାଳ ଭାବ ଜାଣି । କୃଷ୍ଣଙ୍କୁ କହେ ପୁଣପୁଣି ॥୨୮୦
ବସୁଦେବର ପାଶେ ଯାଇ । ଆନନ୍ଦେ ରାମଙ୍କୁ ବସାଇ ॥୨୮୧
ଗୋପୀଙ୍କ ଉପହାର ଦ୍ରବ୍ୟ । ନିକଟେ ଥୋଇଲା ଉଦ୍ଧବ ॥୨୮୨
ଦେଖି ଆନନ୍ଦ ବସୁଦେବ । ହସନ୍ତି ଶ୍ରୀରାମ ମାଧବ ॥୨୮୩
ଉଦ୍ଧବ କହେ କଥାମାନ । ତୋଷ ହୋଇଲେ ଭଗବାନ ॥୨୮୪
ବ୍ରାହ୍ମଣ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥୨୮୫
ଉଦ୍ଧବ ଜ୍ଞାନ ଯା କହିଲା । ଗୋପୀଗୋପାଳଙ୍କର ଲୀଳା ॥୨୮୬
ସେ କଥା ଶୁଣି ହୋଏ ତୋଷ । ମନେ ସୁମରି କୃଷ୍ଣର ॥୨୮୭
ସୁଜନେ ଶୁଣ କର୍ଣ୍ଣପଥେ । ଭକ୍ତି ହେବ ହୃଦଗତେ ॥୨୮୮
ନିରତେ ଭଜ ରାମହରି । ଏଣେ ତରିବ ଭବବାରି ॥୨୮୯
ସେ ଗୋପୀଗୋବିନ୍ଦ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥୨୯୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଦ୍ଧବ ପ୍ରତିଯାନେ ନାମ
ଏକ ପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ଦ୍ୱିପଞ୍ଚାଂଶ ଅଧ୍ୟାୟ'''===
<poem>
କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦପାଦେ ଦେଇ ମନ ॥ ୧
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଭକତ ବତ୍ସଳ ଅନନ୍ତ ॥୨
ମଥୁରାଦାଣ୍ତେ ଗନ୍ଧ ଘେନି । କୁବୁକା ନାମେ ଯେ କାମିନୀ ॥୩
କୃଷ୍ଣଙ୍କୁ ମାଗିଥିଲା ବର । ଭୋ ନାଥ ଯିବୁ ମୋର ପୁର ॥୪
ତାହାର ଭାବ ହୃଦେ ବହି । କରୁଣାସିନ୍ଧୁ ଭାବଗ୍ରାହୀ ॥୫
ଉଦ୍ଧବ ସଙ୍ଗେ ବିଜେକଲେ । କୁବୁଜା ଭୁବନେ ମିଳିଲେ ॥୬
ଗୋବିନ୍ଦ ଆଗମନ ଆଶେ । ଗୃହ ମଣ୍ତିଛି ମନତୋଷ ॥୭
ସୁନ୍ଦର ଗୃହ ଉପହାର । କି ଅବା ଦେବା ପଟାନ୍ତର ॥୮
ସୁଗନ୍ଧ ଧୂପଦୀପ ବାସ । ଅମୂଲ୍ୟମଣିରତ୍ନ ତ୍ରାସ ॥୯
ଗନ୍ଧ ଚନ୍ଦନ ପରିମଳ । ପବନ ବହଇ ଶୀତଳ ॥୧୦
କାମ ଉପାୟ ସନ୍ଦୀପନ । ଦେଖି ମୋହିତ ହୁଏ ମନ ॥୧୧
ମୁକୁତା ପ୍ରବାଳ ଖଞ୍ଜଣି । ଉପରେ ଚନ୍ଦ୍ରାତପ ଟାଣି ॥୧୨
ରତ୍ନ ପଲଙ୍କେ ଶେଯ ପାଡ଼ି । ରତ୍ନପାଦୁକା ସୁନାପିଢି ॥୧୩
ସୁଗନ୍ଧ ଧୂପ ଥୋଇ ତଳେ । ଉପରେ ଲମ୍ବେ ଫୁଲମାଳ ॥୧୪
କୃଷ୍ଣ ଆଗମ ପଥ ଚାହିଁ । କୁବୁଜା ଦେହେ ଜ୍ଞାନ ନାହିଁ ॥୧୫
ନିମିଷ ଯୁଗପ୍ରାୟ ମଣି । ରଜନୀ ଦିବସ ନ ଗଣି ॥୧୬
ଜାଣିଣ ପ୍ରଭୁ ନାରାୟଣ । ବିଜୟ କଲେ ତା ଭୁବନ ॥୧୭
ହରିଙ୍କି ନିଜ ଦ୍ୱାରେ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥୧୮
ସଙ୍ଗତେ ଘେନି ସଖୀଗଣ । ପୂଜିଲା ଗୋବିନ୍ଦ ଚରଣ ॥୧୯
ରତ୍ନପାଦୁକା ତଳେ ଥୋଇ । ସୁତୀର୍ଥ ଜଳେ ପାଦ ଧୋଇ ॥୨୦
ଝୀନବସନେ ପାଦ ପୋଛି । ନିଜ ମଥାରେ ଗର୍ଭେ ସିଞ୍ଚି ॥୨୧
ଅର୍ଘ୍ୟ ଆଚମନେ ତୋଷଇ । ଅଧରେ ମଧୁରସ ଦେଇ ॥୨୨
ଏମନ୍ତେ କୃଷ୍ଣଙ୍କୁ ପୂଜିଲା । ଉଦ୍ଦବ ନିକଟେ ମିଳିଲା ॥୨୩
ବିବିଧ ମତେ ଉପହାରେ । ପୂଜିଲା ଉଦ୍ଧବ ପୟରେ ॥୨୪
ରତ୍ନଆସନ ତଳେ ଥୋଇ । କୁବୁଜା ଗଲା ଭୋଳ ହୋଇ ॥୨୫
ଉଦ୍ଧବ ହରଷ ବଦନ । ଚରଣେ ଚାଲିଲା ଆସନ ॥୨୬
ଏକାନ୍ତେ ଭୂମିରେ ବସିଲା । କୃଷ୍ଣଚରଣେ ମନ ଦେଲା ॥୨୭
କୁବୁଜା ଗୃହ ମଧ୍ୟେ ଯାଇ । କୃଷ୍ଣଙ୍କୁ ପଲଙ୍କେ ବସାଇ ॥୨୮
ତାହାର ଭାବେ ବଶ ହରି । ରତ୍ନପଲଙ୍କେ ବିଜେକରି ॥୨୯
ଅଶେଷ ବ୍ରହ୍ମାଣ୍ତ ଠାକୁର । କପଟେ ମନୁଷ୍ୟ ବେଭାର ॥୩୦
କୁବୁଜା କୁଙ୍କୁମ ଲେପିଣ । ତକ୍ଷଣେ ସାରିଲା ସ୍ନାହାନ ॥୩୧
ଝୀନ ବସନ ରତ୍ନସାର । ଘେନିଣ ନାନା ଅଳଙ୍କାର ॥ ୩୨
ହୃଦେ ଚନ୍ଦନ କଣ୍ଠେ ହାର । ତାମ୍ବୁଳେ ସୁରଙ୍ଗ ଅଧର ॥୩୩
ସୁଧା ଆସବ ପାନ କଲା । ଗୋବିନ୍ଦ ଛାମୁରେ ମିଳିଲା ॥୩୪
ହାସବଦନେ କାମବତୀ । କଟାକ୍ଷେ ମୋହିଲା ଶ୍ରୀପତି ॥୩୫
କୁବୁଜା ଚାହିଁ ବନମାଳୀ । ଡାକନ୍ତି ବେନିଭୁଜ ତୋଳି ॥୩୬
ନବସଙ୍ଗମେ ଲାଜ ପାଇ । କୁବୁଜା ନ ପାରଇ ଯାଇ ॥୩୭
ସଂକୋଚେ ଗମନ ସଧୀରେ । ରତ୍ନକଙ୍କଣ ବେନିକରେ ॥୩୮
ମାୟା ମୋହିଲେ ଭାବଗ୍ରାହୀ । ଲାଜ ଛାଡ଼ିଲା କୃଷ୍ଣେ ଚାହିଁ ॥୩୯
ଗୋବିନ୍ଦ ଭୁଜେ ଭୁଜ ଦେଇ । ପଲଙ୍କେ ବସାଇଲେ ନେଇ ॥୪୦
କୁବୁଜା କୃଷ୍ଣେ ଘେନି କୋଳେ । ଗନ୍ଧ ଲେପିଲା ପୂଣ୍ୟବଳେ ॥୪୧
ରମିଲେ କମଳାର ବର । ଅଶେଷ ବ୍ରହ୍ମାଣ୍ତ ଠାକୁର ॥୪୨
କୁବୁଜା କାମଭୋଳେ କରି । କୃଷ୍ଣ ଚରଣ କରେ ଧରି ॥୪୩
ଚକ୍ଷୁ ହୃଦୟ କୁଚ ଭରେ । ଆଘ୍ରାଣ କଲା ନାସାଦ୍ୱାରେ ॥୪୪
ଯେତେ କଳୁଷ ଦେହେ ଥିଲା । ଗୋବିନ୍ଦ ଚରଣେ ମାଜିଲା ॥୪୫
ନିର୍ଭରେ ବେନିଭୁଜ ତୋଳି । ହୃଦେ ଲଗାଇ ବନମାଳୀ ॥୪୬
ଆନନ୍ଦ ରୂପ ଭଗବାନ । ନିବିଡେ କଲା ଆଲିଙ୍ଗନ ॥୪୭
ଜନ୍ମୁଁ ସଞ୍ଚିଲା ବହୁ ପାପ । ହେଳେ ଛାଡ଼ିଲା ତିନିତାପ ॥୪୮
ଯେ ହରି କଇବଲ୍ୟନାଥ । ଲୋଡ଼ି ନ ପାନ୍ତି ମୁନି ସନ୍ଥ ॥୪୯
ତାଙ୍କୁ କୁବୁଜା ଘେନି କୋଳେ । ଗନ୍ଧ ଲେପିଲା ପୁଣ୍ୟବଳେ ॥୫୦
ହସି ବୋଇଲେ ନାରାୟଣ । ବର ତୁ ମାଗ ଗୋ ବହନ ॥୫୧
ଦେଖ ହୋ ଭାଗ୍ୟବଳ ତାର । କୃଷ୍ଣଙ୍କୁ ମାଗିଲା ସେ ବର ॥୫୨
ଭୋ ନାଥ ରହ କିଛିଦିନ । ତୋଷ ନୋହିଲା ମୋର ମନ ॥୫୩
ପଦ୍ମଲୋଚନ ତୋର ସଙ୍ଗେ । କ୍ରୀଡା କରିବି ନାନାରଙ୍ଗେ ॥୫୪
ମୁିନି କହନ୍ତି ରାଜା ଆଗ । ଦେଖ ଏ କୁବୁଜାର ଭାଗ୍ୟ ॥୫୫
ଶୁଣି ସାନନ୍ଦ ଗୋପୀନାଥେ । ତହିଁ ରହିଲେ ଦିନାକେତେ ॥୫୬
କାମନା ପୂର୍ଣ୍ଣ କରି ତାର । ତହୁଁ ଚଳିଲେ ଦାମୋଦର ॥୫୭
ଅଶେଷ ସୁଖ ଭୋଗ ଦେଇ । ଉଦ୍ଧବ ସଙ୍ଗେ ଭାବଗ୍ରାହୀ ॥ ୫୮
ପ୍ରବେଶ ଆପଣା ମନ୍ଦିର । ଶୁଣ ହୋ କୁବୁଜା ବେଭାର ॥ ୫୯
ଦୁର୍ଲ୍ଲଭ ଯାର ପାଦସେବା । ଲୋଡି ନ ପାନ୍ତି ସୁରଦେବା ॥ ୬୦
ତାହାଙ୍କୁ ତପବଳେ ପାଇ । ବିଷୟସୁଖ ଯେ ଲୋଡ଼ଇ ॥ ୬୧
କୁତ୍ସିତମତି ବୋଲି ତାରେ । ପଡ଼ଇ ଦୁଃଖ ଅନ୍ଧକାରେ ॥ ୬୨
ଅଜ୍ଞାନ ବିପ୍ର ଜଗନ୍ନାଥ । କାହିଁ ପାଇବ କୃଷ୍ଣପଥ ॥ ୬୩
ଶୁଣ ହୋ ଅଭିମନ୍ୟୁ ସୁତ । ମଥୁରା ପୁରେ ଜଗନ୍ନାଥ ॥ ୬୪
ରଜନୀ ଅନ୍ତେ ମନେ ଗୁଣି । ଦୟା ସାଗର ଚକ୍ରପାଣି ॥ ୬୫
କଳ୍ପିତ-କାର୍ଯ୍ୟ ଉପଦେଶେ । ପଣ୍ତୁ ତନୟଙ୍କ ଉଦ୍ଧେଶ୍ୟେ ॥ ୬୬
ଅକ୍ରୁରହିତ ମନେ ଗୁଣି । ରାମ ଉଦ୍ଧବ ସଙ୍ଗେ ଘେନି ॥ ୬୭
ମିଳିଲେ ଅକ୍ରୁର ମନ୍ଦିର । ଦୟାସାଗର ଦାମୋଦର ॥ ୬୮
ନିକଟେ ଦେଖି ବନ୍ଧୁଜନ । ଅକ୍ରୁର ହରଷ ବଦନ ॥ ୬୯
ଆନନ୍ଦେ କୃଷ୍ଣ ସଙ୍ଗ ପାଇ । ନିବିଡେ଼ ଆଲିଙ୍ଗନ ଦେଇ ॥ ୭୦
ପୁଲକେ ଅଶ୍ରୁଜଳ ବହେ । ପ୍ରଣାମ କଲା କୃଷ୍ଣପାୟେ ॥ ୭୧
ରାମର ପାଦେ ପୁଣ ପଡ଼ି । ଉଦ୍ଧବ କର ହୃଦେ ଭିଡ଼ି ॥ ୭୨
ରାମଗୋବିନ୍ଦ ବନ୍ଧୁପଣେ । ନମିଲେ ଅକ୍ରୁର ଚରଣେ ॥ ୭୩
ଅକ୍ରୁର ନିଜ ଘରେ ନେଇ । ଉତ୍ତମ ଆସନେ ବସାଇ ॥ ୭୪
ଜାଣଇ ପୂଜାର ବିଧାନ । ଆନନ୍ଦ ମନେ ଛନଛନ ॥ ୭୫
ସୁବର୍ଣ୍ଣପାତ୍ରେ ଜଳ ନେଇ । ରାମଗୋବିନ୍ଦ ପାଦ ଧୋଇ ॥ ୭୬
ପାଦଉଦକ ଶିରେ ଘେନି । ଭାବେ ବୁଜିଲା ଚକ୍ଷୁ ବେନି ॥ ୭୭
ଦିବ୍ୟବସନ ଗନ୍ଧମାଳେ । ପୂଜିଲା ମଦନଗୋପାଳେ ॥ ୭୮
ମଣିମୁକୁତା ହାର ରଙ୍ଗେ । ମଣ୍ତିଲା ଗୋବିନ୍ଦର ଅଙ୍ଗେ ॥ ୭୯
ରାମଙ୍କୁ ଦେଇ ଅଳଙ୍କାର । ଭାବେ ଯୋଡିଲା ବେନିକର ॥ ୮୦
ଖଟେ ବସାଇ ଦାମୋଦର । ଚରଣ ଚାପଇ ଅକ୍ରୁର ॥ ୮୧
ରାମର ପାଦେ ହସ୍ତ ଦେଇ । ବିଶ୍ୱାସେ ଅକ୍ରୁର ବୋଲଇ ॥ ୮୨
;ଅକ୍ରୁର ଉବାଚ
ଭୋ ନାଥ ପ୍ରଭୁ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୮୩
ପାପିଷ୍ଠ କଂସରାଜା ମଲା । ଆମ୍ଭର କୁଳେ ଭାଗ୍ୟ ଥିଲା ॥ ୮୪
ତାହାର ଭୟେ ଯଦୁବଂଶ । ନିଶ୍ଚୟେ ହେଉଥିଲା ଧ୍ୱଂସ ॥ ୮୫
ତାହାଙ୍କୁ ହେଳେ ନାଶ କଲ । ବୁଡ଼ିଲା ଭେଳା ଉଦ୍ଧରିଲ ॥ ୮୬
ଏ କୁଳ ଏବେ ତ ବଢ଼ିବ । ଅବନିତଳେ ଯଶ ଥିବ ॥ ୮୭
ତୁମ୍ଭେ ଯେ ପ୍ରକୃତିପୁରୁଷ । ଲୀଳା ଏ ସଂସାରେ ପ୍ରବେଶ ॥ ୮୮
ଜଗତ ନାନାରୂପ ହୋଇ । ତୁମ୍ଭ ଶରୀରୁ ପ୍ରକାଶଇ ॥ ୮୯
ଏଣୁ ଜଗତମୟ ନାମା । କି ଅବା କରିବା ଉପମା ॥ ୯୦
କାର୍ଯ୍ୟକାରଣ ବିଚାରଣେ । ତୋ ବିନୁ ନାହିଁ ଅନ୍ୟ ଜଣେ ॥ ୯୧
ତୁମ୍ଭେ ଏ ସଂସାର ଭିଆଇ । ଜୀବ ପରମ ରୂପ ହୋଇ ॥ ୯୨
ଆତ୍ମାର ତେଜ ବଳ ତୁମ୍ଭେ । ପ୍ରବେଶ କ୍ରୀଡ଼ା ଅନୁଭାବେ ॥ ୯୩
ନାନାପ୍ରକାରେ ରୂପହୋଇ । ଏ କଥା ନିଗମ ଜାଣଇ ॥ ୯୪
ସଚରାଚର ଭୂତଯୋନି । ଶବଦ ଆଣି କୂଣ ଘେନି ॥ ୯୫
ବହୁ ପ୍ରକାରେ ପ୍ରକାଶନ୍ତି । ତୁମ୍ଭ ମହିମା ନ ଜାଣନ୍ତି ॥ ୯୬
ଏମନ୍ତ ପ୍ରକାଶ ତୁମ୍ଭର । କେବଳ ଆତ୍ମାଜ୍ଞାନ ସାର ॥ ୯୭
ପ୍ରପଞ୍ଚ ନାନା ରୂପ ହୋଇ । ମାୟାସଂସାରେ ବିହରଇ ॥ ୯୮
ତୁ ପୁଣି ତୋହର ଆୟତ୍ତ । ମାୟାରେ ଭ୍ରମାଉଁ ଜଗତ ॥ ୯୯
ସୃଷ୍ଟି ପାଳନ ସଂହାରଣ । ରଜ ସାତ୍ତ୍ୱିକ ତମଗୁଣ ॥ ୧୦୦
ଏଣୁ ଯେ ତୋର ବନ୍ଧନାହିଁ । ଯେଣୁ ଏହାର ହେତୁ ତୁହି ॥ ୧୦୧
ଉପାଧି ରୂପ ତନୁ ଯାର । ଜନ୍ମ ମରଣ ନାହିଁ ତାର ॥ ୧୦୨
ତରଙ୍ଗ ଯେହ୍ନେ ନାଶ ଯାଇ । ନିଶ୍ଚଳ ଭାବେ ଜଳ ଥାଇ ॥ ୧୦୩
ଗୁଣ ବେଭାର ଯାର ଭେଦ । ତାହାର ଦୁଃଖ ସୁଖେ ଖେଦ ॥ ୧୦୪
ଅଭେଦ ଆତ୍ମା ତୁ ପ୍ରତ୍ୟକ୍ଷ । ତୋହର ନାହିଁ ବନ୍ଧ-ମୋକ୍ଷ ॥ ୧୦୫
ନାହିଁ ତୋହର ଭିନ୍ନ ଭାବ । ଏଣୁ କେ ମହିମା କହିବ ॥ ୧୦୬
ତୋର ବଚନ ଶ୍ରୁତିଗଣ । ସଂସାର-ହିତର କାରଣ ॥ ୧୦୭
ପାଷାଣ୍ତେ ନିଜ ବାଦବଳେ । ବେଦ ନିନ୍ଦନ୍ତି ଯେତେବେଳେ ॥ ୧୦୮
ତୁ ନାଥ ସତ୍ତ୍ୱଗୁଣ ଭଜୁ । ତାହାଙ୍କ ଗର୍ବ ହେଳେ ଗଞ୍ଜୁ ॥ ୧୦୯
ନିନ୍ଦନ୍ତି ନିଜ ଧର୍ମ କର୍ମ । ତୋର ଶରୀର ସର୍ବଧର୍ମ ॥ ୧୧୦
ଈଶ୍ୱର ଆଦି ଦେବ ଯାଏଁ । ନିନ୍ଦା କରନ୍ତି ପଶୁପ୍ରାୟେ ॥ ୧୧୧
ପ୍ରକୃତିପୁରୁଷ ତୁ ଅଟୁ । ସ୍ତିରୀପୁରୁଷ ରୂପେ ଖଟୁ ॥ ୧୧୨
ପାଷାଣ୍ତେ କରନ୍ତି ତା ଭିନ୍ନ । ସର୍ବଶରୀରେ ନାରାୟଣ ॥ ୧୧୩
ଏହା ଯେ ବିଚାର ନ କରେ । ତାହାକୁ ଲେଖିବ ପଶୁରେ ॥ ୧୧୪
ତାହାଙ୍କ ଦର୍ପ କରି ନାଶ । ନରକେ ଦେଉ ତାଙ୍କୁ ବାସ ॥ ୧୧୫
ଏମନ୍ତେ ପ୍ରଭୁ ନରହରି । ଯାଦବ ବଂଶେ ଅବତରି ॥ ୧୧୬
ବସୁଦେବର ଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥ ୧୧୭
ଅବନୀଭାରା ନିବାରଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୧୧୮
ଅସୁରବଳ କରି ନାଶ । ଥୋଇବୁ ଯଦୁକୁଳେ ଯଶ ॥ ୧୧୯
ଏମନ୍ତ ମହିମା ତୋହର । ବିଜୟ କଲୁ ମୋର ପୁର ॥ ୧୨୦
ଦେବତା ପିତୃ ଭୂତ ରୂପ । ତୁ ନାଥ ସକଳ ସ୍ୱରୂପ ॥ ୧୨୧
ତୁ ଯହିଁ ହୋଇବୁ ପ୍ରକାଶ । ସେ ଧନ୍ୟ ପୁଣ୍ୟ ଗୃହବାସ ॥ ୧୨୨
ତୋହର ଚରଣ ଉଦକ । ପବିତ୍ର କରେ ତିନିଲୋକ ॥ ୧୨୩
କେଉଁ ପଣ୍ତିତ ତୋ ଚରଣ । ଛାଡ଼ି ଭଜିବ ଆନଜଣ ॥ ୧୨୪
ଭକତପ୍ରିୟ ତୁହି । ସତ୍ୟବଚନ ତୋର ତହିଁ ॥ ୧୨୫
ତୁ ଜୀବଆତ୍ମା ତତ୍ତ୍ୱ ଜାଣୁ । ଶୁଭଅଶୁଭ ପରିମାଣୁ ॥ ୧୨୬
ଭକ୍ତି ଅନୁରୂପେ ଫଳ । ଦେଉ ତୁ ଭକତବତ୍ସଳ ॥ ୧୨୭
ଭାବକୁ ଆତ୍ମା ଦେଉ ତୁହି । ବୃଦ୍ଧି ବିନାଶ ତୋର ନାହିଁ ॥ ୧୨୮
ତୁ ଯେ ସକଳ ମୁକ୍ତିଦାତା । ଭବଜଳଧିରୁ ତାରନ୍ତା ॥ ୧୨୯
ଆମ୍ଭେ ସକଳ ହତଜ୍ଞାନ । କେବଳ ଭାଗ୍ୟେ ଜନାର୍ଦ୍ଦନ ॥ ୧୩୦
ତୋତେ ପାଇଲୁ ପୁଣ୍ୟଫଳେ । ଚିହ୍ନି ନ ପାରୁ ଚର୍ମଡୋଳେ ॥ ୧୩୧
ସକଳ ସୁର ସିଦ୍ଧ ଯତି । ଜାଣି ନ ପାରନ୍ତି ତୋ ଗତି ॥୧୩୨
ସୁତ କଳତ୍ର ଧନ ମିତ୍ର । ଗୃହ ବାନ୍ଧବ ବୃତ୍ତି କ୍ଷେତ୍ର ॥୧୩୩
ଏ ରୂପେ ତୋର ମାୟାଫାନ୍ଦେ । ବନ୍ଧନେ ଅଛୁଁ ଆମ୍ଭେ ହାଦେ ॥୧୩୪
ତୋହର ଅଛି ଯେବେ ଦୟା । ଭୋ ନାଥ ଛେଦ ବେଗେ ଏହା ॥୧୩୫
ତୁ ନାଥ ଚଉବର୍ଗଦାତା । ତୋ ତହୁଁ ନାହିଁନା କରତା ॥୧୩୬
ତୁ ନାଥ କର ଏଥୁଁ ପାର । ଶରଣ ଗଲି ତୋ ପୟର ॥୧୩୭
ଏମନ୍ତ ଅକ୍ରୁରର ବାଣୀ । ଶୁଣି ହସନ୍ତି ଚକ୍ରପାଣି ॥୧୩୮
ମୋହିଲେ ଅକ୍ରୁରର ମନ । କୋମଳ ଗଭୀର ବଚନ ॥୧୩୯
କହନ୍ତି ପ୍ରଭୁ ଭାବଗ୍ରାହୀ । ମାୟାମୋହନ ନେତ୍ରେ ଚାହିଁ ॥୧୪୦
;ଭଗବାନ ଉବାଚ
ତୁ ମୋର ଗୁରୁ ପିତାମାତ । ବାନ୍ଧବ ମଧ୍ୟରେ ପୂଜିତ ॥୧୪୧
ଆମ୍ଭେ ତୋହର ପୁତ୍ର ଦୁଇ । ତୋର ପୋଷଣେ ଆମ୍ଭ ଦେହୀ ॥୧୪୨
ତୋହର ପାଦେ ସେବାକରି । ତେବେ ସେ ଥିବୁ ଦେହ ଧରି ॥୧୪୩
ତୋ ପରି ସାଧୁ ସେବାକରି । ତେବେ ସେ ଭବୁ ହୋଇପାରି ॥୧୪୪
ଆପଣା ହିତ ସାଧ୍ୟମତେ । ଦେବଦାନବ ଏ ଜଗତେ ॥୧୪୫
ଏ ଭାବ ସାଧୁଜନେ ନାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥୧୪୬
ଜଳେ ପୂରିତ ତୀର୍ଥଗଣ । ଦେବତା ମୃତ୍ତିକା ପାଷାଣ ॥୧୪୭
ଏହାଙ୍କୁ ସେବୁଥିଲେ ନିତି । ଅନେକନ କାଳେ ଫଳ ଦ୍ୟନ୍ତି ॥୧୪୮
ସାଧୁଙ୍କ ଦରଶନ ମାତ୍ରେ । ଦୂରିତ ନ ରହଇ ଗାେତ୍ରେ ॥୧୪୯
ବନ୍ଧୁଙ୍କ ମଧ୍ୟେ ଶ୍ରେଷ୍ଠ ମୋର । ଏବେ ତୁ ମୋ ବଚନ କର ॥୧୫୦
ହସ୍ତିନାପୁର ଯାଅ ବେଗେ । କହଇ କଥା ତୋର ଆଗେ ॥୧୫୧
ପଣ୍ତୁରାଜାର ପଞ୍ଚସୁତ । ପିତାମରଣେ ଅରକ୍ଷିତ ॥୧୫୨
ଅଛନ୍ତି ଧୃତରାଷ୍ଟ୍ରପୁରେ । ବନ୍ଦୀ ଯେସନେ ବନ୍ଦୀଘରେ ॥୧୫୩
ଅମ୍ବିକାସୁତ ଚକ୍ଷୁହୀନ । ତାହାର ପୁତ୍ର ଦୁର୍ଯ୍ୟୋଧନ ॥୧୫୪
ଶତେକ ପୁତ୍ର ମଧ୍ୟେ ଶ୍ରେଷ୍ଠ । ଉଗ୍ରସ୍ୱଭାବ ମହାଦୁଷ୍ଟ ॥୧୫୫
ରାଜା ତାହାରେ ବଶ ହୋଇ । ସମେ ନ ଦେଖେ ପାଞ୍ଚଭାଇ ॥୧୫୬
ତାଙ୍କ ନିମନ୍ତେ ନାଶଯିବ । ପୃଥ୍ୱୀର ଭାରା ଉଶ୍ୱାସିବ ॥୧୫୭
ତୁ ଏବେ ଯାଅ ମୋର ବୋଲେ । ତାଙ୍କ କୁଶଳ ବୁଝ ଭଲେ ॥୧୫୮
ଭୋ ତାତ ଚଳ ବେଗ ହୋଇ । କହି ଉଠିଲେ ବେନିଭାଇ ॥୧୫୯
ଶୁଣି ଅକ୍ରୁର କୃତକୃତ୍ୟ । ବୋଲଇ ଶୁଣ ଗୋପୀନାଥ ॥୧୬୦
ମଣୋହି ସାରି ବିଜେକର । ମୁଁ ଯିବି ହସ୍ତିନାନଗର ॥୧୬୧
ଅକ୍ରୁରବାକ୍ୟ କର୍ଣ୍ଣେ ଶୁଣି । ହରଷ କୃଷ୍ଣ ହଳପାଣି ॥୧୬୨
ବେଗେ ତୁ ମଣୋହି କରାଇ । ହସ୍ତିନା ଯାଅ ବେଗ ହୋଇ ॥୧୬୩
ଭିତରପୁରେ ବେନିଭାଇ । ମଣୋହି କରାଇଲା ନେଇ ॥୧୬୪
ଅମୃତପାନ ଘୃତ ସୁର । ଭୁଞ୍ଜନ୍ତି ରାମ ଦାମୋଦର ॥୧୬୫
ଉଦ୍ଧବ ଭୁଞ୍ଜନ୍ତି ହରଷେ । କ୍ଷୀରି ଶାକର ଘୃତରସେ ॥୧୬୬
ଭୁଞ୍ଜି ସାନନ୍ଦ ବେନିଭାଇ । ଯମୁନାନୀରେ ମୁଖ ଧୋଇ ॥୧୬୭
ହସ୍ତ ପଖାଳି ବାସ ଗୁଆ । ଅକ୍ରୁର ଯୋଗାଏ ବିଡ଼ିଆ ॥୧୬୮
ଭୁଞ୍ଜନ୍ତି ରାମ ଦଇତ୍ୟାରି । ରତ୍ନପଲଙ୍କେ ବିଜେକରି ॥୧୬୯
କେଶେ ସାଜଇ ଦିବ୍ୟ ଗଭା । ରାମଗୋବିନ୍ଦ ମୁଖପ୍ରଭା ॥୧୭୦
ଚନ୍ଦନ ଶ୍ରୀଅଙ୍ଗେ ବୋଳଇ । କଣ୍ଠେ ବିବିଧ ମାଳା ଦେଇ ॥୧୭୧
ହୃଦେ ପଦକ କଣ୍ଠେ ମଣି । କୁଣ୍ତଳ ରବିତେଜ ଜିଣି ॥୧୭୨
କଚଟି ବାହୁଟି ସାଜଇ । ଅଷ୍ଟରତନମାଳା ଦେଇ ॥୧୭୩
ଦେଇଣ ନାନା ଉପହାର । ଚରଣେ ପଡ଼ିଲା ଅକ୍ରୁର ॥୧୭୪
ରାମ ଗୋବିନ୍ଦ ପାଦ ଧରି । ଅଶ୍ରୁ ଗଳଇ ମୋଦଭରି ॥୧୭୫
ରାମ ଗୋବିନ୍ଦ ଦୟା କଲେ । ପଲ୍ୟଙ୍କେ ନେଇ ବସାଇଲେ ॥୧୭୬
ବୋଲନ୍ତି ଆମ୍ଭର ପିଅର । ବସୁଦେବ ହୁଁ ଶ୍ରେଷ୍ଠ ସାର ॥୧୭୭
ଜୀବନ୍ତେ ଭୋଗ ତୁ କରିବୁ । ଅନ୍ତେ ମୋ ଶରୀରେ ପଶିବୁ ॥୧୭୮
ଅକ୍ରୁର ନାରୀ ହୀରାବତୀ । ମିଳିଲା ରାମକୃଷ୍ଣ କତି ॥୧୭୯
ଶତେକ ସୁନ୍ଦର କାମିନୀ । ପୁତ୍ର ଦୁହିତା ସଙ୍ଗେ ଘେନି ॥୧୮୦
ସୁଗନ୍ଧ ନାନା ଉପହାର । ପୂଜିଲା ରାମଦାମୋଦର ॥୧୮୧
ଗୋବିନ୍ଦ ମହାତୋଷ ହୋଇ । ବର ଦିଅନ୍ତି ଭାବଗ୍ରାହୀ ॥୧୮୨
ଅନେକ ହୋଇବ ସମ୍ପଦ । କେ କହୁ ତୁମ୍ଭର ଆନନ୍ଦ ॥୧୮୩
ମୋର ଚରଣେ ଚିତ୍ତ ରହୁ । ମୋ ନାମ ଧରି ଦିନ ଯାଉ ॥୧୮୪
ଭକତି ତୁମ୍ଭର ହୋଇବ । ଏ ଘୋରଜଳେ ନ ପଡ଼ିବ ॥୧୮୫
ଏମନ୍ତ ବର ଦେଇ ହରି । ତୋଷିଲେ ଅକ୍ରୁରର ନାରୀ ॥୧୮୬
ରାମ ଉଦ୍ଧବ ସଙ୍ଗେ କରି । ନିଜ ଭୁବନେ ଯାଇ ମିଳି ॥୧୮୭
ଅକ୍ରୁର ହରଷ ବଦନେ । ଗଲା ସେ ହସ୍ତିନା ଭୁବନେ ॥୧୮୮
ସେ ରାମକୃଷ୍ଣ ପାଦଯୁଗେ । ଚିତ୍ତ ମୋ ରହୁ ଧ୍ୟାନଯୋଗେ ॥୧୮୯
ସୁଜନେ ଏହି ଭାବେ ରସ । କଟିବ ଭବବନ୍ଧପାଶ ॥୧୯୦
ନାମେ ସକଳ ପାପ ହର । ଏ ଘୋର - ସଂସାରୁ ନିସ୍ତର ॥୧୯୧
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦ୍ୱିପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ତ୍ରିପଞ୍ଚାଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ହୋ ରାଜା ପରୀକ୍ଷିତ । ଅକ୍ରୁର ଚଢି ଦିବ୍ୟରଥ ॥୧
ଗୋବିନ୍ଦ ଆଜ୍ଞା ପରମାଣେ । ଅକ୍ରୁର ଗଲା ତତ୍କ୍ଷଣେ ॥୨
ବିମାନେ ବସି କୁତୁହଳେ । ମିଳିଲା ହସ୍ତିନା ମଣ୍ତଳେ ॥୩
କୃଷ୍ଣ ବିମାନ ପ୍ରାୟ ଦିଶି । ସକଳ ଲୋକେ ପରଶଂସି ॥୪
ରଥୁଁ ଓହ୍ଲାଇ ଭୂମିତଳେ । ମିଳିଲା ଯାଇ କୁରୁମେଳେ ॥୫
ରାଜନ ବସି ସଭାତଳେ । ବନ୍ଧୁବାନ୍ଧବ ଘେନି ମେଳେ ॥୬
ପରମ ହରଷେ ବସିଲା । ଶ୍ରୀରାମ ଗୋବିନ୍ଦ ଭାଷିଲା ॥୭
ତଦନ୍ତେ ଅକ୍ରୁର ହରଷ । ଦେଖଇ କୁରୁଙ୍କର ଦେଶ ॥୮
ଭୀଷ୍ମ ବିଦୁର ସଙ୍ଗେ ନୃପ । ଗାନ୍ଧାରୀ କୁନ୍ତୀ ଦ୍ରୋଣ କୃପ ॥୯
ରବିକୁମର ଦୁର୍ଯୋଧନ । ଦ୍ରୋଣନନ୍ଦନ ଦୁଃଶାସନ ॥୧୦
ପଣ୍ତୁର ପଞ୍ଚପୁତ୍ର ଦେଖି । ଅଶ୍ରୁପୂରିତ କଲା ଆଖି ॥୧୧
ଅକ୍ରୁର ଦେଖି ଜଣେ ଜଣ । ଆନନ୍ଦେ କରି ଆଲିଙ୍ଗନ ॥୧୨
ବନ୍ଧୁ କୁଶଳ ପଚାରିଲେ । ଆନନ୍ଦେ ଅକ୍ରୁରର ତୁଲେ ॥୧୩
ଅକ୍ରୁର ବିଚାରଇ ମନେ । ବିଶ୍ୱାସ ଜାଣିବି କେସନେ ॥୧୪
ସ୍ୱାମୀ ମରଣେ ଅଶ୍ରୁମୁଖୀ । ପଞ୍ଚବାଳକ ଘେନି ଦୁଃଖି ॥୧୫
କୁନ୍ତୀ ଯେ ଅଛି ଏହା ପୁରେ । କି ଅବା ବିଚାରେ ମନରେ ॥୧୬
ନିରତେ ଖଳ ବୁଦ୍ଧିହୀନ । ଅନ୍ଧ ସ୍ୱଭାବେ ହତଜ୍ଞାନ ॥୧୭
ଶତେକୁମର ପାଞ୍ଚମେଳେ । ସମେ କି ଦେଖିବ କୁଶଳେ ॥୧୮
ପଣ୍ତୁପୁତ୍ରଙ୍କ ଗୁଣ ଯେତେ । ଅନ୍ଧ ନ ସହେ ହୃଦଗତେ ॥୧୯
ତେଜ ପ୍ରତାପ କ୍ଷତ୍ରିବୃତ୍ତ । ରାଜନ୍ୟ ଷଡ଼ଗୁଣ ଯୁକ୍ତ ॥୨୦
ଏ ଆଦି ପ୍ରଜା ଅନୁରାଗ । ଦେଖି ପାଇଲା ଉଦ୍ବେଗ ॥୨୧
ମାରିବା ପାଇଁ ବିଚାରିଲେ । କପଟେ ବିଷଲଡ଼ୁ ଦେଲେ ॥୨୨
ଏ ଆଦି ଯେତେକ ବେଭାର । ଏକାନ୍ତେ କହିଲେ ବିଦୁର ॥୨୩
କୁନ୍ତୀ କହିଲା ସେହି ମତ । ଶୁଣି ଅକ୍ରୁର ଦୁଃଖଚିତ୍ତ ॥୨୪
କୁନ୍ତ୍ରୀ ଅକ୍ରୁର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥୨୫
କାନ୍ଦନ୍ତି ଅଧର କମ୍ପାଇ । ଜନ୍ମମନ୍ଦିର ସୁମରଇ ॥୨୬
ହେ ଭ୍ରାତ ଶୁଣ ମୋ ଉତ୍ତର । ତାତ ଜନନୀ ଯେ ମୋହର ॥୨୭
ଭାଇ ଭଗିନୀ ବନ୍ଧୁ ନାରୀ । ସଖା ସୁହୃଦ ଆଦି କରି ॥୨୮
ଯେତେ ଅଛନ୍ତି ସହୋଦର । ଚିନ୍ତା କରନ୍ତିଟିକି ମୋର ॥୨୯
ସ୍ୱାମୀ ମରଣେ ଦୁଃଖ ପାଇ । ପଞ୍ଚବାଳକ କୋଳେ ଲଇଁ ॥୩୦
ଏହାଙ୍କ ଘରେ ବନ୍ଦୀ ପ୍ରାୟେ । ଦେଖ ଦୁଃଖିତ ମୋର ପୋଏ ॥୩୧
ଅର୍ଜିଲା କର୍ମ ଏ ମୋହର । କିସ କରିବି ସହୋଦର ॥୩୨
ମୋହର ଭ୍ରାତା ବସୁଦେବ । ଯାହାର ସୁତ ବାସୁଦେବ ॥୩୩
ସେ କୃଷ୍ଣ ଶରଣସୋଦର । ଭକତବନ୍ଧୁ ବାନା ତାର ॥୩୪
ପିତୃ-ଭଗିନୀ-ସୁତ କଥା । ସେ ନାଥ କରଇ କି ଚିନ୍ତା ॥୩୫
ପଦ୍ମଲୋଚନ ହଳଧର । ତାରେ ଶରଣ ମୋ କୁମର ॥୩୬
ଶତ୍ରୁଙ୍କ ମଧ୍ୟେ ମୋର ବାସ । କୁରୁ କୁଟୁମ୍ବେ ଅବିଶ୍ୱାସ ॥୩୭
ଶାର୍ଦ୍ଦୂଳ ମଧ୍ୟେ ମୃଗ ଥାଇ । ସେ ଯେହ୍ନେ ପଥ ନ ଜାଣଇ ॥୩୮
ମୋର ବାଳକେ ପିତୃହୀନ । ଏମନ୍ତ ମୋହର ଜୀବନ ॥୩୯
ସେ କୃଷ୍ଣ ମୋର ଘରେ ଆସି । କୋମଳ ବଚନେ ଆଶ୍ୱାସି ॥୪୦
ଶାନ୍ତି କରିବ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ॥୪୧
ସେ କୃଷ୍ଣ ମହାଯୋଗେଶ୍ୱର । ବିଶ୍ୱପାଳକ ଦାମୋଦର ॥୪୨
ପଞ୍ଚବାଳକ ମୋର ନେବି । ମୁଁ ତାରେ ଶରଣ ପଶିବି ॥୪୩
ମୃତ୍ୟୁ ସଂସାର ଭୟେ ଜନେ । ଭାଳନ୍ତି ପାଇ ଖେଦମନେ ॥୪୪
ପଶଇ ଯେବେ ତାର ପାଦେ । ତେବେ ବଂଚଇ ଅପ୍ରମାଦେ ॥୪୫
ତା ପାଦୁଁ ଆନଠାବ ନାହିଁ । ଏମନ୍ତ ପ୍ରାୟ ମୁଁ ମଣଇ ॥୪୬
ନମସ୍ତେ କୃଷ୍ଣ ଶୁଦ୍ଧଦେହୀ । ଜୀବ ପରମଆତ୍ମା ତୁହି ॥୪୭
ଯଜ୍ଞସ୍ୱରୂପ ଯୋଗେଶ୍ୱର । ଭୋ ନାଥ ଶରଣ ମୁଁ ତୋର ॥୪୮
ଏମନ୍ତ ସୁମନେ ସୁମରି । କୃଷ୍ଣଚରଣେ ଧ୍ୟାନ କରି ॥୪୯
କାନ୍ଦେ ଅକ୍ରୁର ମୁଖ ଚାହିଁ । ପରୀକ୍ଷ ତୋ ପ୍ରପିତାମହୀ ॥୫୦
ପାଣ୍ତବଜନନୀ ରୋଦନ । ଶୁଣି ଅକ୍ରୁର ଖେଦମନ ॥୫୧
ନିକଟେ ବସିଲା ଅକ୍ରୁର । କହଇ ହୋଇ ଚିନ୍ତାଭର ॥୫୨
ଭୋ ମାତ ସାବଧାନେ ଶୁଣ । ତୋହର ପୁତ୍ରଙ୍କର ଗୁଣ ॥୫୩
ଧର୍ମ ପବନ ସୁନାସୀର । ବିବୁଧ ଅଶ୍ୱିନୀ କୁମାର ॥୫୪
ଏହାଙ୍କ ଅଂଶେ ଜାତ ହୋଇ । ଭାରା ନିବାରେ ପାଞ୍ଚଭାଇ ॥୫୫
ଅନାଦି ବିଷ୍ଣୁ ଯାର ବନ୍ଧୁ । ଏହା ନ ବୁଝି କିମ୍ପା କାନ୍ଦୁ ॥୫୬
ଏମନ୍ତ କହି କଲେ ଶାନ୍ତି । ଶୁଣି ହରଷ ହେଲେ କୁନ୍ତୀ ॥୫୭
ଅକ୍ରୁର ବିଚାରଇ ଚିତ୍ତେ । ଏଥେ ରହିବି ଦିନାକେତେ ॥୫୮
ବୁଝିବି ରାଜାର ବେଭାର । ତେବେ ମୁଁ ଯିବି ନିଜପୁର ॥୫୯
ଏମନ୍ତ ମନେ ବିଚାରଇ । ବିଦୁର ହସ୍ତେ ହସ୍ତ ଦେଇ ॥୬୦
ତକ୍ଷଣେ ଅକ୍ରୁର ବିଦୁର । ମିଳିଲେ ନୃପତି ଛାମୁର ॥୬୧
ପୁତ୍ରଲାଳସେ କୁରୁପ୍ତି । ବିଷମ ଦମ୍ଭ ତାର ମତି ॥୬୨
ବନ୍ଧୁ ସୁହୃଦେ ମଧ୍ୟେ ଥାଇ । ଅକ୍ରୁର ବୋଲେ ଅନ୍ଧେ ଚାହିଁ ॥୬୩
ରାମଗୋବିନ୍ଦଙ୍କ ବଚନେ । ଅକ୍ରୁର କହେ ଶୁଦ୍ଧମନେ ॥୬୪
;ଅକ୍ରୁର ଉବାଚ
ତୁ କୁରୁବଂଶେ ବିଦ୍ୟମାନ । ବିଚିତ୍ରବୀର୍ଯ୍ୟର ନନ୍ଦନ ॥୬୫
ପଣ୍ତୁରାଜାର ଅନ୍ତଃକାଳେ । ରାଜା ହୋଇଲୁ କୁରୁକୁଳେ ॥୬୬
ଧର୍ମେ ପାଳନ କର ମହୀ । ପ୍ରଜାର ହିତେ ଚିତ୍ତ ଦେଇ ॥୬୭
ଶତେକ ପୁତ୍ର ଅଛି ତୋର । ଏ ପଞ୍ଚ ପଣ୍ତୁର କୁମର ॥୬୮
ଏହାଙ୍କୁ ଦେଖ ସମ କରି । ଯେବେ ପାଇବୁ ଯଶଶିରୀ ॥୬୯
ଏହା ନ କରି ମୂଢ ପ୍ରାୟେ । ଯେବେ ବୁଡ଼ିବୁ ମାୟାମୋହେ ॥୭୦
ଅଧର୍ମ କରି ଇହଲୋକେ । ଅନ୍ତେ ତୁ ପଡ଼ିବୁ ନରକେ ॥୭୧
ଏ ଯେ ପଣ୍ତୁର ପାଞ୍ଚପୁଅ । ତୋହର ଶତେକ ତନୟ ॥୭୨
ଏଣେ ସମାନଚିତ୍ତ କର । ତୋତେ ରଖିବେ ଦାମୋଦର ॥୭୩
ଏ ଭବ ମଧ୍ୟେ ଯେତେ ଜନ । ନିତ୍ୟେ ନ ଥାନ୍ତି ଏକ ସ୍ଥାନ ॥୭୪
ଏ ଦେହ ମଧ୍ୟେ ନରହରି । ସମେ ଅଛନ୍ତି ସେହୁ ପୂରି ॥୭୫
ନିଜ ଶରୀର ନ ରହଇ । ପୁତ୍ର କଳତ୍ର ଆର କାହିଁ ॥୭୬
ଏ ଜୀବ ଆତ୍ମା ଏକ ହୋଇ । ନାନା ଯୋନିରେ ଦେହ ବହି ॥୭୭
କର୍ମବିପାକେ ଛାଡେ଼ ଦେହ । ନିତ୍ୟେ କଳ୍ପିତ ମାୟାମୋହ ॥୭୮
ଭୁଞ୍ଜଇ ଦୁଃଖ ସୁଖ ଫଳେ । ଏକା ଭ୍ରମଇଁ ଅନ୍ତଃକାଳେ ॥୭୯
ଅଧର୍ମେ ସଂଚଇ ଯେ ଧନ । ତାର ବିଯୋଗେ ଭୁଞ୍ଜେ ଆନ ॥୮୦
ଅଧର୍ମ ମାର୍ଗେ ମୂଢପ୍ରାଣୀ । ଧନ ସଂଚଇ ଗୃହେ ଆଣି ॥୮୧
ପୁତ୍ର କଳତ୍ର ବନ୍ଧୁ ଭାଇ । ସଂଚିଲା ଧନ ତାର ଖାଇ ॥୮୨
ଯେ ଯାହା ପଥେ ଯାନ୍ତି ବେଗେ । ଦୁଷ୍କୃତ ରହେ ତାର ସଙ୍ଗେ ॥୮୩
ମୋର କୁଟୁମ୍ବ ବୋଲି ମୋହେ । ଅଧର୍ମ କରି ନିଜ ଦେହେ ॥୮୪
ଧନ ସଂଚଇ କରି ପୋଷେ । ସେ କାହିଁଥିବେ ତାର ପାଶେ ॥୮୫
ବିଷ୍ଣୁର ମାୟାବଳେ ଭ୍ରାନ୍ତି । ଅନାଥ କରି ଛାଡ଼ିଯାନ୍ତି ॥୮୬
ଧନ ଜୀବନ ଦାରା ସୁତ । ଆବୋରି ଆପଣାର ପଥ ॥୮୭
ଏ ମୋହମାୟାକୁ ଆବୋରି । ଯେ ବୋଲେ ମୋହରି ମୋହରି ॥୮୮
ତାହାକୁ ବୋଲି ଅପଣ୍ତିତ । ସଂଚିତ-ପାପେ ହୋଏ ଗ୍ରସ୍ତ ॥୮୯
ପଡ଼ଇ ଅନ୍ଧକାର ତମେ । ମହାନରକେ ଅତିଶ୍ରମେ ॥୯୦
ସ୍ୱଧର୍ମେ ଛାଡ଼ିଲେ ଏମନ୍ତ । ଏ ବେଦପୁରୁଷଙ୍କ ମତ ॥୯୧
ସ୍ୱପ୍ନର ପ୍ରାୟ ଏ ଜଗତ । ଭ୍ରମଇଁ ମାୟା-ମନୋରଥ ॥୯୨
ତୁ ମହାପୁରୁଷଙ୍କ ଅଂଶ । କିମ୍ପାଇଁ ହେଉ ବୁଦ୍ଧିଭ୍ରଂଶ ॥୯୩
ମାୟାକୁ ଆତ୍ମଜ୍ଞାନେ ଭେଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥୯୪
ସମଦୃଷ୍ଟିରେ ଶାନ୍ତି ଭଜ । ତୁ କୁରୁବଂଶେ ମହାରାଜ ॥୯୫
ଏମନ୍ତେ ଅକ୍ରୂରର ବାଣୀ । ବୋଲଇ ଧୃତରାଷ୍ଟ୍ର ଶୁଣି ॥୯୬
ଧୃତରାଷ୍ଟ୍ର ଉବାଚ
ଅକ୍ରୂର କହୁଅଛୁ ଯେତେ । ଅମୃତପ୍ରାୟ ମଣେ ଚିତ୍ତେ ॥ ୯୭
ମନୁଷ୍ୟ ପାଇ ସୁଧାରସ । ପିବନ୍ତେ ମନ ନୋହେ ତୋଷ ॥ ୯୮
ଦରିଦ୍ର ପାଇ ଯେହ୍ନେ ଧନ । ତୋଷ ନୋହଇ ତାର ମନ ॥ ୯୯
ତୋର ବଚନ ସେହିମତ । ଶୁଣି ଚଞ୍ଚଳ ମୋର ଚିତ୍ତ ॥୧୦୦
ତୋ ବାଣୀ ନ ରହେ ମୋ ମନେ । ମେଘେ ବିଜୁଳିରୂପ ଯେହ୍ନେ ॥୧୦୧
ପୁତ୍ରର ଅନୁରାଗେ ଚିତ୍ତ । ଈଶ୍ୱରମାୟାରେ ମୋହିତ ॥୧୦୨
ଏମନ୍ତ ଗୋବିନ୍ଦର ମାୟା । ଅନ୍ୟଥା କେ କରିବ ତାହା ॥୧୦୩
ଅବନୀଭାରେ ଭାବଗ୍ରାହୀ । ଯାଦବବଂଶେ ଜାତ ହୋଇ ॥୧୦୪
ଏ କଥା ତାହାର ଭିଆଣ । ଅକ୍ରୁର ସ୍ଥିରମନେ ଶୁଣ ॥୧୦୫
ବିଷ୍ଣୁର ମାୟା ମହିମା । କେ ଜାଣିପାରେ ତାର ସୀମା ॥୧୦୬
ସେ ମାୟାବଳେ ଗୁଣ ତିନି । ଆପଣେ ଭ୍ରମେ ନାନାଯୋନି ॥୧୦୭
ଜୀବନରୂପେ ତହିଁ ପଶି । ଭୁଞ୍ଜଇ କର୍ମଫଳ ବସି ॥୧୦୮
ପରମ ଭିନ୍ନରୂପେ ଥାଇ । କରନ୍ତା କର୍ମ ନ ଲାଗଇ ॥୧୦୯
ଏମନ୍ତ ମହିମା ତାହାର । ମୁଁ କିସ କହିବି ପାମର ॥୧୧୦
ତାହାର କ୍ରୀଡ଼ା ଏ ଜଗତ । କେ ଜାଣିପାରେ ତାର ମତ ॥୧୧୧
ସଂସାର ଚକ୍ରଗତି କରି । ମାୟାର ବଳେଛନ୍ତି ଧରି ॥୧୧୨
ତାହାଙ୍କୁ ମୋର ନମସ୍କାର । ଛାମୁରେ କହିବୁ ଅକ୍ରୂର ॥୧୧୩
ଏମନ୍ତ ରାଜାର ବଚନେ । ଅକ୍ରୂର ଶୁଣି ତୋଷମନେ ॥୧୧୪
ବନ୍ଧୁବାନ୍ଧବ ପାଦେ ଲାଗି । କର ପ୍ରସାରି ଆଜ୍ଞା ମାଗି ॥୧୧୫
ପାଇଣ ଅକ୍ଷତ ବେଭାର । ମିଳିଲା ପାଣ୍ତବଙ୍କ ପୁର ॥୧୧୬
କୁନ୍ତୀଦେବୀଙ୍କି ଆଜ୍ଞା ମାଗି । ରଥ ଚଢିଣ ଚଳେ ବେଗି ॥୧୧୭
ପବନୁଁ ବେଗେ ଗତି ଯାନ । ସ୍ୱର୍ଗେ ଦେଖନ୍ତି ଦେବଗଣ ॥୧୧୮
ମଥୁରା ଗଲା ତତକ୍ଷଣ । ଦେଖିଲା ଗୋବିନ୍ଦଚରଣ ॥୧୧୯
ରାମର ପାଦେ ହସ୍ତ ଦେଇ । ବନ୍ଧୁକୁଶଳ କଥା କହି ॥୧୨୦
ପଣ୍ତୁବାଳକେ ରାଜା ଚିତ୍ତ । ବକ୍ରବେଭାର ବିପରୀତ ॥୧୨୧
ଶୁଣି ହସିଲେ ଭଗବାନ । ଅକ୍ରୂର ମୁଖେ ଅବଧାନ ॥୧୨୩
ସେ ରାମକୃଷ୍ଣ ପାଦେ ଚିତ୍ତ । ନମଇଁ ଦାସ ଜଗନ୍ନାଥ ॥୧୨୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ତ୍ରିପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ଚତୁଃପଞ୍ଚାଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ରାମ ଗୋବିନ୍ଦଙ୍କ ଚରିତ ॥ ୧
କୃଷ୍ଣ ଯେ କଂସକୁ ମାଇଲେ । ତାହାର ବେନି ନାରୀ ଥିଲେ ॥ ୨
ଅସ୍ତି ପ୍ରାପତି ନାମେ ଦୁଇ । ସ୍ୱାମୀ ମରଣେ ଦୁଃଖ ପାଇ ॥ ୩
ବିଧବା କଷ୍ଟେ ଗରୁଚିନ୍ତା । ଜରାସନ୍ଧର ସେ ଦୁହିତା ॥ ୪
ବିଚାର କରି ମନେ ଗୁଣି । ସ୍ୱାମୀ ମରଣେ ସେ ତରୁଣୀ ॥ ୫
ମନେ ଅନେକ ଦୁଃଖ କରି । ଯାଇ ମିଳିଲେ ଜରାପୁରୀ ॥ ୬
ମାତାର ପାଦତଳେ ପଡ଼ି । ଉଠିଲେ ଶିରେ କରଯୋଡି ॥ ୭
ସ୍ୱାମୀ ମରଣେ ଯେତେ ଦୁଃଖ । ଭୋ ମାତ ଚାହାଁ ଆମ୍ଭ ମୁଖ ॥ ୮
କାନ୍ଦି କହିଲେ ପିତା ଆଗେ । ନିଜ ଜନନୀ ଘେନି ସଙ୍ଗେ ॥ ୯
ଭୋ ତାତ ବସୁଦେବ ପୋଏ । ଆମ୍ଭର ସ୍ୱାମୀ କଲେ କ୍ଷୟେ ॥ ୧୦
କେମନ୍ତେ ବଞ୍ଚିବୁଟି ଦିନ । ଆମ୍ଭର କର୍ମ ବଡ଼ ହୀନ ॥ ୧୧
ବେନୁଦୁହିତା ବାକ୍ୟ ଶୁଣି । କୋପେ ବୋଲଇ ନୃପମଣି ॥ ୧୨
ଯାଦବବଂଶେ କୃଷ୍ଣରାମ । ଈଷିତେ କଲେ ଏଡେ଼ କର୍ମ ॥ ୧୩
ଭୂମିରେ ଯଦୁବଂଶ ଥିଲେ । ଆମ୍ଭ କୁଶଳ ନାହିଁ ଭଲେ ॥ ୧୪
ରାମ ଗୋବିନ୍ଦ ବେଗେ ମାରି । ଏ ଭୂମି ଅଯାଦବ କରି ॥ ୧୫
ତେବେ ଜୀବନ ମୋର ସ୍ଥିର । କୋପେ ବୋଲଇ ନୃପବର ॥ ୧୬
ତେଇଶ ଅକ୍ଷୌହିଣୀ ସଙ୍ଗେ । ବଳ ସାଜିଲା ଚତୁରଙ୍ଗେ ॥ ୧୭
ପାହି ପାଇକ ନୃପଗଣ । ସାଜିଲା ମଗଧରାଜନ ॥ ୧୮
ଶବଦେ କମ୍ପେ ମହୀସ୍ଥଳୀ । ବାହାର ହେଲେ ମହାବଳୀ ॥ ୧୯
ରଜନୀ ଅଛି ବେନିଘଡି । ମଥୁରାପୁର ଯାଇ ବେଢ଼ି ॥ ୨୦
ରୁନ୍ଧିଲେ ଅଷ୍ଟଦିଗେ ପଥ । ଗହଳେ ନ ବହେ ମରୁତ ॥ ୨୧
କୃଷ୍ଣ ଦେଖିଲେ ତାର ବଳ । ଯେସନେ ସମୁଦ୍ର ଉଲ୍ଲୋଳ ॥ ୨୨
ପ୍ରଳୟକାଳେ ଜଳରାଶି । ଭୂମି ଗଗନ ଯେହ୍ନେ ଗ୍ରାସି ॥ ୨୩
ଦେଖି ମଥୁରାପୁରଜନ । ଡାକନ୍ତି ରଖ ଭଗବାନ ॥ ୨୪
ନିଶ୍ଚୟ ଆଜ ଗଲୁ ନାଶ । ଛାଡ଼ିଲୁ ଜୀବନର ଆଶ ॥ ୨୫
କାନ୍ଦନ୍ତି ଦଇବ ସୁମରି । ମଥୁରାପୁର ନରନାରୀ ॥ ୨୬
ଏମନ୍ତେ ମଥୁରାର ପ୍ରାଣୀ । ଦେଖି ଭାଳନ୍ତି ଚକ୍ରପାଣି ॥ ୨୭
ଭୂମିର ଭାରା ଖଣ୍ତିବାରେ । ମୋ ଜନ୍ମ ମନୁଷ୍ୟ ଶରୀରେ ॥ ୨୮
ବ୍ରହ୍ମା ଶଙ୍କର ବୋଲେ ମୁହିଁ । ଯାଦବ ବଂଶେ ଦେହ ବହି ॥ ୨୯
ନାଶିବି ଅବନୀର ଭାର । ଏଣେ ସେ ପ୍ରୟୋଜନ ମୋର ॥ ୩୦
ଏ ବଳ ଆଜ ମୁଁ ସହାରି । କିଞ୍ଚିତେ ଭୂମିବାରା ହରି ॥ ୩୧
ଜରାସନ୍ଧର ତୁଲେ ରଣ । ଦେଖି ଗଗନେ ସୁରଗଣ ॥ ୩୨
ଆନନ୍ଦେ ହୋଇବେ ହରଷ । ସଂସାରେ ଥିବ ମୋର ଯଶ ॥ ୩୩
ଭୂମିରେ ଯେତେ ନରପତି । ଶୁଣି ପାଇବେ ମନେ ଭୀତି ॥ ୩୪
ତେଇଶ ଅକ୍ଷୌହିଣୀ ବଳ । ଭାରେ ଧରଣୀ ଟଳମଳ ॥ ୩୫
ଜରା ଜୀବନ ମାତ୍ର ଥୋଇ । ଏ ବଳ ସଂହାରିବି ମୁହିଁ ॥ ୩୬
ମୁଣ୍ତ ମୁଣ୍ତାଇ ଅବହେଳେ । ଗଳାଇ ଦେବି ଜାନୁତଳେ ॥ ୩୭
ଏ ଅପମାନ ମନେ ଘେନି । ପୁଣି ଆସିବ ବଳ ଘେନି ॥ ୩୮
ଏମନ୍ତେ ଅଷ୍ଟାଦଶ ବାର । ଏହାର ତୁଲେ ରଣ ମୋର ॥ ୩୯
ଏମନ୍ତେ ଅବନୀର ଭାର । ଥୋକାଏ ହୋଇବ ସଂହାର ॥ ୪୦
ଦୁଷ୍ଟଦାନବ ବଳ ନାଶି । ସାଧୁଜନଙ୍କୁ ମୁଁ ଆଶ୍ୱାସି ॥ ୪୧
ଅଧର୍ମ ନାଶି ଧର୍ମ ଥୋଇ । ଏଥିନିମନ୍ତେ ମୋର ଦେହୀ ॥ ୪୨
ଏମନ୍ତ ଚିତ୍ତେ ପରିମାଣି । ଚାହିଁଲେ ପ୍ରଭୁ ଚକ୍ରପାଣି ॥ ୪୩
ଗଗନମାର୍ଗେ ବେନିରଥ । କୃଷ୍ଣ ସମୀପେ ଉପଗତ ॥ ୪୪
ଆଦିତ୍ୟପ୍ରାୟ ତେଜରାଶି । ବେନି ସାରଥି ଛନ୍ତି ବସି ॥ ୪୫
ଦେବ-ଆୟୁଧ ବାଣ ଦୀକ୍ଷା । ଶର କୋଦଣ୍ତ ଦେହ ରକ୍ଷା ॥ ୪୬
ବିଷ୍ଣୁର ନିଜ ଶସ୍ତ୍ରମାନ । ଦେଖି ସାନନ୍ଦ କୃଷ୍ଣମନ ॥ ୪୭
ରାମର ବଦନ ଅନାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୪୮
ଭୋ ରାମ ଦେଖ ଜରାସନ୍ଧ । ସ୍ୱଭାବେ ଦୁଷ୍ଟ ବଡ଼ ମନ୍ଦ ॥ ୪୯
ଏହାର ବଳ ନାଶକରି । ମଥୁରାଜନଙ୍କୁ ଉଦ୍ଧରି ॥ ୫୦
କେବଳ ଜରାସନ୍ଧ ଥିବ । ଅନେକ ସୈନ୍ୟ ସେ ଆଣିବ ॥ ୫୧
ଏଠାରେ କରିବା ସଂହାର । ଯୁଝିବା ଅଷ୍ଟାଦଶ ବାର ॥ ୫୨
ଏବେ ଏ ରଥେ ବିଜେ କର । ତେଇଶି ଅକ୍ଷୌହିଣୀ ମାର ॥ ୫୩
ଏ ଯେ ତୁମ୍ଭର ନିଜ ରଥ । ହଳ ମୁଷଳ ଅଛି ଏଥ ॥ ୫୪
ଜରାସନ୍ଧର ବଳ ଦେଖ । ଯାଦବେ ହୋଇବେ ନିରେଖ ॥ ୫୫
ମେଦିନୀ ଭାରା ନାଶିବାରେ । ଆମ୍ଭ ଜନମ ମର୍ତ୍ତ୍ୟପୁରେ ॥ ୫୬
ଏତେ ବିଚାରି ବେନିଭାଇ । ରଥେ ବସିଲେ ବେଗେ ଯାଇ ॥ ୫୭
ସମରେ ସଜ ବୀରମତେ । ବିବିଧ ଶସ୍ତ୍ର ଘେନି ହସ୍ତେ ॥ ୫୮
ମଥୁରାପୁର ନରନାରୀ । ଦେଖିଣ ଆଶ୍ଚର୍ଯ୍ୟେ ବିଚାରି ॥ ୫୯
ରାମଗୋବିନ୍ଦ ସଙ୍ଗେ ରଥ । କାହୁଁ ଆଣିଲେ ଯଦୁନାଥ ॥ ୬୦
ଦେବଦାନବେ ଅଗୋଚର । ବେନି ବିମାନ କାମଚର ॥ ୬୧
ଦେଖି ଆନନ୍ଦ ସର୍ବଜନ । ସୈନ୍ୟ ସହିତେ ଭଗ୍ରସେନ ॥ ୬୨
ଉଗ୍ରସେନର ବଳ ଘେନି । ଯୁଦ୍ଧକୁ ସଜ ଭାଇବେନି ॥ ୬୩
ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୬୪
ଦାରୁକ ନନ୍ଦିଘୋଷ ରଥେ । ଅଶ୍ୱଦଉଡ଼ି ଘେନି ହସ୍ତେ ॥ ୬୫
ଶୁଣି ଗୋବିନ୍ଦ ଶଙ୍ଖଧ୍ୱନି । ଜୟ ଶବଦେ ସୁରମୁନି ॥ ୬୬
ପୁଷ୍ପ ବରଷି ସ୍ତୁତି କରି । ରଥେ ଦେଖିଲେ ରାମହରି ॥ ୬୭
ଶଙ୍ଖଶବଦ କର୍ଣ୍ଣେ ଶୁଣି । ବଳ ତେଇଶ ଅକ୍ଷୌହିଣୀ ॥ ୬୮
ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୬୯
ଜରା ଧାଇଁଲା ଏକରଥେ । ଆବୋରି ଗୋବିନ୍ଦର ପଥେ ॥ ୭୦
କୃଷ୍ଣଙ୍କୁ ଚାହିଁ ମହାବଳୀ । ବୋଲଇ ବାମଭୁଜ ତୋଳି ॥ ୭୧
ତୁ କୃଷ୍ଣ ପୁରୁଷ ଅଧମ । ତୁ କାହିଁ ଜାଣିବୁ ସଂଗ୍ରାମ ॥ ୭୨
ବାଳକ ହୋଇ ଗଣେ ସଜ । ମୁଖେ ନ ପାର କିମ୍ପା ଲାଜ ॥ ୭୩
ତୋହର ତୁଲେ ଯୁଦ୍ଧ କଲେ । ଲୋକେ ହସିବେ ମୋତେ ଭଲେ ॥ ୭୪
ଗୁପତେ ବନ୍ଧୁ କଲୁ ନାଶ । ତୋର ମଉଳା ବୀର କଂଶ ॥ ୭୫
ତୋହର ବଦନ ନ ଦେଖି । ପଳା ତୁ ସମର ଉପେକ୍ଷି ॥ ୭୬
ହେ ରାମ ତୁ ଯେ ବଳୀୟାର । ସଂଗ୍ରାମେ ଇଚ୍ଛା ଯେବେ ତୋର ॥ ୭୭
ହୃଦୟ ସ୍ଥିର କରି ଭଲେ । ସଂଗ୍ରାମ କର ମୋର ତୁଲେ ॥ ୭୮
ମୋହର ବାଣେ ପ୍ରାଣ ଦେଇ । ଯମର ପୁରେ ଯାଅ ତୁହି ॥ ୭୯
କି ଅବା କର ମୋତେ ନାଶ । ସଂସାରେ ଥିବ ତୋର ଯଶ ॥ ୮୦
ଜରାସନ୍ଧର ବୋଲ ଶୁଣି । ଆଗ ହୋଇଲେ ଚକ୍ରପାଣି ॥ ୮୧
କୋମଳ ଗଭୀର ବଚନ । କହିଲେ ଶ୍ରୀମଧୁସୂଦନ ॥ ୮୨
ଶୁଣ ମଗଧ ମହୀପତି । କହଇ ଏଥିର ଯୁକତି ॥ ୮୩
ଶଉର୍ଯ୍ୟବଳ ଯାର ଥାଇ । ସଂଗ୍ରାମ ମଧ୍ୟେ ସେ ଦେଖାଇ ॥ ୮୪
ଆତ୍ମପ୍ରଶଂସା ଆତ୍ମ ମୁଖେ । ଯେ ପ୍ରାଣୀ କହୁଥାନ୍ତି ସୁଖେ ॥ ୮୫
ଯଶ ନ ରହେ ବେନିଲୋକେ । ମରଣେ ପଡ଼ନ୍ତି ନରକେ ॥ ୮୬
ଆପଣା ମରଣ ନ ଜାଣୁ । ମୁଖେ ଅଶୁଭ କିମ୍ବା ଭଣୁ ॥ ୮୭
ମରଣ କାଳେ ତୋର ବାଣି । ଆମ୍ଭର କର୍ଣ୍ଣେ ତା ନ ଶୁଣି ॥ ୮୮
ଆଜ ଜାଣିବା ତୋର ରଣ । ଅବଶ୍ୟ ଘେନି ତୋ ପରାଣ ॥ ୮୯
ଦାତାପଣକୁ ତୁ ଯେ ଟାଣ । ଦାନ ତୁ ଦେବୁ ସୈନ୍ୟଗଣ ॥ ୯୦
ଆପଣେ ଯିବୁ ପ୍ରାଣ ଘେନି । ଦକ୍ଷିଣା ଦେବୁ ପୁଣ ଆଣି ॥ ୯୧
ଏମନ୍ତେ ଅଷ୍ଟାଦଶ ବେଳ । ଶୁଣ ତୁ ଜରା ମହୀପାଳ ॥ ୯୨
ଶୁକ ବୋଲନ୍ତି ଶୁଣ ରାୟେ । କୋପ ବସିଲା ଜରାଦେହେ ॥ ୯୩
କୃଷ୍ଣର କଟୁବାକ୍ୟ ଶୁଣି । ହୃଦେ ଚିନ୍ତିଲା ନୃପମଣି ॥ ୯୪
ଦନ୍ତେ ଅଧର କାମୁଡିଲା । କୃଷ୍ଣକୁ ମାରରେ ବୋଇଲା ॥ ୯୫
ତକ୍ଷଣେ ରଥ-ଗଜ ଯୂଥ । ରୁନ୍ଧିଲେ ରାମକୃଷ୍ଣ ପଥ ॥ ୯୬
ପବନ ରେଣୁ ଘେନି ଯେହ୍ନେ । ଆଦିତ୍ୟ ଆଚ୍ଛାଦେ ଗଗନେ ॥ ୯୭
ମଥୁରାପୁର ନରନାରୀ । ଆରୋହୀ ଜଗତି ଅଟ୍ଟାଳି ॥ ୯୮
କେ ବୃକ୍ଷେ ଉଠି ଦୃଷ୍ଟି ଦେଇ । ରାମ ଗୋବିନ୍ଦ ରଥେ ଚାହିଁ ॥ ୯୯
ସଂଗ୍ରାମେ ନ ଦିଶିଲା ରଥ । ପଡ଼ି ହୋଇଲେ ମୋହଗତ ॥ ୧୦୦
କାନ୍ଦନ୍ତି କୃଷ୍ଣ ନାମ ଧରି । ତାହା ଜାଣିଲେ ନରହରି ॥ ୧୦୧
ଜରା ସଇନି ମେଘପ୍ରାୟେ । ବାଣ ବିନ୍ଧିଲେ ଅପ୍ରମୟେ ॥ ୧୦୨
ଅସୁର ବାଣେ ଚାରିପଥେ । ଆପଣା ନିଜ ବଳ ଯେତେ ॥ ୧୦୩
ମୂର୍ଚ୍ଛିତ ଦେଖି ନରହରି । ସାରଙ୍ଗଧନୁ କରେ ଧରି ॥ ୧୦୪
ଗୋବିନ୍ଦ କଲେ ଗୁଣ ଘୋଷ । ଶବଦ ପୂରେ ଦଶଦିଶ ॥ ୧୦୫
କନ୍ଧେ ଯେ ଥିଲା ବେନି ତୂଣ । ତହୁଁ ଘେନିଲେ ତୀକ୍ଷ୍ଣ ବାଣ ॥ ୧୦୬
ଗୁଣେ ବସାଇ ଦେବରାୟେ । ଧନୁ ଟାଣିଲେ କର୍ଣ୍ଣଯାଏଁ ॥ ୧୦୭
ମନ୍ତ୍ର ସୁମରି କୋଟି କୋଟି । ଗୋବିନ୍ଦ କଲେ ଶରବୃଷ୍ଟି ॥ ୧୦୮
ରଥ କୁଞ୍ଜର ବାଜି ନର । ବାଣେ ଛେଦିଲେ ଚକ୍ରଧର ॥ ୧୦୯
ଅନଳଗତି ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣ ପୁଣ ॥ ୧୧୦
କୃଷ୍ଣର ବାଣ ନିରନ୍ତରେ । ପଡ଼ିଲା ଗଜ-ବାଜି ଶିରେ ॥ ୧୧୧
ରଥୀ ପଦାତି ଶିର ଛିଡି । ପଡ଼ିଲେ ରଣଭୂମି ମାଡ଼ି ॥ ୧୧୨
ଧ୍ୱଜ ସାରଥି ତୁଲେ ରଥ । ରଣେ ପଡ଼ଲେ ୟୁଥ ୟୁଥ ॥ ୧୧୩
ପଦାତି ରଣେ ଛନ୍ତି ପଡ଼ି । ଭୁଜ-ଚରଣକନ୍ଧ ଛିଡି ॥ ୧୧୪
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ କୁରୁରାୟେ ॥ ୧୧୫
ନର କୁଞ୍ଜର ଶିର ଛିଡ଼ି । ରୁଧିରନଦୀ ବେଗେ ବଢ଼ି ॥ ୧୧୬
ଶତେ ସହସ୍ର ଧାରା ପୂରି । ବିଷମ ତରଙ୍ଗ ଲହରୀ ॥ ୧୧୭
ଗଭୀର ଘୋରନାଦ ପୁଣ । ରାଜନ ସାବଧାନେ ଶୁଣ ॥ ୧୧୮
ଭୁଜେ ଭାସନ୍ତି ସର୍ପପ୍ରାୟେ । ଶିର ଦିଶନ୍ତି କୂର୍ମମୟେ ॥ ୧୧୯
ଗହଳେ ହସ୍ତୀଦେହ ଭାସି । ନଦୀର କୁବ ପ୍ରାୟେ ଦିଶି ॥ ୧୨୦
କୁମ୍ଭୀର ପ୍ରାୟ କୋଟି କୋଟି । ତୁରଙ୍ଗ ଦେହେ ଯାଏ ଘୋଟି ॥ ୧୨୧
ମୀନଙ୍କ ପ୍ରାୟ କର ଉର । ବାଳ ଭାସଇ ଯେହ୍ନେ ଦଳ ॥୧୨୨
ତରଙ୍ଗ ପ୍ରାୟ ଧନୁର୍ଗୁଣ । ଆୟୁଦ୍ଧ ଯେହ୍ନେ ବୃକ୍ଷ ତୃଣ ॥୧୨୩
ଖଡ଼ଗ ଚର୍ମ ଉର୍ମିପାଳ । ଘୋର ଗଭୀର ଅନ୍ତରାଳ ॥୧୨୪
ମଣିଏ ଭେକ ପ୍ରାୟ ଦିଶି । ରୁଧିର ସଙ୍ଗେ ଯାନ୍ତି ଭାସି ॥୧୨୫
ବାଲୁକା ପ୍ରାୟ କ୍ଷୁଦ୍ର ମଣି । ଶୁଣ ରାଜନ ଯୁଦ୍ଧ ବାଣୀ ॥୧୨୬
ମଡ଼ାଏ ଯାନ୍ତି କୋଟି କୋଟି । ଲହରୀ ଯେହ୍ନେ ରହେ ଫୁଟି ॥୧୨୭
ରୁଧିର ଜଳେ ନଦୀଗଣେ । ବହିଲେ ଗୋବିନ୍ଦମାରଣେ ॥୧୨୮
ଦେଖି ହସନ୍ତି ଦେବତାଏ । ସ୍ୱର୍ଗେ ଶୁଭିଲା ଜୟେ ଜୟେ ॥୧୨୯
ମୂଷଳ ଘାତେ ହଳଧର । ଅନେକ ରଥ କଲେ ଚୂର ॥୧୩୦
ସେ ଉଗ୍ରସେନ ନୃପବର । ସଂଗ୍ରାମ କଲେକ ଅପାର ॥୧୩୧
ଯାଦବ ସଙ୍ଗେ ମହାବୀର । ସଂଗ୍ରାମ କଲେ ଅତି ଘୋର ॥୧୩୨
ସମସ୍ତେ ହୋଇଣ ହରଷ । ଜରା ସଇନି କଲେ ନାଶା ॥୧୩୩
ଦେଖି ଅସୁରବଳ ରାୟେ । ଘୋର ପ୍ରଳୟ ସିନ୍ଧୁ ପ୍ରାୟେ ॥୧୩୪
କାହାର ବଳ ତାହା ସାଧି । ଦୁର୍ଗମ ଦୁସ୍ତର ଜଳଧି ॥୧୩୫
ବସୁଦେବର ବେନି ପୋଏ । କିଞ୍ଚିତ ମାତ୍ରେ କଲେ କ୍ଷୟେ ॥୧୩୬
ଜଗତେ ଶୂରବୀରପଣ । ଈଷିତେ ଶତ୍ରୁ ସଂହାରଣ ॥୧୩୭
ଏ ତିନିଭୁବନ କାରଣ । ମାୟାମନୁଷ୍ୟ ନାରାୟଣ ॥୧୩୮
ଲୀଳା ମାତ୍ରକେ ନରହରି । ଅନନ୍ତ ନାନା ରୂପ ଧରି ॥୧୩୯
ସେ ମାୟାଧର ଯେତେ କୃତ୍ୟ । ମନୁଷ୍ୟ ଲୋକେ ବିପରୀତ ॥୧୪୦
ଏମନ୍ତେ ରିପୁ କଲେ ନାଶ । ରହିଲା ଜରାସନ୍ଧ ଶେଷ ॥୧୪୧
ଯେଣେ ଚାହଁଇ ନୃପମଣି । ଦେଖେ ରୁଧିର ତରଙ୍ଗିଣୀ ॥୧୪୨
ରକତ ସିନ୍ଧୁ ଦଶଦିଶେ । ଦେଖଇ କେହି ନାହିଁ ପାଶେ ॥୧୪୩
ରାମ ଗୋବିନ୍ଦ ବେନିରଥେ । ସାରଙ୍ଗଧନୁ-ଜଳହସ୍ତେ ॥୧୪୪
ଯେସନେ ନଟବର ଦୁଇ । ସଂଗ୍ରାମ ମଧ୍ୟେ ଛନ୍ତି ରହି ॥୧୪୫
ଦୁର୍ଜୟ ବଳ କରି ନାଶ । ରଙ୍ଗ ଅଧରେ ମନ୍ଦହାସ ॥୧୪୬
ସିଂହକୁ ସିଂହ ଯେହ୍ନେ ମାଡ଼ି । ଜରା ଛାଡ଼ିଲା ଘୋର ରଡ଼ି ॥୧୪୭
ସଂଗ୍ରାମ ମଧ୍ୟେ କରି ଗତି । ଯେସନେ ଯୂଥଭ୍ରଷ୍ଟ ହସ୍ତୀ ॥୧୪୮
ଦେଖି ଧାଇଁଲେ ହଳଧର । ମୁଷଳେ ରଥ କଲେ ଚୂର ॥୧୪୯
କେଶ ଧଇଲେ ବାମହସ୍ତେ । କୋପେ ଚାପିଲେ ଭୂମିଗତେ ॥୧୫୦
ସିଂହ ଯେସନେ ହସ୍ତୀ ପାଡ଼ି । ରାମ ଛାଡ଼ିଲେ ଘୋର ରଡ଼ି ॥୧୫୧
ଦେଖି ତାହାର କର୍ମଫଳ । ହେଳେ ହସିଲେ କୃଷ୍ଣ ବଳ ॥୧୫୨
ନର-ବରୁଣ ପାଶ ଆଣି । ବନ୍ଧନ କଲେ ହଳପାଣି ॥୧୫୩
ଦେଖି ଧାଇଁଲେ ଦେବହରି । ତାର ବନ୍ଧନ ବେଗେ ଫେଡ଼ି ॥୧୫୪
ବୋଲନ୍ତି ଶୁଣି ଦେବରାଜ । ଏହାରେ ଅଛି ବଡ଼ କାର୍ଯ୍ୟ ॥୧୫୫
ଏମନ୍ତ କହି ସୁଖଭୋଳେ । ଗଳାଇ ଦେଲେ ଜାନୁତଳେ ॥୧୫୬
ଜୀବନ ଘେନି ପଳାଇଲା । ଡ଼ରେ ଅନେକ ଦୂର ଗଲା ॥୧୫୭
ସ୍ୱଭାବେ ବୀର ମଧ୍ୟେ ଶ୍ରେଷ୍ଠ । କର୍ମେ ପାଇଲା ବଡ଼ କଷ୍ଟ ॥୧୫୮
ପଥେ ବସିଲା ଲଜ୍ଜା ପାଇ । ଭାଳଇ ଚଉଦିଗ ଚାହିଁ ॥୧୫୯
ଏ ଭୂମି ଭୋଗ ତପଫଳେ । ଭୁଞ୍ଜଇ ବେନି ଭୁଜବଳେ ॥୧୬୦
ମୁଁ ଏବେ ଘୋରତପ କରି । ପୂଜିବି ଶଙ୍କରଗଉରୀ ॥୧୬୧
ଈଶ୍ୱର ତହୁଁ ବର ପାଇ । ଯଦୁଙ୍କୁ ସଂହାରିବି ମୁହିଁ ॥୧୬୨
ରାମ ଗୋବିନ୍ଦ ମୋ ବଇରୀ । ନିଶ୍ଚେ ମାରିବି ତପକରି ॥୧୬୩
ଏମନ୍ତ ବିଚାରଇ ମନେ । ଲାଜ ନ ପାଇବି ଯେସନେ ॥୧୬୪
ବୋଇଲା ଏତ ମହାପାପ । ନିରସ୍ତ୍ର କଲେ ଶିଶୁଗୋପ ॥୧୬୫
ମରଣୁଁ ବଳିଲା ଏ ଲାଜ । କିସ ବୋଲିବେ ସର୍ବରାଜ ॥୧୬୬
ଏମନ୍ତ ଭାଳି ମନେ ମନ । ଜରା ହୋଇଲା ଛନଛନ ॥୧୬୭
ସୈନ୍ୟ ମୋ ହୋଇଲେ ନିଧନ । କିସ ବୋଲିବେ ସର୍ବଜନ ॥୧୬୮
ପାତ୍ର-ମନ୍ତ୍ରୀଏ ଦାରାସୁତ । କି ବୋଲି କହିବି ତାହାନ୍ତ ॥୧୬୯
କାହାର ଚାହିଁବଇଁ ମୁଖ । ଦଇବ ଦେଲା ବଡ଼ ଦୁଃଖ ॥୧୭୦
ଏମନ୍ତ ବିଚାରନ୍ତେ ମନେ । ଆସି ମିଳିଲେ ବନ୍ଧୁଜନେ ॥୧୭୧
ବୋଲନ୍ତି ରାଜାମୁଖ ଚାହିଁ । ବିମନ ହେଉ କିସ ପାଇଁ ॥୧୭୨
ଅର୍ଜିଲା କର୍ମବନ୍ଧ-ଫଳେ । ରଣେ ହାରିଲୁ ଏକାବେଳେ ॥୧୭୩
ଯଦୁଙ୍କ ହସ୍ତେ ପରାଭବ । ଏକଥା ସଂଚିଲା ଦଇବ ॥୧୭୪
କ୍ଷତ୍ରିୟଧର୍ମ ମହୀତଳେ । ଜୟ-ଅଜୟ ଯୁଦ୍ଧକାଳେ ॥୧୭୫
କ୍ଷତ୍ରିୟ ନ କରେ ବିଷାଦ । ଶତ୍ରୁର ସଙ୍ଗେ ଯେବେ ବାଦ ॥୧୭୬
ତହିଁକି ପୁଣ ପୁଣ କରି । ଯୁଦ୍ଧ କରିବ ଦଣ୍ତଧାରୀ ॥୧୭୭
ସର୍ବେ କରିବା ମହାରଣ । ରାଜନ ଆମ୍ଭ ବୋଲ ଶୁଣ ॥୧୭୮
ଯଦୁଙ୍କୁ ସମରେ ସଂହାରି । ମହୀ ଭୁଞ୍ଜିବୁ ଦଣ୍ତଧାରୀ ॥୧୭୯
ଏମନ୍ତ ମନବୋଧ କରି । ରଥେ ତୋଳିଲେ ହସ୍ତଧରି ॥୧୮୦
ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଜରା ଚଳିଲା ଦୁଃଖମନେ ॥୧୮୧
ଲାଜେ ନ ଚାହିଁ ଦଶଦିଶ । ରାେତ୍ରେ ମିଳିଲା ନିଜ ଦେଶ ॥୧୮୨
ଏବେ ହୋ ଶୁଣ ନୃପମଣି । ସଂଗ୍ରାମେ କୃଷ୍ଣ ହଳପାଣି ॥୧୮୩
ଉଗ୍ରସେନର ଯେତେ ବଳ । ରଖିଲେ ମଦନଗୋପାଳ ॥୧୮୪
ସକଳେ ବିଷ୍ଣୁେତେଜମୟେ । କ୍ଷତ ନୋହିଲା ତାଙ୍କ ଦେହେ ॥୧୮୫
ରିପୁ ସାଗରୁ ସୈନ୍ୟ ତାରି । ବିଜୟ କଲେ ରାମହରି ॥୧୮୬
ଦେବେ କରନ୍ତି ଜୟଧ୍ୱନି । ସ୍ତୁତି କରନ୍ତି ସୁରମୁନି ॥୧୮୭
ପୁଷ୍ପ ବରଷି ଜଳସଙ୍ଗେ । ନାଚନ୍ତି ସୁରନାରୀ ରଙ୍ଗେ ॥୧୮୮
ମଥୁରାପୁର ନରନାରୀ । ମିଳିଲେ କରେ ଅର୍ଘ୍ୟ ଧରି ॥୧୮୯
ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଦେଖନ୍ତି ହରଷ ନୟନ ॥୧୯୦
ସୂତ ମାଗଧେ ଯଶ ଭଣି । ଦ୍ୱିଜେ ମଙ୍ଗଳ ବେଦଧ୍ୱନି ॥୧୯୧
ଶଙ୍ଖ ଦୁନ୍ଦୁଭି ବାଦ୍ୟଘୋଷ । ଗୋବିନ୍ଦ ମଥୁରା ପ୍ରବେଶ ॥୧୯୨
ଚନ୍ଦନ ଛେରା ମାର୍ଗେ ଦେଇ । ଉପରେ ତୋରଣା ଲମ୍ବାଇ ॥୧୯୩
ଦଧି ଅକ୍ଷତ ପୂର୍ଣ୍ଣକୁମ୍ଭ । କରନ୍ତି ମଙ୍ଗଳ ଆରମ୍ଭ ॥୧୯୪
ଦୁର୍ବା କୁସୁମ ଘେନି ନାରୀ । ଆନନ୍ଦେ ବନ୍ଦାପନା କରି ॥୧୯୫
ରାମ ଗୋବିନ୍ଦ ବେନିଭାଇ । ହରଷ ନୟେନ ଅନାଇ ॥୧୯୬
ମିଳିଲେ ଆପଣା ଭୁବନେ । ସଙ୍ଗତେ ଉଗ୍ରସେନ ସୈନ୍ୟେ ॥୧୯୭
ଯୁଦ୍ଧେ ଜିଣିଲା ଧନ ଆଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥୧୯୮
ରାଜନ ଜିଣିଲୁ ସମର । ଏ ଧନ ଭଣ୍ତାର ତୁମ୍ଭର ॥୧୯୯
ଉଗ୍ରସେନକୁ ଧନ ଦେଇ । ପୁରେ ମିଳିଲେ ବେନିଭାଇ ॥୨୦୦
ରାମଗୋବିନ୍ଦ ଭାଇବେନି । ପିତାମାତାଙ୍କ ପାଦେ ନମି ॥୨୦୧
ଭୋ ତାତ ମାତ ତୋ ପ୍ରସାଦେ । ଶତ୍ରୁ ଜିଣିଲୁ ଅପ୍ରମାଦେ ॥୨୦୨
ଉଗ୍ରସେନର ବଳ ଘେନି । ଆମ୍ଭେ ଜିଣିଲୁ ଭାଇବେନି ॥୨୦୩
ଶୁଣି ଆନନ୍ଦ ବାପମାଏ । କୋଳେ ବସାଇ ଚୁମ୍ବ ଦିଏ ॥୨୦୪
ଭିତରପୁରେ ବିଜେ କଲେ । ଯେ ଯାହା ପୁରେ ସର୍ବେ ଗଲେ ॥୨୦୫
କହନ୍ତି ବ୍ୟାସଙ୍କ ତନୟ । ଶୁଣ ସୁମନେ କୁରୁରାୟ ॥୨୦୬
ସପତଦଶବାର ଆଣି । ବଳ ତେଇଶ ଅକ୍ଷୌହିଣୀ ॥୨୦୭
ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲା । ମାଗଧ ବେଳେ ନ ଜିଣିଲା ॥୨୦୮
କୃଷ୍ଣର ତେଜେ ଯଦୁବଳ । ଯୁଦ୍ଧେ ଦିଶନ୍ତି ସର୍ବକାଳ ॥୨୦୯
ଅଭେଦ୍ୟ ତାହାଙ୍କ ଶରୀର । ଏବେ ହୋ ଶୁଣ ନୃପବର ॥୨୧୦
ଜରାସନ୍ଧର ଯେତେ କୃତ୍ୟ । ତୋତେ କହିଲି ଭାଗବତ ॥୨୧୧
ସପତଦଶବାର ହାରି । ପୁଣ ସାଜିଲା ଦଣ୍ତଧାରୀ ॥୨୧୨
ବ୍ରହ୍ମାନନ୍ଦନ ତାହା ଜାଣି । ଭାଳନ୍ତି ମନେ ପରିମାଣି ॥୨୧୩
କାଳଯବନ ବୀର ଥିଲେ । ଯଦୁକୁଶଳ ନାହିଁ ଭଲେ ॥୨୧୪
ଆଜ କରିବି ଦେବକାର୍ଯ୍ୟ । ଗଞ୍ଜିବି ଯବନର ତେଜ ॥୨୧୫
ଏତେ ବିଚାରି ଶୂନ୍ୟବାଟେ । ମିଳିଲେ ଯବନ ନିକଟେ ॥୨୧୬
ଦେଖି ସାନନ୍ଦ ନୃପବର । ପୂଜିଲା ନାରଦ ପୟର ॥୨୧୭
କରଯୁଗଳ ଦେଇ ଶିରେ । ନମିଲା ମୁନିଙ୍କ ପୟରେ ॥୨୧୮
କାଳଯବନ ମୁଖ ଚାହିଁ । ମୁନି କହନ୍ତି ଖେଦ ବହି ॥୨୧୯
ଯାଦବବଂଶେ ମହାବଳୀ । ଅଛନ୍ତି ରାମବନମାଳୀ ॥୨୨୦
ଜରାସନ୍ଧର ଯେତେ ବଳ । ମାଇଲେ ସପ୍ତଦଶ ବେଳ ॥୨୨୧
ତାହାଙ୍କ ସଙ୍ଗେ ଯୁଦ୍ଧକାରୀ । ତିନିଭୁବନେ ନାହିଁ ସରି ॥୨୨୨
ତୁ ଯେ ବୋଲାଉ ବଳୀୟାର । ଯଦୁଙ୍କ ସଙ୍ଗେ ଯୁଦ୍ଧ କର ॥୨୨୩
ଜରା ହିଁ ସାଜିଅଛି ଯୁଦ୍ଧେ । ପାରିଲେ ସାଧ ଏହି ମଧ୍ୟେ ॥୨୨୪
ଆସ ମୋହର ତୁଲେ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥୨୨୫
କୃଷ୍ଣର ରୂପ ଗୁଣ କହି । ନାରଦ ଗଲେ ଆଗ ହୋଇ ॥୨୨୬
କାଳଯବନ ଶୁଣି ତାହା । ଯୁଦ୍ଧକୁ ବଳିଲା ଉତ୍ସାହା ॥୨୨୭
ଯବନ ବଳ ତିନିକୋଟି । ସାଜିଲା ବନ ଗିରି ଘୋଟି ॥୨୨୮
ରଜନୀକାଳେ ମଧୁପୁରୀ । ରୁନ୍ଧିଲା ତିନିପୁର କରି ॥୨୨୯
ଯବନ ବଳ ଦେଖି ହରି । କହନ୍ତି ରାମ କର ହଟ ॥୨୩୦
ଦେଖ ଯାଦବ ବଳ କଷ୍ଟ । ଦଇବ ଆଣି କଲା ହଟ ॥୨୩୧
ମାଗଧ ଆସୁଅଛି ବାହି । ଯାଦବେ ଯିବେ ଆଜ କାହିଁ ॥୨୩୨
ଯବନ ସଙ୍ଗେ ଯୁଦ୍ଧ କରି । ରହିଲେ ସମର ଆବୋରି ॥୨୩୩
ଏମନ୍ତେ ମାଗଧ ଆସିବ । ଯଦୁଙ୍କୁ ପ୍ରାଣେ ସଂହାରିବ ॥୨୩୪
ଧନଜୀବନ ବନ୍ଦୀ କରି । ଘେନାଇ ଯିବ ନିଜ ପୁରୀ ॥୨୩୫
ନିର୍ଜନେ ଦୁର୍ଗେକ ଭିଆଇ । ଧନ କୁଟୁମ୍ବ ତହିଁ ଥୋଇ ॥୨୩୬
ତେବେ କରିବା ରଣରଙ୍ଗ । ଏମନ୍ତେ କହିଲେ ଶ୍ରୀରଙ୍ଗ ॥୨୩୭
ଜଳଧି ମଧ୍ୟେ କୃଷ୍ଣ ଯାଇ । ବୋଲନ୍ତି ବରୁଣଙ୍କୁ ଚାହିଁ ॥୨୩୮
ସମୁଦ୍ର ମଧ୍ୟେ ଛାଡ଼ ସ୍ଥାନ । ଏଥେ ମୁଁ କରିବି ବିଶ୍ରାମ ॥୨୩୯
ଶୁଣି ଗୋବିନ୍ଦର ବଚନ । ଛାଡ଼ିଲା ଦ୍ୱାଦଶ ଯୋଜନ ॥୨୪୦
ଗୋବିନ୍ଦ ବିଶ୍ୱକର୍ମା ରାଇ । ବୋଲନ୍ତି ତାର ମୁଖ ଚାହିଁ ॥୨୪୧
ଦ୍ୱାରକାର ନାମେ ଦିବ୍ୟପୁର । ଦେବ ମାନବେ ଅଗୋଚର ॥୨୪୨
ମଥୁରାପୁର ପ୍ରାୟ କର । ଯାହାର ଯେମନ୍ତ ମନ୍ଦିର ॥୨୪୩
ଗୋବିନ୍ଦ ଆଜ୍ଞା ପରମାଣେ । ନିର୍ମାଣ କଲା ତତକ୍ଷଣେ ॥୨୪୪
ଚିତ୍ରବିଚିତ୍ର ପୁରମାନ । ଦେଖିଲେ ମୋହେ ଜନମନ ॥୨୪୫
ଅତି ସୁସଞ୍ଚ ଉଚ୍ଚସାର । ମେଢ ଅଟ୍ଟାଳୀ ପୁରଦ୍ୱାର ॥୨୪୬
ହେମ ରଜତ ତମ୍ବା ମହୀ । ନାନା ଭୁବନ ପ୍ରକାଶଇ ॥୨୪୭
ମହାମର୍କତ ପଦ୍ମରାଗ । ନୀଳଲୋହିତ ପୀତ ରଙ୍ଗ ॥୨୪୮
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯେ ଯାହା ପୁର ଭିନ୍ନ ଭିନ୍ନ ॥୨୪୯
ସୁଧର୍ମା ସଭା ପାରିଜାତ । ଆଣି ସ୍ଥାପିଲା ଶଚୀନାଥ ॥୨୫୦
ଯହିଁ ବସିଲେ ମର୍ତ୍ତ୍ୟଜନ । ଦିଶନ୍ତି ଦେବତା ସମାନ ॥୨୫୧
ବରୁଣ ଅଶ୍ୱ ଶ୍ୟାମକର୍ଣ୍ଣ । ମନପବନ ଗତି ଯାନ ॥୨୫୨
ଏମନ୍ତ ଅଶ୍ୱ ଆଣି ଦେଲା । ଗୋବିନ୍ଦ ଚରଣେ ପୂଜିଲା ॥୨୫୩
ବାସବଆଦି ଦିଗପତି । ନିଯୋଗେ ପୂଜିଲେ ଶ୍ରୀପତି ॥୨୫୪
ଗୋବିନ୍ଦ ଯୋଗମାୟା କରି । ରାତ୍ରେ ମଥୁରାପୁର ଶିରୀ ॥୨୫୫
ଦ୍ୱାରକାପୁର ମଧ୍ୟେ ଥୋଇ । ମିଳିଲେ ରାମସଙ୍ଗେ ଯାଇ ॥୨୫୬
ରଜନୀ ହୋଇଲା ପ୍ରଭାତ । ବାହାର ହେଲେ ଗୋପୀନାଥ ॥୨୫୭
କମଳମାଳା କଣ୍ଠେ ଶୋହି । କରଯୁଗଳେ ଶସ୍ତ୍ର ନାହିଁ ॥୨୫୮
କହଇ ଦାସ ଜଗନ୍ନାଥ । ସେ ହରିପାଦେ ଦେଇ ଚିତ୍ତ ॥୨୫୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦୁର୍ଗନିବେଶନଂ ନାମ ଚତୁଃପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ପଞ୍ଚପଞ୍ଚାଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
ନମଇଁ କୃଷ୍ଣର ଚରଣ । ଅନାଦି ପୁରୁଷ ପୁରାଣ ॥୧
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥୨
ସକଳ ନିଯୋଜିତ କରି । ସୈନ୍ୟ ଆଗରେ ନରହରି ॥୩
ମଥୁରା ଗଡ଼ଦ୍ୱାର ମଧ୍ୟେ । କୃଷ୍ଣ ବିଜୟ ପଦ୍ମପାଦେ ॥୪
ଉଦୟଗିରି ମଧ୍ୟେ ଆସି । ଯେହ୍ନେ ବିରାଜେ ପୂର୍ଣ୍ଣଶଶୀ ॥୫
ଅତି ସୁନ୍ଦର ଶ୍ୟାମଦେହୀ । ପୀତବସନ ବିରାଜଇ ॥୬
ଶ୍ରୀବତ୍ସଲାଞ୍ଚନ ସୁନ୍ଦର । କୌସ୍ତୁଭମଣି ହୃଦେ ହାର ॥୭
ଆଜାନୁଲମ୍ବେ ଚାରିଭୁଜ । ଅରୁଣ ଚକ୍ଷୁ ପଦ୍ମତେଜ ॥୮
ନିତ୍ୟ ଆନନ୍ଦ ହାସମୁଖ । ସୁନ୍ଦର କପୋଳ ସୁରେଖ ॥୯
କର୍ଣ୍ଣେ ମକରାକାର ହୋଇ । ରତ୍ନକୁଣ୍ତଳ ବିରାଜଇ ॥୧୦
କୋଟି କନ୍ଦର୍ପରୂପ ସାର । ରୂପକୁ ଚାହିଁ ପଟାନ୍ତର ॥୧୧
କାଳଯବନ କୃଷ୍ଣେ ଚାହିଁ । ନାରଦ ବାକ୍ୟେ ମନ ଦେଇ ॥୧୨
ବୋଲଇ ବାସୁଦେବ ଏହି । ଶ୍ରୀବତ୍ସ ଚିହ୍ନ ହୃଦେ ଶୋହି ॥୧୩
ଆଜାନୁଲମ୍ବେ ଚାରିଭୁଜେ । କମଳନୟନ ବିରାଜେ ॥୧୪
ବନମାଳାଏ ଲମ୍ବେ ଉର । ଅପୂର୍ବ ମୋହନ ସୁନ୍ଦର ॥୧୫
ନାରଦ କହିଛନ୍ତି ଯେତେ । ଚିହ୍ନ ଦେଖିଲି ଏହା ଗାତ୍ରେ ॥୧୬
କୃଷ୍ଣହୁଁ ନୋହଇ ଏ ଆନ । ରୂପେ ମୋହିଲା ମୋର ମନ ॥୧୭
ଏହାର କରେ ଶସ୍ତ୍ର ନାହିଁ । ଚରଣେ ଚାଲୁଅଛି ମହୀ ॥୧୮
ମୁଁ କିମ୍ପା କରେ ଶସ୍ତ୍ର ଧରି । ଏହାର ତୁଲେ ଯୁଦ୍ଧ କରି ॥୧୯
ନିନ୍ଦା ପାଇବି ଇହଲୋକେ । ମରଣେ ପଡ଼ିବି ନରକେ ॥୨୦
ମୁହିଁ ହୋଇବି ନିରାୟୁଧ । ତେବେଏହାର ତୁଲେ ଯୁଦ୍ଧ କରି ॥୨୧
ଏମନ୍ତ ଅସୁର ବିଚାରି । ତାହା ଜାଣିଲେ ନରହରି ॥୨୨
ମାୟାରେ ମୋହି ତାର ମନ । ବେଗେ ଧାଇଁଲେ ଭଗବାନ ॥୨୩
କାଳଯବନ ବିଚାରଇ । ଲୁଚିଣ ଯିବ ଏ ପଳାଇ ॥୨୪
ଯୁଦ୍ଧ ନ କରି ପଳାଇଲା । ଏମନ୍ତ ବୋଲି ଗୋଡ଼ାଇଲା ॥୨୫
ଯେ ହରି ଦେବଙ୍କୁ ଦୁର୍ଲ୍ଲଭ । ତାହାଙ୍କୁ ମଣଇ ସୁଲଭ ॥ ୨୬
ଧରିବ ବୋଲି କୃଷ୍ଣ ପଛେ । ଯବନ ଧାଇଁଲା ପ୍ରତ୍ୟକ୍ଷ ॥ ୨୭
ହସ୍ତ ଲାଗଇ କୃଷ୍ଣଦେହେ । ପାଦ ବାଜଇ ବେନିପାୟେ ॥ ୨୮
ଏମନ୍ତେ ଦୂରପଥ ନେଇ । ବନଗହନେ ଭାବଗ୍ରାହୀ ॥ ୨୯
କୃଷ୍ଣଙ୍କୁ ଗୋଡ଼ାଇ ଯବନ । ବୋଲଇ ଝିଙ୍ଗାସ ॥ ୩୦
ଯାଦବକୁଳେ ଜାତ ହୋଇ । ଡରେ ପଳାଉ କାହିଁପାଇଁ ॥ ୩୧
ଉଚିତ ନୁହଇ ତୋ ଯଶ । ଲୋକେ କରିବେ ଉପହାସ ॥ ୩୨
କ୍ଷତ୍ରିୟଅଂଶେ ଜାତ ହୋଇ । ଶୃଗାଳ ପ୍ରାୟ ତୁ ପଳାଇ ॥ ୩୩
ଏ ନୋହେ ତୋର କ୍ଷତ୍ରିଧର୍ମ । କିମ୍ପାଇ କରୁ ଏଡେ କର୍ମ ॥ ୩୪
ନିନ୍ଦଇ ଗୋବିନ୍ଦ ମହିମା । ଯେଣୁ ଅଟଇ ହୀନକର୍ମା ॥ ୩୫
ଏମନ୍ତ ବାକ୍ୟେ ଦେଇ ଗାଳି । ଗିରିଗହନେ ଯାଇ ମିଳି ॥ ୩୬
ପଶିଲେ ପର୍ବତକନ୍ଦରେ । ଯବନ ଘେନି ଅନ୍ଧକାରେ ॥ ୩୭
ହରି ହୋଇଲେ ଅନ୍ତର୍ଦ୍ଧାନ । ଭିତରେ ପଶିଲା ଯବନ ॥ ୩୮
ଚାହଁଇ ଚଉଦିଗେ କୋପେ । ପୁରୁଷେ ଦେଖିଲା ସମୀପେ ॥ ୩୯
ଶୟନେ ନିଦ୍ରାଗତେ ହୋଇ । ଉତ୍ତାନମତେ ଅଛି ଶୋଇ ॥ ୪୦
ଦେଖି ବୋଲଇ କୋପମନେ । ନିନ୍ଦିତ-ପୁରୁଷ-ବଚନେ ॥ ୪୧
ଏତେ ଯୋଜନା ମୋତେ ଆଣି । ମୋହର ମହିମା ନ ଜାଣି ॥ ୪୨
ସାଧୁଙ୍କ ପ୍ରାୟ ଅଚି ଶୋଇ । ମିଛେ ବୁଜିଣ ଚକ୍ଷୁ ଦୁଇ ॥ ୪୩
ମରଣକାଳେ ନିଦ୍ରା ଗଲେ । କାଳ କି ବଞ୍ଚାଇବ ଭଲେ ॥ ୪୪
ଏମନ୍ତେ କରି ଘୋରନାଦ । ହୃଦେ ମାଇଲା ବେନିପାଦ ॥ ୪୫
ବଜ୍ର ସମାନ ପାଦ ବାଜି । ତାହାର ନିଦ୍ରା ଗଲା ଭାଜି ॥ ୪୬
ଉଠି ବସିଲା ମହାବଳୀ । ଚାହଁଇ ନୟନ ନିରୋଳି ॥ ୪୭
ବେନିପାରୁଶ ଆଗପଛେ । ଯବନେ ଦେଖିଲା ପ୍ରତ୍ୟକ୍ଷେ ॥ ୪୮
କୋପେ କମ୍ପଇ ତାର ଦେହୀ । ଅନଳନୟନେ ଅନାଇଁ ॥ ୪୯
ଅଗ୍ନି ଉଠିଲା ମହାଘୋର । ପଡ଼ିଲା ଯବନ ଉପର ॥ ୫୦
ଦେଖନ୍ତି ପ୍ରଭୁ ନାରାୟଣ । ଭସ୍ମ ହୋଇଲା ତତକ୍ଷଣ ॥ ୫୧
ଶୁଣି ପରୀକ୍ଷ ପଚାରଇ । ବ୍ୟାସନନ୍ଦନ ମୁଖ ଚାହିଁ ॥ ୫୨
;ପରୀକ୍ଷିତ ଉବାଚ
ଭୋ ମୁନି ଶୋଇଲା ପୁରୁଷ । କହ ତାହାର ନାମ କିସ ॥ ୫୩
କାହାର ପୁତ୍ର ଏଡେ଼ ବଳୀ । ନୟନେ ଅଗ୍ନି ପରଜ୍ୱଳି ॥ ୫୪
କାଳଯବନ ଭସ୍ମଗଲା । ଏ ତପ କେମନ୍ତେ ସାଧିଲା ॥ ୫୫
ନିଦ୍ରାରେ ଗିରିମଧ୍ୟେ ଶୋଇ । କହ ସେ ପୂର୍ବେ ଥିଲା କାହିଁ ॥ ୫୬
;ଶୁକ ଉବାଚ
କହନ୍ତି ବ୍ୟାସଙ୍କ କୁମର । ଇକ୍ଷାକୁବଂଶେ ନୃପବର ॥ ୫୭
ମାନଧାତା ନାମେ ମହେନ୍ଦ୍ର । ତାର କୁମର ମୁଚୁକୁନ୍ଦ ॥ ୫୮
ବିପ୍ର ସେବକ ସତ୍ୟବାଦୀ । ସକଳ ଗୁଣେ ଗୁଣନିଧି ॥ ୫୯
ତାହାକୁ ଦେବଗଣେ ଆସି । ବଚନ କହିଲେ ବିଶ୍ୱାସି ॥ ୬୦
ତୋର ଶରଣ ନୃପବର । ଆମ୍ଭେ ଛାଡିଲୁ ସ୍ୱର୍ଗପୁର ॥ ୬୧
ହାରିଲୁ ଅସୁରଙ୍କୁ ରଣେ । ପଶିଲୁ ତୋହର ଶରଣେ ॥ ୬୨
ତୁ ଏବେ କର ପ୍ରତିକାର । ଅସୁରବଳ ବେଗେ ମାର ॥ ୬୩
ଏମନ୍ତ କହି ସୁରବୃନ୍ଦ । ଘେନାଇ ଗଲେ ମୁଚୁକୁନ୍ଦ ॥ ୬୪
ଦେବତାଗଣେ ଦୁଃଖ ଦେଖି । ସେ ମୁଚୁକୁନ୍ଦ ପଦ୍ମଆଖି ॥ ୬୫
ନିଜ ବିନାନେ ବିଜେ କଲା । ତେଜେ ବିରାଜେ ରବିକଳା ॥ ୬୬
ନାନା ଆୟୁଧ ଘେନି ହସ୍ତେ । ବିଜୟ କଲେ ଶୂନ୍ୟ ପଥେ ॥ ୬୭
ଅସୁର ତୁଲେ କଲେ ରଣ । ଗଗନ ପଥେ ଦେବଗଣ ॥ ୬୮
ତାହା ଦେଖିଣ ନୃପବର । ମିଳିଲା ସଂଗ୍ରାମ ମଧ୍ୟର ॥ ୬୯
ଦେବତା ଅସୁର-ସମରେ । କ୍ଷୋଭ ପାଇଲେ ତୀକ୍ଷ୍ଣ ଶରେ ॥ ୭୦
ଏମନ୍ତ ଦେଖି ନୃପବର । କ୍ଷୁଦ୍ଧ କରଇ ମହାଘୋର ॥ ୭୧
ମୁଚୁକୁନ୍ଦର ତୀକ୍ଷଣ ବାଣେ । ଅସୁରେ ପଳାଇଲେ ରଣେ ॥ ୭୨
ଅନେକ ହେଲେ ପ୍ରାଣେ ନାଶ । ରହିଲେ ପାଞ୍ଚ ସାତ ଶେଷ ॥ ୭୩
ସେ ରାଜା ମହା ବଳୀୟାର । ଅନେକ କଲାକ ସମର ॥ ୭୪
ପୁଣି ଅନେକ ଯୁଦ୍ଧ କରି । ସକଳ ଅସୁର ସଂହାରି ॥ ୭୫
ଗଜର ସମରେ କେଶରୀ । ଯେଉଁ ପ୍ରକାରେ ନାସ କରି ॥ ୭୬
ତେମନ୍ତ କରିଣ ସମର । ଅସୁର କଲାକ ସହାଂର ॥ ୭୭
ଅସୁର ସୈନ୍ୟ ନାଶ କରି । ଦେବଙ୍କୁ ଦେଲା ସ୍ୱର୍ଗପୁରୀ ॥ ୭୮
ଯୁଦ୍ଧରେ ତମ ଗୁଣ ଘେନି । ରାତ୍ର ଦିବସ ହିଁ ନ ଜାଣି ॥ ୭୯
ଏମନ୍ତ ତାର କାଳ ଗଲା । ଯୁଦ୍ଧରେ ନୃପତିର ବଳା ॥ ୮୦
କାର୍ତ୍ତିକେ ପାଇ ସେନାପତି । ଦେବତାମେଳେ ବୃହସ୍ପତି ॥ ୮୧
ବୋଲନ୍ତି ଚାହିଁ ମୁଚୁକୁନ୍ଦ । ଆମ୍ଭେ ଯେ ହୋଇଲୁ ଆନନ୍ଦ ॥ ୮୨
ତୋ ଯଶ ପରଉପକାର । ସମ୍ପଦ ରଖିଲୁ ଆମ୍ଭର ॥ ୮୩
ତୁ ଆଉ ନ କର ସମର । ଅସୁର ଭୟ ଗଲା ଦୂର ॥ ୮୪
ତୁ ମର୍ତ୍ତ୍ୟପୁର ନୃପବର । ଏ ଯେ ଅମର ସ୍ୱର୍ଗପୁର ॥ ୮୫
ଆମ୍ଭେ ଆଣିଲୁ ତୋତେ ବରି । ତୁ ଏବେ ଏହାଙ୍କୁ ସଂହାରି ॥ ୮୬
ରଖିଲୁ ଦେବଙ୍କ ସମ୍ପଦ । ଥିଲା ଯେ ତୋର ରାଦପଦ ॥ ୮୭
ସମରେ ତୋର ମନ ଥିଲା । ମଞ୍ଚେ ଅନେକ କାଳ ଗଲା ॥ ୮୮
ସୁତ କଳତ୍ର ବନ୍ଧୁ ଗୋତ୍ର । ସକଳେ ହେଲେ କାଳଗ୍ରସ୍ତ ॥ ୮୯
ପ୍ରଜା ଯେ ଥିଲେ ତୋର ତୁଲେ । କାଳେ ସକଲେ ନାଶ ଗଲେ ॥ ୯୦
ଦଇବବଳେ କାଳବଳୀ । ଜନ୍ତୁଙ୍କୁ କର୍ମବଳେ ଗିଳି ॥ ୯୧
ଇଶ୍ୱର ଭାବେ ଖେଳେ କାଳ । ପଶୁଙ୍କୁ ଯେହ୍ନେ ପଶୁପାଳ ॥ ୯୨
କିସ କରିବୁ ନର ଲୋକେ । ପଡିବୁ ପୁତ୍ର ଦାରା ଶୋକେ ॥ ୯୩
ରାଜନ ଛାଡୁ ମନୁ ଚିନ୍ତା । ଆମ୍ଭେ ହୋଇଲୁ ବର ଦାତା ॥ ୯୪
ଧନ ସମ୍ପଦ କାମ ଯେତେ । ମାଗ ତୁ ଦେବୁ ଅପ୍ରମିତେ ॥ ୯୫
ମୋକ୍ଷକୁ ନୋହୁଁ ଅଧିକାରୀ । ଏଥକୁ ପ୍ରଭୁ ନରହରି ॥ ୯୬
ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । ରାଜମ ମନେ ମନେ ଗୁଣି ॥ ୯୭
ଦେବଙ୍କୁ କରି ନମସ୍କାର । ବୋଲଇ ଯୋଡି ବେନିକର ॥ ୯୮
ଯେବେ ମୋହର ମୋକ୍ଷ ନାହିଁ । ବର ମାଗିବି କିସ ପାଇଁ ॥ ୯୯
ଯୁଦ୍ଧରେ ଗଲା ଏତେ ଦିନ । ନିଦ୍ରା ତ ନାହିଁ ମୋ ନୟନ ॥ ୧୦୦
ଶୋଇବ ବରେ କାର୍ଯ୍ୟ ନାହିଁ । ନିଦ୍ରା ପିଡୀତ ମୋର ଦେହୀ ॥ ୧୦୧
ଶୁଣି ସାନନ୍ଦ ଦେବେ ମନେ । ମିଳିଲେ ଦୁର୍ଗମ କାନନେ ॥ ୧୦୨
ଗିରିକନ୍ଦରେ ଶଯ୍ୟା କରି । ତହିଂ ଶୁଆଇ ଦଣ୍ତଧାରୀ ॥ ୧୦୩
ବୋଇଲେ ଇନ୍ଦ୍ରାଆଦି ଦେବେ । ତୋହର ନିଦ୍ରା ଯେ ଭାଙ୍ଗିବେ ॥ ୧୦୪
ତୋର-ନୟନ-ଅଗ୍ନି ବାଣେ । ବସ୍ମ ହୋଇବ ତତକ୍ଷଣେ ॥ ୧୦୫
ତୋହର ନିଦ୍ରା ଅନ୍ତକାଳେ । ଦେଖିବୁ ପ୍ରଭୁ ଆଦିମୂଳେ ॥ ୧୦୬
ଏମନ୍ତ କହି ଦେବେ ଗଲେ । କୃଷ୍ଣ ଜାଣନ୍ତି ତାହାଭଲେ ॥ ୧୦୭
ଯବନ ମରାଇଲେ ନେଇ । ଶୁଣ ରାଜନ ମନଦେଇ ॥ ୧୦୮
କାଳଯବନ ନାଶ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୦୯
କୃଷ୍ଣଶରୀର ତେଜ ରାଶି । ଗିରିକନ୍ଦର-ତମ ନାଶି ॥ ୧୧୦
ଚକିତେ ଚାହିଁ ନୃପବର । ଦେଖିଲା ବ୍ରହ୍ମାଣ୍ୟଠାକୁର ॥ ୧୧୧
ନୀଳଜଳଦ-ତନୁବର୍ଣ୍ଣ । ପୀତ ବସନ ପରିଧାନ ॥ ୧୧୨
ଶ୍ରୀବତ୍ସ ଚିହ୍ନ ମଣି କଣ୍ଠେ । ରତ୍ନମେଘଳା କଟିତଟେ ॥ ୧୧୩
ସୁନ୍ଦର ବନମାଳା ସାଜେ । ନିଜ ଆୟୁଧ ଚାରିଭୁଜେ ॥ ୧୧୪
ପ୍ରସନ୍ନ ବଦନ ଗୋପାଳ । ଶ୍ରବଣେ ମକରକୁଣ୍ତଳ ॥ ୧୧୫
ଅତି ସୁନ୍ଦର ହାସମୁଖ । କୁଟୀଳ କୁନ୍ତଳ ସୁରେଖ ॥ ୧୧୬
ଆଜାନୁଲମ୍ବେ ଚାରିଭୁଜ । ବିକ୍ରମସିଂହ ପ୍ରାୟ ତେଜ ॥ ୧୧୭
ଏମନ୍ତ କୃଷ୍ଣଦେହେ ତେଜ । ଦେଖି ଚକିତ ମହାରାଜ ॥ ୧୧୮
ଗୋବିନ୍ଦ ତେଜେ ହରଷିତ । ଶଙ୍କିତେ ଯୋଡ଼ି ବେନିହସ୍ତ ॥ ୧୧୯
କୃଷ୍ଣବଦନ ଅରବିନ୍ଦ । ଚାହିଁ ବୋଲାଇ ମୁଚୁକୁନ୍ଦ ॥ ୧୨୦
;ମୁଚୁକୁନ୍ଦ ଉବାଚ
କହ ତୁ କାହାର ନନ୍ଦନ । କୁଳ ପ୍ରବର ନିଜ କାମ ॥ ୧୨୧
ଏମନ୍ତ ଦେଖିଲା ତ ନାହିଁ । ଗିରିକନ୍ଦରେ ଥିଲୁ କାହିଁ ॥ ୧୨୨
କମଳ ପ୍ରାୟ ତୋ ଚରଣ । କିମ୍ପାଇ ବୁଲୁ ଘୋରବନ ॥ ୧୨୩
ତେଜସ୍ୱୀମାନଙ୍କର ତେଜ । କି ଅବା ପ୍ରଭୁ ଦେବରାଜ ॥ ୧୨୪
ସୂର୍ଯ୍ୟ ଶଶାଙ୍କ ଆଖଣ୍ତଳ । କି ଅବା କେଉଁ ଦିଗପାଳ ॥ ୧୨୫
ବିଷ୍ଣୁ ଶଙ୍କର ପଦ୍ମଯୋନି । ଦେବଙ୍କ ଦେବତା ଏ ତିନି ॥ ୧୨୬
ଏ ତିନିମଧ୍ୟେ ଏକ ତୁହି । ଗୋବିନ୍ଦପ୍ରାୟ ମୁଁ ମଣଇଁ ॥ ୧୨୭
ଶୟନକାଳେ ଦେବଗଣେ । ବର ଯେ ଦେଲେ ଶୁଦ୍ଧମନେ ॥ ୧୨୮
ସେ କି ହୋଇଲା ପରାପତ । ତୁମ୍ଭେ ବା ଅଟ ହେ ଅଚ୍ୟୁତ ॥ ୧୨୯
ତୋହର ତେଜେ ତମ ଗଲା । ପ୍ରଦୀପ ପ୍ରାୟ ପ୍ରକାଶିଲା ॥ ୧୩୦
ସତ୍ୟବଚନ କହ ମୋତେ । ମୁଁ ତୋତେ ଜାଣଇଁ ଯେମନ୍ତେ ॥ ୧୩୧
ଦେବତାବରେ ନିଦ୍ରା ମୁହିଁ । ଅନେକ କାଳୁ ଅଛି ଯାଇ ॥ ୧୩୨
ମୋହର ନିଦ୍ରା ଯେ ଭାଙ୍ଗିବ । ଚକ୍ଷୁଅନଳେ ନାଶଯିବ ॥ ୧୩୩
କେ ମୋର କଲା ନିଦ୍ରା ଭଙ୍ଗ । ତୁମ୍ଭେ କି ଥିଲ ତାର ସଙ୍ଗ ॥ ୧୩୪
ଦିଶୁଛ ଆଦିସୂର୍ଯ୍ୟ ପ୍ରାୟେ । ଭୟେ କମ୍ପଇ ମୋର କାୟେ ॥ ୧୩୫
ଶ୍ରବଣେ ଯେବେ ମୁହିଁ ପାତ୍ର । କହ ତୋହର ନାମ ଗୋତ୍ର ॥ ୧୩୬
ମୋହର କଥା ଶୁଣ ତୁହି । ଇକ୍ଷ୍ୱାକୁ ବଂଶେ ଜାତ ମୁହିଁ ॥ ୧୩୭
ମାନ୍ଧାତା ନୃପତି-ନନ୍ଦନ । ମୋହର ମୁଚୁକୁନ୍ଦ ନାମ ॥ ୧୩୮
ଯୁଦ୍ଧେ ଉନ୍ନିଦ୍ର-ଶ୍ରମ ପାଇ । ନିରୋଳେ ନିଦ୍ରାଗତ ହୋଇ ॥ ୧୩୯
ନିଦ୍ରା ଯେ ଭାଙ୍ଗିଲା ମୋହର । ଭସ୍ମ ହୋଇଲା ତା ଶରୀର ॥ ୧୪୦
ଏବେ ମୁଁ ତୋର ରୂପ ଦେଖି । ଚାହାନ୍ତେ ସ୍ପୁରେ ବେନିଆଖି ॥ ୧୪୧
ଦେଖି ତୋହର ରୂପ ତେଜ । ହତ ମୋ ହେଲା ବଳବୀର୍ଯ୍ୟ ॥ ୧୪୨
ଏମନ୍ତ ରାଜାମୁଖୁଁ ଶୁଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୪୩
ଗଭୀର ମେଘପ୍ରାୟ ଘୋଷ । ରଙ୍ଗଅଧରେ ମନ୍ଦହାସ ॥ ୧୪୪
ମୋତେ ତୁ ପଚାରିଲୁ ଯାହା । ଶୁଣ ରାଜନ ପୁଣ୍ୟଦେହା ॥ ୧୪୫
ମୋହର ଜନ୍ମ-କର୍ମ-ଗତି । ସହସ୍ର ସଂଖ୍ୟାଏ ଅଛନ୍ତି ॥ ୧୪୬
ନାମ ହିଁ ଅଛି ମୋର ଯେତେ । ସଂଖ୍ୟା କରିବ କେହୁ କେତେ ॥ ୧୪୭
ଭୂମିରେ ଅଛି ରେଣୁ ଯେତେ । ଅନନ୍ତସଂଖ୍ୟା ଅପ୍ରମିତ ॥ ୧୪୮
ଏମାନ ଗଣି କେ ପାରଇ । ଅନେକ ଜନ୍ମେ ଦେହ ବହି ॥ ୧୪୯
ମୋହର ଜନ୍ମ-କର୍ମ ନାମ । ଗଣି ନପାରେ କେହି ଜନ ॥ ୧୫୦
ମୋହର ଜନ୍ମ-କର୍ମ ଯେତେ । ତ୍ରିକାଳବ୍ୟାପୀ ଏ ଜଗତେ ॥ ୧୫୧
ପରମଋଷି ଯେତେ ଛନ୍ତି । କେହି ସେ ତତ୍ତ୍ୱ ନ ଜାଣନ୍ତି ॥ ୧୫୨
ଏବେ ମୁଁ କହୁଅଛି ଯେତେ । ରାଜନ ଶୁଣ ଏକଚିତ୍ତେ ॥ ୧୫୩
ବ୍ରହ୍ମା ଶଙ୍କର ଦେବେ ଯାଇ । କ୍ଷୀରଜଳଧି ତଟେ ରହି ॥ ୧୫୪
ସ୍ତୁତି ସେ କଲେ ମୋ ଚରଣେ । ମେଦିନୀଭାରା ନିବାରଣେ ॥ ୧୫୫
ଅସୁରବଳ କରି ନାଶ । ସାଧୁଙ୍କୁ କରିବି ଆଶ୍ୱାସ ॥ ୧୫୬
ଏଣୁ ମୁଁ ବସୁଦେବ ଘରେ । ଜନ୍ମିଲି ଦେବକୀ ଉଦରେ ॥ ୧୫୭
ବସୁଦେବର ପୁତ୍ରଭାବ । ତେଣୁ ମୋ ନାମ ବାସୁଦେବ ॥ ୧୫୮
ରମିଲି ବୃନ୍ଦାବନେ ରହି । କଂସକୁ ସଂହାରିଲି ମୁହିଁ ॥ ୧୫୯
ପ୍ରଳମ୍ବାଆଦି ୟେ ଦାନବେ । ମୁହିଁ ମାଇଲି ବାଳଭାବେ ॥ ୧୬୦
କାଳଯବନ ଅଣାଇଲି । ତୋର ନୟନ ସଂହାରିଲି ॥ ୧୬୧
ତୋତେ ମୋ ଅନୁଗ୍ରହ ଚିତ୍ତେ । ତେଣୁ ମିଳିଲି ତୋ ଅଗ୍ରତେ ॥ ୧୬୨
ପୂର୍ବେ ତୁ ଘୋରତପ କରି । ମନପବନ ହୃଦେ ଧରି ॥ ୧୬୩
ଦେବେ ତ ଦେଇଛନ୍ତି ବର । ଶୟନକାଳେ ନୃପବର ॥ ୧୬୪
ମୋତେ ଦେଖିବୁ ବୋଲି ଚିତ୍ତେ । ଏବେ ପ୍ରସନ୍ନ ହେଲି ତୋତେ ॥ ୧୬୫
ଭକତ ବତ୍ସଳ ମୋ ନାମ । ବର ତୁ ମାଗ ଇଚ୍ଛା କାମ ॥ ୧୬୬
ଯାହା ମାଗିବୁ ଶୁଦ୍ଧଚିତ୍ତେ । ପ୍ରସନ୍ନେ ଦେବଇଁ ମୁଁ ତୋତେ ॥ ୧୬୭
ମୋରେ ଯେ ଶରଣ ପଶନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୧୬୮
;ଶୁକ ଉବାଚ
ଏମନ୍ତ କୃଷ୍ଣମୁଖୁଁ ଶୁଣି । ପ୍ରଣାମ କଲା ପୁଣପୁଣି ॥ ୧୬୯
ଗର୍ଗବଚନ ପରିମାଣି । ନିଶ୍ଚେ ଜାଣିଲା ଚକ୍ରପାଣି ॥ ୧୭୦
ଆନନ୍ଦେ ବେନିକର ଯୋଡି । କହଇ କୃଷ୍ଣପାଦେ ପଡ଼ି ॥ ୧୭୧
;ମୁଚୁକୁନ୍ଦ ଉବାଚ
ଭୋ ନାଥ ତୋର ମାୟାବଳେ । ମୋହିତ ପ୍ରାଣୀଏ ଶୟଳେ ॥୧୭୨
ଅନର୍ଥ ଅର୍ଥ ପ୍ରାୟ ମଣେ । ନଭଜେ ତୋହର ଚରଣେ ॥୧୭୩
ଦୁଃଖଗହନେ ସୁଖ ଆଶେ । ପଡ଼ଇ ଦାରା ମୋହପାଶେ ॥୧୭୪
ମୈଥୁନସୁଖେ କାଳ ବଂଚେ । ନଭୁଞ୍ଜି ନିତ୍ୟେ ଧନ ସଂଚେ ॥୧୭୫
ଅଶେଷ ଜନ୍ମ ପୁଣ୍ୟଫଳେ । ମନୁଷ୍ୟଦେହ ମହୀତଳେ ॥୧୭୬
ଇନ୍ଦ୍ରିୟସୁଖେ ଦେଇ ମତି । ତୋର ଚରଣେ ନ ଭଜନ୍ତି ॥୧୭୭
ପଡ଼ନ୍ତି ଅନ୍ଧକୂପ-ଗୃହେ । ପଶୁ ଯେସନେ ତୃଣ ମୋହେ ॥୧୭୮
ଶୁଣ ହେ ମଦନଗୋପାଳ । ନିଷ୍ଫଳେ ଗଲା ଏତେ କାଳ ॥୧୭୯
ରାଜ୍ୟ ସମ୍ପଦେ ଭୋଳ ହୋଇ । ଆତ୍ମାର ଗତି ନ ଜାଣଇ ॥୧୮୦
ଦେହାଭିମାନ ବୁଦ୍ଧିବଳେ । ସୁତ କଳତ୍ର ମୋହଜାଲେ ॥୧୮୧
ଦୁରନ୍ତ ଚିନ୍ତା ପଥେ ମଜ୍ଜେ । ତୋତେ ନ ଭଜି ଦେବରାଜେ ॥୧୮୨
ମୃତ୍ତିକାଘଟ ମଧ୍ୟେ ଥାଇ । ବୋଲଇ ନରଦେବ ମୁହିଁ ॥୧୮୩
ରଥ କୁଞ୍ଜର ଅଶ୍ୱଯୂଥେ । ପଦାତିବଳ ଅପ୍ରମିତେ ॥୧୮୪
ଖେଳଇ ଏ ମହୀମଣ୍ତଳେ । ତୋତେ ନ ଜାଣି ମତିଭୋଳେ ॥୧୮୫
ପଶୁଙ୍କ ପ୍ରାୟେ ଏ ସଂସାରେ । ପଶି ଗହନ ଚିନ୍ତାଘୋରେ ॥୧୮୬
ବିଷୟ ସୁଖ ଭୋଗେ ବଢି । ତୋ ପାଦପଦ୍ମ ଚିନ୍ତା ଛାଡ଼ି ॥୧୮୭
ପଡ଼ଇ ତୋର ମାୟାବଳେ । ତୁ ତାକୁ ନାଶୁ ଅବହେଳେ ॥୧୮୮
ଗ୍ରାସଇ ତୋର କାଳରୂପ । ଇନ୍ଦୁରେ ଯେହ୍ନେ କାଳସର୍ପ ॥୧୮୯
ପୂର୍ବେ ସୁବର୍ଣ୍ଣମୟ ରଥେ । କୁଞ୍ଜରକନ୍ଧେ ନାନାପଥେ ॥୧୯୦
ନରଦେବତା ନାମ ବହି । ଭ୍ରମଇଁ ମତ୍ତଭୋଳେ ମହୀ ॥୧୯୧
ସେ ଦେହ ତୋର ଅଂଶ କାଳ । କରଇ କୃମି ଭସ୍ମ ମଳ ॥୧୯୨
କେ ଅବା ନୃପ ଚୂଡ଼ାମଣି । ଅଶେଷ ଦିଗଭାଗ ଜିଣି ॥୧୯୩
ସଂଗ୍ରାମେ ଦଶଦିଗ ବାହି । ଅଭୂତ ବିଗ୍ରହ ବୋଲାଇ ॥୧୯୪
ଉତ୍ତମ ସିଂହାସନେ ପୂଜା । ପାଦେ ନମନ୍ତି ସର୍ବରାଜା ॥୧୯୫
ଏମନ୍ତ ପ୍ରାଣକୁ ଯେ ଧରି । ସ୍ତିରୀଏ କ୍ରୀଡ଼ାମୃଗ କରି ॥୧୯୬
ମୈଥୁନ ସୁଖ ଗୃହମଧ୍ୟେ । କରନ୍ତି ପରମଆନନ୍ଦେ ॥୧୯୭
ଯେ ପ୍ରାଣୀ ଦେବପୂଜା କରି । ବୋଲଇ ଭବୁ ଯିବି ତରି ॥୧୯୮
ନିବୃତ୍ତିମାର୍ଗେ ମହାଶ୍ରମେ । ତପ ଆରାଧି ନାନାକର୍ମେ ॥୧୯୯
ଦେବତା ବରଦାନ କାଳେ । ପୁଣ ମାଗଇ ସୁଖଭୋଳେ ॥୨୦୦
କରଇ ସ୍ୱର୍ଗଭୋଗ ବାଞ୍ଛା । ପରମସୁଖେ ନାହିଁ ଇଚ୍ଛା ॥୨୦୧
ଜନ୍ମମରଣ ବେନିପଥେ । ସେ ପ୍ରାଣୀ ଭ୍ରମୁଥାଇ ନିତ୍ୟେ ॥୨୦୨
ତାହାର ଯେବେ ଭାଗ୍ୟ ଥାଇ । ସୁସାଧୁ-ସଙ୍ଗତେ ମିଳଇ ॥୨୦୩
ସତ୍ସଙ୍ଗେ ହୋଇ ପାପ ନାଶ । ନିର୍ମଳ ପ୍ରକାଶଇ ଯଶ ॥୨୦୪
ସୁସାଧୁ-ଯୋଗୀଙ୍କର ପ୍ରାୟେ । ଶୁଦ୍ଧ ପ୍ରକାଶେ ତାର ଦେହେ ॥୨୦୫
ପରମବ୍ରହ୍ମ ତୋର ପାଦେ । ସେ ପ୍ରାଣୀ ଭଜଇ ଆନନ୍ଦେ ॥୨୦୬
ତୋହର ମାର୍ଗେ ହୋଇ ଗତି । ତୁଟଇ ଭଜବନ୍ଧ-ଭ୍ରାନ୍ତି ॥୨୦୭
ଭୋ ନାଥ ଜାଣିଲି ମୁଁ ଚିତ୍ତେ । ତୋହର ଅନୁଗ୍ରହ ମୋତେ ॥୨୦୮
ରାଜ୍ୟ-ସମ୍ପଦ-ବନ୍ଧ-ପାଶ । ଏବେ ହୋଇଲା ମୋର ନାଶ ॥୨୦୯
ଅଖଣ୍ତ-ଅବନୀ-ମଣ୍ତଳେ । ଅଶେଷ ଭୋଗ ମହୀତଳେ ॥୨୧୦
ଯେ ଛାଡ଼ି ଭଜେ ତୋ ଚରଣ । ଏକା ବୁଲଇ ବନେବନ ॥୨୧୧
ଅଶେଷ ଘୋରାତପ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥୨୧୨
ଭୋ ନାଥ ପରମ ମଙ୍ଗଳ । ଅନାଦିଧର୍ମ ଆଦିମୂଳ ॥୨୧୩
ତୋହର ଅଭୟଚରଣ । ନିତ୍ୟେ ସେବିବି ନାରାୟଣ ॥୨୧୪
ଆନ ସମ୍ପଦେ କାର୍ଯ୍ୟ ନାହିଁ । ଏ ବର ଦିଅ ମୋତେ ତୁହି ॥୨୧୫
ତୁ ନାଥ କଇବଲ୍ୟଦାତା । ଦୁଃଖୀଜନଙ୍କ ପିତାମାତା ॥୨୧୬
ତୋହର ଦରଶନ ପାଇ । ଆତ୍ମାର ବନ୍ଧ ଯେ ମାଗଇ ॥୨୧୭
ତାହାକୁ ବୋଲି ଅପଣ୍ତିତ । ତୋର ମାୟାରେ ଜ୍ଞାନହତ ॥୨୧୮
ଭୋ ନାଥ ପରମଈଶ୍ୱର । ତୁ ଯେ ଯାଚିଲୁ ମୋତେ ବର ॥୨୧୯
ତ୍ରିଗୁଣେ ବନ୍ଧ ମୋହପାଶ । ସେ ବରେ ନାହିଁ ମୋର ଆଶ ॥୨୨୦
ନିର୍ଗୁଣ-ନିରଞ୍ଜନ-ପର । କେବଳ ଆତ୍ମଜ୍ଞାନ ସାର ॥୨୨୧
ଏମନ୍ତ ପୁରୁଷର ପାଦେ । ଶରଣ ଯିବି ଅପ୍ରମାଦେ ॥୨୨୨
ଏ ଭବସିନ୍ଧୁ ମଧ୍ୟେ ମୁହିଁ । ଅଶେଷ ଜନ୍ମ ଦୁଃଖ ପାଇ ॥୨୨୩
ବାସନାବଳେ କରି ପାପ । ସୁମରି ପଛେ ଅନୁତାପ ॥୨୨୪
ସେ ତାପେ ପୀଡ଼ିତ ଜୀବନେ । ଭ୍ରମଇଁ ଦୁଃଖେ ପଥଶ୍ରମେ ॥୨୨୫
ଷଡ଼ଅଇରି ସଙ୍ଗେ ଭ୍ରମି । ନିଗମପଥେ ମହାଶ୍ରମୀ ॥୨୨୬
ତୃଷିତେ ଜଳପାନ ଚିନ୍ତି । କେବେ ନୁହଇ ତୃଷା ଶାନ୍ତି ॥୨୨୭
ସେ ଜଳ ତୋର ପାଦେ ଥୋଇ । ସଂସାର ତାପ ନିବାରଇ ॥୨୨୮
ନିର୍ଭୟ-ସତ୍ୟ-ଶୋକହର । ଭୋନାଥ ଶରଣ ତୋହର ॥୨୨୯
ଆପଦକଳେ ସୁଖ ଦେଇ । ତୋ ପାଦେ ରଖ ଭାବଗ୍ରାହୀ ॥୨୩୦
ଏମନ୍ତ ରାଜାବାକ୍ୟ ଶୁଣି । କୃଷ୍ଣ କହନ୍ତି ମୃଦୁବାଣୀ ॥୨୩୧
;ଭଗବାନ ଉବାଚ
ତୁ ମହାଭାଗ ଚକ୍ରବର୍ତ୍ତୀ । ନିର୍ମଳ-ନିଷ୍କାମ ତୋ ମତି ॥୨୩୨
ବରେ ମୋହିଲି ତୋର ଚିତ୍ତ । ଲୋଭେ ନୋହିଲୁ ଅଭିଭୂତ ॥୨୩୩
ଏମନ୍ତ ବୁଦ୍ଧି ଯେବେ ତୋର । ନିଶ୍ଚେ ତରିବୁ ଭବଘୋର ॥୨୩୪
ଭକତଜନଙ୍କର ଚିତ୍ତ । ସମ୍ପଦେ ନୋହେ ମୋହଗ୍ରସ୍ତ ॥୨୩୫
ଅଷ୍ଟାଙ୍ଗଯୋଗ ଲୟ କରି । ମୋତେ ଚିନ୍ତନ୍ତି ବ୍ରହ୍ମଚାରୀ ॥୨୩୬
ମୋର ଭକତି ନ ଜାଣନ୍ତି । ତାହାଙ୍କ ଚିତ୍ତେ ନାହିଁ ଶାନ୍ତି ॥୨୩୭
କର୍ମ-ବାସନା ରଜ୍ଜୁ-ବନ୍ଧୁ । ଭାବେ ଭ୍ରମଇ ଯେହ୍ନେ ଅନ୍ଧ ॥୨୩୮
ମୋହର ପାଦେ ଚିତ୍ତ ଦେଇ । ଏବେ ତୁ ସୁଖେ ଭ୍ରମ ମହୀ ॥୨୩୯
ନିଶ୍ଚଳ ହୋଇ ମୋର ପାଦେ । ତୋର ଭକତି ଅପ୍ରମାଦେ ॥୨୪୦
ହେଉ ବୋଇଲେ ଚକ୍ରପାଣି । ଏବେ ହୋ ଶୁଣ ନୃପମଣି ॥୨୪୧
କ୍ଷତ୍ରିୟକୁଳେ ହୋଇ ଜାତ । ଜୀବ ମାଇଲୁ ଅପ୍ରମିତ ॥୨୪୨
ମୃଗୟା କରି ମାଂସ ଖାଇ । ଏ ଜନ୍ମେ ତୋର ଗତି ନାହିଁ ॥୨୪୩
ମୋହର ପାଦେ ଆଶ୍ରେ କର । ସାଧିବୁ ତପ ମହାଘୋର ॥୨୪୪
ତେବେ ହୋଇବ ପାପକ୍ଷୟେ । ଭେଦିବୁ ବ୍ରହ୍ମଲୋକ ଯାଏ ॥୨୪୫
ପାପ-ଅନ୍ତରେ ଏ ସଂସାରେ । ଜନ୍ମିବୁ ବ୍ରାହ୍ମଣୀ ଉଦରେ ॥୨୪୬
ସୁହୃଦ ହୋଇ ସର୍ବଭୂତେ । ତୁ ମୋତେ ଚିହ୍ନିବୁ ଯୁକତେ ॥୨୪୭
ବ୍ରାହ୍ମଣକର୍ମ ସଦ୍ଭାବେ । କରିବୁ ଯଥାବିଧି ଲାଭେ ॥୨୪୮
ଷଡ଼କରମେ ଯୁତ ହୋଇ । ମୋ ପାଦେ ସମର୍ପିବୁ ତୁହି ॥୨୪୯
ତେବେ ପାଇବୁ ମୋ ଚରଣ । ହସି ବୋଲନ୍ତି ନାରାୟଣ ॥୨୫୦
ସେ ନାରାୟଣ ପାଦଗତ । ନମଇଁ ଦାସ ଜଗନ୍ନାଥ ॥୨୫୧
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ମୁଚୁକୁନ୍ଦସ୍ତୁତି ନାମ
ପଞ୍ଚପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ଷଟ୍ପଞ୍ଚାଂଶତ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟେ । ଏମନ୍ତେ କୃଷ୍ଣ ଅନୁଗ୍ରହେ ॥୧
ହୃଦ-ଉତ୍ସାହେ ମୁଚୁକୁନ୍ଦ । ନିର୍ମଳେ ଚାହଁଇ ଗୋବିନ୍ଦ ॥୨
ଆନନ୍ଦେ ଶୋକ ଗଦ୍ଗଦେ । ପ୍ରଣାମ କଲା କୃଷ୍ଣପାଦେ ॥୩
ଭୋ ନାଥ କର ପ୍ରତିକାର । ଏ ଭବସାଗରୁ ଉଦ୍ଧର ॥୪
ତପ କରିବି ଯେଉଁମତେ । କହ ତୁ ମୋତେ ଶୁଦ୍ଧଚିତ୍ତେ ॥୫
ହସି ବୋଲନ୍ତି ନାରାୟଣ । ଯାଅ ତୁ ବଦରିକାଶ୍ରମ ॥୬
ତପ କରିବୁ ବନେପଶି । ନର-ନାରାୟଣ ବିଶ୍ୱାସି ॥୭
ଆସନେ ଶୁଦ୍ଧି କରି ମନେ । ପବନ ଫଳମୂଳ ବନେ ॥୮
ଏହାନ୍ତ କରିବୁ ଆହାର । ମନେ ନ ଧରିବୁ ସଂସାର ॥୯
ଶୁଣି ହରଷ ନୃପବର । ଶିରେ ଯୋଡ଼ିଲା ବେନିକର ॥୧୦
ଶିର ଲଗାଇ କୃଷ୍ଣପାଦେ । ଆନନ୍ଦେ ଶୋକ ଗଦଗଦେ ॥୧୧
ବାହାର ହୋଇ ମୁଚୁକୁନ୍ଦ । ଚଳିଲା ଚାହାଁନ୍ତି ଗୋବିନ୍ଦ ॥୧୨
ଦେଖିଲା ସ୍ଥାବର ଜଙ୍ଗମ । ବନ ଦୁର୍ଗମ ଗିରିମାନ ॥୧୩
ପଶୁଙ୍କୁ ଚାହିଁ ବିଚାରଇ । ଏମନ୍ତ ଦେଖିଲାତ ନାହିଁ ॥୧୪
ଅଳପପ୍ରାୟେ ତ ଦିଶନ୍ତି । ଏମନ୍ତେ କଲା ମନେ ଭ୍ରାନ୍ତି ॥୧୫
ପୁଣି କ୍ଷଣକେ ଅନୁରାଗ । ଏ କି ହୋଇଲା କଳିଯୁଗ ॥୧୬
ନିଦ୍ରାରେ ତିନିଯୁଗ ଗଲା । ଏମନ୍ତ ବୋଲି ବିଚାରିଲା ॥୧୭
ଉତ୍ତରଦିଗେ ନୃପବର । ଗଲା ଅନେକ ପଥଦୂର ॥୧୮
ସର୍ବସଂଶୟ ସଙ୍ଗ ଛାଡ଼ି । ତପ ସାଧନେ ଚିତ୍ତବୁଡ଼ି ॥୧୯
ସମାଧି କରି କୃଷ୍ଣପାଦେ । ମନ ନିବେଶି ଅପ୍ରମାଦେ ॥୨୦
ଗନ୍ଧମାର୍ଦ୍ଦନ ମଧ୍ୟେ ଗଲା । ବଦ୍ରିକା ଆଶ୍ରମେ ମିଳିଲା ॥୨୧
ନରନାରାୟଣ ଆଶ୍ରମେ । ଶୁଚି ପବିତ୍ର ପୁଣ୍ୟଧାମେ ॥୨୨
ସମାଧିବଳେ ତପ କରି । ମନପବନ ହୃଦେ ଧରି ॥୨୩
ସକଳ ଇନ୍ଦ୍ରି ଦୁଃଖ ସହି । ସମଦରଶୀ ଶୁଦ୍ଧଦେହୀ ॥୨୪
ହରି ଆରାଧି ଯୋଗବଳେ । ବସିଲା ଆସନେ ନିଶ୍ଚଳେ ॥୨୫
ଏବେ ହୋ ଶୁଣ ନୃପବର । ମାୟା-ମନୁଷ୍ୟ ଚକ୍ରଧର ॥୨୬
କପଟେ ମରାଇ ଯବନ । ମିଳିଲେ ମଥୁରାଭୁବନ ॥୨୭
ଯବନ ବଳ ତିନିକୋଟି । ମଥୁରାପୁର ଥିଲେ ଘୋଟି ॥୨୮
ତାହାଙ୍କୁ ମାରି ଭଗବାନ । ଯୁଦ୍ଧେ ପାଇଲେ ଯେତେ ଧନ ॥୨୯
ଗୋରୁ ମହିଷ ବନମାଳୀ । ଧରି ଦ୍ୱାରକାପୁରେ ଚଳି ॥୩୦
ବିଚାରି କାର୍ଯ୍ୟ ଅନୁବନ୍ଧ । ଆସି ମିଳିଲା ଜରାସନ୍ଧ ॥୩୧
ତେଇଶ ଅକ୍ଷୌହିଣି ବଳ । ଶୁଭଇ ମୁଖରାବ ଗୋଳ ॥୩୨
ସୈନ୍ୟର ଦେଖି ବ୍ୟଗ୍ରଗତି । ଭାଳନ୍ତି ରାମ ଯଦୁପତି ॥୩୩
ଆମ୍ଭେ ଏ ନଗରେ ନ ଥିବା । ପଳାଇ ପର୍ବତେ ଲୁଚିବା ॥୩୪
ମନୁଷ୍ୟ ଚେଷ୍ଟା ଆଶ୍ରେ କରି । ଛାଡ଼ି ମଥୁରାପୁର ଶିରୀ ॥୩୫
ଅଭୟଦାତା ଭୟ ପାଇ । ପାଦେ ଚଳନ୍ତି ବେନିଭାଇ ॥୩୬
ଆକ୍ରମି ଅନେକ ଯୋଜନ । ପଶିଲେ ଗହନକାନନ ॥୩୭
ଭାଜିବା ଦେଖି କୃଷ୍ଣରାମେ । ପଛେ ଧାମଇଁ ଜରା ତମେ ॥୩୮
ରଥ କୁଞ୍ଜର ଘେନି ସଙ୍ଗେ । ପଥେ ହସନ୍ତି ନବରଙ୍ଗେ ॥୩୯
ଆଜ କିଣିବି କରି ରଣ । ନ ଜାଣେ ଈଶ୍ୱର ପ୍ରମାଣ ॥୪୦
ରାମକୃଷ୍ଣ ଯେ ବେନିଭାଇ । ବନେ ଅନେକ ଶ୍ରମ ପାଇ ॥୪୧
ଏକ ଆରେକ ଧରି କରେ । ଉଠିଲେ ପର୍ବତ ଶିଖରେ ॥୪୨
ନିତ୍ୟେ ବରଷେ ସୁନାସୀର । ପ୍ରବର୍ଷଣ ନାମ ତାହାର ॥୪୩
ଉଠନ୍ତେ ପର୍ବତ ଉପରେ । ଜରା ଦେଖିଲା ଥାଇ ଦୂରେ ॥୪୪
ଅଧିକ ପାଦେ ହେଁ ନ ଗଲା । ପର୍ବତ ରୁନ୍ଧରେ ବୋଇଲା ॥୪୫
ବେଢି ପର୍ବତ ଚାରିଦେଗେ । ଅନଳ ଲଗାଇଲେ ବେଗେ ॥୪୬
ଦହ୍ନ କରି ବନଘୋର । ଜାଣିଲା ଶତ୍ରୁ ଗଲା ମାର ॥୪୭
ଅନଳଯୋଗେ ମହୀଧର । ତାପିଲା ଅତ୍ୟନ୍ତ ପ୍ରଖର ॥୪୮
ତକ୍ଷଣେ ରାମ ନରହରି । ଗଗନଗତି ଅନୁସରି ॥୪୯
ପର୍ବତ ଶିଖ ଅତିଶେଷ । ଉଚ୍ଚ ଯୋଜନ ଏକାଦଶ ॥୫୦
ରାମଗୋବିନ୍ଦ ବାହୁବଳେ । ଡେ଼ଇଁ ପଡ଼ିଲେ ମହୀତଳେ ॥୫୧
ବଳ ସହିତେ ଜରା ଥିଲା । ରାମକୃଷ୍ଣଙ୍କୁ ନ ଦେଖିଲା ॥୫୨
ଲୁଚି ପଳାଇ ବେନିଭାଇ । ମିଳିଲେ ନିଜ ପୁରେ ଯାଇ ॥୫୩
ଜଳଧିପରିଖା ଯାହାର । ଦେବମାନବେ ଅଗୋଚର ॥୫୪
ମିଥ୍ୟାକୁ ସତ୍ୟପ୍ରାୟ ମଣି । ମନେ ଆନନ୍ଦ ନୃପମଣି ॥୫୫
ବୋଲଇ ବଳଙ୍କୁ ଅନାଇ । ପର୍ବତେ ମଲେ ବେନିଭାଇ ॥୫୬
ଭସ୍ମ ହୋଇଲେ ଅଗ୍ନିଯୋଗେ । ଚାଲି ବାହୁଡ଼ିଯିବା ବେଗେ ॥୫୭
ବଳ ଆକର୍ଷି ମହାବଳୀ । ନିଜ ଭୁବନେ ଯାଇ ମିଳି ॥୫୮
ସଂଗ୍ରାମେ ଜିଣି ଜୟବାଦ୍ୟ । ବଜାଇ ହୋଇଲେ ଆନନ୍ଦ ॥୫୯
ଏବେ ହୋ ଶୁଣ ନରନାଥ । ଆନର୍ତ୍ତପତି ରଇବତ ॥୬୦
ରେବତୀ ନାମେ କନ୍ୟା ଥିଲା । ବଳଦେବଙ୍କୁ ବିଭା ଦେଲା ॥୬୧
ବ୍ରହ୍ମାବଚନେ ଦେଲା ଆଣି । ନବମସ୍କନ୍ଧେ ଅଛୁ ଶୁଣି ॥୬୨
ଭୀଷ୍ମକ ନାମେ ମହାରାଜା । ରୁକ୍ମିଣୀ ତାହାର ତନୁଜା ॥୬୩
ଅଂଶେ କମଳା ଅବତାର । କୁର୍ଣ୍ଣୀନଗର ନୃପବର ॥୬୪
ରୁକ୍ମିଣୀ ବିବାହ ବିଚାରେ । ହରି ହରିଲେ ସ୍ୱୟମ୍ବରେ ॥୬୫
ରାଜାଏ ଥିଲେ ଯେ ପ୍ରତ୍ୟକ୍ଷେ । ଆବୋରି ଶିଶୁପାଳ ପକ୍ଷେ ॥୬୬
ଶାଲ୍ୱ ମାଗଧ ଆଦି ଯେତେ । ବଳ ହିଁ ଥିଲେ ଅପ୍ରମିତେ ॥୬୭
ତାହାଙ୍କ ଗର୍ବ କରି ଚୂର । ପଥେ ଦେଖନ୍ତି ସୁରନର ॥୬୮
କନ୍ୟା ହରିଲେ ଦାମୋଦର । ଅମୃତ ଯେହ୍ନେ ଖଗେଶ୍ୱର ॥୬୯
ତା ଶୁଣି ଅଭିମନ୍ୟୁବାଳା । ଶୁକମୁନିଙ୍କି ପଚାରିଲା ॥୭୦
;ପରୀକ୍ଷିତ ଉବାଚ
ଭୋ ମୁନି ଭୀଷ୍କକନନ୍ଦିନୀ । ରୁକ୍ମିଣୀ ରୁଚିରବଦନୀ ॥୭୧
କେମନ୍ତେ ପ୍ରଭୁ ନରହରି । ରାକ୍ଷସ ମତେ ବିଭାକରି ॥୭୨
ଶୁଣି ଚକିତ ମୋର ଚିତ୍ତ । ଅସୁର ବଳ ଅପ୍ରମିତ ॥୭୩
କେମନ୍ତେ ଶିଶୁପାଳ ଆଦି । ପଥେ ତାହାଙ୍କ ବଳ ଛେଦି ॥୭୪
ଏକାକୀ ରଥେ ଚକ୍ରପାଣି । କେମନ୍ତେ ହରିଲେ ରୁକ୍ମଣୀ ॥୭୫
କୃଷ୍ଣର କଥା ପୁଣ୍ୟମୟ । କର୍ଣ୍ଣ ବଚନେ ସୁଧାପ୍ରାୟ ॥୭୬
ଅଖିଳଜନ ପାପ ନାଶେ । ପରମବ୍ରହ୍ମ ପରକାଶେ ॥୭୭
କାହାର ଚିତ୍ତ ଶୁଣି ଏହା । ସନ୍ତୋଷେ ନୋହିବ ଉତ୍ସାହା ॥୭୮
ନବୀନ ବସ୍ତୁ ପାଇ ଯେହ୍ନେ । ଆଦରରେ ଆବୋରନ୍ତି ଜନେ ॥୭୯
କୃଷ୍ଣଚରିତ ସେହିମତେ । ଭୋ ମୁନି କହ ଭାଗବତ ॥୮୦
ଶୁଣି ସନ୍ତୋଷଚିତ୍ତ ହୋଇ । ଶୁକ କହନ୍ତି ରାଜା ଚାହିଁ ॥୮୧
;ଶୁକ ଉବାଚ
ଭୀଷ୍ମକ ନାମେ ମହୀନାଥ । ବିଦର୍ଭଗରେ ସମ୍ଭୂତ ॥୮୨
ତାହାର ପତ୍ନୀଗର୍ଭୁ ଜାତ । ଏକ ଦୁହିତା ପାଞ୍ଚସୁତ ॥୮୩
ରୁକ୍ମୀ ଅଗ୍ରଜ ରୁକ୍ମରଥ । ଏ ବେନି ବଳେ ଅପ୍ରମିତ ॥୮୪
ପୁଣ ହୋଇଲା ରୁକ୍ମବାହୁ । ତାର ପ୍ରତାପ କେବା କହୁ ॥୮୫
ଚତୁର୍ଥ ପୁତ୍ର ରୁକ୍ମକେଶ । ପଞ୍ଚମ ରୁକ୍ମମାଳୀ ଶେଷ ॥୮୬
ଏହାଙ୍କ ଶେଷେ କନ୍ୟାଜାତ । ପ୍ରତ୍ୟକ୍ଷେ କମଳା ସମ୍ଭୂତ ॥୮୭
ରୁକ୍ମିଣୀ ନାମେ ବିଦ୍ୟମାନ । ତାର ମହିମା ଏବେ ଶୁଣ ॥୮୮
କୃଷ୍ଣର ଗୁଣ କର୍ମ ଯେତେ । ସେହୁ ଶୁଣଇ ହୃଷ୍ଟଚିତ୍ତେ ॥୮୯
ଦ୍ୱାରକାପୁର ଲୋକେ ଆସି । କହନ୍ତି ତାର ପାଶେ ବସି ॥୯୦
ନିରତେ କୃଷ୍ଣକଥା ଶୁଣି । ରୁକ୍ମିଣୀ ମନେ ମନେ ଗୁଣି ॥୯୧
ଆତ୍ମ-ସଦୃଶେ ଶୁଣି ବର । ମନେ ବରିଲା ଚକ୍ରଧର ॥୯୨
ଗୋବିନ୍ଦ ତାର ମନ ଜାଣି । ସଙ୍କଳ୍ପେ ବରିଲେ ରୁକ୍ମିଣୀ ॥୯୩
ଅଂଶେ କମଳା ଦେହଧରି । ଆତ୍ମସଦୃଶେ କନ୍ୟା ବରି ॥୯୪
ବନ୍ଧୁବାନ୍ଧବଙ୍କର ମେତେ । ଦୁହିତା ବିଭାର ଉଚିତେ ॥୯୫
ଭୀଷ୍ମକ କୃଷ୍ଣକୁ ବରିଲା । ତା ଶୁଣି ରୁକ୍ମୀ କୋପ କଲା ॥୯୬
ଅନେକ ନିନ୍ଦାବାକ୍ୟ କରି । ଶିଶୁପାଳକୁ ଗଲା ବରି ॥୯୭
ଶିଶୁପାଳକୁ ଦେବା ଶୁଣି । ଚକିତେ ଭାଳଇ ରୁକ୍ମିଣୀ ॥୯୮
ବିକଳଚିତ୍ତେ ବିଚାରିଲା । ବୃଦ୍ଧବ୍ରାହ୍ମଣ ହକାରିଲା ॥୯୯
ବିଶ୍ୱାସବାକ୍ୟ ତାଙ୍କୁ କହି । ଚରଣେ ବେନିକର ଦେଇ ॥୧୦୦
ବୋଲଇ ଶୁଣ ବିପ୍ରମଣି । ଦ୍ୱାରକା ଯାଅ ଏହିକ୍ଷଣି ॥୧୦୧
ଯେବେ ଆସିବେ ଚକ୍ରଧର । ତେବେ ସେ ଜୀବନ ମୋହର ॥୧୦୨
ଅଧିକ କହିବଇଁ କେତେ । କୃଷ୍ଣ ଜାଣନ୍ତି ଏହା ଚିତ୍ତେ ॥୧୦୩
ହେଉ ବୋଇଲେ ବିପ୍ରବର । ଦେଖିବି କୃଷ୍ଣର ପୟର ॥୧୦୪
କନ୍ୟା ବଚନେ ବିପ୍ର ଗଲେ । ଦ୍ୱାରକାଭୁବନେ ମିଳିଲେ ॥୧୦୫
ଦ୍ୱାରେ ଯେ ଦ୍ୱାରପାଳ ଥିଲା । କୃଷ୍ଣଙ୍କୁ ନେଇ ଭେଟାଇଲା ॥୧୦୬
ସୁବର୍ଣ୍ଣ ସିଂହାସନେ ହରି । ଯାଦବେ ଅଛନ୍ତି ଆବୋରି ॥୧୦୭
ଖଟନ୍ତି ଦଶଦିଗପାଳ । ବିପ୍ର ଦେଖିଲେ ଚର୍ମଡେ଼ାଳେ ॥୧୦୮
ବିପ୍ରବତ୍ସଳ ନରହରି । ଉଠି ବ୍ରାହ୍ମଣ କର ଧରି ॥୧୦୯
ନିଜ ଆସନେ ବସାଇଲେ । ଅନେକ ମତ ପୂଜା କଲେ ॥୧୧୦
ତାହାଙ୍କୁ ଯେହ୍ନେ ଦେବଗଣେ । ବିଶ୍ୱାସେ ପୂଜନ୍ତି ଚରଣେ ॥୧୧୧
କୃଷ୍ଣ ପୂଜିଲେ ସେହିମତେ । ଶୁଣ ରାଜନ ଏକଚିତ୍ତେ ॥୧୧୨
ବିପ୍ରଙ୍କୁ କରାଇ ଭୋଜନ । ପାଶେ ବସିଲେ ଭଗବାନ ॥୧୧୩
ଶ୍ରମ ଦେଖିଣ ନରହରି । ବିପ୍ରଚରଣ କରେ ଧରି ॥୧୧୪
ଚାପନ୍ତେ ପ୍ରଭୁ ଭଗବାନ । ବିପ୍ରଚରଣୁ ଗଲା ଶ୍ରମ ॥୧୧୫
ବିଶ୍ରାମ ଦେଖି ବିପ୍ରବର । ପୁଚ୍ଛନ୍ତି ବ୍ରହ୍ମାଣ୍ତଠାକୁର ॥୧୧୬
ଭୋ ବିପ୍ର ବଡ଼ଦୁଃଖ ପାଇ । ଆସିଛ ପଥଶ୍ରମୀ ହୋଇ ॥୧୧୭
ବେଦ ଉଚିତ ହୋମକର୍ମ । ଯଜନ ଆଦି ଷଟ୍କର୍ମ ॥୧୧୮
ସ୍ୱଧର୍ମେ ବଞ୍ଚଟିକି ସୁଖେ । ସନ୍ତୋଷଚିତ୍ତେ ଗୃହଦୁଃଖେ ॥୧୧୯
ଧର୍ମେ ପ୍ରାପତ ଯେତେ ଧନ । ତେଣେ ସନ୍ତୋଷ ଯାର ମନ ॥୧୨୦
ସେ ଦୁଃଖୀ ଦରିଦ୍ର ନୁହଁଇ । ସ୍ୱଧର୍ମେ ବିପ୍ର ଶାନ୍ତ ହୋଇ ॥୧୨୧
ଦୁଃଖେ ଯେ ନ ଚଳନ୍ତି ଧର୍ମୁ । ସେ ଧର୍ମ ବିପ୍ର କାମଧେନୁ ॥୧୨୨
ଅଖିଳ କାମ୍ୟଫଳ ଦେଇ । ସ୍ୱଧର୍ମେ ବିପ୍ର ସେ ଜୀଅଇ ॥୧୨୩
ବହୁତ ଥାଇ ଯାର ଧନ । ହେଳା କରଇ ନିଜ କର୍ମ ॥୧୨୪
ନିରେତେ ଚିତ୍ତ ଅସନ୍ତୋଷ । ଉଭୟଲୋକେ ନାହିଁ ଯଶ ॥୧୨୫
ଦରିଦ୍ରପଣେ ଦୁଃଖ ସହି । ନିଜ ଧର୍ମକୁ ନ ଛାଡ଼ଇ ॥୧୨୬
ସେ ବିପ୍ର ହୋଇ ମୋର ସଙ୍ଗ । ତରଇ ସଂସାର ତରଙ୍ଗ ॥୧୨୭
ଯଥାଲାଭରେ ଯେ ସନ୍ତୋଷ । ଅଧର୍ମେ ନ କରନ୍ତି ଆଶ ॥୧୨୮
ସାଧୁ-ସୁହୃଦ ସର୍ବଭୂତ । ସକଳ ଜୀବହିତେ ରତ ॥୧୨୯
ହୃଦେ ନ ବହେ ଅଳଙ୍କାର । ସମଦରଶୀ ଚିତ୍ତ ଯାର ॥୧୩୦
ତାହାଙ୍କୁ ମୋର ନମସ୍କାର । ବୋଲନ୍ତି ବ୍ରହ୍ମାଣ୍ତଠାକୁର ॥୧୩୧
ଭୋ ବିପ୍ର କୁଶଳ ତୁମ୍ଭର । କହ କଲ୍ୟାଣ କ୍ଷେମସାର ॥୧୩୨
ରାଜାଏ ବସନ୍ତି ଜଗତେ । ପ୍ରଜା ପାଳନ୍ତି ଧର୍ମମତେ ॥୧୩୩
ଯାହାର ରାଜ୍ୟେ ପ୍ରଜାଜନେ । ସୁଖେ ବଞ୍ଚନ୍ତି ରାତ୍ରଦିନେ ॥୧୩୪
ସେ ରାଜା ମୋର ବଡ଼ ପ୍ରିୟ । ଭୋ ବିପ୍ର ଆଗମନ କହ ॥୧୩୫
କେବଣ କାର୍ଯ୍ୟେ ଉପଗତ । ଏଡେ଼ ଦୁର୍ଗମ ଜିଣି ପଥ ॥୧୩୬
ଗୁପତ ନୋହେ ଯେବେ ବାଣୀ । ଭୋ ବିପ୍ର କହ ଏହିକ୍ଷଣି ॥୧୩୭
ମୁଁ ଅବା କି କହିବି ତୋତେ । ସଂଶୟ ଫେଡ଼ି କହ ମୋତେ ॥୧୩୮
ଏମନ୍ତ କୃଷ୍ଣବାକ୍ୟ ଶୁଣି । ବ୍ରାହ୍ମଣ ବୋଲେ ସାଧୁବାଣୀ ॥୧୩୯
ରୁକ୍ମିଣୀ କହିଛନ୍ତି ଯାହା । ଭୋ ନାଥ ଶୁଣି ଚଉବାହା ॥୧୪୦
;ରୁକ୍ମିଣୀ ଉଚାବ
ହେ କୃଷ୍ଣ ଭୁବନସୁନ୍ଦର । ଶୁଣିଲି ଗୁଣକର୍ମ ତୋର ॥୧୪୧
ତୋହର ଗୁଣ-କର୍ମ-ଯଶ । ଯାହାର ଶ୍ରବଣେ ପ୍ରବେଶ ॥୧୪୨
ହରେ ଅଶେଷ ଜନ୍ମ ପାପ । ଆଧ୍ୟାତ୍ମଆଦି ତିନିତାପ ॥୧୪୩
ଚକ୍ଷୁ ବହନ୍ତି ଯେତେ ପ୍ରାଣୀ । ତୋହର ରୂପ ପରିମାଣି ॥୧୪୪
ଅଖିଳ ଅର୍ଥଲାଭ ବଳେ । ଲଭନ୍ତି ରୂପ ଦେଖି ଡେ଼ାଳେ ॥୧୪୫
ସେ ରୂପ କର୍ଣ୍ଣର୍ପଥେ ଶୁଣି । ମୋହର ଚିତ୍ତ ଚକ୍ରପାଣି ॥୧୪୬
ଲାଜ ଉପେକ୍ଷି ତୋ ଶରଣେ । ପଶିଲା ଅଭୟ-ଚରଣେ ॥୧୪୭
କେଉଁ ଯୁବତୀ ଦେହ ବହି । ପିତା ଜନନୀ କୋଳେ ଥାଇ ॥୧୪୮
ବିବାହକାଳେ କନ୍ୟା ହୋଇ । ଉତ୍ତମକୁଳେ ଜନ୍ମ ପାଇ ॥୧୪୯
ଶୀଳ ସ୍ୱରୂପ ବିଦ୍ୟାବଳ । ଦ୍ରବିଣ ତେଜେ ଆତ୍ମା ତୁଲ୍ୟ ॥୧୫୦
ସୁଧୀର ସାଧୁ କୁଳବତୀ । ତୋହର ପ୍ରାୟ ଥାଉଁ ପତି ॥୧୫୧
ହେ ନରସିଂହ ପୂର୍ଣ୍ଣକାମ । ଜନଲୋଚନ ଅଭିରାମ ॥୧୫୨
ଶ୍ରବଣେ ଶୁଣି ତୋର ଭାବ । ସେ କିମ୍ପା ଆନକୁ ବରିବ ॥୧୫୩
ଏବେ ବରିଲି ତୋତେ ମୁହିଁ । ମନ ବଚନ ତନୁ ଦେଇ ॥୧୫୪
ତୋହର ଅର୍ଥେ ଏ ଶରୀର । ବିଚାରି ମୋତେ ତ୍ରାହି କର ॥୧୫୫
ଭୋ ନାଥ ବୀରଙ୍କର ବୀର । ମୁଁ ତୋ ଆମିଷ ଉପହାର ॥୧୫୬
ନିକଟେ ଶିଶୁପାଳ ଆସି । ନ ବସୁ ତୋର ବଳିଗ୍ରାସି ॥୧୫୭
ସିଂହର ବଳି ତଳେ ଚାହିଁ । ଶୃଗାଳ ଯେସନେ ଧାମଇଁ ॥୧୫୮
ମୁଁ ଯେବେ ପୂର୍ବଜନ୍ମଗତେ । ତପ ଆରାଧି ନାନାମତେ ॥୧୫୯
ତଡ଼ାଗ ଇଷ୍ଟ ଯଜ୍ଞ ଦାନ । ନିୟମ ତୀର୍ଥ ବ୍ରତ ଧର୍ମ ॥୧୬୦
ଦେବତା ବିପ୍ର ଗୁରୁ ପୂଜି । ନିରତେ ବିଷ୍ଣୁପାଦେ ଭଜି ॥୧୬୧
ଏ ଯେବେ ପ୍ରମାଣ ମୋହର । ବେଗେ ଆସିବେ ଚକ୍ରଧର ॥୧୬୨
ମୋହର ହସ୍ତ ଆଗ ଧରୁ । ଦଇବ ଏହି ବର କରୁ ॥୧୬୩
ଦମଘୋଷର ପୁତ୍ର ଆଦି । ଯେତେ ଅଛନ୍ତି ଅପରାଧୀ ॥୧୬୪
ଏମାନେ ନ ପାଇବେ ମୋତେ । ପ୍ରମାଣ ଯେବେ ବେଦପଥେ ॥୧୬୫
ରାତ୍ର ପାହିଲେ ଅଧିବାସ । ହୋଇବ ମଙ୍ଗଳ-ଦିବସ ॥୧୬୬
ତୁ ନାଥ ସାଜି ନନ୍ଦିଘୋଷେ । ଘେନାଇ ଯଦୁବଳ ପାଶେ ॥୧୬୭
ମଙ୍ଗଳକାଳେ ଗୋପ୍ୟ ହୋଇ । ଆସିବ ନ ଜାଣିବେ କେହି ॥୧୬୮
ଗୁପତେ ଗ୍ରାମ ଅନ୍ତେ ଥାଇ । ମୋର ଗମନେ ବାଟ ଚାହିଁ ॥୧୬୯
ସଂଗ୍ରାମେ ରାଜା ଶିଶୁପାଳ । ମୋର ପିତାର ଯେତେ ବଳ ॥୧୭୦
ଏହାଙ୍କ ଗର୍ବ ନାଶ କରି । ତୁ ମୋତେ ବଳେ ନିଅ ହରି ॥୧୭୧
ରାକ୍ଷସମତେ ବିଭାକର । କିଣିଲା ସେବକୀ ମୁଁ ତୋର ॥୧୭୨
ତୁ ନାଥ ଭାଳୁ ଅବା ଚିତ୍ତେ । ମୁଁ ତୋତେ ଆଣିବି କେମନ୍ତେ ॥୧୭୩
ରାଜାର ଅନ୍ତଃପୁରେ ଥାଉ । ତୋତେ ପାଇବି ମୁହିଁ କାହୁଁ ॥୧୭୪
ତହିଁକି କହିବି ଉପାୟ । ଶୁଣିମା ପ୍ରଭୁ ଦେବରାୟ ॥୧୭୫
ଆମ୍ଭର ଅଛି କୁଳାଚାର । କନ୍ୟାକୁ କରନ୍ତି ବାହାର ॥୧୭୬
ଭବାନୀ ପୂଜିବା ନିମନ୍ତେ । ଅମ୍ବିକା ଗୃହେ ଗ୍ରାମପ୍ରାନ୍ତେ ॥୧୭୭
ଯାତ୍ରା-ଉତ୍ସବେ ମୁହିଁ ଯିବି । ଭବାନୀ ଚରଣେ ପୂଜିବି ॥୧୭୮
ପଥେ ଆସିବା ବେଳେ ମୋତେ । ପ୍ରଜାଏ ଦେଖିବେ ସମସ୍ତେ ॥୧୭୯
ଥିବି ମୁଁ ନାରୀଙ୍କର ମେଳେ । ସେଠାରୁ ନିଅ ମୋତେ ବଳେ ॥୧୮୦
ଯାହାର ପାଦପଦ୍ମଧୂଳି । ମହତଜନେ ଶିରେ ବୋଳି ॥୧୮୧
ନୀଳଲୋହିତ କରେ ଆଶ । ଏଣେ ହୋଇବ ତମ ନାଶ ॥୧୮୨
ସେ ପାଦପଦ୍ମ ମୁହିଁ ଯେବେ । ଲଭି ନ ପାରିବି ପ୍ରସ୍ତାବେ ॥୧୮୩
ବ୍ରତେ ଶୁଖାଇ ପଞ୍ଚପ୍ରାଣ । ନିଶ୍ଚେ ଛାଡ଼ିବି ନାରାୟଣ ॥୧୮୪
ଏମନ୍ତେ ଶତେଜନ୍ମ ଯାଏଁ । ପ୍ରାଣ ଛାଡ଼ିବି ତୋର ପାୟେ ॥୧୮୫
ସତ୍ୟବଚନ ଏ ମୋହର । ତୁ କି ନ ଜାଣୁ ମାୟାଧର ॥୧୮୬
ବ୍ରାହ୍ମଣ କୃଷ୍ଣମୁଖ ଚାହିଁ । ରୁକ୍ମିଣୀ ସନ୍ଦେଶ କହଇ ॥୧୮୭
ବୋଲଇ ଯୋଡ଼ି ବେନିକର । ଯେ ତୋର ଇଚ୍ଛା ଏବେ କର ॥୧୮୮
କହଇ ଦାସ ଜଗନ୍ନାଥ । କୃଷ୍ଣ ଧଇଲେ ବିପ୍ର ହସ୍ତ ॥୧୮୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀ ଉଦ୍ବାହ ପ୍ରସ୍ତାବେ
ଷଟ୍ପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ସପ୍ତପଞ୍ଚାଶତ୍ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଭୀଷ୍ମକ-ନନ୍ଦିନୀର ବାଣୀ । ଗୋବିନ୍ଦ ବିପ୍ରମୁଖୁଁ ଶୁଣି ॥୧
ବ୍ରାହ୍ମଣ ହସ୍ତ କରେ ଧରି । ହସି ବୋଲନ୍ତି ନରହରି ॥୨
ମୋହର ତହିଁ ଚିତ୍ତେ ଦେଇ । ରୁକ୍ମିଣୀ ନିଦ୍ରା ନ ଲଭଇ ॥୩
ମୋହର ମନ ସେହିମତ । ରାତ୍ର ନୁହଇ ନିଦ୍ରାଗତ ॥୪
ଜାଣଇଁ ତାର ଜ୍ୟେଷ୍ଠ ଭାଇ । ମୋର ବିଭାରେ ରୋଷ ହୋଇ ॥୫
ଅନେକ ନିନ୍ଦା ମୋତେ କଲା । ଶିଶୁପାଳକୁ ସେ ବରିଲା ॥୬
ମୁହିଁ ଆଣିବି ତାକୁ ହରି । ସଂଗ୍ରାମେ ରିପୁବଳ ମାରି ॥୭
ସେ କନ୍ୟା ଅନନ୍ଦିତା ଦେହୀ । ଅନଳ ଶିଖା ପ୍ରାୟ ହୋଇ ॥୮
ମୋହର ପାଦେ ଧ୍ୟାନ କରି । ହୃଦରେ ମୋତେ ଅଛି ବରି ॥୯
ଏମନ୍ତେ ମଦନଗୋପାଳ । ଜାଣିଣ ବିଭାଲଗ୍ନ ବେଳ ॥୧୦
ଦାରୁକେ ରାଇ ଦାମୋଦର । ବୋଇଲେ ରଥ ସଜ କର ॥୧୧
ଶୁଣି ଦାରୁକ ଯାଇ ବେଗେ । ରଥ ସାଜିଲା ଅତି ବ୍ୟଗ୍ରେ ॥୧୨
ଶୈବ୍ୟ ସୁଗ୍ରୀବ ମେଘପୁଷ୍ପ । ଯୋଚିଲା ବଳାହକ ଅଶ୍ୱ ॥୧୩
ଗୋବିନ୍ଦ ନିକଟେ ମିଳିଲା । କରଅଞ୍ଜଳି ଶିରେ ଦେଲା ॥୧୪
ଆନନ୍ଦେ ବିପ୍ର କର ଧରି । ରଥେ ବସିଲେ ନରହରି ॥୧୫
ଦାରୁକ ରଥ ବାହେ ବଳେ । ଶୂନ୍ୟେ ଗମିଲେ ରାତ୍ରକାଳେ ॥୧୬
କୁଣ୍ତୀ ନଗରେ ଏକାରାତ୍ରେ । ମିଳିଲେ ଅଳପ ପ୍ରଭାତେ ॥୧୭
ଭୀଷ୍ମକ ପୁତ୍ରରବଶ ହୋଇ । ଶିଶୁପାଳକୁ ବିଭାପାଇଁ ॥୧୮
ମଙ୍ଗଳକାର୍ଯ୍ୟେ ଦେଇ ଚିତ୍ତ । ପୁରମଣ୍ତିଲା ନରନାଥ ॥୧୯
ଚନ୍ଦନଛେରା ରାଜପଥେ । ମାର୍ଜନା କରି ନାନାମତେ ॥୨୦
ଚିତ୍ର ପତାକା ଧ୍ୱଜ ଦେଇ । ପଲ୍ଲବ ତୋରଣ ଲମ୍ବାଇ ॥୨୧
ବିବିଧ ଅଳଙ୍କାର ଭରି । ରାଜ୍ୟରେ ଯେତେ ନରନାରୀ ॥୨୨
ଗନ୍ଧଚନ୍ଦନ ପୁଷ୍ପସାର । ବିବିଧ ନାନା ଉପହାର ॥୨୩
ନାରୀ ପୁରୁଷେ ସଜ ହୋଇ । ଗୃହେ ଅଗୁରୁ ଧୂପ ଦେଇ ॥୨୪
ମଙ୍ଗଳ ଶ୍ରାଦ୍ଧେ ବିପ୍ରଜନ । ରାଜା କରାଇଲେ ଭୋଜନ ॥୨୫
ପିତୃଦେବତା ପୂଜା ସାରି । ବ୍ରାହ୍ମଣେ ଶାନ୍ତିବାକ୍ୟ କରି ॥୨୬
ମଙ୍ଗଳଘୋଷ ନାନାବାଦ୍ୟ । ବିପ୍ରେ ପଢନ୍ତି ଶୁଭବେଦ ॥୨୭
ଯୁବତୀଗଣେ ଗୀତରସ । ଦ୍ୱିଜେ କରନ୍ତି ଅଧିବାସ ॥୨୮
ମଙ୍ଗଳଗୀତେ ବଧୂଜନ । କନ୍ୟାକୁ କରାଇଲେ ସ୍ନାନ ॥୨୯
କୁଙ୍କୁମ ଲେପି କଳେବର । ମଙ୍ଗଳସୂତ୍ର ବାନ୍ଧି କରେ ॥୩୦
ଉତ୍ତମ ଅଳଙ୍କାର ଦେଇ । ମଙ୍ଗଳନାଦେ ଗୀତ ଗାଇ ॥୩୧
ବ୍ରାହ୍ମଣେ ବେଦମନ୍ତ୍ରେ ଦୀକ୍ଷା । କନ୍ୟାକୁ କରାଇଲେ ରକ୍ଷା ॥୩୨
ଗୋଚରେ ଗ୍ରହଶାନ୍ତି ଅର୍ଥେ । ଅଥର୍ବବେଦୀ ପୁରୋହିତେ ॥୩୩
ହୋମ କରାଇ ଗ୍ରହ ଶାନ୍ତି । ଆନନ୍ଦମନେ ମହୀପତି ॥୩୪
ହେମ ରଜତ ବସ୍ତ୍ର ତିଳ । ଗୁଡେ଼ ମିଶାଇଣ ପ୍ରବାଳ ॥୩୫
ସୁବର୍ଣ୍ଣଶୃଙ୍ଗ ଧେନୁ ଦେଇ । ବିପ୍ରଙ୍କୁ ସନ୍ତୋଷ କରାଇ ॥୩୬
ବେଦ ଆଗମ ପଥଭେଦି । ରାଜା ଜଣାଇ ସର୍ବବିଧି ॥୩୭
ଏମନ୍ତେ ରାଜା ଦମଘୋଷ । ଉତ୍ସବ କଲା ନିଜ ଦେଶ ॥୩୮
ପୁତ୍ରର ଶୁଭଅର୍ଥେ ରାଜା । ପିତୃଦେବତା କଲା ପୂଜା ॥୩୯
ମଙ୍ଗଳସୂତ୍ର ବାନ୍ଧି ହସ୍ତେ । ବସିଲା ଶିଶୁପାଳ ରଥେ ॥୪୦
ମତ୍ତକୁଞ୍ଜର ଅଶ୍ୱରଥୀ । ପଦାତିତୁଲେ ନରପତି ॥୪୧
ଘେନାଇ ଚତୁରଙ୍ଗ ବଳ । ବାଜଇ ବାଦ୍ୟ ସୁମଙ୍ଗଳ ॥ ୪୨
କୁଣ୍ତୀନଗରେ ବେଗେ ଗଲା । ହରଷେ ଦମଘୋଷ ବଳା ॥ ୪୩
ଭୀଷ୍ମକ ଆସି କିଛି ଦୂର । ପ୍ରବେଶ କରାଇଲା ପୁର ॥ ୪୪
ଉତ୍ତମ ଗୃହେ ବାସ ଦେଇ । ପୂଜିଲା ଆସନେ ବସାଇ ॥ ୪୫
ଶିଶୁପାଳର ପକ୍ଷ ହୋଇ । ରାଜାଏ ମିଳିଛନ୍ତି ଯାଇ ॥ ୪୬
ଶାଲ୍ୱ ମଗଧ ନରନାଥ । ବିକଟ ଦନ୍ତ ବିଦୂରତ ॥ ୪୭
ପୌଣ୍ତ୍ରକ ଆଦି ଯେତେ ଥିଲେ । ସହସ୍ର ସଂଖ୍ୟାରେ ମିଳିଲେ ॥ ୪୮
ସ୍ୱଭାବେ କୃଷ୍ଣର ବଇରି । ଶିଶୁପାଳର ହିତକାରୀ ॥ ୪୯
ବୋଲନ୍ତି ରାମକୃଷ୍ଣ ଆସି । ଗୁପତେ ସଭାମଧେ ବସି ॥ ୫୦
ନପୁଣ କନ୍ୟା ହରି ନ୍ୟନ୍ତି । ଏମନ୍ତ ଭାଳି କଲେ ଭ୍ରାନ୍ତି ॥ ୫୧
ମିଳିଲେ ଦଣ୍ତ ସଜକରି । ଯୁଦ୍ଧେ ମାରିବା ରାମହରି ॥ ୫୨
ଶିଶୁପାଳକୁ କନ୍ୟାଦେଇ । ଧରଣୀ ମଧ୍ୟେ ଯଶ ଥାଇ ॥ ୫୩
ଏମନ୍ତ ଭାଳି ଦୃଢ କଲେ । ବିଦର୍ଭ ଦେଶରେ ମିଳିଲେ ॥ ୫୪
ଯେ ଯାହା ଅଙ୍ଗ ବଳ ଘେନି । ଶବଦେ କମ୍ପାଇ ମେଦିନୀ ॥ ୫୫
ଏକଥା ଶୁଣି ବଳରାମ । ବିପକ୍ଷ ନଡପତି ଆଗମ ॥ ୫୬
କୃଷ୍ଣ ଯେ ଗଲେ ଏକା ରଥେ । ନପୁଣ ଗୋଳ ହୋଏ ରଥେ ॥ ୫୭
ଏମନ୍ତ ମନେ ଶଙ୍କା କରି । ସଜ ହୋଇଲେ ହଳଧାରୀ ॥ ୫୮
ଅନେକ ବଳ ଘେନି ପାଶେ । ଧାଇଁଲେ ଭ୍ରାତୃସ୍ନେହ ବଶେ ॥ ୫୯
ଏମନ୍ତ ଶୁଣ ନୃପମଣୀ । ଭବନେ ଭୀଷ୍ମକ ନନ୍ଦୀନୀ ॥ ୬୦
କୃଷ୍ଣ ଆଗମେ ଆଶା କରି । ଜୀବନେ ନ ପାରଇ ଧରି ॥ ୬୧
ନ ଦେଖି ବିପ୍ର ଆଗମନ । କାତରେ କମ୍ପଇ ଜୀବନ ॥ ୬୨
କାନ୍ଦଇ ଦଇବ ସୁମରି । ଧରଣୀ ଗତେ ଶିର ତାଡି ॥ ୬୩
ରାତ୍ର ପାଇଲେ ବିଭା ମୋର । କିମ୍ପା ନଇଲେ ଦାମୋଦର ॥ ୬୪
ବ୍ରାହ୍ମଣ ନଇଲା ମୋହର । କେମନ୍ତେ ଧରିବି ଶରୀର ॥ ୬୫
ସେ ହରି କୃପା-ପୟୋନିଧି । ମୁଁ ଅବା ପାପୀ ଅପରାଧୀ ॥ ୬୬
ନିନ୍ଦିତକର୍ମ ଦେଖି ମୋର । କୋପ କି କଲେ ଚକ୍ରଧର ॥ ୬୭
ବିବାହ ଅର୍ଥେ ମୋ ନଇଲେ । ଦଇବ ମୋତେ ମାୟା କଲେ ॥ ୬୮
ଈଶ୍ୱରସେବା ମୋର ନାହିଁ । କୃଷ୍ଣ ଦେଖିବି ଅବା କାହିଁ ॥ ୬୯
ମୋରେ ବା ବିମୁଖ ଭବାନୀ । ଅନେକ ଅପରାଧ ଘେନି ॥ ୭୦
ଏମନ୍ତେ କୃଷ୍ଣ ଆଗମନେ । ନିଶ୍ଚଳ-ଧ୍ୟାନ କଲା ମନେ ॥ ୭୧
ଅଶ୍ରୁପୂରିତ ବେନିଡୋଳେ । ନିରାଶେ ରହିଲା ନିଶ୍ଚଳେ ॥ ୭୨
କୃଷ୍ଣ ଆଗମେ ମନ ଦେଲା । ଏମନ୍ତେ ଶୁଭ ପ୍ରକାଶିଲା ॥ ୭୩
ସ୍ପୁରଇ ବାମନେତ୍ର ତାର । ଜାନୁ କମ୍ପଇ ଥରହର ॥ ୭୪
କୃଷ୍ଣ ଯେ ଯାଉଥିଲେ ପଥେ । ବ୍ରାହ୍ମଣ ଘେନି ନିଜ ରଥେ ॥ ୭୫
ବୋଇଲେ ବିପ୍ରମୁଖ ଚାହିଁ । କହ ରୁକ୍ମିଣୀ ଆଗେ ଯାଇ ॥ ୭୬
ଅଇଲୁ ବୋଲି ବେଗେ କହ । ନୋହିଲେ ଛାଡ଼ିବଟି ଦେହ ॥ ୭୭
ଗୋବିନ୍ଦବାଣୀ ଶୁଣି କର୍ଣ୍ଣେ । ବ୍ରାହ୍ମଣ ଗଲା ତୋଷମନେ ॥ ୭୮
ରାଜାର ଭୁବନେ ପଶିଲା । ରୁକ୍ମିଣୀ ନିକଟେ ମିଳିଲା ॥ ୭୯
ନୟନେ ଦେଖି ବିପ୍ରବର । ଚଞ୍ଚଳଚିତ୍ତ କଲା ସ୍ଥିର ॥ ୮୦
ବ୍ରାହ୍ମଣ ହରଷବଦନ । ଦେଖିରୁକ୍ମିଣୀ ତୋଷମନ ॥ ୮୧
ଶୁଭଲକ୍ଷଣ ଦେଖି ତାର । ଚରଣେ କଲା ନମସ୍କାର ॥ ୮୨
ବେନିଚରଣେ କର ଦେଇ । ପୁଚ୍ଛଇ ବିପ୍ରମୁଖ ଚାହିଁ ॥ ୮୩
ବ୍ରାହ୍ମଣ କହେ ଶୁଭବାଣୀ । ବିଜୟ କଲେ ଚକ୍ରପାଣି ॥ ୮୪
ସତ୍ୟବଚନ ମୋତେ କହି । କୃଷ୍ଣ ଅଇଲେ ତୋର ପାଇଁ ॥ ୮୫
ଲିଭିବୁ ତ୍ରୈଲୋକ୍ୟଠାକୁର । ଧନ୍ୟ ଗୋ ଜନନୀ ତୋହର ॥ ୮୬
କୃଷ୍ଣ ଆଗମ କଥା ଶୁଣି । ଆନନ୍ଦସାଗରେେ ରୁକ୍ମିଣୀ ॥ ୮୭
ବୁଡି ହୋଇଲା ଛନଛନ । ନିକଟେ ନ ଦେଖଇ ଜନ ॥ ୮୮
ଅନ୍ୟ ପ୍ରିୟକୁ ନ ଗଣଇ । ବ୍ରାହ୍ମଣ ଚରଣେ ପୂଜଇ ॥ ୮୯
ଏମନ୍ତେ ଶୁଣ ନରନାଥେ । କୃଷ୍ଣ ରହିଲେ ଏକା ରଥେ ॥ ୯୦
ଦୂତେ ଯେ ଜଗିଥିଲେ ପଥେ । କୃଷ୍ଣଙ୍କୁ ଦେଖିଲେ ସେ ରଥେ ॥ ୯୧
ରାମର ସଙ୍ଗେ ଯଦୁବଳ । ଶୁଣିଲେ ମୁଖରାବର ରୋଳ ॥ ୯୨
ବେଗେ ଭୀଷ୍ମକ ଆଗେ ଯାଇ । କହିଲେ ଶିରେ କର ଦେଇ ॥ ୯୩
ଶୁଣ ଭୀଷ୍ମକ ମହୀପାଳ । ଶୁଣିଲୁ ମୁଖରାବ ରୋଳ ॥ ୯୪
ରାମଗୋବିନ୍ଦ ସୈନ୍ୟ ଘେନି । ନଗ୍ରେ ପଶିଲେ ଏହିକ୍ଷଣି ॥ ୯୫
ଅନେକ ବଳ ତାଙ୍କ ସଙ୍ଗେ । ବିବାହ ଦେଖିବାର ରଙ୍ଗେ ॥ ୯୬
ଆଗେ ଅଇଲେ ବେନିଭାଇ । କହିଲୁ ଆମ୍ଭ ଦୋଷ ନାହିଁ ॥ ୯୭
ଶୁଣି ସଂଭ୍ରମେ ନୃପବର । ଘେନାଇ ନାନା ଉପହାର ॥ ୯୮
ସୁବର୍ଣ୍ଣ ପାତ୍ରେ ମଧୁରସ । ନୀଳଦୁକୂଳ ପୀତବାସ ॥ ୯୯
ବିବିଧ ଉପହାର ଘେନି । ଭାବେ ପୂଜିଲା ଭାଇ ବେନି ॥ ୧୦୦
ଉତ୍ତମପୁରେ ଦେଲା ସ୍ଥାନ । ପୂଜିଲା ଯଥା ବିଧିବିଧାନ ॥ ୧୦୧
ରାଜାଏ ଆସିଛନ୍ତି ଯେତେ । ପୂଜିଲା ଯଥାବିଧି ମତେ ॥୧୦୨
କୃଷ୍ଣଆଗମ କଥା ଶୁଣି । ବିଦର୍ଭପୁରେ ଯେତେ ପ୍ରାଣୀ ॥୧୦୩
ସକଳେ ନିଜପୁର ଛାଡ଼ି । ଧାଇଁଲେ ରାଜପଥ ମାଡ଼ି ॥୧୦୪
କୃଷ୍ଣଙ୍କୁ ଦେଖି ବେନିନେତ୍ରେ । ଅଞ୍ଜଳି କରି ନେତ୍ର-ପାତ୍ରେ ॥୧୦୫
ଗୋବିନ୍ଦ-ମୁଖ-ପଦ୍ମ-ରସ । ପିବନ୍ତେ ନୋହେ ମନତୋଷ ॥୧୦୬
ଆନନ୍ଦେ ବୋଲନ୍ତି ଯୁବତୀ । ରୁକ୍ମିଣୀ ସଦୃଶ ଏ ପତି ॥୧୦୭
କନ୍ୟା ସଦୃଶ ଏହୁ ବର । ତୁଳନା ନାହିଁ ତିନିପୁର ॥୧୦୮
ଆମ୍ଭର ପୁଣ୍ୟବଳ ଯେତେ । ତେଣୁ ଈଶ୍ୱର ତୋଷଚିତ୍ତେ ॥୧୦୯
ପ୍ରସନ୍ନ ହୋନ୍ତୁ ଶୂଳଧର । ରୁକ୍ମିଣୀ ଲଭୁ ଏହୁ ବର ॥୧୧୦
ଏମନ୍ତ ବୋଲୁ ବୋଲୁ ଜନ । ଶୁଭିଲା ନାନାବାଦ୍ୟ ସ୍ୱନ ॥୧୧୧
ରୁକ୍ମିଣୀ ଘେନି ବିପ୍ରନାରୀ । ସଙ୍ଗେ ଅଛନ୍ତି ପରିବାରୀ ॥୧୧୨
ଆବୋରି ଚତୁରଙ୍ଗ ବଳ । ଶୂନ୍ୟେ ଦେଖନ୍ତି ଦିଗପାଳ ॥୧୧୩
ବୀରେ ଆବୋରି ଚଉପାଶେ । ଗମନ୍ତି ରିପୁବଳ ତ୍ରାସେ ॥୧୧୪
ବେନିଚରଣେ ଚାଲେ ପଥେ । ଅମ୍ବିକା ପୂଜିବା ନିମନ୍ତେ ॥୧୧୫
କୃଷ୍ଣଚରଣେ ମନ ଦେଇ । ଚାଲଇ ଚଉଦିଗ ଚାହିଁ ॥୧୧୬
ମାତାଙ୍କ ସଙ୍ଗେ ଚାଲେ ପଥେ । କଥା ନ କହି ମୌନବ୍ରତେ ॥୧୧୭
ରାଜପୁରୁଷେ ଆଗସରି । ଚାଲନ୍ତି ନାନା ଶସ୍ତ୍ର ଧରି ॥୧୧୮
ମୃଦଙ୍ଗ ଶଙ୍ଖ ତୁରୀ ଭେରୀ । ଶୁଭଇ ଦଶଦିଗ ପୂରି ॥୧୧୯
ଶତ ସହସ୍ର ପରିବାରୀ । କରେ ଚାମର ଛନ୍ତି ଧରି ॥୧୨୦
ଆଗେ ଖଟନ୍ତି ବେଶ୍ୟାନାରୀ । ଚଳନ୍ତି ରଙ୍ଗେ ନୃତ୍ୟକରି ॥୧୨୧
ବ୍ରାହ୍ମଣନାରୀ କନ୍ୟା ସଙ୍ଗେ । ପୁଷ୍ପଚନ୍ଦନ ରତ୍ନ ଅଙ୍ଗେ ॥୧୨୨
ସୂତ ମାଗଧ ସ୍ତୁତି ରଙ୍ଗେ । ନାନା ସୁବାଦ୍ୟ ଗୀତ ସଙ୍ଗେ ॥୧୨୩
କନ୍ୟା ଆବୋରି ଯୂଥ ଯୂଥ । ସୁନ୍ଦର ଦିଶେ ରାଜପଥ ॥୧୨୪
ଦେବୀଭୁବନେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି ॥୧୨୫
କର ଚରଣ ମୁଖ ଧୋଇ । ରୁକ୍ମିଣୀ ହସ୍ତେ ପୁଷ୍ପ ଦେଇ ॥୧୨୬
ଦେବୀ ଅଗ୍ରତେ ନେଇ କରି । ପାଶେ ବସିଲେ ବିପ୍ରନାରୀ ॥୧୨୭
ବୟସେ ଅଧିକ ଖଟନ୍ତି । ସକଳ ବିଧି ସେ ଜାଣନ୍ତି ॥୧୨୮
କନ୍ୟାର ସ୍ୱାମୀ ହିତ ଅର୍ଥେ । ପୂଜା କରାଇ ନାନାମତେ ॥୧୨୯
ବୋଇଲେ ନମସ୍କାର କର । ଯେମନ୍ତ ବାଞ୍ଛା ମନେ ତୋର ॥୧୩୦
ଆପଣା ସ୍ୱାମୀସୁଖ ଅର୍ଥେ । ବର ତୁ ମାଗ ଶୁଦ୍ଧଚିତ୍ତେ ॥୧୩୧
ଶୁଣି ରୁକ୍ମିଣୀ କରଯୋଡ଼ି । କହେ ଅମ୍ବିକା ପାଦେ ପଡ଼ି ॥୧୩୨
ନମଇ ଅମ୍ବିକାର ପାଦେ । ସକଳ-ସୁଖ-ବରପ୍ରଦେ ॥୧୩୩
ପୁତ୍ର ଦୁହିତା ସୁଖ ଘେନି । ଈଶ୍ୱରି ହୁଅ ବରଦାନୀ ॥୧୩୪
ଭୋ ମାତ ତୋହର ପ୍ରସାଦେ । ବର ମାଇଇ ଅପ୍ରମାଦେ ॥୧୩୫
କୃଷ୍ଣ ମୋହର ବର ହେଉ । ତା ପାଦ ସେବି ଦିନ ଯାଉ ॥୧୩୬
ପବିତ୍ରଜଳ ଗନ୍ଧାକ୍ଷତ । ବସ୍ତ୍ରଭୂଷଣ ନାନାମତ ॥୧୩୭
ଅନେକ ଉପହାର ଦେଇ । ଧୂପ ପ୍ରଦୀପ ତଳେ ଥୋଇ ॥୧୩୮
ବ୍ରାହ୍ମଣନାରୀ ସୁଲକ୍ଷଣୀ । ଦେବୀପ୍ରସାଦ ଦେଲେ ଆଣି ॥୧୩୯
ପ୍ରସାଦ ଘେନି କନ୍ୟା ହସ୍ତେ । ନାରୀଙ୍କି ଦେଲା ନାନାମତେ ॥୧୪୦
ଶେଷେ ଘେନିଲା ନିଜ ଶିରେ । ନମିଲା ନାରୀଙ୍କ ପୟରେ ॥୧୪୧
ମଉନବ୍ରତ କଲା ଦୂର । ମନ୍ଦିରୁ ହୋଇଲା ବାହାର ॥୧୪୨
ସଖୀଏ ବାମପାଶେ ଥିଲା । ତାହାର କନ୍ଧେ ହସ୍ତ ଦେଲା ॥୧୪୩
ରତ୍ନମୁଦ୍ରିକା ବିରାଜଇ । ଚଞ୍ଚଳେ ଚଉଦିଗେ ଚାହିଁ ॥୧୪୪
ଅଂଶେ କମଳା ଅବତାର । ରୂପେ କି ଦେବା ପଟାନ୍ତର ॥୧୪୫
କିଏ ସ୍ୱରୂପେ ଦେବମାୟା । ବୀରମୋହିନୀ ରୂପ ଏହା ॥୧୪୬
ଦଇବ ଭିଆଇଲା ବାମା । ଜଗମୋହିନୀ ଏ ସୁଷମା ॥୧୪୭
ନବଯୁବତୀ ମଧ୍ୟେ ବାମା । ଚିତ୍ର କି କଲା ବିଶ୍ୱକର୍ମା ॥୧୪୮
ରତ୍ନକୁଣ୍ତଳ କର୍ଣ୍ଣେ ଶୋହେ । ତିନିଭୁବନ ମନମୋହେ ॥୧୪୯
କଟିମେଖଳା କଣ୍ଠମାଳ । ନାନାରତନେ କି ଉଜ୍ଜ୍ୱଳ ॥୧୫୦
ହୃଦୟ ଫୁଟି ବେନି ସ୍ତନ । କୁନ୍ତଳେ ଶଙ୍କିତ ନୟନ ॥୧୫୧
ଅଳପହାସେ ମୁଖରଙ୍ଗ । ଓଷ୍ଠ ପାଚିଲା ଫଳ ବିମ୍ବ ॥୧୫୨
କୁନ୍ଦକୁଳିକା ଦନ୍ତପନ୍ତି । ଯେହ୍ନେ ସିନ୍ଦୂରେ ଗଜମୋତି ॥୧୫୩
ରାଜହଂସର ପ୍ରାୟେ ଧୀରେ । ଚାଲଇ ନୂପୁର ପୟରେ ॥୧୫୪
ବିବାହଯାତ୍ରା ଛଳେ ଆସି । ଅନେକ ରାଜା ଥିଲେ ବସି ॥୧୫୫
ଏମନ୍ତେ ରୁକ୍ମିଣୀ ବଦନ । ଦେଖି ହାରିଲେ ନିଜ ଜ୍ଞାନ ॥୧୫୬
ରୁକ୍ମିଣୀ ରୂପ ଦେଖି ବୀରେ । ଜ୍ଞାନ ହାରିଲେ କାମଜ୍ୱରେ ॥୧୫୭
ଗଜ ତୁରଙ୍ଗ ରଥେ ଥାଇ । ରୁକ୍ମିଣୀ ରୂପକୁ ଅନାଇଁ ॥୧୫୮
ହସ୍ତୁ ପଡ଼ିଲା ଶସ୍ତ୍ର ଝଡ଼ି । ଅଜ୍ଞାନ ହୋଇ ତଳେ ପଡ଼ି ॥୧୫୯
ଏମନ୍ତେ ଦେବୀଯାତ୍ରା ଛଳେ । ଚାଲଇ ଯୁବତୀଙ୍କ ମେଳେ ॥୧୬୦
ଆପଣା ଦେହର ଯେ କାନ୍ତି । ଦେଖାଇ ଲୋଡ଼ଇ ଶ୍ରୀପତି ॥୧୬୧
ଗଗନେ ଟେକିଣ ବଦନ । ଚିନ୍ତଇ କମଳଲୋଚନ ॥୧୬୨
କେତେହେଁ ଦୂର ପୁଣି ଯାଇ । ବିକଳେ ଦଶଦିଗେ ଚାହିଁ ॥୧୬୩
ନୟନେ ନିରେଖି ସଧିରେ । ଶୂନ୍ୟେ ଦେଖିଲା ଚକ୍ରଧରେ ॥୧୬୪
ନୟେନେ ଅନଳକୁ ଚାହିଁ । ପତଙ୍ଗ ଯେହ୍ନେ ପଡେ଼ ଧାଇଁ ॥୧୬୫
ଗଗନେ ଦେଖି କୃଷ୍ଣରଥ । ବେଗେ ତୋଳିଲା ବେନିହସ୍ତ ॥୧୬୬
ରଥେ ଉଠିଲା ପ୍ରାୟ ମଣି । କର ଧଇଲେ ଚକ୍ରପାଣି ॥୧୬୭
ନେଇଣ ବସାଇଲେ କୋଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥୧୬୮
ମାଗଧ ଆଦି ରିପୁ ଯେତେ । ସକଳ ଦୃଷ୍ଟି କୃଷ୍ଣରଥେ ॥୧୬୯
ଗରୁଡ଼ଧ୍ୱଜ ରଥେ ଆଣି । କୋଳେ ବସାଇ କମଳିନୀ ॥୧୭୦
କ୍ଷତ୍ରିୟବଳ ତୁଚ୍ଛ କରି । ସାରଙ୍ଗଧନୁ କରେ ଧରି ॥୧୭୧
ବିଜୟ କଲେ ଦାମୋଦର । ସଙ୍ଗେ ସାତ୍ୟକି ହଳଧର ॥୧୭୨
ଯାଦବବଳ ଅପ୍ରମିତ । ଗହଳେ ନ ଦିଶଇ ପଥ ॥୧୭୩
ଶୃଗାଳ ମଧ୍ୟୁ ମାଂସଭାଗ । ବଳେ ହରଇ ଯେହ୍ନେ ସିଂହ ॥୧୭୪
ଦେଖି ଚକିତ ସର୍ବଜନ । ଥିଲେ ଯେ ଅନେକ ରାଜନ ॥୧୭୫
ଏକ ଆରେକ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ପୁରଇ ॥୧୭୬
ଶୁଭଇ ନେଲା ନେଲା ବାଣୀ । ଚହଳେ କମ୍ପଇ ଧରଣୀ ॥୧୭୭
ଘଡ଼ିକେ ଜାଣିଲେ ସକଳେ । କନ୍ୟା ହରିଲେ କୃଷ୍ଣ ବଳେ ॥୧୭୮
କୃଷ୍ଣର ରିପୁରାଜା ଯେତେ । ବିବିଧ ଶସ୍ତ୍ର ଘେନି ହସ୍ତେ ॥୧୭୯
ଶିଶୁପାଳର ସଭାତଳେ । ପ୍ରତିଜ୍ଞା କଲେ ସେହୁବଳେ ॥୧୮୦
ଆମ୍ଭେ ଆଣିବୁ ତୋର ନାରୀ । ସଂଗ୍ରାମେ ରାମକୃଷ୍ଣ ମାରି ॥୧୮୧
ଏବେ ହୋଇଲା ଯଶ ନାଶ । ସମ୍ଭ୍ରମେ ଛାଡ଼ନ୍ତି ନିଃଶ୍ୱାସ ॥୧୮୨
ବୋଲନ୍ତି ଅଧର କାମୋଡ଼ି । ଆପଣା ଶିରେ କର ତାଡ଼ି ॥୧୮୩
ଆମ୍ଭର ବଳ ଧିକ୍ ହେଉ । ଗୃଧ୍ର ଶୃଗାଳ ମାଂସ ଖାଉ ॥୧୮୪
ଗୋପାଳେ ନେଲେ ବଳ କରି । ଆମ୍ଭର ମଧ୍ୟୁ କନ୍ୟା ହରି ॥୧୮୫
ଶୃଗାଳ ସିଂହଭାଗ ନେଲା । ଏମନ୍ତ ଶବଦ ଶୁଭିଲା ॥୧୮୬
ରୁକ୍ମିଣୀ ହରଣ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୮୭
ବୋଲଇ ଦାସ ଜଗନ୍ନାଥ । ସଜ ହୋଇଲେ ନୃପଯୂଥ ॥୧୮୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀହରଣଂ ନାମ ସପ୍ତପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ଅଷ୍ଟପଞ୍ଚାଂଶ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ଶୁକ ରାଜା ଆଗେ । ଏମନ୍ତ ବୋଲି ଚାରିଦିଗେ ॥୧
ଯେ ଯାହା ବାହାନ ଆବୋରି । ଅଙ୍ଗେ ସକଳେ ସ୍ନେହା ଭରି ॥୨
ସବୁ ସଇନ୍ୟ କରି ଆଗେ । ଧାଇଁଲେ ଶସ୍ତ୍ର ଘେନି ବେଗେ ॥୩
ବୋଲନ୍ତି ମାର ମାର ବାଣୀ । ଯାଦବବଳ ତାହା ଶୁଣି ॥୪
ଥିଲେ ଯେ ରାମ କୃଷ୍ଣ ପାଖେ । ଆବୋରି ରହିଲେ ସମ୍ମୁଖେ ॥୫
କୋପେ କରନ୍ତି ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥୬
ଅଶ୍ୱ କୁଞ୍ଜର ରଥେ ଥାଇ । ନିଜ କୋଦଣ୍ତ ଗୁଣ ଦେଇ ॥୭
ଶର ବିନ୍ଧନ୍ତି ମେଘ ପ୍ରାୟେ । ପଡ଼ଇ ଯାଦବଙ୍କ ଦେହେ ॥୮
ଗିରିଶିଖରେ ଘୋଟି ଘନେ । ବୃଷ୍ଟି କରନ୍ତି ଯେହ୍ନେ ବନେ ॥୯
ଯାଦବବଳେ ବାଣ ସୃଷ୍ଟି । ଦେଖି ରୁକ୍ମିଣୀ ଭୟଦୃଷ୍ଟି ॥୧୦
ଲଜ୍ଜାରେ ଜଡ଼ିତ ନୟନ । ଚାହିଁଲା କୃଷ୍ଣର ବଦନ ॥୧୧
ବାଣବରଷଣେ ଅନାଇଁ । କମ୍ପଇ କୃଷ୍ଣକୋଳେ ଥାଇ ॥୧୨
ହାସବଦନେ ଭାଗଗ୍ରାହୀ । ବୋଲନ୍ତି କନ୍ୟାମୁଖ ଚାହିଁ ॥୧୩
କିମ୍ପା ସୁନ୍ଦରୀ ପାଉ ତ୍ରାସ । ହେଳେ ତୋ ରିପୁ ଯିବେ ନାଶ ॥୧୪
ମୋହର ବଳ ଦେଖ ଏବେ । ଅକ୍ଷୟ ଅଟନ୍ତି ଯାଦବେ ॥୧୫
ଏମନ୍ତ ବୋଲୁ ବୋଲୁ ଭାବେ । ସଂଗ୍ରାମେ ଧାଇଁଲେ ଯାଦବେ ॥୧୬
ଗଦ ସଙ୍କରଷଣ ଆଦି । ଯାଦବବଳେ ଏ ପ୍ରସିଦ୍ଧି ॥୧୭
କରିଣ ବାଣବୃଷ୍ଟି ଘୋର । ଦିବସ କଲେ ଅନ୍ଧକାର ॥୧୮
ରଥକୁଞ୍ଜର ଅଶ୍ୱ ତୁଲେ । ତୀକ୍ଷ୍ମ ନାରାଚେ ସଂହାରିଲେ ॥୧୯
ରିପୁଙ୍କ ଶିର କୋଟି କୋଟି । ଛିଡ଼ି ପଡ଼ିଲେ ମହୀ ଘୋଟି ॥୨୦
କନ୍ଧ ସହିତେ ମୁଣ୍ତମାଳ । ଲୋଟନ୍ତି କିରୀଟ କୁଣ୍ତଳ ॥୨୧
ଗଦା ଖଡ଼ଗ ବାଣ ହସ୍ତେ । ଛିଡ଼ି ପଡ଼ିଲେ ମହୀଗତେ ॥୨୨
ହସ୍ତ ହୃଦୟ ଜାନୁ ଛିଡ଼ି । ପଡ଼ିଣେ ରଣଭୂମି ମାଡ଼ି ॥୨୩
ତୁରଙ୍ଗ ଅଶ୍ୱତର ନାଗ । ଉଷ୍ଟ୍ର ଗର୍ଦ୍ଦଭ ଶିର ଭାଗ ॥୨୪
ମନୁଷ୍ୟ ଶିର ସଙ୍ଗେ ପଡ଼ି । ଭଲେ ନ ଦିଶେ ବସୁନ୍ଧରୀ ॥୨୫
ଦେଖି ଯାଦବବଳେ ତେଜ । ରଣେ ଭାଜିଲେ ସର୍ବରାଜା ॥୨୬
ମାଗଧ ଆଦି ସର୍ବବୀରେ । ମିଳିଲେ ବିଦର୍ଭ ନଗରେ ॥୨୭
ଦେଖିଲେ ଛାୟାବେଦୀ ମଧ୍ୟେ । ବର ବସିଛି କନ୍ୟା ସଧେ ॥୨୮
ଦାରାହରଣ ଶୋକ ଦୁଃଖେ । ଧୂଳି ପଡ଼ିଲା ପ୍ରାୟ ମୁଖେ ॥୨୯
ଲଜ୍ଜାରେ ଶୁଖିଲା ଅଧର । ସୁନ୍ଦରପଣ ହେଲା ଦୂର ॥୩୦
ଛାଡ଼ିଲା ବିବାହର ଆଶ । ଲାଜେ ନ ଚାହେଁ ଦଶଦିଶ ॥୩୧
ବଚନ ନ ସ୍ପୁରଇ ମୁଖେ । ରାଜାଏ ବସି କର ପାଖେ ॥୩୨
ବୋଲନ୍ତି ଶୁଣ ନରରାୟ । ମନେ ନ କର ଦୁଃଖ ଭୟ ॥୩୩
ବିମନ ଛାଡ଼ ବେଗେ ତୁହି । ଶୁଣ ତୁ ଯାହା ଆମ୍ଭେ କହି ॥୩୪
ଅର୍ଜିଲା କର୍ମ ଭୁଞ୍ଜେ ଦେହୀ । ଏହାର ପ୍ରିୟାପ୍ରିୟ ନାହିଁ ॥୩୫
ଏ ଦେହୀ ଈଶ୍ୱର ଆୟତ୍ତ । ସ୍ୱକର୍ମ ପଥେ ଆତଯାତ ॥୩୬
କାଷ୍ଠପିତୁଳୀ ହସ୍ତେ ନେଇ । କୁହୁକୀ ଯେମନ୍ତ ନଚାଇ ॥୩୭
ପ୍ରତିମା ନାଚେ ସେହିମତ । ସେ ଯେହ୍ନେ କୁହୁକୀ ଆୟତ୍ତ ॥୩୮
ଈଶ୍ୱର ଆୟତ୍ତ ଏ ଦେହୀ । ଏହାର ଦୁଃଖ ସୁଖ ନାହିଁ ॥୩୯
ଜରା କହଇ ସାଧୁବାଣୀ । ବିଧାତା ଗତିକୁ ନ ଜାଣି ॥୪୦
ଶୁଣ ମୋହର କର୍ମବାଣୀ । ବଳ ଦେଇଣ ଅକ୍ଷୌହିଣୀ ॥୪୧
ସପତଦଶ ବାର ହାରି । ବେଳେ ଜିଣିଲି ରାମ ହରି ॥୪୨
ଏହା ମୁଁ ଅନୁଭବ କରି । ଜୟ ଅଜୟ ନ ବିଚାରି ॥୪୩
ହରଷ ଶୋକେ ନାହିଁ ଇଚ୍ଛା । ନିଜ କରମଫଳ ଦୀକ୍ଷା ॥୪୪
ଜୀବଟି କର୍ମେ ଆତଯାତ । କାଳର କ୍ରୀଡ଼ା ଏ ଜଗତ ॥୪୫
ଦେଖ ଏ କାଳର ମହିଁମା । ଆମ୍ଭେ ସକଳେ ବୀର ସିନା ॥୪୬
ହାରିଲୁ ନିଜ କର୍ମ ବଳେ । ଯାଦବେ ଜିଣିଲେ ସମରେ ॥୪୭
ରିପୁଙ୍କ କାଳ ବଳୀୟାର । ଅଯଶ ଆମ୍ଭ କର୍ମ ଫଳ ॥୪୮
ଆମ୍ଭର ପୁଣ୍ୟଯଶ କାଳେ । ରିପୁ ଜିଣିବା ଅବହେଳେ ॥୪୯
ଏମନ୍ତ ପ୍ରବୋଧ-ବଚନେ । ହରଷ କଲା ତାର ମନେ ॥୫୦
ନିଜ ନଗରେ ତାକୁ ନେଇ । ଅନେକ ପ୍ରବୋଧନ କହି ॥୫୧
ରାଜାଏ ଦୁଃଖ ଶୋକ ମନେ । ମିଳିଲେ ଯେ ଯାହା ଭୁବନେ ॥୫୨
ରୁକ୍ମି ଯେ କୃଷ୍ଣର ବଇରୀ । ଶିଶୁପାଳକୁ ଥିଲା ବରି ॥୫୩
କନ୍ୟା ଗୋବିନ୍ଦ ହରି ନେଲେ । ଶତ୍ରୁଙ୍କ ଗର୍ବ ନାଶ କଲେ ॥୫୪
ମାଗଧ ଆଦି ମହୀପାଳେ । ଯେ ଯାହା ଗୃହେ ଯିବାବେଳେ ॥୫୫
ସମସ୍ତ ରାଜା ମଧ୍ୟେ ଥାଇ । ପ୍ରତିଜ୍ଞା କଲା ଗର୍ବ ବହି ॥୫୬
ଅଭେଦ ସ୍ନେହା ଦେହେ ଘେନି । ପିତାର ବଳ ଅକ୍ଷୌହିଣୀ ॥୫୭
ସଙ୍ଗତେ ଘେନି ମହାବୀର । ରାଜାଙ୍କୁ ବୋଲଇ ଉତ୍ତର ॥୫୮
ତୁମ୍ଭେତ ହୋଇଲ ନିରେଖ । ମୋର ମହିମା ଆଜ ଦେଖ ॥୫୯
ସମରେ ରାମକୃଷ୍ଣ ମାରି । ବନ୍ଦୀରୁ ରୁକ୍ମିଣୀ ଉଦ୍ଧରି ॥୬୦
ଆଜ ଆଣିବି ବାହୁବଳେ । ଯଶ ମୋ ଥିବ ମହୀତଳେ ॥୬୧
ଏହା ମୁଁ କରି ନ ପାରିଲେ । ବାହୁଡ଼ି ନ ଆସିବି ଭଲେ ॥୬୨
ସତ୍ୟବଚନ ଏ ମୋହର । ନଗରୁ ହୋଇଲା ବାହାର ॥୬୩
ରଥେ ବସିଲା ବେଗେ ଯାଇ । ବୋଲେ ସାରଥି ମୁଖ ଚାହିଁ ॥୬୪
ରଥ ତୁ ବାହା ବେଗେ କରି । ଯହିଁ ଅଛନ୍ତି ରାମହରି ॥୬୫
ରାମ-ଗୋବିନ୍ଦ ଯୁଦ୍ଧେ ମାରି । ରୁକ୍ମିଣୀ ଆଣିବି ଉଦ୍ଧରି ॥୬୬
ତୀକ୍ଷ୍ଣ ନାରାଚ ଦେଖ ମୋର । ହେଳେ ଜିଣିବି ଯଦୁବଳ ॥୬୭
ଗୋପାଳେ ବଳେ ବଳୀୟାର । ଆଜ କରିବି ଗର୍ବ ଚୂର ॥୬୮
ବଳେ ହରିଲା ମୋ ବହେଣୀ । ଆଜ ଆଣିବି ଶିର ହାଣି ॥୬୯
ମୋତେ ଦେଖାଏ ବଳ-ଗର୍ବ । ଅଜାତି ଗଉଡ଼ ସ୍ୱଭାବ ॥୭୦
ଏମନ୍ତ ଗର୍ବ ମନେ ବହି । ହରିମହିମା ନ ଜାଣଇ ॥୭୧
ବେଗେ ଧାଇଁଲା ଏକା ରଥେ । ଡ଼ାକଇ ରହ ରହ ପଥେ ॥୭୨
ଗୁଣେ ବସାଇ ତିନିବାଣ । ଶ୍ରବଣ ଯାଏଁ ଟାଣି ଗୁଣ ॥୭୩
ବିନ୍ଧିଲା ଗୋବିନ୍ଦ ଉପରେ । ଡ଼ାକଇ କୁତ୍ସିତ ବେଭାରେ ॥୭୪
ଯାଦବ-କୁଳପାଂଶୁ ତୁହି । ମୋର ସଂଗ୍ରାମେ ଯିବୁ କାହିଁ ॥୭୫
କ୍ଷଣେକ ରହ ରଣ ମଧ୍ୟେ । ରୁକ୍ମିଣୀ ହରିଲୁ ଯେ ସଧେ ॥୭୬
କାକ ଯେସନେ ମାୟା କରି । ଯଜ୍ଞର ଚରୁ ନିଏ ହରି ॥୭୭
ମନ୍ଦ ମାୟାବୀ କୂଟଯୋଦ୍ଧି । ଗୋପାଳେ ହୀନ ଦୁଷ୍ଟବୁଦ୍ଧି ॥୭୮
ଆଜ ଜିଣିବି ତୋତେ ହାଣି । ଯାବଦ ନ ଛାଡ଼ୁ ରୁକ୍ମିଣୀ ॥୭୯
ଶୁଣି ହସିଲେ ଦାମୋଦର । ସାରଙ୍ଗଧନୁ ଧରି କର ॥୮୦
ଈଷିତେ ଷଡ଼ବାଣ ବିନ୍ଧି । ତାହାର ହସ୍ତୁ ଧନୁ ଛେଦି ॥୮୧
ପୁଣ ବିନ୍ଧିଲେ ଅଷ୍ଟବାଣ । ଲୀଳା ମାତ୍ରକେ ନାରାୟଣ ॥୮୨
ରଥର ଚାରି ଅଶ୍ୱ ହାଣି । ପୁଣି ବିନ୍ଧିଲେ ବାଣ ତିନି ॥୮୩
ରଥସାରଥୀ ମୁଣ୍ତ କାଟି । ତିନି ନାରାଚେ ଧ୍ୱଜ ଲୋଟି ॥୮୪
ଦେଖିଣ ରୁକ୍ମୀ ବହି ମନ୍ୟୁ । ହସ୍ତେ ଘେନିଲା ଆର ଧନୁ ॥୮୫
ସେ ଧନୁ କାଟିଲେ ମୁରାରି । ଗୁଣ ଟଙ୍କାରନାଦ କରି ॥୮୬
ପୁଣ ଘେନିଲା ଆନ ଧନୁ । ତାହା ଛେଦିଲେ ଦେବ କାହ୍ନୁ ॥୮୭
ପରିଘ ଖଡ଼୍ଗ ଶୂଳ ଚର୍ମ । ଶକ୍ତି ତୋମର ତୀକ୍ଷ୍ଣ ମୁନ ॥୮୮
ଯେତେ ଆୟୁଧ କରେ ଧରି । ସବୁ ଛେଦିଲେ ନରହରି ॥୮୯
ତକ୍ଷଣେ ରଥୁଁ ଓହ୍ଲାଇଲା । କୋପେ ଖଡ଼ଗ ହସ୍ତେ ନେଲା ॥୯୦
କୃଷ୍ଣଙ୍କୁ ମାରିବାର ଆଶେ । ଡେ଼ଇଁ ଉଠିଲା ନନ୍ଦିଘୋଷେ ॥୯୧
ଗୋପେ ଗର୍ଜଇ କୃଷ୍ଣ ପାଖେ । ପବନ ଯେସନେ ପାବକେ ॥୯୨
ଦେଖି ଗୋବିନ୍ଦ ବେଗେ ଉଠି । ତିଳ ପ୍ରମାଣେ ଶସ୍ତ୍ର କାଟି ॥୯୩
କୋପେ ଉଞ୍ଚାଇ ଅସିବର । କେଶ ଧଇଲେ ସେ ରୁକ୍ମିର ॥୯୪
କୃଷ୍ଣର କୋପମୁଖ ଦେଖି । ଭୟେ କମ୍ପଇ ଶଶୀମୁଖୀ ॥୯୫
ଭାଇର ପ୍ରାଣନାଶ ଜାଣି । ଚରଣେ ପଡ଼ିଲା ରୁକ୍ମିଣୀ ॥୯୬
କାତରେ କରଇ କାରୁଣ୍ୟ । ଭୋ ନାଥ ଯୋଗେଶ୍ୱର ଶୁଣ ॥୯୭
ଅନନ୍ତ ମହିମା ତୋହର । ଦୋଷ ଉପେକ୍ଷ ଦେବ ତାର ॥୯୮
ଜଗତପ୍ତି ନାରାୟଣ । ମୁଁ ତୁମ୍ଭ ଚରଣେ ଶରଣ ॥୯୯
ନ ମାର ମୋର ଜ୍ୟେଷ୍ଠଭ୍ରାତ । ପରମାନନ୍ଦ ଜଗନ୍ନାଥ ॥୧୦୦
ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥୧୦୧
ଚାହିଁଲେ ରୁକ୍ମିଣୀ ଶରୀର । ଭୟେ କମ୍ପଇ ଥରହର ॥୧୦୨
ଶୋକେ ଶୁଖିଲା ଦେବୀ ଓଷ୍ଠ । ବାକ୍ୟ ନ ସ୍ପୁରେ ରୁନ୍ଧି କଣ୍ଠ ॥୧୦୩
କାତରେ ହେମକଣ୍ଠୀମାଳ । ପଡ଼ିଲା କୃଷ୍ଣପାଦତଳେ ॥୧୦୪
ରୁକ୍ମିଣୀ ଉଠି କରଯୋଡ଼ି । ପୁଣି କୃଷ୍ଣର ପାଦେ ପଡ଼ି ॥୧୦୫
ଅଶେଷ ବ୍ରହ୍ମାଣ୍ତ ଠାକୁର । ରଖିବା ଜୀବନ ଏହାର ॥୧୦୬
ଏମନ୍ତ ଦେଖି କନ୍ୟାଦୁଃଖ । କରୁଣା କଲେ ପଦ୍ମମୁଖ ॥୧୦୭
ଆକର୍ଷି ଧରି ତାର କର । ବସ୍ତ୍ରେ ବାନ୍ଧିଲେ ଦାମୋଦର ॥୧୦୮
ବିମାନ ଖମ୍ବେ ନେଇ ବାନ୍ଧି । ବେନିଚରଣ ତାର ଛନ୍ଦି ॥୧୦୯
ତୀକ୍ଷ୍ଣ ନାରାଚେ ହୃଷୀକେଶ । ବିରୂପ କଲେ ତାର ବେଶ ॥୧୧୦
ସାତପ୍ରକାରେ କେଶ ଧରି । କୋପେ କାଟିଲେ ଦେବହରି ॥୧୧୧
ସଙ୍ଗତେ ଯଦୁବଳ ଥିଲେ । ରୁକ୍ମୀର ସୈନ୍ୟଙ୍କୁ ବେଢିଲେ ॥୧୧୨
ତକ୍ଷଣେ ସର୍ବ କଲେ ନାଶ । ଅଳପ ରହେ ଅବଶେଷ ॥୧୧୩
ନଳିନୀବନେ ଗଜେ ପଶି । କ୍ଷଣକେ ଯାନ୍ତି ଯେହ୍ନେ ଧ୍ୱଂସି ॥୧୧୪
ସୈନ୍ୟ ହୋଇଲେ ବଳ କ୍ଷୀଣ । ରୁକ୍ମି ଯେ ପଡ଼ିଲା ବନ୍ଧନ ॥୧୧୫
ରଥ ନିକଟେ ରାମ ଯାଇ । ବୋଲନ୍ତି କୃଷ୍ଣମୁଖ ଚାହିଁ ॥୧୧୬
ବନ୍ଧନ ଫେଡ଼ାଇ ବହନ । ଚାହିଁଲେ ରୁକ୍ମୀର ବଦନ ॥୧୧୭
ବିରୂପ ଦେଖି ତାର ଦେହୀ । ରାମ ବୋଲନ୍ତି କୃଷ୍ଣେ ଚାହିଁ ॥୧୧୮
ହେ କୃଷ୍ଣ କଲୁ ଦୁଷ୍ଟପଣ । ଆପଣା ବନ୍ଧୁରେ କଷଣ ॥୧୧୯
ଅସାଧୁ କର୍ମ ଏ ତୋହର । ନିନ୍ଦା କରିବେ ତିନିପୁର ॥୧୨୦
ବିରୂପ କଲୁ କେଶ-ବେଶ । ନାଶିଲୁ ସୁହୃଦ ବିଶ୍ୱାସ ॥୧୨୧
ନ ଜାଣି କଲୁ ଏଡେ଼ କାର୍ଯ୍ୟ । ମରଣୁଁ ଅଧିକ ଏ ଲାଜ ॥୧୨୨
ଏମନ୍ତ କହି ବଳରାମ । ଚାହିଁଲେ ରୁକ୍ମିଣୀ ବଦନ ॥୧୨୩
ବୋଲନ୍ତି ରେବତୀରମଣ । କୋମଳ ମଧୁର ବଚନ ॥୧୨୪
ଜ୍ୟେଷ୍ଠଭ୍ରାତର ରୂପ ଦେଖି । କିମ୍ପାଇ ମନେ ହୁଅ ଦୁଃଖୀ ॥୧୨୫
ଆତ୍ମାକୁ ନିନ୍ଦିତ ନ କର । ଦଇବ ବଳ ବଳୀୟାର ॥୧୨୬
କର୍ମ ସେ ସୁଖ ଦୁଃଖ ଦେଇ । ପୁରୁଷ ଅବଶ୍ୟ ଭୁଞ୍ଜଇ ॥୧୨୭
କୃଷ୍ଣଙ୍କୁ ଚାହିଁ ହଳଧର । କହନ୍ତି ସଂସାର ବେଭାର ॥୧୨୮
ମରଣତୁଲ୍ୟ ଦୋଷ ଯେବେ । ବନ୍ଧୁ କରଇ ମୂଢଭାବେ ॥୧୨୯
ତାହାକୁ ନ କରିବ ନାଶ । ଆପଣା ଦୋଷେ ତା ଅଯଶ ॥୧୩୦
ତାହାର ଲାଜେ ସେ ମରଇ । ପୁଣି କହନ୍ତି କନ୍ୟା ଚାହିଁ ॥୧୩୧
କ୍ଷତ୍ରିୟ ଧର୍ମର ଏ ଗତି । ଯାହା ସଂଚିଲା ପ୍ରଜାପତି ॥୧୩୨
ଅତି ଦାରୁଣ ତମଘୋରେ । ଭାଇକି ଭାଇ ବଳେ ମାରେ ॥୧୩୩
ପୁଣି ଗୋବିନ୍ଦ ମୁଖ ଚାହିଁ । କହନ୍ତି ସ୍ୱଧର୍ମ ଦେଖାଇ ॥୧୩୪
ରାଜ୍ୟଧରଣୀ ବିତ୍ତ ଆଶେ । ମାନ ସମ୍ପଦ ତେଜେ ବଶେ ॥୧୩୫
ଆପଣା ଅର୍ଥେ ମତ୍ତ ହୋଇ । ପ୍ରାଣୀ ପୀଡ଼ନ୍ତି ଗର୍ବ ବହି ॥୧୩୬
ତୋର ବିଷମବୁଦ୍ଧି ଚିତ୍ତେ । ମୁହିଁ ଦେଖିଲି ସର୍ବମତେ ॥୧୩୭
ରୁକ୍ମିଣୀମୁଖ ଚାହିଁ ପୁଣି । ବୋଲନ୍ତି ପ୍ରଭୁ ହଳପାଣି ॥୧୩୮
ଶତ୍ରୁର ଅମଙ୍ଗଳ ଦେଖି । ଆପଣା ଚିତ୍ତେ ହେଉ ସୁଖୀ ॥୧୩୯
ସୁହୃଦ ସ୍ନେହେ ମୂର୍ଖ ପଣୁ । ଭଲକୁ ମନ୍ଦ ପ୍ରାୟ ମଣୁ ॥୧୪୦
ତାର ଉଚିତ ଦଣ୍ତ ଦେଖି । ଆପଣା ମନେ ହେଉ ଦୁଃଖୀ ॥୧୪୧
ଦଇବ ମାୟାବଳେ ଜନ । ଆତ୍ମାରେ କଳ୍ପଇ ଅଜ୍ଞାନ ॥୧୪୨
ଆତ୍ମାରେ ଭେଦ ସେ କରନ୍ତି । ଉଦାସୀ ଶତ୍ରୁ ମିତ୍ର ହୋନ୍ତି ॥୧୪୩
ସକଳ ଦେହେ ଆତ୍ମା ଏକ । ଅଜ୍ଞାନୀଜନଙ୍କୁ ଅନେକ ॥୧୪୪
ଯେହ୍ନେ ଗଗନ ଆର ଜ୍ୟୋତି । ଅନେକ ମତେ ଦୃଶ୍ୟ ହୋନ୍ତି ॥୧୪୫
ଜନ୍ମ ମରଣ ପଥେ ଦେହୀ । ଦ୍ରବ୍ୟ ଇନ୍ଦ୍ରିୟ ଗୁଣ ବହି ॥୧୪୬
ଆତ୍ମା ଯେ ମୋହଜଡ଼ ହୋଇ । ଜନ୍ମମରଣେ ଭ୍ରମୁ ଥାଇ ॥୧୪୭
ଆତ୍ମା ନିର୍ଗୁଣ ନିରଞ୍ଜନ । ସଂଯୋଗ ବିଯୋଗୁଁ ଏ ଭିନ୍ନ ॥୧୪୮
ଆଦି କାରଣ ଆତ୍ମା ଯେଣୁ । ଦୃଷ୍ଟି ରୂପକୁ ଯେହ୍ନେ ଭାନୁ ॥୧୪୯
ଜନ୍ମ ବିକାର ଷଡ଼ଗୁଣ । ଏ ଆଦି ପିଣ୍ତର କାରଣ ॥୧୫୦
ଆତ୍ମାର ବିକାର ନୁହନ୍ତି । କଳାରେ ଚନ୍ଦ୍ର ଯେହ୍ନେ ଥାନ୍ତି ॥୧୫୧
ଅମାନିଶାରେ କଳାହୀନ । ବିଚାରେ ଶଶାଙ୍କ ନିର୍ଗୁଣ ॥୧୫୨
ଶୟନେ ପୁରୁଷ ଯେସନ । ଦେଖନ୍ତି ବିଷୟ ସ୍ୱପନ ॥୧୫୩
ବାସନାବଳେ ଅନୁଭବ । କରି ଲଭନ୍ତି ଯେହ୍ନେ ଭୋଗ ॥୧୫୪
ଏଣୁ ଅଜ୍ଞାନୁ ଶୋକ ଜାତ । ଆତ୍ମା ସେ ଶୋକ ମୋହଗ୍ରସ୍ତ ॥୧୫୫
ଏ ମାୟା ତତ୍ତ୍ୱଜ୍ଞାନେ ହରି । ନିର୍ମଳଜ୍ଞାନ ଚିତ୍ତେ ଧରି ॥୧୫୬
ସଂସାର ଭ୍ରମପ୍ରାୟ ଦେଖି । ଶୋକ ସଂହର ଚନ୍ଦ୍ରମୁଖି ॥୧୫୭
ଏମନ୍ତେ ଶ୍ରୀରାମର ବାଣୀ । ଆଦରେ ଶୁଣିଲା ରୁକ୍ମିଣୀ ॥୧୫୮
ବିମନ ଛାଡ଼ି ଜ୍ଞାନ ପାଇ । ଶୋକ ଛାଡ଼ିଲା ରାମେ ଚାହିଁ ॥୧୫୯
କହନ୍ତି ଶୁକମୁନି ତୋଷେ । ରୁକ୍ମୀ ଯେ ଥିଲା ନନ୍ଦିଘୋଷେ ॥୧୬୦
କେବଳ ଅବଶେଷ ପ୍ରାଣ । ରଥୁଁ ଓହ୍ଲାଇଲା ରୁକ୍ମଣ ॥୧୬୧
ବିଶେଷେ ହତବଳ ସର୍ବ । ହରି ଗଞ୍ଜିଲେ ତାର ଗର୍ବ ॥୧୬୨
ସଙ୍କଳ୍ପ-ଭଙ୍ଗେ ପଳାଇଲା । କୁଣ୍ତୀନଗରେ ନ ପଶିଲା ॥୧୬୩
ହରିଙ୍କି ମାରିଯିବା ବେଳେ । ପ୍ରତିଜ୍ଞା କରିଥିଲା ବଳେ ॥୧୬୪
ଆଜ ଗୋବିନ୍ଦମୁଣ୍ତ ହାଣି । ଆଣି ନ ପାରିଲେ ରୁକ୍ମିଣୀ ॥୧୬୫
କୁଣ୍ତୀନଗରେ ନ ପଶିବି । ଜୀବନ୍ତେ ଯେତେକାଳ ଥିବି ॥୧୬୬
ଏମନ୍ତେ ପଶି ଘୋରବନେ । ବୃକ୍ଷ କଟାଇ କୋପମନେ ॥୧୬୭
ବସାଇଲା ସେ ବହୁଗ୍ରାମ । ନଗର ଭୋଜକଟ ନାମ ॥୧୬୮
ତହିଁ ରହିଲା ବାସକରି । କୃଷ୍ଣ ବଇର ମନେ ଧରି ॥୧୬୯
ରୁକ୍ମିଣୀ ଘେନି ଭଗବାନ । ପ୍ରବେଶ ଦ୍ୱାରକାଭୁବନ ॥୧୭୦
ସମରେ ଜିଣି ସର୍ବରାଜା । ଯାଦବେ କଲେ ପାଦପୂଜା ॥୧୭୧
ସ୍ତୁତି କରନ୍ତି ସୁରନର । ଆନନ୍ଦ ଦ୍ୱାରାବତୀପୁର ॥୧୭୨
ଗୋବିନ୍ଦ ବିଭାର ଉତ୍ସବେ । ପୁରମଣ୍ତିଲେ ନାନାଭାବେ ॥୧୭୩
ଉତ୍ସବ କଲେ ସର୍ବପୁରେ । ବାଦ୍ୟ ବଜାଇ ପଞ୍ଚସ୍ୱରେ ॥୧୭୪
ଦ୍ୱାରକାପୁର ନରନାରୀ । ବିବିଧ ଅଳଙ୍କାର ଭରି ॥୧୭୫
କୃଷ୍ଣ ବିବାହେ ଉନମତ୍ତ । କାମିନୀ କଲେ ନୃତ୍ୟଗୀତ ॥୧୭୬
ମଙ୍ଗଳ ଦ୍ୱାରକାନଗର । କି ଅବା ଦେବା ପଟାନ୍ତର ॥୧୭୭
ଧ୍ୱଜ ତୋରଣ ରତ୍ନମାଳ । ପୂର୍ଣ୍ଣକଳସ ସୁମଙ୍ଗଳ ॥୧୭୮
ଅଗୁରୁ ଧୂପ ଦୀପାବଳୀ । ପଥେ ସିଂଚନ୍ତି ଗନ୍ଧ ଗୋଳି ॥୧୭୯
ମାର୍ଜନା କରି ଦାଣ୍ତ କକ୍ଷ । ଦ୍ୱାରେ ରୋପିଲେ ରମ୍ଭାବୃକ୍ଷ ॥୧୮୦
ବନ୍ଧୁବେଭାରେ ରାଜାଗଣେ । ଆସି ମିଳିଲେ ଜଣେ ଜଣେ ॥୧୮୧
କୁରୁ ସୃଞ୍ଜୟ ଆଦି ରାଜ । ବିଦର୍ଭ ଯଦୁ କୁନ୍ତି ଭୋଜ ॥୧୮୨
ଆରୋହି ଘୋଟକ-ବାରଣେ । ପ୍ରବେଶ ଦ୍ୱାରକାଭୁବନେ ॥୧୮୩
ହସ୍ତୀଙ୍କ ମଦଜଳେ ମହୀ । ବରଷାକାଳ ପ୍ରାୟ ହୋଇ ॥୧୮୪
ଏକ ଆରେକ ମତ୍ତ ହୋଇ । ଆନନ୍ଦ କେ ପାରିବ କହି ॥୧୮୫
ମଙ୍ଗଳ କର୍ମମାନ କଲେ । ଗୁରୁଦେବତା ଆରାଧିଲେ ॥୧୮୬
ରୁକ୍ମିଣୀହରଣର ବାଣୀ । ଭରତଖଣ୍ତ ରାଜା ଶୁଣି ॥୧୮୭
ରାଜକୁମାରୀ ଯେତେ ଛନ୍ତି । ଭଲେ ପାଇଲେ ମନେ ଭ୍ରାନ୍ତି ॥୧୮୮
ଦ୍ୱାରକାପୁରେ ଯେତେ ନର । କେ କହୁ ତପ ତାହାଙ୍କର ॥୧୮୯
ଆନନ୍ଦ କଲେ ପୁରେ ପୁରେ । ନୟନେ ଦେଖି କନ୍ୟାବରେ ॥୧୯୦
ଲକ୍ଷ୍ମୀମାଧବ ବିଭାକାଳେ । ବାନ୍ଧବେ ଯଉତୁକ ଦେଲେ ॥୧୯୧
ସେ ବରକନ୍ୟା ପାଦଗତ । ନମଇଁ ଦାସ ଜଗନ୍ନାଥ ॥୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀହରଣଂ ନାମ ସପ୍ତପଞ୍ଚାଶତ୍ ଅଧ୍ୟାୟଃ ॥
</poem>
==='''ଉନଷଷ୍ଟିତମ ଅଧ୍ୟାୟ'''===
<poem>
ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥୧
କହନ୍ତି ବ୍ୟାସଙ୍କର ଶିଷ । ଶୁଣ ରାଜନ ମନତୋଷ ॥୨
ରୁକ୍ମିଣୀ ଘେନି ଭଗବାନ । ରଙ୍ଗେ ରମିଲେ କେତେଦିନ ॥୩
ଏମନ୍ତେ ବିଧାତାର ବଶେ । କନ୍ଦର୍ପ ନାରାୟଣ ଅଂଶେ ॥୪
ଜାତ ହୋଇଲା ଦେହ ବହି । ଶୁଣ ରାଜନ ମନଦେଇ ॥୫
ପୂର୍ବେ ଦେବଙ୍କ କାର୍ଯ୍ୟେ ଗଲା । ଈଶ୍ୱର ତପ ଭଗ୍ନ କଲା ॥୬
ଘୋର ସମାଧି ଭଗ୍ନକାଳେ । କଠୋର-ନୟନ-ଅନଳେ ॥୭
ଶରୀର କଲା ଭସ୍ମଯୋଗ । ତେଣୁ ସେ ବୋଲାଇ ଅନଙ୍ଗ ॥୮
କୃଷ୍ଣର ବୀର୍ଯ୍ୟେ ଜାତ ହୋଇ । ପୁଣି ପାଇଲା ନିଜ ଦେହୀ ॥୯
ତାହାର ପତ୍ନୀ ନାମ ରତି । ମାୟା ସଂଯୋଗେ ମାୟାବତୀ ॥୧୦
କାମଦେବର ଭସ୍ମକାଳେ । ଶମ୍ବର ନେଲା ତାକୁ ବଳେ ॥୧୧
ଅସୁର ଘରେ କାମସତୀ । ମାୟା ମୋହିଲା ମାୟାବତୀ ॥୧୨
ନିତ୍ୟେ କନ୍ୟାଏ ଜାତକରେ । ଶମ୍ବର ଭୋଗ କରେ ତାରେ ॥୧୩
ଦିନ ହରଇ ତହିଁ ଥାଇ । ଏକଥା ନ ଜାଣନ୍ତି କେହି ॥୧୪
ଏମନ୍ତେ ଶୁଣ ନରନାଥ । ଶମ୍ବରପୁରେ ବ୍ରହ୍ମାସୁତ ॥୧୫
ରାେତ୍ରେ ମିଳିଲେ ତାର ପାଶେ । କହନ୍ତି ସୁହୃଦ ବିଶ୍ୱାସେ ॥୧୬
ବୋଲନ୍ତି ଅସୁରକୁ ଚାହିଁ । ନିଶ୍ଚିତେ ଅଛୁ କାହିଁପାଇଁ ॥୧୭
କନ୍ଦର୍ପ ତୋହର ବଇରୀ । ଆଜ ଜନ୍ମିଲା ଯଦୁପୁରୀ ॥୧୮
ରୁକ୍ମିଣୀ ଗର୍ଭେ କୃଷ୍ଣବୀର୍ଯ୍ୟେ । ଜାତ ହୋଇଲା ମହାତେଜେ ॥୧୯
ତୁ ଯାଇ ବେଗେ କର ନାଶ । ସେ ତୋର ମରଣେ ବିଶ୍ୱାସ ॥୨୦
କହି ଚଳିଲେ ଶୂନ୍ୟପଥେ । ଅସୁର ମାରିବାର ଅର୍ଥେ ॥୨୧
ନାରଦବଚନେ ଅସୁର । ପଶିଲା ଦ୍ୱାରକା ନଗର ॥୨୨
କୃଷ୍ଣର ଅନ୍ତଃପୁରେ ଯାଇ । ଯହିଁ ରୁକ୍ମିଣୀଛନ୍ତି ଶୋଇ ॥୨୩
ପଶିଲା ମାୟାରୂପ ଧରି । ସୂତିକା ଘରୁ ପୁତ୍ର ହରି ॥୨୪
ଗଗନମାର୍ଗେ ଘେନିଯାନ୍ତେ । ଦୈତ୍ୟ ଭାଳଇ ହୃଦଗତେ ॥୨୫
ଏ ଯେବେ ମୋହର ବଇରୀ । ମୁଁ କିମ୍ପା ଅଛି କୋଳେ ଧରି ॥୨୬
ଏମନ୍ତ ମନେ ବିଚାରିଲା । ସମୁଦ୍ର ମଧ୍ୟେ ପକାଇଲା ॥୨୭
ଆହାର ପ୍ରାୟ ପାଇ ଭାବ । ତକ୍ଷଣେ ଗିଳିଲା ରାଘବ ॥୨୮
କୃଷ୍ଣର ବଳବୀର୍ଯ୍ୟ ଯୋଗେ । ଭସ୍ମ ନୋହିଲା ମୀନଗର୍ଭେ ॥୨୯
ରାଘମ ମତ୍ସ୍ୟଗଣ ମେଳେ । ପଡ଼ିଲା କୈବର୍ତ୍ତ ଜାଲରେ ॥୩୦
ଧୀବରଗଣେ ତାହା ପାଇ । ଶମ୍ବର ଆଗେ ଦେଲେ ନେଇ ॥୩୧
ଅସୁର ମୀନ ଦେଖି ହସି । ସେବକେ ବୋଲଇ ବିଶ୍ୱାସି ॥୩୨
ସୂପକାରଙ୍କ ପାଶେ ଦିଅ । ରନ୍ଧନ କର ବୋଲି କୁହ ॥୩୩
ତକ୍ଷଣେ ମୀନ ଘେନି କରେ । ସେବକେ ମିଳିଲେ ଭିତରେ ॥୩୪
ମୀନ କାଟନ୍ତେ ସୂପକାରେ । ବାଳକ ଦେଖିଲେ ଉଦରେ ॥୩୫
ତକ୍ଷଣେ ପୁତ୍ର କୋଳେ ଲଇଁ । ଶମ୍ବର ଆଗେ ଦେଲେ ନେଇ ॥୩୬
ଦେଖି ସାନନ୍ଦ ମହାସୁର । ବୋଲଇ ଶୁଣ ସୂପକାର ॥୩୭
ଦଇବେ ମୋର ପୁତ୍ର ନାହିଁ । ରତି ସମୀପେ ଦିଅ ନେଇ ॥୩୮
ଏ ମୋର ହୋଇବ କୁମର । ତକ୍ଷଣେ ଗଲେ ସୂପକାର ॥୩୯
ରତିର କୋଳେ ନେଇ ଦେଲେ । ଭୋ ମାତ ପାଳ ଏହା ଭଲେ ॥୪୦
ଦେଖି ସାନନ୍ଦ ମାୟାବତୀ । ପୁତ୍ରପାଳନେ ଦେଲା ମତି ॥୪୧
ଦିନକୁ ଦିନ କୃଷ୍ଣବୀର୍ଯ୍ୟ । ବଢଇ ଅପ୍ରମିତ ତେଜ ॥୪୨
ଏମନ୍ତେ ଗଲା କେତେ ଦିନ । ମିଳିଲେ ବ୍ରହ୍ମାଙ୍କ ନନ୍ଦନ ॥୪୩
ଅସୁର ଅନ୍ତଃପୁରେ ପଶି । ରତିକି କହନ୍ତି ବିଶ୍ୱାସି ॥୪୪
ଆଦିକାରଣ କଥା କହି । ବୋଇଲେ ତୋର ସ୍ୱାମୀ ଏହି ॥୪୫
ଅନଙ୍ଗ କୃଷ୍ଣବୀର୍ଯ୍ୟେ ଜାତ । ସୂତିକା ଘରୁ ଏ ଦଇତ ॥୪୬
ହରି ଆଣନ୍ତେ ବାହୁବଳେ । ପଥେ କ୍ଷେପିଲା ସିନ୍ଧୁଜଳେ ॥୪୭
ଆହାର ପ୍ରାୟ ମଣି ମୀନ । ଗିଳିଲା କୃଷ୍ଣର ନନ୍ଦନ ॥୪୮
ବନ୍ଦୀ ପଡ଼ିଲା ମହାଜାଲେ । ଦଇବ ଦେଲା ତୋତେ ଭଲେ ॥୪୯
ଏହାକୁ ପାଳ ଚିତ୍ତ ଦେଇ । ଶମ୍ବର ସଂହାରିବ ଏହି ॥୫୦
ବିମାନେ ତୋତେ କୋଳ କରି । ଗମିବ ଦ୍ୱାରକା ନଗରୀ ॥୫୧
ଲଭିବୁ ତୋର ନିଜ କାନ୍ତ । କହି ଚଳିଲେ ବ୍ରହ୍ମାସୁତ ॥୫୨
ସେ କାମନାରୀ ମାୟାବତୀ । ସ୍ୱାମୀ ସଙ୍ଗମ ମନେ ଚିନ୍ତି ॥ ୫୩
ଅସୁର ବୋଲେ ପାକଶାଳେ । ବସଇ ସୂପକାର ମେଳେ ॥ ୫୪
ରନ୍ଧନ କରି ଷଡ଼ରସ । ଅସୁର ମନ କରେ ତୋଷ ॥ ୫୫
ଏମନ୍ତେ ଶୁଣ ନରନାଥ । ଦିନକୁ ଦିନ କୃଷ୍ଣସୁତ ॥ ୫୬
ଶୁକଳ ପକ୍ଷେ ଚନ୍ଦ୍ର ଯେହ୍ନେ । ତେଜେ ବଢ଼ଇ ଦିନେ ଦିନେ ॥ ୫୭
ନିଜ ସ୍ୱାମୀଙ୍କି ଶିଶୁ ଦେଖି । ସ୍ନେହେ ପାଳଇ ଶଶୀମୁଖୀ ॥ ୫୮
ଅଳପଦିନେ ଯୁବା ଦେହ । ଦେଖି କାମିନୀ ଗଲେ ମୋହ ॥ ୫୯
ଭସ୍ମଅଙ୍କୁର ସେ ମଦନ । ବିଶେଷେ କୃଷ୍ଣର ନନ୍ଦନ ॥ ୬୦
ଲୋଚନେ ଦିଶେ ପଦ୍ମତେଜ । ଲମ୍ବ ସୁନ୍ଦର ବେନିଭୁଜ ॥ ୬୧
ଅତି ସୁନ୍ଦର ରୂପ ଦେଖି । ଅଳପ ହାସେ ଶଶୀମୁଖୀ ॥ ୬୨
କଟାକ୍ଷ ନୟନେ ଅନାଇଁ । ଭାବେ କାମିନୀ ପ୍ରାୟ ହୋଇ ॥ ୬୩
ମିଳିଲା କୃଷ୍ଣସୁତ ପାଶେ । ସକାମେ ରତିରଙ୍ଗ ଆଶେ ॥ ୬୪
ଦେଖି ତାହାର ବିପରୀତ । ଭୟେ ଉଠିଲା କୃଷ୍ଣସୁତ ॥ ୬୫
ସଂଭ୍ରମେ ତାର ମୁଖ ଚାହିଁ । ବୋଲଇ ଶିରେ କରଦେଇ ॥ ୬୬
ତୁହି ମୋହର ନିଜ ମାତ । ଏବେ ଦେଖିଲି ବିପରୀତ ॥ ୬୭
ମାତାର ସ୍ନେହ ଦୂର କରି । କାମିନୀଭାବକୁ ଆଚରି ॥ ୬୮
କହ କେବଣ ଏହୁ କୃତ୍ୟ । ଭୟେ ବୋଲଇ କୃଷ୍ଣସୁତ ॥ ୬୯
ଶୁଣି ଭାଷଇ ମାୟାବତୀ । ତୁ ନାଥ ମୋର ନିଜ ପତି ॥ ୭୦
ରୁଦ୍ରନୟନେ ଭସ୍ମ ହୋଇ । ଅନଙ୍ଗ ନାମ ବହୁ ତୁହି ॥ ୭୧
କେତେହେଁ କାଳେ ନିଜତେଜ । ଜାତ ହୋଇଲୁ କୃଷ୍ଣବୀର୍ଯ୍ୟେ ॥ ୭୨
ନାରଦମୁଖୁଁ ତୋର ବାଣୀ । ନିଜ ମରଣ ତଥ୍ୟ ଶୁଣି ॥ ୭୩
ମାୟା-ଅସୁର ବେଗେ ଗଲା । ଦ୍ୱାରକା ନବରେ ମିଳିଲା ॥ ୭୪
ସୂତିକାଘରୁ ତୋତେ ଆଣି । ଆତ୍ମବଇରୀ ପ୍ରାୟ ମଣି ॥ ୭୫
ଲବଣଜଳେ ପକାଇଲା । ତୋତେ ଯେ ମୀନ ଗିଳିଥିଲା ॥ ୭୬
ସେ ମୀନ ଅସୁର ନିକଟେ । ଧୀବର ଆଣିଦେଲା ଭେଟେ ॥ ୭୭
ସୁଆର ଆଣି ପାକଶାଳେ । ଶସ୍ତ୍ରେ ଛେଦିଲା ଯେତେବେଳେ ॥ ୭୮
ମୀନ ଉଦରୁ ତୋତେ ପାଇ । ପାଳଇ ସ୍ନେହଭରେ ମୁହିଁ ॥ ୭୯
ନାରଦ କହିଗଲେ ଏବେ । ତେଣୁ ସେବଇ ପତ୍ନୀଭାବେ ॥ ୮୦
ମୋହର ନିଜ ନାମ ରତି । ଦଇବ ମିଳାଇଲା ପତି ॥ ୮୧
ମାୟାରେ ବଞ୍ଚାଇ ଅସୁର । ବସଇ ଶମ୍ବରର ପୁର ॥ ୮୨
ଦୁର୍ଜୟ ରିପୁ ଏ ତୋହର । ଏହାର ପ୍ରାଣ ବେଗେ ହର ॥ ୮୩
ଅନେକ ମାୟାଶସ୍ତ୍ର ଜାଣେ । ଦେବେ ଡରନ୍ତି ଏହା ଜାଣେ ॥ ୮୪
ମୋହର ମାୟା ଅଛି ଯେତେ । ଶମ୍ବର ନ ଜାଣଇ ତେତେ ॥ ୮୫
ମାୟାମୋହନ ଶସ୍ତ୍ର ଭେଦି । ବେଗେ ଏହାର ଶିର ଛେଦି ॥ ୮୬
ବିମାନେ ବସି ନାଥ ଏବେ । ଚାଲ ଦ୍ୱାରକା ଯିବା ବେଗେ ॥ ୮୭
ତୋର ଜନନୀ ଚନ୍ଦ୍ରମୁଖୀ । ରୁକ୍ମିଣୀଦେବୀ ବଡ଼ ଦୁଃଖୀ ॥ ୮୮
ଉଦରେ ବସି ଦଶମାସ । ପ୍ରସବି ହୋଇଲେ ନିରାଶ ॥ ୮୯
କୁରରୀ ପ୍ରାୟେ ପୁତ୍ର ଶୋକେ । ଦିନ ବଞ୍ଚଇ ଅତିଦୁଃଖେ ॥ ୯୦
ଆକୁଳେ ପୁତ୍ର ଶୋକେ ଦେହି । ମୃତବତ୍ସିକା ଯେହ୍ନେ ଗାଈ ॥ ୯୧
ଏମନ୍ତ କହି ତାର ପାଶେ । ମୋହ୍ନ ବିଦ୍ୟା ଦେଲା ତୋଷେ ॥ ୯୨
ସକଳ ମାୟା ଯେଣେ ଜିଣି । ସ୍ୱାମୀଙ୍କି କହିଲା ତରୁଣୀ ॥ ୯୩
କୃଷ୍ଣନନ୍ଦନ ଶୁଣି ତାହା । ଅଭ୍ୟାସ କଲା ସର୍ବମାୟା ॥ ୯୪
ଏମନ୍ତେ ପାହିଲା ରଜନୀ । କନ୍ଦର୍ପ କରେ ଗଦା ଘେନି ॥ ୯୫
ଶମ୍ବର ସଭାତଳେ ମିଳି । ଯୁଦ୍ଧେ ଡାକଇ ମହାବଳୀ ॥ ୯୬
ଅନେକ ନିନ୍ଦାବାକ୍ୟ ମତ । କହନ୍ତେ କଳି କଲା ଦୈତ୍ୟ ॥ ୯୭
ଅତିନିନ୍ଦିତ କଥା ଶୁଣି । ବେଗେ ଉଠିଲା ଶିର ଶୁଣି ॥ ୯୮
ଶମ୍ବର କହେ ବଳଦର୍ପେ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପେ ॥ ୯୯
ବଜ୍ରସମାନ ଗଦା କର । ଶମ୍ବର ହୋଇଲା ବାହାର ॥ ୧୦୦
ରୋଷେ ଲୋଚନ ତମ୍ବାପ୍ରାୟେ । ପିଟିଲା ପ୍ରଦ୍ୟୁମ୍ନର ଦେହେ ॥ ୧୦୧
କୋପେ ଛାଡ଼ିଲା ଘୋରରଡ଼ି । ଯେସନେ ବଜ୍ର ଘଡ଼ଘଡ଼ି ॥ ୧୦୨
କୃଷ୍ଣନନ୍ଦନ ଗଦା ବେଗେ । କୋପେ ବୁଲାଇ ଦଶଦିଗେ ॥ ୧୦୩
ଶମ୍ବର ଗଦା କଲା ଚୂର । କୋପେ ଡାକିଲା ମହାବୀର ॥ ୧୦୪
କନ୍ଦର୍ପ କରେ ଗଦା ଦେଖି । ଅସୁର ସମର ଉପେକ୍ଷି ॥ ୧୦୫
ଗଗନମାର୍ଗେ ଆଶ୍ରେ କରି । ଅନେକ ମାୟାଶସ୍ତ୍ର ଧରି ॥ ୧୦୬
ଶର ବରଷା ମହାଘୋର । କଲାକ ମାୟାବୀ ଅସୁର ॥ ୧୦୭
ବାଣ ବରଷେ ପୀଡା ପାଇ । କନ୍ଦର୍ପ ଚଉଦିଗେ ଚାହିଁ ॥ ୧୦୮
ନିଜ ମୋହିନୀମାୟା ସତ୍ତ୍ୱ । ଶମ୍ବରମାୟା କଲା ହତ ॥ ୧୦୯
ପୁଣି ଅସୁର ଶୂନ୍ୟଦେହା । ପ୍ରକାଶ କଲା ନାନାମାୟା ॥ ୧୧୦
ପିଶାଚ ଗନ୍ଧର୍ବ ଗୁହ୍ୟକ । ରାକ୍ଷସ ଉରଗ ଶୋଷକ ॥ ୧୧୧
ଶତସହସ୍ର ଅପ୍ରମିତ । ଯୁଦ୍ଧେ ପ୍ରକାଶିଲା ଦଇତ୍ୟ ॥ ୧୧୨
ସକଳମାୟା କୃଷ୍ଣସୁତ । ନିଜ ମାୟାରେ କଲା ହତ ॥ ୧୧୩
ନିଜ ଖଡ଼ଗ କରେ ଧରି । ପ୍ରଦ୍ୟୁମ୍ନ ଗଗନେ ସଞ୍ଚରି ॥ ୧୧୪
ଶମ୍ବର ଶିର ବାମକରେ । ଧରି କାଟିଲା କୋପଭରେ ॥ ୧୧୫
ମୁଣ୍ତ ପଡ଼ିଲା ଭୂମିତଳେ । ସୁନ୍ଦର କିରୀଟ କୁଣ୍ତଳେ ॥ ୧୧୬
ତମ୍ବାର ପ୍ରାୟ ଦାଢ଼ି ମୁଖେ । ଦେଖନ୍ତି ସ୍ୱର୍ଗେ ଦେବଲୋକେ ॥ ୧୧୭
ଆନନ୍ଦେ କୁସୁମ ବରଷି । କାମର ବିକ୍ରମ ପ୍ରଶଂସି ॥ ୧୧୮
ଶମ୍ବର ମାରି କୃଷ୍ଣବଳା । ସୁବର୍ଣ୍ଣରଥେ ବିଜେ କଲା ॥ ୧୧୯
କୋଳେ ବସାଇ ମାୟାବତୀ । ବେଗେ ଚଳିଲା ଦ୍ୱାରାବତୀ ॥ ୧୨୦
ଗଗନମାର୍ଗେ କୃର୍ଷ୍ଣପୁରେ । ବିମାନ ପଶିଲା ଭିତରେ ॥ ୧୨୧
ବିଜୁଳି ସଙ୍ଗେ ମେଘ ଯେହ୍ନେ । ଦେଖି ଚକିତ ସର୍ବଜନେ ॥ ୧୨୨
କୃଷ୍ଣର ପୁରେ ଯେତେ ନାରୀ । ରୁକ୍ମିଣୀ ଆଦି ମନୋହାରୀ ॥ ୧୨୩
ଅପୂର୍ବ କୃଷ୍ଣର ନନ୍ଦନ । ଦିଶନ୍ତି ଅତି ଶୋଭାବନ ॥ ୧୨୪
ନୀଳଜୀମୂତ ପ୍ରାୟ ଦେହୀ । ପୀତବସନ ବିରାଜଇ ॥ ୧୨୫
ପଦ୍ମଲୋଚନ ଦୀର୍ଘବାହୁ । ବୋଲନ୍ତି ଅଇଲା ଏ କାହୁଁ ॥ ୧୨୬
ଅଳପ ହାସେ ମୁଖ ଶୋହେ । ରୂପେ କାମିନୀ ମନମୋହେ ॥ ୧୨୭
ନୀଳକୁନ୍ତଳ ଭୃଙ୍ଗ ତେଜେ । ସୁନ୍ଦର ମୁଖପଦ୍ମ ସାଜେ ॥ ୧୨୮
କୃଷ୍ଣର ପ୍ରାୟ ତାକୁ ମଣି । ସଂଭ୍ରମେ ଲୁଚିଲେ ତରୁଣୀ ॥ ୧୨୯
ପୁଣି କ୍ଷଣକେ ସ୍ଥିର ଚାହିଁ । ଜାଣିଲେ କୃଷ୍ଣ ଏ ନୁହେଇ ॥ ୧୩୦
ପୁଣି ମିଳିଲେ ତାର ପାଶେ । ନିଶ୍ଚୟ ଜାଣିବାର ଆଶେ ॥ ୧୩୧
ଆନନ୍ଦେ ତାର ମୁଖ ଚାହିଁ । ମଦନେ ମନ ନ ଚଳଇ ॥ ୧୩୨
କାମିନୀରତ୍ନ ତାର କୋଳେ । ଦେଖି ଭାଲନ୍ତି କାମଭୋଳେ ॥ ୧୩୩
ରୁକ୍ମିଣୀ ସୁତକୁ ଅନାଇ । ବିତର୍କମନେ ବିଚାରଇ ॥ ୧୩୪
ପ୍ରସବକାଳେ ମୋ କୁମର । ଶୟନସ୍ଥାନୁ ନେଲା ଚୋର ॥ ୧୩୫
ପୁତ୍ର ସୁମରି ଦୁଃଖମନେ । କ୍ଷୀର ସ୍ରବଇ ବେନିସ୍ତନେ ॥ ୧୩୬
କାହୁଁ ଅଇଲା ଏ କୁମର । ମନୁଷ୍ୟ ରତ୍ନ କଳେବର ॥ ୧୩୭
କୃଷ୍ଣର ଚିହ୍ନ ଏହା ଦେହେ । ଦିଶଇ ଇନ୍ଦ୍ରନୀଳ ପ୍ରାୟେ ॥ ୧୩୮
କାହାର ଗର୍ଭେ ଏହୁ ଥିଲା । ଅପୂର୍ବ କାହୁଁ ଏ ଅଇଲା ॥ ୧୩୯
ଯୁବତୀରତ୍ନ ଅଛି କୋଳେ । ଲଭିଲା ପୂର୍ବ ପୁଣ୍ୟଫଳେ ॥ ୧୪୦
ମୋର ବାଳକ ନାଶ ଗଲା । ସୂତିକା ଘରୁ କେ ହରିଲା ॥ ୧୪୧
ଜୀବନେ ଥିଲେ ଯହିଁ ତହିଁ । ଏହାର ତୁଲେ ସମ ହୋଇ ॥୧୪୨
ଏ ଯେ ସକଳ ଚିହ୍ନ ବହି । କୃଷ୍ଣର ପ୍ରାୟେକ ଦିଶଇ ॥୧୪୩
ଆକୃତି ବୟ ବପୁ ଯେହ୍ନେ । ସୁନ୍ଦର ହାସ ବିଲୋକନେ ॥୧୪୪
ସେ ପୁତ୍ର ଅବା ହୋଇ ଏବେ । ଯାହା ଧଇଲି ମୁହିଁ ଗର୍ଭେ ॥୧୪୫
ମୋ ଚିତ୍ତେ ସ୍ନେହ ଏହା ଚାହିଁ । ବାମନୟନ ମୋ ସ୍ପୁରଇ ॥୧୪୬
ପୁଲକେ କମ୍ପେ ବାମଭୁଜ । ଏହାର ଅଙ୍ଗେ କୃଷ୍ଣତେଜ ॥୧୪୭
ରୁକ୍ମିଣୀ ଏମନ୍ତ ବିଚାରି । ବିଜୟ କଲେ ନରହରି ॥୧୪୮
ଦେବକୀ ବସୁଦେବ ସଙ୍ଗେ । କୃଷ୍ଣ ମିଳିଲେ ସୁତ ଆଗେ ॥୧୪୯
ଗୋବିନ୍ଦ ତାହା ସର୍ବ ଜାଣି । କୁମର ଦେଖି ହେଲେ ତୁନି ॥୧୫୦
ଏମନ୍ତେ ଶୁଣ ନରନାଥ । ବ୍ରହ୍ମାନନ୍ଦନ ଉପଗତ ॥୧୫୧
ଦେଖିଣ ସଂଶୟ ବିଷାଦ । ସକଳ କହିଲେ ନାରଦ ॥୧୫୨
ଶୁଣି ନାରଦ ମୁଖୁଁ ବାଣୀ । ଗୋବିନ୍ଦ ଯେତେକ ତରୁଣୀ ॥୧୫୩
ତରୁଣ ବାଳ ବୃଦ୍ଧ ସଙ୍ଗେ । ଉତ୍ସବ କଲେ ନାନା ରଙ୍ଗେ ॥୧୫୪
ଦେଖ ରୁକ୍ମିଣୀ ପୁଣ୍ୟ ରାଶି । ଯମଭୁବନୁ ପୁତ୍ର ଆସି ॥୧୫୫
ମୋହିଲା ଦ୍ୱାରକା ଭୁବନ । ବାଳ ତରୁଣ ବୃଦ୍ଧଜନ ॥୧୫୬
କୋଳେ କାମିନୀ ସୁକୁମାରୀ । ରୂପେ ଭୁବନେ ନାହିଁ ସରି ॥୧୫୭
ଦେବକୀଦେବୀ ବସୁଦେବ । ଥିଲେ ଯେ ଶ୍ରୀରାମ ମାଧବ ॥୧୫୮
ଯଦୁନଗରେ ନାରୀ ଯେତେ । ମିଳିଲେ ଦୁର୍ବାଙ୍କୁର ହସ୍ତେ ॥୧୫୯
ଅକ୍ଷତ ଦେଇ ପୁତ୍ର ଶିରେ । ମଙ୍ଗଳ କଲେ ଉଚ୍ଚସ୍ୱରେ ॥୧୬୦
ରୁକ୍ମିଣୀ ଘେନି ପୁତ୍ର କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ॥୧୬୧
ସଙ୍ଗେ ସକଳ ପରିବାରୀ । ଆନନ୍ଦେ କୋଳେ ବଧୂ ଧରି ॥୧୬୨
ଯଦୁନଗରେ ଯେତେ ଜନ । ଶୁଣି ସାନନ୍ଦ କଲେ ମନ ॥୧୬୩
ରୁକ୍ମିଣୀଦେବୀ ଭାଗ୍ୟ ଦେଖ । ମରଣୁ ଅଇଲା ବାଳକ ॥୧୬୪
ଶୁକ କହନ୍ତି ଶୁଣ ନୃପ । ମାତାଏ ଦେଖି ପୁତ୍ରରୂପ ॥୧୬୫
କୃଷ୍ଣର ପ୍ରାୟ ମଣି ତାହା । ଆନନ୍ଦେ ବଳିଲା ଉତ୍ସାହା ॥୧୬୬
ସ୍ୱଭାବେ କାମ କୃଷ୍ଣପ୍ରାୟେ । ସର୍ବଲକ୍ଷଣ ଅଛି ଦେହେ ॥୧୬୭
ଅନ୍ୟ ଭୁବନେ ନାରୀ ଯେତେ । ତାହାକୁ ଦେଖି ଦୃଷ୍ଟିପଥେ ॥୧୬୮
କାମେ ହୋଇଲେ ଉନମତ୍ତ । ଚିତ୍ର ନୋହଇ ଏହୁ କଥା ॥୧୬୯
ବୋଲଇ ଦାସ ଜଗନ୍ନାଥ । ରୁକ୍ମିଣୀ ତନୟ ପ୍ରାପତ ॥୧୭୦
ସୁଜନେ ଶୁଣ ଶ୍ରୁତିପଥେ । ସଂସାରୁ ତରିବ ଯେମନ୍ତେ ॥୧୭୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପ୍ରଦ୍ୟୁମ୍ନ ଉତ୍ପତ୍ତି ନିରୁପଣଂ ନାମ
ଉନଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ଷଷ୍ଟିତମ ଅଧ୍ୟାୟଃ'''===
<poem>
;ଶୁକ ଉବାଚ
କହନ୍ତି ଶୁକ ମହାମୁନି । ଶୁଣ ରାଜନ ସାଧୁବାଣୀ ॥୧
ଯଦୁନଗରେ ସତ୍ରାଜିତ । କୃଷ୍ଣରେ କରି ଦ୍ରୋହଚିତ୍ତ ॥୨
ନିଜ ଦୁହିତା ସତ୍ୟଭାମା । ଅଂଶେ ସମ୍ଭୂତ ଯେହୁ ରମା ॥୩
ଅମୂଲ୍ୟ ସ୍ୟମନ୍ତକ ମଣି । ନିଜ ଦୁହିତା ସଙ୍ଗେ ଆଣି ॥୪
କୃଷ୍ଣଚରଣେ ଦେଲା ନେଇ । ଆତ୍ମ ଅପରାଧ ଛଡ଼ାଇ ॥୫
ଏମନ୍ତେ ଶୁକ ବାକ୍ୟ ଶୁଣି । ପରୀକ୍ଷ କହେ ସାଧୁବାଣୀ ॥୬
;ପରୀକ୍ଷିତ ଉବାଚ
କହ କେମନ୍ତେ ସତ୍ରାଜିତ । କୃଷ୍ଣ ବିଷୟେ ବିପରୀତ ॥୭
କାହୁଁ ଆଣିଲା ରତ୍ନମଣି । ଦୁହିତା ତୁଲେ ଦେଲା ଆଣି ॥୮
କି ଦ୍ରୋହ କଲା ଯଦୁପୁରେ । ସ୍ୱଜନ ବାନ୍ଧବ ବେଭାରେ ॥୯
;ଶୁକ ଉବାଚ
ଶୁଣି କହନ୍ତି ବ୍ୟାସସୁତ । ରାଜନ ଶୁଣ ଦେଇ ଚିତ୍ତ ॥୧୦
ଅନେକ ତପେ ସତ୍ରାଜିତ । ସୂର୍ଯ୍ୟ ସଙ୍ଗତେ ହେଲା ମିତ ॥୧୧
ପ୍ରସନ୍ନ ଚିତ୍ତେ ଦିନମଣି । ଆପଣା କଣ୍ଠୁ ରତ୍ନମଣି ॥୧୨
ସତ୍ରାଜିତର କଣ୍ଠେ ଦେଇ । ତପନ ଗଲେ ତୋଷ ହୋଇ ॥୧୩
ଏମନ୍ତେ ମଣି କଣ୍ଠେ ଭରି । ଆନନ୍ଦେ ଗଲା ନିଜ ପୁରୀ ॥୧୪
ପଥେ ଆସନ୍ତେ ସତ୍ରାଜିତ । ଦିଶଇ ଦ୍ୱିତୀୟ ଆଦିତ୍ୟ ॥୧୫
ମଣିର ତେଜେ ତାର ଦେହି । ଜନନୟନେ ନୋହେ ଚାହିଁ ॥୧୬
ଚାହିଁଲେ ଚକ୍ଷୁତେଜ ନାଶେ । କେହି ନ ରହେ ତାର ପାଶେ ॥୧୭
ଦେଖି ସକଳେ ପଳାଇଲେ । କୃଷ୍ଣର ନିକଟେ ମିଳିଲେ ॥୧୮
ଅଭୟ ପଦ୍ମପାଦେ ପଡ଼ି । କହନ୍ତି ବେନିକର ଯୋଡ଼ି ॥୧୯
ଅକ୍ଷ ଖେଳନ୍ତେ ଭଗବାନ । ଜନବଚନେ ଅବଧାନ ॥୨୦
ଜନେ କହନ୍ତି ଯୋଡ଼ିକର । ଭୋ ନାଥ ଶୁଣ ଚକ୍ରଧର ॥୨୧
ପଦ୍ମଲୋଚନ ନାରାୟଣ । ଅନାଦି ସଂସାର କାରଣ ॥୨୨
ଭୋ ନାଥ ତୋର ପଦ୍ମପାଦ । ଦର୍ଶନେ ରବି କଲା ସଧ ॥୨୩
ଗଗନେ ଛନ୍ତି ଦେହ ଧରି । ମର୍ତ୍ତ୍ୟେ ପ୍ରତ୍ୟକ୍ଷେ ବିଜେ କରି ॥୨୪
ତାହାର ତେଜେ ଭଗବାନ । ଚାହିଁଲେ ଝଲସେ ନୟନ ॥୨୫
ତୁ ନାଥ ଜଗତ ଠାକୁର । ସକଳେ ତୋହର କିଙ୍କର ॥୨୬
ଦେବେ ତୋହର ପଦ୍ମପାଦେ । ସେବନ୍ତି ମୋକ୍ଷଫଳ ସଧେ ॥୨୭
ଏ ଯଦୁବଂଶେ ତୋ ସମ୍ଭୁତ । ଶୁଣି ସାନନ୍ଦେ ଛାୟାକାନ୍ତ ॥୨୮
ଦେଖିବ ତୋହର ଚରଣ । ତୁ ଯେ ଅନାଦି ନାରାୟଣ ॥୨୯
ବୋଲନ୍ତି ଶୁକ ମହାମୁନି । ଜନବଚନ କୃଷ୍ଣ ଶୁଣି ॥୩୦
ପଦ୍ମଲୋଚନେ ଚାହିଁ ବସି । କହନ୍ତି ସ୍ୱଜନେ ଆଶ୍ୱାସି ॥୩୧
;ଭଗବାନ ଉବାଚ
ସେ ନୋହେ ପ୍ରଭୁ ଦିନନାଥ । ବର ଲଭିଲା ସତ୍ରାଜିତ ॥୩୨
ତପେ ଆଦିତ୍ୟେ ସେବା କରି । ଆସଇ ମଣି କଣ୍ଠେ ଭରି ॥୩୩
ମଣି କିରଣ ରବିପ୍ରାୟ । ତୁମ୍ଭେ ନକର ମନେ ଭୟ ॥୩୪
ଏମନ୍ତ କହି ଭଗବାନ । ଅକ୍ଷକ୍ରୀଡ଼ାରେ ଦେଲେ ମନ ॥୩୫
ଏମନ୍ତେ ସତ୍ରାଜିତ ଗଲା । ନିଜ ଭୁବନେ ବିଜେ କଲା ॥୩୬
ନିତ୍ୟେ ଉତ୍ସବ ତାର ପୁରେ । ଦେବମନ୍ଦିରେ ବିପ୍ରବରେ ॥୩୭
ମଣି ନିବେଶି ଦେବଘରେ । ଆନନ୍ଦେ ପଶିଲା ଭିତରେ ॥୩୮
ଶୁଣ ରାଜନ ସାଧୁବାଣୀ । ତାର ଭୁବନେ ରତ୍ନମଣି ॥୩୯
ସୁବର୍ଣ୍ଣ ଅଷ୍ଟଭାର ନିତି । ମଣି ଶରୀରୁ ଉତପତ୍ତି ॥୪୦
ଦୁର୍ଭିକ୍ଷ ମାରୀଭୟ ନାହିଁ । ଅଶୁଭ ତ୍ରାସ ନ ଲାଗଇ ॥୪୧
ସର୍ପବିଘାତ ଆଦି ରୋଗ । ନୁହଁନ୍ତି ଭୁବନେ ସଂଯୋଗ ॥୪୨
ଯହିଁ ପୂଜନ୍ତି ରତ୍ନମଣି । ତହିଁ ନ ଥାନ୍ତି ମାୟା ପ୍ରାଣୀ ॥୪୩
ଏମନ୍ତେ ଗଲା ଦିନାକେତେ । ଶୁଣ ରାଜନ ଏକଚିତ୍ତେ ॥୪୪
ଦିନେକ ପ୍ରଭୁ ଜଗନ୍ନାଥ । ଗୃହେ ଅଣାଇ ସତ୍ରାଜିତ ॥୪୫
କହନ୍ତି ପ୍ରଭୁ ଚକ୍ରପାଣି । ଉଗ୍ରସେନକୁ ଦିଅ ମଣି ॥୪୬
ଏହା ଭଣ୍ତାରେ ନାହିଁ ଧନ । ମଣି ଏ ପୂଜୁ କିଛିଦିନ ॥୪୭
ଏମନ୍ତେ ଗୋବିନ୍ଦ ବଚନେ । ଭାଳଇ ସତ୍ରାଜିତ ମନେ ॥୪୮
ଦିନକୁ ଦିନ ଅଷ୍ଟଭାର । ସୁବର୍ଣ୍ଣ ଭଣ୍ତାରେ ମୋହର ॥୪୯
କେମନ୍ତେ ଦେବି ରତ୍ନମଣି । ଏମନ୍ତେ ଭାଳି ହେଲା ତୁନି ॥୫୦
ଅର୍ଥ-କାମୁକ ଧନଆଶେ । ପଡ଼ିଲା ମାୟା-ମୋହ-ପାଶେ ॥୫୧
ଦେବା ନ ଦେବା ନ ବୋଇଲା । କୃଷ୍ଣର ଆଜ୍ଞା ଭଗ୍ନ କଲା ॥୫୨
ନିରାଶ କରି ଚକ୍ରଧରେ । ମିଳିଲା ଆପଣା ମନ୍ଦିରେ ॥୫୩
ଏମନ୍ତେ ଶୁଣ ନରନାଥ । ପ୍ରସେନ ନାମେ ତାର ଭ୍ରାତ ॥୫୪
ସେ ରତ୍ନମଣି କଣ୍ଠେ ଭରି । ଅଶ୍ୱ ଉପରେ ବିଜେ କରି ॥୫୫
ମୃଗୟାଛଳେ ସୁଖମନେ । ପଶିଲା ଗହନକାନନେ ॥୫୬
ଗହନବନେ ସିଂହ ଥିଲା । ପ୍ରସେନ ଦେଖି ଓଗାଳିଲା ॥୫୭
ଅଶ୍ୱ ସହିତେ ତାକୁ ମାରି । ସିଂହ ସେ ମଣି କଣ୍ଠେ ଭରି ॥୫୮
ପର୍ବତ ନିକଟେ ମିଳିଲା । ତହିଁ ଜାମ୍ବବ ବୀର ଥିଲା ॥୫୯
ଭଲ୍ଲକୁ ରୂପ ସେ ସ୍ୱଭାବେ । ଧାଇଁଲା ସିଂହ ଦେଖି ଜବେ ॥୬୦
କର ପ୍ରହାରେ ମୁଣ୍ତ କାଟି । ସିଂହ ପଡ଼ିଲା ମହୀ ଲୋଟି ॥୬୧
ସେ ମଣି ଘେନି ଅତିଖରେ । ପଶିଲା ବିବର ଭିତରେ ॥୬୨
ନିଜ ଭୁବନେ ବୀର ଯାଇ । ସେ ମଣି ପୁତ୍ରକଣ୍ଠେ ଦେଇ ॥୬୩
ଧାଇ ଖେଳାଏ ତାର ସୁତ । ଏବେ ହୋ ଶୁଣ ନରନାଥ ॥୬୪
ପ୍ରସନେ ନ ଦେଖି ନୟନେ । ଭାଳଇ ସତ୍ରାଜିତ ମନେ ॥୬୫
ମୃଗୟା ଗଲା ମୋର ଭ୍ରାତ । ପୁରେ ନୋହିଲା ଉପଗତ ॥୬୬
ବନେ କି ପଡ଼ିଲା ଆପଦ । ଶୋକେ ହୋଇଲା ଗଦଗଦ ॥୬୭
ଏମନ୍ତେ କରଇ ରୋଦନ । ବିକଳେ ବିଚାରଇ ମନ ॥୬୮
କୃଷ୍ଣ ମାଗିଲେ ମୋତେ ମଣି । ନଦେଇ ହୋଇଲି ମୁଁ ତୁନି ॥୬୯
ସେ ଅବା ମୋତେ ମାୟା କଲା । ପ୍ରସେନ ମାରି ମଣି ନେଲା ॥୭୦
ସେ କଥା ଶୁଣି ସର୍ବଜନେ । ମିଳି କହନ୍ତି କାନେ କାନେ ॥୭୧
ଗୋବିନ୍ଦ କଲେ ଏଡେ଼ କର୍ମ । ଲୋକରେ ଶୁଭିଲା ଲାଞ୍ଛନ ॥୭୨
ବିଷମଲୋକ ଅପବାଦ । ଶୁଣି ପାଇଲେ କୃଷ୍ଣ ଖେଦ ॥୭୩
ବୋଲନ୍ତି ମୋର ଅପମାନ । ମୁହିଁ ସେ କରିବି ମାର୍ଜନ ॥୭୪
ସଙ୍ଗତେ ଘେନି ସର୍ବଜନ । ବନେ ପଶିଲେ ଭଗବାନ ॥୭୫
ବନେ ଖୋଜନ୍ତି ବନମାଳୀ । ପ୍ରସେନ ହତସ୍ଥାନେ ମିଳି ॥୭୬
ଅଶ୍ୱ ସହିତେ ବନେ ମରି । ଦେଖି ଚକିତ ନରହରି ॥୭୭
ବୋଲନ୍ତି ମଲା ଏ କେମନ୍ତେ । ଦେଖିଲେ ସିଂହପାଦ ପଥେ ॥୭୮
ପହଣ୍ତ ଚିହ୍ନି ସର୍ବଜନେ । ଥୋକାଏ ଗଲେ ଘୋରବନେ ॥୭୯
ଗିରି-ନିକଟେ ନାରାୟଣ । ଦେଖିଲେ ସିଂହର ମରଣ ॥୮୦
ଚକିତେ ପ୍ରଭୁ ନରହରି । ସିଂହ ମରଣ ଅନୁସରି ॥୮୧
ଦେଖିଲେ ଭଲ୍ଲୁକ ଚରଣ । ସମ୍ଭ୍ରମେ ମିଳି ସର୍ବଜନ ॥୮୨
ଭଲ୍ଲୁକ ପାଦଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥୮୩
ପୁଣି କେତେହେଁ ଦୂର ଗଲେ । ଚରଣ ପଡ଼ିଛି ବିବରେ ॥୮୪
ସେ ବିଳ ଘୋର ଅନ୍ଧକାର । ଦେଖି ବୋଲନ୍ତି ଦାମୋଦର ॥୮୫
ତୁମ୍ଭେ ସକଳ ପ୍ରଜାଜନେ । ଏଠାରେ ଥାଅ ସାବଧାନେ ॥୮୬
ଆଜ ସେ ଲୋକ ଅପବାଦେ । ମୁହିଁ ପଶିବି ବିଳ ମଧ୍ୟେ ॥୮୭
ଏମନ୍ତ କହି ଭାବଗ୍ରାହୀ । ବିଳେ ପଶିଲେ ବେଗେ ଯାଇ ॥୮୮
ଅନ୍ଧାର ପଥେ ଦଇତ୍ୟାରି । ଜାମ୍ବବ ପୁରେ ବିଜେ କରି ॥୮୯
ତାହାର ପୁତ୍ରକଣ୍ଠେ ମଣି । ଦୂରୁ ଦେଖିଲେ ଚକ୍ରପାଣି ॥୯୦
ବେଗେ ମିଳିଲେ ତାର ପାଶେ । ସେ ମଣି ଲିଭିବାର ଆଶେ ॥୯୧
ଧାଈ ଯେ ପୁତ୍ରପାଶେ ଥିଲା । ଅପୂର୍ବ ପୁରୁଷ ଦେଖିଲା ॥୯୨
ମନୁଷ୍ୟ ଦେଖି ଭୟ କରି । ସଂଭ୍ରମେ ପୁତ୍ର କୋଳେ ଧରି ॥୯୩
ଭୟେ ଡ଼ାକିଲା ଉଚ୍ଚସ୍ୱରେ । ଜାମ୍ବବ ଥିଲା ଯେ ଭିତରେ ॥୯୪
ଶୁଣି ଧାଇଁଲା ମହାବଳୀ । ବେଗେ ବାଳକପାଶେ ମିଳି ॥୯୫
ଦେଖିଲା ପ୍ରଭୁ ଭଗବାନ । ହୃଦରେ ଶ୍ରୀବତ୍ସର ଚିହ୍ନ ॥୯୬
ଜାମ୍ବବ ଜଗନ୍ନାଥ ଚାହିଁ । ମାୟାରେ ଚିହ୍ନି ନ ପାରଇ ॥୯୭
ଇତରଲୋକ ପ୍ରାୟ ମଣି । କୋପେ ଧାଇଁଲା ଶିରଝୁଣି ॥୯୮
ଭଲ୍ଲୁକ ସ୍ୱଭାବ ଯୁକତ । ବେଗେ ଧାଇଁଲା କୃଷ୍ଣହସ୍ତ ॥୯୯
ହରି ମହିମା ନ ଜାଣିଲା । ମଣିଷ ପ୍ରାୟ ସେ ମଣିଲା ॥୧୦୦
ତକ୍ଷଣେ ପାଦେ ପାଦ ଛନ୍ଦି । ଭୁଜଯୁଗଳେ ହୃଦବାନ୍ଧି ॥୧୦୧
ବିଷମ ମାଲଯୁଦ୍ଧ ଘୋର । ଜିଣିବା ଆଦେଶ ବଳୀୟାର ॥୧୦୨
ଜିଣି ନ ପାରି ମାଲଯୁଦ୍ଧେ । ସମର କରନ୍ତି ଆୟୁଧେ ॥୧୦୩
ବୃକ୍ଷ ପାଷାଣ କରେ ଧରି । ପିଟନ୍ତି ଘୋରନାଦ କରି ॥୧୦୪
ଆମିଷ ଅର୍ଥେ ଯେହ୍ନେ ଖଗ । କୋପେ କରନ୍ତି ରଣରଙ୍ଗ ॥୧୦୫
ଏମନ୍ତେ ଅଷ୍ଟାଦଶ ଦିନ । ସମର କଲେ ବେନିଜନ ॥୧୦୬
ବୃକ୍ଷ ପାଷାଣ ଯେଣୁ ଗଲା । ଅନେକ କୋପ ଉପୁଜିଲା ॥୧୦୭
ମୁଷ୍ଟି ପ୍ରହାର ହୃଦେ ପଡ଼ି । ଶବଦ ବଜ୍ର ଘଡ଼ଘଡ଼ି ॥୧୦୮
ନିରତେ କରନ୍ତି ସମର । ଶୁଣ ରାଜନ କୁରୁବୀର ॥୧୦୯
କୃଷ୍ଣର ମୁଷ୍ଟି ହୃଦେ ବାଜି । ଜାମ୍ବବ ଅସ୍ଥି ଛନ୍ଦ ଭାଜି ॥୧୧୦
କ୍ଷୀଣ ହୋଇଲା ବଳ ଗାତ୍ର । ବିସ୍ମୟେ ହୋଇ ମୂରୁଛିତ ॥୧୧୧
ଚାହିଁଲା କୃଷ୍ଣ ବଦନ । ତକ୍ଷଣେ ପାଇ ଦିବ୍ୟଜ୍ଞାନ ॥୧୧୨
ବୋଲଇ କୃଷ୍ଣମୁଖ ଚାହିଁ । ଭୋନାଥ ମୋତେ କର ତ୍ରାହି ॥୧୧୩
ତୁ ସର୍ବ ପ୍ରାଣ ଓଜ ବଳ । ମହାପୁରୁଷ ଆଦିମୂଳ ॥୧୧୪
ପୁରାଣପୁରୁଷ ଅନାଦି । ସଂସାର ମାୟାବଳେ ଛନ୍ଦି ॥୧୧୫
ବରଦ ବିଷ୍ଣୁ ତୁ ଈଶ୍ୱର । ମହାମହିମ ଯୋଗେଶ୍ୱର ॥୧୧୬
ବ୍ରହ୍ମାଦି ଯେତେ ସୃଷ୍ଟିପାଳ । ତାହାଙ୍କ ସ୍ୱାମୀ ତୁ ଗୋପାଳ ॥୧୧୭
ଏ ସୃଷ୍ଟି ଅନ୍ତେ ତୋର ଦେହେ । ପଶନ୍ତି ପରମାଣୁ ପ୍ରାୟେ ॥୧୧୮
କାଳଦଳନ ବାନା ତୋର । ପରମ ଆତ୍ମା ଯୋଗେଶ୍ୱର ॥୧୧୯
ଈଷିତ ରୋଷ ତୋ ବଦନ । ଦେଖି ଜଳଧି କମ୍ପମାନ ॥୧୨୦
ଯେ ମହାମତ୍ସ୍ୟ ଗ୍ରାହଗଣ । କ୍ଷୋଭିତ ହୋଇ ଅନୁକ୍ଷଣ ॥୧୨୧
ତୋହର ଚରଣେ ପଡ଼ିଲେ । ଲଙ୍କା ଗମନେ ମାର୍ଗ ଦେଲେ ॥୧୨୨
ପର୍ବତେ ସେତୁବନ୍ଧ କରି । ଘୋର ସମୁଦ୍ର ହେଳେ ତରି ॥୧୨୩
ଲଙ୍କା ଦହିଲୁ ଘୋର ଦୃଷ୍ଟି । ରାବଣ ଦଶମୁଣ୍ତ କାଟି ॥୧୨୪
ରାକ୍ଷସ ଶିରେ ମହୀସ୍ଥଳୀ । ଯୁଦ୍ଧେ ଢାଙ୍କିଲୁ ବନମାଳୀ ॥୧୨୫
ଏମନ୍ତ ମହିମା ଯାହାର । ଭୋନାଥ ଶରଣ ମୁଁ ତୋର ॥୧୨୬
ମୁଁ ଛାର ନ ଜାଣିଲି ତୋତେ । ପଶୁରେ ଜନ୍ମକଲୁ ମୋତେ ॥୧୨୭
ଗୋବିନ୍ଦ ଶୁଣି ତା ବଚନ । ହୋଇଲେ ଅତି ହୃଷ୍ଟମନ ॥୧୨୮
ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥୧୨୯
ଜାମ୍ବବ ଶିରେ ଦେଇ କର । ଆଶ୍ୱାସ କଲେ ଚକ୍ରଧର ॥୧୩୦
ପରମ ଦୟାଳୁ ମୁରାରି । କହନ୍ତି ତାର କର ଧରି ॥୧୩୧
ମେଘ ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି କମ୍ଭୁପାଣି ॥୧୩୨
ଏମଣି ହେତୁ ତୋର ବିଳେ । ପଶିଲି ମିଥ୍ୟାବାଦ ଛଳେ ॥୧୩୩
ଦୁଃସହ ଜନ ଅପବାଦ । ମିଥ୍ୟାବଚନେ ମନଖେଦ ॥୧୩୪
ଏ ମଣି ଯଦୁପୁରେ ନେବି । ଆପଣା ଦୋଷ ଛଡ଼ାଇବି ॥୧୩୫
ଜାମ୍ବବ କୃଷ୍ଣବାକ୍ୟ ଶୁଣି । ଆନନ୍ଦମନେ ପରିମାଣି ॥୧୩୬
କୃଷ୍ଣ ଅଇଲେ ମୋର ଘର । କି ଅବା ଦେବି ଉପହାର ॥୧୩୭
ମୋର ଦୁହିତା ଜାମ୍ବବତୀ । ତାର ସଦୃଶେ କୃଷ୍ଣପତି ॥୧୩୮
ଏମନ୍ତ ମନେ ବିଚାରିଲା । କନ୍ୟାର କଣ୍ଠେ ମଣି ଦେଲା ॥୧୩୯
କୃଷ୍ଣର ପାଦତଳେ ନେଇ । ବୋଲଇ ଶିରେ କର ଦେଇ ॥୧୪୦
ଭୋ ନାଥ ପରମପୁରୁଷ । ମୋହର ନ ଘେନିବା ଦୋଷ ॥୧୪୧
ଅନେକ କଲି ଅପରାଧ । ନ ଚିହ୍ନ ତୋର ପଦ୍ମପାଦ ॥୧୪୨
ଏମନ୍ତେ ଶୁଣ ହୋ ରାଜନ । ଦ୍ୱାରେ ଯେ ଥିଲେ ସର୍ବଜନ ॥୧୪୩
ନିରତେ ବିଳଦ୍ୱାରେ ଚାହିଁ । କୃଷ୍ଣ ଆଗମେ ମନ ଦେଇ ॥୧୪୪
ବଂଚିଲେ ଦ୍ୱାଦଶ ଦିବସ । ନ ଦେଖି ହୋଇଲେ ନିରାଶ ॥୧୪୫
ବାହୁଡ଼ିଗଲେ ଦୁଃଖ ମନେ । କହିଲେ କୃଷ୍ଣର ଭୁବନେ ॥୧୪୬
ଶୁଣି ଦେବକୀ ବସୁଦେବ । ଏ ଆଦି ସକଳ ଯାଦବ ॥୧୪୭
ରୁକ୍ମିଣୀ ଆଦି ବଧୂଜନ । ଶୁଣି ହୋଇଲେ ହତଜ୍ଞାନ ॥୧୪୮
ମିଳି ସୁହୃଦେ ବନ୍ଧୁଜନ । ବିକଳେ କରନ୍ତି ରୋଦନ ॥୧୪୯
ନ ଦେଖି ଅଭୟ ଚରଣ । ସଙ୍କଳ୍ପେ ଚିନ୍ତନ୍ତି ମରଣ ॥୧୫୦
ନ ଦେଖି ପ୍ରଭୁ ନରହରି । ଜୀବନ ନ ପାରନ୍ତି ଧରି ॥୧୫୧
ଦ୍ୱାରକାପୁର ଜନେ ଯାଇ । ନିନ୍ଦନ୍ତି ସତ୍ରାଜିତ ଚାହିଁ ॥୧୫୨
ତୋହର ଯୋଗୁଁ ଯଦୁପୁରୀ । ଆଜୁଁ ହୋଇଲା ହତଶିରୀ ॥୧୫୩
ଏମନ୍ତେ ଦୁଃଖ ଶୋକମନେ । ମିଳିଲେ ଅମ୍ବିକା ଭୁବନେ ॥୧୫୪
କୃଷ୍ଣଙ୍କୁ ଲଭିବାର ଆଶେ । ସ୍ତୁତି କରନ୍ତି ଦେବୀପାଶେ ॥୧୫୫
ନମୋ ଜଗତ ଆଦିମାତ । ଯାଦବେ ହୋଇଲୁ ଅନାଥା ॥୧୫୬
ଦୁର୍ଗମ ଦୁଃଖ ନାଶିବାରେ । ଦୁର୍ଗା ବୋଲାଉ ତିନିପୁରେ ॥୧୫୭
ତୋ ପାଦେ ପଶିଲୁ ଶରଣ । ଦେଖାଅ ଗୋବିନ୍ଦ ଚରଣ ॥୧୫୮
ଯଦୁଙ୍କ ଦୁଃଖ ଶୋକ ଜାଣି । ଶୂନ୍ୟେ କହନ୍ତି ଠାକୁରାଣୀ ॥୧୫୯
ମନେ ନ କର ତୁମ୍ଭେ ଶୋକ । ଦେଖିବ ଶ୍ରୀକୃଷ୍ଣର ମୁଖ ॥୧୬୦
ଏମନ୍ତ କହୁଁ କହୁଁ ଜନେ । ଗୋବିନ୍ଦ ମିଳିଲେ ଭୁବନେ ॥୧୬୧
କନ୍ୟା ସହିତେ ଭଗବାନ । ଘେନାଇ ଅମୂଲ୍ୟ ରତନ ॥୧୬୨
ହରଷ କରି ସୁରନର । ବିଜୟ କଲେ ଚକ୍ରଧର ॥୧୬୩
ଦେଖି ସାନନ୍ଦ ସର୍ବଜନେ । ମିଳିଲେ କୃଷ୍ଣ ଦରଶନେ ॥୧୬୪
ମଲା ପୁରୁଷ ଯେହ୍ନେ ଆସି । କହନ୍ତି କୃଷ୍ଣଙ୍କୁ ପ୍ରଶଂସି ॥୧୬୫
କନ୍ୟା ସହିତେ ଦାମୋଦର । ପ୍ରବେଶ ଆପଣା ମନ୍ଦିର ॥୧୬୬
ତକ୍ଷଣେ ସତ୍ରାଜିତେ ଆଣି । କହନ୍ତି ପ୍ରଭୁ ଚକ୍ରପାଣି ॥୧୬୭
ଉଗ୍ରସେନର ସଭାମଧ୍ୟେ । କୃଷ୍ଣ କହନ୍ତି ମନ ଖେଦେ ॥୧୬୮
ମଣି ଆଣିଲେ ଯେତେ ଦୁଃଖେ । କହିଲେ ଆପଣା ଶ୍ରୀମୁଖେ ॥୧୬୯
ମଣି ତାହାର କରେ ଦେଇ । ପୁରେ ମିଳିଲେ କୃଷ୍ଣଯାଇ ॥୧୭୦
ସଭାରୁ ସତ୍ରାଜିତ ମଣି । ସଭୟେ ନିଜ କରେ ଘେନି ॥୧୭୧
ଅତି ଲଜ୍ଜିତେ ଅଧୋମୁଖ । ପଥେ ଗମଇ ଦୁଃଖଶୋକେ ॥୧୭୨
ମତେ ବାଧିଲା ଅନୁତାପ । କୃଷ୍ଣଚରଣେ କଲି ପାପ ॥୧୭୩
ଦିନକୁ ଦିନ ମନଖେଦେ । ଭାଳଇ କୃଷ୍ଣ ଅପରାଧେ ॥୧୭୪
ନିରତେ ଭାଳଇ ବିଷାଦେ । ଦ୍ରୋହ ଯେ କଲି କୃଷ୍ଣପାଦେ ॥୧୭୫
କେମନ୍ତେ ଆତ୍ମଦୋଷ ଯିବ । ଗୋବିନ୍ଦ ପ୍ରସନ୍ନ ହୋଇବ ॥୧୭୬
ଲୋକେ ବୋଲିବେ ମୋତେ ଭଲ । ତେବେ ସେ ଯିବ ଆତ୍ମାଶଲ ॥୧୭୭
ବିଚାର ନାହିଁ ମୋର ତହିଁ । ସ୍ୱଭାବେ କ୍ଷୁଦ୍ର ମୁଁ ଅଟଇ ॥୧୭୮
ଅଜ୍ଞାତ ମୂଢ ଧନଲୋଭୀ । ଆପଣା ପାପେ ପରାଭବୀ ॥୧୭୯
ମଣିକାଞ୍ଚନେ ଲୋଭ ମୋର । ଅଯଶ କଲି ତିନିପୁର ॥୧୮୦
ଏ ଯେ ଦୁହିତା ଅଛି ମୋର । ଅପୂର୍ବ ସ୍ତିରୀ ରତ୍ନସାର ॥୧୮୧
ଏ ମଣି ଏହା କଣ୍ଠେ ଦେଇ । କୃଷ୍ଣଙ୍କୁ ସମର୍ପିବି ନେଇ ॥୧୮୨
ଏହି ଉପାୟ ମୋର ଭଲ । ଏ କନ୍ୟାରତ୍ନ ମଣି ତୁଲ୍ୟ ॥୧୮୩
ସେ ହରି କମଳାର ପତି । ଅନ୍ୟଥା ନାହିଁ ତାର ଶାନ୍ତି ॥୧୮୪
ଏମନ୍ତ ନିଜ କର୍ମ ଚିନ୍ତି । ଛାଡ଼ିଲା ମନୁ ଖେଦ ଭ୍ରାନ୍ତି ॥୧୮୫
ଏମନ୍ତ ମନେ ବିଚାରିଲା । ଦୁହିତା ଅଳଙ୍କୃତ କଲା ॥୧୮୬
କନ୍ୟାର କଣ୍ଠେ ମଣି ଦେଇ । ମିଳିଲା କୃଷ୍ଣପାଖେ ଯାଇ ॥୧୮୭
ଅଞ୍ଜଳି କରି ବେନିକର । କୃଷ୍ଣଙ୍କୁ କହଇ ମଧୁର ॥୧୮୮
ତୁ ନାଥ ଜଗତଠାକୁର । ମୁଁ ତୋର ଚରଣେ କିଙ୍କର ॥୧୮୯
ସତ୍ୟଭାମାକୁ ତୋତେ ଦେଇ । ଶରଣ ପଶିଲି ଗୋସାଇଁ ॥୧୯୦
ଏମନ୍ତ ତାର ବାକ୍ୟ ଶୁଣି । ଦୟାସାଗର ଚକ୍ରପାଣି ॥୧୯୧
ଆନନ୍ଦମନେ ଦେବଦେବା । ସତ୍ୟଭାମାକୁ ହେଲେ ବିଭା ॥୧୯୨
ଅଂଶେ କମଳା ଅବତାର । କି ଅବା ଦେବା ପଟାନ୍ତର ॥୧୯୩
ସୁନ୍ଦର ରୂପ ଦେଖି ତାର । ଅନେକ ହୋଇଥିବେ ବର ॥୧୯୪
ବିବାହ ଅନ୍ତେ ଚକ୍ରପାଣି । ସେ ମଣିରତ୍ନ କରେ ଘେନି ॥୧୯୫
ସତ୍ରାଜିତର ମୁଖ ଚାହିଁ । ବୋଇଲେ ମଣି ନିଅ ତୁହି ॥୧୯୬
ଏ ସୂର୍ଯ୍ୟକଣ୍ଠୁ ଅବତରି । କେ ଏହା ପାରିବଟି ଧରି ॥୧୯୭
ରବିଭକତି ତପଫଳେ । ତୁ ଏହା ଧରିପାରୁ ଭଲେ ॥୧୯୮
ଏ ପାପୀଜନଙ୍କୁ ନ ସହି । ଏ ମଣି ଆଉ ତୋର ତହିଁ ॥୧୯୯
ମଣି ପ୍ରସାଦେ ମୁଁ ବିହରି । ବିଭା ହୋଇଲି ବେନିନାରୀ ॥୨୦୦
ହରିଚରିତ ସୁଧମୟ । ଶୁଣନ୍ତେ ପାପ ହୋଏ କ୍ଷୟ ॥୨୦୧
ସୁଜନେ ଏହି ରସେ ରସ । ହେଳେ ତରିବ ମୋହପାଶ ॥୨୦୨
ବୋଲଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥୨୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ
ଷଷ୍ଠିତମ ଅଧ୍ୟାୟଃ ॥
</poem>
==='''ଏକଷଷ୍ଟିତମ ଅଧ୍ୟାୟ'''===
<poem>
ଆନନ୍ଦେ କୃଷ୍ଣଭାବ ଘେନି । କହନ୍ତି ଶୁକ ମହାମୁନି ॥୧
;ଶୁକ ଉବାଚ
ଶୁଣ ପରୀକ୍ଷ ନରନାଥ । ଦ୍ୱାରକାପୁରେ ଉପଗତ ॥୨
କୁରୁନଗରୁ ଦୂତ ବେଗେ । କହିଲା ରାମକୃଷ୍ଣ ଆଗେ ॥୩
ଜାଣନ୍ତି ପ୍ରଭୁ ଦେବରାୟେ । ଭଲେ ଅଛନ୍ତି ପଣ୍ତୁପୋଏ ॥୪
ଜତୁର ଘରେ ପଞ୍ଚଭ୍ରାତ । ଜନନୀ ତୁଲେ ହେଲେ ହତ ॥୫
ଶୁଣି ବିକଳ ବସୁଦେବ । ଭୁବନେ ଯେତେକ ଯାଦବ ॥୬
ବିଷାଦେ କରନ୍ତି ରୋଦନ । ରାମଗୋବିନ୍ଦ ଦୁଃଖମନ ॥୭
ଶୋକ ନିବାରି ବେନିଭାଇ । ରଥେ ବସିଲେ ସଜ ହୋଇ ॥୮
କୁଳ ବେଭାରେ ରାମହରି । କୁରୁନଗରେ ବିଜେ କରି ॥୯
ଭୀଷ୍ମ ବିଦୁର କୃପମେଳେ । ଗାନ୍ଧାରୀ ଦ୍ରୋଣ ଶଲ୍ୟ ତୁଲେ ॥୧୦
ଲୋକ ବେଭାରେ ବେନିଭାଇ । କହନ୍ତି ମନେ ଦୁଃଖ ବହି ॥୧୧
ପ୍ରେତ ଉଚିତ କ୍ରିୟାକରି । ମାୟାଭିଆଣ ନରହରି ॥୧୨
ବନ୍ଧୁଙ୍କ ମୁଖ ଚାହିଁ ଭଣି । ପଦ୍ମଲୋଚନ ହଳପାଣି ॥୧୩
ଦେଖ ଏ ସଂସାର ବେଭାର । ଭ୍ରମନ୍ତି ଦେବାସୁରନର ॥୧୪
ଭବସାଗରେ ଏହି ମତେ । ସକଳେ ଯିବା ଶୂନ୍ୟପଥେ ॥୧୫
ଏମନ୍ତେ ବହୁ ଦୁଃଖ ବହି । ବାନ୍ଧବ ମଧ୍ୟେ ବେନିଭାଇ ॥୧୬
କହିଲେ ସଂସାର-ବେଭାର । ଏବେ ହୋ ଶୁଣ ନୃପବର ॥୧୭
ଦ୍ୱାରକାପୁରେ ତିନିଜଣ । ବିଚାର କଲେ ଏକମନ ॥୧୮
ଗଗନେ ଅସ୍ତ ହେଲେ ଭାନୁ । ଅକ୍ରୁର ତୁଲେ ଶତଧନୁ ॥୧୯
କୃତବର୍ମାଙ୍କୁ ରାଇ ଧୀରେ । ବିଚାର କଲେ ଏକସ୍ୱରେ ॥୨୦
ଦେଖ ଏ ପାପୀ ଶତ୍ରାଜିତ । ଅନ୍ୟାୟେ କଲା ବିପରୀତ ॥୨୧
ସତ୍ୟଭାମାଙ୍କୁ ଦେବାପାଇଁ । ବରିଲା ସତ୍ୟବାକ୍ୟ ଦେଇ ॥୨୨
ଏବେ ଆମ୍ଭଙ୍କୁ ନିନ୍ଦା କଲା । କନ୍ୟା ଗୋବିନ୍ଦେ ସମର୍ପିଲା ॥୨୩
ଦୁଷ୍ଟ ଦୁର୍ଜନ ମନ୍ଦଭାଗ୍ୟ । ପ୍ରସେନ ପଥକୁ ଏ ଯୋଗ୍ୟ ॥୨୪
ଅମୂଲ୍ୟ ମଣି ଏହା ତହିଁ । କେମନ୍ତେ ଆମ୍ଭ କରେ ହୋଇ ॥୨୫
ଅକ୍ରୁର ବୋଲେ ତାହା ଶୁଣି । ଜୀବନ୍ତେ ନ ଦେବ ସେ ମଣି ॥୨୬
ଏମନ୍ତ ବୋଲଇ ବିଚାରିଲେ । ନିଜ ମନ୍ଦିରେ ରାତ୍ରେ ଗଲେ ॥୨୭
ଆପଣା ଘରେ ଶତଧନୁ । କୋପେ କମ୍ପଇ ତାର ତନୁ ॥୨୮
ବସ୍ତ୍ର ପିନ୍ଧିଲା ଭିଡ଼ି ଗାଢେ । କରେ ଘେନିଲା ଯମଦାଢେ ॥୨୯
ରାତ୍ରେ ମିଳିଲା ତାର ପୁରେ । ଶତ୍ରାଜିତର ଶଯ୍ୟାଠାରେ ॥୩୦
ଦଇବେ କ୍ଷୀଣ ତା ଜୀବନ । ଯାହା ସଂଚିଲେ ଭଗବାନ ॥୩୧
ନିକଟେ ଥିଲେ ଯେ କାମିନୀ । ସଭୟେ କଲେ ଗୋଳଧ୍ୱନି ॥୩୨
ଅନାଥ ପ୍ରାୟ ଶୋକକରି । ତାହାର କରଛନ୍ତି ଧରି ॥୩୩
ସ୍ତିରୀଙ୍କ କରି ଅବହେଳା । ଛେଦିଲା ଶତ୍ରାଜିତ ଗଳା ॥୩୪
ପଶୁଙ୍କ ପ୍ରାୟ ବଧ କରି । ଅମୂଲ୍ୟ ମଣି କରେ ଧରି ॥୩୫
ନିଜ ଭୁବନେ ବିଜେ କଲା । ଏମନ୍ତେ ରଜନୀ ପାଇଲା ॥୩୬
ଶୁଣ ରାଜନ ଶୁଦ୍ଧକର୍ମା । ପିତାମରଣେ ସତ୍ୟଭାମା ॥୩୭
ବିଳାପ କରେ ଶୋକେ ପଡ଼ି । ଭୁଜ ଯୁଗଳ ଶିରେ ତାଡ଼ି ॥୩୮
ହା ହା ପିଅର ବୋଲି ମୋହେ । ଜୀବନ ନ ରହଇ ଦେହେ ॥୩୯
ପୁଣି ତଦନ୍ତେ ଚେତା ପାଇ । ସେହୁ ଶରଦଚନ୍ଦ୍ରମୁହୀଁ ॥୪୦
ମୃତଶରୀରରେ ଗନ୍ଧଲେପି । ତଇଳେଦ୍ରୋଣୀ ମଧ୍ୟେ କ୍ଷେପି ॥୪୧
ପିତା ବିଯୋଗେ ଶୋକତ୍ରାସେ । ରଥେ ଗମିଲା କୁରୁଦେଶେ ॥୪୨
ପିତା ବିଯୋଗ ଦୁଃଖ ବହି । ଚଳନ୍ତେ ଦିଗ ନ ଦିଶଇ ॥୪୩
କୃଷ୍ଣ ଜାଣନ୍ତି ତାହା ଭଲେ । ହସ୍ତିନାପୁରେ ରାମ ତୁଲେ ॥୪୪
ଏମନ୍ତେ ସତ୍ୟଭାମା ଯାଇ । କହନ୍ତି କୃଷ୍ଣ ମୁଖ ଚାହିଁ ॥୪୫
ଭୋ ନାଥ ଶତଧନୁ ଚୋର । ବଧିଲା ପିଅର ମୋହର ॥୪୬
ଘରେ ପଶିଲା ଶସ୍ତ୍ର ଧରି । ପଶୁର ପ୍ରାୟ ବଧ କରି ॥୪୭
ଅମୂଲ୍ୟମଣି ଘେନି କରେ । ପଳାଇଗଲା ଅନ୍ଧକାରେ ॥୪୮
ଅନାଥ ମୋହର ଜୀବନ । ବୋଲି ସେ କରଇ ରୋଦନ ॥୪୯
ଶୁଣି ଚକିତ ଦାମୋଦର । ବେନିଲୋଚନୁ ବହେ ନୀର ॥୫୦
ସତ୍ୟଭାମାର ମୁଖ ଚାହିଁ । ରୋଦନ କଲେ ବେନିଭାଇ ॥୫୧
କପଟେ କୁରୁବଳ ମଧ୍ୟେ । ଗୋବିନ୍ଦ କହିଲେ ବିଷାଦେ ॥୫୨
ସତ୍ୟଭାମାଙ୍କୁ ଆଗକରି । ରଥେ ବସିଲେ ରାମହରି ॥୫୩
ଦାରୁକ ଦାହ ଧାତିକାରେ । କୃଷ୍ଣ ବୋଲନ୍ତି କୋପଭରେ ॥୫୪
ଶତଧନୁର ଶିରହାଣି । ଆଜ ଆଣିବି ରତ୍ନମଣି ॥୫୫
ଏମନ୍ତେ ଶୁଣ ହେ ରାଜନ । ରାମ ଗୋବିନ୍ଦ ଆଗମନ ॥୫୬
ସଭୟେ ଶତଧନୁ ଶୁଣି । କରେ ଘେନିଲା ରତ୍ନମଣି ॥୫୭
କୃତବର୍ମାର ପୁରେ ପଶି । ବିଶ୍ୱାସେ କହେ ପାଶେ ବସି ॥୫୮
ଶତ୍ରାଜିତ୍ର ଶିର ହାଣି । ମୁଁ ଯେ ଆଣିଲି ରତ୍ନମଣି ॥୫୯
ତୋର ବଚନେ ମତିଭ୍ରମ । ନ ଜାଣି କଲି ଏଡେ଼ କର୍ମ ॥୬୦
ମୋତେ ମାରିବେ ଚକ୍ରଧର । ତୁ ଏବେ ପକ୍ଷ ହୁଅ ମୋର ॥୬୧
ଏମନ୍ତ କୃତବର୍ମା ଶୁଣି । ଭୟେ ବୋଲଇ ସାଧୁବାଣୀ ॥୬୨
ରାମକୃଷ୍ଣରେ ଦ୍ରୋହ କରି । କେ ଅବା ଥିବ ଦେହଧରି ॥୬୩
ଯାହାର କୋପେ କଂସ ମଲା । ସର୍ବସମ୍ପଦ ନାଶଗଲା ॥୬୪
ସପତଦଶବାର ଦ୍ୱନ୍ଦ । ଯୁଦ୍ଧେ ହାରିଲା ଜରାସନ୍ଧ ॥୬୫
ତାର ବଇରୀ ହୋଇ ବଳେ । କେ ଅବା ଥିବ ରବି ତଳେ ॥୬୬
ଏମନ୍ତ ଶୁଣି ତା ବଚନ । ମିଳିଲା ଅକ୍ରୁର ଭୁବନ ॥୬୭
ପଡ଼ି ତାହାର ପାଦତଳେ । ବୋଲଇ ଜୀବନ ବିକଳେ ॥୬୮
ମୋତେ କୋପିଲେ ଚକ୍ରଧର । ମୁଁ ଏବେ ଶରଣ ତୋହର ॥୬୯
ତୁ ଏବେ ମୋତେ ହୁଅ ସାହା । ତୋହର ବୋଲେ କଲି ଏହା ॥୭୦
ଶୁଣିଣ ବୋଲଇ ଅକ୍ରୁର । ନ ଜାଣୁ ଗତି ଗୋବିନ୍ଦର ॥୭୧
ଯେ ରାମକୃଷ୍ଣରେ ବଇରୀ । ତାହାକୁ କେବା ରଖିପାରି ॥୭୨
ଯେ ବିଶ୍ୱମାୟା ଲୀଳା କରି । ସର୍ଜଇ ପାଳଇ ସଂହରି ॥୭୩
ତାର ମହିମା କେବା କହି । ମାୟା ସଂସାରେ ଦେହ ବହି ॥୭୪
ଜାଣୁନୁ ବାଳକ ବୟସେ । କି କି ନ କଲେ ନନ୍ଦଦେଶେ ॥୭୫
ଇନ୍ଦ୍ରର ତୁଲେ ବାଦ କଲା । ହସ୍ତକେ ପର୍ବତ ଧଇଲା ॥୭୬
ବାଳକ କରେ ଛତ୍ର ଯେହ୍ନେ । ଦେଖି ଚକିତ ସର୍ବଜନେ ॥୭୭
ଯେ କୃଷ୍ଣ ଜଗତ କାରଣ । ଅଦ୍ଭୁତ ଯାର କର୍ମଗୁଣ ॥୭୮
ଅନନ୍ତ ଆଦିକୂଟ ହରି । ଯେ ଆତ୍ମା ରୂପେ ବିଶ୍ୱ ଧରି ॥୭୯
ତାହାଙ୍କୁ ମୋର ନମସ୍କାର । ଏମନ୍ତ କହିଲା ଅକ୍ରୁର ॥୮୦
ତା ଶୁଣି ଶତଧନୁ ଭୟେ । ବୋଲଇ ପଡ଼ି ତାର ପାୟେ ॥୮୧
ଏ ମଣି ଥାଉ ତୋର ତହିଁ । ମୋର ଜୀବନ ଆର କାହିଁ ॥୮୨
ନିଶ୍ଚେ ମାରିବେ ଚକ୍ରଧର । ଅର୍ଜିଲା କର୍ମ ଏ ମୋହର ॥୮୩
ମଣି ଅକ୍ରୁର କରେ ଦେଇ । ମିଳିଲା ଅଶ୍ୱଶାଳେ ଯାଇ ॥୮୪
ଯେ ଅଶ୍ୱ ଗମେ ପାଦବଳେ । ଶତେଯୋଜନ ଅବହେଳେ ॥୮୫
ଅଶ୍ୱ ଉପରେ ସେ ବସିଲା । ଉତ୍ତର ଦିଗେ ପଳାଇଲା ॥୮୬
ଏମନ୍ତେ ଶୁଣି ନୃପମଣି । ରାମଗୋବିନ୍ଦ ତାହା ଜାଣି ॥୮୭
ଦାରୁକ ବେଗେ ରଥବାହି । ପଛେ ଧାଇଁଲେ ବେନିଭାଇ ॥୮୮
ସେ ଶତଧନୁ ଗୁରୁଦ୍ରୋହୀ । ଧର୍ମ ଅଧର୍ମ ନ ଜାଣଇ ॥୮୯
ଅଶ୍ୱେ ପଳାନ୍ତେ ମହାବଳୀ । ମିଥିଳା ଉପବନେ ମିଳି ॥୯୦
ଅଶ୍ୱ ପଡ଼ିଲା ମୁହଁ ମାଡ଼ି । ତକ୍ଷଣେ ପ୍ରାଣ ଗଲା ଛାଡ଼ି ॥୯୧
ଅଶ୍ୱ ଉପେକ୍ଷି ମହାବୀର । ପାଦେ ଗମିଲା ଅତି ଖର ॥୯୨
ଗୋବିନ୍ଦ ଦେଖି ତା ଗମନ । ରଥୁଁ ଓହ୍ଲାଇଲେ ବହନ ॥୯୩
କୋପେ ନୟନେ ନରହରି । ଧାଇଁଲେ କରେ ଚକ୍ର ଧରି ॥୯୪
ଦେଖି ସେ ଗୋବିନ୍ଦର ମନ୍ୟୁ । ଭୟେ ପଳାଏ ଶତଧନୁ ॥୯୫
ଭୟେ ପଳାନ୍ତେ କମ୍ପେ କାୟେ । ଚକ୍ର ପେଶିଲେ ଦେବରାୟେ ॥୯୬
କୃଷ୍ଣର ଚକ୍ର ତୀକ୍ଷ୍ଣ ଧାର । କାଟିଲା ଶତଧନୁ ଶିର ॥୯୭
ଛିଡ଼ି ପଡ଼ିଲା କଣ୍ଠୁ ତଳେ । ଗୋବିନ୍ଦ ନିକଟେ ମିଳିଲେ ॥୯୮
ତାହାର ବସ୍ତ୍ରେ ମଣି ଖୋଜି । ନ ପାଇଁ କୃଷ୍ଣ ମନେ ହେଜି ॥୯୯
ମଣି କାହାର କରେ ଦେଇ । ଭୟରେ ଅଇଲା ପଳାଇ ॥୧୦୦
ଏମନ୍ତ ବୋଲି ବାହୁଡ଼ିଲେ । ରାମର ନିକଟେ ମିଳିଲେ ॥୧୦୧
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଭୋ ଦେବ ଶୁଣି ବିପରୀତ ॥୧୦୨
ମିଛେ ମାଇଲି ଶତଧନୁ । ଯେଣୁ ସେ ମୋତେ କଲା ମନ୍ୟୁ ॥୧୦୩
ମଣି ଏହାର ତହିଁ ନାହିଁ । କହିଲେ ରାମ ମୁଖ ଚାହିଁ ॥୧୦୪
ଶୁଣି ବୋଲନ୍ତି ହଳଧର । କୋମଳ ବଚନ ଗମ୍ଭୀର ॥୧୦୫
ଏ ମଣି ଅଛି ତୋ ଭୁବନେ । ସନ୍ଦେହ ନ କର ତୁ ମନେ ॥୧୦୬
କାହାର ହସ୍ତେ ଅବା ଦେଇ । ଭୟେ ଏ ଅଇଲା ପଳାଇ ॥୧୦୭
ମଣି ଉଦ୍ଦେଶ୍ୟେ ଯାଅ ଘର । ମୁଁ ଯିବି ଜନକ ନଗର ॥୧୦୮
ପ୍ରିୟ ସୁହୃଦ ସେ ମୋହର । ଦେଖିବି ତାହାର ବେଭାର ॥୧୦୯
ଏମନ୍ତ କହି ହଳଧାରୀ । ଜନକପୁରେ ବିଜେକରି ॥୧୧୦
ରାମ ଆଗମ ଦେଖି ରାଜା । ସଂଭ୍ରମେ କଲା ପାଦପୂଜା ॥୧୧୧
ଜନକ ପୂଜନ୍ତେ ଚରଣ । ସନ୍ତୋଷେ ରେବତୀରମଣ ॥୧୧୨
କେତେହେଁ ଦିନ ତହିଁ ରହି । ଜନକ ପ୍ରିୟ ଭାବ ବହି ॥୧୧୩
ହସ୍ତିନାପୁରେ ଦୁର୍ଯ୍ୟୋଧନ । ଶୁଣିଲା ରାମ ଆଗମନ ॥୧୧୪
ମନଆନନ୍ଦେ ଅନ୍ଧସୁତ । ମିଥିଳାପୁରେ ଉପଗତ ॥୧୧୫
ମିଳିଲା ହଳଧର ପାଶେ । ଅନେକ ଭକତି ବିଶ୍ୱାସେ ॥୧୧୬
ଗଦାସମର ଘୋର ଦୀକ୍ଷା । ରାମର ତହୁଁ କଲା ଶିକ୍ଷା ॥୧୧୭
ଗୋବିନ୍ଦ ବସି ନନ୍ଦିଘୋଷେ । ଆସି ମିଳିଲେ ନିଜ ଦେଶେ ॥୧୧୮
ଶତଧନୁର ଶିର ହାଣି । ତା ତହୁଁ ନ ପାଇଲେ ମଣି ॥୧୧୯
ସକଳ ପ୍ରିୟା ଆଗେ କହି । ମାୟା ଭିଆଣ ଭାବଗ୍ରାହୀ ॥୧୨୦
ବନ୍ଧୁବାନ୍ଧବ ସଙ୍ଗେ ମିଳି । ବାନ୍ଧବ ପ୍ରିୟ ବନମାଳୀ ॥୧୨୧
ମଲା ଯେ ଶତଧନୁ ବୀର । ପ୍ରେତ ଉଚିତ କ୍ରିୟା ତାର ॥୧୨୨
ଶ୍ରୀକୃଷ୍ଣ କରାଇଲେ ଭାବେ । ଶୁଣ ପରୀକ୍ଷନୃପ ଏବେ ॥୧୨୩
ଶତଧନୁର ବଧ ଶୁଣି । ଅକ୍ରୁର ମନେମନେ ଗୁଣି ॥୧୨୪
କୃତବର୍ମାର ତୁଲେ ଭାଳି । ନିଶ୍ଚେ ମାରିବେ ବନମାଳୀ ॥୧୨୫
ଏମନ୍ତ ଭାଳି ମନଛନ୍ନେ । ପଳାଇଗଲେ ବେନିଜନେ ॥ ୧୨୬
ଅକ୍ରୁର ଯେତେବେଳେ ଗଲା । ଶୁଣ ରାଜନ କୃଷ୍ଣଲୀଳା ॥ ୧୨୭
ଦ୍ୱାରକାପୁରେ ରିଷ୍ଟଜାତ । ଦେଖି ଚକିତ ଯଦୁନାଥ ॥ ୧୨୮
ଉତ୍ପାତ ଦେଖିଲେ ପ୍ରତ୍ୟକ୍ଷେ । ଭୂମି-ଗଗନ-ଅନ୍ତରୀକ୍ଷେ ॥ ୧୨୯
ପ୍ରାଣୀଙ୍କ ଦେହେ ବ୍ୟାଧି ଜାତ । ମନ ଉଚ୍ଚାଟ ଉଲ୍କାପାତ ॥ ୧୩୦
ରୁଧିର ବୃଷ୍ଟି ଦଶଦିଶେ । ଭୂମି କମ୍ପଇ ମହାତ୍ରାସେ ॥ ୧୩୧
ଦ୍ୱାରକାପୁରଜନେ ଚାହିଁ । ଭାଳନ୍ତି ଏକରୁଣ୍ତ ହୋଇ ॥ ୧୩୨
ଘୋର ଆପଦ ଆଗମନେ । ଭାଳି ବୋଲନ୍ତି ବୃଦ୍ଧଜନେ ॥ ୧୩୩
ଅକ୍ରୁର ପଳାଇଲା ଡରେ । ତେଣୁ ଆପଦ ଯଦୁପୁରେ ॥ ୧୩୪
ଅକ୍ରୁର ବିନୁ ଏହି ରିଷ୍ଟି । ରୁଧିର ସଙ୍ଗେ ଶିଳା ବୃଷ୍ଟି ॥ ୧୩୫
ଅନେକ ଅକ୍ରୁରର ଗୁଣ । ତୁମ୍ଭେ ହୋ ସାବଧାନେ ଶୁଣ ॥ ୧୩୬
ପୂର୍ବେ ଯେ ଥିଲା କାଶୀରାଜା । ସୁଖେ ପାଳଇ ଜନପ୍ରଜା ॥ ୧୩୭
ଏମନ୍ତେ ଇନ୍ଦ୍ର ତା ଭୁବନେ । ବୃଷ୍ଟି ନ କଲା କୋପମନେ ॥ ୧୩୮
ଅନ୍ନ ନ ପାଇ କ୍ଷୁଧାଭୟେ । ଅନେକ ଜନ୍ତୁ ଗଲେ କ୍ଷୟେ ॥ ୧୩୯
ସଙ୍ଗତେ ଘେନି ଜନପ୍ରଜା । ଭୟେ ଭାଳଇ କାଶୀରାଜା ॥ ୧୪୦
ବିଚାର କଲେ ଏକଭାବ । ଶ୍ୱଫଲ୍ଲ ନାମେଣ ଯାଦବ ॥ ୧୪୧
ପୂର୍ବେ ଅନେକ ତପ କଲା । ଇନ୍ଦ୍ର ତାହାକୁ ବର ଦେଲା ॥ ୧୪୨
ସେ ଯହିଁ ଥାଇ ପୁଣ ରହି । ସେ ଦେଶେ ଇନ୍ଦ୍ର ବରଷଇ ॥ ୧୪୩
ଏମନ୍ତ ବିଚାରିଲେ ବସି । ସ୍ୱଫଲ୍ଲ ଆଣିଲେ ଆଶ୍ୱାସି ॥ ୧୪୪
କନ୍ୟାଏ ଥିଲା ତାର ଘର । ଅତି ସୁନ୍ଦର ରୂପସାର ॥ ୧୪୫
ଶୁଣ କନ୍ୟାର ଜନ୍ମବାଣୀ । ଆମ୍ଭେ ଯେ ପୂର୍ବେ ଅଛୁ ଶୁଣି ॥ ୧୪୬
ଜନନୀ ଗର୍ଭେ ଚିରବାସ । ରହିଲା ଦ୍ୱାଦଶ ବରଷ ॥ ୧୪୭
ଜାତ ନୋହିଲା ଯେତେବେଳେ । ନୃପତି ଭାଳଇ ବିକଳେ ॥ ୧୪୮
ଦିନେକ ପତ୍ନୀ ଗର୍ଭ ଚାହିଁ । କହେ ବିକଳ ଭାବ ବହି ॥ ୧୪୯
ହେ ଗର୍ଭ ଶୁଣ ମୋ ଉତ୍ତର । ହେଳେ ନାଶିଲୁ ଘର ମୋର ॥ ୧୫୦
କହ ତୁ କେବଣ କାରଣ । ଏ ବଡ଼ ମରଣ କଷଣ ॥ ୧୫୧
ଏମନ୍ତ ରାଜା ବାକ୍ୟ ଶୁଣି । ଗର୍ଭ କହିଲା ମୁକ୍ତିବାଣୀ ॥ ୧୫୨
ଭୋ ତାତ ଶୁଣ ମୋ ଉତ୍ତର । ଯେମନ୍ତ ବ୍ୟବସ୍ଥା ଗର୍ଭର ॥ ୧୫୩
ଉତ୍ତମଧେନୁ ପ୍ରତିଦିନେ । ଦାନ ତୁ ଦିଅ ବିପ୍ରଜନେ ॥ ୧୫୪
ସଂପୂର୍ଣ୍ଣ ଦ୍ୱାଦଶବରଷେ । ଜନମ ହୋଇବି ବିଶ୍ୱାସେ ॥ ୧୫୫
ତକ୍ଷଣେ ଗର୍ଭର ବଚନେ । ନୃପତି ଶୁଣି ତୋଷମନେ ॥ ୧୫୬
ନିରତେ କଲା ସେହି ମତ । ଧେନୁ ସେ ଦେଲା ଅପ୍ରମିତ ॥ ୧୫୭
ଏମନ୍ତେ କନ୍ୟା ଜାତ ହୋଇ । କାଶୀନଗରେ ଥିଲା ରହି ॥ ୧୫୮
ସେ କନ୍ୟା ଶ୍ୱଫଳ୍କରେ ବରି । ବିବାହ ଦେଲା ଦଣ୍ତଧାରୀ ॥ ୧୫୯
ତାହାର ଦେଶେ ଶସ୍ୟନାଶ । ନିର୍ଜଳ ଦ୍ୱାଦଶ ବରଷ ॥ ୧୬୦
ତକ୍ଷଣେ ମିଳି ମେଘମାଳ । ଆନନ୍ଦେ ବରଷିଲେ ଜଳ ॥ ୧୬୧
ତାର କୁମର ଦାନପତି । ଏମନ୍ତ ଅକ୍ରୁରର ଗତି ॥ ୧୬୨
ସେ ମହାଭାଗ ଯହିଁ ଥାଇ । ରିଷ୍ଟ ଅରିଷ୍ଟ ଭୟ ନାହିଁ ॥ ୧୬୩
ଏମନ୍ତ ବୃଦ୍ଧ ବାକ୍ୟ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୧୬୪
କାଶୀନଗରେ ଦୂତ ପେଶି । ଆଣିଲେ ଅକ୍ରୁରେ ଆଶ୍ୱାସି ॥ ୧୬୫
କାଶୀନଗରେ ସେ ଅକ୍ରୁର । କଲା ଅନେକ ଯଜ୍ଞ ସାର ॥ ୧୬୬
ପୂର୍ବେ ତା ପିତୃ ପିତାମହୀ । କାଶୀନଗରେ ବଡ଼ ସ୍ନେହୀ ॥ ୧୬୭
ଅନେକ ଯଜ୍ଞର ବିଧାନ । ପୁରୁଷଅର୍ଥ ଧର୍ମମାନ ॥ ୧୬୮
ସେ ପୁରେ ଧର୍ମବିଧି ମତେ । ଯଜ୍ଞ ସେ କଲା ନାନାମତେ ॥ ୧୬୯
ଦଇବେ ମଣି ରତ୍ନସାର । ଦିଅଇ ସ୍ୱର୍ଣ୍ଣ ଅଷ୍ଟଭାର ॥ ୧୭୦
ସେ ଦ୍ରବ୍ୟ ରଖିଣ ନିଃଶଙ୍କେ । ଅନେକ ଯଜ୍ଞ କଲା ସୁଖେ ॥ ୧୭୧
ତାହା ଜାଣିଲେ ଭଗବାନ । ଅକ୍ରୁର ଅଣାଇ ବହନ ॥ ୧୭୨
ପାଶେ ବସାଇ ଦାମୋଦର । ବିଶ୍ୱାସେ କହନ୍ତି ମଧୁର ॥ ୧୭୩
ସେ କୃଷ୍ଣ ଜଗତ ଜୀବନ । ଜାଣନ୍ତି ପ୍ରାଣୀଙ୍କର ମନ ॥ ୧୭୪
ଆଶ୍ୱାସି ବସାଇ ଅକ୍ରୁର । ବୋଲନ୍ତି ବ୍ରହ୍ମାଣ୍ତଠାକୁର ॥ ୧୭୫
ଶୁଣ ଅକ୍ରୁର ମୋର ବାଣୀ । ତୋ ତହିଁ ସ୍ୟମନ୍ତକମଣି ॥ ୧୭୬
ଥୋଇଣ ଶତଧନୁ ଗଲା । ଦଇବେ ପ୍ରାଣ ସେ ହାରିଲା ॥ ୧୭୭
ସେ ମଣିସଂକଟୁ ଉଦ୍ଦରି । ବିଭା ହୋଇଲି ବେନି ନାରୀ ॥ ୧୭୮
ଉଚିତେ ସେ ମଣି ମୋହର । ଶ୍ୱଶୁର ଦେଲା ଉପହାର ॥ ୧୭୯
ସତ୍ରାଜିତର ପୁତ୍ରୀ ନାହିଁ । ଦୁହିତା ସତ୍ୟଭାମା ହୋଇ ॥ ୧୮୦
ମରଣେ ପ୍ରେତକ୍ରିୟା ସାରି । ଦୁର୍ଗମ-ନରକୁ ଉଦ୍ଧାରି ॥ ୧୮୧
ତାହାର ପୁତ୍ରୀ ମଣି ନେବ । ଏମନ୍ତ ଶାସ୍ତ୍ରର ପ୍ରସ୍ତାବ ॥ ୧୮୨
ସତ୍ରାଜିତର ତପ ଫଳେ । ରବି ତାହାଙ୍କୁ ମଣି ଦେଲେ ॥ ୧୮୩
ନିର୍ମଳଲୋକେ ତାହା ଧରି । ଆନ କେ ପାରିବ ଆବୋରି ॥ ୧୮୪
ସୁକୃତ-ତନୁ ପୁଣ୍ୟବନ୍ତ । ତୁ ସେ ଧାରଣେ ସାମରଥ ॥ ୧୮୫
ରାମ ମୋହର ଜ୍ୟେଷ୍ଠଭାଇ । ତାହାଙ୍କ ଚିତ୍ତଶୁଦ୍ଧି ନାହିଁ ॥ ୧୮୬
ବନ୍ଧୁବାନ୍ଧବ ଯେତେ ମୋର । ଚିତ୍ତେ ସଂଶୟ ତାହାଙ୍କର ॥ ୧୮୭
ଏ ସଭା ମଧ୍ୟେ ମଣି ତୁହି । ଦେଖାଅ ମୋର ଭାବ ବହି ॥ ୧୮୮
ତାହାଙ୍କ ମନୁ ଯିବ ଭ୍ରାନ୍ତି । ଏଥେ ମୋହର ମନ ଶାନ୍ତି ॥ ୧୮୯
ଏ ମଣି କାଶୀପୁରେ ନେଇ । ଅନେକ ଯଜ୍ଞ କଲୁ ତୁହି ॥ ୧୯୦
ସୁବର୍ଣ୍ଣ ଯଜ୍ଞବେଦୀ ତୋର । ଦେଖନ୍ତି ଦେବାସୁର ନର ॥ ୧୯୧
ଏମନ୍ତେ କୃଷ୍ଣ ସାଧୁବାଣୀ । ଅକ୍ରୁର ଶୁଣି ରତ୍ନମଣି ॥ ୧୯୨
ବସ୍ତ୍ରେ ଲୁଚାଇଥିଲା କାଖେ । ସଭାରେ ଥୋଇଲା ପ୍ରତ୍ୟକ୍ଷେ ॥ ୧୯୩
ସୂର୍ଯ୍ୟକିରଣ ପ୍ରାୟ ଦେଖି । ଜନେ ବୁଜିଲେ ବେନି ଆଖି ॥ ୧୯୪
ଏମନ୍ତେ ମଣି ଦେଖାଇଲେ । ଆତ୍ମାର ବାଦ ଦୂର କଲେ ॥ ୧୯୫
ଗୋବିନ୍ଦ କରେ ଘେନି ମଣି । ଅକ୍ରୁର ମୁଖ ଚାହିଁ ଭଣି ॥ ୧୯୬
ତୁ ପୁଣ୍ୟକର୍ମା ସାଧୁଜନ । ଏ ମଣି ଧାରଣେ ଭାଜନ ॥ ୧୯୭
ଏ ମଣି ଥାଉ ତୋର ତହିଁ । ଏମନ୍ତ କହି ଭାବଗ୍ରାହୀ ॥ ୧୯୮
ନିଜ ଭୁବ ବିଜେ କଲେ । ଲୋକେ ଅଯଶ ନିବାରିଲେ ॥ ୧୯୯
ଏବେ ହୋ ଶୁମ ନରନାଥ । ତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ ॥ ୨୦୦
ମଣିହରଣ ସାଧୁବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥ ୨୦୧
ଦୁଃଖ-ଦୁରିତ-ଅପବାଦ । ଏ ଆଦି ଯେତର ମନଖେଦ ॥ ୨୦୨
ଦୁଷ୍ଟସ୍ୱପନ ଗ୍ରହଗତି । ଶ୍ରବଣେ ପଠନେ ନାଶନ୍ତି ॥ ୨୦୩
ସର୍ବମଙ୍ଗଳ ଉପଗତ । କହଇ ଦାସ ଜଗନ୍ନାଥ ॥ ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ
ଏକଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ଦ୍ୱିଷଷ୍ଟିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନରପତି । ଅଶେଷ ଗୋବିନ୍ଦର ଗତି ॥ ୧
ପାଣ୍ତବେ ବହୁ ଦୁଃଖ ତ୍ରାସେ । ଅରଣ୍ୟେ ଦ୍ୱାଦଶ ବରଷେ ॥ ୨
ଅଜ୍ଞାତ ଘୋର ବନବାସେ । ଥିଲେ ସେ ବିରାଟର ଦେଶେ ॥ ୩
ବରଷେ ବଞ୍ଚି ତା ଭୁବନେ । ବିଖ୍ୟାତ ପଣ୍ତର ନନ୍ଦନେ ॥ ୪
ଇନ୍ଦ୍ରପ୍ରସ୍ତରେ ଛନ୍ତି ରହି । ସେ କଥା ଶୁଣି ଭାବଗ୍ରାହୀ ॥ ୫
ଦାରୁକ ସାଜି ନନ୍ଦିଘୋଷେ । ଚଳିଲେ ସୁହୃଦ ବିଶ୍ୱାସେ ॥ ୬
ଇନ୍ଦ୍ରପ୍ରସ୍ଥରେ ବନମାଳୀ । ଧର୍ମନନ୍ଦନ ଗୃହେ ମିଳି ॥ ୭
ଦେଖି ସାନନ୍ଦ ପଞ୍ଚଜନେ । ଚାହାନ୍ତି ନିଶ୍ଚଳ ନୟନେ ॥ ୮
ବେଗେ ଉଠିଲେ ପାଞ୍ଚଭାଇ । କି ପଟାନ୍ତର ଦେବି ମୁହିଁ ॥ ୯
ଜୀବନ ଗଲା ପିଣ୍ତ ଯେହ୍ନେ । ପୁଣି ଉଠଇ ଦିବ୍ୟଜ୍ଞାନେ ॥ ୧୦
ଦେଖି ଅଖିଳ ଯୋଗେଶ୍ୱର । ନୟନ ପିଛା କଲେ ସ୍ଥିର ॥ ୧୧
ରୋମ ପୁଲକେ କମ୍ପେ ଦେହୀ । ନୟନଯୁଗୁଁ ଲୁହ ବହି ॥ ୧୨
ଗୋବିନ୍ଦ ଜଣେ ଜଣେ ଧରି । ହୃଦେ ଲଗାଇ କୋଳକରି ॥ ୧୩
ପଦ୍ମଲୋଚନ ସଙ୍ଗ ପାଇ । ପବିତ୍ର ହେଲେ ପାଞ୍ଚଭାଇ ॥ ୧୪
ଧର୍ମନନ୍ଦନ ଭୀମ ପାଦେ । ଗୋବିନ୍ଦ ନମିଲେ ଆନନ୍ଦେ ॥ ୧୫
ପାର୍ଥକୁ କଲେ ଆଲିଙ୍ଗନ । ନକୁଳ ଆଦି ବେନିଜନ ॥ ୧୬
ମାଦ୍ରୀକୁମର ସହଦେବ । ବନ୍ଦିଲେ ଗୋବିନ୍ଦର ପାଦ ॥ ୧୭
ଆନନ୍ଦେ କଲେ ନମସ୍କାର । ଯେସନେ ସଂସାର ବେଭାର ॥ ୧୮
କୃଷ୍ଣଙ୍କୁ ଆସନେ ବସାଇ । ଭାବେ ପୂଜିଲେ ପାଞ୍ଚଭାଇ ॥ ୧୯
ଦ୍ରୋପଦୀ ଥିଲେ ନିଜ ପୁରେ । କୃଷ୍ଣ ଆଗମ ଜାଣି ଧୀରେ ॥ ୨୦
ନମ୍ରଶିରରେ ଲଜ୍ଜାଭରେ । କୃଷ୍ଣଙ୍କୁ ନମିଲେ ଅନ୍ତରେ ॥ ୨୧
ସାତ୍ୟକି କର କରେ ଧରି । ଶ୍ରୀକୃଷ୍ଣ ତୁଲେ ପୂଜାକରି ॥ ୨୨
ଯେତେକ ଥିଲେ କୃଷ୍ଣ ସଙ୍ଗେ । ପୂଜିଲେ ସର୍ବେ ଅନୁରାଗେ ॥ ୨୩
କୁନ୍ତୀ ଯେ ଥିଲେ ପୁରଦେଶେ । ହା କୃଷ୍ଣ ବୋଲି ସ୍ନେହବଶେ ॥ ୨୪
ଆନନ୍ଦେ ପାଣ୍ତବଜନନୀ । ହସ୍ତରେ ଉପାୟନ ଘେନି ॥ ୨୫
ବେଗେ ମିଳିଲେ କୃଷ୍ଣ ଆଗେ । ଦ୍ରୌପଦୀ ତୁଲେ ଅନୁରାଗେ ॥ ୨୬
ଲୋକବେଭାରେ ଦାମୋଦର । ନମିଲେ କୁନ୍ତୀର ପୟର ॥ ୨୭
କୁନ୍ତୀ ଗୋବିନ୍ଦେ କୋଳକରି । ତୋଳିଲା ବେନିଭୁଜେ ଧରି ॥ ୨୮
ବନ୍ଧୁକୁଶଳ ପୁଚ୍ଛାକରି । ଦୌପଦୀକର କରେ ଧରି ॥ ୨୯
ମୁକୁନ୍ଦ ବଦନ ଅନାଇ । କହନ୍ତେ ଅଶ୍ରୁଜଳ ବହି ॥ ୩୦
ଯେମନ୍ତ କ୍ଲେଶ ବନବାସେ । ବଞ୍ଚିଲେ ଦ୍ୱାଦଶବରଷେ ॥ ୩୧
ତାହା ସୁମରି କୁନ୍ତୀ କାନ୍ଦେ । ମନ ନିବେଶି କୃଷ୍ଣପାଦେ ॥ ୩୨
ହେ କୃଷ୍ଣ ତବ ଦରଶନ । କୃତାର୍ଥ କଲା ମୋ ଜୀବନ ॥ ୩୩
ହସ୍ତିନାପୁରେ ଦୁଃଖ ସହି । ସ୍ୱାମୀ ମରଣେ ଥିଲି ମୁହିଁ ॥ ୩୪
ତୁ ନାଥ ଅକ୍ରୁରକୁ ପେଶି । ମୋର କୁମରଙ୍କୁ ଆଶ୍ୱାସି ॥ ୩୫
ସେଦିନୁ ଦୁଃଖ ମୋ ଦହନ । ଏବେ ଦେଖିଲି ତୋ ବଦନ ॥ ୩୬
ତୁ ନାଥ ଶରଣସୋଦର । ପର ଆପଣା ନାହିଁ ତୋର ॥ ୩୭
ତଥାପି ଯେ ତୋତେ ଲୋଡ଼ଇ । ତାହାର ହୃଦେ ଥାଉ ତୁହି ॥ ୩୮
ଅଶେଷ ଦୁଃଖ କରୁ ହତ । ଏମନ୍ତ ପ୍ରଭୁ ତୁ ଅଚ୍ୟୁତ ॥ ୩୯
ଧର୍ମନନ୍ଦନ କୃଷ୍ଣ ଚାହିଁ । ବୋଲନ୍ତି ପ୍ରିୟଭାବ ବହି ॥ ୪୦
ଅନେକ ଅଛି ପୁଣ୍ୟବଲ । ତୋତେ ଭେଟିଲୁ ଆଦିମୂଳ ॥ ୪୧
ଭୋ ନାଥ ମହିମା ତୋହର । ଯୋଗେଶ୍ୱରଙ୍କୁ ଆଗୋଚର ॥ ୪୨
ଆମ୍ଭେ କିଞ୍ଚିତ ବୁଦ୍ଧିହୀନ । ପାଇଲୁ ତବ ଦରଶନ ॥ ୪୩
ଏମନ୍ତେ ଭକତ ବିଶ୍ୱାସେ । କୃଷ୍ଣ ପରମ ମନତୋଷେ ॥ ୪୪
ତହିଁ ବରଷା ଚାରି ମାସ । ରହିଲେ ପ୍ରଭୁ ପୀତବାସ ॥ ୪୫
ଇନ୍ଦ୍ରପ୍ରସ୍ଥର ଯେତେ ଜନ । କରନ୍ତି କୃଷ୍ଣ ଦରଶନ ॥ ୪୬
ଚର୍ମଲୋଚନ କରି ସାଧୁ । ତରିଲେ ଭବ ପରମାଦୁ ॥ ୪୭
ଏମନ୍ତେ ଶୁଣ ନରନାଥ । ଦିନେକ କୃଷ୍ଣ ଧରି ପାର୍ଥ ॥ ୪୮
ପିତୃଦିବସ ଆଗମନେ । ମଳିଲା ହରଷ ବଦନେ ॥ ୪୯
ଧର୍ମନନ୍ଦନ ଆଜ୍ଞାମତେ । ବସିଲା କପିଧ୍ୱଜ ରଥେ ॥ ୫୦
ଦାରୁକ ଘେନି ନନ୍ଦିଘୋଷେ । ଗୋବିନ୍ଦ ବସିଲେ ହରଷେ ॥ ୫୧
ଅର୍ଜୁନ କରେ ଧନୁ ଘେନି । କନ୍ଧେ ଶୋଭିତ ତ୍ରୋଣ ବେନି ॥ ୫୨
ଗହନ ବନେ ନରହରି । ଅନେକ ମୃଗ ବଧ କରି ॥ ୫୩
ଅର୍ଜୁନ କରେ ତୀକ୍ଷ୍ଣ ବାଣ । ଦିଗ ଆବୋରି ନାରାୟଣ ॥ ୫୪
ବରାହ ମହିଷ ହରିଣ । ଶଶା ଶାର୍ଦ୍ଦୂଳ ପକ୍ଷୀଗଣ ॥ ୫୫
ଶରଭ ଗବୟ ଖଡ଼ଗ । ପିତୃଯଜ୍ଞକୁ ଯେତେ ଯୋଗ୍ୟ ॥ ୫୬
ରାଜସେବକେ ତାହା ବହି । ପାଣ୍ତବପୁରେ ଦେଲେ ନେଇ ॥ ୫୭
ତୃଷିତ ହୋଇ ବୀର ପାର୍ଥ । ଯମୁନାତୀରେ ଉପଗତ ॥ ୫୮
ସଙ୍ଗେ ମିଳିଲେ ଭଗବାନ । ସନ୍ତୋଷେ କଲେ ଜଳପାନ ॥ ୫୯
ମୁଖ-ନୟନ ଜଳେ ଧୋଇ । ଆନନ୍ଦେ ଚଉଦିଗ ଚାହିଁ ॥ ୬୦
ଯମୁନାଜଳେ ବାଲିକୁଦେ । କନ୍ୟାଏ ବସି ତାର ମଧ୍ୟେ ॥ ୬୧
ତପ କରଇ ସୂର୍ଯ୍ୟେ ଚାହିଁ । ତା ରୁପ ପାରିବ କେ କହି ॥ ୬୨
ଅତି ସୁସଞ୍ଚ ଚାରୁବେଶ । ମୋହଇ ବନ ଗିରି ଦେଶ ॥ ୬୩
ଦେଖି ଚକିତ ଭଗବାନ । ଚାହିଁଲେ ଅର୍ଜୁନ ବଦନ ॥ ୬୪
ବୋଲନ୍ତି ଦେଖ ରୂପରାଶି । କାଳିନ୍ଦୀ ବାଲିକୁଦେ ବସି ॥ ୬୫
ତପ କରଇ କିସ ସଧେ । ନିର୍ଜନ ଘୋରବନ ମଧ୍ୟେ ॥ ୬୬
କୃଷ୍ଣବଚନେ ପଣ୍ତୁବଳା । କନ୍ୟା ସମୀପେ ବିଜେ କଲା ॥ ୬୭
ପୁଛଇ କନ୍ୟାମୁଖ ଚାହିଁ । ତୋ ରୂପ ଦେଖିଲା ତ ନାହିଁ ॥ ୬୮
କାହାର ଦୁହିତା ବୋଲାଉ । କିମ୍ପା ତୁ ଏତେ ଦୁଃଖ ସହୁ ॥ ୬୯
କାହୁଁ ଆସି ଏ ଘୋରବନେ । ତପ ଆଚରୁ ଶୁଦ୍ଧମନେ ॥ ୭୦
କେବଣ ଫଳେ ତବ ଇଚ୍ଛା । କି ଅବା ବରେ ତୋର ବାଞ୍ଛା ॥ ୭୧
କହ ନକରି ମନେ ଭ୍ରାନ୍ତି । କାହାକୁ ଇଚ୍ଛୁ ନିଜ ପତି ॥ ୭୨
ଅର୍ଜୁନ ବାଣୀ ଶୁଣି କର୍ଣ୍ଣେ । କାଳିନ୍ଦୀ କହେ ଶୁଦ୍ଧମନେ ॥ ୭୩
ଅନ୍ଧାରେ ଜ୍ୟୋତିରୂପ ଧରେ । ପ୍ରାଣୀନୟନ ଯେ ବିସ୍ତାରେ ॥ ୭୪
ରଥେ ଗମଇ ଅନ୍ତରୀକ୍ଷେ । ତାର ଦୁହିତା ମୁଁ ପ୍ରତ୍ୟକ୍ଷେ ॥ ୭୫
ସେ ତାତା ଆଜ୍ଞା ପରମାଣେ । ଦୁସ୍ତର ତପ ଆଚରଣେ ॥ ୭୬
ଅତି ନିଷ୍ଠୁର ଘୋର ଦୀକ୍ଷା । ତପ କରଇ କାନ୍ତ ଇଚ୍ଛା ॥ ୭୭
ହରିଙ୍କି ତପେ ତୋଷକରି । ହୋଇବି ତାର ପରିବାରୀ ॥ ୭୮
ଅନାଥନାଥ ଦାମୋଦର । ମୋହର ହୋଇବେ ସେ ବର ॥ ୭୯
କମଳାକାନ୍ତ ଭଗବାନ । ଦୁର୍ଗମ ଦୁରିତ ଦହନ ॥ ୮୦
ଅଶେଷ ଫଳ ସୁଖଦାତା । ତାରେ ବରିଲା ମୋର ପିତା ॥ ୮୧
କାଳିନ୍ଦୀ ନାମଟି ମୋହର । ପିତା ମୋହର ଦିନକର ॥ ୮୨
ଯାବତ ନ ପାଇବି ହରି । ପ୍ରାଣ ଛାଡ଼ିବି ତପକରି ॥ ୮୩
ମୋହର ସତ୍ୟ ଏ ବଚନ । ଶୁଣି ଅର୍ଜୁନ ତୋଷମନ ॥ ୮୪
ବେଗେ ମିଳିଲା କୃଷ୍ଣପାଶେ । କହିଲା ଆନନ୍ଦ-ବିଶ୍ୱାସେ ॥ ୮୫
ଭୋ ନାଥ ତୋର ପାଦ ଇଚ୍ଛା । କାଳିନ୍ଦୀ କରେ ମନେ ବାଞ୍ଛା ॥ ୮୬
ଅତି ନିଷ୍ଠୁର ତପ ତାର । ଶୁଣି ସାନନ୍ଦ ଦାମୋଦର ॥ ୮୭
ଯମୁନାତୀରେ ଯାଇ ମିଳି । ଭକତବନ୍ଧୁ ବନମାଳୀ ॥ ୮୮
ବୋଲନ୍ତି କନ୍ୟାମୁଖ ଚାହିଁ । ତପ ତୁ କରୁ ଯହିଁପାଇଁ ॥ ୮୯
ସେ କଥା ହୋଇଲା ସଫଳ । ଏମନ୍ତ ବୋଲି ଆଦିମୂଳ ॥ ୯୦
ରଥେ ବସାଇ ଭଗବାନ । ଆଣିଲେ ପାଣ୍ତବ ଭୁବନ ॥ ୯୧
ତକ୍ଷଣେ ବିଶ୍ୱକର୍ମା ରାଇ । ବିଶ୍ୱାସ ବାକ୍ୟ ତାକୁ କହି ॥ ୯୨
ଦେବମାନବେ ଅଗୋଚର । ଏମନ୍ତ ପୁର ବେଗେ କର ॥ ୯୩
ଗୋବିନ୍ଧ ଆଜ୍ଞା ପରମାଣେ । ନିର୍ମାଣ କଲା ତତକ୍ଷଣେ ॥ ୯୪
ସେପୁରେ କୃଷ୍ଣ କନ୍ୟା ଥୋଇ । ଧର୍ମଚନ୍ଦନ ପ୍ରିୟେ ରହି ॥ ୯୫
ଏମନ୍ତେ ଗଲା କେତେଦିନ । ଶୁଣ ପରୀକ୍ଷ ସାବଧାନ ॥ ୯୬
ଅଗ୍ନିପୁରୁଷ, କରଯୋଡ଼ି । କହିଲା କୃଷ୍ଣପାଦେ ପଡ଼ି ॥ ୯୭
ସତ୍ୟବ୍ରତର ଯଜ୍ଞେ ମୁହିଁ । ରୋଗୀ ହୋଇଲି ଘୃତ ଖାଇ ॥ ୯୮
ଭୋ ନାଥ ରଖ ମୋ ଜୀବନ । ଦେଇ ଔଷଧ ରସ ଦାନ ॥ ୯୯
ଶୁଣି ଭକତବନ୍ଧୁ ହରି । ଅର୍ଜୁନ କର କରେ ଧରି ॥ ୧୦୦
ଦାରୁକ କଲା ରଥ ସଜ । ବିଜୟ କଲେ ଦେବରାଜ ॥ ୧୦୧
ଅର୍ଜୁନ ସଙ୍ଗେ ବନମାଳୀ । ଖାଣ୍ତବବନେ ବେଗେ ମିଳି ॥ ୧୦୨
ତକ୍ଷଣେ ରୁନ୍ଧି ଦଶଦିଗ । କାନନେ କଲେ ଅଗ୍ନିଯୋଗ ॥ ୧୦୩
ସର୍ବଔଷଧି ବନମଧ୍ୟେ । ଅନଳ ଭକ୍ଷିଲା ଆନନ୍ଦେ ॥ ୧୦୪
ତକ୍ଷଣେ ବ୍ୟାଧି ଗଲା ନାଶ । ଅନଳ ହୋଇଲା ସନ୍ତୋଷ ॥ ୧୦୫
ଅଗ୍ନି ଶରୀରୁ ବ୍ୟାଧି ଗଲା । ଧନୁଏ ଅର୍ଜୁନକୁ ଦେଲା ॥ ୧୦୬
ଶ୍ୱେତକୁଞ୍ଜର ଶ୍ୱେତରଥ । ଅଭେଦ କବଚ ସହିତ ॥ ୧୦୭
ଅକ୍ଷୟେତ୍ରୋଣ ବେନି ଦେଲା । ନାନାଦି ମନ୍ତ୍ର ସେ କହିଲା ॥ ୧୦୮
ମୟଦାନବ ବନେ ଥିଲା । ଅର୍ଜୁନ ତାହାକୁ ଦେଖିଲା ॥ ୧୦୯
ଅଗ୍ନିଦହନ କାଳେ ବନେ । ଥିଲା ସେ ଅର୍ଜୁନ ଶରଣେ ॥ ୧୧୦
ଜୀବନ ପାଇ ତୋଷ ହୋଇ । ମାୟା ସଭାଏ ସେ ଭିଆଇ ॥ ୧୧୧
ସନ୍ତୋଷେ ଅର୍ଜୁନକୁ ଦେଲା । ଶୁଣ ରାଜନ କୃଷ୍ଣଲୀଳା ॥ ୧୧୨
ଯହିଁ ରାଜୁସି ଯଜ୍ଞକାଳେ । ଅନ୍ଧନନ୍ଦନ ରାଜାମେଳେ ॥ ୧୧୩
ବସିବା କାଳେ ହୀନିମାନ । ହୋଇଲା ଜଳେ ସ୍ଥଳ ଭ୍ରମ ॥ ୧୧୪
ସେ ସଭା ଘେନି ବନମାଳୀ । ଇନ୍ଦ୍ରପ୍ରସ୍ଥରେ ଯାଇ ମିଳି ॥ ୧୧୫
ଧର୍ମନନ୍ଦନ ମୁଖ ଚାହିଁ । କହନ୍ତି ପ୍ରିୟଭାବ ବହି ॥ ୧୧୬
ମେଲାଣି ଦିଅ ଯିବୁ ଘର । ତୁମ୍ଭେ ତ ଜୀବନ ମୋହର ॥ ୧୧୭
ଏମନ୍ତେ ପ୍ରଭୁ ଭଗବାନ । ସଙ୍ଗେ ଘେନାଇ ନିଜ ଜନ ॥ ୧୧୮
ଦ୍ୱାରକାପୁରେ ଗଲେ ହରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୧୧୯
ଉତ୍ତରାୟଣ ଶୁଦ୍ଧକାଳେ । ଶୁଭନକ୍ଷତ୍ର ଶୁଭବେଳେ ॥ ୧୨୦
ଅମରଗୁରୁ ଲଗ୍ନ ତୁଲେ । କାଳିନ୍ଦୀକନ୍ୟା ବିଭା ହେଲେ ॥ ୧୨୧
ଉତ୍ସବ-ବରକନ୍ୟା ଦେଖି । ଯାଦବେ ଧନ୍ୟ କଲେ ଆଖି ॥ ୧୨୨
କାଳିନ୍ଦୀ ବିଭାର ବିଧାନ । ଯେ କରେ ଶ୍ରବଣ ପଠନ ॥ ୧୨୩
ଦୁରିତ ଦୁଃଖ ଭୟ ନାଶେ । ଅନ୍ତେ ମିଳଇ କୃଷ୍ଣପାଶେ ॥ ୧୨୪
ସେ ହରି ପାଦେ ମନ ଦେଇ । ସୁଜନେ ତର ଏହା ଗାଇ ॥ ୧୨୫
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୨୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଖାଣ୍ତବବନ ଦହନେ କାଳିନ୍ଦୀ ବିବାହେ
ନାମ ଦ୍ୱିଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ତ୍ରିଷଷ୍ଟିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଶ୍ରୀକୃଷ୍ଣଲୀଳା ଭାଗବତ ॥ ୧
ଅବନ୍ତୀପୁରେ ବେନିଭାଇ । ବିନ୍ଦାନୁବିନ୍ଦ ନାମ ବହି ॥ ୨
ସେ ଦୁର୍ଯ୍ୟୋଧନର ବିଶ୍ୱାସେ । ପ୍ରଜା ପାଳନ୍ତି ନିଜେ ଦେଶେ ॥ ୩
ମିତ୍ରବିନ୍ଦା ଯେ କନ୍ୟାସାର । ବହେଣୀ ଥିଲା ତାହାଙ୍କର ॥ ୪
ନବମସ୍କନ୍ଧେ ମୁହିଁ ତୋତେ । କହିଛି ବଂଶାନୁଚରିତେ ॥ ୫
ଶୂର ଯାଦବକୂଳେ ଜାତ । ଥିଲା ତା ପାଞ୍ଚ ଯେ ଦୁହିତ ॥ ୬
ପାଞ୍ଚ ଦୁହିତା ମଧ୍ୟେ ସାର । ରାଜାଧିଦେବୀ ନାମ ଯାର ॥ ୭
ତାର କୁମାରୀ ଅନୁପମ । ସୁନ୍ଦର ମିତ୍ରବିନ୍ଦା ନାମ ॥ ୮
ତାହାର ସ୍ୱୟଂମ୍ବର କାଳେ । ମିଳିଲେ ନୃପତି ସକଳେ ॥ ୯
ଗୋବିନ୍ଦଗଲେ ତାହା ଶୁଣି । ସଙ୍ଗେ ଯାଦବ ବଳ ଘେନି ॥ ୧୦
କନ୍ୟାର ସ୍ୱୟମ୍ବର କାଳେ । ରାଜକୁମାରମାନେ ଥିଲେ ॥ ୧୧
ସେ ବେନିଭାଇ ରାଜା ମେଳେ । କନ୍ୟାକୁ ଯେତେ ନିଷେଧିଲେ ॥ ୧୨
ସେ କନ୍ୟା କୃଷ୍ଣଙ୍କୁ ବରିଲା । ଅନେକ ଗୋଳ ଉପୁଜିଲା ॥ ୧୩
ତାହାର ସ୍ୱୟମ୍ବର କାଳେ । କୃଷ୍ଣ ହରିଲେ ତାକୁ ବଳେ ॥ ୧୪
ଦେକନ୍ତି ରାଜପୁତ୍ରେ ମିଳି । ରଥେ ବସାଇ ବନମାଳୀ ॥ ୧୫
ଦ୍ୱାରକାପଥେ ବିଜେ କଲେ । ଶଙ୍ଗ ଦୁନ୍ଦୁଭି ସୁମଙ୍ଗଳେ ॥ ୧୬
କୃଷ୍ଣର ଭଗ୍ନୀ ସେ ଯୁକ୍ତେ । ଜନ ବେଭାର କୁଳ ମତେ ॥ ୧୭
ଏବେ ହୋ ଶୁଣ ନୃପମଣି । ଯେମନ୍ତ କାଲେ ଚକ୍ରପାଣି ॥ ୧୮
କୋଶଳରାଜ୍ୟେ ନରନାଥ । ଧାର୍ମିକ ନାମେ ନଗ୍ନଜିତ ॥ ୧୯
ତାର ଦୁହିତା ସତ୍ୟା ନାମ । ରୂପେ ସୁନ୍ଦର ଅନୁପମ ॥ ୨୦
ନୃପତି ତାର ସ୍ୱୟମ୍ବର । ନିୟମ କଲା ଗୁରୁତରେ ॥ ୨୧
ସପ୍ତ ବୃକ୍ଷଭ ପୁରେ ଥୋଇ । ବୋଲେ ସାରଥି ମୁଖ ଚାହିଁ ॥ ୨୨
ଘୋଷଣା ଚଉଦିଗେ ଦିଅ । ଏମନ୍ତେ ବାକ୍ୟ ମୋର କହ ॥ ୨୩
ଏ ସାତବୃକ୍ଷ ଏକ ତୁଲ୍ୟେ । ବନ୍ଧନ କରିବ ଯେ ବଳେ ॥ ୨୪
ଏ କନ୍ୟା ହୋଇବ ତାହାର । ସତ୍ୟବଚନ ଏ ମୋହର ॥ ୨୫
ଏମନ୍ତ ଶୁଣି ତାର ପୁରେ । ମିଳିଲେ ନୃପତି କୁମରେ ॥ ୨୬
ସପତ ଷଣ୍ଢ ମୁଖ ଚାହିଁ । ସମୀପେ ନ ପାରନ୍ତି ଯାଇ ॥ ୨୭
ଆଘ୍ରାଣେ ବୀର-ଗନ୍ଧ ପାଇ । କୁଟୀଳନୟନେ ଅନାଇ ॥ ୨୮
ଜଳଦପ୍ରାୟ ନାଦ କରି । ଖୁରେ ଖୋଳନ୍ତି ସବୁନ୍ଧରୀ ॥ ୨୯
ଚଉଦଶୃଙ୍ଘ ତୀକ୍ଷଖୁର । ଦେଖି ଭାଜିଲେ ସର୍ବବୀର ॥ ୩୦
ବୃକ୍ଷ-ବନ୍ଦନେ କନ୍ୟା ଲାଭ । ଏମନ୍ତ ଶୁଣି ପଦ୍ମନାଭ ॥ ୩୧
ହରଷ ମଦନ ଗୋପାଳ । ସଙ୍ଗତେ ଘେନି ଯଦୁବଳ ॥ ୩୨
ମିଳିଲେ କୋଶଳ ଭୁବନେ । ଦେଖି ନୃପତି ତୋଷମନେ ॥ ୩୩
ଗନ୍ଧକୁସୁମ ଉପହାରେ । ପୂଜିଲା ଗୋବିନ୍ଦ ପୟରେ ॥ ୩୪
ସୁବର୍ଣ୍ଣ ଆସନେ ବସାଇ । ବୋଲଇ କୃଷ୍ଣମୁଖ ଚାହିଁ ॥ ୩୫
ଆଜ ଜୀବନ ମୋର ଧନ୍ୟ । ଦେଖିଲି ପ୍ରଭୁ ନିରଞ୍ଜନ ॥ ୩୬
ସିଦ୍ଧମୁନିଙ୍କି ଅଗୋଚର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥ ୩୭
ସୃଷ୍ଟିପାଳନ ସଂହାରଣ । ତୁ ଆଦି ପରମକାରଣ ॥ ୩୮
ପରମ ସନ୍ତୋଷ ହୋଇଲା । ଏମନ୍ତ ସ୍ତୁତି ସେହୁ କଲା ॥ ୩୯
ଏମନ୍ତେ କୃଷ୍ଣଙ୍କୁ ପୂଜିଲା । ଦୁହିତା ତାର ପଛେ ଥିଲା ॥ ୪୦
ରାଜକୁମାରୀ କୃଷ୍ଣେ ଚାହିଁ । ଆନନ୍ଦ ମନେ ବିଚାରଇ ॥ ୪୧
ପୂର୍ବେ ମୋହର ତପ ଯେବେ । ସାଧିଲା ଅଛି ଶୁଦ୍ଧଭାବେ ॥ ୪୨
ଇଷ୍ଟଦେବତା ହୋଇ ତୋଷ । ସଫଳ କରିବେ ମୋ ଆଶ ॥ ୪୩
ଯେ କୃଷ୍ଣ-ପାଦପଦ୍ମ ଧୂଳି । ବ୍ରହ୍ମାଶଙ୍କର ଶିରେ ବୋଳି ॥ ୪୪
ବାସବ ଆଦି ଦେବତାଏ । ନମନ୍ତି ଯାର ପଦ୍ମପାୟେ ॥ ୪୫
ସୁକୃତସେତୁ ରକ୍ଷା ପାଇଁ । ଲୀଲାଏ ନାନା ରୂପ ବହି ॥ ୪୬
ଅଧର୍ମ ନାଶି ଧର୍ମ ସ୍ଥାପି । ନିର୍ମଳ ସୂକ୍ଷ୍ମ ଶୂନ୍ୟେ ବ୍ୟାପି ॥ ୪୭
ସେ ହରି କେଉଁ ପୁଣ୍ୟଫଳେ । ତୋଷ ହୋଇବେ ସୁମଙ୍ଗଳେ ॥ ୪୮
ଅଶେଷ-ବ୍ରହ୍ମାଣ୍ତର ଗତି । ସେ ମୋର ହେଉ ପ୍ରାଣପତି ॥ ୪୯
ଏମନ୍ତେ ଶୁଦ୍ଧଭାବ ବହି । ରାଜା ବୋଲଇ କୃଷ୍ଣ ଚାହିଁ ॥ ୫୦
ଭୋ ନାଥ ଜଗତ ଈଶ୍ୱର । ଅନାଦି ଧର୍ମ ନିରାକାର ॥ ୫୧
ଜଗତ ଆତ୍ମଭୂତ ତୁହି । ଜଗତ ପୁଣ୍ୟମୟ ଦେହୀ ॥ ୫୨
ଜଗତ-ମୋହନ ତୋ ରୂପ । ସ୍ୱଭାବେ ମୁହିଁ ଯେ ଅଳପ ॥ ୫୩
ଭୋ ନାଥ ଶରଣସୋଦର । କିମ୍ପା ଅଇଲ ମୋର ପୁର ॥ ୫୪
ଆନନ୍ଦେ ବସିଣ ଆସନେ । ଜଳଦ-ଗମ୍ଭୀର-ବଚନେ ॥ ୫୫
ରାଜା ବଚନ ଶୁଣି ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୫୬
;ଶ୍ରୀକୃଷ୍ଣ ଉବାଚ
ଶୁଣ ରାଜନ ଚୂଡ଼ାମଣି । କ୍ଷତ୍ରିୟଜନ ଧର୍ମବାଣୀ ॥ ୫୭
ଭିକ୍ଷାଗ୍ରହଣେ ନିନ୍ଦା ପାଇ । ଉଭୟଲୋକେ ସୁଖ ନାହିଁ ॥ ୫୮
ତଥାପି ତୋର ଭାବ ଲଇଁ । କନ୍ୟା ମାଗିବା ଆଶେ ମୁହିଁ ॥ ୫୯
ମିଳିଲି ତୋହର ଭୁବନେ । ବିଦିତ କଥା ସର୍ବଜନେ ॥ ୬୦
ଆମ୍ଭର କୁଳଧର୍ମ ଏହି । ବିଭା ନ କରୁ ଧନଦେଇ ॥ ୬୧
କୃଷ୍ଣବଚନ ରାଜା ଶୁଣି । ବୋଲଇ ହୃଦେ ପରିମାଣ ॥ ୬୨
;ରାଜା ବଚନ
ଭୋ ନାଥ ଶୁଣ ଦାମୋଦର । କନ୍ୟା ଉଚିତେ ତୁମ୍ଭେ ବର ॥ ୬୩
ସକଳ ଗୁଣ ତୋର ତହିଁ । ତୋ ଅଙ୍ଗେ କମଳା ବସଇ ॥ ୬୪
ଯଦୁବଂଶର ତୁ ଈଶ୍ୱର । ଶୁଣ ଗୋବିନ୍ଦ ମୋ ବିଚାର ॥ ୬୫
ରାଜାଙ୍କ ବଳ ଜାଣିବାରେ । ସତ୍ୟ ମୁଁ କଲି ସ୍ୱୟମ୍ଭରେ ॥ ୬୬
ସପତଷଣ୍ଢ ମହାବଳୀ । ମୋହର ପୁରେ ବନମାଳୀ ॥ ୬୭
ଶୃଙ୍ଗଯୁଗଳ ତୀକ୍ଷ୍ଣଖୁର । ଦୁର୍ମଦ ଦୁଷ୍ଟ ମହାଘୋର ॥ ୬୮
ଦେଖିଣ ତାହାଙ୍କ ବଦନ । ଭାଜିଲେ ନୃପତି ନନ୍ଦନ ॥ ୬୯
ସଂକଳ୍ପ କରିଅଛି ମୁହିଁ । ଘୋଷଣା ଚାରିଦିଗେ ଦେଇ ॥ ୭୦
ଏ ସାତବୃଷେ ବନ୍ଦୀ କଲେ । ତାହାକୁ କନ୍ୟା ଦେବି ଭଲେ ॥ ୭୧
ସତ୍ୟବଚନ ଏ ମୋହର । ଭୋ ନାଥ ଶୁଣ ଦାମୋଦର ॥ ୭୨
ତୁ ଯେବେ ବାନ୍ଧିପାରୁ ଏହା । ନିଶ୍ଚୟେ କନ୍ୟା ଦେବି ବାହା ॥ ୭୩
ଏମନ୍ତ ରାଜା ବାକ୍ୟ ଶୁଣି । ଅଳପ ହସି ଚକ୍ରପାଣି ॥ ୭୪
କନ୍ୟା ହୃହୟ ବିଚାରିଲେ । ଗୋବିନ୍ଦ ମାୟା ପ୍ରକାଶିଲେ ॥ ୭୫
ତକ୍ଷଣେ ସାତରୂପ ହୋଇ । ମାୟାରେ ନଦେଖିଲେ କେହି ॥ ୭୬
ମାୟା ଗୋବିନ୍ଦ ସାତରୂପ । କନ୍ୟାକୁ ଦେଖାନ୍ତି ସ୍ୱରୂପ ॥ ୭୭
ଜନେ ଦେଖିଲେ କଉତୁକେ । କୃଷ୍ଣ ବାନ୍ଧିଲେ ସାତ ଏକେ ॥ ୭୮
ଦାଉଣି ବାନ୍ଧି ସାତଷଣ୍ଢେ । କୃଷ୍ଣ ବିଜୟ ରାଜଦାଣ୍ତେ ॥ ୭୯
ଏକଦଉଡ଼ି ସାତ କନ୍ଧେ । ଗୋବିନ୍ଧ ବାନ୍ଧିଲେ ଆନନ୍ଦେ ॥ ୮୦
କାଷ୍ଠ ପିତୁଳୀ ବାନ୍ଧି ହସ୍ତେ । ବାଳକେ ଖେଳନ୍ତି ଯେମନ୍ତେ ॥ ୮୧
ଦେଖି ହରଷ ସର୍ବଜନ । ଆନନ୍ଦ କୋଶଳ ରାଜନ ॥ ୮୨
ତକ୍ଷଣେ ମିଳି ବନ୍ଧୁଜନେ । ଉତ୍ସବ ରାଜାର ଭୁବନେ ॥ ୮୩
ବେଦ ଉଚିତ ଧର୍ମ ଘେନି । ମଙ୍ଗଳ କଲେକ କାମିନୀ ॥ ୮୪
ବରକନ୍ୟାଙ୍କୁ କରି ଶୋଭା । ଆନନ୍ଦେ କରାଇଲେ ବିଭା ॥ ୮୫
ରାଜକାମିନୀ ମିଳି ଧୀରେ । ଅକ୍ଷତ ଦେଲେ କୃଷ୍ଣ ଶିରେ ॥ ୮୬
ଦୁହିତା ତୁଲ୍ୟ ବର ଦେଖି । ନିର୍ମଳ କଲେ ଚର୍ମଆଖି ॥ ୮୭
ଗୀତମଙ୍ଗଳ ଶଙ୍ଖ ଭେରୀ । ଆନନ୍ଦେ ବାଦ୍ୟନାଦ କରି ॥ ୮୮
ବିପ୍ରେ ଆଶିଷ ଶିରେ ଦେଇ । ଉତ୍ସବ କେ ପାରିବ କହି ॥ ୮୯
କୋଶଳପୁର ନରନାରୀ । ଅନେକ ଅଳଙ୍କାର ଭରି ॥ ୯୦
ଦିବ୍ୟବସନ ପୁଷ୍ପମାଳେ । ବିବାହେ ମିଳିଲେ ସକଳେ ॥ ୯୧
କୋଶଳପତି ସୁବିବେକ । ଅନେକ ଦେଲା ଯଉତୁକ ॥ ୯୨
ଦଶସହସ୍ର ଧେନୁ ଦେଲା । ଶୁଣ ହୋ ଅଭିମନ୍ୟୁବଳା ॥ ୯୩
ତିନିସହସ୍ର ପରିବାରୀ । ବିବିଧ ଅଳଙ୍କାରେ ଭରି ॥ ୯୪
ଦୁହିତା ହିତେ ନୃପମଣି । କୃଷ୍ଣସମୀପେ ଦେଲା ଆଣି ॥ ୯୫
ନବସହସ୍ର ମତ୍ତହସ୍ତୀ । କୃଷ୍ଣଙ୍କୁ ଦେଲା ନରପତି ॥ ୯୬
ସୁବର୍ଣ୍ଣ ରଥ ନବଲକ୍ଷ । କୃଷ୍ଣଙ୍କୁ ଦେଲା ସେ ପ୍ରତ୍ୟକ୍ଷ ॥ ୯୭
ଆନନ୍ଦ ମନେ ନରଇନ୍ଦ୍ର । ତୁରଙ୍ଗ ଦେଲା ନବବୃନ୍ଦ ॥ ୯୮
ପଦାତି ନବପଦ୍ମ ଦେଇ । ବରକନ୍ୟାଙ୍କୁ ରଥେ ଥୋଇ ॥ ୯୯
ସଙ୍ଗତେ ନିଜବଳ ଘେନି । ବଜାଇ ବୀରତୂର ଧ୍ୱନି ॥ ୧୦୦
ଆନନ୍ଦେ ଅଶ୍ରୁଜଳ ବହି । ପଥେ କେତେହେଁ ଦୂର ଯାଇ ॥ ୧୦୧
କୃଷ୍ଣଙ୍କୁ ମାଗି ଅନୁଯାନ । ମିଳିଲା ଆପଣା ଭୁବନ ॥ ୧୦୨
ଗୋବିନ୍ଦ ଦ୍ୱାରକାର ପଥେ । ବିଜୟ ନନ୍ଦିଘୋଷ ରଥେ ॥ ୧୦୩
ଅନେକ ନୃପତି କୁମରେ । ଥିଲେ ଯେ କନ୍ୟା ସ୍ୱୟମ୍ବରେ ॥ ୧୦୪
ସାତଷଣ୍ଢର ଯୁଦ୍ଧେ ହାରି । କନ୍ୟାକୁ ଚିତ୍ତେ ଥିଲେ ବରି ॥ ୧୦୫
କନ୍ୟାକୁ ବଳେ ନେବୁଆଜ । କିସ କରିବେ ଯଦୁଭୋଜ ॥ ୧୦୬
ଏମନ୍ତ ଭାଳି କୁବିଚାରେ । ପଛେ ଧାଇଁଲେ ଅତିଖରେ ॥ ୧୦୭
ବୃଷ୍ଟି ପରାୟେ ବାଣବିନ୍ଧି । ବେଗେ ଯାଦବ ବଳ ରୁନ୍ଧି ॥ ୧୦୮
ଅର୍ଜୁନ ଥିଲେ କୃଷ୍ଣସଙ୍ଗେ । ଦେଖି ଧାଇଁଲେ ଅତିବେଗେ ॥ ୧୦୯
ଗାଣ୍ତୀବ ଚାପେ ଗୁଣ ଦେଇ । ମନ୍ତ୍ର ସୁମରି କୋପ ବହି ॥ ୧୧୦
ଅକ୍ଷୟତ୍ରୋଣଁ ବାଣ ବିନ୍ଧି । ଅନେକ ରଥ ଗଜ ଛେଦି ॥ ୧୧୧
ଶର ବରଷା ମହାଘୋର । ଦେଖି ଭାଜିଲେ ନୃପବର ॥ ୧୧୨
ଯୁଦ୍ଧେ ହାରିଲେ ରିପୁଜନେ । କେଶରୀ ମୁଖେ ମୃଗ ଯେହ୍ନେ ॥ ୧୧୩
କନ୍ୟା ଘେନିଣ ଭଗବାନ । ମିଳିଲେ ଦ୍ୱାରକା ଭୁବନ ॥ ୧୧୪
ଯଦୁ-କୁମୁଦ-ନିଶାକର । ପୁରେ ମିଳିଲେ କନ୍ୟାବର ॥ ୧୧୫
ଲକ୍ଷ୍ମୀର ଅଂଶ ସତ୍ୟା ସଙ୍ଗେ । କୃଷ୍ଣ ରମିଲେ ସୁଖରଙ୍ଗେ ॥ ୧୧୬
ଅନାଦି ପ୍ରଭୁ ଜଗନ୍ନାଥ । ଦେବକୀଦେବୀ ଯାର ମାତ ॥ ୧୧୭
ଏବେ ହୋ ଶୁଣ ନରପତି । କେକୟ ରାଣୀ ଶ୍ରୁତକୀର୍ତ୍ତି ॥ ୧୧୮
ତାର ଦୁହିତା ଭଦ୍ରା ନାମ । ରୂପେ କମଳା ନୋହେ ସମ ॥ ୧୧୯
ପିତୃଭଗିନୀ ସୁତା ସେହି । ଭ୍ରାତା ବିଚାରେ କନ୍ୟା ଦେଇ ॥ ୧୨୦
ସକଳ ବନ୍ଧୁଜନ ମିଳି । ବିବାହ କଲେ ବନମାଳୀ ॥ ୧୨୧
ମଦ୍ରାଧିପତିର ଦୁଲଣୀ । ଲକ୍ଷଣା ନାମେ ସୁଲକ୍ଷଣୀ ॥ ୧୨୨
ତାହାର ସ୍ୱୟମ୍ବର କାଳେ । କୃଷ୍ଣ ହରିଲେ ତାକୁ ବଳେ ॥ ୧୨୩
ଦୁର୍ଗମ ଲାଖ ହେଳେ ବିନ୍ଧି । ସମରେ ରିପୁବଳ ଛେଦି ॥ ୧୨୪
ଦେବଙ୍କମଧ୍ୟୁ ସୁଧାରାଶି । ଗରୁଡ଼ ଯେସନେ ଗରାସି ॥ ୧୨୫
ଏବେ ହୋ ଶୁଣ ନୃପମଣି । ନାରକାପୁରୁ ଚକ୍ରପାଣି ॥ ୧୨୬
ଷୋଳସହସ୍ର ଶତେ ନାରୀ । ଆଣିଲେ ଘୋରଯୁଦ୍ଧ କରି ॥ ୧୨୭
ମାଇଲେ ଅନେକ ଅସୁର । ଦୁଷ୍ଟଦଳନ ଦାମୋଦର ॥ ୧୨୮
ସେ ହରିପାଦ ଅବିରତେ । ସୁଜନେ ଚିନ୍ତ ଧ୍ୟାନମତେ ॥ ୧୨୯
ଫିଟିବ ଜଡ଼କ ମୋହପାଶ । କହଇ ଜଗନ୍ନାଥ ଦାସ ॥ ୧୩୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅଷ୍ଟମହିଷୀ ଉଦ୍ବାହୋ ନାମ
ତ୍ରିଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ଚତୁଃଷଷ୍ଟିତମ ଅଧ୍ୟାୟ'''===
<poem>
କୃଷ୍ଣସେବକ ଭାଗ୍ୟବନ୍ତ । କୁରୁନନ୍ଦନ ପରୀକ୍ଷିତ ॥ ୧
ବ୍ୟାସ ନନ୍ଦନ ମୁଖ ଚାହିଁ । କହଇ ଶିରେ କରଦେଇ ॥ ୨
;ପରୀକ୍ଷିତ ଉବାଚ
ଭୋ ମୁନି କେମନ୍ତେ ଅନନ୍ତ । ନାରକାସୁର କଲେହତ ॥ ୩
ଆଣିଲେ ଅନେକ ସୁନ୍ଦରୀ । ଦାନବଙ୍କର ପ୍ରାଣ ହରି ॥ ୪
ସାରଙ୍ଗ ଧନୁ ଧରି କର । ମହା ମହିମା ଯୋଗେଶ୍ୱର ॥ ୫
ଅବନୀ ଭାରା ନିବାରଣ । ନିର୍ଗୁଣ ପୁରୁଷ ପୁରାଣ ॥ ୬
କହ କେମନ୍ତେ ନରହରି । କନ୍ୟା ଆଣିଲେ ଶତ୍ରୁ ମାରି ॥ ୭
କେମନ୍ତେ ନାରକା ଅସୁର । ରଣେ ଜିଣିଲା ତିନିପୁର ॥ ୮
କାହୁଁ ଆଣିଲା କନ୍ୟା ହରି । ନିଜ ଭୁବନେ ଥିଲା ଭରି ॥ ୯
ଶୁକ କହନ୍ତି ତାହା ଶୁଣି । କୃଷ୍ଣ-ମହିମା ମନେ ଗୁଣି ॥ ୧୦
;ଶୁକ ଉବାଚ
ଶୁଣ ପରୀକ୍ଷ ମହୀପାଳ । ସ୍ୱର୍ଗଭୁବନୁ ଆଖଣ୍ତଳ ॥ ୧୧
ନାରକାସୁର ଭୟେ ତ୍ରାସି । ଯଦୁନଗରେ ରାତ୍ରେ ପଶି ॥ ୧୨
ମିଳିଲା ଗୋବିନ୍ଦର ପାଶେ । ଏକାନ୍ତେ କହଇ ବିଶ୍ୱାସେ ॥ ୧୩
ଭୋ ନାଥ ଦୁଷ୍ଟ ନିବାରଣ । ଅନାଦି-ପରମ-କାରଣ ॥ ୧୪
ଅଦିତି ମୋହର ଜନନୀ । ସୁପୁଣ୍ୟ-ଦକ୍ଷର ନନ୍ଦିନୀ ॥ ୧୫
ଅମୂଲ୍ୟ-ଦିବ୍ୟ ମଣି ବେନି । କର୍ଣ୍ଣେ କୁଣ୍ତଳ ଥିଲା ଘେନି ॥ ୧୬
ନାରକାସୁର ମୋର ପୁରେ । ପଶିଲା ଯୁଦ୍ଧ-ମହାଘୋରେ ॥ ୧୭
କୁଣ୍ତଳ ମାତା କର୍ଣ୍ଣୁ ନେଲା । ସ୍ୱର୍ଗେ ବରୁଣଛତ୍ର ଥିଲା ॥ ୧୮
ମୋତେ ଘଉଡ଼ି ବାହୁବଳେ । ସର୍ବ ହରିଲା ଅବହେଳେ ॥ ୧୯
ମନ୍ଦରଗିରିଶିଖ ମୂଳେ । ମଣି ପର୍ବତ ନେଲାବେଳେ ॥ ୨୦
ରାଜାଙ୍କ କନ୍ୟା ବିଭା ଛଳେ । ହରି ଆଣିଲା ଭୁଜବଳେ ॥ ୨୧
ପୁରେ ନିବେଶି କନ୍ୟା ବଳେ । ବିଭା ହୋଇବ ଏକାବେଳେ ॥ ୨୨
ତାର ମହିମା ଶୁଣି କର୍ଣ୍ଣେ । ତିନିଭୁବନେ ଯେତେ ଜନେ ॥ ୨୩
ଭୟେ ଚକିତମନେ ଛନ୍ନ । ବଦନୁ ନ ସ୍ପୁରେ ବଚନ ॥ ୨୪
ତାହାର ଡରେ ଦାମୋଦର । ଭାଜିଲା ଅମର-ନଗର ॥ ୨୫
ହରିଲା ମୋର ଅଧିକାର । ଭୋ ନାଥ ଶରଣ ମୁଁ ତୋର ॥ ୨୬
ବାସବ ବାକ୍ୟ ଶୁଣି କର୍ଣ୍ଣେ । ଗୋବିନ୍ଦ ହରଷ, ବଦନେ ॥ ୨୭
ବୋଇଲେ ଯାଅ ନିଜପୁର । ମୁହିଁ କରିବି ପ୍ରତିକାର ॥ ୨୮
କୃଷ୍ଣ ନୋକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୨୯
ସତ୍ୟଭାମାର କରଧରି । ଗୋବିନ୍ଦ ଗରୁଡ ସୁମରି ॥ ୩୦
ଧ୍ୟାନେ ଜାଣିଲା ଖଗେଶ୍ୱର । ମିଳିଲା ଦ୍ୱାରକା ନବର ॥ ୩୧
କୃଷ୍ଣ ନିକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୩୨
ସତ୍ୟଭାମାକୁ କୋଳେ ଘେନି । ଗୋବିନ୍ଦ କଲେ ଶଙ୍ଖ ଧ୍ୱନି ॥ ୩୩
ଦେଖନ୍ତି ଦଶଦିଗପାଳେ । ଗରୁଡ଼ ଉଡେ଼ ଅନ୍ତରାଳେ ॥ ୩୪
ପ୍ରାଗଜ୍ୟୋତିଷପୁର ନାମେ । ମିଳିଲା ନାରକା-ଭୁବନେ ॥ ୩୫
ଶତେଯୋଜନଦୀର୍ଘ ସ୍ଥଳୀ । ଦେଖି ହରଷ ବନମାଳୀ ॥ ୩୬
ଶୁଣ ରାଜନ ତା ମହିମା । ଦୁର୍ଗମ ଦାନବର ସୀମା ॥ ୩୭
ଗିରିଦୁର୍ଗମ ଚାରିପାଖେ । ବାଣକମାଣ ଶସ୍ତ୍ର ରଖେ ॥ ୩୮
ବାଣ ଅନ୍ତରେ ଜଳଖଣା । ଦେଖିଲେ ଦେବେ ହୋନ୍ତି ବଣା ॥ ୩୯
ଗଭୀର କେ କରୁ ପ୍ରମାଣ । ଘୋର ଗହ୍ନ ଗ୍ରାହଗଣ ॥ ୪୦
ସେ ଦୁର୍ଗ ଅନ୍ତରେ ଅନଳ । ଉଚ୍ଚେ ଜଳଇ ତିନିତାଳ ॥ ୪୧
ଅଗ୍ନି ଅନ୍ତରେ ସମୀରଣ । ପ୍ରଚଣ୍ତେ ବହଇ ପବନ ॥ ୪୨
ରିପୁ ପଡ଼ିଲେ ଯାନ୍ତି ଉଡ଼ି । ମରନ୍ତି ଅଗ୍ନି ଜଳେ ପଡ଼ି ॥ ୪୩
ତାର ଅନ୍ତରେ ମୁରପାଶୀ । ନୀଳଜୀମୂତ ପ୍ରାୟେ ଦିଶି ॥ ୪୪
ଏମନ୍ତ ଗଡ଼ ସେ ଭିଆଇ । ନିଶ୍ଚିନ୍ତେ ମଧ୍ୟେ ଅଛି ରହି ॥ ୪୫
ହେଳେ ଜିଣିଲା ସୁରନର । ଦେଖି ହସନ୍ତି ଚକ୍ରଧର ॥ ୪୬
ଗଦା ପ୍ରହାରେ ଗଦାଧର । ଗିରି ଦୁର୍ଗମ କଲେ ଚୂର ॥ ୪୭
ବାଣକମାଣ ନରହରି । ତୀକ୍ଷ୍ଣ ନାରାଚେ ଚୁର୍ଣ୍ଣ କରି ॥ ୪୮
ଜଳ ଅନଳ ସମୀରଣ । ଚକ୍ରେ ଶୋଷିଲେ ନାରାୟଣ ॥ ୪୯
ଖଡ଼ଗ ଧାରେ ବ୍ରହ୍ମରାଶି । ବେଗେ ଛେଦିଲେ ମୁରପାଶୀ ॥ ୫୦
ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୫୧
ଗିରିଦୁର୍ଗମକୁ ଆବୋରି । ବୀରେ ଯେ ଥିଲେ ଶସ୍ତ୍ର ଧରି ॥ ୫୨
ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୫୩
ଗୋବିନ୍ଦ ବସି ଖଗେଶ୍ୱରେ । ମିଳିଲେ ନାରକାର ଦ୍ୱାରେ ॥ ୫୪
ଶିଳାପାଚେରୀ ଚାରିଦିଗେ । ଦେଖି ଗୋବିନ୍ଦ ଅତିବେଗେ ॥ ୫୫
ଗଦା ପ୍ରହାରେ ଚୂର୍ଣ୍ଣ କରି । ଶବଦେ କମ୍ପେ ବସୁନ୍ଧରୀ ॥ ୫୬
କୃଷ୍ଣର ଶୁଣି ଶଙ୍ଖନାଦ । ଅସୁରେ ମନେ ପାଇ ଖେଦ ॥ ୫୭
ଯୁଗାନ୍ତ ବଜ୍ରପ୍ରାୟ ମଣି । ମୁରଦାନବ ତାହା ଶୁଣି ॥ ୫୮
ଗଭୀର ଜଳେ ଶୋଇଥିଲା । ଖବଦ ଶୁଣି ବିଜେ କଲା ॥ ୫୯
ପର୍ବତ ପ୍ରାୟ ପଞ୍ଚଶିର । ନିଦ୍ରା ବିଯୋଗ ମହାବୀର ॥ ୬୦
ତ୍ରିଶୂଳ ଅଛି ତାର କରେ । କିବା ଉପମା ଦେବା ତାରେ ॥ ୬୧
ପ୍ରଳୟକାଳେ ଦିବାକର । ପ୍ରଚଣ୍ତ ଜ୍ୟୋତି ପରଖର ॥ ୬୨
ତେମନ୍ତ ପ୍ରାୟ ଶୂଳ ଦିଶି । ଧାଇଁଲା ତ୍ରିଭୁବନ ତ୍ରାସି ॥ ୬୩
ଗିଳିବା ପ୍ରାୟ ପଞ୍ଚଭୂତ । ପଞ୍ଚବଦନ ବିସ୍ତାରିତ ॥ ୬୪
କୃଷ୍ଣ ଦେଖନ୍ତି ତାର ବେଗ । ଗରୁଡ଼ ମୁଖେ ଯେହ୍ନେ ନାଗ ॥ ୬୫
ଧାମଇଁ ମରଣ ନ ଜାଣି । ଦେଖି ହସନ୍ତି ଚକ୍ରପାଣି ॥ ୬୬
ତ୍ରିଶୂଳ ଅତି ଘେନି ଅତି ବେଗେ । ପିଟିଲା ଗରୁଡର ଅଙ୍ଗେ ॥ ୬୭
ଶବଦ କଲା ପଞ୍ଚତୁଣ୍ତ । ପୂରିଲା ଅଖିଳ ବ୍ରହ୍ମାଣ୍ତ ॥ ୬୮
ତ୍ରିଶୂଳ ଦେଖି ନାରାୟଣ । ବେଗେ ବିନିଧିଲେ ବେନି ବାଣ ॥ ୬୯
ତକ୍ଷଣେ ତିନିଖଣ୍ତ କରି । ଶୂଳ କାଟିଲେ ନରହରି ॥ ୭୦
କୃଷ୍ଣ ବିନ୍ଧିଲେ ତୀକ୍ଷ୍ଣ ବାଣ । ଅସୁର କୋପେ ଗରୁଟାଣ ॥ ୭୧
ଗଦାଏ ଥିଲା ବାମ କରେ । ପିଟିଲା ଗୋବିନ୍ଦ ଉପରେ ॥ ୭୨
ତକ୍ଷଣେ ମଦନଗୋପାଳ । ଗଦାକୁ ଗଦା ପରିତାଳ ॥ ୭୩
ଦାନବ ଗଦା ଚୂର୍ଣ୍ଣକରି । ଶଙ୍ଖେ ଶବଦ କଲେ ହରି ॥ ୭୪
ନିରସ୍ତ୍ର ହୋଇ ସେ ଦନୁଜ । ବେଗେ ତୋଳିଲା ବେନି ଭୁଜ ॥ ୭୫
ଧାମଇଁ ଘୋର ନାଦ କରି । ପାଦେ କମ୍ପଇ ବସନ୍ଧରୀ ॥ ୭୬
ସ୍ୱର୍ଗେ ଦେଖନ୍ତି ଦେବେ ମିଳି । ଚକ୍ର ପେଶିଲେ ବନମାଳୀ ॥ ୭୭
ତକ୍ଷଣେ ହୋଇ ବେନିଖଣ୍ତ । ଜଳେ ପଡ଼ିଲା ମୃତପିଣ୍ତ ॥ ୭୮
ବାସବ-ବଜ୍ରେ ହୋଇ ଭଙ୍ଗ । ଯେହ୍ନେ ପଡ଼ଇ ଗିରିଶୃଙ୍ଗ ॥ ୭୯
ସପ୍ତ କୁମର ତାର ଥିଲେ । ପିତାର ମରଣ ଜାଣିଲେ ॥ ୮୦
ପିତୃ-ବଇରୀ ମାରିବାରେ । ଧାଇଁଲେ ପବନହୁଁ ଖରେ ॥ ୮୧
ଅତି ଗହ୍ନ ଘୋରତମ । ଶୁଣ ହୋ ତାହାଙ୍କର ନାମ ॥ ୮୨
ତାମ୍ର ଅନ୍ତରୀକ୍ଷ ଶ୍ରବଣ । ଚତୁର୍ଥ ବିଭାବସୁ ଜାଣ ॥ ୮୩
ପଞ୍ଚମ ବସୁ ମହାବୀର । ଷଷ୍ଠରେ ନବସ୍ୱାନ ଶୂର ॥ ୮୪
ପୁଣ ଅରୁଣ ନାମେ ବୀର । ଏମନ୍ତେ ଧାଇଁଲେ ଅସୁର ॥ ୮୫
ବିବିଧ ଶସ୍ତ୍ର କରେ ଘେନି । ସାଜିଲେ ନାରକା ସଇନି ॥ ୮୬
ଯୂଥପତିଙ୍କି କରି ଆଗେ । ନାରକା ସୈନ୍ୟ ବେନିଭାଗେ ॥ ୮୭
ଆବୋରି ଧାଇଁଲା ସମରେ । ଭୂମି କମ୍ପାଇ ପାଦଭରେ ॥ ୮୮
ବାଣ ଖଡ଼ଗ ଗଦା ଋଷ୍ଟି । ଶୂଳ ତୋମର ଲୌହଯଷ୍ଟି ॥ ୮୯
ରବିକିରଣ ପ୍ରାୟ ଦିଶି । ଭୂମି ଗଗନେ ତେଜ ଗ୍ରାସି ॥ ୯୦
ଶର ବରଷା ମେଘପ୍ରାୟେ । ବିନ୍ଧିଲେ ଗୋବିନ୍ଦର ଦେହେ ॥ ୯୧
ଦେଖି କେଶବ ଅତି ଖରେ । ସାରଙ୍ଗଧନୁ ଧରି କରେ ॥ ୯୨
କୃଷ୍ଣ ବିନ୍ଧିଲେ ପୁଣପୁଣ । ଅନଳପ୍ରାୟ ତୀକ୍ଷ୍ଣ ବାଣ ॥ ୯୩
ଅସୁରଙ୍କର ଶସ୍ତ୍ର ନାଶେ । ରବି ଯେସନେ ତମ ଗ୍ରାସେ ॥ ୯୪
ତିଳପ୍ରମାଣେ ଶସ୍ତ୍ର କାଟି । ଗୋବିନ୍ଦ କଲେ ଶର ବୃଷ୍ଟି ॥ ୯୫
ଅସୁରଙ୍କର ସେହ୍ନାଫୁଟି । ଭୁଜ ଚରଣ ଶିର ତୁଟି ॥ ୯୬
ତକ୍ଷଣେ ପଡ଼ିଲେ ସକଳେ । ମେଦିନୀ ନ ଦିଶେ ଗହଳେ ॥ ୯୭
କୃଷ୍ଣର ବାଣ ତୀକ୍ଷ୍ଣ ଫଳ । ଧ୍ୱଂସିଲା ଚତୁରଙ୍ଗ ବଳ ॥ ୯୮
ନାରକାସୁର ତାହା ଦେଖି । ଧାଇଁଲା ଭୁବନ ଉପେକ୍ଷି ॥ ୯୯
ଷଷ୍ଟିସହସ୍ର ଗଜୟୂଥ । ଜଳଧି ମନ୍ଥନୁଁ ସମ୍ଭୂତ ॥ ୧୦୦
ବରଷା ପ୍ରାୟ ମଦଗଳି । ଦିଶନ୍ତି କରୀବରେ ଝଳି ॥ ୧୦୧
ଅଙ୍କୁଶ ମାହୁନ୍ତଙ୍କ କରେ । ଝଲକେ ରବି ପଟାନ୍ତରେ ॥ ୧୦୨
ନାରକାସୁର ଗଜ ମଧ୍ୟେ । ବେଗେ ମିଳିଲା ଘୋରନାଦେ ॥ ୧୦୩
ଉଚ୍ଚ କୁଞ୍ଜରେ ଭୂମିସୁତ । ନୟନେ ଦେଖିଲା ଅନନ୍ତ ॥ ୧୦୪
ସୁବର୍ଣ୍ଣ ପ୍ରାୟ ପକ୍ଷୀରାଜ । ଶୂନ୍ୟେ ଉଡ଼ଇ ମହାତେଜ ॥ ୧୦୫
ତାହାର ପୃଷ୍ଠେ ନରହରି । ସତ୍ୟଭାମାକୁ କୋଳେ ଧରି ॥ ୧୦୬
ଉର୍ଦ୍ଧ୍ୱେ ତୋଳିଣ ଭୁଜଚାରି । ଶଙ୍ଖ କୋଦଣ୍ତ ଗଦାଧରି ॥ ୧୦୭
ଦକ୍ଷିଣ କରେ ଚକ୍ର ସାଜେ । କୋଟି ଆଦିତ୍ୟ ତେଜ ଗଞ୍ଜେ ॥ ୧୦୮
ବନମାଳାଏ ଲମ୍ବେ ଉରେ । କିବା ଉପମା ଦେବା ତାରେ ॥ ୧୦୯
ନୀଳଜୀମୂତ ଶୂନ୍ୟେ ମିଳି । ଯେସନେ ପ୍ରକାଶେ ବିଜୁଳି ॥ ୧୧୦
ରବି ଯେସନେ ତେଜ ବହି । ଗଗନମଧ୍ୟେ ବିରାଜଇ ॥ ୧୧୧
ଏମନ୍ତ କୃଷ୍ଣରୂପ ଚାହିଁ । ନାରକାସୁର କୋପ ବହି ॥ ୧୧୨
ଶକ୍ତିଏ ଥିଲା କରେ ଘେନି । ନାମ ତାହାର ଶତଘନି ॥ ୧୧୩
ପ୍ରହାର କରି ଅବିରତ । ରିପୁ ମାଇଲା ଶତଶତ ॥ ୧୧୪
କୃଷ୍ଣ ଉପରେ ପ୍ରହାରିଲା । ପ୍ରତାପେ ଘୋରନାଦ କଲା ॥ ୧୧୫
ଯେତେ ମାହୁନ୍ତ ସଙ୍ଗେ ଥିଲେ । କୃଷ୍ଣଙ୍କୁ ଶକ୍ତି ପ୍ରହାରିଲେ ॥ ୧୧୬
ଶକ୍ତି ପଡ଼ନ୍ତେ କୃଷ୍ଣ ଚାହିଁ । ନାରାଚ ଗୁଣରେ ବସାଇ ॥ ୧୧୭
ନିରତେ ବିନ୍ଧି ତୀକ୍ଷ୍ଣ ଶର । ଶକ୍ତି ସମୂହ କଲେ ଚୂର ॥ ୧୧୮
ନାରକା-ସୈନ୍ୟଙ୍କୁ ଅନାଇଁ । ନାରାଚ ଘେନି ଭାବଗ୍ରାହୀ ॥ ୧୧୯
ବଜ୍ରଶବଦ ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣପୁଣ ॥ ୧୨୦
ସୈନ୍ୟ ପଡ଼ିଲେ ମହୀଲୋଟି । ଜାନୁ ହୃଦୟ ଶିରଫୁଟି ॥ ୧୨୧
ଅଶ୍ୱ କୁଞ୍ଜର ରଥ ଯେତେ । ଛିଡ଼ି ପଡ଼ିଲେ ଭୂମିଗତେ ॥ ୧୨୨
ଶସ୍ତ୍ର ସହିତେ ରିପୁ-ପିଣ୍ତ । ଛିଡ଼ି ପଡ଼ିଲେ ଖଣ୍ତଖଣ୍ତ ॥ ୧୨୩
ଗରୁଡ଼ ନଖ ଚଞ୍ଚୁଘାତେ । ଗଜ ପଡ଼ିଲେ ୟୂଥେ ଯୂଥେ ॥ ୧୨୪
କେତେ ପକାଇ ପୁରେ ପଶି । ଥୋକାଏ ଜଳେ ପଡ଼ି ଭାସି ॥ ୧୨୫
ଯୁଦ୍ଧ କରଇ ମହୀସୁତ । କୁଞ୍ଜରେ ହୋଇଲେ ଅନାଥ ॥ ୧୨୬
ଗରୁଡ଼ବାେତେ ସୈନ୍ୟଗଲା । ଦେଖି ନାରକା କୋପକଲା ॥ ୧୨୭
ପୁଣ ଶକ୍ତିଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୨୮
ବଜ୍ର ଭାଙ୍ଗଇ ଯାର ଘାଏ । ପିଟିଲା ଗରୁଡ଼ର ଦେହେ ॥ ୧୨୯
ଶକ୍ତି ପ୍ରହାରେ କୋପମନ । ଗରୁଡ ନିଶ୍ଚଳ ଆସନ ॥ ୧୩୦
ଫୁଲପେଣ୍ତାଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୩୧
ଶକ୍ତି ଗରୁଡ଼ ଦେହେ ବାଜି । ପଡ଼ିଲା ଭୂମିଗତେ ଭାଜି ॥ ୧୩୨
ତ୍ରିଶୂଳ ଘେନି ଭୂମିସୁତ । ମିଳିଲା କୃଷ୍ଣର ଅଗ୍ରତ ॥ ୧୩୩
ନିଷ୍ପଳ ଉଦ୍ୟମ ତାହାର । ଯୁଦ୍ଧ ଦେଖନ୍ତି ସୁରନର ॥ ୧୩୪
ତ୍ରିଶୂଳ ଦେଖି କରେ ତାର । ଚକ୍ର ପେଷିଲେ ଚକ୍ରଧର ॥ ୧୩୫
ଗଜ ଉପରେ ବସିଥିଲା । ସୁନ୍ଦର ଧରଣୀର ବଳା ॥ ୧୩୬
ଅମୂଲ୍ୟ କିରୀଟ ବିରାଜେ । କର୍ଣ୍ଣେ କୁଣ୍ତଳ ବେନି ସାଜେ ॥ ୧୩୭
ଛିଡ଼ି ପଡ଼ିଲା କନ୍ଧୁଁ ଶିର । ଅବନୀ ଦିଶିଲା ସୁନ୍ଦର ॥ ୧୩୮
ହା ହା ଶବଦ ଅତିଘୋର । ଶୁଭିଲା ନାରକାନବର ॥ ୧୩୯
ଦେବସମୂହେ ବ୍ରହ୍ମଋଷି । ସ୍ୱଗ୍ରେ ଯେ ଦେଖୁଥିଲେ ବସି ॥ ୧୪୦
ଜୟ ଶବଦ ଉଚ୍ଚସ୍ୱରେ । ପୁଷ୍ପ ବର୍ଷିଲେ କୃଷ୍ଣଶିରେ ॥ ୧୪୧
ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୨
ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୩
ହିରଣ୍ୟମୟ ରତ୍ନମାଳା । ଘେନିଣ ଅଦିତି କୁଣ୍ତଳ ॥ ୧୪୪
ବରୁଣଛତ୍ର ମଣିଗିରି । ବନମାଳାଏ କରେ ଧରି ॥ ୧୪୫
କୃଷ୍ଣ ସମୀପେ ନେଇ ଦେଲା । ଅଭୟଚରଣେ ପୂଜିଲା ॥ ୧୪୬
ଭୁଜଯୁଗଳ ଦେଇ ଶିରେ । ସ୍ତୁତି କରଇ ଶୋକଭରେ ॥ ୧୪୭
;ଭୂମି ଉବାଚ
ଭୂମି ବୋଲଇ ଯୋଡ଼ିକର । ତୁ ନାଥ ଦେବଙ୍କର ବର ॥ ୧୪୮
ଶଙ୍ଖ କମଳ ଗଦା ହସ୍ତେ । ଦେବାଧିଦେବ ନମୋସ୍ତୁତେ ॥ ୧୪୯
ଯେ ତୋତେ ଯେମନ୍ତ ଭଜଇ । ସେ ଅନୁରୂପେ ତୋତେ ପାଇ ॥ ୧୫୦
ପରମଆତ୍ମା ଆଦିମୂଳ । ନମସ୍ତେ ପରମମଙ୍ଗଳ ॥ ୧୫୧
ପଙ୍କଜନାଭ ପଦ୍ମମାଳୀ । ପଦ୍ମଲୋଚନ ତୋତେ ବୋଲି ॥ ୧୫୨
ପଙ୍ଗଜନିଧି ତୋ ପୟର । ଭୋ ନାଥ ଶରଣ ମୁଁ ତୋର ॥ ୧୫୩
ନମସ୍ତେ ପ୍ରଭୁ ଭଗବାନ । ବିଷ୍ଣୁ ବାସୁଦେବ ତୋ ନାମ ॥ ୧୫୪
ଆଦିପୁରୁଷ ବୀଜଆଦି । ସମ୍ପୂର୍ଣ୍ଣ ଜ୍ଞାନ ତୋ ପ୍ରସିଦ୍ଧି ॥ ୧୫୫
ଜଗତଜନ୍ମ କରୁ ତୁହି । ଜନ୍ମମରଣ ତୋର ନାହିଁ ॥ ୧୫୬
ବ୍ରହ୍ମଣ୍ୟରୂପୀ ନମୋନମ । ଅନନ୍ତଶକ୍ତି ଅନୁପମ ॥ ୧୫୭
ପରଅପର ଭୂତଆତ୍ମା । ପରମାନନ୍ଦ ତୋ ମହିମା ॥ ୧୫୮
ଏ ସୃଷ୍ଟି ଉପୁଜିବା କାଳେ । ତୁ ରଜ ଗୁଣ ଧରୁ ହେଳେ ॥ ୧୫୯
ନିରୋଧକାଳେ ତମଗୁଣ । ଆନନ୍ଦେ ବହୁ ନାରାୟଣ ॥ ୧୬୦
ସୃଷ୍ଟିପାଳନେ ଧର୍ମରୂପେ । ସତ୍ତ୍ୱଗୁଣକୁ ଭଜୁ ଆପେ ॥ ୧୬୧
ପ୍ରଧାନପୁରୁଷ ତୁ କାଳ । ନିର୍ଗୁଣ ଆତ୍ମା ନନ୍ଦବାଳ ॥ ୧୬୨
ମୋ ଆଦି ସଲିଳ ଅନଳ । ପବନ ଆକାଶମଣ୍ତଳ ॥ ୧୬୩
ଶଦ୍ଦ ସ୍ପରଶ ରୂପ ରସ । ଗନ୍ଧ ଇନ୍ଦ୍ରିୟ ଏକାଦଶ ॥ ୧୬୪
ଲୋକପାଳକ ଦେବଗଣ । ତୁ ଆଦି ପରମ କାରଣ ॥ ୧୬୫
ତୁ ଅହଙ୍କାର ଭୂତ ଆଦି । ସଚରାଚର ପରସିଦ୍ଧି ॥ ୧୬୬
ଏ ମାୟା ତୋର ଦେହୁଁ ଭ୍ରମ । ତୁ ଏକ ବିଭୁ ପରଂବ୍ରହ୍ମ ॥ ୧୬୭
ତୁ ମୋର ନାଶିଲୁ ତନୁଜ । ଯେ ତୋର ପୁତ୍ର ଦେବରାଜ ॥ ୧୬୮
ଏହାର ପୁତ୍ର ଅଛି ଏକ । ଭୋ ନାଥ ହୋଇଲା ନିରେଖ ॥ ୧୬୯
ତୋ ପାଦପଦ୍ମେ ଅଛି ଶୋଇ । ଭୁଜଯୁଗଳ ଶିରେ ଦେଇ ॥ ୧୭୦
ଏହାକୁ ରଖ ଜଗନ୍ନାଥ । ଶିରେ ନିବେଶି ପଦ୍ମହସ୍ତ ॥ ୧୭୧
;ଶୁକ ଉବାଚ
ଶୁକ କହନ୍ତି ରାଜା ଚାହିଁ । ଭୂମି-ବଚନେ ଭାବଗ୍ରାହୀ ॥ ୧୭୨
ନାରକାପୁତ୍ରକୁ ତୋଳିଲେ । ଅଭୟହସ୍ତ ଶିରେ ଦେଲେ ॥ ୧୭୩
ବାଳକ ଘେନି ବ୍ରହ୍ମରାଶି । ନାରକାପୁର ମଧ୍ୟେ ପଶି ॥ ୧୭୪
ରାଜା କରାଇ ଯଦୁନାଥ । ନାମ ତୋ ଦେଲେ ଭଗଦତ୍ତ ॥ ୧୭୫
ତକ୍ଷଣେ ଅନ୍ତଃପୁରେ ପଶି । ସେବକଜନଙ୍କୁ ଆଶ୍ୱାସି ॥ ୧୭୬
ଦେଖିଲେ ରାଜକନ୍ୟାୟୂଥ । ଷୋଳସହସ୍ର ଏକଶତ ॥ ୧୭୭
କୃଷ୍ଣଙ୍କୁ ଦେଖି ସର୍ବନାରୀ । ଏକୁ ଆରେକ ଆଗସରି ॥ ୧୭୮
ଚର୍ମଲୋଚନେ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୧୭୯
ଚଞ୍ଚଳଚିତ୍ତ କାମବାଣେ । ଚଳି ନ ପାରନ୍ତି ଚରଣେ ॥ ୧୮୦
ନିଶ୍ଚଳେ ଚାହାଁନ୍ତି ଯୁବତୀ । ଦଇବ ମିଳାଇଲା ପତି ॥ ୧୮୧
ବୋଲନ୍ତି କୃଷ୍ଣ ସ୍ୱାମୀ ହେଉ । ବିଧାତା ଏହି ବର ଦେଉ ॥ ୧୮୨
ଏମନ୍ତ କୃଷ୍ଣଭାବ ସଧେ । ବରିଲେ ହୃଦୟର ମଧ୍ୟେ ॥ ୧୮୩
ଗୋବନ୍ଦ ଜାଣି ତାଙ୍କ ମନ । ଆନନ୍ଦେ ହୋଇଲେ ପ୍ରସନ୍ନ ॥ ୧୮୪
ଷୋଳସହସ୍ର ଶତେବାଳୀ । ଲଭିଲେ ପ୍ରଭୁ ବନମାଳୀ ॥ ୧୮୫
କନ୍ୟା ସହିତେ ଭଗବାନ । ନରକୁଞ୍ଜର ଯେତେ ଧନ ॥ ୧୮୬
ଅଶ୍ୱ ଗୋଧନ ଧନରାଶି । ଦ୍ୱାରକାପୁରେ ତାହା ପେଶି ॥ ୧୮୭
ନାରକା ଅସୁରର ପୁର । ଥିଲେ ଯେ ଅନେକ କୁଞ୍ଜର ॥ ୧୮୮
ଅଇରାବତ କୁଳେ ଜାତ । ସ୍ୱଭାବେ ଚାରି ଚାରି ଦାନ୍ତ ॥ ୧୮୯
ମଦ ଗଳଇ କର୍ଣ୍ଣପାଟି । ଏମନ୍ତେ ନେଲେ ଚଉଷଠି ॥ ୧୯୦
ଗମନେ ଅତି ବଳୀୟାର । ସ୍ୱଭାବେ ଦିଶନ୍ତି ପାଣ୍ତୁର ॥ ୧୯୧
ତାହାଙ୍କୁ ଦେବକୀନନ୍ଦନ । ଚଳାଇ ଦ୍ୱାରକାଭୁବନ ॥ ୧୯୨
ଗରୁଡେ଼ ବସି ଦାମୋଦର । ତକ୍ଷଣେ ଗଲେ ସ୍ୱର୍ଗପୁରେ ॥ ୧୯୩
ଅଦିତି ହସ୍ତେ ଭାବଗ୍ରାହୀ । ରତ୍ନକୁଣ୍ତଳ ଦେଲେ ନେଇ ॥ ୧୯୪
ଦେଖି ଅଦିତି ତୋଷ ହୋଇ । କୃଷ୍ଣଙ୍କୁ ଆସନେ ବସାଇ ॥ ୧୯୫
ଶଚୀ ସହିତେ ସୁରରାୟେ । ପୂଜିଲେ ଗୋବିନ୍ଦର ପାୟେ ॥ ୧୯୬
ଗୋବିନ୍ଦ ସମୀପେ ଅଦିତି । ଅନେକ କଲା ଦିବ୍ୟସ୍ତୁତି ॥ ୧୯୭
ସନ୍ତୋଷେ ପ୍ରଭୁ ଦେବରାୟେ । ମେଲାଣି ମାଗି ମାତା ପୋଏ ॥ ୧୯୮
ସନ୍ତୋଷ କରି ଦେବବୃନ୍ଦ । ଦ୍ୱାରକା ଗମନେ ଆନନ୍ଦ ॥ ୧୯୯
ସଙ୍ଗେ ସୁନ୍ଦରୀ ସତ୍ୟବତୀ । ବୋଲନ୍ତି ଶୁଣ ଯଦୁପତି ॥ ୨୦୦
ଦେଖ ସୁନ୍ଦର ପାରିଜାତ । ଗନ୍ଧେ ଲୋଭିତ ମୋର ଚିତ୍ତ ॥ ୨୦୧
ସିନ୍ଧୁମନ୍ଥନୁଁ ଏ ପ୍ରକାଶେ । ଶୁଦ୍ଧ ସୁବର୍ଣ୍ଣ ପ୍ରାୟ ଦିଶେ ॥ ୨୦୨
ଏ ବୃକ୍ଷ ନରଲୋକେ ନାହିଁ । ମୋର ମନ୍ଦିରେ ନେବି ମୁହିଁ ॥ ୨୦୩
ଭୋ ନାଥ ଘେନ ପାରିଜାତ । ଭାମାବଚନେ ଗୋପୀନାଥ ॥ ୨୦୪
ବୃକ୍ଷ ଉପାଡ଼ି ବାମକରେ । ଥୋଇଲେ ଗରୁଡ଼ ଉପରେ ॥ ୨୦୫
ବନରକ୍ଷକ ଯେତେ ଥିଲେ । ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲେ ॥ ୨୦୬
ବାସବ ଆଦି ଦିଗପାଳ । ଆବୋରି ଆକାଶମଣ୍ତଳ ॥ ୨୦୭
କୃଷ୍ଣର ତୁଲେ କଲେ ରଣ । ଜ୍ଞାନ ବିନାଶି ଦେବଗଣ ॥ ୨୦୮
ବିଷ୍ଣୁମାୟାରେ ଭୋଳ ହୋଇ । ଅଜ୍ଞାନେ ତମଗୁଣ ବହି ॥ ୨୦୯
ଯାହାର ପଦ୍ମପାଦେ ନିତି । ମୁକୁଟଶିରେ ସେ ନମନ୍ତି ॥ ୨୧୦
ସେ ହରି ମହିମା ନ ଜାଣି । ମନୁଷ୍ୟ ପ୍ରାୟ ତାଙ୍କୁ ମଣି ॥ ୨୧୧
ଏ ଅପରାଧ ତାହାଙ୍କର । ଏବେ ହୋ ଶୁଣ ନୃପବର ॥ ୨୧୨
ଦେବଙ୍କ ଗର୍ବ ହେଳେ ନାଶି । ଦ୍ୱାରକା ବିଜେ ବ୍ରହ୍ମରାଶି ॥ ୨୧୩
ସତ୍ୟଭାମାର ପୁରେ ଆଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୨୧୪
ରୋପିଲେ ପାରିଜାତ ବନ । ଗନ୍ଧେ ମୋହିତ ସର୍ବଜନ ॥ ୨୧୫
ଯାହାର ଛାୟା ଲାଗି ଦେହେ । ବୃଦ୍ଧେ ଦିଶନ୍ତି ଯୁବାପ୍ରାୟେ ॥ ୨୧୬
କଳ୍ପବୃକ୍ଷର ଗୁଣ ଯେତେ । କହି ପାରିବି ମୁହିଁ କେତେ ॥ ୨୧୭
ଏବେ ହୋ ଶୁଣ କୁରୁବୀର । ଦ୍ୱାରକାପୁରେ ଦାମୋଦର ॥ ୨୧୮
ନାରକାପୁରୁ କନ୍ୟା ଆଣି । ଏକଇ ଲଗ୍ନେ ଚକ୍ରପାଣି ॥ ୨୧୯
ବିଭା ହୋଇଲେ ବିଧିମତେ । ଶୁଣ କହୁଛି ମୁହିଁ କେତେ ॥ ୨୨୦
ନାନା ଭୁବନେ କନ୍ୟା ଥୋଇ । ସୁଖେ ରମିଲେ ଭାବଗ୍ରାହୀ ॥ ୨୨୧
କନ୍ୟାଙ୍କ ପୁରୁ ଯଦୁବୀର । ଦଣ୍ତେ ହେଁ ନୁହନ୍ତି ବାହାର ॥ ୨୨୨
ତ୍ରିଗୁଣ ହୋଏ ଯହିଁ ଲୀନ । ନାମ ଯାହାର ନିରଞ୍ଜନ ॥ ୨୨୩
ଇତରଜନ ପ୍ରାୟ ହୋଇ । ଯୁବତୀଗଣ ମଧ୍ୟେ ରହି ॥ ୨୨୪
ରମିଲେ ବ୍ରହ୍ମାଣ୍ତଠାକୁର । ଶୁଣ ମହିମା ନାରୀଙ୍କର ॥ ୨୨୫
କିବା ସ୍ତିରୀଙ୍କ ଭାଗ୍ୟ କହି । ରମାରମଣ ସ୍ୱାମୀ ପାଇ ॥ ୨୨୬
ସଲ୍ଲଜ ହାସ କ୍ରୀଡ଼ାରଙ୍ଗେ । ନିତ୍ୟେ ରମନ୍ତି କୃଷ୍ଣସଙ୍ଗେ ॥ ୨୨୭
କୃଷ୍ଣ ଆଗମ ଦେଖି ଉଠି । କେତେ ହେଁ ଦୂରରୁ ପାଛୋଟି ॥ ୨୨୮
ଆଣନ୍ତି ହସ୍ତେ ହସ୍ତ ଦେଇ । ସୁଗନ୍ଧଜଳେ ପାଦ ଧୋଇ ॥ ୨୨୯
ବସାଇ ଉତ୍ତମ ଆସନେ । ପୂଜନ୍ତି ସ୍ୱାମୀ ସୁବିଧାନେ ॥ ୨୩୦
ଅନ୍ନଭୋଜନ ଜଳପାନେ । ଖଟନ୍ତି ତାମ୍ବୁଳ ଯୋଗାଣେ ॥ ୨୩୧
କେଶ ପ୍ରସାଧନ ରଞ୍ଜନ । ଯେ ବିଧି ସ୍ୱାମୀ ସେବାମାନ ॥ ୨୩୨
ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୨
ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୩
ହରିଙ୍କ ସଙ୍ଗେ ସେ କାମିନୀ । ରମିଲେ ନାନାଭାବ ଘେନି ॥ ୨୩୪
ରାତ୍ରଦିବସ ନ ଜାଣିଲେ । କୃଷ୍ଣଙ୍କୁ ପ୍ରେମେ ମୁଗ୍ଧ କଲେ ॥ ୨୩୫
ଦାସୀ ସହସ୍ରେ ଘେନି ସଙ୍ଗେ । ସେବନ୍ତି କୃଷ୍ଣପାଦଯୁଗେ ॥ ୨୩୬
ସେ ମାୟାଧର ପାଦଗତେ । ସୁଜନେ ଚିନ୍ତ ଅବିରତେ ॥ ୨୩୭
ଖଣ୍ତିବ ମାୟାମୋହପାଶ । କହଇ ଜଗନ୍ନାଥ ଦାସ ॥ ୨୩୮
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପାରିଜାତ ହରଣ ନରକବଧୋ ନାମ
ଚତୁଃଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ପଞ୍ଚଷଷ୍ଟିତମ ଅଧ୍ୟାୟ'''===
<poem>
ବିରାଟସୁତାସୁତ ପାଶେ । ଗୋବିନ୍ଦ ଭକତି ବିଶ୍ୱାସେ ॥ ୧
ବ୍ୟାସକୁମର ତତ୍ତ୍ୱଜ୍ଞାନୀ । କହନ୍ତି କୃଷ୍ଣଭାବ ଘେନି ॥ ୨
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥ ୩
ଦ୍ୱାରକାପୁରେ ଏକଦିନେ । ରୁକ୍ମିଣୀ ଏକାନ୍ତଭୁବନେ ॥ ୪
ଯେ ହରି ତ୍ରିଗୁଣ ଅତୀତ । ପଲ୍ୟଙ୍କ ମଧ୍ୟେ ଉପଗତ ॥ ୫
ଯେ ବିଶ୍ୱମାୟା ଲୀଳା କରି । ସର୍ଜଇ ପାଳଇ ସଂହରି ॥ ୬
ସ୍ୱଧର୍ମ ପାଳିବାର ଆଶେ । ଯାହାର ଜନ୍ମ ଯଦୁବଂଶେ ॥ ୭
ତାର ନିକଟେ ଭାବ ଘେନି । ମିଳିଲେ ଭୀଷ୍ମକ ନନ୍ଦିନୀ ॥ ୮
ଦିବ୍ୟ ଆଲଟ କରେ ଧରି । ସଙ୍ଗେ ଅଛନ୍ତି ପରିବାରୀ ॥ ୯
କୃଷ୍ଣ ଅଛନ୍ତି ଯେ ଭୁବନେ । କି ପଟାନ୍ତର ଦେବା ଅନ୍ୟେ ॥ ୧୦
ଉପରେ ଚନ୍ଦ୍ରାତପ ଟାଣି । ମୁକୁତାଦାମେ ସୁଖଞ୍ଜଣି ॥ ୧୧
ରତ୍ନପ୍ରଦୀପ ଚାରିଦିଗେ । ମଲ୍ଲିକାମାଳା ତଥି ଲାଗେ ॥ ୧୨
ମଧୁପେ ମକରନ୍ଦ ଆଶେ । ନାବେ ଉଡ଼ନ୍ତି ପୁଷ୍ପବାସେ ॥ ୧୩
ଜଳାକବାଟି ବାଟେ ଯାଇ । ଚନ୍ଦ୍ରକିରଣ ପ୍ରକାଶଇ ॥ ୧୪
ଆବୋରି ପାରିଜାତ ବନ । ସୁଗନ୍ଧ ବହଇ ପବନ ॥ ୧୫
ଅଗୁରୁ ଧୂପ ଜଳାରନ୍ଧ୍ରେ । ପ୍ରସରେ ଦଶଦିଗ ଗନ୍ଧେ ॥ ୧୬
ସୁନ୍ଦର ପାଟବସ୍ତ୍ରମାନ । ନିର୍ମଳ ଅତ୍ୟନ୍ତ ଯତନ ॥ ୧୭
ଶୁଭ୍ର ସୁଝୀନ ପାଟବସ୍ତ୍ରେ । ଶଯ୍ୟା ନିର୍ମିତ ହସ୍ତୀଦନ୍ତେ ॥ ୧୮
ପୁଷ୍ପପାଖୁଡ଼ା ସଙ୍ଗେ ମିଶି । ଗୋରସଫେନ ପ୍ରାୟ ଦିଶି ॥ ୧୯
ସଖୀର କନ୍ଧେ ହସ୍ତ ଦେଇ । ଶୁଭ୍ର ଚାମର କରେ ଲଇ ॥ ୨୦
ଯେ ହରି ଜଗତର ଗତି । ରୁକ୍ମିଣୀଦେବୀ ନିଜ ପତି ॥ ୨୧
ଚାମର ବିଞ୍ଚି କରେ ସେବା । ଯାହା ନ ପାନ୍ତି ସୁରଦେବା ॥ ୨୨
ନିର୍ମଳ ନାନା ରତ୍ନପନ୍ତି । ରୁକ୍ମିଣୀ ଅଙ୍ଗେ ଝଟକନ୍ତି ॥ ୨୩
ସଖୀର କନ୍ଧେ ବାମକର । ଦକ୍ଷିଣେ ଜାଳଇ ଚାମର ॥ ୨୪
ବତ୍ସଜଡ଼ିତ ହୃଦେ ଥାଇ । କୁଚଯୁଗଳ ବିରାଜଇ ॥ ୨୫
କୁଙ୍କୁମାଙ୍କିତ ହୃଦେ ହାର । କଟିମେଖଳା ରତ୍ନସାର ॥ ୨୬
ତୁଙ୍ଗ ନିତମ୍ବ ବେନି ଶୋହେ । ରୂପେ ଜଗତଜନ ମୋହେ ॥ ୨୭
କୃଷ୍ଣହୁଁ ନ ଜାଣଇ ଆନ । ମନ ବଚନେ ସାବଧାନ ॥ ୨୮
ଲୀଳା ମନୁଷ୍ୟ ରୂପ ଧରି । ସେ ରୂପେ ରୂପ ଅନୁସରି ॥ ୨୯
କର୍ଣ୍ଣେ କୁଣ୍ତଳ ରବି ତ୍ରାସ । ସଲ୍ଲଜ ମୁଖେ ମନ୍ଦହାସ ॥ ୩୦
କଣ୍ଠେ ଅମୂଲ୍ୟହାର ଶୋହେ । ନୀଳକୁନ୍ତଳ ମନ ମୋହେ ॥ ୩୧
ଏମନ୍ତ ଦେଖି ତା ବଦନ । ବୋଲନ୍ତି ଦେବକୀନନ୍ଦନ ॥ ୩୨
ହେ ରାଜପୁତ୍ରି ମୋ ବଚନ । ଶୁଣ ତୁ ହୋଇ ସାବଧାନ ॥ ୩୩
ଅନେକ ନୃପତିକୁମରେ । ମିଳିଲେ ତୋର ସ୍ୱୟମ୍ବରେ ॥ ୩୪
ଅଶେଷ ଗୁଣ ତାହାଙ୍କର । ସୁର ସୁନ୍ଦର ବଳୀୟାର ॥ ୩୫
ତୋର ପିଅର ଜ୍ୟେଷ୍ଠଭାଇ । ଶିଶୁପାଳକୁ ସେ ଅଣାଇ ॥ ୩୬
ତୋହର ରୂପେ ଲୋଭ ବହି । ମିଳିଲେ ରାଜପୁତ୍ରେ ଯାଇ ॥ ୩୭
ରଣେ ଦୁର୍ମଦ ମହାବୀର । ଅନେକ ବଳ ତାହାଙ୍କର ॥ ୩୮
ତାହାଙ୍କୁ ଅବଜ୍ଞା ତୁ କରି । ମୁଁ ତାଙ୍କୁ କେଉଁଗୁଣେ ସରି ॥ ୩୯
କି ଗୁଣେ ବରିଲୁ ତୁ ମୋତେ । ସନ୍ଦେଶ ଦେଇ ବିପ୍ରହସ୍ତେ ॥ ୪୦
ରାଜାଙ୍କ ଡରେ ମୁଁ ପଳାଇ । ସମୁଦ୍ର ମଧ୍ୟେ ଅଛି ରହି ॥ ୪୧
ବଳିଷ୍ଠ ରାଜକୁଳେ ବାଦ । ଆମ୍ଭେ ନ ଇଚ୍ଛୁ ପରମାଦ ॥ ୪୨
ଯଯାତି ଶାପ ପୂର୍ବେ ପାଇ । ନୃପଆସନ ମୋର ନାହିଁ ॥ ୪୩
ଅଜ୍ଞାତ ମାର୍ଗ ମୋର ପଥ । ସ୍ୱବାବେ ନାହିଁ ଲୋକମତ ॥ ୪୪
ତାହାକୁ ସ୍ୱାମୀପଣେ ବରି । ସୁଖୀ ହୋଇବ କେଉଁ ନାରୀ ॥ ୪୫
ସ୍ୱଭାବେ ଅକିଞ୍ଚନ ମୁହିଁ । ଦରିଦ୍ରପ୍ରିୟ ମୁଁ ବୋଲାଇ ॥ ୪୬
ଏଣୁ ସମ୍ପଦେ ଅନ୍ଧ ଲୋକେ । ମୋତେ ନ ଭଜନ୍ତି ବିମୁଖେ ॥ ୪୭
ଶୁଣ ସୁନ୍ଦରି ଶାସ୍ତ୍ରବାଣୀ । ବେଦଆଗମେ ପରିମାଣି ॥ ୪୮
ବରକନ୍ୟାର ବିଭାକାଳେ । ବୟ ସମ୍ପଦ କୁଳ ତୁଲେ ॥ ୪୯
ସେ ବିଭା ମିତ୍ରପଣେ ସମ । ନ କରି ଅଧମ ଉତ୍ତମ ॥ ୫୦
ତୁ ପୁଣି ଜାଣୁ ଏହା ଭଲେ । ବିଚାର କରି ବିପ୍ରତୁଲେ ॥ ୫୧
ମୋତେ ବରିଲୁ କିସ ଦେଖି । ଶୁଣ ସୁନ୍ଦରୀ ଚନ୍ଦ୍ରମୁଖି ॥ ୫୨
ଦେଖ ନିର୍ଗୁଣ ଦେହ ମୋର । ଭିକ୍ଷୁକ ଜନେ ମୋ ସୋଦର ॥ ୫୩
ନ ଜାଣି କଲୁ ଏଡେ଼ କର୍ମ । କେ ତୋତେ କଲା ମତିଭ୍ରମ ॥ ୫୪
ଏବେ ଏମନ୍ତ ତୁହି କର । ଆତ୍ମାର ଅନୁରୂପେ ବର ॥ ୫୫
ଉତ୍ତମ ରାଜପୁତ୍ର ଦେଖି । ଏ ନାରୀଜନ୍ମ କର ସୁଖୀ ॥ ୫୬
ଯେ ତୋର ଇଚ୍ଛା ଭୋଗସୁଖେ । ଲଭିବୁ ଇହପରଲୋକେ ॥ ୫୭
ତୋହର ବର ଶିଶୁପାଳ । ବେଗେ ତାହାର ପୁରେ ଚଳ ॥ ୫୮
ଶାଲ୍ୱ ମାଗଧ ବକ୍ରଦନ୍ତ । ଏ ଆଦି ଯେତେ ନୃପନାଥ ॥ ୫୯
ମୋତେ ହିଂସନ୍ତି ଗର୍ବ ବହି । ରୁକ୍ମୀ ଯେ ତୋର ଜ୍ୟେଷ୍ଠଭାଇ ॥ ୬୦
ଏ ଆଦି ବୀର ଛନ୍ତି ଯେତେ । ତାହାଙ୍କ ଗର୍ବ ଅଭିମତେ ॥ ୬୧
ତୋର ବିଚାରେ ସ୍ୱାମୀ ବର । ବୋଲନ୍ତି ପ୍ରଭୁ ଦାମୋଦର ॥ ୬୨
ଶୁଣ ସୁନ୍ଦରୀ ମନସ୍ଥିରେ । ତାହାଙ୍କ ଗର୍ବ ନାଶିବାରେ ॥ ୬୩
ବଳେ ଆଣିଲି ତୋତେ ମୁହିଁ । ଅସାଧୁ ଗର୍ବ ନ ସହଇ ॥ ୬୪
ଉଦାସୀଜନ ମୁଁ ବୋଲାଇ । ଦାରା ସମ୍ପଦେ କାର୍ଯ୍ୟ ନାହିଁ ॥ ୬୫
ଆତ୍ମଲାଭରେ ପୂର୍ଣ୍ଣ ମୁହିଁ । ଗୃହେ ପ୍ରଦୀପ ପ୍ରାୟ ଥାଇ ॥ ୬୬
ଶୁକ ବୋଲନ୍ତି ରାୟେ ଶୁଣ । ଏମନ୍ତେ ପ୍ରଭୁ ନାରାୟଣ ॥ ୬୭
ଲାଳା ମନୁଷ୍ୟ ଦେହ ଧରି । ଆତ୍ମସଦୃଶେ ପ୍ରିୟନାରୀ ॥ ୬୮
କୂଟବଚନ ମନେ ଧରି । ମଉନ ହେଲେ ଦଇତ୍ୟାରି ॥ ୬୯
ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଚକିତେ ଚାହିଁଲା ରୁକ୍ମିଣୀ ॥ ୭୦
ତ୍ରୈଲୋକ୍ୟପ୍ତି ଆତ୍ମାନାଥ । କୃଷ୍ଣର କଥା ବିପରୀତ ॥ ୭୧
ଅଶ୍ରୁତ-ଅପୂର୍ବ ବଚନ । ଶୁଣି ହାଲିଲା ଦେବୀ ଜ୍ଞାନ ॥ ୭୨
ଭୟେ କମ୍ପଇ ଥରହର । ହୃଦରେ ଚିନ୍ତା ଶୋକଭର ॥ ୭୩
ପାଦଅଙ୍ଗୁଳି ନଖପନ୍ତି । ଅରୁଣ ପ୍ରାୟ ଝଟକନ୍ତି ॥ ୭୪
ସେ ପାଦ ଅଙ୍ଗୁଳିର ଅଗ୍ରେ । ଶୋକେ ଲେଖଇ ଭୂମିଭାଗେ ॥ ୭୫
ଅଞ୍ଜନରଞ୍ଜିତ ଲୋଚନେ । ଅଶ୍ରୁ ବହଇ ଖେଦମନେ ॥ ୭୬
ହୃଦେ ପଡ଼ନ୍ତି ଅଶ୍ରୁଧାରେ । କୁଙ୍କୁମ ଚିହ୍ନ କୁଚଭାରେ ॥ ୭୭
ଅଧୋବଦନେ ଦେବୀ ରହି । କଣ୍ଠେ ବଚନ ନ ସ୍ପୁରଇ ॥ ୭୮
ସେ ଦୁଃଖ ଭୟ ଶୋକାତୁରେ । ବୁଦ୍ଧି ଭ୍ରମିଲା ଖେଦଭରେ ॥ ୭୯
ବଳୟ ବେନି ହସ୍ତେ ଥିଲେ । ଶ୍ଲଥ ହୋଇଲେ ଏକତୁଲେ ॥ ୮୦
ଚାମର ଶ୍ରୀହସ୍ତରେ ଥିଲା । ତକ୍ଷଣେ ଭୂମିରେ ପଡ଼ିଲା ॥ ୮୧
ରମ୍ଭା ଯେସନେ ଘୋରବାତେ । ଭାଜି ପଡ଼ଇ ଭୂମିଗତେ ॥ ୮୨
କେଶ ବସନ ଅସମ୍ଭାଳ । ନୟନୁ ବହେ ଅଶ୍ରୁଜଳ ॥ ୮୩
ପଡ଼ିଲା ମୃତପିଣ୍ତ ପ୍ରାୟ । ଦେଖନ୍ତି ପ୍ରଭୁ ଦେବରାୟ ॥ ୮୪
ପ୍ରିୟାର ପ୍ରେମଭାବ ଚିନ୍ତି । ଗୋବିନ୍ଦ ମନେ ବିଚାରନ୍ତି ॥ ୮୫
ହାସ୍ୟ ମୁଁ କଲି ଭାବ ବହି । ଜାଣି ନ ପାରି ଚନ୍ଦ୍ରମୁହିଁ ॥ ୮୬
ମୋ ହୁଁ ଆନ ନ ଜାଣଇ । ତେଣୁ ଏହାର ଜ୍ଞାନ ନାହିଁ ॥ ୮୭
ଏମନ୍ତ ଚିତ୍ତେ ଭାବବହି । ପ୍ରିୟା ବିଷୟେ ଭାବଗ୍ରାହୀ ॥ ୮୮
ମନେ ସୁମରି ଅନୁତାପ । ତକ୍ଷଣେ ହୋଇ ଦିବ୍ୟରୂପ ॥ ୮୯
ପଲ୍ୟଙ୍କୁ ଉଠି ଦେବରାଜ । ସୁନ୍ଦର ଶୋଭା ଚାରିଭୁଜ ॥ ୯୦
ଭୂମିରୁ ବେନିଭୁଜେ ତୋଳି । କୋଳେ ବସାଇ ବନମାଳୀ ॥ ୯୧
ବସ୍ତ୍ର ପିନ୍ଧାଇ ଦେବରାଜେ । କେଶ ବାନ୍ଧିଲେ ବେନିଭୁଜେ ॥ ୯୨
ମୁଖମାର୍ଜନ କରି ଧୀରେ । ଅଶ୍ରୁ ପୋଛିଲେ ପୀତାମ୍ବରେ ॥ ୯୩
ଶ୍ରୀଭୁଜେ କଲେ ଆଲିଙ୍ଗନ । କୃଷ୍ଣ ଜାଣନ୍ତି ତାର ମନ ॥ ୯୪
ମନ ବଚନ କର୍ମ ଲଇଁ । କୃଷ୍ଣହୁଁ ଆନ ନ ଜାଣଇ ॥ ୯୫
ପ୍ରିୟ ବଚନେ ଚକ୍ରପାଣି । ଶାନ୍ତି କରାଇ କମଳିନୀ ॥ ୯୬
ହରି ଜାଣିଲେ ତାର ମନ । ହାସ୍ୟକୁ ନୋହେ ଏ ଭାଜନ ॥ ୯୭
ସଚେତ କରି ନିଜ ନାରୀ । ହସି ବୋଲନ୍ତି ନରହରି ॥ ୯୮
ଶୁଣ ବିଦର୍ଭ ରାଜପୁତ୍ରି । ବିଭ୍ରମ କଲୁ ନିଜ ମତି ॥ ୯୯
ମୁହିଂ ଜାଣଇ ହୃଦଗତେ । ମୋ ତହୁଁ ଅନ୍ୟ ନାହିଁ ଚିତ୍ତେ ॥ ୧୦୦
ମୋ ତହୁଁ ନ ଜାଣୁ ତୁ ଆନ । ମୁହିଁ ତୋହର ନିଜ ଧନ ॥ ୧୦୧
ମନେ ନ କର ତୁମ୍ଭେ ରୋଷ । ଶୁଣ ମୁଁ କହଇ ବିଶ୍ୱାସ ॥ ୧୦୨
ହାସ୍ୟ ମୁଁ କଲି ତୋର ପାଶେ । ତୋ ଚିତ୍ତ ଜାଣିବାର ଆଶେ ॥ ୧୦୩
ତୋହର କୁପିତ ବଦନ । ଭ୍ରୁକୁଟି କୁଟିଳଲୋଚନ ॥ ୧୦୪
ଦେଖିବା ପାଇଁ କଲି ଏହା । ତୁ ପୁଣି ନ ଜାଣିଲୁ ତାହା ॥ ୧୦୫
ଯେ ପ୍ରାଣୀ ଥାଇ ଗୃହବାସେ । ପ୍ରିୟାସଂଯୋଗେ ହାସ୍ୟରସେ ॥ ୧୦୬
ଦିନ ହରଇ ପ୍ରିୟଭାବେ । ବିଷୟ ସୁଖେ ଏହା ଲଭେ ॥ ୧୦୭
ଶୁଣ ପରୀକ୍ଷ ନରପତି । ମୋହନ ବାକ୍ୟେ ତାର ମତି ॥ ୧୦୮
ଶାନ୍ତ କରାଇ ଭଗବାନ । ମୋହିଲେ ରୁକ୍ମିଣୀର ମନ ॥ ୧୦୯
ଦେଖି ରୁକ୍ମିଣୀ କୃଷ୍ଣ ଭାବ । ଛାଡ଼ିଲା ଚିନ୍ତା ପରାଭବ ॥ ୧୧୦
କୃଷ୍ଣର ପଦ୍ମମୁଖ ଚାହିଁ । କଟାକ୍ଷ ନୟନେ ଅନାଇ ॥ ୧୧୧
ପୁରୁଷୋତ୍ତମ ପାଶେ ରହି । କହେ କମଳମୁଖ ଚାହିଁ ॥ ୧୧୨
ଅମଳ-କମଳ ଲୋଚନ । ତୋହର ସତ୍ୟ ଏ ବଚନ ॥ ୧୧୩
ଅନାଦି ପ୍ରଭୁ ନିରଞ୍ଜନ । ମୁଁ ତୋରେ ନୁହଁଇ ଭାଜନ ॥ ୧୧୪
ନିଜ ମହିମା ରୂପ ବହୁ । ତ୍ରିଗୁଣ ଅତୀତ ବୋଲାଉ ॥ ୧୧୫
ଗୁଣ ପ୍ରକୃତି ବନ୍ଧେ ମୁହିଁ । ତୋର ଚରଣ ତଳେ ଥାଇ ॥ ୧୧୬
ଏତେ ଅନ୍ତର ତୋର ମୋର । ତୁ ନୋହୁ ପ୍ରକୃତି ଗୋଚର ॥ ୧୧୭
ବୋଲୁ ଯେ ରାଜଭୟେ ମୁହିଁ । ସମୁଦ୍ର ମଧ୍ୟେ ଅଛି ରହି ॥ ୧୧୮
ଏକତା ପ୍ରମାଣ ତୋହର । ଯେଣୁ ତ୍ରିଗୁଣେ ଅଗୋଚର ॥ ୧୧୯
ଗୁମ ଦୋଷକୁ ଭୟକରି । ପ୍ରଳୟେ ବ୍ରହ୍ମରୂପ ଧରି ॥ ୧୨୦
ଆତ୍ମା ସ୍ୱରୂପ ମାତ୍ର ଲକ୍ଷେ । ସମୁଦ୍ରେ ଶୋଉ ତୁ ପ୍ରତ୍ୟକ୍ଷେ ॥ ୧୨୧
ଇନ୍ଦ୍ରିୟଗଣେ ତୋର ବାଦ । ଏମନ୍ତ କହିଛନ୍ତି ବେଦ ॥ ୧୨୨
ତୋର ସେବକ ଯେତେ ପ୍ରାଣୀ । ସମ୍ପଦ ତୁଚ୍ଛପ୍ରାୟ ମଣି ॥ ୧୨୩
ତୋ ପାଦପଦ୍ମ-ମକରନ୍ଦ । ନିତ୍ୟେ ପିବନ୍ତି ମୁନିବୃନ୍ଦ ॥ ୧୨୪
ଅଭେଦ ତାହାଙ୍କର ଗତି । ନୃ-ପଶୁଗଣେ ନ ଜାଣନ୍ତି ॥ ୧୨୫
ତୋହର ମହିମା ତ୍ରୈଲୋକ୍ୟେ । ଗୋଚର କେ କରୁ ଅନେକେ ॥ ୧୨୬
ତୋର ସେବକ ଯେତେ ଜନ । ତୋ ତହୁଁ ନ ଜାଣନ୍ତି ଆନ ॥ ୧୨୭
ବୋଲୁ ଯେ ଅକିଞ୍ଚନ ମୁହିଁ । ଯହୁଂ ତୋ ତହୁଁ ଆନ ନାହିଁ ॥ ୧୨୮
ବ୍ରହ୍ମାଦି ଯେତେ ମୁନି ଛନ୍ତି । ସେ ତୋ ମହିମା ନ ଜାଣନ୍ତି ॥ ୧୨୯
ପୂଜନ୍ତି ତୋହର ଚରଣ । ତୁ ଆଦି ପରମକାରଣ ॥ ୧୩୦
ଇନ୍ଦ୍ରିୟଅର୍ଥେ ତୋଷ ଯେହୁ । ସେ ତୋତେ ପାଇବଟି କାହୁଁ ॥ ୧୩୧
ଦାରା ସମ୍ପଦେ ଅନ୍ଧ ପ୍ରାଣୀ । ସେ ତୋତେ ନିକଟେ ନ ଜାଣି ॥ ୧୩୨
ତୋର ମାୟାରେ ମର୍ତ୍ତ୍ୟଲୋକେ । ନିକଟେ ଅନ୍ତକ ନ ଦେଖେ ॥ ୧୩୩
ତେବେ ଭୁଞ୍ଜନ୍ତି ଯଜ୍ଞେବଳି । ସେ ତୋର ପାଦେ ବନମାଳୀ ॥ ୧୩୪
ପୂଜା କରନ୍ତି ବଳି ଦେଇ । ତାହାଙ୍କ ଇଷ୍ଟ ଯେଣୁ ତୁହି ॥ ୧୩୫
ପରମଆତ୍ମା ଆଦିମୂଳ । ତୁ ସର୍ବପୁରୁଷାର୍ଥ ଫଳ ॥ ୧୩୬
ଯାହା ଲଭିବା ଇଚ୍ଛା କରି । ସଂସାର ଛାଡେ଼ ବ୍ରହ୍ମଚାରୀ ॥ ୧୩୭
ତାହାଙ୍କୁ ହେଉ ତୁ ସୁଲଭ । ବ୍ରହ୍ମାଦି ଦେବଙ୍କୁ ଦୁର୍ଲଭ ॥ ୧୩୮
ସନ୍ନ୍ୟାସୀଜନଙ୍କର ହୃଦେ । ତୁ ନାଥ ବସୁ ଅପ୍ରମୋଦେ ॥ ୧୩୯
ଭାବରେ ଆତ୍ମା ରୂପେ ଥାଉ । ଭାବକୁ ଆତ୍ମାପଦ ଦେଉ ॥ ୧୪୦
ଏଣୁ ବରିଲି ତୋତେ ମୁହିଁ । ତୋ ବିନୁ ଆନ ବର ନାହିଁ ॥ ୧୪୧
ତୋର ଭ୍ରୁକୁଟିଭଙ୍ଗୀ କାଳ । ଜଗତ ମଧ୍ୟେ ମହାବଳ ॥ ୧୪୨
ସେ କାଳବଳେ ହୋଇ ଧ୍ୱସ୍ତ । ଭବ ବିରଞ୍ଚି ସୁରନାଥ ॥ ୧୪୩
ଉଡ଼ନ୍ତି ରେଣୁପ୍ରାୟ ହୋଇ । ଅନ୍ୟ କେ ଅଛି ଦେହ ବହି ॥ ୧୪୪
ସାରଙ୍ଗଧନୁର ଶବଦେ । ରାଜାଙ୍କୁ ଜିଣି ଅପ୍ରମାଦେ ॥ ୧୪୫
ହରି ଆଣିଲୁ ମୋତେ ହେଳେ । ସିଂହ ଯେସନେ ବାହୁବଳେ ॥ ୧୪୬
ପଶୁଙ୍କ ମଧ୍ୟୁ ମହାବେଗେ । ଆକର୍ଷି ଭୁଞ୍ଜଇ ସ୍ୱଭାଗେ ॥ ୧୪୭
ସେ ରାଜା ଭୟେ ନାରାୟଣ । ପଶିଲୁ ସମୁଦ୍ରେ ଶରଣ ॥ ୧୪୮
ସତ୍ୟବଚନ ଏ ତୋହର । ଯେଣୁ ବଢ଼ିଲୁ ଗୋପପୁର ॥ ୧୪୯
ବିତର୍କ କହୁ ମୋର ପାଶେ । ତୋ ପାଦ ଲଭିବାର ଆଶେ ॥ ୧୫୦
ବେଣର ପିତା ପୁଣି ପୁତ୍ର । ନାହୁଷ ଗୟ ଯେ ଜାୟନ୍ତ ॥ ୧୫୧
ଚିତ୍ତ ନିବାରି ରାଜ୍ୟସୁଖେ । ବନେ ପଶିଲେ ଘୋରଦୁଃଖେ ॥ ୧୫୨
କଠୋର ଯୋଗ କରି ସାଧ୍ୟ । ଲଭିଲେ ତୋର ପଦ୍ମପାଦ ॥ ୧୫୩
ସେ ପାଦ ସରୋଜର ଗନ୍ଧ । ପୁଣ୍ୟ ପବିତ୍ର ମକରନ୍ଦ ॥ ୧୫୪
ଆଘ୍ରାଣ ନାସାରନ୍ଧ୍ରେ କରି । କେ ନାରୀ ଆନ ବର ବରି ॥ ୧୫୫
ତୁ ନାଥ ଜଗତ ଈଶ୍ୱର । ସକଳ ଆତ୍ମା କାମପୁର ॥ ୧୫୬
ବିବାହକାଳେ ଏ ବିଚାରେ । ତୋରେ ବରିଲି ମୁହିଁ ବରେ ॥ ୧୫୭
ଭବ ବିରଞ୍ଚି ଆଦି ସଭା । ମଧ୍ୟେ ତୋ ଗୁଣ କଥା ଶୋଭା ॥ ୧୫୮
ତୋର ମହିମା ଦାମୋଦର । ନ ପଶେ କର୍ଣ୍ଣପଥେ ଯାର ॥ ୧୫୯
ସେ ନାରୀ ବରେ ଅନ୍ୟ ଲୋକେ । ଇନ୍ଦ୍ରିୟ ଅର୍ଥ ଲୋଭ ସୁଖେ ॥ ୧୬୦
ସେ ନାରୀ ବଶେ ଯେ ରହଇ । ଶ୍ୱାନ ମାର୍ଜାର ପ୍ରାୟ ହୋଇ ॥ ୧୬୧
ଗୋରୁ ଗର୍ଦ୍ଦଭ ଅଶ୍ୱରୂପେ । ନିର୍ବନ୍ଧ ଗୃହ ଅନ୍ଧକୂପେ ॥ ୧୬୨
କୁନ୍ତଳ ନଖ ଚର୍ମ ଦାଢ଼ି । ଦେହ ଉପରେ ଛନ୍ତି ବେଢ଼ି ॥ ୧୬୩
ରୁଧିର ମାଂସ ମଜ୍ଜା ଅସ୍ଥି । ଶିରା ନିର୍ବନ୍ଧ ଗୃହ ଅନ୍ଧକୂପେ ॥ ୧୬୪
ଅନ୍ତରେ ମଳ କୃମି ମୂତ୍ର । କଫ ଦୁର୍ଜୟ ବାତ ପିତ୍ତ ॥ ୧୬୫
ଏଣେ ନିର୍ମିତ ଯାର ଦେହି । ଜୀବନ୍ତେ ମୃତପିଣ୍ତ ସେହି ॥ ୧୬୬
ତାହାକୁ ସ୍ୱାମୀପଣେ ବରି । ଜୀବନ ବହେ ଦୁଷ୍ଟ ନାରୀ ॥ ୧୬୭
ତୋର ଚରଣ ମକରନ୍ଦ । ଆଘ୍ରାଣ ନ କଲା ଯେ ଗନ୍ଧ ॥ ୧୬୮
ତୋର ଚରଣ ଉପାସନ । ନିଶ୍ଚଳେ କରୁ ମୋର ମନ ॥ ୧୬୯
ସ୍ୱଭାବେ ଆତ୍ମାରତ ତୁହି । ପର ଅପର ତୋର ନାହିଁ ॥ ୧୭୦
ତୁ ଯେବେ ରଜଗୁଣ ମଧ୍ୟେ । ମୋତେ ଦେଖିବୁ ଅନୁବନ୍ଧେ ॥ ୧୭୧
ଏ ବର ମୋତ ନିତ୍ୟେ ହେଉ । ତୋ ପାଦ ସେବି ଦିନ ଯାଉ ॥ ୧୭୨
ଭୋ ନାଥ ତୋର ବାକ୍ୟ ମୁହିଁ । କପଟ ପ୍ରାୟ ନ ମଣଇ ॥ ୧୭୩
ଅମ୍ବା କନ୍ୟାର ଚିତ୍ତ ଯେହ୍ନେ । ଭୀଷ୍ମଙ୍କୁ ନ ବରିଲା ମନେ ॥ ୧୭୪
ଦୁଷ୍ଟଯୁବତୀଙ୍କର ମନ । ଭଜଇ ଅଭିନବ ଜନ ॥ ୧୭୫
ଅସତୀବାଦ ତାଙ୍କ ତହିଁ । ପଣ୍ତିତେ ନ କରିବେ ତ୍ରାହି ॥ ୧୭୬
ଯେ ନର ତାହାଙ୍କୁ ବିଶ୍ୱାସ । ଉଭୟ ଲୋକ କରେ ନାଶ ॥ ୧୭୭
ଏମନ୍ତ ପତ୍ନୀ ବାକ୍ୟ ଶୁଣି । ହସି ବୋଲନ୍ତି ପଦ୍ମପାଣି ॥ ୧୭୮
ତୁ ସ୍ୱାଧୀପଣେ ଅନୁପମ । ମୋହର ଆତ୍ମା ଅଭିରାମ ॥ ୧୭୯
ଶୁଣିବା ପାଇଁ ତୋ ବଚନ । ମୁଁ ତୋର ମନ କଲି ଛନ୍ନ ॥ ୧୮୦
ମୋର ଉଦ୍ଦେଶ୍ୟେ ତୋର ବାଣୀ । ଏ ଶୁଦ୍ଧ ସତ୍ୟ ପରିମାଣ ॥ ୧୮୧
ଏବେ ମୁଁ ହୋଇଲି ପ୍ରସନ୍ନ । ବର ତୁ ମାଗ ତୋଷମନ ॥ ୧୮୨
ଯେ ତୋର ଇଚ୍ଛା ମାଗ ବର । ହସି ବୋଲନ୍ତି ଦାମୋଦର ॥ ୧୮୩
ଏକାନ୍ତ ପ୍ରିୟା ରି ମୋହର । ସକଳ ସମ୍ପଦ ତୋହର ॥ ୧୮୪
ତୋହର ଇଷ୍ଟ ପତିବ୍ରତ । ମୁହିଁ ଜାଣିଲି ଆଜ ସତ୍ୟ ॥ ୧୮୫
ଅନେକ କଲି ଉପାଲମ୍ଭ । ତୋହର ଚିତ୍ତ ବଡ଼ ଦମ୍ଭ ॥ ୧୮୬
ଭ୍ରଷ୍ଟ ନୋହିଲା ମୋର ପାଦୁଁ । ତରିବୁ ସକଳ ପ୍ରମାଦୁଁ ॥ ୧୮୭
ଯେ ପ୍ରାଣୀ ବ୍ରହ୍ମଚାରୀ ମତେ । ତପ ସାଧନ୍ତି ଶୁଦ୍ଧଚିତ୍ତେ ॥ ୧୮୮
ତପର କାମ୍ୟ ଫଳଆଶ । ବର ମାଗନ୍ତି ଗୃହବାସ ॥ ୧୮୯
ସେ ତୋତେ ପାଇବେଟି କାହିଁ । ଅଭୟ-ବରଦାତା ମୁହିଁ ॥ ୧୯୦
ମୋହର ମାୟାବଳ ଏହି । ହସି ବୋଲନ୍ତି ଭାବଗ୍ରାହୀ ॥ ୧୯୧
ମୋକ୍ଷଭଣ୍ତାର ମୋତେ ପାଇ । ଯେ ପ୍ରାଣୀ ସମ୍ପଦ ଇଚ୍ଛଇ ॥ ୧୯୨
ସେ ମନ୍ଦଭାଗୀ ଦୁଃଖୀ ହୋଇ । ନରକେ ପଡ଼ିଛନ୍ତି ଯାଇ ॥ ୧୯୩
ତୁ ମୋର ଗୃହ-ଠାକୁରାଣୀ । ମୋର ମହିମା ପରିମାଣି ॥ ୧୯୪
ଭବମୋଚନ ବୃତ୍ତୋ ମୋର । ଖଳ ସମୂହେ ଆଗୋଚର ॥ ୧୯୫
ସେ ଭାବ କଲୁ ମୋର ତହିଁ । ସ୍ୱଭାବେ ସ୍ତିରୀଜନ୍ମ ହୋଇ ॥ ୧୯୬
ତୋହାର ପ୍ରାୟ ଗୃହେଶ୍ୱରୀ । ନାହିଁ ନୋହିବ ପୁରନାରୀ ॥ ୧୯୭
ତୋର ବିବାହକାଳେ ଆସି । ଲକ୍ଷେ ନୃପତି ଥିଲେ ବସି ॥ ୧୯୮
ତାହାଙ୍କୁ ତୁଚ୍ଛ ଭାବ ବହି । ବିପ୍ର ପେଷିଲୁ ମୋର ତହିଁ ॥ ୧୯୯
ମୁଁ ତୋତେ ହରିଆଣୁ ପଥେ । ତୋହର ଭାଇ ଏକାରଥେ ॥ ୨୦୦
ଘୋର ସମର ମୋରେ କଲା । ଦଇବେ ବନ୍ଧନେ ପଡ଼ିଲା ॥ ୨୦୧
ରୂପ ବିରୂପ ତାର କଲି । ଶସ୍ତ୍ରରେ ଚୂଳ ତା କାଟିଲି ॥ ୨୦୨
ବିଭା-ମଙ୍ଗଳ ପର୍ବକାଳେ । ବନ୍ଧୁବାନ୍ଧବ-ଗୋଷ୍ଠୀମେଳେ ॥ ୨୦୩
ଅକ୍ଷକ୍ରୀଡ଼ାର କାଳେ ବଳେ । ଦୁଷ୍ଟରାଜନ ସଙ୍ଗମେଳେ ॥ ୨୦୪
ବଳଦେବଙ୍କୁ ଦ୍ରୋହ କଲା । ସେକାଳେ ଭ୍ରାତ ତୋର ମଲା ॥ ୨୦୫
ଏ ବେନି ଗୁର ଅପରାଧ । ଉଭୟ-ସଂକଟ ପ୍ରମାଦ ॥ ୨୦୬
ଦୁଃସହ-ତାପ ଦୁଃଖ ଏହି । କାହାର ସାଧ୍ୟ ଏହା ସହି ॥ ୨୦୭
କିଛି ନ ବୋଲି ମୁଖଗତେ । ନିଶ୍ଚେ ଜିଣିଲୁ ଏବେ ମୋତେ ॥ ୨୦୮
ବିପ୍ରକୁ ମୋର ତହିଁ ପେଶି । ଯୁଗ ମଣିଲୁ ଏକ ନିଶି ॥ ୨୦୯
ଜଗତ ଦେଖି ଶୂନ୍ୟମୟେ । ଅନଳ ଦେଇ ନିଜ ଦେହେ ॥ ୨୧୦
ମରିବା ପ୍ରାୟ କଲୁ ଯୋଗ । ଏ ଦେହ ଆନେ କାହିଁ ଭୋଗ ॥ ୨୧୧
ସେ ଭାବ ଘେନି ହୃଦଗତେ । ବଳେ ଆଣିଲି ଯାଇ ତୋତେ ॥ ୨୧୨
ଶୁକ କହନ୍ତି ରାୟ ଶୁଣ । ଏମନ୍ତ କହି ନାରାୟଣ ॥ ୨୧୩
ନିଜ ମହିମା ଆତ୍ମାରତି । ରୁକ୍ମିଣୀ ଲଭିଲେ ଶ୍ରୀପତି ॥ ୨୧୪
ଏକାନ୍ତ ଲକ୍ଷ୍ମୀନାରାୟଣ । ଏ ନରଲୋକେ ବିଡ଼ମ୍ବନ ॥ ୨୧୫
ଅଷ୍ଟ ଅଧିକ ଏକଶତେ । ଷୋଳସହସ୍ର ପତ୍ନୀ ଯେତେ ॥ ୨୧୬
ତାହାଙ୍କ ପୁରେ ନରହରି । ମାୟାରେ ତୁଲ୍ୟ ରୂପ ଧରି ॥ ୨୧୭
ଗୃହସ୍ଥ ଧର୍ମେ ଭୋଗକରି । ନିର୍ଗୁଣ ଆତ୍ମା ନରହରି ॥ ୨୧୮
ସେ ଲକ୍ଷ୍ମୀ ନାରାୟଣ ପାଦେ । ସୁଜନେ ଚିନ୍ତ ଅପ୍ରମାଦେ ॥ ୨୧୯
ଏକାନ୍ତ ଲକ୍ଷ୍ମୀ ନାରାୟଣ । ଶୁଣନ୍ତେ ଦୁଃଖ ନିବାରଣ ॥ ୨୨୦
ଚିତ୍ତେ ନିରୋପି ଭାଗବନ । କହଇ ବିପ୍ର ଜଗନ୍ନାଥ ॥ ୨୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣରୁକ୍ମିଣୀସମ୍ବାଦେ ନାମ
ପଞ୍ଚଷଷ୍ଟିତମ ଅଧ୍ୟୟଃ ॥
</poem>
==='''ଷଷ୍ଠଷଷ୍ଟିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧
କୃଷ୍ଣ ବରିଲେ ଯେତେ ନାରୀ । ରୁକ୍ମିଣୀଦେବୀ ଆଦି କରି ॥ ୨
ତାହାଙ୍କ ଗର୍ଭେ ଯେତେ ଜାତ । ହୋଇଲେ ଗୋବିନ୍ଦର ସୁତ ॥ ୩
ହରିର ବଂଶ ସଂଖ୍ୟା କରି । କେ କହୁ ନରଦେହ ଧରି ॥ ୪
ପ୍ରଦ୍ୟୁମ୍ନ ଆଦି ପୁତ୍ର ଯେତେ । ପ୍ରଧାନେ କହିବଇଁ କେତେ ॥ ୫
କନ୍ୟା କେ ଦଶ ଦଶ ସୁତ । ଅପରେ ଏକଇ ଦୁହିତ ॥ ୬
କୃଷ୍ଣର ପ୍ରାୟ ରୂପଗୁଣ । ଏବେ ହୋ ସାବଧାନେ ଶୁଣ ॥ ୭
କନ୍ୟାଏ କୃଷ୍ଣ ପାଦଗତେ । ସେବା କରନ୍ତି ଅନୁବ୍ରତେ ॥ ୮
ତାହାଙ୍କ ପୁରୁ ଦାମୋଦର । ଦଣ୍ତେ ହେଁ ନୁହନ୍ତି ଅନ୍ତର ॥ ୯
ଦେଖି ଗୋବିନ୍ଦ ସ୍ନେହଭାବ । ଆତ୍ମାକୁ ମଣିଲେ ଦୁର୍ଲ୍ଲଭ ॥ ୧୦
କୃଷ୍ଣ ମହିମା ନ ଜାଣନ୍ତି । ସ୍ୱାମୀର ପ୍ରାୟ ସେ ମଣନ୍ତି ॥ ୧୧
କାହୁଁ ଜାଣିବେ କୃଷ୍ଣଭାବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ ॥ ୧୨
ଶୋଭାରେ ଜଗତମୋହିନୀ । ବିଶେଷେ କୃଷ୍ଣର କାମିନୀ ॥ ୧୩
କୃଷ୍ଣର ମାୟାର ବେଭାରେ । ଭ୍ରମନ୍ତି ବ୍ରହ୍ମା-ଶିବ-ସୁରେ ॥ ୧୪
ଚାରୁକମଳ-କୋଷବର୍ଣ୍ଣ । ନିର୍ମଳ ମୋହ୍ନ ବଦନ ॥ ୧୫
ବିସ୍ତାର ଭୁଜନେତ୍ର ବେନି । ପ୍ରେମହସିତ ରସ ଘେନି ॥ ୧୬
ସପ୍ରେମ ଦୃଷ୍ଟି ମର୍ମବାଣୀ । ଏ ଭାବେ ମୋହିତ ତରୁଣୀ ॥ ୧୭
ଯୁବତୀଗଣେ କୃଷ୍ଣମନ । ମୋହନେ ନୋହିଲେ ଭାଜନ ॥ ୧୮
ଯେ ହରି ସର୍ବ ପରିପୂର୍ଣ୍ଣ । ରୂପ ଅରୂପ ନିରଞ୍ଜନ ॥ ୧୯
ଯୁବତୀମାନେ ଅନୁଦିନ । ସକାମେ ସସ୍ମିତ ବଦନ ॥ ୨୦
କଟାକ୍ଷ ଦୃଷ୍ଟି ପ୍ରେମଭାବ । ଆତ୍ମାକୁ ମଣିଲେ ଦୁର୍ଲ୍ଲଭ ॥ ୨୧
ଅନଙ୍ଗବାଣ ଆଣ୍ଟେ ଟାଣି । ବିନ୍ଧନ୍ତି କୃଷ୍ଣର ତରୁଣୀ ॥ ୨୨
ସ୍ୱଭାବେ ହରିର ଭାବିନୀ । ଶୁଦ୍ଧ ସୁରତ ଭାବ ଘେନି ॥ ୨୩
ଷୋଳସହସ୍ର ପରିହାସେ । କୃଷ୍ଣର ଚିତ୍ତ ପ୍ରେମପାଶେ ॥ ୨୪
ବନ୍ଧନେ ନୋହିଲେ ଭାଜନ । ତେଣୁ ନ ଘଟେ ଅନୁମାନ ॥ ୨୫
ରମାରମଣ ଜଗନ୍ନାଥ । ତାହାଙ୍କୁ ପାଇ ନିଜ କାନ୍ତ ॥ ୨୬
ବ୍ରହ୍ମାଦି ଦେବମୁନି ଯତି । ଯାର ମାୟାରେ ମୋହ ଯାନ୍ତି ॥ ୨୭
ସେ ହରି ସଙ୍ଗତେ ଯୁବତୀ । ଆନନ୍ଦେ ନିରତେ ରମନ୍ତି ॥ ୨୮
ନବ-ସଂଗମେ ପ୍ରିୟଭାବ । ନିତ୍ୟେ ବର୍ଦ୍ଧିତ ଅନୁରାଗ ॥ ୨୯
ସେବନ୍ତି କୃଷ୍ଣର ଚରଣେ । ଯୁବତୀ ଭାବ ଆଚରଣେ ॥ ୩୦
କୃଷ୍ଣର ଆଗମନ ଦେଖି । ଉଠନ୍ତି ଆସନ ଉପେକ୍ଷି ॥ ୩୧
କେତେହେଁ ଦୂର ବେଗେ ଯାଇ । କୃଷ୍ଣର ହସ୍ତେ ହସ୍ତ ଦେଇ ॥ ୩୨
ସକାମ ଲାଳସେ ତରୁଣୀ । କୃଷ୍ଣଙ୍କୁ ନିଜ ଗୃହେ ଆଣି ॥ ୩୩
ସୁବର୍ଣ୍ଣ ଆସନେ ବସାଇ । ବେନି ଚରଣ ହସ୍ତେ ଧୋଇ ॥ ୩୪
ସୁଗନ୍ଧ ଲେପି କୃଷ୍ଣ ଅଙ୍ଗେ । ଚାମର ପକାନ୍ତି ସୁରଙ୍ଗେ ॥ ୩୫
ବିଶ୍ରାନ୍ତ କରି ନିଜ ପତି । ସୁଗନ୍ଧେ କୁସୁମେ ପୂଜନ୍ତି ॥ ୩୬
କେଶ ପ୍ରସାଧନ ରଞ୍ଜନେ । ସେବନ୍ତି ସ୍ନାହାନ ଭୋଜନେ ॥ ୩୭
ଏମନ୍ତେ କୃଷ୍ଣର ଚରଣେ । ସେବନ୍ତି ସେବକୀ ପ୍ରମାଣେ ॥ ୩୮
କନ୍ୟାକେ ଶତ ଶତ ନାରୀ । ପାଶେ ଖଟନ୍ତି ତାହାଙ୍କରି ॥ ୩୯
ତଥାପି ସ୍ୱାମୀର ଚରଣେ । ସେବନ୍ତି ସେବକୀ ପ୍ରମାଣେ ॥ ୪୦
ଏବେ ହୋ ଶୁଣ ନରପତି । କୃଷ୍ଣର ଯେତେକ ଯୁବତୀ ॥ ୪୧
ତହିଁରେ ଶ୍ରେଷ୍ଠ ଅଷ୍ଟନାରୀ । ରୁକ୍ମିଣୀଦେବୀ ଆଦିକରି ॥ ୪୨
ଏକ କନ୍ୟାକେ ଦଶସୁତ । ତାହାଙ୍କ ଉଦରୁ ସମ୍ଭୂତ ॥ ୪୩
ଷୋଳସହସ୍ର ଏକଶତେ । ପୂର୍ବେ ମୁଁ କହିଅଛି ତୋତେ ॥ ୪୪
ତାହାଙ୍କ ଗର୍ଭୁ ସେହିମତ । ଏକ ଦୁହିତା ଦଶପୁତ୍ର ॥ ୪୫
ଜନ୍ମ ହୋଇଲେ କୃଷ୍ଣବୀର୍ଯ୍ୟେ । କି ପଟାନ୍ତର ଦେବା ତେଜେ ॥ ୪୬
ସୁର-ସୁନ୍ଦର ସର୍ବଗୁଣେ । ସୃଷ୍ଟିର ଦୁଷ୍ଟ ସଂହାରଣେ ॥ ୪୭
ସର୍ବେ ଦିଶନ୍ତି କୃଷ୍ଣତେଜ । ଏବେ ହୋ ଶୁଣ ମହାରାଜ ॥ ୪୮
ହରିର ବଂଶ ସଂଖ୍ୟା କରି । କେ କହିପାରେ ଦେହ ଧରି ॥ ୪୯
ଅଷ୍ଟକନ୍ୟାଙ୍କ ପୁତ୍ର ଯେତେ । ପ୍ରମାଣି କହିବି ମୁଁ ତୋତେ ॥ ୫୦
ସେ କଥା ଶୁଣ ନରନାଥ । ରୁକ୍ମିଣୀ ଗର୍ଭୁ ଯେତେ ପୁତ୍ର ॥ ୫୧
ପ୍ରଦ୍ୟୁମ୍ନ ଚାରୁଦେଷ୍ଣ ଆଦି । ସୁଦେଷ୍ଣ ତୃତୀୟ ପ୍ରସିଦ୍ଧି ॥ ୫୨
ଚତୁର୍ଥ ପୁତ୍ର ଚାରୁଦେହ । ଏହାଙ୍କ ବଳ ଅପ୍ରମେୟ ॥ ୫୩
ସୁଚାରୁ ଚାରୁଗୁପ୍ତ ବେନି । ସପ୍ତମେ ଭଦ୍ରଚାରୁ ଘେନି ॥ ୫୪
ଚାରୁଚନ୍ଦ୍ର ବିଚାରୁ ନାମ । ଚାରୁ ସହିତେ ଏ ଦଶମ ॥ ୫୫
ରୁକ୍ମିଣୀ ଗର୍ଭୁ ଏ ସମ୍ଭୂତ । କୃଷ୍ଣର ପ୍ରାୟ ନେତ୍ର ଗାତ୍ର ॥ ୫୬
ସତ୍ୟଭାମାର ଯେତେ ସୁତ । ଏବେ ହୋ ଶୁଣ ନରନାଥ ॥ ୫୭
ପ୍ରଥମେ ଭାନୁ ଯେ ସୁଭାନୁ । ତୃତୀୟ ସ୍ୱର୍ଭାନୁ ପ୍ରଭାନୁ ॥ ୫୮
ଭାନୁମାନ ଯେ ଚନ୍ଦ୍ରଭାନୁ । ବୃହଦ୍ଭାନୁ ଯେ ଅତିଭାନୁ ॥ ୫୯
ଶ୍ରୀଭାନୁ ପ୍ରତିଭାନୁ ଶେଷ । ଏ ସତ୍ୟଭାମା ପୁତ୍ର ଦଶ ॥ ୬୦
ରକ୍ଷ ନନ୍ଦିନୀ ଜାମ୍ବବତୀ । ଶୁଣ ତୁ ତାହାର ସନ୍ତତି ॥ ୬୧
ଶାମ୍ବ ସୁମିତ୍ର ପୁରୁଜିତ । ସହସ୍ରଜିତ ଶତଜିତ ॥ ୬୨
ବିଜୟ ପୁଣି ଚିତ୍ରକେତୁ । ଦ୍ରବିଡ଼ ବସୁମାନ କ୍ରତୁ ॥ ୬୩
ସତ୍ୟାର ପୁତ୍ର ଶୁଣ ଏବେ । ତୋତେ କହିବି ପ୍ରିୟଭାବେ ॥ ୬୪
ବୀର ଚନ୍ଦ୍ର ଯେ ଅଶ୍ୱସେନ । ଚିତ୍ରଗୁବୃକ୍ଷ ବେଗବାନ ॥ ୬୫
ଶ୍ରୀମାନ-ଶଙ୍କୁ ବସୁ ଆମ । କୁନ୍ତି ସହିତେ ଏ ଦଶମ ॥ ୬୬
ସାଧୁ-ସୁନ୍ଦର-ଶ୍ରୁତ କବି । ତୃତୀୟେ ବୃଷ ଅନୁଭବି ॥ ୬୭
ବୀର ସୁବାହୁ ଭଦ୍ର-ଏକ । ଶାନ୍ତି ଅଷ୍ଟମ ଯେ ସୋମକ ॥ ୬୮
ଦରଶ ପୂର୍ଣ୍ଣମାସ ଶେଷ । କାଳିନ୍ଦୀପୁତ୍ର ଏ ଯେ ଦଶ ॥ ୬୯
ପ୍ରଘୋଷ ଗାତ୍ରବାନ ବଳ । ସିଂହ ଉର୍ଦ୍ଧ୍ୱଗ ଯେ ପ୍ରବଳ ॥ ୭୦
ମହାଶକ୍ତି ଯେ ସହ ଓଜ । ଅପରାଜିତ ଯେ ଆତ୍ମଜ ॥ ୭୧
ଲକ୍ଷ୍ମଣା ଦଶପୁତ୍ର ଏହି । ଶୁଣ ରାଜନ ମନଦେଇ ॥ ୭୨
ଏହାଙ୍କ ମହିମା ଏମନ୍ତ । ଶୁଣ ତୁ ମିତ୍ରବିନ୍ଦା ସୁତ ॥ ୭୩
ବୃକ ହର୍ଷ ଅନିଳ ଗୃଧ୍ର । ବର୍ଦ୍ଧନ ଆବର ଅନ୍ନାଦ ॥ ୭୪
ମହାଶ ପାବନ ଯେ ବହ୍ନି । କ୍ଷୁଧି ସହିତେ ଦଶ ଘେନି ॥ ୭୫
ଏ ସର୍ବେ ମିତ୍ରବିନ୍ଦାସୁତ । ଏବେ ହୋ ଶୁଣ ଭଦ୍ରା ସୁତ ॥ ୭୬
ସଂଗ୍ରାମଜିତ ବୃହତ୍ସେନ । ଶୁଭ ସତ୍ୟକ ପ୍ରହରଣ ॥ ୭୭
ଜୟ ସୁଭଦ୍ର ଅରିଜିତ । ବାମ ଆୟୁ ଏ ଦଶସୁତ ॥ ୭୮
ଏମନ୍ତେ ଅଷ୍ଟପାଟରାଣୀ । ଷୋଳସହସ୍ର ମଧ୍ୟେ ଗଣି ॥ ୭୯
ଦୀପ୍ତିମାନ ଯେ ତାମ୍ରତପ୍ତ । ରୋହିଣୀ ଗର୍ଭେ କୃଷ୍ଣସୁତ ॥ ୮୦
ଏମନ୍ତେ କୃଷ୍ଣପତ୍ନୀ ଯେତେ । ପୁତ୍ର ପୁତ୍ରୀ ଯେ ଅପ୍ରମିତେ ॥ ୮୧
ଅନଙ୍ଗ ଅନୁରୂପେ ଜାତ । ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ॥ ୮୨
ରୁକ୍ମୀ କୁମାରୀ ରୁକ୍ମବତୀ । ସାଧ୍ୱୀ ଲକ୍ଷଣା ଶୁଦ୍ଧମତି ॥ ୮୩
ତାହାକୁ ସ୍ୱୟମ୍ବର ମଧ୍ୟେ । ପ୍ରଦ୍ୟୁମ୍ନ ହରିଲା ବିବାଦେ ॥ ୮୪
ରାଜାଙ୍କ ବଳ ଦର୍ପ ହରି । କନ୍ୟା ପ୍ରଦ୍ୟୁମ୍ନେ ବିଭା କରି ॥ ୮୫
ସେ କନ୍ୟା ଗର୍ଭେ ପୁତ୍ର ଜାତ । ଯା ନାମ ଅନିରୁଦ୍ଧ ଖ୍ୟାତ ॥ ୮୬
ଏମନ୍ତ ପରୀକ୍ଷତ ଶୁଣି । ଆନନ୍ଦ ମନେ ପରିମାଣି ॥ ୮୭
ବୋଲଇ ମଧୁର ବଚନ । ଶୁଣ ହେ ବ୍ୟାସଙ୍କ ନନ୍ଦନ ॥ ୮୮
ଏ ବଡ଼ କଉତୁକ ବାଣୀ । ସନ୍ଦେହ ଲାଗିଲା ତ ଶୁଣି ॥ ୮୯
ରୁକ୍ମୀ ଯେ କୃଷ୍ଣର ବଇରୀ । ସଂଗ୍ରାମ କାଳେ ଅଛି ହାରି ॥ ୯୦
କେମନ୍ତେ ରିପୁସୁତେ ବରି । ବିବାହ ଦେଲା ତା କୁମାରୀ ॥ ୯୧
ଯେ ନିତ୍ୟେ ମୋହ ବୁଦ୍ଧି ଗାଢେ଼ । କୃଷ୍ଣ ମରଣ ଛିଦ୍ର ଲୋଡେ଼ ॥ ୯୨
ମାରିବା ପାଇଁ କରେ ଆଶ । ସେ କାହିଁ ବିବାହେ ବିଶ୍ୱାସ ॥ ୯୩
ଉଭୟେ ବଇରୀ ବିରୋଧ । କେମନ୍ତେ ବିବାହ ସମ୍ବନ୍ଧ ॥ ୯୪
ଭୂତ ଭବିଷ୍ୟ ବର୍ତ୍ତମାନେ । ଏକଥା ନ ଘଟଇ ମନେ ॥ ୯୫
ବଇରୀ ଭାବେ ବନ୍ଧୁ କାହିଁ । ଉତ୍ତମ ଲୋକେ ଛନ୍ତି କହି ॥ ୯୬
କହନ୍ତି ଶୁକ ମୁନିବର । ଶୁଣ ହୋ ରୁକ୍ମୀର ବେଭାର ॥ ୯୭
କୃଷ୍ଣର ତହିଁ ଅପମାନେ । ବଇରୀ ଭାବ ଅଛି ମନେ ॥ ୯୮
ତଥାପି ଭଗିନୀର ସୁତ । ଭଣଜା ପଣେ ବରପାତ୍ର ॥ ୯୯
କୁଳ ବେଭାର ଏହିମତେ । ଦେଲା ଭଗିନୀ ପ୍ରିୟଅର୍ଥେ ॥ ୧୦୦
ରୁକ୍ମିଣୀ ସୁତା ଅନୁପମ । ଯାହାର ଚାରୁମତୀ ନାମ ॥ ୧୦୧
ବଳୀ ଯେ କୃତବର୍ମା ସୁତ । ତାରେ ବରିଲେ ଯଦୁନାଥ ॥ ୧୦୨
ରୁକ୍ମୀପୁତ୍ରର କନ୍ୟା ଥିଲା । ଅନିରୁଦ୍ଧକୁ ବିଭା ଦେଲା ॥ ୧୦୩
କୃଷ୍ଣର ବଇରୀ ଯୁକତେ । ଦେଲା ରୁକ୍ମିଣୀ ପ୍ରିୟଅର୍ଥେ ॥ ୧୦୪
ଅଧର୍ମ ଶାସ୍ତ୍ର ଏ ବିଚାରି । ତଥାପି ଦେଲା ସ୍ନେହଭରି ॥ ୧୦୫
ତାର ବିବାହକାଳେ ହରି । ରାମ ରୁକ୍ମିଣୀ ଆଦି କରି ॥ ୧୦୬
ଶାମ୍ବ ପ୍ରଦ୍ୟୁମ୍ନ ଆଦି ସୁତେ । ଯାଦବ ସଇନ୍ୟ ସହିତେ ॥ ୧୦୭
ବିବାହ ସାରି ତାର ପୁରେ । ଯେମନ୍ତେ କୁଟୁମ୍ବ ବେଭାରେ ॥ ୧୦୮
ବିବାହର ସାରି ତାର ପୁରେ । ଯେମନ୍ତ କୁଟୁମ୍ବ ବେଭାରେ ॥ ୧୦୯
ତାର ବିବାହେ ବିପରୀତ । ଶୁଣ ରାଜନ ପରୀକ୍ଷିତ ॥ ୧୧୦
ଉତ୍ସବ ଅନ୍ତେ ଏକଦିନେ । ବିବାହେ ଥିଲେ ଯେ ରାଜନେ ॥ ୧୧୧
କଳିଙ୍ଗରାଜ ଆଦି ଯେତେ । ବିଚାର କରନ୍ତେ ଏକାନ୍ତେ ॥ ୧୧୨
ଆଜ ସଭାର ମଧ୍ୟେ ବସି । ରୋହିଣୀନନ୍ଦନେ ବିଶ୍ୱାସି ॥ ୧୧୩
ଆନନ୍ଦେ ପଶାଖେଳ କରି । ଛଳେ ଜିଣିବା ହଳଧାରୀ ॥ ୧୧୪
ଖେଳ ନ ଜାଣେ ବଳରାମ । ଜିଣିବା ଗଜ ଧନ ଗ୍ରାମ ॥ ୧୧୫
ରୁକ୍ମିର ସଙ୍ଗେ ଖେଳାଇବା । ଆମ୍ଭେ ନିକଟେ ବସିଥିବା ॥ ୧୧୬
ଏତେ ବିଚାରି ଖେଳ କଲେ । କପଟେ ରାମଙ୍କୁ ଆଣିଲେ ॥ ୧୧୭
ସଭାର ମଧ୍ୟେ ଖେଳ କରି । ସୁଖେ ଖେଳନ୍ତି ହଳଧାରୀ ॥ ୧୧୮
ପ୍ରଥମେ ଲକ୍ଷ ଲକ୍ଷ ପଣ । ଯେମନ୍ତେ ଖେଳର ଭିଆଣ ॥ ୧୧୯
ରାମ ପାତିଲେ ପଶାଦାନ । ଜିଣିଲା ଭୀଷ୍ମକନନ୍ଦନ ॥ ୧୨୦
ପାଶେ ଯେ ଥିଲା ଦନ୍ତବକ୍ର । ସ୍ୱଭାବେ କରିଅଛି ଚକ୍ର ॥ ୧୨୧
ହସିଲା ରାମମୁଖ ଚାହିଁ । ବିକଟ-ଦର୍ଶନ ଦେଖାଇ ॥ ୧୨୨
ଖେଳର ସ୍ୱଭାବ ଏମନ୍ତ । କୋପ ନ କଲେ ହଳହସ୍ତ ॥ ୧୨୩
ଲକ୍ଷକୁ ଦଶଗୁଣ କରି । ହୁଡ଼ ଧରିଲେ ହଳଧାରୀ ॥ ୧୨୪
ସେବେଳେ ହଳଧର ଜିଣି । ରୁକ୍ମୀ ବୋଇଲା ଏହୁ ବାଣୀ ॥ ୧୨୫
ମୁହିଁ ଜିଣିଲି ଏତେ ଧନ । ଭୋ ରାମ ପୁଚ୍ଛ ସଭାଜନ ॥ ୧୨୬
ସେଠାରେ ଯେତେ ରାଜା ଥିଲେ । ରୁକ୍ମୀ ଯେ ଜିଣିଲା ବୋଇଲେ ॥ ୧୨୭
ଏମନ୍ତେ କଇତବ କଲା । ରାମର କୋପ ଉପୁଜିଲା ॥ ୧୨୮
ଜଳଧି ଯେହ୍ନେ ପର୍ବକାଳେ । ଉଛୁଳେ ବହୁତ କଲ୍ଲୋଳେ ॥ ୧୨୯
ସ୍ୱଭାବେ ଅରୁଣ ଲୋଚନ । କୋପେ ବୋଲନ୍ତି ବଳରାମ ॥ ୧୩୦
ଏବେ ମୋହର ପଣ ଶୁଣ । ହୁଡ଼ିଲି ଦଶକୋଟି ଧନ ॥ ୧୩୧
ଏତେକ ସୁବର୍ଣ୍ଣ ମୋହର । କୋପେ ବୋଲନ୍ତି ହଳଧର ॥ ୧୩୨
ଏମନ୍ତେ ଖେଳପୀଢ଼ କରି । ଦାନ ପାତିଲେ ହଳଧାରୀ ॥ ୧୩୩
ଧର୍ମେ ଜିଣିଲେ ବଳରାମ । କପଟେ ବୋଇଲା ରୁକ୍ମଣ ॥ ୧୩୪
ଏ ବେଳେ ଜିଣିଲିଟି ମୁହିଁ । ପଚାର ସଭାମଧ୍ୟେ ତୁହି ॥ ୧୩୫
ସେକଥା ଦନ୍ତବକ୍ର ଶୁଣି । ବୋଇଲା ମୁହିଁ ଅଛି ଜାଣି ॥ ୧୩୬
ଏବେଳେ ଜିଣିଲା ରୁକ୍ମଣ । ସୁବର୍ଣ୍ଣ ଯେତେ ପୀଢ଼ ପୁଣ ॥ ୧୩୭
ରୋହିଣୀସୁତ ତାହା ଶୁଣି । କପାଳକଣ୍ଟି ହେଲେ ତୁନି ॥ ୧୩୮
ସେକାଳେ ଅନ୍ତରୀକ୍ଷ ବାଣୀ । ଶୁଭିଲା ରାମ ଏହା ଜିଣି ॥ ୧୩୯
କପଟ କରଇ ରୁକ୍ମଣ । ଏମନ୍ତ ଆକାଶ ବଚନ ॥ ୧୪୦
ଧର୍ମବଚନ ନିନ୍ଦା କରି । ରୁକ୍ମୀ ବୋଲଇ କୋପଭରି ॥ ୧୪୧
ଏମନ୍ତ ଶୁଣିଲାତ ନାହିଁ । ଜିଣିଲି ସଭାମଧ୍ୟେ ମୁହିଁ ॥ ୧୪୨
ଦୁଷ୍ଟ ରାଜନେ ତାହା ଶୁଣି । ବୋଲନ୍ତି ଏହୁ ଅଛି ଜିଣି ॥ ୧୪୩
ଶୁଣି ରୁକ୍ମଣ କଲା ହାସ । ଯେଣୁ ଆବୃତ୍ତ କାଳପାଶ ॥ ୧୪୪
ବୋଲଇ ପରୁଷ ବଚନ । ତୁମ୍ଭେ ଯେ ଅଟ ଜାତିହୀନ ॥ ୧୪୫
ତୁମ୍ଭେ ଜାଣିବ ଖେଳ କାହିଁ । ବନେ ଗୋପାଳମେଳେ ଥାଇ ॥ ୧୪୬
ସ୍ୱଭାବେ ତୁମ୍ଭେ ବନ୍ୟଲୋକ । ନ ଜାଣ ପଶା-କଉତୁକ ॥ ୧୪୭
ଗୋରୁ ଚରାଇ ଗଲା ଦିନ । ତୁମ୍ଭର ଏଣେ କାହିଁ ଜ୍ଞାନ ॥ ୧୪୮
ଖେଳ ଜଣନ୍ତି ରାଜସୁତେ । ସଂଗ୍ରାମେ ଜୟ ଏହୁ ମତେ ॥ ୧୪୯
ପଶା ଦେଖିଲା ତୁମ୍ଭ ନାହିଁ । ରୁକ୍ମୀ ବୋଇଲା ରାମେ ଚାହିଁ ॥ ୧୫୦
ଏମନ୍ତେ ରୁକ୍ମୀର ବଚନ । ଶୁଣି ହସିଲେ ସଭାଜନ ॥ ୧୫୧
ରାମ କୋପିଲେ ତାହା ଶୁଣି । ପରିଘ ଶସ୍ତ୍ର କରେ ଘେନି ॥ ୧୫୨
ରୁକ୍ମୀର ମୁଣ୍ତେ ଘୋରନାଦେ । ପ୍ରହାର କଲେ ସଭାମଧ୍ୟେ ॥ ୧୫୩
ତଳେ ଯେ ଥିଲା ପଶାକାଠି । ରାମ ଘେନିଲେ କୋପଦୃଷ୍ଟି ॥ ୧୫୪
ସଭାର ଅପମାନ ଦୁଃଖେ । ପିଟିଲେ ଦନ୍ତବକ୍ର ମୁଖେ ॥ ୧୫୫
ବଜ୍ରସମାନ ପଶାକାଠି । ବାଜି ଝଡ଼ିଲା ଦନ୍ତପାଟି ॥ ୧୫୬
ଯେ ଦନ୍ତେ ରାମଙ୍କୁ ହସିଲା । ସେ ଭାଜି ଭୂମିରେ ପଡ଼ିଲା ॥ ୧୫୭
ରୁଧିର ଗଳେ ତାର ତୁଣ୍ତେ । ଗୋଳ ଶୁଭିଲା ରାଜଦାଣ୍ତେ ॥ ୧୫୮
ରାମର ଅକ୍ଷକ୍ରୀଡ଼ା କାଳେ । ଦୁଷ୍ଟେ ଯେ ଥିଲେ ସଭାମେଳେ ॥ ୧୫୯
ରାମର ଶସ୍ତ୍ରେ ଖଣ୍ତ ଖଣ୍ତ । ଛିଡ଼ିଲା ଭୁଜ ଊରୁ ମୁଣ୍ତ ॥ ୧୬୦
ଅଙ୍ଗ ରୁଧିର ରଙ୍ଗବେଶେ । ପଳାଇଗଲେ ନିଜ ଦେଶେ ॥ ୧୬୧
ରୁକ୍ମୀର ହତ କୃଷ୍ଣ ଦେଖି । ଭାଳି ବୁଜିଲେ ବେନି ଆଖି ॥ ୧୬୨
ରାମ ରୁକ୍ମିଣୀ ସ୍ନେହଭଙ୍ଗ । ଭୟେ ମଉନ ଶିରୀରଙ୍ଗ ॥ ୧୬୩
ତକ୍ଷଣେ ପ୍ରଭୁ ଭଗବାନ । ଆରୋହୀ ନନ୍ଦୀଘୋଷ ଯାନ ॥ ୧୬୪
ବରକନ୍ୟାଙ୍କୁ ଘେନି ସଙ୍ଗେ । ଦ୍ୱାରକା ବିଜେକଲେ ରଙ୍ଗେ ॥ ୧୬୫
ରାମ ଯାଦବ ଆଦି ଯେତେ । ଗମିଲେ କୃଷ୍ଣ ଅନୁପଥେ ॥ ୧୬୬
ସେ ରାମକୃଷ୍ଣ ପାଦଗତ । ନମଇ ଦାସ ଜଗନ୍ନାଥ ॥ ୧୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅନିରୁଦ୍ଧ ବିବାହେ ରୁକ୍ମୀବଧୋ ନାମ
ଷଟ୍ଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ସପ୍ତଷଷ୍ଟିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧର । ଶୋଣିତପୁରେ ମହାବୀର ॥ ୧
ଦନୁଜବଳୀର କୁମର । ନାମ ତାହାର ବାଣାସୁର ॥ ୨
ଶତେ କୁମର ମଧ୍ୟେ ଶ୍ରେଷ୍ଠ । ତାମସ ଭାବେ ମହାଦୁଷ୍ଟ ॥ ୩
ତପେ ସେ ଈଶ୍ୱରଙ୍କୁ ଧ୍ୟାୟି । ବରେ ସହସ୍ରଭୁଜ ପାଇ ॥ ୪
ସେହୁ ସହସ୍ରଭୁଜ ବଳେ । ଯୁଦ୍ଧେ ଭ୍ରମିଲା ମହୀତଳେ ॥ ୫
ଦେଖି ତାହାର ଭୁଜ ତେଜ । ଯୁଦ୍ଧେ ହାରିଲେ ସର୍ବରାଜ ॥ ୬
ଯୁଦ୍ଧ ନ ପାଇ ମନସ୍ତାପେ । ମିଳିଲା ଈଶ୍ୱର ସମୀପେ ॥ ୭
ମର୍ଦ୍ଦଳ ପଞ୍ଚଶତ କନ୍ଧେ । ଦିବ୍ୟତାଣ୍ତବ ଅନୁବନ୍ଧେ ॥ ୮
ତୋଷିଲା ଭବାନୀଶଙ୍କର । ପ୍ରସନ୍ନ ହୋଇ ଶୂଳଧର ॥ ୯
ବୋଇଲେ ବର ମାଗ ତୁହି । ତୋତେ ପ୍ରସନ୍ନ ହେଲି ମୁହିଁ ॥ ୧୦
ସେ ବୋଲେ ହୁଅ ମୋର ଦ୍ୱାରୀ । ହେଉ ବୋଇଲେ ଶୂଳଧାରୀ ॥ ୧୧
ଦିନେ ସମ୍ଭ୍ରମେ ମହାବୀର । ରତ୍ନମୁକୁଟ ଅଛି ଶିର ॥ ୧୨
ସେ ଶିରେ ହରପାଦେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୧୩
ନମଇଁ ତୁମ୍ଭର ଚରଣ । ଅନିଦା ପରମକାରଣ ॥ ୧୪
ତୁ ନାଥ ସର୍ବଲୋକଗୁରୁ । ଭକତଜନେ ଦୟା କରୁ ॥ ୧୫
ଅପୂର୍ଣ୍ଣକାମ ଯେତେ ଜନ । ତମ୍ଭେ ତାହାଙ୍କ କଳ୍ପଦ୍ରୁମ ॥ ୧୬
ସର୍ବସମ୍ପଦ ପାର ଦେଇ । ଭକତ ଯେମନ୍ତ ଲୋଡ଼ଇ ॥ ୧୭
ସହସ୍ରେ ଦେଲୁ ମୋତେ କର । କେବଳ ଭାର ଏ ମୋହର ॥ ୧୮
କି ପ୍ରୟୋଜନ ଭୁଜ ବହି । ସଂଗ୍ରାମେ ସୁଖ ମୋର ନାହିଁ ॥ ୧୯
ସମର ଆଶେ ତିନିଲୋକେ । ତୁଲେ ଖୋଜିଲି ଏକେ ଏକେ ॥ ୨୦
ମୋ ଆଗେ ନ ମିଳିଲେ କେହି । ତୁ ମାତ୍ର ଅଛୁ ଶେଷ ହୋଇ ॥ ୨୧
ଏ ମୋର ଭୁଜକଣ୍ତୁ ବଳେ । ଭ୍ରମିଲି ଅବନୀମଣ୍ତଳେ ॥ ୨୨
ଅଇରାବତ ଆଦିନାଗେ । ଯେ ଛନ୍ତି ଅଷ୍ଟଦିଗଭାଗେ ॥ ୨୩
ତାହାଙ୍କ ତୁଲେ ମୁଁ ଆନନ୍ଦେ । ସମର କରିବାର ସଧେ ॥ ୨୪
ପର୍ବତେ ପିଟିଲି ମୁଁ କର । ତକ୍ଷଣେ ଗିରି ହେଲା ଚୂର ॥ ୨୫
ଦେଖି ମୋହର ଭୁଜତେଜ । ଭୟେ ଭାଜିଲେ ସୁରରାଜ ॥ ୨୬
ଏମନ୍ତ ଶୁଣି ତା ବଚନ । କୋପନୟନେ ତ୍ରିଲୋଚନ ॥ ୨୭
ବୋଇଲେ ଶୁଣ ବାଣାସୁର । ରଥେ ଯେ ଧ୍ୱଜ ଅଛି ତୋର ॥ ୨୮
ସେ ଧ୍ୱଜ ରଥୁଁ ଯେତେବେଳେ । ଛିଡି ପଡ଼ିବ ମହୀତଳେ ॥ ୨୯
ଏ ଭୁଜ ଗର୍ବ ନାଶିବାରେ । ରିପୁ ମିଳିବ ତୋ ନଗରେ ॥ ୩୦
ସେ ବେଳେ ତାର ତୁଲେ ରଣ । କରିବୁ ଶୁଣ ମୂଢ଼ ବାଣ ॥ ୩୧
ଏମନ୍ତ ହରବାକ୍ୟ ଶୁଣି । ଆନନ୍ଦମନେ ବୀରମଣି ॥ ୩୨
ନିତ୍ୟେ ଚିନ୍ତଇ ହରକଥା । କେମନ୍ତେ ଯିବ ଭୁଜବ୍ୟଥା ॥ ୩୩
ଚିନ୍ତଇ ନିଜ ବୀର୍ଯ୍ୟ ନାଶ । କୁମତିକୁଳ କାଳପାଶ ॥ ୩୪
ଶୁଣ ରାଜନ ଚିତ୍ରକଥା । ଊଷା ନାମରେ ତା ଦୁହିତା ॥ ୩୫
ଅତି ସୁନ୍ଦର ରୂପରାଶି । କି ଅବା କହିବା ପ୍ରଶଂସି ॥ ୩୬
ତାହାର କନ୍ୟାକାଳ ଜାଣି । ନିରୋଧେ କଲା ଦୈତମଣି ॥ ୩୭
ଅତି ଦୁର୍ଗମପୁର କରି । ନିରୋଧେ ଜଗାଇ ପାହାରୀ ॥ ୩୮
ଦେବମାନବେ ଅଗୋଚର । ଏମନ୍ତ କରି କନ୍ୟାପୁର ॥ ୩୯
ଉତ୍ତମକୁଳେ ବର ବରି । ବିବାହ ଦେବଇଁ କୁମାରୀ ॥ ୪୦
ଏମନ୍ତେ ରଖି ଯତ୍ନକରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୪୧
ସେ କନ୍ୟା ସେ ପୁରରେ ଥାଇ । ହରପାର୍ବତୀ ଆରାଧଇ ॥ ୪୨
ଅନେକମତେ କଲା ସେବା । ପ୍ରସନ୍ନ ହେଲେ ଶିବଶିବା ॥ ୪୩
ତପେ ଆରାଧି ଶାକମ୍ବରୀ । ବରପାଇଲା ଉଷାନାରୀ ॥ ୪୪
ଦେବୀ ବୋଇଲେ ମାଗ ବର । ଉଷା ଯୋଡ଼ିଲା ବେନିକର ॥ ୪୫
ଭୋ ଦେବି ହେଲୁ ଯେ ପ୍ରସନ୍ନ । ଜାଣୁ ତ ସ୍ତିରୀଙ୍କର ମନ ॥ ୪୬
ଯୁବାଅବସ୍ଥା ହେଲା ମୋର । ମନେ ପାଇଲି ଚିନ୍ତା ଘୋର ॥ ୪୭
କରିବାରୁ ମୁଁ ଆରାଧନ । ମୋତେ ହୋଇଲୁ ପରସନ୍ନ ॥ ୪୮
ମୋର ସମାନେ ବର ଦେବ । ସଂସାରେ କଥା ରହିଥିବ ॥ ୪୯
ଉଷାବଚନେ ମହାମାୟୀ । ବୋଲନ୍ତି ହରଷିତ ହୋଇ ॥ ୫୦
ସ୍ୱପନେ ଯାହା ସଙ୍ଗେ ତୁହି । ରାତ୍ରେ ରମିବୁ ତୋଷ ହୋଇ ॥ ୫୧
ସେ ତୋର ହେବ ପ୍ରାଣନାଥ । ଆମ୍ଭେ କହିଲୁ ତୋତେ ସତ୍ୟ ॥ ୫୨
କହି ସେ ହେଲେ ଅନ୍ତର୍ଦ୍ଧାନ । ହରଷ ହେଲା ଉଷା ମନ ॥ ୫୩
ସେ କନ୍ୟା ରାତ୍ରେ ନିଦ୍ରାକାଳେ । ସ୍ୱପ୍ନେ ରମିଲା କାନ୍ତକୋଳେ ॥ ୫୪
ପ୍ରଦ୍ୟୁମ୍ନସୁତ ସଙ୍ଗେ ରମି । ପ୍ରଳାପେ କଲା ଶୋକଧ୍ୱନି ॥ ୫୫
ହେ କାନ୍ତ କାହିଁ ଗଲ ଛାଡ଼ି । ଶୋକସାଗରେ ମୋତେ ଏଡ଼ି ॥ ୫୬
ନ ଦେଖି ଛାଡ଼ିବି ଜୀବନ । ଦେଖାଅ ସୁନ୍ଦରବଦନ ॥ ୫୭
ଏମନ୍ତ ନିଦ୍ରାଭୋଳ-ବାଣୀ । ଉଠିଲେ ସଖୀଜନେ ଶୁଣି ॥ ୫୮
ସଚେତ କରିଣ ବହନ । ବସାଇ କହନ୍ତି ବଚନ ॥ ୫୯
ବାଣାସୁରର ମନ୍ତ୍ରୀବର । କୁମ୍ଭାଣ୍ତ ବୋଲି ନାମ ତାର ॥ ୬୦
ତାର କୁମାରୀ ଚିତ୍ରଲେଖା । କନ୍ୟାର ତୁଲେ ଥିଲା ଏକା ॥ ୬୧
ଅନ୍ତରେ ଅଛନ୍ତି କାମିନୀ । ସେ ବୋଲେ କନ୍ୟା କୋଳେ ଘେନି ॥ ୬୨
ଶୁଣ ସୁନ୍ଦରି ମୋର ବାଣୀ । ତୋର ପିଅର ନୃପବର ॥ ୬୩
ବିଭା ନ ଦେଲା ତୋତେ ବରେ । ଥୋଇଲା ବନ୍ଦୀପ୍ରାୟ ଘରେ ॥ ୬୪
ତୋହର କାନ୍ତସଙ୍ଗ ନାହିଁ । ପ୍ରଳାପ କଲୁ କାହିଁପାଇ ॥ ୬୫
ଏ ତ ନୁହଁଇ ଭଲ ଚିହ୍ନ । ଶୁଣିବେ ଦ୍ୱାରପାଳଗଣ ॥ ୬୬
କହିବେ ତୋର ପିତା ଆଗେ । କଷ୍ଟ ହୋଇବ ମୋର ଭାଗେ ॥ ୬୭
ତାର ବଚନ କର୍ଣ୍ଣେ ଶୁଣି । ଉଷା ଭାଷଇ ମଞ୍ଜୁବାଣୀ ॥ ୬୮
ସ୍ୱପନେ ଦେଖିଲି ପୁରୁଷ । ଅତିସୁନ୍ଦର ତାର ବେଶ ॥ ୬୯
ଶ୍ୟାମଳ କମଳଲୋଚନ । ସୁନ୍ଦର ଶଶାଙ୍କ-ବଦନ ॥ ୭୦
ପୀତବସନ ପରିଧାନ । ଯୁବତୀଜନଙ୍କୁ ମଦନ ॥ ୭୧
ନିବିଡେ଼ ଦେଇ ଆଲିଙ୍ଗନ । ସେ ମୋର ଚୁମ୍ବିଲା ବଦନ ॥ ୭୨
ଶୋକସାଗରେ ମୋତେ ଥୋଇ । ତକ୍ଷଣେ ଗଲା ସେ ପଳାଇ ॥ ୭୩
ମୁଁ ତାର ନ ଦେଖି ବଦନ । ନିଶ୍ଚୟେ ଛାଡ଼ିବି ଜୀବନ ॥ ୭୪
ଏମନ୍ତ କନ୍ୟାବୋଲ ଶୁଣି । ସେ ଚିତ୍ରଲେଖା ମନେ ଗୁଣି ॥ ୭୫
ହରଷେ ଧରି କନ୍ୟା କର । ବୋଇଲା ଚିତ୍ତ ସ୍ଥିର କର ॥ ୭୬
ମୋହର ସିଦ୍ଧବିଦ୍ୟା ଅଛି । ପ୍ରତ୍ୟକ୍ଷେ ଦେଖ କମଳାକ୍ଷି ॥ ୭୭
ଲେଖି ଆଣିବି ତିନିପୁର । ପୁରୁଷ ଯେତେକ ସୁନ୍ଦର ॥ ୭୮
ଚିତ୍ରେ ଦେଖିଣ ସର୍ବଜନ । ତୋହର କାନ୍ତ ଭଲେ ଚିହ୍ନ ॥ ୭୯
ତାହାକୁ ଦେବି ତୋତେ ଆଣି । ଶୋକ ନକର ସୁଲକ୍ଷଣି ॥ ୮୦
ଏମନ୍ତ କହି ଚନ୍ଦ୍ରମୁଖୀ । ଚିତ୍ରେ ତ୍ରିଲୋକଜନ ଲେଖି ॥ ୮୧
ଦେବ ଗନ୍ଧର୍ବ ସିଦ୍ଧଗଣ । ଗୁହ୍ୟକ କିନ୍ନର ଚାରଣ ॥ ୮୨
ଅସୁର ବିଦ୍ୟାଧର ଯକ୍ଷ । ଦାନବ ମାନବ ପ୍ରତ୍ୟକ୍ଷ ॥ ୮୩
ମନୁଷ୍ୟ ମଧ୍ୟେ ବୃଷ୍ଣିବଂଶେ । ଦେବେ ଉପୁଜିଛନ୍ତି ଅଂଶେ ॥ ୮୪
ବସୁଦେବଙ୍କୁ ପଟେ ଲେଖି । ଦେଖ ଗୋ ବୋଲେ ଚନ୍ଦ୍ରମୁଖୀ ॥ ୮୫
ପୁଣି ଲେଖିଲା କୃଷ୍ଣରାମ । ରୂପ ଯାହାଙ୍କ ଅନୁପମ ॥ ୮୬
ପ୍ରଦ୍ୟୁମ୍ନ କୃଷ୍ଣପାଶେ ଲେଖି । ତା ଦେଖି ଉଷା ଅଧୋମୁଖୀ ॥ ୮୭
ପ୍ରଦ୍ୟୁମ୍ନପୁତ୍ର ଅନିରୁଦ୍ଧ । ଲେଖନ୍ତେ ଉଷା କଲା ସଧ ॥ ୮୮
ସକାମ ଦୃଷ୍ଟିରେ ସେ ଦେଖି । ଲାଜେ ହୋଇଲା ଅଧୋମୁଖୀ ॥ ୮୯
ବୋଲଇ ଚିତ୍ରଲେଖା ଚାହିଁ । ଭୋ ସଖି ସେ ପୁରୁଷ ଏହି ॥ ୯୦
ଆନନ୍ଦେ ହରଷ ବଦନ । ସଖୀ ଜାଣିଲା ତାର ମନ ॥ ୯୧
ତାର ଲୀଳାରେ ସୁଖ ପାଇ । ବିଳାପ କରୁ ଛନ୍ନ ହୋଇ ॥ ୯୨
ଚିତ୍ରଲେଖାର କଥା ଶୁଣି । ପାଦେ ପଡ଼ିଲା ଉଷା ପୁଣି ॥ ୯୩
ଭୋ ସଖି ଶୁଣ ଚିତ୍ରଲେଖା । ତାହାକୁ ଆଣି ମୋତେ ଦେଖା ॥ ୯୪
ନୋହିଲେ ଛାଡ଼ିବିଟି ପ୍ରାଣ । ତୋ କଷ୍ଟ ହେବ ଅକାରଣ ॥ ୯୫
ଉଷାର ଦେଖିଣ ବିକଳ । ବୋଲଇ କିଛି ହିଁ ନ ଭାଳ ॥ ୯୬
ମହାହରଷେ ବଞ୍ଚ ଆଜ । ଆଣି ମୁଁ ଦେବି ବୀରରାଜ ॥ ୯୭
ସିଦ୍ଧଯୋଗିନୀ ଯୋଗବଳେ । ଗମିଲା ଗଗନମଣ୍ତଳେ ॥ ୯୮
ଏମନ୍ତେ ପ୍ରକାଶିଲା ନିଶି । ବେଗେ ଦ୍ୱାରକାପୁରେ ପଶି ॥ ୯୯
ଅନିରୁଦ୍ଧର ନିଦ୍ରାକାଳେ । ହରିଲା ଯୋଗମାୟା ବଳେ ॥ ୧୦୦
ଶଯ୍ୟା ସହିତେ ଶୂନ୍ୟପଥେ । ଘେନିଣ ଚଳିଲା ତୁରିତେ ॥ ୧୦୧
ଗଗନମାର୍ଗେ ଅତି ଖରେ । ପ୍ରବେଶି ଶୋଣିତନଗରେ ॥ ୧୦୨
ଉଷା ଶୟନେ ଦରଶନ । କରାଇ ତୋଷ କଲା ମନ ॥ ୧୦୩
ଉଷା ପୂଜିଲା ବୀରପାଦ । ଛାଡ଼ିଲା ମନର ବିଷାଦ ॥ ୧୦୪
ସୁନ୍ଦରବର ଦେଖି ହସି । ରମିଲା ହୃଦୟ ବିଶ୍ୱାସି ॥ ୧୦୫
ଏକାନ୍ତପୁର ମଧ୍ୟେ ଥାଇ । ଯହିଁ ପୁରୁଷ ଦୃଷ୍ଟି ନାହିଁ ॥ ୧୦୬
ପୁଷ୍ପ ଚନ୍ଦନ ଧୂପ ଦୀପ । ଆସନ ଭୋଜନ ସମୀପ ॥ ୧୦୭
ଏକବସନ ବେନିଦେହେ । ସେବା ସୁବାକ୍ୟେ ମନ ମୋହେ ॥ ୧୦୮
ପୂଜିତ କୃଷ୍ଣସୁତ ବଳା । ରତିପଣ୍ତିତ କାମକଳା ॥ ୧୦୯
ଗୁପତେ କନ୍ୟାପୁରେ ଥାଇ । ଅଧିକ ସ୍ନେହଭାବ କହି ॥ ୧୧୦
ରାତ୍ର-ଦିବାସ ନ ଜାଣିଲା । ଏମନ୍ତେ କେତେଦିନ ଗଲା ॥ ୧୧୧
ଉଷାର ପ୍ରିୟପ୍ରେମ ଲୋଭେ । ଯନ୍ତ୍ରିତ ଇନ୍ଦ୍ରିୟ ସ୍ୱଭାବେ ॥ ୧୧୨
କୁମର ପ୍ରେମପ୍ରିୟ ଭରେ । ରହିଲା ବୀର ଅନ୍ତଃପୁରେ ॥ ୧୧୩
ଏମନ୍ତେ ଶୁଣ ମହୀପତି । କନ୍ୟାର ଦେଖି ହୃଷ୍ଟମତି ॥ ୧୧୪
ଯଦୁକୁମର ସଙ୍ଗେ ରମି । ଚିହ୍ନ ଦିଶଇ ରତିଶ୍ରମୀ ॥ ୧୧୫
କନ୍ୟା-ଦୂଷଣ ଚିହ୍ନମାନ । ଦେଖି ଡରିଲେ ଦ୍ୱାରୀଗଣ ॥ ୧୧୬
ତକ୍ଷଣେ ନୃପନାଥ ଆଗେ । କହିଲେ କରଯୋଡ଼ି ବେଗେ ॥ ୧୧୭
ଶୁଣ ରାଜନ ଚୂଡ଼ାମଣି । ଦେଖିଲୁ ତୋହର ଦୁଲଣୀ ॥ ୧୧୮
କୁଳଦୂଷଣ କନ୍ୟାଗୁଣ । ରାଜନ ସାବଧାନେ ଶୁଣ ॥ ୧୧୯
କନ୍ୟାର ଦ୍ୱାରେ ଆମ୍ଭେ ଥାଇ । ଦଣ୍ତେ ହେଁ ଅବକାଶ ନାହିଁ ॥ ୧୨୦
ଶଶୀ-ତପନ ଶୂନ୍ୟେ ଯାନ୍ତି । କନ୍ୟାର ରୂପ ନ ଦେଖନ୍ତି ॥ ୧୨୧
ପୁରୁଷ ଦୃଷ୍ଟି ଯହିଁ ନାହିଁ । ତପନତେଜ ନ ଲାଗଇ ॥ ୧୨୨
ପରେ ଦୂଷିତା କନ୍ୟା ଦେଖି । ଅଇଲୁ ଭୁବନ ଉପେକ୍ଷି ॥ ୧୨୩
ଯେ ତୋର ଇଚ୍ଛା ଏବେ କର । ଏଥକୁ ସାକ୍ଷୀ ଦିବାକାର ॥ ୧୨୪
ଆମ୍ଭେ ଜାଣିବୁ ଅବା କାହିଁ । କହିଲୁ ଆମ୍ଭ ଦୋଷ ନାହିଁ ॥ ୧୨୫
ଶୁଣି ଚକିତ ନୃପବର । କାତରେ କମ୍ପଇ ଶରୀର ॥ ୧୨୬
ପୁଣି ନ ଚଳଇ ଚରଣ । ଦୁଃସହ ଦୁହିତାକଷଣ ॥ ୧୨୭
ବାଣ-କୋଦଣ୍ତ ଧରି କରେ । ବେଗେ ମିଳିଲା କନ୍ୟାପୁରେ ॥ ୧୨୮
ଦେଖିଲା ମଦନତନୁଜ । ଆଜାନୁଲମ୍ବେ ବେନିଭୁଜ ॥ ୧୨୯
ପୀତବସନ ହୃଦେ ହାର । ଅଶେଷ ଭୁବନ ସୁନ୍ଦର ॥ ୧୩୦
ଶ୍ୟାମସୁନ୍ଦର ପଦ୍ମନେତ୍ର । ଅଳକା-କପୋଳ ବିଚିତ୍ର ॥ ୧୩୧
କର୍ଣ୍ଣେ କୁଣ୍ତଳ ବେନି ଶୋହେ । ସୁନ୍ଦରରୂପ ଜନ ମୋହେ ॥ ୧୩୨
ଅଧରେ ଶୋହେ ମନ୍ଦହାସ । ସୁଚିତ୍ତେ ବସି କନ୍ୟା ପାଶ ॥ ୧୩୩
ଅକ୍ଷ ଖେଳଇ ପ୍ରିୟା ସଙ୍ଗେ । କୁଚକୁଙ୍କୁମ ସର୍ବଅଙ୍ଗେ ॥ ୧୩୪
ମଲ୍ଲିକା ପୁଷ୍ପମାଳ ହୃଦେ । ଆନ୍ଦୋଳେ ବେନିଭୁଜ ମଧ୍ୟେ ॥ ୧୩୫
ଏମନ୍ତେ କନ୍ୟାର ସମୀପେ । ଦେଖି ଦାନବ ମହାକୋପେ ॥ ୧୩୬
ଚକିତେ ଚଉଦିଗ ଚାହିଁ । କମ୍ପେ କୋଦଣ୍ତ ଗୁଣ ଦେଇ ॥ ୧୩୭
ଅନେକ ବୀର ତାର ସଙ୍ଗେ । ଦ୍ୱାର ରୁନ୍ଧିଲେ ଚାରିଦିଗେ ॥ ୧୩୮
ଦେଖି ତାହାର ସୈନ୍ୟବଳ । ସମ୍ଭ୍ରମେ ପ୍ରଦ୍ୟୁମ୍ନ ଦୁଲାଳ ॥ ୧୩୯
କରେ ପରିଘ ଶସ୍ତ୍ର ଧରି । ଉଠିଲା ଘୋରନାଦ କରି ॥ ୧୪୦
କନ୍ୟାର ଆଗେ ହୋଇ ଉଭା । କୃତାନ୍ତ ପ୍ରାୟ ଦିଶେ ଶୋଭା ॥ ୧୪୧
ଧରିବା ଆଶେ ଚଉଦିଗେ । ବୀରେ ଯେ ଥିଲେ ଦ୍ୱାରଲାଗେ ॥ ୧୪୨
ପରିଘ ପ୍ରହାରେ ବିନାଶି । ସିଂହ ଯେସନେ ପଶୁଗ୍ରାସି ॥ ୧୪୩
ପରିଘଘାତେ ବଜ୍ର ପ୍ରାୟେ । ଜୀବନ ନଶିଲେ ଥୋକାଏ ॥ ୧୪୪
କାହାର ଭୁଜ ଉର ଛିଡ଼ି । ପଳାଇଗଲେ ରଣ ଛାଡ଼ି ॥ ୧୪୫
ଦେଖିଣ ଅନିରୁଦ୍ଧ ରଣ । ଭାଜିଲେ ଅସୁର ସଇନ୍ୟ ॥ ୧୪୬
ବାଣା ଯୁଝଇ ଅତି ରୋଷେ । ବାଣେ ତାହାର ବାଣ ନାଶେ ॥ ୧୪୭
ଶସ୍ତ୍ରରେ ନ ପାରିଲା ଜିଣି । ମନେ ବିଚାରେ ନୃପମଣି ॥ ୧୪୮
ଦେଖିଣ ଅନିରୁଦ୍ଧ ଗତି । ନାଗପାଶରେ ମହାରଥୀ ॥ ୧୪୯
ବଳିନନ୍ଦନ ବେଗେ ବାନ୍ଧେ । ବନ୍ଧନ ଦେଖି ଉଷା କାନ୍ଦେ ॥ ୧୫୦
ଦେଖଇ ବିପ୍ର ଜଗନ୍ନାଥ । ନାଗବନ୍ଧନେ କାମସୁତ ॥ ୧୫୧
ସୁଜନେ ସାବଧାନେ ଶୁଣ । କୃଷ୍ଣ ନାଶିବେ ଏ କଷଣ ॥ ୧୫୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅନିରୁଦ୍ଧେ ବନ୍ଧୋ ନାମ ସପ୍ତଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ଅଷ୍ଟଷଷ୍ଟିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ଭାଗବତ । ଦ୍ୱାରକାପୁରେ କାମସୁତ ॥ ୧
ନ ଦେଖି ଅତି ଶୋକଭରେ । ଲୋଡ଼ନ୍ତି ଗ୍ରାମ ବନଘୋରେ ॥ ୨
ନ ଦେଖି ହୋଇଲେ ନିରାଶ । ଏମନ୍ତେ ଗଲା ଚାରିମାସ ॥ ୩
ବହ୍ମାନନ୍ଦନ ଏକଦିନେ । ମିଳିଲେ ଦ୍ୱାରକାଭୁବନେ ॥ ୪
ରାମଗୋବିନ୍ଦ ପାଶେ ବସି । ମୁନି କହନ୍ତି ମନ୍ଦେ ବସି ॥ ୫
ଶୁଣ ଗୋବିନ୍ଦ ହଳଧର । ତୁମ୍ଭର ପୁତ୍ରର କୁମର ॥ ୬
ଶୋଣିତପୁରେ କନ୍ୟାଛଳେ । ବନ୍ଧନ ନିଜ କର୍ମଫଳେ ॥ ୭
ବଳୀର ପୁତ୍ର ବାଣାସୁର । ଦୁର୍ଜୟ ଦୁଷ୍ଟ ଦୁରାଚାର ॥ ୮
ତାର ସହସ୍ରଭୁଜ ବହି । ତା ସମ ରଣେ ବୀର ନାହିଁ ॥ ୯
ଈଶ୍ୱରବରେ ଭୁଜ ବହି । ତା ସମ ରଣେ ବୀର ନାହିଁ ॥ ୧୦
ଦେଖି ଡରନ୍ତି ସର୍ବଜନେ । ଅଜେୟ ଏ ତିନିଭୁବନେ ॥ ୧୧
ଏମନ୍ତ କହି କୃଷ୍ଣଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ॥ ୧୨
କୃଷ୍ଣ ଆଦେଶେ ଉଗ୍ରସେନ । ସାଜିଲେ ଯଦୁ ଭୋଜ ସୈନ୍ୟ ॥ ୧୩
ପ୍ରଦ୍ୟୁମ୍ନ ଯୁଯୁଧାନ ଗଦ । ଶାମ୍ବ ସାରଣ ଉପନନ୍ଦ ॥ ୧୪
ଭଦ୍ର ସୁନନ୍ଦ ଆଦି ବେଗେ । ସାଜିଲେ ରାମକୃଷ୍ଣ ସଙ୍ଗେ ॥ ୧୫
ଦ୍ୱାଦଶ ଅକ୍ଷୌହିଣୀ ଘେନି । ଶବଦେ କମ୍ପଇ ମେଦିନୀ ॥ ୧୬
ଶଙ୍ଖ ଶବଦେ ଦିଗ ପୂରି । ରୁନ୍ଧିଲେ ଶୋଣିତନଗରୀ ॥ ୧୭
ଦୁର୍ଜୟ ଯଦୁ ଭୋଜବୀର । ଭାଙ୍ଗିଲେ ବନ ଗ୍ରାମ ପୁର ॥ ୧୮
ପାଚେରୀ ଅଟ୍ଟାଳୀ ଗୋପୁର । ଭାଙ୍ଗିଣ ସର୍ବ କଲେ ଚୂର ॥ ୧୯
ଗହନ ଘୋରନାଦ ଶୁଣି । ବଳିନନ୍ଦନ ବୀରମଣି ॥ ୨୦
ଦୁଷ୍ଟସ୍ୱଭାବେ ମହାରୋଷେ । ବେଗେ ମିଳିଲା ରୁଦ୍ର ପାଶେ ॥ ୨୧
ସମ୍ଭ୍ରମେ ରୁଦ୍ରପାଦେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୨୨
ଭୋ ନାଥ ଅମ୍ବିକାରମଣ । ମୋ ପୁରେ କନ୍ୟାର ଦୂଷଣ ॥ ୨୩
ନିର୍ଭୟେ ପ୍ରଦ୍ୟୁମ୍ନ କୁମର । ବଳେ ହରିଲା କନ୍ୟା ମୋର ॥ ୨୪
ବନ୍ଧନ କଲି ନାଗପାଶେ । ତା ଶୁଣି କୃଷ୍ଣ ମହାରୋଷେ ॥ ୨୫
ବଳେ ମୋହର ପୁରେ ଆସି । ରାହୁ ଯେସନେ ଶଶୀ ଗ୍ରାସି ॥ ୨୬
ଭାଜିଲେ ମୋର ଗଡ଼ ଗ୍ରାମ । ଶୁଣି ଶଙ୍କର ଗରୁତମ ॥ ୨୭
ବିଶେଷେ କନ୍ୟାର ଦୂଷଣ । ଶୁଣି ସାଜିଲେ ରୁଦ୍ରଗଣ ॥ ୨୮
ତକ୍ଷଣେ ବଳିର ନନ୍ଦନ । ମିଳିଲା ଆପଣା ଭୁବନ ॥ ୨୯
କୃଷ୍ଣର ବଳ ପରିମାଣି । ସାଜି ଦ୍ୱାଦଶ ଅକ୍ଷୌହିଣୀ ॥ ୩୦
ସଙ୍ଗତେ ଘେନି ମହାବୀର । ନଗରୁ ହୋଇଲା ବାହାର ॥ ୩୧
ଦେଖି ତାହାର ଆଗୁସାର । ତକ୍ଷଣେ ମିଳିଲେ ଶଙ୍କର ॥ ୩୨
ସଙ୍ଗେ କାର୍ତ୍ତିକ ଗଣପତି । ଆବର ଯେତେ ସେନାପତି ॥ ୩୩
ବୃଷଭ ପୃଷ୍ପେ ବସି ହର । ମିଳିଲେ ଯହିଁ ଚକ୍ରଧର ॥ ୩୪
ଶଙ୍କର ଗଣ ଅପ୍ରମିତ । ରଣ ଆବୋରି ଯୂଥ ଯୂଥ ॥ ୩୫
ମାରନ୍ତି ନାନାଶସ୍ତ୍ର ଘେନି । ଶବଦେ କମ୍ପଇ ମେଦିନୀ ॥ ୩୬
ଶୂନ୍ୟେ ଦେଖନ୍ତି ଦିଗପାଳ । କୃଷ୍ଣଶଙ୍କର ରଣଗୋଳ ॥ ୩୭
ଦୁର୍ଲ୍ଲଭ ହରିହର ଗଣ । ଶୁଣନ୍ତେ ରୋମହରଷଣ ॥ ୩୮
ଅଦ୍ଭୁତ ଶୁଭେ ଘୋରନାଦ । ଶୁଣ ହୋ ସଂଗ୍ରାମ ପ୍ରମାଦ ॥ ୩୯
କୃଷ୍ଣଶଙ୍କର ରଣ ଘୋର । କାର୍ତ୍ତିକେ ରୁକ୍ମିଣୀକୁମର ॥ ୪୦
ବାଣର ମନ୍ତ୍ରୀ ବେନିଜନ । ନାମ କୁମ୍ଭାଣ୍ତ କୂପକର୍ଣ୍ଣ ॥ ୪୧
କୁମ୍ଭାଣ୍ତ କୂପକର୍ଣ୍ଣ ବୀର । ସଙ୍ଗେ ଯୁଝନ୍ତି ହଳଧର ॥ ୪୨
ବାଣକୁମର ଶାମ୍ବ ବେନି । ଯୁଦ୍ଧ କରନ୍ତି ଶସ୍ତ୍ର ଘେନି ॥ ୪୩
ସାତ୍ୟକି ବାଣ ତୁଲେ ରଣ । କେ କହୁ ଯୁଦ୍ଧ ଗରୁଟାଣ ॥ ୪୪
ସହସ୍ର ଭୁଜେ ବେନିଭୁଜ । ଯେଣୁ ସାତ୍ୟକି ବିଷ୍ଣୁତେଜ ॥ ୪୫
ଦେଖି ଅଦ୍ଭୁତ ଘୋରଗଣ । ଶୁନ୍ୟେ ମିଳିଲେ ଦେବଗଣ ॥ ୪୬
ବ୍ରହ୍ମାଙ୍କ ତୁଲେ ଆଖଣ୍ତଳ । ସିଦ୍ଧଚାରଣ ଦିଗପାଳ ॥ ୪୭
ଗନ୍ଧର୍ବ ଅପସରା ଯକ୍ଷ । ବିମାନେ ମିଳିଲେ ପ୍ରତ୍ୟକ୍ଷ ॥ ୪୮
ଗୋବିନ୍ଦ ଦେଖି ରୁଦ୍ରଗଣ । ନିଜ କୋଦଣ୍ତେ ଦେଲେ ଗୁଣ ॥ ୪୯
ଭୂତ ପ୍ରମଥ ଗୁହ୍ୟଗଣ । ଗ୍ରହ ଡାକିନୀ ଯାତୁଧାନ ॥ ୫୦
ବେତାଳ ଆଦି ବିନାୟକ । କୋଟରା ରେବତୀ ଅନ୍ତକ ॥ ୫୧
ଜ୍ୟେଷ୍ଠା ପୂତନା ଆଦି ଯେତେ । ପ୍ରେତ ମାତୃକାଗଣ ଯୂଥେ ॥ ୫୨
ପିଶାଚ କୁଷ୍ମାଣ୍ତକ ବୀର । ବ୍ରହ୍ମରାକ୍ଷସ ମହାଘୋର ॥ ୫୩
ଏ ଆଦି କହିବି ମୁଁ କେତେ । ରୁଦ୍ରର ବଳ ଛନ୍ତି ଯେତେ ॥ ୫୪
ସାରଙ୍ଗ ଧନୁର୍ବାଣ ବିନ୍ଧି । ନିମିଷ ମାେତ୍ର କୃଷ୍ଣ ଛେଦି ॥ ୫୫
ତା ଦେଖି ରୁଦ୍ର କୋପଭରେ । ପିନାକ ଧନୁ ଧରି କରେ ॥ ୫୬
ତକ୍ଷଣେ ଦଶଦିଗ ରୁନ୍ଧି । କୃଷ୍ଣ ଉପରେ ବାଣ ବିନ୍ଧି ॥ ୫୭
ରୁଦ୍ର ନାରାଚ ଦେଖି ହରି । ଗୁଣ ଟଙ୍କାରି ନାଦ କରି ॥ ୫୮
ବାଣକୁ ବାଣ ପରିତାଳ । କରନ୍ତି ମଦନଗୋପାଳ ॥ ୫୯
ତିଳପ୍ରମାଣ ଛେଦି କରି । କାଟିଲେ ରୁଦ୍ରବାଣ ହରି ॥ ୬୦
ଲୀଳାମାତ୍ରକେ ବାଣ ଗଲା । ତା ଦେଖି ରୁଦ୍ର କୋପ କଲା ॥ ୬୧
ଦହିବା ପ୍ରାୟ ତିନିପୁର । ଗୁଣେ ବସାଇ ରୁଦ୍ରଶର ॥ ୬୨
ଆକର୍ଣ୍ଣଯାଏ ଟାଣି ଗୁଣ । ଦେଖି ହସନ୍ତି ନାରାୟଣ ॥ ୬୩
ବ୍ରହ୍ମଅସ୍ତ୍ରରେ ତାହା ଛେଦି । ପର୍ବତବାଣ ରୁଦ୍ର ବିନ୍ଧି ॥ ୬୪
ବଜ୍ର ପ୍ରହାରି ଜଗନ୍ନାଥ । ରୁଦ୍ରଶସ୍ତ୍ରକୁ କଲେ ହତ ॥ ୬୫
ହର ପେଷିଲେ ମେଘମାଳ । ପବନଶରେ ନନ୍ଦବାଳ ॥ ୬୬
ମେଘସମୂହେ ବେଗେ ନାଶେ । ଶଙ୍କର ଅନଳ ବରଷେ ॥ ୬୭
ଗୋବିନ୍ଦ ଜଳବୃଷ୍ଟି କରି । ତକ୍ଷଣେ ଅନଳ ନିବାରି ॥ ୬୮
ଦେଖି ଶଙ୍କର କୋପଚିତ୍ତେ । ବେଗେ ବିନ୍ଧିଲେ ପାଶୁପତେ ॥ ୬୯
କୃଷ୍ଣ ପେଷିଲେ ଚକ୍ର ବେଗେ । ପଡ଼ିଲା ପାଶୁପତ ଅଙ୍ଗେ ॥ ୭୦
ତକ୍ଷଣେ କଲା ଭସ୍ମସାର । ଯୁଦ୍ଧ ଦେଖନ୍ତି ସୁର ନର ॥ ୭୧
ରୁଦ୍ର ଶରୀରେ ଗୋପୀନାଥ । ଜୃମ୍ଭଣ ଶସ୍ତ୍ର କଲେ ଘାତ ॥ ୭୨
ପୁଣି ମୋହନଶସ୍ତ୍ର ଧରି । ଶଙ୍କର ଦେହେ କୃଷ୍ଣ ମାରି ॥ ୭୩
ତକ୍ଷଣେ ଅମ୍ବିକାରମଣ । ମୋହେ ପଡ଼ିଲେ ଘୋରରଣ ॥ ୭୪
ପଞ୍ଚପରାଣ କଣ୍ଠାଗ୍ରତ । ତକ୍ଷଣେ ହୋଇଲେ ଅଚେତ ॥ ୭୫
ରୁଦ୍ରଙ୍କୁ କରାଇ ମୋହନ । ଚାହିଁଲେ ଦେବକୀନନ୍ଦନ ॥ ୭୬
ବାଣାସୁରର ବଳ ଦେଖି । ଧନୁକୁ କଲେ ଅଧୋମୁଖୀ ॥ ୭୭
ଗଦାଖଡ଼ଗ ବାଣେ ହରି । ଦ୍ୱାଦଶ ଅକ୍ଷୌହିଣୀ ମାରି ॥ ୭୮
ଗୋବିନ୍ଦ କଲେ ଶଙ୍ଖଧ୍ୱନି । ଶବଦେ କମ୍ପିଲା ମେଦିନୀ ॥ ୭୯
କାର୍ତ୍ତିକ ପ୍ରଦ୍ୟୁମ୍ନର ତୁଲେ । ଘୋରଶବଦେ ରଣ କଲେ ॥ ୮୦
ପ୍ରଦ୍ୟୁମ୍ନବାଣେ ହରବଳା । ମୟୁର ଘେନି ପଳାଇଲା ॥ ୮୧
କୁମ୍ଭାଣ୍ତ କୂପକର୍ଣ୍ଣ ବେନି । ରାମର ତୁଲେ ଧନୁ ଘେନି ॥ ୮୨
ଯୁଦ୍ଧ କରନ୍ତି ଗୁରୁତର । ଦେଖି କୋପିଲେ ହଳଧର ॥ ୮୩
ମୂଷଳ ଘେନି ବେଗେ ପିଟି । ପଡ଼ିଲେ ବେନିବୀର ଲୋଟି ॥ ୮୪
ସନ୍ନିଧ୍ୟେ ଯେତେ ବୀର ଥିଲେ । ସମର ଛାଡି ପଳାଇଲେ ॥ ୮୫
ସାତ୍ୟକି ତୁଲେ ବାଣାସୁର । ନିବିଡେ଼ କରନ୍ତେ ସମର ॥ ୮୬
ଦେଖିଲା ନିଜ ସୈନ୍ୟ ନାହିଁ । ସମ୍ଭ୍ରମେ ଦଶଦିଗ ଚାହିଁ ॥ ୮୭
ତା ଦେଖି ବଳିର କୁମର । କୋପ ବଢ଼ିଲା ଗରୁତର ॥ ୮୮
ସାତ୍ୟକି ତୁଲେ ରଣ ଛାଡି । ଧାଇଁଲା ରଣଭୂମି ମାଡ଼ି ॥ ୮୯
କୃଷ୍ଣନିକଟେ ରଥ ନେଇ । ରଖିଲା ଚାପେ ଗଣ ଦେଇ ॥ ୯୦
ଆକର୍ଷି ଧନ ପାଞ୍ଚଶତ । ଅସୁର ବଳ ଅପ୍ରମିତ ॥ ୯୧
ଗୁଣକେ ବେନି ବେନି ବାଣ । କୋପେ ବିନ୍ଧିଲା ଗରୁଟାଣ ॥ ୯୨
ରଣ-ଦୁର୍ମଦ ଅତି ଖରେ । ବିନ୍ଧିଲା ଗୋବିନ୍ଦ ଉପରେ ॥ ୯୩
ଦେଖି ତାହାର ବାଣବୃଷ୍ଟି । ଗୋବିନ୍ଦ କଲେ ଦୃଢ଼ମୁଷ୍ଠି ॥ ୯୪
ଏକାବେଳେକେ ଦେବରାଜ । ବିନ୍ଧିଲେ ସହସ୍ର ନାରାଚ ॥ ୯୫
ଶରର ମୁଖେ ଶର ବାଜି । ଅସୁର ବାଣ ଗଲା ଭାଜି ॥ ୯୬
ତକ୍ଷଣେ ତିନିଶର ବିନ୍ଧି । ଅଶ୍ୱ ସାରଥି ରଥ ଛେଦି ॥ ୯୭
ବାଣ ହୋଇଲା ଭୂମିପାଦ । ଗୋବିନ୍ଦ କଲେ ଶଙ୍ଖନାଦ ॥ ୯୮
ତାର ଜନନୀ ପୁରେ ଥିଲା । ପୁତ୍ରର ମରଣ ଜାଣିଲା ॥ ୯୯
ସିଦ୍ଧଯୋଗିନୀ ସେ ଯୁକତେ । ସଂଗ୍ରାମେ ମିଳିଲା ତୁରିତେ ॥ ୧୦୦
କୃଷ୍ଣର ନିକଟ ହୋଇଲା । ଅତି ବିରୂପ ପ୍ରକାଶିଲା ॥ ୧୦୧
କେଶ ମୁକୁଳା ମୁଣ୍ତେ ଚାଲେ । ବସ୍ତ୍ର ପଡ଼ିଲା ଫିଟି ତଳେ ॥ ୧୦୨
ବିବସ୍ତ୍ର ଦେଖି ତା ଶରୀର । ବିଷ୍ଣୁ ସୁମରି ଗଦାଧର ॥ ୧୦୩
ଅଧୋବଦନ ନାରାୟଣ । ବିରଥ ହୋଇଥିଲା ବାଣ ॥ । ୧୦୪
ବେଗେ ପଳାଇ ପୁରେ ପଶି । ଗୋପନେ ଜୀବନ ଆଶ୍ୱାସି ॥ ୧୦୫
ଭୁବନେ ହୋଇଲା ନିଶ୍ଚିନ୍ତ । ଏମନ୍ତ ଶୁଣ ନରନାଥ ॥ ୧୦୬
ରୁଦ୍ର ଯେ ପଡ଼ିଥିଲେ ମୋହେ । ଜ୍ଞାନ ପଶିଲା ନିଜ ଦେହେ ॥ ୧୦୭
ଉଠି ସମ୍ଭାଳି କଳେବର । ଶରୀରୁ ଜାତ କଲେ ଜ୍ୱର ॥ ୧୦୮
ବୋଇଲେ କୃଷ୍ଣେ ମାର ତୁହି । ତକ୍ଷଣେ ଶିବ ଆଜ୍ଞା ପାଇ ॥ ୧୦୯
ସ୍ୱଭାବେ ତ୍ରିଶିର ତ୍ରିପାଦ । ଚଳନ୍ତେ କଲେ ଘୋର ନାଦ ॥ ୧୧୦
ଶବଦେ ଭୁବନ କମ୍ପିଲା । କୃଷ୍ଣର ନିକଟେ ମିଳିଲା ॥ ୧୧୧
ଅଦ୍ଭୁତ ଦେଖି ରୂପ ତାର । ଅଳପ ହସି ଚକ୍ରଧର ॥ ୧୧୨
କୃଷ୍ଣ ଆଦେଶେ ବିଷ୍ଣୁଜ୍ୱର । ଶରୀରୁ ହୋଇଲା ବାହାର ॥ ୧୧୩
ଏ ବେନି ଜ୍ୱର ଏକମେଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥ ୧୧୪
କେପେ ଯୁଝନ୍ତି ବେନି ଜ୍ୱର । ଶବଦେ କମ୍ପେ ତିନିପୁର ॥ ୧୧୫
ବଜ୍ର ଶବଦ ଘୋରନାଦେ । ସମର କଲେ ବାହୁଯୁଦ୍ଧେ ॥ ୧୧୬
ବିଷ୍ଣୁର ଜ୍ୱର ମହାଘୋର । ଦେଖି ଭାଜିଲା ଶିବଜ୍ୱର ॥ ୧୧୭
ପଳାଇଗଲା ଅନ୍ତରୀକ୍ଷେ । ଗୋଡାଏ ବିଷ୍ଣୁଜ୍ୱର ପଛେ ॥ ୧୧୮
ଭ୍ରମିଲା ଦଶଦିଶ ତ୍ରାସେ । କେହି ନୋହିଲେ ତା ବିଶ୍ୱାସେ ॥ ୧୧୯
ଚଉଦଭୁବନେ ବୁଲିଲା । ଶରଣ କେହି ନ ରଖିଲା ॥ ୧୨୦
କୃଷ୍ଣବଇରୀ କେ ବିଶ୍ୱାସ । ଜୀବନେ ଅଛି ଯାର ଆଶ ॥ ୧୨୧
ନିରାଶେ ଶିବଜ୍ୱର ଧାଇଁ । ମିଳିଲା କୃଷ୍ଣ ପାଶେ ଯାଇ ॥ ୧୨୨
ଭୟେ ରୋଦଇ ଘୋରନାଦେ । ଶରଣ ଗଲା କୃଷ୍ଣ ପାଦେ ॥ ୧୨୩
ଆରତେ କୃଷ୍ଣ ପାଦେ ଯାଇ । କରଯୁଗଳ ଶିରେ ଦେଇ ॥ ୧୨୪
କତରେ ଯୋଡ଼ି ବେନିକର । ସ୍ତୁତିକରଇ ଶିବଜ୍ୱର ॥ ୧୨୫
;ଜ୍ୱର ଉବାଚ
ନମଇଁ ପ୍ରଭୁ ଭାବଗ୍ରାହୀ । ଅନନ୍ତଶକ୍ତିମୟ ତୁହି ॥ ୧୨୬
ପରମପୁରୁଷ ତୁ ହରି । ଜଗତେ ଅତ୍ମାରୂପେ ପୂରି ॥ ୧୨୭
ତୋହର ନାହିଁ ଆଦିଅନ୍ତ । କେବଳ ଆତ୍ମଜ୍ଞାନେ ରତ ॥ ୧୨୮
ସୃଷ୍ଟିପାଳନ ସଂହାରଣ । ତୁ ନାଥ ପରମକାରଣ ॥ ୧୨୯
ଯେ ନିର୍ବିକାର ବ୍ରହ୍ମତତ୍ତ୍ୱ । ବେଦାନ୍ତେ ବୋଲନ୍ତି ପ୍ରଶସ୍ତ ॥ ୧୩୦
କାଳ ଦଇବ କର୍ମ ଜୀବ । ଏମନ୍ତେ ପଞ୍ଚମେ ସ୍ୱଭାବ ॥ ୧୩୧
ତୁ ଭୂତ ସୂକ୍ଷ୍ମ କ୍ଷେତ୍ରଆତ୍ମା । ବିକାର ପଞ୍ଚ ତୋ ମହିମା ॥ ୧୩୨
ଏ ଦଶଇନ୍ଦ୍ରି ଏକକରି । ତୋ ମାୟା ବୀଜରୂପ ଧରି ॥ ୧୩୩
ଅଙ୍କୁରି ଫଳଇ ବ୍ରହ୍ମାଣ୍ତ । ଏଣେ ବିଲଗ ତୋର ପିଣ୍ତ ॥ ୧୩୪
ଲୀଳାଏ ଉତପନ୍ନ ହେଉ । ତୁ ନାଥ ଭାବେ ଦେହ ବହୁ ॥ ୧୩୫
ଦେବତା ସାଧୁ ଲୋକଧର୍ମ । ଯଜ୍ଞାଦି ଯେତେ ଶୁଭକର୍ମ ॥ ୧୩୬
ଏ ଆଦି ଯେତେ ଧର୍ମହେତୁ । ଏହାଙ୍କ ରକ୍ଷଣେ ତୁ ସେତୁ ॥ ୧୩୭
ସାଧୁ ହିଂସନ୍ତି ଯେତେ ପ୍ରାଣୀ । ତାହାଙ୍କୁ ଦଣ୍ତୁ ଚକ୍ରପାଣି ॥ ୧୩୮
ଭୂମିର ଭାର ଖଣ୍ତିବାରେ । ତୋହର ଜନ୍ମ ଏ ସଂସାରେ ॥ ୧୩୯
ତୋହର ତେଜେ ନିଜ ଜ୍ୱର । ଦୁଃସହ ଘୋର ଭୟଙ୍କର ॥ ୧୪୦
ତାହାର ମହାତେଜେ ମୁହିଁ । ବ୍ରହ୍ମାଣ୍ତେ ଭ୍ରମି ଶ୍ରମ ପାଇ ॥ ୧୪୧
ପଶିଲି ତୋହରେ ଶରଣ । ତୁ ମୋତେ ରଖ ନାରାୟଣ ॥ ୧୪୨
ଯାବତ ଜନ୍ତୁ ତୋର ପାଦେ । ଶରଣ ନ ପଶେ ପ୍ରମାଦେ ॥ ୧୪୩
ତାବତ ତାପତ୍ରୟେ ଦୁଃଖୀ । କର୍ମବନ୍ଧନେ ଉପଲକ୍ଷ୍ୟି ॥ ୧୪୪
ଏମନ୍ତ ଜ୍ୱର ବାକ୍ୟଶୁଣି । ହସି ବୋଲନ୍ତି ଚକ୍ରପାଣି ॥ ୧୪୫
;ଭଗବାନ ଉବାଚ
ତ୍ରିଶିର ଶୁଣ ମୋ ବଚନ । ମୁଁ ତୋତେ ହୋଇଲି ପ୍ରସନ୍ନ ॥ ୧୪୬
ତୋତେ ମୋ ଜ୍ୱର ଭୟ ନାହିଁ । ଶୁଣ ମୁଁ ପ୍ରସନ୍ନେ ବୋଲଇ ॥ ୧୪୭
ତୋହର ମୋହର ସମ୍ବାଦ । ଶୁଣନ୍ତେ ଖଣ୍ତିବ ପ୍ରମାଦ ॥ ୧୪୮
ଜ୍ୱର ନ ଲାଗୁ ତା ଶରୀର । ସତ୍ୟବଚନ ଏ ମୋହର ॥ ୧୪୯
ଏମନ୍ତ କୃଷ୍ଣବାକ୍ୟ ଶୁଣି । ଜ୍ୱର ନମିଲା ଚକ୍ରପାଣି ॥ ୧୫୦
ଆନନ୍ଦେ ଗଲା ଶିବଜ୍ୱର । ଏବେ ହୋ ଶୁଣ ନୃପବର ॥ ୧୫୧
ବାଣ ଯେ ନିଜପୁରେ ଥିଲା । ପୁଣି ସଂଗ୍ରାମେ ବିଜେ କଲା ॥ ୧୫୨
ରଥେ ବସିଲା କୋପଭରେ । ଅର୍ଦ୍ଧସହସ୍ର ଧନୁ କରେ ॥ ୧୫୩
ସହସ୍ରଭୁଜେ ମହାରୋଷେ । ବାଣ ବରଷେ ଦଶଦିଶେ ॥ ୧୫୪
ଆୟୁଧ ନାନାରୂପେ ଧରି । ମିଳିଲା ଯହିଁ ନରହରି ॥ ୧୫୫
ବାଣ ବରଷେ ମହାଘୋର । ଯେହ୍ନେ ଗଗନେ ଜଳଧର ॥ ୧୫୬
ଦେଖି ତାହାର ବାଣବୃଷ୍ଟି । କୃଷ୍ଣ ଚାହିଁଲେ ସ୍ଥିରଦୃଷ୍ଟି ॥ ୧୫୭
ସୁଦରଶନ ଘେନି ହସ୍ତେ । ଆସନ୍ତେ ପ୍ରହାରିଲା ପଥେ ॥ ୧୫୮
ବାଣବରଷା ଅତିବେଗେ । କୋପେ ଛେଦିଲେ ଶୂନ୍ୟମାର୍ଗେ ॥ ୧୫୯
ବଜ୍ରଶବଦ ପ୍ରାୟ ସ୍ପୁରି । କୋଟିତପନ ରୂପ ଧରି ॥ ୧୬୦
ପଡିଲା ବାଣାସୁର କନ୍ଧେ । ଭୁଜଛେଦିଲା ଘୋରନାଦେ ॥ ୧୬୧
ବାମ-ଦକ୍ଷିଣେ ବେଗେ ପଡେ଼ । ବୃକ୍ଷରୁ ପତ୍ର ଯେହ୍ନେ ଝଡେ଼ ॥ ୧୬୨
ବାଣର ଭୁଜ ନାଶ ଦେଖି । ଶଙ୍କର ସମର ଉପେକ୍ଷି ॥ ୧୬୩
ମିଳିଲେ ଗୋବିନ୍ଦ ନିକଟେ । ଦେବେ ଦେଖନ୍ତି ଶୂନ୍ୟବାଟେ ॥ ୧୬୪
ଭକତବନ୍ଧୁ ସେ ଶଙ୍କର । ଶିରେ ନିବେଶି ବେନିକର ॥ ୧୬୫
;ରୁଦ୍ର ଉବାଚ
ବୋଲନ୍ତି ଚକ୍ରାୟୁଦ ତୁହି । ତୁ ନାଥ ନୋହୁ ଭୂତଦେହୀ ॥ ୧୬୬
ତୁ ବ୍ରହ୍ମ ପୁରୁଷ ପୁରାଣ । ଅଶେଷ-ପରମକାରଣ ॥ ୧୬୭
ପରମଜ୍ୟୋତି ରୂପ ତୋର । ଚର୍ମଲୋଚନେ ଆଗୋଚର ॥ ୧୬୮
ନିର୍ମଳଆତ୍ମା ଯୋଗୀଜନେ । ତୋତେ ଭାବନ୍ତି ଶୁଦ୍ଧମନେ ॥ ୧୬୯
ତୁ ଆତ୍ମାରୂପେ ସର୍ବଦେହେ । ତୋତେ ଦେଖନ୍ତି ପୁଣ୍ୟମୟେ ॥ ୧୭୦
ତୋହର ନାଭି ଅନ୍ତରୀକ୍ଷ । ବଦନ ଅନଳ ପ୍ରତ୍ୟକ୍ଷ ॥ ୧୭୧
ଆପ ତୋହର ରେତସାର । ଗଗନ ଘେନି ତୋର ଶିର ॥ ୧୭୨
ଦିଗ ଯେ ତୋହର ଶ୍ରବଣ । ମେଦିନୀ ପ୍ରକାଶ ଚରଣ ॥ ୧୭୩
ତୋହର ମନ ନିଶାକର । ରବି ତୋ ନୟନୁ ବାହାର ॥ ୧୭୪
ମୁଁ ତୋର ଆତ୍ମାର ନିକଟ । ସପ୍ତ ସମୁଦ୍ର ତୋର ପେଟ ॥ ୧୭୫
ତୋହର ଭୁଜ ଆଖଣ୍ତଳ । ତୋ ତନୁରୋମ ତରୁମାଳ ॥ ୧୭୬
ଜୀମୂତଗଣେ ତୋର କେଶ । ବିରଞ୍ଚି ତୋ ବୁଦ୍ଧି ପ୍ରକାଶ ॥ ୧୭୭
ତୋର ବୃଷଣ ପ୍ରଜାପତି । ଏଣୁକେ ଜାଣେ ତୋର ଗତି ॥ ୧୭୮
ଧର୍ମ ତୋ ହୃଦୟୁ ପ୍ରକାଶ । ଏଣୁ ତୁ ବିରାଟପୁରୁଷ ॥ ୧୭୯
ଜଗତେ ତୋର ଅବତାର । ଧର୍ମରକ୍ଷଣେ ଚକ୍ରଧର ॥ ୧୮୦
ଜଗତହିତେ ତୋର ଦେହୀ । ତୋ ମାୟା ନ ଜାଣନ୍ତି କେହି ॥ ୧୮୧
ତୋ ଅନୁଭବ ଆମ୍ଭେ କେଉଁ । ଆଜ୍ଞାରୁ ଭୁବନ ଭିଆଉଁ ॥ ୧୮୨
କରୁ ପାଳନ ସଂହାରଣ । ତୋହର ଆଜ୍ଞା ପରମାଣ ॥ ୧୮୩
ଆଦିପୁରୁଷ ଏକ ତୁହି । ଦ୍ୱିତୀୟଭାବ ତୋର ନାହିଁ ॥ ୧୮୪
ଜ୍ଞାନ ପ୍ରକାଶ ଶୁଦ୍ଧଜ୍ୟୋତି । ହେତୁ ଅହେତୁ ତୁ ଶ୍ରୀପତି ॥ ୧୮୫
ପ୍ରକାଶ ହେଉ ଯଥାବିଧି । ତୋ ମାୟା ସକଳେ ପ୍ରସିଦ୍ଧ ॥ ୧୮୬
ସୂର୍ଯ୍ୟର ତହୁଁ ଛାୟା ଜାତ । ଛାୟାରେ ଛନ୍ନ ଛାୟାକାନ୍ତ ॥ ୧୮୭
ଛାୟାର ମଧ୍ୟେ ନାନାରୂପ । ତେସନେ ତୋର ମାକ୍ଷାକଳ୍ପ ॥ ୧୮୮
ତ୍ରିଗୁଣେ ନୋହୁ ତୁ ବିକାଶ । ରବି ଯେସନେ ସ୍ୱପ୍ରକାଶ ॥ ୧୮୯
ଆତ୍ମାପ୍ରକାଶେ ଗୁଣ ନାଶେ । ଆଦିତ୍ୟ ଯେସନେ ଆକାଶେ ॥ ୧୯୦
ତୁ ନାଥ ନିତ୍ୟ ଶୁଦ୍ଧଜ୍ଞାନ । ମହାମହିମ ଭଗବାନ ॥ ୧୯୧
ତୋର ମାୟାରେ ବୁଦ୍ଧିନାଶି । ଜୀବନ ଗଳେ ମୋହପାଶି ॥ ୧୯୨
ପୁତ୍ର-କଳତ୍ର-ଗୃହ-ଧନେ । ବନ୍ଧନ ତୋହର ବଚନେ ॥ ୧୯୩
ଦୁଃଖସାଗରେ ମୂଢ଼ମତି । ବୁଡ଼ନ୍ତି ପୁଣି ପ୍ରକାଶନ୍ତି ॥ ୧୯୪
ପମାଦେ କରୁଥାନ୍ତି କେଳି । ତୋର ମାୟାରେ ବନମାଳୀ ॥ ୧୯୫
ମନୁଷ୍ୟ ଦେହ ପଦ୍ମନାଭ । ନିଶ୍ଚୟ ଦେବଙ୍କୁ ଦୁର୍ଲ୍ଲଭ ॥ ୧୯୬
ଏ ଦେହ ପାଇ ଜ୍ଞାନ ହାରି । ତୋତେ ନ ଜାଣେ ଦଇତ୍ୟାରି ॥ ୧୯୭
ଭାବ ତୋ ଚରଣେ ନ ସଞ୍ଚେ । ସେ ଦୁଃଖେ ନିଜ ଆତ୍ମା ବଞ୍ଚେ ॥ ୧୯୮
ଆତ୍ମା ଈଶ୍ୱର ପ୍ରିୟ ତୁହି । ସେ ପ୍ରାଣୀ ତୋତେ ପାସୋରଇ ॥ ୧୯୯
ଇନ୍ଦ୍ରିୟ ଅର୍ଥେ ବିପରୀତ । ହସ୍ତରୁ ପକାଇ ଅମୃତ ॥ ୨୦୦
ବିଷ ଭକ୍ଷଇ ସ୍ୱାଦୁ ମଣି । ତୋ ମାୟାଗୁଣେ ଚକ୍ରପାଣି ॥ ୨୦୧
ମୁହିଁ ବିରଞ୍ଚି ମୁନି ଦେବା । ନିର୍ମଳ ତୋତେ ସେବା ॥ ୨୦୨
କରୁଁ ସଂସାରେ ଦେହ ବହି । ଜୀବର ଇଷ୍ଟଦାତା ତୁହି ॥ ୨୦୩
ସ୍ଥିତି-ପାଳନ-ଅନ୍ତ ହେତୁ । ସମ ପ୍ରଶାନ୍ତ ଆତ୍ମା କେତୁ ॥ ୨୦୪
ଆତ୍ମା ଦେବତା ତୁ ଅନେକ । ତୋ ତହୁଁ ନାହିଁ ଅନ୍ୟ ଏକ ॥ ୨୦୫
ତୁ ଏ ଜଗତମିତ୍ର ହେତୁ । ଜନ୍ମ ମରଣ ବନ୍ଧ ସେତୁ ॥ ୨୦୬
ତୋତେ ଭଜିଲେ ନରନାରୀ । ତୋ ମାୟାବନ୍ଧରୁ ନିସ୍ତରି ॥ ୨୦୭
ଏ ବାଣାସୁର ଭକ୍ତ ମୋର । ପ୍ରିୟ ସୁହୃଦ ଅନୁଚର ॥ ୨୦୮
ଏହାର ତପେ ତୋଷ ହୋଇ । ଅଭୟ ବର ଦେଲି ମୁହିଁ ॥ ୨୦୯
ସେ ବର ପ୍ରତିପାଳ ତୁହି । ମୋହର ଭାବେ ତୋଷ ହୋଇ ॥ ୨୧୦
ଅସୁରସୁତ ପ୍ରହଲ୍ଲାଦ । ତରିଲା ଅନେକ ପ୍ରମାଦ ॥ ୨୧୧
ତୋର ପ୍ରସାଦେ ଭାବଗ୍ରାହୀ । ମୋର ସେବକ ରଖ ତୁହି ॥ ୨୧୨
ଏମନ୍ତ ଶମ୍ଭୁବାକ୍ୟ ଶୁଣି । ହସି ବୋଲନ୍ତି ଚକ ଚକ୍ରପାଣି ॥ ୨୧୩
;ଭଗବାନ ଉବାଚ
ଭୋ ଦେବ ତୋହର ବଚନ । ଅବଶ୍ୟ କରିବି ପାଳନ ॥ ୨୧୪
ଯେମନ୍ତ ଆଜ୍ଞା ଦେବୁ ମୋତେ । କରିବି ତୋର ଅନୁମତେ ॥ ୨୧୫
ଏ ମୋର ହସ୍ତେ ନ ମରଇ । ଭଲେ ଜାଣଇ ଏହା ମୁହିଁ ॥ ୨୧୬
ମୋର ଭକତ ପ୍ରହଲ୍ଲାଦ । ତାହାରେ ନ ଲାଗେ ପ୍ରମାଦ ॥ ୨୧୭
ତାର କୁମର ବିରୋଚନ । ବଳି ଯେ ତାହାର ନନ୍ଦନ ॥ ୨୧୮
ବଳିର ପୁତ୍ର ବାଣାସୁର । ଏଣୁ ଏ ଅବଧ୍ୟ ମୋହର ॥ ୨୧୯
ପ୍ରହଲ୍ଲାଦର ବଂଶ ଯେଣୁ । ଏହାକୁ ନ ମାରିବି ତେଣୁ ॥ ୨୨୦
ପୂର୍ବେ ମୁଁ ଅଛି ବର ଦେଇ । ତା ବଂଶ ନ ମାରିବି ମୁହିଁ ॥ ୨୨୧
ଏହାର ଗର୍ବ ନାଶିବାରେ । ଚକ୍ର ପେଷିଲି କୋପଭରେ ॥ ୨୨୨
ସହସ୍ରଭୁଜ ଛେଦି କରି । ଦ୍ୱାଦଶ ଅକ୍ଷୌହିଣୀ ମାରି ॥ ୨୨୩
ତ୍ରିଦଶହିତେ ଭୂମିଭାର । ବିନାଶ ଅର୍ଥେ ଅବତାର ॥ ୨୨୪
ଏବେ ମୁଁ କଲି ଦେବକାର୍ଯ୍ୟ । ଥାଉ ଏହାର ଚାରିଭୁଜ ॥ ୨୨୫
ଅଜରାମର-ପ୍ରାଣ ହେଉ । ତୋର ସେବକ ସୁଖେ ଥାଉ ॥ ୨୨୬
ଅଭୟ ହେଉ ଏ ଅସୁର । ଏମନ୍ତ କୃଷ୍ଣ ଦେଲେ ବର ॥ ୨୨୭
ଏମନ୍ତ କୃଷ୍ଣବାକ୍ୟ ଶୁଣି । ଅସୁର ନମେ ଚକ୍ରପାଣି ॥ ୨୨୮
ବାଜଇ ନାନାବାଦ୍ୟ ରଙ୍ଗେ । ଉଷାରୁ ଅନିରୁଦ୍ଧ ସଙ୍ଗେ ॥ ୨୨୯
ରଥେ ବସାଇ ବଳି-ବଳା । କୃଷ୍ଣ ସମୀପେ ଆଣି ଦେଲା ॥ ୨୩୦
ଉଷା ସହିତେ ଅନିରୁଦ୍ଧେ । ଦେଇ ନମିଲା କୃଷ୍ଣପାଦେ ॥ ୨୩୧
ଯାଦବବଳ ମଧ୍ୟେ ହରି । ବରକନ୍ୟାଙ୍କୁ ରଥେ ଧରି ॥ ୨୩୨
ରୁଦ୍ରଙ୍କୁ କରି ନମସ୍କାର । ଦ୍ୱାରକା ବିଜେ ଦାମୋଦର ॥ ୨୩୩
କୃଷ୍ଣବିଜୟେ ଦ୍ୱାରାପୁରୀ । ଅଧିକେ ଅଳଙ୍କୃତ କରି ॥ ୨୩୪
ତୋରଣ ବାନ୍ଧି ଉଚ୍ଚବୃକ୍ଷେ । ମାର୍ଜନା କଲେ ଦାଣ୍ତରାକ୍ଷେ ॥ ୨୩୫
ମଙ୍ଗଳଦ୍ରବ୍ୟ କରେ ଘେନି । ଆନନ୍ଦେ ମିଳିଲେ କାମିନୀ ॥ ୨୩୬
ଶଙ୍ଖ ଦୁନ୍ଦୁଭି ବାଦ୍ୟସ୍ୱରେ । ଆଶିଷ ଦେଲେ କନ୍ୟାବରେ ॥ ୨୩୭
ଆନନ୍ଦେ ନୃତ୍ୟ ବାଦ୍ୟ । ବିଜୟେ ଦ୍ୱାରକା-ସମ୍ପଦ ॥ ୨୩୮
ଏମନ୍ତ ହରିହର-ରଣ । ଯେ କରେ ଶ୍ରବଶ କୀର୍ତ୍ତନ ॥ ୨୩୯
ପ୍ରଭାତକାଳେ ପ୍ରତିଦିନେ । ଯେ ପ୍ରାଣୀ ଚିନ୍ତେ ଶୁଦ୍ଧମନେ ॥ ୨୪୦
ତାହାର ନାହିଁ ପରାଭବ । ନିରତେ ରଖନ୍ତି ମାଧବ ॥ ୨୪୧
କୃଷ୍ଣମଙ୍ଗଳ ଶୁଦ୍ଧବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨୪୨
ସୁଜନହିତେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୨୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧ ଅନିରୁଦ୍ଧ ଆନୟନଂ ନାମ ଅଷ୍ଟଷଷ୍ଟିତମ ଅଧ୍ୟାୟଃ ॥
</poem>
==='''ଏକୋନସପ୍ତତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ସାବଧାନେ । ଦ୍ୱାରକାପୁରେ ଏକ ଦିନେ ॥ ୧
କୃଷ୍ଣ ରାଜନ ସାବଧାନେ । କହିବା ଏକେ ଏକେ କେତେ ॥ ୨
ପ୍ରଦ୍ୟୁମ୍ନ ଶାମ୍ବ ଆଦି ମିଳି । ବନେ କରନ୍ତି ନାନା କେଳି ॥ ୩
ଅନେକବେଳ କ୍ରୀଡାକରି । ତୃଷିତେ ଲୋଡୁଛନ୍ତି ବାରି ॥ ୪
ଏମନ୍ତେ ଜଳପାନ ସଧେ । କୂପ ଦେଖିଲେ ବନମଧ୍ୟେ ॥ ୫
ସକଳେ କୂପପାଶେ ମିଳି । ଚାହାନ୍ତି ନୟନ ନିରୋଳି ॥ ୬
ତୃଣ ଗହଳ ଅନ୍ଧକାରେ । ଅଦ୍ଭୁତ ଜନ୍ତୁ ତା ଭିତରେ ॥ ୭
ଦିଶଇ ପର୍ବତ ସୃଦଶ । ଦେଖି ଚିହ୍ନିଲେ କୃକଲାଶ ॥ ୮
ବିସ୍ମିତେ ଏକ ଆରେ ଚାହିଁ । ବୋଲନ୍ତି ଅଙ୍ଗୁଳି ଦେଖାଇ ॥ ୯
ଦଣ୍ତେ ବିଚାରି ଯତ୍ନକରି । ବୋଲନ୍ତି ଦେଖିବା ଉଦ୍ଧରି ॥ ୧୦
ଏତେ ବିଚାରି ଦୟା ବହି । ଲାଙ୍ଗୁଳେ ଦଉଡ଼ି ଲଗାଇ ॥ ୧୧
ତୃଣବକଳ ଚର୍ମପାଶି । ନିବିଡେ଼ ବାନ୍ଧିଲେ ଆକର୍ଷି ॥ ୧୨
ଟାଣନ୍ତି ଧରି ଜଣେ ଜଣ । ନ ତଳେ ତାହାରି ଚରଣ ॥ ୧୩
ଦେଖି ଚକିତ କୃଷ୍ଣବାଳେ । ସର୍ବେ ଟାଣିଲେ ଏକାବେଳେ ॥ ୧୪
ତିଳେ ନ ଚଳେ କୃକଲାଶ । ଟାଣି ପାଇଲେ ସର୍ବେ ତ୍ରାସ ॥ ୧୫
ପୁଣି ଧରନ୍ତି ବାହୁବଳେ । ଟାଣନ୍ତେ କେବେହେଁ ନ ଚଳେ ॥ ୧୬
ଏମନ୍ତେ ବହୁ କ୍ଲେଶ ପାଇ । ଏକ ଆର କେ ମୁଖ ଚାହି ॥ ୧୭
ବୋଲନ୍ତି ଦେଖି ବିପରୀତ । ଆମ୍ଭର ବଳବୀର୍ଯ୍ୟ ହତ ॥ ୧୮
ଟାଣନ୍ତେ ତିଳେ ନ ଚଳିଲା । ଲାଜ ତ ମରଣୁ ବଳିଲା ॥ ୧୯
ଶ୍ରୀକୃଷ୍ଣ ବୀର୍ଯ୍ୟେ ଆମ୍ଭ ଜନ୍ମ । ଶୁଣି ହସିବେ ସର୍ବଜନ ॥ ୨୦
ରିପୁ ହସିବେ ଏହା ଶୁଣି । କିବା ବୋଲିବେ ଚକ୍ରପାଣି ॥ ୨୧
ରୋହିଣୀସୁତ ଶୁଣି ଏହା । ଆମ୍ଭରେ ହୋଇବେ ନିର୍ଦ୍ଦୟା ॥ ୨୨
ପୁରେ ହସିବେ ବଧୂଜନେ । ବସନ ଆଚ୍ଛାଦି ବଦନେ ॥ ୨୩
ନିରାଶେ କୃଷ୍ଣପାଶେ ଯାଇ । ବୋଲନ୍ତି ଶିରେ କର ଦେଇ ॥ ୨୪
ଭୋ ଦେବ ଶୁଣ ସାବଧାନେ । ଅଦ୍ଭୁତ କଥା ଘୋରବନେ ॥ ୨୫
ବନଗହ୍ନେ ଅନ୍ଧକୂପ । ତା ମଧ୍ରେକୃକଲାଶ ରୂପ ॥ ୨୬
ପର୍ବତ ପ୍ରାୟ ତା ଶରୀର । ନ ଚଳେ ଅତି ଗରୁତର ॥ ୨୭
ଓଟାରି ନ ପାରିଲୁ ବଳେ । ଟାଣନ୍ତେ ଚରଣ ନ ଚଳେ ॥ ୨୮
ଏ ବଡ ଲଜ୍ଜା ବିପରୀତ । ଶୁଣି ହସିଲେ ଯଦୁନାଥ ॥ ୨୯
ବୋଲନ୍ତି ଚାଲ ଯିବା ବନେ । ପୋଏ ଧାଇଁଲେ ତୋଷମନେ ॥ ୩୦
ଏମନ୍ତେ ଘୋରବନେ ଯାଇ । କୂପେ ଚାହିଁଲେ ଭାବଗ୍ରାହୀ ॥ ୩୧
ଦେଖିଲେ ଘୋର ଅନ୍ଧକାର । ନିର୍ଜଳ ତୃଣେ ମହାଘୋର ॥ ୩୨
ଅଦ୍ଭୁତ କୃକଲାଶ କାୟେ । ଦିଶଇ ଗିରିଶୃଙ୍ଗ ପ୍ରାୟେ ॥ ୩୩
ଅଧୋବଦନ ଉର୍ଦ୍ଧ୍ୱଲାଞ୍ଜ । ଦେଖି ଚକିତ ଦେବରାଜ ॥ ୩୪
ଦୟାସାଗର ଦେବହରି । ତା ଲାଞ୍ଜ ବାମକରେ ଧରି ॥ ୩୫
କୂପୁଁ ତୋଳିଲେ ଦାମୋଦର । ମାଳା ଯେସନେ ମାଳାକାର ॥ ୩୬
ତୋଳି ପକାନ୍ତେ ହୃଷୀକେଶ । ପ୍ରାଣ ଛାଡିଲା କୃକଲାଶ ॥ ୩୭
ଯେଣୁ ଲାଗିଲା କୃଷ୍ଣକର । ଦିବ୍ୟସ୍ୱରୂପ ହେଲା ତାର ॥ ୩୮
ଉଦୟ ଗିରିଶିଖେ ଶଶୀ । ଯେସନେ ଗଗନେ ପ୍ରକାଶି ॥ ୩୯
ଶୁଦ୍ଧସୁବର୍ଣ୍ଣ ଦେହ ଝଳି । ଜଳଦେ ଯେସନେ ବିଜୁଳି ॥ ୪୦
ଦିବ୍ୟବସନ ଗନ୍ଧମାଳ । ଦେଖି ଚକିତ ନନ୍ଦବାଳ ॥ ୪୧
ତାହା ଜାଣନ୍ତି କୃଷ୍ଣ ଏକେ । ବିଖ୍ୟାତ ଅର୍ଥେ ନରଲୋକେ ॥ ୪୨
ତାର ବଦନ ଚାହିଁ ହସି । ପୁଚନ୍ତି ପ୍ରଭୁ ବ୍ରହ୍ମରାଶି ॥ ୪୩
ତୁ ମହାଭାଗ ପୁଣ୍ୟଦେବୀ । ଦେବତାପ୍ରାୟ ମୁଁ ମଣଇ ॥ ୪୪
କହ ତୁ କେବଣ ପୁରୁଷ । କିମ୍ପା ହୋଇଲୁ କୃକଲାଶ ॥ ୪୫
କି ପାପବଶୁଁ ଭୋଗ କରି । ଶରୀର ଅନ୍ଧକୂପେ ଭରି ॥ ୪୬
ଏ କୂପେ ଅଛୁ କେତେକାଳ । କହ ନ କରି ଅବହେଳ ॥ ୪୭
ତୁହି ତ ନୋହୁ ପାପୀଜନ । କହ ଏ କେବଣ ବିଧାନ ॥ ୪୮
ଶୁଣିତେ ଯୋଗ୍ୟ ଯେବେ ମୁହିଁ । କହ ନିର୍ଭୟ ଚିତ୍ତ ହୋଇ ॥ ୪୯
ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଆନନ୍ଦେ କହେ ନୃପମଣି ॥ ୫୦
ଶିରେ ମୁକୁଟ ରବିପ୍ରାୟେ । ନମିଲା ଗୋବିନ୍ଦର ପାୟେ ॥ ୫୧
ଭୋ ନାଥ ନୃଗରାଜା ମୁହିଁ । ଈକ୍ଷ୍ୱାକୁବଂଶେ ଜାତ ହୋଇ ॥ ୫୨
ଜଗତମଧ୍ୟେ ଯେତେ ଦାନୀ । ତାହାଙ୍କ ମଧ୍ୟେ ମୁଁ ଅଗ୍ରଣୀ ॥ ୫୩
ତୁ ତାହା ଅଛୁ ଭଲେ ଜାଣି । ମୁଁ କି କହିବି ପରିମାଣି ॥ ୫୪
ସର୍ବଭୂତଙ୍କ ଆତ୍ମା ତୁହି । ଅଶେଷ ଜ୍ଞାନ ତୋର ତହିଁ ॥ ୫୫
ତୁ ନାଥ ଭଲେ ଏହା ଜାଣୁ । କେବଳ ମୋତେ ପରିମାଣୁ ॥ ୫୬
ତଥାପି ଆଜ୍ଞା ଘେନି ଶିରେ । କହିବି ତୋହର ଛାମୁରେ ॥ ୫୭
ଭୋ ନାଥ ଶୁଣ ମୋ ବଚନ । ଅନେକ ଦେଲି ଗୋରୁଦାନ ॥ ୫୮
ସଂଖ୍ୟା କରିବି ମୁହିଁ କେତେ । ଶୁଣ ଉପମା କହୁଁ ତୋତେ ॥ ୫୯
ଭୂମିରେ ଅଛି ଯେତେ ଧୂଳି । ଗଗନେ ଯେତେ ତାରାମାଳୀ ॥ ୬୦
ବରଷାଧାରା ଯେତେ ହୋଇ । ଏହି ପ୍ରମାଣେ ଦେଲି ଗାଈ ॥ ୬୧
କ୍ଷୀର ସମ୍ପୂର୍ଣ୍ଣ ରୂପବନ୍ତୀ । ସାଧି ତରୁଣ ବତ୍ସାବତୀ ॥ ୬୨
ସୁନ୍ଦର ସୁକପିଳ ବର୍ଣ୍ଣ । ସୁବର୍ଣ୍ଣଶୃଙ୍ଗ ଗୁଣପୂର୍ଣ୍ଣ ॥ ୬୩
ଖୁରରେ ରଜତ ଖଞ୍ଜଣି । ଉଚିତ ଧନେ ତାହା କିଣି ॥ ୬୪
ଦୋହନ ଅର୍ଥେ କାଂସ୍ୟପାତ୍ର । ବସ୍ତ୍ର କୁସୁମମାଳା ଗାତ୍ର ॥ ୬୫
ଗନ୍ଧଚନ୍ଦନ ମାଳ ସାଜି । ଡେ଼ର୍ଘ୍ୟେ ବିପ୍ରପାଦ ପୂଜି ॥ ୬୬
ବରିଲି ଯେମନ୍ତ ବ୍ରାହ୍ମଣ । ଭୋ ନାଥ ସାବଧାନେ ଶୁଣ ॥ ୬୭
ଯୁବା ସୁଗୁଣ ସାଧୁଶୀଳ । ଦରିଦ୍ର କୁଟମ୍ବଗହଳ ॥ ୬୮
ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷା । ବେଦାଧ୍ୟୟନେ ମନ୍ତ୍ର ଶିକ୍ଷା ॥ ୬୯
ଏମନ୍ତ ବିପ୍ରେ ସାବଧାନ । ସୁପୁଣ୍ୟକାଳେ ଦେଲି ଦାନ ॥ ୭୦
ଅଧିକ ଦାମ ଦେଲି ଯେତେ । ଶୁଣ କହିବା ତୋ ଅଗ୍ରତେ ॥ ୭୧
ଗୋ ଚର୍ମମାପେ ଭୂମିଦାନ । ଶୁଣ ସୁବର୍ଣ୍ଣ ଆୟତନ ॥ ୭୨
ଗଜ ତୁରଗ କନ୍ୟାଦାସୀ । ତିଳ ପର୍ବତ ଧାନ୍ୟରାଶି ॥ ୭୩
ଭୋଗ୍ୟସମ୍ପୂର୍ଣ୍ଣ ସୁଖଶଯ୍ୟା । ବସ୍ତ୍ରଭୂଷଣ ବଳିଭୋଜା ॥ ୭୪
ଯଜ୍ଞେ ସୁବର୍ଣ୍ଣରଥ ଯେତେ । ସଂଖ୍ୟାରେ କହିବି ମୁଁ ତୋତେ ॥ ୭୫
ଦେବମନ୍ଦିରେ ଜଳ ଅନ୍ନ । ସୁମିଷ୍ଟ ପବିତ୍ର ଭୋଜନ ॥ ୭୬
ଏମନ୍ତେ ନାନା ଦାନ କରି । କିଞ୍ଚିତେ ପାପ ମୁଁ ଆଚରି ॥ ୭୭
ବ୍ରାହ୍ମର ଦାମ ନେଲା ଗାଈ । ଫିଟି ପଶିଲା ଗୋଷ୍ଠେ ଯାଇ ॥ ୭୮
ଅଜ୍ଞାନେ ନ ଜାଣି ପ୍ରଭାତେ । ଦାନ ମୁଁ ଦେଲି ବିପ୍ରହସ୍ତେ ॥ ୭୯
ବ୍ରାହ୍ମଣ ଧେନୁ ଘେନି ଯାନ୍ତେ । ବିପ୍ର ଦେଖିଲା ରାଜପଥେ ॥ ୮୦
ତା ନିଜ ଧେନୁ ଚିହ୍ନି ବଳେ । ତକ୍ଷଣେ ଧଇଲା ଲାଙ୍ଗୁଳେ ॥ ୮୧
ବୋଇଲା ମୋର ଧେନୁ ଏହି । ହଜିଲା ଲୋଡୁଅଛି ମୁହିଁ ॥ ୮୨
ଶୁଣି ବ୍ରାହ୍ମଣ କୋପମନେ । ବୋଲଇ ପରୁଷ ବଚନେ ॥ ୮୩
ପ୍ରତ୍ୟକ୍ଷେ ଘେନିଅଛି ଦାନ । ଦେଖ ତୁ ଫେଡ଼ିଣ ନୟନ ॥ ୮୪
ଜଳ ତୁଳସୀ କୁଶ ହସ୍ତେ । ତିଳ ହିଁ ଦେଖ ତୁ ପ୍ରତ୍ୟକ୍ଷେ ॥ ୮୫
ଏ ଧେନୁ କେମନ୍ତେ ତୋହର । ଶୁଣି ବୋଲଇ ବିପ୍ରବର ॥ ୮୬
ଧେନୁ ଶରୀରେ ମୋର ଲେଖ । ତୋହର ଚକ୍ଷୁ ଥିଲେ ଦେଖ ॥ ୮୭
ଏମନ୍ତ କହି ଶୃଙ୍ଗ ଧରି । ଘେନି ଚଳିଲା ନିଜପୁରୀ ॥ ୮୮
ବ୍ରାହ୍ମଣ ଧରେ ଲାଞ୍ଜେ ଧେନୁ । ଏମନ୍ତେ ଉପୁଜିଲା ମନ୍ୟୁ ॥ ୮୯
କଳି ଭିଆଇ ପଥ ମଧ୍ୟେ । ପ୍ରହାର କଲେ ହସ୍ତପାଦେ ॥ ୯୦
ଏମନ୍ତ ଉଚ୍ଚବାଚ ହୋଇ । ମିଳିଲେ ମୋର ପୁରେ ଯାଇ ॥ ୯୧
ବ୍ରାହ୍ମଣ ମୋର ମୁଖ ଚାହିଁ । ବୋଲଇ କୋପଭର ହୋଇ ॥ ୯୨
ତୁ ମୋର ହସ୍ତେ ଧେନୁ ଦେଇ । ଏବେ ହରିଲୁ କିସ ପାଇଁ ॥ ୯୩
ଉତ୍ସର୍ଗ-ଦାନ ଯେହୁ ହରେ । ଅନ୍ତେ ନରକ ଭୋଗ କରେ ॥ ୯୪
ଯେ ବିପ୍ର ପ୍ରତିଗ୍ରହ ତ୍ୟାଗେ । ସେହି ପଡ଼ଇ ଦୁଃଖଭାଗେ ॥ ୯୫
ଏମନ୍ତ ବିପ୍ର-ବାକ୍ୟ ଶୁଣି । ବଜ୍ର ପଡ଼ିଲା ଶିରେ ମଣି ॥ ୯୬
ମନେ ପାଇଲି ମହାଭୟ । କାତରେ କମ୍ପେ ମୋର କାୟ ॥ ୯୭
ଉଭୟ ସଙ୍କଟେ ମୁଁ ପଡ଼ି । କରଯୁଗଳ ଶିରେ ଯୋଡି ॥ ୯୮
ବେନି ବିପ୍ରଙ୍କ ପାଦତଳେ । ପ୍ରବୋଧ କଲି ନାନାମତେ ॥ ୯୯
ସଙ୍କଳ୍ପ ଲକ୍ଷେଧେନୁ କରି । ବୋଇଲି ବିପ୍ର ପାଦ ଧରି ॥ ୧୦୦
ଭୋ ବିପ୍ର ଲକ୍ଷେ ଧେନୁ ନେଇ । ଏ ଧେନୁ ଗୋଟି ଦିଅ ତୁହି ॥ ୧୦୧
ତୁ ମୋତେ ଅନୁଗ୍ରହ କର । ଉଭୟ-ସଙ୍କଟୁ ଉଦ୍ଧର ॥ ୧୦୨
ନ ଜାଣି କଲି ଏଡେ଼ କର୍ମ । ଭୋ ବିପ୍ର ରଖ ମୋର ଧର୍ମ ॥ ୧୦୩
ନକର ମନେ ଆନ ବୁଦ୍ଧି । ଦକ୍ଷିଣା ଦେବି ହେମ-ନିଧି ॥ ୧୦୪
ନରକପଥୁଁ ରଖ ମୋତେ । ଏ ଧେନୁ ଦିଅ ତୋଷଚିତ୍ତେ ॥ ୧୦୫
ଶୁଣି ବୋଲଇ ପ୍ରତିଗ୍ରାହୀ । ଲକ୍ଷକେ ମୋର କାର୍ଯ୍ୟ ନାହିଁ ॥ ୧୦୬
ଏମନ୍ତ ବୋଲି ବିପ୍ର ଗଲା । ଆନ ଯେ ପ୍ରତିଗ୍ରାହୀ ଥିଲା ॥ ୧୦୭
ଅୟୁତେ ଦେଲି ତାକୁ ଧେନୁ । ତା ଦେଖି ବିପ୍ର କଲା ମନ୍ୟୁ ॥ ୧୦୮
ବୋଇଲି ଲକ୍ଷେ ନିଅ ତୁହି । ଶୁଣି କୋପିଲା ମୋତେ ଚାହିଁ ॥ ୧୦୯
ବୋଇଲା ପରୁଷ ବଚନେ । ନିନ୍ଦା ତୁ କଲୁ ମହାଜନେ ॥ ୧୧୦
କୋପେ ଚଳିଲା ନିଜ ଘରେ । ନିତ୍ୟେ ଆସଇ ମୋର ପୁରେ ॥ ୧୧୧
ପ୍ରତିଦିବସେ ବୋଧ କରି । ବୋଲଇ ବିପ୍ରପାଦ ଧରି ॥ ୧୧୨
କୋପେ ନ ଶୁଣେ ମୋ ବଚନ । ଏମନ୍ତେ ଗଲା କେତେଦିନ ॥ ୧୧୩
ଭୋ ନାଥ ଶୁଣ ଜନାର୍ଦ୍ଦନ । କାଳେ ମୁଁ ଛାଡିଲି ଜୀବନ ॥ ୧୧୪
ମରଣକାଳେ ଯମଦୂତେ । ମିଳିଲେ ମୋହର ଅଗ୍ରତେ ॥ ୧୧୫
ବନ୍ଧନ କରି ମୋର ଦେହୀ । ଯମ ନିକଟେ ଦେଲେ ନେଇ ॥ ୧୧୬
ତକ୍ଷଣେ ରବିର ନନ୍ଦନ । ଅନେକ କଲା ସନମାନ ॥ ୧୧୭
ପୁଣ୍ୟ-ପାତକ ବିଚାରିଲା । ଆନନ୍ଦେ ମୋତେ ଆଜ୍ଞା ଦେଲା ॥ ୧୧୮
ଶୁଣ ରାଜନ ପୁଣ୍ୟବନ୍ତ । କେ କରୁ ତୋର ପୁଣ୍ୟ ଅନ୍ତ ॥ ୧୧୯
କିଞ୍ଚିତ ପାପ ଅଛି ତୋର । ଯେ ଇଚ୍ଛା ଆଗେ ଭୋଗ କର ॥ ୧୨୦
ଶୁଭ-ଅଶୁଭ ଫଳ ଦୁଇ । ନିଶ୍ଚୟ ଭୋଗ ସେ କରଇ ॥ ୧୨୧
ବ୍ରହ୍ମା-ଶଙ୍କର ଦେହ ଧରି । ଅନ୍ୟଥା ନ ପାରନ୍ତି କରି ॥ ୧୨୨
ଏମନ୍ତ ଯମବାକ୍ୟ ଶୁଣି । ଆପଣା ଚିତ୍ତେ ପରିମାଣି ॥ ୧୨୩
ଅନେକ ଅଛି ପୁଣ୍ୟ ରାଶି । କିଞ୍ଚିତେ ପାତକ ପ୍ରକାଶି ॥ ୧୨୪
ଆଗ ଭୁଞ୍ଜିବି ପାପଭାର । ଏ ଦୁଃଖ ଘୋର ଭୟଙ୍କର ॥ ୧୨୫
ପଛେ ଭୁଞ୍ଜିବି ପୁଣ୍ୟ ମୁହିଁ । ଯମ ବୋଇଲେ ଦୂତେ ରାଇ ॥ ୧୨୬
ବ୍ରହ୍ମସ୍ୱ-ସାପ ମହାଘୋର । ଏହାକୁ କୃକଲାଶ କର ॥ ୧୨୭
ବନ-ଗହନ ଅନ୍ଧକୂପେ । ଅନେକ କାଳ ଥାଉ ପାପେ ॥ ୧୨୮
ଏମନ୍ତ ବୋଲୁଁ ବୋଲୁଁ ଯମ । ଲଭିଲି କୃକଲାଶ ଜନ୍ମ ॥ ୧୨୯
ଆତ୍ମା-ସଂଯୋଗ କାଳେ ମୁହିଁ । ଡାକିଲି କର ମୋତେ ତ୍ରାହି ॥ ୧୩୦
ତା ଶୁଣି ଯମ ଦୟା କଲା । ଡାକିଲି କର ମୋତେ ତ୍ରାହି ॥ ୧୩୧
ଏ ପାପଅନ୍ତେ ମହୀପାଳ । ଭେଟିବୁ ମଦନଗୋପାଳ ॥ ୧୩୨
ସେ କୃଷ୍ଣ-କର ଲାଗି ତୁହି । ତକ୍ଷଣେ ଦିବ୍ୟତନୁ ବହି ॥ ୧୩୩
ସ୍ୱର୍ଗେ ବସିବୁ ପୁଣ୍ୟବଳେ । ନିଜ ସୁକୃତ-ତପଫଳେ ॥ ୧୩୪
ଭୋନାଥ ତୋର ଆଜ୍ଞାବଳେ । କହିଲି ପଦ୍ମପାଦ ତଳେ ॥ ୧୩୫
ବିପ୍ରସେବକ ସମ ମତି । ତୋହର ପାଦେ ଚିତ୍ତବୃତ୍ତି ॥ ୧୩୬
ଏଣୁ ତୋହର ଦରଶନ । ନିରତେ ଚିନ୍ତଇ ମୋ ମନ ॥ ୧୩୭
ଜାତି ସୁମରି ଦୁଃଖ ସହି । ଏ ଅନ୍ଧ ରୂପେ ପଡ଼ିଲଇଁ ॥ ୧୩୮
ଏବେ ଦେଖିଲି ତୋ ଶ୍ରୀମୁଖ । ଖଣ୍ତିଲି ଜନ୍ମବନ୍ଧ-ଦୁଃଖ ॥ ୧୩୯
ଏ ପାପୁଁ ଉଦ୍ଧରିଲୁ ମୋତେ । କି ପୂଣ୍ୟେ ଦେଖିଲି ମୁଁ ତୋତେ ॥ ୧୪୦
ଭୋ ନାଥ ଚରଣ ତୋହର । ଯୋଗେଶ୍ୱରଙ୍କୁ ଅଗୋଚର ॥ ୧୪୧
ନିଜ ଅର୍ଜିତ ଦୃଢ଼ବନ୍ଧେ । ପାପ-ପଟଳ-ଚକ୍ଷୁ ଅନ୍ଧେ ॥ ୧୪୨
ମୁଁ ଅନ୍ଧକୂପ ମଧ୍ୟେ ଥାଇ । ଅନେକକାଳ ଦୁଃଖ ସହି ॥ ୧୪୩
ପାଇଲି ତବ ଦରଶନ । ଭୋ ନାଥ ରଖ ଭଗବାନ ॥ ୧୪୪
ଯାର ଦର୍ଶନେ ବନ୍ଧ ମୋକ୍ଷ । ସେ ମୋତେ ହୋଇଲା ପ୍ରତ୍ୟକ୍ଷ ॥ ୧୪୫
ତୁ ଦେବଦେବ ଜଗନ୍ନାଥ । ସୁହୃଦ ଆତ୍ମା ଦଇବତ ॥ ୧୪୬
ଗୋବିନ୍ଦ ପୁରୁଷ-ପୁରାଣ । ତୁ ହୃଷୀକେଶ ନାରାୟଣ ॥ ୧୪୭
ଅବ୍ୟୟ ଅଚ୍ୟୁତ ପ୍ରକାଶ । ତୋର ଚରିତ ପୁଣ୍ୟଯଶ ॥ ୧୪୮
ଏବେ ତୁ ଆଜ୍ଞାଦିଅ ମୋତେ । ନିଶ୍ଚିନ୍ତେ ଯିବି ପୁଣ୍ୟପଥେ ॥ ୧୪୯
ଯହିଁ ମୁଁ ଥିବି ବହି । ତୋର ଶରଣ ଭାବଗ୍ରାହୀ ॥ ୧୫୦
ତୋ ପାଦେ ମୋର ମନଥିବ । ଯାହା ନ ପାନ୍ତି ବ୍ରହ୍ମା-ଶିବ ॥ ୧୫୧
ନମସ୍ତେ ସର୍ବଭୂତ-ଦେହୀ । ବ୍ରହ୍ମ ଅନନ୍ତଶକ୍ତି ତୁହି ॥ ୧୫୨
ଶ୍ରୀକୃଷ୍ଣ ବସୁଦେବସୁତ । ତୁ ଯୋଗେଶ୍ୱର ଯୋଗତତ୍ତ୍ୱ ॥ ୧୫୩
ଏମନ୍ତ କହି ନୃଗରାଜା । କୃଷ୍ଣଚରଣେ କଲା ପୂଜା ॥ ୧୫୪
କିରୀଟ ଅଛି ଶିର ମଧ୍ୟେ । ନମିଲା କୃଷ୍ଣ ପଦ୍ମପାଦେ ॥ ୧୫୫
ତକ୍ଷଣେ ବସି ଦିବ୍ୟରଥେ । ବିଜୟ କଲା ଶୂନ୍ୟପଥେ ॥ ୧୫୬
ଦେଖନ୍ତି ଦିଗପାଳେ ମିଳି । ଜଳଦେ ଯେସନେ ବିଜୁଳି ॥ ୧୫୭
ରାଜା ମିଳିଲା ସ୍ୱର୍ଗପୁରେ । ଗୋବିନ୍ଦ ଅନ୍ଧକୂପ ଦ୍ୱାରେ ॥ ୧୫୮
ସ୍ୱଜନ ଚାହିଁ ଜନାର୍ଦ୍ଦନ । ବୋଲନ୍ତି ନିଗମ ବଚନ ॥ ୧୫୯
କ୍ଷତ୍ରୀୟ-ଶିକ୍ଷା ଧର୍ମବାଣୀ । ଯେ ଧର୍ମଶାସ୍ତ୍ର ପରିମାଣି ॥ ୧୬୦
ବିପ୍ର-ବତ୍ସଳ ଦାମୋଦର । ବୋଲନ୍ତି ଶୁଣ ସର୍ବବୀର ॥ ୧୬୧
ଦେଖ ଦୁର୍ଜୟ ବ୍ରହ୍ମଧନ । ଅନଳେ ନୁହଇ ଦହନ ॥ ୧୬୨
ରାଜ୍ୟଈଶ୍ୱର ରାଜା ହୋଇ । କେ ପାର କରେ ତାହା ଖାଇ ॥ ୧୬୩
ଗରଳ ହଳାହଳ ବିଷ । ମୁଁ ତାହା ମଣଇ ଉଶ୍ୱାସ ॥ ୧୬୪
ଯାହାର ପ୍ରତିକାର ଥାଇ । ତାର ଭକ୍ଷଣେ ଭୟ ନାହିଁ ॥ ୧୬୫
ବ୍ରହ୍ମସ୍ୱ ମହାବିଷ ହୋଇ । ତାହାର ପ୍ରତିକାର ନାହିଁ ॥ ୧୬୬
ବିଷ ଭକ୍ଷିଲେ ଜଣେ ମରେ । ବ୍ରହ୍ମସ୍ୱ ବଂଶନାଶ କରେ ॥ ୧୬୭
ଯେ ବନ ଦହଇ ଅନଳ । ରକ୍ଷା କରଇ ତହିଁ ଜଳ ॥ ୧୬୮
ବ୍ରହ୍ମସ୍ୱ-ଅଗ୍ନି ଏ ସଂସାରେ । ସମୁଳେ ବଂଶ ନାଶ କରେ ॥ ୧୬୯
ବ୍ରହ୍ମସ୍ୱ-ଅଗ୍ନି ତେଜ ଯେତେ । କେ ଲଘିଂ ପାରିବ ଜଗତେ ॥ ୧୭୦
ବାହ୍ମଣଧନ ଯେତୁ ଗ୍ରାସେ । ତିନିପୁରୁଷ ତାର ନାଶେ ॥ ୧୭୧
ତାତ ଜନନୀ ବେନିବଂଶ । ଉଭୟକୁଳ କରେ ନାଶ ॥ ୧୭୨
ଆତ୍ମା ସହିତେ କରେ ନାଶା । ଏ କଥା ଦେବରେ ପ୍ରକାଶ ॥ ୧୭୩
ବ୍ରାହ୍ମଣଧନ ଯେହୁ ହରେ । ପଡେ଼ ନରକ ତମଘୋରେ ॥ ୧୭୪
କ୍ଷତ୍ରିୟ ରାଜପଣ ପାଇ । ଆତ୍ମାର ଗତି ନ ଜାଣଇ ॥ ୧୭୫
ବ୍ରାହ୍ମଣଧନ ସ୍ୱାଦୁ ମଣି । ବଳେ ହରନ୍ତି ଯେତେ ପ୍ରାଣୀ ॥ ୧୭୬
ନିରତେ ସୁଖ ପ୍ରାୟ ମଣି । ପଢ଼ନ୍ତି ତମ-ତରଙ୍ଗିଣୀ ॥ ୧୭୮
ଅନ୍ନ ନ ପାଇ ବିପ୍ରଜନ । ବିକଳେ କରନ୍ତି ରୋଦନ ॥ ୧୭୯
ବିପ୍ରରୋଦନ ଲୁହ ପଡ଼ି । ଭୂମିରେ ଯେତେ ରେଣୁ ଜଡ଼ି ॥ ୧୮୦
ତାବତ କଳ୍ପ ମହାଘୋରେ । ନରକେ ପଡଇ ନିର୍ଭରେ ॥ ୧୮୧
ସେ ନିରଙ୍କୁ ହୋଇ ନର୍କେ । ଅନ୍ତେ ପଡ଼ଇ କୁମ୍ଭୀପାକେ ॥ ୧୮୨
ସ୍ୱଦତ୍ତ-ପରଦତ୍ତ-ବୃତ୍ତି । ଯେ ଅଜ୍ଞାନେ ହରନ୍ତି ॥ ୧୮୩
ଷାଠିଏ-ସହସ୍ର-ବରଷ । ବିଷ୍ଠାନେ କୃମି ରୂପେ ବାସ ॥ ୧୮୪
ମୋହର ବଂଶେ ଯେତେ ଜନ । ବଳେ ହରିବେ ବିପ୍ରଧନ ॥ ୧୮୫
ତାହାର ନାହିଁ ଭଲ ଗତି । ହସି ବୋଲନ୍ତି ଶିରୀପତି ॥ ୧୮୬
ମୋହର ବଂଶେ ଯେତେ ଜନ । ବିପ୍ରେ ନ କର ଅପମାନ ॥ ୧୮୭
ବ୍ରାହ୍ମଣେ କଲେ ଅପରାଧ । ବେଗେ ବନ୍ଦିବ ତାଙ୍କ ପାଦ ॥ ୧୮୮
ମାରନ୍ତେ ଶନ୍ତିରେ ସହିବ । କେବେହେଁ କୋପ ନ କରିବ ॥ ୧୮୯
ବିପ୍ର ଗ୍ରାସିବ ଲୋଭେ ଯାହା । ସାତ୍ତ୍ୱିକମତେ ଦେବ ତାହା ॥ ୧୯୦
ମୁହିଁ ଯେମନ୍ତ ବିପ୍ରପାଦେ । ସର୍ବଦା ନମଇଁ ଆନନ୍ଦେ ॥ ୧୯୧
ତୁମ୍ଭେ ନମିଦ ସେହିମତେ । ନୋହିଲେ ଦଣ୍ତ ମୋର ହସ୍ତେ ॥ ୧୯୨
ଅପହରଣେ ବିପ୍ରଧାନ । ନିଶ୍ଚୟେ ନରକେ ପତନ ॥ ୧୯୩
ଅଜ୍ଞାନେ ନୃଗରାଜା ହରି । ଏତେ ନରକ ଭୋଗ କରି ॥ ୧୯୪
ଯେଣୁ ତାହାର ପୂଣ୍ୟ ଥିଲା । ମୋହର ହସ୍ତେ ସେ ଲାଗିଲା ॥ ୧୯୫
ଦେଖିଲ ତୁମ୍ଭେ ମୋର ଆଗେ । କହି ଚଳିଲା ସ୍ୱର୍ଗମାର୍ଗେ ॥ ୧୯୬
ଏମନ୍ତ କହି ନିଜ ଜନେ । ମୁକୁନ୍ଦ ମିଳିଲେ ସଦନେ ॥ ୧୯୭
ଯାହାର ନାମ ପାପବନ । ଶ୍ରବଣେ କରଇ ଦହନ ॥ ୧୯୮
ଶୁଣ ହୋ ଅଭିମନ୍ୟୁବାଳ । ସାଧୁଙ୍କ ଦରଶନ ଫଳ । ୧୯୯
ନୃଗ ନରକୁ ପାର ହେଲା । ଦେବଭବନେ ଭୋଗ କଲା ॥ ୨୦୦
ସାଧୁଙ୍କ ମୁଖ ଦରଶନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୨୦୧
ସ୍ତୁତିବଚନ ଅଙ୍ଗସଙ୍ଗ । ପବିତ୍ରକରେ ନିଜ ଅଙ୍ଗ ॥ ୨୦୨
ଲଭେ କୋଟିଏ ତୀର୍ଥଫଳ । ଯେ କରେ ସାଧୁସଙ୍ଗେ ମେଳ ॥ ୨୦୩
ତୁ ଏହା ଜାଣି ସାଧୁମେଳେ । ଏ କାଳ ବଞ୍ଚ ସୁଖଭୋଳେ ॥ ୨୦୪
ବ୍ରାହ୍ମଣଧନ ତୁ ନ ହର । ଅମୃତେ ଯେବେ ତୋର ॥ ୨୦୫
ବୋଲଇ ବିପ୍ର ଜଗନ୍ନାଥ । ନିବେଶି କୃଷ୍ଣପାଦେ ଚିତ୍ତ ॥ ୨୦୬
ଭବଜଳଧି ମଧ୍ୟେ ଥାଇ । ଭାବ ଅଭାବ ନ ଜାଣଇ ॥ ୨୦୭
ସୁଜନେ କୃଷ୍ଣପାଦେ ରସ । କହଇ ଜଗନ୍ନାଥ ଦାସ ॥ ୨୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ନୃଗ ଉପାଖ୍ୟାନଂ ନାମ
ଏକୋନସପ୍ତତିତମ ଅଧ୍ୟାୟଃ ॥
</poem>
==='''ସପ୍ତତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ କୁରୁବୀର । ଦ୍ୱାରକାପୁରେ ହଳଧର ॥ ୧
ସୁହୃଦ ଦରଶନ ସଧେ । ବିଜୟ ତାଳଧ୍ୱଜ ମଧ୍ୟେ ॥ ୨
ନିଜ ସେବକ ସଙ୍ଗମେଳେ । ମିଳିଲେ ନନ୍ଦର ଗୋକୁଳେ ॥ ୩
ରାମର ଆଗମନ ଶୁଣି । ଗୋପାଳେ ଗୋପର ତରୁଣୀ ॥ ୪
ମିଳିଲେ ରାମର ଛାମୁରେ । ମଙ୍ଗଳଦ୍ରବ୍ୟ ଘେନି କରେ ॥ ୫
ଆନନ୍ଦେ ରୋହିଣୀନନ୍ଦନ । ଗୋପଙ୍କୁ କଲେ ଆଲିଙ୍ଗନ ॥ ୬
ଗୋପି ମିଳିଲେ ଭାବଭରି । ରାମଚରଣ ହୃଦେ ଧରି ॥ ୭
ଶିର-ବଦନେ ଚାପି ପାଦ । ଛାଡିଲେ ଚିର ମନଖେଦ ॥ ୮
ହରଷେ ରେବତୀରମଣ । ବନ୍ଦିଲେ ନନ୍ଦନଚରଣ ॥ ୯
ଯଶୋଦା ପାଦତଳେ ପଡ଼ି । ଶୋକବଦନେ କରଯୋଡି ॥ ୧୦
ନନ୍ଦଯଶୋ ସୁଖଭୋଳେ । ରାମଙ୍କୁ ବସାଇଲେ କୋଳେ ॥ ୧୧
ଚିରବିଚ୍ଛେଦେ ହୃଦେ ଜାକି । ଅଶ୍ରୁପୂରିତ ବେନି ଆଖି ॥ ୧୨
ବଦନୁ ନ ସ୍ପୁରେ ବଚନ । ନିବିଡେ କଲେ ଆଲିଙ୍ଗନ ॥ ୧୩
ବୋଲନ୍ତି ଶୋକଭର ହୋଇ । ଜଗଦୀଶ୍ୱର ତୁମ୍ଭେ ଦୁଇ ॥ ୧୪
ନିରାଶ କଲ ମୋର ଘର । ମୁଁ ଏବେ ଶରଣ ତୁମ୍ଭର ॥ ୧୫
ଗୋପନଗର ବୃଦ୍ଧ ଜଣେ । ମିଳିଲେ ରାମ ସନ୍ନିଧାନେ ॥ ୧୬
ରାମ ନମିଲେ ଜଣେ ଜଣେ । ଗୋପାଳବୃଦ୍ଧଙ୍କ ଚରଣେ ॥ ୧୭
ତୁଲ୍ୟବୟସ ଗୋପଜନେ । ସଙ୍ଗେ ଯେ ଥିଲେ ବୃନ୍ଦାବନେ ॥ ୧୮
ରାମଙ୍କୁ ଦେଖି ସ୍ନେହଭରେ । କୋଳ କରନ୍ତି ସୁଖଭୋଳେ ॥ ୧୯
ସ୍ନେହବନ୍ଧନେ ବନ୍ଧୁସଙ୍ଗେ । ରାମ ଯେ ଥିଲେ ନାନାରଙ୍ଗେ ॥ ୨୦
ନିବିଡେ଼ ଭିଡ଼ି କୋଳ କଲେ । ଆନନ୍ଦସାଗରେ ବୁଡ଼ିଲେ ॥ ୨୧
ଏମନ୍ତେ ଜଣେ ଜଣେ କୋଳ । କରି ବସିଲେ ଏକମେଳ ॥ ୨୨
କ୍ଷୀର-ପାୟସ-ମଧୁରସେ । ରାମଙ୍କୁ ଭୁଞ୍ଜାଇ ହରଷେ ॥ ୨୩
ବିଶ୍ରାମ କରାଇ ଗୋପାଳେ । ବସି ପୁଛନ୍ତି ଏକମେଳେ ॥ ୨୪
ନେତ୍ରେ ପୂରିତ ଅଶ୍ରୁଜଳ । ପୁଛନ୍ତି ବନ୍ଧୁଙ୍କ କୁଶଳ ॥ ୨୫
କୃଷ୍ଣଚରଣେ ମନ ଦେଇ । ସମ୍ଭ୍ରମେ ନ ପାରନ୍ତି କହି ॥ ୨୬
ବିଷୟସୁଖ ନ ଜାଣନ୍ତି । କୃଷ୍ଣକୁଶଳ ପଚାରନ୍ତି ॥ ୨୭
ହେ ରାମ କମଳଲୋଚନ । କହ ତୁ ଯାଉ ଖେଦମନ ॥ ୨୮
କୃଷ୍ଣ ଯେ ଗଲେ ମଧୁବନ । ତାର ସଙ୍ଗତେ ଆମ୍ଭ ମନ ॥ ୨୯
ବନ୍ଦୀ ହୋଇଲା ପ୍ରେମଭୋଳେ । ଏବେ ନ ଦେଖୁ ଚର୍ମଡୋଳେ ॥ ୩୦
ପୁତ୍ର କଳତ୍ର ଧନ ପାଇ । ଆମ୍ଭ ସ୍ମରଣ ତାର କାହିଁ ॥ ୩୧
ଆମ୍ଭର ଭାଗ୍ୟେ ମଲା କଂସ । ନିଶ୍ଚିନ୍ତ ହେଲା ଯଦୁବଂଶ ॥ ୩୨
ସକଳ ରିପୁବଳ ମାରି । ଦ୍ୱାରକାପୁରେ ବିଜେ କରି ॥ ୩୩
ସୁଖେ ଅଛନ୍ତି ଯଦୁନାଥ । ଏଣୁଟି ଆମ୍ଭେ ଭାଗ୍ୟବନ୍ତ ॥ ୩୪
ଗୋପୀଏ ରାମଙ୍କୁ ଅନାଇଁ । ବୋଲନ୍ତି ସ୍ନେହଭର ହୋଇ ॥ ୩୫
ହେ ରାମ କହ କୃଷ୍ଣକଥା । ଯେଣେ ଛାଡ଼ିବ ମନୁ ବ୍ୟଥା ॥ ୩୬
ଭଲେ କି ଛନ୍ତି ପଦ୍ମନାଭ । ମଥୁରାନାରୀଙ୍କ ବଲ୍ଲଭ ॥ ୩୭
ମାତା ଯଶୋଦା ନନ୍ଦ ପିତା । ଏହାଙ୍କୁ କରେଟିକି ଚିନ୍ତା ॥ ୩୮
ଆମ୍ଭେ ତାହାଙ୍କୁ ଭଲେ ଜାଣି । ସୁହୃଦ୍ପଣେ ପରିମାଣି ॥ ୩୯
ତାହାର ଅର୍ଥେ ଆମ୍ଭ ଦୁଃଖ । କହିବୁ ଶୁଣ ଚନ୍ଦ୍ରମୁଖ ॥ ୪୦
ମାତା ପିଅର ଭ୍ରାତୃଗଣ । ପତି ତନୟ ଗୁରୁଜନ ॥ ୪୧
ତାର ଆନନ୍ଦେ ଆମ୍ଭେ ଛାଡ଼ି । ନିରତେ ପ୍ରିୟଭାବେ ବୁଡ଼ି ॥ ୪୨
ସକଳ ଛାଡ଼ି ତା ବିଶ୍ୱାସ । ହୋଇଲୁ କଲା ସେ ନିରାଶ ॥ ୪୩
କ୍ଷଣକେ ଛାଡ଼ି ଆମ୍ଭ ଭାବ । ନିର୍ଦ୍ଦୟ ହୋଇଲେ ମାଧବ ॥ ୪୪
ମଥୁରାପୁର ବଧୂଜନ । ମଧୂରେ କହନ୍ତି ବଚନ ॥ ୪୫
କ୍ଷଣସୁହୃଦ କୂଟମତି । କେମନ୍ତେ ବିଶ୍ୱାସ କରନ୍ତି ॥ ୪୬
ତାହାର ଆତ୍ମା ତାର ନୋହେ । ଭକତଜନ ତାକୁ ମୋହେ ॥ ୪୭
କୃତଘ୍ନଭାବ ଦୁଷ୍ଟମତି । ମଥୁରାନାରୀ ନ ଜାଣନ୍ତି ॥ ୪୮
ତାହାର ବିଚିତ୍ରବଚନ । ସସ୍ମିତ ଅନଙ୍ଗବର୍ଦ୍ଧନ ॥ ୪୯
ଦେଖିଲେ ହୋଏ ମୋହଗତ । ଅନଙ୍ଗବାଣେ ଜଡ଼ି ଚିତ୍ତ ॥ ୫୦
କେତେ କହିବୁ ତାର ଗୁଣ । ବୋଲନ୍ତି ସଖୀଜନେ ଶୁଣ ॥ ୫୧
ତାହାର କଥା କିମ୍ପା କହ । ଶୁଣନ୍ତେ ଦହେ ପ୍ରାଣ ଦେହ ॥ ୫୨
ଆମ୍ଭେ ଯେ ନାହୁଁ ତାର ସଙ୍ଗେ । ଏତେ ଦିବସ ନାନାରଙ୍ଗେ ॥ ୫୩
ସେ ଯେ ଆମ୍ଭର ସଙ୍ଗେ ନାହିଁ । କାଳ କି ଅଛି ସ୍ଥିର ହୋଇ ॥ ୫୪
ଏମନ୍ତ ସ୍ନେହଭର ହୋଇ । କୃଷ୍ଣର ରୂପେ ମନ ଦେଇ ॥ ୫୫
କୃଷ୍ଣର ହସିତବଦନ । ମୋହ୍ନ ଗଭୀର ବଚନ ॥ ୫୬
କଟାକ୍ଷଦୃଷ୍ଟି ଚିତ୍ରଗତି । ପ୍ରେମ ଆଲିଙ୍ଗନ ସୁରତି ॥ ୫୭
କାନ୍ଦନ୍ତି କୃଷ୍ଣଭାବ ବହି । ସଙ୍କରଷଣ ତାହା ଚାହିଁ ॥ ୫୮
କୃଷ୍ଣର ଯଶକଥାମାନ । କହି ତୋଷିଲେ ତାଙ୍କ ମନ ॥ ୫୯
ନାନା ବିଶ୍ୱାସବାକ୍ୟେ ରାମ । ଗୋପୀଙ୍କ ଚିତ୍ତ କଲେ ସାମ ॥ ୬୦
ସେ ରାମ ଗୋପୀଙ୍କ ବିଶ୍ୱାସ । ଗୋପେ ରହିଲେ ବେନିମାସ ॥ ୬୧
ମଧୁମାଧବ ମାସ ବେନି । ଗୋପୀଙ୍କ ପ୍ରିୟଭାବ ଘେନି ॥ ୬୨
ସେ ରାମ ଯୋଗମାୟା ବଳେ । ଗୋପକାମିନୀ ସଙ୍ଗେ ମେଳେ ॥ ୬୩
ନିତ୍ୟେ ରଜନୀକାଳ ବେଳେ । ଗୋପକାମିନୀ ସଙ୍ଗେ ଖେଳେ ॥ ୬୪
ବିସ୍ତାରି ଯୋଗମାୟା ଗତି । ଯମୁନାକୂଳେ ଯଦୁପତି ॥ ୬୫
ଚନ୍ଦ୍ରକିରଣ ବୃନ୍ଦାବନ । ସୁଗନ୍ଧ ବହଇ ପବନ ॥ ୬୬
କାମିନୀଗଣ ମଧ୍ୟେ ବସି । ତାରାମଣ୍ତଳେ ଯେହ୍ନେ ଶଶୀ ॥ ୬୭
ଏମନ୍ତେ ପରୀକ୍ଷିତ ଶୁଣ । ଜଳଧିପତି ଯେ ବରୁଣ ॥ ୬୮
ବାରୁଣୀ ନାମେ ତା ନନ୍ଦିନୀ । ରାମର ପ୍ରିୟଭାବ ଘେନି ॥ ୬୯
ବରୁଣ-ବିଶ୍ୱାସ ବଚନେ । ବେଗେ ମିଳିଲା ବୃନ୍ଦାବନେ ॥ ୭୦
ବୃକ୍ଷକ୍ରୋଟରୁ ସୁଧାରୂପେ । ବହିଲା ରାମର ସମୀପେ ॥ ୭୧
ତାର ସୁଗନ୍ଧେ ବନ ବାସେ । ରାମ ମିଳିଲେ ଦେଖି ପାଶେ ॥ ୭୨
ଗୋପୀ ସହିତେ ବଳରାମ । ଆନନ୍ଦେ କଲେ ମଧୁପାନ ॥ ୭୩
ବାରୁଣୀପାନେ ଭୋଳ ହୋଇ । ଗୋପୀଏ ରାମ ଯଶ ଗାଇ ॥ ୭୪
ନାନା କୌତୁକେ ସେ କାନନେ । ରାମଙ୍କୁ ସେବି ଶୁଦ୍ଧମନେ ॥ ୭୫
ବୁଲନ୍ତି ରାମ ବୃକ୍ଷତଳେ । ବାରୁଣୀପାନେ ମତ୍ତଭୋଳେ ॥ ୭୬
ମଦ୍ୟେ ମୁଦ୍ରିତ ବେନି ଆଖି । ମତ୍ତକୁଞ୍ଜର ପ୍ରାୟ ଲକ୍ଷ୍ୟ ॥ ୭୭
ଶୋଭିତ ଶ୍ରବଣେ କୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥ ୭୮
ମୁଖକମଳେ ମନ୍ଦହାସ । ଝାଳେ ଜଡ଼ିତ ନୀଳବାସ ॥ ୭୯
ରବିକିରଣେ ଶ୍ରମ ପାଇ । ବୋଲନ୍ତି ଯମୁନାକୁ ଚାହିଁ ॥ ୮୦
ଆସ କାଳିନ୍ଦୀ ମୋର ପାଶ । ଶକଳ ଶ୍ରମ କର ନାଶ ॥ ୮୧
ତୋ ଜଳେ କରି ଅବଗାହ । ଶ୍ରମ ନ ରହୁ ମୋର ଦେହ ॥ ୮୨
ଯମୁନା ରାମବାଣୀ ଶୁଣି । ମଦିରାମତ୍ତ ପ୍ରାୟ ମଣି ॥ ୮୩
ଅବଜ୍ଞା କରି ରାମବାଣୀ । ତରଳେ ବହେ ତରଙ୍ଗିଣୀ ॥ ୮୪
ତା ଦେଖି ରାମ କୋପଭରେ । ତୀକ୍ଷ୍ଣ ଲଙ୍ଗଳ ଧରି କରେ ॥ ୮୫
କାଳିନ୍ଦୀ ମଧ୍ୟେ ହଳ ସ୍ଥାପି । କୋପେ ବୋଲନ୍ତି ବିଶ୍ୱରୂପୀ ॥ ୮୬
ରେ ପାପୀ ଏଡେ଼ ଗର୍ବ ତୋର । ଅବଜ୍ଞା କଲୁ ବାକ୍ୟ ମୋର ॥ ୮୭
ତୁ ମୋତେ କରୁ ଅବହେଳ । ଆଜ ପାଇବୁ ପ୍ରତିଫଳ ॥ ୮୮
ଲଙ୍ଗଳ ଅଗ୍ରେ ତୋତେ ଧରି । କାଟିବି ଶତଖଣ୍ତ କରି ॥ ୮୯
ନିଶ୍ଚେ ମରିବୁ ଆଜ ତୁହି । ଆଜ୍ଞା ଭାଙ୍ଗିଲୁ ଗର୍ବ ବହି ॥ ୯୦
ଏମନ୍ତ ରାମବାକ୍ୟ ଶୁଣି । ଭୟେ ବୋଲଇ ତରଙ୍ଗିଣୀ ॥ ୯୧
ଲହରୀ ବ୍ୟାଜେ ବେନିକରେ । ମିଳିଲା ରାମର ପୟରେ ॥ ୯୨
କମଳ ଉପହାର ମୁଖେ । ରାମଙ୍କୁ ବୋଲେ ଭୟଦୁଃଖେ ॥ ୯୩
ହେ ରାମ ରାମ ମହାଭୁଜ । ମୁହିଁ ନ ଜାଣେ ତୋର ତେଜ ॥ ୯୪
ତୋହର ଏକ ଅଂଶେ ମହୀ । ମୁକୁଟ ଶିରେ ଅଛି ହୋଇ ॥ ୯୫
ଜଗତପତି ମହୀଧର । ଭୋ ନାଥ ଶରଣ ମୁଁ ତୋର ॥ ୯୬
ତୋର ମହିମା ଭଗବାନ । ନ ଜାଣି କଲି ଅବଜ୍ଞାନ ॥ ୯୭
ପଶିଲି ତୋହରେ ଶରଣେ । ସୁନ୍ଦର ଅଭୟଚରଣେ ॥ ୯୮
ତୁ ନାଥ ଭକତବତ୍ସଳ । ଶରଣ ରଖ ଆଦିମୂଳ ॥ ୯୯
ଏମନ୍ତ ନଦୀବାକ୍ୟ ଶୁଣି । ହଳ ସଂହରି ହଳପାଣି ॥ ୧୦୦
ସକଳ ଗୋପନାରୀ ମେଳେ । ପଶିଲେ ଯମୁନାର ଜଳେ ॥ ୧୦୧
କରିଣୀଯୂଥେ ଗଜବର । ଯେହ୍ନେ ଦିଶଇ ମନୋହର ॥ ୧୦୨
ନିଶ୍ଚିନ୍ତେ ଜଳକ୍ରୀଡ଼ା ସାରି । କୂଳେ ମିଳିଲେ ହଳଧାରୀ ॥ ୧୦୩
ତକ୍ଷଣେ ରବିର ନନ୍ଦିନୀ । ନିର୍ମଳ ନୀଳବସ୍ତ୍ର ଘେନି ॥ ୧୦୪
ରାମର କରେ ଦେଲା ଆଣି । ଭୂଷଣ ନାନାରତ୍ନମଣି ॥ ୧୦୫
ନୀଳକମଳମାଳ ଗଳେ । ଦେଇ ନମିଲା ପାଦତଳେ ॥ ୧୦୬
ନୀଳବସନ ଅନୁପମ । ଆନନ୍ଦେ ପିନ୍ଧି ବଳରାମ ॥ ୧୦୭
ଭୂଷଣ ନାନାରତ୍ନକୁଳ । ହୃଦେ ଲମ୍ବାଇ ବନମାଳ ॥ ୧୦୮
ଗନ୍ଧ ଚନ୍ଦନ ଲେପି ଦେହେ । ଦିଶିଲେ ଇନ୍ଦ୍ରହସ୍ତୀ ପ୍ରାୟେ ॥ ୧୦୯
ଶୁମ ହେ ଅଭିମନ୍ୟୁସୁତ । ଯମୁନାକୂଳେ ରାମକୃତ୍ୟ ॥ ୧୧୦
ଅଦ୍ୟାପି ବୃନ୍ଦାବନ ଦେଶେ । ଯମୁନା ବକ୍ରେ ବହି ଆସେ ॥ ୧୧୧
ଅନନ୍ତବଳୀ ବଳରାମ । ତାର ଚରିତ ଅନୁପମ ॥ ୧୧୨
ଯମୁନାତଟେ ବୃନ୍ଦାବନେ । ଏବେ ତୁ ଶୁଣ ସାବଧାନେ ॥ ୧୧୩
ଏମନ୍ତ କରି କ୍ରୀଡ଼ାରସ । ରାମ ରହିଲେ ବେନିମାସ ॥ ୧୧୪
ଯେତେ ରଜନୀ ବେନିମାସେ । ଗୋପୀଏ ବୃନ୍ଦାବନ ଦେଶେ ॥ ୧୧୫
ରାମର ପ୍ରିୟଭାବେ ମିଶି । ଜାଣନ୍ତି ଗଲା ଏକ ନିଶି ॥ ୧୧୬
ସେ ରାମ ପାଦପଦ୍ମତଳେ । ସୁଜନେ ଚିନ୍ତ ଧ୍ୟାନବେଳେ ॥ ୧୧୭
ଅନନ୍ତ ଚରିତ ଅମୃତ । କହଇ ବିପ୍ର ଜଗନ୍ନାଥ ॥ ୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ବିଜୟେ ଯମୁନାକର୍ଷଣଂ ନାମ
ସପ୍ତତିତମ ଅଧ୍ୟାୟଃ ॥
</poem>
==='''ଏକସପ୍ତତିତମ ଅଧ୍ୟାୟ'''===
<poem>
ଆନନ୍ଦମନେ ବ୍ୟାସସୁତ । ବୋଲନ୍ତି ଶୁଣ ପରୀକ୍ଷିତ ॥ ୧
ଗୋପେ ଯେ ଗଲେ ହଳହସ୍ତ । ଏବେ ହୋ ଶୁଣ ଭାଗବତ ॥ ୨
ପୌଣ୍ତ୍ରକ ନାମେ ନୃପବର । କରୁଷ ଦେଶେ ତାର ଘର ॥ ୩
କୃଷ୍ଣର ଜନ୍ମକର୍ମବାଣୀ । ଶୁଣି ନିରତେ ମନେ ଗୁଣି ॥ ୪
ନିର୍ଗୁଣବ୍ରହ୍ମ ଯେବେ ଅଂଶେ । ଜନ୍ମ ହୋଇଲେ ଯଦୁବଂଶେ ॥ ୫
କେମନ୍ତେ ଦେଖିବି ଲୋଚନେ । ନିତ୍ୟେ ଭାବଇ ଶୁଦ୍ଧମନେ ॥ ୬
ଏତେ ବିଚାରି ହୃଷ୍ଟମନ । ଶରୀରେ ବହେ କୃଷ୍ଣଚିହ୍ନ ॥ ୭
ନିଜଜନଙ୍କୁ ପାଶେ ରାଇ । ବୋଲଇ ବିଶ୍ୱାସ କରାଇ ॥ ୮
ଅଟଇ ମୁହିଁ ବାସୁଦେବ । ମୋର ଚରଣେ ତୁମ୍ଭେ ସେବ ॥ ୯
ତୁମ୍ଭେ ତ ପ୍ରଜାଜନେ ମୋର । ଦେଖ ମୋହର କଳେବର ॥ ୧୦
ମୁହଁଟି ଦେବ ଜନାର୍ଦ୍ଦନ । ଦେଖ ମୋହର ବର୍ଣ୍ଣ ଚିହ୍ନ ॥ ୧୧
ଏମନ୍ତ ପ୍ରଜାଗଣେ କହି । କୃଷ୍ଣର ପ୍ରାୟ ସଜ ହୋଇ ॥ ୧୨
ବହଇ କୃଷ୍ଣର ସ୍ୱଭାବ । ବୋଲଇ ମୁହିଁ ବାସୁଦେବ ॥ ୧୩
ଯେ ମୋତେ ନ ବୋଲିବ ହରି । ତାହାକୁ ପକାଇବି ମାରି ॥ ୧୪
ଧନ ସମ୍ପଦ ଦେବି ବଳେ । ତା ଶୁଣି ପ୍ରଜାଏ ବିକଳେ ॥ ୧୫
ବୋଲନ୍ତି ତୁ ସେ ନାରାୟଣ । ଅନାଦି ପରମକାରଣ ॥ ୧୬
ତୋହର ଅଂଶେ ସୁରଦେବା । ତୋର ଚରଣେ ଆମ୍ଭ ସେବା ॥ ୧୭
ଏମନ୍ତେ ପ୍ରଜା ତାର ପୁରେ । ବିଶ୍ୱାସେ ସେବନ୍ତି ପୟରେ ॥ ୧୮
ନାମ ଜପନ୍ତି ତାର ନିତି । ନିରତେ ଚରଣେ ସେବନ୍ତି ॥ ୧୯
ଏମନ୍ତେ କେତେଦିନ ଗଲା । ପୌଣ୍ତ୍ରକ ମନେ ବିଚାରିଲା ॥ ୨୦
ନିଶ୍ଚୟେ ମୁହିଁ ଜଗଦୀଶ । ସକଳ ଦେହରେ ପ୍ରକାଶ ॥ ୨୧
ଏତେ ବିଚାରି ଦୂତେ ରାଇ । ତାହାର ହସ୍ତେ ଲେଖ ଦେଇ ॥ ୨୨
ବୋଲଇ ଯାଅ ଯଦୁପୁର । କହିବୁ କୃଷ୍ଣର ଛାମୁର ॥ ୨୩
ଜଗତେ ମୋର ଅବତାର । ନାଶିବି ଅବନୀର ଭାର ॥ ୨୪
ମୁଁ ବ୍ରହ୍ମ ପରମକାରଣ । ଅନାଦି ପୁରୁଷ ପୁରାଣ ॥ ୨୫
ମୋହର ଅଛି ଚାରି କର । ମୁହଁଟି ଶଙ୍ଗଚକ୍ରଧର ॥ ୨୬
ଗଦା କମଳ କରେ ଘେନି । ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି ॥ ୨୭
ପୀତବସନ ବନମାଳ । କର୍ଣ୍ଣେ ମୋ ମକରକୁଣ୍ତଳ ॥ ୨୮
କିରୀଟ ବଳୟ କଙ୍କଣ । ବିଜୟ ଗରୁଡ଼ ଆସନ ॥ ୨୯
ମୋ ତହୁଁ ପରେ ନାହିଁ କେହି । ମୁହିଁ ସକଳଜୀବ-ଦେହୀ ॥ ୩୦
ପ୍ରାଣୀଙ୍କି ଦୟା ବହି ଚିତ୍ତେ । ମୋହର ଜନ୍ମ ଏ ଜଗତେ ॥ ୩୧
ନାଶିବି ଅବନୀର ଭାର । ତୁ ବେଗେ ଛାଡ଼ ଚିହ୍ନ ମୋର ॥ ୩୨
ମିଛେ ହେଁ ବୋଲୁ କୃଷ୍ଣ ମୁହିଁ । ତୋ କଥା ଭଲେ ମୁଁ ଜାଣଇ ॥ ୩୩
ଏବେ ତୁ ମୋର ଚିହ୍ନ ଛାଡ଼ି । ମୋହର ପାଦେ କରଯୋଡ଼ି ॥ ୩୪
ଶରଣ ପଶ ଆସି ବେଗେ । ତୋର ଜୀବନ ମୋର ଭାଗେ ॥ ୩୫
ଯେବେ ନ ପଶିବୁ ଶରଣ । ମୋହର ତୁଲେ କର ଗଣ ॥ ୩୬
ଜିଣିଲେ ବାସୁଦେବ ତୁହି । ତୁ ମଲେ ବାସୁଦେବ ମୁହିଁ ॥ ୩୭
ଏମନ୍ତ କହି ଦୂତ ଆଗେ । ବୋଲେ ଦ୍ୱାରକା ଯାଅ ବେଗେ ॥ ୩୮
ତାହାର ଆଜ୍ଞା ଘେନି ଶିରେ । ଦୂତ ମିଳିଲା ଯଦୁପୁରେ ॥ ୩୯
କୃଷ୍ଣର ସଭାମଧ୍ୟେ ଯାଇ । କହିଲା ଶିରେ କର ଦେଇ ॥ ୪୦
ଲେଖପ୍ରମାଣେ ତାର ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୪୧
ଅଳପ ହସି ଭଗବାନ । ଦୂତ ବଚନେ ଅବଧାନ ॥ ୪୨
ଶୁଣି ହସିଲେ ଉଗ୍ରସେନ । ସଭାର ମଧ୍ୟେ ଯେତେ ଜନ ॥ ୪୩
ଏକ ଆରକେ ମୁଖ ଚାହିଁ । ହସିଲେ କରତାଳି ଦେଇ ॥ ୪୪
ଦୂତକୁ ଚାହିଁ ଚକ୍ରପାଣି । ବୋଲନ୍ତି ପରିହାସ ବାଣୀ ॥ ୪୫
ରେ ଦୂତ ଶୁଣ ମୋ ବଚନ । ମୋହର ବାସୁଦେବ ଚିହ୍ନ ॥ ୪୬
ମୂଢ଼ବଚନ ଉପଲକ୍ଷ୍ୟ । ନିଶ୍ଚେ ଛାଡ଼ିବି ତାକୁ ଦେଖି ॥ ୪୭
ମୋହର ଚିହ୍ନ-ବେଶ ବହି । ବୀରଶୟନେ ଥିବ ଶୋଇ ॥ ୪୮
କଙ୍କ ଶୃଗାଳ ଗୃଧ୍ର ଶ୍ୱାନ । ପଶିବ ତାହାରେ ଶରଣ ॥ ୪୯
କୃଷ୍ଣବଚନେ ଦୂତ ଗଲା । ପୌଣ୍ତ୍ରକ ଆଗରେ କହିଲା ॥ ୫୦
ଦାରୁକେ ରାଇ ଦାମୋଦର । ବୋଇଲେ ରଥ ସଜ କର ॥ ୫୧
ତକ୍ଷଣେ ସାଜି ନନ୍ଦିଘୋଷ । ମିଳିଲା ଗୋବିନ୍ଦର ପାଶ ॥ ୫୨
ରଥେ ବିଜୟ ନରହରି । ଶଙ୍ଖ-ଶବଦେ ଦିଗ ପୂରି ॥ ୫୩
କରୁଷଦେଶେ ବନମାଳୀ । ନିମିଷମାତ୍ରେ ଯାଇ ମିଳି ॥ ୫୪
କୃଷ୍ଣର ଆଗମନ ଶୁଣି । ପୋଣ୍ତ୍ରକ ବେନି ଅକ୍ଷୌହିଣୀ ॥ ୫୫
ସାଜି ମିଳିଲା କୃଷ୍ଣପାଶେ । ସଂଗ୍ରାମେ ଜିଣିବାର ଆଶେ ॥ ୫୬
ତାହାର ମିତ୍ର କାଶୀରାଜ । ସେହୁ ତାହାର ତୁଲେ ସଜ ॥ ୫୭
କୃଷ୍ଣର ତୁଲେ ରଣ ଜାଣି । ସାଜିଲା ତିନି ଅକ୍ଷୌହିଣୀ ॥ ୫୮
କୃଷ୍ଣଙ୍କୁ ଦେଖି ମହାରୋଷେ । ବେଗେ ରୁନ୍ଧିଲା ଚଉପାଶେ ॥ ୫୯
କୃଷ୍ଣ ଚାହାଁନ୍ତି ରଣମଧ୍ୟେ । ପୌଣ୍ତ୍ରକ ଦେଖିବାର ସଧେ ॥ ୬୦
ବାଜଇ ବୀରତୂରମାନ । ରଣେ ପୌଣ୍ତ୍ରକ ଆଗମନ ॥ ୬୧
କୃଷ୍ଣ ଦେଖିଲେ ତାର ରଥ । ରତ୍ନଭୂଷଣ ଅପ୍ରମିତ ॥ ୬୨
ରଥ ଉପରେ ପକ୍ଷୀରାଜ । ଧ୍ୱଜପତାକା ମଧ୍ୟେ ସଜ ॥ ୬୩
ବିମାନମଧ୍ୟେ ତା ଶରୀର । ଦେଖିଲେ କମଳାର ବର ॥ ୬୪
ବିସ୍ତାର ଶୋହେ ଭୁଜ ଚାରି । ଶଙ୍ଗ କମଳ ଗଦା ଧରି ॥ ୬୫
ସାରଙ୍ଗଧନୁ ଅଛି କରେ । ଶ୍ରୀବତ୍ସଚିହ୍ନ ହୃହୟରେ ॥ ୬୬
କଣ୍ଠେ ଲମ୍ବଇ ରତ୍ନମଣି । ରବିକିରଣ ପ୍ରାୟ ଜାଣି ॥ ୬୭
ହୃଦେ ଲମ୍ବଇ ବନମାଳ । ଶ୍ରବଣେ ମକର କୁଣ୍ତଳ ॥ ୬୮
ପୀତବସନ ଦେହେ ଝଳି । ନୀଳଜୀମୂତେ କି ବିଜୁଳି ॥ ୬୯
ଅମୂଲ୍ୟ କିରୀଟ ବିରାଳେ । ରତ୍ନମେଖଳା କଟି ସାଜେ ॥ ୭୦
ତାର କପଟବେଶ ଦେଖି । ଆତ୍ମାର ପ୍ରାୟ ଉପଲକ୍ଷ୍ୟି ॥ ୭୧
ନଟର ପ୍ରାୟ ବେଶ ଧରି । ଦେଖି ହସିଲେ ନରହରି ॥ ୭୨
କୃଷ୍ଣଙ୍କୁ ଦେଖି ରିପୁଗଣ । ଉଭାରି କଲେ ଘୋରରଣ ॥ ୭୩
ଶୂଳ ପରିଘ ଗଦା ଋଷ୍ଟି । ପାଶ ତୋମର ଲୌହଯଷ୍ଟି ॥ ୭୪
ଅସି କୁଠାର ପର୍ଶୁ ଯେତେ । ପ୍ରହାର କଲେ ଅପ୍ରମିତେ ॥ ୭୫
ପୌଣ୍ତ୍ରକ କାଶୀରାଜାବଳ । ଦେଖିଲେ ମଦନଗୋପାଳ ॥ ୭୬
ପଦାତି ରଥ ଗଜ ବାଜି । ଏମନ୍ତେ ଚତୁରଙ୍ଗ ସାଜି ॥ ୭୭
ଏମନ୍ତେ ଚତୁରଙ୍ଗବଳ । ଲାଗିଲା ରଣରଙ୍ଗ ଗୋଳ ॥ ୭୮
ଗଦା ଖଡ଼ଗ ଚକ୍ର ବାଣ । କୋପେ ପ୍ରହାରି ନାରାୟଣ ॥ ୭୯
ବେଗେ ନାଶିଲେ ରିପୁବଳ । ଯେସନେ ଯୁଗାନ୍ତଅନଳ ॥ ୮୦
ରୁଦ୍ରନୟନୁ ଜାତ ହୋଇ । ତିନି ଭୁବନ ଯେହ୍ନେ ଦହି ॥ ୮୧
କୃଷ୍ଣ ସଂଗ୍ରାମେ ରଣ ଭୂଇଁ । କି ପଟାନ୍ତର ଦେବି ମୁହିଁ ॥ ୮୨
ଗଜ ତୁରଗ ରଥ ଖର । ଉଷ୍ଟ୍ର ପଦାତି ମହାଘୋର ॥ ୮୩
ଚକ୍ର ପ୍ରହାରଣେ ଖଣ୍ତିତ । ଜଳଧି ସଦୃଶେ ଶୋଣିତ ॥ ୮୪
ଉଛୁଳି ବହେ ରଣମଧ୍ୟେ । ଗଗନେ ଦେଖନ୍ତି ବିବୁଧେ ॥ ୮୫
ବ୍ରହ୍ମାଦିବସ ଅନ୍ତେ ମହୀ । ପ୍ରଳୟଜଳେ ହତ ହୋଇ ॥ ୮୬
ଈଶ୍ୱରକ୍ରୀଡ଼ାସ୍ଥାନେ ପ୍ରାୟେ । ରକତେ ରଣଭୂମି ଶୋହେ ॥ ୮୭
ପୌଣ୍ତ୍ରକ ଅଛି ଏକା ରଥେ । ଉଭାରି ଗୋବିନ୍ଦ ଅଗ୍ରତେ ॥ ୮୮
ସମରେ ତାର ମୁଖ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୮୯
ଆହେ ପୌଣ୍ତ୍ରକ ତୋର ଦୂତ । ମୋ ଆଗେ କହିଲା ଯେମନ୍ତ ॥ ୯୦
ତୋହର ଚିହ୍ନ ବର୍ଣ୍ଣମାନ । ହୁଡ଼ିଲି ସମ୍ଭାଳ ବହନ ॥ ୯୧
ମିଛେ ମୁଁ ଧରି ତୋର ବେଶ । ବିଷ୍ଣୁ ବୋଲାଏ ମର୍ତ୍ତ୍ୟଦେଶ ॥ ୯୨
ଯେବେ ହାରିବି ତୋତେ ରଣେ । ଛାଡ଼ି ପଶିବି ତୋ ଶରଣେ ॥ ୯୩
ଏମନ୍ତ କହି ଦାମୋଦର । ବେଗେ ବିନ୍ଧିଲେ ତୀକ୍ଷ୍ଣ ଶର ॥ ୯୪
ବିରଥ କରି ତାର ଶିର । ଚକ୍ରେ ଛେଦିଲେ ଚକ୍ରଧର ॥ ୯୫
ବାସବବଜ୍ରେ ହତ ହୋଇ । ପର୍ବତ ଯେମନ୍ତ ଦିଶଇ ॥ ୯୬
କାଶୀରାଜାର ଦେଖି ରଥ । ବେଗେ ମିଳିଲେ ଗୋପୀନାଥ ॥ ୯୭
ନିଜ କୋଦଣ୍ତେ ଦେଇ ଗୁଣ । ସନ୍ଧାନ କଲେ ତୀକ୍ଷ୍ଣ ବାଣ ॥ ୯୮
କାଶୀରାଜାର ଶିର କାଟି । ନାରାଚ ଗଲା ଶୂନ୍ୟେ ଘୋଟି ॥ ୯୯
ନିଜ କୋଦଣ୍ତେ ଦେଇ ଗୁଣ । ସନ୍ଧାନ କଲେ ତୀକ୍ଷ୍ଣ ବାଣ ॥ ୧୦୦
ରାଜାର ଦ୍ୱାରେ ଦେଖି ମୁଣ୍ତ । ଲୋକେ ହୋଇଲେ ବେଗେ ରୁଣଜ୍ଞତ । ୧୦୧
ପବନବଳେ ଛିଡ଼ି ପାଶ । ଯେହ୍ନେ ଦିଶଇ ପଦ୍ମକୋଷ ॥ ୧୦୨
ଏମନ୍ତେ ଶୁଣ ଦଣ୍ତଧାରୀ । ପଞ୍ଚ ଅକ୍ଷୌହିଣୀ ସଂହାରି ॥ ୧୦୩
ପୌଣ୍ତ୍ରକ କାଶୀରାଜା ତୁଲେ । ରଣେ ଗୋବିନ୍ଦ ସଂହାରିଲେ ॥ ୧୦୪
ଦେଖି ଆନନ୍ଦ ଦେବଗଣେ । ରିପୁ ନିବାରି ଘୋରରଣେ ॥ ୧୦୫
ଦ୍ୱାରକା ବିଜେ ଲକ୍ଷ୍ମୀକାନ୍ତ । ଏବେ ହୋ ଶୁଣ ନରନାଥ ॥ ୧୦୬
ପୌଣ୍ତ୍ରକ ଗୋବିନ୍ଦର ଭାବ । ନିରତେ କରି ଅନୁଭବ ॥ ୧୦୭
ମରଣେ ଚାହିଁ ପଦ୍ମମୁଖ । ଲଭିଲା ଆତ୍ମଗତି ସୁଖ ॥୧୦୮
କାଶୀରାଜାର ଶିର ଦେଖି । ଜନେ ବୋଲନ୍ତି ଉପଲକ୍ଷ୍ୟି ॥୧୦୯
ଏହୁ କାହାର ଦେଖ ଶିର । ଛିଡ଼ି ପଡ଼ିଲା ରାଜଦ୍ୱାର ॥୧୧୦
ଏମନ୍ତେ କରନ୍ତେ ବିଚାର । ଚିହ୍ନିଲେ କାଶୀରାଜା ଶିର ॥୧୧୧
ସମରେ କୃଷ୍ଣ କଲେ ନାଶ । ଜାଣି ପାଇଲେ ମନେ ତ୍ରାସ ॥୧୧୨
ତାହାର ଯେତେକ ତରୁଣୀ । ସ୍ୱାମୀମରଣ କଥା ଶୁଣି ॥୧୧୩
ବନ୍ଧୁ ବାନ୍ଧବ ଜନେ ମିଳି । କାନ୍ଦନ୍ତେ ଭୁବନ ଉଛୁଳି ॥ ୧୧୪
କାନ୍ଦନ୍ତି ନାଥ ନାଥ ବାଣୀ । ଗୋଳ ପ୍ରଳୟ ପ୍ରାୟ ମଣି ॥ ୧୧୫
ତାର କୁମର ସୁଦକ୍ଷିଣ । ଶୋକ ନିବାରି ସର୍ବଜନ ॥୧୧୬
ପିତାର ପ୍ରେତକ୍ରିୟା ସାରି । ସଙ୍କଳ୍ପ କଲା କୋପଭରି ॥ ୧୧୭
ପିତୃବଇରୀ ଯେବେ ମାରି । ତେବେ ମୁଁ ଥିବି ଦେହ ଧରି ॥ ୧୧୮
ଏମନ୍ତେ ମନ ସ୍ଥିର କରି । ସେବିଲା ଶଙ୍କର-ଗଉରି ॥ ୧୧୯
ସମାଧି କରି ଯୋଗବଳେ । ତୋଷିଲା ଶିବଙ୍କୁ ନିଶ୍ଚଳେ ॥ ୧୨୦
ପ୍ରସନ୍ନ ହୋଇ ଶୂଳଧର । ବୋଇଲେ ଦେବି ମାଗ ବର ॥ ୧୨୧
ଭଗ୍ନ-ସମାଧି ସୁଦକ୍ଷିଣ । ବନ୍ଦିଲା ଈଶ୍ୱରଚରଣ ॥ ୧୨୨
ବୋଲଇ ଶିରେ ଦେଇ କର । ପିତୃବଇରୀ ଅଛି ମୋର ॥ ୧୨୩
ତାହାକୁ କରିବି ମୁଁ ହତ । ଏ ବର ଦିଅ ଉମାକାନ୍ତ ॥ ୧୨୪
ଶୁଣି ବୋଇଲେ ଦେବହର । ତୁ ଏବେ ଅଗ୍ନିସେବା କର ॥ ୧୨୫
ବିପ୍ରବଚନ ମନେ ଧରି । ନାନାସମିଧ ମିଶ୍ର କରି ॥ ୧୨୬
ଆଗମଶାସ୍ତ୍ରର ବିଧାନେ । ଅନଳ ପୂଜ ଏକମନେ ॥ ୧୨୭
ଋତ୍ୱିଜ କରିଣ ବରଣ । ମାରଣେ ବେଦ ଅଥର୍ବଣ ॥ ୧୨୮
ଆଭିଚାରିକ ବେଦନାଦେ । ଆହୁତି ଦେବୁ କୁଣ୍ତ ମଧ୍ୟେ ॥ ୧୨୯
ଅଗ୍ନିପୁରୁଷ ଜାତ ହେବ । ତେବେ ତୋ କାମନା ପୂରିବ ॥ ୧୩୦
ମରିବ ରିପୁ ସେ ତୋହର । ବ୍ରାହ୍ମଣେ ସେବା ନାହିଁ ଯାର ॥ ୧୩୧
ଏମନ୍ତେ ରୁଦ୍ରବାକ୍ୟ ଶୁଣି । ଯଜ୍ଞ ଆରମ୍ଭେ ନୃପମଣି ॥ ୧୩୨
ଅନଳେ ଅଭିଚାର ମତେ । ଆହୁତି ଦେଲା ଅପ୍ରମିତେ ॥ ୧୩୩
କୁବୁଦ୍ଧିପଣ ଦେଖ ତାର । କୃଷ୍ଣଙ୍କୁ ଚିନ୍ତେ ଅଭିଚାର ॥ ୧୩୪
ଅଗ୍ନିପୁରୁଷ କୁଣ୍ତମଧ୍ୟେ । ଜାତ ହୋଇଲେ ଘୋରନାଦେ ॥ ୧୩୫
ଅତିଭୀଷଣ ରୂପବନ୍ତ । ତା ରୂପ ଶୁଣ ନରନାଥ ॥ ୧୩୬
ତପତତମ୍ବା ପ୍ରାୟ ଶିଖା । ଶ୍ମଶ୍ରୁ ନାସିକା ପିଙ୍ଗରେଖା ॥ ୧୩୭
ଗ୍ରହରାଜର ତେଜ ତାର । ଲୋଚନ ବଚନ ଗଭୀର ॥ ୧୩୮
ଅଙ୍ଗାର ଉଦ୍ଗାରଇ ତୁଣ୍ତେ । ବିକଟ ଦଶନ ପ୍ରଚଣ୍ତେ ॥ ୧୩୯
ଭ୍ରୂକୁଟୀ କୁଟୀଳ କଠୋର । ତୁଣ୍ତ ଗଭୀର ଅନ୍ଧକାର ॥ ୧୪୦
ଜିହ୍ୱା ବୁଲାଇ ବେନିକଳେ । ଯେସନେ ବିଜୁଳି ଚଞ୍ଚଳେ ॥ ୧୪୧
ଉଲଗ୍ନ ଶରୀର କରାଳ । ହସ୍ତେ କମ୍ପଇ ତୀକ୍ଷ୍ଣ ଶୂଳ ॥ ୧୪୨
ଚଳଇ କରି ଘୋର ନାଦ । ତାଳ ପ୍ରମାଣେ ବେନି ପାଦ ॥ ୧୪୩
କୋପେ ଧାଣଇଁ ଶୂଳହସ୍ତେ । ଅବନୀ କମ୍ପେ ପାଦଘାତେ ॥ ୧୪୪
ପ୍ରମଥଭୂତଗଣ ସଙ୍ଗେ । ଦ୍ୱାରକା ଗଲା ଅତିବେଗେ ॥ ୧୪୫
ତାହାର ତେଜ ଦେହେ ଦିଶ । ସଧୂମେ ପୂରିଲା ଆକାଶ ॥ ୧୪୬
ଏମନ୍ତେ ବହ୍ନିର ଆଗମ । ଧୂମ ପୂରିତ ମହାତମ ॥ ୧୪୭
ଦ୍ୱାରକାପୁରେ ଯେତେ ଜନ । ଭୟେ କମ୍ପନ୍ତି ଛନଛନ ॥ ୧୪୮
ଭୟେ ଭାଜିଲେ ଚାରିଦିଗେ । ବନ ଦହନେ ଯେହ୍ନେ ମୃଗେ ॥ ୧୪୯
ପଶା ଖେଳନ୍ତି ଭଗବାନ । ଏମନ୍ତେ ମିଳି ସର୍ବଜନ ॥ ୧୫୦
ବୋଲନ୍ତି କୃଷ୍ଣମୁଖ ଚାହିଁ । ଭୋ ନାଥ କର ଜନେ ତ୍ରାହି ॥ ୧୫୧
ତ୍ରୈଲୋକ୍ୟନାଥ ତୋର ପୁର । ଅନଳ ଦହ୍ନୁ ଉଦ୍ଧର ॥ ୧୫୨
ଏମନ୍ତେ ସ୍ୱଜନ ବିକଳ । ଦେଖି ବୋଲନ୍ତି ଆଦିମୂଳ ॥ ୧୫୩
ଶରଣ ବନ୍ଧୁ ବନମାଳୀ । ବୋଲନ୍ତି ବେନିଭୁଜ ତୋଳି ॥ ୧୫୪
ଭୟ ନ କର ତୁମ୍ଭେ କେହି । ଅନଳ ସଂହାରିବି ମୁହିଁ ॥ ୧୫୫
ଯେ ହରି ଅଶେଷ ଶରୀରେ । ବିଦିତ ଅନ୍ତର ବାହାରେ ॥ ୧୫୬
ସ୍ୱଜନ ଶୁଭାଶୁଭ ଜାଣେ । ଏମନ୍ତ ନିଗମ ବଖାଣେ ॥ ୧୫୭
ରୁଦ୍ରଅନଳ କୃଷ୍ଣ ଜାଣି । ଚକ୍ରେ ସୁମରି ଚକ୍ରପାଣି ॥ ୧୫୮
ଚକ୍ର ଗୋବିନ୍ଦ ପାଶେ ଥିଲା । କୃଷ୍ଣର ମନ ସେ ଜାଣିଲା ॥ ୧୫୯
କୋଟି-ଆଦିତ୍ୟ-ତେଜ ନାଶେ । ପ୍ରଳୟ ଅନଳ ପ୍ରକାଶେ ॥ ୧୬୦
ଭୂମି ଗଗନ ତେଜ ବ୍ୟାପି । କୃଷ୍ଣର ତେଜ ବିଶ୍ୱରୂପୀ ॥ ୧୬୧
ସେ କୃଦ୍ୟାଅଗ୍ନି ଅଙ୍ଗେ ପଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥ ୧୬୨
ଚକ୍ର ସଂଯୋଗେ ଅଗ୍ନି ନାଶ । ଭସ୍ମ ଉଡ଼ିଲା ଦଶଦିଶ ॥ ୧୬୩
ଘୋର ଅନଳ ନାଶି ଖରେ । ଚକ୍ର ମିଳିଲା କାଶୀପୁରେ ॥ ୧୬୪
ଯଜ୍ଞଶାଳରେ ଯାଇ ମିଳି । କୋଟି ଆଦିତ୍ୟ ପ୍ରାୟ ଝଳି ॥ ୧୬୫
ରତ୍ୱିଜ ସଙ୍ଗେ ସୁଦକ୍ଷିଣ । ଦହନ କଲା ତତକ୍ଷଣ ॥ ୧୬୬
ପ୍ରଚଣ୍ତ ତେଜ ମହାଘୋର । କୋପେ ଦହିଲା କାଶୀପୁର ॥ ୧୬୭
ନରକୁଞ୍ଜର ଅଶ୍ୱ ରଥ । ଭସ୍ମ ହୋଇଲେ ଯୂଥ ଯୂଥ ॥ ୧୬୮
ସକଳଗୁଣ କାଶୀପୁରେ । କିବା ଉପମା ଦେବା ତାରେ ॥ ୧୬୯
ଦହନ କରି ସେହୁ ପୁର । କୃଷ୍ଣର ତେଜ ମହାଘୋର ॥ ୧୭୦
ଦେଖି ଅଖିଳ ଜନ ତ୍ରାସେ । ପୁଣି ମିଳିଲା କୃଷ୍ଣପାଶେ ॥ ୧୭୧
ବୋଲନ୍ତି ଶୁକ ମୁନିବର । ଶୁଣ ସୁମନେ କୁରୁବୀର ॥ ୧୭୨
କୃଷ୍ଣ-ବିକ୍ରମ-ରସ ବାଣୀ । ଯେ ଏହା ଜନମଧ୍ୟେ ଭଣି ॥ ୧୭୩
ଯେ ଅବା ଶ୍ରବଣେ ଶୁଣନ୍ତି । ସକଳ ପାପୁଁ ସେ ତରନ୍ତି ॥ ୧୭୪
ସୁଜନେ ଶୁଣ କୃଷ୍ଣରସ । ଭଣଇ ଜଗନ୍ନାଥ ଦାସ ॥ ୧୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପୌଣ୍ତ୍ରକାଦିବଧୋ ନାମ
ଏକସପ୍ତତିତମ ଅଧ୍ୟାୟଃ ॥
</poem>
==='''ଦ୍ୱିସପ୍ତତିତମ ଅଧ୍ୟାୟ'''===
<poem>
ଶୁକଚରଣେ ଦେଇ ଚିତ୍ତ । ଭାବେ ବୋଲଇ ପରୀକ୍ଷିତ ॥ ୧
;ପରିକ୍ଷିତ ଉବଚ
ଭୋ ମୁନି ପ୍ରଭୁ କାମପାଳ । ସୁନ୍ଦର ବୀରବାହୁ ବଳ ॥ ୨
ଯମୁନା ଆକର୍ଷଣ କରି । ବନେ ରମିଲେ ଗୋପନାରୀ ॥ ୩
ତୁମ୍ଭ ବଦନୁ ସୁଧାବାଣୀ । କୃଷ୍ଣ ଚରିତ କର୍ଣ୍ଣେ ଶୁଣି ॥ ୪
ନିର୍ମଳ କଲି ପ୍ରାଣ ଦେହ । ରାମ ବିକ୍ରମ ମୋତେ କହ ॥ ୫
ଅନନ୍ତ ଅପ୍ରମେୟ ତେଜ । ଯେଣୁ ସେ କୃଷ୍ଣର ଅଗ୍ରଜ ॥ ୬
କହନ୍ତି ବ୍ୟାସଙ୍କର ସୁତ । ଶୁଣ ହୋ ରାମର ଚରିତ ॥ ୭
ନାରକା ପୃଥିବୀର ବଳା । ସଂଗ୍ରାମେ କୃଷ୍ଣହାତେ ମଲା ॥ ୮
ତାର ସୁହୃଦ ସଖା ଯେତେ । ରାଜ୍ୟେ ଅଛନ୍ତି ନାନାମତେ ॥ ୯
ତାର ମରଣ ଶୁଣି କର୍ଣ୍ଣେ । ବାନରେ ଥିଲା ଘୋରବନେ ॥ ୧୦
ପ୍ରଚଣ୍ତ ଦ୍ୱିବିଦ ବାନର । ଦେବମାନବେ ଅଗୋଚର ॥ ୧୧
ବାଳୀ ସୁଗ୍ରୀବ ମନ୍ତ୍ରୀ ସେହି । ମଇନ୍ଦ ତାର ଜ୍ୟେଷ୍ଠ ଭାଇ ॥ ୧୨
ଶୁଝିବା ଅର୍ଥେ ମିତ୍ରଋଣ । ଇଚ୍ଛଇ କୃଷ୍ଣତୁଲେ ଋଣ ॥ ୧୩
ତାର ସମରେ ନାହିଁ ବୀର । ପର୍ବତୁଁ ହୋଇଲା ବାହାର ॥ ୧୪
ଦେଖି ପାଇଲେ ଦେବେ ତ୍ରାସ । କରଇ ଜନପ୍ରଜା ନାଶ ॥ ୧୫
ଗ୍ରାମ-ପାଟଣା-ପୁରେ ଯାଇ । ଲାଙ୍ଗୁଳେ ଅନଳ ଲଗାଇ ॥ ୧୬
ଦୁର୍ଗମ ବନ ଦେଶ ଗ୍ରାମ । କରଇ ବାନର ଦହନ ॥ ୧୭
ଧାମଇଁ ଶିଳା ବୃକ୍ଷ ଘେନି । ଶବଦେ କମ୍ପଇ ମେଦିନୀ ॥ ୧୮
ପ୍ରଚଣ୍ତ-ଘୋରନାଦ କରି । ଭାଙ୍ଗଇ ପୁର ଗ୍ରାମ ଗିରି ॥ ୧୯
ମିଳିଲା ଦ୍ୱାରକାନଗରୀ । ଲୋଡ଼ଇ ମିତ୍ର ଶତ୍ରୁ ମାରି ॥ ୨୦
ପ୍ରଚଣ୍ତ-ଘୋରନାଦ କରି । କୃଷ୍ଣଙ୍କୁ ଲୋଡେ଼ ଅନୁସରି ॥ ୨୧
କୃଷ୍ଣ ମାରିବି ଭୁଜବଳେ । ମିତ୍ର ତୋଷିବି ଗଙ୍ଗାଜଳେ ॥ ୨୨
ସମୁଦ୍ରଜଳ କୋପାନଳେ । ଫିଙ୍ଗଇ ବେନିଭୁଜବଳେ ॥ ୨୩
ସମୁଦ୍ରକୁଳେ ଗ୍ରାମ ଯେତେ । ଜଳେ ଭାସିଲେ ଅପ୍ରମିତେ ॥ ୨୪
ଅୟୁତେ ମତ୍ତଗଜ ବଳ । ଫିଙ୍ଗଇ ରାତ୍ରଦିନେ ଜଳ ॥ ୨୫
ଭାଙ୍ଗଇ ଫଳପୁଷ୍ପ ଦ୍ରୁମ । ନାଶିଲା ମୁନିଙ୍କ ଆଶ୍ରମ ॥ ୨୬
ମୁନିଙ୍କ ଯଜ୍ଞକୁଣ୍ତେ ଯାଇ । ଅନଳ ଦେଖି ରୋଷ ବହି ॥ ୨୭
ଭାଙ୍ଗଇ ଯଜ୍ଞର ମଣ୍ତଳ । ଅନଳେ କ୍ଷେପେ ମୂତ୍ର ମଳ ॥ ୨୮
ସ୍ତିରୀ ପୁରୁଷ ବଳେ ଧରି । ଗିରିକନ୍ଦର ମଧ୍ୟେ ଭରି ॥ ୨୯
ଦ୍ୱାର ରୁନ୍ଧଇ ଶିଳା ଦେଇ । କୁମ୍ଭାରକୀଟ ପ୍ରାୟ ହୋଇ ॥ ୩୦
ଏମନ୍ତେ ଦେଶ ନାଶ କରି । ଦୂଷଣ କରେ କୁଳସ୍ତିରୀ ॥ ୩୧
ରଜନୀକାଳେ ଏକ ଦିନେ । ରୈବତଗିରି ଘୋରବନେ ॥ ୩୨
ସୁସ୍ୱରଗୀତ କର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି ॥ ୩୩
ଗିରିଶିଖରେ ବେଗେ ଉଠି । ଚାହଁଇ ସ୍ଥିରକରି ଦୃଷ୍ଟି ॥ ୩୪
କାମିନୀଗଣ ମଧ୍ୟେ ରାମ । ଯଦୁସୁନ୍ଦର ଅନୁପମ ॥ ୩୫
ବିବିଧ ଅଳଙ୍କାର ଶୋହେ । କୁସୁମମାଳା ମନ ମୋହେ ॥ ୩୬
ବାରୁଣୀପାନେ ମତ୍ତ ହୋଇ । କାମିନୀ ସଙ୍ଗେ ଗୀତ ଗାଇ ॥ ୩୭
ମଦ୍ୟେ ଅରୁଣ ଚକ୍ଷୁ ଦୁଇ । କି ପଟାନ୍ତର ଦେବି ମୁହିଁ ॥ ୩୮
କରିଣୀଯୂଥ ମଧ୍ୟେ ପଶି । ମତ୍ତକୁଞ୍ଜର ପ୍ରାୟ ଦିଶି ॥ ୩୯
ଦୁଷ୍ଟବାନର ବାହୁବଳେ । ବୃକ୍ଷେ ଉଠିଲା କୋପାନଳେ ॥ ୪୦
ଡାଳେ କମ୍ପାଇ ତାର ପାଦ । କରଇ କିଳିକିଳା ନାଦ ॥ ୪୧
ତଦନ୍ତେ ବୃକ୍ଷଶିଖେ ଯାଇ । ଗର୍ଜଇ ଦଶନ ଦେଖାଇ ॥ ୪୨
ଦେଖି ତାହାର ଦୁଷ୍ଟପଣ । ଭୟେ ଚାହିଁଲେ ସ୍ତିରୀଗଣ ॥ ୪୩
କରାଳ ତାର ମୁଖ ଦେଶ । ଦେଖି କାମିନୀ କଲେ ହାସ ॥ ୪୪
ଦେଖି ବାନର କୋପମନେ । ଭ୍ରୂକୁଟୀ କୁଟୀଳ ନୟନେ ॥ ୪୫
କପି ସ୍ୱଭାବେ କରି ନାଦ । ନାରୀଙ୍କି ଦେଖାଇଲା ଗୁଦ ॥ ୪୬
ଏମନ୍ତ ତାର ଦୁଷ୍ଟପଣ । ଦେଖିଲେ ରେବତୀରମଣ ॥ ୪୭
ପାଷାଣ ଖଣ୍ତ ଧରି କରେ । ଫିଙ୍ଗିଲେ ବାନର ଉପରେ ॥ ୪୮
ଦେଖି ବାନର କୋପ ବହି । ଡେଇଁ ପଡ଼ିଲା ମଧ୍ୟେ ଯାଇ ॥ ୪୯
ବାରୁଣୀକୁମ୍ଭ ଘେନି କରେ । ପିଟିଲା ରାମର ଉପରେ ॥ ୫୦
ରାମଙ୍କୁ ଚାହିଁ କୋପମନ । ଘୂରାଇ ଅରୁଣଲୋଚନ ॥ ୫୧
ଲାଙ୍ଗୁଳ ନିଜ ମୁଖେ ଭରି । ରାମର ବସ୍ତ୍ର କରେ ଧରି ॥ ୫୨
ତକ୍ଷଣେ କଲା ବେନିଫାଳ । ବାନର ତେଜେ ଅନର୍ଗଳ ॥ ୫୩
କଦର୍ଥ କରି ହଳଧର । ମଦ୍ୟକଳସ କଲା ଚୂର ॥ ୫୪
ରାମଙ୍କୁ ମଣି ତୁଚ୍ଛ ପ୍ରାୟେ । ଓଷ୍ଠ କାମୋଡ଼ି କୋପେ ଚାହେଁ ॥ ୫୫
ଦୁଷ୍କର କର୍ମ ଦେଖି ତାର । ଜାଣିଲେ ରୋହିଣୀକୁମର ॥ ୫୬
ଅନେକ ପ୍ରାଣୀ କରି ନାଶ । ଆସି ମିଳିଲା ମୋର ପାଶ ॥ ୫୭
ଏ ଦୁଷ୍ଟ କପି ପ୍ରାଣେ ଥିଲେ । ଆଉ କି ପ୍ରାଣୀ ଥିବେ ଭଲେ ॥ ୫୮
ଏମନ୍ତ ହୃଦରେ ବିଚାରି । ହଳମୂଷଳ କରେ ଧରି ॥ ୫୯
କୋପିତ ରୋହିଣୀନନ୍ଦନ । ରିପୁମାରଣେ ସାବଧାନ ॥ ୬୦
ଦେଖି ବାନର କୋପ କଲା । ହୁଙ୍କାରେ ବୃକ୍ଷ ଉପାଡିଲା ॥ ୬୧
କରେ ବୁଲାଇ କୋପଭରେ । ପିଟିଲା ରାମର ଉପରେ ॥ ୬୨
ମୁଣ୍ତେ ପଡ଼ନ୍ତେ ମହାଦ୍ରୁମ । ଅଚଳ ପ୍ରାୟ ରହି ରାମ ॥ ୬୩
ମୁଷଳଘାତେ ମହାବୀର । ତାହାର ବୃକ୍ଷ କଲେ ଚୂର ॥ ୬୪
ପୁଣି ଘୂରାଇ ବାହୁଦଣ୍ତେ । ପିଟିଲେ ଦୁଷ୍ଟକପି ମୁଣ୍ତେ ॥ ୬୫
ଘୋର ପ୍ରହାରେ ଶିର ଫାଟି । ରୁଧିର ଗଳେ ଦନ୍ତପାଟି ॥ ୬୬
ରୁଧିରଧାର ତା ଶରୀରେ । କିବା ଉପମା ଦେବା ତାରେ ॥ ୬୭
ପର୍ବତୁଁ ଯେହ୍ନେ ଗେରୁ ଗଳେ । ରଙ୍ଗ ବିରାଜେ ବୃଷ୍ଟିକାଳେ ॥ ୬୮
ପୁଣି ମୁଷଳେ ବେଗେ ମାରି । ଦେଖି ବାନର କୋପ କରି ॥ ୬୯
ତେଡେ଼ ପ୍ରହାର ନ ଗଣଇ । ପୁଣ ଘେନିଲା ବୃକ୍ଷ ଦୁଇ ॥ ୭୦
ସକ୍ରୋଧ ବଳେ ବୃକ୍ଷ ଧରି । ରାମର ଉପରେ ପ୍ରହାରି ॥ ୭୧
ବୃକ୍ଷ ପଡ଼ନ୍ତେ ହଳଧର । ମୁଷଳେ କଲେ ଶତେଚୂର ॥ ୭୨
ପୁଣି ଉପାଡ଼ି ବୃକ୍ଷ ଦୁଇ । କୋପେ ଧାଇଁଲା ନାଦ ଦେଇ ॥ ୭୩
ରାମ ମୁଷଳେ ଚୂର୍ଣ୍ଣ କରି । ଦେଖି ବାନର କୋପଭରି ॥ ୭୪
ପୁଣି ଉପାଡ଼ି ବୃକ୍ଷଶ୍ରେଣୀ । ପିଟଇ ବଜ୍ରାଘାତ ଜାଣି ॥ ୭୫
ଏମନ୍ତେ ପୁଣ ପୁଣ ପିଟି । ବୃକ୍ଷେ ପଡ଼ିଲେ ମହୀଲୋଟି ॥ ୭୬
ପୁଣିହିଁ କପି କୋପମନ । ନିବୃକ୍ଷ କଲା ଘୋରବନ ॥ ୭୭
ବୃକ୍ଷ ନପାଇ କୋପଭରେ । ପାଷାଣ ତୋଳି ବେନି କରେ ॥ ୭୮
ସନ୍ତତେ କଲା ଘୋର ବୃଷ୍ଟି । ଧାମଇଁ ତୋଳି ବେନି ମୁଷ୍ଟି ॥ ୭୯
ପ୍ରହାର କରି ରାମହୃଦେ । ପୁଣି ଗର୍ଜଇ ଘୋରନାଦେ ॥ ୮୦
ହଳମୂଷଳ ଘେନି କରେ । ତକ୍ଷଣେ ରାମ କୋପଭରେ ॥ ୮୧
ପାଷାଣ ବୃଷ୍ଟି କଲେ ଚୂର । ଲୀଳା ମାତ୍ରକେ ହଳଧର ॥ ୮୨
ପାଷାଣ ବୃଷ୍ଟି ନାଶ ଗଲା । ଦେଖି ବାନର କୋପ କଲା ॥ ୮୩
କୋପେ ବାନର ବିଶ୍ୱକାୟେ । ମୁଷ୍ଟି ତୋଳିଲା ବଜ୍ରପ୍ରାୟେ ॥ ୮୪
ପିଟିଲା ହଳଧର ହୃଦେ । ଲାଙ୍ଗୁଳ ଚାଳି ଘୋରନାଦେ ॥ ୮୫
ରାମ ତାହାର ଗର୍ବ ଦେଖି । ମଦ୍ୟେ ଅରୁଣ ବେନି ଆଖି ॥ ୮୬
ହଳମୁଷଳ ଏକାବେଳେ । ଶୂନ୍ୟେ ବୁଲାଇ କୋପଭରେ ॥ ୮୭
ପ୍ରହାର କଲେ ତାର ଶିର । ତକ୍ଷଣେ ହେଲା ଶତେ ଚୂର ॥ ୮୮
ରୁଧିର ବହେ ଶତଧାର । ଜୀବନ ଛାଡ଼ିଲା ବାନର ॥ ୮୯
ଭୂମିରେ ପଡ଼ି ତା ଶରୀର । ଶବଦ କଲା ମହାଘୋର ॥ ୯୦
ଗିରି କମ୍ପିଲା ମହାଭୟେ । ଜଳେ ପବନେ ନାବ ପ୍ରାୟେ ॥ ୯୧
ଏମନ୍ତେ ବାନର ବିନାଶି । ସାଧୁଶବଦ ଶୂନ୍ୟେ ଘୋଷି ॥ ୯୨
ଦେଖି ଗଗନେ ଦେବଗଣ । ବନ୍ଦିଲେ ରାମର ଚରଣ ॥ ୯୩
ଜୟଶବଦ ଶୂନ୍ୟେ ପୂରି । ନମୋ ଶବଦେ ସ୍ତୁତି କରି ॥ ୯୪
ଦୁନ୍ଦୁଭି ବାଇଲେ ଆକାଶେ । ତ୍ରିଦଶେ ମନର ହରଷେ ॥ ୯୫
ଆନନ୍ଦ ହୋଇ ସୁରକୁଳ । ପୁଷ୍ପ ବରଷିଲେ ଗହଳ ॥ ୯୬
ସାଧୁଶବଦେ ନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୯୭
ପୁରେ ପ୍ରବେଶ ହଳଧର । ଶୋହେ ସୁନ୍ଦର ଯଦୁପୁର ॥ ୯୮
ସେ ରାମଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦ୍ୱିବିଦବଧୋନାମ ଦ୍ୱିସପ୍ତତିତମ ଅଧ୍ୟାୟଃ ॥
</poem>
==='''ତ୍ରିସପ୍ତତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହୋ ରାମର ବିକ୍ରମ ॥ ୧
ଥିଲା ଯେ ଦୁର୍ଯ୍ୟୋଧନ ରାଜା । ଲକ୍ଷ୍ମଣା ତାହାର ତନୁଜା ॥ ୨
ତାହାର ସ୍ୱୟମ୍ବର କାଳେ । କୃଷ୍ଣନନ୍ଦନ ଯାଇ ବଳେ ॥ ୩
ହରିଲା ଶାମ୍ବ ବଳବନ୍ତ । ସୁନ୍ଦର ଜାମ୍ବବତୀସୁତ ॥ ୪
ଦେଖି କନ୍ୟାର ରୂପଗୁଣ । ହରିଲା ସ୍ୱୟମ୍ବରୁ ପୁଣ ॥ ୫
ଲକ୍ଷେକ ରାଜା ଥିଲେ ଚାହିଁ । ରଥେ ବସିଲା କନ୍ୟା ନେଇ ॥ ୬
ଯେମନ୍ତ ବିକ୍ରମ କୃଷ୍ଣର । ତେମନ୍ତ କଲା ଶାମ୍ବବୀର ॥ ୭
ଦେଖି ତାହାର ଦୁଷ୍ଟପଣ । କୋପେ କମ୍ପିଲା କୁରୁରାଣ ॥ ୮
ଦେଖ ଏ ଶ୍ରୀକୃଷ୍ଣରବଳା । ଆମ୍ଭର ମୁଖେ ଦେଲା କଳା ॥ ୯
ଆମ୍ଭଙ୍କୁ କରି ହୀନିମାନ । କୁଳୁ ହରିଲା କନ୍ୟାଧନ ॥ ୧୦
ଆମ୍ଭ ବିଚାରେ ଦେବା ନାହିଁ । ଏମନ୍ତ କହି କୋପ ବହି ॥ ୧୧
ଏହାକୁ ବନ୍ଦୀକର ବଳେ । କି କରି ପାରିବେ ଗୋପାଳେ ॥ ୧୨
ଆମ୍ଭର ଦେଲା ରାଜପଣ । ରାଜ୍ୟ ଭୁଞ୍ଜନ୍ତି ଯଦୁଗଣ ॥ ୧୩
ଏହାର ପାଇଁ ଯେବେଛଳେ । ଯାଦବେ ଆସି ବାହୁବଳେ ॥ ୧୪
ଆମ୍ଭର ତୁଲେ ଯୁଦ୍ଧ କରି । ହେଳେ ସଂଗ୍ରାମେ ଯିବେ ହାରି ॥ ୧୫
ବିମୁଖେ ନ କରିବେ ରଣ । ଯୋଗେ ଯେସନ ଇନ୍ଦ୍ରିଗଣ ॥ ୧୬
ଏମନ୍ତେ କରି ଏକମନ । ଭୁରିଶ୍ରବାଦି ଶଲ୍ୟ କର୍ଣ୍ଣ ॥ ୧୭
ଯୁଯଜ୍ଞକେତୁ ଦୁର୍ଯ୍ୟୋଧନ । ଆରାଧି ଅନ୍ଧର ବଚନ ॥ ୧୮
ଭୀଷ୍ମ ଦ୍ରୋଣଙ୍କ ଆଜ୍ଞା ପାଇ । ସକଳ ବୀରେ ସଜ ହୋଇ ॥ ୧୯
ଏକ ଆରକେ ମହାଦମ୍ଭ । ସମର କରଣେ ଆରମ୍ଭ ॥ ୨୦
କୃପ ଧାଇଁଲେ ମନଦୁଃଖେ । ମିଳିଲେ ଶାମ୍ବର ସମ୍ମୁଖେ ॥ ୨୧
ଦେଖି ତାହାଙ୍କ ଦୁଷ୍ଟଚିତ୍ତ । କୃଷ୍ଣନନ୍ଦନ ବଳବନ୍ତ ॥ ୨୨
ନିଜ କୋଦଣ୍ତେ ଗୁଣ ଦେଇ । ରହିଲା ସିଂହପ୍ରାୟ ହୋଇ ॥ ୨୩
ବେଗେ ମିଳିଲେ କୁରୁବଳ । ଶୁଭଇ ମୁଖରାବ-ଗୋଳ ॥ ୨୪
ଡାକନ୍ତି ଧର ଧର ବାଣୀ । ସିନ୍ଧୁଶବଦ ପ୍ରାୟ ମଣି ॥ ୨୫
ଶାମ୍ବକୁ ଜିଣିବାର ଆଶେ । ବେଗେ ମିଳିଲେ ତାର ପାଶେ ॥ ୨୬
ରୁନ୍ଧିଲେ ଚାରିଦିଗ କୋଣେ । କର୍ଣ୍ଣ ସହିତେ ଘୋରରଣେ ॥ ୨୭
ସ୍ୱଭାବେ ସର୍ବେ ଧନୁର୍ଦ୍ଧର । ଶର ବରଷା ମହାଘୋର ॥ ୨୮
କରି ରୁନ୍ଧିଲେ ଦଶଦିଶେ । ତା ଦେଖି ଶାମ୍ବ ମହାରୋଷେ ॥ ୨୯
କୋପେଣ କମ୍ପଇ ଶରୀର । ନିର୍ଭୟେ କୃଷ୍ଣରକୁମର ॥ ୩୦
ଛାଗଳ ପଲ ମଧ୍ୟେ ଥାଇ । କେଶରୀ ଯେମନ୍ତେ ଦିଶଇ ॥ ୩୧
ଶାମ୍ବ କରନ୍ତେ ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥ ୩୨
କର୍ଣ୍ଣ ସହିତେ ଷଡ଼ରଥୀ । ଶାମ୍ବକୁ ବାଣ ବରଷନ୍ତି ॥ ୩୩
ଦେଖି କୁପିତ କୃଷ୍ଣସୁତ । ବାଣ ବରଷେ ଅବିରତ ॥ ୩୪
କର୍ଣ୍ଣକୁ ପାଞ୍ଚବାଣ ବିନ୍ଧି । ରଥ ସାରଥି ଅଶ୍ୱ ଛେଦି ॥ ୩୫
ଷଡ଼ରଥୀଙ୍କି ଏହିମତେ । ବାଣ ବିନ୍ଧିଲା ଅପ୍ରମିତେ ॥ ୩୬
ଦେଖି ତାହାର କ୍ଷତ୍ରିପଣ । କୁରୁଏ କଲେ ଘୋରରଣ ॥ ୩୭
ସାଧୁଶବଦ ଉଚ୍ଚନାଦେ । ଶୁଭିଲା କୁରୁବଳ ମଧ୍ୟେ ॥ ୩୮
ଶାମ୍ବ ଉପରେ କୁରୁବୀରେ । ତୀକ୍ଷ୍ଣ ନାରାଚ କୋପଭରେ ॥ ୩୯
ବିନ୍ଧି ସାରଥି କଲେ ନାଶ । ଛେଦିଲେ ଅଶ୍ୱଙ୍କର ପାଶ ॥ ୪୦
ରଥକୁ କଲେ ଖଣ୍ତ ଖଣ୍ତ । ଛେଦିଲେ ହସ୍ତର କୋଦଣ୍ତ ॥ ୪୧
ବିରଥ କରି ତାକୁ ବଳେ । ବନ୍ଧନ କଲେ ଅବହେଳେ ॥ ୪୨
କନ୍ୟା ସହିତେ ତାକୁ ଧରି । ମିଳିଲେ ହସ୍ତିନାନଗରୀ ॥ ୪୩
କଷ୍ଟରେ କୃଷ୍ଣସୁତ ଜିଣି । ସମରେ ଜୟପ୍ରାୟ ମଣି ॥ ୪୪
ହୋଇଲେ ନିର୍ଭୟ ନିଶ୍ଚିନ୍ତ । ଏବେ ହୋ ଶୁଣ ନରନାଥ ॥ ୪୫
ବ୍ରହ୍ମନନ୍ଦନ ତାହା ଜାଣି । ରାମ-ବିକ୍ରମ ପରିମାଣି ॥ ୪୬
ମିଳିଲେ ଦ୍ୱାରକାଭୁବନେ । ରାମ-ଗୋବିନ୍ଦ ସନ୍ନିଧାନେ ॥ ୪୭
ଉଗ୍ରସେନର ସଭାମଧ୍ୟେ । ନାରଦ କହେ ମନଖେେଦେ ॥ ୪୮
ଶୁଣ ହୋ ଭୋଜ ନୃପବର । କୁରୁସଭାର ଅବିଚାର ॥ ୪୯
ତାହାର କନ୍ୟା-ସ୍ୱୟମ୍ବରେ । ଶାମ୍ବ ଯେ ଗଲା ତାର ପୁରେ ॥ ୫୦
କନ୍ୟା ବରିଲା ଇଚ୍ଛାମତେ । ଦେଖି କୌରବେ କୋପଚିତ୍ତେ ॥ ୫୧
କୂଟ ସଂଗ୍ରାମେ ତାକୁ ଧରି । ରଖିଲେ ହସ୍ତିନାନଗରୀ ॥ ୫୨
ଏମନ୍ତ କହି କୃଷ୍ଣଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ॥ ୫୩
ନାରଦବାକ୍ୟ କର୍ଣ୍ଣେ ଶୁଣି । ସମରେ ସଜ ଚକ୍ରପାଣି ॥ ୫୪
ପୁତ୍ରବନ୍ଧନ ଶୁଣି ରୋଷେ । ଦାରୁକ ରାଇଲେ ବିଶ୍ୱାସେ ॥ ୫୫
ବୋଇଲେ ରଥ ସାଜ ବେଗେ । ତା ଶୁଣି ସାଜିଲେ ଯାଦବେ ॥ ୫୬
ଉଗ୍ରସେନର ଆଜ୍ଞା ପାଇ । ବୀରେ ଚଳିଲେ ସଜ ହୋଇ ॥ ୫୭
କେ କହୁ କୃଷ୍ଣର ସଇନି । ଚଳନ୍ତେ କମ୍ପଇ ମେଦିନୀ ॥ ୫୮
ବାଜଇ ବୀରତୂରମାନ । ରଥେ ବିଜୟ ଭଗବାନ ॥ ୫୯
ଦେଖିଣ ଗୋବିନ୍ଦ ଆଗମ । ବୋଲନ୍ତି ପ୍ରଭୁ ବଳରାମ ॥ ୬୦
ଏ ତ ନୁହଇ ଭଲ କଥା । ବନ୍ଧୁରେ ବିରୋଧ ବ୍ୟବସ୍ଥା ॥ ୬୧
ସେ ଯେବେ ନ ଜାଣି ଆଚରି । ଆମ୍ଭେ କେମନ୍ତେ ବାଦ କରି ॥ ୬୨
ତୁମ୍ଭେ ନ ମନେରୋଷ । ମୁହିଁ ଯେ ତାଙ୍କର ବିଶ୍ୱାସ ॥ ୬୩
ଆଜ ହସ୍ତିନା ଯିବି ମୁହିଁ । ଉଭୟକୁଳ ଭାବ ବହି ॥ ୬୪
ତୁମ୍ଭେ ନ କର ଆଗମନ । ଶୁଣି ରହିଲେ ଭଗବାନ ॥ ୬୫
ଏମନ୍ତେ ପ୍ରଭୁ ବଳରାମ । ଯାଦବବଳ କରି ସାମ ॥ ୬୬
ଉଗ୍ରସେନକୁ ବୋଧ କରି । ହସ୍ତିନା ବିଜେ ହଳଧାରୀ ॥ ୬୭
କୁରୁଯାଦବ ହିତ ଅର୍ଥେ । ବେଗେ ଚଳିଲେ ହଳହସ୍ତେ ॥ ୬୮
ଆନନ୍ଦେ ରେବତୀରମଣ । କଳି-କଳୁଷ-ନିବାରଣ ॥ ୬୯
କୁଳବୃଦ୍ଧଙ୍କୁ ରାଇ ବେଗେ । ଉତ୍ତମବିପ୍ର ଘେନି ସଙ୍ଗେ ॥ ୭୦
ରଥେ ବସିଲେ ତୋଷମନେ । ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେହ୍ନେ ॥ ୭୧
ମିଳିଲେ ହସ୍ତିନାଭୁବନେ । ଦୁର୍ଯ୍ୟୋଧନର ଉପବନେ ॥ ୭୨
ରାମ ଆଦେଶେ ମନ୍ତ୍ରୀବର । ଉଦ୍ଧବ ଗଲା କୁରୁପୁର ॥ ୭୩
ଦୁର୍ଯ୍ୟୋଧନର ସଭାମଧ୍ୟେ । ନମିଲା ଧୃତରାଷ୍ଟ୍ର ପାଦେ ॥ ୭୪
ଭୀଷ୍ମ-ଦ୍ରୋଣଙ୍କ ପାଦେ ନମି । ବୋଲେ ସୁହୃଦଭାବ ଘେନି ॥ ୭୫
ଦୁର୍ଯ୍ୟୋଧନଙ୍କୁ କରି ଶମ । କହିଲା ରାମର ଆଗମ ॥ ୭୬
ଶୁଣି ରାମର ଆଗମନ । ଆନନ୍ଦ ହୋଇ ଭୀଷ୍ମ ଦ୍ରୋଣ ॥ ୭୭
ସଭାରୁ ଉଠି ଧାତିକାରେ । ମିଳିଲେ ରାମର ଛାମୁରେ ॥ ୭୮
ବନ୍ଧୁସ୍ୱଭାବପଣେ ହେଜି । ରାମଙ୍କୁ ଷଡ଼ଅର୍ଘ୍ୟେ ପୂଜି ॥ ୭୯
କହିଣ ମଧୁର ବଚନ । ଆନନ୍ଦ କଲେ ରାମ ମନ ॥ ୮୦
କୁରୁଙ୍କ ମଧ୍ୟେ ଧୀରମତି । ରାମ ମହିମା ସେ ଜାଣନ୍ତି ॥ ୮୧
ଭାବେ ନମିଲେ ରାମପାଦେ । ବନ୍ଦୁ କୁଶଳ ପ୍ରୀତି ସଧେ ॥ ୮୨
ରାମହିଁ କଲେ ଯଥାବିଧି । ଯେ ବନ୍ଧୁକୁଶଳ ପ୍ରସିଦ୍ଧି ॥ ୮୩
କୁରୁଙ୍କ ମଧ୍ୟେ ହଳପାଣି । କହନ୍ତି ପ୍ରିୟଭାବ ଘେନି ॥ ୮୪
ରାଜାଧିରାଜ ଉଗ୍ରସେନ । ଯେମନ୍ତ ବୋଲିଛି ବଚନ ॥ ୮୫
ବେଗେ କରିବ ସେହିମତ । ଆତ୍ମାକୁଳଶ ଯେବେ ଚିନ୍ତ ॥ ୮୬
ତୁମ୍ଭେ ଉତ୍ତମ ଶସ୍ତ୍ରଧାରୀ । ଧର୍ମର ପଥ ନ ବିଚାରି ॥ ୮୭
କପଟଯୁଦ୍ଧେ କୃଷ୍ଣସୁତ । ଧରି ମଣିଲ କୃତକୃତ୍ୟ ॥ ୮୮
ଏ ଅପରାଧ ଆମ୍ଭେ ସହି । ବନ୍ଧୁକୁଶଳ ମନେ ବହି ॥ ୮୯
ଏମନ୍ତ ଶୁଣି ରାମକଥା । ସ୍ୱଭାବେ ସର୍ବେ ମହାରଥା ॥ ୯୦
କୁରୁନନ୍ଦନ ଦୁର୍ଯ୍ୟୋଧନ । ଆବର ଯେତେ ଦୁଷ୍ଟଜନ ॥ ୯୧
ଆତ୍ମାର ନିନ୍ଦାପ୍ରାୟ ବାଣୀ । ବଳଦେବଙ୍କ ମୁଖୁଁ ଶୁଣି ॥ ୯୨
ବଦନ ଚାହିଁ ଏକେ ଏକେ । କୋପେ ବୋଲନ୍ତି ମନଦୁଃଖେ ॥ ୯୩
ଦେଖ ବିଚିତ୍ର କାଳଗତି । ଯାହା କହିଲେ ଯଦୁପତି ॥ ୯୪
ଚର୍ମପାଦୁକା ଗର୍ବ ବହି । ଶିରମୁକୁଟ ଶିଖେ ଯାଇ ॥ ୯୫
ଥିବାକୁ କରଇ ବିଚାର । ଏମନ୍ତ ଗର୍ବ ଏହାଙ୍କର ॥ ୯୬
ଏହାଙ୍କୁ ଆମ୍ଭେ ବନ୍ଧୁପଣେ । ରାଜ୍ୟେ ସ୍ଥାପିଲୁ ରାଜାପଣେ ॥ ୯୭
ନୁହଁନ୍ତି ରାଜପଣେ ଯୋଗ୍ୟ । ଆମ୍ଭର ଦେଲା ବଇଭୋଗ ॥ ୯୮
ଭୁଞ୍ଜି ମଣନ୍ତି ଆତ୍ମାଶିରୀ । ଯେଣୁ ଉପେକ୍ଷା ଆମ୍ଭେ କରି ॥ ୯୯
ଏହାଙ୍କ ରାଜ୍ୟ ନେବା ବଳେ । ଗର୍ବ ଯେ କଲେ ମତ୍ତଭୋଳେ ॥ ୧୦୦
ରାଜ୍ୟକୁ ନୁହଁନ୍ତି ଭାଜନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୧୦୧
କ୍ଷୀର-ସଂଯୋଗେ ବଢେ଼ ବିଷ । ଦାତାକୁ କରେ ପ୍ରାଣେ ନାଶ ॥ ୧୦୨
ଆମ୍ଭର ଦେଲା ଅନ୍ନ ଖାଇ । ସର୍ପର ପ୍ରାୟ ଗର୍ବ ବହି ॥ ୧୦୩
ଆମ୍ଭଙ୍କୁ ଆଜ୍ଞା ଏ ଦିଅନ୍ତି । ଅଳପ ପ୍ରାୟେକ ମଣନ୍ତି ॥ ୧୦୪
ଦେଖ ଆମ୍ଭର ତୁଲେ ବାଦେ । ଇନ୍ଦ୍ର ନ ରହେ ରଣମଧ୍ୟେ ॥ ୧୦୫
ସିଂହ ସମ୍ମୁଖେ ଯେହ୍ନେ ମେଷ । ତେହ୍ନେ ଛାଡ଼ଇ ସ୍ୱର୍ଗଦେଶ ॥ ୧୦୬
କହନ୍ତି ଶୁକମୁନିବର । ଶୁଣ ହେ କୁରୁଙ୍କ ବେଭାର ॥ ୧୦୭
ଉତ୍ତମଜନ ବନ୍ଧୁଜନେ । ଗର୍ବ ବହିଲେ ଦୁଷ୍ଟମନେ ॥ ୧୦୮
ଏମନ୍ତ କୁରୁ ଦୁଷ୍ଟବାଣୀ । ଶୁଣି କୋପିଲେ ହଳପାଣି ॥ ୧୦୯
କୋପେ ଯମର ପ୍ରାୟ ଦିଶି । ବୋଲନ୍ତି ପୁଣ ପୁଣ ହସି ॥ ୧୧୦
ଦେଖ ସଂସାର ବେଭାର । ସମ୍ପଦ ବଢ଼ଇ ଯାହାର ॥ ୧୧୧
ଅସାଧୁପଣ ଆଚରନ୍ତି । ଆତ୍ମାର ସୁଖ ନ ଇଚ୍ଛନ୍ତି ॥ ୧୧୨
ତାଙ୍କ ପ୍ରସଙ୍ଗେ ଦଣ୍ତ ହିତ । ପଶୁଙ୍କୁ ଲଗୁଡ଼ ଯେମନ୍ତ ॥ ୧୧୩
ଏ ବଡ଼ ଖେଦ ମୋର ମନେ । ଉଗ୍ରସେନର ଅପମାନେ ॥ ୧୧୪
ଯଦୁଙ୍କ ତୁଲେ ନାରାୟଣ । ଏହାଙ୍କ ସଙ୍ଗେ ଇଚ୍ଛି ରଣ ॥ ୧୧୫
ସକଳ ସୈନ୍ୟ ତୁଲେ ସାଜି । ରଥ କୁଞ୍ଜର ନର ବାଜି ॥ ୧୧୬
ନଗରୁ ହୋଇଲେ ବାହାର । ମୁଁ ଏହା କରି ସୁବିଚାର ॥ ୧୧୭
ଏହାଙ୍କ ପ୍ରିୟଭାବ ବହି । ନିବାରି ଅଇଲି ଯେ ମୁହିଁ ॥ ୧୧୮
ତହିଁର ଫଳ ଏବେ ମୋତେ । ଦଇବେ ଫଳିଲା ଉଚିତେ ॥ ୧୧୯
ଏ ଯେ ସ୍ୱଭାବେ ମନ୍ଦମତି । କଳହରୁଚି ଖଳପ୍ରୀତି ॥ ୧୨୦
ଦେଖ ଅବଜ୍ଞା ମୋତେ କଲେ । ଦୁଷ୍ଟବଚନ ନିନ୍ଦାବୋଲେ ॥ ୧୨୧
ଭୋଜ ଅନ୍ଧକ ବୃଷ୍ଣିବଂଶ । ଯାହାର ପୁତ୍ର ବୀରକଂସ ॥ ୧୨୨
ଯାଦବକୁଳର ଈଶ୍ୱର । କୃଷ୍ଣ ଯାହାର ଅନୁଚର ॥୧୨୩
ସେ କାହିଁ ରାଜପଣେ ସାଜେ । ଦେବେ ଖଟନ୍ତି ଯା ସମାଜେ ॥୧୨୪
ବାସବ ଆଦି ଦିଗପାଳେ । ସେବନ୍ତି ଯାର ପାଦତଳେ ॥୧୨୫
ସୁଧର୍ମାସଭା ଯାର ଦ୍ୱାରେ । ପାରିଜାତକପୁଷ୍ପ ପୁରେ ॥୧୨୬
ମର୍ତ୍ତ୍ୟେ କରଇ ସ୍ୱର୍ଗଭୋଗ । ସେ ନୋହେ ରାଜପଣେ ଯୋଗ୍ୟ ॥୧୨୭
ପଦ୍ମସମ୍ଭବା କମଳିନୀ । ସ୍ୱଭାବେ ଜଗତଜନନୀ ॥୧୨୮
ସେ ଯାର ସେବଇ ଚରଣେ । ସେ କାହିଁ ଯୋଗ୍ୟ ରାଜ ପଣେ ॥୧୨୯
ଯାହାର ପାଦପଦ୍ମରଜ । ଅଖିଳଦେବଙ୍କ ସମାଜ ॥୧୩୦
ପବିତ୍ର କରେ ମୁନି ତୀର୍ଥ । ଯେଣୁ ସେ ତୀର୍ଥଙ୍କର ତୀର୍ଥ ॥୧୩୧
ବ୍ରହ୍ମାଶଙ୍କର ଆଦି ମୁହିଁ । ଯାହାର ଅଂଶେ ଦେହବହି ॥୧୩୨
ଲକ୍ଷ୍ମୀ ସହିତେ ଆଜ୍ଞା ବହି । ତାହାର ନୃପାସନ କାହିଁ ॥୧୩୩
କୁରୁଙ୍କ ଭୋଗ ଆମ୍ଭେ ଖାଇ । ଧରଣୀ ମଧ୍ୟେ ଦେହ ବହି ॥୧୩୪
ଆମ୍ଭେ ସକଳେ ଉପାନହ । କୁରୁ ବହନ୍ତି ଶିର ଦେହ ॥୧୩୫
କାହାର ବଳେ ଏହା ସହି । ରୁଧିର ମାଂସ ଦେହ ବହି ॥୧୩୬
ଦେଖ ଏ କୁରୁକୁଳ ମତ । ସମ୍ପଦେ ହୋଇ ଅନାୟତ୍ତ ॥୧୩୭
ମାନୀ ଅଟନ୍ତି ଗର୍ବ ବହି । କେ ଏହା ସହେ ପ୍ରଭୁ ହୋଇ ॥୧୩୮
ଆଜ କରିବି ପ୍ରତିଫଳ । ଏମନ୍ତ ବୋଲି ତୀକ୍ଷ୍ଣ ହଳ ॥୧୩୯
ତକ୍ଷଣେ ଘେନି ବାମହସ୍ତେ । ବୋଲନ୍ତି ରାମ କୋପଚିତ୍ତେ ॥୧୪୦
ଆଜ ମୁଁ ଏହାଙ୍କୁ ସଂହାରି । ସୁଖୀ କରିବି ବସୁନ୍ଧରୀ ॥୧୪୧
ତେବେ ସେ ଯିବି ନିଜପୁର । ସତ୍ୟବଚନ ଏ ମୋହର ॥୧୪୨
ଏମନ୍ତ ବୋଲି କୋପେ ଉଠି । ଦୃଢେ ଧଇଲେ ହଳମୁଷ୍ଟି ॥୧୪୩
ରାମର କୋପ ଗୁରୁତର । ତେଜ କି ଦହେ ତିନିପୁର ॥୧୪୪
ଲଙ୍ଗଳେ ହସ୍ତିନା ଉପାଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥୧୪୫
ଦକ୍ଷିଣ କରେ ସଉନନ୍ଦ । ଶୂନ୍ୟେ ଦେଖନ୍ତି ଦେବବୃନ୍ଦ ॥୧୪୬
ନଗର ଛାଡ଼ି ଗଙ୍ଗାଜଳେ । କୌରବେ ପଡ଼ନ୍ତୁ ପାତାଳେ ॥୧୪୭
ଏମନ୍ତ ବୋଲି ହଳଧାରୀ । ହସ୍ତିନା ଉପାଡ଼ିଲେ ଧରି ॥୧୪୮
ସମୁଦ୍ରେ ନାବପ୍ରାୟ ହୋଇ । ହସ୍ତିନାନଗର କମ୍ପଇ ॥୧୪୯
ପଡ଼ିବା ପ୍ରାୟ ଗଙ୍ଗାଜଳେ । ଦେଖିଣ କୌରବେ ବିକଳେ ॥୧୫୦
କୁଟୁମ୍ବ ତୁଲେ ଉଚ୍ଚନାଦେ । ଶରଣ ଗଲେ ରାମପାଦେ ॥୧୫୧
ଡ଼ାକନ୍ତି ଜୀବନ ବିକଳେ । ଭୋ ରାମ ରଖ ପାଦତଳେ ॥୧୫୨
ଆମ୍ଭେ ତ ସ୍ୱଭାବେ ନିରେଖ । ତୋର କୁମର ବଧୁ ରଖ ॥୧୫୩
କୁମର ତୁଲେ କନ୍ୟା ନେଇ । ରାମଚରଣ ତଳେ ଯାଇ ॥୧୫୪
ଏ କନ୍ୟା ଦେଇ ତୋ ଶରଣ । ପଶିଲୁ ଅଭୟଚରଣ ॥୧୫୫
ହେ ରାମ ତୋହର ମହିମା । ବେଦ ନ ଜାଣେ ଆଦିସୀମା ॥୧୫୬
ମୂଢ ଅଜ୍ଞାନ ଆମ୍ଭେ ହେଉଁ । ତୋ ଭାବ ଜାଣିବୁଟି କାହୁଁ ॥୧୫୭
ଆମ୍ଭେ କୌରବେ ଅପରାଧୀ । ତୁ ନାଥ କରୁଣାବାରିଧି ॥୧୫୮
ସ୍ଥିତି-ପାଳନ-ଅନ୍ତ କରୁ । ଯେଣୁ ତୁ ଶେଷରୂପ ଧରୁ ॥୧୫୯
ତୁ ଆଦିହେତୁ ନିର୍ବିଷୟ । ନିର୍ଲେପ ଏକ ତୁ ଅବ୍ୟୟ ॥୧୬୦
ତୋହର କ୍ରୀଡ଼ାର କନ୍ଦୁକ । ସ୍ୱଭାବେ ହୋନ୍ତି ତିନିଲୋକ ॥୧୬୧
ସହସ୍ର ସହସ୍ର ସଂଖ୍ୟାରେ । ମହୀମଣ୍ତଳ ତୋର ଶିରେ ॥୧୬୨
ସୋରିଷ ପ୍ରାୟ ଅଛୁ ଧରି । ଲୀଳାମାତ୍ରକେ ବସୁନ୍ଧରୀ ॥୧୬୩
ପାଳନ କରି ପୁଣି ହରୁ । ତେଣୁ ତୁ ଶେଷରୂପ ଧରୁ ॥୧୬୪
ଯେ କୋପ ତୋର ଦେହୁଁ ତାତ । ଏକ ଅଖିଳ-ଶିକ୍ଷା-ଅର୍ଥ ॥୧୬୫
ହିଂସା ମତ୍ସର ନାହିଁ ଯେଣୁ । ପାଳନ ହେତୁ ତୋର ତେଣୁ ॥ ୧୬୬
ସୃଷ୍ଟି ପାଳନେ ବ୍ୟଗ୍ର ହେଉ । ତୁ ନାଥ ସତ୍ତ୍ୱଗୁଣ ବହୁ ॥ ୧୬୭
ସଂସାର ମଧ୍ୟେ ତୋର ଲୀଳା । ଯେହ୍ନେ ବାଳୁତଜନ ଖେଳା ॥ ୧୬୮
ନମସ୍ତେ ସର୍ବଭୂତ ପ୍ରାଣ । ଭକତବନ୍ଧୁ ସଙ୍କର୍ଷଣ ॥ ୧୬୯
ଜୀବର ଶକତି ଧାରଣ । ତୋବିନୁ ନାହିଁ ଅନ୍ୟ ଜନ ॥ ୧୭୦
ଅବ୍ୟୟ ବୋଲାଉ ଜଗତେ । ଭୋ ନାଥ ତୋର ଅନୁମତେ ॥ ୧୭୧
ତୁ ବିଶ୍ୱକର୍ମା ଜ୍ଞାନ ସାର । ଭୋ ନାଥ ତୋତେ ନମସ୍କାର ॥ ୧୭୨
ତୋହର ପାଦପଦ୍ମ ତଳେ । ଶରଣ ପଶିଲୁ ନିଶ୍ଚଳେ ॥ ୧୭୩
ଶୁକ ବୋଲନ୍ତି ରାୟେ ଶୁଣ । ଭକତବନ୍ଧୁ ସଙ୍କର୍ଷଣ ॥ ୧୭୪
କୁରୁଙ୍କ ଦୁଃଖ ଭୟ ଚାହିଁ । ପ୍ରସନ୍ନ ଚିତ୍ତେ ଦୟା ବହି ॥ ୧୭୫
ହଳ ସଂହରି ହଳଧର । ବୋଇଲେ ନାହିଁ ତୁମ୍ଭ ଡର ॥ ୧୭୬
ନିର୍ଭୟ ହୋଇ କୁରୁଜନ । ତକ୍ଷଣେ ରାଜା ଦୁର୍ଯ୍ୟୋଧନ ॥ ୧୭୭
କନ୍ୟା ସହିତେ କୃଷ୍ଣସୁତ । ସମର୍ପି ରାମର ଆଗ୍ରତ ॥ ୧୭୮
ଅନେକ ଯଉତୁକ ଦେଲା । ଶୁଣ ହୋ ଅଭିମନ୍ୟୁ ବଳା ॥ ୧୭୯
ଅତି ସୁନ୍ଦର ମନୋହର । ଦେଲା ବାରଶତ କୁଞ୍ଜର ॥ ୧୮୦
ଅଶ୍ୱ ସେ ଦେଲାକ ଅୟୁତେ । ଷଟସହସ୍ର ସ୍ୱର୍ଣ୍ଣରଥେ ॥ ୧୮୧
ରଥେ ଦିଶନ୍ତି ରବିତେଜ । ପୁଣି ଆନନ୍ଦେ କୁରୁରାଜ ॥ ୧୮୨
ଦୁହିତା ହିତେ କୁରୁପତି । ସହସ୍ରେ ଦେଲାକ ଯୁବତୀ ॥ ୧୮୩
ଅମୂଲ୍ୟରତ୍ନ କଣ୍ଠେ ଭରି । ଦେଲା ସେବକୀ ସଜ କରି ॥ ୧୮୪
ଏମନ୍ତେ କନ୍ୟାଆଦି ଯେତେ । ରାମ ଘେନାଇଁ ତୋଷଚିତ୍ତେ ॥ ୧୮୫
ଏ ଆଦି ଘେନି ହଳଧର । ଗମନ୍ତେ ସର୍ବ କୁରୁବୀର ॥ ୧୮୬
ରାମଙ୍କୁ କରି ପ୍ରଦକ୍ଷିଣ । ମିଳିଲେ ହସ୍ତିନା ଭୁବନ ॥ ୧୮୭
ସଙ୍କରଷ ତୋଷଚିତ୍ତେ । ଆନନ୍ଦେ ରାମର ଅଗ୍ରତେ ॥ ୧୯୦
କନ୍ୟା ସହିତେ କୃଷ୍ଣସୁତ । ସଙ୍ଗେ ସମ୍ପଦ ଅପ୍ରମିତ ॥ ୧୯୧
ଦେଖି ହରଷ ସର୍ବଜନ । ସଭାର ମଧ୍ୟେ ବଳରାମ ॥ ୧୯୨
କୁରୁଙ୍କ କୃତକର୍ମ କହି । କୃଷ୍ଣର ପ୍ରିୟଭାବ ବହି ॥ ୧୯୩
କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧୯୪
ଅଦ୍ୟାପି ରାମର ଚରିତ । ହସ୍ତିନାନଗରେ ବିଦିତ ॥ ୧୯୫
ରାମ-ବିକ୍ରମ-ଯଶ ଅଛି । ପୁର ଦକ୍ଷିଣଭାଗେ ଲକ୍ଷ୍ୟି ॥ ୧୯୬
ଉତ୍ତର ଭାଗ ନୀଚ ଦିଶେ । ଯେହ୍ନେ ଜାହ୍ମବୀ ଜଳେ ମିଶେ ॥ ୧୯୭
ଏମନ୍ତେ ରାମର ମହିମା । କେ କହିପାରେ ଅନ୍ତଃସୀମା ॥ ୧୯୮
ସେ ରାମ ପାଦେ ଦେଇ ଚିତ୍ତ । କହଇ ବିପ୍ର ଜଗନ୍ନାଥ ॥ ୧୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ହାସ୍ତିନାପୁର କର୍ଷଣ ରୂପ ସଙ୍କର୍ଷଣ ବିଜୟୋ
ନାମ ତ୍ରିସପ୍ତତିତମ ଅଧ୍ୟାୟଃ ॥
</poem>
==='''ଚତୁଃସପ୍ତତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥ ୧
ବ୍ରହ୍ମାନନ୍ଦନ ଏକଦିନେ । ବିଚାର କଲେ ବସି ମନେ ॥ ୨
ରଣେ ନାରକାସୁର ମାରି । କୃଷ୍ଣ ଆଣିଲେ ଯେତେ ନାରୀ ॥ ୩
ଷୋଳସହସ୍ର ଏକଶତ । ଗୃହେ ନିବେଶି ଏକମତ ॥ ୪
ଏକ ଅନେକ ନାରୀ ରମେ । ଏତେ ବିଚାରି ମନଭ୍ରମେ ॥ ୫
କେମନ୍ତେ ରମଇଁ ଏକାନ୍ତେ । ପୁତ୍ର ପଉତ୍ର ଅପ୍ରମିତେ ॥ ୬
ଏକେ ଅଏକ ନାରୀ ରମେ । ଏତେ ବିଚାରି ମନଭ୍ରମେ ॥ ୭
ଦେଖିବି ବୋଲି କରି ସଧ । ଦ୍ୱାରକା ମିଳିଲେ ନାରଦ ॥ ୮
ସ୍ୱଭାବେ ଗୋବିନ୍ଦର ପୁର । କି ଅବା ଦେବା ପଟାନ୍ତର ॥ ୯
ପୁଷ୍ପିତ ଉପବନ ମଧ୍ୟେ । ଭ୍ରମର ପକ୍ଷୀ କଳନାଦେ ॥ ୧୦
ନୀଳ କୁମୁଦ ପଦ୍ମସାର । ସୁଗନ୍ଧ କୁସୁମ କହ୍ଲାର ॥ ୧୧
ହଂସ ସାରସ ମଧ୍ୟେ ପଶି । ସୁନ୍ଦର ଜଳାଶୟେ ଭାସି ॥ ୧୨
ଶୁଭ୍ର ପ୍ରାସାଦ ନବଲକ୍ଷ । ସ୍ପଟିକ ରଜତ ପ୍ରତ୍ୟକ୍ଷ ॥ ୧୩
ମହାମର୍କତ ତେଜ କାନ୍ତି । ରତ୍ନସୁବର୍ଣ୍ଣ ଝଟକନ୍ତି ॥ ୧୪
ଏକାନ୍ତ ମାର୍ଗ ଚତୁଷ୍ପଥ । ହାଟ ପାଟଣା ସୁଶୋଭିତ ॥ ୧୫
ଦେବତା ଗୃହ ଯଜ୍ଞଶାଳ । ଦିଶନ୍ତି ଯେହ୍ନେ ମେଘମାଳ ॥ ୧୬
ମାର୍ଗ ଅଗଣା ରାଜପଥ । ମାର୍ଜିତ ଚନ୍ଦନେ ସିଞ୍ଚିତ ॥ ୧୭
ଚିତ୍ରପିତୁଳି କାନ୍ଥମାଝେ । ଧ୍ୱଜ ପତାକା ତଥି ସାଜେ ॥ ୧୮
ଏଣୁ ନ ଲାଗେ ରବି ତେଜ । ଯହିଁ ବିଜୟେ ଦେବରାଜ ॥ ୧୯
କେ କହୁ ପୁରଙ୍କର ଶୋଭା । କିବା ଉପମା ତାକୁ ଦେବା ॥ ୨୦
କୃଷ୍ଣର ଅନ୍ତଃପୁର ଦ୍ୱାରେ । ଦେବେ ଖଟନ୍ତି ନିରନ୍ତରେ ॥ ୨୧
ବିଶ୍ୱକର୍ମାର ଶିଳ୍ପୀପଣ । ଯେପୁରେ ହୋଇଛି ପ୍ରମାଣ ॥ ୨୨
ଷୋଳସହସ୍ରଶତେ ନାରୀ । ସେ ପୁରେ ଗୃହବାସ୍ତୁ କରି ॥ ୨୩
କୃଷ୍ଣ ସେବନ୍ତି ମନସୁଖେ । କେ କହୁ ତାଙ୍କ ପୁଣ୍ୟ ମୁଖେ ॥ ୨୪
ବ୍ରହ୍ମାନନ୍ଦନ ଏକସରେ । ମିଳିଲେ କୃଷ୍ଣ-ଅନ୍ତଃପୁରେ ॥ ୨୫
ବିଦ୍ରୁମ ସ୍ତମ୍ଭମାନ ଶୋହେ । ଚଳଇ ଇନ୍ଦ୍ରନୀଳ ପ୍ରାୟେ ॥ ୨୬
ଫଳକମାନ ବଇଦୂର୍ଯ୍ୟ । ଖଞ୍ଜିତ ନାନା ମଣିପୁଞ୍ଜ ॥ ୨୭
ଏଣେ ଗଞ୍ଜଇ ସର୍ବଜ୍ୟୋତି । ତମେ ଯେସନେ ତାରାପନ୍ତି ॥ ୨୮
ମୁକୁତା ଦେମେ ଚନ୍ଦ୍ରାତପ । ଯେ ବିଶ୍ୱକର୍ମାର ଶିଳିପ ॥ ୨୯
ଆସନ ପଲ୍ୟଙ୍କ ସହିତେ । ନିର୍ମିତ କରି ବରଦନ୍ତେ ॥ ୩୦
ଖଚିତ ପଦ୍ମରାଗ ପନ୍ତି । ଦେଖନ୍ତେ ମନ ସେ ହରନ୍ତି ॥ ୩୧
କୃଷ୍ଣ କାମିନୀଙ୍କର ପାଶେ । ସେବକୀ ସେବନ୍ତି ବିଶ୍ୱାସେ ॥ ୩୨
ତାହାଙ୍କ କଣ୍ଠେ ରତ୍ନମଣି । ରବିକିରଣ ପ୍ରାୟେ ଜାଣି ॥ ୩୩
ବିବିଧ ବସ୍ତ୍ର ପରିଧାନ । ରୂପ ବୟସ ସୁଘଟଣ ॥ ୩୪
ବଳୟ କରେ ବିଭୂଷଣ । ପାଦେ ନୂପୁର ରୁଣଝୁଣ ॥ ୩୫
ମଣିକୁଣ୍ତଳ ଶୋହେ କର୍ଣ୍ଣେ । କୃଷ୍ଣକାମିନୀ ଅବଧାନେ ॥ ୩୬
ଜଳନ୍ତି ରତ୍ନଦୀପ ପନ୍ତି । ନିବିଡ଼ତମ ସେ ହରନ୍ତି ॥ ୩୭
ଚିତ୍ର-ଜଗତି ଶିଖେ ଥାଇ । ଅଗୁରୁ ଧୂପ ଧୂମ ଚାହିଁ ॥ ୩୮
ଜଳଦ ପ୍ରାୟ ମଣି ମନେ । ନାଚନ୍ତି ନୀଳକଣ୍ଠଗଣେ ॥ ୩୯
ଏମନ୍ତ ପୁରେ କୃଷ୍ଣନାରୀ । ସମାନ ବୟ-ବେଶଧାରୀ ॥ ୪୦
ସେବନ୍ତି କୃଷ୍ଣର ଚରଣେ । ନିଜ ମନ୍ଦିରେ ଜଣେ ଜଣେ ॥ ୪୧
ଦାସୀ-ସହସ୍ର ମେଳେ ଥାଇ । ସେବନ୍ତି ଭାବେ ଭାବଗ୍ରାହୀ ॥ ୪୨
ଏମନ୍ତେ ରୁକ୍ମିଣୀ ଭୁବନେ । ନାରଦ ମୁନି ଶୁଦ୍ଧମନେ ॥ ୪୩
ମିଳିଲେ କୃଷ୍ଣପାଶେ ଯାଇ । ଦେଖି ଉଠିଲେ ଭାବଗ୍ରାହୀ ॥ ୪୪
ଧାର୍ମିକ ବର ବ୍ରହ୍ମରାଶି । ଲକ୍ଷ୍ମୀ ପଲ୍ୟଙ୍କ ତଳେ ବସି ॥ ୪୫
କିରୀଟ ଶିରେ ଦେବହରି । ନମିଲେ ମୁନି ପାଦ ଧରି ॥ ୪୬
ନାରଦ ହସ୍ତେ ହସ୍ତ ଦେଇ । ଆସନେ ବସାଇଲେ ନେଇ ॥ ୪୭
ମୁନି ଚରଣଯୁଗ ଧୋଇ । ଶିରେ ଘେନିଲେ ଭାବଗ୍ରାହୀ ॥ ୪୮
ବ୍ରହ୍ମଣ୍ୟଦେବ ଯାର ନାମ । ସକଳ ଗୁଣେ ଅନୁପମ ॥ ୪୯
ଯାହାର ଚରଣ ଉଦକ । ହରଇ ସକଳ ପାତକ ॥ ୫୦
ପୁରାଣପୁରୁଷ ମୁରାରି । ବୋଲନ୍ତି ମୁନିପାଦ ଧରି ॥ ୫୧
ହସି ବୋଲନ୍ତି ମହାବାହୁ । ନିଯୋଗ ଆଜ୍ଞା ମୋତେ ହେଉ ॥ ୫୨
ନାରଦ କୃଷ୍ଣ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୫୩
ଭୋ ନାଥ ଶୁଣ ନାରାୟଣ । ଅଖିଳ ବ୍ରହ୍ମାଣ୍ତ କାରଣ ॥ ୫୪
କସଳଜନେ ତୋର କୀର୍ତ୍ତି । ଖଳ-ଦଣ୍ତନେ ବକ୍ରଗତି ॥ ୫୫
ସାଧୁଙ୍କ ନିସ୍ତାର ନିମନ୍ତେ । ତୋ ଅବତାର ଏ ଜଗତେ ॥ ୫୬
କ୍ଷିତି ରକ୍ଷଣେ ଚକ୍ରଧର । ତୋହର ଯେତେ ଅବତାର ॥ ୫୭
ନିଗମେ ତୋର ଯଶ ଗାଇ । ଏହା ତ ଭଲେ ମୁଁ ଜାଣଇଁ ॥ ୫୮
ଦେଖିଲି ତୋ ଚରଣ ଯୁଗ । ଯହୁଁ ଜନ୍ମଇ ଅପବର୍ଗ ॥ ୫୯
ଯେ ପାଦ ବହ୍ମା ବେଦବାଦୀ । ଯାହା ଚିନ୍ତନ୍ତି ନିରବଧି ॥ ୬୦
ସଂସାର-କୂପ ମଧ୍ୟେ ପଡ଼ି । ଜନ୍ତୁଏ ମାୟାଜଳେ ବୁଡ଼ି ॥ ୬୧
ତାହାଙ୍କ ଧରିବା ନିଶୁଣି । ତୋ ପାଦପଦ୍ମ ଚକ୍ରପାଣି ॥ ୬୨
ସେ ପାଦ ଧ୍ୟାୟୀ ଏ ଜଗତେ । ମୁଁ ଯେ ବୁଲଇ ଅବିରତେ ॥ ୬୩
ସେ ପାଦ ଚିନ୍ତା ମୋର ହୃଦେ । ନିରତେ ଥାଉ ଅପ୍ରମାଦେ ॥ ୬୪
ତୋତେ ଅଇଲି ଦେଖି ମୁହିଁ । ଏମନ୍ତେ ଶିରେ କର ଦେଇ ॥ ୬୫
ନାରଦ ଗଲେ ସ୍ନେହଭରେ । ପୁଣି ମିଳିଲେ ଅନ୍ୟପୁରେ ॥ ୬୬
କୃଷ୍ଣର ମାୟା ଯୋଗମତ । ବୁଝିବା ଅର୍ଥେ ବ୍ରହ୍ମାସୁତ ॥ ୬୭
ସତ୍ୟଭାମାର ପୁରେ ଯାଇ । ମିଳିଲେ ବୀଣାବାଦ୍ୟ ବାଇ ॥ ୬୮
ଉଦ୍ଧବ ସଙ୍ଗେ ଯଦୁପତି । ପଶାଖେଳରେ ଦୃଢ଼ମତି ॥ ୬୯
ପ୍ରିୟାସହତେ ଦାମୋଦର । ଦେଖିଲେ ବ୍ରହ୍ମାର କୁମର ॥ ୭୦
ନାରଦ ଆଗମନ ଦେଖି । ଗୋବିନ୍ଦ ଆସନ ଉପେକ୍ଷି ॥ ୭୧
ପ୍ରିୟାସହତେ ନରହରି । ଉଦ୍ଧବ କରେ କର ଧରି ॥ ୭୨
ପୂଜିଲେ ନାରଦ ଚରଣ । ବିପ୍ରଭକତ ନାରାୟଣ ॥ ୭୩
ଆସନ ଆଦି ଉପଚାରେ । ଗୃହସ୍ଥ ଆଶ୍ରମ ବେଭାରେ ॥ ୭୪
ପୂଜି କପାଳେ ଯୋଡ଼ିକର । ପୁଚ୍ଛନ୍ତି ପ୍ରଭୁ ଦାମୋଦର ॥ ୭୫
କେଣେ ଆଗମନ ତୁମ୍ଭର । ପବିତ୍ର କଲ ମୋର ପୁର ॥ ୭୬
ତମ୍ଭେ ସକଳ ଗୁଣେ ପୂର୍ଣ୍ଣ । ସ୍ୱଭାବେ ମୁହିଁ କ୍ଷୁଦ୍ର ଜନ ॥ ୭୭
କି ଅବା କରିବଇଁ ସେବା । ବିଚାରି ମୋତେ ଆଜ୍ଞା ଦେବା ॥ ୭୮
କହ କିମର୍ଥେ ଆଗମନ । ପବିତ୍ର କର୍ମ ମୋର ଜନ୍ମ ॥ ୭୯
ସୁଫଳ ହେଉ ଆଜ୍ଞା ବହି । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୮୦
ଶୁଣି ନାରଦ ମହାମୁନି । କିଛି ନ ବୋଲି ହେଲେ ତୁନି ॥ ୮୧
ତକ୍ଷଣେ ଉଠି ବ୍ରହ୍ମାସୁତ । ଅନ୍ୟ ଭୁବନେ ଉପଗତ ॥ ୮୨
ତହିଁ ଦେକିଲେ ନରହରି । ବାଳକ କୋଳେ ଛନ୍ତି ଧରି ॥ ୮୩
ଶିଶୁ ଲାଳନେ ଭଗବାନ । ଦେଖି ନାରଦ ଆଗମନ ॥ ୮୪
ସଂଭ୍ରମେ ପ୍ରଭୁ ଦେବରାଜା । ପୂର୍ବ ପ୍ରାୟେକ କଲେ ପୂଜା ॥ ୮୫
ନାରଦ ମୁନି ଶୁଖଭରେ । ପୁଣି ମିଳିଲେ ଅନ୍ୟପୁରେ ॥ ୮୬
ତହିଁ ଦେଖିଲେ ଭଗବାନ । ସ୍ନାହାନ ଅର୍ଥେ ଆଗମନ ॥ ୮୭
ପୁଣି ଦେଖିଲେ ଅନ୍ୟ ପୁରେ । କୃଷ୍ଣ ଅଛନ୍ତି ଯଜ୍ଞଘରେ ॥ ୮୮
ଅଗ୍ନି ପୂଜନ ପଞ୍ଚମୁଖେ । ବ୍ରହ୍ମାନନ୍ଦନ ଦେଖି ସୁଖେ ॥ ୮୯
ଅନ୍ୟ ଭୁବନେ ପୁଣି ମିଳି । ଦେଖନ୍ତି ପ୍ରଭୁ ବନମାଳୀ ॥ ୯୦
ବିପ୍ରେ ଭୁଞ୍ଜାଇ ମିଷ୍ଟଅନ୍ନେ । ଶେଷ ଭୁଞ୍ଜନ୍ତି ତୋଷମନେ ॥ ୯୧
ତକ୍ଷଣେ ଅନ୍ୟ ପୁରେ ପଶି । କୃଷ୍ଣେ ଦେଖିଲେ ବ୍ରହ୍ମଋଷି ॥ ୯୨
ଗୋବିନ୍ଦ ସନ୍ଧ୍ୟା ଉପାସନେ । ଗାୟତ୍ରୀ ଜପନ୍ତି ମଉନେ ॥ ୯୩
ଖଡ଼ଗ ଚର୍ମ ଧରି କରେ । ଶର ସାଧନ୍ତି କେଉଁ ପୁରେ ॥ ୯୪
ଆରୋହୀ ଅଶ୍ୱ-ରଥ-ଗଜେ । ନାନା ଭୁବନେ ନାନା ସଜେ ॥ ୯୫
ଏମନ୍ତ ଦେଖି ବ୍ରହ୍ମଋଷି । ପୁଣି ହିଁ ଅନ୍ୟ ପୁରେ ପଶି ॥ ୯୬
ତହିଁ ଦେଖିଲେ ଭଗବାନ । ପଲ୍ୟଙ୍କ ଉପରେ ଶୟନ ॥ ୯୭
ଉପରେ ଚନ୍ଦ୍ରାତପ ଶୋହି । ସେବନ୍ତି ବାମାଗମେ ରହି ॥ ୯୮
ସ୍ତୁତି କରନ୍ତି ବନ୍ଦୀଜନେ । ଦେଖି ଚଳିଲେ ତୋଷମନେ ॥ ୯୯
ଦେଖନ୍ତି ଅନ୍ୟ ପୁରେ ଯାଇ । ଉଦ୍ଧବେ ନିକଟେ ବସାଇ ॥ ୧୦୦
ମନ୍ତ୍ରଣା ମନ୍ତ୍ରଗଣ ସଙ୍ଗେ । ଦେଖି ନାରଦ ଭାବରଙ୍ଗେ ॥ ୧୦୧
ପୁଣି ମିଳିଲେ ଅନ୍ୟ ପୁରେ । ଦେଖନ୍ତି ଜଳର ଭିତରେ ॥ ୧୦୨
ଦିବ୍ୟଯୁବତୀଗଣ ସଙ୍ଗେ । ଜଳେ ଖେଳନ୍ତି ନାନାରଙ୍ଗେ ॥ ୧୦୩
ପୁଣି ମିଳିଲେ ଅନ୍ୟ ସ୍ଥାନେ । ଗୋବିନ୍ଦ ବସି ତୋଷମନେ ॥ ୧୦୪
ଗୋରୁଙ୍କୁ କରି ଅଳଙ୍କାର । ପ୍ରସନ୍ନେ କମଳାର ବର ॥ ୧୦୫
ଉତ୍ତମ ବିପ୍ରେ ଗୋରୁଦାନ । କରନ୍ତି ପ୍ରଭୁ ଭଗବାନ ॥ ୧୦୬
ତକ୍ଷଣେ ବ୍ରହ୍ମାଙ୍କ କୁମର । ପୁଣି ମିଳିଲେ ଅନ୍ୟ ପୁର ॥ ୧୦୭
ତହିଁ ଦେଖିଲେ ନାରାୟଣ । ମଙ୍ଗଳପୁରାଣ ଶ୍ରବଣ ॥ ୧୦୮
କେବଣଠାରେ ହାସ୍ୟମୁଖେ । ହସି ଚାହାନ୍ତି ପ୍ରିୟା ସୁଖେ ॥ ୧୦୯
କେବଣଠାରେ ଚିନ୍ତି ଧର୍ମ । ଅନ୍ୟ ଭବନେ ଅର୍ଥକାମ ॥ ୧୧୦
ଧ୍ୟାନ-ସମାଧି ଅନ୍ୟ ସ୍ଥାନେ । ବ୍ରହ୍ମ ଚିନ୍ତନ୍ତି ସ୍ଥିରମନେ ॥ ୧୧୧
କେବଣଠାରେ ଗୁରୁପୂଜା । ସକାମ-ଭୋଗେ ପରିଚର୍ଯ୍ୟା ॥ ୧୧୨
କେବଣ ସ୍ଥାନେ ଯଦୁପତି । ସନ୍ଧି ବିଗ୍ରହ ରାଜନୀତି ॥ ୧୧୩
ଚିନ୍ତନ୍ତି ରାମ ଅନୁମତେ । ଯେ ଅବା ଭକ୍ତଜତ ହିତେ ॥ ୧୧୪
କେବଣ ପୁରେ ନରହରି । ଦୁହିତ ଅଳଙ୍କାର ଭରି ॥ ୧୧୫
ଶ୍ୱଶୁରଭୁବନେ ପେଷନ୍ତି । ପୁତ୍ରର ପତ୍ନୀଙ୍କି ଅଣାନ୍ତି ॥ ୧୧୬
ଅନ୍ୟ ଭୁବନେ ନନ୍ଦବାଳ । ପୁତ୍ରଦୁହିତାଙ୍କ ମଙ୍ଗଳ ॥ ୧୧୭
ବିଚାରି କରନ୍ତି ଉତ୍ସବ । ନାରଦ ଦେଖି ନାନାଭାବ ॥ ୧୧୮
ଅଦ୍ଭୁତ କର୍ମ ନରଲୋକେ । ଅନ୍ୟ ଭୁବନେ ମିଳି ସୁଖେ ॥ ୧୧୯
ତହିଁ ଦେଖିଲେ ନାରାୟଣ । ଯଜ୍ଞେ ପୂଜନ୍ତି ଦେବଗଣ ॥ ୧୨୦
କେବଣପୁର ଜଳଦାନ । କୂପ-ତଡ଼ାଗେ ଅବଧାନ ॥ ୧୨୧
ମଣ୍ତପ ଦେବତାମନ୍ଦିର । ଯେ ଧର୍ମ ଗୃହସ୍ଥ ବେଭାର ॥ ୧୨୨
ପୁଣି ଦେଖନ୍ତି ଅନ୍ୟ ପୁରେ । କୃଷ୍ଣ ମୃଗୟା ଅନୁସରେ ॥ ୧୨୩
ଆରୋହି ଅଶ୍ୱ ସଇନ୍ଧବ । ବନେ ମାରନ୍ତି ନାନା ଜୀବ ॥ ୧୨୪
ପବିତ୍ର ପଶୁ କରି ହତ । ନିଜ ଭୁବନେ ଉପଗତ ॥ ୧୨୫
ଏମନ୍ତେ ପତ୍ନୀପୁର ଅନ୍ତେ । ମଧ୍ୟେ ବୁଲନ୍ତି ବ୍ରହ୍ମାସୁତେ ॥ ୧୨୬
ପୁଣ ଦେଖିଲେ ଭଗବାନ । କପଟ ମାୟାରୂପେ ଛନ୍ନ ॥ ୧୨୭
ବୁଲନ୍ତି ନାରୀଙ୍କ ଭୁବନେ । ସ୍ତିରୀଚରିତ ଅବଧାନେ ॥ ୧୨୮
ଦେଖି ନାରଦ ମହାଋଷି । କୃଷ୍ଣବଦନ ଚାହିଁ ହସି ॥ ୧୨୯
ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ । କୋମଳ ଶଂକିତ ବଚନ ॥ ୧୩୦
ଲୀଳା ମନୁଷ୍ୟ ଅବତାର । ଭୋ ନାଥ ଦେଖଲି ତୋହର ॥ ୧୩୧
ଯୋଗେଶ୍ୱରଙ୍କୁ ଅଗୋଚର । ଭୋ ନାଥ ମହିମା ତୋହର ॥ ୧୩୨
ଜଦଦୀଶ୍ୱର ତୁ ଜଗତେ । ତୋ ପାଦପଦ୍ମ ସେବା ଅର୍ଥେ ॥ ୧୩୩
ତୋହର ଯଶ ଓ ଜଗତେ । ମୁଁ ତାହା ଗାଇଣ ନିରତେ ॥ ୧୩୪
ଯେ ଯଶ ଅଖିଳ ପାବନି । ଗାଇ ବୁଲିବି ଦେହ ଘେନି ॥ ୧୩୫
ନାରଦ ବାକ୍ୟେ ତୋଷ ହୋଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୩୬
;ଭଗବାନ ଉବାଚ
ଶୁଣ ନାରଦ ସାଧୁକଥା । ମୁହିଁ ଯେ ଧର୍ମର ବକତା ॥ ୧୩୭
ହର୍ତ୍ତା କରତା ମୁଁ ବୋଲାଇ । ସ୍ୱକର୍ମ ଜଗତେ କରାଇ ॥ ୧୩୮
ଧର୍ମରକ୍ଷଣେ ମୁଁ ଜଗତେ । ଶରୀର ଧରି ନାନାମତେ ॥ ୧୩୯
ବୁଲଇ ହୋଇ ରୂପଭେଦ । ମନେ ନ କର ତୁମେ ଖେଦ ॥ ୧୪୦
କହନ୍ତି ଶୁକ ବ୍ରହ୍ମବେତ୍ତା । ଶୁଣ ରାଜନ କୃଷ୍ଣକଥା ॥ ୧୪୧
ଏମନ୍ତେ ଗୃହାଶ୍ରମ ଧର୍ମ । ଗୋବିନ୍ଦ କଲେ ଯେତେ କର୍ମ ॥ ୧୪୨
ଏକ ଶରୀର ନରହରି । ସର୍ବକାମିନୀ ପୁରେ ପୁରୀ ॥ ୧୪୩
ଅନନ୍ତ ଯୋଗ ମାୟାରାଶି । ଦେଖି ସାନନ୍ଦ ବ୍ରହ୍ମଋଷି ॥ ୧୪୪
ଆନନ୍ଦେ ପାଇ କଉତୁକ । ବିସ୍ମିତ ସୁଜ୍ଞାନି ବିବେକ ॥ ୧୪୫
କୃଷ୍ଣର ଗୃହମେଧିକର୍ମ । ଯେ ନିତ୍ୟ ଧର୍ମ ଅର୍ଥ କାମ ॥ ୧୪୬
ଦେଖି ନାରଦ ମହାମୁନି । ପରମବ୍ରହ୍ମ ତତ୍ତ୍ୱଜ୍ଞାନୀ ॥ ୧୪୭
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । କୃଷ୍ଣ ମହିମା ମନେ ଧ୍ୟାୟି ॥ ୧୪୮
ଗଲେ ନାରଦ ବ୍ରହ୍ମଚାରୀ । ଶୁଣ ପରୀକ୍ଷ ଦଣ୍ତଧାରୀ ॥ ୧୪୯
ଏମନ୍ତ ମନୁଷ୍ୟର କର୍ମ । ଯେ ନିତ୍ୟ କାମ ଅର୍ଥ ଧର୍ମ ॥ ୧୫୦
ଏ ଅନୁପଥେ ଦେହ ବହି । ସଂସାର ହିତେ ଭାବଗ୍ରାହୀ ॥ ୧୫୧
ଷେଳସହଶ୍ର ନାରୀ ମଧ୍ୟେ । ରମିଲେ ନାନା ଅନୁବନ୍ଧେ ॥ ୧୫୨
ସୃଷ୍ଟି ପାଳନ ସଂହାରଣ । ଯେ ହରି ପରମ କାରଣ ॥ ୧୫୩
ଅଦ୍ଭୁତ କର୍ମ କଲେ ଯେତେ । ଗୃହସ୍ଥ ଆଶ୍ରମ ଭକତେ ॥ ୧୫୪
ଯେ ଏହା ଶୁଣି ଭାବ ବହେ । ଜଗତଜନ ମଧ୍ୟେ କହେ ॥ ୧୫୫
କୃଷ୍ଣଚରଣେ ଭକ୍ତିଭାବ । ସେ ପ୍ରାଣୀ ଲଭେ ଅପବର୍ଗ ॥ ୧୫୬
କହଇ ଜଗନ୍ନାଥ ଦାସ । କୃଷ୍ଣ ମହିମା ସୁଧାରସ ॥ ୧୫୭
ଗୋବିନ୍ଦ ମାୟାଯୋଗ ବାଣୀ । ଶୁଣି ସାନନ୍ଦ ନୃପମଣି ॥ ୧୫୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣଗାର୍ହସ୍ଥ୍ୟଦର୍ଶନଂ ନାମ
ଚତୁଃସପ୍ତତିତମ ଅଧ୍ୟାୟଃ ॥
</poem>
==='''ପଞ୍ଚସପ୍ତତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନରପତି । କୃଷ୍ଣର ଯେତେକ ଯୁବତୀ ॥ ୧
ରଜନୀ ପ୍ରଭାତ କଟେ । ଗୃହୀତ ନିଜ ପତି କଣ୍ଠେ ॥ ୨
କୃଷ୍ଣର ବିରହେ କାତର । ଭାବେ ଅଧିକ ସ୍ନେହଭର ॥ ୩
କୁକ୍କୁଟନାଦ ଶୁଣ କର୍ଣ୍ଣେ । ତାହାକୁ ଅତି ଦୁଃଖ ମନେ ॥ ୪
ଶପନ୍ତି ବିରହ ବିଷାଦେ । ନିବିଡେ ଭିତି ସ୍ୱାମୀ ହୃଦେ ॥ ୫
କୋକିଳ ଆଦି ପକ୍ଷୀଗଣ । ନାଦେ ବୋଧନ୍ତି ନାରାୟଣ ॥ ୬
ବନ୍ଦୀ ମାଗଧ ପ୍ରାୟ ହୋଇ । ସେ ବିଶ୍ୱମ୍ବର ମନ ମୋହି ॥ ୭
ସ୍ୱଭାବେ ପାରିଜାତ ବନ । ସୁଗନ୍ଧ ବହଇ ପବନ ॥ ୮
ସୁନ୍ଦର ନ ମଣେ ପ୍ରଭାତ । ରୁକ୍ମିଣୀ କୃଷ୍ଣଭାବେ ଚିତ୍ତ ॥ ୯
କୃଷ୍ଣ-ଆଲିଙ୍ଗନ-ବିଷାଦେ । ପଶିଲା ବେନିଭୁଜ ମଧ୍ୟେ ॥ ୧୦
ପ୍ରକାଶେ ଅରୁଣ କିରଣ । ଶଯ୍ୟାରୁ ଉଠି ନାରାୟଣ ॥ ୧୧
ପବିତ୍ରଜଳେ ମୁଖ ଧୋଇ । ଚିତ୍ତେ ପରମପଦ ଧ୍ୟାୟି ॥ ୧୨
ଆତ୍ମାକୁ ଆତ୍ମଜ୍ଞାନେ ଚିନ୍ତି । ଯେ ଏକ ନିତ୍ୟ ସ୍ୱୟଂଜ୍ୟୋତି ॥ ୧୩
ଅବ୍ୟୟସ୍ଥିତି ବିଶ୍ୱରୂପୀ । ବ୍ରହ୍ମାଣ୍ତ ମଧ୍ୟେ ଅଛି ବ୍ୟାପି ॥ ୧୪
ରୂପ-ବର୍ଜିତ ନିରଞ୍ଜନ । କଳି-କଳୁଷ ନିବାରଣ ॥ ୧୫
ଏମନ୍ତ ବ୍ରହ୍ମ ଯାର ନାମ । ତ୍ରିଗୁଣ ମୟା ହେତୁ ଧାମ ॥ ୧୬
ଜଗତ ଯାହାର ପ୍ରକାଶେ । ନିର୍ପଣ ବିମ୍ବ ପ୍ରାୟ ଦିଶେ ॥ ୧୭
ଏମନ୍ତ ପ୍ରଭୁ ନରହରି । ନିର୍ମଳ ଜଳେ ସ୍ନାନ ସାରି ॥ ୧୮
କ୍ରିୟାକଳାପ ଯଥାବିଧି । ପବିତ୍ର ପୀତବସ୍ତ୍ର ପିନ୍ଧି ॥ ୧୯
ସନ୍ଧ୍ୟାତର୍ପଣ ଆଦି କର୍ମ । ଅନଳ ପୂଜା ଗୃହଧର୍ମ ॥ ୨୦
ମଉନେ ବେଦମନ୍ତ୍ର ଜପି । ତର୍ପଣ ବିଧି ପାଶେ ସ୍ଥାପି ॥ ୨୧
ରବି ସମ୍ମୁଖେ ନନ୍ଦବଳା । ତର୍ପଣେ ତୋଷି ଆତ୍ମକଳା ॥ ୨୨
ଦେବତା ଋଷି ପିତୃଗଣେ । ଗୋବିନ୍ଦ ପୂଜିଲେ ତର୍ପଣେ ॥ ୨୩
ବୃଦ୍ଧ-ବାଳକ ମୁଖେ ଦେଇ । ବିପ୍ରଙ୍କୁ ଆସନେ ବସାଇ ॥ ୨୪
ସୁବର୍ଣ୍ଣଶୃଙ୍ଗୀ ଧେନୁ ହରି । ମଣ୍ତିଲେ ଅଳଙ୍କାର ଭରି ॥ ୨୫
ମୁକୁତାମାଳେ ପୁଷ୍ପପନ୍ତି । ସାଧୁ ସୁବସ୍ତ୍ର ରୂପବତୀ ॥ ୨୬
କ୍ଷୀରସମ୍ପନ୍ନା ପୀନସ୍ତନୀ । ଦେହେ ମଣ୍ତିଲେ ବତ୍ସ ଘେନି ॥ ୨୭
ରଜତେ ମଣ୍ତି କ୍ଷୁର ଚାରି । ପାଟବସନେ ତିଳ ପୂରି ॥ ୨୮
ନିର୍ମଳ-କୃଷ୍ଣାଜିନ ସଙ୍ଗେ । ବେଦବିହିତ ବିଧି ମାର୍ଗେ ॥ ୨୯
ବିପ୍ରଙ୍କୁ କରି ଅଳଙ୍କୃତ । ଧେନୁ ଅର୍ପିଲେ ଯୂଥ ଯୂଥ ॥ ୩୦
ଏମନ୍ତେ କୃଷ୍ଣ ପ୍ରତିଦିନେ । ବିପ୍ରେ ତୋଷନ୍ତି ଧେନୁଦାନେ ॥ ୩୧
ଗୋ-ବିପ୍ର-ବୃଦ୍ଧ-ଗୁରୁଗଣେ । ଦେନ୍ତା ଆଦି ସର୍ବଜନେ ॥ ୩୨
ଯେତେ ବିଷୟ ଆତ୍ମାଭୂତ । ତାହାଙ୍କୁ ନମି ଗୋପୀନାଥ ॥ ୩୩
ଜଗତଗୁରୁ ଭଗବାନ । ମଙ୍ଗଳ ଦ୍ରବ୍ୟ ସ୍ପରଶନ ॥ ୩୪
ସ୍ୱଭାବେ ଜଗତସୁନ୍ଦର । ଭୂଷଣ ନାନା ଅଳଙ୍କାର ॥ ୩୫
ପୀତବସନେ ଅନୁପମ । ଶ୍ରୀବତ୍ସ କଉସ୍ତୁଭଦାମ ॥ ୩୬
ଦିବ୍ୟକୁସୁମ ମାଳମାଳ । ଶୋହେ ସୁନ୍ଦର ବକ୍ଷସ୍ଥଳ ॥ ୩୭
ଘୃତ୍ୟ ଦର୍ପଣେ ମୁଖ ଚାହିଁ । ବିପ୍ର ଦେବତା କରେ ଛୁଇଁ ॥ ୩୮
ପ୍ରକୃତି ଅନ୍ତଃପୁର ବାସୀ । ଧନେ ତାହାଙ୍କ ମନ ତୋଷି ॥ ୩୯
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କୃଣ୍ଣ ପୂଜିଲେ ଅବଧାନେ ॥ ୪୦
ପ୍ରବୋଧ କରି ପୁରଜକନ । ଆନନ୍ଦ କଲେ ଆତ୍ମମନ ॥ ୪୧
ତାମ୍ବୁଳ କୁସୁମ ସୁଗନ୍ଧ । ବିଭାଗ କରି ଆଦିକନ୍ଦ ॥ ୪୨
ବିପ୍ରଙ୍କୁ ଦେଇ ଅଗ୍ରଭାଗ । ଦାରା ପ୍ରକୃତି ଯେଝା ଭାଗ ॥ ୪୩
ସକଳ ଜନେ ସୁଖ ଦେଇ । ଭୋଜନ କଲେ ଭାବଗ୍ରାହୀ ॥ ୪୪
ଯାତ୍ରା ଉତ୍ସବେ ପଦ୍ମମୁଖ । ତକ୍ଷଣେ ମିଳିଲେ ଦାରୁକ ॥ ୪୫
ଅଦ୍ଭୁତ ରଥ ସଜ କରି । ରଥେ ଯୋଚିଲା ଅଶ୍ୱ ଚାରି ॥ ୪୬
ସୁଗ୍ରୀବ ଆଦି ଚାରିଯାନ । ସୁନ୍ଦର ଗୋବିନ୍ଦ ବିମାନ ॥ ୪୭
କାଞ୍ଚନରଜ୍ଜୁ ଅଶ୍ୱ ଯୋଗେ । ସାଜି ମିଳିଲା କୃଷ୍ଣ ଆଗେ ॥ ୪୮
ଦାରୁକ ହସ୍ତେ ହସ୍ତ ଦେଇ । ରଥେ ବିଜୟ ଭାବଗ୍ରାହୀ ॥ ୪୯
ସାତ୍ୟକି ଉଦ୍ଧବ ବିଶ୍ୱାସେ । ବସିଲେ କୃଷ୍ଣ ବେନି ପାଶେ ॥ ୫୦
କି ଅବା ଦେବା ପଟାନ୍ତର । ଶୁଣ ସୁମନେ ଶୋଭା କରେ ॥ ୫୧
ଉଦୟ ପର୍ବତ ଶିଖରେ । ରବି ଯେସନେ ଶୋଭା କରେ ॥ ୫୨
ଯେତେକ ପୁର ବଧୂଜନ । ହାସ୍ୟ କଟାକ୍ଷେ ଭଗବାନ ॥ ୫୩
ସ୍ନେହଲାଳସେ ଅପସରି । ପୁରୁ ବାହାର ନରହରି ॥ ୫୪
ଉଗ୍ରସେନର ସଭାମଧ୍ୟେ । ଯାଇ ମିଳିଲେ ଆଦିକନ୍ଦେ ॥ ୫୫
ବେନିଜନଙ୍କ ହସ୍ତ ଧରି । ସଭାର ମଧ୍ୟେ ବିଜେ କରି ॥ ୫୬
ଉଗ୍ରସେନଙ୍କୁ ନିଉଛାଳି । କରି ବସିଲେ ବନମାଳୀ ॥ ୫୭
ବାମ ଦକ୍ଷିଣେ ବେନି ବୀର । ମଧ୍ୟେ ବିଜୟ ଦାମୋଦର ॥ ୫୮
ଶୁଣ ରାଜନ କୁରୁବୀର । ଉଗ୍ରସେନର ସଭାଘର ॥ ୫୯
ଯାଦବବଳେ ଇନ୍ଦ୍ରସଭା । କିରଣେ ଯେହ୍ନେ ରବିପ୍ରଭା ॥ ୬୦
କୃଷ୍ଣ ସୁଧର୍ମା ମଧ୍ୟସ୍ଥାନେ । ବିଜୟ କାଞ୍ଚନ-ଆସନେ ॥ ୬୧
ମନୁଷ୍ୟ ସୁଧର୍ମା-ପ୍ରବେଶେ । ତକ୍ଷଣେ ଷଡ଼ଉର୍ମ୍ମି ନାଶେ ॥ ୬୨
କୃଷ୍ଣର ତେଜେ ଇନ୍ଦ୍ରସଭା । ବିକାଶେ ଦଶଦିଗ-ପ୍ରଭା ॥ ୬୩
ଯଦୁବୀରଙ୍କ ମଧ୍ୟେ ବସି । ତାରା ମଣ୍ତଳେ ଯେହ୍ନେ ଶଶୀ ॥ ୬୪
ଯେ ଉପମନ୍ତ୍ରୀଗଣ ପାଶେ । ନାନାପ୍ରବନ୍ଧ ପରିହାସେ ॥ ୬୫
କୃଷ୍ଣ ସମୀପେ ସୁଖେ ବସି । କଥା ପ୍ରସ୍ତାବେ ମନ ତୋଷି ॥ ୬୬
ନଟ ନର୍ତ୍ତକୀ ଆଦି ଯେତେ । ମିଳିଲେ ନାନା ବାଦ୍ୟହସ୍ତେ ॥ ୬୭
ନୃତ୍ୟ, ତାଣ୍ତବ ଗୀତ ସ୍ୱନେ । ସୂତ ମାଗଧ ବନ୍ଦୀଜନେ ॥ ୬୮
କୃଷ୍ଣେ କରାଇ ସାବଧାନ । କରନ୍ତି ନୃତ୍ୟ ଗୀତ ମାନ ॥ ୬୯
ବ୍ରାହ୍ମଣେ ଶୁଦ୍ଧ ବେଦନାଦେ । ଶାସ୍ତ୍ର ଆଗମ ଅନୁବନ୍ଧେ ॥ ୭୦
ପୁରାଣ ପ୍ରବନ୍ଧ ପ୍ରମାଣେ । ପୂର୍ବେ ଯେ ଥିଲେ ରାଜାଗଣେ ॥ ୭୧
ତାହାଙ୍କ ପୁଣ୍ୟଯଶ ଗାଇ । କହନ୍ତି କୃଷ୍ଣମୁଖ ଚାହିଁ ॥ ୭୨
ଏବେ ହୋ ଶୁଣ ନରନାଥ । ସଭାରେ ଯେତେ ରାଜଦୂତ ॥ ୭୩
କୃଷ୍ଣ ଆଦେଶେ ଦ୍ୱାରପାଳେ । ପ୍ରବେଶ କଲେ ସଭାତଳେ ॥ ୭୪
ଅଦୃଷ୍ଟପୂର୍ବ ଶ୍ରେଷ୍ଠ ରୂପେ । ମିଳିଲେ ଗୋବିନ୍ଦ ସମୀପେ ॥ ୭୫
ଦୂର ଆଗମେ ପଥଶ୍ରମୀ । ସେ ଦୂତ କୃଷ୍ଣପାଦେ ନମି ॥ ୭୬
କରଅଞ୍ଜଳି ଦେଇ ମୁଣ୍ତେ । ରାଜନିଯୋଗ କହେ ତୁଣ୍ତେ ॥ ୭୭
ଜରାସନ୍ଧର ବନ୍ଦୀଘରେ । ନିବିଡ଼ ଦୁଃଖ ଶୋକଭରେ ॥ ୭୮
ତାହାର ଦିଗବିଜେ କାଳେ । ଯେ ନ ନମିଲେ ପାଦତଳେ ॥ ୭୯
ତାହାଙ୍କୁ ନିଜ ଭୁଜବଳେ । ବନ୍ଧନ କଲା ଏକମେଳେ ॥ ୮୦
ବେନି ଅୟୁତ ପରିମିତ । ରାଜା ନିରୋଧେ ଜରାସୁତ ॥ ୮୧
ଅନେକ ଦୁଃଖଶୋକ ପାଇ । ଦୂତର ହସ୍ତେ ଲେଖ ଦେଇ ॥ ୮୨
ହେ କୃଷ୍ଣ କୃଷ୍ଣ ମହାବାହୁ । ଶରଣ ତୋର ପାଦେ ଯେହୁ ॥ ୮୩
ତାହାର ଦୁଃଖ କରୁ ନାଶ । ତୁ ନାଥ ଭକତବିଶ୍ୱାସ ॥ ୮୪
ପ୍ରପନ୍ନଭୟ ନାଶୁ ଯେଣୁ । ଆମ୍ଭେ ତୋ ପଦ୍ମପାଦେ ତେଣୁ ॥ ୮୫
ବିଭ୍ରମ ବୁଦ୍ଧି ଭବଭୟେ । ଶରଣ ଗଲୁ ତୋର ପାୟେ ॥ ୮୬
ଭୋ ନାଥ ଶୁଣ ଭାବଗ୍ରାହୀ । ଆମ୍ଭେ ଯେ ରାଜଭୋଗ ପାଇ । ୮୭
ଶ୍ରୀମଦେ ବୁଦ୍ଧି କଲୁ ନାଶ । ଏ ଭୂମି ଜୟ କରି ଆଶ ॥ ୮୮
ଏକ ଆରକେ ଯୁଦ୍ଧବଳେ । ପ୍ରଜା ନାଶିଲୁ ମତ୍ତଭୋଳେ ॥ ୮୯
ଅତି ନିର୍ଦ୍ଦୟକର୍ମ କରି । ଅଗ୍ରେ ମରଣ ନ ବିଚାରି ॥ ୯୦
ଏ ଜୀବଲୋକେ ତୋ ସଂସାରେ । ବିକର୍ମେ ରତ ନିରନ୍ତରେ ॥ ୯୧
ତୋହର ମାୟାଚକ୍ରେ ପଡ଼ି । କୁଶଳ କର୍ମପଥ ହୁଡ଼ି ॥ ୯୨
ତାର ଜୀବନ ଆଶା ତୁହି । ନିମିଷେ ନାଶୁ ମାୟାବହି ॥ ୯୩
ଏଣୁ ତୋ ନାମ ଅନିମିଷ । ନମସ୍ତେ ଅନାଦି ପୁରୁଷ ॥ ୯୪
ତୁ ଏ ଜଗତେ ମାୟାଧର । ନିଜ କଳାରେ ଅବତାର ॥ ୯୫
ଆଦିପୁରୁଷ ତୁ ଦୟାଳୁ । ଖଳ ନିବାରି ସନ୍ଥ ପାଳୁ ॥ ୯୬
ଏ ଜରାସନ୍ଧ ଆଦି ଦୁଷ୍ଟ । ଲୋକେ ଦିଅନ୍ତି ନାନା କଷ୍ଟ ॥ ୯୭
ଅବଜ୍ଞା କରି ତୋ ବଚନେ । ଚଳନ୍ତି ନିଜ ଅଭିମାନେ ॥ ୯୮
କି ଅବା କର୍ମଫଳ ବଳେ । କଷ୍ଟ ଲଭୁଛୁଁ ଏ ଶୟଳେ ॥ ୯୯
ଜାଣି ନ ପାରୁ ଆମ୍ଭେ ଏହା । ଯେଣୁ ସକଳ ତୋର ମାୟା ॥ ୧୦୦
ସ୍ୱପ୍ନସଦୃଶ ନୃପସୁଖ । ପର ଆୟତ୍ତେ ନିତ୍ୟେ ଦୁଃଖ ॥ ୧୦୧
ଏ ମୃତ୍ୟୁପିଣ୍ତେ ସ୍ନେହ ବହି । ଯେଣୁ ଆମ୍ଭର ଜ୍ଞାନ ନାହିଁ ॥ ୧୦୨
ତୁ ଆତ୍ମାରୂପୀ ନରହରି । ତୋ ପାଦ ଅନାଦର କରି ॥ ୧୦୩
ତୋତେ ନ ଚିହ୍ନି କ୍ଲେଶ ପାଇ । ତୋହର ମାୟାଜଡେ଼ ଥାଇ ॥ ୧୦୪
ତୋର ଶରଣ ଚକ୍ରଧର । ପ୍ରଣତଜନ ଦୁଃଖ ହର ॥ ୧୦୫
ଏ ଜରାସନ୍ଧ ଧୂମକେତୁ । ଆମ୍ଭର କର୍ମପାଶ-ହେତୁ ॥ ୧୦୬
ତାର ବନ୍ଧନୁ ରକ୍ଷାକର । ଭୋ ନାଥ ଶରଣ ତୋହର ॥ ୧୦୭
ଏ ଦୁରାଚାର ଅତି ଖଳ । ଅୟୁତ-ମତ୍ତଗଜ-ବଳ ॥ ୧୦୮
ଏକ ଅନେକେ ଅଛି ଧରି । ପଶୁଙ୍କୁ ଯେସନେ କେଶରୀ ॥ ୧୦୯
ଏ ଜରାସନ୍ଧ ତୋର ମେଳେ । ଯୁଦ୍ଧେ ନ ଜିଣି ବାହୁବଳେ ॥ ୧୧୦
ତେଇଶି ଅକ୍ଷୌହଣୀ ସାଜି । ସପତଦଶବାର ଭାଜି ॥ ୧୧୧
ତୋର ମାୟାରେ ଚକ୍ରପାଣି । ବେଳେ ଜିଣିଲା ପ୍ରାୟ ମଣି ॥ ୧୧୨
ଲୀଳାମନୁଷ୍ୟ ରୂପ ତୁହି । ତୋତେ ନ ଜାଣି ଗର୍ବ ବହି ॥ ୧୧୩
ତୋହର ପ୍ରଜା କଲା ନାଶ । ଆମ୍ଭେ ନ ଜାଣୁ ତୋ ବିଶ୍ୱାସ ॥ ୧୧୪
ଯେ ତୋର ଇଚ୍ଛା ଏବେ କର । ଆମ୍ଭେ ତୋ ଚରଣେ କିଙ୍କର ॥ ୧୧୫
ଏମନ୍ତ ଦୁଃଖେ ନୃପବରେ । ବନ୍ଧନ ମଗଧ ଦେଶରେ ॥ ୧୧୬
ଇଚ୍ଛନ୍ତି ତବ ଦରଶନ । ଭୋ ନାଥ ହୋଇବା ପ୍ରସନ୍ନ ॥ ୧୧୭
ଆମ୍ଭେ ଦୁଃଖିତ ରାଜାଗଣ । ତୋ ପାଦେ ପଶିଲୁ ଶରଣ ॥ ୧୧୮
ପରମଦୁଃଖୁଁ କର ତ୍ରାହି । ଭୋ ନାଥ ରଖ ଭାବଗ୍ରାହୀ ॥ ୧୧୯
ଏମନ୍ତ କହୁଁ ରାଜଦୂତ । ଆସି ମିଳିଲେ ବ୍ରହ୍ମାସୁତ ॥ ୧୨୦
ଅତିସୁନ୍ଦର ରୂପକାନ୍ତି । ରବିକିରଣ ପ୍ରାୟ ଜ୍ୟୋତି ॥ ୧୨୧
ପିଙ୍ଗଳଜଟା ଶୋହେ ଶିରେ । ମିଳିଲେ ଗୋବିନ୍ଦ ସଭାରେ ॥ ୧୨୨
ନାରଦେ ଦେଖି ଭଗବାନେ । ତକ୍ଷଣେ ତେଜିଲେ ଆସନ ॥ ୧୨୩
ଈଶ୍ୱର ସର୍ବଲୋକ ନାଥ । ନାରଦପାଦେ ପ୍ରଣମିତ ॥ ୧୨୪
ସଭାରେ ମଧ୍ୟେ ଲୋକଯେତେ । ତାହାଙ୍କୁ ନମିଲେ ତୁରିତେ ॥ ୧୨୫
ଆନନ୍ଦେ କମଳାରମଣ । ପୂଜିଲେ ନାରଦ ଚରଣ ॥ ୧୨୬
କନକ ଆସନେ ବସାଇ । କୋମଳେ ବାକ୍ୟେ ଭାବଗ୍ରାହୀ ॥ ୧୨୭
ନାରଦ ମନ କରି ତୋଷ । ପ୍ରସନ୍ନେ ଭକତବିଶ୍ୱାସ ॥ ୧୨୮
ବୋଲନ୍ତି ଶୁଣ ବ୍ରହ୍ମାସୁତ । ଆଜ ମୁଁ ଲଭିଲି ସୁକୃତ ॥ ୧୨୯
ଏ ତିନିପୁର ଲୋକ ଯେତେ । ତାହାଙ୍କ କଲ୍ୟାଣ ନିମନ୍ତେ ॥ ୧୩୦
ତୋର ଭ୍ରମଣ ଏ ଜଗତେ । କୁଶଳ କହ ଶୁଦ୍ଧଚିତ୍ତେ ॥ ୧୩୧
ତୋହର ଗତି ତ୍ରିଭୁବନ । ମିତ୍ର ଅଇରି ତୋର ସମ ॥ ୧୩୨
ଈଶ୍ୱର ନିର୍ମାଣ ଜଗତେ । ନ ଘଟେ ତୋର ଅବିଦିତେ ॥ ୧୩୩
ବାରୁଣାବନ୍ତେ ପାଣ୍ତୁସୁତେ । ଅଛନ୍ତି ଜନନୀ ସହିତେ ॥ ୧୩୪
କି ଅବା କରନ୍ତି ବିଚାର । ତୁମ୍ଭେ ସୁହୃଦ ତାହାଙ୍କର ॥ ୧୩୫
ମୋହର ମନ ତାଙ୍କ କାହିଁ । ତେଣୁ ପୁଚ୍ଛଇ ଭାବ ରହି ॥ ୧୩୬
କୃଷ୍ଣ ବଚନ ବ୍ରହ୍ମାସୁତ । ଶୁଣି ଯୋଡିଲେ ବେନି ହସ୍ତ ॥ ୧୩୭
ଭୋ ନାଥ ନିଜ ମାୟା ତୋର । ବ୍ରହ୍ମାଶଙ୍କରେ ଅଗୋଚର ॥ ୧୩୮
ବିଶ୍ୱେ ସର୍ଜ୍ଜିତ ଯେତେ ଜନ । ମାୟାରେ ମୋହୁ ତାଙ୍କ ମନ ॥ ୧୩୯
ପ୍ରାଣୀଙ୍କ ଦେହେ ଥାଉ ତୁହି । ଅନଳ ପ୍ରାୟ ଗୋପ୍ୟ ହୋଇ ॥ ୧୪୦
ଅଦ୍ଭୂତ ନୁହଁଇନା ତୋତେ । ତେଣୁ ଭାବଇ ମୁହିଁ ଚିତ୍ତେ ॥ ୧୪୧
ତୋହର ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ ॥ ୧୪୨
ସ୍ୱମାୟାବଳେ ଏ ଜଗତ । ସୃଜି ପାଳିଣ କରୁ ଅନ୍ତ ॥ ୧୪୩
ତୁ ସତ୍ୟ ଆତ୍ମାଶକ୍ତି ବଳେ । ନିଜେ ପ୍ରକାଶୁ ଏ ଶୟଳେ ॥ ୧୪୪
ତୋ ଆତ୍ମାରୂପ ବିଲକ୍ଷଣ । ଏଣୁ ନମଇଁ ତୋ ଚରଣ ॥ ୧୪୫
ଜୀବର ସଞ୍ଚରଣ -ପାଶ । ଅନର୍ଥ -ଶରୀର-ପ୍ରକାଶ ॥ ୧୪୬
ଲୀଳାବତୀର ରୂପ ତୋର । ଦୀପ ଯେସନେ ଅନ୍ଧକାର ॥ ୧୪୭
ନାଶଇ ନିଜ ତେଜବଳେ । ତେଣୁ ମୁଁ ତୋର ପାଦତଳେ ॥ ୧୪୮
ପଶିଲି ଛାଡି ମନ ଭ୍ରାନ୍ତି । ଯେଣୁ ତୁ ଅଗତିର ଗତି ॥ ୧୪୯
ତଥାପି ତୋହର ପ୍ରଶନ । ଏ ନରଲୋକେ ବିଡମ୍ବନ ॥ ୧୫୦
ତଥାପି ଶୁଣ ଶୁଦ୍ଧଚେତା । କହିବି ପାଣ୍ତବଙ୍କ କଥା ॥ ୧୫୧
ପିତୃଭଗିନୀସୁତ ତୋର । ଯେ ରାଜା ନାମ ଯୁଧିଷ୍ଠିର ॥ ୧୫୨
ବିଶ୍ୱାସୀ ଭକତ ସେ ତୋର । ଶୁଣ ତୁ ତାହାଙ୍କ ବିଚାର ॥ ୧୫୩
ଦୁସ୍ତର ରାଜସୂୟ ଯାଗେ । ପୂଜିବେ ତୋର ପାଦଯୁଗେ ॥ ୧୫୪
ପରମଇଷ୍ଟ ତାର କାମ । ଆଜ୍ଞା ତୁ ଦିଅ ଶୁଦ୍ଧଧାମ ॥ ୧୫୫
ସେ ରାଜସୂୟ ଯଜ୍ଞବରେ । ଯେତେ ଏ ଲୋକ ତିନିପୁରେ ॥ ୧୫୬
ତୋ ରୂପ ଦେଖିବାର ସଧେ । ଗଗନୁ ଆସିବେ ବିବୁଧେ ॥ ୧୫୭
ଯେତେ ରାଜନ ଯଶକାରୀ । ତୋତେ ଦେଖିବେ ନରହରି ॥ ୧୫୮
ତୋ ନାମ ଶ୍ରବଣ କୀର୍ତ୍ତନ । ନିଶ୍ଚଳ ଚିତ୍ତେ ଯୋଗ ଧ୍ୟାନ ॥ ୧୫୯
ପତିତଜନ ଶୁଦ୍ଧକରେ । ଯେ ପ୍ରାଣୀ ଶରଣ ତୋହରେ ॥ ୧୬୦
ତୁ ବ୍ରହ୍ମ ପରମକାରଣ । କିବା ଅଧିକ ବିଚାରଣ ॥ ୧୬୧
ତୋର ସ୍ମୃତି ଶୃତିପଥ । ନିର୍ମଳ କରଇ ଜଗତ ॥ ୧୬୨
ପାଦଉଦକ ପାପ ହରେ । ଶରୀର ବାହ୍ୟ ଅଭ୍ୟନ୍ତରେ ॥ ୧୬୩
ବଚନ ଶାସ୍ତ୍ରମତେ ହୋଇ । ବିଧି ନିଷେଧ ପଥ ଦୁଇ ॥ ୧୬୪
କାଳ ଅନଳ ଜଳେ ଭ୍ରମୀ । ହତ ବିଭୂତି ମହାଶ୍ରମୀ ॥ ୧୬୫
ତୋହର ଚରଣ ସ୍ପରଶେ । ଜୀବନ ବହୁ ସେ ଉଶ୍ୱାସେ ॥ ୧୬୬
ସେ ପାଦପଦ୍ମ ମହାବାହୁ । ଆମ୍ଭଙ୍କୁ ଚଉବର୍ଗ ଦେଉ ॥ ୧୬୭
ଭୋ ନାଥ ଭୁବନମଙ୍ଗଳ । ତୋହର ଯଶ ସୁନିର୍ମଳ ॥ ୧୬୮
ବିଖ୍ୟାତ ଏ ତିନିଭୁବନେ । ଭଲେ ଜାଣନ୍ତି ସର୍ବଜନେ ॥ ୧୬୯
ସୁରଭୁବନେ ମନ୍ଦାକିନୀ । ପୁଣି ସେ ନିଜ ରୂପ ଘେନି ॥ ୧୭୦
ପାତାଳପୁରେ ଭୋଗବତୀ । ଗଙ୍ଗା ଏ ମଞ୍ଚପୁରେ ସ୍ଥିତି ॥ ୧୭୧
ତୋ ପାଦ ଜଳର ମହିମା । କେ ଜାଣିପାରେ ଗୁଣସୀମା ॥ ୧୭୨
ପବିତ୍ର କରେ ବିଶ୍ୱଜନ । ତୁ ନାଥ ଜଗତମୋହନ ॥ ୧୭୩
ଏମନ୍ତ ସଭା ଆତ୍ମପକ୍ଷେ । ଗୋବିନ୍ଦ ବିଚାରି ପ୍ରତ୍ୟକ୍ଷେ ॥ ୧୭୪
ଜାଣିବା ପାଇଁ ସର୍ବଜନ । ଉଦ୍ଧବେ ଚାହିଁ ଭଗବାନ ॥ ୧୭୫
କୋମଳ ବଚନ ଗଭୀର । ବୋଲନ୍ତି ପ୍ରଭୁ ଦାମୋଦର ॥ ୧୭୬
ଉଦ୍ଧବ ଶୁଣ ମୋ ଉତ୍ତର । ତୁ ମୋର ଚକ୍ଷୁ ମନ୍ତ୍ରବୀର ॥ ୧୭୭
ପ୍ରିୟ ସୁହୃଦ ତୁହି ସାର । ତୋତେ ମୁଁ ପୁଛଇ ବିଚାର ॥୧୭୮
ସଂଶୟ ପ୍ରସ୍ତାବଟି ଏହି । ମୁଁ କି କରିବି କହ ତୁହି ॥୧୭୯
ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଉଦ୍ଧବ ମନେ ମନେ ଗୁଣି ॥୧୮୦
ସର୍ବଜ୍ଞ ଜଗତଜୀବନ । ଅଲଂଘ୍ୟ ଯାହାର ବଚନ ॥୧୮୧
ତାହାର ଆଜ୍ଞା ଶିରେ ବହି । କହେ ଗୋବିନ୍ଦ ମୁଖ ଚାହିଁ ॥୧୮୨
ସେ ହରି ଚରଣ କମଳେ । ମନ ମୋ ରହୁ ଧ୍ୟାନବଳେ ॥୧୮୩
ଅନାଥନାଥ ଜଗନ୍ନାଥ । ସଂସାର ହିତେ ଭାଗବତ ॥୧୮୪
ସୁଜନପାଦ ହୃଦେ ଲଇଁ । କରିଣ ନୃତ୍ୟ ଗୀତ ଗାଇ॥ ୧୮୫
କହଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥୧୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଭଗବଦ୍ଯାନ ବିଚାରେ
ପଞ୍ଚସପ୍ତତିତମ ଅଧ୍ୟାୟଃ ॥
</poem>
==='''ଷଟ୍ସପ୍ତତିତମ ଅଧ୍ୟାୟ'''===
<poem>
ମୁନି କହନ୍ତି ଭାବ ବହି । ଆନନ୍ଦେ ରାଜାମୁଖ ଚାହିଁ ॥୧
;ଶୁକ ଉବାଚ
ଏବେ ହୋ ପରୀକ୍ଷିତ ଶୁଣ । ସୁଧର୍ମା ମଧ୍ୟେ ନାରାୟଣ ॥୨
ଉଦ୍ଧବେ ପଚାରିଲେ ଯାହା । ଶୁଣ ତୁ ଏକମନେ ତାହା ॥୩
ଉଦ୍ଧବ ଯଦୁସଭା ମଧ୍ୟେ । ନାରଦ ବାକ୍ୟ ଅନୁବନ୍ଧେ ॥୪
ସଭାଜନଙ୍କ ମନ ଜାଣି । ଶ୍ରୀକୃଷ୍ଣ ମୁଖ ଚାହିଁ ଭଣି ॥୫
ରାଜାଙ୍କ ଦୂତର ବଚନ । କାର୍ଯ୍ୟ ହୋଇବ ସମାଧାନ ॥୬
ସର୍ବଜ୍ଞପଣ ଅଛି ତାର । ଯାଦବକୁଳ ମନ୍ତ୍ରୀବର ॥୭
ପବିତ୍ର ମଧୁର ବଚନ । ହରଷ କରି ସର୍ବ ମନ ॥ ୮
କୃଷ୍ଣ ସମୀପେ ଯୋଡ଼ି କର । ବୋଲେ ଉଦ୍ଧବ ମନ୍ତ୍ରୀବର ॥ ୯
ଭୋ ନାଥ ଶୁଣ ଭଗବାନ । ସଂସାର ହିତେ ତୋ ଜନମ ॥ ୧୦
ନାରଦମୁନି ଯାହା କହି । ତୁ ତାହା ଜାଣୁ ଭାବଗ୍ରାହୀ ॥୧୧
ପିତୃଭଗିନୀସୁତ କର୍ମ । ଶରଣ ରକ୍ଷଣ ତୋର ଧର୍ମ ॥୧୨
ପଣ୍ତୁନନ୍ଦନ ଅନୁରାଗେ । ଉତ୍ସବ ରାଜସୂୟ ଯାଗେ ॥୧୩
ହୋଇବ ଜରାସନ୍ଧ ହତ । ଏ ବେନି କାର୍ଯ୍ୟ ମୋର ମତ ॥୧୪
ଏଣୁ ଆମ୍ଭର ବଡ଼ ଲାଭ । ହୋଇବ ଶୁଣ ପଦ୍ମନାଭ ॥୧୫
ତୋହର ଯଶ ମଞ୍ଚେ ଥିବ । ରାଜାଙ୍କ ଦୁଃଖ ନାଶ ଯିବ ॥୧୬
ଭୋ ନାଥ ଶୁଣ ନାରାୟଣ । ଜରାସନ୍ଧର ବୀରପଣ ॥୧୭
ଦଶସହସ୍ର ମତ୍ତହସ୍ତୀ । ବଳବହଇ ସେ ନୃପତି ॥୧୮
ଏଣୁ ବିଷମ କର୍ମ ତାର । କ୍ଷତ୍ରିୟ ମଧ୍ୟେ ବଳିୟାର ॥୧୯
କେହି ନୁହଁନ୍ତି ଯୁଦ୍ଧେ ସମ । ସମରେ ପାରେ ଅବା ଭୀମ ॥୨୦
ଅବଶ୍ୟ ଭୀମ ମାଲଯୁଦ୍ଧେ । ମାରିବ ଘୋରରଣ ମଧ୍ୟେ ॥୨୧
ସୈନ୍ୟ ତେଇଶି ଅକ୍ଷୌହିଣୀ । କେ ପାରେ ରଣେ ତାକୁ ଜିଣି ॥୨୨
ଭିକ୍ଷୁକ ବ୍ରାହ୍ମଣ ବଚନ । ସର୍ବଥା ନ କରଇ ଆନ ॥୨୩
ଏଣୁ ବ୍ରାହ୍ମଣ ବେଶ ହୋଇ । ଭୀମ ଅର୍ଜୁନ ତୁଲେ ତୁହି ॥୨୪
ଭିକ୍ଷୁକ ରୂପେ ଯଜ୍ଞଦ୍ୱାରେ । ମାଗିବୁ ବ୍ରାହ୍ମଣ ବେଭାରେ ॥୨୫
ସତ୍ୟ କରାଇ ଦାନକାଳେ । ଭୀମ ମାରିବ ତାକୁ ବଳେ ॥୨୬
କେବଳ ସାକ୍ଷୀ ପ୍ରାୟ ହୋଇ । ସମର ମଧ୍ୟେ ଥିବୁ ତୁହି ॥୨୭
ତୋର ମହିମା ନ ଜାଣନ୍ତି । ଶିବ-ବିରଞ୍ଚି-ପ୍ରଜାପତି ॥୨୮
ରାଜାଏ ବନ୍ଦୀମୋକ୍ଷ ହୋଇ । ଆନନ୍ଦେ ନିଜ ପୁରେ ଯାଇ ॥୨୯
କାମିନୀ ମଧ୍ୟେ ତୋର ଯଶ । କହି ହୋଇବେ ମନେ ତୋଷ ॥୩୦
ଆତ୍ମାର ବନ୍ଦୀ ବିମୋକ୍ଷଣ । ସେ ଜରାସନ୍ଧର ମରଣ ॥୩୧
ନନ୍ଦଗୋକୁଳେ ଗୋପୀଗଣ । ଯେ ଯଶ କରନ୍ତି ଗାୟନ ॥୩୨
ଗଜ-କୁମ୍ଭୀର ମୋକ୍ଷ କଥା । ରାବଣ ବଧି ଆଣି ସୀତା ॥୩୩
କଂସର ବନ୍ଧନୁ ନିସ୍ତାରି । ତୋହର ତାତ ଗର୍ଭଧାରୀ ॥୩୪
ମୁନି ବ୍ରାହ୍ମଣ ଅନୁମତେ । ଆମ୍ଭେ ତୋହର ବନ୍ଧୁ ଯେତେ ॥ ୩୫
ଯେସନେ ତୋରା ଯଶ ଗାଇ । ଭଜନେ ତୋର ବହୁଁ ଦେହୀ ॥୩୬
ଭୋ ନାଥ ଜରାସନ୍ଧ ମଲେ । ରାଜାଏ ନିସ୍ତରିବେ ଭଲେ ॥୩୭
ହୋଇବ ଯୁଧିଷ୍ଠିର ଯାଗ । ଆମ୍ଭର ଥିବ ଯେବେ ଭାଗ୍ୟ ॥୩୮
ଏମନ୍ତ ଉଦ୍ଧବ ବଚନ । ଶୁଣି ଗୋବିନ୍ଦ ତୋଷମନ ॥୩୯
ବ୍ରହ୍ମାନନ୍ଦନ ଯଦୁବୃନ୍ଦେ । ଉଦ୍ଧବେ ଚାହିଁ ସାଧୁବାଦେ ॥୪୦
ସନ୍ତୋଷେ କରନ୍ତି କଲ୍ୟାଣ । ଏବେ ହୋ ପରୀକ୍ଷିତ ଶୁଣ ॥୪୧
ତକ୍ଷଣେ ପ୍ରଭୁ ଦେବରାଜ । ଇନ୍ଦ୍ରପ୍ରସ୍ଥକୁ ହେଲେ ସଜ ॥୪୨
ସାତ୍ୟକି ଦାରୁକ ବଦନ । ହରଷେ ଚାହିଁ ଭଗବାନ ॥୪୩
ବୋଇଲେ ରଥ ସଜ କର । ଗୁରୁଙ୍କୁ କରି ନମସ୍କାର ॥୪୪
କୃଷ୍ଣର ଯେତେକ କାମିନୀ । ସୁତ-ସମ୍ପଦ ସଙ୍ଗେ ଘେନି ॥୪୫
କୃଷ୍ଣବଚନେ ସଜ ହୋନ୍ତି । ବିବୁଧେ ଗଗନେ ଦେଖନ୍ତି ॥୪୬
ଦାରୁକ ସାଜି ଦେବରଥ । ମିଳିଲା ଗୋବିନ୍ଦ ଅଗ୍ରତ ॥୪୭
ଗରୁଡ଼ଧ୍ୱଜ ରଥେ ହରି । ଶଙ୍ଖଶବଦେ ବିଜେକରି ॥୪୮
ତକ୍ଷଣେ ଚତୁରଙ୍ଗ ବଳ । ଚଳନ୍ତେ ଶୁଭେ ମୁଖଗୋଳ ॥୪୯
ମୃଦଙ୍ଗ ଆଦି ବାଦ୍ୟଘୋଷ । କମ୍ପେ ଗଗନେ ଭୂମିଦେଶ ॥୫୦
ନରକୁଞ୍ଜର ଅଶ୍ୱରଥେ । ସୁବର୍ଣ୍ଣ ଶିବିକା ସହିତେ ॥୫୧
ସକଳଜନ ଅନୁମତେ । ସେବକ ସେବକୀ ସହିତେ ॥୫୨
କୃଷ୍ଣର ଅନୁପଥେ ଯାନ୍ତି । ଯେହ୍ନେ ଗଗନେ ତାରାପନ୍ତି ॥୫୩
କୋଳେ ବସାଇ ସୁତ ସୁତା । କୃଷ୍ଣକାମିନୀ ପତିବ୍ରତା ॥୫୪
ଦିବ୍ୟବସନ ପରିଧାନ । କୁଙ୍କୁମ ସୁଗନ୍ଧ ଲେପନ ॥୫୫
ଖଡ଼ଗ ଚର୍ମ ଧନୁହସ୍ତେ । ବୀରେ ଆବୋରି ଯୂଥେ ଯୂଥେ ॥୫୬
ଓଟ ମଇଁଷି ଗୋରୁ ନର । ଗର୍ଦ୍ଦଭ ଅଶ୍ୱ ଅଶ୍ୱତର ॥୫୭
ଯାନ ଶକଟେ କରି ଘର । ଚିତ୍ରବିଚିତ୍ର ତମ୍ବୁଦ୍ୱାର ॥୫୮
ହସ୍ତୀଙ୍କ ଉପରେ ଅମାରି । ଆନନ୍ଦେ ଯାନ୍ତି ପରିବାରୀ ॥୫୯
ଏ ଆଦି ସକଳ ସମ୍ଭାର । ଚଳନ୍ତେ ଶୋହେ ମଞ୍ଚପୁର ॥୬୦
ଗମନ୍ତି କୃଷ୍ଣର ସଇନି । ପ୍ରଳୟସିନ୍ଧୁ ପ୍ରାୟ ମଣି ॥୬୧
ଉତ୍ତମଧ୍ୱଜ ଛତ୍ରପାଟ । ଚାମର କଳସ କିରୀଟ ॥୬୨
ବିବିଧ ଶସ୍ତ୍ରମାନ ସାଜେ । ଝଲକି ରବିରଶ୍ମି ଗଞ୍ଜେ ॥୬୩
ଘୋର ଶବଦ ଘରଷଣେ । ଜଳଧି ଯେହ୍ନେ ଉର୍ମିଗଣେ ॥୬୪
ବିଷମ କଲ୍ଲୋଳ ସଙ୍କୁଳ । ବିରାଜେ ଯଦୁଭୋଜ-ବଳ ॥୬୫
କୃଷ୍ଣବଚନେ ବ୍ରହ୍ମାସୁତ । ନିଜଭୁବନେ ଉପଗତ ॥୬୬
ହରିଚରଣେ ନମସ୍କାରି । ହୃଦେ ଗୋବିନ୍ଦ ଭାବ ଭରି ॥୬୭
ମୁକୁନ୍ଦ ଦରଶନ ଫଳେ । ଚଞ୍ଚଳ ଇନ୍ଦ୍ରିୟ ନିଶ୍ଚଳେ ॥୬୮
ଗଗନମାର୍ଗେ ମୁନି ଗଲେ । ଦୂତ ଯେ ଥିଲା କୃଷ୍ଣତୁଲେ ॥୬୯
ରାଜାଙ୍କ ଦୁଃଖ କଷ୍ଟ ଜାଣି । ଦୂତ ବଦନ ଚାହିଁ ଭଣି ॥୭୦
ହେ ଦୂତ କହ ଯାଇ ବେଗେ । ବନ୍ଧନ ନୃପତିଙ୍କ ଆଗେ ॥୭୧
ଭୟ ନ କର ତୁମ୍ଭେ କେହି । ନାଶିବି ଜରାସନ୍ଧ ମୁହିଁ ॥୭୨
ଆଜ୍ଞା ପ୍ରମାଣେ ଦୂତ ଗଲା । ରାଜାଙ୍କୁ ସନ୍ଦେଶ କହିଲା ॥୭୩
ଦୂତବଚନ ଶୁଣି କର୍ଣ୍ଣେ । ରାଜାଏ ନିବିଡ଼ ବନ୍ଧନେ ॥୭୪
ଛାଡ଼ିଲେ ଘୋରବନ୍ଧ ଦୁଃଖ । କୃଷ୍ଣଦରଶନେ ଉତ୍ସୁକ ॥୭୫
କୃଷ୍ଣଚରଣେ ମନ ଦେଇ । ରାତ୍ର ଦିବସେ ପଥ ଚାହିଁ ॥୭୬
ଗୋବିନ୍ଦ ବସି ନିଜ ରଥେ । ଗମନ କଲେ ରାଜପଥେ ॥୭୭
ଆନର୍ତ୍ତ ସଉବୀର ପୁରୀ । ମରୁଭୁବନ ବେଗେ ତରି ॥୭୮
ତକ୍ଷଣେ କୁରୁକ୍ଷେତ୍ର ଜିଣି । ବନ ପର୍ବତ ତରଙ୍ଗିଣୀ ॥୭୯
ବିବିଧ ଗ୍ରାମ ପୁର ଘୋଷ । ବନଗହନ ନାନା ଦେଶ ॥୮୦
ଦୃଷଦବତୀ ସରସ୍ୱତୀ । ପଥେ ଲଂଘିଲେ ଯଦୁପତି ॥୮୧
ପାଞ୍ଚାଳ ମତ୍ସ୍ୟଦେଶ ଜିଣି । ଇନ୍ଦ୍ରପ୍ରସ୍ଥରେ ଚକ୍ରପାଣି ॥୮୨
ମିଳି କରନ୍ତି ଶଙ୍ଖନାଦ । ଖଣ୍ତିଲା ସଂସାର ବିଷାଦ ॥୮୩
ଶଙ୍ଖଶବଦ ଶୁଣି କର୍ଣ୍ଣେ । ଧର୍ମନନ୍ଦନ ତୋଷମନେ ॥୮୪
ଗୁରୁ ସୁହୃଦ ଘେନି ସଙ୍ଗେ । କୃଷ୍ଣଦର୍ଶନ ଅନୁରାଗେ ॥୮୫
ଗୀତଶବଦ ନାନାବାଦ୍ୟେ । ବିପ୍ର-ମଙ୍ଗଳ-ବେଦନାଦେ ॥୮୬
କୁସୁମ ବୃଷ୍ଟି ପଥେ କରି । ମଙ୍ଗଳେ ଶୁଭେ ହରିହରି ॥୮୭
ମିଳିଲେ କୃଷ୍ଣ ପାଶେ ଯାଇ । କିବା ଉପମା ଦେବି ମୁହିଁ ॥୮୮
ପ୍ରାଣ ଆଗମେ ମୃତଦେହୀ । ଯେହ୍ନେ ଉଠଇ ଜ୍ଞାନ ପାଇ ॥୮୯
ନିଶ୍ଚଳ ଚିତ୍ତେ କୃଷ୍ଣଦେଖି । ନିର୍ମଳ କଲେ ଚର୍ମଆଖ ॥୯୦
ଗୋବିନ୍ଦ ସ୍ନେହ ହୃଦେ ବହି । ଅନେକ ଦିନେ ଭେଟ ପାଇ ॥୯୧
ହୃଦେ ଲଗାଇ ପୁନଃ ପୁନଃ । ନିବିଡେ଼ କଲେ ଆଲିଙ୍ଗନ ॥୯୨
କମଳା ଥାଇ ଯାର ଦେହେ । ସେ ଦେହ ଛୁଇଁ ସ୍ନେହମୋହେ ॥୯୩
ନିର୍ମଳ ହୋଇ କମ୍ପେ ଦେହ । ନୟନଯୁଗୁଁ ବହେ ଲୁହ ॥୯୪
ହରଷେ ତନୁ ପୁଲକିଲା । ଲୋକ ବେଭାର ପାସୋରିଲା ॥୯୫
ଭୀମସେନକୁ ନମସ୍କାର । ଯେମନ୍ତେ ସୁହୃଦ ବେଭାର ॥୯୬
ମାତୁଳପୁତ୍ର ପାଇ କୋଳେ । ଆଣ୍ଟେ ଭିଡ଼ିଲେ ପ୍ରେମଭୋଳେ ॥୯୭
ଗୋବିନ୍ଦ ଅର୍ଜ୍ଜୁନକୁ କୋଳେ । ବସାଇ ଅତି ସୁଖଭୋଳେ ॥୯୮
ନକୁଳ ସହଦେବ ଦୁଇ । କୃଷ୍ଣଚରଣେ ଶିର ଦେଇ ॥୯୯
ପ୍ରଣାମ କଲେ ଜଣେ ଜଣୋ ସଙ୍ଗେ ଅେକ ବିପ୍ରଗଣେ ॥୧୦୦
ତାହାଙ୍କ ପାଦେ ଦେଇ କର । ନମିଲେ ବ୍ରହ୍ମାଣ୍ତ ଠାକୁର ॥୧୦୧
କୁଳବୃଦ୍ଧଙ୍କ ମୁଖ ଚାହିଁ । କପାଳେ ବେନିକର ଦେଇ ॥୧୦୨
ଯେ ଯାହାମତେ ମାନ୍ୟ କରି । ଅର୍ଜ୍ଜୁନକର କରେ ଧରି ॥୧୦୩
କୁରୁ ସୃଞ୍ଜୟ କଇକେୟ । ଗୋବିନ୍ଦ ଦେଖି ସ୍ନେହମୋହ ॥୧୦୪
ସୂତ ମାଗଧ ବନ୍ଦୀଜନ । ଗନ୍ଧର୍ବ ଉପମନ୍ତ୍ରୀଗଣ ॥୧୦୫
ମୃଦଙ୍ଗ ଶଙ୍ଖ ଭେରୀନାଦ । ବିବିଧ ବେଣୁ ବୀଣାବାଦ୍ୟ ॥୧୦୬
ବ୍ରାହ୍ମଣେ କୃଷ୍ଣମୁଖ ଚାହିଁ । ସ୍ତୁତି କରନ୍ତି ବେଦ ଗାଇ ॥୧୦୭
ଗୋବିନ୍ଦ ଆଗେ ଆଗସରି । ନୃତ୍ୟ କରନ୍ତି ଅପସରୀ ॥୧୦୮
ସୁହୃଦଗଣେ ସ୍ତୁତିଭଣି । ପୁଣ୍ୟ ପୁରୁଷ ଶିଖାମଣି ॥୧୦୯
ଏମନ୍ତେ ପ୍ରଭୁ ବନମାଳୀ । ଧର୍ମନନ୍ଦନ ପୁରେ ମିଳି ॥୧୧୦
କୁଞ୍ଜର-ମଦଗନ୍ଧ ପାଣି । ସିଞ୍ଚନ୍ତେ ସୁନ୍ଦର ଧରଣୀ ॥୧୧୧
ଚିତ୍ର-ପତାକା ଧ୍ୱଜ-ସ୍ତମ୍ଭ । ପତ୍ର ତୋରଣା ପୂର୍ଣ୍ଣକୁମ୍ଭ ॥୧୧୨
ବିବିଧ ଅଳଙ୍କାର ଘେନି । ସୁନ୍ଦର ପୁରୁଷ କାମିନୀ ॥୧୧୩
ସେବନ୍ତି ନାନା ଉପହାରେ । ଚଞ୍ଚଳଚିତ୍ତେ ପୁରଦ୍ୱାରେ ॥୧୧୪
ମାଣିକ୍ୟଦୀପ ଜଳାରନ୍ଧ୍ରେ । ପ୍ରକାଶେ ନାନାପରିବନ୍ଧେ ॥୧୧୫
ଅଗୁରୁ ଧୂପ ଗନ୍ଧବାସେ । ସେ ଧୂମ ମୋହେ ଦଶଦିଶେ ॥୧୧୬
ନାନା ପତାକା ଚାରିପାଶେ । ସୁନ୍ଦର ସୁବର୍ଣ୍ଣ କଳସେ ॥୧୧୭
ରଜତଗିରି ଶୃଙ୍ଖ ପ୍ରାୟେ । ଧର୍ମନନ୍ଦନପୁର ଶୋହେ ॥୧୧୮
ଆନନ୍ଦମନେ ହୃଷୀକେଶ । ପାଣ୍ତବଭୁବନେ ପ୍ରବେଶ ॥୧୧୯
କୃଷ୍ଣଆଗମ କର୍ଣ୍ଣେ ଶୁଣି । ସେ ପୁରେ ଯେତେକ ତରୁଣୀ ॥୧୨୦
ଜନଲୋଚନ ପାନପାତ୍ର । ଭାବେ ତୃଷିତ ବେନିନେତ୍ର ॥୧୨୧
ଦେଖିବା ଅର୍ଥେ ଭାବସୁଖେ । ଧାଇଁଲେ ଆନନ୍ଦ ଉତ୍ସୁକେ ॥୧୨୨
କେଶବସନ ଅସମ୍ଭାଳେ । ଚରଣ ନ ଚଳେ ନିଶ୍ଚଳେ ॥୧୨୩
ଭୋଳେ ତେଜିଲେ ଘରଦ୍ୱାର । ଶଯ୍ୟାରେ ଛାଡ଼ି ନିଜ ବର ॥୧୨୪
କୃଷ୍ଣଙ୍କୁ ଦେଖିବାରେ ସଧେ । ଧାଇଁଲେ ରାଜପଥ ମଧ୍ୟେ ॥୧୨୫
ଶୁଭଇ ମୁଖରାବ ଗୋଳ । ଯେସନେ ସମୁଦ୍ର ଉଲ୍ଲୋଳ ॥୧୨୬
ନାନାସୁବାକ୍ୟେ ଦିଗ ପୂରେ । କେ ଯାଇ ଉଠେ ବୃକ୍ଷପରେ ॥୧୨୭
ଜଗତି ଅଟ୍ଟାଳୀ ପାଚେରୀ । ଆରୋହି ଲଜ୍ଜା ଦୂର କରି ॥୧୨୮
ନିଜ ଯୁବତୀଗଣ ସାଥେ । କୃଷ୍ଣଙ୍କୁ ଦେଖି ଦିବ୍ୟରଥେ ॥୧୨୯
ପୁଷ୍ପବରଷି ସ୍ତୁତି ଭଣି । ଗୁରୁଗଉରବ ନ ଗଣି ॥୧୩୦
କୃଷ୍ଣ ସୁନ୍ଦରରୂପ ଦେଖି । ନିର୍ମଳ କଲେ ଚର୍ମ ଆଖି ॥୧୩୧
ଅନ୍ତରେ ଆଲିଙ୍ଗନ ଦେଇ । ନୟନେ ସ୍ୱାଗତ ଜଣାଇ ॥୧୩୨
କୃଷ୍ଣକାମିନୀ ମଧ୍ୟେ ବସି । ତାରାମଣ୍ତଳେ ଯେହ୍ନେ ଶଶୀ ॥୧୩୩
ବୋଲନ୍ତି ଏକୁ ଆରେ ଚାହିଁ । କି ପୁଣ୍ୟ କଲେ ଏ ଗୋ ସହି ॥୧୩୪
ଦେଖ ଏ ପୁରୁଷଉତ୍ତମ । ରୂପେ ଗଞ୍ଜଇ କୋଟି କାମ ॥୧୩୫
ସୁରଙ୍ଗମୁଖେ ମନ୍ଦହାସେ । ଜୀବନବାନ୍ଧେ କାମପାଶେ ॥୧୩୬
ସୁରେଖ ଦେଖ ଭୁରୂଭଙ୍ଗ । ଲୋଚନ ବିସ୍ତାରେ ଅନଙ୍ଗ ॥୧୩୭
ଏମନ୍ତ ଭାବୁଁ ନାରୀମାନେ । ଆସି ମିଳିଲେ ପୁରଜନେ ॥୧୩୮
ମଙ୍ଗଳ ଦ୍ରବ୍ୟ ଭୁଜଦଣ୍ତେ । କୃଷ୍ଣେ ଦଖନ୍ତି ନୟନେ ॥୧୩୯
କୃଷ୍ଣଙ୍କୁ ନମି ଅଶ୍ରୁମୁଖେ । ତରିଲେ ଭବବନ୍ଧଦୁଃଖେ ॥୧୪୦
ରାଜାର ଅନ୍ତଃପୁର ଜନେ । କୃଷ୍ଣଙ୍କୁ ଦଖନ୍ତି ନୟନେ ॥୧୪୧
ଅଭିଗମନେ ଅନୁସରି । କୃଷ୍ଣଙ୍କୁ ଅନ୍ତଃପୁରେ ଭରି ॥୧୪୨
ଉତ୍ସବ କେବା ପରିମାଣି । କୃଷ୍ଣ ଆଗମ କୁନ୍ତୀ ଶୁଣି ॥୧୪୩
ଯେ ହରି ତ୍ରିଭୁବନନାଥ । ଲୋକବେଭାରେ ଭ୍ରାତୃସୁତ ॥୧୪୪
ନିଜ ପଲ୍ୟଙ୍କୁ ଉଠି ବେଗେ । ଦ୍ରୌପଦୀବଧୂ ଘେନି ସଙ୍ଗେ ॥୧୪୫
କୋଳେ ବସାଇ ଭଗବାନ । ଆନନ୍ଦେ କଲେ ଆଲିଙ୍ଗନ ॥୧୪୬
ଗୋବିନ୍ଦେ ଆଣି ନିଜପୁରେ । ଧର୍ମନନ୍ଦନ ସ୍ନେହଭରେ ॥୧୪୭
ଆନନ୍ଦସିନ୍ଧୁଜଳେ ବୁଡ଼ି । ପୂଜାର କର୍ମପଥ ହୁଡ଼ି ॥୧୪୮
ପିତୃଭଗିନୀ ଗୁରୁନାରୀ । ଚରଣ ବନ୍ଦିଲେ ମୁରାରି ॥୧୪୯
ସୁଭଦ୍ରା ଦ୍ରୌପଦୀର ସଙ୍ଗେ । ନମିଲା କୃଷ୍ଣପାଦଯୁଗେ ॥୧୫୦
ଦ୍ରୁପଦସୁତା ଶୁଦ୍ଧମନେ । ତକ୍ଷଣେ କୁନ୍ତୀର ବଚନେ ॥୧୫୧
ପୂଜିଲା ଯଥା ଅନୁମତେ । ଯେ ଯାହା ବିଧାନ ଯେମନ୍ତେ ॥୧୫୨
ରୁକ୍ମିଣୀ ସତ୍ୟଭାମା ସତୀ । ଭଦ୍ରା କାଳିନ୍ଦୀ ଜାମ୍ବବତୀ ॥୧୫୩
ଲକ୍ଷଣା ସତ୍ୟା ମିତ୍ରବିନ୍ଦା । ଏ ଅଷ୍ଟକୃଷ୍ଣର ପ୍ରମଦା ॥୧୫୪
ଏ ଆଦି ଯେତେ କୃଷ୍ଣନାରୀ । ପୂଜିଲେ ଅଳଙ୍କାର ଭରି ॥୧୫୫
ଏମନ୍ତେ ଧର୍ମର ନନ୍ଦନ । ସୁଖେ ନିବେଶି ଜନାର୍ଦ୍ଦନ ॥୧୫୬
ସକଳଜନ ତୁଲେ ହରି । ନିତ୍ୟେ ନୂତନେ ପୂଜା କରି ॥୧୫୭
ପୂର୍ବେ ଅର୍ଜ୍ଜୁନ ତୁଲେ ହରି । ଖାଣ୍ତବବନ ଦାହ କରି ॥୧୫୮
ଅଗ୍ନିର କରି ଉପକାର । ରଖିଲେ ମୟଦୈତ୍ୟ ବୀର ॥୧୫୯
ତାର ନିର୍ମିତ ମାୟାସଭା । କିବା ଉପମା ଦେବା ଅବା ॥୧୬୦
ସେ ସଭାମଧ୍ୟେ ହୃଷୀକେଶ । ଭାବେ ରହିଲେ କେତେ ମାସ ॥୧୬୧
ଅର୍ଜ୍ଜୁନ ତୁଲେ ନାରାୟଣ । ସଙ୍ଗତେ ଘେନି ବୀରଗଣ ॥୧୬୨
ରଥ ଆରୋହି ଭଗବାନ । ନିତ୍ୟେ ଭ୍ରମନ୍ତି ଦେଶବନ ॥୧୬୩
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣସ୍ୟ ଇନ୍ଦ୍ରପ୍ରସ୍ଥ ଗମନଂ ନାମ
ଷଟ୍ସପ୍ତତିତମ ଅଧ୍ୟାୟଃ ॥
</poem>
==='''ସପ୍ତସପ୍ତତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ ବୋଲନ୍ତି ଶୁଦ୍ଧମନେ । ଇନ୍ଦ୍ରପ୍ରସ୍ଥରେ ଏକଦିନେ ॥୧
ସଭାରେ ମଧ୍ୟେ ଧର୍ମସୁତ । ସଙ୍ଗତେ ଘେନି ଚାରିଭ୍ରାତ ॥୨
ସନ୍ନିଧେ ବ୍ରହ୍ମଋଷିଜନ । ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥୩
ବୃଦ୍ଧେ ଅଛନ୍ତି ଯେତେ ଭାବେ । ସିଦ୍ଧାଦି ଗନ୍ଧର୍ବେ ଏ ସର୍ବେ ॥୪
ଏହାଙ୍କୁ କରି ସାବଧାନ । ଚାହିଁଣ କୃଷ୍ଣର ବଦନ ॥୫
ସମ୍ଭ୍ରମେ ଯୋଡ଼ି ବେନିକର । କୃଷ୍ଣଙ୍କୁ ବୋଲେ ନୃପବର ॥୬
ଭୋ ଦେବ ଶୁଣ ସାବଧାନେ । ଯଜ୍ଞ ରାଜସୂୟ ବିଧାନେ ॥୭
ତୋର ବିଭୂତି ଦେବଗଣେ । ପବିତ୍ର ପରମକାରଣେ ॥୮
ତାହାଙ୍କୁ ତୋର ପାଦଗତେ । ପୂଜିବି ମହାଯଜ୍ଞମତେ ॥୯
ଏଣୁ ମୋହର ମନଖେଦ । କର ତୁ ଏ ଯଜ୍ଞ ସମ୍ପାଦ ॥୧୦
ତୋର ଚରଣ ଅବିରତେ । ଯେ ପ୍ରାଣୀ ଚିନ୍ତେ ଶୁଦ୍ଧଚିତ୍ତେ ॥୧୧
ନିଶ୍ଚଳଚିତ୍ତେ କରି ଧ୍ୟାନ । ମୁଖେ ଗୁଣନ୍ତି ତୋର ନାମ ॥୧୨
ସେବନ୍ତି ଉପବାସ ବ୍ରତେ । ବେଦବଚନ ଶାସ୍ତ୍ରମତେ ॥୧୩
ସେ ତୋତେ କରନ୍ତି ପ୍ରଣାମ । ତୁ ଅପବର୍ଗର କାରଣ ॥୧୪
ତୁ ଦେବଦେବ ନରହରି । ଯେ ତୋର ପାଦେ ସେବାକରି ॥୧୫
ସେବାର ଫଳେ ଯେତେ ଲାଭ । ଉଭୟଲୋକ ଅନୁଭବ ॥୧୬
ଏ ସଭାଲୋକର ସମ୍ମୁଖେ । ତୁ ଏବେ ଦେଖାଅ ପ୍ରତ୍ୟକ୍ଷେ ॥୧୭
ଯେ ତୋତେ ଭଜେ ଦୃଢଚିତ୍ତେ । ଯେ ଅବା ନ ଭଜନ୍ତି ତୋତେ ॥୧୮
ଏ ବେନିଜନଙ୍କର ଗତି । ପ୍ରକାଶ କର ଦାଶରଥି ॥୧୯
କୁରୁ ସୃଞ୍ଜୟ ସଭା ମଧ୍ୟେ । ଏ ଲୋକେ ଦେଖନ୍ତୁ ଆନନ୍ଦେ ॥୨୦
ତୁ ଯେ ନିର୍ଗୁଣ ବ୍ରହ୍ମସାର । ମିତ୍ର ଅଇରି ନାହିଁ ତୋର ॥୨୧
ଏ ସର୍ବଭୂତେ ତୋର ବାସ । ଏଣୁ ବୋଲାଉ ସମଦୃଶ ॥୨୨
ସ୍ୱସୁଖ-ଅନୁଭବେ ପୂର୍ଣ୍ଣ । ସେବକେ ହେଉ ସୁରଦ୍ରୁମ ॥୨୩
ସେବାର ଅନୁରୂପେ ହିତ । ଏଣେ ତୋ ନାହିଁ ବିପରୀତ ॥୨୪
ଏମନ୍ତେ ଧର୍ମସୁତ ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥୨୫
ଅଳପ ହସି ଭାବଗ୍ରାହୀ । ବୋଲନ୍ତି ରାଜାମୁଖ ଚାହିଁ ॥୨୬
;ଭଗବାନ ଉବାଚ
ଶୁଣ ହୋ ଶତ୍ରୁ-କରଷଣ । ଏ ତୋର ଉତ୍ତମ ପ୍ରମାଣ ॥୨୭
ତୋହର ପୁଣ୍ୟଯଶ-ବାଣୀ । ତିନିଭୁବନଲୋକେ ଶୁଣି ॥୨୮
କଲ୍ୟାଣବାଣୀ ରାତ୍ରି ଅନ୍ତେ । ସୁଜନେ ସୁମରିବେ ନିତ୍ୟେ ॥୨୯
ଶୁଣ ଏ ଯଜ୍ଞର ମହିମା । ଅଧିକେ କି ଦେବା ଉପମା ॥୩୦
ଋଷି ଦେବତା ପିତୃଗଣ । ଏ ପୁଣ୍ୟ ଯଜ୍ଞରେ ତର୍ପଣ ॥୩୧
ସୁହୃଦ ଆଦି ଯେତେ ଜନ୍ତୁ । ଏଣେ ତାହାଙ୍କ ସୁଖ ହେତୁ ॥୩୨
ସମରେ ସର୍ବନୃପ ଜିଣି । ତୁ ବଶ କର ଏ ଧରଣୀ ॥୩୩
ସର୍ବସମ୍ଭାରେ ନୃପବର । ସୁଖେ ତୁ ମହାଯଜ୍ଞ କର ॥୩୪
ଏ ଯେ ତୋହର ଚାରିଭ୍ରାତ । ଦିଗପାଳଙ୍କ ଅଂଶେ ଜାତ ॥୩୫
ମୁହିଁ ଦୁର୍ଜୟ ସୁରାସୁରେ । ଭାବେ ଖଟଇ ତୋ ପୟରେ ॥୩୬
ଏବେ ହୋ ଶୁଣ ତୁ ରାଜନ । ମୋର ସେବକ ଯେତେ ଜନ ॥୩୭
ତାହାଙ୍କୁ ଇହପରଲୋକେ । ଥୋଇଣ ଥାଇ ନାନାସୁଖେ ॥୩୮
ତେଜ ଶଉର୍ଯ୍ୟ ଯଶ ଶିରୀ । ନାନାବିଭୂତି ଆଦି କରି ॥୩୯
କେହି ନ ପାରେ ତାଙ୍କୁ ଜିଣି । ମୋର ଶରଣ ଯେତେ ପ୍ରାଣୀ ॥୪୦
ଦେବେ ନ ପୀଡ଼ନ୍ତି ଯାହାକୁ । କି ଭୟ ମନୁଷ୍ୟ ରାଜାକୁ ॥୪୧
ଭାବେ କହନ୍ତି ବ୍ୟାସସୁତ । ଶୁଣ ସୁମନେ ପରୀକ୍ଷିତ ॥୪୨
ଏମନ୍ତେ କୃଷ୍ଣବାଣୀ ଶୁଣି । ଆନନ୍ଦମନେ ନୃପମଣି ॥୪୩
ଚାରିଦିଗକୁ ଚାରିଭାଇ । ପେଷିଲେ କୃଷ୍ଣଆଜ୍ଞା ପାଇ ॥୪୪
ତକ୍ଷଣେ ବିଷ୍ଣୁ ତେଜରାଶି । ବେଗେ ତାହାଙ୍କ ଦେହେ ପଶି ॥୪୫
ଦିଶନ୍ତି ବିଷ୍ଣୁତେଜକାନ୍ତି । ଏବେ ହୋ ଶୁଣ ନରପତି ॥୪୬
ଦକ୍ଷିଣ ଦିଗେ ସହଦେବ । ତକ୍ଷଣେ ପେଷିଲେ ମାଧବ ॥୪୭
ସୃଞ୍ଜୟବଳ ସଙ୍ଗେ ଦେଇ । ବୋଲନ୍ତି ନକୁଳକୁ ଚାହିଁ ॥୪୮
ପଶ୍ଚିମ ଦିଗେ ତୁମ୍ଭେ ଚଳ । ସଙ୍ଗେ ଘେନିଣ ମତ୍ସ୍ୟବଳ ॥୪୯
ଅର୍ଜୁନମୁଖ ଚାହିଁ ହରି । ବୋଲନ୍ତି କରେ କର ଧରି ॥୫୦
ଉତ୍ତରଦିଗେ ଯାଅ ତୁହି । ମୋହର ନିଜ ଭାବ ବହି ॥୫୧
କୈକୟବଳ ସଙ୍ଗେ ଘେନ । ଆନନ୍ଦେ ଚଳ ହେ ଅର୍ଜ୍ଜୁନ ॥୫୨
ପୁଣି ଅନାଇଁ ବୃକୋଦର । ବୋଇଲେ ବ୍ରହ୍ମାଣ୍ତଠାକୁର ॥୫୩
ମଦ୍ର ରାଜନବଳ ସଙ୍ଗେ । ଭୀମ ତୁ ଯାଅ ପୂର୍ବଦିଗେ ॥୫୪
ବୋଲନ୍ତି ପ୍ରଭୁ ନାରାୟଣ । ରାଜାଙ୍କୁ କରି ନିମନ୍ତ୍ରଣ ॥୫୫
ବହନ ଆଣ ଚାରିଭାଇ । ଯଜ୍ଞସମ୍ଭାର ସଙ୍ଗେ ଲଇ ॥୫୬
ଗୋବିନ୍ଦ ଆଜ୍ଞା ପରମାଣେ । ଗଲେ ସେ ରାଜା ନିମନ୍ତ୍ରଣେ ॥୫୭
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହୋ ପରୀକ୍ଷ ରାଜନ ॥୫୮
ରାଜାଙ୍କୁ ବିଷ୍ଣୁତେଜେ ଜିଣି । ଧନସମ୍ପଦ ବେଗେ ଆଣି ॥୫୯
ଧର୍ମନନ୍ଦନ ପାଶେ ଦେଲେ । କୃଷ୍ଣର ଛାମୁରେ କହିଲେ ॥୬୦
ଭୋ ନାଥ ଶୁଣିମା ଗୋବିନ୍ଦ । ଘୋର ଦୁର୍ଜୟ ଜରାସନ୍ଧ ॥୬୧
ତାହାକୁ ନ ପାରିଲୁ ଜିଣି । ଶୁଣି ହସନ୍ତି ଚକ୍ରପାଣି ॥୬୨
ଦ୍ୱାରକାପୁରେ କଲୁ ବାସ । ସେ ଦୈତ୍ୟ ନୋହିଲା ବିନାଶ ॥୬୩
ସବୁ ନୃପତି ବନ୍ଦୀ କରି । ତୁ କି ନ ଜାଣୁ ଚକ୍ରଧାରୀ ॥୬୪
ତୋର ବୁଦ୍ଧିରେ ନାଶ ଯିବ । ତେବେ ସେ ମୋ ଯଜ୍ଞ ହୋଇବ ॥ ୬୫
ଶୁଣି ବୋଲନ୍ତି ଚକ୍ରପାଣି । ଏ କଥା ମୁହିଁ ଅଛି ଜାଣି ॥୬୬
ସେ ବନ୍ଦୀ ନୃପତିଙ୍କ ଚାର । କହିଲା ମୋହର ଆଗର ॥୬୭
ଅବଶ୍ୟ ତାକୁ ସଂହାରିବି । ବନ୍ଦୀନୃପତି ଉଦ୍ଧରିବି ॥୬୮
ରାଜାଏ କରୁ ମନେ ଧ୍ୟାନ । ତକ୍ଷଣେ ଜାଣି ଜନାର୍ଦ୍ଦନ ॥୬୯
ଉଦ୍ଧବ ବାକ୍ୟ ସୁମରଣ । କରି ଉଠିଲେ ନାରାୟଣ ॥୭୦
ଭୀମ ଅର୍ଜୁନ ତୁଲେ ହରି । ତକ୍ଷଣେ ବିପ୍ରରୂପ ଧରି ॥୭୧
ମିଳିଲେ ଯାଇ ଗିରିବରେ । ଦୁର୍ଗମ ଜରାସନ୍ଧପୁରେ ॥୭୨
ଅତିଥିବେଶେ ତାର ଦ୍ୱାରେ । ମିଳିଲେ ଭିକ୍ଷୁକ ବେଭାରେ ॥୭୩
ଗୃହସ୍ଥଧର୍ମ ଭିକ୍ଷୁପୂଜା । ବ୍ରହ୍ମଣ୍ୟ ଜରାସନ୍ଧ ରାଜା ॥୭୪
ଦ୍ୱର ସମୀପେ ଭଗବାନ । ସୁସ୍ୱରେ କଲେ ସାମଗାନ ॥୭୫
କ୍ଷତ୍ରିୟକୁଳେ ଜାତ ହୋଇ । ଛଦ୍ମେ ବ୍ରାହ୍ମଣ ରୂପ ବହି ॥୭୬
କୃଷ୍ଣର ବେଦନାଦ ଶୁଣି । ମନେ ବିଚାରେ ନୃପମଣି ॥୭୭
ଏତ ଅପୂର୍ବ ବିପ୍ରବର । ମିଳିଲେ ମୋହର ନବର ॥୭୮
ଆଜ ଜୀବନ ମୋର ଧନ୍ୟ । ଉତ୍ତମ ବିପ୍ରେ ଦେବି ଦାନ ॥୭୯
ଏମନ୍ତ ମନେ ବିଚାରିଲା । କୃଷ୍ଣର ନିକଟେ ମିଳିଲା ॥୮୦
ତାର ବଦନ ଚାହିଁ ହରି । କହନ୍ତି ଅଞ୍ଜଳି ପ୍ରସାରି ॥୮୧
ଶୁଣ ଧାର୍ମିକ ନୃପବର । ଅନେକ ଦୂରେ ଆମ୍ଭ ଘର ॥୮୨
ତୋର ମହିମା ଶୁଣି କର୍ଣ୍ଣେ । ଆମ୍ଭେ ଅଇଲୁ ପଥଶ୍ରମେ ॥୮୩
ତୋର କୁଶଳ ହେଉ ସୁଖେ । ଯାହା ମାଗିବୁ ଆମ୍ଭେ ମୁଖେ ॥୮୪
ସନ୍ତୋଷେ ଦେବୁ ନୃପବର । ଏ ଧର୍ମେ ବିଳମ୍ବ ନ କର ॥୮୫
ତୁ ପୁଣ୍ୟବନ୍ତ ଶିରୋମଣି । ଆମ୍ଭେ ଅଇଲୁ ଯଶ ଶୁଣି ॥୮୬
ସଂସାର ଦୁଃଖର କାରଣ । ତିତିକ୍ଷୁ ବୋଲାନ୍ତି ଯେ ଜନ ॥୮୭
ତାର ସଦୃଶ ନାହିଁ କେହି । ଦୁର୍ଲ୍ଲଭ ମାଗିଲେ ସେ ନେଇ ॥୮୮
ଅସାଧୁ ବୁଦ୍ଧି ଯେତେ ନର । କିବା ଅକାର୍ଯ୍ୟ ତାହାଙ୍କର ॥୮୯
ଜାଣି ନ ଜାଣି ସୁଖଲାଭେ । କର୍ମ କରନ୍ତି ପଶୁ ଭାବେ ॥୯୦
ବିପାକେ ଫଳ ବିପରୀତ । ବୋଲନ୍ତି ପ୍ରଭୁ ଜଗନ୍ନାଥ ॥୯୧
ନିର୍ମଳଜ୍ଞାନ ଯାର ଦେହୀ । ଅଦେୟ ବସ୍ତୁ ତାର ନାହିଁ ॥୯୨
ପ୍ରାଣୀର ହିତେ ସର୍ବ ଦେଇ । ତାହାକୁ ବୋଲି ପୁଣ୍ୟଦେହୀ ॥୯୩
ସମଦରଶୀ ଚିତ୍ତ ଯାର । ମିତ୍ର ଅଇରି ନାହିଁ ତାର ॥୯୪
ଯେ ପ୍ରାଣୀ ଅନିତ୍ୟ ଶରୀରେ । ନିର୍ମଳଯଶ ଏ ସଂସାରେ ॥୯୫
ପୁଣ୍ୟପୁରୁଷେ ଯାହା ଗାଇ । ତାହା ନ ସଞ୍ଚେ ଦେହ ବହି ॥୯୬
ନିଷ୍ଫଳ ତାହାର ଜୀବନ । ନିନ୍ଦା କରନ୍ତି ସର୍ବଜନ ॥୯୭
ତା ସୁଖ ନାହିଁ ବେନିଲୋକେ । ଜୀବନ ବହେ ଦୁଃଖଶୋକେ ॥୯୮
ପୁଣ୍ୟପୁରୁଷ ପୂର୍ବକାଳେ । ଥିଲେ ଯେ ଏ ମହୀମଣ୍ତଳେ ॥୯୯
ଯେ ହରିଶ୍ଚନ୍ଦ୍ର ମହୀପତି । ଯେ ରନ୍ତିଦେବ ଉଞ୍ଚବୃତ୍ତି ॥୧୦୦
ଶିବିରାଜନ ଭାଗ୍ୟବନ୍ତ । ବଳି ଯେ ବିରୋଚନସୁତ ॥୧୦୧
ବ୍ୟାଧକପୋତ ଆଦି ଯେତେ । ଅଧ୍ରୁବ ଦେହେ ଧ୍ରୁବପଥେ ॥୧୦୨
ଗମିଲେ ପୁଣ୍ୟଫଳେ ସୁଖେ । ଯଶ ରହିଲା ତିନିଲୋକେ ॥୧୦୩
;ଶୁକ ଉବାଚ
ଏମନ୍ତେ କୃଷ୍ଣବାଣୀ ଶୁଣି । ବିପ୍ରଙ୍କୁ ଚାହିଁ ନୃପମଣି ॥୧୦୪
ସ୍ୱର ଆକୃତି ପରିମାଣେ । ହସ୍ତକର୍କଶ ଧନୁଗୁଣେ ॥୧୦୫
ଦେଖି କରଇ ବିଚାରଣ । ନିଶ୍ଚେ ଏ ନୁହଁଇ ବ୍ରାହ୍ମଣ ॥୧୦୬
ପୂର୍ବେ ଏହାଙ୍କୁ ଅଛି ଦେଖି । ଏମନ୍ତ ମନେ ଉପଲକ୍ଷ୍ୟି ॥୧୦୭
ପୁଣି ବିଚାରେ ଶୁଦ୍ଧଚିତ୍ତେ । ଅତିଥି ଲଘିଂବି କେମନ୍ତେ ॥୧୦୮
ବ୍ରାହ୍ମଣ ରୂପେ ହୋଇ ଛନ୍ନ । ଯେବେ କ୍ଷତ୍ରିୟ ମାଗେଦାନ ॥୧୦୯
ଏହାକୁ ନାହିଁ ମୋର ଭୀତି । ମୋହର ଦ୍ୱାରେ ଏ ଅତିଥି ॥୧୧୦
ଏହାଙ୍କୁ ନିଶ୍ଚେ ଦେବି ଦାନ । ଯେବେ ମାଗିବେ ମୋ ଜୀବନ ॥୧୧୧
ବଳି ରାଜାର ଯଜ୍ଞକାଳେ । ବିଷ୍ଣୁ ମିଳିଲେ ବିପ୍ରଛଳେ ॥୧୧୨
ତିନିଚରଣେ ମହୀ ଦେଲା । ତା ଯଶ ସଂସାରେ ରହିଲା ॥ ୧୧୩
ବିଷ୍ଣୁ ନାଶିଲେ ତାର ଦୁଃଖ । ଭୁଞ୍ଜେ ଅଛିଦ୍ର ନିତ୍ୟସୁଖ ॥ ୧୧୪
ମନ୍ତ୍ରୀବଚନ ନ ଶୁଣିଲା । ଯେଣୁ ତା ପୂର୍ବଭାଗ୍ୟ ଥିଲା ॥ ୧୧୫
କ୍ଷତ୍ରିୟକୁଳେ ଜାତ ହୋଇ । ବ୍ରାହ୍ମଣହିତ ଯେ ନ ବହି ॥ ୧୧୬
ଧନ ଜୀବନ ଧିକ ତାର । ନିର୍ମଳ ଯଶ ନାହିଁ ଯାର ॥ ୧୧୭
ଏମନ୍ତ କରି ଅନୁମାନ । ବିପ୍ରଙ୍କୁ ବୋଲଇ ବଚନ ॥ ୧୧୮
ଭୋ ବିପ୍ରବରେ ମାଗ ଦାନ । ଦେବଇଁ ସତ୍ୟ ମୋ ବଚନ ॥ ୧୧୯
ଏ ଧର୍ମେ ବିଳମ୍ବ ନ କର । ମାଗିଲେ ଦେବି ଆଜ ଶିର ॥ ୧୨୦
ଶୁଣି ତାହାର ସତ୍ୟବାଣୀ । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୨୧
ତୁ ପୁଣ୍ୟବନ୍ତ ନୃପମଣି । ଆମ୍ଭେ ତୋହର ଯଶ ଶୁଣି ॥ ୧୨୨
ଅଇଲୁ ଦୁଃଖ ଦୁରପଥ । ଯେଣୁ ତୁ ପୁରୁଷ ମହତ ॥ ୧୨୩
ଆମ୍ଭଙ୍କୁ ଯୁଦ୍ଧ ଦିଅ ଦାନ । ଆନରେ ନାହିଁ ପ୍ରୟୋଜନ ॥ ୧୨୪
ଶସ୍ତ୍ରସମରେ ନାହିଁ ସଧ । ଆମ୍ଭଙ୍କୁ ଦିଅ ବାହୁଯୁଦ୍ଧ ॥ ୧୨୫
ଯେବେ ତୋ ଇଷ୍ଟଧର୍ମ ସତ୍ୟ । ଆମ୍ଭେ କହିବୁ ଶୁଣ ତତ୍ତ୍ୱ ॥ ୧୨୬
କ୍ଷତ୍ରିୟ ଜନ୍ମ ଆମ୍ଭେ ତିନି । ଏବେ ତୁ ନ ପାରିଲୁ ଚିହ୍ନି ॥ ୧୨୭
ତା ଶୁଣି ଚକିତେ ରାଜନ । ଚାହିଁ କରଇ ଅନୁମାନ ॥ ୧୨୮
କି ଏ ଗନ୍ଧର୍ବ ବିଦ୍ୟାଧର । ମନୁଷ୍ୟ ରାକ୍ଷସ କିନ୍ନର ॥ ୧୨୯
ବ୍ରାହ୍ମଣ କାହିଁ ଏତେ ତେଜ । କର୍କଶ ଧନୁର୍ଗୁଣେ ଭୁଜ ॥ ୧୩୦
ନିଶ୍ଚେ କ୍ଷତ୍ରିୟ ତିନିଜଣ । ପୁଣି କହନ୍ତି ନାରାୟଣ ॥ ୧୩୧
ଦେଖ ଏ ବୀର ବୃକୋଦର । ବାମେଟି ଅଜୁନ ଏହାର ॥ ୧୩୨
ଏହାଙ୍କ ମାତୁଳଜ ଭ୍ରାତ । ମୁଁ କୃଷ୍ଣ ବସୁେଦେବସୁତ ॥ ୧୩୩
ମୁଁ ତୋର ରିପୁ ମହାବଳ । ଜିଣିଲି ସପ୍ତଦଶବେଳ ॥ ୧୩୪
ବେଳେ ଜିଣିଲୁ ବଳେ ତୁହି । ତା ଶୁଣି କୃଷ୍ଣ ମୁଖ ଚାହିଁ ॥ ୧୩୫
ଉଚ୍ଚେ ହସିଲା ଜରାସନ୍ଧ । ବୋଲଇ ତୁରେ ବଡ଼ ମନ୍ଦ ॥ ୧୩୬
କୋପେ ବୋଲଇ କୃଷ୍ଣେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥ ୧୩୭
ସଂଗ୍ରାମ ମୋହର ଉଚିତ । ତୁ ପୁଣି ସଂଗ୍ରାମେ ନିସତ ॥ ୧୩୮
ପଳାଇ ଗଲୁ ମୋର ଭୟେ । ଏବେ ଭଣ୍ତିଲୁ କୁଟଯମୋହେ ॥ ୧୩୯
ମଥୁରା ଛାଡି ଜଳେ ପଶି । ଏବେ ଛଳିଲୁ ମୋତେ ଆସି ॥ ୧୪୦
ସମୁଦ୍ରେ ପଶିଲୁ ଶରଣ । ତୋହର ତୁଲେ କାହିଁ ରାଣ ॥ ୧୪୧
ଏ ଯେ ଅର୍ଜୁନ ସଖା ତୋର । ତୁଲ୍ୟ ବୟସ ନୋହେ ମୋର ॥ ୧୪୨
ଏହାର ଦେହେ ନାହିଁ ବଳ । ଏ କାହିଁ ହେବ ମୋର ତୁଲ ॥ ୧୪୩
ମୋହର ତୁଲ୍ୟ ବଳୀ ଭୀମ । ସେ ଜାଣେ ବାହୁଯୁଦ୍ଧ ଧର୍ମ ॥ ୧୪୪
ଏମନ୍ତ ବୋଲି କୋପଭରେ । ବେଗେ ମିଳିଲା ନିଜପୁରେ ॥ ୧୪୫
ବୁଲାଇ ବେନିଗଦା ହସ୍ତେ । ମିଳିଲା କୃଷ୍ଣର ଅଗ୍ରତେ ॥ ୧୪୬
ଗଦାଏ ଭୀମହସ୍ତେ ଦେଲା । ସମର କର ତୁ ବୋଇଲା ॥ ୧୪୭
ଆପଣେ ଗଦା ହସ୍ତେ ଧରି । ରଣେ ପଶିଲା ଆଗସରି ॥ ୧୪୮
ସମରେ ଭୀମ-ଜରାସନ୍ଧ । ଶୂନ୍ୟେ ଦେଖନ୍ତି ଦେବବୃନ୍ଦ ॥ ୧୪୯
ଅନ୍ତରେ ନିଜ ଛଳ ଆଞ୍ଚି । ଗଦାସମରେ ପଞ୍ଚାପଞ୍ଚି ॥ ୧୫୦
ରଣେ ଦୁର୍ମଦ ବେନିବୀର । ଘୂରାଇ କରନ୍ତି ପ୍ରହାର ॥ ୧୫୧
ଶବଦ ଯେହ୍ନେ ଘଡଘଡି । ଶୁଭଇ ବେନିଦେହେ ପଡି ॥ ୧୫୨
ବାମ ଦକ୍ଷିଣେ ଗଦା ଚାଳି । କୋପେ ପିଟନ୍ତି ଭୁଜତୋଳି ॥ ୧୫୩
ସମରେ ମତ୍ତଗଜ ପ୍ରାୟେ । ଗଦା ପିଟନ୍ତି ବେନି ଦେହେ ॥ ୧୫୪
ଶୁଭଇ ଘଡଘଡି ନାଦ । ଗଜେ ଯେସନେ ଗଜଯୁଦ୍ଧ ॥ ୧୫୫
ବଜ୍ରଶବଦେ ଦିଗ ପୁରେ । ମାଗଧ ଭୀମର ସମରେ ॥ ୧୫୬
ଏମନ୍ତେ ବେନି ଗଦା ତୋଳି । ଅନ୍ୟୋନ୍ୟେ ପ୍ରହାରନ୍ତି ବଳୀ ॥ ୧୫୭
ପିଟନ୍ତି ଭୁଜଯୁଗେ ବେଗେ । ଗଦାଏ ବାଜି ତାଙ୍କ ଅଙ୍ଗେ ॥ ୧୫୮
କଟୀ ଜଘନ ଊର କନ୍ଧେ । ବଜ୍ରଶବଦ ଘୋରନାଦେ ॥ ୧୫୯
ଭାଜି ପଡିଲେ ଗଦାତଳେ । ହସ୍ତୀ ସଂଗ୍ରାମେ ଯେହ୍ନେ ଡାଳେ ॥ ୧୬୦
ସେ ବେନିଗଦା ଯହୁଁ ଗଲା । ଅନେକ କୋପ ଉପୁଜିଲା ॥ ୧୬୧
ମୁଷ୍ଟି ଉଞ୍ଚାଇ ମହାକୋପେ । ପ୍ରହାର କଲେ ଆପେ ଆପେ ॥ ୧୬୨
ଶୁଭଇ ବଜ୍ର ଘଡଘଡି । ପୁଣି ପ୍ରହାରେ ଆଗ ବଢି ॥ ୧୬୩
ଏମନ୍ତେ ବଢିଲା ସଂଗ୍ରାମ । ଦଇବ ବେନିବୀରେ ସମ ॥ ୧୬୪
ନିରତେ ସମର ବଢିଲା । ସପତବିଂଶ ଦିନ ଗଲା ॥ ୧୬୫
ଏମନ୍ତେ ରଜନୀ ପ୍ରବେଶେ । କୃଷ୍ଣ ଯେ ଥିଲେ ଭୀମ ପାଶେ ॥ ୧୬୬
କୃଷ୍ଣବଦନ ଭୀମ ଚାହିଁ । କହିଲା ଆଙ୍ଗୁଳି ଦେଖାଇ ॥ ୧୬୭
ଏହାକୁ ନ ପାରିବି ମୁହିଁ । ଉପାୟ ଥିଲେ କହ ତୁହି ॥ ୧୬୮
ଭୀମ ବଚନେ ନାରାୟଣ । ଚିନ୍ତିଲେ ଜରାର ମରଣ ॥ ୧୬୯
ଜରାରାକ୍ଷସୀ ଜନ୍ମକାଳେ । ସନ୍ଧାନ କଲା ବେନିଫାଳେ ॥ ୧୭୦
ବୋଇଲା ହୁଅ ତୁ ଅକ୍ଷୟ । କେ ଜାଣିପାରେ ଏ ଉପାୟ ॥ ୧୭୧
ତୋତେ କରିବ ବେନିଫାଳ । ଖଣ୍ତେ କ୍ଷେପିବ ଅନ୍ତରାଳ ॥ ୧୭୨
ଖଣ୍ତେ ପଡିବ ସିନ୍ଧୁଜଳେ । ଦହିବ ବଡବା ଅନଳେ ॥ ୧୭୩
ତେବେ ସେ ତୋହର ମରଣ । ଏ କଥା ଜାଣି ନାରାୟଣ ॥ ୧୭୪
ଭୀମ ଶରୀରେ ନରହରି । ତକ୍ଷଣେ ନିଜ ତେଜ ଭରି ॥ ୧୭୫
ନିର୍ଭୟ କଲେ ତାର ମନ । ଘୋର ଶବଦେ ଭୀମସେନ ॥ ୧୭୬
ଚାହିଁଲା କୃଷ୍ଣର ବଦନ । ତକ୍ଷଣେ ପ୍ରଭୁ ଭଗବାନ ॥ ୧୭୭
ଶତ୍ରୁର ମରଣ ଉପାୟ । ତୃଣ ଉପାଡି ଦେବରାୟ ॥ ୧୭୮
ଭୀମେ ଦେଖାଇ ନରହରି । ଚିରିଲେ ବେନିଫାଳ କରି ॥ ୧୭୯
ତକ୍ଷଣେ ଚାହିଁ ବୃକୋଦର । ଶବଦ କଲା ମହାଘୋର ॥ ୧୮୦
ଉତ୍ତାନେ ପଡିଥିଲା ଭୀମ । ଦେହେ ବସିଲା ଗରୁତମ ॥ ୧୮୧
ଜରାକୁ ପକାଇଲା ତଳେ । ତକ୍ଷଣେ ଉଠି ମହାବଳେ ॥ ୧୮୨
ବିଷ୍ଣୁର ତେଜେ ଘୋରନାଦ । କରି ଧଇଲା ବେନି ପାଦ ॥ ୧୮୩
ଆକର୍ଷି ପାଦେ ପାଦ ମୋଡି । ଆର ଚରଣ ହସ୍ତେ ତାଡି ॥ ୧୮୪
ଦେଖନ୍ତି ପ୍ରଭୁ ଦାମୋଦର । ବେଗେ ଫାଟିଲା ମଳଦ୍ୱାର ॥ ୧୮୫
ହୁଙ୍କାରନାଦେ ମହାବଳ । ତକ୍ଷଣେ କଲା ବେନିଫାଳ ॥ ୧୮୬
ଦେବେ ତା ଦେଖନ୍ତି ପ୍ରତ୍ୟକ୍ଷେ । ଖଣ୍ତେ ଫିଙ୍ଗିଲା ଅନ୍ତରୀକ୍ଷେ ॥ ୧୮୭
ଆର ଖଣ୍ତକ ଭୂମିଗତେ । ପଡିଲା କୃଷ୍ଣର ଅଗ୍ରତେ ॥ ୧୮୮
ଗଜ ଯେସନେ ବୃକ୍ଷଡାଳ । ଲୀଳାଏ କରେ ବେନିଫାଳ ॥ ୧୮୯
ଏକଇ ଚରଣ ବୃଷଣ । ଜଘନ କଟୀ ପୃଷ୍ଠ ସ୍ତନ ॥ ୧୯୦
ଏକଇ ଭୁଜ ଅଂଶ ଧରି । ଯେହ୍ନେ କରତେ କାଷ୍ଠ ଚିରି ॥ ୧୯୧
ଏକଇ ନାସାପୁଟ କର୍ଣ୍ଣ । ଚକ୍ଷୁ କପୋଳ ଦେଖି ଜନ ॥ ୧୯୨
ଶୁଭଇ ହାହାକାର ବାଣୀ । ଭୀମ ଉଠିଲା ଶିରଝୁଣି ॥ ୧୯୩
ଜରାସନ୍ଧର ପାଦ ଧରି । ବୁଲାଇ ଅନ୍ତରାଳ କରି ॥ ୧୯୪
ବଡବାନଳେ ପକାଇଲା । ଏମନ୍ତେ ଶତ୍ରୁ ନାଶ ଗଲା ॥ ୧୯୫
ତକ୍ଷଣେ ପାର୍ଥ ଜଗନ୍ନାଥ । ଧଇଲେ ବୃକୋଦର ହସ୍ତ ॥ ୧୯୬
ଜୟ ଶବଦେ ନରହରି । ଭୀମକୁ ଆଲିଙ୍ଗନ କରି ॥ ୧୯୭
ଜରାସନ୍ଧର ପୁତ୍ରେ ଆଣି । ନୃପ ଆସନେ ଚକ୍ରପାଣି ॥ ୧୯୮
ବସାଇ ନିଜ ଜନ ମଧ୍ୟେ । କୃଷ୍ଣ ସଞ୍ଚିଲେ ରାଜପଦେ ॥ ୧୯୯
ବନ୍ଧନେ ଯେତେକ ନୃପତି । ତାହାଙ୍କୁ ସୁମରି ଶ୍ରୀପତି ॥ ୨୦୦
ପର୍ବତକ୍ରୋଟ ମଧ୍ୟଗତେ । ଗୋବିନ୍ଦ ଗଲେ ପାଦଗତେ ॥ ୨୦୧
ସେ ହରିଚରଣେ ବିଶ୍ୱାସ । ଶରଣେ ଜଗନ୍ନାଥ ଦାସ ॥ ୨୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଜରାସନ୍ଧ ବଧୋ ନାମ
ସପ୍ତସପ୍ତତିତମ ଅଧ୍ୟାୟଃ ॥
</poem>
==='''ଅଷ୍ଟସପ୍ତତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ ବୋଲନ୍ତି ରାୟେ ଶୁଣ । ରିପୁ ସଂହାରି ନାରାୟଣ ॥ ୧
ଗିରିକନ୍ଦରେ ବନମାଳୀ । ରାଜା ନିରୋଧସ୍ଥାନେ ମିଳି ॥ ୨
ଜରା-ବନ୍ଧନ ଦୁଃଖ ସହି । ଯେତେ ନୃପ୍ତି ଥିଲେ ତହିଁ ॥ ୩
ଶୁଣ ହେ ଅଭିମନ୍ୟୁ ସୁତ । ବେନିଅୟୁତ ଅଷ୍ଟଶତ ॥ ୪
ଦିଗବିଜୟେ ଜରାସୁର । ଲୀଳାଏ ଜିଣି ନୃପବର ॥ ୫
ବନ୍ଧନ କରିଅଛି ବଳେ । ସର୍ବନୃପତି ଏକମେଳେ ॥ ୬
ମଳିନ ବସ୍ତ୍ର ପରିଧାନେ । କ୍ଷୁଧାର୍ତ୍ତେ ଦୁଃଖିତ ବଦନ ॥ ୭
ତୃଷାରେ କମ୍ପଇ ଶରୀର । ବନ୍ଦୀଭୂବନ ଅନ୍ଧକାର ॥ ୮
ଦ୍ୱାରକୁ ଚାହାନ୍ତି ନିରୋଳି । ବିଜୟ କଲେ ବନମାଳୀ ॥ ୯
ପୂର୍ବ ପର୍ବତେ ରବି ଯେହ୍ନେ । କିରଣ ପ୍ରକାଶେ ଗଗନେ ॥ ୧୦
ଶରୀର ଶ୍ୟାମଘନ ପ୍ରାୟେ । ପୀତବସନ ଜନ ମୋହେ ॥ ୧୧
ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ । ରତ୍ନମେଖଳା କଟୀ ମାଝେ ॥ ୧୨
ଆଜାନୁଲମ୍ବେ ଚାରି କର । ଶଙ୍ଖ କମଳ ଚକ୍ରଧର ॥ ୧୩
ପଦ୍ମର ପ୍ରଭା ପ୍ରାୟ ହୋଇ । ରଙ୍ଗନୟନ ବିରାଜଇ ॥ ୧୪
ସୁନ୍ଦର ଶ୍ରୀମୁଖ ମଣ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୧୫
ହାର କିରୀଟ ରତ୍ନମୟେ । କରେ କଙ୍କଣ ଜନ ମୋହେ ॥ ୧୬
କଣ୍ଠେ ବିରାଜେ ରତ୍ନମଣି । ରବି କିରଣ ପ୍ରାୟ ଜାଣି ॥ ୧୭
ହୃଦେ ଲମ୍ବଇ ବନମାଳ । ମଦନମୋହନ ଗୋପାଳ ॥ ୧୮
ଦେଖି ସକଳ ନୃପମଣି । ଅମୃତନିଧି ପ୍ରାୟ ମଣି ॥ ୧୯
ପିଇବା ପ୍ରାୟ ଚକ୍ଷୁଦ୍ୱାରେ । କି ଅବା ଲିହିବେ ଜିହ୍ୱାରେ ॥ ୨୦
ଆଘ୍ରାଣ କରି ନାସାରନ୍ଧ୍ରେ । ହୃଦେ ଭିଡିବେ ବାହୁବନ୍ଧେ ॥ ୨୧
ଏମନ୍ତ ଭାବେ ନୃପବରେ । ନମିଲେ ଶ୍ରୀକୃଷ୍ଣ ପୟରେ ॥ ୨୨
କିରୀଟ ସହିତରେ କରି । ପ୍ରଣାମ କଲେ ପାଦ ଧରି ॥ ୨୩
ଲଭିଲେ କୃଷ୍ଣ ଦରଶନ । ହତ ହୋଇଲା ଦୁଃଖ ଶ୍ରମ ॥ ୨୪
କରଅଞ୍ଜଳି ଶିରେ ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୨୫
ନମସ୍ତେ ଦେବଦେବବର । ପ୍ରପନ୍ନଜନ ଦୁଃଖହର ॥ ୨୬
ଅବ୍ୟୟପୁରୁଷଉତ୍ତମ । ଶରଣଜନଙ୍କ ଜୀବନ ॥ ୨୭
ଘୋର ସଂସାରେ ଅଧୋମୁଖେ । ଆମ୍ଭେ ଭ୍ରମିଲୁ ଅତି ଦୁଃଖେ ॥ ୨୮
ଅନାଥନାଥ ତୋ ମହିମା । ଆମ୍ଭେ ନ ଜାଣୁ ଗୁଣସୀମା ॥ ୨୯
ତୋହର ଗତି ଚକ୍ରଧର । ନ ଜାଣେ ଶିବ ବେଦବର ॥ ୩୦
ଏଣୁରୁ ଦୁର୍ଲ୍ଲଭ ସଂସାରେ । ଶୁଣ କହିବୁ ତୋ ଛାମୁରେ ॥ ୩୧
ଏ ଯେ ମାଗଧ ଜରାସନ୍ଧ । ଏହାକୁ ନ ବୋଲିବା ମନ୍ଦ ॥ ୩୨
ତୋହର ଅନୁଗ୍ରହେ ହରି । ଆମ୍ଭଙ୍କୁ ବଳେ ବନ୍ଦୀ କରି ॥ ୩୩
ଥୋଇଲା ଧରି ଏ ପର୍ବତେ । ତୋ ମୁଖ ଦେଖିବାର ଅର୍ଥେ ॥ ୩୪
ଏ ଆମ୍ଭ ରାଜ୍ୟଭ୍ରଷ୍ଟ କଲା । ଯେଣୁ ତୋହର ଆଜ୍ଞା ଥିଲା ॥ ୩୫
ଯେ ରାଜମଦେ ମତ୍ତ ହୋଇ । ତାହାର ଶ୍ରେୟ ଲାଭ କାହିଁ ॥ ୩୬
ତୋର ମାୟାରେ ହୋଇ ରତ । ମିଥ୍ୟା ସମ୍ପଦ ମଣେ ସତ୍ୟ ॥ ୩୭
ଅଜ୍ଞାନମତେ ହୋଇ ଭୋଳ । ମୃଗତୃଷ୍ଣାକୁ ମଣେ ଜଳ ॥ ୩୮
ନିବିଡ ମାୟାର ବିକାରେ । ବସ୍ତୁ ବିଚାରେ ଅବସ୍ତୁରେ ॥ ୩୯
ଆମ୍ଭେ ସକଳେ ନୃପଦେହେ । ଶ୍ରୀମଦେ ନଷ୍ଟ ବୁଦ୍ଧି ମୋହେ ॥ ୪୦
ଏ ଭୂମି ଜିଣିବାର ଆଶେ । ଘୋରସଂକଟ ରଣ ତ୍ରାସେ ॥ ୪୧
ଏକ ଆରକେ ରିପୁପଣେ । ପ୍ରଜା ନାଶିଲୁ ଅକାରଣେ ॥ ୪୨
ଅତି ନିର୍ଦ୍ଦୟକର୍ମ କଲୁ । ତୋର ମହିମା ପାସୋରିଲୁ ॥ ୪୩
ନିକଟେ ନ ଦେଖି ମରଣ । ବୁଦ୍ଧି ଦୁର୍ମଦ କରଷଣ ॥ ୪୪
ତୁ ପୁଣି କାଳରୁପେ ହରି । ବଳେ ହରିଲୁ ଆମ୍ଭ ଶିରୀ ॥ ୪୫
ଯେଣୁ ତୋହର ଅନୁଗ୍ରହ । ଆମ୍ଭର ଗଲା ଦୁଃଖ ମୋହ ॥ ୪୬
ଏବେ ସୁମରି ତୋ ଶରଣେ । ପଶିଲୁ ଅଭୟ ଚରଣେ ॥ ୪୭
ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ । ଏଣେ ଆମ୍ଭର ନାହିଁ କାର୍ଯ୍ୟ ॥ ୪୮
ଏ ଛିଦ୍ର ଜଳଘଟ ପ୍ରାୟ । ନିତି ପତନ ଏହି କାୟ ॥ ୪୯
ସର୍ବରୋଗର ମୂଳଭୂମି । ସଦା ଅନିତ୍ୟେ ପଥଶ୍ରମୀ ॥ ୫୦
ଏଣେ ଆମ୍ଭର ନାହିଁ କାର୍ଯ୍ୟ । ଶୁଣିବା ପ୍ରଭୁ ଦେବରାଜ ॥ ୫୧
କର୍ମକରଣ ଯଜ୍ଞମେଳେ । କର୍ଣ୍ଣରୋଚନ କ୍ରିୟାଫଳେ ॥ ୫୨
ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି ॥ ୫୩
ତୋ ପାଦପଦ୍ମେ ଅବିରତ । ନିରତେ ଥିବ ଆମ୍ଭ ଚିତ୍ତ ॥ ୫୪
ତୋର ସ୍ମରଣେ ଆମ୍ଭ ମନ । ଦଣ୍ତେ ନଛାଡୁ ଭଗବାନ ॥ ୫୫
ସଂସାର ଭ୍ରମଣ ଆମ୍ଭର । ବେଗେ ନିବାର ଚକ୍ରଧର ॥ ୫୬
ଶ୍ରୀକୃଷ୍ଣ ବାସୁଦେବ ହରି । ପରମ ଆତ୍ମା ତୁ ମୁରାରି ॥ ୫୭
ପ୍ରଣତଜନ କ୍ଳେଶ ହରି । ନମୋ ଗୋବିନ୍ଦ ଦାମୋଦର ॥ ୫୮
ଏମନ୍ତେ ପ୍ରଭୁ ଚକ୍ରପାଣି । ରାଜାଙ୍କ ସ୍ତୁତିବାକ୍ୟ ଶୁଣି ॥ ୫୯
ଶରଣ୍ୟ କରୁଣାସାଗର । କୋମଳବଚନ ଗଭୀର ॥ ୬୦
ରାଜାଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୬୧
ତୁମ୍ଭର ଚିତ୍ତ ସୁନିଶ୍ଚଳେ । ଆଜହୁଁ ମୋ ପାଦକମଳେ ॥ ୬୨
ହେଉ ବୋଇଲେ ଭଗବାନ । ଏ ମୋର ନିଶ୍ଚିତ ବଚନ ॥ ୬୩
ତୁମ୍ଭେ କହିଲେ ସତ୍ୟବାଣୀ । ମୁହିଁ ସନ୍ତୋଷ ତାହା ଶୁଣି ॥ ୬୪
ମନୁଷ୍ୟ ମଧ୍ୟେ ଥାଇ ଯେତେ । ସମ୍ପଦ ଅଇଶ୍ୱର୍ଯ୍ୟ ମତ୍ତେ ॥ ୬୫
ଗର୍ବ ଯେ ବହନ୍ତି ମନରେ । ନିଶ୍ଚେ ମୁଁ ନାଶଇ ତାହାରେ ॥ ୬୬
ସହସ୍ରାର୍ଜୁନ ନାମେ ରାଜା । ନୃପ ନହୁଷ ମହାତେଜା ॥ ୬୭
ଅଙ୍ଗନୃପତିସୁତ ବେଣ । ନାରକାସୁର ଦଶାନନ ॥ ୬୮
ଦେବ ଦାନବ କୁଳେ ଜାତ । ଥିଲେ ଯେ ଅଇଶ୍ୱର୍ଯ୍ୟ ମତ୍ତ ॥ ୬୯
ତାହାଙ୍କୁ କଲି ସ୍ଥାନଭ୍ରଷ୍ଟ । ଯେଣୁ ହୋଇଲେ ବୁଦ୍ଧିନଷ୍ଟ ॥ ୭୦
ତୁମ୍ଭେ ସକଳ ଏହା ଜାଣି । ଏ ଦେହ ମିଥ୍ୟା ପ୍ରାୟ ମଣି ॥ ୭୧
ଯଜ୍ଞେ ପୂଜିବ ମୋ ଚରଣ । ପାଳିବ ନିଜ ପ୍ରଜାଗଣ ॥ ୭୨
ଧର୍ମସେବନ ରାତ୍ରଦିନେ । ନିରତେ ହୋଇ ଅବଧାନେ ॥ ୭୩
ଦୁର୍ଗତି ବିଭବ ବିମୁଖେ । ଜନ୍ମ ସଞ୍ଚିତ ଦୁଃଖସୁଖେ ॥ ୭୪
କର୍ମକଷଣ ହାନି ଲାଭ । ଗତ-ଆଗତେ ସମଭାବ ॥ ୭୫
ଏତେ ଗହନେ ତୁମ୍ଭେ ଥାଇ । ମୋର ଚରଣେ ଚିତ୍ତ ଦେଇ ॥ ୭୬
ମାୟାସଂସାରେ ପଡି ଭ୍ରମ । କେବେ ହେଁ ନୋହୁ ତୁମ୍ଭ ମନ ॥ ୭୭
ଏ ଦେହ ଆଦି ମୋର ଯେତେ । ନ ଲାଗୁ ତୁମ୍ଭ ଶୁଦ୍ଧ ଚିତ୍ତେ ॥ ୭୮
ନିରତେ ହେଉ ଆତ୍ମଜ୍ଞାନ । ନିଶ୍ଚଳଚିତ୍ତେ ମୋର ଧ୍ୟାନ ॥ ୭୯
ପବିତ୍ର ହୋଇ ବ୍ରହ୍ମପଥେ । ପଶିବ ମୋର ଦେହେ ଅନ୍ତେ ॥ ୮୦
କହନ୍ତି ବ୍ୟାସଙ୍କର ସୁତ । ଏବେ ହୋ ଶୁଣ ପରୀକ୍ଷିତ ॥ ୮୧
ଭକତବନ୍ଧୁ ଭଗବାନ । ରାଜାଙ୍କୁ କହି ଦିବ୍ୟଜ୍ଞାନ ॥ ୮୨
ତାହାଙ୍କ ଅଭିଷେକ ଅର୍ଥେ । ନାରୀପୁରୁଷ ଶତେ ଶତେ ॥ ୮୩
ମାର୍ଜନା କରି ସର୍ବରାଜା । ଗୋବିନ୍ଦ କରାଇଲେ ପୂଜା ॥ ୮୪
ଜରାସନ୍ଧର ପୁତ୍ର ହସ୍ତେ । ଭାବେ ଗୋବିନ୍ଦ ଅନୁମତେ ॥ ୮୫
ରାଜଉଚିତେ ଅଳଙ୍କାର । ପୁଷ୍ପ ଚନ୍ଦନ ବସ୍ତ୍ରସାର ॥ ୮୬
ରତ୍ନମୁକୁଟ ଶିରେ ଖଞ୍ଜି । ଉତ୍ତମ ଅନ୍ନ ଜଳ ଭୁଞ୍ଜି ॥ ୮୭
ନାନାପ୍ରକାରେ ରାଜଭୋଗ । ତାମ୍ବୁଳ କର୍ପୂର ସଂଯୋଗ ॥ ୮୮
କର୍ଣ୍ଣେ କୁଣ୍ତଳ ସମସରି । ହାର କେୟୁର ହୃଦେ ଭରି ॥ ୮୯
ବନ୍ଧନ ଦୁଃଖୁଁ ପାର ହୋଇ । କିବା ଉପମା ଦେବି ମୁହିଁ ॥ ୯୦
ବରଷାକାଳ ଅନ୍ତେ ଯେହ୍ନେ । ଗ୍ରହେ ବିରାଜନ୍ତି ଗଗନେ ॥ ୯୧
ବସାଇ ରତ୍ନମୟ ଯାନେ । ଗୋବିନ୍ଦ କୋମଳ ବଚନେ ॥ ୯୨
ବୋଇଲେ ନିଜପୁରେ ଯିବ । ଯଜ୍ଞର ଆରମ୍ଭେ ଆସିବ ॥ ୯୩
ଅନେକ ସୈନ୍ୟ ବଳ ଦେଇ । ପେଷିଲେ ପ୍ରଭୁ ଭାବଗ୍ରାହୀ ॥ ୯୪
ଏମନ୍ତେ କୃଷ୍ଣ ପରସାଦୁ । ରାଜାଏ ବଞ୍ଚିଲେ ପ୍ରମାଦୁ ॥ ୯୫
କୃଷ୍ଣର ପାଦେ ଦେଇ ମନ । ଗଲେ ସେ ଯେ ଯାହା ଭୁବନ ॥ ୯୬
ଗୋବିନ୍ଦ ଆଜ୍ଞା ଘେନି ଶିରେ । ସୁଖେ ରହିଲେ ନିଜ ପୁରେ ॥ ୯୭
ଏମନ୍ତେ ଜରାସନ୍ଧ ମାରି । ଭୀମଅର୍ଜୁନ ତୁଲେ ହରି ॥ ୯୮
ଜରାନନ୍ଦନ ସହଦେବ । ଆନନ୍ଦେ ପୂଜିଲେ ମାଧବ ॥ ୯୯
ତାହାକୁ ପ୍ରଭୁ ଭଗବାନ । ଅନେକ କଲେ ସନମାନ ॥ ୧୦୦
ସେ ରାଜ୍ୟେ ତାକୁ ରାଜା କରି । କହନ୍ତି ଅନୁଗ୍ରହ ହରି ॥ ୧୦୨
ତୋର ପିଅର ଦୁଷ୍ଟମତି । ନୃପତିଗଣେ ଦେଲା ଶାସ୍ତି ॥ ୧୦୩
ବହୁତଜନେ ହିଂସା କରି । କେମନ୍ତେ ଥିବ ଦେହ ଧରି ॥ ୧୦୪
ଏ ମୋର ଧର୍ମର ସଂସାର । ଏଥେ ଯେ କରେ ଅବିଚାର ॥ ୧୦୫
ମୁଁ ତାହା ନ ପାରଇ ସହି । ଧର୍ମ ଧାରଣେ ମୋର ଦେହୀ ॥ ୧୦୬
ତୋର ପିଅର ନାଶ ଗଲା । ପୃଥିବୀ ଉଶ୍ୱାସ ହୋଇଲା ॥ ୧୦୭
ଏଥକୁ ନ କର ବିଚାର । ସୁଖେ ତୁ ନିଜ ରାଜ୍ୟ କର ॥ ୧୦୮
ମୋର ଚରଣେ ଚିତ୍ତ ଦେଇ । ସୁଖେ ତୁ ପାଳ ନିଜ ମହୀ ॥ ୧୦୯
ଯାଗ ଆରମ୍ଭ କାଳେ ଯାଇ । ମିଳିବୁ ମୋର ଆଜ୍ଞା ବହି ॥ ୧୧୦
ଏମନ୍ତ କୃଷ୍ଣମୁଖୁଁ ଶୁଣି । ହରଷ ହୋଇ ନୃପମଣି ॥ ୧୧୧
କୃଷ୍ଣର ପଦ୍ମପାଦେ ପଡି । ଉଠି ବୋଲଇ କରଯୋଡି ॥ ୧୧୨
ଭୋ ନାଥ ହୋଇଲି ନିସ୍ତାର । ଭାରାନିବାରେ ଅବତାର ॥ ୧୧୩
ଈଶ୍ୱର ସଂସାର କାରଣ । ମୁଁ ତୋର ଚରଣେ ଶରଣ ॥ ୧୧୪
ତୁ ମୋତେ କଲୁ ଅନୁଗ୍ରହ । ଫିଟିଲା ମନର ସନ୍ଦେହ ॥ ୧୧୫
ଭୀମ ଅର୍ଜୁନ କୃଷ୍ଣ ତୁଲେ । ସାଷ୍ଟାଙ୍ଗେ ପୁଜି ସୁଖ ଭୋଳେ ॥ ୧୧୬
ଅନେକ ଧନରତ୍ନ ଦେଲା । ଦିବ୍ୟବିମାନ ସମର୍ପିଲା ॥ ୧୧୭
କୃଷ୍ଣର ପାଦେ ଚିତ୍ତ ଦେଇ । ହୃଦେ ପରମ ସୁଖ ପାଇ ॥ ୧୧୮
କୃଷ୍ଣଙ୍କୁ ମାଗି ଅନୁଯାନ । ମିଳିଲା ଆପଣା ଭୁବନ ॥ ୧୧୯
ଭୀମ ଅର୍ଜୁନ ବନମାଳୀ । ବିମାନେ ବସି ହଂସକେଳି ॥ ୧୨୦
ପବନବେଗେ ରଥ ଚଳି । ଇନ୍ଦ୍ରପ୍ରସ୍ଥରେ ଯାଇ ମିଳି ॥ ୧୨୧
ଶଙ୍ଖ ବଜାନ୍ତେ ଭଗବାନ । ହରଷ ହେଲେ ବନ୍ଧୁଜନ ॥ ୧୨୨
ଖଳଜନଙ୍କ ମନେ ଦୁଃଖ । ହେଲେ ନିବେଶି ପଦ୍ମମୁଖ ॥ ୧୨୩
ଇନ୍ଦ୍ରପ୍ରସ୍ଥରେ ରାଜାଗଣ । ଶୁଣିଲେ ମାଗଧ ମରଣ ॥ ୧୨୪
ନିଶ୍ଚିନ୍ତେ ଧର୍ମସୁତ କାର୍ଯ୍ୟ । ସୁଖେ ସଞ୍ଚିଲେ ଦେବରାଜ ॥ ୧୨୫
ହରଷେ ଧର୍ମର କୁମର । ସଙ୍ଗତେ ଘେନି ସହୋଦର ॥ ୧୨୬
ବନ୍ଧୁବାନ୍ଧବ ପ୍ରଜାଜନ । କୃଷ୍ଣଙ୍କୁ ଭାବେ କଲେ ମାନ୍ୟ ॥ ୧୨୭
ଭୀମ ଅର୍ଜୁନ ନାରାୟଣ । ବନ୍ଦିଲେ ଯୁଧିଷ୍ଠି ଚରଣ ॥ ୧୨୮
ଯେମନ୍ତେ ଜରା ନାଶ ଗଲା । ସଂକ୍ଷେପି କହି ନନ୍ଦବଳା ॥ ୧୨୯
ବସିଲେ ଧର୍ମସୁତ ପାଶେ । ଶୁଣି ନୃପତି ମନତୋଷେ ॥ ୧୩୦
ପୁଲକ କଲେ ରୋମରାଜି । ବାକ୍ୟ ନ ସ୍ପୁରେ ଚକ୍ଷୁବୁଜି ॥ ୧୩୧
ସେ ହରି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୩୨
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ କୃଷ୍ଣାଦିଆଗମନେ ଅଷ୍ଟସପ୍ତତିତମ ଅଧ୍ୟାୟଃ
</poem>
==='''ଏକୋନଅଶୀତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଏବେ ହୋ ଶୁଣ ନୃପମଣି । ଜରାସନ୍ଧର ବଧ ଶୁଣି ॥ ୧
କୃଷ୍ଣମହିମା ଅନୁଭବ । ଆତ୍ମାକଳ୍ପିତ କାର୍ଯ୍ୟ ଲାଭ ॥ ୨
ଯୁଧିଷ୍ଠି ବୋଲେ ପ୍ରିୟମନେ । କୋମଳ ଗଭୀର ବଚନେ ॥ ୩
;ଯୁଧିଷ୍ଟିର ଉବାଚ
ବ୍ରହ୍ମା ଶଙ୍କର ଆଦି ଯେତେ । ଦେବେ ଅଛନ୍ତି ଏ ଜଗତେ ॥ ୪
ତୋର ଦୁର୍ଲ୍ଲଭ ଆଜ୍ଞା ପାଇ । ଶିରେ ବହନ୍ତି ତୋଷ ହୋଇ ॥ ୫
ଏମନ୍ତ ପ୍ରଭୁ ମହାବାହୁ । ତୁ ଯେ ମୋହର ଆଜ୍ଞା ବହୁ ॥ ୬
ଏ ବଡ ବିଡମ୍ବନ କର୍ମ । ତୁ ଆଦି ନିରଞ୍ଜନ ଧର୍ମ ॥ ୭
ଏକ ଅଦ୍ୱିତୀୟ ଅନନ୍ତ । ପରମଆତ୍ମା ତୁ ଅଚ୍ୟୁତ ॥ ୮
ତୁ ସର୍ବଭୂତେ ଦେହ ବହି । କର୍ମବନ୍ଧନ ତୋର କାହିଁ ॥ ୯
ପ୍ରବେଶ ହେଉ ସର୍ବଜନେ । ଆଦିତ୍ୟ ଯେସନେ ଗଗନେ ॥ ୧୦
ଗୁଣ ଗ୍ରହଣେ ତୁ ଅଜିତ । ଯେ ପ୍ରାଣୀ ତୋହର ଭକତ ॥ ୧୧
ତାହାଙ୍କ ଚିତ୍ତେ ନାହିଁ ଭ୍ରାନ୍ତି । ମୁହିଁ ମୋହର ନ ବୋଲନ୍ତି ॥ ୧୨
ଏ ତୋର ମାୟାର ବିକାର । କେ ଜାଣିପାରେ ଦାମୋଦର ॥ ୧୩
ବୋଲନ୍ତି ଶୁକ ମହାଯତି । ଶୁଣ ରାଜନ କୁରୁପତି ॥ ୧୪
ଧର୍ମନନ୍ଦନ ଯଜ୍ଞକାଳେ । କହି ଗୋବିନ୍ଦ ପାଦତଳେ ॥ ୧୬
ସଙ୍ଗତେ ଘେନି ନରହରି । ରତ୍ୱିଜ ଚାରିବେଦୁଁ ବରି ॥ ୧୭
ଶ୍ରୀବେଦବ୍ୟାସ ଭରଦ୍ୱାଜ । ସୁମନ୍ତୁ ଗଉତମ ଦ୍ୱିଜ ॥ ୧୮
ଅସିତ ବଶିଷ୍ଠ ଚ୍ୟବନ । କବଷ ମହାତେଜା କଣ୍ୱ ॥ ୧୯
ସୁପୁଣ୍ୟ ମଇତ୍ରେୟ ଋଷି । ଏ ଆଦି ଯେତେ ଭୃଗୁବଂଶୀ ॥ ୨୦
ଯେ ବିଶ୍ୱାମିତ୍ର ବାମଦେବ । ସୁମିତି ଜୈମିନି ଅଥର୍ବ ॥ ୨୧
କ୍ରତୁ ପଇଳ ପରାଶର । ଗର୍ଗ ଗଉତମକୁମର ॥ ୨୨
ବୈଶମ୍ପାୟନ ମୁନିବର । କଶ୍ୟପ ବ୍ରହ୍ମାଙ୍କ କୁମର ॥ ୨୩
ଧୌମ୍ୟ ଭାର୍ଗବ ପର୍ଶୁରାମ । ଆସୁରି ବୀତିହୋତ୍ର ନାମ ॥ ୨୪
ମଧୁଛନ୍ଦା ଯେ ବୀରସେନ । ଅକୃତବଣ ମୁନିଜନ ॥ ୨୫
ଅଣାଇ ନାନା ମୁନିଗଣ । ଆଦରେ ପୁଜି ଭୀଷ୍ମଦ୍ରୋଣ ॥ ୨୬
କୃପ ସହିତେ କୁରୁନାଥ । ସଙ୍ଗେ ଘେନାଇ ପୁତ୍ରଶତ ॥ ୨୭
ବିଦୁର ଆଦି ବନ୍ଧୁ ଯେତେ । ମିଳିଳେ ଆଖଣ୍ତଳପ୍ରସ୍ଥେ ॥ ୨୮
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯଜ୍ଞ ଉତ୍ସବେ ଆଗମନ ॥ ୨୯
ଭୂମିରେ ଯେତେ ନୃପଗଣ । ଯଜ୍ଞମଙ୍ଗଳେ ନିମନ୍ତ୍ରଣ ॥ ୩୦
ପ୍ରକୃତି ସଙ୍ଗତେ ମିଳିଲେ । ଧର୍ମନନ୍ଦନ ଯଜ୍ଞକାଳେ ॥ ୩୧
ଉତ୍ତମ ଶୁଭଲଗ୍ନ ବେଳେ । ବ୍ରାହ୍ମଣେ ସୁବର୍ଣ୍ଣଲଙ୍ଗଳେ ॥ ୩୨
କରନ୍ତି ଭୂମି କରଷଣ । ଶୁଭେ ମଙ୍ଗଳେ ଉଚ୍ଚାରଣ ॥ ୩୩
ଯଥା ଉଚିତ ବେଦମନ୍ତ୍ର । ଦୀକ୍ଷିତ କଲେ ଧର୍ମସୂତେ ॥ ୩୪
ଶଙ୍ଖେ ଉଦକ କୁଶ କରେ । ବିପ୍ରେ ବରିଲେ ମନ୍ତ୍ରସ୍ୱରେ ॥ ୩୫
ସର୍ବ ସୁବର୍ଣ୍ଣ ପରିଚ୍ଛଦ । କେ କହୁ ଯଜ୍ଞର ସମ୍ପଦ ॥ ୩୬
ପୂର୍ବେ ବରୁଣଯଜ୍ଞେ ଯେହ୍ନେ । ଧରଣୀ ପୁରିଲା ସୁବର୍ଣ୍ଣେ ॥ ୩୭
ବାସବ ଆଦି ଦିଗପାଳେ । ଭବ ବିରଞ୍ଚି ସିଦ୍ଧମେଳେ ॥ ୩୮
ଗନ୍ଧର୍ବ ବିଦ୍ୟାଧର ନାଗ । ଯକ୍ଷ ରାକ୍ଷସ ଯେ ଉରଗ ॥ ୩୯
ଖଗ କିନ୍ନର ଯେ ଚାରଣ । ପତ୍ନୀ ସହିତେ ରାଜାଗଣ ॥ ୪୦
ଧର୍ମନନ୍ଦନ ଯଜ୍ଞେ ଆସି । ସମ୍ପଦ ଦେଖି ପରଶଂସି ॥ ୪୧
କୃଷ୍ଣଭକତ ଯେତେ ନର । କିବା ସମ୍ପଦ ତାଙ୍କୁ ଦୂର ॥ ୪୨
ନାନା ସମ୍ପଦ ସୁଖସୀମା । ଏ ସର୍ବ କୃଷ୍ଣର ମହିମା ॥ ୪୩
ରାଜାର ପୁରୋହିତ ଯେତେ । ଶୁଦ୍ଧ ଶରୀରେ ବେଦମତେ ॥ ୪୪
ସେ ରାଜସୂୟ ଯଜ୍ଞ ବିଧି । କରାଇ ସକଳ ସମୃଦ୍ଧି ॥ ୪୫
ବରୁଣଯଜ୍ଞେ ଦେବଗଣେ । ଯେମନ୍ତେ ଥିଲେ ନିମନ୍ତ୍ରଣେ ॥ ୪୬
ଯଜ୍ଞ ଆରମ୍ଭ ପୂର୍ବଦିନେ । ଧର୍ମନନ୍ଦନ ଶୁଦ୍ଧମନେ ॥ ୪୭
ଯାଜ୍ଞିକ ସଭାସଦ ଆଦି । ପାଦପୂଜନେ ଅର୍ଘ୍ୟବିଧି ॥ ୪୮
ଘେନି ମିଳିଲେ ସଭାତଳେ । ବନ୍ଧୁବାନ୍ଧବ ଭ୍ରାତମେଳେ ॥ ୪୯
ରାଜୁସି ଯଜ୍ଞେ ମହାସଭା । ଅଛନ୍ତି ଶୁର ମୁନି ଦେବା ॥ ୫୦
ଧର୍ମନନ୍ଦନ ସଭା ଚାହିଁ । ହୃଦୟ ମଧ୍ୟେ ବିଚାରଇ ॥ ୫୧
ଏ ଅର୍ଘ୍ୟ ଦେବି କାହା ପାଦେ । ଭାଳଇ ସଂଶୟ ବିଷାଦେ ॥ ୫୨
ମୁହୁର୍ତ୍ତେ ରହି ଦୃଢଭାବ । ତା ଦେଖି ବୋଲେ ସହଦେବ ॥ ୫୩
କରଅଞ୍ଚଳି ଶିରେ ଦେଇ । କହେ ରାଜନ ମୁଖ ଚାହିଁ ॥ ୫୪
ଜାଣଇ କୃଷ୍ଣର ମହିମା । ସର୍ବଜ୍ଞ ପଣେ ଏକସୀମା ॥ ୫୫
ଶୁଣ ରାଜନ ଚୁଡାମଣି । ମୋର ଉଚିତ ଧର୍ମବାଣୀ ॥ ୫୬
ଏ ମହାସଭା ମଧଗତେ । ଅର୍ଘ୍ୟକୁ ପାତ୍ର ଜଗନ୍ନାଥେ ॥ ୫୭
ଦେଖ ଏ କୃଷ୍ଣର ଚରଣ । ଅନାଦି ପରମ କାରଣ ॥ ୫୮
ଯେ ହରି ସର୍ବେଦେବମୟ । ସର୍ବେ ଅଛନ୍ତି ଏହା ଦେହେ ॥ ୫୯
ଏ କୃଷ୍ଣ ଦେଶ କାଳ ପାତ୍ର । ଧନ ଜୀବନ ବେଦମନ୍ତ୍ର ॥ ୬୦
ଯଜ୍ଞପୁରୁଷ ଏହୁ ହରି । ଏହାର ଦେହେ ବିଶ୍ୱ ପୁରି ॥ ୬୧
ଯଜ୍ଞ ଆହୁତି ଭୋକ୍ତା ଏହୁ । ଯଜ୍ଞର କର୍ତ୍ତା ମହାବାହୁ ॥ ୬୨
ଏଟି ଅନଳ ଦେବଗଣ । ଏ ବେଦମନ୍ତ୍ର ଉଚ୍ଚାରଣ ॥ ୬୩
ଏହାର ଦେହେ ସାଂଖ୍ୟ ଯୋଗ । ଏଟି ଭୁଞ୍ଜଇ ହବିର୍ଭାଗ ॥ ୬୪
ନିତ୍ୟେ ଏ ଏକ ନୋହେ ଦୁଇ । ଏ ସର୍ବଜୀବ ଦେହେ ଥାଇ ॥ ୬୫
ଏ ମାୟା ସୃଷ୍ଟି ଆତ୍ମା ଏହି । ମାୟାପୁରୁଷ ଏ ବୋଲାଇ ॥ ୬୬
ଏହାରା ମାୟା ତିନିଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୭
କରଇ ଆତ୍ମଯୋଗ ବଳେ । ଲୀଳା ବିହାର ମହୀତଳେ ॥ ୬୮
ବିବିଧ କର୍ମଦାତା ଏହି । କର୍ମବିପାକ ଏ ଦିଅଇ ॥ ୬୯
ଏହାର ଭ୍ରୂଭଙ୍ଗିମା ଭାବେ । ଜଗତ ପ୍ରକାଶ ସ୍ୱଭାବେ ॥ ୭୦
ଧର୍ମାର୍ଥ କାମ ମୋକ୍ଷସଙ୍ଗେ । ଥାନ୍ତି ଏହାର ପାଦଯୁଗେ ॥ ୭୧
ଏଣୁ ଏ ମହାବିଷ୍ଣୁପାଦେ । ଏ ଅର୍ଘ୍ୟ ଦିଅ ହେ ଆନନ୍ଦେ ॥ ୭୨
ସର୍ବଭୂତଙ୍କ ପିଣ୍ତ ପ୍ରାଣ । ଏଣେଟି ହୋଇବ ତର୍ପଣ ॥ ୭୩
ଯେଣୁ ଏ ସର୍ବଭୂତଦେହୀ । ଭେଦ ଅଭେଦ ଭାବ ନାହିଁ ॥ ୭୪
ଏହାର ପାଦେ ମହାଅର୍ଘ୍ୟ । ଦେଇ ତୁ ଲଭ ଚଉବର୍ଗ ॥ ୭୫
କୃଷ୍ଣର ପାଦେ ଅର୍ଘ୍ୟ ଦେଲେ । ବ୍ରହ୍ମାଣ୍ତ ପୂଜିବୁ ତୁ ଭଲେ ॥ ୭୬
ସର୍ବଜୀବଙ୍କ ଆତ୍ମାଭୂତ । ପ୍ରଭୁ ଅନନ୍ତ ଦଇବତ ॥ ୭୬
କର୍ମର ଫଳ ଏହା ପାଦେ । ଯେ ପ୍ରାଣୀ ସମର୍ପେ ଆନନ୍ଦେ ॥ ୭୭
ଏହାକୁ କର୍ମଫଳ ଦେଇ । ଅନ୍ତେ ଅନନ୍ତଫଳ ପାଇ ॥ ୭୯
ଏମନ୍ତ କୃଷ୍ଣର ସ୍ୱଭାବ । ଜାଣି କହିଲା ସହଦେବ ॥ ୮୦
ଶୁଣି ସହଦେବ ବଚନ । ସଭାର ମଧ୍ୟେ ଯେତେ ଜନ ॥ ୮୧
ସର୍ବେ କରନ୍ତି ସାଧୁବାଣୀ । ଧର୍ମନନ୍ଦନ ତାହା ଶୁଣି ॥ ୮୨
ପ୍ରଣମି ପ୍ରିୟଭାବେ ଭୋଳ । ଗୋବିନ୍ଦପାଦେ ଅର୍ଘ୍ୟଜଳ ॥ ୮୩
ବେଦବଚନେ ରାଜା ଢାଳି । ପାଦଉଦକ ଶିରେ ବୋଳି ॥ ୮୪
ପତ୍ନୀ ସହିତେ ଭ୍ରାତାଗଣ । ପୂଜିଲେ ଗୋବିନ୍ଦଚରଣ ॥ ୮୫
ବନ୍ଧୁ କୁଟୁମ୍ବ ଆଦି ଯେତେ । ନମିଲେ କୃଷ୍ଣପାଦଗତେ ॥ ୮୬
ନାନାଭୂଷଣ ହସ୍ତେ ଘେନି । ଉତ୍ତମ ପୀତବସ୍ତ୍ର ବେନି ॥ ୮୭
ଆନନ୍ଦେ କୃଷ୍ଣପାଦେ ପୂଜି । ଅଶ୍ରୁପୂରିତ ଚକ୍ଷୁବୁଜି ॥ ୮୮
ରୋମପୁଲକ ସର୍ବେଦେହୀ । କୃଷ୍ଣଙ୍କୁ ନ ପାରନ୍ତି ଚାହିଁ ॥ ୮୯
ଏମନ୍ତେ ସଭାଜନେ ଚାହିଁ । କର ଅଞ୍ଜଳି ଶିରେ ଦେଇ ॥ ୯୦
ଶୁଭିଲା ଜୟ ଜୟ ବାଣୀ । ନମ ଶବଦେ ସ୍ତୁତି ଭଣି ॥ ୯୧
ଦେବେ କରନ୍ତି ପୁଷ୍ପବୃଷ୍ଟି । ତା ଦେଖି ଶିଶୁପାଳ ଉଠି ॥ ୯୨
କୋପେ ଅଧର କାମୋଡଇ । ଶୋଣିତ ନୟନେ ଅନାଇଁ ॥ ୯୩
ପ୍ରଚଣ୍ତ ଦମଘୋଷ ବଳା । କୃଷ୍ଣର ନିକଟେ ମିଳିଲା ॥ ୯୪
କୃଷ୍ଣର ଗୁଣ କର୍ମ ତେଜ । କହଇ ତୋଳି ବେନିଭୂଜ ॥ ୯୫
ସଭାଜନଙ୍କୁ କୋପମନେ । ବୋଲଇ ପୁରୁଷବଚନେ ॥ ୯୬
ଦେଖ ଏ ଦୁରାଶୟ କାଳ । ଈଶ୍ୱର ଚେଷ୍ଟା ଅନ୍ତରାଳ ॥ ୯୭
ଏ ସତ୍ୟବତୀସୁତ ବାଣୀ । ଭବିଷ୍ୟେ ଯାହା ପରିମାଣି ॥ ୯୮
ଧ୍ରୁବବଚନ ମହୀତଳେ । ଭାଙ୍ଗିଲ ବାଳକର ବୋଲେ ॥ ୯୯
ସେ କଥା ହୋଇଲା ପ୍ରତ୍ୟକ୍ଷେ । ଏ ସଭାଜନଙ୍କ ସମ୍ମୁଖେ ॥ ୧୦୦
ହେ ସଭାଜନେ ମୋ ବଚନ । ଶ୍ରବଣେ ହୁଅ ସାବଧାନ ॥ ୧୦୧
ପାତ୍ର ଅପାତ୍ର ବେନିମତେ । କୁଶଳେ ଜାଣ ତ ସମସ୍ତେ ॥ ୧୦୨
ବାଳବଚନ କିମ୍ପା କର । ଏ ବଡ ଅନୀତି ତୁମ୍ଭର ॥ ୧୦୩
ସଭାରେ ବସି ମତିଭ୍ରମ । କେମନ୍ତେ କଲ ଏଡେ କର୍ମ ॥ ୧୦୪
ଦେଖ ଏ ସଭାମଧ୍ୟଗତେ । ଉତ୍ତମପାତ୍ର ଛନ୍ତି କେତେ ॥ ୧୦୫
ତପସ୍ୱୀ ବିଦ୍ୟା ବ୍ରତଧର । ଜ୍ଞାନବିଧୃତ କଳେବର ॥ ୧୦୬
ଦେଖ ଉତ୍ତମ ଋଷିଗଣ । ଦେବେ ପୂଜନ୍ତି ଯା ଚରଣ ॥ ୧୦୭
ଏ ଆଦି ଯେତେ ନୃପବର । କେ କହୁ ଗୁଣ ତାହାଙ୍କର ॥ ୧୦୮
ଏ ମହାସଭା ପୂଜା ଏଡି । ବାଳବଚନେ ତୁମ୍ଭେ ହୁଡି ॥ ୧୦୯
ଏ ମହାସଭା ବ୍ରତ ବଳୀ । ଅଜ୍ଞାନ ବେନିଭୁଜ ତୋଳି ॥ ୧୧୦
ଏ ସହଦେବ ଅନୁବାଦେ । ନେଇ ଢାଳିଲ କାକ ପାଦେ ॥ ୧୧୧
ଏ ଯଜ୍ଞସଭା ପୁରୋଡାଶ । କେମନ୍ତେ କାକ କଲା ଗ୍ରାସ ॥ ୧୧୨
ଦେଖ ଏ ମନ୍ଦ ଗୋପଶିଶୁ । ବ୍ରଜଗୋପାଳ କୁଳପାଂଶୁ ॥ ୧୧୩
ଏହାର ଗୁଣ କର୍ମ ନାହିଁ । କେମନ୍ତେ ବଳିଭୋଗ୍ୟ ହୋଇ ॥ ୧୧୪
ଏହାକୁ କେମନ୍ତେ ପୂଜିଲ । ବେଦବଚନ ନ ମାନିଲ ॥ ୧୧୫
ଏ ନାହିଁ ଚାରିବର୍ଣ୍ଣ ମଧ୍ୟେ । ଆଶ୍ରମ କୁଳ ଧର୍ମ ବାଦେ ॥ ୧୧୬
ଏ ଥାଇ ଆପଣାର ମତେ । ସମସ୍ତେ ଜାଣନ୍ତି ଜଗତେ ॥ ୧୧୭
ଏହାର ଗୁଣ କିଛି ନାହିଁ । କେମନ୍ତେ ଅର୍ଘ୍ୟଯୋଗ୍ୟ ଏହି ॥ ୧୧୮
ପୂର୍ବେ ଯଯାତି ଶାପଫଳେ । ନୃପଆସନ ନାହିଁ କୁଳେ ॥ ୧୧୯
ନିଶ୍ଚୟେ ନାହିଁ ଜାତି କୁଳ । ନିତ୍ୟେ ଏ ମଧୁପାନେ ଭୋଳ ॥ ୧୨୦
ଏ ତ ନୁହଁଇ ତୁମ୍ଭ ଭଲ । କେମନ୍ତେ ଏହାକୁ ପୂଜିଲ ॥ ୧୨୧
ଦେଖ ଏ ପୁଣ୍ୟଭୂମି ଛାଡି । ଋଷି ବ୍ରାହ୍ମଣ ସଙ୍ଗ ଏଡି ॥ ୧୨୨
ସମୁଦ୍ର ମଧ୍ୟେ ଘର କରି । କଷ୍ଟେ ଜୀବନ ଅଛି ଧରି ॥ ୧୨୩
ନିତ୍ୟେ ପିଡଇ ଜନ ପ୍ରଜା । କେମନ୍ତେ ଏହା ପାଦେ ପୂଜା ॥ ୧୨୪
କେତେ କହିବା ଏହା ଗୁଣ । ଏ ନୋହେ ତୁମ୍ଭର ପ୍ରମାଣ ॥ ୧୨୫
ଅଧିକେ ଦୋଷ ଗୁଣ ଯେତେ । ଲୋକେ ଜାଣନ୍ତି ଏ ଜଗତେ ॥ ୧୨୬
ଏମନ୍ତ କହି ମନ୍ଦବାଣୀ । କୋପେ କମ୍ପଇ ଶିରଝୁଣି ॥ ୧୨୭
ନିନ୍ଦା ପୁରୁଷ ତାର ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୧୨୮
ଚାହିଁଲେ ହସିତ ବଦନେ । ଶୃଗାଳ ବାକ୍ୟେ ସିଂହ ଯେହ୍ନେ ॥ ୧୨୯
ଏ ଦୁଷ୍ଟ ଶିଶୁପାଳବାଣୀ । ସେ ମହାସଭାଜନେ ଶୁଣି ॥ ୧୩୦
ଦୁଃସହ ବଚନ ତାହାର । ଶୁଣି ଉଠିଲେ କୋପଭର ॥ ୧୩୧
ଅଙ୍ଗୁଳି ଦେଇ କର୍ଣ୍ଣଦ୍ୱାରେ । ଗମିଲେ ଯେ ଯାହା ମନ୍ଦିରେ ॥ ୧୩୨
ଚଳନ୍ତି ଅତି କୋପ ବହି । ଶିଶୁପାଳକୁ ଗାଳି ଦେଇ ॥ ୧୩୩
ବୋଲନ୍ତି କୋପଭର ହୋଇ । ଧର୍ମବଚନେ ମନ ଦେଇ ॥ ୧୩୪
ବିଷ୍ଣୁର ନିନ୍ଦା ଯହିଁ ଶୁଣି । ବିଷ୍ଣୁଭକତ ଯେତେ ପ୍ରାଣୀ ॥ ୧୩୫
ସେ ଠାବ ତେଜି ଯେ ନ ଯାନ୍ତି । ନିଶ୍ଚୟେ ନରକେ ପଡନ୍ତି ॥ ୧୩୬
ଏମନ୍ତେ ସଭାମଧ୍ୟେ ଗୋଳ । ଶୁଭିଲା ଦିଗ ଅନ୍ତରାଳ ॥ ୧୩୭
ଶୁଣି ପାଣ୍ତବେ କୋପଭରି । ଧାଇଁଲେ କରେ ଶସ୍ତ୍ର ଧରି ॥ ୧୩୮
ମତ୍ସ୍ୟ କେକୟ ଯେ ସୃଞ୍ଜୟ । ଶସ୍ତ୍ର ଆୟୁଧ ବର୍ମଦେହ ॥ ୧୩୯
ବୋଲନ୍ତି ମାର ଶିଶୁପାଳ । ନିଶ୍ଚେ ପୁରିଲା ତାର କାଳ ॥ ୧୪୦
ଏମନ୍ତ ବୋଲି ମହାରୋଷେ । ମିଳିଲେ ଶିଶୁପାଳ ପାଶେ ॥ ୧୪୧
ଦେଖି ସମ୍ଭ୍ରମେ ଶିଶୁପାଳ । ସ୍ୱଭାବେ ଦୁଷ୍ଟ ମହାବଳ ॥ ୧୪୨
ଖଡଗ ଚର୍ମ କରେ ଧରି । ରହିଲା ସମର ଆବୋରି ॥ ୧୪୩
କୃଷ୍ଣର ପକ୍ଷ ଯେତେ ଜନ । ତାହାଙ୍କୁ କରଇ ଭର୍ତ୍ସନ ॥ ୧୪୪
ରୋଷେ ଗର୍ଜଇ ଘୋରନାଦେ । ଧର୍ମନନ୍ଦନ ସଭାମଧ୍ୟେ ॥ ୧୪୫
ଦେଖି ତାହାର ଦୁଷ୍ଟପଣ । ଗୋବିନ୍ଦ ଆବୋରିଲେ ଋଣ ॥ ୧୪୬
ପାଣ୍ତବବଳ ପୃଷ୍ଠଭାଗେ । ମିଳିଲେ ଶିଶୁପାଳ ଆଗେ ॥ ୧୪୭
ଦୁରନ୍ତ ଚକ୍ରେ ଦାମୋଦର । ଛେଦିଲେ ଶିଶୁପାଳ ଆଗେ ॥ ୧୪୮
ଶିର କମଳ ତାର କଟି । ପଡିଲା ମହୀତଳେ ଲୋଟି ॥ ୧୪୯
ଦେଖି ତାହାର ରତ୍ନଶିର । ଜନେ କରନ୍ତି ହାହାକାର ॥ ୧୫୦
ଶୁଭଇ ମୁଖରାବ ଗୋଳ । ଶୁଣି ସମ୍ଭ୍ରମେ ମହୀପାଳ ॥ ୧୫୧
ଯେ ଶିଶୁପାଳ ପକ୍ଷେ ଥିଲେ । ମରଣ ଡରେ ପଳାଇଲେ ॥ ୧୫୨
ଶିଶୁପାଳର ମୃତପିଣ୍ତ । ଚକ୍ରେ ହୋଇଣ ବେନିଖଣ୍ତ ॥ ୧୫୩
ପଡିଲା ମହାସଭା ତଳେ । ଶୁନ୍ୟେ ଦେଖନ୍ତି ଦିଗପାଳେ ॥ ୧୫୪
ତାର ଶରୀରୁ ଦିବ୍ୟଜ୍ୟୋତି । ଶିଶୁତପନ ପ୍ରାୟ କାନ୍ତି ॥ ୧୫୫
ପଶିଲା ଗୋବିନ୍ଦର ଦେହେ । ଦେଖି ବିବୁଧେ କଲେ ଜୟେ ॥ ୧୫୬
ପୂର୍ବେ ସେ ବିଷ୍ଣୁଦ୍ୱାରପାଳ । ବ୍ରାହ୍ମଣେ କରି ଅବହେଳ ॥ ୧୫୭
ବିଷ୍ଣୁଙ୍କୁ ଶତ୍ରୁପ୍ରାୟ ମଣି । ବ୍ରାହ୍ମଣ କରି ଅବହେଳ ॥ ୧୫୮
ଏ ମହୀତଳେ ତାଙ୍କ ଭ୍ରମ । ବିଷ୍ଣୁଙ୍କୁ କରାଇଲେ ଜନ୍ମ ॥ ୧୫୯
ତୃତୀୟଜନ୍ମ ଭ୍ରାତମେଳେ । ଭ୍ରମିଲା ଅବନୀମଣ୍ତଳେ ॥ ୧୬୦
କୃଷ୍ଣେ ବଇରୀଭାବ ଘେନି । ତିନିଜନମ ଭାଇବେନି ॥ ୧୬୧
ଆଦି ଅସୁର ମହାବପୁ । ଜନ୍ମିଲା ହିରଣ୍ୟକଶିପୁ ॥ ୧୬୨
ଅନୁଜ ହିରଣ୍ୟାକ୍ଷ ବୀର । ପୁଣି ଜନ୍ମିଲା ସହୋଦର ॥ ୧୬୩
ବିଶ୍ରବାମୁନି ଘରେ ଯାଇ । ପୁଣି ରାକ୍ଷସ ଜନ୍ମ ହୋଇ ॥ ୧୬୪
ରାବଣ କୁମ୍ଭକର୍ଣ୍ଣ ନାମ । ସମରେ ନାହିଁ କେହି ସମ ॥ ୧୬୫
ପୁଣି ଜନ୍ମିଲେ ଚେବିଦେଶେ । କ୍ଷତ୍ରିୟ ଦମଘୋଷ ବଂଶେ ॥ ୧୬୬
ଦନ୍ତବିକଟ ଶିଶୁପାଳ । ଘୋରସମରେ ମହାବଳ ॥ ୧୬୭
ପୂର୍ବେ ନୃସିଂହରୂପେ ହରି । ହିରଣ୍ୟକଶିପୁ ବିଦାରି ॥ ୧୬୮
ବରାହ ରୂପେ ହିରଣ୍ୟାକ୍ଷ । ଶ୍ରୀକୃଷ୍ଣ ବଧିଲେ ପ୍ରତ୍ୟକ୍ଷ ॥ ୧୬୯
ତେଜେ ପ୍ରଚଣ୍ତ ଘୋରତମ । ପୁଣି ଜନ୍ମିଲେ ରଘୁରାମ ॥ ୧୭୦
ଜାନକୀଛଳେ ଧନୁର୍ଦ୍ଧର । ଛେଦିଲେ ବେନିଭାଇ ଶିର ॥ ୧୭୧
ଏବେ ବଇରୀ ଅନୁବନ୍ଧେ । ଚକ୍ରେ ଛେଦିଲେ ବେନିକନ୍ଧେ ॥ ୧୭୨
ନିର୍ମଳରୂପେ ବେନିଭାଇ । ପଶିଲେ କୃଷ୍ଣଦେହେ ଯାଇ ॥ ୧୭୩
ବ୍ରାହ୍ମଣ ଶାପୁଁ ମୋକ୍ଷ ହୋଇ । ମିଳିଲେ ବିଷ୍ଣୁପୁରେ ଯାଇ ॥ ୧୭୪
ଭାବେ ଭଜିଲେ ନାରାୟଣ । ଏବେ ହୋ ସାବଧାନେ ଶୁଣ ॥ ୧୭୫
ଭାବଟି ଜନ୍ମର କାରଣ । ହୃଦେ ଯେ ଚିନ୍ତେ ନାରାୟଣ ॥ ୧୭୬
ଶିଶୁପାଳର ପ୍ରାଣ ନାଶ । ଅବନୀମଣ୍ତଳ ଉଶ୍ୱାସ ॥ ୧୭୭
ନିର୍ମଳ ଦଶଦିଶ ଦିଶେ । ଧର୍ମନନ୍ଦନ କୃଷ୍ଣପାଶେ ॥ ୧୭୮
ଋତ୍ୱିଜ ବିପ୍ରଗଣ ଯେତେ । ଥିଲେ ଯେ ସଭା ଅନ୍ତର୍ଗତେ ॥ ୧୭୯
ଦକ୍ଷିଣା ଦେଇ ଧର୍ମସୂତ । ଯଜ୍ଞର ଅନ୍ତେ ଅବଭୃଥ ॥ ୧୮୦
ସ୍ନାନ କରିଲେ ନୃପମେଳେ । ସାନନ୍ଦେ ଭାଗିରଥୀ ଜଳେ ॥ ୧୮୧
ଏମନ୍ତେ ଯୁଧିଷ୍ଠିର ଯଜ୍ଞେ । ସମ୍ପାଦି କୃଷ୍ଣ ଅନୁରାଗେ ॥ ୧୮୨
ହୋଇଲା ରାଜ୍ୟେ ଏକ ରାଜା । ସର୍ବନୃପତି କଲେ ପୂଜା ॥ ୧୮୩
ଏମନ୍ତେ କୃଷ୍ଣ ସ୍ନେହଭରେ । କେତେହେଁ ମାସ ତା ନବରେ ॥ ୧୮୪
ରହି ରଞ୍ଜିଲେ ତାଙ୍କ ମନ । ପୁଣି ଦ୍ୱାରକା ଆଗମନ ॥ ୧୮୫
ନିଜ କୁଟୁମ୍ବ ସଙ୍ଗେ ଘେନି । ଯାଦବ ଯେତେକ ସଇନି ॥ ୧୮୬
ଗମନ୍ତେ ଶୋଭା ଦିଶେ ପଥ । ଆନନ୍ଦେ ଦେବକୀର ସୁତ ॥ ୧୮୭
ନିଜ ଭୁବନେ ଗଲେ ହରି । ଶିଶୁପାଳକୁ ମୋକ୍ଷ କରି ॥ ୧୮୮
ସୁର ଅସୁର ନରଲୋକେ । ଯଜ୍ଞେ ଯେ ଥିଲେ ଏକେଏକେ ॥ ୧୮୯
କୃଷ୍ଣମହିମା ସ୍ତୁତି କରି । ଆନନ୍ଦେ ଗଲେ ଯେଝାପୁରୀ ॥ ୧୯୦
ଅନ୍ଧନନ୍ଦନ ଦୁର୍ଯ୍ୟୋଧନ । ଅଧିକେ କରି ଦୁଃଖମନ ॥ ୧୯୧
ରାଜସମ୍ପଦ ନ ସହିଲା । ନିଜ ହସ୍ତିନାପୁରେ ଗଲା ॥ ୧୯୨
ବଇରୀ ଅନୁବନ୍ଧ ଦେହେ । ପାଣ୍ତବ ସମ୍ପଦ ନ ସହେ ॥ ୧୯୩
ଏ ମହାଯଜ୍ଞ ଯଶ ବାଣୀ । ଯେ ଏହା ସାବଧାନେ ଶୁଣି ॥ ୧୯୪
କୃଷ୍ଣର ମହିମା ପ୍ରତ୍ୟକ୍ଷ । ଜୟବିଜୟ ଶାପୁଁ ମୋକ୍ଷ ॥ ୧୯୫
ସକଳ ପାପୁଁ ସେ ତରନ୍ତି । ତୁଟଇ ଭବ ଭୟ ଭ୍ରାନ୍ତି ॥ ୧୯୬
କୃଷ୍ଣବିଷୟ ଭାଗବତ । କହଇ ଜଗନ୍ନାଥ ଦାସ ॥ ୧୯୭
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶିଶୁପାଳ ବଧୋ ନାମ
ଏକୋନଅଶୀତିତମ ଅଧ୍ୟାୟଃ ।
</poem>
==='''ଅଶୀତିତମ ଅଧ୍ୟାୟ'''===
<poem>
ବୋଲନ୍ତି ରାଜା ପରୀକ୍ଷିତ । ଶୁକଚରଣେ ଦେଇ ହସ୍ତ ॥ ୧
;ପରୀକ୍ଷିତ ଉବାଚ
ଭୋ ମୁନି କୃଷ୍ଣର ଚରିତ । ଶୁଣି ହୋଇଲି କୃତକୃତ୍ୟ ॥ ୨
ଏ ମହାଯଜ୍ଞେ ଯେତେ ଥିଲେ । କୃଷ୍ଣ ମହିମା ସେ ଦେଖିଲେ ॥ ୩
ଆନନ୍ଦେ ଗଲେ ନିଜପୁର । ପ୍ରଶଂସି ଧର୍ମର କୁମର ॥ ୪
ଅନ୍ଧନନ୍ଦନ ଦୁର୍ଯ୍ୟୋଧନ । ସେ କିମ୍ପା ହେଲା ଦୁଃଖମନ ॥ ୫
ଏଣେ ସଂଶୟ ମୋର ଚିତ୍ତ । ଭୋ ମୁନି କହିବା ତଦନ୍ତ ॥ ୬
ଏମନ୍ତେ ରାଜାବାଣୀ ଶୁଣି । ଶୁକ କହନ୍ତି ମନେ ଗୁଣି ॥ ୭
;ଶୁକ ଉବାଚ
ବୋଲନ୍ତି ଶୁକ କୁରୁବୀର । ତୋ ପିତାମହ ଯୁଧିଷ୍ଠିର ॥ ୮
ବନ୍ଧୁବାନ୍ଧବ ତା ଭୁବନେ । ଯଜ୍ଞସଭାର ପ୍ରୟୋଜନେ ॥ ୯
ଯେ ଯାହାମତେ କାର୍ଯ୍ୟକଲେ । ଧର୍ମନନ୍ଦନ କୃଷ୍ଣ ବୋଲେ ॥ ୧୦
ଯାଗର ପାକଶାଳେ ଭୀମ । ଧନେ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ॥ ୧୧
ସଭାଜନଙ୍କ ପୂଜାଭାବ । ଅର୍ଥ ସାଧନେ ସହଦେବ ॥ ୧୨
ନକୁଳ ଦ୍ରବ୍ୟ ସମ୍ପାଦନେ । ଦେବକୀନନ୍ଦନ ବଚନେ ॥ ୧୩
ଗନ୍ଧଚନ୍ଦନ ପୁଷ୍ପଦାନେ । ଅର୍ଜୁନ ଥିଲା ସାବଧାନେ ॥ ୧୪
ବିପ୍ରଚରଣ ସମାର୍ଜନ । କରନ୍ତି ନନ୍ଦରନନ୍ଦନ ॥ ୧୫
ଦୃପଦରାଜାର ନନ୍ଦିନୀ । ସେ ଯଜ୍ଞେ ଅନ୍ନ-ପଋଷୁଣୀ ॥ ୧୬
ଦାନେ ଅଧୀପ ବୀରକର୍ଣ୍ଣ । ଧନେ ତୋଷିଲା ବିପ୍ରମନ ॥ ୧୭
ବିକର୍ଣ୍ଣ ବୀର ଯୁଯୁଧାନ । ବିଦୁର ହାର୍ଦ୍ଧିକ୍ୟନନ୍ଦନ ॥ ୧୮
ଭୃଶୁବା ବାହ୍ଲୀକନନ୍ଦନ । ଏ ଆଦି ବୀର ସନ୍ତର୍ଦ୍ଧନ ॥ ୧୯
ଧର୍ମନନ୍ଦନ ଅନୁବାଦେ । ଯଜ୍ଞର ନାନାକର୍ମ ସାଧ୍ୟେ ॥ ୨୦
ପଣ୍ତୁକୁମର ପ୍ରିୟମତେ । ଥିଲେ ସନ୍ତୋଷଭାବ ଚିତ୍ତେ ॥ ୨୧
ଯାଜ୍ଞିକ ଆଦି ସଭାସଦ । ସୁମ୍ରି ବାନ୍ଧବ ସୁହୃଦ ॥ ୨୨
ଇଷ୍ଟକୁଟୁମ୍ବ ଆଦି ଯେତେ । ଦକ୍ଷିଣା ପୂଜା ଯେଝାମତେ ॥ ୨୩
ରାଜୁସିଯଜ୍ଞସଭା ମଧ୍ୟେ । ମଧୁସୁଦନ ପଦ୍ମପାଦେ ॥ ୨୪
ଶିଶୁପାଳର ପଞ୍ଚପ୍ରାଣ । ନିଶ୍ଚିନ୍ତେ ପଶିଲା ଶରଣ ॥ ୨୫
ଏମନ୍ତେ ମହାଯଜ୍ଞ ସାରି । ଧର୍ମନନ୍ଦନ ଦଣ୍ତଧାରୀ ॥ ୨୬
ଉତ୍ସବ ବାଦ୍ୟନାଦ ମେଳେ । ଯଜ୍ଞସ୍ନାହାନ ଗଙ୍ଗାଜଳେ ॥ ୨୭
ମିଳିଲେ ମଙ୍ଗଳ ସମ୍ପଦେ । ଶଙ୍ଖଶବଦ ବେଦନାଦେ ॥ ୨୮
ଦେବ ଗନ୍ଧର୍ବ ପିତୃଗଣ । କରନ୍ତି ପୁଷ୍ପ ବରଷଣ ॥ ୨୯
ଯହିଁ ବିଜୟ ନରନାରୀ । ନାନାଭୂଷଣ ଅଙ୍ଗେ ଭରି ॥ ୩୦
ଗନ୍ଧଚନ୍ଦନ ଗଙ୍ଗାଜଳେ । ଦେହେ ସିଞ୍ଚନ୍ତି ଭୁଜବଳେ ॥ ୩୧
କ୍ରୀଡନ୍ତି ନାନାରସଭାବେ । ସୁପୁଣ୍ୟବାଦେ ଜନସର୍ବେ ॥ ୩୨
ତଇଳ ଘୃତ ଗନ୍ଧୋଦକ । ହରିଦ୍ରା କୁଙ୍କୁମ ଶଶାଙ୍କ ॥ ୩୩
ପୁରୁଷେ ନାରୀଙ୍କର ମୁଖେ । ଲେପି ସିଞ୍ଚନ୍ତି ମନସୁଖେ ॥ ୩୪
ରାଜକାମିନୀ ନାନାରଥେ । ବିଜୟ କଲେ ରାଜପଥେ ॥ ୩୫
ପାଶେ ଆବୃତ ଶୂରବରେ । ବେଗେ ମିଳିଲେ ଗଙ୍ଗାତୀରେ ॥ ୩୬
ଦେବକାମିନୀ ପ୍ରାୟ ମିଳି । କରନ୍ତି ଗଙ୍ଗାଜଳେ କେଳି ॥ ୩୭
କୃଷ୍ଣକାମିନୀ ପରିହାସେ । ସିଞ୍ଚନ୍ତି ନୀର ମୁଖ କେଶେ ॥ ୩୮
ସଲ୍ଲଜେ ହରଷେ ହସନ୍ତି । ଯେହ୍ନେ ଗଗନେ ତାରାପନ୍ତି ॥ ୩୯
ଭୀମ ଅର୍ଜୁନ ଆଦି ଯେତେ । ସର୍ବକାମିନୀ ମଧ୍ୟଗତେ ॥ ୪୦
ଜଳ ସିଞ୍ଚନ୍ତି ବେନିହସ୍ତେ । ଝୀନବସନ ଉର ଗାତ୍ରେ ॥ ୪୧
ପ୍ରକାଶେ ଜାନୁ କଟୀ ସ୍ତନ । ଓଦାବସନେ କି ସୁବର୍ଣ୍ଣ ॥ ୪୨
ଦେଖି କାମିନୀ ଦୁଷ୍ଟଜନେ । ଅନଙ୍ଗବାଣେ ମନଛନ୍ନେ ॥ ୪୩
ବଦନେ ମନ୍ଦହାସ ଦେଖି । ମୋହେ ବୁଜିଲେ ବେନି ଆଖି ॥ ୪୪
ଏମନ୍ତେ ଅବଭୃଥ ସ୍ନାନ । ଆନନ୍ଦେ କରି ସର୍ବଜନ ॥ ୪୫
କୂଳେ ବିଜୟ ମହାରାଜ । ଉଦୟରବି ଜିଣି ତେଜ ॥ ୪୬
ନାନା ଭୂଷଣେ ଅଳଙ୍କୃତ । ରଥେ ଆରୋହି ଧର୍ମସୂତ ॥ ୪୭
ପାଶେ ଆବୃତ ନାରୀଜନେ । କ୍ରିୟା କଳାପେ ଯଜ୍ଞ ଯେହ୍ନେ ॥ ୪୮
ଦ୍ରୌପଦୀ ଘେନି ରାଜା କୋଳେ । ସ୍ନାହାନ କରି ଗଙ୍ଗାଜଳେ ॥ ୪୯
ବାଜଇ ବୀରତୁର ଭେରୀ । ଗଙ୍ଗାରେ ଅଭିଷେକ କରି ॥ ୫୦
ଦୁନ୍ଦୁଭି ଶୁଭଇ ଆକାଶେ । ସୁଗନ୍ଧ କୁସୁମ ବରଷେ ॥ ୫୧
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଅଗ୍ରତେ ଚତୁର୍ଥ ଆଶ୍ରମ ॥ ୫୨
ରାଜାର ଅବଭୃଥ କାଳେ । ସ୍ନାହାନ କରି ଗଙ୍ଗାଜଳେ ॥ ୫୩
ନିର୍ମଳ କଲେ ଦେହ ମନ । ଯେ ଜଳେ କଳୁଷହଦନ ॥ ୫୪
ବିଶେଷେ ଚାହିଁ କୃଷ୍ଣମୁଖ । ଛାଡିଲେ ଭବବନ୍ଧ ଦୁଃଖ ॥ ୫୫
ଉତ୍ତମ ବସ୍ତ୍ର ଆଦି ଧନ । ଅଣାଇ ପଣ୍ତୁର ନନ୍ଦନ ॥ ୫୬
ଯଜ୍ଞେ ବରଣ ବ୍ରହ୍ମା ଆଦି । ଯେ ଅବା ଥିଲେ ମନ୍ତ୍ରବାଦୀ ॥ ୫୭
ଜ୍ଞାତି ବାନ୍ଧବ ନୃପଗଣେ । ମିତ୍ର ସୁହୃଦ ଯେବା ଅନ୍ୟେ ॥ ୫୮
କୃଷ୍ଣବଚନେ ପୂଜା କରି । ମନ ତୋଷିଲେ ଦଣ୍ତଧାରୀ ॥ ୫୯
ମଣି କୁଣ୍ତଳ ପାଗ ଶିରେ । ନାନାଭୂଷଣ ରତ୍ନହାରେ ॥ ୬୦
ନାରୀପୁରୁଷେ ବିରାଜନ୍ତ । ଯେହ୍ନେ ଗଗନେ ତାରାପନ୍ତି ॥ ୬୧
କୃଷ୍ଣ ପାଣ୍ତବ ଅନୁଯାନେ । ଗଲେ ସେ ଯେ ଯାହା ଭୁବନେ ॥ ୬୨
ଯେ ରାଜା ଗୋବିନ୍ଦର ଦାସ । ସେ ମହାଯଜ୍ଞେ ତାର ଯଶ ॥ ୬୩
ଆନନ୍ଦେ ମୁଖେ ମୁଖ ଚାହିଁ । ପଥେ ଚଳନ୍ତି ଗୀତ ଗାଇ ॥ ୬୪
ପୁଣି ସନ୍ତୋଷ ନୋହେ ମନ । ମନୁଷ୍ୟେ ଯେହ୍ନେ ସୁଧାପାନ ॥ ୬୫
ରତ୍ୱିକ ଆଦି ମନ୍ତ୍ରବାଦୀ । ଅନେକ ରାଜଋଷି ଆଦି ॥ ୬୬
ଧର୍ମନନ୍ଦନ ବନ୍ଧୁଗଣେ । ପ୍ରିୟବଚନେ ଜଣେ ଜଣେ ॥ ୬୭
ଦେବକୀନନ୍ଦନ ସଙ୍ଗତେ । ଭାବେ ରହିଲେ ଦିନାକେତେ ॥ ୬୮
ତକ୍ଷଣେ ପ୍ରଭୁ ଭଗବାନ । ପାଶେ ବସାଇ ଉଗ୍ରସେନ ॥ ୬୯
ପ୍ରଦ୍ୟୁମ୍ନ ଆଦି ଯେତେ ସୁତ । କୁଟୁମ୍ବ ସୁହୃଦ ସହିତ ॥ ୭୦
ମେଲାଣି ଦେଇ ନିଜପୁରେ । କୃଷ୍ଣ ରହିଲେ ରାଜାଘରେ ॥ ୭୧
ଏମନ୍ତେ ପଣ୍ତୁର ନନ୍ଦନ । ଦୁସ୍ତର-ମନୋରଥ-ପୂର୍ଣ୍ଣ ॥ ୭୨
କୃଷ୍ଣଚରଣ ଭେଳା କଲେ । ଯଜ୍ଞ ଜଳଧି ନିସ୍ତରିଲେ ॥ ୭୩
ଏମନ୍ତେ ଶୁଣ ହେ ରାଜନ । ଦିନେକ ରାଜା ଦୁର୍ଯ୍ୟୋଧନ ॥ ୭୪
ଧର୍ମନନ୍ଦନ ଅନ୍ତଃପୁରେ । ପଶିଲା ବାନ୍ଧବ ବେଭାରେ ॥ ୭୫
ଦେଖି ସମ୍ପଦ ଅଗୋଚର । ଉପନା ନାହିଁ ତିନିପୁର ॥ ୭୬
ଯଜ୍ଞେ ଗୋବିନ୍ଦର ମହିମା । କେ କହିପାରେ ଗୁଣସୀମା ॥ ୭୭
ଯାହାର ଧ୍ୟାନ କୃଷ୍ଣପାଦେ । କେଅନ୍ତ କରୁ ତା ସମ୍ପଦେ ॥ ୭୮
ନର ଅସୁର ସୁର ଶିରୀ । ଯାର ଭୁବନେ ଅଛି ପୁରି ॥ ୭୯
ବ୍ରହ୍ମା ସଞ୍ଚିତ ଭୋଗ ଯେତେ । ନାନାପ୍ରକାରେ ଅପ୍ରମିତେ ॥ ୮୦
ଦ୍ରୁପଦ ରାଜାର ନନ୍ଦୀନୀ । ସର୍ବସମ୍ପଦ ସଙ୍ଗେ ଘେନି ॥ ୮୧
ସେବଇ ଯୁଧିଷ୍ଠିର ପାଦେ । କୃଷ୍ଣପ୍ରସନ୍ନେ ଅପ୍ରମାଦେ ॥ ୮୨
ତା ଦେଖି ଅନ୍ଧରନନ୍ଦନ । ଅନ୍ତରେ ଦହଇ ଜୀବନ ॥ ୮୩
ଯହିଁ ଗୋବିନ୍ଦ ନାରୀଗଣେ । ବଳୟ ନୁପୂର କଙ୍କଣେ ॥ ୮୪
ଚାଲନ୍ତେ ନୂପୁର ବାଜେଣୀ । କଟୀରେ ରତ୍ନ ଓଡ଼ିଆଣୀ ॥୮୫
କୁଚ-କୁଙ୍କୁମେ ଶୋଣହାର । କର୍ଣ୍ଣେ କୁଣ୍ତଳ ରତ୍ନସାର ॥ ୮୬
ଏମନ୍ତ ଦେଖି ତା ଭୁବନ । ଅନ୍ଧନନ୍ଦନ ଦୁର୍ଯ୍ୟୋଧନ ॥ ୮୭
ବାହୁଡି ହରଷ ବିଷାଦେ । ପୁଣି ମିଳିଲା ସଭାମଧ୍ୟେ ॥ ୮୮
ମୟନିର୍ମିତ ମାୟାସଭା । କି ଅବା ପଟାନ୍ତର ଦେବା ॥ ୮୯
ଯହିଁ ବିଜୟ ଦାମୋଦର । ସ୍ୱଭାବେ କାଳଚକ୍ରଧର ॥ ୯୦
ଚକ୍ଷୁ ଚଳନ୍ତେ ବିଶ୍ୱଚଳେ । ତାହାର ଜନ୍ମ ମହୀତଳେ ॥ ୯୧
ଭାବ ଅଭାବ ମତ ବେନି । କହନ୍ତି ହସ୍ତେ ବେତ୍ର ଘେନି ॥ ୯୨
ସେ ସଭାମଧ୍ୟେ ଧର୍ମସୂତ । ସଙ୍ଗେ ଅଛନ୍ତି ଚାରିଭ୍ରାତ ॥ ୯୩
କାଞ୍ଚନ ଆସନେ ବିଜୟେ । ଦିଶେ ଆକାଶେ ଇନ୍ଦ୍ର ପ୍ରାୟେ ॥ ୯୪
ବ୍ରହ୍ମାଙ୍କ ସଭା ପ୍ରାୟ ଦିଶି । ସୂତ-ମାଗଧେ ପରଶଂସି ॥ ୯୫
ଏମନ୍ତେ ମିଳି ଅନ୍ଧସୁତ । ସଙ୍ଗେ ଅଛନ୍ତି ଶତେ ଭ୍ରାତ ॥ ୯୬
ରତ୍ନମୁକୁଟ ଅଛି ଶିରେ । ହସ୍ତନିବେଶି ମନ୍ତ୍ରୀ କରେ ॥ ୯୭
ରୋଷେ କମ୍ପଇ ତା ଶରୀର । ଏମନ୍ତେ ଶୁଣ ନୃପବର ॥ ୯୮
ମୟନିର୍ମିତ ମାୟାସଭା । ଯହିଁ ଭ୍ରମନ୍ତି ଶୂର ଦେବା ॥ ୯୯
କୃଷ୍ଣ ମହିମା ଅନ୍ତରାଳ । କ୍ଷଣକେ ଦିଶେ ଜଳସ୍ଥଳ ॥ ୧୦୦
ସ୍ଥଳକୁ ଜଳ ପ୍ରାୟ ମଣି । ବସ୍ତ୍ର ତୋଳିଲା କରେ ଆଣି ॥ ୧୦୧
ଜଳକୁ ସ୍ଥଳ ପ୍ରାୟ ବୁଝି । କୋପେ ପଶିଲା ଚକ୍ଷୁବୁଜି ॥ ୧୦୨
ଜଳେ ହୋଇଲା ସ୍ଥଳ ଭ୍ରାନ୍ତି । ମୟ-ମାୟାରେ ମୋହଗତି ॥ ୧୦୩
ଜଳେ ପଡନ୍ତି କୁରୁପତି । ତା ଦେଖି ହସିଲା ମାରୁତି ॥ ୧୦୪
ଦ୍ରୌପଦୀ ଆଦି ଯେତେ ନାରୀ । ସର୍ବେ ହସିଲେ ହାସ୍ୟ କରି ॥ ୧୦୫
ଯେତେ ନୃପତି ଥିଲେ ବସି । ମୁଖେ ବସନ ଦେଇ ହସି ॥ ୧୦୬
ଚକ୍ଷୁ ଚାଳିଣ ଚକ୍ରଧର । ଠାରିଲେ ସର୍ବେ ହାସ୍ୟ କର ॥ ୧୦୭
ଏମନ୍ତେ ସର୍ବ ସଭାଜନେ । ହସିଲେ ବିକୃତ ବଦନେ ॥ ୧୦୮
ଦେହ ସମ୍ଭାଳି କୁରୁନାଥ । ଉଠିଲା ଧରି ଭ୍ରାତହସ୍ତ ॥ ୧୦୯
ଅଧୋବଦନେ କୋପକରି । ଦୁଃଶାସନର କର ଧରି ॥ ୧୧୦
ଜନେ କରନ୍ତି ହାହାକାର । ହସ୍ତିନା ଗଲା ନୃପବର ॥ ୧୧୧
ତା ଦେଖି ଧର୍ମର ନନ୍ଦନ । ସମ୍ଭ୍ରମେ କଲେ ଦୁଃଖମନ ॥ ୧୧୨
ପଣ୍ତୁନନ୍ଦନ ଭାବ ଘେନି । ଗୋବିନ୍ଦ ଜାଣି ହେଲେ ତୁନି ॥ ୧୧୩
ଅଶେଷ ଅବନୀର ଭାର । ଯେ ହରି କରିବେ ସଂହାର ॥ ୧୧୪
ଯାହାର ମାୟାରେ ମୋହିତ । ହୋଇଛି ଅଶେଷ ଜଗତ ॥ ୧୧୫
ବ୍ରହ୍ମାଶଙ୍କରେ ଅଗୋଚର । ଏ ପୁଣି ମନୁଷ୍ୟ ମାତର ॥ ୧୧୬
ଶୁଣ ପରୀକ୍ଷ ଶୁଦ୍ଧଚିତ୍ତେ । ତୁ ଯାହା ପଚାରିଲୁ ମୋତେ ॥ ୧୧୭
ରାଜସୂୟଯଜ୍ଞେ ବରଣ । ଦୁର୍ଯ୍ୟୋଧନର ଦୁଷ୍ଟପଣ ॥ ୧୧୮
ବୋଲଇ ଦାସ ଜଗନ୍ନାଥ । କୃଷ୍ଣରଚିତ ଭାଗବନ ॥ ୧୧୯
ରାଜୁସିଯଜ୍ଞ କଥା ଶୁଣି । ସଂସାରୁ ତର ସର୍ବପ୍ରାଣୀ ॥ ୧୨୦
ଗୋବିନ୍ଦ ପାଦେ କର ଭାବ । ଯେବେ ଏ ସଂସାରୁ ତରିବ ॥ ୧୨୧
ଜଗତହିତେ କୃଷ୍ଣବାଣୀ । ଗୀତେ ମୁଁ ବଖାଣିଲି ଆଣି ॥ ୧୨୨
ଏଣେ ନିଶ୍ଚଳ କର ଚିତ୍ତ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୨୩
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦୁର୍ଯ୍ୟୋଧନ ମାନଭଙ୍ଗୋ ନାମ
ଅଶୀତିତମ ଅଧ୍ୟାୟଃ ।
</poem>
==='''ଏକାଶିତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଆନନ୍ଦମନେ ବ୍ୟାସଚୁତ । ବୋଲନ୍ତି ଶୁଣ ପରୀକ୍ଷିତ ॥ ୧
ଅଦ୍ଭୂତ କୃଷ୍ଣକର୍ମବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨
କ୍ରୀଡା ମନୁଷ୍ୟେ ଅବତାର । ଦେବମାନବେ ଅଗୋଚର ॥ ୩
ଯେମନ୍ତେ ପ୍ରଭୁ ଜଗନ୍ନାଥ । ଶାଳ୍ୱରାଜାଙ୍କୁ କଲେ ହତ ॥ ୪
ଧର୍ମନନ୍ଦନ ଯଜ୍ଞକାଳେ । ଶିଶୁପାଳକୁ ସଂହାରିଲେ ॥ ୫
ତାହାର ସଖା ଶାଲ୍ୱ ନାମ । ମିତ୍ର ମରଣେ ବହେ ତମ ॥ ୬
ପୂର୍ବେ ରୁକ୍ମିଣୀବିଭାକାଳେ । ଥିଲା ସେ ନୃପତିଙ୍କ ମେଳେ ॥ ୭
କୃଷ୍ଣଙ୍କୁ ହାରି ଯୁଦ୍ଧକାଳେ । ମାଗଧ ଆଦି ରାଜାମେଳେ ॥ ୮
ସେ ଦିନୁ ଅଭିମାନେ ଗଲା । କୃଷ୍ଣର ମରଣ ଇଚ୍ଛିଲା ॥ ୯
ଏବେ ଶୁଣିଲା ମିତ୍ରବଧ । ହୃଦରେ ବହେ ଗୁରୁକ୍ରୋଧ ॥ ୧୦
କୃଷ୍ଣ ଅଛନ୍ତି ଇନ୍ଦ୍ରପ୍ରସ୍ଥେ । ଥୋକାଏ ବଳ ଅଛି ସାଥେ ॥ ୧୧
ଏ ଛିଦ୍ରକଥାମାନ ଜାଣି । ସଇନି ସାଜି ନୃପମଣି ॥ ୧୨
ନିଜ କାର୍ମୁକ ଧରି କରେ । ବୋଲଇ ସ୍ପୁରିତ ଅଧରେ ॥ ୧୩
ଯାଦବ ବିହୀନ ଧରଣୀ । କରିବି ସତ୍ୟ ମୋର ବାଣୀ ॥ ୧୪
ତୁମ୍ଭେ ସକଳ ନୃପବର । ଦେଖିବ ପୌରୁଷ ମୋହର ॥ ୧୫
ଏମନ୍ତେ ମୂଢ ଗର୍ବ ବହି । ମିଳିଲା ଘୋରବନେ ଯାଇ ॥ ୧୬
ଭବାନୀକାନ୍ଧେ ଦେଇ କର । ବୋଇଲେ ବେଗେ ମାଗ ବର ॥ ୧୭
ଶୁଣି ନୃପତି ଜ୍ଞାନ ପାଇ । କପାଳେ ବେନିକର ଦେଇ ॥ ୨୧
ବୋଲଇ ଶୁଣ ବିଶ୍ୱନାଥ । ତୋର ସଞ୍ଚିତ ଏ ଜଗତ ॥ ୨୨
ବିବୁଧ ଅସୁର ମନୁଷ୍ୟ । ଗନ୍ଧର୍ବ କିନ୍ନର ରାକ୍ଷସ ॥ ୨୩
ଏ ଆଦି ଯେତେ ଦିଗପାଳେ । ଭୂମି ପାତାଳ ଅନ୍ତରାଳେ ॥ ୨୪
କେହି ନ ପାରୁ ମୋତେ ଜିଣି । ଏ ବର ଦିଅ ଶୁଳପାଣି ॥ ୨୫
ମାୟାବିମାନ ଦିଅ ମୋତେ । ସେ ପୁଣି ମୋହର ଆୟତ୍ତେ ॥ ୨୬
ରୂପ ଅରୂପ ସ୍ଥୁଳ ସୁକ୍ଷ୍ମେ । ଅଣୁ ପ୍ରମାଣେ ଅନ୍ତରୀକ୍ଷେ ॥ ୨୭
ଯହିଁ କଳ୍ପିବ ମୋର ମନ । ସେ ପୁରେ ପଶିବ ବିମାନ ॥ ୨୮
ଦୃଶ୍ୟ ଅଦୃଶ୍ୟ ମହାଘୋର । ବୃଷ୍ଟି ଯାଦବେ ଭୟଙ୍କର ॥ ୨୯
ଏ ବର ଦିଅ ବିଶ୍ୱନାଥ । ଶୁଣି ସନ୍ତୋଷ ଉମାକାନ୍ତ ॥ ୩୦
ମୟଦାନବେ ସୁମରଣ । କରନ୍ତି ଅମ୍ବିକାରମଣ ॥ ୩୧
ଚିନ୍ତା କରନ୍ତେ ମହେଶ୍ୱର । ଜାଣିଲା ମାୟାବୀ ଅସୁର ॥ ୩୨
ତକ୍ଷଣେ ପରପୁରଞ୍ଜୟ । ବେଗେ ମିଳିଲା ବୀରମୟ ॥ ୩୩
ନଦୀପୁଲିନେ ଘୋରବନେ । ନମିଲା ଇଶ୍ୱର ଚରଣେ ॥ ୩୪
ପ୍ରସନ୍ନେ ପ୍ରଭୁ ଉମାକାନ୍ତ । ବୋଇଲେ ଧରି ତାର ହସ୍ତ ॥ ୩୫
ମାୟାବିମାନ ବେଗେ କର । ଦେବଦାନବେ ଅଗୋଚର ॥ ୩୬
ଏହାର ମନ ଅନୁମତେ । କହି ଚଳିଲେ ଶୂନ୍ୟପଥେ ॥ ୩୭
ତକ୍ଷଣେ ରୁଦ୍ରଆଜ୍ଞା ପାଇ । ଅଦ୍ଭୂତ ବିମାନ ଭିଆଇ ॥ ୩୮
ତାହାର ନାମ ସୌଭପୁର । ନିର୍ମିତ ଲୌହମୟ ସାର ॥ ୩୯
ଆନନ୍ଦେ ପ୍ରଜାପତିବଳା । ଶାଳ୍ୱ ସମ୍ମୁଖେ ଆଣି ଦେଲା ॥ ୪୦
ସେ ମାୟାରଥ କାମରୂପୀ । ପ୍ରକାଶେ ଘୋରତମ ବ୍ୟାପୀ ॥ ୪୧
କେହି ନ ପାରେ ତାହା ଜାଣି । ଏମନ୍ତେ ଶୁଣ ନୃପମଣି ॥ ୪୨
ବସିଲା ଯାଇ ମାୟାରଥେ । ଗମିଲା ନିଜପୁର ପଥେ ॥ ୪୩
ଈଶ୍ୱରବରେ ପାଇ ରଥ । ନିଜ ଭୁବନେ ଉପଗତ ॥ ୪୪
କୃଷ୍ଣବଇର ଭାବ ଗୁଣି । ସାଜିଲା ନିଜ ଅକ୍ଷୌହିଣୀ ॥ ୪୫
କୋପେ ବସିଲା ମାୟାରଥେ । ଗମିଲା ଦ୍ୱାରାବତୀ ପଥେ ॥ ୪୬
ରଜନୀ ମଧ୍ୟେ ନରପତି । ବଳେ ରୁନ୍ଧିଲା ଦ୍ୱାରାବତୀ ॥ ୪୭
ଭାଙ୍ଗଇ ବନ ଉପବନ । ଗ୍ରାମ ପାଟଣା ପୁରମାନ ॥ ୪୮
ଦ୍ୱାର ଅଟ୍ଟାଳୀ କ୍ରୀଡାପୁର । ଅନଳେ କଲା ଭସ୍ମସାର ॥ ୪୯
ଶର ବରଷଇ ଗହଳ । ଯେହ୍ନେ ଗଗନୁ ବୃଷ୍ଟିଜଳ ॥ ୫୦
ଦ୍ରୁମ ପାଷାଣ ବଜ୍ର ବାରି । ସର୍ପ ଖର୍ପର ଆଦିକରି ॥ ୫୧
ପ୍ରଚଣ୍ତେ ବହେ ଚକ୍ରବାତ । ଧୂଳିରେ ଦଶଦିଗ ଗ୍ରସ୍ତ ॥ ୫୨
ଏମନ୍ତେ ମାୟାରଥେ ବୀର । କୃଷ୍ଣନଗର କଲା ଚୁର ॥ ୫୩
ଅସୁର ତେଜେ ଯଦୁପୁରୀ । ତକ୍ଷଣେ ହେଲା ହତଶିରୀ ॥ ୫୪
ପୂର୍ବେ ଅନ୍ଧକ ଯୁଦ୍ଧକାଳେ । ଯେହ୍ନେ ଅଦ୍ଭୂତ ମହୀତଳେ ॥ ୫୫
ଘୋରଗହନ ଅନ୍ଧକାର । ତା ଦେଖି ରୁକ୍ମିଣୀକୁମର ॥ ୫୬
ବିମାନେ ବସି ମହାବଳୀ । ଡାକଇ ବେନିଭୁଜ ତୋଳି ॥ ୫୭
ଭୟ ନ କର ତୁମ୍ଭେ କେହି । ଏ ମାୟା ସଂହାରିବି ମୁହିଁ ॥ ୫୮
ଏମନ୍ତ କହି ରାଜପଥେ । ବେଗେ ଧାଇଁଲେ ଏକା ରଥେ ॥ ୫୯
ଦେଖି ତାହାର ବୀରପଣ । ଋଣେ ମିଳିଲେ ଯଦୁଗଣ ॥ ୬୦
ସାତ୍ୟକି ଚାରୁଦେଷ୍ଣ ଶାମ୍ବ । ଅକ୍ରୁର ଯଦୁଙ୍କ ଉତ୍ତମ ॥ ୬୧
ଭୋଜ ଅନ୍ଧକ ବୀରଚନ୍ଦ୍ର । ମିଳିଲେ ସର୍ବ ଯଦୁବୃନ୍ଦ ॥ ୬୨
ଅଜେୟ ହାର୍ଦ୍ଧିକ୍ୟନନ୍ଦନ । ଶୁକ ସାରଣ ଭାନୁମାନ ॥ ୬୩
ଗଦ ସଙ୍କରଷଣ ଆଦି । ଯାଦବ ମଧ୍ୟେ ଯେ ପ୍ରସିଦ୍ଧି ॥ ୬୪
ଏ ଆଦି ଯେତେ ଧନୁର୍ଦ୍ଧର । ଦୁର୍ଜୟ କୃଷ୍ଣର କୁମର ॥ ୬୫
ରଥେ ବିଜ ପନ୍ତି ପନ୍ତି । ଘୋଟକ କୁଞ୍ଜର ପଦାତି ॥ ୬୬
ଶାଳ୍ୱ ସହିତେ ଯଦୁବଳ । ଶୁଭେଇ ମୁଖରାବ ଗୋଳ ॥ ୭୭
କୋପେ କରନ୍ତି ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥ ୭୮
ଉଭାରି କରନ୍ତି ସମର । ଘୋର ଗହନ ଅନ୍ଧକାର ॥ ୬୯
ଅମୃତ ଅର୍ଥେ ଭୁଜବଳେ । ଦେବ ଅସୁର ପୂର୍ବକାଳେ ॥ ୭୦
ତେମନ୍ତ ହୋଇଲାକ ଋଣ । ଅଦ୍ଭୂତ ରୋମହରଷଣ ॥ ୭୧
ଶାଲ୍ୱର ମାୟାଗତି ଯେତେ । ନାନାପ୍ରପଞ୍ଚ ଅପ୍ରମିତେ ॥ ୭୨
ପ୍ରକାଶି ଥିଲା ଶୂନ୍ୟମଧ୍ୟେ । ଶାଳ୍ୱ ଯାଦବ ଘୋରଯୁଦ୍ଧେ ॥ ୭୩
ରୁକ୍ମିଣୀସୁତ ଦେଖି ତାହା । ଶସ୍ତ୍ରେ ଛେଦିଲା ତାର ମାୟା ॥ ୭୪
ରଜନୀଅନ୍ତେ ରବିତ୍ରାସ । ଯେହ୍ନେ ଅନ୍ଧାର କରେ ନାଶ ॥ ୭୫
ସୁବର୍ଣ୍ଣପୁଚ୍ଛ ଲୌହମୁଖ । ବିଚିତ୍ର ସୁରଙ୍ଗ ସୁରେଖ ॥ ୭୬
ଗୁଣେ ବସାଇ ମହାରୋଷେ । ବାଣ ବିନ୍ଧିଲା ପଞ୍ଚବିଂଶେ ॥ ୭୭
ଶାଳ୍ୱର ସେନାପତି ଅଙ୍ଗେ । ଅଶ୍ୱ ବିମାନ ଧ୍ୱଜ ସଙ୍ଗେ ॥ ୭୮
ତକ୍ଷଣେ କରି ହତପ୍ରାଣ । ପୁଣ ବିନ୍ଧିଲା ଗରୁଟାଣ ॥ ୭୯
ଶାଲ୍ୟ ଉପରେ କୃଷ୍ଣବଳା । ଶତେ ନାରାଚ ବରଷିଲା ॥ ୮୦
ଅପରେ ସଇନି ଯେତେକେ । ତାହାଙ୍କୁ ପେଷେ ଏକ ଏକ ॥ ୮୧
ରଥୀ ସାରଥୀଙ୍କ ଉପରେ । ଦଶ ନାରାଚ କୋପଭରେ ॥ ୮୨
ଅଶ୍ୱକୁ ବିନ୍ଧି ତିନିଶର । ଶବଦ କଲା ମହାଘୋର ॥ ୮୩
ରୁକ୍ମିଣୀସୁତ କର୍ମ ଦେଖି । ସକଳେ ସଂଗ୍ରାମ ଉପେକ୍ଷି ॥ ୮୪
ପର ଅପର ବୀରଶ୍ରେଣୀ । କରନ୍ତି ସାଧୁ ସାଧୁ ବାଣୀ ॥ ୮୫
ମୟନିର୍ମିତ ମାୟାରଥ । ତାର ମହିମା ଅପ୍ରମିତ ॥ ୮୬
ନିଜ ସୈନ୍ୟଙ୍କୁ ଦିଶେ ଏକ । ରିପୁଙ୍କୁ ଦିଶଇ ଅନେକ ॥ ୮୭
ଭିତରେ ଦିଶେ ଅନ୍ଧକାର । ଦେବମାନବେ ଅଗୋଚର ॥ ୮୮
ସମ୍ମୁଖେ ଦିଶେ ମହୀତଳେ । ଚାହିଁଲେ ଉଡେ ଅନ୍ତରାଳେ ॥ ୮୯
ପର୍ବତଶିଖେ କ୍ଷଣେ ଥାଇ । କ୍ଷଣକେ ସମୁଦ୍ରେ ବୁଡଇ ॥ ୯୦
ପୁଣି ଗଗନ ଅତିକ୍ରମେ । ଅଲାତଚକ୍ର ପ୍ରାୟେ ଭ୍ରମେ ॥ ୯୧
ଏମନ୍ତେ ଦେଖି ତା ବିମାନ । କ୍ଷଣକେ କୃଷ୍ଣର ନନ୍ଦନ ॥ ୯୨
ଉତ୍ତାରି କୋଦଣ୍ତ ବିହନ । କୋପେ ବିନ୍ଧିଲା ତୀକ୍ଷଣବାଣ ॥ ୯୩
ଧାବନ୍ତେ ଶୁଭେ ମୁଖରାବ । କ୍ଷଣେ ନ ରହେ ଏକ ଠାବ ॥ ୯୪
ପବନ ଯୋଗେ ଯେହ୍ନେ ମେଘ । ଧାମନ୍ତି ଅତି ଉଦବେଗ ॥ ୯୫
ଯହିଁ ଦେଖନ୍ତି ତାର ରଥ । କୃଷ୍ଣକୁମରେ ଯୁଥ ଯୁଥ ॥ ୯୬
ଧନୁ ଆମଞ୍ଚି ପୁଣ ପୁଣ । କରନ୍ତି ଶର ବରଷଣ ॥ ୯୭
ଅଗ୍ନି ଆଦିତ୍ୟ ପ୍ରାୟ ଦିଶି । ପଡନ୍ତି ରିପୁବଳେ ଗ୍ରାସି ॥ ୯୮
ବାଣଶବଦ ବଜ୍ରପ୍ରାୟେ । ଭେଦିଲା ଅସୁରଙ୍କ କାୟେ ॥ ୯୯
ରୁଧିର ବୃଷ୍ଟି ରଣମଧ୍ୟେ । ଯେସନେ ଦେବାସୁର ଯୁଦ୍ଧେ ॥ ୧୦୦
ଯଦୁବୀରଙ୍କ ବାଣଘାୟେ । ରଥେ ପଡିଲା ଶାଲ୍ୱ ମୋହେ ॥ ୧୦୧
ମାୟାବିମାନ ଶୂନ୍ୟପଥେ । କୃଷ୍ଣକୁମରେ ଭୂମିଗତେ ॥ ୧୦୨
ଉଭୟବଳୁଁ ଶରବୃଷ୍ଟି । ରୁଧିର ଗଳେ ତନୁ ଫୁଟି ॥ ୧୦୩
କ୍ଷତ୍ରିୟଧର୍ମ ମହାଘୋର । କେହି ନ ଛାଡନ୍ତି ସମର ॥ ୧୦୪
ଉଭୟଲୋକେ ଜୟ ଇଚ୍ଛା । ସାୟକଗୁଣେ ବାଣ ଦୀକ୍ଷା ॥ ୧୦୫
ଦ୍ୟୁମନ ନାମେ ମହାବଳୀ । ରୁକ୍ମିଣୀସୁତ ପାଶେ ମିଳି ॥ ୧୦୬
ପୂର୍ବେ ପ୍ରଦ୍ୟୁମ୍ନ ବାଣଘାତେ । ପଡି ଯେ ଥିଲା ମୋହଗତେ ॥ ୧୦୭
ଶାଳ୍ୱର ମନ୍ତ୍ରୀ ସେ ଯୁକତେ । ବିଷମ ଲୌହଗଦା ହସ୍ତେ ॥ ୧୦୮
ଚନ୍ଦ୍ରସମୀପେ ଯେହ୍ନେ ରାହୁ । ହୁଙ୍କାରେ ତୋଳି ବେନିବାହୁ ॥ ୧୦୯
ରୁକ୍ମିଣୀସୁତ ବକ୍ଷସ୍ଥଳେ । ପ୍ରହାର କଲା ଭୁଜବଳେ ॥ ୧୧୦
ଗର୍ଜଇ କରି ମହାରୋଷ । ଶବଦେ କମ୍ପେ ଦଶଦିଶ ॥ ୧୧୧
ଗଦାପ୍ରହାରେ କୃଷ୍ଣବାଳା । ବିମାନେ ପଡି ମୋହଗଲା ॥ ୧୧୨
ଦେଖି ତାହାର ମୋହଗତ । ତକ୍ଷଣେ ଦାରୁକର ସୁତ ॥ ୧୧୩
ସଂଗ୍ରାମ ଛାଡି ରଥ ବାହି । ଯୁଦ୍ଧର ଧର୍ମ ସେ ଜାଣଇ ॥ ୧୧୪
ସଂଗ୍ରାମ ହୁଡି ପଳାଇଲା । କେତେକ ଦୂରେ ବିଶ୍ରାମିଲା ॥ ୧୧୫
ପ୍ରଦ୍ୟୁମ୍ନ ପଡିଥିଲା ମୋହେ । ଶୀତପବନ ଲାଗି ଦେହେ ॥ ୧୧୬
ତକ୍ଷଣେ ପାଇଲା ଜୀବନ । ଚାହିଁଲା ସାରଥୀ ବଦନ ॥ ୧୧୭
ବୋଲଇ କୋପଭର ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୧୧୮
ଅସାଧୁକର୍ମା କିମ୍ପା କଲୁ । ସଂଗ୍ରାମ ଛାଡି ପଳାଇଲୁ ॥ ୧୧୯
ଯାଦବକୁଳେ ହୋଇ ଜାତ । ସଂଗ୍ରାମେ ନପୁଂସକ ହୋଇ ॥ ୧୨୦
ଚୁ ଦୁରାଚାର ମତିଭ୍ରମ । ନ ଜାଣି କଲୁ ଏଡେ କର୍ମ ॥ ୧୨୧
ତୋର ସାରଥିପଣେ ମୁହିଁ । ସଂଗ୍ରାମେ ନପୁଂସକ ହୋଇ ॥ ୧୨୨
ସଂଗ୍ରାମେ ପଳାଉ ନିରେଖ । ତୋର ଜୀବନ ହେଉ ଧିକ ॥ ୧୨୩
କେମନ୍ତେ କୃଷ୍ଣପାଶେ ଯାଇ । ବଦନ ଦେଖାଇବି ମୁହିଁ ॥ ୧୨୪
ରାମର ବଦନ କେମନ୍ତେ । ଚାହିଁବି ସଂଗ୍ରାମ ନିସତେ ॥ ୧୨୫
କିବା କହିବି କୃଷ୍ଣପାଶେ । ପଳାଇ ଜୀବନର ଆଶେ ॥ ୧୨୬
ସଂଗ୍ରାମେ ମୋର ବୀରପଣ । ଶୁଣି ହସିବେ ଶତ୍ରୁଗଣ ॥ ୧୨୭
ପୁରେ ହସିବେ ବଧୁଜନେ । ବସନ ଆଚ୍ଛାଦି ବଦନେ ॥ ୧୨୮
ତୁ ଧିକ ମୋହର ସାରଥୀ । ଭଜିଲୁ ନପୁସକ ଗତି ॥ ୧୨୯
କିମ୍ପା ଛାଡିଲୁ ରଣଭୂଇଁ । ଅର୍ଦ୍ଧଯୋଜନେ ରଥବାହି ॥ ୧୩୦
କହ ନ କର ମନେ ଭ୍ରାନ୍ତି । ତା ଶୁଣି ବୋଲଇ ସାରଥୀ ॥ ୧୩୧
ଶୁଣ ହୋ କୃଷ୍ଣର କୁମର । ସଂଗ୍ରାମ ଧର୍ମ ଏ ମୋହର ॥ ୧୩୨
ରଥୀର ମୋହ ଯେବେ ଦେଖି । ସାରଥୀ ସଂଗ୍ରାମ ଉପେକ୍ଷି ॥ ୧୩୩
କେତେହେଁ ଦୂରେ ରଥ ଧରି । ରଥୀ ଜୀବନ ସ୍ଥିର କରି ॥ ୧୩୪
ପୁଣ ସମରେ ବାହେ ରଥ । ଏ ଧର୍ମ ସାରଥୀଙ୍କ ମତ ॥ ୧୩୫
ଏହା ଯେ ନ ଜାଣି ରହନ୍ତି । ରଥୀ ସାରଥୀ ନାଶଯାନ୍ତି ॥ ୧୩୬
ସ୍ୱର୍ଗେ ବସଇ ରଥୀ ଏକେ । ସାରଥୀ ପଡଇ ନରକେ ॥ ୧୩୭
ଏଣୁ ମୁଁ କଲି ନିଜ ଧର୍ମ । ଯେଣୁ ତୁ ଗଦାଘାତେ ଭ୍ରମ ॥ ୧୩୮
କହଇ ବିପ୍ର ଜଗନ୍ନାଥ । ସାରଥୀ ବାକ୍ୟେ କୃଷ୍ଣସୁତ ॥ ୧୩୯
ବୋଲଇ ବାହ ବେଗେ ରଥ । ଆଜ ନାଶିବି ରିପୁଯୁଥ ॥ ୧୪୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶାଳ୍ୱଯୁଦ୍ଧେ ନାମ ଏକାଶୀତିତମ ଅଧ୍ୟାୟଃ ॥
</poem>
==='''ଦ୍ୱିଅଶୀତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । କୃଷ୍ଣନନ୍ଦନ ଅତିବେଗେ ॥ ୧
ତୃଷିତେ ରଥୁଁ ଅବତରି । ସନ୍ତୋଷେ ଜଳପାନ କରି ॥ ୨
କର-ଚରଣ- କଳେବରେ । ଜଳ ସିଞ୍ଚିଲା ସୁଖଭରେ ॥ ୩
କବଚ ଭରି କଳେବରେ । ଧନୁ ଧଇଲା ବାମକରେ ॥ ୪
ମୀନକେତନେ ବିଜେ କଲା । ସାରଥୀ ମୁଖକୁ ଚାହିଁଲା ॥ ୫
ବୋଲେ ସାରଥୀ ମୁଖ ଚାହିଁ । ବେଗେ ତୁ ଚଳ ରଥ ବାହି ॥ ୬
ଦ୍ୟୁମାନ ମୁଖେ ରଥ କର । ତା ତୁଲେ ସମର ମୋହର ॥ ୭
ଶୁଣି ଦାରୁକସୁତ ବେଗେ । ମିଳିଲା ଦ୍ୟୁମାନର ଲାଗେ ॥ ୮
ଅସୁରମାୟା ଅପ୍ରମିତ । ଅସୁରବଳ କରେ ହତ ॥ ୯
ରୁକ୍ମିଣୀସୁତ ଦେଖି ରୋଷେ । ହୁଙ୍କାର କରି ଗୁଣ ଘୋଷେ ॥ ୧୦
ସନ୍ଧାନ କଲା ଅଷ୍ଟଶର । କେ କହୁ ମହିମା ତାହାର ॥ ୧୧
ରଥ ତୁରକ ଚାରିବାଣେ । ଛିଡି ପଡିଲେ ଘୋରରଣେ ॥ ୧୨
ସାରଥୀ ଏକବାଣେ ମଲା । ବେନି ନାରାଚେ ଧ୍ୱଜ ଗଲା ॥ ୧୩
ଏକା ନାରାଚେ ଛେଦି ଶିର । ବିମାନ କଲା ଶତେ ଚୁର ॥ ୧୪
ଗଦ ସାତ୍ୟକି ଶାମ୍ବ ଆଦି । ତୀକ୍ଷ୍ମ ନାରାଚ ବେଗେ ବିନ୍ଧି ॥ ୧୫
ଶାଲ୍ୱସଇନି କଲେ ନାଶ । ନାରାଚେ ନ ଦିଶେ ଆକାଶ ॥ ୧୬
ଶିର ଛିଡିଲା ଭୁଜବଳେ । ପଡିଲା ବାରାନିଧି ଜଳେ ॥ ୧୭
ଏମନ୍ତେ ଶାଲ୍ୱ ଯଦୁବୀରେ । ଋଣ ବଢିଲା ଏକୁଆରେ ॥ ୧୮
ଯୁଦ୍ଧ କରନ୍ତେ କୃଷ୍ଣବାଳା । ତ୍ରିନବରାତ୍ର ହେଲେ ଗଲା ॥ ୧୯
ଏବେ ହୋ ଶୁଣ ପରୀକ୍ଷିତ । ଇନ୍ଦ୍ରପ୍ରସ୍ଥରେ ଯଦୁନାଥ ॥ ୨୦
ଥିଲେ ରାଜୁସିଯଜ୍ଞକାଳେ । ଚକ୍ରେ ସଂହାରି ଶିଶୁପାଳେ ॥ ୨୧
ତାହାର ଭ୍ରାତ ଶାଲ୍ୱବୀର । ଯଦୁଙ୍କ ସଙ୍ଗତେ ସମର ॥ ୨୨
ତାହା ଜାଣିଲେ ଭାବଗ୍ରାହୀ । ଏମନ୍ତେ ଇନ୍ଦ୍ରପ୍ରସ୍ଥେ ଥାଇ ॥ ୨୩
ଦ୍ୱାରକାଯିବା ସଜ ହୋଇ । ପଣ୍ତୁନନ୍ଦ ଆଗେ କହି ॥ ୨୪
ଗୁରୁ ବୃଦ୍ଧଙ୍କୁ ଆଜ୍ଞା ମାଗି । ପିତୃଭଗିନୀପାଦେ ଲାଗି ॥ ୨୫
ମୁନିଙ୍କି କରି ନମସ୍କାର । ଗୋବିନ୍ଦ ହୋଇଲେ ବାହାର ॥ ୨୬
ଦେଖିଲେ ଅନ୍ଧକାର ଦିଶ । ନିର୍ଘାତେ କମ୍ପଇ ଆକାଶ ॥ ୨୭
ଭୂମି ଗଗନ ଅନ୍ତରୀକ୍ଷେ । ଉତ୍ପାତ ଦିଶଇ ପ୍ରତ୍ୟକ୍ଷେ ॥ ୨୮
ଘୋର ନିର୍ଘାତ ରିଷ୍ଟ ଚାହିଁ । ମନେ ଭାଳନ୍ତି ଭାବଗ୍ରାହୀ ॥ ୨୯
ଧର୍ମନନ୍ଦନପୁରେ ମୁହିଁ । ନିଶ୍ଚିନ୍ତେ ଅଛି ଭାବବହି ॥ ୩୦
ବନ୍ଧୁବାନ୍ଧବ ମୋର ସଙ୍ଗେ । ସୁଖେ ବଞ୍ଚନ୍ତି ନାନାରଙ୍ଗେ ॥ ୩୧
ଦୁଷ୍ଟସ୍ୱଭାବେ ମହାବଳ । ମୁଁ ଯେ ନାଶିଲି ଶିଶୁପାଳ ॥ ୩୨
ତାହାର ପକ୍ଷ ରାଜା ଯେତେ । ସକଳ ମିଳି କୋପଚିତ୍ତେ ॥ ୩୩
ନିଶ୍ଚେ ନାଶିଲେ ମୋର ପୁର । ତେଣୁ ଏ ରିଷ୍ଟ ମହାଘୋର ॥ ୩୪
ଶ୍ରୀକୃଷ୍ଣ ଏମନ୍ତ ବିଚାରି । ବେଗେ ମିଳିଲେ ନିଜପୁରୀ ॥ ୩୫
ଦେଖିଲେ ପ୍ରଜାଙ୍କ କଷଣ । ପୁତ୍ରେ କରନ୍ତି ଘୋରରଣ ॥ ୩୬
ନିଜ କୁଟୁମ୍ବ ରକ୍ଷା କରି । ପୁରେ ରହିଲେ ହଳଧାରୀ ॥ ୩୭
ରାମଙ୍କୁ ରଖି ନିଜପୁରେ । ଗୋବିନ୍ଦ ସାଜିଲେ ସମରେ ॥ ୩୮
ଦାରୁକେ ରାଇ ବନମାଳୀ । ବୋଲନ୍ତି ବେନିଭୂଜ ତୋଳି ॥ ୩୯
ତୁ ଯେବେ ସାରଥୀ ମୋହର । ଶାଲ୍ୱ ନିକଟେ ରଥ କରି ॥ ୪୦
ଚିତ୍ତେ ନ କର ତୁହି ହ୍ରାସ । ଜାଣ ତୁ ଶାଲ୍ୱ ଗଲା ନାଶ ॥ ୪୧
ଏମନ୍ତେ କୃଷ୍ଣଆଜ୍ଞା ପାଇ । ଦାରୁକ ବେଗେ ରଥ ବାହି ॥ ୪୨
ଗରୁଡ ବସେ ରଥ ଶିଖେ । ସ୍ୱର୍ଗେ ଦେଖନ୍ତି ବୃନ୍ଦାରକେ ॥ ୪୩
ଉଭୟବଳ ମଧ୍ୟେ ରଥ । ଶାଲ୍ୱ ଦେଖିଲା ଯଦୁନାଥ ॥ ୪୪
ସ୍ୱଭାବେ ହୀନବଳ- ପ୍ରାଣ । ମାୟା ପ୍ରକାଶେ ଗରୁଟାଣ ॥ ୪୫
ଦେଖି ଦାରୁକ ଦାମୋଦର । କୋପେ ଗର୍ଜଇ ମହାବୀର ॥ ୪୬
ଶକ୍ତିଏ ଥିଲା ତାର ହସ୍ତେ । କୋପେ ବୁଲାଇ ଶୂନ୍ୟପଥେ ॥ ୪୭
ରବିକିରଣ ପ୍ରାୟ ଦିଶି । କୃଷ୍ଣ ଉପରେ ଦେଲା ପେଷି ॥ ୪୮
ଶକ୍ତିଶବଦେ ଦିଗ ପୁର । ଦେଖି ଗୋବିନ୍ଦ ଧନୁ ଧରି ॥ ୪୯
ତୀକ୍ଷ୍ନ ନାଚାଚେ ଦାମୋଦର । ଶକତି କଲେ ଶତେ ଚୁର ॥ ୫୦
ଆକାଶେ ଭ୍ରମେ ମାୟାରଥ । ଶାଲ୍ୱ ସେ ବିମାନେ ଗୁପତ ॥ ୫୧
ଦେହ ନ ଦିଶେ ଅନ୍ଧକାରେ । ଚାହିଁ ଗୋବିନ୍ଦ କୋପଭରେ ॥ ୫୨
ଶର ବରଷେ ଯଦୁନାଥ । ଗଗନେ ଯେହ୍ନେ ଛାୟାକାନ୍ତ ॥ ୫୩
ତାପଇ ନିଜ ରଶ୍ମିଜାଳେ । କୃଷ୍ଣନାରାଚ ଅନ୍ତରାଳେ ॥ ୫୪
ନିମିଷମାତ୍ରେ କୋଟି କୋଟି । ବିଷ୍ଣୁନାରାଚ ଶୁନ୍ୟେ ଘୋଟି ॥ ୫୫
ଦେଖି ଚକିତ ମହାବୀର । ଲ୍ୟୈହ ଧନୁଏ ଧରି କର ॥ ୫୬
ମାୟା ପ୍ରକାଶି ଗରୁଟାଣ । କୋପେ ବିନ୍ଧିଲା ତୀକ୍ଷ୍ମବାଣ ॥ ୫୭
ତକ୍ଷଣେ କୃଷ୍ଣବାମ ମୁଷ୍ଟି । ଧନୁସହିତେ ଗଲା ଫୁଟି ॥ ୫୮
ହସ୍ତୁ ପଡିଲା ଧନୁ ତଳେ । ଦେଖି ଚକିତ ଦିଗପାଳେ ॥ ୫୯
କରନ୍ତି ହାହାକାରା ବାଣୀ । ଶାଲ୍ୱ ବୋଲଇ ତାହା ଶୁଣି ॥ ୬୦
ରେ ମୂଢ ଶୁଣ ମୋର ବାଣୀ । ମୋ ମିତ ବରିଲା ରୁକ୍ମିଣୀ ॥ ୬୧
ମଙ୍ଗଳ ଶୁଭଲଗ୍ନ ବେଳେ । ସେ କନ୍ୟା ନେଇଅଛୁ ବଳେ ॥ ୬୨
ସଭାର ମଧ୍ୟେ ଅବିଶ୍ୱାସ । ଶିଶୁପାଳକୁ କଲୁ ନାଶ ॥ ୬୩
ଏବେ ପଡିଲୁ ମୋର ମୁଖେ । ସମର କର ଆତ୍ମା ସୁଖେ ॥ ୬୪
ଦେଖ ମୋ ନାରାଚ ପ୍ରଚଣ୍ତ । ଏଥେ କାଟିବି ତୋର ମୁଣ୍ତ ॥ ୬୫
ଅଜେୟ ବୋଲାଉ ଜଗତେ । ଆଜ ପଡିଲୁ ମୋ ଅଗ୍ରତେ ॥ ୬୬
ଏମନ୍ତ ତାର ବାକ୍ୟ ଶୁଣି । ହସି ବୋଲନ୍ତି ଚକ୍ରପାଣି ॥ ୬୭
ଶୁଣ ମୋ ଶାଲ୍ୱ ମହାବୀର । ଏ କଥା ଉଚିତ ତୋହର ॥ ୬୮
ତୋ ପଞ୍ଚପ୍ରାଣ କଣ୍ଠତଟେ । ଯମକୁ ନ ଦେଖୁ ନିକଟେ ॥ ୬୯
ମରଣକାଳେ ଯେହ୍ନେ ପ୍ରାଣୀ । ଗୁରୁଗଉରବ ନ ଗଣି ॥ ୭୦
ପ୍ରଳାପ କରେ ରୋଗତାପେ । କୃତାନ୍ତ ସେବକ ସମୀପେ ॥ ୭୧
ଯେ ଯାହା ବୀରପଣ ବଳେ । ଲୋକେ ଦେଖନ୍ତି ଯୁଦ୍ଧକାଳେ ॥ ୭୨
ଆତ୍ମପ୍ରଶଂସା ଯେ କରନ୍ତି । ସେ ପ୍ରାଣୀ ନରକେ ପଡନ୍ତି ॥ ୭୩
ଏମନ୍ତ କହୁଁ କହୁଁ ହରି । ଦକ୍ଷିଣଭୂଜେ ଗଦା କରି ॥ ୭୪
ଉଠି ତାହାର ରଥ ଦଣ୍ତେ । ଗଦା ପ୍ରହାର କଲେ ମୁଣ୍ତେ ॥ ୭୫
ଶବଦ ଶୁଭେ ମହାଘୋର । ବଦନୁ ଗଳାଇ ରୁଧିର ॥ ୭୬
ଦେଖନ୍ତି ପ୍ରଭୁ ଭଗବାନ । ଶାଲ୍ୱ ହୋଇଲା ଅନ୍ତର୍ଦ୍ଧାନ ॥ ୭୭
କୃଷ୍ଣ ଚାହାନ୍ତି ଦଶଦିଶେ । ବିଷମମାୟା ପରକାଶେ ॥ ୭୮
ଏମନ୍ତେ ଗଲା ଦଣ୍ତଚାରି । ମାୟାପୁରୁଷ ରୂପ ଧରି ॥ ୭୯
ବେଗେ ମିଳିଲା କୃଷ୍ଣପାଶେ । ଚରଣେ ନମଇଁ ବିଶ୍ୱାସେ ॥ ୮୦
ବୋଲଇ ଶିରେ ଦେଇ ହସ୍ତ । ଦେବକୀଦେବୀର ମୁଁ ଦୂତ ॥ ୮୧
କଣ୍ଠକୁଣ୍ଠିତେ ବାକ୍ୟ କହେ । ବେନି ଲୋଚନୁ ଅଶ୍ରୁ ବହେ ॥ ୮୨
ହେ କୃଷ୍ଣ କୃଷ୍ଣ ମହାଭୁଜ । ମହାପୁରୁଷ ବିଶ୍ୱତେଜ ॥ ୮୩
ଆଜ ରଜନୀ ଅର୍ଦ୍ଧନିଶି । ଶାଲ୍ୱ ଦ୍ୱାରକାପୁରେ ପଶି ॥ ୮୪
ଯୁଦ୍ଧେ ଯାଦବବଳ ମାରି । ବସୁଦେବଙ୍କୁ ନେଲା ଧରି ॥ ୮୫
ପୁରେ କାନ୍ଦନ୍ତି ବଧୁଜନେ । ପଶୁଙ୍କୁ ପଶୁମାର ଯେହ୍ନେ ॥ ୮୬
ପିତୃବତ୍ସଳ ନାଥ ତୁହି । କହିଲି ମୋର ଦୋଷ ନାହିଁ ॥ ୮୭
ଏମନ୍ତେ ଦୂତବାକ୍ୟ ଶୁଣି । ମନୁଷ୍ୟ - ମୋହେ ଚକ୍ରପାଣି ॥ ୮୮
ପିତାର ସ୍ନେହପାଶେ ଗ୍ରସ୍ତ । ବିଭ୍ରମଚିତ୍ତେ ମୋହଗତ ॥ ୮୯
ଇତରଜନ ପ୍ରାୟ ଭାଳି । ମନେ ଚିନ୍ତିଲେ ବନମାଳୀ ॥ ୯୦
ଏ ତ ବିଷମ ବିପରୀତ । ଦେବକୀ ପେଷିଛନ୍ତି ଦୂତ ॥ ୯୧
ଯହିଁ ରକ୍ଷକ ହଳଧର । ଦେବଦାନବେ ଅଗୋଚର ॥ ୯୨
ତାହାଙ୍କୁ ଜିଣିଲା କେମନ୍ତେ । ବିହି ହୋଇଲା ବାମ ମୋତେ ॥ ୯୩
ଏ ଶାଲ୍ୱ କୀଟ ପ୍ରାୟ ମୋତେ । ରାମଙ୍କୁ ଜିଣିଲା କେମନ୍ତେ ॥ ୯୪
ଏତେ ବିଚାରି ନରହରି । ଭାଳନ୍ତି ହସ୍ତେ ଗଦା ଧରି ॥ ୯୫
ଦିଗେ ଦିଶନ୍ତି ଧୂମମେୟ । ଭୂମି ପ୍ରଚଣ୍ତ ଘୋରବାୟେ ॥ ୯୬
ଦେଖନ୍ତି ପ୍ରଭୁ ଭଗବାନ । ଗଗନେ ପ୍ରକାଶେ ବିମାନ ॥ ୯୭
ରବିକିରଣ ପ୍ରାୟ ଦିଶେ । ଶାଲ୍ୱ ମିଳିଲା କୃଷ୍ଣ ପାଶେ ॥ ୯୮
ବସୁଦେବର କେଶ ଧରି । ଝିଙ୍କଇ ଘୋରନାଦ କରି ॥ ୯୯
କୃଷ୍ଣଙ୍କୁ ଚାହିଁ ମହାରୋଷେ । ବୋଲଇ ବଚନ ପରୁଷେ ॥ ୧୦୦
ଦେଖ ଏ ତୋ ପିତା ଅଧମ । ଯାହାର ବୀର୍ଯ୍ୟେ ତୁ ଜନମ ॥ ୧୦୧
ଏହାର ଅର୍ଥେ ଦେହ ବହୁ । ଶ୍ରୀବାସୁଦେବ ତୁ ବୋଲାଉ ॥ ୧୦୨
ତୁ ଯେବେ ବୋଲାଉ ସମର୍ଥ । ଆଜ ମରୁଣୁ ରତ ତାତ ॥ ୧୦୩
ଏମନ୍ତେ କରଇ ଭର୍ତ୍ସନ । ଦୁଃସହ ନିଷ୍ଠୁର ବଚନ ॥ ୧୦୪
ଆକର୍ଷି ବସୁଦେବ ଆଣି । ତୀକ୍ଷ୍ମ ଖଡଗେ ଶିର ହାଣି ॥ ୧୦୫
କୃଷ୍ଣ କୋଳକୁ ଫିଙ୍ଗି ଦେଲା । ବିମାନେ ଗଗନେ ପଶିଲା ॥ ୧୦୬
ପିତାବଦନ ଦେଖି ହରି । ମୁହୂର୍ତ୍ତେ ମାତ୍ର ଶୋକ କରି ॥ ୧୦୭
ସ୍ୱଜନ ଅନୁଷଙ୍ଗ ଦୋଷେ । ନିଜ ପ୍ରକୃତି ମାୟା ଗ୍ରାସେ ॥ ୧୦୮
ଶୁଦ୍ଧ ସ୍ୱଭାବେ ନିରଞ୍ଜନ । ସ୍ୱୟଂ ପ୍ରକାଶ ଠୁଳ ଶୂନ୍ୟ ॥ ୧୦୯
ଜଗତପତି ଜ୍ଞାନଗୁରୁ । କେବା ମହିମା ଅନ୍ତଃ କରୁ ॥ ୧୧୦
ତକ୍ଷଣେ ପ୍ରଭୁ ଭଗବାନ । ନିଜ ସ୍ୱଭାବେ ଅବଧାନ ॥ ୧୧୧
ଜ୍ଞାନପ୍ରକାଶେ ମାୟା ନାଶ । ସୁଜ୍ଞାନ ଗୋବିନ୍ଦେ ପ୍ରକାଶ ॥ ୧୧୨
ଜାଣିଲେ ମୟ-ମାୟାବଳେ । ଶାଲ୍ୱ ଯୁଝଇ ମୋର ତୁଲେ ॥ ୧୧୩
ଏମନ୍ତ ଭାଳି କୃଷ୍ଣ ଚାହିଁ । ଦେଖିଲେ ରଥେ କେହି ନାହିଁ ॥ ୧୧୪
ନ ଦିଶେ ପିତା ଛିନ୍ନଶିର । ଦୂତ ହିଁ ହୋଇଲା ଅନ୍ତର ॥ ୧୧୫
ସ୍ୱପ୍ନେ ଯେସନେ ନିଦ୍ରାବୋଧେ । ଶ୍ରୀକୃଷ୍ଣ ଚାହାନ୍ତି ଆନନ୍ଦେ ॥ ୧୧୬
ଘୋର ଅନ୍ଧାରେ ମୟଯାନ । ଗଗନେ ଦେଖି ଭଗବାନ ॥ ୧୧୭
ରିପୁମାରଣେ ସାବଧାନ । ଶୁଣ ହୋ ପରୀକ୍ଷ ରାଜନ ॥ ୧୧୮
ବେଦବଚନେ ଋଷିଗଣେ । ପୂଜନ୍ତି ଯାହାର ଚରଣେ ॥ ୧୧୯
ସ୍ମରଣ କରି ନାମ ହୃଦେ । ତରନ୍ତି ସଂସାର ପ୍ରମାଦେ ॥ ୧୨୦
ତାହାର କାହିଁ ଶୋକ ମୋହ । ଅଜ୍ଞାନେ ଜାତ ସ୍ନେହଭୟ ॥ ୧୨୧
ଲୀଳା ପ୍ରକାରେ ଅନୁମାନେ । ଅବିଦ୍ୟା ବିରୋଧ ବଚନେ ॥ ୧୨୨
ଅଖଣ୍ତ ବିଜ୍ଞାନ ଯାହାର । ଜ୍ଞାନ ଅଜ୍ଞାନର ଈଶ୍ୱର ॥ ୧୨୩
ଯା ପାଦପଦ୍ମ ସେବା ଫଳେ । ନିର୍ମଳଆତ୍ମା ଜ୍ଞାନବଳେ ॥ ୧୨୪
ଅଜ୍ଞାନ ଅବିଦ୍ୟା ନାଶନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୧୨୫
ଲଭନ୍ତି ଆତ୍ମାନନ୍ଦ ହରି । ସକଳ ବିଷାଦ ପାସୋରି ॥ ୧୨୬
ଯାର ସେବକ ଏ ଜଗତେ । ମୋହ ନଯାନ୍ତି ମାୟାଗ୍ରସ୍ତେ ॥ ୧୨୭
ତାହାର ମାୟାମୋହ କାହିଁ । ଏବେ ହୋ ଶୁଣ ମନଦେଇ ॥ ୧୨୮
ଶାଲ୍ୱ ଗଗନପଥେ ଥାଇ । କୃଷ୍ଣଙ୍କୁ ବାଣ ବରଷଇ ॥ ୧୨୯
ଦେଖି ତାହାର ରଥ ଶୁନ୍ୟେ । ଗୋବିନ୍ଦ ତୀକ୍ଷ୍ମବାଣ ମୁନେ ॥ ୧୩୦
ତାହାର ଶସ୍ତ୍ର କଲେ ନାଶ । ତମ ଯେସନେ ରବିତ୍ରାସ ॥ ୧୩୧
ଚର୍ମ ଖଡଗ ଧନୁଦଣ୍ତ । ତକ୍ଷଣେ କଲେ ଖଣ୍ତ ଖଣ୍ତ ॥ ୧୩୨
ତାହାର ଶିରୋମଣି ହରି । ଗଦା ପ୍ରହାରେ ରଥ ଚୁରି ॥ ୧୩୩
ଗୋବିନ୍ଦ ହସ୍ତେ ଗଦା ବେଗେ । ମାୟାବିମାନ ଶୂନ୍ୟମାର୍ଗେ ॥ ୧୩୪
ଭାଙ୍ଗି ହୋଇଲା ଶତେଖଣ୍ତ । ଶବଦ ଶୁଭଇ ପ୍ରଚଣ୍ତ ॥ ୧୩୫
ଆକାଶେ ଦେଖନ୍ତି ବିବୁଧେ । ବୁଡିଲା ସିନ୍ଧୁଜଳ ମଧ୍ୟେ ॥ ୧୩୬
ବିମାନୁଁ ପଡି ଅନ୍ତରାଳେ । ଶାଲ୍ୱ ମିଳିଲା ମହୀତଳେ ॥ ୧୩୭
ଦକ୍ଷିଣକରେ ଗଦା ଘେନି । ଧାମନ୍ତେ କମ୍ପଇ ମେଦିନୀ ॥ ୧୩୮
ଦେଖି ଗୋବିନ୍ଦ ଆଗସରି । ଅଭେଦ ବାଣ କରେ ଧରି ॥ ୧୩୯
ଗଦା ସହିତେ ତାର କର । ଦୁରୁ ଛେଦିଲେ ଦାମୋଦର ॥ ୧୪୦
ଶାଲ୍ୱର ପ୍ରାଣ ନାଶିବାରେ । ସୁଦରଶନ ଧରି କରେ ॥ ୧୪୧
ପ୍ରଳୟରବି ପ୍ରାୟ ତେଜେ । ଶୋହେ ଶ୍ରୀକୃଷ୍ଣ ଦକ୍ଷଭୁଜେ ॥ ୧୪୨
ଯାହାର ତେଜେ କମ୍ପେ ମହୀ । କି ପଟାନ୍ତର ଦେବି ମୁହିଁ ॥ ୧୪୩
ଉଦୟଗିରି ସୂର୍ଯ୍ୟଯୋଗେ । ଯେହ୍ନେ ବିରାଜେ ପୂର୍ବଦିଗେ ॥ ୧୪୪
ଚକ୍ର ପ୍ରହାରି ଦାମୋଦର । ଦୁରୁ ଛେଦିଲେ ତାର ଶିର ॥ ୧୪୫
ଶିର ପଡିଲା ମହୀତଳେ । ବିରାଜେ କିରୀଟ କୁଣ୍ତଳେ ॥ ୧୪୬
ବାସବ ବଜ୍ରେ ବୃତ୍ତ୍ର ଯେହ୍ନେ । ହାହା ଶବଦ କଲେ ଶୂନ୍ୟେ ॥ ୧୪୭
ଶାଲ୍ୱ ଜୀବନ ତେଜରାଶି । ତକ୍ଷଣେ କୃଷ୍ଣଦେହେ ପଶି ॥ ୧୪୮
ବିଜୁଳି ଯେହ୍ନେ ନୀଳମେଘେ । ଦେବେ ଦେଖନ୍ତି ଶୂନ୍ୟମାର୍ଗେ ॥ ୧୪୯
ଏମନ୍ତେ ଶାଲ୍ୱ ନାଶ ଗଲା । ଅବନୀ ଉଶ୍ୱାସ ହୋଇଲା ॥ ୧୫୦
ବାଜଇ ଦୁନ୍ଦୁଭି ଶବଦ । ନାଚନ୍ତି ଅପସରାବୃନ୍ଦ ॥ ୧୫୧
ତାହାର ସଖା ଦନ୍ତବକ୍ର । ଗୋବିନ୍ଦେ ହୋଇ ରିପୁଚକ୍ର ॥ ୧୫୨
ମିଳିଲା ଶ୍ରୀକୃଷ୍ଣ ଅଗ୍ରତ । ହୃଦେ ସୁମରି ଭାତୃହତ ॥ ୧୫୩
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୫୪
ଭାରା ହରଣେ କୃଷ୍ଣ କଥା । ଶୁଣନ୍ତେ ହରେ ଭବବ୍ୟଥା ॥ ୧୫୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସୌଭବଧୋ ନାମ ଦ୍ୱିଅଶୀତିତମ ଅଧାୟଃ ॥
</poem>
==='''ତ୍ରିଅଶୀତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ପୁଅ ସାବଧାନ ॥ ୧
ମଲେ ଯେ ଶାଲ୍ୱ ଶିଶୁପାଳ । ଯୁଦ୍ଧେ ପୌଣ୍ତ୍ରକ ମହାବଳ ॥ ୨
ଏହାର ସଖା ଦନ୍ତବକ୍ର । କୃଷ୍ଣେ ସାଜିଲା ରିପୁଚକ୍ର ॥ ୩
ସୁହୃଦ୍ଧର୍ମ ପରଲୋକେ । ଦେଖାଇ ଯୁଦ୍ଧେ ଗଲା ଏକେ ॥ ୪
ଏକାକୀ ଧାଏଁ କୋପ କରି । ଦକ୍ଷିଣଭୂଜେ ଗଦା ଧରି ॥ ୫
ଧରଣୀ କମ୍ପେ ପାଦଭରେ । ମିଳିଲା କୃଷ୍ଣର ଛାମୁରେ ॥ ୬
ଦେଖି ତାହାର ମହାକାୟ । ସତ୍ୱରେ ପ୍ରଭୁ ଦେବରାୟ ॥ ୭
ରଥୁଁ ଓହ୍ଲାଇ ପାଦେ ଗମି । ଧାଇଁଲେ କରେ ଗଦା ଘେନି ॥ ୮
ସମୁଦ୍ର ଯେହ୍ନେ ଲଙ୍ଘେ ତୀର । କୃଷ୍ଣ ମିଳିଲେ ତା ଛାମୁର ॥ ୯
କୃଷ୍ଣଙ୍କୁ ଦେଖି ଗଦା ତୋଳି । କୋପେ ବୋଲଇ ମହାବଳୀ ॥ ୧୦
ଆଜ ମୋହର ଭାଗ୍ୟରାଶି । ତୁ ମୋର ଦୃଷ୍ଟିପଥେ ଆସି ॥ ୧୧
ପଡିଲୁ ଆଜ ଯିବୁ କାହିଁ ।ରେ ଦୁଷ୍ଟ ମୁଖ ତୋ ନ ଚାହିଁ ॥ ୧୨
ମୋର ମାତୁଳସୁତ ତୁହି । ସ୍ୱଭାବେ ଅଟୁ ମିତ୍ରଦ୍ରୋହୀ ॥ ୧୩
ଧିକ ତୋହର ଶସ୍ତ୍ରଦୀକ୍ଷା । ମୋର ମରଣେ ତୋର ଇଚ୍ଛା ॥ ୧୪
ଏ ବଜ୍ରକଳ୍ପ ଗଦାଘାତେ । ଆଜ ପେଷିବି ଯମପଥେ ॥ ୧୫
ତୋହର ତୁଲେ କରି ଋଣ । ଆଜ ଶୁଝିବି ଭାତୃଋଣ ॥ ୧୬
ତୁ ବନ୍ଧୁ ରିପୁ ମୋ ବଇରୀ । ମୁଁ ଆଜ ଋଣେ ତୋତେ ମାରି ॥ ୧୭
ନିଶ୍ଚିନ୍ତେ ହୋଇବି ଆନନ୍ଦ । ବ୍ୟାଧିକି ଯେସନେ ଔଷଧ ॥ ୧୮
ରୋଗ ନ ମଲେ ଦେହ ମରେ । ବ୍ୟାଧି ଚିକିତ୍ସା ଯେ ନ କରେ ॥ ୧୯
ଏମନ୍ତେ କଟୁବାକ୍ୟ ବୋଲି । ଦକ୍ଷିଣଭୁଜେ ଗଦାତୋଳି ॥ ୨୦
ପିଟିଲା ଗୋବିନ୍ଦର ମୁଣ୍ତେ । ଘୋରଶବଦ କରି ତୁଣ୍ତେ ॥ ୨୧
ଗଦା ପ୍ରହାରେ ଋଣ ମଧ୍ୟେ । ଗୋବିନ୍ଦ ନ ଚଳିଲେ ପାଦେ ॥ ୨୨
ବିଷମ-ଗଦାଘାତ ସହି । ତକ୍ଷଣେ ପ୍ରଭୁ ଭାବଗ୍ରାହୀ ॥ ୨୩
କଉମୋଦକୀ ଗଦା ବେଗେ । କୋପେ ବୁଲାଇ ଶୂନ୍ୟମାର୍ଗେ ॥ ୨୪
ହୁଙ୍କାର କରି ବାହୁବଳେ । ପିଟିଲେ ତାର ବକ୍ଷସ୍ଥଳେ ॥ ୨୫
ଗଦା ପ୍ରହାରେ ହୃଦଫାଟି । ପଡିଲା ମହୀତଳେ ଲୋଟି ॥ ୨୬
ମୁଖରୁ ଗଳଇ ରୁଧିର । ଜନେ କରନ୍ତି ହାହାକାର ॥ ୨୭
ପ୍ରସାରି କେଶ-ପାଦ-କର । ରଣେ ପଡିଲା ମହାବୀର ॥ ୨୮
ତାର ଶରୀରୁ ପୁଣ୍ୟତେଜ । ଯେହ୍ନେ ଉଦିତ ଗ୍ରହରାଦ ॥ ୨୯
ପଶିଲା କୃଷ୍ଣଦେହ ମଧ୍ୟେ । ଗଗନେ ଦେଖନ୍ତି ବିବୁଧେ ॥ ୩୦
ଧର୍ମନନ୍ଦନ ସଭାମଧ୍ୟେ । ଯେସନେ ଶିଶୁପାଳ ବଧେ ॥ ୩୧
ଦେଖିଣ ଦନ୍ତବକ୍ର ହତ । ତାହାର ଭ୍ରାତ ବିଦୁରଥ ॥ ୩୨
ଭ୍ରାତୃମରଣ ଶୋକେ ତାପି । ରୋଷେ ଦଶନେ ଓଷ୍ଠ ଚାପି ॥ ୩୩
ଖଡଗ ଚର୍ମ କରେ ଧରି । କୃଷ୍ଣଙ୍କୁ ସମରେ ଆବୋରି ॥ ୩୪
ନିଷ୍ଠୁର ବାକ୍ୟ କହେ ତୁଣ୍ତେ । ବଜ୍ର ପ୍ରହାର ଯେହ୍ନେ ମୁଣ୍ତେ ॥ ୩୫
ଦେଖି ତାହାର ବ୍ୟଗ୍ରଗତି । ଚକ୍ରପ୍ରହାରେ ଯଦୁପତି ॥ ୩୬
ବେଗେ ଛେଦିଲେ ତା କପାଳ । ବିରାଜେ କିରୀଟ କୁଣ୍ତଳ ॥ ୩୭
ଶିର ପଡିଲା ଭୂମିମଧ୍ୟେ । ପ୍ରାଣ ପଶିଲା କୃଷ୍ଣହୃଦେ ॥ ୩୮
ଏମନ୍ତେ ଶାଲ୍ଫ ଶିଶୁପାଳ । ସଂହାରି ମଦନଗୋପାଳ ॥ ୩୯
ଦନ୍ତବିକଟ ବିଦୁରଥ । କୃଷ୍ଣର ହସ୍ତେ ହୋଇ ହତ ॥ ୪୦
ପଶିଲେ ଅଭୟଚରଣେ । ଯେ ଅବା ମଲେ କୃଷ୍ଣରଣେ ॥ ୪୧
ମୁନି କରନ୍ତି ଜୟବାଣୀ । ପୁଷ୍ପବରଷି ସ୍ତୁତି ଭଣି ॥ ୪୨
ଦେବେ ଯେ ଶୂନ୍ୟମାର୍ଗେ ଥିଲେ । ଶ୍ରୀଅଙ୍ଗେ ପୁଷ୍ପ ବରଷିଲେ ॥ ୪୩
ଦୁନ୍ଦୁଭି ବାଜେ ସୁରଲୋକେ । ନାରୀ ନାଚନ୍ତି କଉତୁକେ ॥ ୪୪
ଯକ୍ଷ କିନ୍ନର ବିଦ୍ୟାଧରେ । ଗନ୍ଧର୍ବେ ଗାବନ୍ତି ସୁସ୍ୱରେ ॥ ୪୫
କୃଷ୍ଣବିଜୟ କଉତୁକେ । ଆନନ୍ଦେ ସୁର- ନରଲୋକେ ॥ ୪୬
ଯାଦବବଳ ସଙ୍ଗେ ହରି । ପ୍ରବେଶ ଦ୍ୱାରକାନଗରୀ ॥ ୪୭
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୪୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦନ୍ତବକ୍ର -
ବିଦୁରଥବଧୋ ନାମ ତ୍ରିଅଶୀତିତମ ଅଧ୍ୟାୟଃ ॥
</poem>
==='''ଚତୁଃଅଶୀତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ହୋ ଅଭିମନ୍ୟୁସୁତ । କୃଷ୍ଣଚରିତ ଭାଗବତ ॥ ୧
ଏମନ୍ତେ ପ୍ରଭୁ ନରହରି । ମନୁଷ୍ୟରୂପେ ଅବତରି ॥ ୨
ସ୍ୱଭାବେ ମାୟା ଅପ୍ରମିତ । ସେ କାହୁଁ ହେବେ ପରାଜିତ ॥ ୩
ତାହାଙ୍କୁ ପୀଡନ୍ତି ଅସୁରେ । ବିନାଶ ହୁଅନ୍ତି ସମରେ ॥ ୪
ପଶୁଦୁଷ୍ଟଙ୍କର ଏ ମତ । ଏ ନୋହେ ପୁଣି ପରମାର୍ଥ ॥ ୫
ଏବେ ହୋ ଶୁଣ ନୃପମଣି । ଦ୍ୱାରକାପୁରେ ହଳପାଣି ॥ ୬
କୁରୁପାଣ୍ତବ ଘୋରତମ । ଶୁଣିଲେ ଯୁଦ୍ଧର ଉଦ୍ୟମ ॥ ୭
ମଧ୍ୟସ୍ଥ ପଣେ ହଳପତି । ତୀର୍ଥ ଗମନ ବ୍ୟାଜମତ ॥ ୮
ପିତାମାତାଙ୍କୁ ଆଜ୍ଞା ମାଗି । ଗୁରୁପୁତ୍ରଙ୍କ ପାଦେ ଲାଗି ॥ ୯
ସାଧୁଜନଙ୍କୁ ସଙ୍ଗ କରି । ବିଜୟ କଲେ ହଳଧାରୀ ॥ ୧୦
ଯାଇ ମିଳିଲେ କୁରୁକ୍ଷେତ୍ରେ । ପର୍ଶୁରାମର କୀର୍ତ୍ତି ଯେତେ ॥ ୧୧
ସ୍ନାହାନ ସାରି ରାମ ହ୍ରଦେ । ଦେବତା ପିତୃଙ୍କୁ ଆନନ୍ଦେ ॥ ୧୨
ଜଳତର୍ପଣେ ତୋଷି ମନ । ବ୍ରାହ୍ମଣେ ଦେଇ ମହାଦାନ ॥ ୧୩
ଗମନ୍ତି ସରସ୍ୱତୀତୀରେ । ସଙ୍ଗେ ସକଳ ବିପ୍ରବରେ ॥ ୧୪
ପୃଥୁଉଦକ ବିନ୍ଦୁସର । ଏ ବେନି ତୀର୍ଥେ ହଳଧର ॥ ୧୫
ପିତୃଦେବତା ବିପ୍ରେ ପୁଜି । ତ୍ରିତକୂପକୁ ପୁଣ ଭଜି ॥ ୧୬
ସୁଦରଶନ ସୁବିଶାଳ । ଏ ବେନିତୀର୍ଥେ କାମପାଳ ॥ ୧୭
ଆନନ୍ଦେ ସାରି ନିତ୍ୟକର୍ମ । ବ୍ରହ୍ମତୀର୍ଥରେ ଆଗମନ ॥ ୧୮
ପୁଣି ମିଳିଲେ ଚକ୍ରତୀର୍ଥେ । ସୁପ୍ରାଚୀ ସରସ୍ୱତୀ ପଥେ ॥ ୧୯
ଯମୁନାସ୍ନାନ ସାରି ଧୀରେ । ଆସି ମିଳିଲେ ଗଙ୍ଗାତୀରେ ॥ ୨୦
ତହୁଁ ଚଳିଲେ ଶୁଦ୍ଧମନେ । ମିଳିଲେ ନୈମିଷଅରଣ୍ୟେ ॥ ୨୧
ଷଷ୍ଟିସହସ୍ର ବ୍ରହ୍ମଋଷି । ଯଜ୍ଞ କରନ୍ତି ତହିଁ ବସି ॥ ୨୨
ରାମଙ୍କୁ ମୁନିଜନେ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୨୩
ପୋଛୋଟି ଗଲେ କିଛି ଦୂରେ । ପୂଜିଲେ ଅତିଥି ବେଭାରେ ॥ ୨୪
ଏମନ୍ତେ ଆଣି ତୋଷମନେ । ରାମଙ୍କୁ ବସାଇ ଆସନେ ॥ ୨୫
ସ୍ତୁତି କରନ୍ତି ମୁନିଗଣ । ଏମନ୍ତେ ରୋମହରଷଣ ॥ ୨୬
ବ୍ୟାସଙ୍କ ଶିଷ୍ୟ ସେ ଯୁକତେ । ଆସନେ ରାମଙ୍କ ଅଗ୍ରତେ ॥ ୨୭
ବସି କହନ୍ତି କୃଷ୍ଣକଥା । ଦେଖି ପାଇଲେ ରାମ ବ୍ୟଥା ॥ ୨୮
ମନେ ଭାଳନ୍ତି କୋପଚିତ୍ତେ । ଏ ତ ଅବଜ୍ଞା କଲା ମୋତେ ॥ ୨୯
ଏ ଶୂଦ୍ର ହୋଇ ବିପ୍ରମଧ୍ୟେ । ଧର୍ମାଦି ଶିକ୍ଷା ଅନୁବାଦେ ॥ ୩୦
ଗୁରୁଙ୍କ ପ୍ରାୟ ଗର୍ବ କଲା । ମୋତେ ଆସନ ନ ତେଜିଲା ॥ ୩୧
କେମନ୍ତେ ଧର୍ମ ବିପ୍ରଜନେ । କହେ ଅନୁବାଦ ବଚନେ ॥ ୩୨
ଏ ବଡ ମୋତେ ବୀପରୀତ । ସ୍ୱଭାବେ ପ୍ରତିଲୋମ ଜାତ ॥ ୩୩
ଯେଣୁ ଏ ବ୍ୟାସଙ୍କର ଶିଷ୍ୟ । ଜାଣଇ ଅତୀତ ଭବିଷ୍ୟ ॥ ୩୪
ପୁରାଣ ଇତିହାସ ଆଦି । ଏ ସର୍ବଶାସ୍ତ୍ର ଧର୍ମବାଦୀ ॥ ୩୫
କେବଳ ଆତ୍ମାକୁ ନ ଜାଣେ । ଅବିନୀତ ଏ ପରମାଣେ ॥ ୩୬
ଦମ୍ଭେ ଏ ପଣ୍ତିତ ବୋଲାଇ । ମୋତେ ନ ଗଣେ ଗର୍ବ ବହି ॥ ୩୭
ଦଷ୍ଟ ଦାମ୍ଭିକ ଦୁରାଚାର । ସ୍ୱଭାବେ ଗର୍ବ ଅହଙ୍କାର ॥ ୩୮
ଏହାର ଧର୍ମବିଦ୍ୟା ଯେତେ । ନିଶ୍ଚେ ନୁହଇଁ ଗୁଣଅର୍ଥେ ॥ ୩୯
ଏହାଙ୍କୁ ଦଣ୍ତିବାର ଅର୍ଥେ । ମୋ ଅବତାର ଏ ଜଗତେ ॥ ୪୦
ଏମନ୍ତ ହୃଦରେ ବିଚାରି । ଅନନ୍ତବଳ ଆଗସରି ॥ ୪୧
ଯେ ରାମ ଆତ୍ମାଗୁଣେ ରତ । ବିଧାତା ଫଳ ବିପରୀତ ॥ ୪୨
ହସ୍ତେ ଯେ ଥିଲା କୁଶମୁଷ୍ଟି । ତାମସଗୁଣେ କୋପଦୃଷ୍ଟି ॥ ୪୩
କୁଶକୁ ଘେନି ଅତି କୋପେ । ମିଳିଲେ ତାହାର ସମୀପେ ॥ ୪୪
କୋପେ ପ୍ରଚଣ୍ତ ଗୁରୁତର । କୁଶେ ଛେଦିଲେ ତାର ଶିର ॥ ୪୫
ହା ହା ଶବଦେ ବିପ୍ରଜନେ । ରାମଙ୍କୁ ଚାହିଁ ଖେଦମନେ ॥ ୪୬
ସଙ୍କରଷଣମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୪୭
ଭୋ ନାଥ ଜଗତ କାରଣ । ଏ ବଡ ପାପ ଆଚରଣ ॥ ୪୮
ଆଗମ ନିଗମ ଏ ବାଦ । ପ୍ରତ୍ୟେକ୍ଷ କଲୁ ବ୍ରହ୍ମବଧ ॥ ୪୯
ଭୋ ନାଥ ମହାଯଜ୍ଞ ଅର୍ଥେ । ଏହାଙ୍କୁ ଅଣାଇ ସମସ୍ତେ ॥ ୫୦
ବ୍ରହ୍ମା ଆସନେ ବସାଇଲୁ । ବଳ ଆୟୁଷ ବିସ୍ତାରିଲୁ ॥ ୫୧
ସ୍ଥାପିଲୁ କରି ଅଭିମତ । ଯାବତ ଯଜ୍ଞ ସମାପ୍ତ ॥ ୫୨
ତୁ ଯେବେ କଲୁ ଏଡେ କର୍ମ । ଏବେ ଆଚର ଦୀକ୍ଷାଧର୍ମ ॥ ୫୩
ତୁ ଯୋଗେଶ୍ୱର ଭଗବାନ । ପାଳ ତୁ ନିଗମବଚନ ॥ ୫୪
ଲୋକ ସଂଗ୍ରହ ତୁମ୍ଭେ କର । ଏ ବ୍ରହ୍ମବଧ ପ୍ରତିକାର ॥ ୫୫
ଶୁଣି ଚକିତ ହଳଧର । ବୋଲନ୍ତି ଯୋଡି ବେନିକର ॥ ୫୬
ନମସ୍ତେ ବ୍ରହ୍ମଋଷିଗଣ । କହ ହେ ଏହାର କାରଣ ॥ ୫୭
ଲୋକେ ବେଭାରେ ଯଥାବିଧି । ପ୍ରଥମକଳ୍ପେ ଯେ ପ୍ରସିଦ୍ଧି ॥ ୫୮
କହ କି କରିବି ଉପାୟ । ଯେମନ୍ତେ ହତ୍ୟା ଯିବ କ୍ଷୟ ॥ ୫୯
ମୁଁ ପୁଣି ତୁମ୍ଭ ଯଜ୍ଞଅର୍ଥେ । ସାଧିବି ନିଜ ଯୋଗମତେ ॥ ୬୦
ଏହାଙ୍କୁ ଜିଆଇବୀ ମୁହିଁ । ବଳ ଶଉର୍ଯ୍ୟ ବୁଦ୍ଧି ଦେଇ ॥ ୬୧
ସ୍ଥାପିବି ଏ ମୋହର ସତ୍ୟ । ଯାବତ ଯଜ୍ଞ ସମାପତ ॥ ୬୨
ଏମନ୍ତେ ରାମବାକ୍ୟ ଶୁଣି । ବିପ୍ରେ ବୋଲନ୍ତି ମନେ ଗୁଣି ॥ ୬୩
ଭୋ ନାଥ ଶୁଣ ହଳଧର । ଏ ସତ୍ୟବଚନ ଆମ୍ଭର ॥ ୬୪
ମରଣେ ନୋହିବ ଏ ଗ୍ରସ୍ତ । ତୁମ୍ଭର ବଚନ ଯେମନ୍ତ ॥ ୬୫
ଯଜ୍ଞେ ଏ ଥିବ ଆମ୍ଭ ମେଳେ । ଧର୍ମସଂଶୟ ପ୍ରଶ୍ନକାଳେ ॥ ୬୬
ବିପ୍ରଙ୍କ ବାକ୍ୟ ସାଧୁବାଣୀ । ରାମ ବୋଲନ୍ତି ତାହା ଶୁଣି ॥ ୬୭
ଆତ୍ମାରୁ ଆତ୍ମାର ସମ୍ଭୂତ । ଏ ବେଦବାକ୍ୟ ଅନୁମତ ॥ ୬୮
ଏହାର ପୁତ୍ରକୁ ବସାଇ । ବଳ ଆୟୁଷ ଜ୍ଞାନ ଦେଇ ॥ ୬୯
ପିତାହୁଁ ହେଉ ଗୁଣାକର । ଏମନ୍ତ କହି ହଳଧର ॥ ୭୦
ତାର ପୁତ୍ରକୁ ସାବଧାନେ । ବସାଇ ବ୍ରହ୍ମାର ଆସନେ ॥ ୭୧
ବୋଇଲେ ହୁଅ ଜ୍ଞାନସିଦ୍ଧି । ତାତୁଁ ଅନେକ ହେଉ ବୃଦ୍ଧି ॥ ୭୨
ଏମନ୍ତେ ସ୍ଥାପି ତାର ସୁତ । ବୋଲନ୍ତି ରେବତୀର କାନ୍ତ ॥ ୭୩
ଏବେ କରିବି କିସ କହ । ବିଚାରି ମୋତେ ଆଜ୍ଞା ଦିଅ ॥ ୭୪
ଶୁଣି ଆନନ୍ଦ ମୁନିଗଣ । ବୋଲନ୍ତି ଶୁଣ ସଙ୍କର୍ଷଣ ॥ ୭୫
ଇଲ୍ୱଳ ନାମେ ମହାସୁର । ବଲ୍ୱଳ ତାହାର କୁମର ॥ ୭୬
ନିତ୍ୟେ ପାର୍ବଣ ଯୋଗେ ଆସେ । ଆମ୍ଭର ଯଜ୍ଞକର୍ମ ନାଶେ ॥ ୭୭
ସେ ଦୁରାଚାର ନାଶ ଗଲେ । ଯଜ୍ଞ କରିବୁ ଆମ୍ଭେ ଭଲେ ॥ ୭୮
ଶଶୀ-ପ୍ରଳୟ-ନିଶି-ଜାଣି । ସଙ୍ଗେ ଅସୁର ବଳ ଆଣି ॥ ୭୯
ରାତ୍ରେ ମିଳଇ ଯଜ୍ଞଶାଳେ । ରାକ୍ଷସ ମାୟା ଯୋଗବଳେ ॥ ୮୦
ପୂଯ ଶୋଣିତ ମଳ ମୂତ୍ର । କୁଣ୍ତେ ବରଷେ ଅପ୍ରମିତ ॥ ୮୧
ତାହାକୁ କରି ପ୍ରାଣେ ହତ । ଆମ୍ଭକୁ କରାଅ ନିଶ୍ଚିନ୍ତ ॥ ୮୨
ଭାରତ ମଧ୍ୟେ ଯେତେ ପୂରୀ । ଦକ୍ଷିଣ ପ୍ରଦିକ୍ଷଣ କରି ॥ ୮୩
ଏମନ୍ତେ ଦ୍ୱାଦଶ ଯେ ମାସ । ଭ୍ରମିବ ପୁର ଗ୍ରାମ ଦେଶ ॥ ୮୪
ଏମନ୍ତେ ହତ୍ୟା ଯିବ ନାଶ । ନିର୍ମଳେ ନିଜପୁରେ ପଶ ॥ ୮୫
ବୋଲଇ ବିପ୍ର ଜଗନ୍ନାଥ । ତା ଶୁଣି ରାମ କୃତ୍ୟକୃତ୍ୟ ॥ ୮୬
ଅସୁର ଆଗମନ ଚାହିଁ । ଯଜ୍ଞେ ରହିଲେ ତୋଷ ହୋଇ ॥ ୮୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ଚରିତ୍ରେ ବଲ୍ୱଳବଧ ଉପକ୍ରମୋ
ନାମ ଚତୁଃଅଶୀତିତମ ଅଧ୍ୟାୟଃ ।
</poem>
==='''ପଞ୍ଚଅଶୀତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । ରାକ୍ଷସ ମିଳି ଯଜ୍ଞଭାଗେ ॥୧
ଶଶୀପାର୍ବଣ ରାତ୍ରକାଳେ । ପ୍ରଚଣ୍ତ ବାତ ସଙ୍ଗ ମେଳେ ॥୨
ଧୂଳି ପୁରିଲା ଦଶଦିଶେ । କୁତ୍ସିତ ଯୂପ ଗନ୍ଧବାସେ ॥୩
ବଲ୍ୱଳବୀର ମହାରୋଷେ । ଆଚ୍ଛାଦି ଅମେଧ୍ୟ ବରଷେ ॥୪
ଯଜ୍ଞନାଶନେ ମହାବୀର । ମାୟା ପ୍ରକାଶେ ଅନ୍ଧକାର ॥ ୫
ଭୟେ ଚାହାନ୍ତି ବ୍ରହ୍ମମୁନି । ମିଳିଲା ହସ୍ତେ ଶୂଳ ଘେନି ॥ ୬
ଘୋର ପ୍ରଚଣ୍ତ ମହାକାୟେ । ଓଷ୍ଠ କାମୋଡି କୋପେ ଚାହେଁ ॥ ୭
ତାର ବଦନ ଚାରିପାଶେ । ଅନଳଖଣ୍ତ ପ୍ରାୟ ଦିଶେ ॥ ୮
ତପତତମ୍ବା ପ୍ରାୟ ଦାଢି । ବଦନୁ ଶୁଭେ ଘୋରରଡି ॥ ୯
ବିକଟଦନ୍ତ ତାର ମୁଖେ । ଭ୍ରୁକୁଟି କୁଟିଳ ସୁରେଖେ ॥ ୧୦
ଦେଖି ତାହାର ଦୁଷ୍ଟମତି । ହଳ ସୁମରି ହଳପତି ॥ ୧୧
ହସ୍ତ ପାତିଲେ ଶୂନ୍ୟମାର୍ଗେ । ହଳ ମିଳିଲା ଆସି ବେଗେ ॥ ୧୨
ଘୋରଦାନବ ନିବାରଣେ । ମୁଷଳ ମିଳିଲା ତକ୍ଷଣେ ॥ ୧୩
ଗଗନେ ଦେଖି ତା ଶରୀର । ଲଙ୍ଗଳ ଅଗ୍ରେ ନୀଳାମ୍ବର ॥ ୧୪
ଆକର୍ଷି ଆଣି ଯଜ୍ଞଦାଣ୍ତେ । ମୁଷଳ ପ୍ରହାରିଲେ ମୁଣ୍ତେ ॥ ୧୫
ତକ୍ଷଣେ ହୋଇ ଖଣ୍ତ ଖଣ୍ତ । ତଳେ ପଡିଲା ମୃତପିଣ୍ତ ॥ ୧୬
ରୁଧିର ଗଳେ ତା ବଦନେ । ପ୍ରାଣ ଛାଡିଲା ଘୋରସ୍ୱନେ ॥ ୧୭
ଶବଦ ଦଶଦିଗେ ପୁରି । ବାସବ ବଜ୍ରେ ଯେହ୍ନେ ଗିରି ॥ ୧୮
ଅବନୀ ହୋଇଲା ଉଶ୍ୱାସ । ବ୍ରାହ୍ମଣେ ମିଳି ରାମ ପାଶ ॥ ୧୯
କଲ୍ୟାଣ କରନ୍ତି ଆନନ୍ଦେ । ନିଗମ ବାକ୍ୟ ଅନୁବାଦେ ॥ ୨୦
ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥ ୨୧
ରାମେ ପୁଜିଲେ ମହାଜନେ । ବୃତ୍ତ ବିନାଶେ ଇନ୍ଦ୍ରେଯେହ୍ନେ ॥ ୨୨
ନାନା କୁସୁମେ ପରିମଳ । ହୃଦେ ଲମ୍ବାଇ ବନମାଳ ॥ ୨୩
ନୀଳଦୂକୁଳ ରତ୍ନମଣି । ପୂଜିଲେ ହରଷରେ ଘେନି ॥ ୨୪
ବ୍ରାହ୍ମଣେ ହୋଇ ଅନୁଜ୍ଞାତ । ହରଷେ ରୋହିଣୀର ସୁତ ॥ ୨୫
ଚଳିଲେ ତୀର୍ଥର କାରଣେ । ମିଳିଲେ କଉଶିକୀ ସ୍ଥାନେ ॥ ୨୬
ତକ୍ଷଣେ କଉଶିକୀ ଜଳେ । ସ୍ନାନ ସାରିଲେ ବିପ୍ରମେଳେ ॥ ୨୭
ପିତୃତର୍ପଣ ସାରି ତୀରେ । ମିଳିଲେ ମାନସରୋବରେ ॥ ୨୮
ସରଯୂ ଅନୁସ୍ରୋତେ ଚଳି । ବେଣୀ-ପ୍ରୟାଗେ ଯାଇ ମିଳି ॥ ୨୯
ଗଙ୍ଗା ଯମୁନାର ସଙ୍ଗମେ । ପ୍ରୟାଗ ତୀର୍ଥେ ଶୁଦ୍ଧମନେ ॥ ୩୦
ରାମ ସାରିଲେ ନିତ୍ୟକର୍ମ । ପିତୃଦେବଙ୍କୁ ଜଳଦାନ ॥ ୩୧
ପୁଲହାଶ୍ରମ ତହୁଁ ଗଲେ । ଋଷି ବ୍ରାହ୍ମଣଙ୍କର ତୁଲେ ॥ ୩୨
ସୁଖେ ଗମନ ଯଦୁପତି । ମିଳିଲେ ଗଣ୍ତକୀ ଗୋମତୀ ॥ ୩୩
ବିପାଶା ଶୋଣନଦୀ ଜିଣି । ଗୟା ଗମିଲେ ହଳପାଣି ॥ ୩୪
ପିଣ୍ତେ ଉଦ୍ଧରି ପିତୃଗଣ । ତହୁଁ ଚଳିଲେ ତୋଷମନ ॥ ୩୫
ତହୁଁ କେତେ ହେଁ ଦିନେ ହଳୀ । ଗଙ୍ଗାସାଗରେ ଯାଇ ମିଳି ॥ ୩୬
ସ୍ନାନ ସାରିଣ କାମପାଳ । ପ୍ରବେଶ ହେଲେ ନୀଳାଚଳ ॥ ୩୭
ସମୁଦ୍ରେ ସାରିଲେ ସ୍ନାହାନ । ତହୁଁ ଚଳିଲେ ତୋଷମନ ॥ ୩୮
ମିଳିଲେ ମହେନ୍ଦ୍ର ଆଶ୍ରମେ । ତହିଁ ଭେଟିଲେ ପର୍ଶୁରାମେ ॥ ୩୯
ତାହାଙ୍କୁ କରି ନମସ୍କାର । ଗମନ କଲେ ହଳଧର ॥ ୪୦
ସପତ ଗୋଦାବରୀ ବେଣୀ । ପମ୍ପା ଯେ ଭୀମରଥୀ ଜିଣି ॥ ୪୧
କାର୍ତ୍ତିକେୟଙ୍କୁ ଦେଖିବାରେ । ମିଳିଲେ ଯାଇ ଶ୍ରୀଶଇଳେ ॥ ୪୨
ରୁଦ୍ରଙ୍କୁ କରି ନମସ୍କାର । ଦ୍ରାବିଡେ ଗଲେ ହଳଧର ॥ ୪୩
ବେଙ୍କଟପ୍ରଭୁ ଦରଶନ । ଆନନ୍ଦେ ରୋହିଣୀ ନନ୍ଦନ ॥ ୪୪
କରି ଚଳିଲେ ତପନିଷ୍ଠୀ । ପୁଣି ମିଳିଲେ କାମକୋଟୀ ॥ ୪୫
କାଞ୍ଚିକାବେରୀ ତହୁଁଗଲେ । ଯୋଗୀଜନଙ୍କ ସଙ୍ଗମେଳେ ॥ ୪୬
ଶ୍ରୀରଙ୍ଗତୀର୍ଥ ତହିଁ କରି । ନିତ୍ୟ ସଂସ୍ଥିତ ଯହିଁ ହରି ॥ ୪୭
ଋଷଭଗିରି ବିଷ୍ଣୁସ୍ଥାନ । ତହୁଁ ଚଳିଲେ ମଧୁବନ ॥ ୪୮
ଦକ୍ଷିଣପଥେ ଅପ୍ରମାଦେ । ତହୁଁ ଚଳିଲେ ସେତୁବନ୍ଧେ ॥ ୪୯
ଦୁରିତ ଦହେ ଦରଶନେ । ଶ୍ରୀରାମେ ପୂଜି ତୋଷମନେ ॥ ୫୦
ରଘୁନାଥଙ୍କ ପ୍ରୀତୀ ଅର୍ଥେ । ଧେନୁ ଉତ୍ସର୍ଗିଲେ ଅୟୁତେ ॥ ୫୧
ତହୁଁ ଆନନ୍ଦେ କାମପାଳ । ମିଳିଲେ ପୁଣ୍ୟ କୃତମାଳ ॥ ୫୨
ତହୁଁ ଚଳିଲେ ତାମ୍ରପର୍ଣ୍ଣୀ । ସଙ୍ଗେ ଅନେକ ବିପ୍ର ଘେନି ॥ ୫୩
ମଳୟ କୁଳାଚଳ ଦେଶେ । ମିଳିଲେ ଅଗସ୍ତିଙ୍କ ପାଶେ ॥ ୫୪
ଚରଣେ କରି ନମସ୍କାର । ଆଶିଷ ଘେନି ତାହାଙ୍କର ॥ ୫୫
ଦକ୍ଷିଣସିନ୍ଧୁତୀରେ ମିଳି । ରାମ ଦେଖିଲେ ଭଦ୍ରକାଳୀ ॥ ୫୬
ଦୁର୍ଗା ନିକଟୁ କୁମ୍ଭମାସେ । ରାମ ଚଳିଲେ ମନତୋଷେ ॥ ୫୭
ଉତ୍ତମ ପଞ୍ଚଅପସର । ତହୁଁ ଚଳିଲେ ହଳଧର ॥ ୫୮
ଯହିଁ ଗୋବିନ୍ଦ ସନ୍ନିହିତ । ଧେନୁ ଉତ୍ସର୍ଗିଲେ ଅୟୁତ ॥ ୫୯
ତହୁଁ ଆନନ୍ଦେ ବଳରାମ । କେରଳ ନଗରେ ଆଗମ ॥ ୬୦
ତ୍ରିଗର୍ତ୍ତଦେଶ ତହୁଁ ଦେଖି । ରାମ ମିଳିଲେ ଜ୍ୱାଳାମୁଖୀ ॥ ୬୧
ଗୋକର୍ଣ୍ଣତୀର୍ଥ ମହାସ୍ଥାନ । ଯହିଁ ଧୂର୍ଜ୍ଜଟି ସନ୍ନିଧାନ ॥ ୬୨
ତହୁଁ ଭେଟିଲେ ଆର୍ଯ୍ୟାଦେବୀ । ବ୍ୟାସନନ୍ଦିନୀ ପାଦେ ସେବି ॥ ୬୩
ତାପ୍ତୀ ପୟୋଷ୍ଣୀ ବିନ୍ଧ୍ୟା ସେବି । ଦଣ୍ତକାରଣ୍ୟ ପୁଣ୍ୟଭୁବି ॥ ୬୫
ତହୁଁ ଗମନ ରେବାତୀରେ । ପ୍ରବେଶ ମାହିଷ୍ମତୀପୁରେ ॥ ୬୬
ସ୍ନାହାନ ସାରି ମନୁତୀର୍ଥେ । ଧେନୁ ଉତ୍ସର୍ଗ ଶିବ ଅର୍ଥେ ॥ ୬୭
ସନ୍ତୋଷେ ରୋହିଣୀ ନନ୍ଦନ । ପୁଣି ପ୍ରଭାସେ ଆଗମନ ॥ ୬୮
ବନ୍ଦିଲେ ବିପ୍ରଙ୍କ ଚରଣ । ଶୁକ ବୋଲନ୍ତି ରାୟ ଶୁଣ ॥ ୬୯
କୁରୁପାଣ୍ତବ ଯୁଦ୍ଧ ବାଣୀ । ବିପ୍ରଙ୍କ ମୁଖୁ ରାମ ଶୁଣି ॥ ୭୦
ଅନେକ ରାଜା ଗଲେ ନାଶ । ବଳାକ୍ଷୌହିଣୀ ଅଷ୍ଟାଦଶ ॥ ୭୧
ଶୁଣି ସାନନ୍ଦ ହଳଧର । ବୋଇଲେ ଗଲା ଭୂମିଭାର ॥ ୭୨
ସୁଜନେ ନାହିଁ ଦୁଷ୍ଟବାଧା । ଯୁଦ୍ଧ ହୋଇଲା ଶେଷ ଗଦା ॥ ୭୩
ଶେଷେ ଯୁଝନ୍ତି ବେନିଜନ । ଦୁର୍ଜୟ ଭୀମ ଦୁର୍ଯ୍ୟୋଧନ ॥ ୭୪
ବିଷମ ଶୁଣି ଗଦାଯୁଦ୍ଧ । ରାମ ମିଳିଲେ ରଣମଧ୍ୟ ॥ ୭୫
ରାମଙ୍କୁ ଦେଖି ଧର୍ମସୁତ । ସଙ୍ଗେ ଅଛନ୍ତି ତିନିଭ୍ରାତ ॥ ୭୬
କୃଷ୍ଣ ଅଛନ୍ତି ତାଙ୍କ ମେଳେ । ତା ଦେଖି ରାମ ସୁଖଭୋଳେ ॥ ୭୭
କୃଷ୍ଣଙ୍କୁ ଆଲିଙ୍ଗନ କରି । ଧର୍ମନନ୍ଦନ କର ଧରି ॥ ୭୮
ଗୋବିନ୍ଦ ରାମପାଦେ ନମି । କିଛି ନ ବୋଲି ହେଲେ ତୁନି ॥ ୭୯
ରାମ ଚାହିଁଲେ ବେନିବୀର । ଗଦାସମରେ ମହାଘୋର ॥ ୮୦
ବାରିବା ଅର୍ଥେ ବିଚାରିଲେ । ଜାଣି ଗୋବିନ୍ଦ ମାୟା କଲେ ॥ ୮୧
ଦେଖି ମଣ୍ତଳ ଗଦାଗତି । ବୋଲନ୍ତି ରେବତୀର ପତି ॥ ୮୨
ଶୁଣ ହୋ ଦୁର୍ଯ୍ୟୋଧନ ଭୀମ । ଗଦାସମରେ ଦୁହେଁ ସମ ॥ ୮୩
ଉତ୍ତମ ଶିକ୍ଷା ଦୁର୍ଯ୍ୟୋଧନ । ବଳେ ଅଧିକ ଭୀମସେନ ॥ ୮୪
ଏ ଗଦାରଣେ ଫଳ ନାହିଁ । ସଂଗ୍ରାମ ଛାଡ ଦୁଇଭାଇ ॥ ୮୫
ଗଦା ପ୍ରହାରେ ଦୃଢମତି । ରାମର ବାକ୍ୟ ନ ଶୁଣନ୍ତି ॥ ୮୬
ବଇରୀ ବଧ ସୁମରନ୍ତି । ଘୋର ଶବଦେ ପ୍ରହାରନ୍ତି ॥ ୮୭
ରାମ ଦେଖିଲେ ତାଙ୍କ ଗତି । ଆନନ୍ଦମନେ ଦ୍ୱାରାବତୀ ॥ ୮୮
ମିଳିଲେ ରୋହିଣୀ ନନ୍ଦନ । ଦେଖି ଆନନ୍ଦ ଉଗ୍ରସେନ ॥ ୮୯
ବନ୍ଧୁ ବାନ୍ଧବ ପୁତ୍ର ବଳ । କରନ୍ତି ଜଣେ ଜଣେ କୋଳ ॥ ୯୦
ଏମନ୍ତେ ରହି ଦିନାକେତେ । ମିଳିଲେ ନଇମିଷ ତୀର୍ଥେ ॥ ୯୧
ଯଜ୍ଞେ ଯେ ଥିଲେ ମୁନିଜନେ । ତକ୍ଷଣେ ରାମର ବଚନେ ॥ ୯୨
ରାମଙ୍କୁ କରାଇଲେ ଯାଗ । ନିବୃତ କ୍ରିୟା ଅନୁରାଗ ॥ ୯୩
ସନ୍ତୋଷେ ରୋହିଣୀନନ୍ଦନ । ମୁନିଙ୍କି ଦେଲେ ଦିବ୍ୟଜ୍ଞାନ ॥ ୯୪
ଯାହାର ମାୟାବଳେ ବିଶ୍ୱ । ରବିର ପ୍ରାୟ ଦୃଶ୍ୟାଦୃଶ୍ୟ ॥ ୯୫
ସଙ୍ଗତେ ଘେନି ନିଜ ନାରୀ । ସେ ଅବଭୃଥ ସ୍ନାନ କରି ॥ ୯୬
ସୁହୃଦ ବନ୍ଧୁ ମଧ୍ୟେ ଥାଇ । ଶଶାଙ୍କ ପ୍ରାୟ ବିରାଜଇ ॥ ୯୭
ଏ ଆଦି ଯେତେ କର୍ମ ଗୁଣ । ରାଜନ ଏକମନେ ଶୁଣ ॥ ୯୮
ମାୟା ମନୁଷ୍ୟ ଅବତାର । କେ କହୁ ମହିମା ତାହାର ॥ ୯୯
ଏ ରାମକର୍ମ ଯେ ଶୁଣନ୍ତି । ମାୟାମୋହରେ ନ ପଡନ୍ତି ॥ ୧୦୦
ଉଭୟ ସନ୍ଧ୍ୟାକାଳେ ଶୁଣି । କୃଷ୍ଣସେବକ ଯେତେ ପ୍ରାଣୀ ॥ ୧୦୧
ଲଭନ୍ତି ଭକତି ତତ୍ତ୍ୱ । କହଇ ବିପ୍ର ଜଗନ୍ନାଥ ॥ ୧୦୨
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ତୀର୍ଥଯାତ୍ରା ନିରୁପଣଂ ନାମ
ପଞ୍ଚଅଶୀତିତମ ଅଧ୍ୟାୟଃ
</poem>
==='''ଷଟ୍ଅଶୀତିତମ ଅଧ୍ୟାୟ'''===
<poem>
ଶୁକ ଚରଣେ ଦେଇ ଶିର । ବୋଲେ ପରୀକ୍ଷ ନୃପବର ॥ ୧
;ପରୀକ୍ଷିତ ଉବାଚ
ଭୋ ମୁନି ଅନନ୍ତ ଚରିତ । ଶୁଣି ହୋଇଲି କୃତକୃତ୍ୟ ॥ ୨
ମହାତ୍ମା ଅନନ୍ତର ବାଣୀ । ଆତ୍ମା ପବିତ୍ର କଲି ଶୁଣି ॥ ୩
ଅପରେ କର୍ମ କଲେ ଯେତେ । ଅନନ୍ତ ବଳ ଅପ୍ରମିତେ ॥ ୪
ମାୟାମନୁଷ୍ୟ ରୂପ ଧରି । ଦେବେ ଅଦ୍ଭୂତ କର୍ମ କରି ॥ ୫
ଅଧର୍ମ ନାଶି ଧର୍ମରକ୍ଷା । ପୁରାଇ ସାଧୁ ମନବାଞ୍ଛା ॥ ୬
ହରିଲେ ଧରଣୀର ଭାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୭
ଆବର କର୍ମ କଲେ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୮
କୃଷ୍ଣଚରିତ ଅବିରତ । ଶୁଣି କେ ନୋହେ ତୋଷଚିତ୍ତ ॥ ୯
କାମ୍ୟ ସଙ୍କଳ୍ପେ ମୂଢକନ । ବିଷ୍ଣୁମାୟାରେ ହୋଇ ଛନ୍ନ ॥ ୧୦
ଯନ୍ତ୍ରିତ ହୋଇ ମାୟାପାଶ । ଦୁର୍ଲ୍ଲଭଜନ୍ମ କରେ ନାଶ ॥ ୧୧
କୃଷ୍ଣର ଗୁଣ ଶୁଦ୍ଧମନେ । ନିରତେ ଗୁଣେ ଯେ ବଚନେ ॥ ୧୨
ତାହାକୁ ବୋଲି ବାକ୍ୟସାର । ଅନ୍ୟ ପ୍ରଳାପ ଅନ୍ଧକାର ॥ ୧୩
ଯେ ହସ୍ତ କରେ ବିଷ୍ଣୁକର୍ମ । ତାହାକୁ ବୋଲି ହସ୍ତଧର୍ମ ॥ ୧୪
ସ୍ଥାବର ଜଙ୍ଗମରେ ହରି । ଅନ୍ତର ବାହ୍ୟେ ଛନ୍ତି ପୂରି ॥ ୧୫
ଏ ଭାବେ କରଇ ଯେ ଧ୍ୟାନ । ତାହାକୁ ବୋଲି ଶୁଦ୍ଧମନ ॥ ୧୬
କୃଷ୍ଣର ଗୁଣ କର୍ମ ବାଣୀ । ଯେ କର୍ଣ୍ଣେ ନିରନ୍ତରେ ଶୁଣି ॥ ୧୭
ତାହାକୁ କର୍ଣ୍ଣବୋଲି ଲେଖି । ଅନ୍ୟଥା ଭୂମିବିଳ ଲକ୍ଷ୍ୟ ॥ ୧୮
ସ୍ଥାବର ଆଦି ଯେତେ ଦେହୀ । ଏହାଙ୍କ ମଧ୍ୟେ ବିଷ୍ଣୁ ଥାଇ ॥ ୧୯
ଯେ ଜାଣି କରେ ନମସ୍କାର । ନିଶ୍ଚେ ତାହାକୁ ବୋଲି ଶିର ॥ ୨୦
କୃଷ୍ଣର ରୂପ ଯେ ଲୋଚନ । ନିରତେ କରେ ଦରଶନ ॥ ୨୧
ତାହାକୁ ବୋଲି ଚକ୍ଷୁ ଏକା । ଅନ୍ୟ ସେ ମୟୂରଚନ୍ଦ୍ରିକା ॥ ୨୨
ବିଷ୍ଣୁ ସେବକ ଯେତେ ଲୋକ । ତାହାଙ୍କ ଚରଣଉଦକ ॥ ୨୩
ଯାହାଙ୍କ ଶରୀରେ ଲାଗଇ । ସେ ପ୍ରାଣୀ ଧନ୍ୟ ଦେହ ବହି ॥ ୨୪
;ସୂତ ଉବାଚ
ଏମନ୍ତ ଶୁଣି ରାଜା ମୁଖେ । ଶୁକ ଲୋଚନ ବୁଜି ସୁଖେ ॥ ୨୫
କୃଷ୍ଣଚରଣେ ମନ ଦେଇ । କହନ୍ତି ରାଜାମୁଖ ଚାହିଁ ॥ ୨୬
;ଶୁକ ଉବାଚ
ଶୁଣ ହୋ ଅଭିମନ୍ୟୁବଳା । ପୂର୍ବେ ଦରିଦ୍ର ବିପ୍ରେ ଥିଲା ॥ ୨୭
ବିଦ୍ୟାପଠନେ ଗୁରୁଘରେ । ଗୋବିନ୍ଦ ଅବନ୍ତୀନଗରେ ॥ ୨୮
ତାହାର ସଙ୍ଗେ ହେଲେ ମିତ୍ର । ଏ କଥା ଇହଲୋକେ ଚିତ୍ର ॥ ୨୯
ସେ ବିପ୍ର ବେଦବିଦ୍ୟା ମଧ୍ୟେ । ଉତ୍ତମ ଇନ୍ଦ୍ରିଗଣ ସାଧ୍ୟେ ॥ ୩୦
ଗୃହସ୍ଥ ଆଶ୍ରମେ ବସଇ । ସ୍ୱଧର୍ମେ ଯେତେ ଧନପାଇ ॥ ୩୧
ସେ ଧନେ ପୋଷଇ ଜୀବନ । ନିରତେ କୃଷ୍ଣପାଦେ ମନ ॥ ୩୨
କୁତ୍ସିତବସ୍ତ୍ର ପରିଧାନ । କ୍ଷୁଧାରେ ଶରୀର ତା କ୍ଷୀଣ ॥ ୩୩
ତାର କାମିନୀ ପତିବ୍ରତା । ନିରତେ ସ୍ୱାମୀ ପାଦେ ଚିନ୍ତା ॥ ୩୪
ଏମନ୍ତେ ମହାଦୁଃଖ ସହି । ବୋଲେ ସ୍ୱାମୀର ମୁଖ ଚାହିଁ ॥ ୩୫
ଭୋ ନାଥ ସଂସାରର ସାର । ଦୁର୍ଲ୍ଲଭ ମନୁଷ୍ୟଶରୀର ॥ ୩୬
ପୂର୍ବେ ସଞ୍ଚିଲା ପୁଣ୍ୟ ନାହିଁ । ଦରିଦ୍ରପଣେ ଦେହ ବହି ॥ ୩୭
ଆହାରେ ହୋଇଲୁଁ ନିରାଶ । ଧିକ ଆମ୍ଭର ଗୃହବାସ ॥ ୩୮
ପୂର୍ବେ ନ ଦେଲୁ ବିପ୍ରହସ୍ତେ । ଏବେ ପାଇବୁ କେଉଁମତେ ॥ ୩୯
ହୋଇଲୁଁ ଦରିଦ୍ର ଜୀବନ । ଭୋ ନାଥ ଶୁଣ ମୋ ବଚନ ॥ ୪୦
ତୁମ୍ଭେ ଯେ ବୋଲୁଥାଅ ନିତ୍ୟେ । ମୁଁ ମିତ୍ର କୃଷ୍ଣର ସଙ୍ଗତେ ॥ ୪୧
ସେ ହରି ବ୍ରାହ୍ମଣବତ୍ସଳ । କରୁଣାସିନ୍ଧୁ ଆଦିମୂଳ ॥ ୪୨
ଅନାଥଜନ ନିସ୍ତାରଣ । ଶରଣ ପରମ କାରଣ ॥ ୪୩
ସାଧୁଜନଙ୍କର ସେ ଗତି । ନିଶ୍ଚିନ୍ତେ ଛନ୍ତି ଦ୍ୱାରାବତୀ ॥ ୪୪
ତାଙ୍କ ନିକଟେ ତୁମ୍ଭେ ଯାଅ । ଆମ୍ଭ ଦରିଦ୍ରପଣ କହ ॥ ୪୫
ମିତ୍ରକାମିନୀ ଦୁଃଖ ଶୁଣି । ଦୟାସାଗର ଚକ୍ରପାଣି ॥ ୪୬
ଅନେକ ଧନ ତୁମ୍ଭ ହସ୍ତେ । ଦେବେ ସେ ମିତ୍ରଭାବ ଅର୍ଥେ ॥ ୪୭
ତାହାଙ୍କ ପଦ୍ମପାଦେ ଚିତ୍ତ । ଯେ ପ୍ରାଣୀ ଚିନ୍ତେ ଅବିରତ ॥ ୪୮
ତାହାଙ୍କୁ ଆତ୍ମାପଦ ଦ୍ୟନ୍ତି । ଏ ତଥ୍ୟ ବେଦେ କହିଛନ୍ତି ॥ ୪୯
ଯେ ଅବା ଭୋଗଅର୍ଥେ ସେବେ । ଧର୍ମାଦି ଚତୁବର୍ଗ ଲଭେ ॥ ୫୦
ଏମନ୍ତ ମହିମା ତାଙ୍କର । ଭୋ ନାଥ ବିଳମ୍ବ ନ କର ॥ ୫୧
ଏମନ୍ତ ଶୁଣି ତା ବଚନ । ବ୍ରାହ୍ମଣ ବିଚାରିଇ ମନ ॥ ୫୨
ଏ ତ ପରମ ଭାଗ୍ୟ ମୋର । ଦେଖିବି ଶରଣସୋଦର ॥ ୫୩
ବଡ ପରମଲାଭ ମୋର । ଜନ୍ମ ମରଣ ଯିବ ଦୂର ॥ ୫୪
ବ୍ରାହ୍ମଣବତ୍ସଳ ଅନନ୍ତ । ସ୍ୱଭାବେ ମୁହିଁ ତାଙ୍କ ମିତ୍ର ॥ ୫୫
ପ୍ରାଣୀର ଭାବ ସେ ଜାଣନ୍ତି । ଯେଣୁ ସକଳ ହୃଦେ ଥାନ୍ତି ॥ ୫୬
କମଳା ସେବେ ଯା ଚରଣ । ମୁଁ ତାରେ ପଶିବି ଶରଣ ॥ ୫୭
ପତ୍ନୀବଚନେ ମୋ ଗମନ । ଗୋବିନ୍ଦ ଦେବେ ମୋତେ ଧନ ॥ ୫୮
ମିତ୍ର ଅଇରି ନାହିଁ ଯାର । ଭାବକୁ ବଶ ଆତ୍ମା ତାର ॥ ୫୯
ଏମନ୍ତ କରି ଅନୁମାନ । ପତ୍ନୀକି ବୋଲଇ ବଚନ ॥ ୬୦
ମିତ୍ରଭୂବନ ଯିବି ମୁହିଁ । ଭେଟିବି କିବା ଦ୍ରବ୍ୟ ଦେଇ ॥ ୬୧
ବନ୍ଧୁସୁହୃଦ ଗୃହଗତେ । ଯେ ପ୍ରାଣୀ ଗମେ ଶୂନ୍ୟହସ୍ତେ ॥ ୬୨
ଭାବ ନ ରହେ ବେନି ମଧ୍ୟେ । ନିନ୍ଦିତ ଶାସ୍ତ୍ର ଅନୁବାଦେ ॥ ୬୩
ଯେ ଅବା ଅଛି ମୋର ଘରେ । ଆଣ କଲ୍ୟାଣି ଉପହାରେ ॥ ୬୪
ଯିବଇଁ ମିତ୍ର ଦରଶନେ । ଏମନ୍ତେ ସ୍ୱାମୀର ବଚନେ ॥ ୬୫
ବିପ୍ରଘରଣୀ ଭିକ୍ଷାକରି । ପୃଥୁତଣ୍ତୁଳ ମୁଷ୍ଟି ଚାରି ॥ ୬୬
ଚିରାବସନେ ବାନ୍ଧି ଧୀରେ । ତକ୍ଷଣେ ଦେଲା ସ୍ୱାମୀ କରେ ॥ ୬୭
ପୃଥୁକ ଘେନି ଉପାୟେନ । ଚଳିଲା ଦ୍ୱାରକାଭୁବନ ॥ ୬୮
ବିପ୍ର ଚିନ୍ତଇ ପଥେ ଯାନ୍ତେ । କୃଷ୍ଣଙ୍କୁ ଭେଟିବି କେମନ୍ତେ ॥ ୬୯
ଦାରିଦ୍ର୍ୟ ଦୁଃଖ ଏ ମୋହର । ଯେ ହରି ବ୍ରହ୍ମାଣ୍ତଠାକୁର ॥ ୭୦
ଜାଣନ୍ତି ସକଳ ବେଦନା । ପ୍ରାଣୀଙ୍କ ହୃଦୟଭାବନା ॥ ୭୧
ସେ ପ୍ରଭୁ ସଂସାରଈଶ୍ୱର । ମୁହିଁ ଦରିଦ୍ର ଦୁରାଚାର ॥ ୭୨
ଯାଦବ ଭୋଜ ବୃଷ୍ଟି କରି । ବସି ଯେ ଥିବେ ଦେବହରି ॥ ୭୩
କେମନ୍ତେ ଦେବଇଁ ମୁଁ ଏହା । କିସ ବୋଲିବେ ଚଉବାହା ॥ ୭୪
ସଭାରେ ଯେତେ ଲୋକ ଥିବେ । ଦେଖିଣ କି ଅବା ବୋଲିବେ ॥ ୭୫
ଏମନ୍ତ ବିଚାରଇ ମନେ । ପଥେ ଗମଇ ସାବଧାନେ ॥ ୭୬
କଣ୍ଟକ ତୃଣ ଲତା ଗୁଳ୍ମ । ପାଷାଣ ପର୍ବତ ଦୁର୍ଗମ ॥ ୭୭
ଏମନ୍ତେ ଯାଇ କେତେ ଦୂରେ । ପ୍ରବେଶ ହେଲା ବନଘୋର ॥ ୭୮
ଘୋର ଗହନ ବନ ଜିଣି । ଗମଇ ଦିବସ ରଜନୀ ॥ ୭୯
ଅନେକ ପାଇ ପଥଶ୍ରମ । ମିଳିଲା ଦ୍ୱାରକାଭୁବନ ॥ ୮୦
ବୃଷ୍ଟି ଅନ୍ଧକ ଯଦୁପୁର । କି ଅବା ଦେବା ପଟାନ୍ତର ॥ ୮୧
ଯହିଁ ଗୋବିନ୍ଦ ଗୃହାଶ୍ରମୀ । ଷୋଳସହସ୍ର ନାରୀ ରମି ॥ ୮୨
ସେ ପୁରେ ବିପ୍ର ପରବେଶେ । ଜୀବ ଯେସନେ ବ୍ରହ୍ମେ ମିଶେ ॥ ୮୩
ମିଳିଲା ରୁକ୍ମିଣୀ ମନ୍ଦିର । ଯହିଁ ବିଜୟ ଚକ୍ରଧର ॥ ୮୪
ବିପ୍ର ମିଳିଲା ସେ ଭୁବନେ । ଭକତ ବନ୍ଧୁ ଦରଶନେ ॥ ୮୫
ଗୋବିନ୍ଦ ବିପ୍ର ମୁଖ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୮୬
ପ୍ରିୟାର ସଙ୍ଗ ଛାଡ଼ି ହରି । ବିପ୍ରକୁ ଆଲିଙ୍ଗନ କରି ॥ ୮୭
ଭକତବନ୍ଧୁ ଦାମୋଦର । ହୃଦେ ଲଗାଇ ବିପ୍ରବର ॥ ୮୮
ଆନନ୍ଦେ ପୁଣ ପୁଣ କୋଳ । ନୟନୁ ବହେ ଅଶ୍ରୁଜଳ ॥ ୮୯
ପଲ୍ୟଙ୍କେ ମିତ୍ରକୁ ବସାଇ । ଚରଣ ଶୁଦ୍ଧଜଳେ ଧୋଇ ॥ ୯୦
ଶେଷ ଉଦକ ଶିରେ ଲଇଁ । ନମିଲେ ବ୍ରହ୍ମାଣ୍ତ ଗୋସାଇଁ ॥ ୯୧
ଯା ପାଦଜଳ ଗଙ୍ଗାନଦୀ । ପବିତ୍ର ଜଗତେ ପ୍ରସିଦ୍ଧି ॥ ୯୨
ଯା ନାମ ସର୍ବପାପ ହରେ । ସେ ବିପ୍ରପାଦ ବହେ ଶିରେ ॥ ୯୩
ଶ୍ରୀକରେ ଘେନି ଚତୁଃସମ । ସୌରଭ ଗନ୍ଧେ ମନୋରମ ॥ ୯୪
ଆନନ୍ଦେ ବିପ୍ରଅଙ୍ଗେ ବୋଳି । ଭକତବନ୍ଧୁ ବନମାଳୀ ॥ ୯୫
ଅଗୁରୁ ଧୂପ ଥୋଇ ପାଶେ । ପାଦ ପୋଛନ୍ତି ପୀତବାସେ ॥ ୯୬
କର୍ପୂର ବାସେ ଦୀପପନ୍ତି । ଆନନ୍ଦେ ଜାଳି ଯଦୁପତି ॥ ୯୭
ଚରଣ ପୂଜି ଷଡ଼ଅର୍ଘ୍ୟେ । ତାମ୍ବୁଳ ଦେଲେ ଅନୁରାଗେ ॥ ୯୮
କୁତ୍ସିତ ବସ୍ତ୍ର ଦ୍ୱିଜବର । ଦୁଃଖେ ମଳିନ କଳେବର ॥ ୯୯
କୁତ୍ସିତ ବସ୍ତ୍ର ଦ୍ୱିଜବର । ଦୁଃଖେ ମଳିନ କଳେବର ॥ ୧୦୦
କ୍ଷୁଧା ଅନଳେ କମ୍ପେ କାୟେ । ଶିରା ଦିଶଇ ସର୍ବଦେହେ ॥ ୧୦୧
ଦିବ୍ୟଚାମର କରେ ଘେନି । ବିଞ୍ଚନ୍ତି ଭୀଷ୍ମକନନ୍ଦିନୀ ॥ ୧୦୨
କୃଷ୍ଣର ଅନ୍ତଃପୁର ନାରୀ । ବିପ୍ରଙ୍କୁ ଦେଖନ୍ତି ଉଭାରି ॥ ୧୦୩
କୃଷ୍ଣର ସେବା ଅନୁମାନେ । ଦେଖନ୍ତି ବିସ୍ମିତ ବଦନେ ॥ ୧୦୪
ଏକ ଆରେକ ମୁଖ ଚାହିଁ । ବୋଲନ୍ତି ଗାଲେ ହସ୍ତ ଦେଇ ॥ ୧୦୫
ଦେଖ ଏହାର ତପଫଳ । ଯାର ସେବକ ନନ୍ଦବାଳ ॥ ୧୦୬
ଏମନ୍ତ ନାହିଁ ନା ଦେଖିଲା । ପୂର୍ବେ ଏ କେତେ ପୁଣ୍ୟ କଲା ॥ ୧୦୭
ରୂପ ଦିଶଇ ବିପରୀତ । କେଶ ଖାଙ୍କର ଅବଧୂତ ॥ ୧୦୮
ଦେଖ ଏ ଅଧମ ନିର୍ଦ୍ଧନ । ଇହ ସଂସାରେ କ୍ରିୟାହୀନ ॥ ୧୦୯
ଏହାର ଦେହେ ନନ୍ଦବଳା । ଶ୍ରୀଭୁଜେ ଆଲିଙ୍ଗନ କଲା ॥ ୧୧୦
ଲକ୍ଷ୍ମୀର ସଙ୍ଗ ସ୍ନେହ ତେଜି । ଆନନ୍ଦେ ବେନିଚକ୍ଷୁ ବୁଜି ॥ ୧୧୧
ଆନନ୍ଦେ ତୋଳି ବେନି ଭୁଜେ । ଯେସନେ ବଳଭଦ୍ରେ ଭଜେ ॥ ୧୧୨
ଏମନ୍ତ ବୋଲୁଁ ପୁରଜନେ । ଗୋବିନ୍ଦ ଗଭୀର ବଚନେ ॥ ୧୧୩
ଗୁରୁଭୁବନେ ବାଲ୍ୟକାଳେ । ଥିଲେ ଯେ ବିଦ୍ୟାସଙ୍ଗ ମେଳେ ॥ ୧୧୪
ସେ କଥା ଗୋବିନ୍ଦ ସୁମରି । କହନ୍ତି ମିତ୍ର ହସ୍ତ ଧରି ॥ ୧୧୫
ଲଳିତ ଗଦି ଦାମୋଦର । ବୋଲନ୍ତି ଶୁଣ ବିପ୍ରବର ॥ ୧୧୬
କାଷ୍ଠ ଆଣିବା ଦିନ ଯେତେ । ଦୁଃଖ ପାଇଣ ଅଛୁଁ ମିତେ ॥ ୧୧୭
ସେ କଥା ଅଛିଟିକି ମନ । ହସି ବୋଲନ୍ତି ଭଗବାନ ॥ ୧୧୮
ଗୁରୁଦକ୍ଷିଣା ଆମ୍ଭେ ଦେଇ । ପୁରେ ଅଇଲୁ ବେନିଭାଇ ॥ ୧୧୯
ତୁମ୍ଭେ ଯେ ବିଦ୍ୟା ସମାପତେ । ନିଜଭୁବନେ ଉପଗତେ ॥ ୧୨୦
ଉତ୍ତମକୁଳେ କନ୍ୟା ବରି । ବିଭା ହୋଇଲ ନିକି ନାରୀ ॥ ୧୨୧
ତାହା ମୁଁ ନ ମଣଇ ସତ । ଦେଖି ତୁମ୍ଭର ଦୁଃଖ ଚିତ୍ତ ॥ ୧୨୨
ଗୃହକରେଣ କାମଭୋଗେ । ତୁମ୍ଭର ମନ ବଇରାଗେ ॥ ୧୨୩
ନିରେଖ ପ୍ରାୟ ମୁଁ ମଣଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୨୪
ଥୋକାଏ ଲୋକ ଏ ସଂସାରେ । କର୍ମ ସାଧନ୍ତି ନିଜଘରେ ॥ ୧୨୫
କର୍ମେ ନୁହନ୍ତି ହତଚେତା । ସଂସାର ଗୃହେ ମୁହିଁ ଯଥା ॥ ୧୨୬
ଭୋ ମିତ୍ର ଗୁରୁଗୃହେ ଥାଇ । ବିଦ୍ୟା ପଢିଲୁଁ ବେନିଭାଇ ॥ ୧୨୭
ତୁମ୍ଭର ସଙ୍ଗେ ଶିଶୁମେଳେ । ଯେ ଅବା କଲୁଁ ବାଳକାଳେ ॥ ୧୨୮
ଗୁରୁ କହନ୍ତି ଜ୍ଞାନସାର । ଯେଣେ ନ ଲାଗେ ଏ ସଂସାର ॥ ୧୨୯
ଯେ ଗୁରୁ ପୁଣ୍ୟକର୍ମଫଳେ । ଜନ୍ମ ଲଭିଲୁଁ ମହୀତଳେ ॥ ୧୩୦
ସେ ଆଦିଗୁରୁ ଜନ୍ମକର୍ତ୍ତା । ତହୁଁ ଅଧିକ ବିଦ୍ୟାଦାତା ॥ ୧୩୧
ତା ତହୁଁ ଶ୍ରେଷ୍ଠ ଜ୍ଞାନଗୁରୁ । ମହିମା କେବା ଅନ୍ତ କରୁ ॥ ୧୩୨
ଆଶ୍ରମୀ ଜନ କାମଦାତା । ମୁଁ ଯେହ୍ନେ ଜ୍ଞାନଗୁରୁ କର୍ତ୍ତା ॥ ୧୩୩
ଯେ ପ୍ରାଣୀ ବର୍ଣ୍ଣାଶ୍ରମ ମଧ୍ୟେ । ପଣ୍ତିତ ଶାସ୍ତ୍ର ଅନୁବାଦେ ॥ ୧୩୪
ମୋର ବଚନ ଉପଦେଶେ । ସଂସାରୁ ତରନ୍ତି ବିଶ୍ୱାସେ ॥ ୧୩୫
ଯଜ୍ଞ ସମାଧି ତପ ଶାନ୍ତି । ଏ ମାର୍ଗେ ଯେ ମୋତେ ସେବନ୍ତି ॥ ୧୩୬
ତାହାଙ୍କୁ ଯେତେ ନାହିଁ ତୋଷ । ଗୁରୁଭକତେ ମୋ ବିଶ୍ୱାସ ॥ ୧୩୭
ହେ ବିପ୍ର ଶୁଣ ମିତ୍ର ମୋର । ସ୍ମରଣ ଅଛିକି ତୁମ୍ଭର ॥ ୧୩୮
ଆ୍ରମ୍ଭେ ଯେ ଗୁରୁଗୃହେ ଥାଇ । ଗୁରୁକାମିନୀ ଆଜ୍ଞା ପାଇ ॥ ୧୩୯
ଗୁରୁଙ୍କ ଅନ୍ନସିଦ୍ଧ ଅର୍ଥେ । ଅରଣ୍ୟେ ପଶିଲୁ ସମସ୍ତେ ॥ ୧୪୦
ଶୁଖିଲା କାଷ୍ଠ ଆଣିବାରେ । ମିଳିଲୁ ଘୋର ବନସ୍ତରେ ॥ ୧୪୧
ଏମନ୍ତେ ଅପଋତୁ କାଳେ । ଗଗନେ ମିଳି ମେଘମାଳେ ॥ ୧୪୨
ଦିବସେ କଲେ ଅନ୍ଧକାର । ବାତ ବରଷା ମହାଘୋର ॥ ୧୪୩
ନିଷ୍ଠୁର ବଜ୍ରଘାତ ତ୍ରାସ । ବନେ ନ ଦିଶେ ଦଶଦିଶ ॥ ୧୪୪
ତକ୍ଷଣେ ରବି ଅସ୍ତ ଗଲା । ଘୋର ତିମିର ପ୍ରକାଶିଲା ॥ ୧୪୫
ଶୁଖିଲା କାଷ୍ଠ ଘେନି କରେ । ଆମ୍ଭେ ବୁଲିଲୁ ସ୍ଥାନ ଖୋଜି ॥ ୧୪୬
ଜଳେ ପୂରିଲା ବନଭୂଇଁ । ସ୍ଥଳ ଗଭୀର ନ ଦିଶଇ ॥ ୧୪୭
ଜଳ ପବନ ଦେହେ ବାଜି । ଆମ୍ଭେ ବୁଲିଲୁ ବନଘୋରେ ॥ ୧୪୮
ଏକ ଆରକେ ହସ୍ତ ଧରି । ଦିଗ ନ ପାରୁ ସ୍ଥିର କରି ॥ ୧୪୯
କାତରେ ଉଠି ବୃକ୍ଷଡାଳେ । ରାତ୍ରେ ବଞ୍ଚିଲୁ ସଙ୍ଗ ମେଳେ ॥ ୧୫୦
ଏମନ୍ତେ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ॥ ୧୫୧
ଗୁରୁକାମିନୀ ଗୁରୁ ତୁଲେ । ଆମ୍ଭଙ୍କୁ ଖୋଜି ପ୍ରାତଃକାଳେ ॥ ୧୫୨
ମିଳିଲେ ବନଭୂମି ଲାଗେ । ସେ ପତିପତ୍ନୀ ଏକସଙ୍ଗେ ॥ ୧୫୩
ଡାକନ୍ତି ମୁଖେ ନାମ ଧରି । ଖୋଜନ୍ତି ଘୋରବନେ ହେରି ॥ ୧୫୪
ଶବଦ ଶୁଣି ଘୋର ବନେ । ଆମ୍ଭେ ମିଳିଲୁ ତୋଷମନେ ॥ ୧୫୫
ଆତୁରେ ଶୁଖିଛି ବଦନ । ଆମ୍ଭଙ୍କୁ ଦେଖି ତୋଷମନ ॥ ୧୫୬
ଆମ୍ଭର ଦୁଃଖ ମୁଖ ଚାହିଁ । ଗୁରୁ ବୋଲନ୍ତି ତୋଷ ହୋଇ ॥ ୧୫୭
ହେ ଶିଷ୍ୟ ପୁତ୍ର ମୋର ଅର୍ଥେ । ଅଇଲ ଗହନ ବନସ୍ତେ ॥ ୧୫୮
ଦୁର୍ଲ୍ଲଭ ପ୍ରାଣ ଏ ଜଗତେ । ଏହା ନ ଗଣି ମୋର ଅର୍ଥେ ॥ ୧୫୯
ଦୁଃଖେ ଭ୍ରମିଲ ଘୋରବନେ । ମୁଁ ଆଜ ହୋଇଲି ପ୍ରସନ୍ନ ॥ ୧୬୦
ଯେତେ ତୁମ୍ଭର ମନୋରଥ । ମୋର କଲ୍ୟାଣେ ହେଉ ସାର୍ଥ ॥ ୧୬୧
ତୁମ୍ଭର ବିଦ୍ୟା ତିନିଲୋକେ । ଅକ୍ଷୟ ହୋଇଥାଉ ସୁଖେ ॥ ୧୬୨
ଏମନ୍ତ କଲେ ସେ କଲ୍ୟାଣ । କୃଷ୍ଣ ବୋଲନ୍ତି ମିତ୍ର ଶୁଣ ॥ ୧୬୩
ଏମନ୍ତେ ନାନା କଉତୁକେ । ବଞ୍ଚିଲୁ ଗୁରୁଗୃହେ ସୁଖେ ॥ ୧୬୪
ଗୁରୁପ୍ରସନ୍ନେ ବିଦ୍ୟା ଜାଣି । ବ୍ରାହ୍ମଣ ବୋଲେ ତାହା ଶୁଣି ॥ ୧୬୫
ତୁ ନାଥ ଦେବଙ୍କର ଗୁରୁ । ବିପାକ ଫଳକୁ ବିଚାରୁ ॥ ୧୬୬
ଗୁରୁଭବନେ ତୋର ମେଳେ । ମୁଁ ଯେ ବଞ୍ଚିଲି ବାଳକାଳେ ॥ ୧୬୭
ତୋ ସଙ୍ଗ ପାଇ ପୂର୍ଣ୍ଣକାମ । କାହୁଁ ଲାଗିବ ଭବଭ୍ରମ ॥ ୧୬୮
ଦେବଙ୍କ ସ୍ଥାନ ତୋ ଶରୀର । ତୁ ଆଦି ଧର୍ମ ନିରାକାର ॥ ୧୬୯
ସର୍ବସମ୍ଭବ ତୋ ଶରୀରେ । ତୋ ସଙ୍ଗେ ଗୁରୁଙ୍କ ନବରେ ॥ ୧୭୦
ମୁଁ ଥିଲି ବୋଲିବ କେ ଜନ । ଏ ବଡ଼ ଶାସ୍ତ୍ର ବିଡ଼ମ୍ବନ ॥ ୧୭୧
ପୂର୍ବ ବାସନା ପୁଣ୍ୟଫଳେ । ଭେଟ ହୋଇଲା ଏହିଠାରେ ॥ ୧୭୨
କୃଷ୍ଣପ୍ରସନ୍ନେ ଭାଗବତ । କହଇ ବିପ୍ର ଜଗନ୍ନାଥ ॥ ୧୭୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୀଦାମଚରିତେ ଷଟ୍ଅଶୀତିତମ ଅଧ୍ୟାୟଃ ॥
</poem>
==='''ସପ୍ତଅଶୀତିତମ ଅଧ୍ୟାୟ'''===
<poem>
ଏମନ୍ତେ ହରିପାଦ ଧ୍ୟାୟି । ପରୀକ୍ଷ ଆଗେ ଶୁକ କହି ॥ ୧
;ଶୁକ ଉବାଚ
ଗୋବିନ୍ଦ ମିତ୍ର ଅଙ୍ଗସଙ୍ଗେ । ବିବିଧ କଥା ଭାବରଙ୍ଗେ ॥ ୨
ଯେ ହରି ସର୍ବଭୂତଗାମୀ । ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ॥ ୩
ମିତ୍ରବତ୍ସଳ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୪
ବିପ୍ରବତ୍ସଳ ଚକ୍ରପାଣି । ଯାର କଟାକ୍ଷେ କମଳିନୀ ॥ ୫
ମିତ୍ରର ସର୍ବଅଙ୍ଗ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୬
;ଭଗବାନ ଉବାଚ
ଭୋ ମିତ୍ର ମୋର ପ୍ରାଣସଖା । କିସ ଆଣିଛ ମୋତେ ଦେଖା ॥ ୭
ମୋର ଭକତପ୍ରାଣୀ ଯେବେ । ମୋତେ ପୂଜଇ ପ୍ରେମଭାବେ ॥ ୮
ସେ ଅଣୁମାତ୍ରେ ଯେବେ ଦେଇ । ପର୍ବତ ପ୍ରାୟ ମୁଁ ମଣଇ ॥ ୯
ଯେ ମୋର ଭାବ ନ ଜାଣନ୍ତି । ପର୍ବତ ପ୍ରାୟ ଧନ ଦ୍ୟନ୍ତି ॥ ୧୦
ସେ ମୋତେ ଦିଶେ ତୁଚ୍ଛପ୍ରାୟ । ବୋଲନ୍ତି ପ୍ରଭୁ ଦେବରାୟ ॥ ୧୧
ପତ୍ର କୁସୁମ ଫଳ ପାଣି । ଯେ ମୋତେ ଭାବେ ଦ୍ୟନ୍ତି ଆଣି ॥ ୧୨
ତାର ଭକତି ଭାବେ ଲଇଁ । ହସ୍ତ ପ୍ରସାରି ମୁଁ ଭଞ୍ଜଇ ॥ ୧୩
ଏମନ୍ତ କହି ରମାକାନ୍ତ । ଭାବେ ପାତିଲେ ବେନିହସ୍ତ ॥ ୧୪
ଦେଖି ଚକିତ ବିପ୍ରବର । ଅନ୍ତରେ କରଇ ବିଚାର ॥ ୧୫
ମୋର ଅର୍ଜିତ କର୍ମଫଳ । ଆଣିଛି ପୃଥକ ତଣ୍ତୁଳ ॥ ୧୬
କେମନ୍ତେ ଦେବି କୃଷ୍ଣକରେ । ହସିବେ ନାରୀ ଅନ୍ତଃପୁରେ ॥ ୧୭
ଏମନ୍ତ ଭାଳି ଲଜ୍ଜା ଦୁଃଖେ । ବିପ୍ର ରହିଲା ଅଧୋମୁଖେ ॥ ୧୮
ତା ଦେଖି କମଳାର ବର । ହୃଦରେ କରନ୍ତି ବିଚାରେ ॥ ୧୯
ଏ ବିପ୍ର ପତ୍ନୀର ବଚନେ । ମିଳିଲା ମୋହର ଭୁବନେ ॥ ୨୦
ଦରିଦ୍ରପଣେ ଦୁଃଖ ପାଇ । ଅର୍ଜିଲା କର୍ମ ନ ଜାଣଇ ॥ ୨୧
ଏହାର ପୂର୍ବଜନ୍ମ ଯେତେ । ନିଷ୍କାମେ ଭଜିଅଛି ମୋତେ ॥ ୨୨
ସକାମେ ମୋତେ ନ ଭଜଇ । ଏବେ ପାଇବ ଭୋଗ କାହିଁ ॥ ୨୩
ପତ୍ନୀବଚନେ ଭୋଗ ଚିନ୍ତେ । ଯେବେ ମିଳିଲା ମୋ ଅଗ୍ରତେ ॥ ୨୪
ପତିବ୍ରତାର ସୁଖ ଅର୍ଥେ । ମୋହର ମିତ୍ରପଣ ହିତେ ॥ ୨୫
ଦେବି ସମ୍ପଦ ସର୍ବଭାବ । ବ୍ରହ୍ମାଣ୍ତ ମଧ୍ୟେ ଯେ ଦୁର୍ଲ୍ଲଭ ॥ ୨୬
ଏତେ ବିଚାରି ନରହରି । ବିପ୍ରର ଛିନ୍ନବସ୍ତ୍ର ଧରି ॥ ୨୭
କି ବସ୍ତୁ ବୋଲି ଆଦିମୂଳ । ଘେନିଲେ ପୃଥକତଣ୍ତୁଳ ॥ ୨୮
ଛିଣ୍ତା କବଟା ମଧ୍ୟୁଁ ଫେଇ । କୃଷ୍ଣ ବୋଲନ୍ତି କରେ ଲଇଁ ॥ ୨୯
ଭୋ ମିତ୍ର ତୁମ୍ଭ ଉପହାର । ଏ ମୋର ପ୍ରାଣ-ପ୍ରୀତିକର ॥ ୩୦
ତୁମ୍ଭର ପୃଥୁକତଣ୍ତୁଳ । ଅଶେଷ ଭୁବନମଙ୍ଗଳ ॥ ୩୧
ମୋହର ଜୀବନ ସହିତେ । ତୃପତ କଲ ଆଜ ମୋତେ ॥ ୩୨
ଏମନ୍ତ କହି ରହରି । ବେନି ଲୋଚନୁ ବହେ ବାରି ॥ ୩୩
ଗୋବିନ୍ଦ ମିତ୍ର ପ୍ରୀତିଅର୍ଥେ । ପୃଥୁତଣ୍ତୁଳ ବେନି ହସ୍ତେ ॥ ୩୪
କମଳା ଚାହେଁ ସ୍ଥିରଦୃଷ୍ଟି । ତୁଣ୍ତେ ଭରିଲେ ଏକ ମୁଷ୍ଟି ॥ ୩୫
ସନ୍ତୋଷେ ଭୁଞ୍ଜି ଦାମୋଦର । ଦ୍ୱିତୀୟ ମୁଷ୍ଟି ଘେନି କର ॥ ୩୬
ତୁଣ୍ତେ ଭରନ୍ତେ ଗୋପୀନାଥ । ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ॥ ୩୭
ବୋଲନ୍ତି ଜଗତଜନନୀ । ପୃଥୁକ ମୁଷ୍ଟି କରେ ଘେନି ॥ ୩୮
ଭୋ ବିଶ୍ୱନାଥ ଭଗବାନ । ଏ ମୁଷ୍ଟି ନ କର ଭୋଜନ ॥ ୩୯
ତୋର ସନ୍ତୋଷେ ନାରାୟଣ । ଉଭୟ ଲୋକର କାରଣ ॥ ୪୦
ମୁଷ୍ଟିକେ ଦେଲୁ ସର୍ବସୁଖ । କେବଳ ମାତ୍ର ମୋତେ ରଖ ॥ ୪୧
ମୁଁ ତୋର ଚରଣକମଳେ । ଯେମନ୍ତେ ସେବଇଁ ନିଶ୍ଚଳେ ॥ ୪୨
ଏମନ୍ତ କହି ଅନୁବାଦେ । ପଶିଲା ଗୋବିନ୍ଦର ହୃଦେ ॥ ୪୩
ଏମନ୍ତେ ରବି ଅସ୍ତ ଗଲା । ଶୁଣ ହୋ ଅଭିମନ୍ୟୁବାଳା ॥ ୪୪
ଗୋବିନ୍ଦ ତୁଲେ ବିପ୍ର ତୋଷେ । ଭୋଜନ କଲେ ଷଡ଼ରସେ ॥ ୪୫
ରତ୍ନପଲ୍ୟଙ୍କେ କୃଷ୍ଣମେଳେ । ରଜନୀ ବଞ୍ଚେ ସୁଖଭୋଳେ ॥ ୪୬
ଅଙ୍ଗନିବେଶି କୃଷ୍ଣଦେହେ । ମଣିଲା ସ୍ୱର୍ଗଭୋଗ ପ୍ରାୟେ ॥ ୪୭
ଏମନ୍ତେ ପାହିଲା ରଜନୀ । ଗୋବିନ୍ଦ ଝୀନବସ୍ତ୍ର ଘେନି ॥ ୪୮
ବିପ୍ରେ କରାଇ ଅବଧାନ । ପାଲଟି ପିନ୍ଧାଇ ବସନ ॥ ୪୯
ଆନନ୍ଦେ ଆଲିଙ୍ଗନ କରି । ଭାବେ ବ୍ରାହ୍ମଣ ପାଦ ଧରି ॥ ୫୦
ଅନୁଗମନ କିଛି ଦୂରେ । ବିପ୍ର ପେଷିଲେ ନିଜପୁରେ ॥ ୫୧
କୃଷ୍ଣ ବାହୁଡେ ନିଜପୁର । ଏବେ ହୋ ଶୁଣ ନୃପବର ॥ ୫୨
ବିଶ୍ୱକର୍ମାକୁ କୃଷ୍ଣ ରାଇ । ଧୀରେ କହନ୍ତି ମୁଖ ଚାହିଁ ॥ ୫୩
ବେଗେ ତୁ ଯାଅ ବିପ୍ରଘର । ଉତ୍ତମ କରିଦେବୁ ପୁର ॥ ୫୪
ଦେବଦାନବେ ଅଗୋଚର । ଏମନ୍ତେ ହୋଇବ ସୁନ୍ଦର ॥ ୫୫
ନାନାରତନ ଧନ ଜନ । ବେଗେ ତୁ ଭିଆଅ ଏମାନ ॥ ୫୬
ଆଜ୍ଞା ପ୍ରମାଣେ ଚଳିଗଲା । ଦିବ୍ୟଭୁବନ ଭିଆଇଲା ॥ ୫୭
ରଥ ତୁରଗ ପରିବାରୀ । ତୋଟା ପୋଖରୀ ମନୋହରୀ ॥ ୫୮
ଏମନ୍ତ କରି ସେ ନିର୍ମାଣ । ଶୁନ୍ୟେ ଗମିଲା ତତ୍କ୍ଷଣ ॥ ୫୯
ଏବେ ହୋ ଶୁଣ କୁରୁବୀର । ବିପ୍ର ଚଳଇ ନିଜ ଘର ॥ ୬୦
ବିପ୍ର ଗମନ୍ତେ ନିଜସ୍ଥାନେ । ଭାଳଇ କୃଷ୍ଣଗୁଣ ମନେ ॥ ୬୧
କିଛି ନ ଦେଲେ ନାରାୟଣ । ଲାଜେ ନ ମାଗିଲା ବ୍ରାହ୍ମଣ ॥ ୬୨
ପଥେ ଗମଇ ଧୀରପାଦେ । କୃଷ୍ଣ ଦରଶନ ଆନନ୍ଦେ ॥ ୬୩
ଲଜ୍ଜା ଜଡିତ ଅଧୋମୁଖେ । ପଥେ ବିଚାରେ ମନଦୁଃଖେ ॥ ୬୪
ଏ ମୋ ଅର୍ଜିତ କର୍ମଗୁଣ । ବିପ୍ରବତ୍ସଳ ନାରାୟଣ ॥ ୬୫
ଅତି ଦରିଦ୍ର ମୁଁ ପାମର । ସେ କୃଷ୍ଣ କରୁଣା ସାଗର ॥ ୬୬
କମଳା ସେବେ ଯାର ପାଦେ । ସେ ହୃଦେ ପରମଆନନ୍ଦେ ॥ ୬୭
ଲଗାଇ ମୋତେ ତୋଷମନ । ନିବିଡେ କଲେ ଆଲିଙ୍ଗନ ॥ ୬୮
ଅତି ଦରିଦ୍ର ପାପୀ ମୁହିଁ । କୋଟି ବ୍ରହ୍ମାଣ୍ତନାଥ କାହିଁ ॥ ୬୯
ବ୍ରାହ୍ମଣ ବୋଲି ଦୟାକଲେ । ଶ୍ରୀଭୁଜେ ଆଲିଙ୍ଗନ ଦେଲେ ॥ ୭୦
ଲକ୍ଷ୍ମୀ-ପଲ୍ୟଙ୍କେ ମୋତେ ନେଇ । ଭାଇର ପ୍ରାୟ ସ୍ଥାନ ଦେଇ ॥ ୭୧
ଚାମର ଧରି ନିଜ କରେ । ଲକ୍ଷ୍ମୀ ବିଞ୍ଚିଲେ ମୋତେ ଧୀରେ ॥ ୭୨
ମିତ୍ର ସୁହୃଦ ବନ୍ଧୁବର୍ଗେ । ମୋତେ ପୂଜିଲେ ଷଡଅର୍ଘେ ॥ ୭୩
ଯେ ହରି ସଂସାର ଦୁର୍ଲ୍ଲଭ । ସେ ମୋତେ ହୋଇଲେ ସୁଲଭ ॥ ୭୪
ବିପ୍ର ଦେବତା ସେ ଯୁକତେ । ଏଣୁ ପୂଜିଲେ କୃଷ୍ଣ ମୋତେ ॥ ୭୫
ଭୂମି ଗଗନ ରସାତଳ । ସ୍ୱର୍ଗାପବର୍ଗ ବେନି ଫଳ ॥ ୭୬
ସର୍ବସମ୍ପଦର କାରଣ । ଯାହାର ଅଭୟଚରଣ ॥ ୭୭
ସେ ମୋର ମିତ୍ର ନରହରି । ହୃଦରେ ଏମନ୍ତ ବିଚାରି ॥ ୭୮
ଦୁଃଖୀ ଦରିଦ୍ର ଏ ବ୍ରାହ୍ମଣ । ଏହାକୁ ଯେବେ ଦେବା ଧନ ॥ ୭୯
ଧନ ପ୍ରାପତେ ମତ୍ତ ହୋଇ । ମୋତେ ସ୍ମରିବ ଆର କାହିଁ ॥ ୮୦
ତାହାର ମୋତେ ବଡ ଦୟା । ମୁଁ ପାପୀ ନ ଜାଣଇ ଏହା ॥ ୮୧
ଧନ ସମ୍ପଦ ଯେତେ ଜନ । ମତ୍ତଗରବ ଅନୁକ୍ଷଣ ॥ ୮୨
ଧନ ସମ୍ପଦେ ବଢେ ଆଶ । ସେ କାହିଁ କୃଷ୍ଣରେ ବିଶ୍ୱାସ ॥ ୮୩
ଏଣୁ ନ ଦେଲେ ମୋତେ ଧନ । ଧନ୍ୟ ସେ ମୋହର ଜୀବନ ॥ ୮୪
ମନରେ ଏମନ୍ତ ବିଚାରି । ବିପ୍ର ମିଳିଲା ନିଜପୁରୀ ॥ ୮୫
ଦେଖଇ ଆପଣା ମନ୍ଦିର । କି ଅବା ଦେବା ପଟାନ୍ତର ॥ ୮୬
ରବି ଅନଳ ଚନ୍ଦ୍ରକାନ୍ତି । ବୈଦୁର୍ଯ୍ୟମାନ ଝଟକନ୍ତି ॥ ୮୭
ନାନା ବିଚିତ୍ର ଉପବନ । ହଂସ ମୟୁର ପିକ ସ୍ୱନ ॥ ୮୮
ବିବିଧ ଜଳାଶୟ ରାଶି । ପୁଷ୍ପସୁଗନ୍ଧ ବାୟୁ ମିଶି ॥ ୮୯
କହ୍ଲାର ଉତ୍ପଳ କୁମୁଦ । ପବନ କରଇ ଆମୋଦ ॥ ୯୦
ନାରୀ ପୁରୁଷ ନାନାରଙ୍ଗେ । ବିବିଧ ଅଳଙ୍କାର ଅଙ୍ଗେ ॥ ୯୧
ଏମନ୍ତ ଦେଖି ବିପ୍ରବର । ହୃଦରେ କରଇ ବିଚାର ॥ ୯୨
ଏ କି କାହାର ଦିବ୍ୟପୁର । ଅବନୀ ମଧ୍ୟେ ଅଗୋଚର ॥ ୯୩
ମୋର କୁଟୁମ୍ବ ଏହି ସ୍ଥାନେ । ଛାଡି ଗଲି ଯେ ବିଦ୍ୟମାନେ ॥ ୯୪
ଦରିଦ୍ରପତ୍ନୀ ଗଲା କାହିଁ । କି ଅବା ପଥ ହୁଡିଲଇଁ ॥ ୯୫
ଭ୍ରମେ ମିଳିଲି ଅନ୍ୟ ସ୍ଥାନେ । ଏମନ୍ତ ବିଚାରଇ ମନେ ॥ ୯୬
ଭୟେ ବୁଜଇ ଚକ୍ଷୁ ବେନି । ପୁଣି ଭାଳଇ ମନେ ଗୁଣି ॥ ୯୭
ଚିହ୍ନିଲା ଲୋକ ନାହିଁ ଜଣେ । ପୁଛିବି କେବଣ କାରଣେ ॥ ୯୮
ମୁହିଁ ଯେ ଗଲି ସାତଦିନ । କେ କଲା ଏମନ୍ତ ଭୁବନ ॥ ୯୯
ମୋର ବ୍ରାହ୍ମଣୀ କେଣେ ଗଲା । ଏଡେ ଅନୀତି କେହୁ କଲା ॥ ୧୦୦
ଏତେ ବିଚାରି ଦ୍ୱିଜବର । ସ୍ଥକିତେ ଚାହଁଇ ନବର ॥ ୧୦୧
ଏମନ୍ତେ ଶୁଣି ନୃପବର । ବ୍ରାହ୍ମଣୀ ନବରୁ ବାହାର ॥ ୧୦୨
ଅମରପ୍ରଭା ନରନାରୀ । ବିବିଧ ପାତ୍ର କରେ ଧରି ॥ ୧୦୩
ସୁସ୍ୱର ଦିବ୍ୟଗୀତ ନାଦ । ଅଦ୍ଭୂତ ଅଖିଳ ସମ୍ପଦ ॥ ୧୦୪
ଆଗେ ଶତେକ ପରିବାରୀ । କରେ ଚାମର ଛନ୍ତି ଧରି ॥ ୧୦୫
ମଙ୍ଗଳଗୀତ ନାଦ ବାଣୀ । ମଧ୍ୟେ ବିଜୟ ତା ଘରଣୀ ॥ ୧୦୬
ରୂପେ କି ଦେବା ପଟାନ୍ତର । ଅପୂର୍ବ ବେଶ ମନୋହର ॥ ୧୦୭
କରନ୍ତି ଜୟ ଜୟ ଧ୍ୱନି । ଏମନ୍ତେ ବିପ୍ରର କାମିନୀ ॥ ୧୦୮
ପତି ଆଗମନେ ଆନନ୍ଦ । ସଙ୍ଗେ ସୁନ୍ଦରୀ ସଖୀବୃନ୍ଦ ॥ ୧୦୯
ଭୁବନୁ ହୋଇଲା ବାହାର । ରୂପେ ମୋହଇ ସୁର ନର ॥ ୧୧୦
କମଳା ଯେହ୍ନେ ହରିପୁରେ । ବ୍ରାହ୍ମଣୀ ଶୋହେ ସେ ପ୍ରକାରେ ॥ ୧୧୧
ବିପ୍ରକାମିନୀ ପତିବ୍ରତା । ଜଗତେ ଯାର ପୁଣ୍ୟକଥା ॥ ୧୧୨
ନୟନେ ଅଶ୍ରୁଜଳ ପୂରି । ସ୍ୱାମୀଚରଣ କରେ ଧରି ॥ ୧୧୩
ଭାବେ ନମଇ ପୁଣ ପୁଣ । ମନରେ କଲା ଆଲିଙ୍ଗନ ॥ ୧୧୪
ଅନେକମତେ ପୂଜାକରି । ମନେ ଚିନ୍ତଇ ନରହରି ॥ ୧୧୫
ବ୍ରାହ୍ମଣ ନିଜ ନାରୀ ଚାହିଁ । ଚକିତମନେ ବିଚାରଇ ॥ ୧୧୬
ସୁନ୍ଦର ନିବିଡ ସୁଶ୍ରୋଣୀ । କିଏ ଗଗନ ବିଳାସିନୀ ॥ ୧୧୭
ରମ୍ଭା ମେନକା ଅପସରୀ । ସେମାନେ ନୁହନ୍ତି ନା ସରି ॥ ୧୧୮
ଅଦ୍ଭୂତ ରୂପକାନ୍ତି ସାଜେ । ସୁନ୍ଦରୀ ଦାସିଗଣ ମାଝେ ॥ ୧୧୯
ଏମନ୍ତେ ସ୍ୱାମୀକର ଧରି । ଗୃହେ ପଶିଲା ବିପ୍ରନାରୀ ॥ ୧୨୦
ସ୍ତମ୍ଭେ ଦିଶନ୍ତି ରତ୍ନରାଶି । ଇନ୍ଦ୍ରଭୂବନ ପ୍ରାୟ ଦିଶି ॥ ୧୨୧
ଗୋକ୍ଷୀର ଫେନ ପ୍ରାୟ କାନ୍ତି । ଶଯ୍ୟା ପଲଙ୍କେ ବିରାଜନ୍ତି ॥ ୧୨୨
ରତ୍ନପଲଙ୍କେ ହେମଦଣ୍ତେ। ନିର୍ମିତ ହସ୍ତୀତନ୍ତ ମଣ୍ତେ ॥ ୧୨୩
ଶ୍ୱେତଚାମର ରତ୍ନପନ୍ତି । ମୁକୁତାମାଳ ବିରାଜନ୍ତି ॥ ୧୨୪
ନାନା ଆସନ ରତ୍ନମୟ । ମୁକୁତାମାଳ ବିରାଜନ୍ତି ॥ ୧୨୫
ବିବିଧ ଚନ୍ଦ୍ରାତାପ ଲମ୍ବେ । ଯାହା ଭିଆଣ ଦେବରାୟ ॥ ୧୨୬
ସ୍ପଟିକ କାନ୍ଥେ ଦୀପପନ୍ତି । ନିର୍ମଳ ରତ୍ନ ବିରାଜନ୍ତି ॥ ୧୨୭
ପାନ -ଭୋଜନ ଅପ୍ରମିତ । ବ୍ରାହ୍ମଣ ଦେଖିଲା ଅଦ୍ଭୂତ ॥ ୧୨୮
ନୃତ୍ୟ ଗାୟନ ନାନାସ୍ଥାନେ । ବିପ୍ରଭୋଜନ ଆଚମନେ ॥ ୧୨୯
ଦେବତା ପୂଜା ମହୋତ୍ସବ । ପୁର ମଣ୍ତିତ ସର୍ବଠାବ ॥ ୧୩୦
ସର୍ବସମ୍ପଦ ଏକଠୁଳେ । ଦେଖଇ ନୟନ ନିଶ୍ଚଳେ ॥ ୧୩୧
ମନେ ଚିନ୍ତଇ ଯୋଗବଳେ । ଏ କର୍ମ ନାହିଁ ରବିତଳେ ॥ ୧୩୨
ଏମନ୍ତ ସମ୍ପଦ ମୋହର । ନିଶ୍ଚୟ ଦେଲେ ଦାମୋଦର ॥ ୧୩୩
କୃଷ୍ଣର ପୁରେ ମୁଁ ଯେ ଥିଲି । ଏଡେ ସମ୍ପଦ ନ ଦେଖିଲି ॥ ୧୩୪
ପରମାନନ୍ଦର ମହିମା । ନିଗମ ନ ଜାଣଇ ସୀମା ॥ ୧୩୫
ମାଗିଲେ ନିଷ୍ଠୁର ଭଜଇ । ଭକତେ ଆଚମ୍ବିତ ଦେଇ ॥ ୧୩୬
କାଳ ନିୟମ ଯାର ନାହିଁ । ଗଗନ-ଘନ ପ୍ରାୟ ଦେଇ ॥ ୧୩୭
ମୋହର ମିତ୍ର ଯଦୁପତି । ବେଦ ନ ଜାଣେ ଯାର ଗତି ॥ ୧୩୮
ଅଭାବେ ଦେଲେ କୃଷ୍ଣ ଚିତ୍ତ । କିଞ୍ଚିତେ ମଣଇ ବହୁତ ॥ ୧୩୯
ଅଳପ ଦେଲେ ଭାବ ଘେନି । ବହୁତ ଘେନେ ଅନ୍ତର୍ଯ୍ୟାମୀ ॥ ୧୪୦
ପୃଥୁକମୁଷ୍ଟି ଦେଲି ମୁହିଁ । ଭାବେ ଘେନିଲେ ଭାବଗ୍ରାହୀ ॥ ୧୪୧
ମୁଷ୍ଟିଏ ଖାଇ ତୋଷଚିତ୍ତ । ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ॥ ୧୪୨
ତେଣୁ ଏ ସମ୍ପଦ ମୋହର । ଏତେ ବିଚାରି ବିପ୍ରବର ॥ ୧୪୩
ବୋଲଇ ହୋଇ କୃତକୃତ୍ୟ । କପାଳେ ଦେଇ ବେନି ହସ୍ତ ॥ ୧୪୪
କୃଷ୍ଣଚରଣେ ମୋର ଚିତ୍ତ । ନିଶ୍ଚଳେ ରହୁ ଅବିରତ ॥ ୧୪୫
ମିତ୍ର ସୁହୃଦ ଦାସପଣେ । ଖଟିବି ଅଭୟ ଚରଣେ ॥ ୧୪୬
ଅଶେଷ ଯୋନି ମଧ୍ୟେ ଜାତ । ହୋଇ ଖଟିବି ଅବିରତ ॥ ୧୪୭
ତାର ଭକତିପଥ ଦ୍ୱାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୧୪୮
ମୋର ଭକତିଭାବ ଘେନି । ଏ ଧନ ଦେଲେ ଚକ୍ରପାଣି ॥ ୧୪୯
ଏମନ୍ତ ଭାଳି ବିପ୍ର ଚିତ୍ତେ । ସମ୍ପଦେ ରହିଲା ନିଶ୍ଚିନ୍ତେ ॥ ୧୫୦
ଭ୍ରମର ପ୍ରାୟ ଭୋଗ କରି । ଅନ୍ତେ ପାଇଳା ନରହରି ॥ ୧୫୧
ଶୁଣ ପରୀକ୍ଷ ଦଣ୍ତଧର । ବିପ୍ର ଭକତ ଦାମୋଦର ॥ ୧୫୨
ଏହା ଯେ କରନ୍ତି ଶ୍ରବଣ । ଖଣ୍ତନ୍ତି କର୍ମର ବନ୍ଧନ ॥ ୧୫୩
ସେ ହରି ଚରଣକମଳେ । ମୋ ମନ ରହୁ ସୁନିଶ୍ଚଳେ ॥ ୧୫୪
କୃଷ୍ଣଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୧୫୫
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପୃଥୁକ ଉପାଖ୍ୟାନଂ ନାମ
ସପ୍ତଅଶୀତିତମ ଅଧ୍ୟାୟଃ ।
</poem>
==='''ଅଷ୍ଟଅଶୀତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ପ୍ରେମ ଆନନ୍ଦେ ମୁନିବର । ବୋଲନ୍ତି ଶୁଣ କୁରୁବୀର ॥ ୧
ଧରଣୀଭାରା ନିବାରଣ । ଅନାଦିପରମ କାରଣ ॥ ୨
ଅନନ୍ତ ତୁଲେ ନରହରି । ମନୁଷ୍ୟ ରୂପେ ଅବତରି ॥ ୩
ଆନନ୍ଦେ ଦ୍ୱାରାବତୀ ପୁରେ । ବିହରେ ନରକଳେବରେ ॥ ୪
ଜ୍ୟୋତିଷବିଦ୍ୟା ଅନୁମାନେ । ବିଚାରି ଋଷିଙ୍କ ବଚନେ ॥ ୫
ଜ୍ୟୋତିଷେ କୃଷ୍ଣ ପାଶେ ଯାଇ । କହିଲେ ଶିରେ କର ଦେଇ ॥ ୬
ଭୋ ନାଥ ଶୁଣ ସାବଧାନେ । ମକର ପଞ୍ଚଦଶ ଦିନେ ॥ ୭
ତୃତୀୟ ମୁହୂର୍ତ୍ତ ପ୍ରବେଶେ । ସିଂହିକାସୁତ ରବି ଗ୍ରାସେ ॥ ୮
ଦିବସେ ପ୍ରକାଶିବ ନିଶି । ପ୍ରଳୟକାଳ ପ୍ରାୟ ଦିଶି ॥ ୯
ଏମନ୍ତେ ଦଇବଜ୍ଞ ବାଣୀ । ଗୋବିନ୍ଦ ସାବଧାନେ ଶୁଣି ॥ ୧୦
ଘୋଷଣ ଦେଲେ ନିଜପୁରେ । ତୀର୍ଥଗମନ ଅନୁସାରେ ॥ ୧୧
ତ୍ରେତୟାଯୁଗେ ଭୃଗୁରାମ । ରାଜାଙ୍କୁ ବହି ଘୋରତମ ॥ ୧୨
ଦିଗବିଜୟେ ପର୍ଶୁପାଣି । ରାଜାଙ୍କୁ କୁରୁକ୍ଷେେତ୍ର ଆଣି ॥ ୧୩
କୋପେ ଛେଦିଲେ ତାଙ୍କ ମୁଣ୍ତ । ରୁଧିରେ କରି ସାତକୁଣ୍ତ ॥ ୧୪
ରୁଧିରକୁଣ୍ତ ସ୍ନାନ କରି । ପିତାଙ୍କୁ ତର୍ପଣେ ଉଦ୍ଧରି ॥ ୧୫
ତେଣୁ ହୋଇଲା ତୀର୍ଥକଳ୍ପ । ସ୍ନାନେ ହରଇ ସର୍ବପାପ ॥ ୧୬
ଏମନ୍ତେ ଜନେ ରାମତୀର୍ଥେ । ସ୍ନାହାନ ଦାନ ଯେଝାମତେ ॥ ୧୭
କରନ୍ତି ନିଗମ ବେଭାର । ଏବେ ହୋ ଶୁଣ କୁରୁବୀର ॥ ୧୮
ଭାରତଭୂମି ପ୍ରଜା ଯେତେ । ପୁତ୍ର କଳତ୍ର ଧନ ଯୁତେ ॥ ୧୯
ରାଜା ପରଜା ନରନାରୀ । ସଞ୍ଚପି କେ ତା କହିପାରି ॥ ୨୦
ଏମନ୍ତେ ଚାରିଦିଗୁଁ ଯେତେ । ପ୍ରବେଶ ହେଲେ କୁରୁକ୍ଷେତ୍ରେ ॥ ୨୧
ଜ୍ଞାନ ଅଜ୍ଞାନ ପାପ ଯେତେ । ସ୍ନାନେ ଖଣ୍ତିବେ ରାହୁଗ୍ରସ୍ତେ ॥ ୨୨
ସୁତୀର୍ଥେ ସ୍ନାନ ଦାନ ଫଳେ । ପାପୁଁ ତରିବେ ପୁଣ୍ୟବଳେ ॥ ୨୩
ଏତେ ବିଚାରି ପୁଣ୍ୟଧ୍ୟାୟି । ମିଳିଲେ କୁରୁକ୍ଷେତ୍ରେ ଯାଇ ॥ ୨୪
ଗୋବିନ୍ଦ ନନ୍ଦିଘୋଷ ରଥେ । ବସି ଚଳିଲେ ରାଜପଥେ ॥ ୨୫
ଶ୍ରୀକୃଷ୍ଣ ଯାନ୍ତେ କୁରୁକ୍ଷେତ୍ରେ । ସଜ ହୋଇଲେ ଜ୍ଞାତି ଗୋତ୍ରେ ॥ ୨୬
ଦେବକୀ ବସୁଦେବ ଘେନି । କୃଷ୍ଣର ଯେତେକ କାମିନୀ ॥ ୨୭
ପ୍ରଦ୍ୟୁମ୍ନ ଶାମ୍ବ କୃଷ୍ଣସୁତେ । ଶୁକ ସାରଣର ସହିତେ ॥ ୨୮
କୃତବର୍ମା ଯେ ଅନିରୁଦ୍ଧ । ପୁର ରଖନ୍ତି ଯେତେ ଯୋଧ ॥ ୨୯
ଉଗ୍ରସେନର ଯେତେ ବଳ । ସଜ ହୋଇଲେ କାମପାଳ ॥ ୩୦
ଏମନ୍ତେ ଗଲେ ଯଦୁଯୁଥେ । ଆରୋହି ଅଶ୍ୱ ଗଜ ରଥେ ॥ ୩୧
ନିଜ କାମିନୀ ଘେନି ସାଥେ । ଗମିଲେ କୁରୁକ୍ଷେେତ୍ର ପଥେ ॥ ୩୨
ଇନ୍ଦ୍ରର ସଙ୍ଗେ ଦେବବୃନ୍ଦେ । ଯେମନ୍ତେ ଗମନ୍ତି ଆନନ୍ଦେ ॥ ୩୩
ଗଗନେ ଗ୍ରସ୍ତ ଦିବାକର । ଦିବସେ ଦିଶିଲା ଅନ୍ଧାର ॥ ୩୪
ଗଗନେ ଦେଖି ରବିଗ୍ରାସ । ସକଳେ ହୋଇଲେ ହରଷ ॥ ୩୫
ଏମନ୍ତେ ରାହୁ ଗ୍ରାସ କାଳେ । ରାଜା ପରଜା ପୁଣ୍ୟଜଳେ ॥ ୩୬
କରନ୍ତି ସ୍ନାନ ଦାନ ବିଧି । ବେଦବଚନେ ଯେ ପ୍ରସିଦ୍ଧି ॥ ୩୭
ଗୋବିନ୍ଦ ଉପବାସ ଛଳେ । ହରଷେ ପଶି ତୀର୍ଥଜଳେ ॥ ୩୮
ବିପ୍ରଙ୍କୁ ବରି ଭଗବାନ । ଦେଲେ ସବତ୍ସା ଧେନୁଦାନ ॥ ୩୯
ବିବିଧ ଅଳଙ୍କାର ଭରି । କୋଟିଏ ଧେନୁ ଦାନ କରି ॥ ୪୦
ଅନ୍ନ ସୁବର୍ଣ୍ଣ ବସ୍ତ୍ର ଦାନ । ଆନନ୍ଦ ମନେ ଭଗବାନ ॥ ୪୧
ବିବିଧ ମତେ ଦାନ ଦେଇ । ତୀରେ ବସିଲେ କୃଷ୍ଣ ଯାଇ ॥ ୪୨
ଯାଦବ ଭୋଜ ସେହିମତେ । ସ୍ନାହାନ କଲେ ଯଥୋଚିତେ ॥ ୪୩
ଭୋଜନ ସାରି ସଙ୍ଗମେଳେ । ବସିଲେ ନାନା ବୃକ୍ଷତଳେ ॥ ୪୪
ଦେବକୀଦେବୀ ବସୁଦେବ । ବସିଲେ ରାମ ପଦ୍ନନାଭ ॥ ୪୫
ଏ ଆଦି କହିବି ମୁଁ କେତେ । କୃଷ୍ଣର ପତ୍ନୀ ସୁତ ଯେତେ ॥ ୪୬
ବୃକ୍ଷଙ୍କ ମୂଳେ ବିରାଜନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥ ୪୭
ଏମନ୍ତେ ରାମହ୍ରଦତଟେ । ରାମ ଗୋବିନ୍ଦର ନିକଟେ ॥ ୪୮
କୃଷ୍ଣର ଦର୍ଶନେ ଆନନ୍ଦ । ଆସି ମିଳିଲେ ବନ୍ଧୁବୃନ୍ଦ ॥ ୪୯
ମତ୍ସ୍ୟ ଉଶୀନର କୋଶଳ । ବିଦର୍ଭ ଆଦି କୁରୁବଳ ॥ ୫୦
ସୃଞ୍ଜୟ କାମ୍ବୋଜ କୈକୟ । ଆନର୍ତ୍ତ କୁନ୍ତୀ ମଦ୍ରରାୟ ॥ ୫୧
କହିବି ଏକେ ଏକେ କେତେ । କେରଳ ଆଦି ରାଜା ଯେତେ ॥ ୫୨
ସୁହୃଦବନ୍ଧୁ ମିତ୍ରଜନ । ଅପରେ ଅନେକ ରାଜନ ॥ ୫୩
ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥ ୫୪
ଗୋପୀଏ କୃଷ୍ଣରୁପ ଦେଖି । ଅଶ୍ରୁ ଗଳଇ ବେନି ଆଖି ॥ ୫୫
ଫୁଟିଲା ପଦ୍ମପ୍ରାୟ ନେତ୍ର । ନୀଳ କୁନ୍ତଳ ହୃଦ ଗାତ୍ର ॥ ୫୬
କି ଅବା ଦେବା ପଟାନ୍ତର । ଯାହା ରମିଲେ ଦାମୋଦର ॥ ୫୭
ଲୋଚନେ କରି ମନେ ଧ୍ୟାନ । ଅନ୍ତର କଲେ ଆଲିଙ୍ଗନ ॥ ୫୮
ପୁଲକେ ଅଙ୍ଗେ ରୋମରାଜି । ପ୍ରେମ ଆନନ୍ଦେ ଚକ୍ଷୁବୁଜି ॥ ୫୯
କଣ୍ଠକୁଣ୍ଠିତ ମଞ୍ଜୁବାଣୀ । ତା ଦେଖି କୃଷ୍ଣର ତରୁଣୀ ॥ ୬୦
ସୁହୃଦଭାବେ ଏକମେଳେ । କରନ୍ତି ଜଣେ ଜଣେ କୋଳେ ॥ ୬୧
ମୁଖେ ବିସ୍ମିତ ମନ୍ଦହାସେ । ଦୃଢେ ଯନ୍ତ୍ରିତ ସ୍ନେହପାଶେ ॥ ୬୨
ନିବିଡେ କୁଙ୍କୁମ ଲେପନ । ଭାବେ ଲଗାଇ ସ୍ତନେ ସ୍ତନ ॥ ୬୩
ଭୁଜେ କରନ୍ତି କୋଳେକୋଳେ । ଅଶ୍ରୁପୁରିତ ବେନିଡୋଳ ॥ ୬୪
କୃଷ୍ଣକାମିନୀ ଗୋପନାରୀ । ସେନେହ ଭାବ ମନେ ଧରି ॥ ୬୫
କହନ୍ତି କୃଷ୍ଣ କଥାମାନ । ସୁମରି କରନ୍ତି ରୋଦନ ॥ ୬୬
ଗୋପିଙ୍କୀ ବୋଧି କୃଷ୍ଣନାରୀ । କଥା ପ୍ରବନ୍ଧେ ମନ ହରି ॥ ୬୭
ସମସ୍ତେ ହୋଇଲେ ହରଷ । କୃଷ୍ଣର ଭାବ ମଧୁରସ ॥ ୬୮
ଏହି ପ୍ରକାରେ ବଧୁଜନେ । ଯେ ବିଧି ଯଥା ଅନୁମାନେ ॥ ୬୯
ଆଶିଷ ବଚନ୍ତେ କରନ୍ତି । କୁଳ କୁଶଳ ପଚାରନ୍ତି ॥ ୭୦
ଏକ ଆରକେ ବହି ବ୍ୟଥା । ଆନନ୍ଦେ କହେ କୃଷ୍ଣକଥା ॥ ୭୧
କୃଷ୍ଣଭକତି ହୃଦେ ଘେନି । ମିଳିଲେ ପାଣ୍ତବ ଜନନୀ ॥ ୭୨
ଭ୍ରାତ ଭଗିନୀଜନ ମଧ୍ୟେ । ପୁତ୍ର ପଉତ୍ର ଅନୁବନ୍ଧେ ॥ ୭୩
ପିତା ଜନନୀ ମୁଖ ଚାହିଁ । ଭାତୃକାମିନୀ ମଧ୍ୟେ ଥାଇ ॥ ୭୪
ଅନାଇଁ ଗୋବିନ୍ଦ ଶ୍ରୀମୁଖ । ଛାଡିଲା କଷ୍ଟ ଦୁଃଖ ଶୋକ ॥ ୭୫
ବସୁଦେବର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥ ୭୬
;କୁନ୍ତୀ ଉବାଚ
ହେ ଭ୍ରାତ ଏ ମୋହର ଜନ୍ମ । ମନୁଷ୍ୟ ମଧ୍ୟେ ହୀନକର୍ମ ॥ ୭୭
ଯେତେ ଆପଦ ମୋତେ ହୋଇ । ମୋ ତହୁଁ ଆନ କେବା ସହି ॥ ୭୮
ତେଡେ ଆପଦେ ନ ସୁମର । ଅଭାଗୀ ଜୀବନ ମୋହର ॥ ୭୯
ସୁହୃଦ ଜ୍ଞାତି ପୁତ୍ର ଭାଇ । ପିତା ଜନନୀ ଯାର ଥାଇ ॥ ୮୦
ଆପଦେ ନ କରନ୍ତି ଚିନ୍ତା । ତାହାକୁ ବାମଟି ବିଧାତା ॥ ୮୧
ଏମନ୍ତ କର୍ମ ମୋର ଭାବ । ତା ଶୁଣି ବୋଲେ ବସୁଦେବ ॥ ୮୨
ଶୁଣ ଗୋ ମାତ ମୋ ବଚନ । ଆମ୍ଭଙ୍କୁ ନ କର ନିନ୍ଦନ ॥ ୮୩
ଦେଖ ସଂସାରେ ଯେତେ ଲୋକ । ଈଶ୍ୱର କ୍ରୀଡାର କନ୍ଦୁକ ॥ ୮୪
ଈଶ୍ୱର ଯନ୍ତ୍ର ମଧ୍ୟେ ପଡି । କାର୍ଯ୍ୟ କାରଣେ ପଥ ହୁଡି ॥ ୮୫
ଈଶ୍ୱର ଆଜ୍ଞା ଅନୁମତେ । ପ୍ରାଣୀ ଭାଜନ୍ତି ନାନାପଥେ ॥ ୮୬
କଂସ ପ୍ରତାପେ ଆମ୍ଭେ ତାପୀ । ବୁଲିଲୁ ବନ ଦେଶବ୍ୟାପୀ ॥ ୮୭
ପୁଣି ମିଳିଲୁ ନିଜଦେଶେ । ଏସର୍ବ ଈଶ୍ୱର ଆଦେଶେ ॥ ୮୮
କହନ୍ତି ବସୁଦେବ ସ୍ନେହେ । ସଂସାରବନ୍ଧ ମାୟାମୋହେ ॥ ୮୯
ଶୁଣି ପ୍ରବୋଧ ପଣ୍ତୁରାଣୀ । ଭାବବଚନେ ହେଲା ତୁନି ॥ ୯୦
କହନ୍ତି ବ୍ୟାସଙ୍କ ନନ୍ଦନ । ଶ୍ରୀବାସୁଦେବ ଉଗ୍ରସେନ ॥ ୯୧
ଯାଦବେ ମାନ ଗଉରବେ । ପୂଜିଲେ ନୃପତିଙ୍କି ଭାବେ ॥ ୯୨
ରାଜାଏ କୃଷ୍ଣ ଦରଶନେ । ହରଷେ ପୂଜିଲେ ସୁମନେ ॥ ୯୩
ଶୁଣ ବିରାଟସୁତାସୁତ । ଗୋବିନ୍ଦ ସମୀପେ ଆଗତ ॥ ୯୪
ଜାହ୍ନବୀସୁତ ଦ୍ରୋଣଗୁରୁ । ଅମ୍ବିକାପୁତ୍ର ମହାମେରୁ ॥ ୯୫
ଗାନ୍ଧାରୀ ଘେନି ପୁତ୍ରଶତ । ଦ୍ରୌପଦୀ ସମୀପେ ଆଗତ ॥ ୯୬
ଶକୁନି ସଞ୍ଜୟ ବିଦୁର । ଏ ଆଦି ଯେତେ ନୃପବର ॥ ୯୭
ବିରାଟ ତୁଲେ କୁନ୍ତୀଭୋଜ । ଭୀଷ୍ମକ ନଗ୍ନଜିତ ରାଜ ॥ ୯୮
ଦ୍ରୁପଦ ପୁରୁଜିତ ବେନି । ଶଲ୍ୟ ଯେ ଧୃଷ୍ଟକେତୁ ଘେନି ॥ ୯୯
କାଶୀନୃପତି ଦମଘୋଷ । ବିଶାଳା ମିଥିଳାର ଈଶ ॥ ୧୦୦
ମଦ୍ରକ କଇକେୟ ଭାନୁ । ସଙ୍ଗେ ନୃପତି ଯୁଧାମନ୍ୟୁ ॥ ୧୦୧
ସୁଶର୍ମା ବାହ୍ଲୀକର ମେଳେ । ମିଳିଲେ ଯୁଧିଷ୍ଠିର ତୁଲେ ॥ ୧୦୨
ଷୋଳସହସ୍ର ଶତେ ନାରୀ । ଅଷ୍ଟ ଅଧିକ ଆଦି କରି ॥ ୧୦୩
ଦେଖି ବିସ୍ମୟେ ନୃପଗଣେ । ନମିଲେ କୃଷ୍ଣର ଚରଣେ ॥ ୧୦୪
ରାମଗୋବିନ୍ଦ ତୋଷମନେ । ରାଜାଙ୍କୁ ବସାଇ ଆସନେ ॥ ୧୦୫
ନାନା ପ୍ରକାରେ ପୂଜାବିଧି । ପୂଜିଲେ ବେଭାର ପ୍ରସିଦ୍ଧି ॥ ୧୦୬
ଆନନ୍ଦେ ସର୍ବ ନୃପବର । ଯଦୁଙ୍କୁ ବୋଲନ୍ତି ମଧୁର ॥ ୧୦୭
ହେ ଭୋଜପତି ଦୁମ୍ଭ ଜନ୍ମ । ସଂସାର ମଧ୍ୟେ ବଡ ଧନ୍ୟ ॥ ୧୦୮
ଯେ ହରି ଯୋଗୀଙ୍କି ଦୁର୍ଲ୍ଲଭ । ତୁମ୍ଭଙ୍କୁ ହୋଇଲେ ସୁଲଭ ॥ ୧୦୯
ଦୃଷ୍ଟିଗୋଚର କୃଷ୍ଣ ଦେଖି । ନିର୍ମଳ କଲ ଚର୍ମଆଖି ॥ ୧୧୦
ଯାର ବିଶ୍ରୁତି ଶ୍ରୁତିସ୍ତୁତ । ପବିତ୍ର କରଇ ଜଗତ ॥ ୧୧୧
ପାଦଉଦକ ସୁରଧୁନୀ । ପବିତ୍ର କରେ ପୁର ତିନି ॥ ୧୧୨
ସକଳଶାସ୍ତ୍ର ଯାର ବାଣୀ । ଜଗତ ତରେ ଯାହା ଶୁଣି ॥ ୧୧୩
କାଳଅନଳେ ଏ ଧରଣୀ । ଭାବେ ଭର୍ଜିତ ପ୍ରାୟ ମଣି ॥ ୧୧୪
ଯାହାର ଚରଣ ସ୍ପରଶେ । ଜୀବନ ପାଇ ଭାରା ନାଶେ ॥ ୧୧୫
ଏମନ୍ତ ପ୍ରଭୁ ମହାବାହୁ । ଆମ୍ଭଙ୍କୁ ଚଉବର୍ଗ ଦେଉ ॥ ୧୧୬
ସେ ହରି ନିତ୍ୟେ ତୁମ୍ଭ ପାଶେ । ନରକପଥ-ଗୃହବାସେ ॥ ୧୧୭
ତାର ଦର୍ଶନ ହାସ୍ୟରସ । ଅନୁଗମନ ପରିହାସ ॥ ୧୧୮
ଯୋନି ସମ୍ବନ୍ଧେ ପିଣ୍ତଦାନ । ନାନା ସମ୍ବନ୍ଧେ ଅନୁଧ୍ୟାନ ॥ ୧୧୯
ଏହା ପାଇଲ ତପ ଦାହି । ସ୍ୱର୍ଗାପବର୍ଗେ ବାଞ୍ଛା ନାହିଁ ॥ ୧୨୦
ଏମନ୍ତେ ରାଜାଙ୍କ ବଚନ । ଶୁଣି ହରଷ ଉଗ୍ରସେନ ॥ ୧୨୧
କହନ୍ତି ବ୍ୟାସଙ୍କର ବଳା । ନନ୍ଦ ଯେ କୁରୁକ୍ଷେେତ୍ର ଥିଲା ॥ ୧୨୩
ନିଜ ଗୋକୁଳ ସଙ୍ଗତରେ । ମିଳିଲା ଶ୍ରୀକୃଷ୍ଣ ଛାମୁରେ ॥ ୧୨୪
ଶକଟ ସାଜି ନାନାମତେ । ଅନେକ ପରଜା ସଙ୍ଗତେ ॥ ୧୨୫
ନନ୍ଦକୁ ଦେଖି ଯଦୁଗଣ । ଆସନ ତେଜିଲେ ତକ୍ଷଣ ॥ ୧୨୬
ପିଣ୍ତ ଯେସନେ ପ୍ରାଣ ପାଇ । ଉଠି ଆନନ୍ଦେ ସମ୍ଭାଷଇ ॥ ୧୨୭
ଚିତଦରଶନ କାତରେ । ହୃଦେ ଭିଡନ୍ତି ସ୍ନେହଭରେ ॥ ୧୨୮
ଆନନ୍ଦେ ଉଠି ବସୁଦେବ । ନନ୍ଦର ମିତ୍ର ପ୍ରିୟଭାବ ॥ ୧୨୯
କଂସର କୃତକ୍ଳେଶ ଯେତେ । ସର୍ବ ସୁମରି ଶୋକଚିତ୍ତେ ॥ ୧୩୦
କୃଷ୍ଣଙ୍କୁ ଘେନି ରାତ୍ରକାଳେ । ଯେମନ୍ତେ ଥୋଇଲା ଗୋକୁଳେ ॥ ୧୩୧
ତାହା ସୁମରି ଅତି ସ୍ନେହେ । ଚିତ୍ତଜଡିତ ମାୟାମୋହେ ॥ ୧୩୨
ପାଶେ ଯେ ଥିଲେ ରାମହରି । ନନ୍ଦ ଯଶୋଦା ପାଦ ଧରି ॥ ୧୩୩
ନମିଲେ ଅତି ସୁଖଭୋଳେ । ବସିଲେ ବେନିଜନ କୋଳେ ॥ ୧୩୪
ହୃଦରେ କରି ଆଲିଙ୍ଗନ । ବଦନୁ ନ ସ୍ପୁରେ ବଚନ ॥ ୧୩୫
ଯଶୋଦା ବେନି ଭୁଜେ ଧରି । ହୃଦେ ଲଗାଇ ନରହରି ॥ ୧୩୬
ପ୍ରାଣହୁଁ ଅତି ସ୍ନେହ ଭରି । ନିବିଡେ ଆଲିଙ୍ଗନ କରି ॥ ୧୩୭
ପରମାନନ୍ଦ ଲଭି ସୁଖ । ବେଗେ ହୁଡିଲା ମନଦୁଃଖ ॥ ୧୩୮
ନନ୍ଦ ରାମଙ୍କୁ କରି କୋଳ । ନୟନୁ ବହେ ଅଶ୍ରୁଜଳ ॥ ୧୩୯
ହୃଦେ ନିରୋପି ଦିବ୍ୟଜ୍ଞାନ । ଛାଡିଲା ଦୁଃଖ ଶୋକମାନ ॥ ୧୪୦
ଦେବକୀ ରୋହିଣୀ ଆନନ୍ଦେ । ଭାବେ ଲଗାଇ ହୃଦହୃଦେ ॥ ୧୪୧
ନିର୍ଭରେ ଆଲିଙ୍ଗନ କରି । ମିତ୍ର ସ୍ୱଭାବେ ବ୍ରଜେଶ୍ୱରୀ ॥ ୧୪୨
ବିପଦକାଳେ ମିତ୍ରଗୁଣ । ଶୋକେ ସୁମରି ପୁଣ ପୁଣ ॥ ୧୪୩
ବୋଲନ୍ତି ଯଶୋଦାକୁ ଚାହିଁ । କିସ ଉପମା ଦେବି ମୁହିଁ ॥ ୧୪୪
ଇନ୍ଦ୍ରସମ୍ପଦ ସୁଖ ଭୁଞ୍ଜି । କେ ପାରୁ ତୁମ୍ଭ ଋଣ ଶୁଝି ॥ ୧୪୫
ବେନି ବାଳକ ତୁମ୍ଭ ଘରେ । ପ୍ରାଣ ପୋଷିଲେ କଂସ ଡରେ ॥ ୧୪୬
ରାମଗୋବିନ୍ଦ ଭାଇ ବେନି । ତୁମ୍ଭେ ଯେ ପିଅର ଜନନୀ ॥ ୧୪୭
ପାଳିଲ ପୁତ୍ରହୁଁ ଅଧିକେ । ତୁମ୍ଭେ ଯେ ଧନ୍ୟ ବେନିଲୋକେ ॥ ୧୪୮
ପୋଷିଲ ପୁତ୍ରଭାବ ଘେନି । ଅନ୍ଧ ଯେସନେ ଚକ୍ଷୁବେନି ॥ ୧୪୯
କି ଆର ସଂସାର ବେଭାର । ତୁମ୍ଭର ନାହିଁ ପରାପର ॥ ୧୫୦
ଏମନ୍ତେ ଯଶୋଦାର ତୁଲେ । ଦେବକୀ ରୋହିଣୀ ବସିଲେ ॥ ୧୫୧
ଶୁଣ ରାଜନ ଚୁଡାମଣି । ଆନନ୍ଦେ ଗୋପର ତରୁଣୀ ॥ ୧୫୨
କୃଷ୍ଣଙ୍କୁ ଦେଖି ସୁଖଭୋଳେ । ନିରୋପି ନୟନେ ନିଶ୍ଚଳେ ॥ ୧୫୩
ଲଜ୍ଜା ଉପେକ୍ଷି ଗୋପୀବୃନ୍ଦ । ଚିରଦରଶନେ ଆନନ୍ଦ ॥ ୧୫୪
କୃଷ୍ଣର ବଦନ ଦେଖନ୍ତି । ଚକ୍ଷୁ ନିମିଷେ ନ ଚାଳନ୍ତି ॥ ୧୫୫
ଚାହାନ୍ତି କୃଷ୍ଣ ସର୍ବଅଙ୍ଗ । ଅଗ୍ନିକି ଯେସନେ ପତଙ୍ଗ ॥ ୧୫୬
କୃଷ୍ଣର ରୂପ ପ୍ରିୟଭାବେ । ହୃଦେ ଭରିଲେ ଦୃଷ୍ଟିମାର୍ଗେ ॥ ୧୫୭
ଆନନ୍ଦ ରୂପ ଭଗବାନ । ଅନ୍ତରେ କଲେ ଆଲିଙ୍ଗନ ॥ ୧୫୮
ଲଭିଲେ ନିଜ ପ୍ରିୟଭାବ । ଯେ ହରି ଯୋଗିଙ୍କି ଦୁର୍ଲ୍ଲଭ ॥ ୧୫୯
ଗୋପୀଙ୍କ ଭାବ ଦେଖି ହରି । ଅନନ୍ତମାୟା ଯୋଗ କରି ॥ ୧୬୦
କେହି ନ ଦେଖେ ରୂପ ଡୋଳେ । ମିଳିଲେ ଗୋପୀଙ୍କର ମେଳେ ॥ ୧୬୧
ପଚାରି ଗୋପୀଙ୍କ କୁଶଳ । କରନ୍ତି ଜଣେ ଜଣେ କୋଳ ॥ ୧୬୨
ବୋଲନ୍ତି ଜଗତମୋହନ । କୋମଳ ଗଭୀର ବଚନ ॥ ୧୬୩
ଶୁଣ ଗୋ ସଖୀଜନେ ମୋର । ମୁଁ ଯେ ରହିଲି ମଧୁପୁର ॥ ୧୬୪
ଅଇଲି ନିଜ କର୍ମ ଆଶେ । ଭାରା ନିବାରଣ ବିଶ୍ୱାସେ ॥ ୧୬୫
ଅନେକ ଦିନୁଁ ନାହିଁ ଦେଖା । ମୁହିଁ ତୁମ୍ଭର ନିଜ ସଖା ॥ ୧୬୬
ଈଶ୍ୱର ମାୟାରେ ସଂସାର । ସଂଯୋଗ ବିଯୋଗ ବେଭାର ॥ ୧୬୭
ପବନ ଯେହ୍ନେ ମେଘମାଳା । ଧରଣୀ ରେଣୁ ତୃଣ ତୁଳା ॥ ୧୬୮
କରଇ ସଂଯୋଗ ବିଯୋଗ । ଏମନ୍ତ ଈଶ୍ୱରର ଯୋଗ ॥ ୧୬୯
ମୋହରେ ଭାବ ଯେ କରନ୍ତି । ମୋ ତହୁଁ ଭିନ୍ନ ସେ ନୁହନ୍ତି ॥ ୧୭୦
ତୁମ୍ଭର ଭାଗ୍ୟ ଏ ସଂସାରେ । ଭାବେ ଭଜିଲ ମୋ ପୟରେ ॥ ୧୭୧
ମୁହିଁ ସକଳ ପ୍ରାଣୀଙ୍କର । ଆବୋରି ଭିତର ବାହାର ॥ ୧୭୨
କରଇ ସୃଷ୍ଟି ଆଦିଅନ୍ତ । ଯେହ୍ନେ ଜଡିତ ପଞ୍ଚଭୂତ ॥ ୧୭୩
ଉଭୟ ମହିମା ମୋହର । ଜ୍ଞାନୀଜନଙ୍କୁ ଅଗୋଚର ॥ ୧୭୪
ଏମନ୍ତେ ପ୍ରଭୁ ଭଗବାନ । ଗୋପିଙ୍କି କହି ତତ୍ତ୍ୱଜ୍ଞାନ ॥ ୧୭୫
ଗୋପୀଏ କୃଷ୍ଣର ବଚନ । ଶୁଣି ପାଇଲେ ଦିବ୍ୟଜ୍ଞାନ ॥ ୧୭୬
ନିର୍ଲୋଭ କୃଷ୍ଣ ରୂପ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୧୭୭
ଭୋ ନାଥ ଶୁଣ ପଦ୍ମନାଭ । ଲଭିଲୁ ତୋ ଚରଣେ ଭାବ ॥ ୧୭୮
ତୋର ଚରଣ ହେ ଅନନ୍ତ । ଯୋଗୀଙ୍କ ହୃଦପଦ୍ମେସ୍ଥିତ ॥ ୧୭୯
ଅଜ୍ଞାନ ମାୟାର ପ୍ରବୋଧ । ଭୋ ନାଥ ତୋର ପଦ୍ମପାଦ ॥ ୧୮୦
ସଂସାର ଅନ୍ଧକାର କୂପେ । ପ୍ରାଣୀଯନ୍ତ୍ରିତ ତିନିତାପେ ॥ ୧୮୧
ତୋ ପଦ୍ମପାଦ ଚକ୍ରପାଣି । ତାହାଙ୍କ ତରିବା ନିଶୁଣି ॥ ୧୮୨
ଗୋପୀଏ କୃଷ୍ଣପାଦ ଧରି । ବୋଲନ୍ତି ତରିଲୁ ମୁରାରି ॥ ୧୮୩
ଆମ୍ଭର ତୋ ଚରଣେ ମନ । ଏ ବର ଦେବୁ ନାରାୟଣ ॥ ୧୮୪
ଏମନ୍ତ ଗୋପୀଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧୮୫
ହସି ବୋଲନ୍ତି ଦାମୋଦର । ପୂର୍ବହୁଁ ଦେଅଛୁ ବର ॥ ୧୮୬
ତୁମ୍ଭର ମୋ ଚରଣେ ମନ । ନିଶ୍ଚେ ପାଇବ ମୋର ସ୍ଥାନ ॥ ୧୮୭
ଏମନ୍ତେ ଗୋପିଙ୍କି ନିସ୍ତାରି । ନିଜ ଆସନେ ବିଜେ କରି ॥ ୧୮୮
ସେ ହରି ଚରଣକମଳେ । ମୋ ମନ ରହୁ ଧ୍ୟାନବଳେ ॥ ୧୮୯
ସୁଜନେ ଚିନ୍ତ ଦୃଢମନେ । ଗୋପୀଙ୍କ ପ୍ରାୟ ଶୁଦ୍ଧଧ୍ୟାନେ ॥ ୧୯୦
ପାଇବ ପରମକାରଣ । ତାରିବେ ପ୍ରଭୁ ନାରାୟଣ ॥ ୧୯୧
ଗୋପୀଙ୍କ ପ୍ରାୟ ଭାବେ ଧ୍ୟାୟି । ସକଳ କର୍ମେ ଭାବଗ୍ରାହୀ ॥ ୧୯୨
ପାଇ ନ ପାଇ କଲି ଆଶ । ବୋଲଇ ଜଗନ୍ନାଥ ଦାସ ॥ ୧୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବୃଷ୍ଟିଗୋପସଙ୍ଗମୋନାମ
ଅଷ୍ଟଅଶୀତିତମ ଅଧ୍ୟାୟଃ
</poem>
==='''ଏକୋନନବତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ ॥ ୧
ଅଖିଳଜନଗୁରୁ ହରି । ବ୍ରଜକାମିନୀ ବୋଧ କରି ॥ ୨
ଧର୍ମନନ୍ଦନ ତୁଲେ ଯେତେ । ସୁହୃଦ ବାନ୍ଧବ ସମେତେ ॥ ୩
ତାହାଙ୍କୁ ଚାହିଁ ନନ୍ଦବାଳ । ହରଷେ ପୁଚ୍ଛନ୍ତି କୁଶଳ ॥ ୪
ଭୋ ରାଜା ଶୁଣ ମୋ ବଚନ । କୁଶଳ କହ ସର୍ବଜନ ॥ ୫
କୃଷ୍ଣବଚନ ଶୁଣି କର୍ଣ୍ଣେ । ଆନନ୍ଦ ମନେ ବନ୍ଧୁଜନେ ॥ ୬
କୃଷ୍ଣର ପାଦପଦ୍ମ ଚାହିଁ । ତାହାଙ୍କ ଦେହେ ପାପ ନାହିଁ ॥ ୭
ବୋଲନ୍ତି ସ୍ନେହ ଗଦଗଦେ । ଚିତ୍ତ ନିବେଶି ପଦ୍ମପାଦେ ॥ ୮
ଭୋ ନାଥ ଶୁଣ ହୃଷୀକେଶ । ତୋ ପାଦପଦ୍ମ ମଧୁରସ ॥ ୯
ମହତ ମୁଖୁଁ ଝରେ ନିତି । ଯେ କର୍ଣ୍ଣପୁଟରେ ପିବନ୍ତି ॥ ୧୦
ନିତ୍ୟେ ପିବନ୍ତି ମୋଦଭରି । ତେଣେ ଅଜ୍ଞାନମାର୍ଗ ହରି ॥ ୧୧
ତାର ଅଶୁଭ ଫଳ କାହିଁ । ପୁଣି ବୋଲନ୍ତି କୃଷ୍ଣେ ଚାହିଁ ॥ ୧୨
ଭୋ ନାଥ ଶୁଣ ପୂର୍ଣ୍ଣକାମ । ନିର୍ମଳ ତୋର ଆତ୍ମଧାମ ॥ ୧୩
ମାୟା ଅଙ୍କୁର ପରକାଶ । ଯାର ସ୍ମରଣେ ଯାଇ ନାଶ ॥ ୧୪
ଆନନ୍ଦ ସୁଖସିନ୍ଧୁ ନାବ । ଅଖଣ୍ତ ଅକୁଣ୍ଠିତ ଭାବ ॥ ୧୫
ନିଗମେ ଯେବେ ବିନଶନ୍ତି । କାଳ ସର୍ଜିତ ମାୟାକୃତି ॥ ୧୬
ସ୍ୱରୂପେ ଥାଇ ଜନହିତେ । ତୁ ଦେହ ବହୁ ଏ ଜଗତେ ॥ ୧୭
ନିଜ ପରମହଂସ ଗତି । ଆମ୍ଭର ତୋର ପାଦ ମତି ॥ ୧୮
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହେ ପରୀକ୍ଷ ରାଜନ ॥ ୧୯
ସମସ୍ତେ କୃଷ୍ଣମୁଖ ଚାହିଁ । ସ୍ତୁତି କରନ୍ତି ଭାବରହି ॥ ୨୦
ଏମନ୍ତ ଜନେ ସ୍ତୁତି ଭଣି । ଉତ୍ତମ ଯଶ ଶିଖାମଣି ॥ ୨୧
ସମୀପେ ଦେଖି ନରହରି । ବୃଷ୍ଟି ଅନ୍ଧକ କୁରୁନାରୀ ॥ ୨୨
ଆନନ୍ଦେ ବସି ମନସୁଖେ । କହନ୍ତି କୃଷ୍ଣକଥା ମୁଖେ ॥ ୨୩
ଏକ ଆରକେ ମୁଖ ଚାହିଁ । ତ୍ରୈଲୋକ୍ୟ ତରେ ଯାହା ଗାଇ ॥ ୨୪
କୃଷ୍ଣକାମିନୀଗଣ ଚାହିଁ । ହରଷେ ଦ୍ରୌପଦୀ ବୋଲଇ ॥ ୨୫
ହେ ବଇଦର୍ଭି ରୂପଶୀଳେ । ହେ ଜାମ୍ବବତୀ କଉଶଲ୍ୟେ ॥ ୨୬
ହେ ସତ୍ୟଭାମା ରବିସୁତେ । ଶୈବ୍ୟା ଲକ୍ଷଣା ଆଦି ଯେତେ ॥ ୨୭
ଭଦ୍ରା ରୋହିଣୀ ଆଦି କରି । ଷୋଳସହସ୍ର ଯେତେ ନାରୀ ॥ ୨୮
କେମନ୍ତେ କୃଷ୍ଣଙ୍କୁ ବରିଲ । ଏ ମାୟାବନ୍ଧୁ ନିସ୍ତାରିଲ ॥ ୨୯
କେବଣ ତପ ପୂର୍ବେ ଦାହି । କୃଷ୍ଣଙ୍କୁ ସ୍ୱାମୀ ପଣେ ପାଇ ॥ ୩୦
କହ ଶ୍ରବଣେ ଇଚ୍ଛା ମୋର । କେମନ୍ତେ କୃଷ୍ଣ ତୁମ୍ଭ ବର ॥ ୩୧
ଏକଇ ପୁରୁଷ ଗୋବିନ୍ଦ । ଅନେକ ନାରୀ ଯେ ଆନନ୍ଦ ॥ ୩୨
କେମନ୍ତେ ମନାଇଲ ହରି । କହ ଉଚିତ ଭାବ ଭରି ॥ ୩୩
ଏମନ୍ତେ ଦ୍ରୌପଦୀ ବଚନେ । ରୁକ୍ମିଣୀ କହେ ତୋଷମନେ ॥ ୩୪
ରୁକ୍ମୀ ଯେ ମୋର ଜ୍ୟୈଷ୍ଠଭାଇ । ଶିଶୁପାଳକୁ ଦେବାପାଇଁ ॥ ୩୫
ମଙ୍ଗଳ ଲଗ୍ନେ ବର ବରି । ରାଜାଏ ନାନା ଶସ୍ତ୍ର ଧରି ॥ ୩୬
ମୋତେ ଆବୋରି ରାଜପଥେ । ଅନେକ ଗଜ ଅଶ୍ୱ ରଥେ ॥ ୩୭
ମୋହର ସ୍ୱୟମ୍ବର ଶୁଣି । ଅଇଲେ ପ୍ରଭୁ ଚକ୍ରପାଣି ॥ ୩୮
ମୋତେ ହରିଲେ ଏକା ରଥେ । ସିଂହ ଯେସନେ ମେଷୟୁଥେ ॥ ୩୯
ତାର ଶ୍ରୀଯୁତ ପଦ୍ମପାଦେ । ଚିତ୍ତ ମୋ ସେବୁ ଅପ୍ରମାଦେ ॥ ୪୦
କହି ହରଷ କୃଷ୍ଣବାମା । ତଦନ୍ତେ କଲେ ସତ୍ୟଭାମା ॥ ୪୧
ମୋହର ପିତା ଶତ୍ରାଜିତ । ସୂର୍ଯ୍ୟଙ୍କ ରୁଲେ ହେଲେ ମିତ ॥ ୪୨
ସନ୍ତୋଷେ ପ୍ରଭୁ ଦିନମଣି । ଦେଲେ ସେ ସ୍ୟମନ୍ତକ ମଣି ॥ ୪୩
ଏକଇ ଦିନେ ପିତା ମୋର । ଗଳାରେ ଖଞ୍ଜିଣ ବାହାର ॥ ୪୪
ସଭାର ମଧ୍ୟେ ଚକ୍ରପାଣି । ମାଗିଲେ ସାମନ୍ତକ ମଣି ॥ ୪୫
ପିତା ମୋ ନ ଦେଲା ତାହାଙ୍କୁ । ପ୍ରସେନ ନେଲା ବନସ୍ତକୁ ॥ ୪୬
ମୃଗୟା ବିନୋଦେ ଗମନ । ଚଢିଣ ଥିଲା ହୟଯାନ ॥ ୪୭
ବନେ ତା ସିଂହ କଲା ହତ । ନ ଦେଖି ତାତ ସାନଭ୍ରାତ ॥ ୪୮
ମନେ ଭାଳଇ ପୁଣ ପୁଣି । କୃଷ୍ଣ ଯେ ମାଗିଥିଲେ ମଣି ॥ ୪୯
ମୁଁ ଯେ ନ ଦେଲି ଲୋଭବଶେ । ତେଣୁ ଗୋବିନ୍ଦ ଅବିଶ୍ୱାସେ ॥ ୫୦
ମୋ ଭ୍ରାତ ବନେ ସଂହାରିଲା । ଏମନ୍ତ ଅପବାଦ ଦେଲା ॥ ୫୧
ସେ ଅପବାଦ ମାର୍ଜିବାରେ । କୃଷ୍ଣ ମିଳିଲେ ବନଘୋରେ ॥ ୫୨
ବନ୍ଧୁବାନ୍ଧବେ ବନେ ମିଳି । ଦେଖି ପ୍ରସେନ ମୃତ୍ୟୁସ୍ଥଳୀ ॥ ୫୩
ସିଂହର ଦନ୍ତ ନଖଘାତେ । ଦେଖି ସମସ୍ତେ ସ୍ତମ୍ଭୀଭୂତେ ॥ ୫୪
ଜାଣିଲେ ରକ୍ଷ ସିଂହ ମାରି । ସେ ମଣି ନେଲା ନିଜପୂରୀ ॥ ୫୫
ତା ଦେଖି କୃଷ୍ଣ ବିଳେ ପଶି । ଜାମ୍ବବ ତୁଲେ ହୃଷୀକେଶୀ ॥ ୫୬
ରକ୍ଷକୁ ମାଲଯୁଦ୍ଧେ ଜିଣି । ଆଣିଲେ ସାମନ୍ତ୍ୟକ ମଣି ॥ ୫୭
ସେ ମଣି ପିତା କଣ୍ଠେ ନେଇ । କୃଷ୍ଣ ସନ୍ତୋଷମନେ ଦେଇ ॥ ୫୮
ପିତା ମୋ କଣ୍ଠେ ନେଇ । କୃଷ୍ଣ ସନ୍ତୋଷମନେ ଦେଇ ॥ ୫୯
ଏଣୁ ମୁଁ କୃଷ୍ଣର ଯୁବତୀ । ତା ଶୁଣି ବୋଲେ ଜାମ୍ବବତୀ ॥ ୬୦
ଏ ମଣି ହେତୁ ନରହରି । ମୋ ତାତ ତୁଲେ ଯୁଦ୍ଧକରି ॥ ୬୧
ତ୍ରିନବଦିନ ମହାଘୋର । ଯୁଦ୍ଧେ ହାରିଲା ପିତା ମୋର ॥ ୬୨
ଗାଢ ପ୍ରହାରେ ତନୁ କ୍ଷୀଣ । ପ୍ରତ୍ୟେକ୍ଷ ଜାଣି ବିଷ୍ଣୁଚିହ୍ନ ॥ ୬୩
ଜାଣିଲା ଏ ମୋ ନିଜ ନାଥ । ରଘୁନନ୍ଦନ ସୀତାକାନ୍ତ ॥ ୬୪
ପୂର୍ବର କଥା ମନେ ଗୁଣି । ଚିହ୍ନିଲା ପ୍ରଭୁ ଚକ୍ରପାଣି ॥ ୬୫
ମଥୁରା ଜନମ ମୁରାରି । ମୋ ମନକଥା ଜାଣିକରି ॥ ୬୬
ଅଇଲେ ଯୁଦ୍ଧଦେବା ଅର୍ଥେ । ମୁଁ ଏବେ ପରମକୃତାର୍ଥେ ॥ ୬୭
କୋପସଂହାରି ଗୁଣମଣି । ଅନେକ ସ୍ତୁତିବାକ୍ୟ ଭଣି ॥ ୬୮
ପଡିଲା କୃଷ୍ଣପଦ୍ମପାଦେ । ଆନନ୍ଦେ ଶୋକ ଗଦଗଦେ ॥ ୬୯
ନିଜ ଅପରାଧ ବିଚାରି । ମଣି ମୋହର କଣ୍ଠେ ଭରି ॥ ୭୦
ଗୋବିନ୍ଦପାଦେ ଦେଲା ଆଣି । ଏଣୁ ମୁଁ କୃଷ୍ଣର ଘରଣୀ ॥ ୭୧
ଏ କଥା ଜଗତେ ପ୍ରସିଦ୍ଧି । ତା ଶୁଣି ବୋଲଇ କାଳିନ୍ଦୀ ॥ ୭୨
ଶୁଣ ଗୋ ସଖୀ କଥା ମୋର । ପିତା ମୋହର ଦିନକର ॥ ୭୩
ବୋଇଲେ ତପକର ଯାଇ । ପାଇବୁତ୍ରୈଲୋକ୍ୟଗୋସାଇଁ ॥ ୭୪
ପିତାବଚନେ ଘୋରବନେ । ତପ କରଇ ଶୁଦ୍ଧମନେ ॥ ୭୫
ଅଭୟପାଦ ସେବା ଆଶେ । ତା ଜାଣି କୃଷ୍ଣ ମୋର ପାଶେ ॥ ୭୬
ଅର୍ଜୁନେ ପେଷି ମୋତେ ଆଣି । ବିଭା ହୋଇଲେ ଚକ୍ରପାଣି ॥ ୭୭
ପିତାବଚନ ଶିରେ ଘେନି । ତେଣୁ ମୁଁ କୃଷ୍ଣର କାମିନୀ ॥ ୭୮
ଏଣୁ ମୋ ବର ଚକ୍ରପାଣି । ମିତ୍ରବିନ୍ଦା ବୋଲେ ତା ଶୁଣି ॥ ୭୯
ଶୁଣ ଗୋ ଦ୍ରୁପଦକୁମାରୀ । ମୋ ପିତା ସ୍ୱୟମ୍ବର କରି ॥ ୮୦
ଅନେକ ଥିଲେ ରାଜାଗଣେ । କେତେ କହିବି ଜଣେ ଜଣେ ॥ ୮୧
ଏମନ୍ତ ଜାଣି ଗୋପୀନାଥେ । ଯାଇ ମିଳିଲେ ଏକାରଥେ ॥ ୮୨
ଗୋବିନ୍ଦ ଆସି ନୃପମେଳେ । ସମରେ ଜିଣି ବାହୁବଳେ ॥ ୮୩
ମୋତେ ହରିଲେ ଏକାରଥେ । ସିଂହ ଯେସନେ ଶ୍ୱାନଯୁଥେ ॥ ୮୪
ହରଇ ନିଜ ଭାଗ ବଳେ । ମୋ ଭାତୃଗଣ ମୋର ଛଳେ ॥ ୮୫
କୃଷ୍ଣର ତୁଲେ କଲେ ରଣ । ତାହାଙ୍କୁ ଜିଣି ତତ୍କ୍ଷଣ ॥ ୮୬
ମୋତେ ଆଣିଲେ ଶ୍ରୀନିବାସ । ତାର ଚରଣେ ସେବା ଆଶ ॥ ୮୭
ସେ ପଦ୍ମପାଦେ ମୋର ସେବା । ହେଉ ଏମନ୍ତ ଆଜ୍ଞା ଦେବା ॥ ୮୮
ମିତ୍ରବିନ୍ଦାର ଏ ବଚନେ । ସତ୍ୟା ବୋଲଇ ତୋଷମନେ ॥ ୮୯
ମୋ ପିତା ଭୁବନେ ପ୍ରଚଣ୍ତ । ଥିଲେ ଯେ ଦୃଷ୍ଟ ସାତଷଣ୍ଢ ॥ ୯୦
ଅତି ସୁତୀକ୍ଷଣ ଶୃଙ୍ଗ ଖୁର । ଦେଖି ଡରନ୍ତି ମହାବୀର ॥ ୯୧
ତାହାଙ୍କୁ ନିଜ ପୁରେ ଥୋଇ । ଘୋଷଣ ଚଉଦିଗେ ଦେଇ ॥ ୯୨
ରାଜାଙ୍କ ବଳ ପରୀକ୍ଷାର୍ଥେ । ମଧ୍ୟେ ସଞ୍ଚିତ କରି ମୋତେ ॥ ୯୩
ଏ ସାତଷଣ୍ଢ ବାହୁବଳେ । ଯେ ବାନ୍ଧିପାରେ ଏକାବେଳେ ॥ ୯୪
ଏ କନ୍ୟା ହୋଇବ ତାହାର । ସତ୍ୟବଚନ ଏ ମୋହର ॥ ୯୫
ତା ଶୁଣି ନୃପତିକୁମରେ । ମିଳିଲେ ମୋ ପିତା ନଗରେ ॥ ୯୬
ଦେଖି ସପତଷଣ୍ଢ ରୂପ । ଭୟେ ଭାଜିଲେ ସର୍ବ ନୃପ ॥ ୯୭
ଏମନ୍ତେ ପ୍ରଭୁ ବନମାଳୀ । ବେଗେ ମୋ ପିତା ପୁରେ ମିଳି ॥ ୯୮
ସେ ସାତଷଣ୍ଢ ବାହୁବଳେ । ବନ୍ଧନ କଲେ ଏକାବେଳେ ॥ ୯୯
ଛାଗବାଳକ ରାଜପଥେ । ବାଳକେ ବାନ୍ଧନ୍ତି ଯେମନ୍ତେ ॥ ୧୦୦
ଏମନ୍ତେ ବୃକ୍ଷ ବନ୍ଦୀ କରି । ମୋତେ ଲଭିଲେ ନରହରି ॥ ୧୦୧
ପଥେ ସମରେ ରାଜା ଜିଣି । ଦ୍ୱାରକା ନେଲେ ଚକ୍ରପାଣି ॥ ୧୦୨
ସେ ହରି ଅଭୟ ଚରଣେ । ମୋ ଚିତ୍ତ ରହୁ ଅନୁକ୍ଷଣେ ॥ ୧୦୩
ଯାର ସ୍ମରଣେ ନାହିଁ ବାଧା । ତା ଶୁଣି ବୋଲଇ ଯେ ଭଦ୍ରା ॥ ୧୦୪
କୃଷ୍ଣ ମୋ ମାତୁଳକୁମର । ପିତା ବରିଲା ତାଙ୍କୁ ବର ॥ ୧୦୫
କୃଷ୍ଣଙ୍କୁ ଆଣି ନିଜପୁରେ । ବିବାହ ଦେଲା ସୁହୃଦରେ ॥ ୧୦୬
ଶୁଣ ଦ୍ରୌପଦୀ ମନଦେଇ । ମୋହର ଚିତ୍ତ କୃଷ୍ଣ ତହିଁ ॥ ୧୦୭
ବଳ ଅକ୍ଷୌହିଣୀ ସଙ୍ଗତେ । ସଖୀ ସମେତ ଦେଲା ମୋତେ ॥ ୧୦୮
ସେ ହରିପାଦେ ମୋର କର୍ମେ । ସ୍ମରଣ ହେଉ ଜନ୍ମେ ଜନ୍ମେ ॥ ୧୦୯
ଏ ଭବଜଳେ ମୋର ଜନ୍ମ । ଅର୍ଜିତକର୍ମେ ପଥଶ୍ରମ ॥ ୧୧୦
ସେ କୃଷ୍ଣପାଦେ ସେବା ହେଉ । ଏ ମୋର ମାୟାଭ୍ରମ ଯାଉ ॥ ୧୧୧
ଏମନ୍ତେ ଶୁଣି ସର୍ବବାଣୀ । ଲକ୍ଷଣା କହେ ମନେ ଗୁଣି ॥ ୧୧୨
ଶୁଣ ଗୋ ଧର୍ମସୁତରାଣି । ଲକ୍ଷଣା କହେ ମନେ ଗୁଣି ॥ ୧୧୩
ନାରଦମୁନି ଶୁଦ୍ଧଚେତା । କୃଷ୍ଣର ଜନ୍ମଧର୍ମକଥା ॥ ୧୧୪
ନିତ୍ୟେ କହନ୍ତି ମୋର ପାଶେ । ତା ଶୁଣି ମନ ମୋ ବିଶ୍ୱାସେ ॥ ୧୧୫
ମୁକୁନ୍ଦପାଦେ ଲୋଭ କରି । ଯେ ପାଦ ଲକ୍ଷ୍ମୀ ଅଛି ଧରି ॥ ୧୧୬
ଲୋକପାଳଙ୍କୁ ତେଜି ଦୂରେ । ସେବଇ ଶ୍ରୀକୃଷ୍ଣ ପୟରେ ॥ ୧୧୭
ତା ପାଦେ ଭଜିଲା ମୋ ଚିତ । କ୍ଷଣକ୍ଷଣକେ ମୋହଗତ ॥ ୧୧୮
ମନବଚନ କୃଷ୍ଣପାଦେ । କଣ୍ଠ ମୋ ଶୋକ ଗଦଗଦେ ॥ ୧୧୯
ମୋର ପିଅର ବୃହତସେନ । ତକ୍ଷଣେ ଜାଣିଲା ମୋ ମନ ॥ ୧୨୦
ସ୍ୱଭାବେ ଦୁହିତାବତ୍ସଳ । ପୁଣ୍ୟପବିତ୍ର ଯାର କୂଳ ॥ ୧୨୧
ଉପାୟ କଲା ମୋର ଅର୍ଥେ । ଶୁଣ କହିବି ତୋଷଚିତ୍ତେ ॥ ୧୨୨
ଭୋ ଦେବି ତୋର ସ୍ୱୟମ୍ବରେ । ଯେମନ୍ତେ ଦ୍ରୁପଦନଗରେ ॥ ୧୨୩
ଲାଖ ଭିଆଣ ପାର୍ଥଛଳେ । ମତ୍ସ୍ୟ ସଂକାଶ କୁମ୍ଭଜଳେ ॥ ୧୨୪
ବସ୍ତ୍ର ଆଚ୍ଛାଦି ଅଷ୍ଟଦିଶେ । ଧନୁ ସ୍ଥାପିଲା କୁମ୍ଭପାଶେ ॥ ୧୨୫
ତା ଶୁଣି ନୃପତିକୁମରେ । ମିଳିଲେ ମୋ ପିତା ନଗରେ ॥ ୧୨୬
ଜାଣନ୍ତି ଅସ୍ତ୍ରଶସ୍ତ୍ର ତତ୍ତ୍ୱ । ସ୍ୱଗୁରୁ ତୁଲେ ଉପଗତ ॥ ୧୨୭
ଚାରିଦିଗରୁ ଲକ୍ଷେ ରାଜା । ଦେଖି ମୋ ପିତା କଲା ପୂଜା ॥ ୧୨୮
ପୂଜିଲା ନାନା ଉପହାରେ । ଯାହାକୁ ଯେମନ୍ତ ବେଭାରେ ॥ ୧୨୯
ସକଳେ ମିଳି ଲାଖତଳେ । ଧନୁସନ୍ଧାନ ବାହୁବଳେ ॥ ୧୩୦
କେ ଧନୁ ନ ପାରନ୍ତି ତୋଳି । କା ମୁଖୁଁ ରୁଧୁର ନିକିଳି ॥ ୧୩୧
କେ ଗୁଣ ଦେଇ ନ ପାରନ୍ତି । କେ ହୁଡି ଭୂମିରେ ପଡନ୍ତି ॥ ୧୩୨
କେ ଧନୁହୁଳେ ଗୁଣ ତାଡି । ପଡିଲେ ଧନୁହୃଦେ ମାଡି ॥ ୧୩୩
ମାଗଧ ଆଦି ବୀର ଯେତେ । ଧନୁସାଧନ ଗୁରୁମତେ ॥ ୧୩୪
ଥିଲେ ଯେ ଭୀମ ଦୁର୍ଯ୍ୟୋଧନ । ରବିନନ୍ଦନ ବୀରକର୍ଣ୍ଣ ॥ ୧୩୫
ମୀନର ନ ଦେଖିଲେ ସ୍ଥାନ । ତା ଦେଖି ଉଠିଲା ଅର୍ଜୁନ ॥ ୧୩୬
ଧନୁ ଆମଞ୍ଚି ଦୃଢମୁଷ୍ଟି । ଉର୍ଦ୍ଧ୍ୱନାରାଚ ଅଧୋଦୃଷ୍ଟି ॥ ୧୩୭
ମତ୍ସ୍ୟ ଆଭାସ ଦେଖି ଜଳେ । ବାଣ ଛାଡିଲା ଅନ୍ତରାଳେ ॥ ୧୩୮
ମତ୍ସ୍ୟରେ ଲାଗି ବାଣ ଗଲା । ଲାଜେ ଅର୍ଜ୍ଜୁନ ବାହୁଡିଲା ॥ ୧୩୯
ଏମନ୍ତେ ସକଳ ରାଜନ । ଲାଜେ ନିବୃତ୍ତ ଅପମାନ ॥ ୧୪୦
ମାନୀଙ୍କ ମାନଭଙ୍ଗ ଡରେ । କେହି ନଗଲେ ଧନୁଘରେ ॥ ୧୪୧
ଏମନ୍ତେ କମଳଲୋଚନ । ଧନୁମନ୍ଦିରେ ଆଗମନ ॥ ୧୪୨
ଲୀଳାଏ ବାମ କରେ ଧରି । ଗୁଣ ଟଙ୍କାର ନାଦ କରି ॥ ୧୪୩
ନାରାଚ ତୋଳି ଧନୁ ଧରି । ଅଧୋବଦନେ ବନମାଳୀ ॥ ୧୪୪
ମତ୍ସ୍ୟକୁ ଚାହିଁ କୁମ୍ଭଜଣେ । ବାଣ ଛାଡିଲେ ବାହୁବଳେ ॥ ୧୪୫
ନାରାଚ ତେଜେ ମୀନ ଗୋଟି । ତଳେ ପଡିଲା ଚକ୍ଷୁଫୁଟି ॥ ୧୪୬
ମୁହୂର୍ତ୍ତ ଅଭିଜିତ କାଳେ । ବିବୁଧେ ଗଗନ ମଣ୍ତଳେ ॥ ୧୪୭
ଦୁନ୍ଦୁଭି-ବାଦ୍ୟ-ନାଦ କଲେ । ଜୟ ଶବଦ ମହୀତଳେ ॥ ୧୪୮
ହରଷ ଭୋଳେ ସୁରଗଣ । କରନ୍ତି ପୁଷ୍ପବରଷଣ ॥ ୧୪୯
ଶୁଣ ପାଞ୍ଚାଳି ଶୁଦ୍ଧଚିତ୍ତେ । ମୁଁ ତହିଁ ମିଳିଲି ଯେମନ୍ତେ ॥ ୧୫୦
ଗଭୀର ନୁପୁର ଶବଦେ । ମଞ୍ଜୁ କୋମଳ ବେନିପାଦେ ॥ ୧୫୧
କରେ ନିର୍ମଳ ରତ୍ନମାଳ । ମୋହ୍ନ ଭୁବନମଣ୍ତଳ ॥ ୧୫୨
ନବୀନ ପାଟବସ୍ତ୍ର ପିନ୍ଧି । କବରୀଭାରେ ପୁଷ୍ପ ବାନ୍ଧି ॥ ୧୫୩
ଅଳପ ଲାଜେ ମନ୍ଦହାସେ । ମୁଖ ଶୋଭିତ ରଙ୍ଗରସେ ॥ ୧୫୪
ନିକଟେ ଦେଖି ବନମାଳୀ । ଲଜ୍ଜା ଛାଡିଲି ମୁଖ ତୋଳି ॥ ୧୫୫
ନୀଳକୁନ୍ତଳ ମୋ କପୋଳେ । ରତ୍ନକୁଣ୍ତଳ ଗଣ୍ତସ୍ଥଳେ ॥ ୧୫୬
ସସ୍ମିତହାସ ମୁଖେ ସାଜେ । କଟାକ୍ଷ ଲୋଚନ ବିରାଜେ ॥ ୧୫୭
ଦେଖନ୍ତି ସକଳ ରାଜନେ । ନିର୍ମଳ ନିଶ୍ଚଳ ଲୋଚନେ ॥ ୧୫୮
ଭୋ ସଖି ଦୂର କଲି ଲାଜ । ଧୀରେ ମୁଁ ତୋଳି ବେନିଭୁଜ ॥ ୧୫୯
କୃଷ୍ଣର ଦେହେ ଚିତ୍ତ ମୋର । ରଙ୍ଗେ ଦେଖନ୍ତି ସୁରନର ॥ ୧୬୦
ଶଙ୍ଖ ଶବଦ ଜୟନାଦେ । ମାଳା ମୁଁ ଦେଲି କୃଷ୍ଣହୃଦେ ॥ ୧୬୧
ମୃଦଙ୍ଗ ପଟହ ଶବଦେ । ଦୁନ୍ଦୁଭି ଆଦି ବାଦ୍ୟନାଦେ ॥ ୧୬୨
ରଙ୍ଗେ ନାଚନ୍ତି ନାରୀଗଣେ । ଗୀତ ସୁସ୍ୱର ବାଦ୍ୟସ୍ୱନେ ॥ ୧୬୩
ଏମନ୍ତେ କୃଷ୍ଣଙ୍କୁ ମୁଁ ବରି । ରାଜାଏ ଦେଖି ଯୁଦ୍ଧ କରି ॥ ୧୬୪
ମୋ ରୂପେ ହୋଇ ଅସମ୍ଭାଳ । ଯୁଦ୍ଧ ଆରମ୍ଭି କଲେ ଗୋଳ ॥ ୧୬୫
ତା ଦେଖି ପ୍ରଭୁ ବନମାଳୀ । ନନ୍ଦିଘୋଷରେ ମୋତେ ତୋଳି ॥ ୧୬୬
ରଥେ ଚତୁର ଅଶ୍ୱଯୁତ । ଶାରଙ୍ଗଧନୁ ଧରି ହସ୍ତ ॥ ୧୬୭
ସନ୍ନିଧେ ଦେଖି ରଣସଜ । ରଥେ ହୋଇଲେ ଚର୍ତୁଭୂଜ ॥ ୧୬୮
ରତ୍ନବିମାନେ ଜନ ମୋହେ । ଦାରୁକ ବିଷ୍ଣୁ ତେଜେ ବାହେ ॥ ୧୬୯
ଦେଖନ୍ତି ସର୍ବ ରାଜାଗଣ । ରଣେ ମିଳିଲେ ନାରାୟଣ ॥ ୧୭୦
ଶୁଣ ପାଞ୍ଚାଳି ଏକମନେ । ମୃଗଙ୍କ ମଧ୍ୟେ ସିଂହ ଯେହ୍ନେ ॥ ୧୭୧
ଅନେକ ରାଜା ରାଜପଥେ । ରୁନ୍ଧିଲେ ଅତି ବଳବନ୍ତେ ॥ ୧୭୨
ସଜ୍ଜିତ ହୋଇ ଧନୁ ଧରି । ରହିଲେ କୃଷ୍ଣଙ୍କୁ ଆବୋରି ॥ ୧୭୩
ସିଂହକୁ ଯେହ୍ନେ ଶ୍ୱାନଯୁଥ । ଆବୋରି ଚଉଦିଗ ପଥ ॥ ୧୭୪
କୃଷ୍ଣ ସାରଙ୍ଗଧନୁ ବାଣେ । ରଣେ ପଡିଲେ ରାଜାଗଣେ ॥ ୧୭୫
ବାହୁଚରଣ କନ୍ଧ ଛାଡି । ପଡିଲେ ରଣଭୂମି ମାଡି ॥ ୧୭୬
ଥୋକାଏ ପ୍ରାଣରକ୍ଷା ଆଶେ । ପଳାଇଗଲେ ନିଜ ଦେଶେ ॥ ୧୭୭
ସମରେ ଜିଣି ବନମାଳୀ । ବିଜୟ କଲେ କୁଶସ୍ଥଳୀ ॥ ୧୭୮
ଅତି ସୁନ୍ଦର ଅଳଙ୍କୃତ । ଧ୍ୱଜ ପତାକା ନାନା ଚିତ୍ର ॥ ୧୭୯
ନାନା ତୋରଣ ଗୃହେ ଶୋହେ । ଦେଖନ୍ତେ ଜନମନ ମୋହେ ॥ ୧୮୦
ଯେ କୁଶସ୍ଥଳୀ ଦିବ୍ୟଭୂମି । ଯହିଁ ବିଜୟ ଅନ୍ତର୍ଯ୍ୟାମୀ ॥ ୧୮୧
ପିତା ମୋହର ବିଭାକାଳେ । ବନ୍ଧୁବାନ୍ଧବ ଜ୍ଞାତିମେଳେ ॥ ୧୮୨
ପୂଜିଲା ନାନା ଉପହାରେ । ଶଯ୍ୟା ଆସନ ଅଳଙ୍କାରେ ॥ ୧୮୩
ଅନେକ ଦାସ ଦାସୀ ଧନ । ବାଜି କୁଞ୍ଜର ବହୁ ସୈନ୍ୟ ॥ ୧୮୪
ବିବିଧ ଅସ୍ତ୍ରଶସ୍ତ୍ର ଆଣି । ଦେଲାକ ସର୍ବ ପରିମାଣି ॥ ୧୮୫
କୃଷ୍ଣଙ୍କୁ ଯଉତୁକ ଦେଲା । ଅନେକ ଭକ୍ତିଭାବ କଲା ॥ ୧୮୬
ଯେ ହରି ନିଜ ତେଜ ଧାମ । ମହାମହିମ ପୂର୍ଣ୍ଣକାମ ॥ ୧୮୭
ସେ ହରି ପଦ୍ମପାଦ ତଳେ । ମୋ ନିଜ ସଖୀ ସଙ୍ଗମେଳେ ॥ ୧୮୮
ତାହାର ଗୃହଦାସୀ ସଙ୍ଗେ । ନିବୃତ୍ତ ଚିତ୍ତ ଅନୁରାଗେ ॥ ୧୮୯
ତପସ୍ୟା ଫଳୁଁ ଚିତ୍ତ ରହୁ । ସେ ପାଦ ସେବି ଦିନ ଯାଉ ॥ ୧୯୦
ଏମନ୍ତେ ଲକ୍ଷଣା ବଚନେ । ଷୋଳସହସ୍ର ନାରୀଜନେ ॥ ୧୯୧
ଶତେ ଅଧିକ ସେ ସ୍ୱଭାବେ । ହସି କହନ୍ତି ପ୍ରିୟଭାବେ ॥ ୧୯୨
ଭୂମିନନ୍ଦନ ମହାବୀର । ଦୁର୍ଜୟ ନାରକା ଅସୁର ॥ ୧୯୩
ଦିଗବିଜୟେ ବୀରମଣି । ଅନେକ ରାଜକନ୍ୟା ଆଣି ॥ ୧୯୪
ନିଜ ଭୁବନେ ଥିଲା ଭରି । ସମରେ କୃଷ୍ଣ ତାକୁ ମାରି ॥ ୧୯୫
ଆମ୍ଭଙ୍କୁ ବନ୍ଦିମୋକ୍ଷ କରି । ଆଣିଲେ ପ୍ରଭୁ ଦଇତ୍ୟାରି ॥ ୧୯୬
ଘୋର ସଂସାର ମାୟାବନ୍ଧ । ଧ୍ୟାନେ ଛେଦଇ ଯାର ପାଦ ॥ ୧୯୭
ସେ ହରି ଆମ୍ଭ ଚିତ୍ତ ଜାଣି । ଉଦ୍ଧରି ନିଜପୁରେ ଆଣି ॥ ୧୯୮
ଆମ୍ଭେ ହୋଇଲୁ ତାର ଦାସୀ । ଅଭୟ-ପଦ୍ମପାଦେ ଆସି ॥ ୧୯୯
ସ୍ୱଭାବେ ଆତ୍ମାରାମ ସେହି । ତାହାର ଆଦିଅନ୍ତ ନାହିଁ ॥ ୨୦୦
ନିତ୍ୟେ ଚିନ୍ତଉଁ ସର୍ବନାରୀ । ଗୋବିନ୍ଦ ପାଦେ ମନ ଧରି ॥ ୨୦୧
ସେ ପ୍ରଭୁ ଜଗତଜୀବନ । ପଶିଲୁ ତାହାରେ ଶରଣ ॥ ୨୦୨
ଶୁଣ ସାଧବି ଆମ୍ଭ ବାଣୀ । ଚିତ୍ତେ ଏମନ୍ତ ପରିମାଣି ॥ ୨୦୩
ସକଳ ରାମରାଜ୍ୟ ଭୋଗ । ଅଣିମା ଆଦି ସିଦ୍ଧିଯୋଗ ॥ ୨୦୪
ଇନ୍ଦ୍ର କି ବ୍ରହ୍ମପଦ ଅବା । କୈବଲ୍ୟ ବଇକୁଣ୍ଠ କିବା ॥ ୨୦୫
ଏଣେ ଆମ୍ଭର ନାହିଁ ଇଚ୍ଛା । ଅଭୟ ପାଦପଦ୍ମେ ବାଞ୍ଛା ॥ ୨୦୬
ଶ୍ରୀକୃଷ୍ଣ ପାଦପଦ୍ମ ଧୂଳି । କୁଚ କୁଙ୍କୁମେ ଲକ୍ଷ୍ମୀ ବୋଳି ॥ ୨୦୭
ତେଣୁ ସୁଗନ୍ଧ ଅତି ସ୍ପୁରେ । ନିତ୍ୟେ ବହିଁବୁଁ ତାହା ଶିରେ ॥ ୨୦୮
ଯା ପାଦ-ସରସିଜ ତିନି । ବାଞ୍ଛନ୍ତି ଗୋପାଳ ଯୁବତୀ ॥ ୨୦୯
ପୁଲିନ ତୃଣ ଗୁଳ୍ମ ଜାତି । ଗାବ ଗୋପାଳେ ଯାହା ଚିନ୍ତି ॥ ୨୧୦
ସେ ପଦ୍ମପାଦ ଆମ୍ଭ ଚିତ୍ତେ । ସ୍ମରଣ ହେଉ ଅବିରତେ ॥ ୨୧୧
କୃଷ୍ଣ ମହିମା ଅଗୋଚର । ମୁଁ କୀଟ କୋଟିକେ ଅନ୍ତର ॥ ୨୧୨
ଏଣୁ ହୋଇଲି ଅପରାଧୀ । ଯେହ୍ନେ ଗଗନେ ଲାଖ ବିନ୍ଧି ॥ ୨୧୩
ସୁଜନେ ଶୁଣ ପରିହସ । ମୁଁ ତୁମ୍ଭ ଚରଣରେ ଦାସ ॥ ୨୧୪
ଏଣେ ସୁଜନେ ମନ ଦେଇ । ଭେଟିବ ପ୍ରଭୁ ଭାବଗ୍ରାହୀ ॥ ୨୧୫
ବୋଲଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥ ୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଏକୋନନବତିତମ ଅଧ୍ୟାୟଃ ।
</poem>
==='''ନବତିତମ ଅଧ୍ୟାୟ'''===
<poem>
ଶୁକ ବୋଲନ୍ତି ଶୁଦ୍ଧମନେ । ହରଷେ ରାଜା ସନ୍ନିଧ୍ୟାନେ ॥ ୧
;ଶୁକ ଉବାଚ
ଶୁଣ ସୁମନେ ଶୁଦ୍ଧଚେତା । କୃଷ୍ଣ ମଙ୍ଗଳ ଗୁଣଗାଥା ॥ ୨
କୃଷ୍ଣର ଅଷ୍ଟପାଟରାଣୀ । ତାହାଙ୍କ ମୁଖୁଁ ବାକ୍ୟ ଶୁଣି ॥ ୩
କୁନ୍ତୀ ଗାନ୍ଧାରୀ ଯାଜ୍ଞସେନୀ । ମାଧବୀ ସୁଭଦ୍ରା କାମିନୀ ॥ ୪
ଅପରେ ରାଜପତ୍ନୀ ଯେତେ । ବ୍ରଜକାମିନୀଗଣ ସାଥେ ॥ ୫
କୃଷ୍ଣମହିମା ଶୁଣି କର୍ଣ୍ଣେ । ଅପରେ ଯେତେ ବଧୂଜନେ ॥ ୬
ପରମାନନ୍ଦ ବିଷ୍ଣୁଭାବେ । ପ୍ରେମ ଅନୁବନ୍ଧ ସ୍ୱଭାବେ ॥ ୭
ଆନନ୍ଦେ ତନୁ ପୁଲକିତ । ଲୋଚନ କୋଣେ ଅଶ୍ରୁଜାତ ॥ ୮
ଏକ ଆରେକ ମୁଖ ଚାହିଁ । କୃଷ୍ଣ ମହିମା ଗୁଣ ଗାଇ ॥ ୯
ସୁଖସାଗରେ ନିମଜ୍ଜିଲେ । ଏମନ୍ତେ ବିପ୍ରେ ବିଜେ କଲେ ॥ ୧୦
ଦେଖିବା ଅର୍ଥେ ରାମ ହରି । ଅନେକ ଦୂରୁଁ ଆଶା କରି ॥ ୧୧
ବ୍ୟାସ ସହିତେ ବ୍ରହ୍ମାସୂତ । ଚ୍ୟବନ ଦେବଳ ଅସିତ ॥ ୧୨
ବିଶ୍ୱାମିତ୍ର ଯେ ମହାମୁନି । ସଙ୍ଗତେ ଶତାନନ୍ଦ ଘେନି ॥ ୧୩
ଭରଦ୍ୱାଜ ଯେ ଗଉତମ । ମିଳିଲେ ଶ୍ରୀପରଶୁରାମ ॥ ୧୪
ବଶିଷ୍ଠ ଶିଷ୍ୟଙ୍କ ସହିତେ । ଗାଲବ ଆଦି ଭୃଗୁ ଯେତେ ॥ ୧୫
ପୁଲସ୍ତ୍ୟ କଶ୍ୟପ ଯେ ଅତ୍ରି । ମୃକଣ୍ତୁସୁତ ବୃହସ୍ପତି ॥ ୧୬
ବ୍ରହ୍ମାର ସୁତ ଦ୍ୱିତ ତ୍ରିତ । ଏକତ୍ର ଅଙ୍ଗିରା ସହିତ ॥ ୧୭
ଅଗସ୍ତ୍ୟ ଯାଜ୍ଞବଲ୍କ୍ୟ ମୁନି । ଅପରେ ବାମଦେବ ଘେନି ॥ ୧୮
ଋଷିଙ୍କି ଦେଖି କିଛି ଦୂରେ । ବେଗେ ଉଠିଲେ ନୃପବରେ ॥ ୧୯
ପାଣ୍ତବେ ରାମକୃଷ୍ଣ ତୁଲେ । ବିପ୍ରଙ୍କ ପାଦେ ପ୍ରଣମିଲେ ॥ ୨୦
ବିଶ୍ୱବନ୍ଦିତ ମୁନିଗଣ । କୃଷ୍ଣ ନମନ୍ତି ପୁଣ ପୁଣ ॥ ୨୧
ରାମ ସହିତେ ଦାମୋଦର । ପୂଜିଲେ ବିପ୍ରଙ୍କ ପୟର ॥ ୨୨
ଆସନ ପାଦ୍ୟ ଅର୍ଘ୍ୟ ମାଲ୍ୟେ । ଆନନ୍ଦେ ଗନ୍ଧ ଧୂପ ଦେଲେ ॥ ୨୩
ସୁଖେ ବସାଇ ମୁନିଗଣ । ଧର୍ମପାଳନ ନାରାୟଣ ॥ ୨୪
ଯେମନ୍ତେ ସଭାଲୋକେ ଶୁଣି । ଉଚ୍ଚବଚନେ ଚକ୍ରପାଣି ॥ ୨୫
ବୋଲନ୍ତି ପ୍ରଭୁ ଭଗବାନ । ଆଜ ଜୀବନ ମୋର ଧନ୍ୟ ॥ ୨୬
ଯେ ଫଳ ଅତି ତପ ଦାହି । ଆଜ ଲଭିଲି ତାହା ମୁହିଁ ॥ ୨୭
ଯୋଗେଶ୍ୱରଙ୍କ ଦରଶନ । ଦେବଙ୍କୁ ଦୁର୍ଲଭ ଏ ଜାଣ ॥ ୨୮
ଏ ଜନ ମଧ୍ୟେ ଯାର ଜହ୍ନ । ଅଳ୍ପ ତପସ୍ୟା ପୁଣ୍ୟହୀନ ॥ ୨୯
ଏହାଙ୍କ ଦରଶନ ପାଇ । ନିର୍ମଳ ନ କରଇ ଦେହୀ ॥ ୩୦
ଏହାଙ୍କ ମୁଖ ଦରଶନ । ପ୍ରଣାମ ପୁଚ୍ଛା ସ୍ପରଶନ ॥ ୩୧
ଆବର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥ ୩୨
ତୀର୍ଥ ପୂରିତ ପୁଣ୍ୟଜଳେ । ଯେତେ ଦେବତା ଭୂମିତଳେ ॥ ୩୩
ପାଷାଣ ମୃତ୍ତିକା ଭିଆଣେ । ଆଗମ ନିଗମ ପ୍ରମାଣେ ॥ ୩୪
ଅନେକ କାଳେ ଏ ତାରନ୍ତି । ସେବା ଉଚିତେ ଫଳ ଦ୍ୟନ୍ତି ॥ ୩୫
ସାଧୁଙ୍କୁ ଦେଖି ଦୃଷ୍ଟିପଥେ । ପାପ ନ ରହେ ଅନ୍ତର୍ଗତେ ॥ ୩୬
ଅନଳ ରବି ନିଶାକର । ନକ୍ଷତ୍ର ମହୀ ସର୍ବ ନୀର ॥ ୩୭
ଶୂନ୍ୟ ପବନ ବାକ୍ୟ ମନ । ଏ ଆଦି ବିଷୟ ପ୍ରଧାନ ॥ ୩୮
ଏହାଙ୍କୁ ସେବନ୍ତି ଯେ ନିତ୍ୟେ । ଶାସ୍ତ୍ର ପୁରାଣ ବେଦମତେ ॥ ୩୯
ତାହାର ପାପ ନ ଛାଡଇ । ସେବା ଉଚିତେ ଫଳ ପାଇ ॥ ୪୦
ସାଧୁଙ୍କ ଜ୍ଞାନବାଣୀ ଶୁଣି । ମୁହୂର୍ତ୍ତେ ସେବନ୍ତି ଯେ ପ୍ରାଣୀ ॥ ୪୧
ସକଳ ପାପୁଁ ସେ ନିସ୍ତରେ । ନିର୍ମଳ ବାହ୍ୟ ଅଭ୍ୟନ୍ତରେ ॥ ୪୨
ତ୍ରିଧାତୁରୂପ ଏ ଶରୀର । ନିତ୍ୟେ ମରଣ ଅଧିକାର ॥ ୪୩
ଏ ଦେହ ଆତ୍ମା ବୁଦ୍ଧି ଯାର । କଳତ୍ର ଆଦି ବୋଲେ ମୋର ॥ ୪୪
ମାଟି ପାଷାଣ ଦାରୁଖଣ୍ତ । ଏଣେ ନିର୍ମିତ ଦେବପିଣ୍ତ ॥ ୪୫
ତହିଁ ଯାହାର ପୂଜାବିଧି । ଜଳେ ଯାହାର ତୀର୍ଥବୁଦ୍ଧି ॥ ୪୬
ସାଧବେ ନ କରେ ଆଦର । ତାହାକୁ ବୋଲିଟି ଗୋଖର ॥ ୪୭
ଶୁକ କହନ୍ତି ମୁନିଜନେ । ଏମନ୍ତେ କୃଷ୍ଣର ବଚନେ ॥ ୪୮
ଶୁଣି ସମ୍ଭ୍ରମେ ଋଷିଜନ । ଚିତ୍ତେ ମଣିଲେ ବୁଦ୍ଧିଚ୍ଛନ୍ନ ॥ ୪୯
ଦୁରଧିଗମ୍ୟ ବାକ୍ୟ ଶୁଣି । ଚଞ୍ଚଳ ଚିତ୍ତେ ହୋଇ ତୁନି ॥ ୫୦
ଈଶ୍ୱର ବାକ୍ୟ ଅବଧାନେ । ଚିତ୍ତେ ବିଚାରି ଦୃଢମନେ ॥ ୫୧
ଜନ ସଂଗ୍ରହ ଅର୍ଥେ ଧ୍ୟାୟି । ହସି ବୋଲନ୍ତି କୃଷ୍ଣ ଚାହିଁ ॥ ୫୨
;ମୁନିଗଣ ଉବାଚ
ବ୍ରହ୍ମାଦି ଯେତେ ପ୍ରଜାପତି । ଏ ବିଶ୍ୱସଂସାର ସର୍ଜନ୍ତି ॥ ୫୩
ତାଙ୍କ ଈଶ୍ୱର ଅଟୁ ତୁହି । ବିଷ୍ଣୁର ମାୟାତନ୍ତ୍ରେ ମୋହି ॥ ୫୪
ଭ୍ରମୁଁ ସଂସାରଚକ୍ରେ ପଡି । ନିଜ ନିସ୍ତାର ପଥ ହୁଡି ॥ ୫୫
ବିଚିତ୍ର ବିଷ୍ଣୁର ଚେଷ୍ଟିତ । ଯେଣୁ ଭ୍ରମାନ୍ତି ଏ ଜଗତ ॥ ୫୬
ସ୍ୱଭାବେ ନିର୍ବିକଳ୍ପ ହରି । ଆତ୍ମରେ ଆତ୍ମମାୟା କରି ॥ ୫୭
ଏ ବିଶ୍ୱ ସର୍ଜଇ ପାଳଇ । ପ୍ରଳୟକାଳେ ସଂହାରଇ ॥ ୫୮
ଏ ପୁଣି କର୍ମେ ବଦ୍ଧ ନୋହେ । ମାୟାର ବଳେ ବିଶ୍ୱ ମୋହେ ॥ ୫୯
ମୃତ୍ତିକା ଯେସନେ ବିକାରେ । ବହୁତ ନାମ ରୂପ ଧରେ ॥ ୬୦
ତେସନ ଈଶ୍ୱର ରଚିତ । ମାୟାବିଡମ୍ବେ ବିପରୀତ ॥ ୬୧
ପୁଣି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୬୨
ତୋର ମହିମା ଏହିମତ । ଯେଣୁ ତୋ ସର୍ଜନା ଜଗତ ॥ ୬୩
ତଥାପି ଖଳ ନିବାରଣ । ସୁଜନ ଧର୍ମ ସମ୍ପାଦନ ॥ ୬୪
ନିର୍ମଳ ଦେହେ ବିଶ୍ୱବ୍ୟାପୀ । ଲୀଳାଏ ବେଦପଥ ସ୍ଥାପି ॥ ୬୫
ଯେ ସନାତନ ବର୍ଣ୍ଣାଶ୍ରମ । ତୁ ରଖୁ ଏହାଙ୍କର ଧର୍ମ ॥ ୬୬
ଯେଣୁ ତୁ ପରମପୁରୁଷ । ଏ ଜନ ମଧ୍ୟେ ତୋର ଯଶ ॥ ୬୭
ଯେ ବ୍ରହ୍ମ ଅନାଦିକରଣ । ସେ ତୋର ହୃଦୟ ପ୍ରମାଣ ॥ ୬୮
ସ୍ୱାଧ୍ୟାୟ ତପ ପ୍ରାଣାୟମେ । ଯାହାକୁ ଲଭି ଅତିଶ୍ରମେ ॥ ୬୯
ସେ ତୋର ତହୁଁ ଆତଯାତ । ଯାର ପ୍ରମାଣ ବ୍ୟକ୍ତାବ୍ୟକ୍ତ ॥ ୭୦
ତୁ ସର୍ବଶାସ୍ତ୍ରଙ୍କ ଜନନୀ । ତେଣୁ ତୁ ଆତ୍ମମାୟା ଘେନି ॥ ୭୧
ବ୍ରହ୍ମକୁଳକୁ ରକ୍ଷା କରୁ । ତୁ ନାଥ ଆତ୍ମା ଜ୍ଞାନଗୁରୁ ॥ ୭୨
ବ୍ରହ୍ମଣ୍ୟବର ତୋର ନାମ । ତୁ ଜାଣୁ ତୋର ନିଜ ଧାମ ॥ ୭୩
ଆଜ ସଫଳ ଆମ୍ଭ ଜନ୍ମ । ତପ ସମାଧି ବିଦ୍ୟା କର୍ମ ॥ ୭୪
ଏ ଦୃଷ୍ଟି ଶ୍ରବଣର ଲାଭ । ତୋ ସଙ୍ଗେ ବାକ୍ୟ ପ୍ରିୟଭାବ ॥ ୭୫
ଜୀବନ ମୋକ୍ଷ ତୋ ନିକଟେ । ଲଭିଲୁଁ ପୁଣ୍ୟତୀର୍ଥେ ତଟେ ॥ ୭୬
ବଚନ ତୋତେ ନ ଜାଣଇ । ମନ ପାଇବ ଅବା କାହିଁ ॥ ୭୭
ଏମନ୍ତେ କୃଷ୍ଣ ରୂପେ ତୋର । ନମସ୍ତେ ପ୍ରଭୁ ଦାମୋଦର ॥ ୭୮
ସୁଯୋଗ ମାୟାଚ୍ଛନ୍ନ ତୁହି । ମାୟାମନୁଷ୍ୟ ରୂପ ବହି ॥ ୭୯
ତୁ ପରମାତ୍ମା ନାରାୟଣ । ନମସ୍ତେ ପରମକାରଣ ॥ ୮୦
ତୋର ସୁହୃଦ ରାଜା ଯେତେ । ସ୍ୱଜନ ବାନ୍ଧବ ସହିତେ ॥ ୮୧
ଭୋଜ ଯାଦବ ବୃଷ୍ଟି ବଂଶେ । ତୁ ଯେ ପ୍ରକାଶି ଅଛୁ ଅଂଶେ ॥ ୮୨
ତୋହର ଅଙ୍ଗ ସଙ୍ଗେ ଥାଇ । ଏ ତୋତେ ଜାଣିଲେଟି ନାହିଁ ॥ ୮୩
ତୁ ଆତ୍ମା ପରମୀଶ୍ୱର । ମାୟାପଟଳେ ଅଗୋଚର ॥ ୮୪
ଯେହ୍ନେ ପୁରୁଷ ନିଦ୍ରାଭୋଳେ । ଶୟନ ଶରୀର ନିଶ୍ଚଳେ ॥ ୮୫
ଅଜ୍ଞାନ ଭାବ ମାୟାତୁଲେ । ଆତ୍ମାକୁ ନ ଜାଣଇ ଭଲେ ॥ ୮୬
ତୋର ମାୟାରେ ଛନ୍ନ ହୋଇ । ତୋତେ ଜାଣିବେ ଅବା କାହିଁ ॥ ୮୭
ଭୋ ନାଥ ତୋହର ଚରଣ । ଆଜ ଦେଖିଲୁଁ ନାରାୟଣ ॥ ୮୮
ଯେ ପାଦ ସର୍ବପାପ ନାଶେ । ଯୋଗୀଙ୍କ ହୃଦୟେ ପ୍ରକାଶେ ॥ ୮୯
ଅଶେଷ ତୀର୍ଥଫଳ ସେହି । ଯେ ଭଜିପାରେ ଦେହ ବହି ॥ ୯୦
ଉତ୍ତମ ଭକ୍ତି ଯୋଗବଳେ । ଅନ୍ତର ବାହାର ନିଶ୍ଚଳେ ॥ ୯୧
ନିରୋପି ପଦ୍ମପାଦେ ମତି । ସେ ତୋତେ ପାଇବେ ଶ୍ରୀପତି ॥ ୯୨
ତୋର ଭଜନେ ଆମ୍ଭ ଦେହ । ଆମ୍ଭଙ୍କୁ କର ଅନୁଗ୍ରହ ॥ ୯୩
;ଶୁକ ଉବାଚ
କୃଷ୍ଣଙ୍କୁ ମାଗିଣ ମେଲାଣି । ହରଷମନେ ସର୍ବମୁନି ॥ ୯୪
ଯୁଧିଷ୍ଠି ବଦନକୁ ଚାହିଁ । ଧୃତରାଷ୍ଟଙ୍କ ଆଗେ କହି ॥ ୯୫
ନିଜ ଆଶ୍ରମକୁ ଗମନ । କଳ୍ପିଲା ଋଷିଙ୍କର ମନ ॥ ୯୬
ରାମ ଗୋବିନ୍ଦଙ୍କ ସମ୍ମୁଖେ । ଥିଲା ଯେ ବସୁଦେବ ସୁଖେ ॥ ୯୭
ଅନୁଗମନ ପ୍ରଶ୍ନ ଆଶେ । ମିଳିଲା ମୁନିଙ୍କର ପାଶେ ॥ ୯୮
ପ୍ରଣାମ କରି ତାଙ୍କ ପାୟେ । ସାନନ୍ଦ ଚିତ୍ତେ ବାକ୍ୟ କହେ ॥ ୯୯
ନମସ୍ତେ ସର୍ବ ମୁନିବର । ଶୁଣିମା ବଚନ ମୋହର ॥ ୧୦୦
କି କର୍ମ କର୍ମଫଳ ନାଶେ । ନିର୍ମଳ ଜ୍ଞାନ ସୁପ୍ରକାଶେ ॥ ୧୦୧
ଜ୍ଞାନେ ଅଜ୍ଞାନେ କର୍ମ କରି । ବୃଦ୍ଧ ବୟସେ ତା ସୁମରି ॥ ୧୦୨
ତହିଁ କି ପ୍ରାୟଶ୍ଚିତ କଲେ । କର୍ମ ନାଶଇଟିକି ଭଲେ ॥ ୧୦୩
ଶୁଣି ବସୁଦେବ ବଚନ । ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ ॥ ୧୦୪
ହେ ମୁନିଗଣେ ଶୁଣ ଧୀରେ । ଏ ବସୁଦେବର ବିଚାରେ ॥ ୧୦୫
ଚିତ୍ର ନୁହଁଇ ଏ ପ୍ରଶନ । ଗୋବିନ୍ଦ ଯାହାର ନନ୍ଦନ ॥ ୧୦୬
କୃଷ୍ଣଙ୍କୁ ପୁତ୍ରପ୍ରାୟ ମଣି । ଏମନ୍ତ ପ୍ରଶ୍ନ କଲା ଆଣି ॥ ୧୦୭
ଆତ୍ମାର ଗତି ତ ଜାଣଇ । ଏହାଙ୍କୁ ବିଷ୍ଣୁମାୟା ମୋହି ॥ ୧୦୮
ନିକଟେ ଥିଲେ ଅନାଦର । ଏହିଟି ସଂସାର ବେଭାର ॥ ୧୦୯
ଗଙ୍ଗା ନିକଟେ ଯେତେ ଜନେ । ଅତି ପରଚେ ଅପମାନେ ॥ ୧୧୦
ଆତ୍ମାର ଗତି ଶୁଦ୍ଧି ଅର୍ଥେ । ଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ ॥ ୧୧୧
ଯାହାର ଆତ୍ମା ଅନୁଭବ । କାଳେ ନୁହଁଇ ପରାଭବ ॥ ୧୧୨
ଏହାର ସୁତ ଏ ଅନନ୍ତ । ତଥାପି ବିଷ୍ଣୁମାୟାଗ୍ରସ୍ତ ॥ ୧୧୩
ଶୁଣ ହେ କୃଷ୍ଣର ମହିମା । କେ କହିପାରେ ଗୁଣସୀମା ॥ ୧୧୪
କର୍ମ କଷଣ ପରିତାପ । ଗୁଣପ୍ରବାହ ତ୍ରୟତାପ ॥ ୧୧୫
ଏଣେ ନ ଲାଗେ ଯାର ଦେହ । ଏଣୁ ଈଶ୍ୱର ଅଦ୍ୱିତୀୟ ॥ ୧୧୬
ପ୍ରାଣ ଇନ୍ଦ୍ରିୟ ତିନିଗୁଣ । ଯେଣୁ ଏ ଶରୀର ଭିଆଣ ॥ ୧୧୭
ଏଣେ ଆଚ୍ଛନ୍ନ ପ୍ରାୟ ଦିଶେ । ଆଦିତ୍ୟ ଯେସନେ ଆକାଶେ ॥ ୧୧୮
ହିମ ପରାମ ମେଘେ ଛନ୍ନ । ଏଣୁ ମୋହିତ ପ୍ରାଣୀ ମନ ॥ ୧୧୯
ଏମନ୍ତେ ସର୍ବ ମୁନିଜନ । ଚାହିଁ ବସୁଦେବ ବଦନ ॥ ୧୨୦
ଶୁଣନ୍ତି ସର୍ବ ରାଜାମାନେ । ରାମ ଗୋବିନ୍ଦ ସନ୍ନିଧାନେ ॥ ୧୨୧
ବୋଲନ୍ତି ଶୁଣ ବସୁଦେବ । ଏ ସାଧୁଜନଙ୍କ ସ୍ୱଭାବ ॥ ୧୨୨
ଅଶେଷ ଯଜ୍ଞର କାରଣ । ଅନାଦି ପ୍ରଭୁ ନାରାୟଣ ॥ ୧୨୩
ତାହାଙ୍କୁ ଯଜ୍ଞମାର୍ଗେ ପୂଜି । ତେବେ ଯେ ଚଉବର୍ଗ ଅର୍ଜି ॥ ୧୨୪
ଚଞ୍ଚଳଚିତ୍ତ ଶାନ୍ତି ଅର୍ଥେ । ଶାସ୍ତ୍ରଲୋଚନେ ଧର୍ମପଥେ ॥ ୧୨୫
ସୁଗମ ମାର୍ଗେ କବିଜେନେ । ଦେଖାଇଛନ୍ତି ବିଦ୍ୟମାନେ ॥ ୧୨୬
ଏ ଯଜ୍ଞ ଆତ୍ମାସୁଖ ଦେଇ । ଗୃହସ୍ଥାଶ୍ରମ ଧର୍ମ ଏହି ॥ ୧୨୭
ଶ୍ରଦ୍ଧା ସହିତେ ଶୁଦ୍ଧଚିତ୍ତେ । ପୁଷ୍କଳ ଧନେ ବେଦମତେ ॥ ୧୨୮
ଯଜ୍ଞପୁରୁଷ ପୂଜା କରି । ହେଳେ ତରନ୍ତି ଭବବାରି ॥ ୧୨୯
ବିତ୍ତ ଅଛନ୍ତି ଯଜ୍ଞଦାନେ । ଗୃହକରଣେ ସୁତ ଧନେ ॥ ୧୩୦
ନିବର୍ତ୍ତାଏ ଯେ ଜ୍ଞାନବନ୍ତ । ସର୍ବସଂକଳ୍ପ କାଳଗ୍ରସ୍ତ ॥ ୧୩୧
ବିଚାରି ସକଳ ତେଜଇ । ଗ୍ରାମ୍ୟ ଭୋଗକୁ ନ ଇଚ୍ଛଇ ॥ ୧୩୨
ଏମନ୍ତ ଜାଣି ଦିବ୍ୟଜ୍ଞାନେ । କାଳେ ତେଜନ୍ତି ସୁଜ୍ଞଜନେ ॥ ୧୩୩
ବିପ୍ର କ୍ଷତ୍ରିୟ ବୈଶ୍ୟଜନ । ଏ ତିନି ମଧ୍ୟେ ଯେତେ ଜନ ॥ ୧୩୪
ଦେବତା ଋଷି ପିତୃଙ୍କର । ସ୍ୱଭାବେ ରଣୀ ଏ ଶରୀର ॥ ୧୩୫
ଏହା ନ ଶୁଝି ଧର୍ମ ଛାଡି । ମଲେ ନରକେ ଥାନ୍ତି ପଡି ॥ ୧୩୬
ନିର୍ମଳ ଧନେ ଯଜ୍ଞ କଲେ । ଦେବତା ଋଣ ଶୁଝି ଭଲେ ॥ ୧୩୭
ବିଦ୍ୟାପଠନେ ଋଷିଗଣ । ନିଶ୍ଚେ ଶୁଝନ୍ତି ଜ୍ଞାନିଜନ ॥ ୧୩୮
ପୁତ୍ର ପଉତ୍ର ଜାତ କଲେ । ପିତୃଙ୍କ ଋଣ ଶୁଝି ଭଲେ ॥ ୧୩୯
ତୁ ଏବେ ବେନି ଋଣ ଅଛି ତୋର । ତୁ ଏବେ ସୁଖେ ଯାଗ କର ॥ ୧୪୦
ଏ ତିନି ରଣୁ ତୁ ନିସ୍ତରି । ସୁଖେ ବିହର ଯଦୁପୁରୀ ॥ ୧୪୧
ଶୁଣ ସୁମନେ ଯଦୁବୀର । ନିର୍ମଳ ବଚନ ଆମ୍ଭର ॥ ୧୪୩
ପରମ ଭକ୍ତିଭାବ ଭରି । ପୂର୍ବେ ପୂଜିଲୁ ନରହରି ॥ ୧୪୪
ଅନାଦିପ୍ରଭୁ ଜଗନ୍ନାଥ । ତୋହର ପୁତ୍ର ରୂପେ ଜାତ ॥ ୧୪୫
ବୋଲନ୍ତି ଶୁକ ମହାମୁନି । ବ୍ରହ୍ମାନନ୍ଦନ ବାକ୍ୟ ଶୁଣି ॥ ୧୪୬
ସମ୍ଭ୍ରମ ଚିତ୍ତେ ଶୁରବାଳା । ଋଷିଙ୍କି ଋତ୍ୱିଜେ ବରିଲା ॥ ୧୪୭
ପ୍ରଣାମ କରି ତାଙ୍କ ପାଦେ । ଯଜ୍ଞ ଆରମ୍ଭିଲା ଆନନ୍ଦେ ॥ ୧୪୮
ବେଦବଚନେ ମୁନିଜନ । କରନ୍ତି ଯଜ୍ଞର ବିଧାନ ॥ ୧୪୯
ଆନନ୍ଦେ ବସି କୁରୁକ୍ଷେତ୍ରେ । ଶୁଦ୍ଧ ସୁବର୍ଣ୍ଣ ନାନା ପାତ୍ରେ ॥ ୧୫୦
ଉତ୍ତମକାଳେ ବେଦମତେ । ରାମ ଗୋବିନ୍ଦଙ୍କ ଅଗ୍ରତେ ॥ ୧୫୧
ଦୀକ୍ଷିତ ହୋଇ ବୃଷ୍ଟିବୀର । ଭୂଷିତ ନାନା ଅଳଙ୍କାର ॥ ୧୫୨
ଦେବକୀ ଆଦି ଯେତେ ନାରୀ । ବସୁଦେବର ତୁଲେ ବରି ॥ ୧୫୩
ରାଜାଙ୍କୁ ଅଳଙ୍କୃତ କଲେ । ପତ୍ନୀ ସହିତେ ଯଜ୍ଞକାଳେ ॥ ୧୫୪
ରାଜକାମିନୀ ନିଜେ ମଧ୍ୟ । ସୁବାସ ଲେପନ୍ତି ଆନନ୍ଦେ ॥ ୧୫୫
ମଙ୍ଗଳ ଦ୍ରବ୍ୟ କରେ ଲଇଁ । ମିଳିଲେ ଯଜ୍ଞଶାଳେ ଯାଇ ॥ ୧୫୬
ନାନା ଶବଦ ବାଦ୍ୟନାଦେ । ନର୍ତ୍ତକୀ ନାଚନ୍ତି ଆନନ୍ଦେ ॥ ୧୫୭
ସୂତ ମାଗଧ ସ୍ତୁତି ଭଣି । କିନ୍ନରୀ ଗୀତନାଦ ବାଣୀ ॥ ୧୫୮
କୋମଳ ସୁସଙ୍ଗୀତ ନାଦେ । ଗାଇଲେ ଗନ୍ଧର୍ବେ ଆନନ୍ଦେ ॥ ୧୫୯
ଋତ୍ୱିଜେ ଉତ୍ତମ ଆସନେ । ବସି ମଙ୍ଗଳ ବେଦସ୍ୱନେ ॥ ୧୬୦
ବସୁଦେବକୁ ମଧ୍ୟେ କରି । ସଙ୍ଗେ ବସାଇ ତାର ନାରୀ ॥ ୧୬୧
ବିବିଧ ଅଳଙ୍କାର ବେଶେ । ବସୁଦେବର ବାମପାଶେ ॥ ୧୬୨
ବସିଲେ ଅଷ୍ଟାଦଶ ନାରୀ । ସୁବର୍ଣ୍ଣ କୁମ୍ଭେ ତୀର୍ଥବାରି ॥ ୧୬୩
ପଲ୍ଲବେ ତୋଳି ଜଳକଣା । ମୁନିଏ କରନ୍ତି ମାର୍ଜନା ॥ ୧୬୪
ସ୍ୱଭାବେ ଅଗ୍ନିଷ୍ଟୋମ ସଭା । ମଧ୍ୟେ କି ପଟାନ୍ତର ଦେବା ॥ ୧୬୫
ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ । ତେମନ୍ତ ବସୁଦେବ ଦିଶି ॥ ୧୬୬
ବସୁଦେବର ନାରୀଗଣେ । ନାନା ଭୂଷଣ ଆଭରଣେ ॥ ୧୬୭
ଦିଶନ୍ତି ରୂପ ଅନୁପମ । ଆବୃତ କୃଷ୍ଣମୃଗଚର୍ମ ॥ ୧୬୮
ବସୁଦେବର ବିପ୍ରଜନେ । ପୀତବସନ ପରିଧାନେ ॥ ୧୬୯
ସଭାଜନଙ୍କ ମଧ୍ୟେ ଥାଇ । କିବା ଉପମା ଦେବି ମୁହିଁ ॥ ୧୭୦
ସ୍ୱର୍ଗେ ବାସବଯଜ୍ଞକାଳେ । ମୁନିଏ ବୃନ୍ଦାରକ ମେଳେ ॥ ୧୭୧
ଯେମନ୍ତେ ଥିଲେ ପନ୍ତି ପନ୍ତି । ଋତ୍ୱିଜେ ତେମନ୍ତ ଦିଶନ୍ତି ॥ ୧୭୨
ରାମ ଗୋବିନ୍ଦ ସେହିମତେ । ସଭାଜନଙ୍କ ମଧ୍ୟଗତେ ॥ ୧୭୩
ବନ୍ଧୁବାନ୍ଧବ ଜ୍ଞାତି ମେଳେ । ନିଜ କାମିନୀ ସୁତ ତୁଲେ ॥ ୧୭୪
ନିଜ ବିଭୂତି ସଙ୍ଗେ ଘେନି । ବିଜୟେ ଆନନ୍ଦ ମେଦିନୀ ॥ ୧୭୫
ରାମ ଗୋବିନ୍ଦ ସଭାମେଳେ । ବସୁଦେବ ସେ ଯଜ୍ଞକାଳେ ॥ ୧୭୬
ବିଶେଷେ କୃଷ୍ଣର ପିଅର । ଉତ୍ତମ ଜ୍ଞାନ କ୍ରିୟାସାର ॥ ୧୭୭
ପୂଜିଲା ଅଗ୍ନିହୋତ୍ର ମନ୍ତ୍ରେ । ଯେମନ୍ତେ ପ୍ରାକୃତ-ବୈକୃତେ ॥ ୧୭୮
ଏମନ୍ତେ ଯଜ୍ଞ ସମାପତେ । ଦକ୍ଷିଣା ଦେଲେ ବେଦମତେ ॥ ୧୭୯
ବିପ୍ରଙ୍କୁ ଦେଇ ଅଳଙ୍କାର । ଆନନ୍ଦମନେ ଯଦୁବୀର ॥ ୧୮୦
ଗୋ ଭୂମି କନ୍ୟା ମହାଧନ । ବିପ୍ରଙ୍କୁ ଦେଲେ ତୋଷମନ ॥ ୧୮୧
ଯଜ୍ଞସମ୍ପଦ କାମପୂର୍ଣ । କରନ୍ତି ଅବଭୃଥ ସ୍ନାନ ॥ ୧୮୨
ନାନା ସୁବାଦ୍ୟେ ବେଦନାଦେ । ସ୍ନାନ ସାରିଲେ ରାମହ୍ରଦେ ॥ ୧୮୩
ବସୁଦେବର ନାରୀମାନେ । ବିବିଧ ଅଳଙ୍କାର ଧନେ ॥ ୧୮୪
ଗୋ ଭୂମି ଅନ୍ନ ବସ୍ତ୍ର ତୁଲେ । ଆଚାର୍ଯ୍ୟ ଆଦି ବିପ୍ରେ ଦେଲେ ॥ ୧୮୫
ଏମନ୍ତେ ବର୍ଣ୍ଣାଶ୍ରମୀ ଯେତେ । ଅନ୍ନ ବସନ ନାନାମତେ ॥ ୧୮୬
ପୂଜି ସନ୍ତୋଷ କଲେ ମନ । ଅପରେ ଯେତେ ବନ୍ଧୁଜନ ॥ ୧୮୭
ଦାରା ତନୟ ପରିମାଣି । ସନ୍ତୋଷେ ଦେଲେ ମନ ଜାଣି ॥ ୧୮୮
ବିଦର୍ଭ କୋଶଳ ସହିତେ । କୁରୁ ସୃଞ୍ଜୟ ଆଦି ଯେତେ ॥ ୧୮୯
ସଭାରେ ଯେତେ ଋଷି ଥିଲେ । ସୁର ମାନବ ଭୃତ୍ୟ ମେଳେ ॥ ୧୯୦
ପିତୃ ଚାରଣ ଆଦି ଜନ । କୃଷ୍ଣଙ୍କୁ ମାଗି ଅନୁଯାନ ॥ ୧୯୧
ନିଜ ଭୁବନେ ସର୍ବେ ଗଲେ । ଏମନ୍ତେ ଯେତେ ବନ୍ଧୁ ଥିଲେ ॥ ୧୯୨
ଆନନ୍ଦେ ଯେତେ ରାଜବଂଶୀ । ଚଳନ୍ତି ଯଜ୍ଞକୁ ପ୍ରଶଂସି ॥ ୧୯୩
ବିଦୁର ଧୃତରାଷ୍ଟ୍ର ବେନି । ପାଣ୍ତବ ଭୀଷ୍ଣ ଦ୍ରୋଣ ଘେନି ॥ ୧୯୪
ନକୁଳ ସହଦେବ ବେନି । କୁନ୍ତୀ ଯେ ପାଣ୍ତବଜୟନ୍ତୀ ॥ ୧୯୫
ବ୍ୟାସ ନାରଦ ମହାମୁନି । ଆନନ୍ଦେ ପ୍ରିୟଭାବ ଘେନି ॥ ୧୯୬
ସୁହୃଦ ସମୂହେ ବାନ୍ଧବ । ପ୍ରିୟ ବଚନେ ବସୁଦେବ ॥ ୧୯୭
ବନ୍ଧୁଙ୍କୁ ଆଲିଙ୍ଗନ କରେ । ଅତ୍ୟନ୍ତ ପ୍ରୀତିଭାବଭରେ ॥ ୧୯୮
ବିଚ୍ଛେଦ ବିରହ କାତରେ । ଗଲେ ସେ ଯେ ଯାହାର ପୁରେ ॥ ୧୯୯
ନନ୍ଦଙ୍କୁ ଗୋପାଳଙ୍କ ତୁଲେ । ପୂଜିଲା ବସୁଦେବ ଭଲେ ॥ ୨୦୦
ରାମ ଗୋବିନ୍ଦ ଉଗ୍ରସେନ । ନନ୍ଦଙ୍କୁ କଲେ ସନମାନ ॥ ୨୦୧
ସୁଭାଗ୍ୟବନ୍ତ ବସୁଦେବ । ତରିଲା ମାୟାବନ୍ଧ ଭାବ ॥ ୨୦୨
ବନ୍ଧୁ ସୁହୃଦ ଭାବ ଭରି । ଆନନ୍ଦେ ନନ୍ଦ କର ଧରି ॥ ୨୦୩
ବୋଲଇ ବସୁଦେବ ସ୍ନେହେ । ଭୁଜେ ଆବୋରି ଦେହେ ଦେହେ ॥ ୨୦୪
ଭୋ ମିତ୍ର ଦେଖ ଏ ଜଗତ । ଈଶ୍ୱରତନ୍ତ୍ରେ ମୋହଗତ ॥ ୨୦୫
ଅତି ସୁହୃଦେ ସ୍ନେହ ପାଶି । ସୁରଯୋଗୀଙ୍କ ଚିତ୍ତ ଗ୍ରାସି ॥ ୨୦୬
ତୁମ୍ଭେ ଯେ ମିତ୍ରସ୍ନେହ ରଙ୍ଗେ । ଭାବେ ମିଳିଲ ମୋର ସଙ୍ଗେ ॥ ୨୦୭
ମିତ୍ର ସୁପ୍ରୀତି ଫଳ ଯେତେ । ମୁଁ ତେଣେ ନୋହିଲି ସମର୍ଥେ ॥ ୨୦୮
ପର ଆୟତ୍ତ ପୂର୍ବକାଳ । ଏଣୁ ମୋ ହୋଇଲା ନିଷ୍ଫଳ ॥ ୨୦୯
ତୁମ୍ଭ ବିଷୟେ ମିତ୍ରପଣ । ନ କରି ଲଭିଲି କଷଣ ॥ ୨୧୦
ଏବେ ଶ୍ରୀମଦେ ଅନ୍ଧ ହୋଇ । ମିତ୍ରଭାବକୁ ନ ଦେଖଇ ॥ ୨୧୧
ଆତ୍ମାର ହିତ ଇଚ୍ଛା ଯାର । ରାଜସମ୍ପଦ ନୋହୁ ତାର ॥ ୨୧୨
ରାଜସମ୍ପଦେ ଅନ୍ଧ ହୋଇ । ବନ୍ଧୁ ସ୍ୱଜନ ନ ଦେଖଇ ॥ ୨୧୩
ଏମନ୍ତେ ମିତ୍ରଭାବ ଚିତ୍ତେ । ରୋଦନ କଲା ମୋହଗ୍ରସ୍ତେ ॥ ୨୧୪
ସୁମରି ନନ୍ଦ ମିତ୍ରପଣ । ଲୋତକ ପୂରେ ଘନ ଘନ ॥ ୨୧୫
ମିତ୍ରର ପ୍ରିୟଭାବେ ନନ୍ଦ । ସଙ୍ଗତେ ଘେନି ଗୋପବୃନ୍ଦ ॥ ୨୧୬
ରାମ ଗୋବିନ୍ଦ ସଙ୍ଗ ପାଇ । ଅନେକ ସ୍ନେହଭାବି ବହି ॥ ୨୧୭
ହୋଇଣ ହରଷ ବିଷାଦ । ମନରେ ବିଚାରଇ ନନ୍ଦ ॥ ୨୧୮
ଆଜ ରହିବି ଅନୁକୂଳେ । କାଲି ମୁଁ ଯିବି ପ୍ରାତଃକାଳେ ॥ ୨୧୯
ଯଦୁଙ୍କ ଅତି ମାନ୍ୟବଶେ । ନନ୍ଦ ରହିଲା ସେ ବିଶ୍ୱାସେ ॥ ୨୨୦
ରାମ ଗୋବିନ୍ଦ ଧରି କୋଳେ । ଦିନ ହରିଲେ ରସଭୋଳେ ॥ ୨୨୧
ଗୋପୀ ଗୋପାଳ ଆଦି କରି । କୃଷ୍ଣମୋହନେ ଦିନ ହରି ॥ ୨୨୨
ନାନା ବିନୋଦ କ୍ରୀଡାରାସ । ଏମନ୍ତେ ଗଲା ତିନିମାସ ॥ ୨୨୩
ବ୍ରଜ ସହିତେ ବନ୍ଧୁଜନେ । ପୂଜିଲେ ବସନ ଭୂଷଣେ ॥ ୨୨୪
ନନ୍ଦକୁ ବସୁଦେବ ଯେତେ । ବିଚାରି ଉଗ୍ରସେନ ମତେ ॥ ୨୨୫
ଉଦ୍ଧବ ଆଦି ବନ୍ଧୁ ଯେତେ । ରାମ ଗୋବିନ୍ଦ ଅନୁମତେ ॥ ୨୨୬
ଆଦରେ ଦେଲେ ଯେତେ ଧନ । ନନ୍ଦ ଘେନାଇ ତୋଷମନ ॥ ୨୨୭
କେତେହେଁ ଦୂର ନନ୍ଦ ତୁଲେ । ରାମ ଗୋବିନ୍ଦ ସୁଖଭୋଳେ ॥ ୨୨୮
ଯଶୋଦା ଆଦି ବ୍ରଜନାରୀ । ସବୁରି ମନ ଗୃହେ ଦେଲେ ॥ ୨୨୯
ଗୋବିନ୍ଦ ମାୟାଯୋଗବଳେ । ସବୁରି ମନ ଗୃହେ ଦେଲେ ॥ ୨୩୦
ସମସ୍ତେ ହୋଇଣ ହରଷ । ଚଳିଲେ ନିଜ ଗୃହବାସ ॥ ୨୩୧
ଯାଦବେ ସ୍ନେହଭରେ ଗଲେ । ପୁଣି ବାହୁଡାବିଜେ କଲେ ॥ ୨୩୨
ଗୋପୀ ଗୋପାଳ ମନ । କୃଷ୍ଣ ଚରଣେ କରି ଲୀନ ॥ ୨୩୩
ସମ୍ଭାଳି ନ ପାରନ୍ତି ଭଲେ । ଗୋବିନ୍ଦ ଚରଣେ ନିଶ୍ଚଳେ ॥ ୨୩୪
ଏମନ୍ତେ ଗଲେ ଗୋପପୁର । ଶୁଣ ପରୀକ୍ଷା ନୃପବର ॥ ୨୩୫
ବାନ୍ଧବେ ଯାନ୍ତେ ନିଜ ପୁରେ । ଯାଦବେ ଗୋବିନ୍ଦ ବିଚାରେ ॥ ୨୩୬
ବରଷା ଆଗମନ ଜାଣି । ରୋହିଣୀସୁତ ଚକ୍ରପାଣି ॥ ୨୩୭
ବନ୍ଧୁ ବାନ୍ଧବ ଘେନି ତୁଲେ । ଦ୍ୱାରକାପୁରେ ବିଜେ କଲେ ॥ ୨୩୮
ଯାଦବେ ନିଜ ପୁରେ ଯାଇ । କୁଳବୃଦ୍ଧଙ୍କ ପାଶେ ଥାଇ ॥ ୨୩୯
ବସୁଦେବର ଯଜ୍ଞକର୍ମ । ବନ୍ଧୁବାନ୍ଧବ ଆଗମନ ॥ ୨୪୦
କହନ୍ତି ହର୍ଷିତ ବଦନ । ଶୁଣି ସାନନ୍ଦ ସର୍ବଜନ ॥ ୨୪୧
ବୋଲଇ ଦାସ ଜଗନ୍ନାଥ । ରବିଗ୍ରହଣେ ଗୋପୀନାଥ ॥ ୨୪୨
ସୁପୁଣ୍ୟତୀର୍ଥେ ଯାହା କଲେ । ସୁଜନେ ସୁମର ତା ଭଲେ ॥ ୨୪୩
ତୁଟିବ ଭବବନ୍ଧ ଭ୍ରମ । ନ ଲାଗେ ତାପତ୍ରୟଶ୍ରମ ॥ ୨୪୪
ଏ ଭାବେ ରସ ନିରନ୍ତରେ । ନ ବୁଡ ସଂସାର-ସାଗର ॥ ୨୪୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ତୀର୍ଥଯାତ୍ରାନୁବର୍ଣ୍ଣନଂ
ନାମ ନବତିତମ ଅଧ୍ୟାୟଃ
</poem>
==='''ଏକନବତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁକ ବୋଲନ୍ତି ତୋଷମନେ । ଦ୍ୱାରକାପୁରେ ଏକ ଦିନେ ॥ ୧
ରାମ ଗୋବିନ୍ଦ ବେନିଭାଇ । ତାତ ଜନନୀ ପାଶେ ଯାଇ ॥ ୨
ପ୍ରଣାମ କଲେ ବେନିପାଦେ । ସ୍ନେହହରଷ ଗଦଗଦେ ॥ ୩
ଆନନ୍ଦ ବସୁଦେବ ହୋଇ । ରାମ ଗୋବିନ୍ଦ ମୁଖ ଚାହିଁ ॥ ୪
ଆନନ୍ଦେ ତନୁ ପୁଲକିତ । କୋଳେ ବସାଇ ବେନିସୁତ ॥ ୫
ମୁନିଜନଙ୍କ ବାକ୍ୟ ଶୁଣି । କୃଷ୍ଣମହିମା ପରିମାଣି ॥ ୬
ବୋଲଇ ଶଙ୍କିତ ବଚନେ । କୃଷ୍ଣ ମହିମା ଭାବି ମନେ ॥ ୭
ହେ କୃଷ୍ଣ କୃଷ୍ଣ ଭଗବାନ । ସଙ୍କରଷଣ ସନାତନ ॥ ୮
ଆନନ୍ଦ ମୁକୁନ୍ଦ ମୁରାରି । ଯା ନାମେ ମୁନିଜନେ ତରି ॥ ୯
ନିଶ୍ଚେ ଜାଣିଲି ଏବେ ମୁହିଁ । ସୃଷ୍ଟିକାରଣ ତୁମ୍ଭେ ଦୁଇ ॥ ୧୦
ପରମବ୍ରହ୍ମ ପରକାଶ । ତୁମ୍ଭେ ଯେ ପ୍ରଧାନ ପୁରୁଷ ॥ ୧୧
ଯହିଁ ଯେମନ୍ତ ଯହୁଁ ଜାତ । ଯାହାର ଯେ ଅବା ନିର୍ମିତ ॥ ୧୨
ଯେ ଅବା ଯେବେ ଯଥାଭାବେ । ଯାହାର ପ୍ରୟୋଜନ ଲାଭେ ॥ ୧୩
ସମ୍ଭୂତ ହୋଇ ଏ ସଂସାର । ତୁମ୍ଭେ ସେ ପ୍ରଧାନ ଈଶ୍ୱର ॥ ୧୪
ତୁମ୍ଭର ସୃଷ୍ଟି ଏ ଜଗତ । ସ୍ଥାବର ଆଦି ନାନାମତ ॥ ୧୫
ଏହାଙ୍କ ଦେହେ ତୁମ୍ଭେ ପଶି । ପ୍ରାଣୀଙ୍କ ଜୀବନ ଆଶ୍ୱାସି ॥ ୧୬
ପ୍ରାଣାଦି ପଞ୍ଚମହାଭୂତ । ସୃଷ୍ଟି କରନ୍ତି ଆତଯାତ ॥ ୧୭
ତାହାଙ୍କ ଶକ୍ତି ତୁମ୍ଭେ ଧରି । ସଚେତ ଅଚେତ ବିଚାରି ॥ ୧୮
ବ୍ରହ୍ମାଣ୍ତ ତେଜ କାନ୍ତି ପ୍ରଭା । ଆବର ବଳ ନାନା ଶୋଭା ॥ ୧୯
ଚନ୍ଦ୍ରର କାନ୍ତି ରବିପ୍ରଭା । ତାରା ବିଜୁଳି ଅଗ୍ନି ଆଭା ॥ ୨୦
ଗିରି ସ୍ଥିରତା ଭୂମି ବାସ । ଏ ସର୍ବ ତୁମ୍ଭର ପ୍ରକାଶ ॥ ୨୧
ଜଳରେ ତର୍ପଣ ଜୀବନ । ଆବର ରସ ତୋ ଭିଆଣ ॥ ୨୨
ପବନ ଗତି ଚେଷ୍ଟା ବଳ । ଦିଗଙ୍କ ମଧ୍ୟେ ଅନ୍ତରାଳ ॥ ୨୩
ଓଁକାର ନାଦ ବର୍ଣ୍ଣ ସ୍ୱର । ଆକୃତି ମଧ୍ୟେ ନାନାକାର ॥ ୨୪
ଇନ୍ଦ୍ରିୟ ମଧ୍ୟେ ତୁମ୍ଭେ ମନ । ତୋ ଅନୁଗ୍ରହେ ଦେବଗଣ ॥ ୨୫
ବୁଦ୍ଧିର ବୋଧବୁଦ୍ଧି ତୁମ୍ଭେ । ଜୀବର ଶକ୍ତି ତୁ ଆରମ୍ଭ ॥ ୨୬
ଭୂତଙ୍କ ମଧ୍ୟେ ଭୂତ ଆଦି । ଇନ୍ଦ୍ରିୟଗଣ ତେଜ ସିଦ୍ଧି ॥ ୨୭
ବିକଳ୍ପ ମଧ୍ୟେ ତୁ ବିକାର । ପ୍ରଧାନ ରୂପ ଜୀବଙ୍କର ॥ ୨୮
ବିନାଶୀଭୂତଙ୍କର ମଧ୍ୟ । ତୁମ୍ଭେ ଅବିନାଶୀ ପ୍ରସିଦ୍ଧ ॥ ୨୯
ଦ୍ରବ୍ୟ ବିକାର ଦ୍ରବ୍ୟ ତୁମ୍ଭେ । ତ୍ରିଗୁଣବୃତ୍ତିର ଆରମ୍ଭେ ॥ ୩୦
ଆତ୍ମା କଳ୍ପିତ ଏ ଶୟଳେ । ତୁମ୍ଭର ଯୋଗମାୟା ବଳେ ॥ ୩୧
ଏ ଘେନି ଅନୁମାନ କଲେ । ମାୟା ନ ଲାଗେ ତୁମ୍ଭ ତୁଲେ ॥ ୩୨
ନାନା ବିକାରଙ୍କ ପ୍ରମାଣେ । ନ ଘଟେ ତୁମ୍ଭ ବିଚାରଣେ ॥ ୩୩
ଏ ଗୁଣ ପ୍ରବାହ ତୁମ୍ଭର । ଅଜ୍ଞାନଜନେ ଅଗୋଚର ॥ ୩୪
ଏଣୁ ସଂସାରେ କର୍ମବଳେ । ପ୍ରାଣୀ ଭ୍ରମନ୍ତି ଅନ୍ତରାଳେ ॥ ୩୫
ଅନେକ ଭାଗ୍ୟେ ଏ ସଂସାରେ । ମନୁଷ୍ୟରୂପ ପ୍ରାଣୀ ଧରେ ॥ ୩୬
ନିତ୍ୟ ସମର୍ଥ ଆତ୍ମାଭାବ । ପ୍ରାଣୀଙ୍କ ମଧ୍ୟେ ଏ ଦୁର୍ଲଭ ॥ ୩୭
ତୁମ୍ଭ ମାୟାରେ ପ୍ରାଣୀ ମୋହି । ଆତ୍ମାର ଗତି ନ ଜାଣଇ ॥ ୩୮
ବୟସ ହରେ ପ୍ରମାଦରେ । ନିବିଡ ସଂସାରେ ବେଭାରେ ॥ ୩୯
ମୁହିଁ ମୋହର ଏ ସଂସାର । ସୁତ କଳତ୍ର ଧନ ମୋର ॥ ୪୦
ଏମନ୍ତ ସ୍ନେହପାଶ ଦେଇ । ବନ୍ଧନ କର ତୁମ୍ଭେ ଦୁଇ ॥ ୪୧
ପ୍ରଧାନପୁରୁଷ ଈଶ୍ୱର । ତୁମ୍ଭେ ଯେ ମୋହର କୁମର ॥ ୪୨
ଭୂମିର ଭାରା ନିବାରଣେ । ମୋହର କୁଳ ନିସ୍ତାରଣେ ॥ ୪୩
ଏଣୁ ମୋହର ନୁହଁ ସୁତ । ଏ ମାୟା ତୁମ୍ଭର ନିର୍ମିତ ॥ ୪୪
ସଂସାର-ସଙ୍କଟ-ନିସ୍ତାର । ତୁମ୍ଭର ଅଭୟ ପୟର ॥ ୪୫
ସେ ପାଦେ ପଶିଲି ଶରଣ । ଏବେ ତୁ ରଖ ନାରାୟଣ ॥ ୪୬
ଆରତଜନ ବନ୍ଧୁ ତୁମେ । ଏ ମାୟାସଂସାର ଆରମ୍ଭେ ॥ ୪୭
ଲୋଭ ଲାଳସା ମୋର ନୋହୁ । ଏମନ୍ତ ଆଜ୍ଞା ମୋତେ ହେଉ ॥ ୪୮
ତୁ ନିରାକାର ନିରଞ୍ଜନ । ପରମବ୍ରହ୍ମ ଭଗବାନ ॥ ୪୯
ତୋର ବିଷୟେ ପୁତ୍ରବୁଦ୍ଧି । ଭୋ ନାଥ ପକା ଏହା ଛେଦି ॥ ୫୦
ହେ କୃଷ୍ଣ ଶରଣ ସୋଦର । ତୁମ୍ଭେ ଯେ କରୁଣାସାଗର ॥ ୫୧
କଂସ ରାଜାର ବନ୍ଦୀଘରେ । ରଜନୀ ଦ୍ୱିତୀୟ ପ୍ରହରେ ॥ ୫୨
ତୋହର ଜନ୍ମକାଳେ ମୋତେ । ଯାହା କହିଲୁ ଦୟାଚିତ୍ତେ ॥ ୫୩
ବୋଇଲୁ ଜନ ଅନୁରାଗେ । ମୋହର ଜନ୍ମ ଯୁଗେ ଯୁଗେ ॥ ୫୪
ଏଣୁ ତୁ ଧର୍ମରକ୍ଷା ଅର୍ଥେ । ଶରୀର ବହୁ ନାନାମତେ ॥ ୫୫
ଗଗନେ ଯେହ୍ନେ ମେଘପନ୍ତି । ଉଭାରି ପୁଣି ଲୀନ ହୋନ୍ତି ॥ ୫୬
ଏମନ୍ତ ତୋ ମାୟାବିଭୂତି । କେ ଜାଣିପାରେ ତୋର ଗତି ॥ ୫୭
କହନ୍ତି ଶୁକ ମହାମୁନି । ପିତାବଚନ କୃଷ୍ଣ ଶୁଣି ॥ ୫୮
ହସିଣ ଯୋଡି ବେନିକର । କୋମଳ ବଚନ ମଧୁର ॥ ୫୯
ବୋଲନ୍ତି ପ୍ରଭୁ ଭଗବାନ । ଭୋ ତାତ ସାଧୁ ତୋ ବଚନ ॥ ୬୦
ଆମ୍ଭେ ତୋହର ପୁତ୍ର ଦୁଇ । ପୁତ୍ର ଉଦ୍ଦେଶ୍ୟ ଭାବ ବହି ॥ ୬୧
ତୁମ୍ଭେ କହିତ ତତ୍ତ୍ୱଜ୍ଞାନ । ଏ କଥା ସର୍ବମତେ ସମ ॥ ୬୨
ମୁଁ ପୁତ୍ର ତୁମ୍ଭେ ମୋର ତାତ । ଏ ଯେ ମୋହର ଜ୍ୟେଷ୍ଠଭ୍ରାତ ॥ ୬୩
ଦ୍ୱାରକାପୁର ଜନ ଯେତେ । ସଚରାଚର ଏହି ମତେ ॥ ୬୪
ଈଶ୍ୱର ମାୟା ଏ ସଂସାର । ଏଣେ ଭ୍ରମନ୍ତି ସୁରନର ॥ ୬୫
ଏ ଆତ୍ମା ଏକ ସ୍ୱୟଂଜ୍ୟୋତି । ନିତ୍ୟ ନିର୍ଗୁଣ ଶୁଦ୍ଧକାନ୍ତି ॥ ୬୬
ଆତ୍ମାକଳ୍ପିତ ସୃଷ୍ଟି ମଧ୍ୟେ । ଆତ୍ମା ପ୍ରବେଶ ଅନୁବାଦେ ॥ ୬୭
ନାନା ପ୍ରପଞ୍ଚ ବହୁରୂପେ । କ୍ରୀଡା କରାଇ ମୋହକଳ୍ପେ ॥ ୬୮
ଶୂନ୍ୟ ପବନ ଜ୍ୟୋତି ଜଳ । ତାରେ ନିର୍ମିତ ଭୂମଣ୍ତଳ ॥ ୬୯
ଅଳ୍ପ ବିଶେଷ ନାନାମତେ । ଈଶ୍ୱର ରୂପ ଏ ଜଗତେ ॥ ୭୦
ଶୁକ ବୋଲନ୍ତି ରାୟେ ଶୁଣ । ଯାହା କହିଲେ ନାରାୟଣ ॥ ୭୧
ତା ଶୁଣି ବସୁଦେବ ଜ୍ଞାନ । ନାନା ପ୍ରକାରେ ନୋହି ଛନ୍ନ ॥ ୭୨
ବିନଷ୍ଟ ଭେଦବୃଦ୍ଧି ଘେନି । ପ୍ରେମ ଆନନ୍ଦେ ହେଲା ତୁନି ॥ ୭୩
ଏବେ ହୋ ଶୁଣ କୁରୁରାୟ । ଦେବକୀ ସର୍ବଦେବମୟ ॥ ୭୪
ଭାବେ ଗୋବିନ୍ଦ ମୁଖ ଚାହିଁ । ବିସ୍ମିତ ମନେ ବିଚାରଇ ॥ ୭୫
ଗୁରୁଙ୍କ ପୁତ୍ର ମରିଥିଲା । ଏ ଯମଘରୁ ଆଣିଦେଲା ॥ ୭୬
ଏ କୃଷ୍ଣବାଦେ ମୋର ପୋଏ । କଂସ କଚାଡିଲା ନିର୍ଦ୍ଦୟେ ॥ ୭୭
ସୁମରି ପୁତ୍ରକଷ୍ଟ ମନେ । କାନ୍ଦଇ ଦୁଃଖିତ ବଦନେ ॥ ୭୮
ପୁଣି କ୍ଷଣକେ ସ୍ଥିର ହୋଇ । ବୋଲଇ ରାମ କୃଷ୍ଣ ଚାହିଁ ॥ ୭୯
ଶୁଣ ହେ କୃଷ୍ଣ ହଳଧର । ମହାମହିମା ଯୋଗେଶ୍ୱର ॥ ୮୦
ମୁହିଁ ଜାଣଇ ତୁମ୍ଭ ଗତି । ସଂସାରେ ଯେତେ ପ୍ରଜାପତି ॥ ୮୧
ତୁମ୍ଭେ ତାହାଙ୍କର ଈଶ୍ୱର । ଆଦିପୁରୁଷ ନିରାକାର ॥ ୮୨
ଏ ଭୂମିତଳେ ରାଜା ଯେତେ । ବିନଷ୍ଟମତି କାଳଗ୍ରସ୍ତେ ॥ ୮୩
ତାହାଙ୍କ ପାଦଭାରେ ମହୀ । ତୋତେ ନମିଲା ଭାବଗ୍ରାହୀ ॥ ୮୪
ଏଣୁ ମୋ ଗଭୁଁ ତୁମ୍ଭେ ଜାତ । ମାୟାମନୁଷ୍ୟ ବେନିଭ୍ରାତ ॥ ୮୫
ତୋହର ଅଂଶାଅଂଶ ଭାବେ । ଏ ବିଶ୍ୱସଂସାର ସମ୍ଭବେ ॥ ୮୬
ସୃଷ୍ଟି ପାଳନ ଅନ୍ତ ହୋଇ । ଏଣୁ ମୋ ଗତି ତୁମ୍ଭେ ଦୁଇ ॥ ୮୭
ବିଦ୍ୟାପାଠନ କାଳେ ପୁଣି । ଗୁରୁଙ୍କ ମଲାପୁତ୍ର ଆଣି ॥ ୮୮
ଗୁରୁଦକ୍ଷିଣା ଦେଇଅଛି । ଏହା ମୁଁ ଜାଣଇ ପ୍ରତ୍ୟକ୍ଷ ॥ ୮୯
ଏଣୁ ମୋହର ବାକ୍ୟ କର । ତୁମ୍ଭେ ଯେ ଭୁବନ ଈଶ୍ୱର ॥ ୯୦
କଂସ ମାଇଲା ଯେତେ ସୂତ । ତୁମ୍ଭର ଜ୍ୟେଷ୍ଠ ଷଢଭ୍ରାତ ॥ ୯୧
ତାହାଙ୍କୁ ଲୋଚନେ ମୁଁ ଦେଖି । ଜୀବନ କରିବଇଁ ସୁଖୀ ॥ ୯୨
କହନ୍ତି ଶୁକ ମହାମୁନି । ଏମନ୍ତ ମାତା ବାକ୍ୟ ଶୁଣି ॥ ୯୩
ରାମ ଗୋବିନ୍ଦ ସଙ୍ଗମେଳେ । ଦୁର୍ଗମ ଯୋଗମାୟା ବଳେ ॥ ୯୪
ସୁତଳେ ପଶି ବେନିଭାଇ । ମିଳିଲେ ବଳି ଦ୍ୱାରେ ଯାଇ ॥ ୯୫
ସେ ଯେ ଅସୁର ନୃପମଣି । କୃଷ୍ଣ ଆଗମ କଥା ଶୁଣି ॥ ୯୬
ନିକଟେ ମିଳି ତତକ୍ଷଣ । ସଙ୍ଗତେ ଘେନି ପରଜନ ॥ ୯୭
ପୁତ୍ର ପଉତ୍ର ସଙ୍ଗେ ଘେନି । ନମିଲା ରାମ କୃଷ୍ଣ ବେନି ॥ ୯୮
ବସାଇ ସୁବର୍ଣ୍ଣ ଆସନେ । ପୂଜିଲା ତାଙ୍କୁ ତୋଷମନେ ॥ ୯୯
ପଖାଳି ପଦ୍ମପାଦ ଦୁଇ । ଶିରେ ଘେନିଲା ଜଳ ଦେଇ ॥ ୧୦୦
ଯେ ନୀର ବ୍ରହ୍ମଲୋକ ଆଦି । ପରମ ପବିତ୍ର ପ୍ରସିଦ୍ଧି ॥ ୧୦୧
ମଙ୍ଗଳ ଦ୍ରବ୍ୟମାନ ଘେନି । ପୂଜିଲା ରାମ କୃଷ୍ଣ ବେନି ॥ ୧୦୨
ଚକ୍ଷୁ ଆନନ୍ଦ ଜଳେ ପୂରେ । ରୋମ ହରଷ କଳେବରେ ॥ ୧୦୩
କର ନିବେଶି କୃଷ୍ଣପାଦେ । କହଇ କଣ୍ଠ ଗଦଗଦେ ॥ ୧୦୪
ନମେ ଅନନ୍ତ ମହାଶୟ । ସୃଷ୍ଟିକାରଣ ବ୍ରହ୍ମଦେହ ॥ ୧୦୫
ତୁ ବ୍ରହ୍ମ ପରମ କାରଣ । ତୁ ସାଂଖ୍ୟଯୋଗ ବିସ୍ତାରଣ ॥ ୧୦୬
ତୁମ୍ଭର ଦରଶନ ଲାଭ । ଜଗତେ ଯୋଗିଙ୍କୀ ଦୁର୍ଲ୍ଲଭ ॥ ୧୦୭
ଆମ୍ଭେ ସ୍ୱଭାବେ ରଜ ତମ । ପାଇଲୁ ତୁମ୍ଭ ଦରଶନ ॥ ୧୦୮
ଦଇତ୍ୟ ଦାନବ ଗନ୍ଧର୍ବ । ସିଦ୍ଧ ଚାରଣ ମହୋରଗ ॥ ୧୦୯
ଯକ୍ଷ ପିଶାଚ ଆଦି ଯେତେ । ଭୂତ ପ୍ରମଥ ନାନାମତେ ॥ ୧୧୦
ବିଶୁଦ୍ଧସତ୍ତ୍ୱ ତୁ ଅଗାଧ । ତୋ ପଥ କରନ୍ତି ବିରୋଧ ॥ ୧୧୧
ତୁ ଶାସ୍ତ୍ରଶରୀର ଅନନ୍ତ । ଏଣେ ନ ଲଭି ଜ୍ଞାନତତ୍ତ୍ୱ ॥ ୧୧୨
ଏହାଙ୍କ ମାର୍ଗେ ଥାନ୍ତି ଯେତେ । ସେ ତୋତେ ଲଭିବେ କେମନ୍ତେ ॥ ୧୧୩
ଏ ଆଦି ଯେ ତୋର ଚରଣେ । ଯେବେ ଭଜନ୍ତି ଶତ୍ରୁପଣେ ॥ ୧୧୪
ଲଭନ୍ତି ତୋର ପଦ୍ମପାଦ । ନାହିଁ ତାହାଙ୍କ ଶାସ୍ତ୍ରବାଦ ॥ ୧୧୫
ଯେ ଅବା ଶତ୍ରୁପଣେ ଥାଇ । ତୋ ପାଦକମଳ ଭଜଇ ॥ ୧୧୬
ବଦ୍ଧବଇର ଭାବ ଚିନ୍ତି । ଭୋ ନାଥ ତୋତେ ସେ ଲଭନ୍ତି ॥ ୧୧୭
ଭକତି ଭାବେ ଯେ ଭଜନ୍ତି । ଯେ ଅବା କାମମାର୍ଗେ ଚିନ୍ତି ॥ ୧୧୮
ସେ ତୋତେ ନିକଟେ ଲଭନ୍ତି । ନରକେ ନାହିଁ ତାଙ୍କ ଭ୍ରାନ୍ତି ॥ ୧୧୯
ସତ୍ତ୍ୱପ୍ରଧାନ ଦେବଗଣେ । ତୋର ନିକଟେ ଅନୁକ୍ଷଣେ ॥ ୧୨୦
ଏମନ୍ତ ତୋ ମାୟା ପ୍ରଭାବ । ସେମାନେ ନ ପାଇଲେ ଠାବ ॥ ୧୨୧
ତୁ ନାଥ ଯୋଗିଙ୍କି ଦୁର୍ଲ୍ଲଭ । ତୋତେ କେ ଜାଣେ ପଦ୍ମନାଭ ॥ ୧୨୨
ନିଶ୍ଚୟ କରି ତୋ ଶରୀର । କେ ଜାଣିପାରେ ଯୋଗେଶ୍ୱର ॥ ୧୨୩
ତୋର ମହିମା ଯୋଗମାୟା । ଆମ୍ଭେ ଜାଣିବୁ କାହୁଁ ତାହା ॥ ୧୨୪
ଭୋ ନାଥ ଶୁଣ ନିରଞ୍ଜନ । ତୁ ମୋତେ ହୋଇବା ପ୍ରସନ୍ନ ॥ ୧୨୫
ଗୃହାନ୍ଧକୂପେ ଥାଇ ନିତି । ତୋ ପାଦପଦ୍ମ ମୁଁ ନ ଚିନ୍ତି ॥ ୧୨୬
ସେ ପାଦପଦ୍ମ ଲଭିବାରେ । ସନ୍ଥ ଯେସନେ ଆଶା କରେ ॥ ୧୨୭
ସଙ୍ଗେ ମୁଁ ଘେନି ସଖାଗଣ । ସେବିବି ତୋହର ଚରଣ ॥ ୧୨୮
ତୋର ଆଗମ ମୋତେ କହ । ନିଷ୍ପାପ କର ମୋର ଦେହ ॥ ୧୨୯
ତୋହର ଆଜ୍ଞା ଘେନି ଶିରେ । ଘୋରସଂସାରୁ ପ୍ରାଣୀ ତରେ ॥ ୧୩୦
;ଶୁକ ଉବାଚ
ବଳି ବଚନେ ଦାମୋଦର । କୋମଳ ବଚନ ଗଭୀର ॥ ୧୩୧
ବୋଲନ୍ତି ଶୁଣ ନୃପମଣି । ପ୍ରଥମ ମନ୍ୱନ୍ତର ବାଣୀ ॥ ୧୩୨
ଛପୁତ୍ର ମରୀଚିର ଘରେ । ଜନ୍ମିଲେ ଉର୍ଣ୍ଣାର ଉଦରେ ॥ ୧୩୩
ସ୍ୱଭାବେ ଦୁଷ୍ଟଭାବ ଘେନି । ନିର୍ଭୟେ ଭ୍ରମନ୍ତି ଅବନୀ ॥ ୧୩୪
ଦେବଳ ନାମେ ବ୍ରହ୍ମଋଷି । ତାହାଙ୍କ ତପୋବନେ ପଶି ॥ ୧୩୫
ତାହାଙ୍କ ରୂପ ଦେଖି ହସି । ଆକର୍ଷି ଗୃହମଧ୍ୟେ ପଶି ॥ ୧୩୬
ଦୁହିତା ଦେଖି ଗୃହମଧ୍ୟେ । ଧଇଲେ ମଇଥୁନ ସଧେ ॥ ୧୩୭
ଦେଖି କୁପିତ ମୁନିବର । ବୋଇଲେ ଶୁଣ ଷଢବୀର ॥ ୧୩୮
ଅସୁର ଯୋନି ତୁମ୍ଭେ ପାଅ । ଜନ୍ମି ତକ୍ଷଣେ କ୍ଷୟ ଯାଅ ॥ ୧୩୯
ଏଣୁ ସେ ଶାପ ଗୁରୁତରେ । ହିରଣ୍ୟକଶିପୁ ମନ୍ଦିରେ ॥ ୧୪୦
ଜନ୍ମିଲେ ଯୋଗମାୟା ଭରେ । ପୁଣି ହିଁ ଦେବକୀ ଉଦରେ ॥ ୧୪୧
ତାହାଙ୍କୁ ଜନ୍ମମାତ୍ରେ ଧରି । କଂସ ମାଇଲା କୋପକରି ॥ ୧୪୨
ଏବେ ଦେବକୀ ଦେଖି ମୁଖ । ତୁଟିବ ଭବବନ୍ଧ ଦୁଃଖ ॥ ୧୪୩
ନିତ୍ୟେହେଁ ଜନନୀ ମୋହରି । କାନ୍ଦଇ ପୁତ୍ରଶୋକେ ଘାରି ॥ ୧୪୪
ଏହାଙ୍କୁ ତୋର ପୁରୁ ନେଇ । ମାତା ନିକଟେ ଦେବି ମୁହିଁ ॥ ୧୪୫
ଜନନୀ ହୋଇବେ ଆନନ୍ଦ । ଏହାଙ୍କ ଫିଟୁ ମାୟାବନ୍ଧ ॥ ୧୪୬
ବୋଲନ୍ତି ପ୍ରଭୁ ନାରାୟଣ । ଷଡ ଭାଇଙ୍କ ନାମ ଶୁଣ ॥ ୧୪୭
ସ୍ମର ଉଦ୍ଗୀଥ ପରିଷ୍ୱଙ୍ଗ । ଘୃଣି କ୍ଷୁଦ୍ରଭୃତ ପତଙ୍ଗ ॥ ୧୪୮
ମୋର ପ୍ରସାଦେ ଷଡ ଜଣ । ପୁଣି ଲଭିବେ ମୋକ୍ଷସ୍ଥାନ ॥ ୧୪୯
ଏମନ୍ତ କୃଷ୍ଣମୁଖୁଁ ଶୁଣି । ବଳି ତାହାଙ୍କୁ ଦେଲା ଆଣି ॥ ୧୫୦
ତକ୍ଷଣେ ରାମ ଯଦୁପତି । ମିଳିଲେ ପୁର ଦ୍ୱାରାବତୀ ॥ ୧୫୧
ଦେବକୀ ପାଶେ ତାଙ୍କୁ ଦେଇ । ପ୍ରଣାମ କଲେ ବେନିଭାଇ ॥ ୧୫୨
ତାହାଙ୍କୁ ଦେଖିଣ ଦେବକୀ । ସ୍ନେହେ ଲୋତକପୂର୍ଣ୍ଣ ଆଖି ॥ ୧୫୩
କ୍ଷୀର ସ୍ରବଇ ପୟୋଧରେ । କୋଳେ ବସାଇ ସ୍ନେହଭରେ ॥ ୧୫୪
ଆଘ୍ରାଣ କରି ତାଙ୍କ ଶିରେ । ସ୍ତନ ପିଆଇ ସ୍ନେହଭରେ ॥ ୧୫୫
କୃଷ୍ଣର ମାୟାରେ ମୋହିତ । ଶୁଣ ରାଜନ ପରୀକ୍ଷିତ ॥ ୧୫୬
କୃଷ୍ଣ ଭକ୍ଷିତ ଶେଷ କ୍ଷୀର । ଭାବେ ପିଇଲେ ଷଡବୀର ॥ ୧୫୭
ଅମୃତସମ କ୍ଷୀର ପିଇ । କୃଷ୍ଣ-ଶ୍ରୀଅଙ୍ଗସଙ୍ଗ ପାଇ ॥ ୧୫୭
ଦେଖିଣ ରାମ କୃଷ୍ଣ ମୁଖ । ଫିଟିଲା ଭବବନ୍ଧ ଦୁଃଖ ॥ ୧୫୮
ଆନନ୍ଦେ ଉଠି ଷଡ ଭାଇ । କୃଷ୍ଣର ପାଦେ ଶିର ଦେଇ ॥ ୧୫୯
ରାମର ପାଦରଜ ଘେନି । ବନ୍ଦିଲେ ପିଅର ଜନନୀ ॥ ୧୬୦
ଦେଖନ୍ତି ଦିଗପାଳେ ମିଳି । ଗଗନେ ଯେସନେ ବିଜୁଳି ॥ ୧୬୧
ଦିବ୍ୟ ଶରୀରେ ଷଡ ଜଣ । ଗଗନମାର୍ଗେ ହେଲେ ଲୀନ ॥ ୧୬୨
ଦେବକୀ ଦେବୀ ତାହା ଦେଖି । କୃଷ୍ଣ ମହିମା ଉପଲକ୍ଷି ॥ ୧୬୩
ମଲା ପୁତ୍ରଙ୍କୁ ଦେଲେ ଆଣି । ପରମାନନ୍ଦ ହଳପାଣି ॥ ୧୬୪
ଏମାୟା କୃଷ୍ଣର ଉପାୟ । ଏତେ ବିଚାରି କଲା ଭୟ ॥ ୧୬୫
ଅଦ୍ଭୂତ କୃଷ୍ଣକର୍ମ ଦେଖି । ସଂଶୟେ ରହିଲା ଦେବକୀ ॥ ୧୬୬
ଶୁଣ ହୋ ଅଭିମନ୍ୟୁସୁତ । କୃଷ୍ଣର ମହିମା ଏମନ୍ତ ॥ ୧୬୭
ଏ ଆଦି ଯେତେ କୃଷ୍ଣଗୁଣ । ଅଦ୍ଭୂତକର୍ମା ନାରାୟଣ ॥ ୧୬୮
ଏମନ୍ତେ କର୍ମ କଲେ ଯେତେ । ଅନ୍ତ କରିବି ତାହା କେତେ ॥ ୧୬୯
ଶ୍ରୀକୃଷ୍ଣ ଲୀଳା ଭାଗବତ । ଯେ ନର ଶୁଣେ ଅବିରତ ॥ ୧୭୦
ଯେ ଅବା ସାଧୁସଙ୍ଗ ମେଳେ । ଆନନ୍ଦେ କହେ ସୁଖଭୋଳେ ॥ ୧୭୧
ଅଶେଷ ପାପବନ୍ଧୁ ତରି । ଅନ୍ତେ ଲଭଇ ନରହରି ॥ ୧୭୨
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୭୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ମୃତଅଗ୍ରଜ ଆନୟନଂ ନାମ ଏକନବତିତମ ଅଧ୍ୟାୟଃ
</poem>
==='''ଦ୍ୱିନବତିତମ ଅଧ୍ୟାୟ'''===
<poem>
ଶୁକ ସନ୍ନିଧ୍ୟେ ଯୋଡିହସ୍ତ । ଆନନ୍ଦେ ବୋଲେ ପରୀକ୍ଷିତ ॥ ୧
;ପରୀକ୍ଷିତ ଉବାଚ
ରାମ ଗୋବିନ୍ଦଙ୍କ ଭଗିନୀ । ସୁଭଦ୍ରା ନାମେଣ କାମିନୀ ॥ ୨
କେମନ୍ତେ ଅର୍ଜୁନ ତା ପାଇ । ସେ ଯେ ମୋହର ପିତାମହୀ ॥ ୩
କୁହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୪
ଅର୍ଜୁନ ତୀର୍ଥଯାତ୍ରା ଛଳେ । ଭ୍ରମଇଁ ଅବନୀମଣ୍ତଳେ ॥ ୫
ପ୍ରଭାସତୀର୍ଥେ ଏକଦିନେ । ଅର୍ଜୁନ ରହି ତୋଷମନେ ॥ ୬
ଶୁଣିଲା ଦ୍ୱାରକାର ବାଣୀ । ନିଜ ମାତୁଳର ନନ୍ଦିନୀ ॥ ୭
ସଙ୍କରଷଣ ଅନୁମତେ । ଦୁର୍ଯ୍ୟୋଧନଙ୍କୁ ଦେବା ଅର୍ଥେ ॥ ୮
କାହାରି ନାହିଁ ସନମତ । ଶୁଣି ବିଚାରେ ମନେ ପାର୍ଥ ॥ ୯
ସୁଭଦ୍ରା ଲଭିବାର ଆଶେ । ତକ୍ଷଣେ ବ୍ରହ୍ମଚାରୀ ବେଶେ ॥ ୧୦
ମାୟାତ୍ରିତଣ୍ତୀ ରୂପ ଧରି । ମିଳିଲା ଦ୍ୱାରକାନଗରୀ ॥ ୧୧
ଆପଣା କାର୍ଯ୍ୟ ସିଦ୍ଧି ଆଶେ । ରହି ବରଷା ଚାରିମାସେ ॥ ୧୨
ଯାଦବେ ନିତ୍ୟେ ଅନ୍ନ ଦ୍ୟନ୍ତି । ଏ କଥା ରାମ ନ ଜାଣନ୍ତି ॥ ୧୩
ଦିନେକ କୃଷ୍ଣ ହଳପାଣି । ଅତିଥି ନିଜ ଘରେ ଆଣି ॥ ୧୪
ଶରଧା ଚିତ୍ତେ ଭିକ୍ଷା ଦେଲେ । ହରଷେ ଅର୍ଜୁନ ଭୁଞ୍ଜିଲେ ॥ ୧୫
ଅନ୍ନ ଭୋଜନେ ବୀରମଣି । ଦେଖି ବସୁଦେବ ଦୁଲଣୀ ॥ ୧୬
ବୀରମୋହିନୀ ରୂପ ତାର । ଭୁବନେ ନାହିଁ ପଟାନ୍ତର ॥ ୧୭
ଅପାଙ୍ଗ ଲୋଚନେ ଅନାଇଁ । ହୃଦେ ଅନଙ୍ଗ ଭାବ ବହି ॥ ୧୮
ସ୍ୱଭାବେ ଅର୍ଜୁନ ସୁନ୍ଦର । ରୂପେ କାମିନୀ ମନୋହର ॥ ୧୯
ସୁଭଦ୍ରା ଦେଖି ତା ବଦନ । ସମ୍ଭ୍ରମେ ପୀଡିତ ମଦନ ॥ ୨୦
ଏକେ ତ କୃଷ୍ଣର ଭଗିନୀ । ରୂପେ ମୋହଇ ପୁର ତିନି ॥ ୨୧
ସବ୍ରୀଡହାସେ ମୁଖ ଶୋହେ । କଟାକ୍ଷେ ମୁନିଜନ ମୋହେ ॥ ୨୨
ଅର୍ଜୁନ ଦେଖି ଅଭିରାମ । ଚିତ୍ତ ମୋହିତ କୋଟିକାମ ॥ ୨୩
ସୁଭଦ୍ରାରୂପେ ମନ ଦେଇ । ଅର୍ଜୁନ ବସି ବିଚାରଇ ॥ ୨୪
କେମନ୍ତେ ଲଭିବି ଏ ନାରୀ । ନିରେତେ ଛିଦ୍ର ଅନୁସରି ॥ ୨୫
ଏମନ୍ତେ ଦେବଯାତ୍ରା କାଳେ । ବନ୍ଧୁବାନ୍ଧବ ଜ୍ଞାତିମେଳେ ॥ ୨୬
ଉତ୍ତମରଥେ କନ୍ୟା ଘେନି । ମଙ୍ଗଳକରଣେ କାମିନୀ ॥ ୨୭
ଦ୍ୱାରକାପୁର ଦୁର୍ଗ ମଧ୍ୟେ । ଚଳନ୍ତି ନୃତ୍ୟ ଗୀତ ବାଦ୍ୟେ ॥ ୨୮
ପିତାମାତାଙ୍କ ଶୁଦ୍ଧଚିତ୍ତେ । କୃଷ୍ଣର ଭାବ ଅନୁମତେ ॥ ୨୯
ଅର୍ଜୁନ ଦେବଯାତ୍ରା ଛଳେ । କନ୍ୟା ହରିଲା ବାହୁବଳେ ॥ ୩୦
ଆପଣେ ନିଜ ରଥେ ବସି । ଧନୁ ଟଙ୍କାରେ ଗୁଣ ଘୋଷି ॥ ୩୧
କନ୍ୟା ଆବୋରି ଥିଲେ ଯେତେ । ନାନା ଆୟୁଧ ଧରି ହସ୍ତେ ॥ ୩୨
ତାହାଙ୍କ ଗର୍ବ ନାଶ କରି । ସ୍ୱଭାଗ ଯେସନେ କେଶରୀ ॥ ୩୩
ପଶୁଙ୍କ ମଧ୍ୟୁ ହରେ ଯେହ୍ନେ । ତା ଦେଖି ରାମ କୋପମନେ ॥ ୩୪
ଯେହ୍ନେ ପୂର୍ଣ୍ଣିମା ନିଶାକାଳେ । ସମୁଦ୍ର ଉଛୁଳେ ଉଲ୍ଲୋଳେ ॥ ୩୫
ରାମର କୋପ ଦେଖି ହରି । ବାନ୍ଧବ ସଙ୍ଗତେ ବିଚାରି ॥ ୩୬
ବୃଦ୍ଧଙ୍କ ସଙ୍ଗେ ବିଚାରିଲେ । ରାମର କୋପ ଶାନ୍ତି କଲେ ॥ ୩୭
କୃଷ୍ଣ ବଚନେ ହଳପାଣି । ଅନେକ ରତ୍ନବସ୍ତ୍ର ଆଣି ॥ ୩୮
ବରକନ୍ୟାର ବିଭାକାଳେ । ଅନେକ ଯଉତୁକ ଦେଲେ ॥ ୩୯
ଅମୂଲ୍ୟରତ୍ନ ବସ୍ତ୍ର ଧନ । ଅଶ୍ୱ କୁଞ୍ଜର ଦାସୀଜନ ॥ ୪୦
ଘେନି ଆନନ୍ଦେ କନ୍ୟା ବର । ମଙ୍ଗଳେ ଗଲେ ନିଜ ପୁର ॥ ୪୧
ବନ୍ଧୁବାନ୍ଧବ ଯେତେଜନ । ଗଲେ ସେ ଯେ ଯାହା ଭୂବନ ॥ ୪୨
କହନ୍ତି ବ୍ୟାସଙ୍କର ସୁତ । କୃଷ୍ଣମଙ୍ଗଳ ଭାଗବତ ॥ ୪୩
କୃଷ୍ଣର ସଖା ପୂର୍ବକାଳେ । ଥିଲା ଯେ ବିଦେହମଣ୍ତଳେ ॥ ୪୪
କୃଷ୍ଣର ଅତି ପ୍ରିୟଭାବ । ନାମ ତାହାର ଶୁତଦେବ ॥ ୪୫
ଏକାନ୍ତ ହରିଭାବ ଭୋଳେ । ସମ୍ପୁର୍ଣ୍ଣ ହୃଦୟ ନିଶ୍ଚଳେ ॥ ୪୬
ଯୋଗେ ଇନ୍ଦ୍ରିୟ ବଳ ଜିଣି । ଜଗତଆତ୍ମା ପରିମାଣି ॥ ୪୭
ମିଥିଳାପୁରେ ଗୃହାଶ୍ରମୀ । ବ୍ରାହ୍ମଣଭାବେ ନିତ୍ୟକର୍ମୀ ॥ ୪୮
ଧନ ଅର୍ଜନେ ନାହିଁ ଚିତ୍ତ । କେବଳ ପ୍ରାଣ ବୃତ୍ତି ମାତ୍ର ॥ ୪୯
ଅଧର୍ମମାର୍ଗେ ମନେ ଭୀତି । କ୍ରିୟାକଳାପ କରେ ନିତି ॥ ୫୦
ଏମନ୍ତେ ବହୁଳାଶ୍ୱ ନାମ । ମିଥିଳାନଗରେ ରାଜନ ॥ ୫୧
ସେ ବେନିଜନ ହରିଭାବେ । ଜିତଇନ୍ଦ୍ରିୟ ସେ ସ୍ୱଭାବେ ॥ ୫୨
ତାହାଙ୍କ ଭାବ ଘେନି ହୃଦେ । ଗୋବିନ୍ଦ ପରମଆନନ୍ଦେ ॥ ୫୩
ଭକତଭାବେ ବଶ ହରି । ଉଦ୍ଧବ ସଙ୍ଗେ ଦଇତ୍ୟାରି ॥ ୫୪
ଦାରୁକ ରଥ କଲା ଆଣି । ମୁନିଙ୍କ ସଙ୍ଗେ ଚକ୍ରପାଣି ॥ ୫୫
ରଥ ଆରୋହି ହୃଷୀକେଶ । ମିଥିଳାନଗରେ ପ୍ରବେଶ ॥ ୫୬
ନାରଦ ବାମଦେବ ଅତ୍ରି । ବ୍ୟାସ ପରଶୁରାମ ଯତି ॥ ୫୭
ଅସିତ କେବଳ ଅରୁଣି । ଦେବଙ୍କଗୁରୁ ଶୁକମୁନି ॥ ୫୮
କଣ୍ୱ ମଇତ୍ରେୟ ଚ୍ୟବନ । ଏ ଆଦି ବ୍ରହ୍ମଋଷିଗଣ ॥ ୫୯
ମିଳିଲେ ସକଳେ ହେଁ ଆସି । ଦେଖି ଗୋବିନ୍ଦ ରୂପରାଶି ॥ ୬୦
ଶୁଣି ଗୋବିନ୍ଦ ଆଗମନ । ମିଥିଳାପଥେ ଯେତେ ଜନ ॥ ୬୧
ବିବିଧ ଅର୍ଘ୍ୟପାତ୍ର କରେ । ମିଳିଲେ କୃଷ୍ଣର ଛାମୁରେ ॥ ୬୨
ଆଦିତ୍ୟ ଉଦୟ ନିକଟେ । ଯେହ୍ନେ ବ୍ରାହ୍ମଣେ ଜଳଘାଟେ ॥ ୬୩
ତେହ୍ନେ ଦିଶନ୍ତି ଶୀରିବସ୍ତ୍ର । ଅନନ୍ତ ରୂପ କି ପ୍ରତ୍ୟକ୍ଷ ॥ ୬୪
ଧନୁତୁଣୀର କମ୍ବୁ ଚକ୍ର । ଗଦା କମଳ ପଦ୍ମନେତ୍ର ॥ ୬୫
ଦେଖିଣ ଆନନ୍ଦ ସବୁରି । ମଙ୍ଗଳ ଶବଦ ଉତାରି ॥ ୬୬
ଆନର୍ତ୍ତ ଧନ୍ୱ ଯେ ଜାଙ୍ଗଳ । କୁରୁ କଙ୍କ ମତ୍ସ୍ୟ ପାଞ୍ଚାଳ ॥ ୬୭
କୈକୟ ମଧୁ କୁନ୍ତୀ ଆଦି । କୋଶଳଦେଶ ଯେ ପ୍ରସିଦ୍ଧି ॥ ୬୮
ଏ ଆଦି ଯେତେ ଜନପଦେ । କୃଷ୍ଣର ବଦନ ଆନନ୍ଦେ ॥ ୬୯
ପିବନ୍ତି ଚକ୍ଷୁରନ୍ଦ୍ରେ ଭରି । ଅଶେଷ ତପେ ନରନାରୀ ॥ ୭୦
ତାହାଙ୍କ ତପସିଦ୍ଧ କରି । ଭକତବନ୍ଧୁ ନରହରି ॥ ୭୧
ଦିଗପୂରିତ ନିଜ ଯଶ । ତାହାଙ୍କ ମୁଖୁଁ ହୃଷୀକେଶ ॥ ୭୨
ଅଶୁଭନାଶନ ମଙ୍ଗଳ । ଶୁଣି ସାନନ୍ଦ ନନ୍ଦବାଳ ॥ ୭୩
ସର୍ବକୁଶଳ ସ୍ନେହଭରେ । ପ୍ରବେଶ ମିଥିଳାନଗରେ ॥ ୭୪
ମିଥିଳାପୁର ନରନାରୀ । କୃଷ୍ଣ ଆଗମ ଅନୁସରି ॥ ୭୫
ମଙ୍ଗଳ ଦ୍ରବ୍ୟ ଘେନି କରେ । ମିଳିଲେ କୃଷ୍ଣର ଛାମୁରେ ॥ ୭୬
ଗୋବିନ୍ଦମୁଖ ଦେଖି ଜନେ । ପ୍ରଫୁଲ୍ଲ ନିଶ୍ଚଳ ନୟନେ ॥ ୭୭
କରଅଞ୍ଜଳି ଦେଇ ଶିରେ । ରୋମପୁଲକ କଳେବରେ ॥ ୭୮
ସକଳେ ମୁନିଗଣ ମେଳେ । ନମିଲେ କୃଷ୍ଣ ପାଦତଳେ ॥ ୭୯
ଜନକ ଶ୍ରୁତଦେବ ବେନି । ହୃଦେ ଗୋବିନ୍ଦ ଭାବ ଘେନି ॥ ୮୦
ବୋଲନ୍ତି ଆମ୍ଭ ଅନୁଗ୍ରହେ । ବିଜୟ କଲେ ଦେବରାୟେ ॥ ୮୧
ଏମନ୍ତେ ପରମ ଆନନ୍ଦେ । ପ୍ରଣାମ କଲେ କୃଷ୍ଣପାଦେ ॥ ୮୨
ମୁନି ସମେତେ ନାରାୟଣ । ଅତିଥି କଲେ ନିମନ୍ତ୍ରଣ ॥ ୮୩
କୃଷ୍ଣଙ୍କୁ ଆସନେ ବସାଇ । ପୂଜିଲେ ଷଡଅର୍ଘ୍ୟ ଦେଇ ॥ ୮୪
ସେ ବେନିଜନଙ୍କର ମନ । ଜାଣନ୍ତି ଜଗତଜୀବନ ॥ ୮୫
ଭାବରେ ବନ୍ଧୁ ଦାମୋଦର । ମନରେ କରନ୍ତି ବିଚାର ॥ ୮୬
ଦୁହିଁଙ୍କ ଘରେ ମୁହିଁ ରହି । ଚିତ୍ତ ଆନନ୍ଦେ ବୋଧ ଦେଇ ॥ ୮୭
ତେବେ ମୁଁ ଯିବି ନିଜ ପୁର । ଏତେ ବିଚାରି ଚକ୍ରଧର ॥ ୮୮
ଜନକ ଗୃହେ ଭଗବାନ । ମୁନିଙ୍କି ଘେନି ଆଗମନ ॥ ୮୯
ଆନନ୍ଦମନେ ମହାରାଜା । ମୁନିଙ୍କି କଲେ ପାଦପୂଜା ॥ ୯୦
ହରଷୁ ତନୁ ରୋମମୂଳ । ନୟନୁ ବହେ ଅଶ୍ରୁଜଳ ॥ ୯୧
ପଖାଳି ମୁନିଙ୍କର ପାଦ । ଆନନ୍ଦେ କଣ୍ଠ ଗଦଗଦ ॥ ୯୨
ବିଶ୍ୱପବିତ୍ର ପାଦଜଳ । କୁଟୁମ୍ବ ସଙ୍ଗେ ଘେନି ଶିର ॥ ୯୩
ମୁନିଙ୍କ ଚରଣ ସମୀପେ । ପୁଷ୍ପଚନ୍ଦନ ଧୂପ ଦୀପେ ॥ ୯୪
ଅର୍ଘ୍ୟ ଗୋ ବୃଷ ଆଦି ଦେଇ । ମଧୁର ସ୍ୱରେ ବାକ୍ୟ କହି ॥ ୯୫
ଆତ୍ମଦରଶୀ ମୁନିଗଣେ । ଆନନ୍ଦେ ବସିଲେ ଆସନେ ॥ ୯୬
କୃଷ୍ଣଙ୍କୁ ପଲ୍ୟଙ୍କେ ବସାଇ । ବେନିଚରଣ କୋଳେ ଲଇଁ ॥ ୯୭
ପାଦମର୍ଦ୍ଦଇ ମନସୁଖେ । କହେ କୋମଳ ବାଣୀ ମୁଖେ ॥ ୯୮
ଭୋ ନାଥ ସର୍ବପ୍ରାଣୀଙ୍କର । ତୁ ଆତ୍ମାସାକ୍ଷୀ ଦାମୋଦର ॥ ୯୯
ତୋର ଚରଣ ଚକ୍ଷୁଦ୍ୱାରେ । ଦେଖିଲି ମନୁଷ୍ୟ ଶରୀରେ ॥ ୧୦୦
ତୋହର କର୍ମ ଶୁଣି କର୍ଣ୍ଣେ । ପ୍ରତ୍ୟେକ୍ଷ ଦେଖିଲି ନୟନେ ॥ ୧୦୧
ତୋ ପାଦରଜ ଜଗନ୍ନାତା । ଲଭିବା ପାଇଁ କରେ ଚିନ୍ତା ॥ ୧୦୨
ଏହା ଯେ ଚିତ୍ତେ ଭଲେ ଜାଣି । ସଂସାରୁ ତରଇ ସେ ପ୍ରାଣୀ ॥ ୧୦୩
ସମଦରଶୀ ଚିତ୍ତ ଯାର । ଶାନ୍ତ ନିଷ୍କାମ ମୁନିଙ୍କର ॥ ୧୦୪
ମରଣେ ଦେଉ ଆତ୍ମପଦ । ଆଗମ ନିଗମେ ପ୍ରସିଦ୍ଧ ॥ ୧୦୫
ସଂସାର ପ୍ରାଣୀଙ୍କର ମଧ୍ୟେ । ତୁ ନାଥ ଭୂମିଭାରା ସାଧ୍ୟେ ॥ ୧୦୬
ଯାଦବବଂଶେ ହୋଇ ଜାତ । ତୋ ଯଶ ଜଗତେ ବିଦିତ ॥ ୧୦୭
ତୋ ପାଦରେଣୁ ପାପ ନାଶେ । ନିର୍ମଳ ସୁଜ୍ଞାନ ପ୍ରକାଶେ ॥ ୧୦୮
ନମସ୍ତେ ପ୍ରଭୁ ଭଗବାନ । ତୁ କୃଷ୍ଣ ବଇକୁଣ୍ଠଧାମ ॥ ୧୦୯
ତୁ ନର ନାରାୟଣ ରୂପୀ । ଅଶେଷ ପ୍ରାଣୀ ହିତେ ତପୀ ॥ ୧୧୦
ଭୋ ନାଥ ଘେନି ମୁନିଜନ । ମୋ ଗୃହେ ରହ କିଛିଦିନ ॥ ୧୧୧
ତୋ ପାଦରଜେ ମୋର କୁଳ । ପବିତ୍ର ହେଉ ଆଦିମୂଳ ॥ ୧୧୨
ଏମନ୍ତ ରାଜା ବାକ୍ୟ ଶୁଣି । ମନ ଆନନ୍ଦେ ଚକ୍ରପାଣି ॥ ୧୧୩
ମିଥିଳା ନରନାରୀଙ୍କର । ପ୍ରୀତି କାରଣେ ଚକ୍ରଧର ॥ ୧୧୪
ରହିଲେ କେତେଦିନ ତହିଁ । ଜନକ ପ୍ରିୟଭାବ ବହି ॥ ୧୧୫
ଆନନ୍ଦମନେ ହୃଶୀକେଶ । ଶ୍ରୁତଦେବ ଗୃହେ ପ୍ରବେଶ ॥ ୧୧୬
ସ୍ୱଗୃହେ ଗୋବିନ୍ଦ ଆଗମେ । ଦେଖି ଶ୍ରୁତଦେବ ବିଭ୍ରମେ ॥ ୧୧୭
ନମି ଗୋବିନ୍ଦେ ଶୁଦ୍ଧଚିତ୍ତେ । ଭତ୍ତରୀ ତୋଳି ବେନି ହସ୍ତେ ॥ ୧୧୮
ଭାବେ ସୁମନେ ନୃତ୍ୟ କରି । ଆନନ୍ଦେ ବୋଲେ ହରିହରି ॥ ୧୧୯
ଶ୍ରୀକୃଷ୍ଣ ପାଦପଦ୍ମ ବେନି । ପୂଜିଲା ପ୍ରିୟଭାବ ଘେନି ॥ ୧୨୦
ସଙ୍ଗତେ ଘେନି ନିଜ ନାରୀ । ଶ୍ରୀକୃଷ୍ଣପାଦ କରେ ଧରି ॥ ୧୨୧
ପଖାଳି ଶୀତଳ ଉଦକେ । ଉଦକ ଘେନିଲା ମସ୍ତକେ ॥ ୧୨୨
ଜଳ ସିଞ୍ଚିଲା ନେଇ ଘରେ । ଯେ ଜଳେ ମେନୋରଥ ପୂରେ ॥ ୧୨୩
ସକଳ ଫଳ ଥାଇ ଯହିଁ । ସେ ପାଦ ପୂଜେ ଭାବ ବହି ॥ ୧୨୪
ସୁଗନ୍ଧତୃଣ ବାସ ଜଳେ । ଶ୍ୟାମତୁଳସୀ ପଦ୍ମତଳେ ॥ ୧୨୫
ଯେ ଅବା ଥିଲା ତା ମନ୍ଦିରେ । ଅର୍ପିଲା ସର୍ବ ଉପହାରେ ॥ ୧୨୬
ବିତର୍କେ ବିଚାରଇ ଚିତ୍ତେ । ପୂର୍ବେ ମୁଁ ପୁଣ୍ୟ କଲି କେତେ ॥ ୧୨୭
ସେ ପୁଣ୍ୟେ ଲଭିଲି ଏ ଗତି । ମୋର ମନ୍ଦିରେ ଯଦୁପତି ॥ ୧୨୮
ଯାହାର ପାଦରଜ-ନୀର । ସକଳ ତୀର୍ଥଙ୍କର ଘର ॥ ୧୨୯
ଆତ୍ମାନିକେତ ମୁନିମେଳେ । ଗୋବିନ୍ଦ ମୋ ଗୃହମଣ୍ତଳେ ॥ ୧୩୦
ଏମନ୍ତେ କୃଷ୍ଣଙ୍କୁ ବସାଇ । କରଅଞ୍ଜଳି ଶିରେ ଦେଇ ॥ ୧୩୧
ସୁତ କଳତ୍ର ବନ୍ଧୁ ଘେନି । ଚାପଇ କୃଷ୍ଣପାଦ ବେନି ॥ ୧୩୨
ବୋଲଇ କୋମଳ ବଚନ । ପାଦପଙ୍କଜେ ଦେଇ ମନ ॥ ୧୩୩
ଆଜ ଯେ ଧନ୍ୟ ମୋର ବଂଶ । ଦେଖିଲି ପରମପୁରୁଷ ॥ ୧୩୪
ଯେ ହରି ଜଗତ ଭିଆଇ । ଖେଳଇ ସର୍ବରୁପ ହୋଇ ॥ ୧୩୫
ନିଦ୍ରିତ ପୁରୁଷ ଯେମନ୍ତେ । ସ୍ୱପ୍ନ ଦେଖଇ ନାନମତେ ॥ ୧୩୬
ଚିଆଇଁ ପୁଣି ଚିତ୍ତେ ଧ୍ୟାୟେ । ସେ କଥା ମଣେ ସତ୍ୟ ପ୍ରାୟେ ॥ ୧୩୭
ତୋ ନାମ ଶୁଣନ୍ତି ଯେ କର୍ଣ୍ଣେ । ନିରତେ ଗୁଣନ୍ତି ବଦନେ ॥ ୧୩୮
ନିଶ୍ଚଳ ଧ୍ୟାନେ ମନେ ଚିନ୍ତି । ତୋର ପ୍ରତିମା ଯେ ପୂଜନ୍ତି ॥ ୧୩୯
ବିଷୟସଙ୍ଗ ଦୂର କରି । ତୋତେ ଭାବନ୍ତି ହୃଦେ ଧରି ॥ ୧୪୦
ତାହାଙ୍କ ହୃଦେ ତୁ ଗୋବିନ୍ଦ । ପ୍ରକାଶୁ ଜଳେ ଯେହ୍ନେ ଚନ୍ଦ୍ର ॥ ୧୪୧
କର୍ମେ ଚଞ୍ଚଳ ଯାର ଚିତ୍ତ । ତାହାକୁ ଦୂର ତୁ ଅଚ୍ୟୁତ ॥ ୧୪୨
ହୃଦରେ ଥାଇ ଦୂର ହେଉ । ତୋତେ ପାଇବେ ସେ ବା କାହୁଁ ॥ ୧୪୩
ତୋ ଗୁଣ ଯେହୁ ଗୁଣେ ରଟେ । ତୁ ଥାଉ ତାହାର ନିକଟେ ॥ ୧୪୪
ଆତ୍ମାର ଶକ୍ତି ଅଗୋଚର । ଭୋ ନାଥ ମହିମା ତୋହର ॥ ୧୪୫
ନମସ୍ତେ ପ୍ରଭୁ ନିରଞ୍ଜନ । ଅଧ୍ୟାତ୍ମଜ୍ଞାନୀଙ୍କ ଜୀବନ ॥ ୧୪୬
ଅଜ୍ଞାନୀ ଦେହବନ୍ତଙ୍କର । ମୃତ୍ୟୁ ସ୍ୱରୁପ ତୁ ନିକର ॥ ୧୪୭
ସ୍ୱଭାବେ ଦେହ ତୋର ନାହିଁ । ମାୟାରେ ବହୁ ସର୍ବଦେହୀ ॥ ୧୪୮
କାରଣ ସଙ୍ଗେ ଅକାରଣ । ଉଭୟଲିଙ୍ଗ ତୁ ଧାରଣ ॥ ୧୪୯
ମାୟା ଆବୃତେ ରୁଦ୍ଧଦୃଷ୍ଟି । ଏଣୁ ତୋ ନାନା ରୂପ ସୃଷ୍ଟି ॥ ୧୫୦
ମୁଁ ତୋର ଭୃତ୍ୟଙ୍କ କିଙ୍କର । ସୁହୃଦ କୋଟିକେ ଅନ୍ତର ॥ ୧୫୧
ମୁଁ ତୋର କି କରିବି ସେବା । ବିଚାରି ମୋତେ ଆଜ୍ଞା ଦେବା ॥ ୧୫୨
ଦୃଷ୍ଟିଗୋଚର ଯାର ତୁହି । ତାହାର କ୍ଳେଶ ଆଉ କାହିଁ ॥ ୧୫୩
କହନ୍ତି ଶୁକ ମହାମୁନି । ଶ୍ରୁତ ଦେବର ବାକ୍ୟ ଶୁଣି ॥ ୧୫୪
ପ୍ରାଣୀଙ୍କକ ଆରତଭଞ୍ଜନ । ହରଷେ ପ୍ରଭୁ ଭଗବାନ ॥ ୧୫୫
ବ୍ରାହ୍ମଣ ହସ୍ତ କରେ ଧରି । ହସି ବୋଲନ୍ତି ନରହରି ॥ ୧୫୬
ତୋତେ ପ୍ରସନ୍ନ ମନ ମୋର । ତେଣୁ ଅଇଲି ତୋର ଘର ॥ ୧୫୭
ଏ ମୁନିଜନଙ୍କ ମହିମା । କେ କହିପାରେ ଗୁଣସୀମା ॥ ୧୫୮
ଏହାଙ୍କ ପାଦରଜ ଶିରେ । ଘେନି ସଂସାରୁ ପ୍ରାଣୀ ତରେ ॥ ୧୫୯
ଦେବତାକ୍ଷେତ୍ର ତୀର୍ଥଜନେ । ଦର୍ଶନ-ସ୍ପପର୍ଶ-ଅର୍ଚ୍ଚନେ ॥ ୧୬୦
ଶୁଦ୍ଧ କରନ୍ତି ଚିରକାଳେ । ଯେ ଯାହା କର୍ମ ଫଳାଫଳେ ॥ ୧୬୧
ସାଧୁଙ୍କ ଦରଶନ ମାତ୍ରେ । ଦୁରିତ ନ ରହଇ ଗାତ୍ରେ ॥ ୧୬୨
ସକଳ ପ୍ରାଣୀ ମଧ୍ୟେ ସାର । ବ୍ରାହ୍ମଣ ଶରୀର ଯାହାର ॥ ୧୬୩
ସନ୍ତୋଷ ତପ ବିଦ୍ୟାଫଳେ । କ୍ରିୟା କଳାପ ଯୋଗବଳେ ॥ ୧୬୪
ବ୍ରାହ୍ମଣ ସର୍ବଦେବମୟ । ସେ ମୋର ଦେହଟି ନିଶ୍ଚୟ ॥ ୧୬୫
ଚତୁରଭୁଜ ମୋର ଦେହୀ । ଏହା ମୁଁ ପ୍ରିୟ ନ ମଣଇଁ ॥ ୧୬୬
ବ୍ରାହ୍ମଣଜନ ପ୍ରିୟ ମୋର । ହସି ବୋଲନ୍ତି ଚକ୍ରଧର ॥ ୧୬୭
ବ୍ରାହ୍ମଣ ଗୁରୁ ଚାରିବର୍ଣ୍ଣେ । ମୋହର ସ୍ୱରୂପ ଅଭିନ୍ନେ ॥ ୧୬୮
ତାହା ନ ଜାଣି ମୂଢଜନେ । ପ୍ରତିମା ପୂଜେ ଦୃଢମନେ ॥ ୧୬୯
ଏ ଚରାଚର ବିଶ୍ୱ ମଧ୍ୟେ । ଦେଖନ୍ତି ଯେ ମୋତେ ଅଭେଦେ ॥ ୧୭୦
ଏ ବିପ୍ରବରେ ଶ୍ରଦ୍ଧା ବହି । ସ୍ୱଧର୍ମଭାବେ ପୂଜ ତୁହି ॥ ୧୭୧
ଏହାଙ୍କୁ ସେବା କର ନିତ୍ୟେ । ମୋ ଭାବ ପାଇବୁ ଯେମନ୍ତେ ॥ ୧୭୨
ବିପ୍ରସେବନେ ମୋତେ ପାଇ । ଅନ୍ୟଥା କୋଟି ଯଜ୍ଞେ ନୋହି ॥ ୧୭୩
ଶୁକ କହନ୍ତି ଶୁଦ୍ଧମନେ । ଏମନ୍ତ ବିଷ୍ଣୁର ବଚନେ ॥ ୧୭୪
ବିପ୍ରଙ୍କୁ ପୂଜି ନିତିନିତି । ଲଭିଲେ ଅପବର୍ଗ ଗତି ॥ ୧୭୫
ଏମନ୍ତେ ପ୍ରଭୁ ଭଗବାନ । ମିଥିଳା ରହି କେତେଦିନ ॥ ୧୭୬
ତାହାଙ୍କୁ ନିଜ ଜ୍ଞାନ ଦେଇ । ଦ୍ୱାରକା ବିଜେ ଭାବଗ୍ରାହୀ ॥ ୧୭୭
ସେ ହରିପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୭୮
ସୁଜନେ କୃଷ୍ଣପାଦେ ସେବ । ସଂସାର-ସାଗରୁ ତରିବ ॥ ୧୭୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୁତଦେବ ଅନୁଗ୍ରହୋ ନାମ
ଦ୍ୱିନବତିତମ ଅଧ୍ୟାୟଃ ॥
</poem>
==='''ତ୍ରିନବତିତମ ଅଧ୍ୟାୟ'''===
<poem>
ସୁଭଦ୍ରା-ତନୟ-କୁମର । କୃଷ୍ଣସେବକ ମଧ୍ୟେ ସାର ॥ ୧
ପ୍ରଣାମ କରି ଶୁକ ପାଦେ । ବୋଲେ ଆନନ୍ଦ ଗଦଗଦେ ॥ ୨
;ପରୀକ୍ଷିତ ଉବାଚ
ଭୋ ମୁନି ତୁମ୍ଭର ମହିମା । କେ କହିପାରେ ଗୁଣସୀମା ॥ ୩
କୃଷ୍ଣସେବକ ମଧ୍ୟେ ବର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୪
ପାଣ୍ତବ କୁଳେ ଜାତ ହୋଇ । ସ୍ୱଭାବେ ଭାଗ୍ୟବନ୍ତ ମୁହିଁ ॥ ୫
ତୁମ୍ଭର ମୁଖୁଁ କୃଷ୍ଣବାଣୀ । ନିରତେ ଶ୍ରୁତିପଥେ ଶୁଣି ॥ ୬
ଅନେକ ଜନ୍ମ ତପଫଳେ । ଜନ୍ମିଲି ଭାରତମଣ୍ତଳେ ॥ ୭
ଦେଖ ମୋହର ଜନ୍ମକାଳେ । ଲିଖିତ ଅଛି ଯେ କପାଳେ ॥ ୮
ସେ ଘେନି ପ୍ରାଣ ତ୍ୟାଗ କାଳେ । ଚରଣ ଦେଇ ଗଙ୍ଗାଜଳେ ॥ ୯
ବ୍ରହ୍ମ ବିଚାର ତୁମ୍ଭ ତୁଲେ । କଲି ଆନନ୍ଦ ସୁଖ ଭୋଳେ ॥ ୧୦
ବିଶ୍ୱସଂସାର ମଧ୍ୟେ ହରି । ଜନ୍ମିଲେ ଯେତେ ରୂପ ଧରି ॥ ୧୧
ମୀନ କମଠ ଆଦି ରୂପ । ଧରି ନାଶିଲେ ମହୀତାପ ॥ ୧୨
ଯେ ଏହା ଶୁଣେ କର୍ଣ୍ଣଦ୍ୱାରେ । ନ ବୁଡେ ସଂସାର ସାଗରେ ॥ ୧୩
ହରି ମହିମା ତୁମ୍ଭେ ଯେତେ । ମୋତେ କହିଲ ଭାଗବତେ ॥ ୧୪
ସଂସାର-ବୃକ୍ଷ-ମୂଳ-କନ୍ଦ । ଅନାଦି ପୁରୁଷ ଗୋବିନ୍ଦ ॥ ୧୫
ନିଜ ସ୍ୱରୂପେ ବ୍ରହ୍ମରାଶି । ଏକ ଅନେକ ରୂପେ ଦିଶି ॥ ୧୬
ବସଇ ସର୍ବଜୀବ ଦେହେ । ବିଷୟ-ମାୟା-ଜଡ ମୋହେ ॥ ୧୭
କର୍ମ କରଇ ତେଜ ବହି । କାର୍ଯ୍ୟକାରଣେ ନ ଲାଗଇ ॥ ୧୮
ଏଣୁ ତା ନିଜ ରୂପ ଭାବ । ସଂସାରେ କେ ଅବା କହିବ ॥ ୧୯
ବେଦ-ବେଦାନ୍ତ କେବା ଜାଣୁ । ଯେ ନୋହେ ଅଣୁ ପରମାଣୁ ॥ ୨୦
ନାଭିକମଳୁ ବ୍ରହ୍ମା ଜାତ । ସେ ଖୋଜି ନ ପାଇଲା ଅନ୍ତ ॥ ୨୧
ତାର ନିଃଶ୍ୱାସୁଁ ବେଦ ଜନ୍ମି । ତ୍ରିଗୁଣ ମାୟାଚକ୍ରେ ଭ୍ରମି ॥ ୨୨
କେମନ୍ତେ ବିଷ୍ଣୁଙ୍କୁ ଜାଣନ୍ତି । ଏ ମୋର ମନେ ବଡ ଭ୍ରାନ୍ତି ॥ ୨୩
ସ୍ୱଭାବେ ବିଷ୍ଣୁ ନିରଞ୍ଜନ । ନୋହେ ପ୍ରକାଶ ସ୍ଥୂଳ ଶୂନ୍ୟ ॥ ୨୪
ଏ କଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥ ୨୫
ଏମନ୍ତ ପରୀକ୍ଷିତ ବାଣୀ । ଶୁକ ବୋଲନ୍ତି ତାହା ଶୁଣି ॥ ୨୬
;ଶୁକ ଉବାଚ
ତୁ ପୁଣ୍ୟବନ୍ତ ନୃପବର । ଚଞ୍ଚଳ ମନ ସ୍ଥିର କର ॥ ୨୭
ଜଗତ ଈଶ୍ୱର ମୁରାରି । ସଂସାର ମାୟାଯୋଗେ କରି ॥ ୨୮
ଭିଆଇ ସୂକ୍ଷ୍ମରୂପେ ଜୀବ । ସ୍ଥାବର ଆଦି ଦେହୀ ସର୍ବ ॥ ୨୯
ଆଗେ ଭିଆଣ କଲା ମନ । ଅହଙ୍କାର ବୁଦ୍ଧି ଚେତନ ॥ ୩୦
କର୍ମର ଅର୍ଥେ ଇନ୍ଦ୍ରିଗଣ । ସର୍ଜିଲା ଆଦି ନାରାୟଣ ॥ ୩୧
କର୍ମରୁ ବାସନା ସମ୍ଭୂତ । ତେଣୁଟି ବଦ୍ଧ ଏ ଜଗତ ॥ ୩୨
କର୍ମ ବାସନା ରଜ୍ଜୁ ବଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥ ୩୩
ଏଣୁ ସେ ଇହ ପରଲୋକେ । ଫଳ ଭୁଞ୍ଜଇ ଦୁଃଖେ ସୁଖେ ॥ ୩୪
ଏ ଘେନି କର୍ମର ଭିଆଣ । ପ୍ରବୃତ୍ତି ନିବୃତ୍ତି କାରଣ ॥ ୩୫
ଦେହ ଧାରଣା ଦଶପ୍ରାଣ । ଭିରରେ ବାହାରେ ପ୍ରମାଣ ॥ ୩୬
ଏମନ୍ତ ସର୍ଜି ବିଶ୍ୱକାୟା । ତୁ ମୋତେ ପଚାରିଲୁ ଯାହା ॥ ୩୭
ବୋଲୁ ଯେ ବିଷ୍ଣୁର ମହିମା । କେ ଜାଣିପାରେ ଗୁଣସୀମା ॥ ୩୮
ବେଦ କେମନ୍ତେ ତାହା ଜାଣି । କହେ ମହିମା ପରିମାଣି ॥ ୩୯
ବୁଦ୍ଧି ଇନ୍ଦ୍ରିୟ ପ୍ରାୟ ମନ । ଏହାଙ୍କ ବିଷୟ ପ୍ରମାଣ ॥ ୪୦
ଯେ ରୂପେ ହୋଇବ ପ୍ରବେଶ । ତହିଁକି ଦେବ ଉପଦେଶ ॥ ୪୧
ବିଧାତା ଆଦି ଯେତେ ମୁନି । ବେଦରୁ ବ୍ରହ୍ମଭାଗ ଘେନି ॥ ୪୨
ସେ ବ୍ରହ୍ମଜ୍ଞାନକୁ ଶ୍ରବଣ । ଆବର କରନ୍ତି ଧାରଣ ॥ ୪୩
ବେଦ ବଚନେ ବ୍ରହ୍ମ ଜାଣି । ଭବସାଗରୁ ତରେ ପ୍ରାଣୀ ॥ ୪୪
ବେଦୁଁ ପରମ ଗତି ପାନ୍ତି । ଉପନିଷଦ ଭାଗ ଚିନ୍ତି ॥ ୪୫
ଶୁଣ ପାଣ୍ତବ ଚୂଡାମଣି । ଯେମନ୍ତେ ବେଦୁଁ ବ୍ରହ୍ମ ଜାଣି ॥ ୪୬
ପୁଣ୍ୟ ଆଶ୍ରମ ବଦରିକା । ଯହିଁ ଗୋବିନ୍ଦ ବେନି ସଖା ॥ ୪୭
ସେ ନର ନାରାୟଣ ରୂପେ । ସାଧନ୍ତି ଜନ୍ମସୁଖ ତପେ ॥ ୪୮
ଭାରତ ମଧ୍ୟେ ଯେତେ ଜନ୍ତୁ । ଏହାଙ୍କ ତପ ତାଙ୍କ ହେତୁ ॥ ୪୯
କଳାପ ଗ୍ରାମେ ଯଜ୍ଞବାଟେ । ମୁନିଏ ଅଛନ୍ତି ନିକଟେ ॥ ୫୦
ତହିଁ ନାରଦ ମହାମୁନି । ମିଳିଲେ ବିଷ୍ଣୁଭାବ ଘେନି ॥ ୫୧
ସେ ମୁନି ବିଷ୍ଣୁର ସ୍ୱରୂପ । ଜୀବନମୁକ୍ତ ଜ୍ଞାନଦୀପ ॥ ୫୨
ନିରତେ ଜନ ଉପକାରେ । ଭ୍ରମନ୍ତି ଚତୁର୍ଦ୍ଦଶପୁରେ ॥ ୫୩
ବୀଣାଶବଦ କରେ ବାଇ । ମିଳିଲେ ବିଷ୍ଣୁ ପାଶେ ଯାଇ ॥ ୫୪
ଚରଣେ ଦେଇ ବେନିକର । ନମିଲେ ବ୍ରହ୍ମାଙ୍କ କୁମର ॥ ୫୫
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥ ୫୬
ବିଷ୍ଣୁ ନାରଦଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୫୭
ବୋଲି ନାରଦ ମହାଋଷି । ବିଷ୍ଣୁ ଚରଣତଳେ ବସି ॥ ୫୮
ନମଇଁ ପ୍ରଭୁ ନାରାୟଣ । ତୁମ୍ଭର ଅଭୟଚରଣ ॥ ୫୯
ହୃଦରେ ଅଛି ମୋ ସନ୍ଦେହ । ବ୍ରହ୍ମବିଚାର ମୋତେ କୁହ ॥ ୬୦
କହନ୍ତି ନାରାୟଣ ଋଷି । ନାରଦ ବାକ୍ୟ ପରଶଂସି ॥ ୬୧
;ନାରାୟଣ ଉବାଚ
ଶୁଣ ନାରଦ ଶୁଦ୍ଧଚେତା । ଜନଲୋକ ସମ୍ବାଦ କଥା ॥ ୬୨
ବ୍ରହ୍ମା ମନରୁ ଜାତ ହୋଇ । ସନକ ଆଦି ଚାରିଭାଇ ॥ ୬୩
ଯୋଗ ସାଧନେ ଉର୍ଦ୍ଧ୍ୱରେତା । ବ୍ରହ୍ମବିଚାରେ ସେ ବକତା ॥ ୬୪
ସମାନ ବୁଦ୍ଧି ଚାରିଭାଇ । ଶ୍ରୋତା ବକତା ହୋଇ ତହିଁ ॥ ୬୫
ତାହାଙ୍କ ମଧ୍ୟେ ବିଚାରଣ । ଯେ ବ୍ରହ୍ମ ପରମକାରଣ ॥ ୬୬
ସେ ବ୍ରହ୍ମବିଚାର ସୂଚକେ । ତୁମ୍ଭେ ନ ଥିଲ ଜନଲୋକେ ॥ ୬୭
ଅଗାଧ ଜଳେ ଶ୍ୱେତଦୀପେ । ବିଷ୍ଣୁ ଶୟନ ମହାସର୍ପେ ॥ ୬୮
ଦେଖିବା ପାଇଁ ତୁମ୍ଭେ ଗଲ । ସେ ଘେନି ସେ ଲୋକେ ନଥିଲ ॥ ୬୯
ତୁମ୍ଭ ଗଲାରେ ପ୍ରଶ୍ନ ହୋଇ । ଶୁଣିଲି ଜନଲୋକ ମୁହିଁ ॥ ୭୦
;ନାରଦ ଉବାଚ
ମୁନି ବୋଲନ୍ତି ନାରାୟଣ । ଗହନ ବ୍ରହ୍ମ ବିଚାରଣ ॥ ୭୧
ମନ ବଚନେ ନୋହେ ଧରି । ବେଦ କି ପାରେ ଅନ୍ତଃ କରି ॥ ୭୨
ସମାନଜ୍ଞାନୀ ଚାରିମୁନି । ଶ୍ରୋତା ବକତା ଭାବ ଘେନି ॥ ୭୩
ବ୍ରହ୍ମ ସମ୍ବାଦ କଲେ ଯାହା । ଭୋ ନାଥ ମୋତେ କହ ତାହା ॥ ୭୪
;ନାରାୟଣ ଉବାଚ
କହନ୍ତି ପ୍ରଭୁ ନାରାୟଣ । ନାରଦ ସାବଧାନେ ଶୁଣ ॥ ୭୫
ବ୍ରହ୍ମାର ସେ ଚାରି କୁମର । ମହାମହିମା ତାହାଙ୍କର ॥ ୭୬
ସନନ୍ଦ ମୁନି ମୁଖ ଚାହିଁ । ବ୍ରହ୍ମ ପୁଚ୍ଛିଲେ ତିନିଭାଇ ॥ ୭୭
ମୁନିଏ ବାଳଖିଲ୍ୟା ଆଦି । ଅନେକ ଥିଲେ ବ୍ରହ୍ମବାଦୀ ॥ ୭୮
ସନନ୍ଦ କହେ ଶୁଦ୍ଧମନେ । ବ୍ରାହ୍ମଣେ ଶୁଣ ସାବଧାନେ ॥ ୭୯
ପୁରାଣ ପୁରୁଷ ମୁରାରି । ମାୟାର ବଳେ ସୃଷ୍ଟି କରି ॥ ୮୦
ପାଳନ ଧର୍ମରୂପେ କଲା । ପୁଣି ପ୍ରଳୟେ ସଂହାରିଲା ॥ ୮୧
ସେ ମାୟା ନିଜ ଦେହେ ଧରି । ଜଳ ଶୟନେ ନରହରି ॥ ୮୨
ବିଷ୍ଣୁ ରଜନୀ ପ୍ରକାଶିଲା । କେ ଜାଣେ କେତେଗାଳ ଗଲା ॥ ୮୩
ପ୍ରବୋଧ କାଳେ ସେ ପୁରୁଷ । ଅଳସେ ଛାଡିଲା ନିଶ୍ୱାସ ॥ ୮୪
ଶୁଭିଲା ପ୍ରଚଣ୍ତ ଶବଦ । ତହୁଁ ଜନ୍ମିଲେ ତିନି ବେଦ ॥ ୮୫
ଦୁର୍ଗମ ଅନ୍ଧକାର ଦେଖି । ଭୟେ ବୁଜିଲେ ବେନିଆଖି ॥ ୮୬
ବିଷ୍ଣୁର ତେଜ ସେ ବହନ୍ତି । ବିଷ୍ଣୁ ଭେଟିଲେ ଯିବ ଭ୍ରାନ୍ତି ॥ ୮୭
ଏତେ ବିଚାର ମନେ ଘେନି । ସ୍ତୁତି କରନ୍ତି ବେଦ ତିନି ॥ ୮୮
ମାଗଧେ ରଜନୀର ଅନ୍ତେ । ରାଜାଙ୍କୁ ଡାକନ୍ତି ଯେମନ୍ତେ ॥ ୮୯
;ବେଦଗଣ ଉବାଚ
ପ୍ରଥମେ ଜୟ ଜୟ ସ୍ତୁତି । ନିର୍ଗୁଣ ନିଗମେ ବୋଲନ୍ତି ॥ ୯୦
ଜୟ ଅଜିତ ଆଦିକନ୍ଦ ଆଦିକନ୍ଦ । ନିର୍ଲେପ ପରମ ଆନନ୍ଦ ॥ ୯୧
ଜୟ ମଙ୍ଗଳ ଜଗନ୍ନାଥ । ଏ ଜୀବ ତୋର ତହୁଁ ଜାତ ॥ ୯୨
ସ୍ଥାବର ଆଦି ଚାରି ମୂଳେ । ବନ୍ଧନ ବାସନାର ବଳେ ॥ ୯୩
ତୋର ମାୟାରେ ଭ୍ରମ ପାଇ । ନାନା ଯୋନିରେ ଜାତ ହୋଇ ॥ ୯୪
ଭ୍ରମନ୍ତି ତୋ ଭାବ ନ ପାଇ । ତାହାଙ୍କ ମାୟା ଛେଦ ତୁହି ॥ ୯୫
ସେ ମାୟା ପ୍ରକାଶିବୁ କେତେ । ଗୁଣ ଯେ ଭଜେ ଦୋଷ ଅର୍ଥେ ॥ ୯୬
ତୁ ଆତ୍ମାଗୁଣେ ନରହରି । ଅଷ୍ଟମ ନିଧି ଯୋଗଧାରୀ ॥ ୯୭
ଉପାଧି ଭେଦେ ନୋହୁଁ ସଙ୍ଗ । ସଲିଳେ ଯେସନେ ତରଙ୍ଗ ॥ ୯୮
ପରମ ଆତ୍ମା ରୂପେ ବସୁ । ଜୀବର ଶକ୍ତି ତୁ ପ୍ରକାଶୁ ॥ ୯୯
ତୋ ମାୟା ତରିବାର ଆଶେ । ବୈରାଗ ଜ୍ଞାନ ସେ ଅଭ୍ୟାସେ ॥ ୧୦୦
ନାନାପ୍ରକାରେ ବୁଦ୍ଧି କରି । ତୋ ମାୟା ନ ପାରନ୍ତି ତରି ॥ ୧୦୧
ଏଣୁ ଜୀବର ଘୋର ମାୟା । ତୁଟଇ ଯାକୁ କରୁ ଦୟା ॥ ୧୦୨
ଅନାଦିମାୟା ସୃଷ୍ଟି କାଳେ । ତୁ ସେ ମାୟାର ସଙ୍ଗମେଳେ ॥ ୧୦୩
ଜୀବ ପରମ ରୂପ ଧରି । ତୋହର କ୍ରୀଡା ନରହରି ॥ ୧୦୪
ଅନନ୍ତ ଶକ୍ତି ତୋର ମାୟା । କେ ଜାଣିପାରେ ନାଥ ତାହା ॥ ୧୦୫
ଆଦି ଅନ୍ତ ନାହିଁ ତୋହର । ଏ ଘେନି କେ କରୁ ଗୋଚର ॥ ୧୦୬
ଦ୍ୱିତୀୟେ ବୃହଦୁପଲବ୍ଧ । ଭାବେ ବୋଲନ୍ତି ତିନି ବେଦ ॥ ୧୦୭
ତୁ ନାଥ ପରମଆନନ୍ଦ । ସଂସାର ମୂଳ ଆଦିକନ୍ଦ ॥ ୧୦୮
ତୁ ବୋଲୁ ବେଦ ଯେ ଅନାଦି । ସର୍ବ ପାରନ୍ତି ଏ ସମ୍ପାଦି ॥ ୧୦୯
ବାସବ ଆଦି ଦେବଗଣ । ଏ ଦେବେ ଯଜ୍ଞରେ ବରଣ ॥ ୧୧୦
କର୍ମ କରଣ ଶୁଭାଶୁଭ । ମୋକ୍ଷାଦି ଦିଅନ୍ତି ଏ ସର୍ବ ॥ ୧୧୧
ତହିଁ କି କହିବୁ ତୋ ଆଗେ । ପବନ ଯୋଗେ ଜଳବିମ୍ବେ ॥ ୧୧୨
କରିବା ଯେତେ ଅନୁମାନ । ଜଳୁ ସେ ନୁହନ୍ତି ତା ଭିନ୍ନ ॥ ୧୧୩
ତୁ ସର୍ବମୟ ନିରାକାର । ଅଶେଷ ଶେଷ ନାହିଁ ତୋର ॥ ୧୧୪
ସୃଷ୍ଟି ସମ୍ବୂତ ତୋର ତହୁଁ । ତୁ ବ୍ରହ୍ମ ବିକାର ଯେ ନୋହୁ ॥ ୧୧୫
ଘଟାଦି ମୃତ୍ତିକା ଯେସନେ । ଉଦୟ ଅସ୍ତ ଅନୁମାନେ ॥ ୧୧୬
ବାସବ ଆଦି ଏ ଜଗତେ । ତୋହର ସଞ୍ଚିଲା ଜଗତେ ॥ ୧୧୭
ଏ ଘେନି ଋଷିଗଣ ଯେତେ । ମନବଚନ ଦେଇ ତୋତେ ॥ ୧୧୮
ସମର୍ପି ତୋ ପାଦ କମଳେ । ତୋ ମାୟା ନିସ୍ତରନ୍ତି ହେଳେ ॥ ୧୧୯
ଦିଗପାଳଙ୍କ ପୂଜା ଘେନି । ଯଜ୍ଞେ କି ନ ତରିବେ ମୁନି ॥ ୧୨୦
କାଷ୍ଠ ତୃଣ ଅବା ପାଷାଣ । ଏଣେ ଯେ ଚାଳନ୍ତି ଚରଣ ॥ ୧୨୧
ବାଳକ ଦୃଷ୍ଟି ଦିଶେ ଭ୍ରାନ୍ତି । ଜାଣିଲେ ଭୂମିରେ ସେ ଥାନ୍ତି ॥ ୧୨୨
ତୃତୀୟେ ଇତି ବେଦେ ବାଣୀ । ଭାବେ ବୋଲନ୍ତି ପରିମାଣି ॥ ୧୨୩
ତ୍ରି ଅଧପତି ତୋର ନାମ । କହିବୁଁ ଶୁଣ ସାବଧାନ ॥ ୧୨୪
ତ୍ରିଗୁଣ ମାୟାଯନ୍ତ୍ର କରି । ମୃଗୀ ନଚାଉ ନରହରି ॥ ୧୨୫
ଏଣୁ ତୋ ତ୍ରିଅଧିପ ନାମ । ଶୁଣ କହିବୁଁ ଗୁଣ ଗ୍ରାମ ॥ ୧୨୬
ଆଦ୍ୟେ ଯେ ମୃଗ ଅନ୍ୱେଷଣ । ତାହାର ଅର୍ଥଟି ଭ୍ରମଣ ॥ ୧୨୭
ସେ ଭ୍ରମ ଅଛି ଯାର ତହିଁ । ଏ ଘେନି ମୃଗୀ ସେ ବୋଲାଇ ॥ ୧୨୮
ଅଶେଷ ଯୋନି ମଧ୍ୟେ ଥାଇ । ଜୀବ ଭ୍ରମଇ ଦେହ ବହି ॥ ୧୨୯
ଏଣୁ ଏ ଜୀବ ମୃଗୀ ନାମ । ଯେଣୁ ନିରତେ ତାର ଭ୍ରମ ॥ ୧୩୦
ତ୍ରିଗୁଣ ସତ୍ତ୍ୱ ରଜ ତମ । ଏମନ୍ତ ଯନ୍ତ୍ର ଅନୁମାନ ॥ ୧୩୧
ନାନା ବିଷୟ ବିଦ୍ୟମାନେ । ଜୀବ ନାଚଇ ସାବଧାନେ ॥ ୧୩୨
ଏଣୁ ତ୍ରିଅଧିପ ବୋଲାଉ । ଯେ ଯନ୍ତ୍ରେ ଜୀବକୁ ନଚାଉ ॥ ୧୩୩
ଏମନ୍ତେ ବେଦ ଅନୁମାନି । ପୁଣି ବୋଲନ୍ତି ଭାବ ଘେନି ॥ ୧୩୪
ସଂସାରେ ସୁପଣ୍ତିତ ପ୍ରାଣୀ । ତୋ ଅନୁମାନେ ତୋତେ ଜାଣି ॥ ୧୩୫
ତୋ କଥା ଅମୃତ ସାଗର । ଅଶେଷ ପାପ ଯହିଁ ଦୂର ॥ ୧୩୬
ସେ ଜଳେ ମନ ବୁଡାଇଲେ । ନଲାଗେ ତାପତ୍ରୟ ଭଲେ ॥ ୧୩୭
ତୋ ନାମ ମହିମା ଏମନ୍ତ । ତୋ ରୂପ କେ କରିବ ଅନ୍ତ ॥ ୧୩୮
ଯୋଗୀଏ ବସି ଯୋଗାସନେ । ଅଖଣ୍ତାନନ୍ଦ ରୂପ ଧ୍ୟାନେ ॥ ୧୩୯
ଅନ୍ତଃ କରଣେ ତାହା ଧରି । ତେଜି କାମାଦି ଷଡ ଅରି ॥ ୧୪୦
ଗର୍ଭ ଜନ୍ମ ବାଳ କିଶୋର । ତରୁଣ ବୃଦ୍ଧ ଦେହାନ୍ତର ॥ ୧୪୧
ଏ ସପ୍ତଦଶା ଜିଣି କରି । ମାୟା ସଂସାର ଯାନ୍ତି ତରି ॥ ୧୪୨
ଚତୁର୍ଥେ ଈଶ୍ୱରର ସ୍ତୁତି । ନିର୍ମଳ ନିଗମେ ବୋଲନ୍ତି ॥ ୧୪୩
ଭୋ ନାଥ କମ୍ବୁଚକ୍ରପାଣି । ତୋତେ ଯେ ନ ଭଜନ୍ତି ପ୍ରାଣୀ ॥ ୧୪୪
ଶରୀର ବହି ଏ ଶୟଳେ । ପ୍ରାଣ ତରନ୍ତି ସୁଖ ଭୋଳେ ॥ ୧୪୫
ତାଙ୍କ ଜୀବନ ଅକାରଣ । ଭୋ ନାଥ ଶୁଣ ନାରାୟଣ ॥ ୧୪୬
କର୍ମକାରକ ଯନ୍ତ୍ର ବଳେ । ଭାତିଏ ଗର୍ଜୁଥାନ୍ତି ଶାଳେ ॥ ୧୪୭
ଛାଡିଲେ ନଥାଇ ପବନ । ତେମନ୍ତ ତାହାଙ୍କ ଜୀବନ ॥ ୧୪୮
ମହତ ଅହଙ୍କାର ମନ । ଗଗନ ଆବର ପବନ ॥ ୧୪୯
ଜଳ ଅନଳ ସଙ୍ଗେ ମହୀ । ତୋ ଅନୁଗ୍ରହେ ଜଡ ହୋଇ ॥ ୧୫୦
ବ୍ରହ୍ମାଣ୍ତ ହୋଏ ଦେହଧାରୀ । ତୁ ନାଥ ଜୀବରୂପ ଧରି ॥ ୧୫୧
ପଞ୍ଚଶରୀରେ ତୋର ବାସ । ଯାହାକୁ ବୋଲି ପଞ୍ଚକୋଷ ॥ ୧୫୨
ଅନ୍ନ ଯେ ପ୍ରାଣ ଆର ମନ । ବିଜ୍ଞାନ ଆନନ୍ଦ ଏ ନାମ ॥ ୧୫୩
ଏ ପଞ୍ଚପୁରେ ତୁ ଯେ ପଶି । ଜ୍ୟୋତିସ୍ୱରୂପ ପରକାଶି ॥ ୧୫୪
ଏହାଙ୍କୁ ତୁଲେ ଲଗ୍ନ ନୋହୁ । ଯେଣୁ ନିର୍ଲେପ ରୂପ ବହୁ ॥ ୧୫୫
ଏଣୁ ତୋ ଚରଣ କମଳେ । ଯେ ନ ଭଜନ୍ତି ସୁଖଭୋଳେ ॥ ୧୫୬
ତୁ ନାଥ ତାହାଙ୍କୁ ଦୁର୍ଲ୍ଲଭ । ସେ ପ୍ରାଣୀ ଲଭେ ପରାଭାବ ॥ ୧୫୭
ଉଦର ପଞ୍ଚମରେ ସ୍ତୁତି । ବେଦେ ବାସୁଦେବ ବୋଲନ୍ତି ॥ ୧୫୮
ଶୁଣ ହେ ପରମ କାରଣ । ଋଷିଙ୍କ ମାର୍ଗ ବିଚାରଣ ॥ ୧୫୯
ସ୍ଥୂଳ ଦୃଷ୍ଟିରେ ତୋତେ ଚିନ୍ତି । ସୂକ୍ଷ୍ମ ସ୍ୱରୂପ ନ ଜାଣନ୍ତି ॥ ୧୬୦
ଗୁରୁଙ୍କ ଉପଦେଶ ଶୁଣି । ଉଦରେ ବ୍ରହ୍ମ ପରିମାଣି ॥ ୧୬୧
କୁମ୍ଭକ କର୍ମେ ବାୟୁ ପୁରି । ନାଭିଚକ୍ରକୁ ଧ୍ୟାନ କରି ॥ ୧୬୨
ଉଦର ଚକ୍ରେ ଦୃଷ୍ଟିସ୍ଥିରେ । ଚିନ୍ତତି ପବନ ନିଶ୍ଚଳେ ॥ ୧୬୩
ଚକ୍ର ପବନେ ସୂକ୍ଷ୍ମ ରେଣୁ । ନୟନେ ଆଚ୍ଛାଦଇ ତେଣୁ ॥ ୧୬୪
ତାହାକୁ ଅନ୍ଧ ବୋଲି ଜାଣି । ସେ ତୋତେ କାହିଁ ପରିମାଣି ॥ ୧୬୫
ସେ ନାଭିଚକ୍ର ଉର୍ଦ୍ଧ୍ୱଗତେ । ଦଶ ଅଙ୍ଗୁଳି ପରିମିତେ ॥ ୧୬୬
ସହସ୍ର ସଂଖ୍ୟା ଦ୍ୱିସପ୍ତତି । ନାଡୀଏ ଅଧ ଉର୍ଦ୍ଧ୍ୱେଛନ୍ତି ॥ ୧୬୭
ଏହାଙ୍କ ଦେହେ ପ୍ରାଣ ବହେ । ଦେହ ଆବୋରି ବସ୍ତ୍ର ପ୍ରାୟେ ॥ ୧୬୮
ଏ ନାଡୀମାନଙ୍କର ମୂଳ । ନାମ ତା ହୃଦୟ କମଳ ॥ ୧୬୯
ଆରୁଣି ବଂଶେ ଯେତେ ମୁନି । ତାହାଙ୍କ ଗୁରୁ ଶିକ୍ଷା ଘେନି ॥ ୧୭୦
ସେ ତୋତେ ସୂକ୍ଷ୍ମରୂପେ ଚିନ୍ତି । ହୃଦୟେ ଧ୍ୟାନ ସେ କରନ୍ତି ॥ ୧୭୧
ଭୋ ନାଥ ସୂକ୍ଷ୍ମର ମହିମା । ଆମ୍ଭେ କରିବୁ ଗୁଣ ସୀମା ॥ ୧୭୨
ତୀକ୍ଷ୍ମ ଶସ୍ତ୍ରରେ ବାଳ ଅଗ୍ର । ଚିରି କରିବ ଦଶଭାଗ ॥ ୧୭୩
ତାହାକୁ ପୁଣି ସହସ୍ରକେ । ଚିରି ଗଣିବ ଏକେ ଏକେ ॥ ୧୭୪
ତହିଁର ଏକ ଭାଗ ସମ । ସୂକ୍ଷ୍ମ ବୋଲାଇ ତାର ନାମ ॥ ୧୭୫
ତହିଁ ଯାହାର ମନ ରହେ । ତା ତହୁଁ ଅଧିକ ବୋଲାଏ ॥ ୧୭୬
ଏ ଦୁଇ ଚକ୍ର ଭେଦ କଲେ । ସୁଷୁମ୍ନା ରନ୍ଧ୍ରେ ଯୋଗବଳେ ॥ ୧୭୭
ମୃଣାଳସୂତ୍ର ରନ୍ଧ୍ର ପଥେ । ମନ ପବନ ଉର୍ଦ୍ଧ୍ୱଗତେ ॥ ୧୭୮
ଶିର କମଳେ ଯେବେ ମିଶେ । ତୋ ରୂପ ତାହାକୁ ପ୍ରକାଶେ ॥ ୧୭୯
ଛାଡଇ ଭବ ଭୟ ଭ୍ରାନ୍ତି । ସେ ଯମ ମୁଖେ ନ ପଡନ୍ତି ॥ ୧୮୦
ସ୍ୱକୃତ ବିଚିତ୍ର ସଷ୍ଟମ । ବେଦେ ବୋଲନ୍ତି ଗୁଣଗ୍ରାମ ॥ ୧୮୧
ତୋର ସଞ୍ଚିଲା ନାନା ଯୋନି । ତୁ ତହିଁ ଜୀବରୂପ ଘେନି ॥ ୧୮୨
ବାସନା ବଳେ ଉଚ୍ଚ ନୀଚ୍ଚ । ଏଣୁଟି ତୋ ରୂପ ପ୍ରପଞ୍ଚ ॥ ୧୮୩
ଅଣୁ ପ୍ରମାଣେ ସୂକ୍ଷ୍ମ ସ୍ଥୂଳେ । ରୂପ ପ୍ରକାଶୁ ମାୟା ବଳେ ॥ ୧୮୪
କାଷ୍ଠ ପ୍ରମାଣେ ଅଗ୍ନି ଯେହ୍ନେ । ଜ୍ୟୋତି ପ୍ରକାଶେ ସ୍ଥୂଳେ ଶୂନ୍ୟେ ॥ ୧୮୫
ଏ ନାନା ଜ୍ୟୋତି ଯେତେବେଳେ । ବିନାଶ ହୋନ୍ତି କର୍ମ ବଳେ ॥ ୧୮୬
ତୁ ଏକା ରହୁ ଅବସାନେ । ଘଟ ବିନାଶେ ଚନ୍ଦ୍ର ଯେହ୍ନେ ॥ ୧୮୭
ଏମନ୍ତ କରି ଅନୁମାନ । ଯାର ପ୍ରକାଶେ ଦିବ୍ୟଜ୍ଞାନ ॥ ୧୮୮
ଚୈତନ୍ୟ ସତ୍ୟ ତାହାଙ୍କର । ସେ ତୋତେ କରନ୍ତି ବିଚାର ॥ ୧୮୯
ତୋର ବିହାର ଆତ୍ମ ସୁଖେ । ପ୍ରକାଶ ଇହ ପରଲୋକେ ॥ ୧୯୦
ମିଥ୍ୟା ପ୍ରକାଶ ଏହା ଜାଣି । ଆତ୍ମାସ୍ୱରୂପ ପରିମାଣି ॥ ୧୯୧
ଏ ସର୍ବ ଛାଡି ତୋ ଶରଣେ । ପଶନ୍ତି ଅଭୟ ଚରଣେ ॥ ୧୯୨
ତୋ ରୂପ ଏକରସେ ରସି । ପରମ କ୍ଷେମ ଧାମେ ମିଶି ॥ ୧୯୩
ସ୍ୱକୃତ ସ୍ତୁତି ସପତମେ । ବିଷ୍ଣୁଙ୍କୁ ବୋଲନ୍ତି ନିଗମେ ॥ ୧୯୪
ଅନନ୍ତ ପ୍ରଭୁ ହେ ଅଚ୍ୟୁତ । ତୋର ସଂଚିଲା ଏ ଜଗତ ॥ ୧୯୫
ମାୟାରେ ଭିଆଇ ବ୍ରହ୍ମାଣ୍ତ । ଅଶେଷ ରୂପେ କରୁ ପିଣ୍ତ ॥ ୧୯୬
ପୁଣି ଏ ପ୍ରପଞ୍ଚେ ପ୍ରକାଶ । ବାସନା ଅନ୍ତେ ହୋଇ ନାଶ ॥ ୧୯୭
କର୍ମ ନଥିଲେ ଜୀବ କାହୁଁ । ତୁହି ସେ ଅବଶେଷେ ରହୁ ॥ ୧୯୮
ପ୍ରାଣୀର ବାହ୍ୟ ଅନ୍ତେ ଥାଉ । ସ୍ୱଭାବେ ପଞ୍ଚକୋଷ ବହୁ ॥ ୧୯୯
ଘଟକୁ ଥୋଇ ଯେହ୍ନେ ନୀର । ପୁରଇ ଭିତର ବାହାର ॥ ୨୦୦
ଅଶେଷ ଦେହେ ନାରାୟଣ । ଏ ପିଣ୍ତ ତୋହର ଭିଆଣ ॥ ୨୦୧
ଏ ପିଣ୍ତ ବାହ୍ୟ ଅଭ୍ୟନ୍ତରେ । ତୋ ତହୁଁ କେ ଅଛି ଅପରେ ॥ ୨୦୨
ସ୍ୱକର୍ମେ ଯେତେ ଦେହ ଜାତ । ତୋ ଅଂଶ ତାର ମଧ୍ୟଗତ ॥ ୨୦୩
କର୍ମରେ ଯେ ଫଳ ଉପୁଜେ । ତୋ ଅଂଶ ଦେହ ମଧ୍ୟେ ଭୁଞ୍ଜେ ॥ ୨୦୪
ଜୀବର ଏହି ଗତି ଜାଣି । ତୋ ପାଦେ ଭଜନ୍ତି ଯେ ପ୍ରାଣୀ ॥ ୨୦୫
ଜୀବର ବଳ ଅଳ୍ପ ପ୍ରାୟେ । ସକଳ ଶକ୍ତି ତୋର ପ୍ରାୟେ ॥ ୨୦୬
ତେଣୁ ସକଳ ତ୍ୟାଗ କରି । ତୋ ପାଦ ଚିନ୍ତେ ବ୍ରହ୍ମଚାରୀ ॥ ୨୦୭
ବେଦରୁ ଯେତେ କର୍ମ ଫଳେ । ସେ ଥାନ୍ତି ତୋ ଚରଣ ତଳେ ॥ ୨୦୮
ଏଣୁ ତୋ ପାଦେ ଯାର ଆଶ । ନ ଲାଗେ ଭବ-ବନ୍ଧ-ପ୍ରାସ ॥ ୨୦୯
ବେଦଙ୍କ ସ୍ତୁତି ଯେ ଅଷ୍ଟମ । ବୋଲନ୍ତି ଯେ ଦୁରବଗମ ॥ ୨୧୦
କେହି ତା ତତ୍ତ୍ୱ ନ ଜାଣଇ । ତାହା ତୁ ଜଣାଇବା ପାଇଁ ॥ ୨୧୧
ନାନା ଯୋନିରେ ରୂପ ତୋର । ତୁ ଏକ ବାହାର ଭିତର ॥ ୨୧୨
ଅମୃତସିନ୍ଧୁ ତୋର ନାମ । ଅବଗାହନେ ନାଶେ ଶ୍ରମ ॥ ୨୧୩
ପରମଜ୍ଞାନୀ ତାହା ଜାଣି । ତୋ ନାମ ଜଳେ ପରମାଣି ॥ ୨୧୪
ନିରେତ ଅବଗାହ କରି । ଶ୍ରମ ଛାଡନ୍ତି ନାମ ଧରି ॥ ୨୧୫
ସଂସାର ମତେ ବେଦ ଧର୍ମ । ସାଧି ଲଭନ୍ତି ପ୍ରାଣୀ ଶ୍ରମ ॥ ୨୧୬
ତୋ ନାମ ସୁଧାଜଳେ ବୁଡି । ଜ୍ଞାନ ସାଧନା ଶ୍ରମ ଛାଡି ॥ ୨୧୭
ମୋକ୍ଷକୁ ନ କରି ସେ ଇଚ୍ଛା । ତୋ ନାମ ତତ୍ତ୍ୱେ କରି ଦୀକ୍ଷା ॥ ୨୧୮
ତୋ ନାମ ସ୍ୱର୍ଗ-ଅପବର୍ଗ । ତେଣୁ ଛାଡିଲେ ଜ୍ଞାନମାର୍ଗ ॥ ୨୧୯
ଭକ୍ତିରେ ତୋ ନାମ ଆବୋରି । ବେଗେ ତରିଲେ ଭବବାରି ॥ ୨୨୦
ତୋ ନାମ ସୁଧା ସିନ୍ଧୁଜଳେ । ହଂସର ପ୍ରାୟ ଜ୍ଞାନୀ ଭୋଳେ ॥ ୨୨୧
ବୁଡି ଉଠନ୍ତି ପୁଣ ପୁଣି । ତୋ ନାମ ଉଚ୍ଚସ୍ୱରେ ଭଣି ॥ ୨୨୨
ନିତ୍ୟେ ସୁମରି ତୋ ଚରଣ । ତାହାଙ୍କୁ ନ ଲାଗେ ମରଣ ॥ ୨୨୩
ସଂସାର ଛାଡି ସୁଖଭୋଳେ । ଯେ ତାଇ ତାଙ୍କ ସଙ୍ଗ ମେଳେ ॥ ୨୨୪
ତୋତେ ଜାଣନ୍ତି ସତସଙ୍ଗେ । ନ ଲାଗେ ଭବଦୁଃଖ ଅଙ୍ଗେ ॥ ୨୨୫
ତ୍ୱପନୁପଥ ଯେ ନବମ । କୃଷ୍ଣଙ୍କୁ ବୋଲନ୍ତି ନିଗମ ॥ ୨୨୬
ଶୁଣ ହେ କମଳାର ବର । ଯେତେ ଏ ଜନ୍ତୁଙ୍କ ଶରୀର ॥ ୨୨୭
ତୋହର ଅନୁପଥ ଏହି । ଯେଣୁ ଏହାଙ୍କ ପଥେ ତୁହି ॥ ୨୨୮
ଜୀବ ପରମ ରୂପ ଧରି । ତୋ ଭୋଗ କ୍ରୀଡା ଅନୁସରି ॥ ୨୨୯
ଏଣୁ ତୋ ଅନୁପଥ ଏହି । କୁଲାୟ ନାମ ଏ ବୋଲାଇ ॥ ୨୩୦
ତୁ ନୋହୁ ଲଗ୍ନ ଏ ଶରୀରେ । ନଳିନୀ ଥାଇ ଯେହ୍ନେ ନୀରେ ॥ ୨୩୧
ତୋର ମହିମା ଯେ ନ ଜାଣି । ଦେହକୁ ସତ୍ୟ ପ୍ରାୟ ମଣି ॥ ୨୩୨
ପ୍ରିୟ ସୁହୃଦ ବନ୍ଧୁ ପ୍ରାୟେ । ପ୍ରୀତି କରନ୍ତି ମୃତ ଦେହେ ॥ ୨୩୩
ତୋତେ ନ ଭଜେ ସୁଖଭୋଳେ । ବାଳକ ଯେହ୍ନେ ମାତା କୋଳେ ॥ ୨୩୪
ମାତାର ପ୍ରାୟ ହିତ ତୁହି । ଅଜ୍ଞାନ ତୋତେ ନ ଜାଣଇ ॥ ୨୩୫
ତୁ ଆତ୍ମାହିତ ପ୍ରିୟବନ୍ଧୁ । ନିର୍ବାଣଦାତା ସୁଖସିନ୍ଧୁ ॥ ୨୩୬
ଏ ବୀପରୀତ କିବା କହି । ଦେହ ଘେନିଣ ଭ୍ରମେ ମହୀ ॥ ୨୩୭
ଦେହକୁ ମଣିଥାଇ ସତ୍ୟ । ଅନିତ୍ୟ ଜଳବିମ୍ବ ବତ ॥ ୨୩୮
ଏଣେ ଯାହାର ପ୍ରୀତି ହୋଇ । ଅସାଧୁଜନ ମଧ୍ୟେ ସେହି ॥ ୨୩୯
ଉତ୍ତମ ନାବ ଥାଉଁ କୂଳେ । ସେ ଯେ ନ ତରେ ଭବଜଳେ ॥ ୨୪୦
କୁଦେହ ଘେନି ଭବେ ଭ୍ରମି । ଜନ୍ମ ମରଣ ପଥେ ଶ୍ରମି ॥ ୨୪୧
ତାହାକୁ ବୋଲି ଆତ୍ମାହତ । ନିଷ୍ଫଳ ତାହାଙ୍କ ଜୀବନ ॥ ୨୪୨
ନିଭୃତ ମରୁତ୍ ଦଶ ସ୍ତୁତି । ନିଗମେ ନିର୍ଭରେ ବୋଲନ୍ତି ॥ ୨୪୩
ଅଷ୍ଟାଙ୍ଗଯୋଗେ ମୁନିଜନେ । ବସି ନିର୍ଜନ ଘୋର ବନେ ॥ ୨୪୪
ଇନ୍ଦ୍ରିୟଗଣ କରି ବନ୍ଦୀ । ମନ ପବନ ହୃଦେ ଛନ୍ଦି ॥ ୨୪୫
ଯାହା ଲଭିବା ଅର୍ଥେ ଚିତ୍ତେ । ଚିନ୍ତା କରନ୍ତି ଅବିରତେ ॥ ୨୪୬
ଯେ ତୋତେ ଶତ୍ରୁପଣେ ଚିନ୍ତି । ସେ ପୁଣି ତୋ ଦେହେ ପଶନ୍ତି ॥ ୨୪୭
ଭୋ ନାଥ ତୋର ଯେତେ ଗଣ । ଆଉ କହିବୁଁ କିଛି ଶୁଣ ॥ ୨୪୮
ଗୋପନଗରେ ନାରୀଜନେ । କୁବୁଜୀ ଆଦି ମଧୁବନେ ॥ ୨୪୯
ସେ ତୋରେ ପରିଗ୍ରହ ହୋଇ । ଚୁମ୍ବନ ଆଲିଙ୍ଗନ ଦେଇ ॥ ୨୫୦
ଭୋ ନାଥ ତୋର ବେନିକର । ଉରଗଇନ୍ଦ୍ର ପଟାନ୍ତର ॥ ୨୫୧
ସେ ଭୁଜେ ଆଲିଙ୍ଗନ ପାଇ । ମନ ବଚନ ତୋତେ ଦେଇ ॥ ୨୫୨
କାମିନୀ ରୂପେ ଭାବବୋଳେ । ସେ ତୋତେ ଭଜିଲେ ନିଶ୍ଚଳେ ॥ ୨୫୩
ଆମ୍ଭେ ସକଳ ବେଦବୃନ୍ଦେ । ଭାବେ ପଶିବୁଁ ସେହି ପାଦେ ॥ ୨୫୪
ଯେଣୁ ତୋ ରିପୁ ମିତ୍ର ନାହିଁ । ସମଦରଶୀ ତେଣୁ ତୁହି ॥ ୨୫୫
ପ୍ରପଞ୍ଚେ ଉଚ୍ଚ ନୀଚ ଯୋନି । ତୁ ବହୁ ଲୀଳାଭାବ ଘେନି ॥ ୨୫୬
ଏ ଯେ ତୋହର ପଦ୍ମପାଦ । ସ୍ରବଇ ସୁଧାମକରନ୍ଦ ॥ ୨୫୭
ସେ ପାଦେ ଆମ୍ଭ ବୁଦ୍ଧି ମତି । ପ୍ରେମ ଭକ୍ତିରେ ଭଜୁ ନିଜି ॥ ୨୫୮
କ ଇହ ଏକାଦଶ ବାଣୀ । ବେଦେ ବୋଲନ୍ତି ପରିମାଣି ॥ ୨୫୯
ତୁ ନାଥ କରୁଣାଜଳଧି । ସର୍ବବିଷୟ ପୂର୍ବସିଦ୍ଧି ॥ ୨୬୦
ତୋ ତହୁଁ ସୃଷ୍ଟି ଆଦିକାଳେ । ପ୍ରାଣୀ ଉପୁଜେ ମାୟାବଳେ ॥ ୨୬୧
ଉପୁଜି ପ୍ରଳୟ ହୁଅନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୨୬୨
ତୋହର ନାହିଁ ମୋହ ଦ୍ୱନ୍ଦ । ଏଣୁ ବୋଲାଉ ଆଦିକନ୍ଦ ॥ ୨୬୩
ବିଧାତା ଜାତ ତୋର ତହୁଁ । ନିଗମ ଜାତ ଯାର ଦେହୁଁ ॥ ୨୬୪
ତୋ ତହୁଁ ଦେବାସୁର ଜାତ । ତାପତ୍ରୟାଦି ଏ ଜଗତ ॥ ୨୬୫
ବ୍ରହ୍ମା ସୃଷ୍ଟିରେ ଜାତ ଯେତେ । ଏ ଘେନି କେ ଜାଣିବ ତୋତେ ॥ ୨୬୬
ତୋହର ଆଶ୍ରେ ଏ ଜଗତ । ସୃଷ୍ଟି ପ୍ରଳୟ ତୋର ମତ ॥ ୨୬୭
ସୃଷ୍ଟି ସଂହାରି ଯୋଗବଳେ । ଶୟନ କରୁ ମହାଜଳେ ॥ ୨୬୮
ସେ କାଳେ ପ୍ରାଣୀ ଯେବେ ଥାନ୍ତେ । ତୋ ରୂପ ନୟନେ ଦେଖନ୍ତେ ॥ ୨୬୯
ଅବନୀ ଆଦି ପଞ୍ଚଭୂତ । ମହତ ଆଦି ତିନିତତ୍ତ୍ୱ ॥ ୨୭୦
ଅସତ୍ୟ ସତ୍ୟ ଏ ବୋଲାନ୍ତି । ଏ କାହୁଁ ତୋ ରୂପ ଜାଣନ୍ତି ॥ ୨୭୧
ତୋର ମହିମା ଜ୍ଞାନିଜନେ । ଦୁର୍ଲ୍ଲଭ ଗଗନ ଯେସନେ ॥ ୨୭୨
ବ୍ରହ୍ମବିଚାରି ଶାସ୍ତ୍ରଭାବେ । ବେଦ ବିଚାରି ତୋର ଲାଭେ ॥ ୨୭୩
ସକଳେ ଯାନ୍ତି ଉପହାସେ । ଭକତ ରହେ ତୋର ପାଶେ ॥ ୨୭୪
ଜନି ଅସତ ଏ ଦ୍ୱାଦଶ । ବେଦେ ବୋଲନ୍ତି ହରିଯଶ ॥ ୨୭୫
ବଇଶେଷିକ ଶାସ୍ତ୍ରପଥ । ତୋତେ ବିଚାରେ ନାମମାତ୍ର ॥ ୨୭୬
ବିନାଶ ଏକବିଂଶ ଦୁଃଖ । ମୋକ୍ଷ ବୋଲନ୍ତି ନୈୟାୟିକ ॥ ୨୭୭
ସତ ଅସତ ମାର୍ଗେ ଚିନ୍ତି । ମିଥ୍ୟା ଏ ଜଗତ ବୋଲନ୍ତି ॥ ୨୭୮
ବ୍ରହ୍ମ ଯେ ବିଦ୍ୟମାନ ସତ୍ୟ । ବିଚାରେ ପାତଞ୍ଜଳି ମତ ॥ ୨୭୯
ସାଂଖ୍ୟଯୋଗୀଙ୍କ ବିଚାରଣା । ଜଗତ ଆତ୍ମକଳପଣା ॥ ୨୮୦
କର୍ମ ବେଭାର ମୀମାଂସକେ । ଜଗତ ସତ୍ୟ ତାଙ୍କ ଲେଖେ ॥ ୨୮୧
ଏ ଭ୍ରାନ୍ତି ଶାସ୍ତ୍ରମାର୍ଗେ ଭ୍ରମି । ବିବାଦେ ହୋନ୍ତି ପରିଶ୍ରମୀ ॥ ୨୮୨
ଭ୍ରମେ ଭ୍ରମନ୍ତି ବହୁଶ୍ରମେ । କାହୁଁ ଜାଣିବେ ନିଜ ଭ୍ରମେ ॥ ୨୮୩
ଯେଣୁ ଏ ଜୀବ ଗୁଣମୟେ । ଏଣୁ ବିଚାର ଭେଦ ରହେ ॥ ୨୮୪
ଅଜ୍ଞାନେ ତୋ ଭେଦ ବିଚାରି । ତୁ ସଙ୍ଗୀ ନୋହୁନା କାହାରି ॥ ୨୮୫
ସଦିବମନ ତ୍ରୟୋଦଶେ । ଶ୍ରୁତି ବୋଲନ୍ତି ହୃଷୀକେଶେ ॥ ୨୮୬
ପ୍ରପଞ୍ଜ ତ୍ରିଗୁଣେ ଜଗତ । ଜାଣିଲେ ନିଶ୍ଚେ ନୋହେ ସତ୍ୟ ॥ ୨୮୭
ମନ ବିଳାସ ମାତ୍ର ଏହି । ଅସତ୍ୟ ସତ୍ୟ ଆଭାସଇ ॥ ୨୮୮
ତୁ ଏଥ ଅଧିପତି ଯେଣୁ । ଆଭାସେ ସତ୍ୟ ପ୍ରାୟ ତେଣୁ ॥ ୨୮୯
ଅସତ୍ୟ ସତ୍ୟ ପ୍ରାୟ ଦିଶି । ଛାୟା ଦର୍ପଣେ ଯେହ୍ନେ ଶଶୀ ॥ ୨୯୦
ଜୀବର ଜନ୍ମ ତୋର ତହିଁ । ବ୍ୟାପିଛୁ ଜଗତକୁ ମୋହି ॥ ୨୯୧
କାରଣ କାର୍ଯ୍ୟ ନୋହେ ଭିନ୍ନ । ଶୁଣ କହିବା ଅନୁମାନ ॥ ୨୯୨
ସୁବର୍ଣ୍ଣେ କାର୍ଯ୍ୟ ଯାର ପଡେ । କୁଣ୍ତଳ ଆଦି କମ ଗଢେ ॥ ୨୯୩
ପୁଣି ଅନଳେ ପାକ କଲେ । ସୁବର୍ଣ୍ଣ ହୋଇ ଏକଠୁଳେ ॥ ୨୯୪
ନାମ ବିକାର ନାଶ ଯାନ୍ତି । ଏଣୁ ଜଗତେ ଭେଦ ଭ୍ରାନ୍ତି ॥ ୨୯୫
ଏ ଘେନି ଶାସ୍ତ୍ର ଅନୁମାନ । ତୋ ତହୁଁ ସୃଷ୍ଟି ନୋହେ ଭିନ୍ନ ॥ ୨୯୬
ଚତୁରଦଶେ ତବପରି । ବେଦେ ବୋଲନ୍ତି ଶୁଣ ହରି ॥ ୨୯୭
ଯେଣୁ ତୋ ସର୍ବଭୂତେ ବାସ । ଏ ଘେନି ପ୍ରାଣୀ ତୋ ବିଶ୍ୱାସ ॥ ୨୯୮
ଏହା ଯେ ଜାଣି ତୋତେ ଭାବେ । ସେ ନ ପଡନ୍ତି ପରାଭବେ ॥ ୨୯୯
ଚରଣ ମୃତ୍ୟୁଶିରେ ଦ୍ୟନ୍ତି । ପରମପଦେ ସେ ପଶନ୍ତି ॥ ୩୦୦
ତୋ ଭାବ ନ ଜାଣନ୍ତି ଯେହୁ । ତରିବେ ଭବସିନ୍ଧୁ କାହୁଁ ॥ ୩୦୧
ପଣ୍ତିତପଣେ ଶାସ୍ତ୍ରବାଦେ । ଭାବ ନକରି ତୋର ପାଦେ ॥ ୩୦୨
ସ୍ୱକର୍ମପାଶେ ପାଦ ଛନ୍ଦି । ବେଦବଚନେ ହୋନ୍ତି ବନ୍ଦୀ ॥ ୩୦୩
ପଶୁପାଳଙ୍କ ଘରେ ଯେହ୍ନେ । ବନ୍ଧନେ ଥାନ୍ତି ପଶୁମାନେ ॥ ୩୦୪
ତେସନ ଏ ଭବବନ୍ଧନେ । ଜୀବ-ବନ୍ଦୀ ବେଦବଚନେ ॥ ୩୦୫
ଏଣୁ ସଂସାରେ ଯେତେ ଜନ୍ତୁ । ତୋ ବାକ୍ୟବନ୍ଧ କରି ହେତୁ ॥ ୩୦୬
ଏ ଘେନି ତୋ ପାଦକମଳେ । ଯେ ଭାବ କରେ ପ୍ରୀତି ଭୋଳେ ॥ ୩୦୭
ସଂସାର ତାରି ସେ ତରନ୍ତି । ମରଣେ ନାହିଁ ତାଙ୍କ ଭ୍ରାନ୍ତି ॥ ୩୦୮
ତୋତେ ନ ଜାଣି ଧର୍ମ ଚିନ୍ତି । ଯଜ୍ଞ ଦାନ ତୀର୍ଥେ ଭଜନ୍ତି ॥ ୩୦୯
ଆତ୍ମାକୁ ନିସ୍ତାରି ନପାରେ । ତା ବୋଲେ ସଂସାର କି ତରେ ॥ ୩୧୦
ତୋର ବିମୁଖ ଶାସ୍ତ୍ରେ ଭ୍ରମି । ଜନ୍ମମରଣେ ପଥଶ୍ରମୀ ॥ ୩୧୧
ତ୍ୱମକରଣ ପଞ୍ଚଦଶେ । ବେଦେ ବୋଲନ୍ତି ଉପଦେଶେ ॥ ୩୧୨
ଭୋ ନାଥ ତୋହର ଜଗତେ । କର୍ମ କରନ୍ତି ପ୍ରାଣୀ ଯେତେ ॥ ୩୧୩
ତୁ ତାହା ନ କରୁ ଗ୍ରହଣ । ଏଣୁ ତୋ ନାମ ଅକାରଣ ॥ ୩୧୪
କର୍ମକରଣ ତୋର ନାହିଁ । ସ୍ୱଭାବେ ନିରଞ୍ଜନ ତୁହି ॥ ୩୧୫
ତଥାପି ସର୍ବ ଜନ୍ତୁ ଦେହେ । ତୋ ଅଂଶ ଅଛି ଜୀବ ପ୍ରାୟେ ॥ ୩୧୬
ପ୍ରାଣୀର ରସନା ଲୋଚନ । ଶ୍ରବଣ ନାସା ଚର୍ମ ଘେନ ॥ ୩୧୭
ଜ୍ଞାନଇନ୍ଦ୍ରିୟ ଏ ବୋଲାନ୍ତି । ମନର ସଙ୍ଗେ ବିହରନ୍ତି ॥ ୩୧୮
ପାଦ ବଚନ ଭୁଜ ଲିଙ୍ଗ । ମୂଳକମଳ ଦ୍ୱାର ସଙ୍ଗ ॥ ୩୧୯
କର୍ମଇନ୍ଦ୍ରିୟ ଏ ବୋଲାନ୍ତି । କର୍ମକରଣେ ଥାନ୍ତି ନିତି ॥ ୩୨୦
ଅଗ୍ନି ବାସବ ଲକ୍ଷ୍ମୀକାନ୍ତ । ମିତ୍ରାବରୁଣ ପ୍ରଜାନାଥ ॥ ୩୨୧
ଏ ପଞ୍ଚଦେବ ବସି ରଥେ । ତୋତେ ସେବନ୍ତି ଅବିରତେ ॥ ୩୨୨
ତୁ ନାଥ ଭୂତଆତ୍ମାଦେହୀ । ଏହାଙ୍କ ଶକ୍ତି ବହୁ ତୁହି ॥ ୩୨୩
ବାସବ ଆଦି ବେଦଧାମ । ବହନ୍ତି ଅନିମିଷ ନାମ ॥ ୩୨୪
ବିଧାତା ଆଦି ସର୍ବଦେବା । ତୋର ଚରଣେ ତାଙ୍କ ସେବା ॥ ୩୨୫
ମାନବେ ତାହାଙ୍କୁ ସେବନ୍ତି । ତାହାଙ୍କ ବଳି ସେ ଭୁଞ୍ଜନ୍ତି ॥ ୩୨୬
ଅଜର ଅମର ନିର୍ଭୟେ । ତଥାପି ତୋର ପଦ୍ମପାୟେ ॥ ୩୨୭
ପୂଜନ୍ତି ଅତି ଭୟମନେ । ଖଣ୍ତମଣ୍ତଳପତି ଯେହ୍ନେ ॥ ୩୨୮
ପ୍ରଜାଙ୍କ ତହୁଁ କର ଦ୍ୟନ୍ତି । ରାଜାଙ୍କ ଚରଣେ ସେବନ୍ତି ॥ ୩୨୯
ଅଧିକ ଧକ ମାନ ଦ୍ୟନ୍ତି । ନିରତେ ଚରଣେ ଖଟନ୍ତି ॥ ୩୩୦
ଏମନ୍ତେ ଦେବେ ତୋର ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୩୩୧
ଷୋଡଶ ସ୍ତୁତି ସ୍ଥିରଚର । ଶୁଣ ହେ ବ୍ରହ୍ମାଣ୍ତଠାକୁର ॥ ୩୩୨
ତୋହର କ୍ରୀଡା ନାନାରଙ୍ଗେ । ଇଚ୍ଛାରେ ମାୟା ଘେନି ସଙ୍ଗେ ॥ ୩୩୩
ଦର୍ପଣ ଘେନି ଯେହ୍ନେ ହସ୍ତ । ଚାହିଁଲେ ଛାୟା ହୋଏ ଜାତ ॥ ୩୩୪
ସ୍ତାବର ଆଦି ଏ ଜଗତେ । ତୋ ତହିଁ ଜୀବ ସେହିମତେ ॥ ୩୩୫
ତୁ ପୁଣି ତାଙ୍କ ମଧ୍ୟେ ଥାଉ । କର୍ମକରଣେ ଶିକ୍ଷା ଦେଉ ॥ ୩୩୬
ସେ କର୍ମଫଳେ ନୋହୁ ସଙ୍ଗ । ଦର୍ପଣେ ଯେହ୍ନେ ଛାୟା ଅଙ୍ଗ ॥ ୩୩୭
ଦେହ ବେଭାର କରୁଥାଇ । ସେ ଯେହ୍ନେ ତାକୁ ନ ଲାଗଇ ॥ ୩୩୮
ମାୟାକୁ ଥାଉ ଅତି ଦୂରେ । ଆଦିତ୍ୟ ଯେସନେ ଅମ୍ବରେ ॥ ୩୩୯
ମାୟା ବିସ୍ତାରି ମାୟାକାରୀ । ଯେହ୍ନେ ସଂସାର ମନ ହରି ॥ ୩୪୦
ମୋହନ କରେ ସଂସାରକୁ । ସେ ଯେହ୍ନେ ନ ଲାଗେ ତାହାକୁ ॥ ୩୪୧
ଏମନ୍ତ ତୋହର ମହିମା । କେ ଜାଣି ପାରେ ଗୁଣ ସୀମା ॥ ୩୪୨
ଜଗତେ ହେଉ ସାକ୍ଷୀରୂପ । ମନ୍ଦିରେ ଯେସନେ ପ୍ରଦୀପ ॥ ୩୪୩
ଏ ସର୍ବଜୀବ କ୍ରୀଡା ଅନ୍ତେ । ପଶନ୍ତି ତୋର ଗର୍ଭବତେ ॥ ୩୪୪
ପୁଣି ଯେମନ୍ତେ ଜାତ ହୋନ୍ତି । ଶୁଣ କହିବା ତାଙ୍କ ଗତି ॥ ୩୪୫
ଦେହକୁ ପାଇ ମାୟା ଗ୍ରସ୍ତେ । କର୍ମ କରନ୍ତି ଅବିରତେ ॥ ୩୪୬
ତେଣୁ ସେ ଜନ୍ମ ମୃତ ହୋନ୍ତି । ବାସନାରଜ୍ଜୁ ବନ୍ଧେ ଥାନ୍ତି ॥ ୩୪୭
କର୍ମ ତାହାଙ୍କୁ ସୃଷ୍ଟିକାଳେ । ଧରଇ ନିଜ ଭୁଜବଳେ ॥ ୩୪୮
ଅଶେଷ ଯୋନି ମଧ୍ୟେ ଭରି । ବିହରେ ନାନାରୂପ ଧରି ॥ ୩୪୯
ଦେହକୁ ଧରି କର୍ମବଳେ । ଭୁଞ୍ଜନ୍ତି ଦୁଃଖସୁଖ ଫଳେ ॥ ୩୫୦
ତୋ ଦେହେ ପ୍ରାଣୀ ଏ ଜଗତେ । ମିଳନ୍ତି କର୍ମର ଆୟତ୍ତେ ॥ ୩୫୧
ତୋହର ରିପୁ ମିତ୍ର ନାହିଁ । ଏ ଘେନି କର୍ମ ନ ଲାଗଇ ॥ ୩୫୨
କର୍ମେ ପ୍ରପଞ୍ଚ ଏ ଜଗତ । ଏହାର ଫଳ ବୀପରିତ ॥ ୩୫୩
ଦୁଃଖୀ ଦରିଦ୍ର ବ୍ୟାଧିବନ୍ତ । ଥୋକାଏ ସୁଖୀ ଧନବନ୍ତ ॥ ୩୫୪
ଏ ଦୁଃଖସୁଖ ତୋର ନାହିଁ । କର୍ମକରତା ସେ ଭୁଞ୍ଜଇ ॥ ୩୫୫
ଗଗନେ ଯେତେ ଦିଗ ପୂରୀ । ଶୂନ୍ୟ ରୂପେ ସର୍ବ ଆବୋରି ॥ ୩୫୬
ଏଣୁ ନ ଜାଣେ ତୋତେ ପ୍ରାଣୀ । ମନ ବଚନେ ପରିମାଣି ॥ ୩୫୭
ଅପରିମିତ ସପ୍ତଦଶ । ବେଦେ କହନ୍ତି ଜ୍ଞାନରସ ॥ ୩୫୮
ନାନା ଯୋନିରେ ଜୀବ ଯେତେ । ଅନନ୍ତ ହୋନ୍ତି ଅପ୍ରମିତେ ॥ ୩୫୯
କର୍ମ ସରିଲେ ପୁଣ ଯାନ୍ତି । ଏଣୁ ଏ ଅଧ୍ରୁବ ବୋଲାନ୍ତି ॥ ୩୬୦
ତୋ ତହୁଁ ଯେବେ ଏ ନୁହଁନ୍ତି । ଇଚ୍ଛାରେ ସର୍ବ ଆବୋରନ୍ତି ॥ ୩୬୧
ଏହାଙ୍କ ଦଣ୍ତକ ତୁ ଯେବେ । ତୋ ତହୁଁ ଦଣ୍ତ କେ ପାଇବେ ॥ ୩୬୨
ଏମନ୍ତେ ନ ଘଟେ ବିଚାର । ସକଳ ଜୀବ ତୋ ଶରୀର ॥ ୩୬୩
ତୁ ଥାଉ ଏହାଙ୍କ ଜୀବନେ । ଅନଳ କାଷ୍ଠ ସଙ୍ଗେ ଯେହ୍ନେ ॥ ୩୬୪
ତୋତେ ଜାଣଇ ଯେବା କହେ । ଅଜ୍ଞାନୀ ମିଥ୍ୟାଭାବ ବହେ ॥ ୩୬୫
ଉପାଧି ଲିଙ୍ଗ ଏ ଶରୀର । ଜନ୍ମ ମରଣ ହୋଏ ତୋର ॥ ୩୬୬
ତା ମଲେ ନ ମରେ ଜୀବନ । ଘଟ ବିଯୋଗେ ଯେହ୍ନେ ଶୂନ୍ୟ ॥ ୩୬୭
ତେଣୁ ତୋ ଅଂଶ ଏହି ଜୀବ । ସେ କାହିଁ ତୋତେ ବା ଜାଣିବ ॥ ୩୬୮
ଅଷ୍ଟାଦଶରେ ନ ଘଟତ । ବେଦେ ବୋଲନ୍ତି ଜ୍ଞାନତତ୍ତ୍ୱ ॥ ୩୬୯
ପ୍ରକୃତି ପୁରୁଷ ଏ ବେନି । ଜଗତ ପିଅର ଜନନୀ ॥ ୩୭୦
ସ୍ୱଭାବେ ଅଜ ନାମ ବହି । ଯେଣୁ ଏହାଙ୍କ ଜନ୍ମ ନାହିଁ ॥ ୩୭୧
କେବେ ହେଁ ନୁହନ୍ତି ଏ ଭିନ୍ନ । ଏଣୁ ନ ଘଟେ ଅନୁମାନ ॥ ୩୭୨
ଏହାଙ୍କ ତହୁଁ ଜାତ ଜୀବ । ଜଳୁ ଯେସନେ ଜଳବିମ୍ବ ॥ ୩୭୩
ନିଶ୍ଚଳ ଜଳବାୟୁ ଯୋଗେ । ଯେମନ୍ତେ ଉଚ୍ଛୁଳେ ତରଙ୍ଗେ ॥ ୩୭୪
ବେନି ତରଙ୍ଗ ଅଙ୍ଗଘାତେ । ବିମ୍ବ ଉପୁଜନ୍ତି ଯେମନ୍ତେ ॥ ୩୭୫
ଜଳେ ପବନେ ସେ ନଥାନ୍ତି । ବେନି ସଂଯୋଗେ ଜାତ ହୋନ୍ତି ॥ ୩୭୬
ବିବିଧ ନାମ ରୂପ ବହି । କ୍ରୀଡନ୍ତି ଜଳମଧ୍ୟେ ଥାଇ ॥ ୩୭୭
କର୍ମର ଅନ୍ତେ ତୋ ଶରୀରେ । ପଶନ୍ତି ଯେମନ୍ତ ବେଭାରେ ॥ ୩୭୮
ସକଳ ନଦୀଜଳ ବେଗେ । ଯେମନ୍ତେ ପଶନ୍ତି ଅର୍ଣ୍ଣବେ ॥ ୩୭୯
ମଧୁକରଙ୍କ ଗୃହବାସେ । ଯେହ୍ନେ ପଶନ୍ତି ପୁଷ୍ପରସେ ॥ ୩୮୦
ଊନବିଂଶତି ନୃଷୁତବ । ବେଦେ କହନ୍ତି ବିଷ୍ଣୁଭାବ ॥ ୩୮୧
ତୋ ମାୟା ଭ୍ରମ ଜୀବ ଦେହେ । ତେଣୁ ଅଜ୍ଞାନେ ଥାନ୍ତି ମୋହେ ॥ ୩୮୨
ଏଣୁ ପଣ୍ତିତେ ଏହା ଜାଣି । ତୋ ଭାବ ମନେ ପରିମାଣି ॥ ୩୮୩
ତୋ ପାଦପଦ୍ମ ମଧୁ ଲୋଭେ । ପଶିଲେ ଉନମତ୍ତ ଭାବେ ॥ ୩୮୪
ତାହାଙ୍କୁ ନାହିଁ କାଳଡର । ତୋ ପଦ୍ମପାଦେ ଆଶା ଯାର ॥ ୩୮୬
ତ୍ରିନେମିକାଳ ତୋ ଭ୍ରୁଭଙ୍ଗ । ରୂପ ଅରୂର ଯାର ଅଙ୍ଗ ॥ ୩୮୭
ହିମ ଶୀତଳ ଘର୍ମ ବୃଷ୍ଟି । ଏ ଆଦି ଯେତେ ନାନା ରିଷ୍ଟି ॥ ୩୮୮
ତାହାକୁ ନ ଲାଗନ୍ତି କେହି । ତୋ ନାମ ଯାର ହୃଦେ ଥାଇ ॥ ୩୮୯
ବିଜିତ ହୃଷୀକ ବିଂଶତି । ବେଦେ ବୋଲନ୍ତି ଦିବ୍ୟ ସ୍ତୁତି ॥ ୩୯୦
ମୁନିଏ ଯୋଗ ଧ୍ୟାନ ସାଧି । ମନ ପବନ ହୃଦେ ରୁନ୍ଧି ॥ ୩୯୧
ଯେତେ ସେ କରନ୍ତି ଉପାୟେ । ମନତରଙ୍ଗ ସ୍ଥିର ନୋହେ ॥ ୩୯୨
ସ୍ୱଭାବେ ଅଦମ୍ୟ ସେ ଯେଣୁ । ରୁନ୍ଧି ନ ପାରେ ପ୍ରାଣୀ ତେଣୁ ॥ ୩୯୩
ନାନା ପ୍ରକାରେ ଖେଦ ପାଇ । ମନ ନ ପାରନ୍ତି ରୁହାଇ ॥ ୩୯୪
ଗୁରୁପାଦେ ଆଶ୍ରେ ନକରି । ସାଧନା ଶ୍ରମେ ଯାନ୍ତି ମରି ॥ ୩୯୫
ବୋଇତେ ବସି ବଣିଜାରେ । ଯେସନେ ଭାସନ୍ତି ସାଗରେ ॥ ୩୯୬
ନାନାପ୍ରକାରେ ବାହୁଥାନ୍ତି । କେବେହେଁ କୂଳେ ନ ଲାଗନ୍ତି ॥ ୩୯୭
ଯାବତ ନାହିଁ କର୍ଣ୍ଣଧାର । କାହିଁ ଲଭିବେ ସିନ୍ଧୁପାର ॥ ୩୯୮
ପବନ ରୁନ୍ଧି ଇନ୍ଦ୍ରି ଜିଣି । ଗୁରୁ ଉପଦେଶ ନ ମଣି ॥ ୩୯୯
ଚଞ୍ଚଳ ମନ କାହୁଁ ସ୍ଥିର । ଯାବତ ସଂଶୟ ଶରୀର ॥ ୪୦୦
ନିଶ୍ଚଳ ନିର୍ମଳ ତୋ ପାଦେ । ତୋ ରୂପ ଗୁଣ ଅନୁବାଦେ ॥ ୪୦୧
ନିତ୍ୟେ ଯେ ଚିନ୍ତେ ଧ୍ୟାନବଳେ । ତା ମନ ରହଇ ନିଶ୍ଚଳେ ॥ ୪୦୨
ସ୍ୱଜନସୁତ ଏକବିଂଶେ । ବେଦେ ବୋଲନ୍ତି ବିଷ୍ଣୁପାଶେ ॥ ୪୦୩
ସ୍ୱଜନ ସୁତ ଦାରା ଧର । ଗୃହ ମେଦିନୀ ସୁଖାସନ ॥ ୪୦୪
ତୋ ପାଦ ହୃଦେ ଯାର ଥାଇ । ଏଣେ ପ୍ରୟୋଜନ ନାହିଁ ॥ ୪୦୫
ତୋତେ ଯେ ନ ଭଜନ୍ତି ଚିତ୍ତେ । ତାହାଙ୍କ ମନ ଅବିରତେ ॥ ୪୦୬
ଲୋଭ ଲାଳସେ ମୋହେ ଜଡି । ବିପଦପଦେ ଥାନ୍ତି ପଡି ॥ ୪୦୭
ସକଳ ଦୁଃଖ ଯହିଁ ଥାନ୍ତି । ଅମୃତ ପ୍ରାୟ ତା ମଣନ୍ତି ॥ ୪୦୮
ସକଳ ସୁଖ ତୋର ପାଦେ । ତହିଁ ଯେ ବିଶ୍ରମେ ଆନନ୍ଦେ ॥ ୪୦୯
ଏ ମାୟା ତାକୁ ତୁଚ୍ଛ ହୋଏ । ପର୍ବତଶିଖ ଭୂମି ପ୍ରାୟେ ॥ ୪୧୦
ତୋ ପାଦ ଆଶ୍ରେ ଯେ ନ କରି । ମୈଥୁନ ସୁଖ ମନେ ଧରି ॥ ୪୧୧
ତେଣୁ ଏ ସଂସାର ସାଗରେ । ବୁଡନ୍ତି ଦୁଃଖ ମହାଘୋରେ ॥ ୪୧୨
କ୍ଷଣେ ହେଁ ନ ପାରନ୍ତି ତରି । ତୋ ବିଶ୍ୱମାୟାକୁ ଆବୋରି ॥ ୪୧୩
ସଂସାର ଅସାର ପ୍ରତ୍ୟକ୍ଷେ । ସାର ଯେସନେ ରମ୍ଭାବୃକ୍ଷେ ॥ ୪୧୪
ତୋ ନାମ ସଂସାରରେ ସାର । ନ ଭଜି କେ ହୋଇବ ପାର ॥ ୪୧୫
ଭୁବିପୁରୁପୁଣ୍ୟ ଦ୍ୱାବିଂଶେ । ବେଦେ କହନ୍ତି ମହାତୋଷେ ॥ ୪୧୬
ଭୂମିରେ ଯେତେ ତୀର୍ଥ ଅଛନ୍ତି । ମୁନିଏଁ ତହିଁ ବିଶ୍ରାମନ୍ତି ॥ ୪୧୭
ମଦ ମତ୍ସର ଅହଙ୍କାର । ହୃଦୟେ ନାହିଁ ତାହାଙ୍କର ॥ ୪୧୮
ତୋ ପାଦ ହୃଦୟେ ବହନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୪୧୯
ତାଙ୍କ ଚରଣ -ନୀର ସଙ୍ଗେ । ପାପ ନ ରହେ ପ୍ରାଣୀ ଅଙ୍ଗେ ॥ ୪୨୦
ସୁପୁଣ୍ୟତୀର୍ଥ ସାଧୁ ସଙ୍ଗେ । ନିତ୍ୟେ ଭ୍ରମନ୍ତି ଅନୁରାଗେ ॥ ୪୨୧
ଏଣୁ ତୋ ପାଦ ଆଶ୍ରେ କରି । ଯେ ପ୍ରାଣୀ ଚିତ୍ତ ସ୍ଥିର କରି ॥ ୪୨୨
ପରମଆତ୍ମା ସୁଖସୀମା । ଶୁଣିମା ତାହାଙ୍କ ମହିମା ॥ ୪୨୩
ବିବେକ ଶାନ୍ତି କ୍ଷମା ଧୀର । ଏ ଚାରି ପୁରୁଷଙ୍କ ସାର ॥ ୪୨୪
ଏହା ହରଇ ଗୃହଦ୍ୱନ୍ଦ୍ୱ । ଅଜ୍ଞାନୀଜନଙ୍କ ଆନନ୍ଦ ॥ ୪୨୫
ଯେ ତୋତେ ଚିନ୍ତେ ଅବିରତେ । ଗୃହ ନ ଲାଗେ ତାର ଚିତ୍ତେ ॥ ୪୨୬
ତାଙ୍କ ମହିମା ଏ ବ୍ରହ୍ମାଣ୍ତେ । କେ କହିପାରେ ଏକ ତୁଣ୍ତେ ॥ ୪୨୭
ତ୍ରୟବିଂଶତି ସତ ଇଦଂ । ଯାହା କହିଲେ ତିନି ବେଦ ॥ ୪୨୮
ଭୋ ଦେବ ପରମପୁରୁଷ । ସଂସାର ତୋ ତହୁଁ ପ୍ରକାଶ ॥ ୪୨୯
ଏ ସତ୍ୟ ନୋହେ ସତ୍ୟବାଦେ । ବିଚାର ତର୍କ ଅନୁବାଦେ ॥ ୪୩୦
କାର୍ଯ୍ୟ କାରଣ ପ୍ରାୟ ଯେଣୁ । କହିବା ଅନୁମାନେ ତେଣୁ ॥ ୪୩୧
ମୁକୁତା ସିପେ କରି ଭ୍ରାନ୍ତି । ରଜତ ପ୍ରାୟ ତା ମଣନ୍ତି ॥ ୪୩୨
ପୁଣି ବିଚାରେ ସେ ଯେମନ୍ତ । ମୁକୁତା ସିପ ହୋଏ ସତ୍ୟ ॥ ୪୩୩
ମାୟା ପ୍ରକାଶ ତୋ ବ୍ରହ୍ମାଣ୍ତେ । ସର୍ପ ଯେସନେ ରଜ୍ଜୁଖଣ୍ତେ ॥ ୪୩୪
କାର୍ଯ୍ୟ କାରଣ ମାୟାଲକ୍ଷି । ତୁ ପରମାତ୍ମା ଏତେ ସାକ୍ଷୀ ॥ ୪୩୫
ସାକ୍ଷୀ ସ୍ୱରୂପେ ରହେ ଆତ୍ମା । ଏହା ତ ମାନନ୍ତି ମହାତ୍ମା ॥ ୪୩୬
ସ୍ୱର୍ଗାଦିଫଳ ବେଦ କହି । ଏ ଘେନି ପ୍ରାଣୀ କର୍ମଦାହି ॥ ୪୩୭
ଏଣୁ ସଂସାର ସତ୍ୟ ଦିଶେ । କର୍ମ ସାଧନ୍ତି ମନତୋଷେ ॥ ୪୩୮
ଭବପ୍ରବଞ୍ଚ ବ୍ୟବହାରେ । ଚିତ୍ତ ବୁଡାଇଥାନ୍ତି ଧୀରେ ॥ ୪୩୯
ବେଦବାଦୀଏ ତାଙ୍କ ମନ । ଶିକ୍ଷା ଦେଇ ବେଦ ବଚନ ॥ ୪୪୦
କର୍ମର ଫଳ ସତ୍ୟ ପ୍ରାୟେ । ବିଷୟ ତାପ ଭ୍ରମେ ମୋହେ ॥ ୪୪୧
ଏ ଘେନି କର୍ମ କରି ଦେହେ । ଭ୍ରମନ୍ତି ତବ ମାୟାମୋହେ ॥ ୪୪୨
ପୂର୍ବ ଲୋକଙ୍କ କର୍ମ ଦେଖି । ଅପର ଲୋକେ ତାହା ଶିଖି ॥ ୪୪୩
ଭୋ ନାଥ ବେଦ ତୋ ବଚନ । ପୁଷ୍ପର ପ୍ରାୟ ଅନୁମାନ ॥ ୪୪୪
ପୁଷ୍ପରେ ଥାଇ ସର୍ବଗନ୍ଧ । ଭ୍ରମର ଲଭେ ମକରନ୍ଦ ॥ ୪୪୫
ବେଦବଚନେ ପୁଷ୍ପ ପ୍ରାୟେ । କର୍ଣ୍ଣେ ଶୁଣନ୍ତେ ଚିତ୍ତଧ୍ୟାୟେ ॥ ୪୫୬
ସର୍ବେ ବୋଲନ୍ତି ସାଧୁ ସାଧୁ । କେହି ନ ଲଭେ ପୁଷ୍ପମଧୁ ॥ ୪୫୭
ପ୍ରାଣୀଙ୍କି କର୍ମ ସେ କରାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ ॥ ୪୪୮
ନ ଯଦିଦ ଯେ ଚତୁର୍ବିଂଶ । ଶୁଣ କହିବା ତା ଉଦ୍ଦେଶ୍ୟ ॥ ୪୪୯
ଏ ସୃଷ୍ଟି ପୂର୍ବେ ଥିଲା କାହିଁ । ପୁଣି ଏ ଅନ୍ତେ ଥିବ କାହିଁ ॥ ୪୫୦
ଏଣୁ ଏହାର ସତ୍ତା ନାହିଁ । ଶାସ୍ତ୍ର ମାର୍ଗରେ ଏହା କହି ॥ ୪୫୧
ତୋ ତହୁଁ ବିରାଟ ପୁରୁଷ । ଏ ମିଥ୍ୟା ସଂସାରେ ପ୍ରକାଶ ॥ ୪୫୨
ବ୍ରହ୍ମ ନିର୍ମାତା ଏକ ତୁହି । ତୋ ଅଙ୍ଗେ ସତ୍ୟ ଆଭାସଇ ॥ ୪୫୩
ଏ ନାନା ଦ୍ରବ୍ୟମାନ ଯେତେ । ଆମ୍ଭେ ଜାଣିଲୁ ଏବେ ତଥ୍ୟେ ॥ ୪୫୪
ମୃତ୍ତିକା ଆଦି ଧାତୁ ଯେତେ । ଏ ଯେତେ ଘଟ ବସ୍ତ୍ର ପାତ୍ରେ ॥ ୪୫୫
ଜଗତ ତୁଲେ ଏ ଶୟନ । ପୁଣ କହିବୁ ଅନୁମାନ ॥ ୪୫୬
ଯାହାର ତହୁଁ ସେ ଘଟନ । ବିଚାରେ ତହୁଁ ନୋହେ ଆନ ॥ ୪୫୭
ନାମ ମାତ୍ରକେ ଭେଦ ରହେ । ଏ ଅନୁମାନ ବେଦ କହେ ॥ ୪୫୮
କାରଣୁ କାର୍ଯ୍ୟ ଭିନ୍ନେ ଥାନ୍ତି । ଅନ୍ତେ କାରଣେ ସେ ମିଶନ୍ତି ॥ ୪୫୯
ଜଗତ କାରଣ ଯେ ତୁହି । କାର୍ଯ୍ୟ ଭିନ୍ନ ପ୍ରାୟ ଦିଶଇ ॥ ୪୬୦
ତୁ ସତ୍ୟ ଭବମଧ୍ୟେ ହରି । କେ ତୋ ମହିମା କହିପାରି ॥ ୪୬୧
ମନ ବିଳାସ ମାତ୍ର ଏହି । ଅଜ୍ଞାନେ ପ୍ରତ୍ୟକ୍ଷ ଦିଶଇ ॥ ୪୬୨
ସଯଦ ପଞ୍ଚବିଂଶ ସ୍ତୁତି । ବେଦ କହନ୍ତି ଭାବ ଚିନ୍ତି ॥ ୪୬୩
ତୁ ମହାମହିମ ଅନନ୍ତ । ଆଗମ ନିମନ୍ତେ ତୋ ଅନ୍ତ ॥ ୪୬୪
କେହି ନ ଜାଣେ ଅନୁମାନେ । ନିର୍ମଳ ଚିତ୍ତେ ଶୁଦ୍ଧଜ୍ଞାନେ ॥ ୪୬୫
ମିଥ୍ୟା ପ୍ରପଞ୍ଚ ଏ ଜଗତେ । ଜୀବ କି ଜାଣିପାରେ ଚିତ୍ତେ ॥ ୪୬୬
ବେଦବଚନେ ମିତ୍ୟେ ଭ୍ରମି । ଜନ୍ମମରଣ ପଥେ ଶ୍ରମୀ ॥ ୪୬୭
ଜୀବକୁ ମାୟାବଳେ ଧରି । କ୍ରୀଡଇ ସଂସାରେ ବିହରି ॥ ୪୬୯
ଗୁଣ ଇନ୍ଦ୍ରିୟ ଦେହମେଳେ । ଭ୍ରମେ ତୋ ମାୟା ଯୋଗବଳେ ॥ ୪୭୦
ଦେହାଦି ଧର୍ମ ଯେ ଭଜନ୍ତି । ସେ କାହିଁ ତୋ ଭାବ ଜାଣନ୍ତି ॥ ୪୭୧
ଅପେତଭଗ ସେ ବୋଲାଇ । ତେଣୁ ସଂସାର ନ ଛାଡଇ ॥ ୪୭୨
ତାପେ ତାପିତ ଏ ଶୟଳେ । ମରଇ ଅନ୍ତେ କର୍ମବଳେ ॥ ୪୭୩
ପୁରୁଣା ଚର୍ମ ଯେହ୍ନେ ସର୍ପେ । ଛାଡଇ ପାଇ ନିଜ ରୂପ ॥ ୪୭୪
ଏ ମାୟା ଯେବେ ଛାଡୁ ତୁହି । ଜୀବ ସ୍ୱରୂପେ ବିରାଜଇ ॥ ୪୭୫
ଅପରିମିତଭଗ ଯେଣୁ । ନିତ୍ୟେ ପ୍ରାପତ ସୁଖ ତେଣୁ ॥ ୪୭୬
ଯଦିନସମୁ ଷଡବିଂଶେ । ନିଗମେ ବୋଲନ୍ତି ହରଷେ ॥ ୪୭୭
ଅଶେଷ ବାସନା ଦଉଡି । ସେ ଅଜଗର ରୂପେ ଜଡି ॥ ୪୭୮
ତହୁଁ ସଞ୍ଚରେ କାମବୃକ୍ଷ । ପତ୍ର ପୁଷ୍ପ ଫଳ ପ୍ରତ୍ୟକ୍ଷ ॥ ୪୭୯
ଜୀବ ତା ସୁଖେ ଭୋଗ କରେ । ପଶୁ ଯେସନେ ପତ୍ର ଚରେ ॥ ୪୮୦
ସେ କାମବୃକ୍ଷ ଅବିରତେ । ସୁଖେ ବଢଇ ହୃଦଗତେ ॥ ୪୮୧
ତାହାକୁ ବଳେ ଛଳେ ଭିଡି । କେହି ନ ପାରନ୍ତି ଉପାଡି ॥ ୪୮୨
ବୁଲନ୍ତି ନାନା ତପଫଳେ । ଯୋଗ ସମାଧି ତୀର୍ଥ ଛଳେ ॥ ୪୮୩
ଅତି କଠୋରେ ସେ ଭ୍ରମନ୍ତି । ହୃଦରୁ ନ ତୁଟଇ ଭ୍ରାନ୍ତି ॥ ୪୮୪
ବିବିଧମତେ ଦୁଃଖ ପାଇ । ତାହାଙ୍କୁ ଅତି ଦୂର ତୁହି ॥ ୪୮୫
ନିତ୍ୟେ ସେ କାମଭୋଗ ଚିନ୍ତି । ଏ ଘେନି ତୋତେ ପାସୋରନ୍ତି ॥ ୪୮୬
ଅସାଧୁପଣ ତାହାଙ୍କର । ଶୁଣ ହେ କମଳାରବର ॥ ୪୮୭
ଅମୂଲ୍ୟମଣି କଣ୍ଠେ ଧରି । ମନ ବିଷୟ ଜଡେ ଭରି ॥ ୪୮୮
ଯାବତ ସୁମରଣ ନାହିଁ । ପ୍ରାପତ ନୋହେ କଣ୍ଠେ ଥାଇ ॥ ୪୮୯
ମଣିର ପ୍ରାୟ କଣ୍ଠତଟେ । ତୁ ଥାଉ ପ୍ରାଣୀଙ୍କ ନିକଟେ ॥ ୪୯୦
ନିତ୍ୟେ ତୋ ମାୟା ମୋହ ଚିନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୪୯୧
ଯୋଗୀ ବୋଲାଇ ଜ୍ଞାନପଥେ । ବିଷୟରସ ଅବିରତେ ॥ ୪୯୨
ନିରତେ ଇନ୍ଦ୍ରିୟ ପୋଷଣେ । ଧନ ସଞ୍ଚୟ କରଷଣେ ॥ ୪୯୩
ଉଭୟ ଲୋକ ତାର ନାହିଁ । ତୋତେ ପାଇବେ ଅବା କାହିଁ ॥ ୪୯୪
ଯାବତ ତୋ ଚରଣ ତଳେ । ଚିତ୍ତ ନ ରହଇ ନିଶ୍ଚଳେ ॥ ୪୯୫
ସପ୍ତବିଂଶେ ତ୍ୱଦବଗମୀ । ବେଦେ ବୋଲନ୍ତି ଶୁଣ ସ୍ୱାମୀ ॥ ୪୯୬
ଭୋ ନାଥ ତୋତେ ଯେ ଜାଣନ୍ତି । ତାଙ୍କ ମହିମା କେବା ଚିନ୍ତି ॥ ୪୯୭
ପ୍ରାଣୀଙ୍କ ଚିତ୍ତ ତୋ ଚରଣେ । ଆଶ୍ରିତ ଥାଇ ଅନୁକ୍ଷଣେ ॥ ୪୯୮
ଯେ ଯାହା କର୍ମଫଳ ଘେନି । ଫଳଇ ଦୁଃଖ ସୁଖ ବେନି ॥ ୪୯୯
ଏ ବେନିଫଳଙ୍କର ରସ । ନିଶ୍ଚେ ନ ଜାଣେ ତୋର ଦାସ ॥ ୫୦୦
ଦେହାଭିମାନୀ ପ୍ରାଣୀଙ୍କର । ବିଧି ନିଷେଧ ଅନୁଚର ॥ ୫୦୧
ତାହାଙ୍କ ନିନ୍ଦା ସ୍ତୁତି ବାଣୀ । ତୋର ସେବକ ତାହା ଶୁଣି ॥ ୫୦୨
ଚିତ୍ତେ ନ କରନ୍ତି ବିଚାର । ଏମନ୍ତ ମହିମା ତୁମର ॥ ୫୦୩
ଯୁଗାନୁଯୁଗ ତୋ ଶରୀର । ମତ୍ସ୍ୟାଦି ନାନା ଅବତାର ॥ ୫୦୪
ତୋହର ଗୁଣ କର୍ମ ଯେତେ । ଯେ ପ୍ରାଣୀ ଶୁଣେ କର୍ଣ୍ଣପଥେ ॥ ୫୦୫
ତୁଣ୍ତେ ଭାଷନ୍ତି ଅନୁକ୍ଷଣେ । ଚିନ୍ତନ୍ତି ତୋହର ଚରଣେ ॥ ୫୦୬
ତୁ ନାଥ ଅପବର୍ଗ ଗତି । ଅନ୍ତେ ତୋ ଚରଣେ ପଶନ୍ତି ॥ ୫୦୭
ଅଷ୍ଟବିଂଶତି ପୂର୍ଣ୍ଣସୁତି । ବୋଲନ୍ତି ଦ୍ୟୁପତୟ ଶ୍ରୁତି ॥ ୫୦୮
ବେଦେ ବୋଲନ୍ତି ହେ ଅନନ୍ତ । ନିତ୍ୟେ ତୋହର ଆଦିଅନ୍ତ ॥ ୫୦୯
ମନ ବଚନ ବହୁ ଚିନ୍ତି । ବ୍ରହ୍ମାଦି ଦେବେ ନ ଜାଣନ୍ତି ॥ ୫୧୦
ତୋ ରୂପ ତୁହି ନ ପ୍ରମାଣୁ । କେ ତାହା ଦେହ ବହି ଜାଣୁ ॥ ୫୧୧
ତୁ ଅବା ବୋଲୁ ମୋ ମହିମା । ମୁଁ କିମ୍ବା ନ ଜାଣଇ ସୀମା ॥ ୫୧୨
ସର୍ବଜ୍ଞପଣ କି ମୋ ନାହିଁ । କହିବୁଁ ଶୁଣ ଭାବଗ୍ରାହୀ ॥ ୫୧୩
ସ୍ୱଭାବେ ଶୂନ୍ୟ ଅପ୍ରମିତ । କେ ଜାଣେ ତୋର ଆଦି ଅନ୍ତ ॥ ୫୧୪
ଉଦୟ ଅସ୍ତ ନାହିଁ ଯାର । ଏଣୁ ତୁ ତୋତେ ଅଗୋଚର ॥ ୫୧୫
ଏଣୁ ଆମ୍ଭର ଅନୁମତେ । ସର୍ବଜ୍ଞ ବୋଲିବୁ କେମନ୍ତେ ॥ ୫୧୬
ଶଶାର ମୁଣ୍ତେ ଶୃଙ୍ଗ ଜାତ । ବନ୍ଧ୍ୟା କି ପ୍ରସବିବ ସୁତ ॥ ୫୧୭
ଏ ବେନି ନ ଜାଣନ୍ତି ଯେହୁ । ସର୍ବଜ୍ଞ ବୋଲାଇବେ କାହୁଁ ॥ ୫୧୮
ତୋ ଆଦି ଅନ୍ତ ମଧ୍ୟ ତୁହି । କହିବୁଁ ଶୁଣ ମନଦେଇ ॥ ୫୧୯
ଏକ ଆରକେ ଦଶଗୁଣ । ବ୍ରହ୍ମାଣ୍ତ ସପ୍ତ ଆବରଣ ॥ ୫୨୦
ଏମନ୍ତେ ଅଶେଷ ବ୍ରହ୍ମାଣ୍ତ । ଆଶ୍ରେ କରନ୍ତି ତୋର ପିଣ୍ତ ॥ ୫୨୧
ଭ୍ରମନ୍ତି କାଳଚକ୍ର ବଳେ । ଧୂଳି ଯେସନେ ଅନ୍ତରାଳେ ॥ ୫୨୨
ସେ ରେଣୁ ମଧ୍ୟେ ପ୍ରାଣୀ ଥାଇ । ତୋ ରୂପ ପ୍ରମାଣିବ କାହିଁ ॥ ୫୨୩
ବେନ୍ଦେ ବୋଲନ୍ତି ବିଶ୍ୱମଧ୍ୟେ । ଆମ୍ଭେ ହୋ ଭ୍ରମୁ ମାୟାବନ୍ଧେ ॥ ୫୨୪
ତୋର ମହିମା ଅଛି ଯେତେ । ଆମ୍ଭେ ତା ଜାଣିବୁ କେମନ୍ତେ ॥ ୫୨୫
ସଗୁଣ ନିର୍ଗୁଣର ସୀମା । ଭୋ ନାଥ ତୋହର ମହିମା ॥ ୫୨୬
ବିଧିନିଷେଧ ବାଦ କରି । ତୋର ମହିମା କେ ବିଚାରି ॥ ୫୨୭
ବିଧି ନିଷେଧ ହିଁ ନ ଜାଣେ । ପ୍ରଣମେ ତୋହର ଚରଣେ ॥ ୫୨୮
ବେଦେ ବୋଲନ୍ତି ଆମ୍ଭ ଚିତ୍ତେ । ତୋର ମହିମା ଅନୁମତେ ॥ ୫୨୯
ସୃଷ୍ଟି ସଂହାରି ତୋ ଶରଣେ । ପଶିଲୁଁ ଅଭୟ ଚରଣେ ॥ ୫୩୦
ନିରତେ ତୋର ପଦ୍ମପାଦେ । ଥିବୁଁ ସର୍ବଦା ସୁଖ ସଧେ ॥ ୫୩୧
ଏମନ୍ତେ ବେଦଙ୍କ ବଚନ । ଶୁଣି ବୋଲନ୍ତି ନାରାୟଣ ॥ ୫୩୨
ଏମନ୍ତେ ବ୍ରହ୍ମାର ନନ୍ଦନ । ସନନ୍ଦ ତହୁଁ ଆତ୍ମଜ୍ଞାନ ॥ ୫୩୩
ଶୁଣି ସାନନ୍ଦ ତିନି ଭାଇ । ଚରଣଯୁଗେ ଶିର ଦେଇ ॥ ୫୩୪
ପୂଜିଲେ ସନନ୍ଦ ଚରଣ । କହନ୍ତି ପ୍ରଭୁ ନାରାୟଣ ॥ ୫୩୫
;ନାରାୟଣ ଉବାଚ
ଶୁଣ ନାରଦ ମୁନିଙ୍କର । ସେ ଚାରି ବ୍ରହ୍ମାର କୁମର ॥ ୫୩୬
ବ୍ରହ୍ମ ସମାଧି ସଙ୍ଗ ପାଇ । ନିରତେ ଆତ୍ମାନନ୍ଦ ଧ୍ୟାୟି ॥ ୫୩୭
ଆଗମ ପୁରାଣ ବଖାଣି । ଉପନିଷଦେ ବ୍ରହ୍ମ ଜାଣି ॥ ୫୩୮
ତୁ ବିପ୍ରବର ଜ୍ଞାନବଳେ । ନିରତେ ଭ୍ରମି ଭୂମଣ୍ତଳେ ॥ ୫୩୯
ନିର୍ମଳ ଚିତ୍ତେ ଜ୍ଞାନ ଜାଣୁ । ଜୀବନ ମୁକତି ପ୍ରମାଣୁ ॥ ୫୪୦
ଏ ତତ୍ତ୍ୱଜ୍ଞାନେ ଯାର ଚିତ୍ତ । ଆନନ୍ଦ ବଢେ ଅବିରତ ॥ ୫୪୧
ସଂସାର ବାସନାରୁ ତରେ । ନ ବୁଡେ ଭବ ମହାଘୋରେ ॥ ୫୪୨
;ଶୁକ ଉବାଚ
କହିଲେ ନରନାରାୟଣ । ପ୍ରସ୍ତାବେ ବ୍ରହ୍ମର କାରଣ ॥ ୫୪୩
ଏ ଦୁଇଜନଙ୍କ ସମ୍ବାଦ । ଯେତେ କହିଲେ ତିନି ବେଦ ॥ ୫୪୪
ଶୁକ କହନ୍ତି ଅନୁରାଗେ । ବେଦ ଉପନିଷଦ ଭାଗେ ॥ ୫୪୫
ଶୁଣି ସାନନ୍ଦ ମୁନିବର । ନମିଲେ ବିଷ୍ଣୁର ପୟର ॥ ୫୪୬
ଗୋବିନ୍ଦ ଯଶ ଗାଇ ତୁଣ୍ତେ । ଆନନ୍ଦେ ଗଲେ ସେ ବ୍ରହ୍ମାଣ୍ତେ ॥ ୫୪୭
ଶୁଣ ହୋ ଅଭିମନ୍ୟୁସୁତ । ମୋ ଜନ୍ମ କର୍ମର ଚରିତ ॥ ୫୪୮
ଯଜ୍ଞର ଅର୍ଥେ ପରାଶର । ଅଗ୍ନିମନ୍ଥନେ ତତପର ॥ ୫୪୯
ମନ୍ତ୍ର ଉଚ୍ଚାରନ୍ତି ଆନନ୍ଦେ । ଏମନ୍ତେ ଅଗ୍ନିକୁଣ୍ତ ମଧ୍ୟେ ॥ ୫୫୦
ଅରଣି ଯୋଗେ କାମଚିତ୍ତ । ପଡିଲା ବ୍ୟାସଙ୍କର ରେତ ॥ ୫୫୧
ସେ ବୀର୍ଯ୍ୟ ଅଙ୍କୁରୁ ମୁଁ ଜାତ । ତେଣୁ ମୁଁ ଅଯୋନି ସମ୍ଭୂତ ॥ ୫୫୨
ଏ ଘେନି ବ୍ୟାସ ମୋର ତାତ । ତାଙ୍କ ଆଶ୍ରମେ ଉପଗତ ॥ ୫୫୩
ନାରଦ ଋଷି ଆଗମନ । ଦେଖି ପରାଶର ନନ୍ଦନ ॥ ୫୫୪
ଆସନୁ ଉଠି କିଛି ଦୂରେ । ଅଭିଗମନ ତତପରେ ॥ ୫୫୫
ଉତ୍ତମ ଆସନେ ବସାଇ । ପାଦ ପୂଜିଲେ ଅର୍ଘ୍ୟ ଦେଇ ॥ ୫୫୬
ବ୍ୟାସଙ୍କୁ କହିଲେ ନାରଦ । ନର ନାରାୟଣ ସମ୍ବାଦ ॥ ୫୫୭
ତୁ ଯାହା ପଚାରିଲୁ ମୋତେ । ବ୍ରହ୍ମ ସମ୍ବାଦ ଭାବଚିତ୍ତେ ॥ ୫୫୮
ବୋଲୁ ଯେ ନିର୍ବିକାର ବ୍ରହ୍ମ । କେମନ୍ତେ ଜାଣନ୍ତି ନିଗମ ॥ ୫୫୯
ତାହା ତ କହିଲି ମୁଁ ତୋତେ । ଏବେ ହୋ ଶୁଣ ଏକଚିତ୍ତେ ॥ ୫୬୦
ଯେ ହରି ଜଗତ ଭିଆଇ । ଆଦ୍ୟନ୍ତ ସାକ୍ଷୀରୂପ ହୋଇ ॥ ୫୬୧
ପ୍ରକୃତି ପୁରୁଷହୁଁ ଦୂର । ବ୍ରହ୍ମାଣ୍ତ ଯାର ଖେଳଘର ॥ ୫୬୨
ବ୍ରହ୍ମାଣ୍ତେ ପଶି ଆତ୍ମାଅଂଶେ । ଜୀବକୁ ପାଳଇ ଆଶ୍ୱାସେ ॥ ୫୬୩
ନିଜ ସେବକେ ମୋକ୍ଷ ଦେଇ । ନିତ୍ୟେ ଭକତ ପାଶେ ଥାଇ ॥ ୫୬୪
ତୋ ରୂପ ଜୀବରେ ନିରେଖି । ମାୟା ଛାଡଇ ତାହା ଦେଖି ॥ ୫୬୫
ତୁ ଯେ ବୋଇଲୁ ଏ ଜଗତେ । ଜୀବନମୁକ୍ତ ଛନ୍ତି ଯେତେ ॥ ୫୬୬
ଶରୀରବନ୍ଧ ତାଙ୍କ ଦେଖି । ମାୟା କେମନ୍ତେ ତା ଉପେକ୍ଷି ॥ ୫୬୭
ଶୁଣ ଯାହାକୁ କୃଷ୍ଣ ଦୟା । ତାହାକୁ ନ ଲାଗଇ ମାୟା ॥ ୫୬୮
ଆତ୍ମାର ଜ୍ଞାନ ନିତ୍ୟେ ବଢେ । ଦେହାଦି ଧର୍ମକୁ ସେ ଛାଡେ ॥ ୫୬୯
ଯେମନ୍ତେ ନିଦ୍ରାଗତ । ଦେହାଦି ଧର୍ମ ନ ଲାଗଇ ॥ ୫୭୧
ଆତ୍ମାରେ ଜଗତ ଦେଖଇ । ଦେହାଦି ଧର୍ମ ନ ଲାଗଇ ॥ ୫୭୧
ସମସ୍ତ ପ୍ରାଣୀ ଦୃଷ୍ଟି ତାକୁ । ତା ଦୃଷ୍ଟି ନ ଥାଇ ଦେହକୁ ॥ ୫୭୨
ସେ ହରି ନିରଞ୍ଜନ ରୂପ । କେବଳ ସାକ୍ଷୀ ଏ ସ୍ୱରୂପ ॥ ୫୭୩
ଅଭୟଦାତାର ଚରଣ । ନିରତେ କର ସୁମରଣ ॥ ୫୭୪
ଯା ରୂପ ନିରନ୍ତର ଲୋଡି । ମନ ବଚନ ହିଁ ବାହୁଡି ॥ ୫୭୫
ଅଧିକ କି କହିବି ମୁହିଁ । ପରୀକ୍ଷ ଭାଗ୍ୟବନ୍ତ ତୁହି ॥ ୫୭୬
ବୋଲଇ ଦାସ ଜଗନ୍ନାଥ । ବେଦ ସମ୍ବାଦେ ଭାଗବତ ॥ ୫୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ
ନାରଦନାରାୟଣ ସମ୍ବାଦେ ବେଦସ୍ତୁତିର୍ନାମ ତ୍ରିନବତିତମ ଅଧ୍ୟାୟଃ
</poem>
==='''ଚତୁଃନବତିତମ ଅଧ୍ୟାୟ'''===
<poem>
ପରୀକ୍ଷ ଶୁକମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୧
;ପରୀକ୍ଷିତ ଉବାଚ
ଭୋ ମୁନି ସଂଶୟ ମୋ ମନେ । ଛେଦନ କର ସୁପ୍ରସନ୍ନେ ॥ ୨
ଦେବ ଅସୁର ନର ମଧ୍ୟେ । ଯେ ସେବା କରେ ରୁଦ୍ରପାଦେ ॥ ୩
ତାହାଙ୍କ ଘରେ କମଳିନୀ । ସକଳ ନିଧି ସଙ୍ଗେ ଘେନି ॥ ୪
ଖଟଇ ଭୃତ୍ୟପ୍ରାୟ ହୋଇ । ଅନେକ ସୁଖ ସେ ଭୁଞ୍ଜଇ ॥ ୫
ଅଜେୟ ସର୍ବଲୋକ ହୋନ୍ତି । ଏଣୁ ବିଷ୍ଣୁଙ୍କୁ ନ ଭଜନ୍ତି ॥ ୬
କମଳାକାନ୍ତ ଯେ ମୁରାରି । ପ୍ରାଣୀ ତାହାଙ୍କୁ ସେବା କରି ॥ ୭
ସକଳ ଦୁଃଖେ ହୋନ୍ତି ଦୁଃଖୀ । ସ୍ୱଜନେ ତାହାଙ୍କୁ ଉପେକ୍ଷି ॥ ୮
ଜଗତ ଅନାଦର ଭୟେ । ବନେ ପଶଇ ଦୁଃଖ ଦେହେ ॥ ୯
ସେ ହରିହର ଏକମତ । ଭକତେ କିମ୍ପା ବୀପରିତ ॥ ୧୦
ଏଣୁ ସଂଶୟ ଚିତ୍ତ ମୋର । କହି ନିର୍ମଳ ମୋତେ କର ॥ ୧୧
ଶୁଣି ସାନନ୍ଦ ବ୍ୟାସସୁତ । ବୋଲନ୍ତି ଶୁଣ ନରନାଥ ॥ ୧୨
;ଶୁକ ଉବାଚ
ଶିବ ଯେ ନିତ୍ୟ ଶକ୍ତିଯୁକ୍ତ । ତ୍ରିଲିଙ୍ଗ ତ୍ରିଗୁଣ ସମ୍ଭୂତ ॥ ୧୩
ସାତ୍ତ୍ୱିକ ରାଜସ ତାମସ । ତ୍ରିଧା ଅହଙ୍କାର ପ୍ରକାଶ ॥ ୧୪
ତେଣୁ ବିକାରେ ହୋନ୍ତି ଜାତ । ବ୍ରହ୍ମାଣ୍ତେ ଏ ଷୋଡଶତତ୍ତ୍ୱ ॥ ୧୫
ଏଥୁ ଏ ବିଭୂତିଙ୍କ ଗତି । ଅଧିଦୈବତେ ଆବୋରନ୍ତି ॥ ୧୬
ଏ ଜୀବ ଆତ୍ମାରୂପ ଧରି । ବିଭୂତିରସ ଭୋଗ କରି ॥ ୧୭
ଏଣୁ ଭକତଜନ ଲାଭେ । ବିଭୂତି ଈଶ୍ୱର ଯେ ଭାବେ ॥ ୧୮
ଭକତେ ଦେଇ ସୁଖଫଳ । ଏବେ ହୋ ଶୁଣ ମହୀପାଳ ॥ ୧୯
ନିର୍ଗୁଣ ନିରଞ୍ଜନ ହରି । ପ୍ରକୃତି ନପାରେ ଆବୋରି ॥ ୨୦
ଏ ସୃଷ୍ଟିପାଳକ ସ୍ୱରୂପେ । ସବୁ ଦେଖଇ ସାକ୍ଷୀରୂପେ ॥ ୨୧
ସେ ହରି ପାଦେ ଯେ ଶରଣ । ତାକୁ ନ ଲାଗେ ତିନିଗୁଣ ॥ ୨୨
ଏଣୁ ନିର୍ଗୁଣ ମୋକ୍ଷ ରୂପେ । ରହନ୍ତି ବିଷ୍ଣୁର ସମୀପେ ॥ ୨୩
ଏ ଭବଜଳୁ ହୋନ୍ତି ପାର । ଏବେ ହୋ ଶୁଣ ନୃପବର ॥ ୨୪
ତୋ ପିତାମହ ଯୁଧିଷ୍ଠିର । ବିଖ୍ୟାତ ଧର୍ମର କୁମର ॥ ୨୫
ରାଜୁଯିସଜ୍ଞ ସମାପତେ । ଆନନ୍ଦେ କୃଷ୍ଣର ଅଗ୍ରତେ ॥ ୨୬
ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ଅଗ୍ରତେ ॥ ୨୬
ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ପୁଚ୍ଛିଲା ॥ ୨୭
ଯେ ହରି ଜନଙ୍କର ହିତେ । ମନୁଷ୍ୟ ରୂପ ଏ ଜଗତେ ॥ ୨୮
ଧର୍ମନନ୍ଦନ ପ୍ରଶ୍ନ ଶୁଣି । କହିଲେ ପ୍ରଭୁ ଚକ୍ରପାଣି ॥ ୨୯
;ଭଗବାନ ଉବାଚ
ଯାହାକୁ ଚିତ୍ତେ ଦୟା ମୋର । ସମ୍ପଦ ହରଇ ତାହାର ॥ ୩୦
ନିର୍ଦ୍ଧନ ଦେଖି ବନ୍ଧୁଜନେ । ତାକୁ ଛାଡନ୍ତି ଦୁଃଖମନେ ॥ ୩୧
ତାର ସଂସାରେ ଇଚ୍ଛା ନୋହେ । ବନେ ଭ୍ରମିଣ ଦୁଃଖ ସହେ ॥ ୩୨
ମୋର ଭକତ ମିତ୍ରପଣେ । ମୋତେ ଭଜଇ ଅନୁକ୍ଷଣେ ॥ ୩୩
ତାହାର କର୍ମନାଶ କାଳେ । ମୋର ଭକତିଭାବ ବଳେ ॥ ୩୪
ପରମବ୍ରହ୍ମ ସୂକ୍ଷ୍ମରୂପ । ସଚ୍ଚିଦାନନ୍ଦ ମୁଁ ନିର୍ଲେପ ॥ ୩୫
ଏମନ୍ତ ରୂପେ ମୋତେ ଧ୍ୟାୟି । ପଶଇ ମୋର ଦେହେ ଯାଇ ॥ ୩୬
ଏହାକୁ ନ ଲାଗେ ସଂସାର । ଏମନ୍ତ ମହିମା ମୋହର ॥ ୩୭
ଏଣୁ ସଂସାରେ ଇଚ୍ଛା ଯାର । ସେ ମୋତେ ନ କରେ ଆଦର ॥ ୩୮
ରାଜସମ୍ପଦ ଭୋଗ ଇଚ୍ଛା । କରଇ ନାନାମତେ ଦୀକ୍ଷା ॥ ୩୯
ଅଳପ ତପେ ତୋଷ ହୋନ୍ତି । ବେଗେ ବାଞ୍ଛିତ ଫଳ ଦ୍ୟନ୍ତି ॥ ୪୦
ଏମନ୍ତ ଦେବତାଙ୍କୁ ସେବି । ସୁଖ ସମ୍ପଦ ଅନୁଭବି ॥ ୪୧
କାଳେ ଲଭନ୍ତି ମହାଦୁଃଖ । କହି ହସନ୍ତି ପଦ୍ମମୁଖ ॥ ୪୨
ଏମନ୍ତ କୃଷ୍ଣର ବଚନ । କହିଲେ ବ୍ୟାସଙ୍କ ନନ୍ଦନ ॥ ୪୩
ପୁଣି ବୋଲନ୍ତି ଶୁଦ୍ଧଚିତ୍ତେ । ତିନି ଦେବତା ଏ ଜଗତେ ॥ ୪୪
ଶାପ ପ୍ରସାଦର ଈଶ୍ୱର । ବ୍ରହ୍ମା ଗୋବିନ୍ଦ ଶୁଳଧର ॥ ୪୫
ଶାପ ପ୍ରସାଦ ତତକ୍ଷଣେ । ଭକତେ ଦ୍ୟନ୍ତି ବେନି ଜନେ ॥ ୪୬
ଚତୁରାନନ ପଶୁପତି । ଏମନ୍ତେ ନୋହେ କୃଷ୍ଣଗତି ॥ ୪୭
ଏବେ ତୁ ଶୁଣ ତୋଷମନେ । ପୂର୍ବେ ପଣ୍ତିତ ମହାଜନେ ॥ ୪୮
କହିଲେ ଇତିହାସ ବାଣୀ । ତାହାଙ୍କ ମୁଖୁ ମୁହିଁ ଶୁଣି ॥ ୪୯
ଜାଣଇ ଈଶ୍ୱର ବେଭାର । ଶୁଣ କହିବା ତୋ ଛାମୁର ॥ ୫୦
ବୃକାସୁରକୁ ପୂର୍ବକା । ଈଶ୍ୱର ତାର ତପଫଳେ ॥ ୫୧
ପ୍ରସନ୍ନ ହୋଇ ବର ଦେଲେ । ବିଷମ ସଙ୍କଟେ ପଡ଼ିଲେ ॥ ୫୨
ଶକୁନି ନାମେ ମହାସୁର । ଘୋର ଦୁର୍ଗମ ବଳୀୟାର ॥ ୫୩
ମହାବଳିଷ୍ଠ ତା କୁମର । ନାମ ତାହାର ବୃକାସୁର ॥ ୫୪
ସୁର ଅସୁରେ ସେ ଅଜିତ । ଶୁଣ ତାହାର ବିପରୀତ ॥ ୫୫
ମୃଗୟା ଅର୍ଥେ ଏକଦିନେ । ପଥେ ଚଳଇ ଘୋରବନେ ॥ ୫୬
ଚିନ୍ତଇ ପଶୁଙ୍କ ପ୍ରମାଦ । ଏମନ୍ତେ ଭେଟିଲା ନାରଦ ॥ ୫୭
ପ୍ରମାଣ କରି ପାଦଯୁଗେ । କହଇ ନାରଦଙ୍କ ଆଗେ ॥ ୫୮
ଭୋ ମୁନିବର ଏ ଜଗତେ । ଦେବେ ଅଛନ୍ତି ନାନାମତେ ॥ ୫୯
ଭକତଜନ ତପଫଳେ । କେ ବର ଦ୍ୟନ୍ତି ଅଳ୍ପକାଳେ ॥ ୬୦
ତୁମ୍ଭର ମୁଖୁଁ ମୁହିଁ ଶୁଣି । ସେବା କରିବି ତଥ୍ୟ ଜାଣି ॥ ୬୧
ଶୁଣି ବୋଲନ୍ତି ବ୍ରହ୍ମଋଷି । ଅସୁର ବଚନ ପ୍ରଶଂସି ॥ ୬୨
ସାଧୁ ବିଚାର ଏ ତୋହର । ଈଶ୍ୱର ପାଦେ ସେବାକର ॥ ୬୩
ଚତୁରାନନ ଭଗବାନ । ଏହାଙ୍କ ତପେ ମହାବିଘ୍ନ ॥ ୬୪
ତାହାଙ୍କ ତପସ୍ୟା କଠୋର । ଅନେକ କାଳେ ଦ୍ୟନ୍ତି ବର ॥ ୬୫
ତୋହର ଭୋଗେ ଯେବେ ଇଚ୍ଛା । ବେଗେ ତୁ କର ହରଦୀକ୍ଷା ॥ ୬୬
ପୂର୍ବେ ରାବଣ ବାଣାସୁର । ତାଣ୍ତବେ ସେବି ଶୂଳଧର ॥ ୬୭
ଅନେକମତେ କଲେ ଭାବ । ପ୍ରସନ୍ନ ହୋଇ ସଦାଶିବ ॥ ୬୮
ଅତୁଳ ଅଇଶ୍ୱର୍ଯ୍ୟ ଦେଲେ । କାଳେ ସେ ସଙ୍କଟ ଲଭିଲେ ॥ ୬୯
ଏମନ୍ତ କହି ଗଲେ ମୁନି । ବୃକଦାନବ ତାହା ଶୁଣି ॥ ୭୦
ହିମକେଦାର କୁଣ୍ତେ ଯାଇ । ଅନଳ ଜାଳି ତପ ଦାହି ॥ ୭୧
ପରଶୁ ଘେନି ଦୃଢମୁଷ୍ଟି । ନିଜ ଶରୀରୁ ମାଂସ କାଟି ॥ ୭୨
ଘୃତେ ବୁଡ଼ାଇ ମନ୍ତ୍ର ତୋଳି । ଅନଳେ କ୍ଷେପେ ସ୍ୱାହା ବୋଲି ॥ ୭୩
ଅଗ୍ନି ବଦନେ ରୁଦ୍ରେ ଧ୍ୟାୟି । ଶରୀରୁ ସର୍ବ ମାଂସ ଦେଇ ॥ ୭୪
ଅତି କଠୋର ତପ କଲା । ରୁଦ୍ର ଦର୍ଶନ ନ ପାଇଲା ॥ ୭୫
ମନେ ବିଚାରେ ମହାସୁର । ଆଜି କାଟିବି ନିଜ ଶିର ॥ ୭୬
ପୂର୍ଣ୍ଣଆହୁତି କୁଣ୍ତେ ଦେବି । ଏମନ୍ତ ଦୃଢମନେ ଭାବି ॥ ୭୭
କେଦାରକୁଣ୍ତ ଜଳ ଶିରେ । ଆଣି ସିଞ୍ଚିଲା ବେନି କରେ ॥ ୭୮
ହର ସୁମରି ଶସ୍ତ୍ର ଧରି । ଅନଳକୁଣ୍ତେ ମୁଣ୍ତ କରି ॥ ୭୯
ପରଶୁ ପ୍ରହାରନ୍ତେ କନ୍ଧେ । ତକ୍ଷଣେ ଶଙ୍କର ଆନନ୍ଦେ ॥ ୮୦
ସେ କୁଣ୍ତୁ ହୋଇଲେ ବାହାର । ଅନଳ ପ୍ରାୟ ପଞ୍ଚଶିର ॥ ୮୧
ସଙ୍ଗେ ସୁନ୍ଦରୀ ନିଜ ନାରୀ । ଭୁଜେ ଅସୁର କର ଧରି ॥ ୮୨
ବୋଇଲେ ହୋଇଲି ମୁଁ ତୋଷ । ତୋହର ପୁରାଇବି ଆଶ ॥ ୮୩
ଈଶ୍ୱର କର ଦେହେ ଲାଗି । ଅସୁର ହୋଏ ସୁଖଭାଗୀ ॥ ୮୪
ତକ୍ଷଣେ ନିଜ ଦେହ ପାଇ । ତେଜେ ସୁନ୍ଦର ବିରାଜଇ ॥ ୮୫
ଦେଖି ତାହାର ଦିବ୍ୟ ତେଜ । ବୋଲନ୍ତି ପ୍ରଭୁ ଦେବରାଜ ॥ ୮୬
ତପେ ପ୍ରସନ୍ନ ମୁହିଁ ତୋତେ । ବର ତୁ ମାଗ ଦୃଢଚିତ୍ତେ ॥ ୮୭
ତୋର ଦୁର୍ଲ୍ଲଭ ତପଘୋର । ଯେ ତୋର ଇଚ୍ଛା ମାଗ ବର ॥ ୮୮
ଈଶ୍ୱର ଆଜ୍ଞା ପରମାଣେ । ଅସୁର ନମିଲା ଚରଣେ ॥ ୮୯
ଉଠି ଯୋଡିଣ ବେନି କର । ବୋଇଳ ଶୁଣ ଶୁଳଧର ॥ ୯୦
ମୁଁ ଯାର ମୁଣ୍ତେ ଦେବି କର । ଭସ୍ମ ହୋଇବ ତା ଶରୀର ॥ ୯୧
ଏମନ୍ତ ଅସୁର ବଚନେ । ଦୁଃଖ ବିଚାରି ରୁଦ୍ର ମନେ ॥ ୯୨
ହେଉ ବୋଇଲେ ତ୍ରିଲୋଚନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୯୩
ବିଷ ବର୍ଦ୍ଧନ ମାତ୍ର ଲାଭ । ଦାତାର କାହିଁ ସୁଖଭାବ ॥ ୯୪
ଏମନ୍ତେ ରୁଦ୍ର ବର ପାଇ । ଅସୁର ନିଶ୍ଚଳେ ଅନାଇଁ ॥ ୯୫
ଈଶ୍ୱର ବାମଭୁଜ ଧରି । ବିରାଜେ ତ୍ରିପୁରାସୁନ୍ଦରୀ ॥ ୯୬
ଜଗନ୍ମୋହିନୀ ରୂପ ଚାହିଁ । ଅସୁର ମନେ ବିଚାରଇ ॥ ୯୭
ଏ ରୂପ ଅତି ଅଗୋଚର । ଭୁବନେ ନାହିଁ ପଟାନ୍ତର ॥ ୯୮
ତପର ଫଳମାତ୍ର ଏହୁ । ଏ କନ୍ୟା ମୋତେ ଭୋଗ ହେଉ ॥ ୯୯
ଈଶ୍ୱର ମୁଣ୍ତେ ହସ୍ତ ଦେଇ । ଏ କନ୍ୟା ଘେନି ଯିବି ମୁହିଁ ॥ ୧୦୦
ବର ପ୍ରତ୍ୟକ୍ଷ ଅନୁମାନ । ବିଡିବା ଈଶ୍ୱର ବଚନ ॥ ୧୦୧
ଏମନ୍ତ ମନେ ବିଚାରିଲା । ଈଶ୍ୱର ନିକଟେ ମିଳିଲା ॥ ୧୦୨
ତାହା ଜାଣିଲେ ଶୂଳଧର । ଅସୁର ତୋଳେ ବାମକର ॥ ୧୦୩
ଈଶ୍ୱର ମୁଣ୍ତେ ଦେବ ହସ୍ତ । ତା ଦେଖି ବେଗେ ଉମାକାନ୍ତ ॥ ୧୦୪
ରୁଦ୍ର ପଳାଇଲେ ପ୍ରତ୍ୟେକ୍ଷେ । ଅସୁର ଗୋଡାଇଲା ପଛେ ॥ ୧୦୫
ସ୍ୱଭାବେ ରୁଦ୍ର ମହାବଳ । ଧାଇଁଲେ ଅବନୀ ମଣ୍ତଳ ॥ ୧୦୬
ପଛକୁ ଚାହିଁ ଶିବ ଭୟେ । ଅସୁର ଲାଗେ ପାୟେ ପାୟେ ॥ ୧୦୭
ଦେଖି ବିକଳେ ଭୂମି ଛାଡି । ଶିବ ଧାଇଁଲେ ଶୂନ୍ୟ ମାଡି ॥ ୧୦୮
ସଙ୍ଗେ ଉଡିଲା ମହାସୁର । ଦେଖି ଡରିଲେ ସୁର ନର ॥ ୧୦୯
ରୁଦ୍ର ଧାମନ୍ତେ ଅନ୍ତରାଳେ । ଡାକନ୍ତି ରଖ ଦିଗପାଳେ ॥ ୧୧୦
ହରବଚନ ଶୁଣି କର୍ଣ୍ଣେ । ତ୍ରିଦଶେ ରହିଲେ ମଉନେ ॥ ୧୧୧
ନ ଶୁଣି ଦେବଙ୍କ ଉତ୍ତର । ଭୟେ ପଳାନ୍ତି ଦେବ ହର ॥ ୧୧୨
ପୁଣି ଚାହାନ୍ତି ପଛ ଭରେ । ଅସୁରକର ଲାଗେ ଶିରେ ॥ ୧୧୩
ଏମନ୍ତେ ରୁଦ୍ର ପଳାଇଲେ । ଭୂର୍ଲୋକ ଭୁବର୍ଲୋକେ ଗଲେ ॥ ୧୧୪
ସ୍ୱର୍ଲୋକ ମହର୍ଲୋକ ଜିଣି । ଜନଲୋକରେ ଶୂଳପାଣି ॥ ୧୧୫
ଡାକନ୍ତି ରଖ ମୁନିଜନେ । ବିଲୋଳ ବିକୃତ ବଚନେ ॥ ୧୧୬
ମୁନି ଯେ ଥିଲେ ତପଲୋକେ । ବାକ୍ୟ ନ ସ୍ପୁରେ ତାଙ୍କ ମୁଖେ ॥ ୧୧୭
ତହୁଁ ମିଳିଲେ ବ୍ରହ୍ମଲୋକେ । ମାୟା ଅସୁର ପଛେ ଡାକେ ॥ ୧୧୮
ତା ଶୁଣି ରୁଦ୍ର ଭୟଚିତ୍ତେ । ଧାଇଁଲେ ବଇକୁଣ୍ଠ ପଥେ ॥ ୧୧୯
ଭୟେ କାତର ଶୁଳଧର । ଡାକନ୍ତି ରଖ ଚକ୍ରଧର ॥ ୧୨୦
ତୁ ନିରଞ୍ଜନ ନାରାୟଣ । ରଖ ମୋହର ପଞ୍ଚପ୍ରାଣ ॥ ୧୨୧
ଶରଣ ପଶିଲି ତୋ ପାଦେ । ଡାକନ୍ତି ଶୋକ ଗଦଗଦେ ॥ ୧୨୨
ହେ ଦେବ ଦେବଙ୍କ ଈଶ୍ୱର । ମୋର ଜୀବନ ରକ୍ଷା କର ॥ ୧୨୩
ଭୟ କାତରେ ତୋ ଶରଣେ । ପଶିଲି ଅଭୟ ଚରଣେ ॥ ୧୨୪
ଦୁଷ୍ଟ ଦାନବ ପରାଭାବେ । ହେ ଗଦାଗ୍ରଜ ତୋତେ ଭାବେ ॥ ୧୨୫
ଏକଇ ଆତ୍ମା ତୋର ମୋର । ଏଣୁ ଏ ଅଶେଷ ସଂସାର ॥ ୧୨୬
ତୋହର ମାୟା କେବା ଜାଣି । ଅଶେଷ ଭୁବନେ ପ୍ରମାଣି ॥ ୧୨୭
ଏ ମାୟା ତୋହର ସର୍ଜନ । ଏଣେ ଅଶେଷ ତ୍ରିଭୁବନ ॥ ୧୨୮
ଯେ ମନ୍ଦ ଦୁଷ୍ଟ ମୂଢଜନେ । ତୁ ନାଥ ତାହାଙ୍କ ମାର୍ଜନେ ॥ ୧୨୯
ଜଗତେ ହେଉ ଅବତାର । ତୋ ପାଦନୀର ଗଙ୍ଗାଜଳ ॥ ୧୩୦
ଗୋବିନ୍ଦ ହେ ଗୋକୁଳ ପତି । ଶରଣ ରଖ ଦାଶରଥି ॥ ୧୩୧
ଭୋ ନାଥ ପ୍ରଭୁ ଚକ୍ରପାଣି । ଚତୁରାନନ ସ୍ତୁତି ଭଣି ॥ ୧୩୨
ତୁ ନାଥ ମୀନରୁପ ହେଳେ । ଧରି ପଶିଲୁ ସିନ୍ଧୁଜଳେ ॥ ୧୩୩
ତକ୍ଷଣେ ମାରି ଶଙ୍ଖାସୁର । ବେଦ ଉଦ୍ଧରି ଚକ୍ରଧର ॥ ୧୩୪
ତୋର ସଞ୍ଚିଲା ଏ ଜଗତ । ତୋହର ମାୟାରେ ମୋହିତ ॥ ୧୩୫
ତାହାଙ୍କୁ ସ୍ୱର୍ଗ ମୋକ୍ଷ ଦାନ । ଦେଇ କରାଉ ମହୀୟାନ ॥ ୧୩୬
ସଚରାଚର ମହୀସ୍ଥଳ । ଲୀଳାରେ କଲୁ ଆଦିମୂଳ ॥ ୧୩୭
ଗୋପୀ ବିନୋଦ ପରିପୂର୍ଣ୍ଣ । ଭୋ ନାଥ ତୋର ବେଣୁସ୍ୱନ ॥ ୧୩୮
କୋମଳ ଗଭୀର ଶବଦେ । ଗିରିକାନନ ପୂରେ ନାଦେ ॥ ୧୩୯
ଗୋପାଳବୃନ୍ଦ ରକ୍ଷା ଅର୍ଥେ । ଗିରି ତୋଳିଲୁ ବାମହସ୍ତେ ॥ ୧୪୦
ଏଣୁ ତୋ ନାମ ଗିରିଧର । ମୋର ଜୀବନ ରକ୍ଷାକର ॥ ୧୪୧
ଏମନ୍ତ ସ୍ତୁତି ରୁଦ୍ର ଭଣି । ଡାକନ୍ତି ରଖ ଚକ୍ରପାଣି ॥ ୧୪୨
ମିଳିଲେ ବଇକୁଣ୍ଠ ଦ୍ୱାରେ । କି ପଟାନ୍ତର ଦେବା ତାରେ ॥ ୧୪୩
ପରମଯୋଗୀଙ୍କର ମନ । ଯୋଗରେ ହୋଇ ଯହିଁ ଲୀନ ॥ ୧୪୪
ପରମବ୍ରହ୍ମ ଜ୍ୟୋତି ରୂପେ । ଯାହାର ତେଜ ବିଶ୍ୱବ୍ୟାପେ ॥ ୧୪୫
ଯହିଁ ଅଶେଷ ଲୋକଗତି । ଜନଜୀବନ ରମାପତି ॥ ୧୪୬
ଶିବ ବିକଳ କର୍ଣ୍ଣେ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୧୪୭
ମାୟାବଟୁକ ରୂପ ଧରି । ପଥେ ମିଳିଲେ ନରହରି ॥ ୧୪୮
ଚର୍ମମେଖଳା କଟିଭରେ । ତ୍ରିଦଣ୍ତ କମଣ୍ତଳୁ କରେ ॥ ୧୪୯
କଣ୍ଠେ ଲମ୍ବଇ ଅକ୍ଷମାଳ । ମାୟା -ମୂରତି ଆଦିମୂଳ ॥ ୧୫୦
ଅନଳ ପ୍ରାୟେ ତେଜ ଦିଶି । ପଥେ ମିଳିଲେ କୃଷ୍ଣ ଆସି ॥ ୧୫୧
କଲ୍ୟାଣ କରି କୁଶହସ୍ତେ । ବିନୋଇ ବାକ୍ୟ ନାନାମତେ ॥ ୧୫୨
ବୋଲନ୍ତି ପ୍ରଭୁ ଭଗବାନ । କୋମଳ ଗଭୀର ବଚନ ॥ ୧୫୩
;ଭଗବାନ ଉବାଚ
ଶକୁନି ପୁତ୍ର ତୁହି ଏକ । ତୋହର ନାମ ପରା ବୃକ ॥ ୧୫୫
ତୁ ଅତିଦୁଃଖେ ଶ୍ରାନ୍ତ ହୋଇ । ଗଗନେ କିମ୍ବା ଅଛୁ ଧାଇଁ ॥ ୧୫୬
ତୋର ସୁନ୍ଦର ନିଜ ତନୁ । ଅଖିଳ ଫଳ କାମଧେନୁ ॥ ୧୫୭
ଆତ୍ମାରେ ଅତି ଶ୍ରମ କରି । ହୃଦରେ ମହାକୋପ ଭରି ॥ ୧୫୮
କିମ୍ବା ଗଗନେ ପାଉ ଶ୍ରମ । ମୋ ଆଗେ କ୍ଷଣେ ତୁ ବିଶ୍ରମ ॥ ୧୫୯
କହ କି ଅର୍ଥେ ତୋ ଗମନ । ଶୁଣିତେ ଶ୍ରଦ୍ଧା ମୋର ମନ ॥ ୧୬୦
ପ୍ରାଣୀ ଯେ ଆପଣାର ହିତେ । କର୍ମ ସାଧନ୍ତି ଅବିରତେ ॥ ୧୬୧
କହ କେବଣ କଥା ତୋର । ହସି ବୋଲନ୍ତି ମାୟାଧର ॥ ୧୬୨
ବୋଲନ୍ତି ଶୁକ ମହାମୁନି । ଏମନ୍ତ କୃଷ୍ଣକଥା ଶୁଣି ॥ ୧୬୩
କୃଷ୍ଣର କହିଲା ସର୍ବକଥା । ଈଶ୍ୱର ତପସ୍ୟା ବ୍ୟବସ୍ଥା ॥ ୧୬୪
ଶୁଣି ହସିଲେ ଭଗବାନ । କହନ୍ତି ମୋହନ ବଚନ ॥ ୧୬୫
ରୁଦ୍ର ବୋଇଲେ ତୋତେ ଯାହା । ସତ ନ କରୁ ଆମ୍ଭେ ତାହା ॥ ୧୬୬
ଦକ୍ଷ ଯେ ପ୍ରଜାପତି ଥିଲା । କୋପେ ରୁଦ୍ରକୁ ଶାପ ଦେଲା ॥ ୧୬୭
ସେ ଶାପ ପାଇ ଦେବ ହର । କ୍ରୋଧ ବହିଲେ ନିରନ୍ତର ॥ ୧୬୮
ତେଣୁ ଦୁରାତ୍ମା ପଦ ପାଇ । ପ୍ରେତ ପିଶାଚ ମଧ୍ୟେ ଥାଇ ॥ ୧୬୯
ଭୂତ ବେତାଳ ପ୍ରତଗଣେ । ଭ୍ରମଇ ଶମଶାନ ସ୍ଥାନେ ॥ ୧୭୦
ତାର ବଚନେ ପ୍ରତେ କାହିଁ । ଭଲେ ଜାଣଇଁ ଏହା ମୁହିଁ ॥ ୧୭୧
ତୋର ବିଚାରେ ଯେବେ ରୁଚେ । ଏଠାରେ ବୁଝ ତୁ ପ୍ରତ୍ୟକ୍ଷେ ॥ ୧୭୨
ଆପଣା ମୁଣ୍ତେ ଦିଅ କର । କିଛି ହିଁ ନୋହିବ ତୋହର ॥ ୧୭୩
ତୋତେ ଭଣ୍ତିଲା ଯେଣୁ ମିଛେ । ତେଣୁ ସେ ପଳାଏ ପ୍ରତ୍ୟକ୍ଷେ ॥ ୧୭୪
ତୁ ତାହା ବାକ୍ୟ ସତ୍ୟ କରି । ଗଗନେ ଭ୍ରମୁ ଅନୁସରି ॥ ୧୭୫
ଏମନ୍ତ ଗୋବିନ୍ଦର ବାଣୀ । ଅସୁର ଚିତ୍ତେ ପରିମାଣି ॥ ୧୭୬
ବିଷ୍ଣୁମାୟାରେ ମୋହ ଗଲା । ଆପଣା ମୁଣ୍ତେ ହସ୍ତ ଦେଲା ॥ ୧୭୭
ତକ୍ଷଣେ ହୋଇ ଭସ୍ମରାଶି । ଗଗନେ ଉଡି ଦିଗେ ମିଶି ॥ ୧୭୮
ବଜ୍ରପ୍ରହାରେ ଗିରି ଯେହ୍ନେ । ବିବୁଧେ ଦେଖନ୍ତି ଗଗନେ ॥ ୧୭୯
କରନ୍ତି ଜୟ ଜୟ ବାଣୀ । ନାମ ଶବଦେ ସ୍ତୁତି ଭଣି ॥ ୧୮୦
ସାଧୁଶବଦ ଦଶଦିଶେ । ଆକାଶୁଁ କୁସୁମ ବରଷେ ॥ ୧୮୧
ପାପିଷ୍ଠ ବକାସୁର ନାଶେ । ରୁଦ୍ର ମିଳିଲେ କୃଷ୍ଣ ପାଶେ ॥ ୧୮୨
ପିତୃ ଦେବତା ଋଷିଗଣ । ସଙ୍ଗତେ ଅମ୍ବିକାରମଣ ॥ ୧୮୩
ଅସୁର ସଂକଟୁ ନିସ୍ତରି । ହରିଙ୍କି ଆଲିଙ୍ଗନ କରି ॥ ୧୮୪
ଗୋବିନ୍ଦ ହରମୁଖ ଚାହିଁ । ବୋଲନ୍ତି କରେ କର ଦେଇ ॥ ୧୮୫
ହେ ଦେବ ଦେବଙ୍କ ଈଶ୍ୱର । ତୋ ଅପରାଧୀ ଏ ଅସୁର ॥ ୧୮୬
ଅର୍ଜିତ କର୍ମେ ଗଲା ନାଶ । ଏ ସତ୍ୟ ଧର୍ମର ବିଶ୍ୱାସ ॥ ୧୮୮
ଦେବହେଳନ ଯେ କରନ୍ତି । ସ୍ୱକର୍ମ ଫଳ ସେ ଭୁଞ୍ଜନ୍ତି ॥ ୧୮୯
ଏମନ୍ତେ କୃଷ୍ଣର ବଚନେ । ଗଲେ ସେ ଯେ ଯାହା ଭୁବନେ ॥ ୧୯୦
କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡାମଣି ॥ ୧୯୧
ଗିରିଶ ମୋକ୍ଷ ଯେ ଶୁଣନ୍ତି । ସର୍ବ ସଙ୍କଟୁ ନିସ୍ତରନ୍ତି ॥ ୧୯୨
ହରି ମହିମା ଦୃଢ ଚିତ୍ତେ । ସୁଜନେ ଶୁଣ ଭାଗବତେ ॥ ୧୯୩
ସୁଜନେ ଏଣେ କର ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁଦ୍ରମୋକ୍ଷଣଂ
ନାମ ଚତୁର୍ନବତିତମ ଅଧ୍ୟାୟ ॥
</poem>
==='''ପଞ୍ଚନବତିତମ ଅଧ୍ୟାୟ'''===
<poem>
;ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ । କୃଷ୍ଣ ମହିମା ଭାଗବତ ॥ ୧
ପୂର୍ବେ ଯେ ସରସ୍ୱତୀ ତୀରେ । ମିଳି ସକଳ ମୁନିବରେ ॥ ୨
ଯଜ୍ଞ କରିବା ଅନୁମତେ । ବିଚାର କଲେ ସର୍ବଶାସ୍ତ୍ରେ ॥ ୩
ଜଗତେ ଦେବଦେବ ତିନି । ବିଷ୍ଣୁ ଶଙ୍କର ପଦ୍ମଯୋନି ॥ ୪
ଏ ତିନି ମଧ୍ୟେ ଯେ ପ୍ରଧାନ । ସେ ଆମ୍ଭର ଯଜ୍ଞରେ ବରଣ ॥ ୫
ଏମନ୍ତେ କରି ସନମତ । ଭୃଗୁ ନାମେଣ ବ୍ରହ୍ମାସୁତ ॥ ୬
ଏ ତିନି ଦେବତା କଳନେ । ତାହାଙ୍କୁ ପେଶି ଦୂତପଣେ ॥ ୭
ବୋଇଲେ ବଚନ ବିଶ୍ୱାସ । ତିନି ଦେବଙ୍କୁ ବରି ଆସି ॥ ୮
ଋଷିଙ୍କ ଆଜ୍ଞା ଘେନି ବେଗେ । ଭୃଗୁ ଚଳିଲେ ଶୂନ୍ୟମାର୍ଗେ ॥ ୯
ବ୍ରହ୍ମାର ସଭା ମଧ୍ୟେ ଯାଇ । ଭୃଗୁ ମିଳିଲେ ଛଳ ବହି ॥ ୧୦
ବ୍ରହ୍ମାଙ୍କୁ ଛଳିବାର ଆଶେ । ଅବଜ୍ଞା କରି ବସି ପାଶେ ॥ ୧୧
ବ୍ରହ୍ମାଙ୍କୁ ପ୍ରଣାମ ନକଲେ । ସ୍ତୁତି ବଚନ ନ ବୋଇଲେ ॥ ୧୨
ତା ଦେଖି ବ୍ରହ୍ମା ମହାକୋପି । ଗାଢେ ଦଶନେ ଓଷ୍ଠ ଚାପି ॥ ୧୩
ବୋଲନ୍ତି ଜ୍ୟେଷ୍ଠପୁତ୍ର ଏହି । ଏ ମୋତେ ଅବଜ୍ଞା ସେ ବହି ॥ ୧୪
ପୁଣି ବିଚାରି ଦିବ୍ୟଜ୍ଞାନେ । ପୁତ୍ରଙ୍କୁ ନାଶିବା କେସନେ ॥ ୧୫
ଏହାକୁ କଲେ ଆଜ ନାଶ । ମୋତେ ହୋଇବ ଅପଯଶ ॥ ୧୬
ଏତେ ବିଚାରି ଦୁଷ୍ଟମନ । ତକ୍ଷଣେ ବ୍ରହ୍ମା କଲେ ଶମ ॥ ୧୭
ଅନଳ ଯେହ୍ନେ ଜଳ ପାଇ । ଲିଭଇ କୁଣ୍ତ ମଧ୍ୟେ ଥାଇ ॥ ୧୮
ଭୃଗୁକୁ ପୁତ୍ରଭାବ ଘେନି । ଶାନ୍ତ ହୋଇଲେ କୁଶପାଣି ॥ ୧୯
ତାହା ଜାଣିଲେ ବ୍ରହ୍ମାସୁତ । କପୋଳେ ଦେଇ ଘେନି ହସ୍ତ ॥ ୨୦
ପ୍ରଣମି ବ୍ରହ୍ମାଙ୍କ ଚରଣେ । ଭୃଗୁ ଚଳିଲେ ତତକ୍ଷଣେ ॥ ୨୧
ପଥେ ଚଳନ୍ତେ ମନତୋଷେ । ମିଳିଲେ କଇଳାସ ଦେଶେ ॥ ୨୨
ରୁଦ୍ର ଉଠିଲେ ଭୃଗୁ ଚାହିଁ । ବୋଲନ୍ତି ଏ ମୋ ଜ୍ୟେଷ୍ଠଭାଇ ॥ ୨୩
ଧାଇଁଲେ ଆଲିଙ୍ଗନ ଆଶେ । ଭୃଗୁ ଚଳିଲେ ବାମ ପାଶେ ॥ ୨୪
ତା ଦେଖି ରୁଦ୍ର କୋପଭରେ । ବେଗେ ତ୍ରିଶୁଳ ଧରି କରେ ॥ ୨୫
ଧାଇଁଲେ ଅରୁଣଲୋଚନେ । ଦହିବା ପ୍ରାୟ ତ୍ରିଭୁବନେ ॥ ୨୬
ତା ଦେଖି ଭୃଗୁ କରଯୋଡି । ବେଗେ ଶଙ୍କର ପାଦେ ପଡି ॥ ୨୭
ଅନେକ ସ୍ତୁତିବାକ୍ୟ ଭଣି । ଶାନ୍ତ କରାଇ ଶୂଳପାଣି ॥ ୨୮
ଅନେକ ମତେ ଭାବ କଲେ । ତକ୍ଷଣେ ବଇକୁଣ୍ଠ ଗଲେ ॥ ୨୯
ଦ୍ୱାରେ ପଶନ୍ତେ ବ୍ରହ୍ମାସୂତ । ଶୁଣିଲେ ବିଷ୍ଣୁ ନିଦ୍ରାଗତ ॥ ୩୦
ମୁହୂର୍ତ୍ତେ ରହି ଅବକାଶେ । ତକ୍ଷଣେ ଭୃଗୁ ମହାରୋଷେ ॥ ୩୧
ବିଷ୍ଣୁ ଶୟନସ୍ଥାନେ ମିଳି । ନିଦ୍ରା ଅଚେତ ବନମାଳୀ ॥ ୩୨
ଉତ୍ତାନ ଶୟନେ ଆନନ୍ଦେ । ତା ଦେଖି ଭୃଗୁ ମହା କ୍ରୋଧେ ॥ ୩୩
ବ୍ରାହ୍ମଣପଣେ ଗର୍ବ ବହି । ପାଦେ ମାଇଲେ ହୃଦେ ନେଇ ॥ ୩୪
କୋପେ ଗର୍ଜନ୍ତି ଗରୁତର । ଶୁଣି ଉଠିଲେ ଚକ୍ରଧର ॥ ୩୫
ଲକ୍ଷ୍ମୀର କରେ ଧରି ମୁଷ୍ଟି । ପଲ୍ୟଙ୍କୁ କୃଷ୍ଣ ବେଗେ ଉଠି ॥ ୩୬
ବିପ୍ରଚରଣେ ତଳେ ପଡି । ବୋଲନ୍ତି ବେନିକର ଯୋଡି ॥ ୩୭
ଭୋ ବିପ୍ର ତୋର ଆଗମନ । ଆଜ ଶରୀର ମୋର ଧନ୍ୟ ॥ ୩୮
ଭୋ ବିପ୍ର ବସ ଏ ଆସନେ । ଅପ୍ରାଧ କଲି ମୁଁ ଅଜ୍ଞାନେ ॥ ୩୯
ଏ ଅପରାଧ କ୍ଷମା କର । କୋମଳ ଚରଣ ତୁମ୍ଭର ॥ ୪୦
କଠୋର ହୃଦୟେ ବାଜିଲା । ମୋ ମନେ କଷ୍ଟ ଉପୁଜିଲା ॥ ୪୧
ନପୁଣ ବଥାଇ ଚରଣ । ଏମନ୍ତ ବୋଲି ନାରାୟଣ ॥ ୪୨
ବିପ୍ରଚରଣ ଜଳେ ଧୋଇ । ପାଦଉଦକ ଶିରେ ଲଇଁ ॥ ୪୩
ଆଜ ଶରୀର ମୋର ଧନ୍ୟ । ପବିତ୍ର ହୋଇଲା ଜୀବନ ॥ ୪୪
ଏ ବିଶ୍ୱ ସଂସାର ସମେତ । ଲୋକପାଳକ ଛନ୍ତି ଯେତେ ॥ ୪୫
ଆଜ ପବିତ୍ର ଏ ସକଳେ । ତୋ ପାଦରଜ ତୀର୍ଥଜଳେ ॥ ୪୬
ଭୋ ବିପ୍ରବର ମୋର ହୃଦେ । କମଳା ବସଇ ଆନନ୍ଦେ ॥ ୪୭
ଆଜ ପବିତ୍ର ମୋର ଘର । ଧନ୍ୟ ଏ ଜୀବନ ମୋହର ॥ ୪୮
ଅତି ଆଦରେ ନାରାୟଣ । ପୂଜିଲେ ଭୃଗୁର ଚରଣ ॥ ୪୯
ମଧୁର ବାକ୍ୟେ ଲକ୍ଷ୍ମୀପତି । ବ୍ରାହ୍ମଣ ମନ କଲେ ଶାନ୍ତି ॥ ୫୦
ବିଷ୍ଣୁ ମହିମା ଗୁଣ ଦେଖି । ଭୃଗୁ ବୁଜିଲେ ବେନି ଆଖି ॥ ୫୧
କଣ୍ଠକୁଣ୍ଠିତ ମନ୍ଦସ୍ୱର । ରୋମପୁଲକ କଳେବର ॥ ୫୨
ବିଷ୍ଣୁର ଭାବ ହୃଦେ ବହି । ଭୃଗୁ ଚଳିଲେ ତୋଷ ହୋଇ ॥ ୫୩
ଏମନ୍ତେ ବିଷ୍ଣୁଭାବ ଭୋଳେ । ମିଳିଲେ ସରସ୍ୱତୀ କୂଳେ ॥ ୫୪
ବ୍ରହ୍ମଋଷିଙ୍କ ମଧ୍ୟେ ଯାଇ । ବୋଲନ୍ତି ଶିରେ କର ଦେଇ ॥ ୫୫
ବ୍ରାହ୍ମଣ କହେ ସର୍ବକଥା । ଯାହାର ଯେମନ୍ତ ବ୍ୟବସ୍ଥା ॥ ୫୬
ଭୃଗୁବଚନ ବିପ୍ରେ ଶୁଣି । ବିଷ୍ଣୁ ମହିମା ପରିମାଣି ॥ ୫୭
ଯେ ହରି ଜଗତଠାକୁର । ମିତ୍ର ଅଇରି ନାହିଁ ଯାର ॥ ୫୮
ତାର ସ୍ମରଣେ ମନ ଶାନ୍ତି । ନ ଲାଗେ ଭବବନ୍ଧ ଭ୍ରାନ୍ତି ॥ ୫୯
ଯାର ଚିନ୍ତନେ ଧର୍ମଜ୍ଞାନ । ଶୁଚି ନିଷ୍କାମେ ଯୋଗ କ୍ଷେମ ॥ ୬୦
ନିର୍ମଳ ଯଶ ବିକାଶଇ । ଯାର ସ୍ମରଣେ ପାପ ନାହିଁ ॥ ୬୧
ମୁନି ସନ୍ନ୍ୟାସୀ ଶାନ୍ତନର । ସମଦରଶୀ ଚିତ୍ତ ଯାର ॥ ୬୨
ଯେ ଅବା ଅକିଞ୍ଚନ ଜନ । ତାହାଙ୍କ ଗତି ଭଗବାନ ॥ ୬୩
ଯା ପ୍ରିୟରୂପ ସତ୍ତ୍ୱଗୁଣ । ଯା ଇଷ୍ଟ ଦେବତା ବ୍ରାହ୍ମଣ ॥ ୬୪
ତାହାକୁ ଯଜ୍ଞେ ପୂଜା କରି । ସକଳ ଦୁଃଖ ଅପହରି ॥ ୬୫
ତ୍ରିଗୁଣେ ତିନି ରୂପ ତାର । ରାକ୍ଷସ ଅସୁର ଯେ ସୁର ॥ ୬୬
ଯେ ରୂପ ସତ୍ତ୍ୱଗୁଣମୟ । ତହୁଁ ମିଳିଲା ସର୍ବଶ୍ରେୟ ॥ ୬୭
ନିର୍ମଳ ଚିତ୍ତେ ମୁନିଗଣେ । କାନନେ ନିଶ୍ଚଳେ ଆସନେ ॥ ୬୮
ଗୋବିନ୍ଦପାଦେ ଧ୍ୟାନ କରି । ହେଳେ ତରିଲେ ଭବବାରି ॥ ୬୯
ବୋଲଇ ବିପ୍ର ଜଗନ୍ନାଥ । କୃଷ୍ଣ ମହିମା ବ୍ୟାସସୁତ ॥ ୭୦
ଯାହା କହିଲେ ରାଜା ଆଗେ । ସୁଜନେ ଚିନ୍ତ ସେହି ମାର୍ଗେ ॥ ୭୧
ପୁରାଣ ଭାଗବତ ବାଣୀ । କେ କହିପାରେ ପରିମାଣି ॥ ୭୨
କୃଷ୍ଣ ସକଳ ପ୍ରାଣୀ ଦେହେ । ଦୃଶ୍ୟଅଦୃଶ୍ୟେ ଜ୍ଞାନମୋହେ ॥ ୭୩
ନିର୍ଲେପ ସାକ୍ଷୀରୂପ ହୋଇ । ଯାହାକୁ ଯେତେ ଜ୍ଞାନ ଦେଇ ॥ ୭୪
ସକଳ ଜନ୍ତୁ ଚିତ୍ତଗତେ । ଗତ ଆଗତ କର୍ମପଥେ ॥ ୭୫
ଭ୍ରମଣ ଦୁଃଖ କରେ ଦୂର । ଯେବେ ଭଜଇ ତା ପୟର ॥ ୭୬
ଶୁଣ ରାଜନ ସାବଧାନେ । ବ୍ରାହ୍ମଣ ଦ୍ୱାରକା ଭୁବନେ ॥ ୭୭
ସେ ବିପ୍ର ଦ୍ୱାରକା ବସତି । ପତ୍ନୀର ଗର୍ଭେ ତା ସନ୍ତତି ॥ ୭୮
ଗର୍ଭପ୍ରସବ କାଳେ ତାର । ଯେତେ ଉପୁଜିଲେ କୁମର ॥ ୭୯
ଗର୍ଭରେ ଦଶମାସ ଥାନ୍ତି । ଭୂମିରେ ପଡିଲେ ମରନ୍ତି ॥ ୮୦
ସେ ମୃତପିଣ୍ତ କୋଳେ ଧରି । ବିପ୍ର ବିକଳେ ଶୋକ କରି ॥ ୮୧
କୃଷ୍ଣର ଦ୍ୱାରେ ନେଇ ଥୋଇ । ବିପ୍ର ବୋଲଇ କୋପ ବହି ॥ ୮୨
ବ୍ରହ୍ମହିଂସକ ଯଦୁବଂଶ । ଶଠ ହୃଦୟ ଅବିଶ୍ୱାସ ॥ ୮୩
ନିର୍ଦ୍ଦୟ ବୁଦ୍ଧି ଦୁରାଚାର । ଦୁଃଶୀଳ ପାପିଷ୍ଠ ଆମର ॥ ୮୪
ଗର୍ବିତ ବିଷୟ ବିଳାସେ । ଏମନ୍ତ ରାଜା କର୍ମଦୋଷେ ॥ ୮୫
ଦଣ୍ତେ ନଥାଇ ଏହା ଦେଶେ । ଏମନ୍ତ ବୋଲି ମହାରୋଷେ ॥ ୮୬
ମୋ ପୁତ୍ର ଜନ୍ମକାଳେ ମଲା । ଏମନ୍ତ ବୋଲି ଶୋକ କଲା ॥ ୮୭
ପୁଣି ବୋଲଇ ଖେଦଚିତ୍ତେ । ଏ ଦୁଷ୍ଟକାଳ ବିପରୀତେ ॥ ୮୮
ହିଂସା ବେଭାର ନରରାୟ । ଦୁଃଶୀଳ ଅଜିତ ଇନ୍ଦ୍ରିୟ ॥ ୮୯
ଏମନ୍ତ ନରପତି ଦେଶେ । ଯେ ପ୍ରଜା ରହନ୍ତି ବିଶ୍ୱାସେ ॥ ୯୦
ଦୁଃଖୀ ଦରିଦ୍ର ହୋନ୍ତି ନିତ୍ୟେ । ମରନ୍ତି କାଳ ଅପ୍ରାପତେ ॥ ୯୧
ଏମନ୍ତେ ବାଳକ ପକାଇ । ବିପ୍ର କାନ୍ଦଇ ଗୃହେ ଚାହିଁ ॥ ୯୨
ଏମନ୍ତେ ପ୍ରତି ସମ୍ବତ୍ସରେ । ପୁତ୍ର ମରନ୍ତେ ବିପ୍ରଘରେ ॥ ୯୩
ପୁଣି ପକାଇ ରାଜଦ୍ୱାରେ । ବିପ୍ର କାନ୍ଦଇ ଉଚ୍ଚସ୍ୱରେ ॥ ୯୪
ନିତ୍ୟେ ନିନ୍ଦଇ କୃଷ୍ଣ ରାମ । ବିପ୍ର ସ୍ୱଭାବେ ଗରୁତମ ॥ ୯୫
ଏକ ଦ୍ୱିତୀୟ ବୋଲି ଗଣେ । ତୃତୀୟ ଚତୁର୍ଥ ପ୍ରମାଣେ ॥ ୯୬
କୃଷ୍ଣର ଦ୍ୱାରେ ପୁତ୍ର ଥୋଇ । କୋପେ ଅନେକ ଗାଳି ଦେଇ ॥ ୯୭
ଏମନ୍ତେ ନବ ପୁତ୍ର ମଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା ॥ ୯୮
ଅର୍ଜୁନ ଥିଲା ନିଜ ଦେଶେ । ଏକଥା ଶୁଣି ସେ ବିଶ୍ୱାସେ ॥ ୯୯
ମିଳିଲା ରାଜଦ୍ୱାରେ ଆସି । ଦେଖିଲା ବିପ୍ର ଅଛି ବସି ॥ ୧୦୦
ମୃତବାଳକ ଧରି କୋଳେ । କାନ୍ଦଇ ଜୀବନ ବିକଳେ ॥ ୧୦୧
ନିନ୍ଦଇ ରାମ ବନମାଳୀ । ଗର୍ଜଇ କୋପେ ଦେଇ ଗାଳି ॥ ୧୦୨
ବିଷ୍ଣୁନନ୍ଦନ ବାକ୍ୟ ଶୁଣି । କୋପେ ଚାହିଁଲା ବୀରମଣି ॥ ୧୦୩
ବ୍ରାହ୍ମଣ ବୋଲି ଭୟ ପାଇ । କର ଅଞ୍ଜଳି ଶିରେ ଦେଇ ॥ ୧୦୪
ବୋଲଇ ଶୁଣ ବିପ୍ରବର । ଏ କୋପ ଶୋକ ତୁ ସଂହର ॥ ୧୦୫
ତୋହର ରାଜ୍ୟେ ବିପ୍ରବର । ବୀର କି ନାହିଁ ଧନୁର୍ଦ୍ଧର ॥ ୧୦୬
ବ୍ରାହ୍ମଣ ପ୍ରାୟ ଯଜ୍ଞ କରି । କିବା ବୁଲନ୍ତି ପେଟ ଭରି ॥ ୧୦୭
ଧନ ତନୟ ଦାରାଯୁତେ । ଯହିଁ ବ୍ରାହ୍ମଣ ଶୋକଚିତ୍ତେ ॥ ୧୦୮
ଜନ ପରଜା ଯହିଁ ଦୁଃଖୀ । ପଣ୍ତିତ ଜନେ ନିରିମାଖି ॥ ୧୦୯
ସେ ରାଜା ରାଜକୁଳେ ହୀନ । ଧିକତ ତାହାର ଜୀବନ ॥ ୧୧୦
ଜନ ପରଜା ନ ରଖନ୍ତି । ନଟଙ୍କ ପ୍ରାୟ ସେ ଜୀଅନ୍ତି ॥ ୧୧୧
ଏବେ ହୋ ବିପ୍ରବର ଶୁଣ । ଦେଖ ମୋହର ବୀରପଣ ॥ ୧୧୨
ଧନୁ ଗାଣ୍ତୀବେ ଗୁଣ ଦେଇ । ତୋ ରିପୁ ସଂହାରିବି ମୁହିଁ ॥ ୧୧୩
ରଖିବି ତୋହର ବାଳକ । ମୋର ପ୍ରତିଜ୍ଞା ଏବେ ଦେଖ ॥ ୧୧୪
ପ୍ରସବକାଳେ ତୋର ଘରେ । ମୁଁ ଧନୁ ଧରିଥିବି କରେ ॥ ୧୪୫
ରଖିବି ତୋହର କୁମର । ସତ୍ୟବଚନ ଏ ମୋହର ॥ ୧୪୬
ଦେଖ ମୋହର ଧନୁଦୀକ୍ଷା । ଯେବେ ନ ପାରେ କରି ରକ୍ଷା ॥ ୧୪୭
ଅନଳେ ଛାଡିବି ମୁଁ ପ୍ରାଣ । ତା ଶୁଣି ବୋଲଇ ବ୍ରାହ୍ମଣ ॥ ୧୪୮
ସଙ୍କରଷଣ ଦାମୋଦର । ପ୍ରଦ୍ୟୁମ୍ନ ରୁକ୍ମିଣୀକୁମର ॥ ୧୪୯
ଶାମ୍ବକୁମର ଅନିରୁଦ୍ଧ । ଧନୁ ସଂଗ୍ରାମେ ମହାଯୋଦ୍ଧ ॥ ୧୫୦
ଏ ସର୍ବେ ମୋ ପୁତ୍ର ରକ୍ଷଣେ । କ୍ଷମ ନୋହିଲେ କେହି ଜଣେ ॥ ୧୫୧
କି ଅର୍ଥେ ରଖିବି ମୁଁ ଆଶା । ଦେଖାଇ କରୁଛୁ ଭରସା ॥ ୧୫୨
ଏଣେ ମୋହର ପ୍ରତେ ନାହିଁ । ତୋ ବୀରପଣ ମୁଁ ଜାଣଇ ॥ ୧୫୩
ଶୁଣି ଅର୍ଜୁନ କୋପଭରେ । ଶ୍ରୀ ଜଗନ୍ନାଥ ଭରସାରେ ॥ ୧୫୪
ବୋଲଇ ଧନୁ ଧରି କର । ଭୋ ବିପ୍ର ସତ୍ୟ ଏ ମୋହର ॥ ୧୫୫
ଭୋ ବିପ୍ର ଶୁଣ ମୋ ବଚନ । ମୁଁ ନୋହେ ରୋହିଣୀନନ୍ଦନ ॥ ୧୫୬
କୃଷ୍ଣ ପ୍ରଦ୍ୟୁମ୍ନ ନୋହେ ମୁହିଁ । ଅର୍ଜୁନ ନାମ ମୁଁ ବୋଲାଇ ॥ ୧୫୭
ଦେଖ ଗାଣ୍ତୀବଧନୁ ମୋର । ରଣେ ମୁଁ ତୋଷିଲି ଈଶ୍ୱର ॥ ୧୫୮
ଅକ୍ଷୟ ତୂଣ ମୋର ହସ୍ତେ । ଏକଥା ବିଦିତ ଜଗତେ ॥ ୧୫୯
ମୃତ୍ୟୁଦେବତା ରଣେ ଜିଣି । ତୋର ବାଳକ ଦେବି ଆଣି ॥ ୧୬୦
ନ ଦେଲେ ଛାଡିବି ଜୀବନ । ଶୁଣି ସାନନ୍ଦ ବିପ୍ରମନ ॥ ୧୬୧
ମୃତବାଳକ ରାଜଦ୍ୱାରେ । ଥୋଇ ଚଳିଲା ନିଜ ପୁରେ ॥ ୧୩୨
ଶୋକ ହରଷ ଖେଦଛନ୍ନେ । ଅର୍ଜୁନ ତେଜ ଗୁଣ ମନେ ॥ ୧୩୩
ଏମନ୍ତେ ସମ୍ବତ୍ସର ପରେ । ବିପ୍ର କାମିନୀ ନିଜ ଘରେ ॥ ୧୩୪
ଗର୍ଭ ହୋଇଲା ଦଶମାସ । ଦେଖି ବ୍ରାହ୍ମଣ ମନେ ତ୍ରାସ ॥ ୧୩୫
ବିକଳେ ଅର୍ଜୁନ ସୁମରି । ଉଚ୍ଚେ ଡାକଇ ନାମ ଧରି ॥ ୧୩୬
ହେ ବୀରମଣି ରକ୍ଷାକର । ମରଣ ମୁଖୁଁ ମୋ କୁମର ॥ ୧୩୭
ଶୁଣି ଅର୍ଜୁନ ବେଗେ ଧାଇଁ । ମିଳିଲା ବିପ୍ରଦ୍ୱାରେ ଯାଇ ॥ ୧୩୮
କର ଚରଣ ମୁଖ ଧୋଇ । ତକ୍ଷଣେ ଶୁଚିମନ୍ତ ହୋଇ ॥ ୧୩୯
ହର ଗଉରୀ ପାଦ ଚିନ୍ତି । ନମଇଁ ପୁଣପୁଣ କ୍ଷିତି ॥ ୧୪୦
ଗାଣ୍ତୀବେ ଗୁଣ ଦେଇ କରେ । ମନ୍ତ୍ର ସୁମରି ବିପ୍ରଘରେ ॥ ୧୪୧
ରୁନ୍ଧିଲା ନାନାଶସ୍ତ୍ର ଯୋଗେ । ବିପ୍ରଭୁବନ ଦଶଦିଗେ ॥ ୧୪୨
ପଞ୍ଜୁରୀ ମଧ୍ୟେ ଯେହ୍ନେ ପକ୍ଷୀ । ବିପ୍ରଭୁବନ ତେହ୍ନେ ଲକ୍ଷ୍ୟ ॥ ୧୪୩
ଏମନ୍ତେ ଜନ୍ମିଲା ନନ୍ଦନ । ଅର୍ଜୁନ ଶୁଣିଲା ରୋଦନ ॥ ୧୪୪
ଭୂମି ସ୍ପରଶେ ଶୂନ୍ୟେ ଗଲା । ବାଳକ କେହି ନ ଦେଖିଲା ॥ ୧୪୫
ତକ୍ଷଣେ ବିପ୍ର କୋପଭରେ । ମିଳିଲା ଅର୍ଜୁନ ଛାମୁରେ ॥ ୧୪୬
ବୋଲଇ ପୁରୁଷ ବଚନ । ଧିକ ଅର୍ଜୁନ ତୋ ଜୀବନ ॥ ୧୪୭
ତୋହର ନପୁଂସକ ବାଣୀ । ମୁହିଁ ପାପିଷ୍ଠ ତାହା ଶୁଣି ॥ ୧୪୮
ନ ଜାଣି ହୋଇଲି ହରଷ । ଏବେ ମୁଁ ନିଶ୍ଚୟେ ନିରାଶ ॥ ୧୪୯
ମୃତବାଳକ ଧରି କୋଳେ । ଦଣ୍ତେ ଦେଖଇ ବେନିଡୋଳେ ॥ ୧୫୦
ଏବେ ମୋ ପୁତ୍ରକ୍ଷ ଗଲା କେଣେ । ଧନ୍ୟ ଅର୍ଜୁନ ବୀରପଣେ ॥ ୧୫୧
ରୁକ୍ମିଣୀପୁତ୍ର ମହାଯୋଦ୍ଧ । ତାହାର ପୁତ୍ର ଅନିରୁଦ୍ଧ ॥ ୧୫୨
ସଙ୍କରଷଣ ଜଗନ୍ନାଥ । ଏ ଯହିଁ ନୋହିଲେ ସମର୍ଥ ॥ ୧୫୩
କାହାର ବଳ ରକ୍ଷା କରି । ମର୍ତ୍ତେ ମାନବ ଦେହ ଧରି ॥ ୧୫୪
ଧିକ ତୋହର ମିଥ୍ୟା ବାଣୀ । ପ୍ରତିଜ୍ଞା କଲୁ ତୁ ନ ଜାଣି ॥ ୧୫୫
ଧିକ ଗାଣ୍ତିବଧନୁ ତୋର । ବିବିଧ ଶସ୍ତ୍ର ଉପହାର ॥ ୧୫୬
ଦଇବେ ହତକର୍ମ ତୋର । କୁମତି ପାପିଷ୍ଠ ପାମର ॥ ୧୫୭
ମୁଖେ ଯେ କହୁ ଗର୍ବରାଣୀ । ଆପଣାବଳ ତୁ ନ ଜାଣି ॥ ୧୫୮
ଏମନ୍ତ ବିପ୍ର କୋପବାଣୀ । ଅର୍ଜୁନ ସାବଧାନେ ଶୁଣି ॥ ୧୫୯
ବିବିଧ ମତେ ବିଧି କରି । ଗାଣ୍ତବୀ ଧନୁ କରେ ଧରି ॥ ୧୬୦
ମିଳିଲା ଯମର ଭୁବନେ । ରବିକୁମାର ସନ୍ନିଧାନେ ॥ ୧୬୧
ତାହାର ପୁରେ ବିପ୍ରସୁତ । ଅର୍ଜୁନ ଖୋଜିଲା ବହୁତ ॥ ୧୬୨
ନ ପାଇ ମନ ଦୁଃଖ କରି । ପୁଣି ମିଳିଲା ଇନ୍ଦ୍ରପୁରୀ ॥ ୧୬୩
ତହିଁ ନ ପାଇ ବିପ୍ରସୁତ । ଅଗ୍ନିଭୁବନେ ଉପଗତ ॥ ୧୬୪
ନ ପାଇ ନଈରତ ଦେଶେ । କୋପେ ମିଳିଲା ସୋମ ପାଶେ ॥ ୧୬୫
ତହିଁ ନ ପାଇ ବିପ୍ରବାଳା । ବରୁଣ ନଗରେ ମିଳିଲା ॥ ୧୬୬
ତହିଁ ନ ପାଇ ବେଗେ ଯାଇ । କୁବେର ଭୁବନେ ଖୋଜଇ ॥ ୧୬୭
ନ ଦେଖି ବିପ୍ରବର ସୁତ । ବିସ୍ମୟେ ଭାଳି ବୀର ପାର୍ଥ ॥ ୧୬୮
ତକ୍ଷଣେ ନିଜ ବିଦ୍ୟାବଳେ । ଖୋଜିଲା ସପତ ପାତାଳେ ॥ ୧୬୯
ନ ପାଇ ନାଗଲୋକ ତଳେ । ପୁଣି ଉଠିଲା ଅନ୍ତରାଳେ ॥ ୧୭୦
ଉର୍ଦ୍ଧ୍ୱେ ସପଟଲୋକେ ଗଲା । ବିପ୍ରବାଳକ ନ ଦେଖିଲା ॥ ୧୭୧
ଧନୁ ଖଡଗ ଧରି କରେ । ପୁଣି ମିଳିଲା ବିପ୍ରଦ୍ୱାରେ ॥ ୧୭୩
ପ୍ରତିଜ୍ଞା ଭଙ୍ଗେ ବୀରମଣି । ଅଗ୍ନି ଜାଳିଲା ବେଗେ ଆଣି ॥ ୧୭୪
ଅନଳ ଜଳଇ ପ୍ରଚଣ୍ତେ । ଲୋକଗହଳ ରାଜଦାଣ୍ତେ ॥ ୧୭୫
ଗୋବିନ୍ଦ ଶୁଣି ନିଜ ପୁରେ । ମିଳିଲେ ଅର୍ଜୁନ ଛାମୁରେ ॥ ୧୭୬
ସୁହୃଦ ଭାବେ ନରହରି । ବୋଲନ୍ତି ବେନିକର ଧରି ॥ ୧୭୭
ଦେଖ ଏ ମନୁଷ୍ୟ ଶରୀର । ଦେବ ଦୁର୍ଲ୍ଲଭ ସୁଖସାର ॥ ୧୭୮
ଯେ ଦେହେ ଚଉବର୍ଗ ସାଧି । ଏ ତ ନୁହଇ ଅପରାଧୀ ॥ ୧୭୯
ଏ ଦେହ ନାଶିବୁ କେମନ୍ତେ । ସତ୍ୟବଚନ ଭଙ୍ଗ ଅର୍ଥେ ॥ ୧୮୦
ମୁଁ ତୋତେ ଦେଖାଇବି ନେଇ । ବିପ୍ର ବାଳକ ଦଶଭାଇ ॥ ୧୮୧
ଆତ୍ମାକୁ ଆପଣେ ନ ମାର । ଶୁଣ ପାଣ୍ତବ ବୀରବର ॥ ୧୮୨
ତୋର ମହିମା ଏ ଜଗତେ । ମୁହିଁ ସ୍ଥାପିବି ଦୃଢମତେ ॥ ୧୮୩
ଯାବତ ଥିବ ଏ ମେଦିନୀ । ତୋର ନିର୍ମଳ ଯଶ ଘେନି ॥ ୧୮୪
ଏମନ୍ତ ଅର୍ଜୁନକୁ କହି । ଦାରୁକ କୃଷ୍ଣ ଆଜ୍ଞା ପାଇ ॥ ୧୮୫
ଉତ୍ତମ ଅଶ୍ୱେ ସାଜି ରଥ । ଦାରୁକ ଭତ୍ତା ଯୋଡି ହସ୍ତ ॥ ୧୮୬
ତକ୍ଷଣେ ପ୍ରଭୁ ଚକ୍ରଧର । ଧରି ଅର୍ଜୁନ ବାମକର ॥ ୧୮୭
ରଥେ ବିଜୟ ନରହରି । ଆନନ୍ଦେ ଶଙ୍ଖନାଦ କରି ॥ ୧୮୮
ପଶ୍ଚିମଦିଗେ ରଥ ବାହି । ଚଳନ୍ତେ ନ ଦେଖିଲେ କେହି ॥ ୧୮୯
ସପତସିନ୍ଧୁ ସପ୍ତଦୀପ । ବେଗେ ଲଂଘିଲେ ବିଶ୍ୱରୂପ ॥ ୧୯୦
ଗିରି କାନନ ଭୂମି ଜିଣି । ଅର୍ଜୁନ ସଙ୍ଗେ ଚକ୍ରପାଣି ॥ ୧୯୧
ଜିଣିଲେ ଲୋକାଲୋକ ଦେଶ । ଘୋର ଅନ୍ଧକାରେ ପ୍ରବେଶ ॥ ୧୯୨
ରଥେ ଯୋଚିଲା ଅଶ୍ୱ ଚାରି । ଅନ୍ଧାରେ ପଥ ନ ବିଚାରି ॥ ୧୯୩
ଦିଗ ନ ଜାଣି ଭ୍ରମଗତି । ତା ଦେଖି କମଳାର ପତି ॥ ୧୯୪
ଚକ୍ର ଯେ ଥିଲା କୃଷ୍ଣଭୁଜେ । ସହସ୍ର ଆଦିତ୍ୟର ତେଜେ ॥ ୧୯୫
ଅଗ୍ରେ ପେଷିଲେ ଚକ୍ରଧର । ଖଣ୍ତିଲା ଘୋର ଅନ୍ଧକାର ॥ ୧୯୬
ରାମ କୋଦଣ୍ତବାଣ ଯେହ୍ନେ । ତେଜ ବିରାଜେ ରିପୁ ସୈନ୍ୟ ॥ ୧୯୭
ଚକ୍ରର ପଥ ତମ ଗଞ୍ଜେ । ନିଜ ପରମ ଜ୍ୟୋତି ତେଜେ ॥ ୧୯୮
ତମ ନାଶିଲେ କୃଷ୍ଣ ପଥେ । ଦେଖି ଅର୍ଜୁନ ଭୟଚିତ୍ତେ ॥ ୧୯୯
ହସ୍ତେ ବୁଜିଲା ବେନି ଆଖି । ପଥେ ଅଦ୍ଭୂତ କର୍ମ ଦେଖି ॥ ୨୦୦
ଏମନ୍ତେ ଗଲେ ତମ ଜିଣି । ରଥେ ଅର୍ଜୁନ ଚକ୍ରପାଣି ॥ ୨୦୧
ଦିଶିଲା ଜଳପୂର୍ଣ୍ଣ ଦେଶ । ତକ୍ଷଣେ ସମୁଦ୍ରେ ପ୍ରବେଶ ॥ ୨୦୨
ପବନ ଯୋଗେ ଉର୍ମିଗଣ । ଦିଶନ୍ତି ସ୍ୱରୂପେ ଭୀଷଣ ॥ ୨୦୩
ସେ ଜଳମଧ୍ୟେ ଯାଇ ପଶି । ଦେଖିଲେ ଦିବ୍ୟ ତେଜରାଶି ॥ ୨୦୪
ଦିବ୍ୟଭୁବନ ବିରାଜଇ । କିବା ଉପମା ଦେବି ମୁହିଁ ॥ ୨୦୫
ସହସ୍ର ମଣିସ୍ତମ୍ଭ ସାଜେ । ସୁନ୍ଦର ଅଧିକେ ବିରାଜେ ॥ ୨୦୬
ମଧ୍ୟେ ସୁବର୍ଣ୍ଣ ସିଂହାସନ । ଦେଖି ନିଶ୍ଚଳ କଲେ ମନ ॥ ୨୦୭
ଅନନ୍ତ ମହାଯୋଗେଶ୍ୱର । ଅଦ୍ଭୂତ ରୂପ ଭୟଙ୍କର ॥ ୨୦୮
ଫଣାସହସ୍ରେ ମଣି ସାଜେ । ଅମୂଲ୍ୟ ରତନ ବିରାଜେ ॥ ୨୦୯
ଦ୍ୱିଗୁଣେ ବିରାଜଇ ଜ୍ୟୋତି । ଉତ୍କଟ ଲୋଚନେ ଦିଶନ୍ତି ॥ ୨୧୦
ବେନି ସହସ୍ର ଜିହ୍ୱା ଶୋହେ । ସୁନ୍ଦର ଶିବଗିରି ପ୍ରାୟେ ॥ ୨୧୧
ତାର ଉପରେ ଦିବ୍ୟରୂପେ । ସୁଖ ଆସନେ ମହାସର୍ପେ ॥ ୨୧୨
ମହାନୁଭବ ଅନୁପମ । ସୁନ୍ଦର ପୁରୁଷଉତ୍ତମ ॥ ୨୧୩
ନୀଳଜୀମୂତ ଦେହକାନ୍ତି । ପୀତବସନ ବିରାଜନ୍ତି ॥ ୨୧୪
ପ୍ରସନ୍ନ ବଦନ ସୁନ୍ଦର । ବେନିଲୋଚନ ଶୋଭାକର ॥ ୨୧୫
କିରୀଟ ରବିକୋଟି ଗଞ୍ଜେ । ଅମୂଲ୍ୟ ମଣିଗଣ ପୁଞ୍ଜେ ॥ ୨୧୬
କପୋଳେ କୁଟିଳ କୁନ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୨୧୭
ଆଜାନୁଲମ୍ବେ ଚାରି ଭୂଜ । କଣ୍ଠେ କୌସ୍ତୁଭମଣି ତେଜ ॥ ୨୧୮
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ବନମାଳାଏ ଜନ ମୋହେ ॥ ୨୧୯
ନନ୍ଦସୁନନ୍ଦ ଆଦି ଦେବା । କରନ୍ତି ପଦ୍ମପାଦେ ସେବା ॥ ୨୨୦
ଶଙ୍ଖ କମଳ ଚକ୍ର ଗଦା । ଯେ ଶୋହେ ଚତୁର୍ଭୂଜେ ସଦା ॥ ୨୨୧
ନିଜ ମୂରତି ଧରି ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୨୨୨
କମଳା ଆଦି ଅଷ୍ଟଦେବୀ । ବାମ ଦକ୍ଷିଣେ ଛନ୍ତି ସେବି ॥ ୨୨୩
ବ୍ରହ୍ମା ଶଙ୍କର ଆଦି ଯେତେ । ଅଷ୍ଟଲୋକପାଳ ସହିତେ ॥ ୨୨୪
ବ୍ରହ୍ମାଦି ଦେବଙ୍କର ଗତି । ଦେଖି ସମ୍ଭ୍ରମେ ଯଦୁପତି ॥ ୨୨୫
ପରମଆତ୍ମା ପାଦଯୁଗେ । କୃଷ୍ଣ ବନ୍ଦିଲେ ଅନୁରାଗେ ॥ ୨୨୬
କୃଷ୍ଣଙ୍କୁ ଦେଖି ବିଷ୍ଣୁ ତୋଷେ । ବୋଲନ୍ତି ପରମ ହରଷେ ॥ ୨୨୭
ତୁମ୍ଭେ ଯେ ନରନାରାୟଣ । ସଂସାର ପରମକାରଣ ॥ ୨୨୮
ଭାରା ନିବାରେ ଦେବବାଣୀ । କ୍ଷୀର ଜଳଧିତଟେ ଶୁଣି ॥ ୨୨୯
ଆତ୍ମାରୁ ତୁମ୍ଭଙ୍କୁ ଭିଆଇ । ମର୍ତ୍ତେ ମନୁଷ୍ୟ ଦେହ ଦେଇ ॥ ୨୩୦
ତୁମ୍ଭଙ୍କୁ କଲି ଅବତାର । ଖଣ୍ତିଲ ଅବନୀର ଭାର ॥ ୨୩୧
ସଂସାର ଇନ୍ଦ୍ରିୟ ଲାଳସେ । ଏବେ ହେଁ ନ ମିଳିଲ ପାଶେ ॥ ୨୩୨
ଏଣୁ ମୁଁ ଚିତ୍ତେ କୋପକରି । ଆଣିଲି ବିପ୍ରସୁତ ହରି ॥ ୨୩୩
ଦେଖିବା ପାଇଁ ରୂପ ତୁମ୍ଭ । ହସି କହନ୍ତି ପଦ୍ମନାଭ ॥ ୨୩୪
ଏବେ ହୋ ବିଳମ୍ବ ନକର । ଏମନ୍ତ ଏହି ଚକ୍ରଧର ॥ ୨୩୫
ବିଷ୍ଣୁର ପଛେ ବିପ୍ରସୁତେ । ଥିଲେ ଯେ ଅଭୟ ନିଶ୍ଚିନ୍ତେ ॥ ୨୩୬
କୃଷ୍ଣ ଅର୍ଜୁନ ପାଶେ ଯାଇ । ମିଳିଲେ ବିପ୍ର ଦଶ ଭାଇ ॥ ୨୩୭
ଦେଖି ସାନନ୍ଦ ଚକ୍ରପାଣି । ଅର୍ଜୁନ ତୁଲେ ତାଙ୍କୁ ଆଣି ॥ ୨୩୮
ରଥେ ବସାଇ ଦାମୋଦର । ସେଠାରୁ ହୋଇଲେ ବାହାର ॥ ୨୩୯
ବିଷ୍ଣୁଙ୍କୁ କରି ନମସ୍କାର । ଆସି ମିଳିଲେ ନିଜ ପୁର ॥ ୨୪୦
ବ୍ରାହ୍ମଣ ଦ୍ୱାରେ ପୁତ୍ର ଦେଇ । ପାଦେ ନମିଲେ ଭାବଗ୍ରାହୀ ॥ ୨୪୧
ବୋଲନ୍ତି ନିଅ ତୋର ସୁତ । ତୁ ମୋତେ ନିନ୍ଦିଲୁ ବହୁତ ॥ ୨୪୨
ଦଶ ବାଳକ ନିଅ ଗଣି । ସମ୍ଭାଳ ବୋଲେ ଚକ୍ରପାଣି ॥ ୨୪୩
ଅର୍ଜୁନ କର କରେ ଧରି । ମିଳିଲେ ନିଜ ପୁରେ ହରି ॥ ୨୪୪
କୃଷ୍ଣ ଅଦ୍ଭୂତ କର୍ମ ଦେଖି । ଅର୍ଜୁନ ମନେ ଉପଲିକ୍ଷ୍ୟ ॥ ୨୪୫
ବିଷ୍ଣୁ ପରମଧାମ ଚିନ୍ତି । ନର ସ୍ୱଭାବେ କଲା ଭୀତି ॥ ୨୪୬
ଚତୁରବର୍ଗ ଦାତା ହରି । କପଟେ ନରରୂପ ଧରି ॥ ୨୪୭
ପ୍ରାଣୀଙ୍କୁ କରେ ଅନୁକମ୍ପା । ଏତେ ବିଚାରି କଲା ଶଙ୍କା ॥ ୨୪୮
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର ॥ ୨୪୯
ଏ ଆଦି ଯେତେ କର୍ମ ହରି । କଲେ ମନୁଷ୍ୟ ଦେହ ଧରି ॥ ୨୫୦
ନାନା ବିଷୟ ଭୋଗ ଭୁଞ୍ଜି । ଦେବମାନବ ମନ ରଞ୍ଜି ॥ ୨୫୧
କ୍ଷତ୍ରିୟ ଧର୍ମର ଉଚିତେ । ବ୍ରାହ୍ମଣ ବାକ୍ୟେ ବେଦମତେ ॥ ୨୫୨
ଅନେକ କଲେ ଯଜ୍ଞଦାନ । ଯେ ବେଦ ଆଗମ ବିଧାନ ॥ ୨୫୩
ଯଜ୍ଞ ଭୋଜନେ ତୋଷ ହୋଇ । ଯେମନ୍ତେ ଇନ୍ଦ୍ର ବରଷଇ ॥ ୨୫୪
ଅଶେଷ ସୁଖ ସେହିମତେ । କୃଷ୍ଣ ବରଷିଲେ ଜଗତେ ॥ ୨୫୫
ବ୍ରାହ୍ମଣ ଆଦି ପ୍ରଜା ଯେତେ । ସର୍ବ ସମ୍ପଦ ନାନାମତେ ॥ ୨୫୬
ଯାଦବବଂଶେ ହୋଇ ଜାତ । ସଙ୍ଗତେ ଘେନି ପଣ୍ତୁସୁତ ॥ ୨୫୭
ନିମିତ୍ତ ମାତ୍ର ତାଙ୍କୁ କରି । ଭାରା ନାଶିଲେ ନରହରି ॥ ୨୫୮
ଅଧର୍ମ ନାଶି ଧର୍ମ ପାଳି । ଜଗତନାଥ ବନମାଳୀ ॥ ୨୫୯
ସେ କୃଷ୍ଣ ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୨୬୦
ମାୟା ସଂସାରେ ନୁହଁ ରତ । ଛାଡି ଅମୃତ ଭାଗବତ ॥ ୨୬୧
ଏ ସୁଖନାବ ହେଲେ ଛାଡି । ନ ମର ଭବଜଳେ ବୁଡି ॥ ୨୬୨
କୃଷ୍ଣଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୨୬୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦ୍ୱିଜକୁମାର
ଆନୟନଂ ନାମ ପଞ୍ଚନବତିତମ ଅଧ୍ୟାୟଃ ॥
</poem>
==='''ଷଡନବତିତମ ଅଧ୍ୟାୟ'''===
<poem>
ବ୍ୟାସନନ୍ଦନ ତୋଷମନେ । ପୁଣି କହନ୍ତି କୃଷ୍ଣଧ୍ୟାନେ ॥ ୧
;ଶୁକ ଉବାଚ
ବୋଲନ୍ତି ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥ ୨
ସକଳ ସୁଖ ଭୋଗ ପୂର୍ଣ୍ଣେ । ଗୋବିନ୍ଦ ଦ୍ୱାରକାଭୂବନେ ॥ ୩
ଅଖଣ୍ତ କଳା ଯେହ୍ନେ ଶଶୀ । ନିର୍ମଳ ଆକାଶେ ପ୍ରକାଶି ॥ ୪
ଯଦୁକୁମୁଦବନ ଦେଶେ । ସୁଖେ ପ୍ରକାଶେ ମନ ତୋଷ ॥ ୫
ଯହିଁ ଅମୂଲ୍ୟମଣି ପୁଞ୍ଜେ । ତପନ୍ତେଜ ହେଲେ ଗଞ୍ଜେ ॥ ୬
ସର୍ବସମ୍ପଦ ସୁଖଘରେ । କମଳା ସେବେ ନିରନ୍ତରେ ॥ ୭
ନିଜ ଯୁବତୀ ସୁଖମନେ । ଷୋଳସହସ୍ର ଏକଶତେ ॥ ୮
ଅଷ୍ଟମହିଷୀ ଅଙ୍ଗସଙ୍ଗେ । ଦିନ ହରନ୍ତି ଭାବରଙ୍ଗେ ॥ ୯
କନ୍ଦୁକ ଆଦି କ୍ରୀଡାରସେ । ସେବନ୍ତି କୃଷ୍ଣ ଭାବରଙ୍ଗେ ॥ ୧୦
ଅଦ୍ଭୂତ ଦ୍ୱାରାବତୀପୁର । ଦେବମାନବେ ଅଗୋଚର ॥ ୧୧
ସୁଗନ୍ଧହସ୍ତୀ ମଦ ଜଳେ । ଶୁଭସୁନ୍ଦର ମହୀତଳେ ॥ ୧୨
ଯହିଁ ଯାଦବେ ଯୁଥଯୁଥ । ଦିଶନ୍ତି ନାନା ଅଳଙ୍କୃତ ॥ ୧୩
ମାର୍ଗେ ଉଜ୍ଜଳ ରଥପନ୍ତି । ନକ୍ଷତ୍ର ପ୍ରାୟ ବିରାଜନ୍ତି ॥ ୧୪
ନାନା ଉଦ୍ୟାନେ ବନରାଶି । ପୁଷ୍ପପଲ୍ଲବେ ପରକାଶି ॥ ୧୫
ଭୃଙ୍ଗ ବିହଙ୍ଗ ଅନୁବାଦେ । ମନ ହରନ୍ତି ମୃଦୁନାଦେ ॥ ୧୬
ତିନି ଭୁବନେ ଅଗୋଚର । କୃଷ୍ଣଭୁବନ ମନୋହର ॥ ୧୭
ଏମନ୍ତ ପୁରେ ନରହରି । ଷୋଳସହସ୍ର ଶତେ ନାରୀ ॥ ୧୮
ମାୟାମନୁଷ୍ୟ ରୂପ ହୋଇ । ନିତ୍ୟେ ତାହାଙ୍କ ପୁରେ ଥାଇ ॥ ୧୯
ତୋଷନ୍ତି ନାରୀଙ୍କର ମନ । ଇତର ପୁରୁଷ ଯେସନ ॥ ୨୦
ନିଦାଘ କାଳେ ଶୀତଜଳେ । ନାନାକୁସୁମ ପରିମଳେ ॥ ୨୧
ବିବିଧ ଜଳାଶୟ ମାନ । ସୁଗନ୍ଧେ ପ୍ରସାରେ ପବନ ॥ ୨୨
କୁସୁମରଜ ଜଳେ ମିଶେ । ଶୁକ କୋକିଳ ନାଦ ଘୋଷେ ॥ ୨୩
ଏମନ୍ତେ ନାନାଜଳେ ହରି । ସଙ୍ଗେ ସୁନ୍ଦରୀ ମନୋହରୀ ॥ ୨୪
କନ୍ୟାଙ୍କ ସଙ୍ଗେ ବନମାଳୀ । କରନ୍ତି ନାନାରଙ୍ଗେ କେଳି ॥ ୨୫
ନାରୀଙ୍କ ଆଲିଙ୍ଗନ କାଳେ । କୁଚକୁଙ୍କୁମ ବକ୍ଷସ୍ଥଳେ ॥ ୨୬
ଦେବେ ଆବୋରି ଦଶଦିଶେ । ନାନା ସୁବାଦ୍ୟ ଗୀତରସେ ॥ ୨୭
ସୂତ ମାଗଧ ମହୀତଳେ । ବୀଣାଦି ବାଦ୍ୟ କୁତୁହଳେ ॥ ୨୮
କାମିନୀ ଜଳ ଘେନି କରେ । ହସି ସିଞ୍ଚନ୍ତି କୃଷ୍ଣଶିରେ ॥ ୨୯
କୁବେର ଯେହ୍ନେ ପକ୍ଷୀ ମେଳେ । ବିରାଜେ ଜଳକ୍ରୀଡା ସ୍ଥଳେ ॥ ୩୦
ଜଳେ କୃଷ୍ଣର ନାରୀଜନ । ହୃଦରେ ଜଡିତ ବସନ ॥ ୩୧
କୃଷ୍ଣ ସି୍ଚନ୍ତି କରେ ନୀର । ଦିଶଇ ହୃଦୟ ବିକାର ॥ ୩୨
କାଞ୍ଚନ ପ୍ରାୟ କୁଚ ବର୍ଣ୍ଣେ । ଦିଶନ୍ତି ଆରଦ୍ର ବସନେ ॥ ୩୩
ଓଦା ବସନେ ଉରୁଦେଶ । ଅଧିକେ କରଇ ପ୍ରକାଶ ॥ ୩୪
କବରୀ ମଧ୍ୟେ ପୁଷ୍ପଭାର । ହରଷେ ବରଷନ୍ତି ନୀର ॥ ୩୫
କୃଷ୍ଣଙ୍କୁ ଜିଣିବାର ଆଶେ । ଅଧିକେ ସିଞ୍ଚନ୍ତି ହରଷେ ॥ ୩୬
ମୁଖ କି କନ୍ଦର୍ପ ଲହରୀ । ଜଳ ସିଞ୍ଚନ୍ତି ସର୍ବନାରୀ ॥ ୩୭
ସିଞ୍ଚନ୍ତି ପୁଣପୁଣ ଅଙ୍ଗେ । କାମ ବିକାର ନାନାରଙ୍ଗେ ॥ ୩୮
କରିଣୀ ମଧ୍ୟେ ଯେହ୍ନେ ଗଜ । ନାରୀଙ୍କ ମଧ୍ୟେ ଦେବରାଜ ॥ ୩୯
ନାନା ପ୍ରକାରେ କ୍ରୀଡାରସ । କରି ପିନ୍ଧିଲେ ପୀତବାସ ॥ ୪୦
ଉତ୍ସବ ଗୀତବାଦ୍ୟ ରୋଳେ । ଦେବମାନବ ସୁଖ ଭୋଳେ ॥ ୪୧
ତୀରେ ବିଜୟ ବନମାଳୀ । ନାରୀଙ୍କ କର କରେ ଧରି ॥ ୪୨
ନଟ ନର୍ତ୍ତକୀଗଣ ଚାହିଁ । ଆନନ୍ଦମନେ ଭାବଗ୍ରାହୀ ॥ ୪୩
ଅନେକ ବସ୍ତ୍ର ଅଳଙ୍କାର । ତାହାଙ୍କୁ ଦେଲେ ଦାମୋଦର ॥ ୪୪
କନ୍ୟାଏ ନାନା ରତ୍ନବାସ । ନଟଙ୍କୁ ଦେଲେ ହୋଇ ତୋଷ ॥ ୪୫
ଏମନ୍ତେ କ୍ରୀଡାରସେ ହରି । ଜଗମୋହ୍ନ ରୂପ ଧରି ॥ ୪୬
ହରିଲେ ନାରୀଙ୍କର ମନ । ବୁଦ୍ଧି ଅହଙ୍କାର ଚେତନ ॥ ୪୭
କନ୍ୟାଏ ନିଜ ପୁରେ ଯାଇ । କୃଷ୍ଣବଦନେ ମନ ଥୋଇ ॥ ୪୮
ନିମିଷେ ନଦେଖି ମୁରାରି । ଜୀବନ ନ ପାରନ୍ତି ଧରି ॥ ୪୯
ଚିନ୍ତନ୍ତି ସ୍ୱଗୃହେ ତରୁଣୀ । ଜଡ ଉନ୍ମତ୍ତ ପ୍ରାୟ ବାଣୀ ॥ ୫୦
ଯେମନ୍ତ କଲେ ବିପରୀତ । କହିବା ଶୁଣ ପରୀକ୍ଷିତ ॥ ୫୧
ବୃକ୍ଷରେ ପକ୍ଷୀଗଣ ଚାହିଁ । ବୋଲନ୍ତି ବାଇ ପ୍ରାୟ ହୋଇ ॥ ୫୨
କୁରରୀ ଆମ୍ଭବାଣୀ ଶୁଣ । କିମ୍ପା ଉନ୍ନିଦ୍ର ତୋ ନୟନ ॥ ୫୩
ଏ ରାତ୍ରକାଳେ ସର୍ବଜନ । ନିଦ୍ରା ମୋହିତେ ଅଚେତନ ॥ ୫୪
ଆମ୍ଭ ଜୀବନ ଗୋପୀନାଥ । ଦେଖ ନିଶ୍ଚିନ୍ତେ ନିଦ୍ରାଗତ ॥ ୫୫
ତାର ନିବିଡ ଆଲିଙ୍ଗନ । ତେଣେ ଯନ୍ତ୍ରିତ ଆମ୍ଭ ମନ ॥ ୫୬
ଲୋଚନେ ନିଦ୍ରା ନ ମାଡଇ । ତୁ ଯେ ଆମ୍ଭର ପ୍ରାୟ ହୋଇ ॥ ୫୭
ଦେଖିଛୁ କଟାକ୍ଷ ନୟନ । ତେଣୁ ଚଞ୍ଚଳ ତୋର ମନ ॥ ୫୮
ପୁଣି ବୋଲନ୍ତି ଭ୍ରମ ପାଇ । ଚକ୍ରବାକୀର ମୁଖ ଚାହିଁ ॥ ୫୯
ଏ ରାତ୍ରକାଳେ ସ୍ୱାମୀ ସଙ୍ଗ । ନ ଲଭି ଦୁଃଖିତ ତୋ ଅଙ୍ଗ ॥ ୬୦
ଅତି କାରୁଣ୍ୟେ କିମ୍ବା କାନ୍ଦୁ । ଦେଖ ଆମ୍ଭର ପ୍ରାଣବନ୍ଧୁ ॥ ୬୧
ନିଦ୍ରିତେ ନ ପାଇଲୁ ସଙ୍ଗ । ଯେମନ୍ତେ ତୋର ସଙ୍ଗଭଙ୍ଗ ॥ ୬୨
କିମ୍ପାଇ ଆମ୍ଭ ମୁଖ ଚାହୁଁ । କି ଅବା ତେଣେ ତୋଷ ହେଉ ॥ ୬୩
ଆମ୍ଭେ ଯେ ଗୋବିନ୍ଦର ଦାସୀ । ତା ପାଦପଦ୍ମର ତୁଳସୀ ॥ ୬୪
କବରୀ ଭାର ସଜ କରି । କଣ୍ଠେ ଜୀବନ ଅଛୁ ଧରି ॥ ୬୫
ସେମାନ ଇଚ୍ଛା କରୁ ଯେବେ । ଦେବୁ ଯେ ତୋତେ ପ୍ରିୟଭାବେ ॥ ୬୬
କବରୀଭାର ସଜ କର । ସେବ ତୋହର ନିଜ ବର ॥ ୬୭
ପୁଣି ସମୁଦ୍ରକୁ ଅନାଇଁ । ବୋଲନ୍ତି କୃଷ୍ଣଭାବ ବହି ॥ ୬୮
ହେ ନଦୀକାନ୍ତ ହେ ସମୁଦ୍ର । ତୁ କିମ୍ପା ଏ ରାତ୍ରେ ଉନ୍ନିଦ୍ର ॥ ୬୯
ନିଦ୍ରା ନ ଯାଇ ନାଦ କରୁ । ତୁ କୃଷ୍ଣକଥା କି ସୁମରୁ ॥ ୭୦
ତାର ନୟନ ବାଣେ ଛନ୍ନ । ଯେମନ୍ତ ଆମ୍ଭର ଜୀବନ ॥ ୭୧
ସେ ଦୋଷ ତୋତେ କି ବାଧିଲା । ନିଶ୍ଚେ ଜାଣିଲୁ କୃଷ୍ଣଲୀଳା ॥ ୭୨
ପୁଣି ସେ ଚନ୍ଦ୍ରକୁ ଅନାଇଁ । ବୋଲନ୍ତି ପ୍ରିୟଭାବ ବହି ॥ ୭୩
କୁମୁଦବନ୍ଧୁ ତୁ ବୋଲାଉ । ମୃଗଲାଞ୍ଛନ ହୃଦେ ବହୁ ॥ ୭୪
ପୂର୍ବେ ଅର୍ଜିଲା କର୍ମଭୋଗ । ଏଣୁ ତୋ ଦେହେ କ୍ଷୟ ରୋଗ ॥ ୭୫
ନିଜ କରମେ କ୍ଷୀଣ ହେଉ । ତୁ କିମ୍ପା ରାତ୍ରେ ଉଦେ ନୋହୁ ॥ ୭୬
ଆମ୍ଭେ ଯେ କୃଷ୍ଣର ତରୁଣୀ । ତାର ମୋହନ କଥା ଶୁଣି ॥ ୭୭
ଆତ୍ମା ନ ସୁମରି ଯେମନ୍ତେ । ତେମନ୍ତେ ଦେଖିଲୁ ଯେ ତୋତେ ॥ ୭୮
ତୋର ଗୋବିନ୍ଦଭାବେ ମନ । ତେଣୁ କି ହୋଇଲୁ ମଉନ ॥ ୭୯
ମଳୟାନିଳ ଦେଖି ଭ୍ରମେ । ବିଶ୍ୱାସେ ବୋଲନ୍ତି ପବନେ ॥ ୮୦
ଶୁଣି ତୁ କୃଷ୍ଣବାକ୍ୟବନ୍ଧ । ଭୁବନେ ବହୁ ମନ୍ଦମନ୍ଦ ॥ ୮୧
କୃଷ୍ଣଲୀଳାରେ କରୁ ଆଶା । ଯେ ଭାବେ ଆମ୍ଭର ଭରସା ॥ ୮୨
ଆମ୍ଭଙ୍କୁ ଚାହିଁ ମେଘମାଳା । ଛଳେ କହନ୍ତି କୃଷ୍ଣଲୀଳା ॥ ୮୩
ବୋଲନ୍ତି ମେଘକୁ ଅନାଇଁ । କୃଷ୍ଣର ମିତ୍ର ଅଟୁ ତୁହି ॥ ୮୪
ନିଶ୍ଚେ ତୁ କରୁ କୃଷ୍ଣେ ଧ୍ୟାନେ । ଯା ହୃଦେ ଶ୍ରୀବତ୍ସର ଚିହ୍ନ ॥ ୮୫
ଆମ୍ଭର ପ୍ରାୟ ପ୍ରେମବନ୍ଧେ । ଚିନ୍ତା ତୁ କରୁ କୃଷ୍ଣପାଦେ ॥ ୮୬
ହୃଦେ ନିବିଡ ପ୍ରେମଭରେ । ଆମ୍ଭେ ଯେମନ୍ତ ଚକ୍ଷୁଦ୍ୱାରେ ॥ ୮୭
ନିତ୍ୟେ ଲୋତକ କୁଚେ ସିଞ୍ଚୁ । ତୋତେ ତେମନ୍ତ ପ୍ରାୟ ପାଞ୍ଚୁ ॥ ୮୮
ତୋ ହୃଦେ କୃଷ୍ଣପ୍ରେମ ଭରା । ତେଣୁ ତୁ ସିଞ୍ଚୁ ଜଳଧାରା ॥ ୮୯
ସୁମରି ପୁଣ ପୁଣ ସୁଖ । ତାଙ୍କ ପ୍ରସଙ୍ଗ ମହାଦୁଃଖ ॥ ୯୦
କୋକିଳନାଦ କର୍ଣ୍ଣେ ଶୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୧
ଶୁଣ କୋକିଳ ଆମ୍ଭ ବାଣୀ । ଆମ୍ଭେ ତୋହର ଭାବ ଜାଣି ॥ ୯୨
ତେଣୁ ତୁ ଦୁଃଖୀ ଆମ୍ଭ ଦୁଃଖେ । କୋମଳବାଣୀ କହୁ ମୁଖେ ॥ ୯୩
କିସ କରିବୁ କହ ତୋର । ତୁ ଆମ୍ଭ ଜୀବନ ସୋଦର ॥ ୯୪
ପର୍ବତଶୃଙ୍ଗ ଚାହିଁ ପୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୫
ତୁ ମହୀଧର ବଡ ଧନ୍ୟ । ନ ଚଳୁ ନ ବୋଲୁ ବଚନ ॥ ୯୬
ଉଦାର ବୃଦ୍ଧି ତୋର ଜାଣି । ଗୁପତେ ଚିନ୍ତୁ ଚକ୍ରପାଣି ॥ ୯୭
ଆମ୍ଭେ ଗୋବିନ୍ଦପାଦ ଯେହ୍ନେ । କୁଚେ ଲଗାଉ ସାବଧାନେ ॥ ୯୮
ତୁହି ତେମନ୍ତ କରୁ ଆଶ । ତେଣୁ ତୁ ଆମ୍ଭର ବିଶ୍ୱାସ ॥ ୯୯
ନିକଟେ ଦଦୀସ୍ରୋତ ଦେଖି । ଭାବେ ବୋଲନ୍ତି ଚନ୍ଦ୍ରମୁଖୀ ॥ ୧୦୦
ପ୍ରିୟବିଯୋଗେ ସଖି ତୋର । ଶୁଖିଲା ବେନି ତଟୁଁ ନୀର ॥ ୧୦୧
କମଳ ଉପହାର କରୁ । ସ୍ୱାମୀର ସଙ୍ଗ ତୁ ସୁମରୁ ॥ ୧୦୨
ଦେଖ ଆମ୍ଭର ମନ ଛନ୍ନ । ନ ଦେଖି କୃଷ୍ଣର ବଦନ ॥ ୧୦୩
ଦୁଃଖ ହୃଦୟେ ଦିନ ବଞ୍ଚୁ । ଆମ୍ଭର ପ୍ରାୟ ତୋତେ ପାଞ୍ଚୁ ॥ ୧୦୪
ପୁଣି ଚାହାନ୍ତି ଦଶଦିଶେ । ଦେଖିଲେ ରାଜହଂସ ପାଶେ ॥ ୧୦୫
କୃଷ୍ଣର ଦୂତ ପ୍ରାୟ ମଣି । ବୋଲନ୍ତି ପ୍ରିୟଭାବେ ବାଣୀ ॥ ୧୦୬
ଭଲେ ଅଇଲୁ ହଂସ ପଥେ । ଆମ୍ଭର ପ୍ରିୟ ଘେନି ଚିତ୍ତେ ॥ ୧୦୭
ଆସ ତୁ କ୍ଷୀର କର ପାନ । ଆମ୍ଭ ସମୀପେ ତୋ ଆସନ ॥ ୧୦୮
ବସି ତୁ କହ କୃଷ୍ଣକଥା । ତୋ ତହିଁ ବିଶ୍ୱାସ ବ୍ୟବସ୍ଥା ॥ ୧୦୯
ଜାଣିଲୁ ଦୂତ ବୋଲି ତୋତେ । ଶ୍ରମ ପାଇଲୁ ଆସି ପଥେ ॥ ୧୧୦
ଭଲେ କି ଛନ୍ତି ଦାମୋଦର । କହ ତୁ କପଟ ନକର ॥ ୧୧୧
କପଟ ହୃଦୟ ତାହାର । ଚଞ୍ଚଳ ସୁହୃଦ ବେଭାର ॥ ୧୧୨
ଆମ୍ଭର ଭାବ କି ସୁମରେ । ଏ ମାୟା ସଂସାରେ ସାଗରେ ॥ ୧୧୩
କିବା କରିବୁ ଯିବୁ ନାହିଁ । ତା ତହୁଁ ଆନଗତି ନାହିଁ ॥ ୧୧୪
ଅମୃତ ବଚନ ତାହାର । ଶୁଣି ଶ୍ରବଣ ସୁଖକର ॥ ୧୧୫
ସକାମ କରେ ଆମ୍ଭ ମନ । ତା ଭାବ ଛାଡିବୁ କେସନ ॥ ୧୧୬
ଏମନ୍ତେ କୃଷ୍ଣର କାମିନୀ । ଚିତ୍ତେ ନିର୍ମଳ ଭାବ ଘେନି ॥ ୧୧୭
ଯୋଗେଶ୍ୱରଙ୍କୁ ଅଗୋଚର । ଅଭୟ ଚରଣ ଯାହାର ॥ ୧୧୮
ସେ ହରିପାଦେ ଭାବ କଲେ । ଜନ୍ମ ମରଣୁଁ ନିସ୍ତରିଲେ ॥ ୧୧୯
ପରମପଦେ ତାଙ୍କ ଗତି । ଏବେ ହୋ ଶୁଣ ନରପତି ॥ ୧୨୦
ସେ ହରିଗୁଣ ଶ୍ରୁତିପଥେ । ପଶି କାମିନୀଗଣ ଚିତ୍ତେ ॥ ୧୨୧
ବଳେ କରଇ କାମମୟେ । ଯେ ଭାବେ ବସି ନିତ୍ୟେ ଧ୍ୟାୟେ ॥ ୧୨୨
ତା ରୂପ ଚକ୍ଷୁଦ୍ୱାରେ ଦେଖି । କାମିନୀ କେ ନୋହିବେ ସୁଖୀ ॥ ୧୨୩
ତାହାଙ୍କୁ ସ୍ୱାମୀପଣେ ପାଇ । ପାଦେ ସେବନ୍ତି ଗୃହେ ଥାଇ ॥ ୧୨୪
ତାହାଙ୍କ ତପ କେ ବର୍ଣ୍ଣିବ । ଯାହା ବାଞ୍ଛନ୍ତି ବ୍ରହ୍ମା ଶିବ ॥ ୧୨୫
ଏମନ୍ତ ପ୍ରଭୁ ବନମାଳୀ । ବଦଉଚିତେ ଧର୍ମ ପାଳି ॥ ୧୨୬
ଗୃହସ୍ଥିଧର୍ମ ଅନୁମତେ । ଚତୁରବର୍ଗ ସିଦ୍ଧି ଅର୍ଥେ ॥ ୧୨୭
ଷୋଳସହସ୍ର ଶତେ ନାରୀ । ଗୃହେ ରମିଲେ ନରହରି ॥ ୧୨୮
ନାରୀଙ୍କ ମଧ୍ୟେ ଅଷ୍ଟଦେବୀ । କମଳା ଅଂଶେ କୃଷ୍ଣ ସେବି ॥ ୧୨୯
ଏ ଆଦି ସକଳ ଯୁବତୀ । ଗୋବିନ୍ଦ ଗୃହେ ପୁତ୍ରବତୀ ॥ ୧୩୦
କନ୍ୟାକେ ଦଶଦଶ ସୁତ । ଏକ ଦୁହିତା ହୋଏ ଜାତ ॥ ୧୩୧
ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଉତ୍ତମ ଅଷ୍ଟାଦଶ ବୀର ॥ ୧୩୨
ସୁଯୋଦ୍ଧା ରଥୀ ଅନୁପମ । ଶୁଣ ତୁ ପୁତ୍ରଙ୍କର ନାମ ॥ ୧୩୩
ପ୍ରଦ୍ୟୁମ୍ନ ଦୀପ୍ତିମାନ ଭାନୁ । ଶାମ୍ବ ମଧୁ ଯେ ବୃହଦ୍ଭାନୁ ॥୧୩୪
ଚିତ୍ରଭାନୁ ବୃକ ଅରୁଣ । ଚିତ୍ରବାହୁ ଯେ ସୁନନ୍ଦନ ॥୧୩୫
ପୁଷ୍କର ବେଦବାହୁ ବେନି । ଚଉଦ ଶ୍ରୁତଦେବ ଘେନି ॥୧୩୬
ବିରୂପ କବି ଯେ ନ୍ୟଗ୍ରୋଧ । ପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ ॥୧୩୭
ଏହାଙ୍କ ମଧେ ଜ୍ୟେଷ୍ଠଭ୍ରାତ । ଉତ୍ତମ ରୁକ୍ମିଣୀର ସୁତ ॥୧୩୮
କୃଷ୍ଣର ପ୍ରାୟେକ ଦିଶଇ । ରୁକ୍ମୀ ଯେ ରୁକ୍ମିଣୀର ଭାଇ ॥୧୩୯
ତାର ଦୁହିତା ତାକୁ ଦେଲା । ତାହାର ଅନିରୁଦ୍ଧ ବଳା ॥୧୪୦
ରୁକ୍ମୀପୁତ୍ର ନାରୀ ଉଦରେ । କନ୍ୟାଏ ଥିଲା ତାର ପୁରେ ॥୧୪୧
ପ୍ରଦ୍ୟୁମ୍ନ ପୁତ୍ରେ ତାହା ବରି । ବିଭା କରାଇଲେ ମୁରାରି ॥୧୪୨
ବଜ୍ର ତାହାର ତହୁଁ ଜାତ । ଏବେ ହୋ ଶୁଣ ପରୀକ୍ଷିତ ॥୧୪୩
ମୂଷଳ ଅବଶେଷ ସେହୁ । ତାର କୁମର ପ୍ରତିବାହୁ ॥୧୪୪
ସୁବାହୁ ତା ତହୁଁ ଜନମ । ତାର କୁମର ଶାନ୍ତସେନ ॥୧୪୫
ତାହାର ଶତସେନ ବଳା । ସେଠାରୁ ଯଦୁବଂଶ ଗଲା ॥୧୪୬
ସେ ଯଦୁବଂଶେ ମହୀତଳେ । ଯେତେ କୁମର ଉପୁଜିଲେ ॥୧୪୭
ଏ ବଂଶେ ଯେତେକ ସନ୍ତ୍ତି । ନିର୍ଦ୍ଧନ ଅପୁତ୍ରୀ ନୁହଁନ୍ତି ॥୧୪୮
ଅକାଳେ ନୁହଁନ୍ତି ବିନାଶ । ନାହିଁ ପାପିଷ୍ଠ ଅଳ୍ପାୟୁଷ ॥୧୪୯
ଏ ହରିବଂଶର ମହିମା । କେ କହିପାରେ ଗୁଣସୀମା ॥୧୫୦
ଯେତେ ବାଳକ ଉପୁଜିଲେ। କେ ଗଣିପାରେ ତାହା ଭଲେ ॥୧୫୧
ଶୁଣ ତା କହିବା ପ୍ରକଟି । ଅଠାଶୀସସ୍ର ତିନିକୋଟି ॥୧୫୨
ଏତେ ଆଚୁାର୍ଯ୍ୟ ବିଦ୍ୟାଗୁରୁ । ଏଣୁ କେ ସଂଖ୍ୟା କରିପାରୁ ॥୧୫୩
ଅୟୁତ ନିୟୁତ ପ୍ରମାଣି । କେ ପାରୁ ହରିବଂଶ ଗଣି ॥୧୫୪
ପୂର୍ବେ ଯେ ଦେବାସୁର ରଣେ । ଯେ ଅବା ମଲେ ଯାତୁଧାନେ ॥୧୫୫
ପୁଣି ମନୁଷ୍ୟ ଦେହ ବହି । ଅଶେଷ ମହୀତଳେ ହୋଇ ॥୧୫୬
ତାହାଙ୍କ ସଂହାରଣ ଅର୍ଥେ । ବିଷ୍ଣୁର ଅଂଶ ଏ ଜଗତେ ॥୧୫୭
ମନୁଷ୍ୟେ ହୋଇ ଅବତାର । ହରିଲେ ଅବନୀର ଭାର ॥୧୫୮
ଦେବେ ସକଳେ ଆଜ୍ଞା ପାଇ । ଯାଦବବଂଶେ ଜାତ ହୋଇ ॥୧୫୯
ଏକ ଉତ୍ତର ଶତବଂଶ । ଧରଣୀ ମଧ୍ୟେ କଲେ ନାଶ ॥୧୬୦
ଯାଦବବଂଶେ ହୋଇ ଜନ୍ମ । ଯହିଁ ସେ କଲେ ଯେତେ କର୍ମ ॥୧୬୧
ଆସନ ଶୟନ ଭୋଜନ । ଯଦୁଙ୍କ ତୁଲେ ଭଗବାନ ॥ ୧୬୨
ଏମନ୍ତେ ଦ୍ୱାରାବତୀପୁର । ସର୍ବସମ୍ପଦ ସୁଖସାର ॥ ୧୬୩
ଅଖଣ୍ତସୁଖ ଭୋଗ କରେ । ଦ୍ୱାରକାପୁରବାସୀ ॥ ୧୬୪
ଏମନ୍ତେ ସାତବଂଶ ଜନ । ସ୍ୱଧର୍ମେ ବଞ୍ଚନ୍ତି ସେଦିନ ॥ ୧୬୫
ଯହିଁ ସେ ରାମ କୃଷ୍ଣ ବେନି । ସୁକୃତକର୍ମ ଅବଧାନୀ ॥ ୧୬୬
ସକଳତୀର୍ଥ ଯଦୁକୁଳ । ଯହିଁ ବିଜୟ ଆଦିମୂଳ ॥ ୧୬୭
ପାଦଉଦକ ଗଙ୍ଗାତୀର । କମଳା ସେବେ ନିରନ୍ତର ॥ ୧୬୮
ଯା ନାମ ସର୍ବଦେବ ଘୋଷେ । ଶ୍ରବଣେ ଅମଙ୍ଗଳ ନାଶେ ॥ ୧୬୯
ମନୁଷ୍ୟଭାବ କର୍ମ କରି । ଅନ୍ତେ ସକଳ ଦେହେ ଭରି ॥ ୧୭୦
ଯାହାର କାଳଚକ୍ର ହସ୍ତେ । କେ ଜାଣି ପାରେ ତା ଜଗତେ ॥ ୧୭୧
ଦେବକୀ ଗର୍ଭେ ଅବତରି । ତେଜେ ଧରଣୀଭାରା ହରି ॥ ୧୭୨
ସ୍ଥାବର ଆଦି ଯେତେ ଜନ୍ମ । ଖଣ୍ତିଲେ ତାହାଙ୍କର ନାମ ॥ ୧୭୩
ଶ୍ରୀମୁଖ ଚାହିଁ ଗୋପନାରୀ । କାମ ଗରଳ ସେ ନିବାରି ॥ ୧୭୪
ସେ ହରି କଲେ କର୍ମ ଯେତେ । ସଂକ୍ଷେପେ କହିଲି ମୁଁ ତୋତେ ॥ ୧୭୫
ଏ କଥା କର୍ଣ୍ଣେ ଯେ ଶୁଣନ୍ତି । ଆନନ୍ଦେ ହୃଦୟେ ଗୁଣନ୍ତି ॥ ୧୭୬
ଜନ୍ମ ମରଣ ତାଙ୍କ ନାହିଁ । ଯେ ନିତ୍ୟେ କୃଷ୍ଣଲୀଳା ଗାଇ ॥ ୧୭୭
ଅମୃତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୭୮
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥ ୧୭୯
ଦଶମେ କୃଷ୍ଣର ମହିମା । ଯାହା ନ ଜାଣେ ଶିବ ବ୍ରହ୍ମା ॥ ୧୮୦
ସେ ହରି ଆଜ୍ଞା ଶିରେ ବହି । ଗୀତେ ପାରିଲି ଯାହା କହି ॥ ୧୮୧
ପ୍ରାକୃତ ଭାଷା ଏ ପ୍ରବନ୍ଧ । ଫିଟେ ଅନ୍ଧାର - ଭବବନ୍ଧ ॥ ୧୮୨
ମୁଁ ଛାର ହୀନ ମୂଢମତି । କୃଷ୍ଣଚରଣେ ହେଉ ମତି ॥ ୧୮୩
ଦଶମସ୍କନ୍ଧ ପୁଣ୍ୟବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୮୪
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୀକୃଷ୍ଣ
ଚରିତ ଅନୁବର୍ଣ୍ଣନଂ ନାମ ଷଣ୍ଣବତିତମ ଅଧ୍ୟାୟଃ ।
</poem>
[[Category:ଓଡ଼ିଆ ଭାଗବତ]]
o7h60rfd4i2fdx19c7ca6hgnwzd2e1a
ପୃଷ୍ଠା:Adbhut Parinam (M Rath, 1915).pdf/୨୦
250
12697
59653
2026-09-06T18:37:43Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "କଉଜ ପରଣାମ । www ସ୍ନେହରେ ଦଆଯାଏ । କଏ ଯେ କେତେ କରାବ, କାଗଜ, ପେନ୍ସିଲ, କଲମ, ଦୁଝର, ରୁମାଲ, ଥାନଫଡା ଧୋର, କମ୍ବଳ ଓଗେର ପାନ୍ତି, ତାହାର ସଂଖ୍ୟା କମ୍ ରଖୁଛି ! ବୈଠକଖାନା ପଛଅଡ଼େ ଅର୍ଥାର୍ ପୂପା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59653
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>କଉଜ ପରଣାମ ।
www
ସ୍ନେହରେ ଦଆଯାଏ । କଏ ଯେ କେତେ କରାବ, କାଗଜ,
ପେନ୍ସିଲ, କଲମ, ଦୁଝର, ରୁମାଲ, ଥାନଫଡା ଧୋର,
କମ୍ବଳ ଓଗେର ପାନ୍ତି, ତାହାର ସଂଖ୍ୟା କମ୍ ରଖୁଛି !
ବୈଠକଖାନା ପଛଅଡ଼େ ଅର୍ଥାର୍ ପୂପାଖରେ ଗୋଞ୍ଜାଏ ବଡ଼
ପୋଖରୀ । ସେ ଥର ଗୋଧଏ ପାଖରେ ଦୁଇ ଜଣ ପଠାଣ
ଯୁବା ଠିଆ ଠିଆ ଦଳର୍ଶୀ ପକାଇ ମଧେ ମଧେ ହଠାରୁ ଗୋଟିଏ
ଗୋଟିଏ ଧଳା ଫରଫର ଜୀବ ପୋଖରୀ ଭଗରୁ ଝାଣି ଆଣୁଛନ୍ତି ।
ମେମ୍ ସାହେବଙ୍କର ଅନେକ ସମୟରେ ସେହି ପୋଖଘ ଉପରେ
ଆଖି ଥାଏ । ବେଳେ ବେଳେ ମାଛ ମହା ଖେଳାଉ ବାର
ଦେଖିଲେ, ବୋଧହୁଏ ଘୂରୁଥାନ୍ତି, ପ୍ରଦ୍ମ କେବେ ଏହିପର କାମ
ମୋତେ ଦେବେ । ଗୋଏ ସାନ୍ତାଳ କା ମେମ୍
ପାହେବଙ୍କର ଧରମପୁଅ । ସେ ଜ୍ୱର ମାଛ ଧର ପାରେ, ଆଉ ଗାଈ
ଦୁହି ପାରେ। ପ୍ରଭଦନ ମେନ୍ ସାହେବ ଜଜେ ତାର ଖାଇବାର
ଭଲୁ ନଅନ୍ତି । ଏହିପରି ଲେଖ’ରେ କେତେ ପୁଅ ଝିଅ ଢାଙ୍କ
ପାଖରେ ବନ୍ଧା ଅଛନ୍ତି । ଅଉ ସେ ସରୁ ବେଶି କହଲେ
ପାଠକମାନେ ରକ୍ତ ହେବେ । ଦନେ ମେଘ ଅନ୍ଧାର——ଝିପ
ଝିପି ବରଷା ହେଉଅଛୁ –ବେଳ ଅନ୍ଦାକ ଯହରେ ବେଳ ।
ଲଞ୍ଚି ଏ ଫାଞ୍ଚକ ପାଖକୁ ଆସି ଶସ୍ତ୍ର ଶକ୍ତି ଠିଅ ହେଲ ।
ଭତରକୁ ଯିବାକୁ ମନ ଥିଲେ ସୁଦ୍ଧା କଛିଣ୍ତାରେ ସାହେକ
ଏବଂ ତାଙ୍କ ଭୁଣ୍ଡକୁ ଦେଖି ପଶିକାକୁ ଭରସି ପାରଲ ନାହିଁ ।
ପାହେବ ବରଣ୍ଡାରେ ଥାଇ ଦୂରରୁ ଢାହା ଉପରେ ଧୀର
ସୁଶାନ୍ତ ଦୃଷ୍ଟି ଢାଇବାକୁ ଲଟିଲେ। ସିଂ ବର ସୁରା ଏପଣ ଦୃଷ୍ଟି
Digitized by srujanika@gmail.com<noinclude></noinclude>
53nhytsdgs6x3rpslp4mwfaz8ri4bm3